ପୌଷ ପୂର୍ଣ୍ଣିମା କଳିଙ୍ଗ ଦେଶର ଏକ ମହତ୍ତ୍ୱପୂର୍ଣ୍ଣ ପର୍ଵ । ପୂର୍ଵକାଳରେ କଳିଙ୍ଗ ଦେଶରେ ଏହିଦିନ ରାଜାମାନଙ୍କର ବନ୍ଦାପନା ହେଉଥିଲା । ରାଜା ଓ ପ୍ରଜା ସମସ୍ତେ ଉପଵୀତ ଧାରଣ କରୁଥିଲେ । ଆଜି ବି ଓଡ଼ିଶାର ଗାଁମାନଙ୍କରେ ପୌଷ ପୂର୍ଣ୍ଣିମା ଦିନ ନୂତନ ପଇତା ଗ୍ରହଣ କରିଵା ଵିଧି ପ୍ରଚଳନ ଅଛି । ପୌଷ ପୂର୍ଣ୍ଣିମାରେ ଅନେକ ସ୍ଥାନରେ ଦେଵତାମାନଙ୍କୁ ମଧ୍ୟ ସ୍ୱର୍ଣ୍ଣ ଉପଵୀତରେ ଭୂଷିତ କରାଯାଏ । ସନାତନୀ ସଂସ୍କୃତିକୁ ଏକତା ସୂତ୍ରରେ ବାନ୍ଧି ରଖିଵା ହିଁ ହେଉଛି ସାମଗ୍ରିକ ଭାବେ ଉପଵୀତ ଗ୍ରହଣ କରିଵାର ମୂଳ ଉଦ୍ଦେଶ୍ୟ ।
ଓଡ଼ିଶାରେ ଏହିଦିନ ନାନା ସୁଖାଦ୍ୟ ଯଥା ମଣ୍ଡା, କାକରା, ଲଡୁ,ବରା,ଚକୁଳି ଓ ମୁଆଁ ଆଦି ଗୃହମାନଙ୍କରେ କରାଯାଏ ଏଵଂ ଦେଵତାଙ୍କୁ ପିଠା ଭୋଗ କରାଯାଏ ତଥା ଉକ୍ତ ସମର୍ପିତ ଭୋଗକୁ ସମସ୍ତଙ୍କୁ ବଣ୍ଟନ କରାଯାଏ । ପୌଷ ପୂର୍ଣ୍ଣିମା ଅଵସରରେ ଉତ୍କଳର ଜାତୀୟଵାଦ୍ୟ ତେଲଙ୍ଗା ଵାଦ୍ୟକୁ ମଧ୍ୟ ଅନୁକୂଳ କରାଯାଏ । ବାଜାବାଲାମାନେ ଦ୍ୱାରଦ୍ୱାର ବୁଲି ମଧୁରଧ୍ୱନିରେ ଜନସମୁଦ୍ରକୁ ମୁଗ୍ଧକରିଥାଆନ୍ତି । ଗୃହିଣୀମାନେ ସେମାନଙ୍କ ବାଜାଶୁଣି ଏମାନଙ୍କୁ ଉଣାଅଧିକେ ଶସ୍ୟଦାନ କରିଥାଆନ୍ତି ।
ପୌଷ ପୂର୍ଣ୍ଣିମାରେ ଶ୍ରୀ ଜୀଉମାନଙ୍କର ପୁଷ୍ୟାଭିଷେକ ହୁଏ । ଶାସ୍ତ୍ରରେ ଏଥି ସମ୍ପର୍କରେ ନିମ୍ନ ଶ୍ଳୋକ ରହିଛି :
"ପୌଷ ମାସି ସିତେ ପକ୍ଷେ ପୌଣ୍ଣମ୍ୟାଂ ରୁକ୍ମିଣୀ ପତେଃ ।
ପୁଷ୍ୟାଭିଷେକଂ କୁର୍ଵାତ୍ ସର୍ଵକାମାର୍ଥ ସିଦ୍ଧୟେ ॥”
ପୌଷ ପୂର୍ଣ୍ଣିମା ଦିନ ରାମଚନ୍ଦ୍ର ଚଉଦଵର୍ଷ ଵନଵାସ ପରେ ଅଯୋଧ୍ୟା ପ୍ରତ୍ୟାଵର୍ତ୍ତନ କରି ରାଜ୍ୟଭାର ଗ୍ରହଣ କରିଵା ପୂର୍ଵରୁ ତାଙ୍କର ରାଜାଭିଷେକ ଉତ୍ସଵ ଅନୁଷ୍ଠିତ ହୋଇଥିଲା । ଏହାକୁ ଏକ ସ୍ମୃତି ରୂପେ ଗ୍ରହଣକରି ପ୍ରତିଵର୍ଷ ଏହିଦିନ ଶ୍ରୀମନ୍ଦିରରେ ଶ୍ରୀଠାକୁରମାନଙ୍କର ପୁଷ୍ୟାଭିଷେକ ହେଉଅଛି ।
