Wednesday, December 28, 2022

ଭାରତରେ ଭାଷା~ କିଛି ଜାଣିଵା କଥା

•ଭାରତରେ ଛଅଗୋଟି ମୁଖ୍ୟ ଭାଷାପରିଵାରର ୧୩୬୯ରୁ ଅଧିକ ଭାଷା ବୋଲାଯାଏ । 

•ଭାରତରେ କଥିତ ହେଉଥିଵା ଭାଷାଗୁଡ଼ିକ ଯେଉଁ ଛଅଗୋଟି ଭାଷାପରିଵାରରେ ଵିଭକ୍ତ ସେଗୁଡ଼ିକ ହେଲା ...

(କ)ଭାରୋପୀୟ ଭାଷାପରିଵାର
(ଓଡ଼ିଆ, ବଙ୍ଗାଳୀ,ଗୁଜରାଟୀ, ହିନ୍ଦୀ)

ଖ) ଦ୍ରାବିଡ଼ ଭାଷା ପରିଵାର
(କୁଈ, ତାମିଲ,ତୁଲୁ,ମଳୟାଳ଼ମ)

(ଗ)ଆଷ୍ଟ୍ରୋଏସିଆଟିକ୍ ଭାଷା ପରିଵାର
(ସଉରା,ମୁଣ୍ଡା, ସାନ୍ତାଳୀ,ଖାସି)

(ଘ)ସିନୋ ତିବତ୍ତୀୟ ଭାଷାପରିଵାର
(ତିବତ୍ତୀ,ବୋଡୋ,ଗାରୋ,ମେଇତେଇ)

(ଙ)ତାଇ କଦାଇ ଭାଷା ପରିଵାର
(ତାଇ ଲୂ ଭାଷା,ଅହୋମ ଭାଷା)

(ଚ)ଆଣ୍ଡାମାନ ଭାଷା ପରିଵାର
(୰ବୋ ଭାଷା,ଜୁୱୋଇ,ଅଣ୍ଡାମାନୀ)

•ଭାରତରେ ମୋଟ ୭୮.୫ ଭାଗ ଲୋକେ ଭାରୋପୀୟ ଭାଷାପରିଵାରର ଭାଷାଗୁଡ଼ିକ ଦ୍ଵାରା ପରସ୍ପର ସହିତ କଥୋପକଥନ ହେଉଥିଲା ବେଳେ ୧୯.୬୪ ଭାଗ ଲୋକେ ତାମିଳ ଭାଷାପରିଵାରର ଭାଷା ଵ୍ୟଵହାର କରି କଥାଭାଷା ହୋଇଥାନ୍ତି । 

•ଭାରତରେ ହିନ୍ଦୀଭାଷୀ ଓ ବଙ୍ଗାଳୀ ଆଦି ଭାଷାଭାଷୀଙ୍କ ଯୋଗୁଁ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜର ଆଣ୍ଡାମାନ ଭାଷାପରିଵାରର ଭାଷାଗୁଡି଼କ ସର୍ଵାଧିକ କ୍ଷତିଗ୍ରସ୍ତ ହୋଇ ପ୍ରାୟତଃ ଲୋପ ପାଇଵାକୁ ଯାଉଛନ୍ତି । 

•ଭାରତରେ ଆଧୁନିକ ଭାଷାଵିଵାଦ ମଧ୍ୟରେ ଓଡ଼ିଆ-ବଙ୍ଗାଳୀ ଭାଷା ଵିଵାଦ ଅନ୍ୟତମ । ଓଡ଼ିଆମାନେ ବଙ୍ଗାଳୀମାନଙ୍କ କଵଳରୁ ନିଜ ଭାଷାକୁ ବଞ୍ଚାଇଵାକୁ ୧୮୧୦ରୁ ୧୯୧୦ ଯାଏଁ ଶହେ ଵର୍ଷରୁ ଅଧିକ ସମୟକାଳ ଯାଏଁ ସଂଗ୍ରାମ କରିଥିଲେ ବି ଵିଶ୍ଵ ମାତୃଭାଷା ଦିଵସ ଭାବେ ବଙ୍ଗାଳୀମାନଙ୍କୁ ଵିଶ୍ଵରେ ମହତ୍ତ୍ଵ ଦିଆଯାଉଛି । ଦ୍ଵିତୀୟ ଭାଷା ଵିଵାଦ ହିନ୍ଦୀ Vs ଅଣହିନ୍ଦୀ ଭାଷାକୁ ନେଇ ଏବେ ବି ରହିଛି । 

•ଭାରତରେ ସର୍ଵାଧିକ ଭାରୋପୀୟ ଭାଷାପରିଵାରର ଭାଷାଗୁଡି଼କ ବୋଲାଯାଏ ଏଵଂ ତତ୍ପରେ କଥିତ ଭାଷା ଭାବରେ ଵ୍ୟଵହାର ହେଵା କ୍ଷେତ୍ରରେ ଦ୍ରାଵିଡ଼ ଭାଷାପରିଵାର ଦ୍ଵିତୀୟ ସ୍ଥାନରେ ଅଛି । 

• ଭାରତର କେନ୍ଦ୍ର ସରକାରର ଦୁଇଟି ରାଜଭାଷା ହିନ୍ଦୀ ଓ ଇଂରାଜୀ ଭାଷା ଏଵଂ ଏହି ଦୁଇଟି ଭାଷା ଦ୍ଵାରା ଭାରତୀୟ ରାଜ୍ୟଗୁଡ଼ିକର ଲୋକେ ପରସ୍ପର ସହିତ କଥୋପକଥନ କରିଥାନ୍ତି । 

•ତେବେ ଭାରତରେ ସର୍ଵାଧିକ ହିନ୍ଦୀ, ବଙ୍ଗାଳୀ ଓ ମରାଠୀରେ ଲୋକେ କଥା ଭାଷା ହୁଅନ୍ତି କିନ୍ତୁ ଏହି ତିନୋଟି ଯାକ ଭାଷାକୁ ଦେଶରେ ଶାସ୍ତ୍ରୀୟ ଭାଷାର ମର୍ଯ୍ୟାଦା ମିଳିନାହିଁ । 

•ପ୍ରାଚୀନ,ଵୈଜ୍ଞାନିକ ଓ ଶୁଦ୍ଧ ଭାଷା ଭିତ୍ତିରେ ସଂସ୍କୃତ, ଓଡ଼ିଆ,ତାମିଳ,ମଳୟାଳ଼ମ, କନ୍ନଡ଼ ଓ ତେଲୁଗୁ ଏହି ଛଅଗୋଟି ଭାରତୀୟ ଭାଷାକୁ ହିଁ ଭାରତରେ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଯାଇଛି । 

•ଭାରତରେ ଏମିତି ୧୨୧ଟି ଭାଷା ଅଛି ଯହିଁରେ ଦଶ ହଜାରରୁ ଅଧିକ ଲୋକ କଥାଭାଷା କରନ୍ତି ଏଵଂ ଏହି ୧୨୧ଟି ମଧ୍ୟରେ ୨୨ଟି ଭାଷାକୁ ରାଜଭାଷାର ମାନ୍ୟତା ମିଳିଛି । 

•ଭାରତର ବାଇଶଗୋଟି ରାଜଭାଷା ହେଲା —ଅହମିଆ, ବଙ୍ଗାଳୀ,ବୋଡୋ,ଡୋଗରୀ,ଗୁଜରାଟୀ,ହିନ୍ଦୀ, କନ୍ନଡ଼, କଶ୍ମୀରୀ,କୋଙ୍କଣୀ, ମୈଥିଳୀ,ମଳୟାଳ଼ମ,ମଣିପୁରୀ ଵା ମେଇତେଇ,ମରାଠୀ,ନେପାଳୀ, ଓଡ଼ିଆ,ପଞ୍ଜାବୀ, ସଂସ୍କୃତ, ସାନ୍ତାଳୀ,ସିନ୍ଧୀ,ତାମିଳ,ତେଲୁଗୁ ଓ ଉର୍ଦ୍ଦୁ 

•ସଂସ୍କୃତ ଭାରତର ସ୍ଵାଭାଵିକ ରାଷ୍ଟ୍ରଭାଷା । ଭାରତର ପ୍ରାୟ ଅଧିକାଂଶ ଭାଷାରେ ସଂସ୍କୃତ ଭାଷାର ଶବ୍ଦ ରହିଛି ଏଵଂ ତାମିଳ,ମୁଣ୍ଡାରୀ ଆଦି ଭାଷାରୁ ସଂସ୍କୃତ ଭାଷାରେ ହଜାର ହଜାର ଶବ୍ଦ ଗୃହୀତ ମଧ୍ୟ ହୋଇଛି । 

•ଭାରତରେ ସନାତନୀମାନେ ନିଜ ସନ୍ତାନମାନଙ୍କର ନାମକରଣ ସଂସ୍କୃତ ଭାଷାର ଶବ୍ଦ ଆଧାରରେ କରିଥାନ୍ତି । 

•ଭାରତରେ ଵିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭାଷା ସରକାରୀ ଭାଷାର ମାନ୍ୟତା ଲାଭ କରିଛି । ସଂସ୍କୃତ,ପାଲୀ,ପାର୍ସୀ, ଇଂରାଜୀ ଆଦି ଭାଷା ତନ୍ମଧ୍ୟରୁ ଅନ୍ୟତମ । 

•ଅଧୁନା ଭାରତରେ କେନ୍ଦ୍ର ସରକାର ଓ ଉତ୍ତର ଭାରତୀୟ ଲୋକେ ହିନ୍ଦୀକୁ ରାଷ୍ଟ୍ରଭାଷା କହି ପ୍ରଚାର କରୁଛନ୍ତି ତେବେ ଆଧିକାରିକ ଭାବରେ ଭାରତର କୌଣସି ରାଷ୍ଟ୍ରଭାଷା ଘୋଷିତ ହୋଇନାହିଁ । 

•ଭାରତରେ ପ୍ରଚାର କରାଯାଉଛି ଯେ ଭାଷା ଵିଵିଧତା କ୍ଷେତ୍ରରେ ନାଗାଲାଣ୍ଡ ସବା ଆଗରେ ଅଛି । ନାଗାଲାଣ୍ଡରେ ୩୬ଟି ଭାଷା ବୋଲାଯାଏ ତେବେ ଓଡ଼ିଶାରେ କେଵଳ ଓଡ଼ିଆ ଭାଷାର ତିରିଶରୁ ଅଧିକ ଶୈଳୀ ଏଵଂ ୬୪ ଜନଜାତୀୟ ଲୋକଙ୍କର ଶହେ ପାଖାପାଖି କଥିତ ଭାଷା ପ୍ରଚଳିତ ଅଛି ବୋଲି ଏ ଦେଶରେ ଅନେକେ ଜାଣନ୍ତି ନାହିଁ । 

•ଭାରତରେ ହିନ୍ଦୀ,ମରାଠୀ ଭଳି ଅଶିରୁ ଅଧିକ ଭାଷା ଦେଵନାଗରୀ ଲିପିରେ ଲେଖାଯାଏ କିନ୍ତୁ ପ୍ରକୃତରେ ଦେଵନାଗରୀ ଲିପି ହେଉଛି ସଂସ୍କୃତ ଭାଷାର ଲିପି । ହିନ୍ଦୀ ପୂର୍ଵେ ମୁଖ୍ୟତଃ କୈଥୀ ଓ ମହାଜନୀ ଲିପିରେ ଲେଖାଯାଉଥିଲା ସେହିପରି ମରାଠୀ ମୋଡି ଲିପିରେ ଲେଖା ଯାଉଥିଲା । ବଙ୍ଗାଳୀ ମଧ୍ୟ ପୂର୍ଵେ କୈଥୀ ଲିପିରେ ଲେଖାଯାଉଥିଵା ଜଣାଯାଏ ତେବେ ପରେ ଆସାମର କାମରୂପୀ ଲିପିକୁ ବଙ୍ଗାଳୀମାନେ ନିଜର ଲିପି ଭାବେ ଗ୍ରହଣ କଲରିନେଲେ । 

•ଭାରତରେ ଅଧିକାଂଶ ଭାଷାର ଲିପି ମୂଳତଃ ବ୍ରାହ୍ମୀଲିପିରୁ ସୃଷ୍ଟି ହୋଇଛି ଏଵଂ ତେଲୁଗୁ, ଓଡ଼ିଆ,କାମରୂପୀ ଓ ନାଗରୀ ଆଦି ଅଧିକାଂଶ ପୂର୍ଵ ତଥା ଉତ୍ତରଭାରତୀୟ ଲିପି କଳିଙ୍ଗ ଲିପି(ଅଶୋକ-ଖାରବେଳ କାଳୀନ ବ୍ରାହ୍ମୀଲିପି)ରୁ ସୃଷ୍ଟି ହୋଇଛି । ଓଡ଼ିଶା ଭାରତର ଏମିତି ଏକ ରାଜ୍ୟ ଯେଉଁଠାରେ ପ୍ରାକ୍ ବ୍ରାହ୍ମୀ,ବ୍ରାହ୍ମୀ ଓ ବ୍ରାହ୍ମୀ ପରଵର୍ତ୍ତୀ ତିନି ସମୟକାଳର ଲିପି ମିଳିଛି ।

•ଭାରତରେ ପ୍ରଚଳିତ କେତେକ ଭାଷା ଭାରତର ପଡ଼ୋଶୀ ଦେଶରେ ମଧ୍ୟ ପ୍ରଚଳିତ ଥିଵା ଦେଖାଯାଏ । ଉଦାହରଣ ସ୍ୱରୂପ ଶ୍ରୀଲଙ୍କାରେ ତାମିଳ,ନେପାଳରେ ନେପାଳୀ ଓ ମୈଥିଳୀ, ଥାଇଲାଣ୍ଡରେ ତାଇ, ପାକିସ୍ତାନରେ ସିନ୍ଧୀ,ପଞ୍ଜାଵୀ ଓ ହିନ୍ଦୀ ତଥା ବଙ୍ଗଳାଦେଶରେ ବଙ୍ଗାଳୀ ଆଦି ଭାଷା ଉଲ୍ଲେଖ ଯୋଗ୍ୟ । 

•ଭାରତରେ ସମସ୍ତ ଛଅଗୋଟି ଭାଷାପରିଵାରର ଭାଷା ବୋଲୁଥିଵା ଲୋକଙ୍କ ମଧ୍ୟରେ ଜନଜାତୀୟ ଓ ନଗର ତଥା ଗ୍ରାମଵାସୀ ଉଭୟ ଜାତୀୟ ଲୋକେ ଅଛନ୍ତି । ଭାରୋପୀୟ ଭାଷାପରିଵାରର ଭାଷା ବୋଲୁଥିଵା ଭିଲି,ହଲବୀ ଓଡ଼ିଆ,ଭତ୍ରୀ ଓଡ଼ିଆ,ବାଥୁଡ଼ୀ,କୁଡ଼ମଲୀ,ନାଗପୁରୀ ଆଦି ଅନେକ ଭାରୋପୀୟ ଭାଷା ବୋଲୁଥିଵା ଆଦିଵାସୀ ଵା ଜନଜାତୀୟ ଲୋକେ ମଧ୍ୟ ଭାରତରେ ଦେଖାଯାଆନ୍ତି ।

