Tuesday, May 30, 2023

ଆମ ସୌରଜଗତ : କିଛି ଉପାଦେୟ ତଥ୍ୟ

ପ୍ରାଚୀନ କାଳରେ ଗ୍ରୀକ୍,ରୋମାନ,ମିଶର,ଆରବୀ ଓ ବେବିଲୋନୀୟମାନେ ସୂର୍ଯ୍ୟ ଓ ଚନ୍ଦ୍ର ଛଡ଼ା ଖାଲି ଆଖିରେ ଦେଖାଯାଉଥିଵା ପାଞ୍ଚୋଟି ଗ୍ରହ ବୁଧ, ଶୁକ୍ର,ମଙ୍ଗଳ, ବୃହସ୍ପତି ଓ ଶନିକୁ ନେଇ ସାତଗୋଟି ଗ୍ରହ ଗଣନା କରିଥିଲେ ।  
ଭାରତୀୟ ଜ୍ୟୋତିର୍ଵିଦମାନେ ସୂର୍ଯ୍ୟ,ଚନ୍ଦ୍ର,ବୁଧ, ଶୁକ୍ର,ମଙ୍ଗଳ, ବୃହସ୍ପତି ଓ ଶନି ତଥା ଦୁଇଗୋଟି କାଳ୍ପନିକ ଗ୍ରହ ରାହୁ ଆଉ କେତୁକୁ ନେଇ ନଅଗୋଟି ଗ୍ରହର ଗଣନା କରିଥିଲେ । ଚୀନ ଦେଶରେ ବୁଧକୁ ଜଳ,ଶୁକ୍ରକୁ ଧାତୁ ଵିଶେଷତଃ ସ୍ଵର୍ଣ୍ଣ,ମଙ୍ଗଳକୁ ଅଗ୍ନି, ବୃହସ୍ପତିକୁ କାଠ ତଥା ଶନିକୁ ପୃଥିଵୀର ଅଧିଷ୍ଠାତା ଦେଵତା ଅଭିହିତ କରାଯାଇଥିଲା । ଏହି ପାଞ୍ଚୋଟି ଗ୍ରହକୁ ଚୀନ ଦେଶଵାସୀ ସୂର୍ଯ୍ୟ ଓ ଚନ୍ଦ୍ରଠାରୁ ସ୍ଵତନ୍ତ୍ର ଭାବେ ଗଣନା କରୁଥିଲେ । ଆଜିକାଲି ମିଶର,ଚୀନ,ଆରବ ଓ ଭାରତରେ ପ୍ରାଚୀନ କାଳରେ ଦୂରଵିକ୍ଷଣ ଯନ୍ତ୍ର ଥିଵାର ଦାବି କରାଯାଉଛି । ଯଦି ୪୦୦୦ ଵର୍ଷ ତଳେ କାଚ ଏଵଂ ବାରଶହ ଶତାବ୍ଦୀରେ ଯଵକାଚ ଵା Lensର ଆଵିଷ୍କାର ହୋଇଥିଲା ତାହେଲେ ପ୍ରାଚୀନ କାଳରେ ବି ଲୋକେ ଦୂରଵିକ୍ଷଣ ଯନ୍ତ୍ର ନହେଲେ ବି ଯଵକାଚ ଦ୍ଵାରା ଗ୍ରହ ନକ୍ଷତ୍ର ଵିଷୟରେ ଅଧ୍ୟୟନ କରୁଥିଵା ଅସମ୍ଭଵ ନୁହେଁ । ଦକ୍ଷିଣ ଭାରତରେ ବାରଶହ ଶତାବ୍ଦୀରେ ନିର୍ମିତ ଗୋଟିଏ ମନ୍ଦିରରେ ମହିଳା ଜଣେ ଦୂରଵିକ୍ଷଣ ଯନ୍ତ୍ର ଧରି ଥିଵାର 
 ଶିଳାଚିତ୍ର ରହିଛି । ଶ୍ରୀଲଙ୍କାରେ ଭୁବନାଇକବାହୁ ଚତୁର୍ଥ(୧୩୪୪-୧୩୫୩) ଶାସନ ସମୟରେ ଜଣେ ଭାରତୀୟ ଗଵେଷକ ଦେଵନାରାୟଣ ଯଵକାଚ ଆଵିଷ୍କାର କରିଥିଵାର ଶୁଣାଯାଏ । ପ୍ରାଚୀନ ଭାରତୀୟ ଗ୍ରନ୍ଥଗୁଡ଼ିକରେ ଯଵକାଚର ଉଲ୍ଲେଖ ଵିଭିନ୍ନ ନାମରେ ଥିଵା କେତେକ ଗଵେଷକ ଦାବି କରନ୍ତି ସେହିପରି ପ୍ରାଚୀନ ମିଶର ଓ ମେସୋପୋଟାମିଆରେ ସପ୍ତମ ଖ୍ରୀଷ୍ଟପୂର୍ଵ ସମୟରେ ବି ଯଵକାଚ ଵ୍ୟଵହାରର କେତେକ ପ୍ରମାଣ ମିଳିଛି । ଅତଃ ଅନୁମାନ କରାଯାଇପାରେ ଯେ ହୁଏତ ପ୍ରାଚୀନ କାଳରୁ ଯଵକାଚ ଵିଷୟରେ ଲୋକେ ଜାଣିଥିଲେ ଏଵଂ ତାକୁ ତାରକା ଦେଖିଵା କାର୍ଯ୍ୟରେ ବି ଵ୍ୟଵହାର କରିଥିଵା ସମ୍ଭଵ । 

ଅଵଶ୍ୟ ପ୍ରାଚୀନ କାଳରେ ଦୂରଵିକ୍ଷଣ ଯନ୍ତ୍ର ଥିଵାର ସ୍ପଷ୍ଟ ପ୍ରମାଣ ଏଯାଏଁ ଆଵିଷ୍କୃତ ହୋଇପାରିନାହିଁ । ଅନେକେ ପ୍ରଶ୍ନ କରନ୍ତି ଯଦି ଆଗେ ଦୂରଵିକ୍ଷଣ ଯନ୍ତ୍ର ଥାଆନ୍ତା ତା'ହେଲେ ଲୋକେ ବହୁ ପୂର୍ଵରୁ କାହିଁକି ଖାଲି ଆଖିରେ ଦେଖାଯାଉଥିଵା ଗ୍ରହଗୁଡି଼କ ଛଡ଼ା ୟୁରାନସ ନେପଚୁନ୍ ତଥା ପ୍ଲୋଟୋ,ସିରସ୍ ଓ ସେଟନା ଭଳି ଵାମନଗ୍ରହଗୁଡି଼କୁ ଆଵିଷ୍କାର କରିପାରିନଥିଲେ ? ସୌରମଣ୍ଡଳର ଆଠୋଟି ଗ୍ରହ ଓ ନଅରୁ ଅଧିକ ଵାମନଗ୍ରହର ଦୁଇଶହରୁ ଅଧିକ ଉପଗ୍ରହ ରହିଛି କିନ୍ତୁ ଚନ୍ଦ୍ର ଛଡ଼ା ଅନ୍ୟ କୌଣସି ସୌରମଣ୍ଡଳୀୟ ଉପଗ୍ରହର ଉଲ୍ଲେଖ କାହିଁକି କୌଣସି ପ୍ରାଚୀନ ଗ୍ରନ୍ଥରେ ନାହିଁ ?

ସେ ଯାହା ହେଉ ଦୂରଵିକ୍ଷଣ ଯନ୍ତ୍ର ଆଵିଷ୍କାର ପରେ ଆମେ ଜାଣିଲେ ଯେ ସୂର୍ଯ୍ୟ ଏକ ଗ୍ରହ ନୁହେଁ ଵରଂ ଆକାଶରେ ଦୃଶ୍ୟ ହେଉଥିଵା ଅର୍ବୁତ ଅର୍ବୁତ ତାରକାମାନଙ୍କ ପରି ଏକ ତାରକା,ଚନ୍ଦ୍ର ପୃଥିଵୀର ଉପଗ୍ରହ ଆଉ ବୁଧ ଶୁକ୍ର ମଙ୍ଗଳ ବୃହସ୍ପତି ଶନି ପରି ଆମ ପୃଥିଵୀ ସୌରମଣ୍ଡଳର ଏକ ଗ୍ରହ ଅଟେ । 
ଆଗେ ଲୋକେ ପୃଥିଵୀକୁ ସଂସାରର କେନ୍ଦ୍ର ମନେ କରୁଥିଲେ ଏଵଂ ସମସ୍ତ ଗ୍ରହ ଓ ନକ୍ଷତ୍ର ପୃଥିଵୀ ଚର୍ତୁପାଶ୍ୱର୍ରେ ପରିକ୍ରମା କରୁଛନ୍ତି ବୋଲି ଏକ ସାଧାରଣ ଲୋକଵିଶ୍ଵାସ ପ୍ରଚଳିତ ଥିଲା । ପୃଥିଵୀ ଭଳି କୌଣସି ଗ୍ରହ ଭିତରେ ଥାଇ ରାତ୍ରି ଆକାଶକୁ ନିରୀକ୍ଷଣ କଲେ ଏଭଳି ଦୃଷ୍ଟିଭ୍ରମ ସମସ୍ତଙ୍କୁ ହେଵ । ପୃଥିଵୀର ପ୍ରଥମ ଵ୍ୟକ୍ତି ଭାବେ ଆର୍ଯ୍ୟଭଟ୍ଟ ମତ ଦେଇଥିଲେ ଯେ ପୃଥିଵୀ ନିଜ ଅକ୍ଷ ଚାରିପଟେ ଘୂରି ବୁଲୁଛି ଫଳତଃ ଆକାଶରେ ଆମେ ତାରା ଓ ଗ୍ରହ ଆଦି ଉଦୟ ତଥା ଅସ୍ତ ହେଉଥିଵାର ଦେଖିଵାକୁ ପାଇଥାନ୍ତି ‌। ପୃଥିଵୀ ଗୋଲାକାର ବୋଲି ମଧ୍ୟ ଆର୍ଯ୍ୟଭଟ୍ଟ ମତ ଦେଇଥିଲେ । ୪୭୬ ଖ୍ରୀଷ୍ଟାବ୍ଦରେ ଆର୍ଯ୍ୟଭଟ୍ଟ ଭାରତରେ ଜନ୍ମଗ୍ରହଣ କରିଥିଲେ। ତତ୍କାଳୀନ ଭାରତୀୟ ବୁଦ୍ଧିଜୀଵୀମାନେ ଆର୍ଯ୍ୟଭଟ୍ଟଙ୍କ ମତକୁ ଗ୍ରହଣ କରିନଥିଲେ । ବହୁତ ପରେ ୧୫୪୩ରେ Nicolaus Copernicus ଅନେକ ପ୍ରମାଣ ସହିତ ସାଵ୍ୟସ୍ତ କଲେ ଯେ ପୃଥିଵୀ ମଧ୍ୟ ଅନ୍ୟ ଗ୍ରହ ପରି ସୂର୍ଯ୍ୟ ଚାରିପଟେ ଘୂରିବୁଲୁଛି । ତାଙ୍କର ଏହି ପ୍ରାମାଣିକ ମତକୁ ତତ୍କାଳୀନ ଖ୍ରୀଷ୍ଟିଆନମାନଙ୍କ ଦ୍ଵାରା ମଧ୍ୟ ଘୋର ଵିରୋଧ ହୋଇଥିଲା ‌। ଯୋଉମାନେ ଵିଜ୍ଞାନ ଦୃଷ୍ଟିରେ ସଂସାରକୁ ନିରୀକ୍ଷଣ କରୁଥିଲେ ସେମାନେ ତାଙ୍କର ସମର୍ଥନ କଲେ ‌। ପୃଥିଵୀ ସୂର୍ଯ୍ୟ ଚାରିପଟେ ଘୂରିବୁଲୁଛି ଏହି ମତ ପ୍ରଚାରିତ ହେଵା ପରେ ଭାରତୀୟ ବୁଦ୍ଧିଜୀଵୀମାନେ ଋକଵେଦରୁ ଦୁଇପଦ ଉଦ୍ଧାର କରି କହିଲେ ଏହି କଥା ତ ବହୁତ ଆଗରୁ ଆମ ପ୍ରାଚୀନ ଭାରତୀୟ ପୂର୍ଵଜମାନେ କହି ଯାଇଛନ୍ତି । 

ନ ପ୍ରମିୟେ ସଵିତୁର୍ଦେଵ୍ୟସ୍ୟ ତଦ୍ୟଥା ଵିଶ୍ଵଂ ଭୁଵନଂ ଧାରାୟିଷ୍ୟତି । 
ଯତ୍ପୃଥ୍ଵିଵ୍ୟା ଵରିମନ୍ନା ସ୍ଵଙ୍ଗୁରିଃ ଵର୍ଷ୍ମନ୍ ଦିଵଃ ସୁଵତି ସତ୍ୟମସ୍ୟ ତତ୍ । 
(ଋକଵେଦ,୫,୫୪,୪ )
ଏହାର ଅର୍ଥ କିଛି ଲୋକ କରନ୍ତି ,ସଵିତା ଵା ସୂର୍ଯ୍ୟଙ୍କ ଶକ୍ତିକୁ ହେୟଜ୍ଞାନ କରନାହିଁ । ସେ ଵିଶ୍ଵକୁ ଧରି ରଖିଛନ୍ତି ଯେମିତି ସେ ପୃଥିଵୀକୁ ଏକ ସ୍ଵଙ୍ଗୁରୀ ଦ୍ଵାରା ଧରି ରଖିଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ଋକଵେଦରେ ସୌରମଣ୍ଡଳର ଉଲ୍ଲେଖ ରହିଛି ଏଵଂ ଭାରତରେ କେହି କେହି ଦାଵି କରନ୍ତି ଯେ ଵିଶ୍ଵରେ ଵେଦ ପୂର୍ଵରୁ ଏଭଳି ଉଲ୍ଲେଖ ଅନ୍ୟ କୌଣସି ପ୍ରାଚୀନ ଗ୍ରନ୍ଥରେ ନାହିଁ । 
ପୁଣି ପ୍ରତି ବାର ଵର୍ଷରେ ଥରେ କୁମ୍ଭମେଳା ହୁଏ ଏଵଂ ତାହା ବୃହସ୍ପତି ଗ୍ରହ ସୂର୍ଯ୍ୟର 
ଏକ ପରିକ୍ରମଣ ଚକ୍ର ପୂର୍ଣ୍ଣ କଲେ ପଡି଼ଥାଏ ‌। ଅର୍ଥାତ୍ ପ୍ରାଚୀନ ଭାରତୀୟମାନ ସହସ୍ରାଧିକ ଵର୍ଷ ପୂର୍ଵରୁ ବୃହସ୍ପତି ଆଦି ଗ୍ରହର ପରିକ୍ରମଣ ଵିଷୟରେ ଜାଣିଥିଲେ ଏଵଂ ଏହା କେଵଳ ନିରନ୍ତର ତାରକା ଓ ଗ୍ରହଗୁଡି଼କର ଅନୁଶୀଳନ ଦ୍ଵାରା ହିଁ ସମ୍ଭଵପର ହୋଇଥିଵ ‌। 
 
ଆଧୁନିକ ଯୁଗରେ ନେଦରଲ୍ୟାଣ୍ଡର ତିନିଜଣ ଗଵେଷକ Hans Lippershey , Zacharias Janssen ଓ Jacob Metiusଙ୍କୁ ଦୂରଵିକ୍ଷଣ ଯନ୍ତ୍ର ଉଦ୍ଭାଵନର ଶ୍ରେୟ ଦିଆଯାଏ ଏଵଂ ଏହି ଉଦ୍ଭାଵନ ୧୬୦୮ରେ ହୋଇଥିଲା । ଗାଲିଲିଓ ଏହାର ଦୁଇଵର୍ଷ ପରେ ନିଜର ଦୂରଵିକ୍ଷଣ ଯନ୍ତ୍ର ସାହାଯ୍ୟରେ ଚନ୍ଦ୍ରରେ ଥିଵା ପର୍ଵତ ଓ ଘାଟି ଆଦିକୁ ସର୍ଵପ୍ରଥମେ ନିରୀକ୍ଷଣ କରିଥିଲେ ‌। ପୁଣି ଗାଲିଲିଓ ପୃଥିଵୀର ପ୍ରଥମ ଵ୍ୟକ୍ତି ଥିଲେ ଯିଏ ବୃହସ୍ପତିର ଚାରୋଟି ଉପଗ୍ରହ ଆୟୋ,ଗାନିମେଡ଼େ,ୟୋରୋପା ଓ କାଲିଷ୍ଟୋକୁ ଆଵିଷ୍କାର କରିଥିଲେ । ସମ୍ଭଵତଃ ପ୍ରାଚୀନ କାଳରୁ ଯଵକାଚ ଵ୍ୟଵହାର ହେଉଥିଲା ଏଵଂ କେଉଁଠି କେଉଁଠି ତହିଁର ଵ୍ୟଵହାର ଦ୍ଵାରା ଦୂରଵିକ୍ଷଣ ଯନ୍ତ୍ର ମଧ୍ୟ ଗଢ଼ା ହୋଇଥାଇପାରେ କିନ୍ତୁ ଗାଲିଲିଓଙ୍କ ପୂର୍ଵରୁ (ପୃଥିଵୀର)ଚନ୍ଦ୍ର ଛଡ଼ା ଅନ୍ୟ କୌଣସି ସୌରମଣ୍ଡଳୀୟ ଉପଗ୍ରହର ଆଵିଷ୍କାର ହୋଇନଥିଲା । ୧୬୧୦ ପୂର୍ଵରୁ ଲୋକେ ଖାଲି ଆଖିରେ ଦେଖାଯାଉଥିଵା ପୃଥିଵୀର ଉପଗ୍ରହ ଚନ୍ଦ୍ର ସହିତ ହିଁ କେଵଳ ପରିଚିତ ଥିଲେ କିନ୍ତୁ ୧୬୧୦ରୁ ୨୦୨୦ ମଧ୍ୟରେ ସୌରମଣ୍ଡଳର ଵିଭିନ୍ନ ଗ୍ରହ ତଥା ଵାମନଗ୍ରହର ପ୍ରାୟ ୨୬୮ରୁ ଅଧିକ ଉପଗ୍ରହ ଆଵିଷ୍କୃତ ହୋଇସାରିଛି ‌। କୌଣସି ପ୍ରାଚୀନ ଗ୍ରନ୍ଥରେ ସୌରମଣ୍ଡଳର ଚନ୍ଦ୍ର ଛଡ଼ା ଅନ୍ୟ ଉପଗ୍ରହର ଉଲ୍ଲେଖ ନାହିଁ ତେଣୁ ବହୁତ ସମ୍ଭଵ ୧୬୧୦ ପୂର୍ଵରୁ କେହି ତହିଁର ଆଵିଷ୍କାର ହିଁ କରିନଥିଲେ । 

