Friday, May 13, 2022

ପୂର୍ଵ ତଥା ପଶ୍ଚିମ ଓଡ଼ିଶା ଏକ ଓ ଅଭିନ୍ନ

🟠କଟକର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅନ୍ୟ ନୃତ୍ୟ ସହିତ ସମ୍ବଲପୁରୀ ନୃତ୍ୟ ପରିଵେଷଣ ହୁଏ ।

🟠କଟକର ଶୈଳବାଳା ମହାଵିଦ୍ୟାଳୟରେ ସମ୍ବଲପୁରୀ ଵସ୍ତ୍ର ପରିଧାନ କରିଵା ଵାଧ୍ୟତାମୂଳକ ଅଟେ ।

🟠ଶ୍ରୀମନ୍ଦିରର ମାହାରୀ ନୃତ୍ୟ ଓ ପୁରୀ ରଘୁରାଜପୁରର ଗୋଟିପୁଅ ନୃତ୍ୟର ମିଶ୍ରଣରେ ସୃଷ୍ଟ ଓଡ଼ିଶୀ ନୃତ୍ୟର ଡ୍ରେସ୍ କୋଡ୍ ଭାଵେ ସମ୍ବଲପୁରୀ ଵସ୍ତ୍ର ରଖାଯାଇଛି । ସମ୍ବଲପୁରୀ ଵସ୍ତ୍ର ପରିଧାନ ପୂର୍ଵକ ଓଡ଼ିଶୀ ନୃତ୍ୟ ପରିଵେଷଣ ହୋଇଥାଏ ।

🟠ସମ୍ବଲପୁରୀ ଵସ୍ତ୍ରରେ ଯେଉଁ ଚିତ୍ର ଅଙ୍କିତ ହୁଏ ତାହା ଅଵିକଳ ପୁରୀ ପଟ୍ଟଚିତ୍ର ପରି ହୋଇଥାଏ ।

🟠ସମ୍ବଲପୁରୀ ଵସ୍ତ୍ରକୁ ଓଡ଼ିଶାର ସାଧଵମାନେ ବୋଇତରେ ଦୂର ଦୂରାନ୍ତକୁ ନେଇ ଯାଇ ଲୋକପ୍ରିୟ କରାଇଥିଲେ । ଫଳତଃ ଆଜି ଇଣ୍ଡୋନେସିଆର ଜାଭାରେ ରହୁଥିଵା ହିନ୍ଦୁମାନଙ୍କର ପାରମ୍ପରିକ ଶାଢ଼ୀ ସହିତ ସମ୍ବଲପୁରୀ ଶାଢ଼ୀର ବହୁଧା ସାମଞ୍ଜସ୍ୟ ଦୃଶ୍ୟ ହୋଇଥାଏ ।

🟠ସେହିପରି ପ୍ରତ୍ନତାତ୍ତ୍ବିକ ଦୃଷ୍ଟିରୁ ଓଡ଼ିଆ ଲିପି ପ୍ରଥମେ ପଶ୍ଚିମ ଓଡ଼ିଶାରେ ପ୍ରଚଳିତ ହୋଇଥିଲା ।

🟠ଖ୍ରୀପୂ ୪ର୍ଥ ଶତାବ୍ଦୀଠୁ ପୁରୁଣା କଳାହାଣ୍ଡିର ଗୁଡ଼ହାଣ୍ଡି ଗୁମ୍ଫାରେ ଓଡ଼ିଆ ଲିପି ରହିଛି

🟠ଖ୍ରୀଷ୍ଟାବ୍ଦ ୧୦୦୦ (ପ୍ରାୟ) ତ ସମ୍ବଲପୁର ଚର୍ଯ୍ୟାଗୀତି ବୌଦ୍ଧଦୋହାରେ ଓଡ଼ିଆ ଲିପି ରହିଛି

🟠ଖ୍ରୀଷ୍ଟାବ୍ଦ ୧୩୧୩ ବରଗଡ଼ ନୃସିଂହନାଥ ମନ୍ଦିରର ଓଡ଼ିଆ ଲିପି ଅଛି

🟠ନୂଆପଡ଼ାର ଯୋଗୀମଠ ଆଉ ମାଣିକେଶ୍ଵରୀ ମନ୍ଦିରର ପ୍ରତ୍ନଲେଖରେ ଓଡ଼ିଆ ଲିପି ଵ୍ୟଵହାର ହୋଇଛି

🟠ପଶ୍ଚିମ ଓଡ଼ିଶାର ଚୌହାନ (୧୮୦୦) ରାଜବଂଶଙ୍କ ରାଜାଦେଶ ତଥା ଭୀମଭୋଇ (୧୮୫୦ - ୧୮୯୫)ଙ୍କ ଦର୍ଶନ ଶାସ୍ତ୍ରରେ ଓଡ଼ିଆ ଲିପି ରହିଛି ।