ପୌଷ ପୂର୍ଣ୍ଣମୀ ଦିନ ଶ୍ରୀ ଜଗନ୍ନାଥଙ୍କ ନିତ୍ୟ ପୂଜାପରେ ନୂତନଵସ୍ତ୍ର, ଭୂଷଣ ଓ ଗନ୍ଧ ପୁଷ୍ପାଦିଦ୍ୱାରା ଠାକୁରଙ୍କୁ ବେଶ କରାଇ ଯାତ୍ରା ମଣ୍ଡପକୁ ନିଆଯାଏ । ସେଠାରେ ବରୁଣ ପୂଜା, ସ୍ୱସ୍ତିଵାଚନ, ମଙ୍ଗଳାରୋପଣ, ଯଜ୍ଞୋପଵୀତ-ସମର୍ପଣ, ହୋମ, ଆରତି ଇତ୍ୟାଦି ଵିଧିରେ ବିଜେ -ପ୍ରତିମା ଓ ଖଡ଼ଗପୂଜା ପରେ ଉକ୍ତ ଯଜ୍ଞୋପଵୀତ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କୁ ଓ ପରେ ଯାତ୍ରା ମଣ୍ଡପରେ ଯଥାଵିଧି ଉପଚାର ସହିତ ରାଜାଙ୍କୁ ଅର୍ପଣ କରାଯାଏ । ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଅଭିଷେକୋତ୍ସବ ରାଜାଙ୍କ ଅଭିଷେକ ରୂପେ ପାଳିତ ହୁଏ । ଏହି ଅଭିଷେକୋତ୍ସଵ ଦର୍ଶନରେ ଦର୍ଶନାର୍ଥୀ ପାପମୁକ୍ତ ହୋଇ ଵୈକୁଣ୍ଠପୁରୀ ପ୍ରାପ୍ତହୁଏ ବୋଲି ଵିଶ୍ୱାସ କରାଯାଏ । ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ପୁଷ୍ୟାଭିଷେକ ସୁନା ବେଶରେ ସଜ୍ଜିତ ହୋଇଥାନ୍ତି ।
ନୀଳାଦ୍ରୀ ମହୋତ୍ସଵରେ ଉଲ୍ଲେଖ ଅଛି :
“ଏଵଂ ଚ ପରୟା ଭକ୍ତ୍ୟା ତୋଷୟେତ୍ପରମେଶ୍ୱରମ୍ ।
ଅଭିଷେକୋତ୍ସଙ୍କ ଯେ ଵୈ ପଶ୍ୟନ୍ତି ଭୂଵିମାନଵାଃ ॥
ସର୍ଵପାପର୍ଵିନିର୍ମୁକ୍ତ ଭୂକ୍ତ୍ୱା ଶର୍ମାଖିଳଂ ପରମ୍ । ସର୍ଵାନକାମାନ ପରଂଲବ୍ଧ୍ଵା ଵିଷ୍ଣଲୋକଂ ଵ୍ରଜନ୍ତିତେ ॥”
ଏହିଦିନ ଓଡ଼ିଶାର ଉପକୂଳାଞ୍ଚଳରୁ ପାର୍ଵତ୍ୟାଞ୍ଚଳ ଯାଏଁ ସର୍ଵତ୍ର ଘରେ ଘରେ ପିଠାପଣା ହୋଇଥାଏ ତେବେ ପୌଷ ପୂର୍ଣ୍ଣିମାକୁ ଦକ୍ଷିଣ ଓଡ଼ିଶାର କେତେ ଅଂଶ, ଓଡ଼ିଶାର ଦକ୍ଷିଣ ପଶ୍ଚିମ ଅଞ୍ଚଳ ଓ ଓଡ଼ିଶାରେ ପଶ୍ଚିମାଞ୍ଚଳରେ ଅଧିକ ମହତ୍ତ୍ଵ ଦିଆଯାଏ । ଏହା ପଛରେ ଏକ ସାମାଜିକ କାରଣ ରହିଛି । କଥିତ ହୁଏ ଯେ ପୂର୍ଵେ ଦକ୍ଷିଣ, ଦକ୍ଷିଣ ପଶ୍ଚିମ ତଥା ପଶ୍ଚିମ ଓଡ଼ିଶାରେ ମାସରି ହଳିଆ ଵା ଘରଖିଆ ହଳିଆ ପ୍ରଥା ପ୍ରଚଳିତ ଥିଲା କିନ୍ତୁ ଏବେ ଆଉ ସେ ପ୍ରଥା ପ୍ରଚଳିତ ନାହିଁ । ଏହି