Saturday, May 14, 2022

"ଵୈଦେଶିକ Girlfriend ଵିପକ୍ଷରେ ସତତ ସଂଘର୍ଷରତ ଓଡ଼ିଆ ଶବ୍ଦ ମାଣ୍ଡୁ"


ସବୁ ଭାଷାରେ ଏମିତି କିଛି ଶବ୍ଦ ଥାଏ ଯାହାର ମୂଳ ନିର୍ଣ୍ଣୟ କରିଵା କଷ୍ଟକର ହୋଇପଡେ଼। ସେଇଭଳି ଏକ ଶବ୍ଦ ହେଉଛି ମାଣ୍ଡୁ । ଏ  ଶବ୍ଦଟି ଆଜିକାଲି ଓଡି଼ଶାରେ ବହୁତ ଲୋକପ୍ରିୟ ହୋଇଯାଇଛି । ଵିଶେଷତଃ ଯୁଵଗୋଷ୍ଠୀଙ୍କ ମଧ୍ୟରେ ଏ ଶବ୍ଦର ଵିଶେଷ ଵ୍ଯଵହାର ଦେଖାଯାଏ । ଆଜିର ଯୁଵକମାନେ ମାଣ୍ଡୁ ଶବ୍ଦକୁ girlfriend/ପ୍ରେମିକା ଅର୍ଥରେ ଵ୍ଯଵହାର କରନ୍ତି ।  ଅଵଶ୍ୟ ଗାର୍ଲଫ୍ରେଣ୍ଡ,ଡାର୍ଲିଙ୍ଗ,ମାଲ୍,ପ୍ରେୟସି,ପ୍ରିୟତମା ଓ ପ୍ରେମିକା ଆଦି ଶବ୍ଦରେ ଅଭ୍ଯସ୍ତ କିଛି ଲୋକଙ୍କୁ ଏ ଶବ୍ଦଟିର ହଟାତ୍ ଲୋକପ୍ରିୟତା ସହ୍ଯ ହେଉନାହିଁ । ତାଙ୍କ ପାଇଁ ଦେଶଜ କି ତଦ୍ଭଵ ଶବ୍ଦଗୁଡ଼ିକର କୌଣସି ମୂଲ୍ୟ ନାହିଁ ଵରଂ ଵୈଦେଶିକ ଶବ୍ଦ ଵ୍ଯଵହାର ଦ୍ଵାରା ସେମାନେ ସୁସଂସ୍କୃତ ହେଇଯିଵେ ବୋଲି ମନେ ମନେ ଵିଚାର କରିଥାନ୍ତି ।

ତେଵେ ଏ ମାଣ୍ଡୁ ଶବ୍ଦର କୁଳଗୋତ୍ର ବି ଆଲୋଚନା କରାଯାଉ କଣ୍ ସତରେ ଏହା ଏକ ଦେଶଜ କି ତଦ୍ଭଵ ଶବ୍ଦ ନା କୌଣସି ଵୈଦେଶିକ ଶବ୍ଦର ଓଡ଼ିଆ ଵ୍ଯଵହାର ?

ହିନ୍ଦୀ, ବଙ୍ଗାଳୀ ଓ ମରାଠୀ ଭାଷାର ପୁରାତନ ଶବ୍ଦକୋଷଗୁଡି଼କରେ ମାଣ୍ଡୁ ଶବ୍ଦ ଉଣ୍ଡିଲେ ମଧ୍ୟ ମିଳେନାହିଁ । ଵୈଦେଶିକ ଭାଷା ମଧ୍ୟରେ ଆରବୀ ପାର୍ସୀ କି ତୁର୍କ ଭାଷାରେ ସୁଦ୍ଧା ମାଣ୍ଡୁ ଭଳି କୌଣସି ଶବ୍ଦ ଥିଵା ଜଣାଯାଏ ନାହିଁ । କୋରିଆ ଦେଶର ଭାଷାରେ ଏକ ଜାତୀୟ ମିଷ୍ଟାନ୍ନକୁ (만두)ମାଣ୍ଡୁ ଵା ମାଣ୍ଡୂ  କୁହାଯାଏ । ସେହିପରି ଅଷ୍ଟ୍ରିଆ ଦେଶର ଅଷ୍ଟ୍ରୀୟ ଭାଷାରେ Mandu ଶବ୍ଦର ଅର୍ଥ ନେତୃତ୍ୱ,
ନିୟନ୍ତ୍ରଣ ଓ ରିମୋଟ୍ କଣ୍ଟ୍ରୋଲ୍  ଅଟେ ।

ଓଡ଼ିଆ ଭାଷାରେ ମାଣ୍ଡୁ ଶବ୍ଦ ନୂଆ ନୁହେଁ । ବହୁ ପ୍ରାଚୀନ କାଳରୁ ମାଣ୍ଡୁ ଶବ୍ଦର ଵ୍ଯଵହାର ନାନାର୍ଥରେ ହୋଇ ଆସିଛି । ନିମ୍ନରେ ମାଣ୍ଡୁ ଶବ୍ଦର ଓଡ଼ିଆ ଭାଷାରେ ପ୍ରତ୍ୟେକ ଅର୍ଥ ଵିଷୟରେ ସମ୍ଯକ ଆଲୋଚନା କରାଗଲା ...