Sunday, December 25, 2022

ଉତ୍କଳୀୟ ସଂସ୍କୃତିରେ ତୁଳସୀପୂଜନ

ସନାତନ ସଂସ୍କୃତିରେ ତୁଳସୀ ଏକ ମହତ୍ତ୍ୱପୂର୍ଣ୍ଣ ପାଦପ ବୋଲି ସର୍ଵଵିଦିତ । ସନାତନ ପୂଜା ଆରାଧନା ସମୟରେ ଜଳ ପଦ୍ମ, ଧୌତ ଵସ୍ତ୍ର, ତୁଳସୀ , ବିଲ୍ୱପୁଷ୍ପଦଳାଦି ଓ ସାଷ୍ଟାଙ୍ଗ ପ୍ରଣାମ ଏହି ପଞ୍ଚ ଉପଚାରଦ୍ୱାରା ଆରାଧନା କରାଯାଏ ଏଵଂ ଏହାକୁ ନିରାଜନ ଵା ନିରାଜନା ବୋଲାଯାଏ । ଶ୍ରୀଵିଷ୍ଣୁଙ୍କ ପୂଜା ସମୟରେ ତୁଳସୀ ପତ୍ରର ଆଵଶ୍ୟକତା ସର୍ଵତ୍ର ଓ ସର୍ଵଦା ହୋଇଥାଏ ।‌ ଏ ଦେଶରେ ସନାତନୀମାନଙ୍କର ଦେଵପୂଜା, ସ୍ତୁତିପାଠ, ସନ୍ଧ୍ୟା ଵନ୍ଦନା, ମାଳା ଗଡ଼ାଇଵା, ସଂକୀର୍ତ୍ତନ କରିଵା, ଚିତା ଘେନିଵା, ନିର୍ମାଲ୍ୟ ସେବା କରିଵା, ଧର୍ମଶାସ୍ତ୍ର ପଢ଼ିଵା, ହୋମ କରିଵା ଓ ତୁଳସୀ ମୂଳରେ ପାଣି ଦେଵା ପ୍ରଭୃତି ଦୈନିକ ପୂଜାର ଅନ୍ତର୍ଗତ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି । ଓଡ଼ିଶାର ସଧଵାମାନେ ପ୍ରତିଦିନ ସକାଳେ ଗାଧୋଇ ସାରି ତୁଳସୀକୁ ଜଳଦାନ କରନ୍ତି ଓ ସନ୍ଧ୍ୟାରେ ତୁଳସୀ ମୂଳରେ ସନ୍ଧ୍ୟାଵତୀ ଦିଅନ୍ତି । ଓଡ଼ିଶା, କଳିଙ୍ଗ ଵା ଉତ୍କଳ ତୁଳସୀକ୍ଷେତ୍ରର ଦେଶ, ଶ୍ରୀଜଗନ୍ନାଥଙ୍କ ଦେଶ ସେଥିପାଇଁ ଭାରତର ଅନ୍ୟ ଭୂଭାଗ ଅପେକ୍ଷା ଏ ଦେଶରେ ପାରମ୍ପରିକ ତୁଳସୀ ପୂଜନ ସର୍ଵାଧିକ ହୋଇଥାଏ । ଓଡ଼ିଶାର ଲୋକେ କେଵଳ ତୁଳସୀ ପୂଜା କରୁନଥିଲେ ଵରଂ ତୁଳସୀ ଗଛର ଔଷଧୀୟ ଗୁଣ ଵିଷୟରେ ମଧ୍ୟ ଏଠାକାର ସାଧାରଣ ଜନତାଙ୍କୁ ଜଣାଥିଲା । ଆଜକୁ ମାତ୍ର କୋଡି଼ଏ ତିରିଶ ଵର୍ଷ ତଳେ ଗ୍ରାମାଞ୍ଚଳରେ ଅଧିକାଂଶ ଛୋଟ ପିଲାଙ୍କୁ ସାଧାରଣ ଥଣ୍ଡା କାଶ ହେଲେ ମହୁ ସହିତ ତୁଳସୀ ପତ୍ର ବାଟି ପିଆଉଥିଲେ । ତୁଳସୀ ପତ୍ର ଖାଇଲେ ପିଲାଙ୍କର ସ୍ମୃତିଶକ୍ତି ବୃଦ୍ଧି ପାଏ ତେଣୁ ପିଲାଏ ପ୍ରତିଦିନ ଗୋଟିଏ ତୁଳସୀ ପତ୍ର ଖାଇଵା ପୂର୍ଵେ ଏ ଦେଶରେ ପରମ୍ପରା ପ୍ରଚଳିତ ଥିଲା । ପ୍ରତିଦିନ କିଛି ତୁଳସୀ ପତ୍ର ଚୋବାଇ ଖାଇଲେ ଥଣ୍ଡା ଜ୍ୱର ରୋଗରୁ ଉପଶମ ମିଳେ । ତାଛଡା ମୂଖ ଗହ୍ୱର କ୍ଷତ ବା ସଂକ୍ରାମଣରୁ ରକ୍ଷା ପାଇଵାକୁ ହେଲେ କିଛି ତୁଳସୀ ପତ୍ର ଚୋବାଇ ଖିଆଯାଇପାରେ । ତୁଳସୀ ପତ୍ରକୁ ଖରାରେ ଶୁଖାଇ ତାହାର ଚୂର୍ଣ୍ଣରେ ଦାନ୍ତ ଘଷିଲେ ମାଢି ଶକ୍ତ ରହେ । ତୁଳସୀ ପତ୍ର ଗୁଣ୍ଡକୁ ଚନ୍ଦନରେ ଫେଣ୍ଟି କପାଳରେ ଲଗାଇଲେ ଗ୍ରୀଷ୍ମତାପ ଓ ମୁଣ୍ଡବିନ୍ଧାରୁ ରକ୍ଷା ମିଳେ । ତୁଳସୀ ଗଛର ଏହିପରି ଅନେକ ଔଷଧୀୟ ଗୁଣ ଅଛି । ଆମ ପୂର୍ଵଜମାନେ ତୁଳସୀ ଏକ ମହତ୍ତ୍ୱପୂର୍ଣ୍ଣ ଔଷଧୀୟ ଗୁଳ୍ମ ଜାଣି ଏହାର ରକ୍ଷଣାବେକ୍ଷଣ ହେତୁକ ଘରେ ଘରେ ତୁଳସୀ ଲଗାଉଥିଲେ ଏଵଂ ପୂଜାର୍ଚ୍ଚନା କରୁଥିଲେ । ପୂଜାର୍ଚ୍ଚନା ମଧ୍ୟରେ ତୁଳସୀପତ୍ରଟିଏ ଭକ୍ଷଣ ଦ୍ଵାରା ଶରୀର ନିରୋଗ ରଖିଵା ହିଁ ତୁଳସୀ ପୂଜନର ମୂଳ ଉଦ୍ଦେଶ୍ୟ ଥିଲା । ପ୍ରାଚୀନ ଓଡ଼ିଆ ସଂଗୀତରେ (କଳା)ତୁଳସୀ ଗଛର ଉପକାରିତା ଵର୍ଣ୍ଣିତ ହୋଇଛି 

କଫ ଵାତ କଣ୍ଠାଗ୍ରତେ ଯେବେ ରୁନ୍ଧିଵ; 
ଶ୍ୟାମ ତୁଳସୀମଞ୍ଜରୀ, 
ଵଦନେ ଦେଵ ମୋହରି, 
ଶ୍ୟାମ ନାମ ଯତ୍ନ କରି, 
କର୍ଣ୍ଣରେ ଶୁଣାଉଥିଵ। 
(ପ୍ରାଚୀନ ସଙ୍ଗୀତ)

ତୁଳସୀକୁ ଓଡ଼ିଶାର ଲୋକେ ସବୁଠାରୁ ପଵିତ୍ର ପାଦପ ମାନୁଥିଲେ ତେଣୁ ଉତ୍କଳୀୟ ସଂସ୍କୃତିରେ ତୁଳସୀର ସ୍ଥାନ ସର୍ଵୋଚ୍ଚ ହୋଇପାରିଛି । 

ନିମ୍ନରେ ଓଡ଼ିଶାରେ ତୁଳସୀ ପୂଜାର କେତେକ ଉଦାହରଣ ପ୍ରଦତ୍ତ ହେଲା —

୩୬୫ ଦିନ ତୁଳସୀ ପୂଜା ଵା ଚଉରାସେଵା :

ଓଡ଼ିଶାର ସଧଵାମାନେ ଵର୍ଷକ ବାରମାସ ପ୍ରତ୍ୟେକ ଦିନ ତୁଳସୀ ପୂଜା କରନ୍ତି ‌ । ସକାଳୁ ଗାଧୋଇ ସାରି ଜଳଦାନ ଏଵଂ ସନ୍ଧ୍ୟାରେ ଦୀପଦାନ ଓଡ଼ିଆ ଘରର ଝିଅଵୋହୂଙ୍କର ମୁଖ୍ୟ କର୍ତ୍ତଵ୍ୟକର୍ମ ଅଟଇ । ତୁଳସୀଚଉରାରେ ରୋପିତ ଓ ସଯତ୍ନବର୍ଦ୍ଧିତ ତୁଳସୀ ଵା ଵୃନ୍ଦାଵତୀଙ୍କୁ ଜଳଦାନ, ଦୀପଦାନ ଓ ପୂଜାଆଦି କରିଵା ରୂପ ଏହି କର୍ତ୍ତଵ୍ୟ କାର୍ଯ୍ୟକୁ #ଚଉରାସେଵା କୁହାଯାଏ । ସେହିପରି ଆଗେ ଘରର ପୁରୁଷମାନେ ଘରୁ ବାହାରି ଗଲା ବେଳେ ତୁଳସୀ ଚଉରାକୁ ପ୍ରଣାମ କରି ତୁଳସୀ ପତ୍ରଟିଏ ସେଵନ କରି ଦୂରକୁ ଯାତ୍ରା କରିଵାର ପରମ୍ପରା ପ୍ରଚଳିତ ଥିଲା । ଏ ଦେଶର ଵୈଷ୍ଣଵମାନେ ଗାଧୋଇ ସାରି ତୁଳସୀଗଛରେ ଜଳଦାନ ପରେ ତୁଳସୀ ପତ୍ରଟିଏ ସେଵନ କରିଵାର ପରମ୍ପରା ମଧ୍ୟ ରହିଛି । ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳରେ ଦୀପଦାନ କରିଵାକୁ ଓଡ଼ିଆ ମାନେ ସନ୍ଧ୍ୟା ଦେଵା ,ସଞ୍ଜ ଦେଵା 
,ସଞ୍ଜ ବସାଇଵା ,ସଞ୍ଜଵତୀ ଦେଵା ଓ ବଳିତା ବସାଇଵା ଆଦି କହିଥାନ୍ତି । 

 

ମହା ଵିଷୁଵ ପଣା ସଂକ୍ରାନ୍ତି ଦିନ ତୁଳସୀ ପୂଜା :

ଆଗେ ମହା ଵିଷୁଵ ପଣା ସଂକ୍ରାନ୍ତି ଅଵସରରେ ଓଡ଼ିଶାରେ ତୁଳସୀ ଗଛ ଉପରେ ଜଳ ପୂର୍ଣ୍ଣ ବସୁନ୍ଦରା ଘଟ ଦିଆଯାଉଥିଲା ଓ ଵିଶେଷ ପୂଜାର ଆୟୋଜନ କରାଯାଉଥିଲା । ଯେଉଁ ଘଡ଼ିର ତଳେ କଣାରୁ ପାଣି ଟୋପା ଟୋପା ବୋହି ତୁଳସୀ ଗଛ ଵା ଦେଵତାଙ୍କ ଉପରେ ପଡ଼ୁଥିଲା ତାକୁ ବସୁନ୍ଧରା ଘଟ ଵା ଘଡ଼ି କୁହାଯାଉଥିଲା । ଆଗେ ପଣାସଂକ୍ରାନ୍ତିଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ଉପରେ ସବୁବେଳେ ଜଳଧାରା ଦେବା ନିମନ୍ତେ ସଚ୍ଛିଦ୍ର କଳସ ଵା ବସୁନ୍ଧରା ଘଡ଼ି ଟଙ୍ଗାଯାଉଥିଲା । ଏହି ଘଡି଼କୁ ଧର୍ମଘଡି଼ ବି କୁହାଯାଉଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ସିଂହଭୂମି ଆଦି କେତେକ ଅଞ୍ଚଳରେ ଚୈତ୍ର ମାସରେ ତୁଳସୀ ଗଛ ଉପରେ ଧର୍ମଘଡି଼ ସ୍ଥାପନ କରାଯାଉଥିଲା । ତେବେ ଏ ପରମ୍ପରା ଅଧୁନା ଅନେକ ସ୍ଥାନରେ ଲୁପ୍ତ ହୋଇଯାଇଥିଵା ହୃଦବୋଧ ହୁଏ । 

ମାର୍ଗଶୀର କୃଷ୍ଣନଵମୀରେ ତୁଳସୀ ପୂଜା :

ମାର୍ଗଶିରମାସ କୃଷ୍ଣନଵମୀରେ‌ କାଞ୍ଜି ଅଅଁଳା ପର୍ଵ ପଡି଼ଥାଏ ‌ । ଏ ଦିନ ସ୍ତ୍ରୀ ଲୋକେ ଅଅଁଳା କୋଳି ପଡି଼ଥିଵା କାଞ୍ଚି ନେଇ ତୁଳସୀ ଚଉରାମୂଳେ ସନ୍ଧ୍ୟାବେଳେ ପୂଜା କରନ୍ତି। 

କାର୍ତ୍ତିକ ମାସରେ ତୁଳସୀ ପୂଜା :

କାର୍ତ୍ତିକ ମାସକୁ ତୁଳସୀ ମାସ କୁହାଯିଵା କଥା କାରଣ ଏ ମାସରେ କଳିଙ୍ଗ ଦେଶରେ ତୁଳସୀ ଗଛର ଵିଶେଷ ପୂଜାର୍ଚ୍ଚନା ହୋଇଥାଏ । କାର୍ତ୍ତିକ ମାସସାରା ଏ କଳିଙ୍ଗ ଦେଶର ହବିଷିଆଳିମାନେ ତୁଳସୀ ମୂଳରେ ପଞ୍ଚୁଵର୍ଣ୍ଣୀ ମୁରୁଜରେ ଚିତ୍ର ଅଙ୍କନ କରି କାର୍ତ୍ତିକପୂଜା ଓ ଦୀପଦାନ ଆଦି କରନ୍ତି । ଯାହା ଦାଣ୍ଡରେ ତୁଳସୀ ଗଛ ଥାଏ ସେଠାରେ ଗୋଟିଏ ବଡ଼ ଦଣ୍ଡ ପୋତାଯାଇ ପିତୃପୁରୁଷଙ୍କୁ ଦୀପଦାନ କରାଯାଏ । 