ପ୍ରଥାକୁ ପୂର୍ଵ ଉପାନ୍ତ ଅଞ୍ଚଳରେ ଦାଦନୀ ପ୍ରଥା କୁହାଯାଉଥିଲା । ଓଡ଼ିଶାରେ ପୁଷ୍ ପୁନୀ ଥିଲା ଏହି ଶ୍ରମଜୀଵୀ ଜନତାମାନଙ୍କର ମୁକ୍ତିର ଦିନ। ପୂର୍ଵେ ଜମି ମାଳିକ ମାନଙ୍କ ପାଖରେ ହଳିଆଟିଏ ଵାର୍ଷିକ ଚୁକ୍ତି କରି ରହୁଥିଲା। ଜମି ମାଳିକ/ସାହୁକାର (ଵା) ବଡ଼ ଚାଷୀ ତାକୁ ଚୁକ୍ତି ଅନୁସାରେ ସପ୍ତାହକୁ ସପ୍ତାହ କିମ୍ବା ମାସକୁ ମାସ ଧାନ ଦେଉଥିଲେ, ଏହାକୁ ଗଡ଼ଜାତରେ “ମାସ୍’ରି ହଳିଆ” ବୋଲି କୁହାଯାଉଥିଲା । ଆଉ କେତେକ ହଳିଆ ସାହୁକାର ଘରେ ଦୁଇ ଓଳି ଖାଇ କାମ କରୁଥିଲେ, ଏମାନଙ୍କୁ “ଘରଖିଆ ହଳିଆ” ବୋଲି କୁହାଯାଉଥିଲା । ଏମାନେ ଧାନ ଅମଳ ପରେ ଚୁକ୍ତି ଅନୁସାରେ ପାଉଣା ପାଉଥିଲେ। ପ୍ରତି ଵର୍ଷ ପୈାଷ ପୂର୍ଣ୍ଣିମା ଦିନ ଏମାନଙ୍କ ଚୁକ୍ତି ଶେଷ ହେଉଥିଲା। ଫଳତଃ ସାଧାରଣ ଜନତାଙ୍କ ପାଇଁ ପୌଷ ପୂର୍ଣ୍ଣିମା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ପରିଗଣିତ ହେଲା । କ୍ରମେ ପୌଷ ପୂର୍ଣ୍ଣିମା କ୍ରମେ ଓଡ଼ିଶାର ଦକ୍ଷିଣ, ଦକ୍ଷିଣ ପଶ୍ଚିମ ତଥା ପଶ୍ଚିମ ଭାଗରେ ଲୋକପ୍ରିୟ ହୋଇଅଛି ।
ପୌଷ ପୂର୍ଣ୍ଣିମା ଅଵସରରେ ଓଡ଼ିଶାର ପଶ୍ଚିମ, ଦକ୍ଷିଣ ପଶ୍ଚିମ ତଥା ଦକ୍ଷିଣ ଓଡି଼ଶାରେ ପିଲାଏ ଘର ଘର କିନ୍ଦରି ବୁଲୁଥିଲେ ଆଉ ଛେର୍ ଛେରା ଗୀତ ବୋଲି ଚାଉଳ ପଉସା ଆଦି ମାଗୁଥିଲେ । ଏବେ ଏ ପରମ୍ପରା ଅଳ୍ପ କେତେକ ଅଞ୍ଚଳରେ ହିଁ ବଞ୍ଚିରହିଛି । ପୂର୍ଵେ ଆବାଳବୃଦ୍ଧଵନିତା ଏହି ଛେରଛେରା ଗୀତ ବୋଲି ଧାନ ଚାଉଳ ଆଦି ସଂଗ୍ରହ କରୁଥିଲେ କିନ୍ତୁ ପରେ କେଵଳ ପିଲାମାନେ ହିଁ ଛେର୍ ଛେରା ଚାନ୍ଦା କେତେକ ଅଞ୍ଚଳରେ ମାଗୁଅଛନ୍ତି । ପିଲାମାନେ କେନ୍ଦୁ ବାଡ଼ି ଖଣ୍ଡିଏ ଧରି ପ୍ରତି ଘର ସମ୍ମୁଖରେ ମାଟିରେ ବାଡ଼ି ପିଟି ପିଟି ଛେର୍ ଛେରା ଗୀତ ଗାୟନ କରୁଥିଲେ ।
କଵି ଗଙ୍ଗାଧର ମେହେର ତାଙ୍କର ଏକ କଵିତାରେ ଏହା ଵିଷୟରେ ଏମନ୍ତ ଭାବେ ଲେଖିଯାଇଛନ୍ତି ...