★ମାଣ୍ଡୁ―୧
ଦେବତାଙ୍କୁ ଆଵାହନ କରିବା ପାଇଁ ଭୁମିରେ ଅଙ୍କିତ ଏକ ପ୍ରକାରର ଚକ୍ରାକାର ଚିତ୍ରକୁ ମାଣ୍ଡୁ କୁହାଯାଏ । ସଂସ୍କୃତ ଶବ୍ଦ ମଣ୍ଡଳ ସହିତ ଏହି ମାଣ୍ଡୁ ଶବ୍ଦ ସମଦ୍ଧୃତ ।

★ମାଣ୍ଡୁ―୨
ଅଭିଯୁକ୍ତ ଵ୍ଯକ୍ତିକୁ ପରୀକ୍ଷା କରିଵା ପାଇଁ ପୂର୍ଵକାଳରେ ଵ୍ଯଵହୃତ ଅଗ୍ନିଆଦିଦ୍ବାରା କରାଯିଵା ଧର୍ମପରୀକ୍ଷାକୁ ମାଣ୍ଡୁ କୁହାଯାଉଥିଲା । ଏଭଳି ଧର୍ମପରୀକ୍ଷାକୁ  ଧର୍ମମାଣ୍ଡୁ ମଧ୍ୟ କହିଥାଆନ୍ତି । ଏ ଧର୍ମପରୀକ୍ଷା ସମୟରେ ଗୋଟାଏ ମୁଣ୍ଡୁଳା କାଟି ପ୍ରଥମେ ଦେଵତାଙ୍କୁ ଆଵାହନ କରାଯାଏ । ତତ୍ପରେ ଅଭିଯୁକ୍ତ ଵ୍ଯକ୍ତି ନିଜ ହାତରେ ତାତଲା ଲୁହା ଧରିଲେ, କିମ୍ବା ନିଆଁ ଉପରେ ଚାଲିଗଲେ, କିମ୍ବା ଵିଷଧର ସର୍ପ ଥିଵା ମାଠିଆ ମଧ୍ୟରେ ହାତ ପୂରାଇ ଦେଲେ, କିମ୍ବା ଫୁଟିଲା ତେଲରେ ହାତ ବୁଡ଼ାଇ ଦେଲେ ଯେବେ ଉକ୍ତ ଵ୍ୟକ୍ତି ଆହତ ହେଉ ନ ଥିଲା, ତେବେ ସେ ନିର୍ଦ୍ଦୋଷ ବୋଲି ପ୍ରତିପାଦିତ ହେଉଥିଲା । ଅଭିଯୁକ୍ତ ଵ୍ୟକ୍ତିର ଅଗ୍ନିଦ୍ବାରା ପରୀକ୍ଷାକୁ ଅଗ୍ନିମାଣ୍ଡୁ, ଉତ୍ତପ୍ତ ତୈଳଦ୍ବାରା ପରୀକ୍ଷାକୁ ତୈଳମାଣ୍ଡୁ, ତପ୍ତଲୌହଦ୍ବାରା ପରୀକ୍ଷାକୁ ଲୌହମାଣ୍ଡୁ, ଉତ୍ତପ୍ତ ଜଳଦ୍ବାରା ପରୀକ୍ଷା ଜଳମାଣ୍ଡୁ, ସର୍ପଦ୍ବାରା ପରୀକ୍ଷାକୁ ସର୍ପମାଣ୍ଡୁ ବୋଲା ଯାଉଥିଲା ।

★ମାଣ୍ଡୁ―୩
ତେନ୍ତରା; ଶଗଡ଼ର ଦୁଇ ତଳେ ଅଖ ଉପରେ ଅଖର ଆଡ଼ବାଗରେ ବସା ଯାଇଥିଵା ଦୁଇଖଣ୍ଡ ଲମ୍ବା କାଠ । ତେନ୍ତରା କାଠରେ ଘରା କରାଯାଇ ଏହା ଅଖ ଉପରେ ଆଡ଼ବାଗରେ ଦୃଢ଼ଭାବରେ ବସାଯାଏ ଓ ଏହି କାଠ ଦୁଇଖଣ୍ଡି ଉପରେ ଶଗଡ଼ର ଦୁଇ ଦଣ୍ଡକୁ ରଖି ମାଣ୍ଡୁକୀଳାଦ୍ବାରା ଆବଦ୍ଧ କରାଯାଏ ।