କାର୍ତ୍ତିକ ଵ୍ରତ ଵା ରାଇଦାମୋଦର ଵ୍ରତ ଓ ତୁଳସୀ :

କାର୍ତ୍ତିକ ମାସରେ କରାଯିଵା ଵ୍ରତକୁ କାର୍ତ୍ତିକ ଵ୍ରତ, 'ରାଇଦାମୋଦର ଵ୍ରତ' ଵା 'ରାଇଦାମୋଦର ପୂଜା' ବୋଲାଯାଏ। ଏହି କାର୍ତ୍ତିକ ଵ୍ରତ ଵା ରାଧାଦାମୋଦର ପୂଜା ଓ ମନ୍ତ୍ର ପଦ୍ମପୁରାଣରେ ଵର୍ଣ୍ଣିତ ହୋଇଅଛି। କୁମାରପୂର୍ଣ୍ଣିମା ପରଦିନଠାରୁ କାର୍ତ୍ତିକପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି କାର୍ତ୍ତିକ ଵ୍ରତ ଵା ଊର୍ଜ୍ଜଵ୍ରତ କରାଯାଏ। ଏଥିରେ ପ୍ରାତଃସ୍ନାନ, ଦିନାନ୍ତେ ହବିଷ୍ୟାନ୍ନ ଭୋଜନ, ସନ୍ଧ୍ୟାସମୟରେ ତୁଳସୀ ଚଉରା ନିକଟରେ ଦୀପଦାନ ଓ ରାଧାଦାମୋଦର ମନ୍ତ୍ର ଜପ ପ୍ରଧାନ କର୍ତ୍ତଵ୍ୟ ଅଟଇ। ଵିଧଵା ଓ ହବିଷିଆଳିମାନେ ତୁଳସୀଚଉରାମୂଳ ସକାଳୁ ଲିପି ସେଠାରେ ପଞ୍ଚୁଵର୍ଣ୍ଣୀ ମୁରୁଜରେ ରାଧାକୃଷ୍ଣାଦିଙ୍କ ରୂପ ଅଙ୍କିତ କରି ପୂର୍ଵଦିଗକୁ ମୁହଁ କରି ନୈଵେଦ୍ୟାଦି ଭୋଗ କରନ୍ତି ଓ ମାଳା ଜପ କରନ୍ତି। ଵିଧଵା ଓ ହବିଷିଆଳିମାନଙ୍କର ଏହି ତୁଳସୀ ଚଉରା ମୂଳର ପୂଜାଆଦିକୁ 'ରାଇଦାମୋଦର ପୂଜା' ବୋଲାଯାଏ। ଏହି ସମୟରେ କାପତାକାପତୀ (କପୋତ କପୋତୀ ଦ୍ୱୟ)ଙ୍କୁ ମଧ୍ୟ ନୈଵେଦ୍ୟ (ଭୋଗ) ଦିଆଯାଏ। ଏହି ନୈଵେଦ୍ୟାଦିକୁ ବ୍ରାହ୍ମଣମାନେ ଉତ୍ସର୍ଗ ନ କରି ଵିଧଵା ଓ ହବିଷିଆଳି ଵ୍ରତିନୀମନେ ଉତ୍ସର୍ଗ କରନ୍ତି। ସାଧାରଣତଃ ବୃଦ୍ଧାମାନେ ରାଧାଦାମୋଦର ପୂଜା କରିଥାନ୍ତି । ରାଇଦାମୋଦର ବିଷୟରେ ଢଗଟିଏ ଓଡ଼ିଆ ଭାଷାରେ ପ୍ରଚଳିତଏଵଂ ସେଥିରୁ ଏକଥା ଜଣାଯାଏ । 

“ପୁଅଙ୍କୁ ସୁନ୍ଦର ପାଟ ପୀତାମ୍ବର, 
ଝିଅଙ୍କୁ ସୁନ୍ଦର ନେତ, 
ବୁଢ଼ୀଙ୍କି ସୁନ୍ଦର ରାଇଦାମୋଦର, 
ବୁଢ଼ାଙ୍କୁ ସୁନ୍ଦର ଶୀତ।”

କାର୍ତ୍ତିକ ପୂର୍ଣ୍ଣିମା ଓ ତୁଳସୀ ଗଛ :

କୁମାରପୂର୍ଣ୍ଣମୀ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା କରିଵା ପାଇଁ ଛେନାଗୁଡ଼ ଵା ଖଇଚକଟା ତୁଳସୀଚଉରା ମୂଳେ ଥୋଇଵାକୁ ହୋଇଥାଏ ‌। ଏ ଦିନ ତୁଳସୀ ଚଉରାକୁ ଲିପି ଵିଶେଷ ଭାବେ ଧୂପ ଦୀପ ଦ୍ଵାରା ପୂଜା କରାଯାଏ ‌ । ଚନ୍ଦ୍ରଙ୍କ ପାଇଁ ପ୍ରସ୍ତୁତ ଭୋଗକୁ ସଜ୍ଜିତ ତୁଳସୀ ଚଉରା ମୂଳରେ ବଢ଼ାଯାଏ ଯାହାକୁ ଚାନ୍ଦ ବାଢି଼ଵା କୁହନ୍ତି । 

ତୁଳସୀ ଵିଵାହ : 
ତୁଳସୀ ଵିଵାହୋତ୍ସଵ କାର୍ତ୍ତିକ କୃଷ୍ଣ ଦ୍ୱାଦଶୀ ଦିନ ପାଳିତ ହୋଇଥାଏ । ଏହି ଦିନ ଶ୍ରୀଵିଷ୍ଣୁଙ୍କ ସହିତ ଵୃନ୍ଦାଵତୀ ଵା ତୁଳସୀ ଚଉରାରେ ଥିଵା ତୁଳସୀ ଗଛର ଵିଵାହ ରୂପକ ଉତ୍ସଵ ପାଳିତ ହୁଏ ‌ । 

ଅଷ୍ଟପ୍ରହରୀ ସମୟରେ ତୁଳସୀ ପୂଜା :
ଅଷ୍ଟପ୍ରହରୀ ସମୟରେ ଵିଭିନ୍ନ ଗ୍ରାମରୁ ସଂକୀର୍ତ୍ତନ ଦଳ ଆସିଥାନ୍ତି । ସେତେବେଳେ ଠାକୁରମାନଙ୍କୁ ଓ ସଂକୀର୍ତ୍ତନଦଳକୁ ମେଳନ ଆଦିକୁ ନିମନ୍ତ୍ରଣ କରିଵା ପାଇଁ ଫୁଲ ଓ ତୁଳସୀ ପ୍ରେରଣ କରାଯାଏ । ଏତଦଵ୍ୟତୀତ ଅଷ୍ଟପ୍ରହରୀ ଆରମ୍ଭ ଓ ଶେଷରେ ଗ୍ରାମର ଭାଗଵତ ଘର ଆଗରେ ଥିଵା ତୁଳସୀ ଗଛର ଵିଶେଷ ପୂଜାର୍ଚ୍ଚନା ହୋଇଥାଏ ‌ । 

ଜହ୍ନି ଓଷା ଓ ତୁଳସୀ :
ଗାଆଁ ଝିଅମାନେ ତୁଳସୀ ଚଉରା ମୂଳରେ ଜହ୍ନିଓଷା କରିଥାନ୍ତି । ଏହି ଜହ୍ନି ଓଷା ଭାଦ୍ର ପୂର୍ଣ୍ଣିମାଠାରୁ ଆଶ୍ୱିନ ପୂର୍ଣ୍ଣିମା (କୁମାର ପୁର୍ଣ୍ଣିମା) ଯାଏ ପାଳିଵାକୁ ହୁଏ। ଏହି ଓଷା ଏକ ମାସ ଵ୍ୟାପି ପାଳିତ ହୁଏ ଏଵଂ ଏହି ଓଷାରେ ପ୍ରତିଦିନ ତୁଳସୀ ଗଛର ଵିଶେଷ ପନ୍ଦାପନା କରାଯାଇ ପିଲାଙ୍କ ମଧ୍ୟରେ ଭୋଗ ବଣ୍ଟନ କରାଯାଏ । ଏଥିର ଶେଷ ପାଳି ଦିନ ବାଳିକାମାନେ ସନ୍ଧ୍ୟାବେଳେ ଗୁଡ଼ିଏ ଜହ୍ନି ଫୁଲ ତୋଳି ଆଣି ତିନି ଗୋଟି ମଣ୍ଡଳ କାଟି ତିନି ଗୋଟି ଜହ୍ନି ପତ୍ରରେ ଫୁଳଗୁଡ଼ିକ ରଖି ନିଜନିଜର ଭାଇ ବାପାଙ୍କ ମଙ୍ଗଳକାମନାରେ ତାକୁ ଚାଳ ଉପରକୁ ଫୋଫାଡ଼ନ୍ତି ।

ଶାମ୍ବ ଦଶମୀ ଓ ତୁଳସୀ :
ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ । ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ଵ କିନ୍ତୁ ଓଡ଼ିଆ ଘରର ଝିଅ ଵୋହୂମାନେ ତୁଳସୀ ଚଉରା ମୂଳରେ ସାମୁହିକ ଭାବରେ ଏକତ୍ରିତ ହୋଇ ଏହାର ଆୟୋଜନ କରିଥାନ୍ତି ଏଵଂ ଏହି ପୂଜାର ଆୟୋଜନ ଶେଷରେ ସୂର୍ଯ୍ୟ ଦେଵଙ୍କୁ ଧୂପ ଓ ନୈଵେଦ୍ୟ ଅର୍ପଣ କରାଯାଏ । ଶାମ୍ବ ଦଶମୀର ପୂଜା ତୁଳସୀ ଚଉରା ମୂଳରେ ହେଉଥିଵାରୁ ପ୍ରଥମେ ତୁଳସୀ ପୂଜନ କରାଯାଇ ତହିଁ ମୂଳରେ ଦୀପଦାନ କରାଯାଏ

ବଡ଼ ଓଷା ଓ ତୁଳସୀ 
ଓଡ଼ିଶାରେ ଦୁଇ ଜାତୀୟ ବଡ଼ଓଷା ପାଳନ କରାଯାଏ । 

(କ) କାର୍ତ୍ତିକ ପୂର୍ଣ୍ଣିମା ପୂର୍ଵଦିନ 
କଟକ ଓ ପୁରୀ ଆଦି ଜିଲ୍ଲାରେ ଆଠଗଡ଼ର ଧବଳେଶ୍ୱର ମହାଦେଵଙ୍କଠାରେ କାର୍ତ୍ତିକ ପୂର୍ଣ୍ଣିମାର ପୂର୍ଵଦିନ ଏହି ଓଷା କରିଥିଵା ଲୋକମାନେ ଭୋଗ ଲଗାନ୍ତି। 

(ଖ)ସୋମନାଥ ଵ୍ରତକୁ ଗଞ୍ଜାମ ଜିଲ୍ଲାରେ 'ବଡ଼ ଓଷା' ବୋଲି କହନ୍ତି। ଏହି ଵ୍ରତ ଭାଦ୍ର ଶୁକ୍ଳ ଷଷ୍ଠୀ ଦିନ ଆରମ୍ଭ କରାଯାଇ ଆଶ୍ୱିନ ଶୁକ୍ଳଦଶମୀ (ଦଶହରା) ଦିନ ଉଦ୍ୟାପନା କରାଯାଏ।

ତେବେ କାର୍ତ୍ତିକ ପୂର୍ଣ୍ଣିମା ପୂର୍ଵଦିନ ଯେଉଁ ବଡ଼ ଓଷା ହୋଇଥାଏ ତାହା ତୁଳସୀ ଗଛର ଚଉରା ମୂଳରେ ଅନେକ ସ୍ତ୍ରୀ ଲୋକଙ୍କ ଦ୍ଵାରା ସାମୁହିକ ଭାବରେ ଆୟୋଜିତ ହୋଇଥାଏ । ଗ୍ରାମାଞ୍ଚଳରେ ଯାହା ଯାହା ଘରେ ତୁଳସୀ ଚଉରା ରହିଛି ସେମାନଙ୍କ ଘରେ ହିଁ ବଡ଼ ଓଷା ପାଳନ ହୋଇଥାଏ । ଏଥିରେ ପ୍ରଥମେ ତୁଳସୀ ଚଉରାକୁ ବନ୍ଦାପନା କରି ଦୀପଦାନ କରାଯାଏ ଏଵଂ ତତ୍ପରେ ଗାତ ଖୋଳି ସେଥିରେ ଚୂଲି କରି ଭୋଗ ପ୍ରସ୍ତୁତ କରାଯାଏ ।  

ଏହିପରି ଆହୁରି ଅନେକ ଉତ୍କଳୀୟ ପର୍ଵପର୍ଵାଣୀରେ ତୁଳସୀ ଗଛର ପ୍ରଥମେ ପୂଜାର୍ଚ୍ଚନା ହୋଇଥାଏ । 

ଉତ୍କଳୀୟ ସଂସ୍କୃତି ସାହିତ୍ୟ ଓ ସମାଜରେ ତୁଳସୀ :—

ଉତ୍କଳୀୟ ସମାଜ ସହିତ ତୁଳସୀ ଓତଃପ୍ରୋତଭାବେ ଜଡ଼ିତ । ଶ୍ରୀଜଗନ୍ନାଥ ଆଉ ତୁଳସୀ ମଧ୍ୟ ପରସ୍ପର ସହିତ ଜଡ଼ିତ । ଅଚ୍ୟୁତାନନ୍ଦ ଦାସଙ୍କ କଵିତାର ନିମ୍ନୋକ୍ତ ପଦଟି ପାଠକଲେ ଆମେ ଏକଥା ସ୍ପଷ୍ଟ ଅନୁଭଵ କରିଥାନ୍ତି ...

“ତୁଳସୀର ଜଟ ତୁଳସୀ ମୁକୁଟ
ତୁଳସୀ ଭୂଷଣ ହୋଇ ।
ତୂୁଳସୀ ଚଉଁରା ପାଶେ ଅନାଇଲେ
ନୀଳଚକ୍ର ଦିଶୁଥାଇ ॥”
(ଅଚ୍ୟୁତାନନ୍ଦ)

ଶ୍ରୀଜଗନ୍ନାଥ ଓ ତାଙ୍କ ଭକ୍ତଙ୍କ ପାଇଁ ତୁଳସୀ ଗଛ କେତେ ମହତ୍ତ୍ୱପୂର୍ଣ୍ଣ ତାହା ଆମେ ସାଲବେଗଙ୍କ ଭଜନରୁ ଜଣିଵାକୁ ପାଆନ୍ତି ...