ଦିନା କେତେ ଗଲେ ପୁଷ୍ପୁନି ହେଵ ସେଦିନ ଦେଖିବୁ ପ୍ରାତେ,
ଛେର୍ ଛେରା କୁଟି ବୁଲିବେ ପିଲାଏ
ଥରି ଥରି ଶୀତ ବାତେ ।
ଥିଵ ତା ଡେବରୀ ହାତେ ଟୁପ୍ଲି ଭୁଜନୀ ହାତରେ ବାଡି଼,
କେ ଥିଵ ଉଲଗ୍ନ ଉଡ଼ିଥିଵ କେହି ମାଆର ପୁରୁଣା ଶାଢ଼ୀ ।
(ଗଙ୍ଗାଧର ଗ୍ରନ୍ଥାଵଳୀ— ପୃଷ୍ଠା ୭୪୯)
ଓଡ଼ିଶାର ପଶ୍ଚିମାଞ୍ଚଳରେ ପୁଷ୍ ପୁନି ଦିନ ପିଲାଏ ଘର ଘର ବୁଲି ଭୋଜିଭାତ ସକାଶେ ଚାଉଳ ଡାଲି ପରିବା ଓ ଟଙ୍କା ପଇସା ଆଦି ଯୋଗାଡ଼ କରିଥାନ୍ତି ତାହାକୁ “ଛେର୍ଛେରା ମଗା” କୁହନ୍ତି ଏଵଂ ଛେର୍ଛେରା ମାଗୁଥିଵା ପିଲାଙ୍କୁ “ଦଣ୍ଡା ହୁଲିଆ ଦଳ” କୁହାଯାଏ ।
ପୈାଷ ପୂର୍ଣ୍ଣିମା ଵା ପୁଷ୍ ପୁନୀ ଦିନ ‘ଗବଡା’ ଦେଵତାଙ୍କୁ ପୂଜା କରାଯାଏ ଏଵଂ ଲୋକଵିଶ୍ଵାସ ଅନୁସାରେ ଖତଗଦା ଦେଉଛି ଏହି ଦେଵତାଙ୍କ ନିଵାସ ସ୍ଥାନ । ପଵିତ୍ର ଗୋମୟ ଭିତରେ ଦେଵତାଙ୍କ ପରିକଳ୍ପନା କରାଯାଇଛି ଏଵଂ ଏହି ଦେଵତା ନିରାକାର ଶୂନ୍ୟ ସ୍ବରୂପ ବୋଲି ଅନେକେ କହୁଥିଲେ ବି ଖଦଗଦା ମଧ୍ୟରେ ଈଶ୍ଵରଙ୍କ କଳ୍ପନା ପଛରେ କୌଣସି ନା କୌଣସି ଵୈଜ୍ଞାନିକ କାରଣ ନିଶ୍ଚୟ ରହିଛି । ବେଳେ ବେଳେ ଖଦଗଦାରେ ଖରାଦିନିଆ ହଠାତ୍ ଆପଣାଛାଏଁ ଧପ୍ କରି ଆଲୁଅ ଜଳିଵାର ଦେଖାଯାଏ । ଖତ ମଧ୍ୟରେ ଥିଵା ଇନ୍ଧନ ଗ୍ୟାସର ଅମ୍ଳଜାନ ସହିତ ପ୍ରତିକ୍ରିୟା ଯୋଗୁଁ ଏହା ସୃଷ୍ଟି ହୋଇଥାଏ । ଆଦିମ କୃଷିଜୀଵୀ ସମାଜ ଆଦିମ କାଳରୁ ଏହାକୁ ଦେଵତାଙ୍କ କାର୍ଯ୍ୟ ମନେ କରି ନେଇଛି ଏଵଂ ପ୍ରକୃତି ପୂଜାକୁ ମହତ୍ତ୍ଵ ଦେଇଛି । ପୁଣି ଗୋଵର କୃଷକର ଅତ୍ୟନ୍ତ ଉପଯୋଗୀ ଦରଵ ଭାବେ ସହସ୍ର ସହସ୍ର ଵର୍ଷ ଧରି ଏ ଦେଶରେ ଵିଚାର୍ଯ୍ୟ ହୋଇଆସିଛି । ତେଣୁ ଗୋଵର ମଧ୍ୟରେ କୃଷିସମାଜ ଈଶ୍ଵରଙ୍କର କଳ୍ପନା କରିଛି ।
ପୁଷ୍ ପୁନୀ ଦିନ ସକାଳୁ ନୂତନ କେନ୍ଦୁବାଡି ଧରି ଗାଁର ନିର୍ଦ୍ଧିଷ୍ଟ ଖତଗଦାକୁ ପିଲାମାନେ ଯାଇଥାନ୍ତି । ସେଠାରେ ଗବଡା ଦେଵତାଙ୍କୁ ସ୍ମରଣ କରି ନମସ୍କାରାଦି କର୍ମ କରିଵା ପରେ କେନ୍ଦୁବାଡି଼ରେ ଖତଗଦାକୁ ପିଟି ‘ଛେର୍ ଛେରା’ ଗୀତ ଗାନ କରାଯାଏ। ଏହାପରେ ଘର ଘର ଯାଇ ପିଲାଏ ଗୀତ ଗାଇ ଗାଇ ଛେର୍ ଛେରା ମାଗିଥାନ୍ତି । ଛେର୍ ଛେରା