ଆଧୁନିକ ଜ୍ୟୋତିର୍ଵିଜ୍ଞାନର ଅଗ୍ରଗତି ସହିତ ଆମେ ଆମ ସୌରମଣ୍ଡଳର ଆଉ ଦୁଇଟି ଗ୍ରହ ତଥା ସାତରୁ ଅଧିକ ବଡ଼ ଵାମନ ଗ୍ରହ ସହିତ ପରିଚିତ ହେଲେ । ୧୩ ମାର୍ଚ୍ଚ ୧୭୮୧ରେ ଜ୍ୟୋତିର୍ଵିଜ୍ଞାନୀ William Herschel ୟୁରାନସକୁ ଆଵିଷ୍କାର କରିଥିଲେ କିନ୍ତୁ ସେ ପ୍ରଥମେ ଏହାକୁ ଏକ ତାରକା କିମ୍ବା ଧୂମକେତୁ ମନେ କରିଥିଲେ । ପରେ ଜଣାପଡ଼ିଥିଲା ଯେ ଏହା ଆମ ସୌରମଣ୍ଡଳର ଷଷ୍ଠଗ୍ରହ। ବହୁତ ପରେ ମାର୍ଚ୍ଚ ୧୦ ୧୯୭୭ରେ ୟୁରାନସର ଶନି ଅପେକ୍ଷା ଆକାରରେ ଛୋଟ ବଳୟ ଥିଵା ଜଣାପଡ଼ିଥିଲା । ୧୮୪୬ରେ ଜ୍ୟୋତିର୍ଵିଜ୍ଞାନୀ Johann Gottfried Galle ନେପଚୁନ୍ ଗ୍ରହକୁ ଆଵିଷ୍କାର କରିଥିଲେ । ତେବେ ନେପଚୁନ୍ ଗ୍ରହକୁ ଆଵିଷ୍କାର କରାଯିଵା ପୂର୍ଵରୁ ଗଣିତଜ୍ଞ Urbain Le Verrier ନିଜର ଗାଣିତିକ ପଦ୍ଧତି ଦ୍ଵାରା ୟୁରାନସ ଆଗକୁ ଆଉ ଏକ ଗ୍ରହ ଥିଵା ଥିଓରୀ ଦେଇଥିଲେ । ନେପଚୁନ୍ ଆଵିଷ୍କାରର ସତରଦିନ ପରେ ବ୍ରିଟିଶ ଜ୍ୟୋତିର୍ଵିଜ୍ଞାନୀ William Lassell ଏହାର ଉପଗ୍ରହ Tritonକୁ ଆଵିଷ୍କାର କରିଥିଲେ । ବହୁତ ପରେ ନେପଚୁନ୍ ଗ୍ରହର ମଧ୍ୟ ଶନି ଓ ୟୁରାନସ୍ ଭଳି ଵଳୟ ଥିଵା ଜଣାପଡ଼ିଲା । ନେପଚୁନ୍ ଆଵିଷ୍କାରର ପ୍ରାୟ ସତୁରି ଅଶି ଵର୍ଷ ପରେ ଆମେରକୀୟ ଜ୍ୟୋତିର୍ଵିଜ୍ଞାନୀ Clyde Tombaugh ୧୮ ଫେବୃଆରୀ ୧୯୩୦ରେ ବାମନଗ୍ରହ Plutoକୁ ଆଵିଷ୍କାର କରିଥିଲେ । ୟୁରାନସ ନେପଚୁନ୍ ଓ ପ୍ଲୋଟୋର ଆଵିଷ୍କାର ପରେ ଏହି ତିନୋଟି ଗ୍ରହର ଭାରତୀୟ ନାମକରଣ
ନିଜ ଦେଶର ପୌରାଣିକ ଦେଵତାମାନଙ୍କ ନାମରେ ନାମିତ କରିଥିଲେ ‌। ୟୁରାନସର ନାମ ଅରୁଣ ରଖାଗଲା, ନେପଚୁନ୍‌ର ବରୁଣ ଏଵଂ ପ୍ଲୋଟୋ ବାମନଗ୍ରହର ନାମ ଯମ ରଖାଯାଇଥିଲା । ଏହି ତିନୋଟି ଗ୍ରହ ଓ ବାମନଗ୍ରହର ଆଵିଷ୍କାର ପରେ କାଳେ ଭାରତୀୟ ଲୋକଙ୍କ ମନରୁ ପ୍ରାଚୀନ ଜ୍ୟୋତିଷଶାସ୍ତ୍ରରୁ ଵିଶ୍ଵାସ ଉଠିଯିଵ ସେଇ ଭୟରେ କିଛି ଲୋକ ୟୁରାନସ ଓ ନେପଚୁନ୍‌କୁ ରାହୁ ଆଉ କେତୁ ବୋଲି ପ୍ରଚାର କଲେ ‌। କିନ୍ତୁ ଏହି ଅଭିମତର ଯୁକ୍ତି ଦ୍ଵାରା ସହଜରେ ଖଣ୍ଡନ କରିଦିଆଗଲା । ୟୁରାନସ୍ କି ନେପଚୁନ୍ ଗ୍ରହ ଯୋଗୁଁ ପୃଥିଵୀରେ ସୂର୍ଯ୍ୟଗ୍ରହଣ ଓ ସୂର୍ଯ୍ୟପରାଗ ହୁଏନାହିଁ ଵରଂ ରାହୁ ତଥା କେତୁ North Lunar Nodeର ଭାରତୀୟ ନାମକରଣ ଅଟେ । ଆଗେ Lunar ascending nodeକୁ ଭାରତରେ ରାହୁ ତଥା ୟୁରୋପରେ ଡ୍ରାଗନର ମୁଣ୍ଡ କୁହାଯାଉଥିଲାବେଳେ Lunar
descending nodeକୁ କେତୁ ତଥା ଡ୍ରାଗନର ଲାଞ୍ଜ କୁହାଯାଉଥିଲା ।  

ପରେ ଭାରତୀୟ ଗଵେଷକ Dr S K Ramchandra Rao ଆଧୁନିକ ଜ୍ୟୋତିର୍ଵିଜ୍ଞାନ ଆଉ ପ୍ରାଚୀନ ଜ୍ୟୋତିଷଶାସ୍ତ୍ରର ତୁଳନାତ୍ମକ ଅଧ୍ୟୟନ କରି ମତ ଦେଲେ ଯେ ମାଧ୍ୟଵାଚାର୍ଯ୍ୟଙ୍କ ବ୍ରହ୍ମସୂତ୍ର ଭାଷ୍ୟରେ ବାରଗୋଟି ଗ୍ରହ(ସୂର୍ଯ୍ୟ,ଚନ୍ଦ୍ର,ରାହୁ ଓ କେତୁ ସହ)ର ଉଲ୍ଲେଖ ଅଛି । ନୂତନ ଆଵିଷ୍କୃତ ତିନୋଟି ଗ୍ରହ ଓ ବାମନଗ୍ରହକୁ ସେ ବ୍ରହ୍ମସୂତ୍ର ଭାଷ୍ୟରେ ଉଲ୍ଲେଖିତ ଇନ୍ଦ୍ର(ୟୁରାନସ୍),ଵରୁଣ(ନେପଚୁନ୍ ) ଓ ପ୍ରଜାପତି(ପ୍ଲୋଟୋ) ଅଭିହିତ କରିଥିଲେ । 
କିନ୍ତୁ ପ୍ଲୋଟୋ ପରେ ମଧ୍ୟ ଅନେକ ନୂତନ ବାମନଗ୍ରହ ଆଵିଷ୍କାର ହେଲା ‌। ପ୍ରଥମେ ୧ ଜାନୁଆରୀ ୧୮୦୧ରେ ଜ୍ୟୋତିର୍ଵିଜ୍ଞାନୀ Giuseppe Piazzi ମଙ୍ଗଳ ଓ ବୃହସ୍ପତି ମଧ୍ୟରେ ଥିଵା ଗ୍ରହାଣୁ ବଳୟରୁ ବାମନଗ୍ରହ 1Ceresକୁ ପାଇଥିଲେ ଏଵଂ ସେତେବେଳେ ତାକୁ asteroid ଵା ଗ୍ରହାଣୁ ଅଭିହିତ କରାଯାଇଥିଲା । 


ନେପଚୁନ୍ ପରେ କାଇପର ବେଲ୍ଟରେ ସହସ୍ରାଧିକ ବାମନଗ୍ରହ ଥିଵା ଜଣାପଡି଼ଛି ଏଵଂ ତନ୍ମଧ୍ୟରେ ପ୍ଲୁଟୋ, ଏରିସ୍, ହାଉମିଆ, ମାକେମେକ୍, ଗୋଙ୍ଗଗୋଙ୍ଗ, କ୍ୱାଆର, ସେଡ୍ନା, ଅର୍କସ୍ ଓ ସାଲାସିଆ ଏହି ନଅଗୋଟି ବଡ଼ ବାମନଗ୍ରହ ଅଟେ । ଵାମନଗ୍ରହ ଗୁଡ଼ିକ ମଧ୍ୟରେ ଏରିସ୍ ୨୦୦୫ରେ,ହାଉମିଆ ୨୦୦୪ରେ,ମାକେମେକ୍ ୨୦୦୫ରେ, ଗୋଙ୍ଗଗୋଙ୍ଗ ୨୦୦୭ରେ,କ୍ଵାଆର ୨୦୦୨ରେ ,ସେଡ୍ନା ୨୦୦୩ରେ,ଅର୍କସ୍ ୨୦୦୪ରେ ଏଵଂ ସାଲାସିଆ ୨୦୦୪ରେ ଆଵିଷ୍କୃତ ହୋଇଥିଲା । ଆମ ସୌରମଣ୍ଡଳର ଏପର୍ଯ୍ଯନ୍ତ ମିଳିଥିଵା ସବୁଠାରୁ ଦୂରଵର୍ତ୍ତୀ ଵାମନଗ୍ରହ "Far Far Out" ବି ୨୦୧୮ରେ ଆଵିଷ୍କୃତ ହୋଇସାରିଛି ଯାହାର ସୂର୍ଯ୍ୟଠାରୁ ସର୍ଵାଧିକ ଦୂରତା ୧୪୦ AU (୨୧ ବିଲିଅନ୍ କିମି) ଅଟେ ।  

ଏହି ସବୁ ଵାମନଗ୍ରହ ମଧ୍ୟରେ ଅଧିକାଂଶର ଉପଗ୍ରହ ମଧ୍ୟ ଆଵିଷ୍କୃତ ହୋଇଛି । ପ୍ଲୋଟୋର ପାଞ୍ଚୋଟି ଉପଗ୍ରହ Charon, Styx,Nix, Kerberos ଓ Hydra ଥିଲାବେଳେ Charon ଏହାର ପ୍ରାୟ ଅଧା ଆକାରର ବୋଲି ଜଣାପଡି଼ଛି। ଵାମନଗ୍ରହ Erisର ଗୋଟିଏ ମାତ୍ର ଉପଗ୍ରହ Dysnomiaକୁ ୨୦୦୫ରେ ଆଵିଷ୍କାର କରାଯାଇଥିଲା ।‌ ଵାମନଗ୍ରହଗୁଡି଼କର ଉପଗ୍ରହ ମଧ୍ୟରେ ପ୍ଲୋଟୋର ଉପଗ୍ରହ Charon ପରେ Dysnomia ଦ୍ଵିତୀୟ ସବୁଠାରୁ ବଡ଼ ଉପଗ୍ରହ ଅଟେ ।‌ Quaoar ଵାମନଗ୍ରହର ଏକମାତ୍ର ଉପଗ୍ରହ Weywot ମଧ୍ୟ ୨୦୦୬ରେ ଆଵିଷ୍କୃତ ହୋଇଥିଲା ଯାହାର ଆକାର ଶନିର ଉପଗ୍ରହ Dione ସହ ପ୍ରାୟତଃ ସମାନ ବୋଲି ଜଣାଯାଇଛି । Makemake ଵାମନଗ୍ରହର ଗୋଟିଏ ମାତ୍ର ଉପଗ୍ରହ ଆଵିଷ୍କୃତ ହୋଇଛି ଯାହାର ନାମ ଗଵେଷକଙ୍କ ଦ୍ଵାରା S/2015 (136472) 1 ଵା MK2 ରଖାଯାଇଛି।‌Orcus ଵାମନଗ୍ରହର ଉପଗ୍ରହ Vanthକୁ 
୧୩ ନଭେମ୍ବର ୨୦୦୫ରେ ଆଵିଷ୍କାର କରାଯାଇଥିଲା । ସେହିପରି Gonggong ଵାମନଗ୍ରହର Xiangliu ବୋଲି ଏକ ଉପଗ୍ରହକୁ ୨୦୧୦ରେ ଆଵିଷ୍କାର କରାଯାଇଥିଲା । 

ଏପର୍ଯ୍ୟନ୍ତ ସୌରଜଗତର ଆଠୋଟି ଗ୍ରହ ତଥା ନଅଟି ଵାମନଗ୍ରହର ୪୬୦ରୁ ଅଧିକ ଉପଗ୍ରହ ଥିଵା ଜଣାପଡ଼ିଲାଣି ତନ୍ମଧ୍ୟରେ 
ପୃଥିଵୀର ଗୋଟିଏ,ମଙ୍ଗଳର ଦୁଇଗୋଟି,ଵୃହସ୍ପତିର ୧୪୬ଟି,ଶନିର ୧୨୪ଟି, ୟୁରାନସ୍‌ର ୨୭ଟି ଓ ନେପଚୁନ୍‌ର ୧୪ଟି ଉପଗ୍ରହ ଥିଵା ଜଣାଯାଏ । ନୂତନ ଉପଗ୍ରହ ଆଵିଷ୍କାର ସହିତ ଏହି ସଂଖ୍ୟା ବଢ଼ିଚାଲିଛି । 

ତେବେ କୌଣସି ଗ୍ରହ ଚାରିପଟେ କେଵଳ satellite ହିଁ ନୁହେଁ quasi satellite ମଧ୍ୟ ଘୂରି ବୁଲୁଥିଵାର ଦେଖାଯାଏ । ୨୦୧୬ରେ ପୃଥିଵୀର ଚନ୍ଦ୍ର ଛଡ଼ା Kamoʻoalewa ନାମରେ ଏକ 
quasi-satellite ମଧ୍ୟ ଅଛି ବୋଲି ଜଣାପଡ଼ିଥିଲା । ତେବେ Kamoʻoalewa ଉଭୟ ପୃଥିଵୀ ଓ ସୂର୍ଯ୍ୟ ଚାରିପଟେ ଘୂରିବୁଲିଥାଏ ତେଣୁ ଏହାକୁ quasi satellite କୁହାଯାଏ । ଅଵଶ୍ୟ "2020 PP1" ଭଳି ପୃଥିଵୀର ଆଉ ଛଅ ସାତୋଟି quasi satellite ରହିଛି ଏଵଂ ପାଖାପାଖି କୋଡ଼ିଏଟି ଏହିପରି ଛୋଟବଡ଼ Near Earth objects ଅଛି ଯାହା ବେଳେ ବେଳେ ସୂର୍ଯ୍ୟ ଵ୍ୟତୀତ ପୃଥିଵୀର ପ୍ରଦକ୍ଷିଣା କରିଥାଏ ଅଥଵା ପୃଥିଵୀ ସହିତ ସୂର୍ଯ୍ୟର ପ୍ରଦକ୍ଷିଣା କରିଥାଏ ଵା ପୃଥିଵୀ ନିକଟ ଦେଇ ଗତି କରିଥାଏ । quasi satelliteକୁ ଓଡ଼ିଆରେ ଅର୍ଦ୍ଧୋପଗ୍ରହ ହୋଇପାରିଵ ଯେହେତୁ 
quasiର ଗୋଟିଏ ଅର୍ଥ ଅର୍ଦ୍ଧ ତାହେଲେ quasi satellite ପାଇଁ “ଅର୍ଦ୍ଧୋପଗ୍ରହ” ଶବ୍ଦ ଵ୍ୟଵହାର କରାଯାଇପାରେ । ଶୁକ୍ରର ଗୋଟିଏ ଅର୍ଦ୍ଧୋପଗ୍ରହ (524522) 2002 VE68କୁ ବି ଆଵିଷ୍କାର କରାଯାଇଛି ଯାହା ଗତ ୭୦୦୦ ଵର୍ଷ ଧରି ଶୁକ୍ର ଗ୍ରହର ପରିକ୍ରମା କରୁଥିଵା ଜ୍ଞାତ ହୋଇଅଛି । ଏହିପରି ଅନ୍ଯ ସୌରମଣ୍ଡଳୀୟ ଗ୍ର‌ହ ଓ ଵାମନଗ୍ରହଗୁଡି଼କର ମଧ୍ୟ ଅନେକ ଅର୍ଦ୍ଧୋପଗ୍ରହ ଆଵିଷ୍କାର କରାଯାଇଛି ।‌ 
ପୁଣି କାଇପର୍ ବେଲ୍ଟ ପରେ ଓର୍ଟ୍ କ୍ଲାଉଡ୍ ପର୍ଯ୍ୟନ୍ତ ଆମ ସୌରଜଗତ ଵିସ୍ତୃତ ।‌ ଏହି ଓର୍ଟ୍ କ୍ଲାଉଡ୍‌ରେ ସହସ୍ରାଧିକ ଧୂମକେତୁ ଅଵସ୍ଥିତ ଓ ତନ୍ମଧ୍ୟରୁ ଅଧିକାଂଶ ସୂର୍ଯ୍ୟର ପ୍ରଦକ୍ଷିଣା କରୁଛନ୍ତି । ଓର୍ଟ୍ କ୍ଲାଉଡ୍ ପରେ ମାଗ୍ନେଟିକ଼ ବବଲ୍ସ ଅଛି ଯାହା ଆମ ସୌରମଣ୍ଡଳ ଓ ଆଲଫା ସେଣ୍ଟାଉରୀ ଭଳି ଅନ୍ୟ ପଡ଼ୋଶୀ ସୌରମଣ୍ଡଳ ମଧ୍ୟରେ ଏକ ସୀମା ଭଳି କାର୍ଯ୍ୟ କରିଥାଏ । ଅନେକ ଵୈଜ୍ଞାନିକ କିନ୍ତୁ ସୂର୍ଯ୍ୟଠାରୁ ଓର୍ଟ୍ କ୍ଲାଉଡ୍ ପର୍ଯ୍ୟନ୍ତ କ୍ଷେତ୍ରକୁ ହିଁ ଆମ ସୌରଜଗତର ଅଂଶ ଭାବେ ଗ୍ରହଣ କରନ୍ତି । 


ତେବେ କେହି କେହି ପ୍ରଶ୍ନ କରନ୍ତି, ଯଦି ପ୍ରାଚୀନ କାଳର ଲୋକେ ଦୂରଵିକ୍ଷଣ ଯନ୍ତ୍ର ଵିଷୟରେ ଜାଣିନଥିଲେ ତାହେଲେ ସେମାନେ କେମିତି ଜାଣିଲେ ଯେ ଆକାଶରେ ଦୃଶ୍ୟ ହେଉଥିଵା ତାରାଗୁଡି଼କ ମଧ୍ୟରେ କେଉଁଗୁଡି଼କ ଗ୍ରହ ଓ କେଉଁଗୁଡି଼କ ନକ୍ଷତ୍ର ? 

ସାଧାରଣତଃ କୁହାଯାଏ ଯେ ଆକାଶରେ ଯେଉଁ ତାରାଗୁଡି଼କ ମିଟିମିଟି କରେ ନାହିଁ ସେଗୁଡ଼ିକ ଗ୍ରହ ଓ ମିଟିମିଟି କରୁଥିଵା ତାରାଗୁଡ଼ିକ ନକ୍ଷତ୍ର ଅଟେ । ନକ୍ଷତ୍ରଗୁଡି଼କ ଆମଠାରୁ ବହୁ ଆଲୋକଵର୍ଷ ଦୂରରେ ଅଵସ୍ଥିତ ଏଵଂ ସେଗୁଡ଼ିକର ଆଲୋକ ଆମ ପାଖରେ ପହଞ୍ଚିଲାବେଳେ ଵାୟୁମଣ୍ଡଳର ଵିଭିନ୍ନ ସ୍ତର ଦେଇ ଗତି କଲାବେଳେ ତହିଁରେ ତାରତମ୍ୟ ଦେଖାଦେଇଥାଏ ଫଳତଃ ଅଧିକାଂଶ ତାରକା ଆମକୁ ମିଟିମିଟି କରୁଥିଵା ଜଣାପଡ଼ନ୍ତି । ମାତ୍ର ସୌରମଣ୍ଡଳର ଗ୍ରହଗୁଡି଼କ ଆମଠାରୁ ନିକଟରେ ଅଵସ୍ଥିତ ଥିଵାରୁ ସେଗୁଡି଼କର ଆଲୋକରେ ଏଭଳି ହେଵାର ମାତ୍ରା ଅନେକାଂଶରେ କମ୍ ହୋଇଯାଇଥାଏ ‌ । ତେବେ ରାତ୍ରି ଆକାଶରେ ସବୁ ନକ୍ଷତ୍ର ବି ମିଟିମିଟି କରନ୍ତି ନାହିଁ । ଅଭିଜିତ୍,ଆର୍କଟସ୍,ଅଗସ୍ତି ଓ ପ୍ରଶ୍ଵା ଭଳି କେତେକ ନକ୍ଷତ୍ର ଆମ ରାତ୍ରି ଆକାଶରେ ଅଧିକ ଉଜ୍ଜଳ ହୋଇଥିଵାରୁ ସେଗୁଡି଼କର ଆଲୋକ ମିଟିମିଟି ଅପେକ୍ଷାକୃତ କମ୍ ହୋଇଥାଏ । ତେଣୁ ପ୍ରାଚୀନ କାଳରେ ଅନ୍ୟ କୌଣସି ପଦ୍ଧତିରେ ନକ୍ଷତ୍ର ଓ ଗ୍ରହଗୁଡି଼କ ମଧ୍ୟରେ ପାର୍ଥକ୍ୟ କରାଯାଇଥିଲା ଏଵଂ ତାହା ହେଉଛି ନକ୍ଷତ୍ର ଓ ତାରକାମାନଙ୍କର ଆକାଶରେ ଗତି । 

ନକ୍ଷତ୍ର ଓ ଗ୍ରହଗୁଡି଼କ ମଧ୍ୟରେ ପାର୍ଥକ୍ୟ କରିଵାର କାର୍ଯ୍ୟ ଗୋଟିଏ ଦିନରେ ହୋଇନଥିଵ ଵରଂ ଏଥିପାଇଁ ଅନେକ ଵର୍ଷ ଲାଗିଥିଵ । ପ୍ରାଚୀନ ଜ୍ୟୋତିର୍ଵିଜ୍ଞାନୀମାନେ ଅନ୍ଧକାର ଖୋଲା ପ୍ରକୋଷ୍ଠ, ଗୁମ୍ଫା ତଥା ଉଚ୍ଚ ପାର୍ଵତ୍ୟ ଭୂମି ଉପରେ ଥାଇ ନିର୍ମଳ ରାତ୍ରି ଆକାଶରେ ତାରକାଗୁଡି଼କର ଗତିଵିଧିକୁ ଶହ ଶହ ଵର୍ଷ ଧରି ଲକ୍ଷ୍ୟ କରିଥିବେ ଏଵଂ ସେଗୁଡ଼ିକର ଉଦୟ,ଅସ୍ତ ଓ ଗତିପଥ ଵିଷୟରେ ପ୍ରଥମେ ଗହନ ଅଧ୍ୟୟନ, ଅନ୍ଵେଷଣ ଓ ପର୍ଯ୍ୟଵେକ୍ଷଣ କରିଥିବେ । ସେମାନେ ଦେଖିଥିବେ ପାଞ୍ଚୋଟି ଗ୍ରହ, ସୂର୍ଯ୍ୟ ଓ ଚନ୍ଦ୍ର ଏକ ନିର୍ଦ୍ଦିଷ୍ଟ ଗତିପଥରେ ସ୍ଵତନ୍ତ୍ର ଭାବେ ଉଦୟ ତଥା ଅସ୍ତ ହେଉଥିବାବେଳେ ତାରକାଗୁଡି଼କ ଧ୍ରୁଵକୁ କେନ୍ଦ୍ର କରି ଘୂରି ବୁଲୁଛନ୍ତି ଏଵଂ ସେଗୁଡ଼ିକର ଉଦୟ ଓ ଅସ୍ତ ଵର୍ଷର ଵିଭିନ୍ନ ସମୟରେ ଭିନ୍ନ ଭିନ୍ନ ହୋଇଥାଉଛି । ଫଳତଃ ଶେଷରେ ସେମାନେ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିବେ ଯେ ଆକାଶରେ ଦୃଶ୍ୟ ହେଉଥିଵା ତାରକାଗୁଡି଼କ ମଧ୍ୟରେ ଯେଉଁ ତାରା ଗୁଡ଼ିକ ଏକ ନିର୍ଦ୍ଧିଷ୍ଟ ଗତିପଥରେ ସବୁବେଳେ ଉଦୟ ଓ ଅସ୍ତ ହେଉଛନ୍ତି ସେଗୁଡି଼କ ଗ୍ରହ ଓ ବାକି ସବୁ ନକ୍ଷତ୍ର ଅଟନ୍ତି । ମୋଟ ଉପରେ କହିଵାକୁ ଗଲେ ଆଜି ଆଧୁନିକ ଜ୍ୟୋତିର୍ଵିଜ୍ଞାନରେ ଯାହା ବି ନୂତନ ଆଵିଷ୍କାର ହୋଇଛି ତହିଁର ମୂଳଦୁଆ ହଜାର ହଜାର ଵର୍ଷ ତଳେ ସେତେବେଳେ ହିଁ ପଡ଼ିଯାଇଥିଲା ଯେତେବେଳେ ମନୁଷ୍ୟ ରାତ୍ରି ଆକାଶରେ ତାରକାଗୁଡି଼କୁ ନିରୀକ୍ଷଣ ତଥା ସେଗୁଡି଼କର ଗତିପଥକୁ ଅନୁଶୀଳନ କରିଵା ଆରମ୍ଭ କରିଥିଲା । 
...