“ଆହେ ନୀଳଗିରି !
ତୁମ୍ଭ ଶ୍ରୀଭୁଜେ ଦୟଣା କେରି କେରି ।
ତୁଳସୀ ଚଉରା ପାଶେ ଜଗି
ବସି ଧ୍ୟାଉଛନ୍ତି କେତେ ଯୋଗୀ,
ବ୍ୟାଘ୍ରଚର୍ମ ପାରି ସ୍ତୁତି କରୁଛନ୍ତି,
 ଜପୁଛନ୍ତି ନାମ ସଂଖ୍ୟା କରି ।୧।”

ପୁଣି ଵନମାଳୀ ଦାସଙ୍କ ଭଜନରୁ ଜଣାଯାଏ ଯେ ଶ୍ରୀଜଗନ୍ନାଥଙ୍କ ଛଡ଼ା ତୁଳସୀ ମଧ୍ୟ ଭକ୍ତମାନେ ଅତି ଆଦରର ସହିତ ନିଜ ପାଖରେ ରଖୁଥିଲେ

“ନାସା ମୋର ତୃପ୍ତି ନ ଲଭଇ ଆନ
ସୁଵାସ ଦ୍ରଵ୍ୟ ଆଘ୍ରାଣେ
ତୋହ ଛଡ଼ା ମାଳ ତୁଳସୀ କୁସୁମ
ଚନ୍ଦନ କର୍ପୂର ଧ୍ୟାନେ । ୩ ।”

ସାଲବେଗଙ୍କ ଭଜନରୁ ଜଣାଯାଏ ଯେ ଭକ୍ତମାନେ ସେହି ଛଡ଼ା ତୁଳସୀ ଭକ୍ଷଣ ମଧ୍ୟ କରୁଥିଲେ

“ଶ୍ରୀ ପୁରୁଷୋତ୍ତମ ରହଣି କରିଵା
ଖାଇଵା ଛଡା଼ ତୁଳସୀ 
କହେ ସାଲବେଗ ସିଂହଦ୍ୱାରଠାରେ
ହୋଇଥିଵା କ୍ଷେତ୍ରଵାସୀ”

ତୁଳସୀ ଶ୍ରୀଜଗନ୍ନାଥଙ୍କର ଵା ଶ୍ରୀଵିଷ୍ଣୁ ଭଗଵାନଙ୍କର ଅତି ପ୍ରିୟ । ତୁଳସୀ ପତ୍ର ଵିନା ଶ୍ରୀଵିଷ୍ଣୁଙ୍କୁ ଭୋଗ ଅର୍ପଣ କରାଯାଏ ନାହିଁ । ସେଥିପାଇଁ ତ ତୁଳସୀଙ୍କ ନାମ ଵୈଷ୍ଣବୀ, ଵିଷ୍ଣୁ ବଲ୍ଲଭା ଓ ହରିପ୍ରିୟା ଇତ୍ୟାଦି ରଖାଯାଇଛି ।

ସେଥିପାଇଁ ଓଡ଼ିଆ ଭାଗଵତର ଵିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥ , ଶ୍ରୀକୃଷ୍ଣ ଵା ଶ୍ରୀଵିଷ୍ଣୁଙ୍କ ଚରଣରେ ତୁଳସୀ ପତ୍ର ଦାନର ଉଲ୍ଲେଖ ଅଛି । 

ଶ୍ରୀକୃଷ୍ଣ-ଚରଣ-ତୁଳସୀ । 
ପାଦଉଦକରଜେ ମିଶି ॥ 
(ପ୍ରଥମ ସ୍କନ୍ଦ,ଭାଗଵତ)

ଶ୍ରୀକୃଷ୍ଣଚରଣ ତୁଳସୀ । 
ତା'ର ରସନା ତେଣେ ରସି ॥
(ନଵମ ସ୍କନ୍ଦ,ଭାଗଵତ)

ତୋହର ଚରଣ ତୁଳସୀ । 
କବରୀଭାରେ ତାହା ଖୋସି ॥
(ଦଶମ ସ୍କନ୍ଦ,ଭାଗଵତ)

ଓଡ଼ିଶାରେ ସାରଳା ଦେଵୀଙ୍କୁ ଲୋକେ ଵିଦ୍ୟାଦାତ୍ରୀ ଵାଗ୍ଦେଵୀ ବୋଲି ମଧ୍ୟ ଗ୍ରହଣ କରନ୍ତି। ବନଦୁର୍ଗା ମନ୍ତ୍ରରେ ଏହାଙ୍କ ପୂଜାହୁଏ; କିନ୍ତୁ ଏହାଙ୍କ ପୂଜାରେ ତୁଳସୀ ଓ ବେଲେପତ୍ରୀ ଉଭୟ ଲାଗେ। 

ଭାରତରେ ଦେଵଵିଗ୍ରହ, ମନ୍ଦିର, ତୁଳସୀବୃକ୍ଷ, ଗୁରୁଜନ ଓ ତୀର୍ଥଆଦିର ଚାରିପାଖେ ବୁଲି ଆସିଵାର ଵା ପ୍ରଦକ୍ଷିଣା କରିଵାର ପରମ୍ପରା ପ୍ରଚଳିତ ଏଵଂ ଏହାକୁ ପରିକ୍ରମ ବୋଲାଯାଏ ।

କନ୍ୟାକୁ ଗୋଟିଏ ତୁଳସୀ ପତ୍ର ସହିତ ଜାମାତାଙ୍କ ହସ୍ତରେ ଅର୍ପଣ କରି ଦେଵାକୁ "ତୁଳସୀ ପତ୍ର ପାତ୍ର କରି ଟେକି ଦେଵା" କୁହାଯାଏ । ତୋଳାକନ୍ୟା ଵିଵାହ ପ୍ରଥାରେ ଏହିପରି କରାଯାଏ । ଅଭାଵଗ୍ରସ୍ତ ପିତା ଵିଵାହଵ୍ୟୟ ଵହନ କରିଵାକୁ ଅକ୍ଷମ ହୋଇ କନ୍ୟାକୁ ଵିଵାହ ପୂର୍ଵେ ବର ହସ୍ତରେ ତୁଳସୀପତ୍ର ସହିତ ସମର୍ପଣ କରେ ଏଵଂ ବର ନିଜ ଗୃହରେ ସେହି କନ୍ୟାର ପାଣିଗ୍ରହଣ କରେ । 

ଵୈଷ୍ଣଵ ଗୁରୁ କୌଣସି ଶିଷ୍ୟକୁ ମନ୍ତ୍ର ଦେଇ ଦୀକ୍ଷିତ କଲାବେଳେ ଉକ୍ତ ଶିଷ୍ୟକୁ ଡୋର, କଉପୁନି, ମାଳା ଓ ତିଳକ ଦିଅନ୍ତି, ଅର୍ଥାତ୍, ଶିଷ୍ୟ ଉକ୍ତ ଡୋରକୁ ଅଣ୍ଟାରେ ପିନ୍ଧି ତା ଉପରେ କୌପୀନ ପରିଧାନ କରେ। ଗୁରୁ ଶିଷ୍ୟର ବେକରେ ତୁଳସୀ ମାଳାଟି ପିନ୍ଧାଇ ଦିଅନ୍ତି ଓ ଆପଣାର ସମ୍ପ୍ରଦାୟର ବିଶିଷ୍ଟ ତିଳକ ଚିହ୍ନ ତା କପାଳରେ କାଟିଦିଅନ୍ତି, ଅର୍ଥାତ୍ ନିଜେ ଶିଷ୍ୟ ମୁଣ୍ଡରେ ଅଙ୍କିତ କରିଦିଅନ୍ତି । 

ପୂର୍ଵେ ତୁଳସୀ ପତ୍ର ଵା ଗଛ ଦିଆଦେଇ ହୋଇ ଓଡ଼ିଶାରେ ମିତ ବସୁଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି କଥା ଉଲ୍ଲେଖ କରାଯାଇଛି । ଜ୍ଞାତିତ୍ୱ, ରକ୍ତସଂପର୍କ ଵା ଵିଵାହ ଦ୍ୱାରା ସମ୍ବନ୍ଧଯୁକ୍ତ ହୋଇ ନଥିଵା ବ୍ଯକ୍ତିମାନେ ଧର୍ମକୁ, ଇଷ୍ଟ ଦେଵତା ଅଥଵା ତାଙ୍କର ପ୍ରସାଦକୁ କିମ୍ବା ତୁଳସୀ ଆଦି ପଵିତ୍ର ଵୃକ୍ଷଙ୍କୁ ସାକ୍ଷୀ ରଖି ପରସ୍ପର ମଧ୍ୟରେ ନାନାପ୍ରକାର ମିତ୍ରତା ସ୍ଥାପନ କରନ୍ତି।
ଦୁଇ ଜଣ ଵ୍ୟକ୍ତି ପରସ୍ପର ସଙ୍ଗେ ଧର୍ମବାପ, ଧର୍ମପୁଅ, ଧର୍ମଭାଇ, ଧର୍ମଭଉଣୀ, ଧର୍ମ ମାଆ, ଧର୍ମଝିଅ, ସଙ୍ଗାତ, ମୈତ୍ର, ଓଶକା, ସରପୁଳି, ଅଭଡ଼ା, ଚାନ୍ଦ, ବଉଳ, ଗଙ୍ଗାଜଳ, ତୁଳସୀ, ଗୋଦାବରୀ, ପହିଲି ଭୋଗ, ଏହିପରି ନାନାପ୍ରକାର ଧର୍ମ-ବନ୍ଧୁତା ସ୍ଥାପନ କରନ୍ତି । ଏମାନଙ୍କୁ ପ୍ରୀତିବନ୍ଧୁ ଵା ଧର୍ମବନ୍ଧୁ ବୋଲାଯାଏ।

ସେହିପରି ଆଗକାଳରେ ତୁଳସୀକୁ ଛୁଇଁ ଲୋକେ ଶପଥ କରୁଥିଲେ । କଳିଙ୍ଗ ଦେଶରେ ଲୋକଵିଶ୍ୱାସ ଥିଲା ଯେ ତମ୍ବା, ତୁଳସୀ, ଶାଳଗ୍ରାମ ଵା ହରିବଂଶ ପୋଥି ଛୁଇଁ ନିୟମ ଵା ହଲପ କରି ମିଛ କହିଲେ ହଲପ କରିଵା ଵ୍ୟକ୍ତିର ସର୍ଵନାଶ ଘଟେ। ଏଣୁ ନ୍ଯାୟନିଷାପରେ ଓ ଅଦାଲତରେ ମଧ୍ୟ ଲୋକେ ଵିପକ୍ଷପକ୍ଷକୁ 'ନିର୍ଭର ହଲପ' ମାନୁଥିଲେ, ଅର୍ଥାତ୍ ଵିପକ୍ଷପକ୍ଷ 'ତମ୍ବାତୁଳସୀ', 'ତମ୍ବାତୁଳସୀ ଶାଳଗ୍ରାମ' ବା 'ତମ୍ବାତୁଳସୀ ହରିବଂଶପୋଥି' ଛୁଇଁ ହଲପ କରି ଯାହା କହିଯିଵ ତାହାଦ୍ୱାରା ହଲପ ଦିଆଇଵା ଲୋକ ବାଧ୍ୟ ହେଵ ବୋଲି ସ୍ୱୀକାର କରୁଥିଲେ । ଆଜିକାଲି ଏସବୁ ପରମ୍ପରା ପ୍ରାୟତଃ ଲୁପ୍ତ ଏଵଂ ଅଦାଲତରେ ତୁଳସୀ ପ୍ରଭୃତି ପ୍ରୋକ୍ତ ପଵିତ୍ର ଦ୍ରଵ୍ୟାଦିର ସ୍ଥାନ ଭାଗଵତ ଗୀତା ନେଇଅଛି । 

ତୁଳସୀକୁ ନେଇ ଭାରତରେ ଅନେକ ଅନ୍ଧଵିଶ୍ଵାସ ମଧ୍ୟ ପ୍ରଚଳିତ ଯଥା — ରଵିଵାର ତୁଳସୀରେ ଜଳଦାନ କରିଵ ନାହିଁ ଲକ୍ଷ୍ମୀ ରାଗିବେ । କେତେକ ପାଶ୍ଚାତ୍ୟ ଵୈଜ୍ଞାନିକ ନିଜ ପାଶ୍ଚାତ୍ୟ ଔଷଧ ଵିକ୍ରି ପାଇଁ ମଧ୍ୟ ପ୍ରଚାର କରୁଛନ୍ତି ଯେ ତୁଳସୀ ପତ୍ର ଚୋବାଇଲେ ଦାନ୍ତ କ୍ଷତି ହୁଏ ଇତ୍ୟାଦି । କୌଣସି ଦ୍ରଵ୍ୟ ଅତି ପ୍ରୟୋଗ ଭଲ ନୁହେଁ । ସେହିପରି ତୁଳସୀ ପତ୍ର ଅଧିକ ଚୋବାଇଵା କ'ଣ ଆଵଶ୍ୟକ କିନ୍ତୁ ପ୍ରତ୍ୟହ ଗୋଟିଏ ତୁଳସୀ ପତ୍ର ଚୋବାଇଲେ କ୍ଷତି ନାହିଁ । ରଵିଵାର ଦିନ ଜଳଦାନ ନକରିଵାର କୌଣସି ଵୈଜ୍ଞାନିକ କାରଣ ନାହିଁ ତେଣୁ ଏସବୁ ପ୍ରତି ଧ୍ୟାନ ନଦେଇ ତୁଳସୀ ଗଛରେ ଜଳ ଦିଆଯିଵା ଉଚିତ୍ ।

“ପତ୍ରଂ ପୁଷ୍ପଂ ଫଳଂ ଶାଖା ତ୍ବକ୍ ସ୍କନ୍ଧଜ୍ଞିତମ୍ ।
ତୁଳସୀସମ୍ବଵଂ ସର୍ଵଂ ପାଵନଂ ମୃତ୍ତିକାଦିକମ୍ ॥”

ଅର୍ଥାତ୍ ତୁଳସୀର ପତ୍ର,ଫୁଲ,ଫଲ,ଶାଖା,ଛଲି, ଗଣ୍ଡି ଓ ମାଟି ଆଦି ସବୁ ପଵିତ୍ର ଅଟେ । ଏଠାରେ ପଵିତ୍ର କହିଲେ ଔଷଧୀୟ ବୋଲି ବୁଝିଵାକୁ ହେଵ ‌। ତୁଳସୀ ପ୍ରଥମେ ଏକ ଔଷଧୀୟ ପାଦପ ବୋଲି ଆମକୁ ହୃଦୟଙ୍ଗମ କରିଵାକୁ ହେଵ । ତୁଳସୀ ଭାରତର ଏକ ମହତ୍ତ୍ୱପୂର୍ଣ୍ଣ ଔଷଧୀୟ ପାଦପ ଏଵଂ ଏହାକୁ ବଞ୍ଚାଇ ରଖିଵାକୁ ହେଲେ ପ୍ରତ୍ୟେକ ସନାତନୀ ତାହାର ଘରେ ଵର୍ଷର ଗୋଟିଏ ଦିନ ନୁହେଁ ଵରଂ ଚଉରା ପ୍ରସ୍ତୁତ କରି ଵର୍ଷକୁ ୩୬୫ ଦିନ ଜଳଦାନ,ଦୀପଦାନ ପୂର୍ଵକ ତୁଳସୀ ପୂଜନ ଦିଵସ ପାଳନ କରିଵା ଆଵଶ୍ୟକ । 