★ମାଣ୍ଡୁ―୪
ଭାତର ପେଜ
ଏହି ଶବ୍ଦଟି ତତ୍ସମ ମଣ୍ଡ ଶବ୍ଦ ସହିତ ସମୋଦ୍ଧୃତ ଏଵଂ କେତେକ ଅଞ୍ଚଳରେ ମାଢ଼ ରୂପରେ ମଧ୍ୟ ପ୍ରଚଳିତ ।

★ମାଣ୍ଡୁ―୫
କଷି ତାଳ
ଗଡ଼ଜାତ ଵିଶେଷତଃ ଦେଵଗଡ଼ ଜିଲ୍ଲାରେ ଏହି ଶବ୍ଦଟି କଷିତାଳ ଅର୍ଥରେ ଚଳୁଥିଵା କଥିତ ଓଡ଼ିଆ ଶବ୍ଦକୋଷରେ ଲେଖାଅଛି ।

★ମାଣ୍ଡୁ―୬
ଏକଜାତୀୟ ଧାନ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ କୁହାଯାଇଛି ଯେ ବାଲେଶ୍ଵର ଜିଲ୍ଲାରେ ଏକ କିସମର ଧାନକୁ ଆଗେ ମାଣ୍ଡୁ କୁହାଯାଉଥିଲା ।

★ମାଣ୍ଡୁ―୭
ଖୋର୍ଦ୍ଧା ଜିଲ୍ଲାରେ ପାକଳ ହୋଇଥିଵା ପଦ୍ମ ଵା କଇଁ ଫୁଲର ମଞ୍ଜିକୁ ମାଣ୍ଡୁ କୁହାଯାଏ ବୋଲି କଥିତ ଓଡ଼ିଆ ଶବ୍ଦକୋଷରେ ଲେଖାଅଛି ।

★ମାଣ୍ଡୁ―୮
ଦକ୍ଷିଣ ଓଡ଼ିଶା,ପଶ୍ଚିମ ଓଡ଼ିଶାରେ ମାଣ୍ଡୁ ଶବ୍ଦ ମଦ'ର ଏକ ପ୍ରତିଶବ୍ଦ ଭାବରେ ପ୍ରୟୋଗ ହେଇଥାଏ । ଏହି ଅର୍ଥଜ ମାଣ୍ଡୁ ଶବ୍ଦଟି ସୁରା ଅର୍ଥରେ ଵ୍ୟଵହୃତ ତତ୍ସମ ମଣ୍ଡା ଶବ୍ଦ ସହିତ ସମୋଦ୍ଧୃତ ।

★ମାଣ୍ଡୁ―୯
ଓଡ଼ିଶାର କେତେକ ଅଞ୍ଚଳରେ ମଣ୍ଡାପିଠାକୁ ମାଣ୍ଡୁପିଠା ମଧ୍ୟ କୁହାଯାଏ ଏଵଂ କେହି କେହି କେଵଳ ମାଣ୍ଡୁ ବି କୁହନ୍ତି । ଅନ୍ୟତ୍ର ଏ ଶବ୍ଦ ମାଣ୍ଡୁଅ ରୂପେ ବା ପ୍ରଚଳିତ ।

ତେବେ ପ୍ରେମିକା ଵା ପତ୍ନୀ ଅର୍ଥରେ ପ୍ରଚଳିତ ହୋଇଥିଵା ମାଣ୍ଡୁ ଶବ୍ଦ ଵିଷୟରେ କୌଣସି ଅଭିଧାନରେ ତଥ୍ୟ ମିଳେନାହିଁ ।