Sunday, May 28, 2023

ପ୍ରାଚୀନ ଧ୍ରୁଵତାରା Thuban ଵା ଯମ

ପ୍ଲୋଟୋ ଵାମନଗ୍ରହର ଭାରତୀୟ ନାମ 'ଯମ' ଦିଆଯାଇଛି କିନ୍ତୁ ପ୍ରାଚୀନ ଭାରତୀୟମାନେ Thuban ନକ୍ଷତ୍ରକୁ ପୂର୍ଵେ 'ଯମ' ନାମ ଦେଇଥିଲେ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ Thubanର ଯମ ନାମ ଉଲ୍ଲେଖ ଅଛି ।‌

Thuban ନକ୍ଷତ୍ର ଅପେକ୍ଷାକୃତ ଅଳ୍ପ ଉଜ୍ଜ୍ୱଳ ତେଣୁ ଏହାକୁ ଦେଖିଵାକୁ ନିର୍ମଳ ଓ ଅନ୍ଧକାର ରାତ୍ର ଆକାଶ ଆଵଶ୍ୟକ । ବାଇନାକୁଲର ଓ ଦୂରଵିକ୍ଷଣ ସାହାଯ୍ୟରେ ସହଜରେ ଏହି ନକ୍ଷତ୍ରକୁ ଦେଖାଯାଇପାରେ ।

 ଏହି ତାରକାକୁ ଠାବ କରିଵା ପାଇଁ Big dipper (ସପ୍ତର୍ଷିମଣ୍ଡଳ)ର Mizar(ଵଶିଷ୍ଠ) ତାରକାଠାରୁ little dipper (ଧ୍ରୁଵମତ୍ସ୍ୟ)ର Pherkad ତାରକାକୁ ଏକ କାଳ୍ପନିକ ସରଳରେଖା ଦ୍ଵାରା ଯୋଡି଼ଲେ ସେହି ସରଳରେଖା ମଧ୍ୟରେ Thuban ଵା ଯମ ଦୃଶ୍ୟ ହେଇଥାଏ । 


ଆଜକୁ ପ୍ରାୟ ୫୦୦୦ ଵର୍ଷ ତଳେ ଯେତେବେଳେ ମିଶରରେ ପିରାମିଡ୍ ନିର୍ମାଣ ଚାଲିଥିଲା ସେତେବେଳେ Thuban ଵା ଯମ ଥିଲା ପୃଥିଵୀର ଧ୍ରୁଵତାରା । ଏହାପରେ kochab ଏଵଂ ଵର୍ତ୍ତମାନ Polaris ପୃଥିଵୀର ଧ୍ରୁଵତାରା ପାହ୍ୟା ଲାଭ କରିଛି ‌।


୩୯୪୨ ଖ୍ରୀଷ୍ଟପୂର୍ଵରୁ ୧୭୯୩ ଖ୍ରୀଷ୍ଟପୂର୍ଵ ପର୍ଯ୍ଯନ୍ତ Thuban ପୃଥିଵୀର ଧ୍ରୁଵତାରା ଥିଲା ଏଵଂ ୨୮୩୦ ଖ୍ରୀଷ୍ଟପୂର୍ଵ ବେଳକୁ ଏହା ଉତ୍ତର ଧ୍ରୁଵର ସବୁଠାରୁ ନିକଟରେ ୦.୨°ରେ ଅଵସ୍ଥିତ ଥିଲା । ତେବେ ଏହା ଅନ୍ୟାନ୍ୟ ଧ୍ରୁଵତାରାଗୁଡ଼ିକ ଅପେକ୍ଷା ପୃଥିଵୀ ଆକାଶରେ ସବୁଠାରୁ ଅଳ୍ପ ଉଜ୍ଜ୍ୱଳ ଜଣାପଡ଼େ । Thuban ଆମଠାରୁ ୩୦୩ ଆଲୋକଵର୍ଷ ଦୂରରେ ଅଵସ୍ଥିତ ଏଵଂ ପ୍ରକୃତରେ ଗୋଟିଏ ନୁହେଁ ଵରଂ ଦୁଇଗୋଟି ତାରକା Alpha Draconis A ଓ Alpha Draconis B ସେଠାରେ ପ୍ରତି ୫୧.୫ ଦିନରେ ପରସ୍ପରକୁ ପ୍ରଦକ୍ଷିଣା କରୁଛନ୍ତି । Alpha Draconis A ମୁଖ୍ୟ ତାରକାର ପାରମ୍ପରିକ ନାମThuban ଏଵଂ ଏହା A0III ପ୍ରକାର ଵିଶାଳ ଶୁଭ୍ର ଧଵଳ ତାରକା ଅଟଇ । ଏହାର ସୂର୍ଯ୍ୟଠାରୁ ଓଜନ ୨.୮ ଗୁଣ ଅଧିକ ଏଵଂ ସୂର୍ଯ୍ୟଠାରୁ ଏହା ୪୭୯ଗୁଣ ଅଧିକ ଉଜ୍ଜଳ ନକ୍ଷତ୍ର ଅଟେ । ଏହି ନକ୍ଷତ୍ରର ଆକାର ସୂର୍ଯ୍ୟ ଅପେକ୍ଷା ୩.୪ ଗୁଣ ଅଧିକ । ତେବେ ପୃଥିଵୀଠାରୁ ବହୁ ଦୂରରେ ଅଵସ୍ଥିତ ଥିଵାରୁ ଏହି ତାରକାଟି ପୃଥିଵୀପୃଷ୍ଠରୁ ସେତେ ଉଜ୍ଜ୍ୱଳ ଜଣାପଡ଼ିନାହିଁ । Alpha Draconis B ସୂର୍ଯ୍ୟ ଅପେକ୍ଷା ୨.୪ ଗୁଣ ଅଧିକ ଓଜନିଆ ଏଵଂ ୪୦ଗୁଣ ଅଧିକ ଉଜ୍ଵଳତମ । ଵୈଜ୍ଞାନିକମାନେ ଏହା Spectral A² ତାରକା ହୋଇଥିଵା ଅନୁମାନ କରନ୍ତି । 


 ପୃଥିଵୀର ଗୋଟିଏ ପୂର୍ଣ୍ଣ ଵିଷୁଵ ଅଗ୍ରଗମନ( Precession of the equinoxes)କୁ ୨୬୦୦୦ ଵର୍ଷ ସମୟ ଲାଗିଥାଏ ଏଵଂ ଯୋଗୁଁ ପ୍ରତି ଦୁଇ ତିନି ହଜାର ଵର୍ଷରେ ଧ୍ରୁଵତାରାର ପାହ୍ୟା ବଦଳିଥାଏ ।‌ ଫଳତଃ ୨୦୩୪୬ ଖ୍ରୀଷ୍ଟାବ୍ଦରେ ପୁଣି thuban ପୃଥିଵୀର ଧ୍ରୁଵତାରା ପାହ୍ୟା ଲାଭ କରିଵ ।

Saturday, May 27, 2023

ବାଣ୍ଟୁ ଜନଜାତିରେ ଜୀଵ ସୃଷ୍ଟିର କାହାଣୀ

ଆଫ୍ରିକୀୟ ବାଣ୍ଟୁ ଜନଜାତିର ମୁଖ୍ୟ ଦେଵୀଙ୍କ ନାମ Leza(ଲେଜ଼ା) । ଏହାଙ୍କ ଵିଷୟରେ ଵିଭିନ୍ନ ବାଣ୍ଟୁ ଉପଜାତିରେ ନାନା ଗାଥା ରହିଛି । ବାଣ୍ଟୁ ଶାଖାର କାଓଣ୍ଡେ ଜନଜାତିରେ ପ୍ରଚଳିତ ଏକ ଲୋକକଥା ଅନୁସାରେ ଥରେ ଦେଵୀ ଲେଜା ଏକ Honeybird(Indicatoridae)କୁ ତିନୋଟି ଲାଉ ଦେଇଥିଲେ ଏଵଂ ସେଗୁଡି଼କୁ ମଣିଷଙ୍କୁ ପ୍ରଦାନ କରିଵାକୁ ନିର୍ଦ୍ଦେଶ ଦେଇଥିଲେ । 

ସେ ସେହି ପକ୍ଷୀକୁ ଗଲାବେଳେ କହିଥିଲେ ଯେ ଲାଉ ମଧ୍ୟରୁ ଦୁଇଟିରେ ଵିଭିନ୍ନ ଗଛର ମଞ୍ଜି ଅଛି ଏଵଂ ମଣିଷ ସେହି ଦୁଇଟିକୁ ଖୋଲିପାରିଵ । ତେବେ ଦେଵୀ ଲେଜା ପୃଥିଵୀକୁ ନ ଆସିଵା ପର୍ଯ୍ୟନ୍ତ ତୃତୀୟ ଲାଉ ନଭାଙ୍ଗିଵାକୁ ସେ କଡ଼ା ଆଦେଶ ଦେଇଥିଲେ । 

ଲାଉକୁ ନେଇ ଯାଉଥିଵା ସମୟରେ Indicatoridae ଜାତୀୟ ପକ୍ଷୀଟି ଉତ୍ସୁକ ହୋଇ ସବୁ ଲାଉକୁ ଭାଙ୍ଗିଦେଲା। ଫଳତଃ ଦୁଇଗୋଟି ଲାଉରୁ ମଞ୍ଜି ଛିଟିକି ଯାଇ ଚାରିଆଡ଼େ ଗଛ ହୋଇଯାଇଥିଲା, କିନ୍ତୁ ତୃତୀୟ ଲାଉ ଭିତରେ ମୃତ୍ୟୁ, ଅସୁସ୍ଥତା ଆଉ ଵିପଜ୍ଜନକ ଜୀଵ ଥିଲେ। ଚାହୁଁ ଚାହୁଁ ସେ ଲାଉରୁ ବାହାରି ସାରା ପୃଥିଵୀରେ ବାଘ ଭାଲୁ ବିଲୁଆ ଗଧିଆ ସାପ ବିଚ୍ଛା ଆଦି ସବୁ ଜୀଵ ଵ୍ୟାପିଗଲେ । 

ଲେଜା ଯେତେବେଳେ ଏକଥା ଜାଣିଲେ ସେ ଚେଷ୍ଟା କରି ବି ଆଉ ସେମାନଙ୍କୁ ନିୟନ୍ତ୍ରଣ କରିପାରିନଥିଲେ । ତେଣୁ ମଣିଷ ନିଜକୁ ରକ୍ଷା କରିଵା ପାଇଁ ଗୁମ୍ଫା ଆଦିରେ ପ୍ରାରମ୍ଭିକ ଆଶ୍ରୟସ୍ଥଳୀ ନିର୍ମାଣ କରିଵାକୁ ବାଧ୍ୟ ହୋଇଥିଲା ।
     ×••••••••••••••••••••×

ବାଣ୍ଟୁ ଜନଜାତିର ଏକ ଉପଜାତି କାଓଣ୍ଡେ ଏଵଂ ଏମାନେ ଵିଶେଷତଃ ଜାମ୍ବିଆ ଓ କଙ୍ଗୋରେ ଵସଵାସ କରନ୍ତି ।‌ ଏମାନଙ୍କ ସଂଖ୍ୟା ଏବେ ପ୍ରାୟ ତିନି ଲକ୍ଷ ପଚାଶ ହଜାର ଥିଵା ଜଣାପଡି଼ଛି । Indicatoridae ଜାତୀୟ ପକ୍ଷୀଙ୍କୁ Honeybird କୁହାଯାଏ । ଵିଶେଷକରି ଆଫ୍ରିକୀୟ Brown backed Honeybird(Prodotiscus regulus) ଜାମ୍ବିଆ ଓ କଙ୍ଗୋ ଦେଶରେ ଦେଖାଯାଇଥାନ୍ତି ।

Thursday, May 25, 2023

ଦୂରାଵସ୍ତା,ଦୁରଵସ୍ଥା ଓ ରାଧାନାଥ

ଵିଦ୍ୟାଳୟ ପରିଦର୍ଶକ ଭାବେ କାର୍ଯ୍ୟରତ ଥିଲା ବେଳେ ଥରେ ଗୋଟିଏ ବ୍ରାହ୍ମଣ ଶାସନର ଚଉପାଢ଼ୀରେ ରାଧାନାଥ ରାୟ ପହଞ୍ଚି ଦେଖିଲେ କୋଡ଼ିଏ ପଚିଶଟି ପିଲା ଏକାଠି ବସି ବଡ଼ପାଟିରେ କ'ଣ ଗୁଡାଏ ଶ୍ଲୋକ ଆଵୃତି କରୁଛନ୍ତି । ପିଲାଙ୍କ ଅବଧାନ ତେଣେ ଗାମୁଛାଟିଏ ପିନ୍ଧି ପିଣ୍ଡାକୁ ଆଉଜି ବସି ଢ଼ୁଳାଉଛନ୍ତି । ରାଧାନାଥ ଅବଧାନଙ୍କୁ ଉଠାଇ ଵିଦ୍ୟାଳୟ ଵିଷୟରେ ଭଲମନ୍ଦ ପଚାରିଵାରୁ ପଣ୍ଡିତେକହିଲେ , କ'ଣ କହିଵା ଆଜ୍ଞା ଆମର ଦୂରାଵସ୍ତା ଦୁର୍ଦ୍ଦଶା ତ ଆପଣ ସ୍ଵଚକ୍ଷୁରେ ଦେଖୁଛନ୍ତି । 

ରାଧାନାଥ ଅଳ୍ପ ହସି କହିଲେ ତାହା ତ ଆପଣଙ୍କର ଏହି ଦୂରାଵସ୍ତା ଶବ୍ଦ ପ୍ରୟୋଗରୁ ହିଁ ଜାଣିପାରୁଛି । ସଂସ୍କୃତ ପଣ୍ଡିତଙ୍କର ଶବ୍ଦଜ୍ଞା ଦର୍ଵଳତା, ଦୁରଵସ୍ଥା ନକହି ଦୂରାଵସ୍ତା କହିଵାରେ କିପରି ସୂଚିତ ହେଉଛି ରାଧାନାଥ ତାହା ଜଣାଇଦେଲେ ଏଵଂ ଵିଦ୍ୟାଳୟରେ ଛାତ୍ର ତଥା ଶିକ୍ଷକଙ୍କର ଵ୍ୟଵହାର ପାଇଁ କିଛି କାଗଜ ଓ କଲମ ପଣ୍ଡିତଙ୍କୁ ଦେଇ ଆସିଲେ । 

ଏ ଘଟଣାର କିଛିଦିନ ପରେ ସେହି ପଣ୍ଡିତେ ପାଦରେ ଚାଲି ଚାଲି ରାଧନାଥଙ୍କ କଟକ ଘରେ ପହଞ୍ଚି ତାଙ୍କୁ ସାକ୍ଷାତ କରି ସେ ଦେଇଥଵା କାଗଜ ଓ କଲମ ଫେରାଇ ଦେଲେ । କାରଣ ଯାହା କହିଥିଲେ ସେଥିରୁ ବୁଝାଗଲା ଵିଦ୍ୟାଳୟପାଇଁ କାଗଜ କଲମ ରଖିଥିଵାରୁ ଓ ତାଙ୍କୁ ସ୍ପର୍ଶ କରିଥିଵାରୁ ବ୍ରାହ୍ମଣ ଶାସନରେ ସେ ବାସନ୍ଦ ହୋଇଛନ୍ତି । ସେଥି ପାଇଁ ତାଙ୍କ ପିତୃଶ୍ରାଦ୍ଧରେ ଜ୍ଞାତିକୁଟୁମ୍ବ ଓ ପ୍ରତିବେଶୀ କେହି ନିମନ୍ତ୍ରଣ ରକ୍ଷା କରି ଯୋଗ ଦେଇନାହାନ୍ତି । ରାଧାନାଥ ଯେତେ ବୁଝାଇଲେ ବି ପଣ୍ଡିତେ କାଗଜ, କଲମ ଫେରାଇ ନେଲେ ନାହିଁ। ରାଧାନାଥ ପୁନର୍ଵାର ସେଠାକୁ ଯାଇ ନେତୃସ୍ଥାନୀୟ ଶାସନପତିମାନଙ୍କ ସହ ଆଲୋଚନାକରି ଆଧୁନିକ ଶିକ୍ଷାର ଵ୍ୟଵସ୍ଥା କରିଥିଲେ।

 ଭାରତର ଵିଭିନ୍ନ ଇଣ୍ଡିକ୍ ଭାଷାଗୁଡି଼କରେ କଥା ହେଲାବେଳେ ଅନେକେ ଦୁରଵସ୍ଥା ଶବ୍ଦକୁ ଦୂରାଵସ୍ତା ଓ ଦୂରାଵସ୍ଥା ଏଵଂ କେହି କେହି ମଧ୍ୟ ଏଥିରେ ଅଭ୍ୟସ୍ତ ଥିଵା ଯୋଗୁଁ ସେହିପରି ଲେଖିଥାନ୍ତି । ତେବେ ଏ ଶବ୍ଦର ଶୁଦ୍ଧ ରୂପ ଦୁରଵସ୍ଥା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ 
 ଦୁରାଵସ୍ଥା ଓ ଦୁରାଵସ୍ତା ଶବ୍ଦ ତଳେ ଉଲ୍ଲେଖ କରାଯାଇଛି । ଭାଷାକୋଷରେ ଦୁରଵସ୍ଥା ଶବ୍ଦର ଅର୍ଥ ଦୁର୍ଭାଗ୍ୟ, ମନ୍ଦଦଶା, ଦୁର୍ଦ୍ଦଶା, ଦୈନ୍ୟ, ହୀନାଵସ୍ଥା ଓ ଶୋଚନୀୟ ଅଵସ୍ଥା ଉଲ୍ଲେଖ ରହିଛି ‌‌। 

Saturday, May 20, 2023

ଆମ ଭାଷାରେ ଅଛି ରୋଷେଇଘର ଅର୍ଥରେ କୋଡ଼ିଏରୁ ଅଧିକ ପ୍ରତିଶବ୍ଦ

ଇଂରାଜୀ ଭାଷାରେ ରୋଷେଇ ଘର ପାଇଁ ସାଧାରଣତଃ kitchen,cooker,cookhouse,cuisine(ପୂର୍ଵେ ପ୍ରଚଳିତ ଥିଲା),galley ଓ kitchenette
ଶବ୍ଦ ଵ୍ୟଵହାର ହୋଇଥାଏ ଓ ହେଉଥିଲା । ଇଂରାଜୀ ତୁଳନାରେ ଓଡ଼ିଆ ଭାଷାରେ ତତ୍ସମ‌ ଓ ଦେଶଜକୁ ମିଶାଇ କୋଡ଼ିଏରୁ ଅଧିକ ପ୍ରତିଶବ୍ଦ ଅଛି । 