🟠ଜାତି ଦୃଷ୍ଟିରୁ ଦେଖିଲେ ଓଡ଼ିଶାଵାସୀ ଉଡ୍ରମାନେ ଏକ ଜାତୀୟ ଅଟନ୍ତି । ଉଡ୍ରମାନଙ୍କର ପ୍ରାଚୀନ ଵାସସ୍ଥାନ ଅଵିଭକ୍ତ ସମ୍ବଲପୁର ଓ ଅଵିଭକ୍ତ କୋରାପୁଟର କେତେକ ଅଂଶରେ ଥିଲା ।

🟠ପ୍ରାଚୀନ ଉଡ୍ର ରାଜ୍ୟ ବୈତରଣୀ ଅଵଵାହିକାର କେଉଁଝର ଜିଲ୍ଲା , ବ୍ରାହ୍ମଣୀ ଅଵଵାହିକାରେ ଅନୁଗୁଳ ଜିଲ୍ଲା ଏଵଂ ମହାନଦୀ ଅଵଵାହିକାରେ ବଉଦ , ସୋନପୁର ଓ ସମ୍ବଲପୁର ପ୍ରଭୃତି ଅଞ୍ଚଳକୁ ନେଇ ଗଠିତ ହୋଇଥିଲା  । ଏ ସମସ୍ତ ଅଞ୍ଚଳ ଜନଜାତୀୟ ବହୁଳ ଥିଲା । ଵସ୍ତୁତଃ ଏହା ହିଁ ଥିଲା ସେହି ସମୟର ଓଡ୍ର ରାଜ୍ୟର ପରିସୀମା ।

ଭଞ୍ଜ ରାଜବଂଶର ଶାସକମାନେ ତନ୍ତ୍ର ସାଧନାର ପୃଷ୍ଠପୋଷକ ଥିଲେ ଏବଂ ସେମାନେ ଜଗନ୍ନାଥଙ୍କୁ ଈଷ୍ଟ ଦେବତା ରୂପେ ସମ୍ମାନ ଦେଲେ । ଏହା ଫଳରେ ଜଗନ୍ନାଥ ଓଡ୍ରର ରାଷ୍ଟ୍ର ଦେଵତାର ମାନ୍ୟତା ପାଇଲେ ଏଵଂ ତାଙ୍କର ପ୍ରସିଦ୍ଧି ଦୂର ଦୂରାନ୍ତରେ ଵ୍ୟାପିଗଲା । ତନ୍ତ୍ରଶାସ୍ତ୍ରରେ ତାଙ୍କୁ ଓଡ୍ରେଶ ନାମରେ ଅଭିହିତ କରାଗଲା ଏବଂ ଯେଉଁ ଅଞ୍ଚଳରେ ତାଙ୍କର ପୂଜା ପ୍ରଚଳିତ ଥିଲା, ତାହା ଓଡ୍ରପୀଠ ନାମରେ ପ୍ରସିଦ୍ଧି ଲାଭ କଲା । ଭାରତର ଚାରୋଟି ଶ୍ରେଷ୍ଠ ତନ୍ତ୍ର ପୀଠ ମଧ୍ୟରେ ଓଡ୍ରପୀଠ ସର୍ଵପ୍ରଥମ ଥିଲା ବୋଲି ‘କାଳିକା ପୁରାଣ’ରେ ଏହି ପ୍ରକାରେ ଉଲ୍ଲେଖ ଅଛି

ଓଡ୍ରଖ୍ୟ ପ୍ରଥମଂ ପୀଠ ଦ୍ବିତୀୟଂ ଜାଳଶୈଳକମ୍ ।
ତୃତୀୟଂ ପୂର୍ଵପୀଠ ତୁ କାମରୂପଂ ଚତୁର୍ଥକମ୍ ।
ଓଡ୍ରପୀଠ ପଶ୍ଚିମେତୁ ତସ୍ମୈ ବୋଡ୍ରେଶ୍ଵରୀ ଶିବାମ୍ ।
  କାତ୍ୟାୟିନୀ ଜଗନ୍ନାଥମ୍  ଓଡ୍ରେଶଂ ଚ ପ୍ରପୂଜୟେତ୍ ॥
ଏହା ନିଶ୍ଚିତ ଯେ ପ୍ରାଚୀନ ଓଡ୍ରପୀଠ ମହାନଦୀ କୂଳରେ ପଶ୍ଚିମରେ ସମ୍ବଲପୁରଠାରୁ ପୂର୍ଵରେ ସୋନପୁର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା ।
ସମ୍ବଲ୍ ଵା ସମଲ୍‌ ଗ୍ରାମର ଅଧ୍ୟାଷ୍ଠାତ୍ରୀ ଦେବୀ ଥିଲେ ସମଲା । ଆଧୁନିକ ସମ୍ବଲପୁର ସହର ପ୍ରଥମତଃ ସମ୍ବଲ ଵା ସମଲ ନାମରେ ଏକ ଛୋଟ ଗ୍ରାମ ଥିଲା ।