ଏ ମାଣ୍ଡୁ ଶବ୍ଦଟି ପ୍ରଥମେ କିଏ ଵ୍ୟଵହାର କଲା ସେ ଵିଷୟରେ ମଧ୍ୟ କୌଣସି ତଥ୍ୟ ମିଳେନାହିଁ ।

ସେ ଯାହାହେଉ ମାଣ୍ଡୁ ଶବ୍ଦଟି ଅଧୁନା girlfriendର ଓଡ଼ିଆ ପ୍ରତିଶବ୍ଦ ଭାବେ ଯୁଵପିଢି଼ ବହୁଳ ଵ୍ୟଵହାର କରୁଛନ୍ତି ତେବେ ଗଞ୍ଜାମ ଜିଲ୍ଲାର ପିଲା  ଗାର୍ଲଫ୍ରେଣ୍ଡ ଅର୍ଥରେ ମେଣ୍ଟି ଶବ୍ଦ ଵ୍ୟଵହାର କରୁଥିଵା ମଧ୍ଯ  ଦୃଷ୍ଟିଗୋଚର ହୁଏ ।  ଆମ  ଓଡ଼ିଆ ଭାଷାରେ ମେଣ୍ଟି ଶବ୍ଦର ଆଉ କେତେକ ଅର୍ଥରେ ମଧ୍ୟ ଵ୍ଯଵହାର ରହିଛି । ଏକତ୍ରୀକୃତ ଧାନ କେଣ୍ଡାମାନଙ୍କର ବେଣିବନ୍ଧା ଗୁଚ୍ଛକୁ ଆମ ଭାଷାରେ ମେଣ୍ଟି କୁହାଯାଏ  । ମହାଯାତ୍ରା କାଵ୍ୟରେ କଵିଵର ରାଧାନାଥ ରାୟ ଏହି ଅର୍ଥରେ ମେଣ୍ଟି ଶବ୍ଦ ପ୍ରୟୋଗ କରିଛନ୍ତି

“ଫୁଲ୍ଲ ରଙ୍ଗ ଶତଦଳ ଶୋଭେ ଦକ୍ଷ କରେ ଦକ୍ଷେତରେ ଧାନ ମେଣ୍ଟି।”

ସେହିପରି ଯେତେବେଳେ ଭାରତକୁ ପ୍ରଥମେ ଧୂଆଁପତ୍ର ଗଛ  ଆସିଲା ତାହାର କାଣ୍ଡମାନଙ୍କ ମଧ୍ୟରେ ଗୋଟିଏ ସୂତା ଵା କିଆପଟ ଗଳାଇ କରାଯିଵା ପତଳା ଗୋଚ୍ଛାକୁ ମଧ୍ୟ ମେଣ୍ଟି କୁହାଗଲା ।

ମେଣ୍ଟି ପାରିଵା ଓ ମେଣ୍ଟିଵା ବୋଲି ଦୁଇଟି ଓଡ଼ିଆ କ୍ରିୟା ମଧ୍ୟ ଆମ ଭାଷାରେ ଚଳୁଅଛି । ମେଣ୍ଟି ପାରିଵାର ଅର୍ଥ ଲଙ୍ଘନ କରିଵା ହୋଇଥିଵାଵେଳେ ମେଣ୍ଟିଵା କ୍ରିୟାଟି ମିଟିଵା,ମୀମାଂସିତ ହେଵା,ମନ୍ଥିଵା,ଦୂର ହେଵା,ଦୂର କରିଵା ଓ ଲଙ୍ଘିଵା ଆଦି ଅର୍ଥରେ ଵ୍ୟଵହାର ହୋଇଥାଏ ।

ବହୁତ ସମ୍ଭଵ ମେଣ୍ଟିଵା କ୍ରିୟା ସହିତ ଦକ୍ଷିଣ ଓଡ଼ିଶାର ପ୍ରେମିକା ଅର୍ଥରେ ଵ୍ୟଵହୃତ ମେଣ୍ଟି ଶବ୍ଦ ସମୋଦ୍ଧୃତ ହୋଇଥାଇପାରେ । ଅର୍ଥାତ୍ ଯିଏ ପ୍ରେମିକ ପାଇଁ ନିଜ ପରିଵାର ବନ୍ଧୁଜନଙ୍କୁ ପର କରିଦିଏ ଦୂରେଇ ଯାଏ ଓ ସମାଜର ସବୁ ଲକ୍ଷ୍ମଣରେଖାକୁ ଲଙ୍ଘିଯାଇ ପ୍ରେମିକର ହାତ ଧରିଥାଏ ତା ସହ ପ୍ରଣୟ ବନ୍ଧନରେ ବାନ୍ଧି ହୋଇଯାଏ ସିଏ ହେଉଛି ମେଣ୍ଟି । ସମ୍ଭଵତଃ ଏହି ମେଣ୍ଟି ଶବ୍ଦ ଦକ୍ଷିଣ ଵା ପୂର୍ଵ ଓଡ଼ିଶାର କୌଣସି ଅଞ୍ଚଳରେ ମାଣ୍ଡୁ ରୂପେ ପ୍ରଚଳିତ ଥିଲା ଯାହା ପରେ ଲୋକପ୍ରିୟ ହୋଇଗଲା ‌ ।