ମଗାରୁ ମିଳିଥିଵା ସାମଗ୍ରୀକୁ ରନ୍ଧନ କରାଯାଇଥାଏ। ରନ୍ଧା ବଢା଼ ସରିଵାପରେ ଗବଡା ଦେଵତାଙ୍କ ପାଖରେ ପିଟା ଯାଇଥିଵା କେନ୍ଦୁ ବାଡି଼ଗୁଡି଼କୁ ପୂଜା କରାଯାଏ ଏଵଂ ଗବଡା ଦେଵତାଙ୍କ ଉଦ୍ଦେଶ୍ୟରେ ରନ୍ଧନ ସାମଗ୍ରୀକୁ ସମର୍ପଣ କରାଯାଇଥାଏ। ଦେଵତାଙ୍କ ଶାନ୍ତି ଵିଧାନ ପାଇଁ କେନ୍ଦୁ ପତ୍ରରେ ମଦ୍ୟ ଢାଳି ସମର୍ପଣ କରାଯାଏ। ପରେ ଏହାକୁ ପ୍ରସାଦ ଜ୍ଞାନରେ ପାନ କରାଯାଏ। ପରିଶେଷରେ ଗବଡା ଦେଵତାଙ୍କ ପାଖରେ ପାଣି ଛଡେ଼ଇଵାପରେ ସମସ୍ତେ ଆନନ୍ଦ ମନରେ ଭୋଜି ଭାତ ଖାଇଥାନ୍ତି। ତେବେ ଏହି ଛେର୍ ଛେରା ମଗା ପରମ୍ପରା କେବେଠାରୁ ପ୍ରଚଳିତ ତାକୁ ନେଇ ଵିଶେଷ କିଛି ତଥ୍ୟ ମିଳେନାହିଁ ।
ପୌଷ ପୂର୍ଣ୍ଣିମା ଏକ ସମାଜଵାଦୀ ସନାତନୀ ପର୍ଵ । ଉପକୂଳଵର୍ତ୍ତୀ ଓଡ଼ିଶାରେ ଘରେ ଘରେ ପିଠାପଣା ଏଵଂ ତହିଁର ସାହି ପଡି଼ଶାରେ ଆଦାନ ପ୍ରଦାନ ହେଉ ଵା ପଶ୍ଚିମାଞ୍ଚଳରେ ପ୍ରଚଳିତ ଛେର୍ଛେରା ମଗା ପରମ୍ପରା ହେଉ ପୌଷ ପୂର୍ଣ୍ଣିମା ମଧ୍ୟରେ ସମାଜଵାଦ ସ୍ପଷ୍ଟ ଭାବେ ଦୃଶ୍ୟ ହୋଇଥାଏ । ପୌଷ ପୂର୍ଣ୍ଣିମାରେ କି ରାଜା କି ପ୍ରଜା ,କି ଈଶ୍ଵର ଆଉ କି ଭକ୍ତ,ହଳିଆ କି ସାହୁକାର,କି ଧନୀ କି ଦରିଦ୍ର ସମସ୍ତେ ଏକାକାର ହୋଇଯାଆନ୍ତି ।
ଓଡ଼ିଶାର ପଶ୍ଚିମାଞ୍ଚଳ ଓ ଦକ୍ଷିଣ ପଶ୍ଚିମାଞ୍ଚଳରେ ତଥା ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ପୂର୍ଵେ ପୁଷ୍ ପୁନି ଦିନ ସକାଳୁ ସକାଳୁ ଉଠି ଗରିଵ ଘରର ଛୋଟ ଛୋଟ ପୁଅ, ଝିଅ ଏଵଂ ବୁଢାବୁଢ଼ୀମାନେ ହାତରେ ଥଳି, ଅଖାମୁଣା, ବାଉଁଶ ତିଆରି ଭୁଗା, ଟୋପା, ଚାଙ୍ଗୁଡ଼ି ଧରି ଘର ଘର ବୁଲି ଛେର୍ଛେରା ନାଆଁରେ ଚାଉଳ,ଡାଲି,ପରିବା ଓ ଟଙ୍କା ପଇସା ଅଦି ମାଗୁଥିଲେ । ଛେର୍ଛେରା ମଗା ଯୋଗୁଁ ସମାଜର ଦରିଦ୍ରଜନଟିଏ ବି ପୌଷ ପୂର୍ଣ୍ଣିମା ପର୍ଵ ପାଳିପାରୁଥିଲା ଫଳତଃ ଏ ପର୍ଵର ମହତ୍ତ୍ଵ ସମାଜରେ ଯଥେଷ୍ଟ ବୃଦ୍ଧିପାଇଅଛି । ଛେର୍ଛେରା ମଗା ସମୟରେ ମାଗିଵାକୁ ଯାଇଥିଵା ପିଲାଏ ଓ ବୃଦ୍ଧଵୃଦ୍ଧା ଛେର୍ଛେରା ଗୀତ ଗାଉଥିଲେ । ନିମ୍ନରେ କେତେକ ଛେର୍ ଛେରା ଗୀତ ଉଦାହରଣ ସ୍ୱରୂପ ପ୍ରଦତ୍ତ ହେଲା ।
“ଛେ ଛେର୍ଛେରା.......