ଜୟ ଜଗନ୍ନାଥ 
ଜୟ କଳିଙ୍ଗ 🙏

Thursday, December 22, 2022

କୋରାପୁଟର କେଚଲା(କେଚେଲା)

କେଚେଲା ନାଆଁ ସହିତ ହୁଏତ ଓଡ଼ିଶାର ଅନେକ ଲୋକେ ପରିଚିତ ନଥିବେ ତେବେ ଏହା କୋରାପୁଟ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏକ ଐତିହାସିକ ସ୍ଥାନ । ପ୍ରକୃତରେ ଏହା ଏକ ଜନଜାତୀୟ ଗ୍ରାମର ନାମ । ତେବେ ପୂର୍ଵେ ଏଠାରେ ଏକ ପ୍ରାଚୀନ ଜୈନ ପୀଠ ଥିଲା ତେଣୁ ଏହା ଏବେ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି। କୋରାପୁଟ ଟାଉନଥାନା ନିକଟରେ ଏକ ନଦୀ ପ୍ରଵାହିତ ହେଉଛି ଏଵଂ ଏହାର ନାମ କେଚଲା ନଦୀ ଅଟେ । 


କେଚେଲା ଵା କେଚଲା ଅଞ୍ଚଳର ପ୍ରଶାସନିକ ଫଳକାଦିରେ ନାମ କେଚଲା ଓ କେଚେଲା ଉଭୟ ଲେଖାଯାଉଅଛି ଫଳତଃ କେଚେଲା ଓ କେଚଲା କେଉଁ ନାମଟି ଠିକ୍ ତାକୁ ନେଇ ଦ୍ଵନ୍ଦ୍ଵ ଉପୁଜିଵା ଦେଖାଯାଏ ‌ । 


କୋରାପୁଟ ସହରଠାରୁ ଦକ୍ଷିଣ ଦିଗକୁ ୧୨ରୁ ୧୫କି.ମି. ଦୂରରେ କୋଲାବ ନଦୀ କୂଳରେ ଦେଓଡଙ୍ଗର ନାମକ ପାହାଡ଼ର ପାଦ ଦେଶରେ ଏହି କେଚଲା ଵା କେଚେଲା ନାମକ ସ୍ଥାନଟି ଅଵସ୍ଥିତ । ଏହି ସ୍ଥାନଟି ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ୩୦ଫୁଟ ଉଚ୍ଚତାର ଏକ ଜୈନ ମନ୍ଦିର ପାଇଁ ପ୍ରସିଦ୍ଧଥିଲା । ତେବେ ଉକ୍ତ ମନ୍ଦିରଟି ଏବେ କୋଲାବ ଜଳ ଭଣ୍ଡାର ସୃଷ୍ଟି ହେଲାପରେ ସେହି ଜଳଭଣ୍ଡାର ଭିତରେ ମଗ୍ନ ହୋଇ ଯାଇଅଛି । ଉଲ୍ଲେଖଯୋଗ୍ୟ ଯେ କୋଲାବ ଜଳଭଣ୍ଡାର ଆଗକୁ ଜଲାପୁଟ ଜଳଭଣ୍ଡାର ଅଵସ୍ଥିତ ଏଵଂ ଜଳଭଣ୍ଡାର ମଧ୍ୟରେ ଓଡ଼ିଶ ଓ ଆନ୍ଧ୍ର ପ୍ରଦେଶର ସୀମା ନିର୍ଦ୍ଧାରଣ କରାଯାଇଛି । 


 କୋରାପୁଟ ଜିଲ୍ଲାର ପ୍ରଶାସନିକ ଜାଲସ୍ଥଳ ଅନୁସାରେ ଏଠାରେ ଥିବା ଏକତାମ୍ର ଫଳକରୁ ଜଣାଯାଏ ଯେ ୧୬୨୦ ଖ୍ରୀଷ୍ଟାବ୍ଦ ସେପ୍ତେମ୍ବର ୨୪ ତାରିଖରେ(ଉଇକିପିଡ଼ିଆ ଅନୁସାରେ ୧୬୨୮ ମସିହା) ପଡିଥିଵା ସୂର୍ଯ୍ୟପରାଗ ସମୟରେ ଜୟପୁର ମହାରାଜା ଶ୍ରୀ ରଘୁନାଥ କୃଷ୍ଣଦେଵ ଏହି କେଚଲା/କେଚେଲା ଗ୍ରାମଟିକୁ ନରସିଂହ ମିଶ୍ର ନାମକ ଏକ ବ୍ରାହ୍ମଣକୁ ଦାନ କରିଥିଲେ । 


କେଚଲା/କେଚେଲା ନିକଟରେ ଅଵସ୍ଥିତ ଉକ୍ତ ପ୍ରାଚୀନ ଜୈନ ମନ୍ଦିରଟି ଜଳମଗ୍ନ ହେଵା ପୂର୍ଵରୁ ସ୍ଥାନୀୟ ବୁଡ଼ି ଅଞ୍ଚଳର ଲୋକମାନେ ସେଠାରେ ସ୍ଥିତ ସମସ୍ତ ପୁରାତନ ମୂର୍ତ୍ତି ଗୁଡ଼ିକୁ ଉଦ୍ଧାର କରିନେଇ ଆଣି ନିଜେ ନୂଆକରି ଵସଵାସ କରୁଥିଵା କେଚଲା ନାମକ ଗ୍ରାମ ନିକଟରେ ଥିଵା ଏକ ସୁଉଚ୍ଚ ପାହାଡ଼ରେ ସ୍ଥାପନ କରିଛନ୍ତି । ଏସବୁ ମୂର୍ତ୍ତିକୁ ଭୈରଵ ଦେଵତା ନାମରେ ନାମିତ କରି , ପୂଜା ଅର୍ଚ୍ଚନା କରୁଛନ୍ତି । 

ଉକ୍ତ ପ୍ରାଚୀନ ଜୈନ ମନ୍ଦିରରୁ ସଂଗୃହୀତ ଓ ଜାନୀଗୁଡ଼ା ପାହାଡ଼ରେ ସ୍ଥାପିତ ୫ଟି ମୂର୍ତ୍ତି ମଧ୍ୟରୁ ତିନୋଟି ମୂର୍ତ୍ତି ଜୈନ ତୀର୍ଥଙ୍କର ମାନଙ୍କର ଥିଵା ଜଣାପଡ଼ିଛି । ସଂଗୃହିତ ମୂର୍ତ୍ତିମାନଙ୍କ ଭିତରୁ ଋଷଭନାଥ, ଶାନ୍ତିନାଥ, ମହାବୀର, ଅଜିତନାଥ, ଦେଵୀ ଅମ୍ବିକା ଓ ଗୋମେଦଙ୍କର ମୂର୍ତ୍ତି ପ୍ରମୁଖ ଅଟେ ।


 ଅମ୍ବିକା ଦେଵୀଙ୍କର ମୂର୍ତ୍ତିରେ ଆମେ ଦେଖିଵାକୁ ପାଆନ୍ତି ଯେ ଏ ଦେଵୀ ତାଙ୍କ କାଖରେ ଏ ଛୋଟ ପିଲା ଧରିଛନ୍ତି । ଦେଵୀ ଅମ୍ବିକା ଜୈନମାନଙ୍କର ଶାସନ ଦେଵୀ ରୂପେ ପରିଚିତ । ପୁଣି ଯକ୍ଷ ଓ ଯକ୍ଷିଣୀଙ୍କର ଯୁଗ୍ମ ମୂର୍ତ୍ତି ମଧ୍ୟ ଦେଖିଵାକୁ ମିଳେ । ସେହିପରି କେଚଲା/କେଚେଲା ଗ୍ରାମଦେଵୀ ପୀଠରେ ମଧ୍ୟ ୨ଟି ଜୈନମୂର୍ତ୍ତି ରହିଛି । 


ସମୟକ୍ରମେ ଅଷ୍ଟମ ଶତାବ୍ଦୀର ଏଇ ଜୈନ ମୂର୍ତ୍ତିଗୁଡ଼ିକ ଦର୍ଶକମାନଙ୍କର ଦୃଷ୍ଟିକୁ ଆସିଛି ଓ କେଚଲା/କେଚେଲା ଗ୍ରାମଟି ପାଲଟି ଯାଇଛି ଏକ ଦର୍ଶନୀୟ ସ୍ଥାନ ।

ଏତଦଵ୍ୟତୀତ କୋଲାବ୍ ଜଳଭଣ୍ଡାର ମଧ୍ୟରେ କେଚଲା/କେଚେଲା ଗ୍ରାମର ଅନତି ଦୂରରେ କେଚଲା ନାମକ ଏକ ପର୍ଯ୍ୟଟନ କେନ୍ଦ୍ର ମଧ୍ୟ ରହିଛି । ଚାରିପଟେ ଜଳଭାଗ ମଝିରେ ଏକ ସୁନ୍ଦର ଟାପୁ , ଅଦୂରରେ ଶ୍ୟାମଳ ପର୍ଵତର ମନମୁଗ୍ଧକାରୀ ଦୃଶ୍ୟ , ଦର୍ଶକମାନଙ୍କୁ ଏଠାକୁ ଟାଣି ଆଣିଥାଏ । ଵର୍ଷର ଵିଭିନ୍ନ ସମୟରେ ଦର୍ଶକମାନେ ଏଠାକୁ ଅଵସର ଵିନୋଦନ ପାଇଁ ଆସିଥାନ୍ତି।


କେଚଲା/କେଚେଲା ଗ୍ରାମ ନିକଟରେ କାନସ ପାବିଲି ନାମକ ଛୋଟ ପାହାଡ଼ିଆ ଜଳ ଭଣ୍ଡାର ମଧ୍ୟ ରହିଛି। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଏକ ଦର୍ଶନ ମଞ୍ଚ ନିର୍ମାଣ କରାଯାଇଛି।

କେଚଲା/କେଚେଲାକୁ ଯିଵା ଆସିଵା କରିଵାପାଇଁ କୋରାପୁଟଠାରୁ ଯାନଵାହନର ସୁବିଧା ରହିଛି ତେବେ କୋରାପୁଟ ନଗରଠାରୁ କେଚଲାକୁ ସିଧାସଳଖ ସଡ଼କପଥର ସୁଵିଧା ନାହିଁ । କୋଲାବ ନଦୀର ଦକ୍ଷିଣ ପାର୍ଶ୍ୱରେ କୋରାପୁଟ ଠାରୁ ଭାୟା ପଣ୍ଡିଘାଟ ଦେଇ କେଚଲାକୁ ବୋଟ୍ ଵା ଡଙ୍ଗା ଯୋଗେ ଯିଵାକୁ ହୋଇଥାଏ । କାରଣ କୋରାପୁଟ ନଗର ଓ କେଚଲା ମଝିରେ କୋଲାବ୍ ଜଳଭଣ୍ଡାର ଅଵସ୍ଥିତ ‌। କୋରାପୁଟ ନଗର ଆଡ଼ୁ କେଚଲା ଆସିଵାକୁ ହେଲେ ଚମ୍ପାଗୁଡ଼ା ପାଟ କିମ୍ବା ପରଜାପଣ୍ଡିଠାରୁ ମୋଟର ଲଞ୍ଚ ଅଥଵା ପାଣି ଡଙ୍ଗା ମାଧ୍ୟମରେ ପ୍ରାୟ ୮ କିଲୋମିଟର ଜଳଯାତ୍ରା କରିଵାକୁ ହୋଇଥାଏ । ସେହିପରି କେଚଲାକୁ ନନ୍ଦପୁର ଦେଇ ଏଠାକୁ ଗଲେ ପ୍ରାୟ ୭୧ କିମି ହେଵ ।


କୋରାପୁଟ ଜିଲ୍ଲା ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏକ ସୁନ୍ଦର ଜିଲ୍ଲା ତଥାପି ଗମନାଗମନର ଵିକାଶ ତଥା ପର୍ଯ୍ୟଟନ କ୍ଷେତ୍ର ଭାବରେ ଯେତିକି ସୁଵିଧା ସୁଯୋଗ ମିଳିଵା କଥା କେତେକ ଅଵ୍ଯଵସ୍ଥା ପରିଲକ୍ଷିତ ହେଇଥାଏ । ସେହିପରି ଦୂରଦର୍ଶନ ତଥା ସମ୍ବାଦପତ୍ର ଆଦିରେ କୋରାପୁଟ ଵିଷୟରେ ଅଧିକରୁ ଅଧିକ ତଥ୍ୟ ପ୍ରଦତ୍ତ କରାଗଲେ କେଚଲା ଭଳି ପର୍ଯ୍ୟଟନସ୍ଥଳୀ ସହିତ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ସହଜରେ ପରିଚିତ ହୋଇପାରନ୍ତେ । ସ୍ଥାନୀୟ ବୁଦ୍ଧିଜୀଵୀ,ଓ ସରକାରଙ୍କ ମିଳିତ ପ୍ରଚେଷ୍ଟା ଦ୍ଵାରା ହିଁ କେଚଲା/କେଚେଲା ଭଳି ଓଡ଼ିଶାର ସହସ୍ର ସହସ୍ର ପର୍ଯ୍ୟଟନ ସ୍ଥଳୀ ଲୋକପ୍ରିୟ ହୋଇପାରନ୍ତା । 

(•ତଥ୍ୟ ଉତ୍ସ — ଦେଶିଆ ଜ୍ଞାନକୋଷ ଓ ଅନ୍ତର୍ଜାଲ
ଚିତ୍ର ଉତ୍ସ — ଗୁଗଲ ମାନଚିତ୍ର•)

Thursday, December 8, 2022

ବାଇଢଙ୍କ ଓ ଓଡ଼ିଶା

ଓଡ଼ିଶାର ପୂର୍ଵରେ ଯୋଉ କଣ୍ଡୂ ସୃଷ୍ଟିକାରୀ ଲତିକାକୁ ବାଇଢଙ୍କ କୁହନ୍ତି ଓଡ଼ିଶାର ପଶ୍ଚିମରେ ସେହି ଲତିକାଟିକୁ ବାଇଖୁଜେନ୍ କହିଥାନ୍ତି । 
ଅର୍ଥାତ୍ ଉଭୟ ଗଡ଼ଜାତ ଓ ଉପକୂଳ ଓଡ଼ିଶାର ଲୋକେ ଆପଣା ପୂର୍ଵଜଙ୍କର ମୂଳ #ବାଇ ଶବ୍ଦଟିକୁ ବାଇଢଙ୍କ ଓ ବାଇଖୁଜେନ୍ ଶବ୍ଦ ମଧ୍ୟରେ ରଖିଛନ୍ତି । ବାଇଖୁଜେନ୍ ଓ ବାଇଢଙ୍କ ଶବ୍ଦଦ୍ଵୟ ଆମକୁ ଜଣାଇ ଦିଏ ଯେ ପୂର୍ଵ ଓ ପଶ୍ଚିମର ଲୋକଙ୍କ ମଧ୍ୟରେ ଭାତୃସମ୍ପର୍କ କେତେ ନିଵିଡ଼ ...