ସର୍ଵଭାରତୀୟ ଶବ୍ଦ ଭାବେ kitchen ଅର୍ଥରେ ଵ୍ୟଵହୃତ ଭାରତୀୟ ଶବ୍ଦଗୁଡି଼କ ହେଲା 
ପାକଶାଳା,ପାକସ୍ଥାନ,ଅନସ୍,
ମହାନସ,ସୂଦଶାଳା,ଆସାଦ,
ପଚନାଗାର,ରନ୍ଧନଶାଳା,ରନ୍ଧନଗୃହ,ପାକସ୍ଥାନ,ରସଵତୀ,
ଭକ୍ତଶାଳା,ସୂପସ୍ଥାନ,ସୂପଶାଳା ଓ 
ସ୍ବେଦନିକା । ସେହିପରି ଓଡ଼ିଆ ଭାଷାରେ kitchen ପାଇଁ ରନ୍ଧାଘର,ଚୂଲୀମୁଣ୍ଡ,ହାଣ୍ଡିଶାଳ,
ଭିତରଘର,ରୋଷେଇଘର,ରାନ୍ଧଣାଘର,ରନ୍ଧାଘର,ଭାନସ୍ ଘର୍,
ମଡ଼ଫୁଲିଘର ଓ ଆନ୍ନାଘର ଆଦି ଶବ୍ଦ ରହିଛି । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୭୭୫ତମ ପୃଷ୍ଠାରେ ଗଞ୍ଜାମ ଅଞ୍ଚଳରେ ପ୍ରଚଳିତ ଥିଵା "ଆନ୍ନାଘର" ଶବ୍ଦର ଉଲ୍ଲେଖ ରହିଛି । ସାଧାରଣତଃ ରୋଷେଇଘର ଵା ରନ୍ଧାଘରକୁ ଗଞ୍ଜାମରେ ଆନ୍ନାଘର କୁହାଯାଉଥିଲା । ଆନ୍ନାଘର ଶବ୍ଦରେ ଥିଵା ଆନ୍ନା ଶବ୍ଦଟି ତତ୍ସମ ଅନ୍ନ ସହିତ ସମଦ୍ଧୃତ । ତେଣୁ ଅନ୍ନ ଯେଉଁ ଘରେ ପ୍ରସ୍ତୁତ ହୋଇଥାଏ ତାକୁ ଅନ୍ନଘର ଵା ଆନ୍ନାଘର କୁହାଯାଉଥିଲା । 
ପୁଣି ଭାଷାକୋଷ ଅନୁସାରେ ମଡ଼ଫୁଲିଘର ଓଡ଼ିଆ ଭାଷାର ଏକ ପ୍ରାଚୀନ ଶବ୍ଦ ଯାହା ପୂର୍ଵେ ରୋଷେଇଘର ଅର୍ଥରେ ଵ୍ୟଵହୃତ ହେଉଥିଲା ‌। ସାରଳା ମହାଭାରତରେ ମଡ଼ଫୁଲି ଶବ୍ଦ ଵ୍ୟଵହାର ହୋଇଅଛି । 

“ପଣ୍ଡୁ ବୋଇଲେ ଆଜ କ୍ଷୁଧା ବଡ ଲାଗି ଦୁଗୁଣା ମଡ଼ଫୁଲି ରାନ୍ଧଣା କର ବେଗି ।

×××××××××
ଶୋଇଲା ଠାବରୁ ଗୁଳୁଗୁଞ୍ଚା ମାରି ଉଠି ରାନ୍ଧଣା ଶାଳେ ପଶି ପାକନ୍ତ କରଇ ଅଇଂଠି । 
ପଠୁ ଗୁପତ ହୋଇ ବସିଥିଲେ ପରବତେ ଧାତିକାରେ କବାଟ ଫେଡିଣ ପଶିଲେ ଗୃହଗତେ ।
 ମଡ଼ଫୁଲି ଘରେ ଯେ ପଶିଲେ ଗୁପତ ହୋଇ
ଦେଖିଲେ ଭୀମସେନ ପାକନ୍ତ ସବୁ ଖାଇ ।”

××××××××
“ଯେତେକ ଯୋଗାଡ଼ ତୁମ୍ଭର ମଢ଼ଫୁଲି
ତୁମ୍ଭର ମୁଣୋହି ନ କରୁ ମୁଂ ଆଗ ତା ପାଇଲି ।”

ସାରଳା ଦାସଙ୍କ ସମୟରେ ରାଜା ଓ ଦେଵତାଙ୍କର ରନ୍ଧାଖାଦ୍ୟକୁ ମଡ଼ଫୁଲି, ମଢ଼ଫୁଲି ଓ ମେଢ଼ଫୁଲି ତଥା kitchenକୁ ଓଡ଼ିଆ ଭାଷାରେ ମଡ଼ଫୁଲିଘର, ମଢ଼ଫୁଲିଘର ଓ ମେଢ଼ଫୁଲିଘର କୁହାଯାଉଥିଲା କିନ୍ତୁ ଏହବୁ ଶବ୍ଦ ଆଉ ଚଳୁନାହିଁ । ଏହି ମଡହ,ମଢ଼ ଵା ମେଢ଼ ଶବ୍ଦଟିର ସଂସ୍କୃତ ମଣ୍ଡପ ସହିତ ସଗୋତ୍ରୀୟ ସମ୍ପର୍କ ଅଛି ବୋଲି ଭାଷାକୋଷରୁ ଜଣାଯାଏ । ଆଜିକାଲି ବାଉଁଶ, କାଠ ଵା କୁଟା ଆଦିରେ ରଚିତ ଠାକୁରପ୍ରତିମାଙ୍କର ଥାଟକୁ ମେଢ଼ କୁହାଯାଉଛି ।‌ ତେବେ ଆଗେ 
ଦେଵତାଙ୍କ ଆସନ,ସୀମା ନିର୍ଦ୍ଦେଶକ ରେଖା,ନଅର ଵା ରାଜପ୍ରସାଦ,ବାଳକାଟିଵାର ପ୍ରଣାଳୀ,ଉଚ୍ଚ ହିଡ଼, ଅନ୍ତଃପୁରର ସୁସଜ୍ଜିତ ପ୍ରକୋଷ୍ଠ,ଅଟ୍ଟାଳିକା ଓ ଅଟ୍ଟାଳିକା ଅନ୍ତର୍ଗତ ଆସନକୁ ମେଢ଼ କୁହାଯାଉଥିଲା । ଆଜି ବି ଓଡ଼ିଶାର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ବଡ଼ ବଡ଼ ଅଟ୍ଟାଳିକା ତଥା ନଵରକୁ ମେଡ଼ଘର କୁହାଯାଉଛି । ତେବେ ସମ୍ଭଵତଃ କେଵଳ ରାଜା ଓ ଦେଵତାଙ୍କ ରୋଷେଇ ଘର ପାଇଁ ଵ୍ୟଵହୃତ ହେଉଥିଵା ହେତୁ ମଡ଼ଫୁଲିଘର,ମଢ଼ଫୁଲିଘର ଓ ମେଢ଼ଫୁଲିଘର ଇତ୍ୟାଦି ଶବ୍ଦ କ୍ରମଶଃ ଲୁପ୍ତ ହୋଇଯାଇଅଛି । ଓଡ଼ିଶାର ପୂର୍ଵାଞ୍ଚଳର ଗ୍ରାମାଞ୍ଚଳରେ ଭିତରଘର, ଚୂଲୀମୁଣ୍ଡ, ହାଣ୍ଡିଶାଳ ଆଦି ଶବ୍ଦ ଏବେବି ଚଳୁଅଛି । ଢେଙ୍କାନାଳରେ ଭିତରଘର ଓ ରୁଷେଇଘର ଶବ୍ଦର ପ୍ରଚଳନ ଥିଵା ଦେଖାଯାଏ। ଆଗେ ରାଜାରାଜୁଡ଼ା ସମୟରେ ଅନ୍ତଃପୁର ଓ ଗୃହ ଅଭ୍ୟନ୍ତରରେ ଥିଵା ଗୃହକୁ ଭିତରଘର ଓ ଭିତରପୁର କୁହାଯାଉଥିଲା । 

“ଜନନୀ ମୁଖରୁ ଶୁଣିଣ କୁମର ଭିତର ପୁରକୁ ଗଲା, ମଣୋହି ସାରିଣ ଚଉରାଶି ଫୁଲ ପଲଙ୍କରେ ପ‌ହୁଡ଼ିଲା । ”
(ଟୀକା ଗୋବିନ୍ଦ ଚନ୍ଦ୍ର, ଯୋଗୀନ୍ଦ୍ର ଵିପ୍ର)

“କିନ୍ତୁ ଥରେ ଗୋଟିଏ ଵିଭ୍ରାଟ ହେଲା । ସେଦିନ ଯୁଧିଷ୍ଠିର ଓ ଦ୍ରୌପଦୀ ଭିତର ଘରେ ଥିଲେ । ଏତିକିବେଳେ ଜଣେ ବ୍ରାହ୍ମଣ ଆସି ପହଞ୍ଚିଲେ ।”
(ପୁ—ଆମ ଦେଵାଦେଵୀ,ନଵଗୁଞ୍ଜର)

 ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଓଡ଼ିଶାର ପଶ୍ଚିମାଞ୍ଚଳ ରୋଷେଇଘରକୁ ଭାନ୍‌ସ ଘର୍ କୁହାଯାଉଥିଲା । ଆଧୁନିକ ମାନକ ଓଡ଼ିଆ ଭାଷାରେ ରୋଷେଇଘର ଶବ୍ଦ ଵିଶେଷ ଵ୍ୟଵହୃତ ହୋଇଥାଏ । ପ୍ରାଚୀନ ସାହିତ୍ୟରେ ରୋଷେଇଶାଳ ଶବ୍ଦର ପ୍ରୟୋଗ ଥିଵା ମଧ୍ୟ ଜଣାଯାଏ । 

“ସୁଵର୍ଣ୍ଣର ଚଟୁ ଗୋଟି ହାତରେ ଧଇଲେ । ରୋଷେଇ ଶାଳକୁ ଲକ୍ଷ୍ମୀ ନିଜେ ବିଜେ କଲେ ।”
(ମାଣଵସା ଲକ୍ଷ୍ମୀ ପୁରାଣ)

“ଆଜ୍ଞା ପାଇ ନଳରାଜା ସନମତ କଲେ । ରୋଷେଇ ଶାଳରେ ଯାଇ ପ୍ରବେଶ ହୋଇଲେ ।”
(ସୁଦଶା ଵ୍ରତ କଥା)

ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସର୍ଵଭାରତୀୟ ଶବ୍ଦ ପାକଶାଳା ମଧ୍ୟ ଵ୍ୟଵହୃତ ହୋଇଅଛି

”ପଣ୍ଡୁ ବିଜେ କଲେ ଆସି ଆପଣା ଆସନେ କୋଇନ୍ତାୟେ ବିଜେ କଲେ ପାକଶାଳା ଭୁବନେ ।”

ରନ୍ଧନଶାଳା ଶବ୍ଦ ବି ଓଡ଼ିଆ ସାହିତ୍ୟରେ ଵ୍ୟଵହୃତ ହୋଇଥିଵା ଜଣାଯାଏ

“ରନ୍ଧନ ଶାଳାରେ ହାଣ୍ଡି ଭାଙ୍ଗିଲା କ ଯହୁଁ । ଉପଵାସେ ସମସ୍ତେ ଯେ ରହିଲେ କ ତହୁଁ ।”


ମାତ୍ର ଏ ଯୁଗରେ କିଛି ତଥାକଥିତ ଆଧୁନିକ ଓଡ଼ିଆମାନେ ଓଡ଼ିଆ ଭାଷାରେ ପୂର୍ଵେ ପ୍ରଚଳିତ ରୋଷେଇଘର ଅର୍ଥଜ ଏସବୁ ଶବ୍ଦ ନ ଵ୍ୟଵହାର କରି ଇଂରାଜୀ kitchen ପ୍ରେମରେ ପଡି଼ଛନ୍ତି । କିନ୍ତୁ ସେମାନେ କ'ଣ kitchen ଶବ୍ଦକୁ ଭଲ ଭାବରେ ଜାଣନ୍ତି କି ? 

ମଧ୍ୟ ଯୁଗୀୟ ଇଂରାଜୀରେ kitchen ଶବ୍ଦକୁ kychyn, kytchen, kichene ଓ küchen, ତଥା ପ୍ରାଚୀନ ଇଂରାଜୀରେ cyċen ଓ cyċene କୁହାଯାଉଥିଲା ‌। ଏହି ସବୁ ଶବ୍ଦର ପ୍ରାକ୍ ଜର୍ମାନିକ୍ ଶବ୍ଦରୂପ *kukinā ଥିଲା ଏଵଂ ତାହା ଏକ ପ୍ରାଚୀନ ଲାଟିନ୍ ଶବ୍ଦ cocīna ଵା coquīna (“kitchen; cuisine”)ରୁ ନିଆଯାଇଥିଲା । 

ପୁଣି ଲାଟିନ ଭାଷାରେ ପୂର୍ଵେ ପ୍ରଚଳିତ cocīna ଵା coquīna ଶବ୍ଦର ମୂଳ କ୍ରିୟାରୂପ coquō (“to cook”) ଥିଲା ଏଵଂ ପାଶ୍ଚାତ୍ୟ ଭାଷାଵିଦମାନେ ଏହାର ପ୍ରାକ୍ ଭାରୋପୀୟ କ୍ଷୁଦ୍ରରୂପ *pekʷ- (“to cook, become ripe”) ନିର୍ଣ୍ଣୟ କରିଛନ୍ତି । ମୂଳ ଭାରୋପୀୟ ଧାତୁରୂପ *pekʷ ସହିତ ସଂସ୍କୃତ ଭାଷାରେ ଵ୍ୟଵହୃତ ପଚ୍ ଧାତୁ ତଥା ଓଡ଼ିଆ ଭାଷାର ମୂଳ ଧାତୁ ଶବ୍ଦ ପାଚ୍ ଓ ପାକ୍ ଆଦିର ସଗୋତ୍ରୀୟ ସମ୍ବନ୍ଧ ରହିଛି । ଫଳତଃ ଆମର ପାକ,ପକ୍ଵ,ପାକଲା,ପାଚିଲା ଆଦି ଶବ୍ଦର ପ୍ରୋକ୍ତ ୟୁରୋପୀୟ ଶବ୍ଦ ଗୁଡି଼କ ସହିତ ଶାବ୍ଦିକ ସମ୍ପର୍କ ରହିଛି ବୋଲି କୁହାଯାଇପାରେ। ଏଣୁ ଏ ଦୃଷ୍ଟିରୁ ଦେଖିଲେ kitchen ଶବ୍ଦର ଭାରତୀୟ 'ପାକ','ପାଚନ','ପକ୍ତି,'ପକ୍ଵ ଆଦି ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ରହିଛି । ଉଲ୍ଲେଖଯୋଗ୍ୟ ଯେ ପଚ୍ ଧାତୁରୁ ପାକ ଓ ପାଚନ ଆଦି ଶବ୍ଦ ନିଷ୍ପନ୍ନ ହୋଇଅଛି । 
 
ଯଦି kitchen ଓ ପାକଶାଳାର ପାକ ଶବ୍ଦ ଗୋଟିଏ ମୂଳ ଭାରୋପୀୟ ଶବ୍ଦରୁ ଭିନ୍ନ ଭିନ୍ନ ଦିଗରେ ସୃଷ୍ଟି ହୋଇଛି ତାହେଲେ Kitchen ଶବ୍ଦରେ ଏମିତି ନୂଆଟା କ'ଣ ଅଛି ଯେ ତହିଁ ପ୍ରତି ଭାରତୀୟ ଜନସମାଜ ଆକୃଷ୍ଟ ହେଉଛନ୍ତି ?

Friday, May 19, 2023

ଏକ ପ୍ରାଚୀନ ଭାରତୀୟ ଶବ୍ଦ: ଦାରୁ

ଵୃକ୍ଷ ଓ କାଷ୍ଠ ଅର୍ଥରେ ଵ୍ୟଵହୃତ ଦାରୁ ଶବ୍ଦଟି ଏକ ପ୍ରାଚୀନ ଭାରୋପୀୟ ଶବ୍ଦ ଯାହାକୁ ଆଜି ବି ଓଡ଼ିଶାର ଲୋକେ ନିଜ କଥିତ ଓ ଲିଖିତ ଭାଷାରେ ବଞ୍ଚାଇ ରଖିଛନ୍ତି ।‌ ଆମ ଭାଷାର ଶହ ଶହ କଵିତା,କାଵ୍ୟ ଓ ଗୀତରେ ଦାରୁ ଶବ୍ଦର ପ୍ରୟୋଗ ହୋଇଛି ପୁଣି ସ୍ଵୟଂ ଭଗଵାନ ଶ୍ରୀଜଗନ୍ନାଥଙ୍କୁ କଳିଙ୍ଗ ଦେଶଵାସୀ ଦାରୁଦିଅଁ,ଦାରୁବ୍ରହ୍ମ,ଦାରୁମୂର୍ତ୍ତି,
ଦାରୁଦେଵତା ଓ ଦାରୁରୂପ ଆଦି ସମ୍ବୋଧନ କରିଥାନ୍ତି । ଏକପ୍ରକାର ଗଛର କାଠରୁ ସଂଗୃହୀତ ଵିଷ ହୋଇଥିଵାରୁ ଆମ ଭାଷାରେ ମହୁରାକୁ ଦାରୁମୁଷି କୁହାଯାଏ । କିଂକର୍ତ୍ତଵ୍ୟଵିମୂଢ଼ ଅର୍ଥରେ ଆମ ଭାଷାରେ ଦାରୁଭୂତ ଓ ଦାରୁଭୂତ ମୁରାରୀ ଵ୍ୟଵହୃତ ହୋଇଥାଏ । ଗଛର କାଠ ହୋଇଥିଵାରୁ ଡାଲଚିନିକୁ ଓଡ଼ିଆ ଭାଷାରେ ଦାରୁଚିନି ବି କୁହାଯାଏ । ଦେଵଦାରୁ ଗଛର ନାଆଁରେ ବି ଦାରୁ ରହିଛି । ଓଡ଼ିଶାରେ ନିମ୍ବଗଛକୁ ଦାରୁ କୁହାଯାଏ ଯେହେତୁ ଏହି କାଠରୁ ଶ୍ରୀଜଗନ୍ନାଥଙ୍କର ଵିଗ୍ରହ ହୋଇଥାଏ । 

 ତେବେ ପ୍ରାୟ ଦୁଇ ଶତାବ୍ଦୀ ଧରି ଏ ଦେଶର ଭାଷାଵିଦମାନେ ଦାରୁ ଶବ୍ଦକୁ ଏକ ଆଷ୍ଟ୍ରୋଏସୀୟ ଭାଷା ମୂଳର ଶବ୍ଦ ବୋଲି ଅନୁମାନ କରି ବସିଯାଇଛନ୍ତି । ସାନ୍ତାଳୀ,ଖଡି଼ଆ,ମୁଣ୍ଡା ଓ ହୋ ଆଦି ଜନଜାତୀୟ ଭାଷାରେ ଗଛକୁ ଦାରୁ କୁହାଯାଏ ବୋଲି ଓଡ଼ିଶାର କିଛି ଭାଷାଵିଦ ଭାଵନ୍ତି ଏହି ଦାରୁ ଶବ୍ଦଟି ଜନଜାତୀୟ ମୂଳର ଶବ୍ଦ । ତେବେ ଋକଵେଦ ଓ ମହାଭାରତ ଇତ୍ଯାଦି ଅନେକ ପୁରାତନ ଗ୍ରନ୍ଥରେ ଦାରୁ ଶବ୍ଦର ଵ୍ଯଵହାର ଦୃଶ୍ୟ ହୋଇଥାଏ । 

ଋକଵେଦର ସୂକ୍ତ ୬:୩ରେ ଦାରୁ ଶବ୍ଦ ଵ୍ଯଵହାର ହୋଇଛି 

"ତିଗ୍ମଂ ଚିଦେମ ମହି ଵର୍ପୋ ଅସ୍ଯ ଭସଦଶ୍ଵୋ ନ ଯମସାନ ଆସା ।
ଵିଜେହମାନଃ ପରଶୁର୍ନ ଜିହ୍ଵାଂ ଦ୍ରଵିର୍ନ ଦ୍ରାଵୟତି ଦାରୁ ଧକ୍ଷତ୍ ॥୪॥"