ଏଇ ଘର ବୁଢ଼ୀ କେକେ ଗଲା
ମଣ୍ଡାପିଠା ଖାଇ ଛେରେଇ ହେଲା
ଛେ ଛେର୍ଛେରା..... ।”
“ଛେର୍ ଛେରା ଛେର୍ ଛେରା
ଆଜି ପୁନି ପୁନି କାଲି ପୁନି
ଛିଡ଼ା ଫଟା ପଟା ଦୁନା ଦୁନି
ଛେର ଛେରା”
“ଛେର୍ ଛେର୍ ଛେରା…..
ବଡ୍ ମୁଡାର କଲା ଜିଆଁ
ଧାନ୍ ନାଇଁ ଦିଅଁ ଚଉଲ୍ ଦିଅଁ
ଛେର୍ ଛେର୍ ଛେରା….।”
“ଛେର୍ ଛେର୍ ଛେରା…..
ଆମ୍ ପତର୍ ଲମ୍ ଲମ୍
ଘିଚି ଖା ତର୍ ପେଟର୍ ଚମ୍
ଛେର୍ ଛେର୍ ଛେରା…।”
“ଛେର୍ ଛେର୍ ଛେରା….
ଗଉଡ୍ ଘରର୍ ଗାଏ ଗଠ୍
ଦେ ଗହରେନ୍ ଝଟ୍ ଝଟ୍
ଛେର୍ ଛେର୍ ଛେରା…..।”
“ଛେର୍ ଛେର୍ ଛେରା….
ଆଏଲାନେ ଆମ୍ ବଉଲ
ଲୋକ୍ ଜାନିକରି ଦିଅ ଚାଉଲ
ଛେର୍ ଛେର୍ ଛେରା…।”
“ଛେର୍ ଛେର୍ ଛେରା….
ଛେର୍ ଛେରା ବଲି ଗାଇଲି ଗୀତ
ଫଟା ଗଁଥା ନାଇଁ ଶୀତ
ଛେର୍ ଛେର୍ ଛେରା…..।।”
ଛେର୍ଛେରାରେ ମା, ମାଉସୀ ଯାହା ଦିଅନ୍ତି ପିଲାମାନେ ମନଖୁସିରେ ନେଇଥାନ୍ତି । ଏହି ଦିନ ସମସ୍ତେ ଘର ଘର ବୁଲି ମାଗିଵାର ପରମ୍ପରା ଅଛି ତେଣୁ ଏଥିରେ କୌଣସି ଲାଜ କରିଵାର ସନ୍ଦେହ ରହେ ନାହିଁ । କିଏ କେନ୍ଦରା ବଜାଇ ଗୀତ ଗାଇ ଗାଇ ଘର ଘର ବୁଲିଥାଏ ତ କିଏ ଖଞ୍ଜଣି ବଜାଇଥାଏ ଏଵଂ କିଏ ହରିବଂଶ ଗୀତ ଗାଇଥାଏ ତ କିଏ ଘୁଡ଼ୁକ ଵା ଧୁଡୁକି ବଜାଇ ଥାଏ । ଵିଭିନ୍ନ ସ୍ଥାନରେ ଦଳ ଦଳ ହୋଇ ଭୋଜି ଭାତର ଆୟୋଜନ ହୋଇଥାଏ । ପ୍ରକୃତି କୋଳରେ ଭୋଜିକରି ମାଟିର ମଣିଷମାନେ ନାଚିଗାଇ ଜୀଵନକୁ ଉପଭୋଗ କରିଥାନ୍ତି । ଯିଏ ଯେମିତି ମନଖୁସିରେ ଦିନଟିକୁ ଆନନ୍ଦ ଉଲ୍ଲାସରେ କଟାଇଥାନ୍ତି ।
ଛେର୍ଛେରା ନାମର ସୃଷ୍ଟି ଆଜି ବି ଅସ୍ପଷ୍ଟ ।
ଏକ ମତାନୁସାରେ ଛେର୍ ଶବ୍ଦର ଅର୍ଥ ଦାନ କରିଵା ଓ ଛେରା ଶବ୍ଦର ଅର୍ଥ ଅଳ୍ପ ପରିମାଣ ।ଛେର୍ ଛେରାର ଅର୍ଥ ଅଳ୍ପ ପରିମାଣରେ ଦାନ କରାଯିଵା । ପୁଷ୍ ପୁନି ଅଵସରରେ ଘରୁ ଘରୁ ପିଲାଏ ଅଳ୍ପ ଅଳ୍ପ ଦରଵ ହିଁ ଦାନ ସ୍ଵରୂପ ପ୍ରାପ୍ତ କରିଥାନ୍ତି । କେତେକଙ୍କ ମତରେ ଛେର୍ ଛେରା ଶବ୍ଦଟି ଛେଚଡ଼ା ଶବ୍ଦରୁ ସୃଷ୍ଟି ହୋଇଥାଇପାରେ ।