ବାଇ ଶବ୍ଦର ଅନେକ ଅର୍ଥ ମଧ୍ୟରେ 
ଉନ୍ମତ୍ତ,ବାତୁଳ,ବାୟା ଓ ଵିଵେଚନା ଶୂନ୍ୟ ଆଦି ଅର୍ଥ ଘେନି ବାଇଢଙ୍କ ଵା ବାଇଡଙ୍କ ଓ ବାଇଖୁଜେନ୍ ଶବ୍ଦର ସୃଷ୍ଟି ହୋଇଥିଵା ସମ୍ଭଵ । ଅର୍ଥାତ୍ ଯୋଉ ଲତିକାର ଢଙ୍କ ଵା ନାହୁଡ଼ ସଦୃଶ ଶୂକ ଲାଗିଲା ମାତ୍ରେ ମନୁଷ୍ୟ ବାତୁଳ ପ୍ରାୟ ହୋଇ ଯାଏ ଏଵଂ ଦେହହାତ ପିଠି ଗୋଡ଼ କୁଣ୍ଡେଇ କୁଣ୍ଡେଇ ଖୁଜେଇ ଖୁଜେଇ ହାଲିଆ ହୋଇଯାଏ ସେହି ଗଛଟି ବାଇଢଙ୍କ /ବାଇଖୁଜେନ୍ । 

ଅଵଶ୍ୟ କିଛି ଲୋକ ବାଇଢଙ୍କ ଵା ବାଇଖୁଜେନରେ ଥିଵା ବାଇ ଶବ୍ଦ ସହିତ ସଂସ୍କୃତ ଵାନରୀ କିମ୍ବା ଅଵ୍ୟଙ୍ଗା ଶବ୍ଦର ସମୋଦ୍ଧୃତଗତ ସମ୍ପର୍କ ଥିଵା ଅନୁମାନ କରନ୍ତି କିନ୍ତୁ ଭାରତର ଅନ୍ୟ କୌଣସି ଅଞ୍ଚଳରେ ଏ ଉଭୟ ଶବ୍ଦରୁ ବାଇଢଙ୍କ କି ବାଇଖୁଜେନ୍ ଭଳି ଶବ୍ଦ ସୃଷ୍ଟି ନହୋଇଥିଵା ତଥା ଵାନରୀ ଓ ଅଵ୍ୟଙ୍ଗା ଶବ୍ଦର ପ୍ରାଚୀନ ଓଡ଼ିଆ ସାହିତ୍ୟରେ ପ୍ରୟୋଗ ନଥିଵା କି ଲୋକସମାଜରେ ମଧ୍ୟ ଏହାର ପ୍ରଚଳନ ନଥିଵା ଏହି ମତକୁ ପୃଷ୍ଟ କରିପାରେ ନାହିଁ । 

ଅଵଶ୍ୟ ଭାଷାକୋଷରେ କୁହାଯାଇଛି ଯେ ବାଇଢଙ୍କକୁ ଓଡ଼ିଶାର ପଶ୍ଚିମାଞ୍ଚଳରେ ଖୁଡ୍ସ ମଧ୍ୟ କୁହାଯାଉଥିଲା । 

ଢେଙ୍କାନାଳ ଭଳି କେତେକ ଅଞ୍ଚଳରେ ବାଇଢଙ୍କକୁ ବାଇଡଙ୍କ ବି କୁହାଯାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଆଗେ କେତେକ ଅଞ୍ଚଳରେ ବାଇଢଙ୍କକୁ ବାଇକ ବି କହୁଥିଲେ । ସେହିପରି କେତେକ ଅଞ୍ଚଳରେ ବାଇଢଙ୍କକୁ କେଵଳ ଢଙ୍କ କୁହାଯାଏ । 

ଦୀନକୃଷ୍ଣ ଦାସ ରସକଲ୍ଲୋଳରେ ବାଇଢଙ୍କ ଅର୍ଥରେ କଣ୍ଡୂର ଶବ୍ଦ ପ୍ରୟୋଗ କରିଛନ୍ତି 

“କଇଁ ଅଵିଚାରେ ଆପଣା ଦେହରେ କଣ୍ଡୂର ଆଣି ବୋଳିଲ ଗୋ !”

ଉଭୟ ବାଇଢଙ୍କ ଓ ବିଛୁଆତିକୁ କଣ୍ଡୂରା କୁହାଯାଏ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । 

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଵୈଦେହୀଶ ଵିଳାସରେ ମଧ୍ୟ କଣ୍ଡୂରା ଶବ୍ଦକୁ ବିଛୁଆତି ଅର୍ଥରେ ପ୍ରୟୋଗ କରିଛନ୍ତି । 

“ବିଦାରି ହୋଇବା ଗାତ୍ର,
 କରାଇ କଣ୍ଡୁରା ପତ୍ର ରଜପାତ ତଥା ରାବଣିଏ। ”

ସଂସ୍କୃତ ଭାଷାରେ ବାଇଢଙ୍କର 
କପିକଚ୍ଛୁ, ଆତ୍ମଗୁପ୍ତା, ଵୃଷ୍ୟା, ଅଵ୍ୟଙ୍ଗା, ଵାନରୀ, ମର୍କଟୀ, ଅଜରା, କଣ୍ଡୂରା, କୁଣ୍ଡଳୀ, ରୋମବଲ୍ଲୀ, ଜଟା, ଗାତ୍ରଭଙ୍ଗା, ଅବ୍ୟଙ୍ଗା, ଦୁଷ୍ପର୍ଶା, ଶୂକଵତୀ, ଶୋଥା, ଶୂକା, ପ୍ରାଵୃଷାୟଣୀ ,ଲାଙ୍ଗଳୀ, ଶୃକଶିମ୍ବୀ, କେଶୀ, ଜଡ଼ା, କଚ୍ଛୁରା ଓ ସ୍ୱୟଂଗୁପ୍ତା, ସଦ୍ୟଶୋଥା ଓ ଋଷଭ ଆଦି ନାମ ରହିଛି । 

ବାଇଢଙ୍କ ଶିମ୍ବ ଜାତୀୟ ଲତାର ପତ୍ର ପରି ଏହାର ଡେମ୍ଫକେ ତିନୋଟି ଲେଖାଏଁ ପତ୍ର ଥାଏ ଏଵଂ ଏହାର ଛୁଇଁ ବଙ୍କା ହୋଇଥାଏ । ବାଇଢଙ୍କ ଲତାର ଓ ଛୁଇଁର ଦେହଯାକ ଲୋମ ପରି ଛୋଟ ଛୋଟ ଵିଷାକ୍ତ କଣ୍ଟା ଥାଏ। ଖରାଦିନେ ପଵନ ସାହାଯ୍ୟରେ ଉକ୍ତ ଲୋମଗୁଡ଼ିକ ଉଡ଼ି ଆସି ମନୁଷ୍ୟ ଦେହରେ ବାଜିଲେ ଦେହ କୁଣ୍ଡାଇ ହୋଇ ଫୁଲି ଯାଏ ଏଵଂ ଵିଶେଷ ଯନ୍ତ୍ରଣା ହୁଏ। ଏହାର ମଞ୍ଜି ବଡ଼ ବଡ଼ ଓ ବାଇଗଣି ରଙ୍ଗ ଯୁକ୍ତ ହୋଇଥାଏ। ଵୈଦ୍ୟକ ମତରେ ଏହା ଶୁକ୍ର ଓ ରତିଶକ୍ତିବର୍ଦ୍ଧକ ଓ ଵାତଘ୍ନ। ପାଉଁଶିଆ, କଳା ଓ ଧଳା ଭେଦରେ ଏ ଗଛ ଅନେକ ପ୍ରକାରର ତେବେ ଧଳା ଜାତୀୟ ଏକ ପ୍ରକାରର ବାଇଢଙ୍କ ଲତିକାର ଛୁଇଁରେ ରୋମ ନ ଥାଏ । 

ବାଇଢଙ୍କ,ବାଇଡଙ୍କ ଵା ବାଇଖୁଜେନ୍ ଲତିକାର ଵୈଜ୍ଞାନିକ ନାମ ହେଉଛି Mucuna pruriens । ଏହା ଫ଼ାବାସୀ(Fabaceae) ଵା ଶିମ୍ବ ପରିଵାର’ର ଲତିକା । ଏହି ଲତିକାଟିର ପ୍ରଜାତିର ନାମ ଵୈଜ୍ଞାନିକ ଭାଷାରେ pruriens ଯାହାର ଅର୍ଥ କଣ୍ଡୁୟନ । ଏହି ଲତା କୁଣ୍ଡେଇ ହେଵା ପାଇଁ ଏତେ ଦୁର୍ନାମ ଅର୍ଜନ କରିଛି, ଯେ ଦୁଷ୍ଟ ପିଲେ ଉଛୁଳିଲେ ତାଙ୍କୁ ଓଡ଼ିଶାରେ ବାଇଢଙ୍କ ଵା ବାଇଡଙ୍କ ତଥା ଦୁଇଜଣ ଦୁଷ୍ଟ ପିଲା ମେଳି ହୋଇ ଦୁଷ୍ଟାମୀ କଲେ ସେମାନଙ୍କୁ ବାଇଢଙ୍କ ବିଛୁଆତି ଉପାଧି ମିଳେ । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଆଉ ଏକ ଜାତୀୟ ନିର୍ମୂଳୀ ଜାତୀୟ ହଳଦୀ ଵର୍ଣ୍ଣ ପରଜୀଵୀ ପ୍ରତ୍ରହୀନ ଲତିକାକୁ ମଧ୍ୟ ବାଇଢଙ୍କ କୁହାଯାଏ ବୋଲି ଉଲ୍ଲେଖ ଅଛି । ସେହି ପରଜୀଵୀ ଲତିକାଟି କୌଣସି ପାଦପ ଉପରେ ନିର୍ଭର କରି ବଞ୍ଚି ରହେ ଏଵଂ ଏହାର ଚେର ନଥାଏ । ସେହି ପରଜୀଵୀ ଲତିକାକୁ କେତେକ ଅଞ୍ଚଳରେ ନିର୍ମୂଳୀ ମଧ୍ୟ କହିଥାନ୍ତି ଏଵଂ ତାହାର ଵୈଜ୍ଞାନିକ ନାମ Cuscuta reflexa ଅଟେ । ସମ୍ଭଵତଃ ଏହାର ଚେର ନଥିଵାରୁ ଏଵଂ ଏହାର ଢଙ୍କ ଲକ୍ଷଣାର୍ଥ ବାଇ ଵା ଵାୟୁରେ(ଅର୍ଥାତ୍ କୌଣସି ପାଦପ ଉପରେ ମାଡୁ଼ଥିଵାରୁ) ଏହାକୁ ମଧ୍ୟ ଓଡ଼ିଶାରେ ଆଗେ ବାଇଢଙ୍କ କହୁଥିଲେ । 

ବାଇଡଙ୍କ ଵା ବାଇଢଙ୍କ ଶବ୍ଦର ପ୍ରାଚୀନ ଓଡ଼ିଆ ସାହିତ୍ୟରେ ପ୍ରୟୋଗର କୌଣସି ତଥ୍ୟ ଏ ଅକିଞ୍ଚନକୁ ମିଳିପାରିନାହିଁ । ତେବେ ଲୋକ ସାହିତ୍ୟରେ ବାଇଡଙ୍କ ଵା ବାଇଢଙ୍କ ଶବ୍ଦର ଵ୍ୟଵହାର ସେତେଟା ଦୃଶ୍ୟ ହୋଇନଥାଏ । 

ତେବେ ରାଣ୍ଡିପୁଅ ଅନନ୍ତା ଗଳ୍ପରେ ଫକୀରମୋହନ ସେନାପତି ବାଇଡଙ୍କ ଶବ୍ଦ ପ୍ରୟୋଗ କରିଵା ସହିତ କେମିତି ଅନନ୍ତା ଦ୍ଵାରା ଅଵଧାନଙ୍କଠିଁ ବାଇଡଙ୍କ ଲଗାଯିଵା ଯୋଗୁଁ ଅବଧାନେ ଦୁର୍ଦ୍ଦଶା ଭୋଗୁଛନ୍ତି ଏଵଂ ଖସାତେଲ ମାଖିଵାରୁ ବାଇଢଙ୍କର କଣ୍ଡୂ ଛାଡୁ଼ଛି ସେକଥା ଵର୍ଣ୍ଣନା କରିଛନ୍ତି । 

“ଥଣ୍ଡା ପଡ଼ିଗଲା – ଖସା ତେଲରେ ବାଇଡଙ୍କ ଵିଷ ହରେ ! ଅବଧାନେ ଟିକିଏ ସାଷ୍ଟମ ହେଲେଣି।”

ଆମ ଓଡ଼ିଶାରେ ଦୁଷ୍ଟ ପିଲା ଵା ଵ୍ୟକ୍ତିକୁ ବାଇଡଙ୍କ/ବାଇଢଙ୍କ ଉପାଧିରେ ଭୁଷିତ କରାଯାଏ । ଦୁଇଜଣ ଦୁଷ୍ଟ ପିଲା ଵା ଵ୍ୟକ୍ତି ଘଡି଼ ହେଉଥିଲେ ଵା ସାଙ୍ଗ ହେଲେ ସେମାନଙ୍କୁ “ବାଇଢଙ୍କ ବିଛୁଆତି” କୁହାଯାଏ । 

ଚାରିଜଣ ଦୁଷ୍ଟ ଏକାଠି ହେଇ କୌଣସି ନକାରାତ୍ମକ କାର୍ଯ୍ୟରେ ଲିପ୍ତ ରହୁଥିଲେ ଓଡ଼ିଶାରେ ସେମାନଙ୍କୁ ଉପଲକ୍ଷ କରି କୁହାଯାଏ

“ଉଲୁପି,ସୁଲୁପି,ବାଇଡଙ୍କ, ବିଛୁଆତି।”



ପୁଣି ଓଡ଼ିଶାରେ ବିଛୂଆତିକୁ ବାଇଢଙ୍କର ନାତି ମଧ୍ୟ କୁହାଯାଏ । ଏହାକୁ ନେଇ ଏକ ଲୋକକଥା ଓ ତତ୍ ସମ୍ବନ୍ଧୀୟ ଗୋଟିଏ ଲୋକଵାଣୀ ରହିଛି । 

କଥିତ ଅଛି “ଗୋଟିଏ ଘରେ ତିନି ଭାଇ ଥିଲେ ଏଵଂ ସେମାନେ ଅତ୍ୟନ୍ତ ଦୁଷ୍ଟ ସ୍ୱଭାଵର ଥିଲେ। ତାଙ୍କ ପ୍ରତାପ ଯୋଗୁଁ ଗାଁ ଭିତରେ ସମସ୍ତେ ସେମାନଙ୍କୁ ଭଲ ପାଉ ନଥିଲେ। ଏମାନଙ୍କ ଢଙ୍ଗଢାଙ୍ଗ ଦେଖି ଗ୍ରାମର ଜଣେ ପଣ୍ଡିତ ଵ୍ୟକ୍ତି ଆକ୍ଷେପ କରି କହିଥିଲେ