ସଂସ୍କୃତ ଭାଷାରେ ଦାରୁ ଶବ୍ଦର ଗଛ(ଵିଶେଷତଃ ଚନ୍ଦନ,ନିମ୍ବ ଓ ଦେଵଦାରୁ ଆଦି ପଵିତ୍ର ଗଛ),କାଠ,ଇନ୍ଧନ,ଶିଳ୍ପୀ,ବଢ଼େଇ,ଦାତା,ଛେଦକ,ଖଣ୍ଡନଶୀଳ ଓ ଵିଦାରକ ଆଦି ଅର୍ଥରେ ପ୍ରୟୋଗ ରହିଛି । ସେହିପରି ଆଧୁନିକ ଯୁଗରେ ଭାରତରେ ପାର୍ସୀ ମୂଳରୁ ଏକ ଦାରୁ ଶବ୍ଦ ଆସି ବାରୁଦ,ମଦ ଓ ଔଷଧ ଅର୍ଥରେ ଦାରୁ ଶବ୍ଦ ଵ୍ୟଵହୃତ ହେଉଅଛି। କିନ୍ତୁ ଓଡ଼ିଆ ତଥା ଅନ୍ୟ ଅନେକ ଜନଜାତୀୟ ଭାଷାରେ ଗଛ,ନିମ୍ବଗଛ,ନିମ୍ବକାଠକୁ ବି ଦାରୁ କୁହାଯାଏ । 

ଵ୍ୟାସଙ୍କର ମହାଭାରତରେ କାଷ୍ଠ ଅର୍ଥରେ ଦାରୁ ଶବ୍ଦ ଵ୍ୟଵହୃତ ହୋଇଥିଵା ଜଣାଯାଏ । 
 “ଶଣଂ ତୈଳଂ ଘୃତଞ୍ଚୈଵ ଜତୁ ଦାରୂଣି ଚୈଵ ହି । 
 ତସ୍ମିନ୍ ଵେଶ୍ମନି ସର୍ଵ୍ଵାନି ନିକ୍ଷିପେଥାଃ ସମନ୍ତତଃ ॥”
 (ସଂସ୍କୃତ ମହାଭାରତ। ୧ । ୧୪୫ । ୧୧ ।)
 
ସୁଶ୍ରୁତଙ୍କର ଉତ୍ତରତନ୍ତ୍ରରେ ୧୭ତମ ଅଧ୍ୟାୟରେ ଦେଵଦାରୁ ଗଛ ଅର୍ଥରେ ଦାରୁ ଶବ୍ଦ ପ୍ରୟୋଗ କରାଯାଇଛି “ଦାରୁପଦ୍ମକଶୁଣ୍ଠୀଭିରେଵମେଵ କୃତୋଽପି ଵା ॥”

ଋକଵେଦରେ ଶିଳ୍ପୀ ଵା ବଢ଼େଇ ଅର୍ଥରେ ମଧ୍ୟ ଦାରୁ ଶବ୍ଦ ଵ୍ୟଵହାର ହୋଇଛି ।‌
 
“ଇନ୍ଦ୍ରସ୍ଯେଵପ୍ର ତଵସସ୍କୃତାନି ଵନ୍ଦେଦାରୁଂ ଵନ୍ଦମାନୋ ଵିଵଵିଭ ॥” (“ଦାରୁଂ ପୁରାଂ ଭେତ୍ତାରଂ ଵନ୍ଦେ ।” ଇତି ତତ୍ର ସାୟନଃ ॥)
(ଋଗ୍ଵେଦ । ୭ । ୬ । ୧ ।)

ଆମ୍ଭ ଓଡ଼ିଆ ଭାଷାର ସାହିତ୍ୟରେ ଦାରୁ ଶବ୍ଦର ଯେତେ ଵ୍ଯଵହାର ହୋଇଅଛି ତେତେ ସଂସ୍କୃତ ଭିନ୍ନ ଅନ୍ଯ କୌଣସି ଭାରତୀୟ ଭାଷାରେ ଦୃଶ୍ୟ ହୁଏନାହିଁ । 

ଭୀମଭୋଇଙ୍କ ଏକ ଭଜନରେ ଆମେ ଦାରୁ ଶବ୍ଦର ବଡ଼ ଵୃକ୍ଷ ଅର୍ଥରେ ଵ୍ଯଵହାର ହୋଇଥିଵା ଦେଖିଥାଉ 

"ସତ୍ୟ ଯେବେ ସଦଗୁରୁ ଦୂଵ କରି ପାର 'ଦାରୁ'
ସିଦ୍ଧ ଵଚନ ଆଜ୍ଞାରୁ କାହାକୁ ମୋ ନାହିଁ ଭୟେ ॥"

ପୁଣି ତାଙ୍କର ଅନ୍ଯ ଏକ ଭଜନରେ ଦାରୁ ଶବ୍ଦ କାଠ ଵା ନିମ୍ବ କାଠ ଅର୍ଥରେ ଦାରୁ ପ୍ରତିମା ଶବ୍ଦ ପ୍ରୟୋଗ ହୋଇଛି 

"ଦାରୁ ପ୍ରତିମା ମୂର୍ତ୍ତି ଦେଵୀ ଦେଵତା ସବୁଠାରୁ ଚିତ୍ତ ଛାଡିଦେଲେ । 
ମନ୍ତ୍ର ଯନ୍ତ୍ର ତନ୍ତ୍ର ଚାରିଵେଦ ସବୁ ଏମାନଙ୍କୁ ଏଡି଼ ଚାଲିଗଲେ ।।"

ଭୀମଭୋଇଙ୍କ ଭଜନରେ ଯେମିତି ଦୁଵ ସହ ଦାରୁ ଶବ୍ଦର ଵ୍ଯଵହାର ହୋଇଛି ସମାନ ଭାବେ କଵି ବଳରାମ ଦାସ ତାଙ୍କ କମଳଲୋଚନ ଚଉତିଶାରେ ଏହିପରି ଭାବେ କରିଅଛନ୍ତି 

"ନୀଳେନ୍ଦ୍ରୀ ଜଳେ ପଦ୍ମ ଆଖି । 
ନିସ୍ତରିଯିଵା ନରେ ଦେଖି ।। 
ଟେକିଲେ ଦୂଵ କରେ ଦାରୁ । 
ଟାଣପଣରେ ଭାଙ୍ଗେ ମେରୁ ।।"

କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଵୈଦେହୀଶ ଵିଳାସ କାଵ୍ଯରେ "ଚନ୍ଦନ ଦାରୁ" ଶବ୍ଦ ପ୍ରୟୋଗ ହୋଇଛି । ଏଠାରେ ଦାରୁ ଶବ୍ଦକୁ କଵିସମ୍ରାଟ ଗଛ ଅର୍ଥରେ ଵ୍ଯଵହାର କରିଛନ୍ତି । 
 
“ଵିଦୁର ଲକ୍ଷ୍ମଣ ଘନ ପଵନ ଭଗ୍ନ ଚନ୍ଦନ ଦାରୁ ଆଣି ଚାରୁଵାସ ବିହି ଯେ ।
ଵିଦ୍ରୁମେ ତାହାର ଛାଇ ବାଡ଼ ନଳଦରେ ଦେଇ କସ୍ତୁରୀ ଗୈରିକେ ଚିତ୍ର ଲିହି ଯେ । ୩ ।”(ଵୈଦେହୀଶ ଵିଳାସ,କଵିସମ୍ରାଟ)

ଅତିବଡ଼ ଜଗନ୍ନାଥ ଦାସଙ୍କ ଭାଗଵତର ଅନେକ ସ୍ଥାନରେ ଦାରୁ ଶବ୍ଦଟି କାଠ ଅର୍ଥରେ ଵ୍ଯଵହୃତ ହୋଇଅଛି ।
ଯଥା—

“ସଂସାର ନିସ୍ତାରଣ ସାଧ୍ଯେ 
ଅନଳ ଯେହ୍ନେ ଦାରୁ ମଧ୍ୟେ ॥”
(ସପ୍ତମ ସ୍କନ୍ଧ,ଭାଗଵତ)

“ଦାରୁ-ସଂଯୋଗେ ଅଗ୍ନି ଯେହ୍ନେ ।
 ତେଜ ପ୍ରକାଶେ ଅନୁଦିନେ ॥”
(ଅଷ୍ଟମ ସ୍କନ୍ଧ,ଭାଗଵତ)

“ପତ୍ର କୁସୁମ ଫଳ ଛାଇ । 
ମୂଳ ବକଳ ଦାରୁ ଦେଇ ॥”
(ଦଶମ ସ୍କନ୍ଧ ଭାଗଵତ)

“ଦାରୁ ପାଷାଣ ଧାତୁମୟୀ । 
ଲେପ ଲେଖନ ଯେତେ ହୋଇ ॥”
(ଏକାଦଶ ସ୍କନ୍ଧ ଭାଗଵତ)

ସାରଳା ମହାଭାରତରେ ମଧ୍ୟ ସାରଳା ଦାସ ଦାରୁ ଶବ୍ଦକୁ ବଡ଼ଗଛ ଵା ଦ୍ରୁମ ଅର୍ଥରେ ପ୍ରୟୋଗ କରିଯାଇଛନ୍ତି ।

“ଵୃକ୍ଷକୁ ଚାହିଂଲା ଅଟଇ କେଡେ ଦାରୁ
ମନେ ମନେ ଵିଚାରି ହସିଲା ରାଜା ଗୁରୁ ॥”
(ଆଦିପର୍ଵ, ସାରଳା ମହାଭାରତ)

ଆଧୁନିକ ଯୁଗରେ ଦାରୁ ଶବ୍ଦଟି ଆମଭାଷାର କଥିତ ଭାଷାରେ କ୍ରମେ ପାର୍ସୀ ମୂଳରୁ ଆସି ବାରୁଦ, ଔଷଧ ଓ ମଦ ଅର୍ଥରେ ଵ୍ଯଵହାର ହେଵାକୁ ଲାଗିଲା 

ବ୍ରଜନାଥ ବଡ଼ଜେନା ତାଙ୍କ ସମରତରଙ୍ଗରେ ବାରୁଦ ଅର୍ଥରେ 
ଦାରୁ ଶବ୍ଦର ଵ୍ଯଵହାର କରିଯାଇଛନ୍ତି...
 
“କାଣ୍ଡ ଗୁଳା ଯାରୁ ଗୁଳି,
 ଚାଉଳ କିରି କଦଳୀ 
ତମାଖୁ ଲୁଣ ଆଦି ଆଗ ସେ 
କିରିହପାଳଠାରୁ ଦେଲେ ଚାଳି ॥”

କିଛି ଵର୍ଷ ତଳେ ଏକ ଡହରା ଗୀତ ବି ଆସିଥିଲା ଯହିଁରେ ଦାରୁ ଶବ୍ଦକୁ ମଦ ଅର୍ଥରେ ପ୍ରୟୋଗ କରାଯାଇଥିଲା...

"ଦାରୁ ଦାରୁ ଦାରୁ ଦେ ଦାରୁ" 

ପାର୍ସୀ ଭାଷାରେ ଦାର ଓ ଦରଖ୍ତ୍ ଶବ୍ଦ ଯଥାକ୍ରମେ ଗଛ ଓ ଡାଳ ଅର୍ଥରେ ଵ୍ୟଵହୃତ ହୋଇଥାଏ ସେହିପରି ଗଛରୁ ପ୍ରାପ୍ତ ରସରୁ ପ୍ରସ୍ତୁତ ଔଷଧ ତଥା ମଦକୁ ଦାରୁ କୁହାଯାଏ । 

ଓଡ଼ିଆ ତଥା ସଂସ୍କୃତ ଭାଷାରେ ପ୍ରଚଳିତ 'ଦାରୁ' ଶବ୍ଦର ନିରୁକ୍ତି ଵିଷୟରେ ଵିଭିନ୍ନ ଦିଗରୁ ଭାଷାଵିଦମାନେ ଆଲୋଚନା କରିଛନ୍ତି । ସ୍କନ୍ଧ ପୁରାଣର 'ଉତ୍କଳଖଣ୍ଡ'ରେ 'ଦାରୁ'ର ଵ୍ୟୁତ୍ପତ୍ତି ନିମ୍ନପ୍ରକାରେ କଥିତ ଅଛି :

⁠"ଖଣ୍ଡନାତ ସର୍ଵଦୁଃଖାନାମଖଣ୍ଡାନନ୍ଦ ଦାନତଃ ।
⁠ସ୍ୱଭାଵାଦ ଦାରୁରେଷୋ ହି ପରଂବ୍ରହ୍ମାଭିଧୀୟତେ ।" (୨୮-୩୯)

ଶ୍ରୀଜଗନ୍ନାଥଙ୍କୁ ଆମେ ଦାରୁ ଦିଅଁ ଓ ଦାରୁବ୍ରହ୍ମ କହିଥାନ୍ତି ।ସାଧାରଣ ମତାନୁସାରେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ
ନିମ୍ବଦାରୁରେ ଗଠିତ ହେଉଥିଵା ହେତୁ ତାଙ୍କୁ ଏପରି ଅଭିହିତ କରାଯାଇଛି କିନ୍ତୁ ଆଧ୍ୟାତ୍ମିକ ଵ୍ଯାଖ୍ଯାକାରଙ୍କ ମତରେ 'ଦାରୁ' ଶବ୍ଦକୁ 'ଦୃ' ଧାତୁ, 'ଦା' ଧାତୁ ଓ 'ଦୋ' ଧାତୁରୁ ନିଷ୍ପନ୍ନ କରାଯାଇଛି । 'ଦୃ' ଧାତୁର ଅର୍ଥ ଵିଦୀର୍ଣ୍ଣ କରିଵା,ପୂଜା କରିଵା,ପାଳନ କରିଵା । 'ଦା'ର ଅର୍ଥ ଦାନ କରିଵା । 'ଦୋ' ଧାତୁର ଅର୍ଥ ଖଣ୍ଡନ କରିଵା । ସୁତରାଂ, ଯିଏ ସଂସାରର ପାଳନକର୍ତ୍ତା,ଯିଏ ସର୍ଵଜୀଵଙ୍କ ଦ୍ଵାରା ପୂଜନୀୟ,ଯିଏ ପାପୀଙ୍କର ପାପକୁ ଵିଦୀର୍ଣ୍ଣ କରିଦିଅନ୍ତି,ଯେ ଅଖଣ୍ଡ ଆନନ୍ଦ ଦାନ ଓ ସର୍ବଦୁଃଖ ଖଣ୍ଡନକାରୀ ସେ ହେଉଛନ୍ତି ଦାରୁବିଗ୍ରହରୂପୀ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ।

"ଭାରତୀୟ ଶାସ୍ତ୍ରୀୟ ନିରୁକ୍ତି ନିର୍ଣ୍ଣୟ ପ୍ରଣାଳୀ"ରେ ଦାରୁ ଶବ୍ଦର ମୂଳ "ଦୃ ଧାତୁ" ବୋଲି ନିର୍ଣ୍ଣିତ ହୋଇଅଛି । ଦୃ ଧାତୁରୁ 
ଵିଦୀର୍ଣ୍ଣ କରିଵା,ପୂଜା କରିଵା,ସମ୍ମାନ କରିଵା,ଶ୍ରଦ୍ଧା କରିଵା,ପାଳନ କରିଵା,ଧ୍ୟାନ ଦେଵା,ଭୟକରିଵା(ଦର=ଭୟ; ଏହାର ତଦ୍ଭଵ ରୂପ ଡର ) ଓ ହତ୍ୟା କରିଵା
ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ । ଦୃ ଧାତୁରୁ ଆଦର,ଉଦରୀ,କଦର,କନ୍ଦର,
କୁଦାର,କୁନ୍ଦୁ(ମୂଷା),କେଦାର,ଦର୍ଦ୍ଦୂର,ଦର୍ବ୍ବୀ,ଦାରୁଣ,ଦୃତ ଓ ଵିଦାରଣ ଆଦି ଅନେକ ଶବ୍ଦ ନିଷ୍ପନ୍ନ ହୋଇଅଛି । ଏହାର ଅନ୍ୟରୂପ ଦ୍ରୁ ଧାତୁ ଏଵଂ ଏହି ଧାତୁଶବ୍ଦରୁ ଦ୍ରୁ(ଗଛ,ଶାଖା) ଓ ଦ୍ରୁମ(ଗଛ,ବଡ଼ଗଛ) ଭଳି ଶବ୍ଦ ନିଷ୍ପନ୍ନ ହୋଇଅଛି । ପ୍ରାଚୀନ ଭାରତୀୟ ଭାଷାଵିଦମାନେ ଦୃ ଓ ଦ୍ରୁ ଦୁଇଟି ଧାତୁଶବ୍ଦରୁ ଅନେକ ଶବ୍ଦ ନିଷ୍ପନ୍ନ କରିଥିଲେ ହେଁ ଆଧୁନିକ ଯୁଗରେ ଏହି ଦୁଇଗୋଟି ଧାତୁଶବ୍ଦର ମୂଳ ଗୋଟିଏ ବୋଲି ଭାଷାଵିଦମାନେ ମତ ଦିଅନ୍ତି । 

ଭାରତୀୟ ଭାଷାରେ ଯେମିତି ଗଛ ଓ କାଠ ଅର୍ଥରେ ଦାରୁ ଶବ୍ଦ ଚଳୁଅଛି ଠିକ୍ ସେହିପରି ଅନ୍ୟ ଅନେକ ଭାରୋପୀୟ ଭାଷାରେ ମଧ୍ୟ ଦାରୁ ସମସାଦୃଶ୍ଯ ଶବ୍ଦ ରହିଛି ଯହିଁର ଵୃକ୍ଷ,କାଷ୍ଠ ଓ ଶକ୍ତ ଵା ଟାଣ ଆଦି ଅର୍ଥରେ ଵ୍ଯଵହାର ଦୃଷ୍ଟିଗୋଚର ହୋଇଥାଏ ।

ପ୍ରାଚୀନ ଗ୍ରୀକ୍ ଭାଷାରେ ଭାରତୀୟ ଦାରୁ ଶବ୍ଦ ସହିତ ସମୋଦ୍ଧୃତ δόρῠ(dóru),
trum (“ଦୃଢ଼,ଅଟଳ”),δροόν (droón, “ଶକ୍ତ,ବଳୁଆ”) ଓ δρῦς(drûs;ଓକ୍ ଓ ଟିମ୍ବର ଜାତୀୟ ଗଛ) ଆଦି ଶବ୍ଦ ଚଳୁଥିଲା । ସେହିପରି ଲାଟିନ ଭାଷାରେ ବି dūrus ଶବ୍ଦ ଟାଣ ଓ ଶକ୍ତ ଅର୍ଥରେ ଚଳୁଥିଲା । ହିଟାଇଟ୍ ଭାଷାରେ ଗଛ ଓ କାଠକୁ 𒋫𒊒 (taru) କୁହାଯାଉଥିଲା । ଆଵେସ୍ତାନୀ ଭାଷାରେ ଲୋକେ କାଠକୁ 𐬛𐬁𐬎𐬭𐬎‎ (dāuru) କହୁଥିଲେ । ଟୋଚାରିଆନ୍ ଭାଷାରେ କାଠକୁ or କୁହାଯାଏ ଏଵଂ ଏହା ମଧ୍ୟ ଦାରୁ ଶବ୍ଦର ସଗୋତ୍ରୀୟ ଶବ୍ଦ ଅଟେ । 
ଓ୍ଵେଲ୍ସ ଭାଷାରେ ଓକ୍ ଗଛକୁ derw କୁହାଯାଏ । ସ୍ଲାଭିକ୍ ଭାଷାରେ ଗଛ ଓ କାଠକୁ *drъ̏vo କୁହନ୍ତି । ଆଲବେନୀୟ ଭାଷାରେ ବି ଗଛ ଓ କାଠକୁ dru କୁହାଯାଏ । ବ୍ରେଟୋନ୍ ଭାଷାରେ ମଧ୍ୟ ଓକ୍ ଗଛକୁ derv କହିଥାନ୍ତି । ସଂସ୍କୃତ ଭାଷାରେ ଦାରୁ ସହିତ ସମୋଦ୍ଧୃତ ଦ୍ରୋଣ,ଦ୍ରୁମ,ଦର୍ଵି ଭଳି ଶବ୍ଦ ଥିଲା ଭଳି ରୁଷୀ ଭାଷାରେ ମଧ୍ୟ ଏହା ସହିତ ସଗୋତ୍ରୀୟ дром (drom;ବଡଗଛ) ଶବ୍ଦ ଚଳୁଅଛି । ୟୁରୋପରେ ପ୍ରଚଳିତ ମୂଳ ଆର୍ଯ୍ୟଭାଷାର ସବୁଠାରୁ ନିକଟତର ଭାଷାରେ ଲିଥୁଆନିରେ ପ୍ରଚଳିତ dervà (“tar, resin”) ଶବ୍ଦର ମଧ୍ୟ ଦାରୁ ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଥିଵା ଜଣାଯାଏ । ଭାରୋ ଇରାନୀୟ ଭାଷା ପାର୍ସୀ, କୁର୍ଦ୍ଦିସ୍ ଭାଷାରେ କାଠି,କାଠ ଓ ଗଛକୁ دار‎ (dar) କୁହାଯାଏ । ବଲୋଚୀ ଭାଷାରେ କାଠି ଓ କାଠକୁ دار (dár) କୁହାଯାଏ । ମାଜନ୍ଦରାନୀ ଭାଷାରେ ଗଛକୁ دار (dâr) କୁହାଯାଏ । ବଖ୍ତୟାରୀ ଭାଷାରେ ଗଛକୁ دار (daar) କୁହାଯାଏ। ପ୍ରୋକ୍ତ ଵୃକ୍ଷ,ଗଛ,କାଠି ଓ ଟାଣ ଆଦି ଅର୍ଥଜ ସମସ୍ତ ସଗୋତ୍ରୀୟ ଶବ୍ଦର ମୂଳ ଭାରୋପୀୟ ଶବ୍ଦରୂପ *dóru,*deru ଓ *drew ନିର୍ଣ୍ଣୟ କରାଯାଇଛି । 