ବାରମ୍ବାର ଛେଚା ହେଵା ଯୋଗୁଁ ଯେଉଁ ବାଡ଼ି ଵା ଦାନ୍ତକାଠି ଆଦିର ଅଗ୍ରଭାଗ ଛିନ୍ନଭିନ୍ନ ହୋଇ ଯାଇ ଥାଏ ତାକୁ ଛେଚଡ଼ା କୁହାଯାଏ । ମାଡ଼ ଖାଇଖାଇ ଗୟାଁ ; ଛେଚା ଵା କୁଟ୍ଟା ଖାଇଵାରେ ଅଭ୍ୟସ୍ତ ଵସ୍ତୁ ଓ ଵ୍ୟକ୍ତିଙ୍କୁ ଛେଚଡ଼ା କୁହାଯାଏ । ଦୁଷ୍ଟ ଵା ଖଳ ଲୋକଙ୍କୁ ବି ଛେଚଡ଼ା କୁହାଯାଇଥାଏ । ଛେର୍ ଛେରା ଅଵସରରେ କେନ୍ଦୁବାଡି଼ ଦ୍ଵାରା ଖତଗଦାରେ ପିଟାଯାଉଥିଵାରୁ ଏହି ଛେଚଡ଼ା ଶବ୍ଦରୁ ଛେର୍ ଛେରା ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵ । ମତାନ୍ତରରେ ଘରମାନଙ୍କରେ ଛେରା ପକେଇଵା ସମୟରେ ଵା ବଡି଼ ଭୋରରୁ ଛେର୍ଛେରା ମଗାଯାଇଥିଲା ବୋଲି ଏଭଳି ନାମକରଣ ହୋଇଅଛି । ପୂର୍ଵୋକ୍ତ ଗଙ୍ଗାଧର ମେହେରଙ୍କ କଵିତାଂଶରୁ ଏକଥା ସ୍ପଷ୍ଟ ହୁଏ ଯେ ପିଲାଏ ବଡି଼ ଭୋର୍ରୁ ଶୀତରେ ଥରି ଥରି ଛେର୍ ଛେରା ମାଗୁଥିଲେ ।
“ଦିନା କେତେ ଗଲେ ପୁଷ୍ପୁନି ହେଵ ସେଦିନ ଦେଖିବୁ ପ୍ରାତେ,
ଛେର୍ ଛେରା କୁଟି ବୁଲିବେ ପିଲାଏ
ଥରି ଥରି ଶୀତ ବାତେ ।”
ଏଥିରୁ ଅନୁମାନ କରାଯାଇପାରେ ଯେ ହୁଏତ ଆଗେ ଗ୍ରାମାଞ୍ଚଳରେ ଛେରା ପକାଇଵା ଵା ଖତପାଣି ପକାଇଵା ସମୟରେ ଛେର୍ ଛେରା ମଗାଯାଉଥିଲା ବୋଲି ଏଭଳି ନାମକରଣ ହୋଇଥିଲା ।
ତେବେ ଓଡ଼ିଶାରେ ଛେର୍ଛେରା ଏକମାତ୍ର ପର୍ଵ ନୁହେଁ ଯହିଁରେ ଟଙ୍କା ପଇସା ଖାଦ୍ୟ ଦରଵ ଘରୁ ଘରୁ ସଞ୍ଚୟ କରାଯାଇ ପର୍ଵ ପାଳିତ ହୁଏ । ଓଡ଼ିଶାରେ ତଅପୋଇ ଓଷା,ଭିକ ମଙ୍ଗଳଵାରଠାରୁ ଆରମ୍ଭ କରି ଦଣ୍ଡ ଓ ଅଷ୍ଟ୍ରପ୍ରହରୀ ଯାଏଁ ଅନେକ ଉତ୍ସଵରେ ଅର୍ଥ ଓ ଦରଵ ସଞ୍ଚୟ କରି ଓଡ଼ିଆ ସମାଜରେ ପର୍ଵ ପାଳିତ ହୋଇଥାଏ । ଢେଙ୍କାନାଳ ଆଦି ଅଞ୍ଚଳରେ ଦଣ୍ଡ ନାଚ ପାଇଁ ଟଙ୍କା ମାଗିଵାକୁ ଆସିଥିଵା ଦଣ୍ଡୁଆ ପିଲେ ଗୀତ ବୋଲି ବୋଲି ଘର ଘର ଟଙ୍କା ଓ ପରିଵା ଚାଉଳ ଯୋଗାଡ଼ କରିଥାନ୍ତି ।