ଷୋଡଶ ଶତକର ଶେଷ ଭାଗରେ ପାଟଣାଗଡର ଚୌହାନ ରାଜା ନରସିଂହ ଦେଵଙ୍କ ଵୈମାତୃକ ଭ୍ରାତା ବଳରାମ ଦେଵ ଏଠାରେ ରାଜଧାନୀ ପ୍ରତିଷ୍ଠା କରି ରାଜଧାନୀର ନାମ ରଖିଲେ ସମ୍ବଲପୁର ବା ସମଲପୁର) ଗ୍ରାମର ଜନଜାତୀୟ ଲୋକମାନେ ଏକ ପ୍ରସ୍ତର ଖଣ୍ଡକୁ ଦେଵୀଙ୍କର ପ୍ରତୀକ ରୂପେ ପୂଜା କରୁଥିଲେ ।
ସମଲା ଵା ସମଲାଇ ଦେଵୀ  ସାଧାରଣ ଗ୍ରାମ ଦେଵୀ ନ ଥିଲେ । ମଙ୍ଗଳା, ଶାରଳା, ବିମଳା, ବିରଜା ପ୍ରଭୃତି ଦେଵୀଙ୍କ ଭଳି ସମଲାଇଙ୍କର ମଧ୍ୟ ପ୍ରସିଦ୍ଧି ଥିଲା । ଏଥିରୁ ଦୁଇଟି ତଥ୍ୟ ଦୃଷ୍ଟିଗୋଚର ହୁଏ । ପ୍ରଥମଟି ହେଲା, ମହାନଦୀ କୂଳରେ ସମ୍ବଲ ପରଵର୍ତ୍ତୀ କାଳର ସମଲ୍ ଵା ଆଧୁନିକ ସମ୍ବଲପୁର ‘ଜ୍ଞାନସିଦ୍ଧି’ ଗ୍ରନ୍ଥାକାର ଇନ୍ଦ୍ରଭୂତିଙ୍କର ସମ୍ବଲ ରାଜ୍ୟ ଥିଲା ଏବଂ ତାହା ହିଁ ଥିଲା ଜଗନ୍ନାଥଙ୍କ ଉପାସନାର ଆଦିପୀଠ ।

ଦ୍ଵିତୀୟ ତଥ୍ୟ ହେଲା, ସମ୍ବଲ ଵା ସମଲରେ ଦେଵୀ ସମଲା ‘କାଳିକା ପୁରାଣର’ ଓଡ୍ରେଶ୍ଵରୀ ଶିଵା କାତ୍ୟାୟନୀ ଥିଲେ ଏଵଂ ସେ ହିଁ ଓଡ୍ରେଶ ଜଗନ୍ନାଥଙ୍କର ଭୈରଵୀ ଥିଲେ ।

ଆଉ ଏକ କଥା ଵିଚାରକୁ ଆସେ ଯେ ଯଯାତି ଜଗନ୍ନାଥଙ୍କର ନଵକଳେଵର ନିର୍ମାଣ କରି ତାଙ୍କର ପ୍ରତିଷ୍ଠା ପାଇଁ ସୋନପୁର ନିକଟରେ ଯେଉଁଠାରେ ମଣ୍ଡପ ନିର୍ମାଣ କଲେ ତାହା କୋଟ ସମଲାଇ ନାମରେ ପ୍ରସିଦ୍ଧ ।