“ବଡଟି ବଣ ବିଛୁଆତି,
ସାନଟି ବାଇଢଙ୍କ ନାତି । 
ମଝିଆଁ ବଣସାରୁ ପୁଆ,
ପଣ୍ଡିତେ କହିଗଲେ ଏହା ॥”


ଅର୍ଥାତ୍ ଏହି ବିଛୁଆତି ବାଇଡଙ୍କ ଓ ବଣସାରୁକୁ ସ୍ପର୍ଶ କଲେ ଯେମିତି କୁଣ୍ଡେଇ ହେଵା ସାର ସେହିପରି ଏହି ତିନି ଭାଇଙ୍କ ପରି ଦୁଷ୍ଟଙ୍କଠାରୁ ଦୂରେଇ ରହିଵା ଭଲ ବୋଲି ପଣ୍ଡିତେ ପରୋକ୍ଷରେ କହିଥିଲେ । 

କିନ୍ତୁ ଉଦ୍ଭିଦ ଵିଜ୍ଞାନ ଦୃଷ୍ଟିରୁ ଦେଖିଲେ ଏହି ତିନି ଜାତୀୟ ପାଦପର କୌଣସି ନିକଟ ସଗୋତ୍ରୀୟ ସମ୍ପର୍କ ନାହିଁ ଵରଂ ଗୁଣ ଦୃଷ୍ଟିରୁ ବିଛୁଆତିକୁ ବାଇଢଙ୍କର ନାତି ବୋଲି ଲୋକମାନେ କହିଥାନ୍ତି । 

ଆମ ସମାଜରେ ବାଇଢଙ୍କ ଲତିକାକୁ ନେଇ ଅନେକ ପ୍ରଵଚନ ଵା ଶିକ୍ଷଣୀୟ କଥା ମଧ୍ୟ ପ୍ରଚଳିତ । 

ବାଇଢଙ୍କ ଲତା’ର ଶୂକ ଦେହରେ ଲାଗିଲେ କୁଣ୍ଡେଇ ହୁଏ ସତ କିନ୍ତୁ ଏହାର ଵୀଜ ମନୁଷ୍ୟର ହିତକାରୀ । ପ୍ରତ୍ୟେକ ଜୀଵ ଓ ମନୁଷ୍ୟ ଆଵଶ୍ୟକ କେଵଳ ତାଠାରୁ କାମ ବାହାର କରି ଜାଣିଲେ ହେଲା ।

ବାଇଢଙ୍କ ଲତିକାର ସିମ୍ବ ଦେଖିଵାକୁ ରକ୍ତଵର୍ଣ୍ଣ ଓ ଆକର୍ଷକ । ଏହି ରଙ୍ଗ ଆମକୁ ଦୂରେଇ ରହିଵାକୁ ସୂଚନା ଦିଏ କିନ୍ତୁ ଆମେ ତାହାର ସୁନ୍ଦର ରୂପରେ ମୋହିତ ହୋଇ ଛୁଇଁ ଦେଲେ ହାତ କୁଣ୍ଡେଇ ହେଵା ସାର ହୁଏ । ଏଥିରୁ ଶିକ୍ଷା ମିଳେ ଯେ ସବୁ ସୁନ୍ଦର ଦରଵ ଉତ୍ତମ ନୁହେଁ । 

ବାଇଢଙ୍କ ଲତିକାର ଶୂକ ପଵନ ହେଲେ ଉଡି଼ ଉଡ଼ି ବହୁ ଦୂରକୁ ଚାଲିଯାଏ ଏଵଂ ଜୀଵଙ୍କ ଦେହରେ ସେ ଶୂକ ଲାଗିଲେ ଦେହହାତ କୁଣ୍ଡେଇ ହୁଏ । ବାଇଢଙ୍କ ଲତିକା ଭଳି ଦୁଷ୍ଟ ଲୋକଙ୍କର “ଶୂକ ରୂପ ଅନୁଚିତ୍ କଥାମାନ” ଅତି ଶ୍ରୀଘ୍ର ଓ ସହଜରେ ସଂସାରରେ ପ୍ରଚାରିତ ହୋଇଯାଏ ଏଵଂ ଅନେକ ମାନଵଙ୍କର କ୍ଷତି ଘଟାଇ ଥାଏ । 

ଏହିପରି ଓଡ଼ିଶାର ଲୋକସମାଜରେ ବାଇଢଙ୍କର ଗୋଟିଏ ସ୍ଵତନ୍ତ୍ର ସ୍ଥାନ ରହିଛି ଯାହା ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୋଇଅଛି । 

Monday, December 5, 2022

ଭାରତରେ ମୁସଲମାନ(ଏକ)

ମୋହମଦ(ମରଣ—୬୩୨) ମରିଵାର ଚାରିଵର୍ଷ ପରେ ଅର୍ଥାତ୍ ୬୩୬ରେ (ସେତେବେଳକୁ କେରଳରେ ଖ୍ରୀ:ଦ୍ଧ ୬୦୦ ପରେ ପରେ ମୁସଲମାନ ମୂର୍‌ମାନେ ଆସି ସାରିଥିଲେ) କିଛି ମୁସଲମାନ ଫକୀର ଓ ଆରବୀ ବେପାରୀ ଭାରତ ଆସିଲେ । ଏମାନେ ଦକ୍ଷିଣ ଭାରତ ଓ ଗୋଆ ଆଦି ଅଞ୍ଚଳରେ ବେପାର କମ୍ ଧର୍ମପରିଵର୍ତ୍ତନ ଉଦ୍ଦେଶ୍ୟରେ ଭାରତକୁ ଆସିଥିଲେ । ଏହା ପୂର୍ଵରୁ 

ୟୁରୋପୀୟମାନଙ୍କ ପୂର୍ଵରୁ ଆରବୀୟମାନେ ଭାରତକୁ ବେପାର ନାଆଁରେ ଆସିଥିଵା କଥାକୁ ସେତେ ଗୁରୁତ୍ଵ ଦିଆଯାଏ ନାହିଁ କିନ୍ତୁ କଥିତ ଅଛି 
ଇତିହାସ ନିଜକୁ ଦୋହରାଇଥାଏ । 

ସେସମୟରେ ଆରବୀ ମୁସଲମାନମାନେ ଭାରତର ଧନ ଦୌଲତକୁ ଲୋଲୁପ ଦୃଷ୍ଟିରେ ଦେଖି ନାନା ଯୋଜନା କରୁଥିଲେ କେମିତି ଏ ଦେଶକୁ ଅକ୍ତିଆର କରିଵା , କେମିତି ଏମାନଙ୍କର ଧର୍ମାନ୍ତରୀକରଣ କରି ଶୋଷଣ କରିଵା ...! 

ଆରବୀୟ ବେପାରୀ ଓ ଫକୀର ସବୁ ପ୍ରକୃତରେ ଗୁପ୍ତଚର ଭଳି ଥିଲେ । ସେମାନେ ଭାରତକୁ ଆସି ଦେଖିଲେ ଏଠାକାର ଲୋକ ସରଳ,ସାଧୁ,କର୍ମଠ ଓ ଧାର୍ମିକ । ଭାରତୀୟ ଲୋକଙ୍କର ଏତେ ଭଲଗୁଣ ଥାଇ ବି ଏମାନଙ୍କ ମଧ୍ୟରେ ଏକତା ନାହିଁ ଏଵଂ ସନାତନୀ ସଂସ୍କୃତିକୁ ପାଳୁଥିଲେ ବି ଏମାନେ ଜାତି,ରାଇଜ ନାଆଁରେ ଵିଭାଜିତ ଅଛନ୍ତି ।‌ ଆରବୀୟ ଫକୀର ଓ ବେପାରୀଙ୍କ ଦ୍ଵାରା ଭାରତରେ ଏସବୁ ନିରୀକ୍ଷଣ ଭଵିଷ୍ୟତ ମୁସଲମାନ ଆକ୍ରମଣକାରୀଙ୍କ ପାଇଁ ଅନେକ ଲାଭପ୍ରଦ ହେଲା । ଏହାର କେତେକ ଵର୍ଷ ପରେ ୭୧୨ ଖ୍ରୀଷ୍ଟାବ୍ଦରେ ମହମ୍ମଦ କାସିମ୍ 
ସିନ୍ଧୁପ୍ରଦେଶ ଜୟଲାଭ କରି ହଜାର ହଜାର ସନାତନୀମାନଙ୍କୁ ମାରିଵା ସହିତ ଅନେକଙ୍କୁ ଧର୍ମାନ୍ତରୀତ କଲା । ଫଳତଃ କୁହାଯାଇପାରେ ଯେ ସିନ୍ଧୁ ପ୍ରଦେଶରେ ୭୧୨ରୁ ହିଁ ପାକିସ୍ତାନ ନାମକ ଵିଷ ଵୃକ୍ଷର ଵୀଜ ରୋପଣ ହୋଇଯାଇଥିଲା । ଏ ଦେଶରେ ୭୧୨ରେ ମୁସଲମାନମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ଜାଣିଵାକୁ ପାଇଲେ କିନ୍ତୁ ଭାରତୀୟମାନେ ତଥାପି ଏକଜୁଟ ହେଲେ ନାହିଁ । ଆରବ ବେପାରୀଙ୍କର ସେତେବେଳେ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତର ଲୁଣ୍ଠନ ଏଵଂ ସେମାନଙ୍କ ସମ୍ମୁଖରେ ଯୋଉ ଅଞ୍ଚଳ ପଡୁ଼ଥିଲା ସେମାନେ ସେସବୁ ଅଞ୍ଚଳରେ ସନାତନୀ ମନ୍ଦିର ଭାଙ୍ଗିଵା ସହିତ ଲୁଣ୍ଠନ ଓ ଧର୍ମାନ୍ତରୀକରଣ କରୁଥିଲେ । 

ଅଷ୍ଟମ ଶତାବ୍ଦୀରେ ସିନ୍ଧୁ ପ୍ରଦେଶର ପତନ ପରେ ୯୯୧ରେ ପେଶାୱର ମୁସଲମାନମାନଙ୍କ ଦ୍ଵାରା ଅଧିକୃତ ହେଲା । ମହମ୍ମଦ ଗଜନବୀ ୯୯୭ରୁ ୧୦୩୦ ମଧ୍ୟରେ ତଥାକଥିତ ଵୀରଙ୍କର ରାଇଜ ପଞ୍ଜାବକୁ ଜୟକରି ପଞ୍ଜାବୀମାନଙ୍କୁ ପରାଧୀନ କଲେ । 

ପୂର୍ଵରୁ କୁହାଯାଇଛି ଯେ ଆରବୀୟ ବେପାରୀ ଓ ଫକୀରମାନେ ପ୍ରଥମେ ଭାରତକୁ ଭଲ ଭାବରେ ଜାଣିଵା ପାଇଁ ବେପାର ଓ ଧର୍ମପ୍ରଚାର ନାମରେ ଆସି ଭଲ ଭାବେ ବୁଝାବୁଝି କରି ଫେରି ଯାଇଥିଲେ ‌ । ଅଲ୍ ବରୁନୀ(୯୭୩-୧୦୪୮) ସେହିପରି ଜଣେ ଲୋକ ଥିଲେ । ସେ ନିଜ ଭାରତ ଯାତ୍ରା ସମ୍ବନ୍ଧୀୟ ପୁସ୍ତକରେ ଭାରତର ଧନଧାନ୍ୟ ଵିଷୟରେ ଏଭଳି ଲେଖା ଲେଖିଲେ ଯେ ମହମ୍ମଦ ଗଜନବୀ ତଦ୍ଵାରା ପ୍ରଭାଵିତ ହୋଇ ଭାରତ ଆକ୍ରମଣ କରିଵାକୁ ବାରମ୍ବାର ଚେଷ୍ଟା ଚଳାଇଥିଲା । ୧୦୨୨ରୁ ୧୦୨୪ ମଧ୍ୟରେ ଗଜନବୀ ସୋମନାଥ ମନ୍ଦିର ଉପରେ ଆକ୍ରମଣ କରିଥିଲା । ଫଳତଃ ପଚାଶ ହଜାରରୁ ଏକ ଲକ୍ଷ ସନାତନୀଙ୍କର ପ୍ରାଣ ଯିଵା ସହିତ ତତ୍କାଳୀନ ଆର୍ଥିକ ମୂଲ୍ୟଯୁକ୍ତ ଦୁଇକୋଟି ଟଙ୍କା ଲୁଣ୍ଠିତ ହୋଇଥିଲା । 

୧୧୯୨ରେ ମହମ୍ମଦ ଘୋରୀ ଭାରତ ଉପରେ ଆକ୍ରମଣ କଲା ଏଵଂ ଏକ ଵର୍ଷ ମଧ୍ୟରେ ୧୧୯୩ରେ ଦିଲ୍ଲୀ ମୁସଲମାନମାନଙ୍କ ଆଗରେ ନୋଇଁ ଯାଇଥିଲା । ୧୧୯୩ରେ ଉତ୍ତର ଭାରତୀୟ ଵା ଆଜିର ହିନ୍ଦୀବେଲ୍ଟ'ର ତତ୍କାଳୀନ ଲୋକେ ସେତେବେଳେ ମୁସଲମାନମାନଙ୍କ ଦ୍ଵାରା ପରାଧୀନ ହୋଇଗଲେ । 

ଏହି ସମୟରେ ଓଡ଼ିଶାର ସମ୍ରାଟ ନରସିଂହ ଦେଵ ପ୍ରଥମ ଓ ଦ୍ବିତୀୟଙ୍କ ଶାସନକାଳରେ ଓଡ଼ିଶା ଉପରେ ଛୋଟ ବଡ଼ କେତେକ ଆକ୍ରମଣ କରି ମୁସଲମାନମାନେ ପଳାୟନପନ୍ଥୀ ସାଜିଥିଲେ । 

କିନ୍ତୁ ଆମ ପଡ଼ୋଶୀ ବିହାରୀ ଓ ବଙ୍ଗାଳୀଙ୍କର ତତ୍କାଳୀନ ପୂର୍ଵଜ ସେତେବେଳେ ମୁସଲମାନମାନଙ୍କ ଆକ୍ରମଣରୁ ନିଜକୁ ବଞ୍ଚାଇ ପାରିନଥିଲେ । 