କେନ୍ଦ୍ରାପଡାରେ କୁଆଁର ପୁନେଇଁ ପାଇଁ ୩/୪ଦିନ ପୂର୍ଵରୁ ଗୋଟିଏ କାଠପିଢା଼ ଉପରେ ଗୋଵରରେ ଠାକୁର କରି ଫୁଲରେ ସଜାଇ "କୁଆଁର ପୁନେଇଁ ଜହ୍ନ ଗୋ, ପଡ଼ିଥାଏ ଘନଘନ ଗୋ" ଗୀତ ଗାଇ ଛୋଟ ଛୋଟ ଝିଅମାନେ ଦଳ ଦଳ ହୋଇ ଘର ଘର ବୁଲି "କୁଆଁର ପୁନେଇଁ ମାଗୁଣି" ମାଗନ୍ତି । ଏବେ ଏହା ସହିତ ଗ୍ରାମୀଣ ରାସ୍ତାରେ ପୁଅଝିଅ ମିଶି ଦଉଡ଼ି ବାନ୍ଧି ପଥଚାରୀଙ୍କଠାରୁ ପଇସା ଆଦାୟ କରି ଭୋଜିଭାତ କରୁଛନ୍ତି । ଏହାକୁ କୁଆଁର ପୁନେଇଁ ମାଗୁଣି କହନ୍ତି ।
ପୋଲରି ଅମାଵାସ୍ୟା ଵା ମହାଳୟା ଦିନ ଗଞ୍ଜାମ ଗଜପତି କୋରାପୁଟ ଆଦି ଦକ୍ଷିଣ ଅଞ୍ଚଳରେ
"ହାଣ୍ଡି ତଳେ ନେଉଳ,
ବେଇଗି ଦିଅ ଚାଉଳ ",
"ବଇ ତଡ଼େ ତଡ଼େ ଏଣ୍ଡା,
ବେଇଗି ଦିଅ ଭଣ୍ଡା "
ଵା
"ଦାଣ୍ଡ ଆଡ଼େ ବଗ
ବାଡ଼ି ଆଡ଼େ ବଗ,
ଗୁଣ୍ଡୁଚି ମୂଷା କହି ଯାଇଛି
ଚାଉଳ ମୁଠେ ଦେଵ”
ଆଦି ଗୀତ ଗାଇ ପିଲାମାନେ ଚାଉଳ ପରିବା ଆଦି ସଂଗ୍ରହ କରନ୍ତି । ଏହିପରି ଓଡ଼ିଶାର ଅନେକ ଓଷା ପର୍ଵରେ ଛେର୍ ଛେରା ଭଳି ପିଲାଏ ତଥା କିଶୋର କିଶୋରୀ ଓ ଯୁଵକଯୁଵତୀମାନେ ଅର୍ଥ ,ଚାଉଳ ଓ ପରିଵା ଆଦି ସଂଗ୍ରହ କରିଥାନ୍ତି ।
ସମାଜରେ ସମସ୍ତେ କେମିତି ପର୍ଵ ପାଳିପାରିବେ ସେଥିପାଇଁ ଏଭଳି କରାଯାଇଥାଏ । ଏହା ଆମ ଓଡ଼ିଆ ସମାଜରେ ସମାଜଵାଦର ଅନ୍ୟତମ ଲକ୍ଷଣ ।
ଓଡ଼ିଶାରେ ପୌଷ ପୂର୍ଣ୍ଣିମା ଏକତାର ପର୍ଵ ସାମାଜିକ ସୌହାର୍ଦ୍ଦ୍ୟର ପର୍ଵ ପ୍ରାଚୀନ କାଳରୁ ପାଳିତ ହୋଇଆସୁଛି । ସମତଳଵାସୀଙ୍କଠାରୁ ପାର୍ଵତ୍ଯଵାସୀଙ୍କ ଯାଏଁ ,ସାଧାରଣଜନତାଙ୍କଠାରୁ ଜନଜାତୀୟ ଲୋକଙ୍କ ଯାଏଁ ଭିନ୍ନ ଭିନ୍ନ ଭାବରେ ହେଉ ପଛେ ପୌଷ ପୂର୍ଣ୍ଣିମା,ପୁଷ୍ ପୁନୀ ଓ ଛେର୍ ଛେରା ପର୍ଵ ନାମରେ ଏହି ଦିନଟିକୁ ପାଳି ଆସିଛନ୍ତି ।
•••••••••••••••••••••••••••••••