ଓଡ଼ିଶାରେ ଅନେକ ଅଛନ୍ତି କୁହନ୍ତି ଆକାରରେ ମଣ୍ଡାପିଠା ସଦୃଶ ଦୃଶ୍ୟମାନ ହୋଇଥାଏ ବୋଲି କନ୍ୟାମାନଙ୍କର ସ୍ତନଯୁଗଳକୁ ଉପଲକ୍ଷ କରି ଲକ୍ଷଣାର୍ଥ ମାଣ୍ଡୁ ଶବ୍ଦ ସୃଷ୍ଟି ହୋଇଅଛି ଏଵଂ ଏକ slang ଶବ୍ଦ ଭାବେ ଓଡ଼ିଆ ଭାଷାରେ ପ୍ରୟୋଗ କରାଯାଉଛି ।  ଏହି ମତ ଆଧାରରେ ଓଡ଼ିଶା ରାଜ୍ୟର ବୁଦ୍ଧିଜୀଵୀ ଵର୍ଗ ମାଣ୍ଡୁ ଶବ୍ଦର ତିରସ୍କାର ହେତୁକ ଯୁକ୍ତି ବାଢି଼ଥାନ୍ତି ‌ । ପୁଣି କେହି କେହି କହନ୍ତି ଯେହେତୁ ମାଲ୍ ଶବ୍ଦ ମଦ ଅର୍ଥରେ ପ୍ରୟୋଗ ହୋଇ ପରେ ଏକ slangଶବ୍ଦ ରୂପେ ପ୍ରେମିକାକୁ ଉପଲକ୍ଷ କରି କହିଵା ପାଇଁ ପ୍ରଚଳିତ ହୋଇଛି ସେହି ଆଧାରରେ ଦକ୍ଷିଣ ତଥା ପଶ୍ଚିମ ଓଡ଼ିଶାରେ ମଦ ଅର୍ଥରେ ପ୍ରଚଳିତ ମାଣ୍ଡୁ ଶବ୍ଦ ମଧ୍ୟ ପ୍ରଚଳିତ ହୋଇଅଛି ‌ ।‌ ମାଣ୍ଡୁ ଶବ୍ଦର ଏହି ଦୁଇଟି ନିରୁକ୍ତି ମତ ଆଧାରରେ ଓଡ଼ିଶାର ଜ୍ଞାନୀଜନ ମାଣ୍ଡୁ ଶବ୍ଦ ପରିହାର କରି ଦେଵାକୁ ଯୁଵପିଢି଼ଙ୍କୁ ଆହ୍ଵାନ କରିଥାନ୍ତି ।

ଅଵଶ୍ୟ ତେଲୁଗୁ ଭାଷାରେ ଔଷଧକୁ మందు(ମାଣ୍ଡୁ) କୁହାଯାଏ ଏଵଂ ଏହି ତେଲୁଗ ଶବ୍ଦଟି ତାମିଲର மருந்து (maruntu), କନ୍ନଡ଼ ଭାଷାର ಮರ್ದು (mardu) ତଥା ಮದ್ದು (maddu), ଓ ମଳୟାଳ଼ମ ଭାଷାର മരുന്ന് (marunnŭ) ସହିତ ସମୋଦ୍ଧୃତ ଏଵଂ ସମ୍ଭଵତଃ ଏହା ଇଂରାଜୀ ମେଡିସିନ୍ ଶବ୍ଦ।

ତାମିଲରେ மருந்து (maruntu) ଶବ୍ଦଟି love philter ଅର୍ଥରେ ପ୍ରୟୋଗ ହୋଇଥାଏ । ଏହା ଓଡ଼ିଶାରେ ମହନୀ
ଭାବରେ ଜଣାଶୁଣା । ମହନୀ କନ୍ୟା ପ୍ରେମିକକୁ ଏହି ଔଷଧ ପାନ କରାଇଵା ଵା ଲଗାଇଵା ପରେ ପ୍ରେମିକ ଵଶୀଭୂତ ହେଵା କଥିତ ଅଛି ।‌

ତେଲୁଗୁ ଭାଷାରେ ଔଷଧ,ନିଶାଦ୍ରଵ୍ୟ ଵା ମଦ୍ୟ, ରସାୟନିକ ସାର,love potion ତଥା love powder ଵା ମହନୀ, କୀଟନାଶକ ଓାୖଷଧ,gunpowder ଵା ବାରୁଦ ଆଦି ଅର୍ଥରେ ଵ୍ୟଵହାର ହୋଇଥାଏ ।