ଅର୍ଥାତ୍ ଭୈରଵୀ ସମଲାଇଙ୍କ ଦୁର୍ଗରେ ଜଗନ୍ନାଥ ଅଵସ୍ଥାପିତ ହୋଇ ରହିଲେ । ସମଲାଇ ହେଲେ ସେହି ଜଗନ୍ନାଥ କ୍ଷେତ୍ରର କ୍ଷେତ୍ରାଧୀଶ୍ଵରୀ ଵା ପୀଠେଶ୍ୱରୀ । ପରଵର୍ତ୍ତୀ କାଳରେ ପୁରୁଷୋତ୍ତମ କ୍ଷେତ୍ରରେ ଯେତେବେଳେ ଜଗନ୍ନାଥଙ୍କ ମଣ୍ଡପ ନିର୍ମିତ ହେଲା, ସେହି କ୍ଷେତ୍ରର ପୀଠେଶ୍ଵରୀ ଵା କ୍ଷେତ୍ରାଧୀଶ୍ବରୀ ହେଲେ ଜଗନ୍ନାଥଙ୍କ ଭୈରଵୀ ବିମଳା । ଅଦ୍ୟାପି ବିମଳା ପୁରୀ ଜଗନ୍ନାଥଙ୍କ କ୍ଷେତ୍ରର ପୀଠେଶ୍ଵରୀ ହୋଇ ରହିଛନ୍ତି । ଏବେ ସୋନପୁର ନିକଟସ୍ଥ ପ୍ରାଚୀନ ଜଗନ୍ନାଥ କ୍ଷେତ୍ର କୋଟ ସମଲାଇ ନାମରେ ଅଭିହିତ ହୋଇ ରହିଛି ।

କିମ୍ବଦନ୍ତୀ ଅଛି ଯେ ଅନେକ ତାନ୍ତ୍ରିକା ଦେଵୀ ଦୂର ଦୂରାନ୍ତରୁ ପ୍ରତି ରାତ୍ରରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି । ଏହି ଦେଵୀମାନେ ହେଲେ କାକଟପୁର ମଙ୍ଗଳା, ଚିଲିକାର କାଳୀଜାଈ, ଝଙ୍କଡ଼ ଶାରଳା, କଟକଚଣ୍ଡୀ, ବରୁଣେଇ, ଚର୍ଚ୍ଚିକା, ହିଙ୍ଗୁଳା, ଭଗଵତୀ, ରଣପୁରର ମଣିନାଗ ପ୍ରଭୃତି ।

ଏହି ଦେଵୀମାନଙ୍କ ମଧ୍ୟରେ ସମ୍ବଲପୁରର ସମଲାଇଙ୍କୁ ଅନ୍ତର୍ଭୁକ୍ତ କରାଯାଏ ନାହିଁ । କାରଣ ସେ ଥିଲେ ଶ୍ରୀଜଗନ୍ନାଥଙ୍କ ଆଦ୍ୟା ଭୈରଵୀ। ଅଦ୍ୟାପି ମଧ୍ୟ ସେ ଶ୍ରୀକ୍ଷେତ୍ରରେ ବିମଳା ନାମରେ ଜଗନ୍ନାଥଙ୍କ ଭୈରଵୀ ରୂପେ ଅଧିଷ୍ଠିତ ହୋଇ ରହିଛନ୍ତି । ସମଲା ଓ ବିମଳା ଏକ ଓ ଅଭିନ୍ନ, ବିମଳା ସମଲାଇଙ୍କର ନାମାନ୍ତର ଓ ରୂପାନ୍ତର ଅଟନ୍ତି ।

ଆମମାନଙ୍କ ମଧ୍ୟରେ ସଂହତି ଯାହା କାଳ କାଳ ଧରି ରହିଆସିଛି ତାହାକୁ ଅନ୍ଧ ଭଳି କଣ ଵିରୋଧ କରିଵାକୁ ଯାଇ ଅନ୍ୟର ପରିଚୟ ଚୋରୀ କରି ନିଜକୁ ପରିଚିତ କରାଇଵା ତଥା ନିଜର ପ୍ରକୃତ ଜାତି,ଭାଷା ଓ ଲିପିକୁ ଘୃଣା କରିଵା ଉଚିତ କି ?

ଇତିହାସକୁ ନ ପଢ଼ି ନ ଜାଣି ଵା ଜାଣି ମଧ୍ୟ ଘୃଣା ଦ୍ଵେଷ ଯୋଗୁଁ ଆଖି ବୁଜି ନିଜ ମୂଳ ପରିଚୟକୁ  ଜାଳିଦେଲେ, ଜଳିଯିଵ ପୂର୍ଵଜଙ୍କ କୀର୍ତ୍ତି  , କଳା ହେଵ ପୂର୍ଵପୁରୁଷଙ୍କ ମୁହଁ ।

🔴🔴🔴🔴🔴🔴🔴🔴
ତଥ୍ୟ—
ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ
ଡାକ୍ତର ନିଷ୍ଠା ରଞ୍ଜନ ଦାଶ
ଡକ୍ଟର ଜନ୍ମେଜୟ ଚୌଧୁରୀ

ସମ୍ପାଦନା ଓ ଚିତ୍ର—
ଶିଶିର ସାହୁ ମନୋଜ
🔴🔴🔴🔴🔴🔴🔴🔴

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...