ତେବେ ଉଲ୍ଲେଖଯୋଗ୍ୟ ଯେ ଇଂରାଜୀରେ ଆଜି ଯେଉଁ tree ଶବ୍ଦଟି ଗଛ ଅର୍ଥରେ ଵ୍ଯଵହାର ହେଉଅଛି ତାହାର ସଗୋତ୍ରୀୟ ସମ୍ପର୍କ ସଂସ୍କୃତ ଦାରୁ ଶବ୍ଦ ରହିଛି । ପ୍ରକୃତରେ ଇଂରାଜୀରେ tree ଶବ୍ଦଟି tre, tree, treo, treou, trew, trow ଆଦି ଵିଭିନ୍ନ ରୂପରେ ଭିନ୍ନ ଭିନ୍ନ ସମୟରେ ଚଳୁଥିଲା । ପୁରୁଣା ଇଂରାଜୀରେ trēo, trēow ଶବ୍ଦ ଗଛ,କାଠ, ବାଡ଼ି ଆଦି ଅର୍ଥରେ ଵ୍ଯଵହାର ହେଉଥିଲା । ତେବେ ଇଂରାଜୀର ଏହି tree ଶବ୍ଦଟି ଜର୍ମାନ୍ ମୂଳର *trewą (“ଗଛ,କାଠ”) ଶବ୍ଦର ଆଧୁନିକ ଇଂରାଜୀ ରୂପ ଅଟେ ଏଵଂ ଆଧୁନିକ ଭାଷାଵିଦମାନଙ୍କ ଅନୁସାରେ ଜର୍ମାନ୍ *trewą ଶବ୍ଦଟି ଆଗେ *dréwom ଥିଲା ଏଵଂ ଏହାର ମୂଳ ପ୍ରାକ୍ ଭାରୋପୀୟ ଶବ୍ଦରୂପ *dóru (“ଗଛ”) ଅଟେ ।

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଦାରୁ ଶବ୍ଦଟି ଆଷ୍ଟ୍ରୋଏସୀୟ ମୂଳର ଶବ୍ଦ ନୁହେଁ ଵରଂ ଏକ ଭାରୋପୀୟ ଶବ୍ଦ ଏଵଂ ଏହାର ମୂଳ ଭାରୋପୀୟ ଶବ୍ଦରୂପ *dóru ଥିଲା ଯାହାର ସବୁଠାରୁ ନିକଟତର ସ୍ଵରୂପ ଦାରୁ ଶବ୍ଦକୁ ଆଜି ବି ଓଡ଼ିଶାର ଲୋକେ ବଞ୍ଚାଇ ରଖିଛନ୍ତି । 

ଶହେ ଦୁଇଶହ ଵର୍ଷ ତଳେ ଆଜି ଭଳି ସବୁ ଭାରୋପୀୟ ଭାଷାର ଶବ୍ଦ ସମ୍ଭାର ଵିଷୟରେ ଏତେ ତଥ୍ୟ ଉପଲବ୍ଧ ନଥିଲା କି ସହଜରେ ପ୍ରାପ୍ତ ହେଉନଥିଲା ତେଣୁ ସେସମୟରେ ଅଧିକ ଗଵେଷଣା ନକରି ଓଡ଼ିଶାର କିଛି ଭାଷାଵିଦ ଓଡ଼ିଆ ଦାରୁ ଶବ୍ଦଟିକୁ ଏକ ଆଷ୍ଟ୍ରୋଏସୀୟ ଶବ୍ଦ ଘୋଷଣା କରିଦେଇଥିଲେ । ସେହି ପୁରୁଣା ମତ ଏବେ ଭୁଲ୍ ବୋଲି ପ୍ରମାଣିତ ହୋଇସାରିଛି ତଥାପି ଓଡ଼ିଶାର ଵିଶ୍ଵଵିଦ୍ୟାଳୟ ପାଠ୍ୟ ପୁସ୍ତକରେ ଏବେ ବି ପିଲାମାନଙ୍କୁ ଏହି ଭୁଲ୍ ପାଠ କାହିଁକି ପଢ଼ାଯାଉଛି ?

Thursday, May 18, 2023

ପାଞ୍ଚପାଣ୍ଡଵଙ୍କର ଦ୍ରୌପଦୀ ଭିନ୍ନ ଏକ ଵା ଏକାଧିକ ପତ୍ନୀ ବି ଥିଲେ

ପୁରାଣରେ କଥା ଅଛି ପୂର୍ଵଜନ୍ମରେ ଦ୍ରୌପଦୀ ମୁଦ୍ଗଳ ଋଷିଙ୍କ ପତ୍ନୀ ଥିଲେ ଏଵଂ ତାଙ୍କ ନାମ ଥିଲା ମୁଦ୍ଗଳିନୀ ଓ ଇନ୍ଦ୍ରସେନା । ଅଳ୍ପ ଵୟସରେ ପତି ଵିୟୋଗ ଘଟିଵାରୁ ସେ ଶିଵଙ୍କ ପରି ଜଣେ ପତି ପାଇଵା ପାଇଁ ଭଗଵାନ ଶିଵଙ୍କର ଘୋର ତପସ୍ୟା କଲେ । ଶିଵ ସନ୍ତୁଷ୍ଟ ହୋଇ ତାଙ୍କୁ ଵର ଦେଵାକୁ ଆସିଵାରୁ ମୁଦ୍ଗଳିନୀ ଉତ୍କଣ୍ଠିତା ହୋଇ ପତି ପତି ପତି ପତି ପତି ଏହି ପରି ପାଞ୍ଚଥର କହିଦେଲେ । ଶିଵ ଏହା ଶୁଣି ତାଙ୍କୁ ପାଞ୍ଚଜଣ ସର୍ଵଣୁଣ ସମ୍ପନ୍ନ ପତି ପ୍ରାପ୍ତ କରିଵାର ଵର ଦେଇ ଚାଲିଗଲେ । ସେହି ମୁଦ୍ଗଳିନୀ ପର ଜନ୍ମରେ ପାଞ୍ଚାଳ ରାଜ୍ୟର ରାଜା ଦ୍ରୁପଦଙ୍କ ଘରେ ଦ୍ରୋଣାଚାର୍ଯ୍ୟଙ୍କଠାରୁ ପ୍ରତିଶୋଧ ନେଵା ପାଇଁ ପୁତ୍ର ଲାଭ ହେତୁକ କରାଯାଉଥିଵା ଯଜ୍ଞରୁ ଆଵିର୍ଭୁତା ହୋଇଥିଲେ । ଵର୍ତ୍ତମାନର ବରେଲି, ବାଦାୟୁନ୍, ଫାରୁଖାବାଦ୍, ରୋହିଲାଖଣ୍ଡ ଏଵଂ ଗଙ୍ଗା-ଯମୁନା ମଧ୍ୟଭାଗ ଅଞ୍ଚଳ ଆଗେ ପାଞ୍ଚାଳ ରାଜ୍ୟର ଅଂଶ ଥିଲା। ସ୍ଵୟଂଵରରେ ଲକ୍ଷଭେଦନ କରି ଅର୍ଜୁନ ଯେତେବେଳେ ଦ୍ରୁପଦ କନ୍ୟା ଦ୍ରୌପଦୀଙ୍କୁ ନେଇ ତାଙ୍କ ମାଆଙ୍କ ପାଖକୁ ଫେରି କହିଲେ ଦେଖ ମାଆ ମୁଁ କ'ଣ ଆଣିଛି ସେତେବେଳେ କୁନ୍ତି ନଦେଖି ତାଙ୍କୁ କହିଦେଲେ ପାଞ୍ଚଭାଇ ମିଶିକରି ଭୋଗକର ।‌ ମାତୃଵଚନ ରକ୍ଷା ପାଇଁ ଦ୍ରୌପଦୀଙ୍କର ପାଞ୍ଚଜଣ ପାଣ୍ଡଵଙ୍କ ସହିତ ଵିଵାହ ହେଲା । 

ଏଭଳି ଵିଵାହକୁ polyandry marriage ଵା ବହୁପତି ଵିଵାହ କୁହାଯାଏ ।‌ ଏହି ଜାତୀୟ ଵିଵାହରେ ଗୋଟିଏ ସ୍ତ୍ରୀର ଏକାଧିକ ପତି ହୁଅନ୍ତି । ଅନେକ ଦେଶରେ ଏହି ଵିଵାହ ପ୍ରଥା ଏବେ ବି ଊଣା ହେଲେ ହେଁ ପ୍ରଚଳିତ ଅଛି ।‌ ମନୁଷ୍ୟ ସମାଜରେ ଵିଭିନ୍ନ ଜାତୀୟ polyandry ଵିଵାହ ହୋଇଥାଏ । 

ଯଥା : 

(କ)Successional polyandry
ଏଥିରେ ଜଣେ ସ୍ତ୍ରୀର ଏକାଧିକ ପତି ରହିଥାନ୍ତି କିନ୍ତୁ ତନ୍ମଧ୍ୟରୁ ଜଣେ ହିଁ ମୁଖ୍ୟ ହୋଇଥାଏ ଏଵଂ କେଵଳ ସେ ହିଁ ସନ୍ତାନ ଉତ୍ପତ୍ତି କରାଏ । କେତେକ ନାରୀପ୍ରଧାନ ଆଫ୍ରିକୀୟ ଜନଜାତୀୟ ସମାଜରେ ଆଗେ ଏହି ପ୍ରଥା ଚଳୁଥିଲା ଏଵଂ ଏବେ ବି କାଁ ଭାଁ ଦେଖାଯାଏ । 

(ଖ)Associated polyandry
ଏହି ଜାତୀୟ polyandry ଵିଵାହରେ ଗୋଟିଏ ସ୍ତ୍ରୀଲୋକର ଏକାଧିକ ପତି ଥାଆନ୍ତି ଏଵଂ ସେହି ପୁରୁଷମାନଙ୍କର ମଧ୍ୟ ଆଉ ଏକ ଵା ଏକ ସ୍ତ୍ରୀ ରହିଥାନ୍ତି । ନାଇଜେରିଆ ଓ କାମେରୁନରେ ଏଭଳି ଵିଵାହ ପ୍ରଥା ଥିଵା ଜଣାପଡି଼ଛି । ସାଧାରଣତଃ ଆଫ୍ରିକାର ନାଇଜେରିଆ ଓ କାମେରୁନ ଆଦି ଅଞ୍ଚଳରେ ଜଣେ ମହିଳାଙ୍କର ଜଣେ ସ୍ୱାମୀ ଅନ୍ୟ ଗୋଷ୍ଠୀର ଜଣେ ମହିଳାଙ୍କ ସ୍ୱାମୀ ଭାବରେ ମନୋନୀତ ହୋଇଥାନ୍ତି । ପୁଣି ସେ ମହିଳାଙ୍କର ମଧ୍ୟ ଏକାଧିକ ପତି ଥାଇପାରନ୍ତି । ଏହି double-polyandrous union ଯୋଗୁଁ ଆଫ୍ରିକୀୟ ଆଦିଵାସୀମାନଙ୍କ ମଧ୍ୟରେ ଏକ ଦୃଢ଼ ଵୈଵାହିକ ମେଣ୍ଟ ଗଠନ କରିଵାରେ ସହାୟକ ହେଉଥିଲା । 

(ଗ)Fraternal polyandry
ଏହି ଜାତୀୟ polyandry ଵିଵାହ କ୍ଷେତ୍ରରେ ଗୋଟିଏ ମହିଳା ଏକ ପରିଵାରର ଏକାଧିକ ଭାଇଙ୍କୁ ଵିଵାହ କରିଥାଏ । ଏବେ ବି ଭାରତର ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ପାର୍ଵତ୍ୟାଞ୍ଚଳ, ରାଜସ୍ଥାନର କେତେକ ପରିଵାର,ନେପାଳ,ତିବତ୍ତ, ଚୀନ ତଥା କେତେକ ପୋଲିନେସିଅନ୍ ସମାଜରେ ଏହି ଜାତୀୟ ଵିଵାହ ହେଉଥିଵାର ଦେଖିଵାକୁ ମିଳିଥାଏ । ଆଗେ ଦକ୍ଷିଣ ଭାରତର toda ଜନଜାତିରେ ବି ଏହିପରି ଵୈଵାହିକ ପ୍ରଥା ଥିଲା କିନ୍ତୁ ଵର୍ତ୍ତମାନ ଏହା ଆଉ ପ୍ରଚଳିତ ନାହିଁ । ପଞ୍ଜାଵର ମାଲୱା ଅଞ୍ଚଳରେ ଭୂମି ଆବଣ୍ଟନ ଵା ଵିଭାଜନକୁ ଏଡ଼ାଇଵା ପାଇଁ କେତେକ ଚଷା ଜାତିରେ ଏ ଜାତୀୟ ଵିଵାହ ପ୍ରଥା ଏବେ ବି ପ୍ରଚଳିତ ଅଛି। କେନିଆ ଓ ତାଞ୍ଜାନିଆର ମସାଇ ଜନଜାତି, ବ୍ରାଜିଲର Zo'e ଜନଜାତିରେ ଆଜି ବି ଅଳ୍ପ ବହୁତେ ଏହି ପ୍ରକାରର ଵିଵାହ ପ୍ରଥା ରହିଛି । ସ୍ପାନିଶ୍ ଆକ୍ରମଣ ପର୍ଯ୍ଯନ୍ତ କାନେରୀ ଦ୍ଵୀପପୁଞ୍ଜଗୁଡ଼ିକରେ ଵସଵାସ କରୁଥିଵା Guanches ଜନଜାତୀୟ ଲୋକଙ୍କ ମଧ୍ୟରେ ବି Fraternal polyandry ଵିଵାହ ପ୍ରଚଳିତ ଥିଵା ଜଣାପଡି଼ଛି ।‌


ଏକ ଶିଳାଲେଖରେ ଲାଗାଶର ସୁମେରୀୟ ରାଜା ଉରୁକାଗିନା (୨୩୦୦ ଖ୍ରୀଷ୍ଟପୂର୍ଵ )ଙ୍କର ସମାଜ ସଂସ୍କାର ଵିଷୟରେ ଵର୍ଣ୍ଣନା କରାଯାଇଛି, ଏଵଂ ତହିଁରେ ଉଲ୍ଲେଖ ଅଛି ଯେ ସେ ନିଜ ଦେଶରେ ବହୁପତି ପ୍ରଥାକୁ ବନ୍ଦ କରିଦେଇଥିଲେ କାରଣ ଏଭଳି ଵିଵାହ କରିଵା ଯୋଗୁଁ ସେହି ମହିଳାମାନଙ୍କୁ ପରେ ସମାଜର ଲୋକେ ସାମୁହିକ ପଥର ଫିଙ୍ଗି ମାରିଦେଉଥିଲେ ‌।  

ତେବେ ପଞ୍ଚୁପାଣ୍ଡଵଙ୍କୁ ଵିଵାହ କଲାପରେ ଦ୍ରୌପଦୀଙ୍କର ଯୁଧିଷ୍ଠିରଙ୍କ ଔରସରୁ ପ୍ରତିବିନ୍ଧ୍ୟ, ଭୀମଙ୍କ ଔରସରୁ ସୁତସୋମ, ଅର୍ଜୁନଙ୍କ ଔରସରୁ ଶ୍ରୁତକର୍ମା, ନକୁଳଙ୍କ ଔରସରୁ ଶତାନିକ ଓ ସହଦେଵଙ୍କ ଔରସରୁ ଶ୍ରୁତସେନ ଇତ୍ୟାଦି ପାଞ୍ଚପୁତ୍ର ହୋଇଥିଲେ ବୋଲି ମହାଭାରତରେ ଵର୍ଣ୍ଣିତ ହୋଇଅଛି। ଏହି ପାଞ୍ଚପୁତ୍ରଙ୍କୁ ପଞ୍ଚକୁମାର କୁହାଯାଉଥିଲା । 

କିନ୍ତୁ ମହାଭାରତରେ ପାଞ୍ଚପାଣ୍ଡଵଙ୍କର 
ଦ୍ରୌପଦୀଙ୍କ ଵ୍ୟତୀତ ମଧ୍ୟ ଏକ ଵା ଅଧିକ ପତ୍ନୀ ଥିଵା ଵର୍ଣ୍ଣିତ ହୋଇଅଛି ।‌

ଯୁଧିଷ୍ଠିରଙ୍କର ଦେଵିକା ବୋଲି ଜଣେ ପତ୍ନୀ ଥିଲେ । ସେ ଶିଵି ନରେଶ ଗୋଵାସନଙ୍କର କନ୍ୟା ଥିଲେ । ଏହାଙ୍କ ପୁତ୍ରଙ୍କର ନାମ ଯୌଦ୍ଧେୟ ଥିଲା । ଭୀମଙ୍କର ଦୁଇଜଣ 
ପତ୍ନୀ ଥିଲେ ହିଡିମ୍ବା ଓ ବଳନ୍ଧରା ।‌
ହିଡିମ୍ବ ରାକ୍ଷସର ଭଗିନୀର ନାମ ହିଡିମ୍ବା ଥିଲା ଯାହାକୁ ଲାକ୍ଷାଗୃହ ଦହନ ପରେ ଘଟଣାକ୍ରମେ ଭୀମସେନ ଵିଵାହ କରିଥିଲେ । ଏହାଙ୍କର ପୁତ୍ରଙ୍କର ନାମ ଘଟୋତ୍କଚ ଥିଲା ଏଵଂ ଘଟୋତ୍କଚଙ୍କର ମଧ୍ୟ ଗୋଟିଏ ପୁତ୍ର ଥିଲା ଯାହାର ନାମ ମହାଭାରତରେ ବର୍ବରୀକ ଲେଖାଯାଇଅଛି । ସେହିପରି ବଳନ୍ଧରା ମଧ୍ୟ ଭୀମଙ୍କୁ ଵିଵାହ କରିଥିଲେ ଏଵଂ ସେ କାଶୀ ରାଜଜେମା ଥିଲେ । ଏହାଙ୍କ ପୁତ୍ରର ନାମ ସର୍ଵଗ ଥିଲା । 

ଅର୍ଜୁନଙ୍କର ଦ୍ରୋପଦୀଙ୍କ ଵ୍ୟତୀତ ତିନିଜଣ ପତ୍ନୀ ଥିଲେ । ନାଗକନ୍ୟା ଉଲ୍ଲୁପିଙ୍କୁ 
ଅର୍ଜୁନ ଵିଵାହ କରିଥିଲେ ଏଵଂ ଅର୍ଜୁନଙ୍କର ଔରସରୁ ଉଲ୍ଲୁପିଙ୍କର ଇରଵାନ ନାମରେ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । 
ମଣିପୁର ରାଜଜେମା ଚିତ୍ରାଙ୍ଗଦା ଅର୍ଜୁନଙ୍କୁ ଵିଵାହ କରିଥିଲେ ଏଵଂ ତାଙ୍କର ବବ୍ରୁଵାହନ ନାମରେ ଏକ ପୁତ୍ର ସନ୍ତାନ ହୋଇଥିଲା । ଶ୍ରୀକୃଷ୍ଣଙ୍କ ଭଗିନୀ ସୁଭଦ୍ରାଙ୍କୁ ହରଣ କରି ଅର୍ଜୁନ ଵିଵାହ କରିଥିଲେ ଫଳତଃ ଏହି ଦମ୍ପତିଙ୍କର ଅଭିମନ୍ୟୁ ନାମରେ ପୁତ୍ର ଉତ୍ପନ୍ନ ହୋଇଥିଲା । 
ନକୁଳ ଚେଦି ରାଜକନ୍ୟା କରେଣୁମତୀଙ୍କୁ ଵିଵାହ କରିଥିଲେ ଏଵଂ ଏହି ଦୁଇଜଣଙ୍କର ନିରମିତ୍ର ବୋଲି ଏକ ପୁତ୍ର ହୋଇଥିଲା । ସେହିପରି ସହଦେଵ ମଧ୍ୟ ମଦ୍ର ନରେଶ ଦ୍ୟୁତିମତ୍ତଙ୍କ କନ୍ୟା ଵିଜୟାଙ୍କୁ ଵିଵାହ କରିଥିଲେ ଏଵଂ ଏହାଙ୍କର ପୁତ୍ର ସୁହୋତ୍ର ଥିଲେ । 


Wednesday, May 17, 2023

ନୂତନ ଯୁଗରେ ନୂଆ କାଳପଞ୍ଜିକାର ଆଵଶ୍ୟକତା

ମାନଵଜାତିର ଇତିହାସକୁ B.c (Before christ) ଓ ସୀ.ଈ (Christ ଵା Common era )ରେ କାହିଁକି ବାଣ୍ଟନ୍ତି ? ମାନଵ ଇତିହାସରେ କ'ଣ ଜିଶୁଖ୍ରୀଷ୍ଟଙ୍କ ପୂର୍ଵରୁ କେହି ମହାପୁରୁଷ ହୋଇନାହାନ୍ତି ? 