ଵୈଦ୍ଯଶାସ୍ତ୍ରରେ ଏଭଳି ଏକ ଔଷଧର ଉଲ୍ଲେଖ ଅଛି ଯାହାକୁ ସଂସ୍କୃତ ଭାଷାରେ ମଣ୍ଡ କୁହାଯାଏ ।

ଚାଉଳ ଵା ଯଵ ପ୍ରଭୃତିକୁ ୮ ଗୁଣ ଵା ୨୪ ଗୁଣ ଜଳରେ ସିଦ୍ଧ କରି ତାହା ଉତ୍ତମରୂପେ ଚକଟି ଛାଣି ପ୍ରସ୍ତୁତ କରାଯିଵା ରୋଗୀର ପଥ୍ଯକୁ ମଣ୍ଡ କୁହାଯାଉଥିଲା ମତାନ୍ତରରେ ୧୪ଗୁଣ ଜଳରେ ତଣ୍ଡୁଳ ସିଦ୍ଧ କରି ସିଠା ପରିତ୍ଯାଗ କରି ଏହି ତରଳ ମଣ୍ଡ ପ୍ରସ୍ତୁତ କରାଯାଉଥିଲା । ତାମିଲ ତେଲୁଗୁ କନ୍ନଡ ମଳୟାଳ଼ମ ଭାଷାରେ ଔଷଧ ଅର୍ଥରେ ପ୍ରଚଳିତ మందు(ମାଣ୍ଡୁ),மருந்து (maruntu),ಮರ್ದು (mardu) ତଥା ಮದ್ದು (maddu) ଓ മരുന്ന് (marunnŭ) ଆଦି ଶବ୍ଦ ଏହି ମଣ୍ଡ ନାମକ ଔଷଧର ଦକ୍ଷିଣ ଭାରତରେ ପ୍ରସିଦ୍ଧି ଯୋଗୁଁ ସୃଷ୍ଟି ହୋଇଥିଵା ସମ୍ଭଵ । ତାମିଲ ଭାଷାରେ ଆକର୍ଷଣୀୟା ମହନୀ କନ୍ୟାକୁ ମଧ୍ୟ மருந்து (maruntu) କହିଥାନ୍ତି ବୋଲି ତାମିଲ ଲେକ୍ସିକନରେ ଉଲ୍ଲେଖ ଅଛି । ପ୍ରେମ ରୋଗରେ ହନ୍ତସନ୍ତ ଵିଵ୍ରତ ପ୍ରେମିକର ପ୍ରେମିକା ଵା ପତ୍ନୀଟିଏ ଠିକ୍ ଔଷଧ ଭଳି ଵିଚାର କରି ହୁଏତ ଓଡି଼ଶାର କୌଣସି ସୀମିତ ଅଞ୍ଚଳରେ ଏହି ମାଣ୍ଡୁ ଶବ୍ଦଟି ଚଳୁଥିଲା ଏଵଂ ପରେ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି।

ପୁଣି ଓଡ଼ିଶାରେ ହୃଷ୍ଟପୃଷ୍ଟ ଓ ଗେଡା ଵା ଗେଡି଼ ଶିଶୁ,କିଶୋର ,କିଶୋରୀଙ୍କୁ ମାଣ୍ଡି ଓ ମାଣ୍ଡୁରୀ କୁହାଯାଇଥାଏ । ହୁଏତ ଏ ମାଣ୍ଡି ଓ ମାଣ୍ଡୁରୀ ଶବ୍ଦଟି କୌଣସି ଅଞ୍ଚଳରେ ମାଣ୍ଡୁ ରୂପେ ପ୍ରଚଳିତ ଥିଲା ଯାହା ପରେ ସ୍ଵତନ୍ତ୍ର ଭାବେ କେଵଳ ପ୍ରେୟସୀ ଅର୍ଥରେ ଵ୍ୟଵହୃତ ହେଵାକୁ ଲାଗିଲା  ।