ମୋହମଦ ବକ୍ତିଆର୍ ଖିଲଜୀ ୧୨୦୩ରୁ ୧୨୦୬ ଯାଏଁ ଅଳ୍ପ ସମୟ ପାଇଁ ବିହାର ତଥା ବଙ୍ଗର କେତେକ ଅଞ୍ଚଳକୁ ଅକ୍ତିଆର କରି ଶାସକ ହୋଇଥିଲା । ଏହି ଆକ୍ରାନ୍ତା ପାଇଁ ବଙ୍ଗାଳୀମାନେ ଇଂରେଜମାନଙ୍କ ଆଗମନ ପର୍ଯ୍ୟନ୍ତ ପ୍ରାୟ ୬୦୦ ଵର୍ଷ କାଳ ମୁସଲମାନ ଶାସକଙ୍କ ଦ୍ଵାରା ପରାଧୀନ ହୋଇ ରହିଥିଲେ । ତେବେ ସାମସୁଦ୍ଦିନୀ ଇଲିଆସ୍ ଶାହ ୧୩୫୨ରୁ ୧୩୫୮ ଯାଏଁ ସମ୍ପୂର୍ଣ୍ଣ ବଙ୍ଗର ପ୍ରଥମ ମୁସଲମାନ ଶାସକ ଭାବେ ଶାସନ କଲା । ଏପଟେ ୧୩୪୭ରୁ ୧୫୨୭ ମଧ୍ୟରେ ମହାରାଷ୍ଟ୍ରର ଅଧିକାଂଶ ଅଞ୍ଚଳ ସହିତ କର୍ଣ୍ଣାଟକ , ତେଲେଙ୍ଗାନା ତଥା ପ୍ରାଚୀନ ଓଡ଼ିଶାର ଵସ୍ତର ତଥା ଦକ୍ଷିଣ ଓଡ଼ିଶାର ଅଳ୍ପ ଅଞ୍ଚଳରେ ବାହମାନୀ ଶାସକମାନେ ଶାସନ କରିଥିଲେ । ଏହାପରେ ୧୪୯୦ରୁ ୧୬୮୬ ଯାଏଁ ଡେକାନ୍ ସୁଲାତନୀମାନେ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଶାସକ ହୋଇଥିଲେ । ମୋଟ ଉପରେ କହିଵାକୁ ଗଲେ ଆଜି ନିଜକୁ ଵୀର ଜାତି ବୋଲି ଛାତିପିଟି ପରିଚୟ ଦେଉଥିଵା ମରାଠୀମାନେ ୧୩୪୭ରୁ ୧୬୭୪ ଯାଏଁ ମୁସଲମାନମାନଙ୍କ ଦ୍ଵାରା ପରାଧୀନ ଥିଲେ । 

ଏଣେ ଦକ୍ଷିଣ ଭାରତର କେରଳ ଅଞ୍ଚଳରେ 
ଷଷ୍ଠ ଶତାବ୍ଦୀରୁ ମୁସଲମାନ ମୂର୍‌ମାନେ ଧର୍ମପ୍ରଚାର କରିଵାରେ ସଫଳ ହୋଇଥିଲେ ଏଵଂ କଥିତ ହୁଏ ଯେ ଭାରତର ପ୍ରଥମ ମସଜିଦ ମଧ୍ୟ କେରଳରେ ୬୨୯ ଖ୍ରୀଷ୍ଟାବ୍ଦ ସମୟରେ ନିର୍ମିତ ହୋଇଥିଲା ଯାହାର ନାମ ଚେରମଣ ଜୁମା ମସ୍ଜିଦ୍‌ ଅଟେ । ୧୩୧୦ରୁ ୧୩୧୧ ପର୍ଯ୍ୟନ୍ତ ସ୍ଵଳ୍ପ କାଳପାଇଁ ଏଵଂ ୧୩୩୫ରୁ ୧୩୭୮ ଯାଏଁ ତାମିଲନାଡୁ ଅଞ୍ଚଳରେ ମୁସଲମାନ ଶାସକ ଶାସନ କରୁଥିଲେ ଏଵଂ ଵିଜୟ ନଗର ରାଜ୍ୟର ପତନ ପରେ ଏ ଅଞ୍ଚଳରେ ପୁଣି ମୁସଲମାନ ଶାସକ ସକ୍ରିୟ ହେଲେ । 

ସାରା ଭାରତରେ ସବୁ ତଥାକଥିତ ଵୀର ଜାତି ବଙ୍ଗାଳୀ, ରାଜସ୍ଥାନୀ ,ମରାଠୀ,ଦକ୍ଷିଣୀ ,ଫଞ୍ଜାବୀ,ବିହାରୀ ଇତ୍ୟାଦି ଇତ୍ୟାଦିମାନେ ମୁସଲମାନମାନଙ୍କ ଦ୍ଵାରା ପରାଧୀନ ହେଲାପରେ ବଙ୍ଗ ନବାବ ସୁଲେମାନ ଖାନ କର୍ରାନୀ ଦ୍ଵାରା ୧୫୬୮ରେ ମୁସଲମାନ ଶାସନ ଆରମ୍ଭ ହେଲା କିନ୍ତୁ ଏହାର କେତେକ ଵର୍ଷ ମଧ୍ୟରେ ମରାଠୀମାନେ ଓଡ଼ିଶାକୁ ଅକ୍ତିଆର କରିନେଲେ । ମରାଠୀଙ୍କ ପରେ ଆସିଲେ ଇଂରେଜ ଏଵଂ ଏହି ମୁସଲମାନ,ମରାଠୀ ତଥା ଇଂରେଜମାନଙ୍କ ଵିପକ୍ଷରେ ଭାରତର ଏକମାତ୍ର ଯୋଦ୍ଧା ଜାତି ଓଡି଼ଆ ଜାତି ଦୀର୍ଘ ଏକ ସହସ୍ରାଧିକ କାଳ ଯୁଦ୍ଧ କରି କରି ଧିରେ ଧିରେ ଦରିଦ୍ର ହୋଇ ହୋଇ ଗଲା । ତେବେ ଆଜି ସ୍ଵାଧୀନତାକୁ ୭୫ ଵର୍ଷ ହୋଇଗଲାଣି ତଥାପି କାହିଁକି ଭାରତୀୟ ସୈନ୍ୟ ଵାହିନୀରେ କଳିଙ୍ଗୀମାନଙ୍କୁ ଗର୍ଵିତ କଲା ଭଳି କୌଣସି ରେଜିମେଣ୍ଟ କି ବାଟାଲିୟନ ହୋଇନାହିଁ ? 

କୋଉ ଗୋଟେ ଯୁଗରେ ଇଂରେଜମାନଙ୍କ ଦ୍ଵାରା କିଛି ବାଟାଲିୟନ ଆଈ ରେଜିମେଣ୍ଟ ଗଢ଼ା ହୋଇଥିଲା ଵିଭିନ୍ନ ଅଞ୍ଚଳ ଓ ଜାତି ଆଧାରରେ ତେବେ ସେଥିରେ କଳିଙ୍ଗ ନଥିଲା !!! 

ସେତେବେଳେ ନଥିଲା ବୋଲି ଏବେ ଗଢ଼ଯାଇ ପାରିଵ ନାହିଁ କି ?

Thursday, December 1, 2022

କଟକମା : ହଜିଯାଉଥିଵା ଏକ ସାଂସ୍କୃତିକ ଶବ୍ଦ

କଟକମା ଶବ୍ଦ ଶୁଣିଲେ ଓଡ଼ିଶାର ନଗରାଞ୍ଚଳର ଲୋକେ କ'ଣ ବୁଝିବେ ? 

“କଟକ ଓ ମାଆ”ରୁ #କଟକମା ହୋଇଥିଵ !!!

କିନ୍ତୁ ନାଇଁ ଆଜ୍ଞା ! ପ୍ରକୃତରେ ସେଇଆ ନୁହେଁ । କଟକମା ଏକ ସାଂସ୍କୃତିକ ଶବ୍ଦ ତଥା ଵିଵାହ କର୍ମକାଣ୍ଡ ସହିତ ସମ୍ପର୍କିତ ଶବ୍ଦ ଅଟେ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ 
ଆଗେ ଵିଵାହରେ କନ୍ୟାଦାନ ସମୟରେ କନ୍ୟାପିତା ବେଦୀ ଉପରେ ଗୁଡ଼ା ହୋଇଥିଵା ଯେଉଁ ମଶିଣା ଵା ଛଣ ଉପରେ ବସୁଥିଲେ ତାକୁ କଟକମା କୁହାଯାଉଥିଲା । 

ପୁଣି ଭାଷାକୋଷରେ ଏହି ଶବ୍ଦ ତଳେ ଥିଵା ଦ୍ରଷ୍ଟଵ୍ୟରୁ ଜଣାଯାଏ ପୂର୍ଵେ ‘କଟକମା‘ ଶବ୍ଦକୁ ନେଇ ଓଡ଼ିଶାରେ ଗୋଟିଏ ଲୋକଵିଶ୍ଵାସ ପ୍ରଚଳିତ ଥିଲା। 


କୁହାଯାଏ ସୀତା ଓ ରାମଙ୍କ ଵିଵାହ ସମୟରେ କଟକମା ନାମକ ଅସୁର ଵରକନ୍ୟାଙ୍କୁ ଖାଇଵା ନିମନ୍ତେ ବେଦୀରେ ପହୁଞ୍ଚିଵାରୁ ଦଶରଥ ତାକୁ ମାରିପକାଇ ତା ଶଵ ଉପରେ ବସି ଵିଵାହ କାର୍ଯ୍ୟ ସମାଧା କରିଥିଲେ।ଗୁଡ଼ାହୋଇଥିଵା ମଶିଣା ଵା ଛଣ ସେହି ଶଵର ଚିହ୍ନ ସ୍ଵରୂପ ଵିଵାହ କାଳରେ ରଖାଯାଉଥିଲା । ଏହି କଟକମା ସାଧାରଣତଃ ପରୁଡ଼ି ମଶିଣା ତେବେ କେତେକ ଜାତିରେ ଆଗେ କନ୍ୟାପିତା ମଶିଣା ପରିଵର୍ତ୍ତେ ଛଣ ଉପରେ ବସୁଥିଵାର ମଧ୍ୟ ଭାଷାକୋଷରେ ଉଲ୍ଲେଖ ଅଛି । 

କଟକମା ଶବ୍ଦ କେତେକ ଅଞ୍ଚଳରେ #କଟକମ୍ପା ତଥା #କଟକମ୍ବା ରୂପେ ପ୍ରଚଳିତ ଥିଲା ବୋଲି ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୧୨୩୬ତମ ପୃଷ୍ଠାରୁ ଜଣାପଡ଼େ । ତେବେ କଟକମା,କଟକମ୍ପା ଵା କଟକମ୍ବା ଓଡ଼ିଆ ଭାଷାର ଶବ୍ଦ ଏଵଂ ଓଡ଼ିଆ ଭାଷା ଛଡ଼ା ହିନ୍ଦୀ, ବଙ୍ଗାଳୀ,ମରାଠୀ ଓ ନେପାଳୀ ଆଦି ଅନ୍ୟ ସଗୋତ୍ରୀୟ ଭାଷାଗୁଡି଼କରେ ଏହି ଶବ୍ଦ କିମ୍ବା ଏହାର ଆଖପାଖ ଶବ୍ଦ ଥିଵା ଦୃଶ୍ୟ ହୁଏ ନାହିଁ । 

ତେବେ ସଂସ୍କୃତ ଭାଷାରେ ପୂର୍ଵେ ପ୍ରଚଳିତ କଟ ଶବ୍ଦ ସହିତ ଓଡ଼ିଆ ଭାଷାର ଏହି କଟକମା ଶବ୍ଦଟି ସମୋଦ୍ଧୃତ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । 

ସଂସ୍କୃତ ଭାଷାରେ କଟ ଶବ୍ଦର ଵିଭିନ୍ନ ଅର୍ଥରେ ପ୍ରୟୋଗ ଥିଲା । ଭାଷାକୋଷରେ କଟ ଶବ୍ଦର ନିମ୍ନୋକ୍ତ ଅର୍ଥ ସବୁ ଲେଖାଅଛି...

୧)ହସ୍ତୀର ଗଣ୍ଡଦେଶ
୨)ପିଚା; ଶ୍ରୋଣୀ; କଟିପ୍ରଦେଶ
୩)କଡ଼; ଏକପ୍ରାନ୍ତ
୪)କ୍ରିୟାକାର; ଚାକର
୫)ନୂତନ ଛାତ୍ର
୬)ତୃଣଵିଶେଷ
୭)ଵୃକ୍ଷଵିଶେଷ
୮)ତୃଣାଦି ନିର୍ମିତ ଆସନ ଵା ପଟି; ମୁନ୍ଦୁରା; ବାଉଁଶ ପାତିଆ ନିର୍ମିତ ଛାଞ୍ଚ ଵା ଛାପା*
୯)ବାଣ; ଶର
୧୦)ତୃଣନିର୍ମିତ ପରଦା ଵା ତାଟି*
୧୧)ତୃଣନିର୍ମିତ ରଜ୍ଜୁ
୧୨)ଶଵ*
୧୩)ଶଵରଥ; କୋକେଇ*
୧୪)ତକ୍ତା; ପଟା*
୧୫)କଣ୍ଟ; ସମୟ; ମିଆଦ
୧୬)ଅତିଶୟ
୧୭)ଶ୍ମଶାନ
୧୮)ଅସୁର ଵିଶେଷ*

କଟ ଶବ୍ଦର ପ୍ରୋକ୍ତ ଅର୍ଥଗୁଡ଼ିକ ମଧ୍ୟରେ 
ଆସନ ଵା ପଟି,ତୃଣ ପରଦା ଵା ତାଟି,ଶଵ ଓ କଟ ନାମକ ଅସୁରର ନାମୋଲ୍ଲେଖରୁ ଜଣାଯାଏ ଯେ ନିଶ୍ଚୟ ସଂସ୍କୃତ ଭାଷାର ଏହି କଟ ଶବ୍ଦ ସହିତ ଓଡ଼ିଆ କଟକମା ଶବ୍ଦର ସମୋଦ୍ଧୃତଗତ ସମ୍ପର୍କ ଅଛି । 

କଳ୍ପଦ୍ରୁମ ସଂସ୍କୃତ ଅଭିଧାନରୁ ମଧ୍ୟ ଜଣାଯାଏ ଯେ ରାମାୟଣରେ ଏହି କଟ ଅସୁରର ନାମୋଲ୍ଲେଖ ହୋଇଛି । 

  “ଶୁକନାସସ୍ଯ ଵକ୍ରସ୍ଯ କଟସ୍ଯ ଵିକଟସ୍ଯ ଚ । 
  ରକ୍ଷସୋ ଲୋମହର୍ଷସ୍ଯ ଦଂଷ୍ଟ୍ରାଳହ୍ରସ୍ଵକର୍ଣ୍ଣୟୋଃ” ॥
  (ରାମାୟଣ—୫ । ୧୨ । ୧୩)

ତେବେ ବାଲ୍ମିକୀ ରାମାୟଣର ବାଳକାଣ୍ଡ ତ୍ରିସପ୍ତତିତମ ସର୍ଗରେ ଶ୍ରୀରାମଚନ୍ଦ୍ରଙ୍କ ଵିଵାହ ଵିଷୟରେ ସଂକ୍ଷେପରେ ଵର୍ଣ୍ଣନା ଥିଲେ ବି କୌଣସିଠାରେ ମଧ୍ୟ କଟ ରାକ୍ଷସର ଉଲ୍ଲେଖ ନାହିଁ । ସମ୍ଭଵତଃ ପରଵର୍ତ୍ତୀକାଳରେ ଓଡ଼ିଶାରେ ଵିରଚିତ କୌଣସି ଓଡ଼ିଆ ରାମାୟଣ କାଵ୍ୟରେ କଟ ରାକ୍ଷସର କଥାକୁ ଯୋଡ଼ାଯାଇଥିଲା ।

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...