ତେବେ ଏହାର ସଂକ୍ଷିପ୍ତ ସରଳ ଉତ୍ତର ଯାହା ଅନେକେ କୁହନ୍ତି ଯେ ମାନଵମାନେ ଯେତେବେଳେ ଇତିହାସ ଠିକ୍‌ରେ ଲେଖିଵା ଶିଖିଲେ ସେତେବେଳେ ତିନିଜଣ ଵ୍ୟକ୍ତିଙ୍କୁ ମାନଵସମାଜ ମହତ୍ତ୍ଵ ଦେଉଥିଲା ଏଵଂ ସେହି ତିନିଜଣ ଵ୍ୟକ୍ତି ହେଲେ ବୁଦ୍ଧ, ଜିଶୁ ଓ ହୁଜୂର ପୀସ୍ ! ଏହି ତିନିଜଣ ଐତିହାସିକ ଵ୍ୟକ୍ତି ସଭ୍ଯତାର ଗତିକୁ ସର୍ଵାଧିକ ପ୍ରଭାଵିତ କରିଥିଲେ । ବୁଦ୍ଧକୁ ଆମେ ସେତେ ମହତ୍ତ୍ଵ ଦେଲେ ନାହିଁ ଏଵଂ ତାଙ୍କର ଖ୍ୟାତି ବି ଏସିଆ ମହାଦେଶ ମଧ୍ୟରେ ସୀମିତ ଥିଲା ତେଣୁ ସେ ଵିଶ୍ଵଵ୍ଯାପୀ ହୋଇପାରିଲେ ନାହିଁ। ହୁଜୂର ପୀବୀୟୁଏଚ୍‌ଙ୍କର ଚେଲାଚାମୁଣ୍ଡା ନିଶ୍ଚିତ ଭାବରେ ପୃଥିଵୀର ବହୁତ ବଡ଼ ଅଂଶକୁ ଜିତିଗଲେ କିନ୍ତୁ ମଧ୍ଯଯୁଗୀୟ ଚିନ୍ତାଧାରାକୁ ଧରି ରଖି ସମୟ ସହିତ ଖାପଖୁଆଇ ନପାରିଵାରୁ ତଥା ଵିଜ୍ଞାନକୁ ମହତ୍ତ୍ଵ ନଦେଇ ମରହଟିଆ କଥାକୁ ପ୍ରଶୟ ଦେଵାରୁ ତାଙ୍କର ମୁଣ୍ଡିଆଳ ହୁଜୁର୍ ପିସ୍ ବି ସାରା ପୃଥିଵୀରେ ଗ୍ରହଣୀୟ ହେଲେ ନାହିଁ । 

ଜିଶୁଙ୍କ ଚେଲାଚାମୁଣ୍ଡା ପୃଥିଵୀର ଵିଭିନ୍ନ ଦେଶରେ ଆଧିପତ୍ୟ ଵିସ୍ତାର କରିଵାରେ ସଫଳ ହେଲେ, ତାଙ୍କର ଅନୁସରଣରକାରୀମାନେ ସଙ୍ଘବଦ୍ଧ ଭାବେ କାର୍ଯ୍ୟ କଲେ, ଵିଜ୍ଞାନକୁ ପ୍ରଥମେ ଗ୍ରହଣ ନକଲେ ବି ପରଵର୍ତ୍ତୀକାଳରେ ତାହାର ଉପାଦେୟତାକୁ ବୁଝି ଵୈଜ୍ଞାନିକ ସମାଜକୁ ପ୍ରୋତ୍ସାହିତ କଲେ । ବଡ଼ ବଡ଼ ଖ୍ରୀଷ୍ଟିଆନ ଐତିହାସିକ ଆସି ମାନଵ ଜାତିର ଇତିହାସ ଲେଖି ବସିଲାବେଳେ b.c ଓ a.c ଆଧାରରେ ତାକୁ ଵର୍ଣ୍ଣନା କଲେ ତେଣୁ ସେମାନେ ଵୈଶ୍ଵିକ କାଳପଞ୍ଜିକା ବି ନିଜ ମହାପୁରୁଷଙ୍କ ନାଆଁରେ ଚଳାଇଵାରେ ସଫଳ ହେଲେ । 

 ଯୋର୍ ଯାର ମୁଲକ୍ ତାର ନ୍ୟାୟରେ ଏବେ ତାଙ୍କରି ପଞ୍ଜିକା ଆଉ ନଵଵର୍ଷକୁ ସାରା ପୃଥିଵୀଵାସୀ ମୁଣ୍ଡେଇ ବୁଲୁଛନ୍ତି କିନ୍ତୁ ଏହାର କିଛି ଔଚିତ୍ୟ ଅଛି କି ?

ମାନବ ଜାତିର ଇତିହାସ ଅତ୍ୟଳ୍ପେ ୬୦ ଲକ୍ଷ ଵର୍ଷ ପୁରୁଣା, ଏଵଂ ଉକ୍ତ ସମୟକାଳ ମଧ୍ୟରେ ଗତ ୨୦ ହଜାର ଵର୍ଷ ତଳେ ଆମେ ପ୍ରଥମେ କୁକୁର ପାଳିଵା ଶିଖିଲେ,୧୨ ହଜାର ଵର୍ଷ ତଳେ ଚାଷ କରିଵା ଶିଖିଲେ, ସମଗ୍ର ଵିଶ୍ୱରେ ଜ୍ଞାନର ଵିସ୍ତାର କଲୁ ତଥା ଵ୍ୟାପିଗଲୁ,ଵିଭିନ୍ନ ଉପାୟରେ ନିଆଁ ଜଳାଇଵା ଶିଖିଲୁ, ଚକ ତଥା ଅନ୍ୟାନ୍ୟ ଅତ୍ୟାଵଶ୍ୟକୀୟ ଵସ୍ତୁର ଉଦ୍ଭାଵନ କରିଲୁ, ଵିଶାରକାୟ ପ୍ରାସାଦ ସୁଉଚ୍ଚ ପ୍ରାର୍ଥନାଗୃହ ଓ ନଗର ନିର୍ମାଣ କଲୁ,ଉନ୍ନତ ସାହିତ୍ୟ ସର୍ଜନା କରି ଭାଷାକୁ ରୁଦ୍ଧିମନ୍ତ କଲୁ, ଆଧ୍ୟାତ୍ମିକ ଓ ଦର୍ଶନ ଶାସ୍ତ୍ରରେ ଅଦ୍ଭୁତ ପାରଙ୍ଗମତା ଲାଭ କଲୁ, ପିରାମିଡ ନିର୍ମାଣ କରିଥିଲୁ,ଅନେକ ମାନଵ ସଭ୍ୟତାର ବିକାଶ କରିଥିଲୁ । ଏହି ସବୁ ମାନଵୀୟ ଉପଲବ୍ଧିର କ'ଣ କୋୖଣସି ଐତିହାସିକ ମହତ୍ତ୍ଵ ନାହିଁ ? 

ତେବେ ଏସବୁ କଥାକୁ ବାଦ୍ ଦେଲେ ବି ବର୍ତ୍ତମାନର ତଥାକଥିତ ଵୈଶ୍ଵିକ ପଞ୍ଜିକାରେ ଏତେ ବଡ଼ ଅଵ୍ୟଵସ୍ଥା ରହିଛି ଯେ ନକହିଲେ ନଚଳେ ତଥାପି କାହିଁକି କେହି ଏ ଵିଷୟରେ କୌଣସି ଆଲୋଚନା କରନ୍ତି ନାହିଁ । ଏହାର ସବୁଠାରୁ ବଡ଼ ଦୋଷ ହେଲା ଏହି ପଞ୍ଜିକାରେ କୌଣସି ବର୍ଷ ୦ ହିଁ ନାହିଁ ଏଵଂ ୧ b.cରୁ ସିଧା ୧ a.cକୁ ଡେଇଁ ପଡ଼ିଛି । ମଝିରେ ଶୂନ୍ୟ ବୋଲି କୌଣସି ଵର୍ଷ ହିଁ ନାହିଁ। ଏହି ଆଧାରରେ ଦେଖିଲେ ପ୍ରଥମ ଖ୍ରୀଷ୍ଟାଦ୍ଦରୁ ୧୦୦ ଖ୍ରୀଷ୍ଟାଦ୍ଦ ମଧ୍ୟରେ ୧୦୦ ଵର୍ଷ ନୁହେଁ ଵରଂ ୯୯ ବର୍ଷ ରହିଛି ।‌ ଫଳତଃ କୁହାଯାଇପାରେ ଯେ ଵର୍ତ୍ତମାନ ପ୍ରକୃତରେ ୨୦୨୩ ଖ୍ରୀଷ୍ଟାଦ୍ଦ ନୁହେଁ ଵରଂ ୨୦୨୨ ଖ୍ରୀଷ୍ଟାଦ୍ଦ ଚାଲିଛି ।‌

ପାଇଥାଗୋରସଙ୍କ ସମୟରୁ ପାଶ୍ଚାତ୍ୟର ବୁଦ୍ଧିଜୀଵୀମାନଙ୍କ ମଧ୍ୟରେ ଶୂନ୍ୟକୁ ନେଇ ବଡ଼ ଭୟଙ୍କର ଧାରଣା ଜନ୍ମ ନେଇଥିଲା । 
ଶୂନ୍ୟ ସେମାନଙ୍କ ପାଇଁ ଏକ ଶୈତାନିକ ଏଵଂ ଅନାଵଶ୍ୟକ ଧାରଣା ହୋଇଥିଵାରୁ ସେମାନେ ଶୂନ୍ୟକୁ ଭୟ କରୁଥିଲେ ଏଵଂ ତାକୁ ମହତ୍ତ୍ଵ ଦେଇନଥିଲେ । ସେହି ସମୟରେ ଭାରତୀୟ ବୁଦ୍ଧିଜୀଵୀମାନେ ଶୂନ୍ୟର ଉପାଦେୟତାକୁ ହୃଦୟଙ୍ଗମ କରି ତାକୁ ଗଣିତରେ ଏକ ଅପରିହାର୍ଯ୍ୟ ଅଙ୍ଗ ଵିଵେଚିତ କଲେ, ଶୂନ୍ୟ ଉପରେ ଦର୍ଶନ ଶାସ୍ତ୍ର ଲେଖିଲେ,ଶୂନ୍ୟ ଆଧାରିତ ଆଧ୍ୟାତ୍ମିକ ଶାସ୍ତ୍ର ପ୍ରଣୟନ ହେଲା ,ଶୂନ୍ୟ ଵ୍ୟଵହାର କରି ପ୍ରାଚୀନ ଭାରତୀୟ ବୁଦ୍ଧିଜୀଵୀମାନେ ଗଣିତରେ ଦଶମିକର ପ୍ରୟୋଗ କଲେ ଏଵଂ ଏସବୁ ଵିନା ଗଣିତ ଓ ଵିଜ୍ଞାନ କେବେ ବି ଅଗ୍ରଗତି କରିପାରି ନଥାନ୍ତା । କିନ୍ତୁ ଠିକ୍ ସେହି ସମୟରେ, ଯେତେବେଳେ ରୋମାନମାନେ କ୍ୟାଲେଣ୍ଡର ତିଆରି କଲେ, ସେମାନଙ୍କ ଗଣିତରେ ଶୂନ୍ୟ ବୋଲି କିଛି ନଥିଲା,ତେଣୁ ନିଜ ପଞ୍ଜିକାରେ “ଵର୍ଷ ୦”କୁ ଛାଡ଼ି ଦେଵା ପରି ମୂର୍ଖତା ମଧ୍ୟ ସ୍ଵାଭାଵିକ ଥିଲା । 
 
ଏଣୁ ମାନଵଜାତିର ଇତିହାସକୁ ମାତ୍ର ୨୦୦୦ ଵର୍ଷର ଦୃଷ୍ଟିକୋଣରେ ଦେଖିଲେ କେଵଳ ଇତିହାସ ଵିଷୟରେ ଆମର ଵିଚାର ହିଁ ଵିକୃତ ହୁଏ ନାହିଁ, ଵରଂ ମାନଵିକତାର ବିକାଶକୁ ବୁଝିଵା ମଧ୍ୟ କଷ୍ଟକର ହୋଇଯାଏ ।

ଅତଃ ଵର୍ତ୍ତମାନ ସମୟରେ ଏହି ଅବୈଜ୍ଞାନିକ କାଳପଞ୍ଜିକାକୁ ତ୍ୟାଗକରି ଦେଇ ଏକ ନୂତନ କାଳପଞ୍ଜିକା ପ୍ରଣୟନ କରିଵାର ଆଵଶ୍ୟକତା ଦେଖା ଦେଇଛି । ଆମ୍ଭମାନଙ୍କୁ ଏମିତି ଏକ କାଳପଞ୍ଜିକା ସୃଷ୍ଟି କରି ପ୍ରଣୟନ କରିଵାକୁ ହେଵ ଯାହା ମାନବଜାତିର ଇତିହାସକୁ ପ୍ରକାଶ କରିପାରୁଥିଵ ଏଵଂ ଆମ ପର ପିଢ଼ିକୁ ସଚେତନ କରାଇ ପାରୁଥିଵ ଯେ ଆମେ ମାତ୍ର ୨୦୦୦ ଵର୍ଷ ତଳର ମାନଵ ଜାତି ନୁହେଁ ଵରଂ ଆମ ମାନଵ ସଭ୍ୟତା ୬୦ ଲକ୍ଷ ଵର୍ଷ ପୁରାତନ । ଆମେ ମାନଵମାନେ କିଏ, ଆମେ କେଉଁଠାରୁ ଆସିଛୁ ଏଵଂ ଆମକୁ ଆଜି ଏଠାରେ ପହଞ୍ଚିଵା ପାଇଁ କେତେ ସଂଘର୍ଷ କରିଵାକୁ ପଡି଼ଛି ତାକୁ ଦର୍ଶାଇ ପାରୁଥିଵା ଭଳି କାଳପଞ୍ଜିକା ପ୍ରଣୟନ ହେଵା ଆଵଶ୍ୟକ ।

Tuesday, May 16, 2023

ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ବିଶୁ ମହାରଣା : ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ

ଶହେ ଵର୍ଷ ତଳେ ଯେତେବେଳେ ଆଜିଭଳି ଏତେ ଵୈଷୟିକ ଜ୍ଞାନର ଵୃଦ୍ଧି ଘଟିନଥିଲା ସେତେବେଳେ ଜଣେ ଲୋକ ନିଜର ଓକିଲାତି ପେଶାକୁ ଗୌଣକରି ଶବ୍ଦ ସଂଗ୍ରହ ନିଶା ପଛରେ ଦୌଡି଼ ଶହ ଶହ ଶବ୍ଦକୋଷ ତଥା ହଜାର ହଜାର ଗାଆଁ ଗଣ୍ଡା ବୁଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି ଏକ ଵିଶାଳ ଜ୍ଞାନକୋଷ ସଂକଳନ କରିଵାରେ ସଫଳ ହୋଇଥିଲା । ଏହି କଥାଟି ଆଦୌ ଛୋଟିଆ କଥା ନୁହେଁ । ଆମ ସମାଜରେ ଵର୍ତ୍ତମାନକାଳରେ ହେଉଥିଵା ମହାନକାର୍ଯ୍ୟର କି ମହାନଵ୍ୟକ୍ତିଙ୍କୁ ତତ୍କାଳୀନ ସମ୍ମାନ ମିଳେନାହିଁ କିନ୍ତୁ ସମୟ ଗଡ଼ିଯିଵା ସହ ସେହି ମହାନାତ୍ମା ଓ ତାଙ୍କର କୃତିର ଉପାଦେୟତାକୁ ସମାଜ ଉପଲବ୍ଧି କରେ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂକଳନର ସମୟକାଳ ପ୍ରାୟ କୋଡ଼ିଏ ଵର୍ଷ ଦୀର୍ଘ । ପ୍ରଥମେ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ ୧୯୧୩ ରୁ ୧୯୧୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ଓଡ଼ିଶାର ବହୁ ଅଞ୍ଚଳରୁ ସହସ୍ରାଧିକ ପ୍ରାଦେଶିକ ଓ ଘରୋଇ ଶବ୍ଦ ସଂଗ୍ରହ କରି ତାହା ଟିପା ଖାତା ଓ କାଗଜଗୁଡି଼କରେ ଟିପି ରଖିଲେ ଏଵଂ ପ୍ରାଚୀନ ତଥା ଆଧୁନିକ ଗ୍ରନ୍ଥମାନ ପଢ଼ି ତହିଁରେ ଥିଵା ସହସ୍ର ସହସ୍ର ଵିଶିଷ୍ଟ ଶବ୍ଦଗୁଡ଼ିକୁ ରେଖାଙ୍କିତ କଲେ । ପୁଣି ଅଧିକାଂଶ ଶବ୍ଦର ପ୍ରୟୋଗମାନ ମଧ୍ୟ ସାଧାରଣ ଲୋକଙ୍କର କଥୋପକଥନକୁ ଶୁଣିକରି ତାକୁ ଲେଖି ରଖିଲେ । 


ଶ୍ରୀପ୍ରହରାଜ ୧୯୧୯ ଖ୍ରୀଷ୍ଟାବ୍ଦରେ ଏହି ସବୁ ସଂଗୃହୀତ ଶବ୍ଦଗୁଡ଼ିକୁ ସ୍ୱତନ୍ତ୍ର ଖାତାରେ ଵର୍ଣ୍ଣାନୁକ୍ରମରେ ଲେଖିଵା ଆରମ୍ଭ କଲେ । ପ୍ରଥମେ ଅନୁକୂଳ କଲାବେଳେ ସେ ସଂସ୍କୃତ , ତଦ୍ଭବ ,ତତ୍ସମ , ପ୍ରାଚୀନ , ଆଧୁନିକ , ଗ୍ରାମ୍ୟ , ଦେଶକ , ପ୍ରାଦେଶିକ ଓ ଵୈଦେଶିକ ଶବ୍ଦଗୁଡି଼କର ଵ୍ୟାଖ୍ୟା କରି ଓଡ଼ିଆରେ ଲେଖି ଖଣ୍ତିଏ ଓଡ଼ିଆ ଅଭିଧାନ ସଂକଳନ କରିବେ ବୋଲି ଶ୍ରୀପ୍ରହରାଜ କଳ୍ପନା କରିଥିଲେ । ମାତ୍ର ଏହି କାର୍ଯ୍ୟକ୍ଷେତ୍ରରେ କିଛିଦୂର ଅଗ୍ରସର ହେଲା ପରେ ସେ ବୁଝିପାରଲେ ଯେ ଓଡ଼ିଆରେ ଵିଶ୍ବକୋଷ ଶ୍ରେଣୀର ଅଭିଜ୍ଞାନଗ୍ରନ୍ଥ ନାହିଁ ଏଵଂ ଭାଷାତତ୍ତ୍ବ ସମ୍ବନ୍ଧରେ ତୁଳନାତ୍ମକ ଗଵେଷଣା ପାଇଁ ଓଡ଼ିଶାରେ ଏ ପର୍ଯ୍ୟନ୍ତ କୌଣସି ମୂଳଭିତ୍ତି ସ୍ଥାପିତ ହୋଇ ନାହିଁ । ତେଣୁ ଏହାପରେ ଶ୍ରୀପ୍ରହରାଜ ଵିଭିନ୍ନ ପଣ୍ଡିତମାନଙ୍କଠାରୁ ବୁଝି ତଥା ଅନ୍ୟାନ୍ୟ ପୂର୍ଵତନ ଶବ୍ଦକୋଷରେ ଶବ୍ଦଗୁଡି଼କର ନିରୁକ୍ତି ଵିଷୟରେ ଜାଣି ତାକୁ ଯୋଡି଼ଵାକୁ ଲାଗିଲେ । ତାପରେ ସେ ଦେଖିଲେ ଯେ ଓଡ଼ିଆ ଭାଷା ଶିଖିଵାକୁ ତଥା ଜାଣିଵାକୁ ଚାହୁଁଥିଵା ଅଣଓଡ଼ିଆ ଓ ଵିଚାରପତିମାନଙ୍କ ପାଇଁ କୌଣସି ପୁସ୍ତକ ନାହିଁ ତେଣୁ ସେ ପ୍ରତ୍ୟେକ ଶବ୍ଦର ଇଂରାଜୀ ଵ୍ୟାଖ୍ୟା ଓ ଇଂରାଜୀ ପ୍ରତିଶବ୍ଦ ମଧ୍ୟ ଯୋଡି଼ଲେ । ଭାଷାତତ୍ତ୍ବ ଅଧ୍ୟୟନକାରୀ ଛାତ୍ରଛାତ୍ରୀ ତଥା ଅନିସନ୍ଧିତ୍ସୁ ଲୋକଙ୍କ ପାଇଁ ସେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନେକ ଓଡ଼ିଆ ଶବ୍ଦର ହିନ୍ଦୀ ତଥା ଇଂରାଜୀ ପ୍ରତିଶବ୍ଦ ମଧ୍ୟ ଯୋଡି଼ଦେଲେ ‌। ତେବେ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ତେଲୁଗୁ ଭାଷା ଵିଷୟରେ ଅନଭିଜ୍ଞ ଥିଵାରୁ ଏଥିରେ ତେଲୁଗୁ ପ୍ରତିଶବ୍ଦ ତେଲୁଗୁ ଲିପିରେ ଯୋଡ଼ିନପାରିଵା କଥା ସ୍ଵୟଂ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଵୀକାର କରିଛନ୍ତି । ତଥାପି ଅନେକ ଜଣାଶୁଣା ଓଡ଼ିଆ ଵିଶେଷ୍ୟ ଶବ୍ଦ ତଳେ ସେ ହିନ୍ଦୀ ବଙ୍ଗଳା ଛଡ଼ା ଓଡ଼ିଆ ଲିପିରେ ତେଲୁଗୁ ତାମିଲ କନ୍ନଡ଼ ଗୁଜରାଟୀ ମରାଟୀ ପ୍ରତିଶବ୍ଦ ଯୋଡ଼ିଯାଇଛନ୍ତି । ସେହିପରି ଓଡ଼ିଆ ଭାଷା ଓ ଵର୍ଣ୍ଣମାଳାକୁ ଆୟତ୍ତ କରିନଥିଵା ଭାଷାଅନିସନ୍ଧିତ୍ସୁ ଵିଶେଷକରି ପାଶ୍ଚାତ୍ୟ ପଣ୍ଡିତମାନେ ଓଡ଼ିଆ ଶବ୍ଦକୁ ଆହୁରି ଭଲ ଭାବରେ ଜାଣିପାରନ୍ତୁ ସେଥିପାଇଁ ସେ ପ୍ରତ୍ୟେକ ଓଡ଼ିଆ ଶବ୍ଦର ଉଚ୍ଚାରଣକୁ ଇଂରାଜୀ ଲିପିରେ ଲିପ୍ୟାନ୍ତରଣ କରିଥିଲେ । ସେ ପୁଣି ଭାଷାକୋଷରେ ତତ୍କାଳୀନ ଉଦ୍ଭିଦଵିଜ୍ଞାନ ଆଧାରରେ ଅଧିକାଂଶ ପାଦପର ଵୈଜ୍ଞାନିକ ନାମ ମଧ୍ୟ ଉଲ୍ଲେଖ କରିଥିଲେ । ଗୋଟିଏ ପଟେ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଏସବୁ କାର୍ଯ୍ୟ କରୁଥିଵା ବେଳେ ତାଙ୍କର ସହକର୍ମିଣୀ ଶ୍ରୀମତି ପିତାମ୍ବରୀ ଦେଵୀ ଗୁଡ଼ିଆ,ଭଣ୍ଡାରୀ,କମାର,ତନ୍ତୀ,ବଢ଼େଇ,ଚଷା ଓ କେଉଟ ଆଦି ଜାତିମାନଙ୍କର ଵିଶିଷ୍ଟ ଶବ୍ଦ ସବୁ ସଂଗ୍ରହ କରୁଥାନ୍ତି ‌।