ଓଡ଼ିଆ ଶବ୍ଦ ମଣ୍ଡାକୁ କିଏ ନ ଜାଣେ ।  ଏହି ମଣ୍ଡା ଶବ୍ଦଟି ଶୁଣିଵା ପରେ ହଠାତ୍ ମନେ ପଡି଼ଯାଏ ଆମ ଓଡ଼ିଶାର ମୌଳିକ ମିଷ୍ଟାନ୍ନ ଘରେ ଘରେ ଗଢ଼ାଯାଉଥିଵା "ମଣ୍ଡାପିଠା" । କିନ୍ତୁ ମଣ୍ଡା ଶବ୍ଦର  ମଣ୍ଡିଵା ଵା ଭୁଷିତ କରିଵା, ସଜ୍ଜିତ, ମଣ୍ଡିତ ,ସୁରା ,ଦେଶୀ ମଦ ରଖିଵାର ପାତ୍ର ଆଦି ଅର୍ଥରେ ମଧ୍ୟ ପ୍ରୟୋଗ ରହିଛି । ସମ୍ଭଵତଃ ସଜବାଜ ହୋଇଥିଵା ମଦ୍ୟ ଭଳି ମତୁଆଲା କରିପାରୁଥିଵା ପ୍ରେମିକା ଵା ପତ୍ନୀ ଅର୍ଥରେ କୌଣସି ଅଞ୍ଚଳରେ ଏହି ମଣ୍ଡା ଶବ୍ଦ ମୂଳର ମାଣ୍ଡୁ ଶବ୍ଦଟି ପ୍ରଚଳିତ ଥିଲା ଯାହା ପରେ ଓଡ଼ିଆ ଭାଷାରେ Girlfriend ଅର୍ଥରେ ବହୁପ୍ରଚଳିତ ହୋଇଅଛି ‌।

ଏଣୁ ମଣ୍ଡିଵା କ୍ରିୟା ଶବ୍ଦରୁ ମଧ୍ୟ ମାଣ୍ଡୁ ଶବ୍ଦ ସୃଷ୍ଟି ହୋଇଥିଵା ଅନୁମାନ କରାଯାଇପାରେ । ଆମ ଭାଷାରେ ମଣ୍ଡିଵା କ୍ରିୟାଶବ୍ଦ ଅଳଂକୃତ କରିଵା, ଭୂଷିତ କରିଵା, ସଜାଇଵା,ସଜ୍ଜିତ କରିଵା,ଶୋଭା ବଢ଼ାଇଵା,ସୌନ୍ଦର୍ଯ୍ୟ ବୃଦ୍ଧିର ଉପାୟ କରିଵା,ପିନ୍ଧିଵା ଆଦି ଅର୍ଥରେ ପ୍ରୟୋଗ ହୋଇଥାଏ । ପ୍ରେମିକାଟିଏ ଥିଲେ ଶୀତଦିନେ ସପ୍ତାହକୁ ଥରେ ଲେଖାଏଁ ଗାଧୋଉଥିଵା ଟୋକାମାନଙ୍କ ଜୀଵନ ମଧ୍ୟ ସଜାଡ଼ି ହୋଇଯାଏ । ସେମାନେ ପ୍ରେମିକାର ମନ ମୋହିଵା ପାଇଁ ଭଲ ଵସ୍ତ୍ର ଓ ରୂପ ସଜ୍ଜା କରିଵାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ପ୍ରେମିକା ଵା ପତ୍ନୀଟିଏ ଥିଲେ ପୁରୁଷ ଜୀଵନ ପୂର୍ଣ୍ଣାଙ୍ଗ ହୁଏ ବୋଲି ମାନଵ ସମାଜରେ ଵିଶ୍ଵାସ ପ୍ରଚଳିତ । ନିଜର ତଥା ଆପଣା ପ୍ରେମିକର ଶୋଭା ବୃଦ୍ଧି ହେତୁ ପ୍ରେମିକାମାନେ ସର୍ଵଦା ଯତ୍ନ କରିଥାନ୍ତି । ଏଣୁ ଓଡ଼ିଆ ମଣ୍ଡିଵା କ୍ରିୟାଶବ୍ଦରୁ ମଧ୍ୟ ମାଣ୍ଡୁ ଶବ୍ଦ ସୃଷ୍ଟି ହୋଇଅଛି ବୋଲି ମତ ଦିଆଯାଇପାରେ ‌ ।

ପୁନଶ୍ଚ ଆମ ଓଡ଼ିଆ ଭାଷାରେ ଆଗେ ଧର୍ମ ପରୀକ୍ଷା ପାଇଁ କଟାଯାଉଥିଵା ଗୋଲାକାର ମୁଣ୍ଡୁଳାକୁ ମାଣ୍ଡୁ କୁହାଯାଉଥିଲା ଏଵଂ ଏହି ଧରଣର ଧର୍ମପରୀକ୍ଷାକୁ ମଧ୍ୟ ମାଣ୍ଡୁ କୁହାଯାଉଥିଲା । ସମ୍ଭଵତଃ ଆଜି girlfriend ଅର୍ଥରେ ପ୍ରୟୋଗ ହେଉଥିଵା ମାଣ୍ଡୁ ଶବ୍ଦଟି ସେହି ମାଣ୍ଡୁ ଶବ୍ଦର ଲକ୍ଷଣାର୍ଥକ ଵିଶେଷ ପ୍ରୟୋଗ ରୂପେ କେତେକ ସୀମିତ ଅଞ୍ଚଳ ଵିଶେଷତଃ ଉପକୂଳଵର୍ତ୍ତୀ ଓଡ଼ିଶାରେ ପ୍ରଚଳିତ ହୋଇଥିଵା ସମ୍ଭଵ । ଯୁଗେ ଯୁଗେ ପ୍ରେମିକା ନିଜ ପ୍ରେମିକର ଵିଭିନ୍ନ ଉପାୟରେ ପରୀକ୍ଷା ନେଇଥାଏ । ପ୍ରେମିକ ଭଵିଷ୍ୟତରେ ବାହା ହେଲାପରେ ଘର ସଂସାର ଚଳାଇପାରିଵ କି ନାହିଁ ସେ ଵିଷୟରେ ପ୍ରେମିକମାନେ ନିଶ୍ଚୟ ଚିନ୍ତା ଚିନ୍ତନ କରିଥାନ୍ତି ଏଵଂ ଯଦି ସେମାନଙ୍କୁ ସନ୍ଦେହ ହୁଏ ସେମାନେ ସେଭଳି ଅଯୋଗ୍ୟ ପ୍ରେମିକକୁ ପରିତ୍ୟାଗ କରି ଅନ୍ୟ ଧନିକ ଯୁଵକର ହାତ ଧରନ୍ତି । ପ୍ରେମିକର ସହନଶୀଳତା ପରୀକ୍ଷା କରିଵାକୁ ମଧ୍ୟ ପ୍ରେମିକାମାନେ ତାକୁ ଖର୍ଚ୍ଚାନ୍ତ କରିଵାକୁ ପଛାଅନ୍ତି ନାହିଁ । ସେହିପରି ପ୍ରେମିକ ଶାରୀରିକ ଓ ମାନସିକ ସୁଖ ଦେଇନାପାରିଲେ ମଧ୍ୟ ଦେଖାଯାଏ ଅନେକ ପ୍ରେମ ସମ୍ପର୍କ ଵିଚ୍ଛେଦରେ ପରିଣତ ହେଇଯାଏ । ଯୋଉ ପ୍ରେମିକା ନିଜ ପ୍ରେମିକର ଧର୍ମପରୀକ୍ଷା ନନେଇ ଅଯୋଗ୍ୟ ଜାଣି ମଧ୍ୟ ମୋହ ଆସକ୍ତି କାରଣରୁ ତାକୁ ଵିଵାହ କରିନିଏ ସେ ପରଵର୍ତ୍ତୀ କାଳରେ ଦୁଃଖ ଭୋଗକରେ । ଵିଵାହ ପରେ ମଧ୍ୟ ପତ୍ନୀ ନିଜ ପତିକୁ ସନ୍ଦେହ କରି ନାନା ପରୀକ୍ଷା କରିଵାକୁ ପଛାଏ ନାହିଁ । ଟିକିଏ ଵିଳମ୍ବ ହୋଇଗଲେ ପତି ଉପରକୁ ପ୍ରଶ୍ନବାଣର ସୁଅ ଛୁଟେ ।  ବହୁତ ସମ୍ଭଵ ଉପକୂଳଵର୍ତ୍ତୀ ଓଡ଼ିଶାର କୌଣସି ସୀମିତ ଅଞ୍ଚଳରେ ଏହି କାରଣରୁ ପ୍ରେମିକା ଵା ପତ୍ନୀକୁ ମାଣ୍ଡୁ କୁହାଯାଉଥିଲା ଯାହା ପରେ ଅନ୍ତର୍ଜାଲର ମହିମା ଯୋଗୁଁ ଓଡ଼ିଶାର ଯୁବପିଢି଼ଙ୍କ ମଧ୍ୟରେ ଜଣାଶୁଣା ହୋଇଗଲା ‌।

ଅସ୍ତୁ ପ୍ରୋକ୍ତ ଆଲୋଚନାରୁ ଅନ୍ତତଃ ଏତିକି କଥା ସ୍ପଷ୍ଟ ହେଲା ଯେ ମାଣ୍ଡୁ ଵୈଦେଶିକ କିମ୍ବା ଅଶ୍ଳୀଳ ଶବ୍ଦ ନୁହେଁ ଵରଂ ଏହା ଏକ ନିଆରା ଓଡ଼ିଆ ଶବ୍ଦ ଯେ ଗୋଟିଏ ଵୈଦେଶିକ ଶବ୍ଦ Girlfriend ଵିପକ୍ଷରେ ସତତ ସଂଘର୍ଷରତ ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...