ଆଜି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଆମ୍ଭମାନେ ଯେଉଁ ଢଗଢମାଳି,ଗ୍ରାମ୍ୟ ଲୋକଗଳ୍ପ ,ପ୍ରଵଚନ ଏଵଂ ଵିଭିନ୍ନ ଜାତି ଓ ସ୍ତ୍ରୀଲୋକମାନଙ୍କ ଦ୍ଵାରା ଵ୍ୟଵହୃତ ଵିଶିଷ୍ଟ ଶବ୍ଦ ଆଉ ତହିଁର ପରିଭାଷା ଲିଖିତ ଥିଵା ଆମେ ଦେଖୁଁ ତାହା ଶ୍ରୀମତୀ ପିତାମ୍ବରୀ ଦେଵୀଙ୍କ ଆକ୍ଳାନ୍ତ ପରିଶ୍ରମ ଯୋଗୁଁ ଭାଷାକୋଷରେ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଯୋଡ଼ିପାରିଛନ୍ତି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଆରମ୍ଭରେ ହିଁ ସେ ସ୍ଵୀକାର କରିଛନ୍ତି । ଏତଦ୍‌ଵ୍ୟତୀତ ଗାଙ୍ଗପୁରର ଶ୍ରୀ ଚୁଡା଼ମଣି ନାୟକ ଓ ନଟବର ପାଣ୍ଡେ,ରମ୍ପେଲାର ଭକ୍ତପ୍ରସାଦ ପତି ଓ ସମ୍ବଲପୁରର ଗୋପୀନାଥ ଶତପଥୀ ତଥା ଵିଭିନ୍ନ ଗଡ଼ଜାତର ଉତ୍ସାହୀ ଯୁଵକମାନେ ମଧ୍ୟ ଶ୍ରୀପ୍ରହରାଜଙ୍କୁ ନିଜ ଅଞ୍ଚଳର ଶବ୍ଦ ଓ ଢଗଢମାଳି ସଂଗ୍ରହ କରି ଯୋଗାଇଥିଲେ । ମେଦିନୀପୁରର ଶ୍ରୀଯୁକ୍ତ ରାଧାନାଥ ପତି, ସିଂହଭୂମିର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ, ଜୟପୁରର ମହାରାଜା ଶ୍ରୀଯୁକ୍ତ ଵିକ୍ରମଦେଵ ଵର୍ମା ,ଗଞ୍ଜାମର ଜୟକୃଷ୍ଣ ଚ୍ୟାଉ ପଟ୍ଟନାୟକ ତଥା ଡକ୍ଟର ରାଧାଚରଣ ପଣ୍ଡା ଓ ନୟାଗଡ଼ର ପଣ୍ଡିତ ଗୋଦାବରୀଶ ମହାପାତ୍ର ଆଦି ମଧ୍ୟ ନିଜ ଅଞ୍ଚଳର ଶବ୍ଦ ସଂଗ୍ରହ କରି ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ପ୍ରଦାନ କରିଥିଲେ ।‌ ରାୟ ବାହାଦୁର ଅଜୟ ଚନ୍ଦ୍ର ଦାସ ପ୍ରାଚୀନ ଓଡ଼ିଆ ଶବ୍ଦ ସବୁ ସଂଗ୍ରହ କରି ତାହା ଵ୍ୟଵହୃତ ପଦ ସହିତ ସୂଚୀବଦ୍ଧ କରି ଶ୍ରୀପ୍ରହରାଜଙ୍କୁ ଦେଇଥିଲେ । ଵିଭିନ୍ନ ଅଞ୍ଚଳରେ ବୁଲି ଅନେକ ବେପାରୀ,ବଣିଆ,ପାନବରଜୀ,ନାଉରିଆ,ଗଉଡ଼ ଆଦିଙ୍କଠାରୁ ଶବ୍ଦ ସଂଗ୍ରହ କରି ଶ୍ରୀପ୍ରହରାଜ ତାକୁ ଭାଷାକୋଷରେ ଯୋଡି଼ଲେ । ମୋଟ ଉପରେ କହିଵାକୁ ଗଲେ ଯେମିତି କୋଣାର୍କ ମନ୍ଦିର ଗଢି଼ଵାକୁ ଅନେକ ଶିଳ୍ପୀ ଲାଗିଥିଲେ ଠିକ୍ ସେହିପରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ସଂକଳନ କରିଵା ପାଇଁ ବି ଅନେକ ଲୋକ ସହଯୋଗ କରିଥିଲେ । ଏହିସବୁ ସାହାଯ୍ୟ ସହଯୋଗ ପାଇ ୧୩.୦୮ .୧୯୨୭ରେ ଭାଷାକୋଷ ସମ୍ବନ୍ଧୀୟ ଶବ୍ଦସଂଗ୍ରହର‌ ପ୍ରାଥମିକ ପର୍ଯ୍ୟାୟ ଶେଷ ହେଲା । ଇତିମଧ୍ୟରେ ଶବ୍ଦ ସଂଗ୍ରହ ପଛରେ ମାତି ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଓକିଲାତି ପ୍ରାୟ ବନ୍ଦ ହୋଇଯାଇଥାଏ ‌। ତେଣୁ ଏଡ଼େ ବଡ଼ ଗ୍ରନ୍ଥକୁ ଛାପିଵା ପାଇଁ ଅର୍ଥର ଅଭାଵ ଘଟିଵା ସ୍ଵାଭାଵିକ କଥା । ସେସମୟରେ ଧନୀକ ଜମିଦାର ଓ ରାଜାମାନେ ଶ୍ରୀପ୍ରହରାଜଙ୍କୁ ଅର୍ଥ ସହଯୋଗ ଦେଇଥିଲେ ‌। ୧୯୨୮ ଅକ୍ଟୋବର ମାସରେ କଳାହାଣ୍ଡି ରାଜା ଶ୍ରୀବ୍ରଜମୋହନ ଦେଵ ୧୦୦୦ ଟଙ୍କା ସାହାଯ୍ୟ ଦେଲେ । ତତ୍ପରେ ଭାଷାକୋଷ ପାଇଁ କୁଜଙ୍ଗ ରାଜା ଶ୍ରୀଵିଜୟ ଚନ୍ଦ୍ର ମହତାପ ବାହାଦୁର ଅଢ଼େଇଶହ ଟଙ୍କା ତଥା ଚିକିଟି ରାଜା ୬୦୦ଟଙ୍କା ଦେଇଥିଲେ । ଓଡ଼ିଆ ସାହିତ୍ୟ ପ୍ରଚାର ସଂଘ ପକ୍ଷରୁ ଏକ ଅଭିଧାନର ପରିକଳ୍ପନା ହୋଇଥିଲା କିନ୍ତୁ ସେମାନେ ଭାଷାକୋଷର କଳେଵର ଦେଖି ନିର୍ଣ୍ଣୟ କଲେ ଯେ ଆଉ ଅଭିଧାନ ପ୍ରଣୟନ ନକରି ସେଥିରେ ଵ୍ୟୟ ହେଵାକୁ ଥିଵା ଅର୍ଥ ଶ୍ରୀପ୍ରହରାଜଙ୍କୁ ପ୍ରଦାନ କରାଯିଵ । ଏହି ନିର୍ଦ୍ଧାରଣ ଫଳରେ ଜଣେ ସମ୍ମାର୍ଜକ ପଣ୍ଡିତଙ୍କର ଚାରିମାସର ଵେତନ ଏକ ଶହ କୋଡ଼ିଏ ଟଙ୍କା ସେହି ସଂଘର ତତ୍କାଳୀନ ସମ୍ପାଦକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଶ୍ରୀପ୍ରହରାଜଙ୍କୁ ପ୍ରଦାନ କଲେ । କେନ୍ଦୁଝର ରାଜା ଶ୍ରୀ ବଳଭଦ୍ର ନାରାୟଣ ଭଞ୍ଜଦେଵ ପାଞ୍ଚଶହ ଟଙ୍କା ତଥା ଗଞ୍ଜାମର ହରିଡ଼ାଖଣ୍ଡି ମଠର ଟ୍ରଷ୍ଟି ଶ୍ରୀଯୁକ୍ତ ରାୟ ସାହେବ ଅପ୍ପା ରାଓ ପାଞ୍ଚଶହ ଟଙ୍କା ଅର୍ପଣ କରିଥିଲେ । ଏତଦଵ୍ୟତୀତ ତତ୍କାଳୀନ ଗଭର୍ଣ୍ଣମେଣ୍ଟଠାରୁ ଭାଷାକୋଷ ପାଇଁ ପନ୍ଦର ହଜାର ଟଙ୍କା ମିଳିଥିଲା । ମୟୂରଭଞ୍ଜର ମହାରାଜା ଶ୍ରୀପ୍ରତାପଚନ୍ଦ୍ର ଭଞ୍ଜ ଦେଓ ଭାଷାକୋଷର ସଂକଳନ ପାଇଁ ଦଶ ହଜାର ଟଙ୍କା ଦେଇଥିଵା ଜଣାଯାଏ ଏଥିପାଇଁ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ନାମାନୁସାରେ ଭାଷାକୋଷର ନାମ "ପୂର୍ଣ୍ଣଚନ୍ଦ୍ର" ରଖାଯାଇଥିଲା । ଭାଷାକୋଷର ପ୍ରକାଶନ ପାଇଁ ମୋଟ ଵ୍ୟୟ ୩୦୦୦୦ ଟଙ୍କା ଅନୁମାନ କରାଯାଇଥିଲା କିନ୍ତୁ ପରଵର୍ତ୍ତୀ କାଳରେ ତାହା ଷାଠିଏ ହଜାର ଓ ପରେ ଆହୁରି ବୃଦ୍ଧି ପାଇଥିଲା । ଭୁଲିବୁ ନାହିଁ ପୁସ୍ତକରେ ଉଲ୍ଲେଖ ଅଛି ଯେ ଢେଙ୍କାନାଳରାଜ୍ୟକୁ ଭାଷାକୋଷ ପାଇଁ ଅର୍ଥ ସଂଗ୍ରହ କରିଵାକୁ ଆସି ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ତତ୍କାଳୀନ ନିର୍ଦ୍ଦୟୀ ରାଜାଙ୍କ ଦ୍ଵାରା ହଟହଟାର ଶିକାର ହୋଇଥିଲେ । ଢେଙ୍କାନାଳର ରାଜାଙ୍କୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶ ରାଜ୍ୟର ରାଜା,ଅନେକ ଜମିଦାର,ବେପାରୀ,ଧନୀକ ତଥା ଭାଷା
ଜାତିପ୍ରେମୀ ଲୋକେ ଭାଷାକୋଷ ପାଇଁ ଅର୍ଥ ଦାନ କରିଥିଲେ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଵିଷୟରେ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଯେଉଁ ମତ ଦେଇଥିଲେ ତାହା ଏହିପରି...

“ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓଡ଼ିଆ ଜାତିର - କୋଠସମ୍ପତ୍ତି ; ମୁଁ ଉତ୍କଳମାତାଙ୍କର ଜଣେ ନଗଣ୍ୟ ଓ ଅଧମ ପୁତ୍ର । ମୋ ଭଳି ଗୁଣହୀନ , ଵିଦ୍ୟାହୀନ , ସାଧନାହୀନ ଵ୍ୟକ୍ତିଦ୍ବାରା ଉତ୍କଳ ଜାତିର ଏ ଯେଉଁ ଭାଷାସୌଧ ନର୍ମିତ ହେଲା , ତାହା ବହୁଶତ ବିଦ୍ୟୋତ୍ସାହୀ , ଗୁଣଗ୍ରାହୀ , ସାହିତ୍ୟପ୍ରାଣ ଵ୍ୟକ୍ତିମାନଙ୍କର ସାହାଯ୍ୟ , ସହାନୁଭୂତି ଓ ଅର୍ଶୀଵାଦ ଯୋଗୁଁ ସମ୍ଭଵପର ହୋଇଅଛି । ଯେଉଁମାନେ ମୋତେ ନାନା ଭାବରେ – କେହି ଧନ ଦ୍ଵାରା , କେହି ଉତ୍ସାହଦ୍ବାରା, କେହି ଲେଖାଦ୍ଵାରା , କେହି ଅଶୀର୍ଵାଦ ଦ୍ବାରା , କେହି ପୁସ୍ତକ ଯୋଗାଇ , କେହି ଦାତାମାନଙ୍କ ଠାରେ ସୁପାରିସ୍ କରି ଶବ୍ଦ ଯୋଗାଇ— ସାହାଯ୍ୟ କରି ଅଛନ୍ତି , ମୁଁ ସେମାନଙ୍କଠାରେ ଆମରଣ ଋଣୀ ରହିଲି ।”
 

ସାତଖଣ୍ଡିଆ ଵିଶାଳ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଯେତେବେଳେ ଲେଖାହୋଇ ଛପାଗଲା ସେହି ଦାମିକା ଗ୍ରନ୍ଥର ଓଡ଼ିଶାରେ ହାତଗଣତି କେତେ ଜଣ ଲୋକ ମାତ୍ର ଗ୍ରାହକ ଥିଲେ । ତେବେ ଓଡ଼ିଆ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂକଳନ କରି ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ ଯେତିକି ପ୍ରଶଂସା ପାଇଛନ୍ତି ତତୋଧିକ ସମାଲୋଚନା ଓ ନିନ୍ଦା ରୂପକ ଵିଷପାନ ମଧ୍ଯ କରିଅଛନ୍ତି ।ତତ୍କାଳୀନ ତଥାକଥିତ ଓଡ଼ିଆ ଵର୍ଣ୍ଣଵିଲୋପକାରୀ ଦଳ ତାଙ୍କ ଵିରୋଧରେ ନାନାଦି ସମାଲୋଚନା ମାନ ଲେଖି ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିଅଛନ୍ତି । 

ଏଇ ଅନ୍ତର୍ଜାଲ ଓ କୃତ୍ରିମ ଉପଗ୍ରହର ଯୁଗରେ ସବୁ ତଥ୍ୟ ସହଜରେ ମିଳିଯାଏ ବୋଲି ଅନେକ ହୁଏତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପଛରେ ଲୁଚିରହିଥିଵା ସଂଘର୍ଷକୁ କେବେ ହୃଦୟଙ୍ଗମ କରିପାରିବେ ନାହିଁ। ଵିଭିନ୍ନ ଅଞ୍ଚଳରେ ବୁଲି ବୁଲି ପ୍ରଚଳିତ ଓଡ଼ିଆ ଭାଷାର ଵିଶାଳ ଶବ୍ଦଭଣ୍ଡାରକୁ ଏକାଠି କରି ତାକୁ ଗୋଟାଏ ଗ୍ରନ୍ଥ ଆକାର ଦେଵା ୧୦୦ ଵର୍ଷ ତଳେ କେତେ ବଡ଼ ଦୂରହ କାର୍ଯ୍ୟ ଥିଲା ତାହା ଏବେକାର ଭାଷାକୋଷ ନିନ୍ଦୁକ ଆଦୌ ଅନୁଭଵ କରିପାରନ୍ତି ନାହିଁ । ଭାଷାକୋଷର ସଂକଳନ ପାଇଁ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ଅନେକ ଲୋକଙ୍କୁ ହାତ ପତାଇଛନ୍ତି ତତ୍କାଳୀନ ଢେଙ୍କାନାଳ ରାଜାଙ୍କ ଭଳି ଅନେକ ଲୋକଙ୍କଠାରୁ ଏଥିପାଇଁ ଅପମାନିତ ମଧ୍ୟ ହୋଇଛନ୍ତି ତଥାପି ସେ ଏହି କାର୍ଯ୍ୟରୁ ନିଵୃତ ହୋଇନଥିଲେ । 

ହଁ ଓଡ଼ିଆ ଭାଷାର କୋଣାର୍କ ସଦୃଶ "ପୂର୍ଣ୍ଣଚନ୍ଦ୍ର ଭାଷାକୋଷ"ର ଅତୀତ ଵର୍ତ୍ତମାନ ଓ ଭଵିଷ୍ୟତ ବଡ଼ ସଂଘର୍ଷମୟ କହିଲେ ଅତ୍ୟୁକ୍ତି ହେଵନାହିଁ । 

ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଓ ତାଙ୍କର ଚାରିଜଣ ସହଯୋଗୀ ପଣ୍ଡିତ ଶ୍ରୀକୁଳମଣି ଦାଶ,ଶ୍ରୀମତି ପିତାମ୍ବରୀ ଦେଵୀ,ଶ୍ରୀ ଚନ୍ଦ୍ରଶେଖର ମିଶ୍ର ଓ ଶ୍ରୀରାମଚନ୍ଦ୍ର ରଥଙ୍କର ବହୁଵର୍ଷର ଅକ୍ଲାନ୍ତ ପରିଶ୍ରମ ପରେ ଯେତେବେଳେ ୧୯୩୧ ରୁ ୧୯୪୦ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରକାଶିତ ହେଲା ତାହା ଅଳ୍ପ ଦିନ ମଧ୍ୟରେ ଵିଜ୍ଞଜନଙ୍କ ଦ୍ଵାରା ଆଦୃତ ହୋଇଯାଇଥିଲା ବେଳେ ଜ୍ଞାନ ଅପେକ୍ଷା ମାନ,ଧନ ଓ ସାଂସାରିକ ସୁଖ ସୁଵିଧା ପାଇଁ ଲାଳାୟିତ ସାଧାରଣ ଜନଙ୍କ ପାଇଁ ତଥାପି ଦୃଷ୍ପ୍ରାପ୍ୟ ହୋଇ ରହିଲା । ସାଧାରଣ ଲୋକେ ସେମିତି ବି ବଡ଼ ବଡ଼ ଗ୍ରନ୍ଥ ଦେଖିଲେ ହତୋତ୍ସାହିତ ହୋଇ ତାକୁ ପାଠ କରିଵାଟା ଦୁଷ୍କର ଓ ସମୟସାପେକ୍ଷ ଭାବି ପେଡି଼ରେ ସାଇତି ରଖିଦିଅନ୍ତି । 

ଭାଷାକୋଷ ପ୍ରକାଶନର କିଛି ଵର୍ଷ ପରେ ୧୯୪୫ରେ ପ୍ରହରାଜଙ୍କ ମୃତ୍ୟୁ(ହତ୍ୟା ?) ହେଲାରୁ କେହି ଏ ଗ୍ରନ୍ଥର ତତ୍ତ୍ୱ ନେଲେ ନାହିଁ ଏଵଂ ଏହା ପୁସ୍ତକାଗାରରେ ସହଜରେ ମିଳୁନଥିଲା । ଉତ୍କଳ ସାହିତ୍ୟ ପ୍ରେସ୍‌ରେ ଭାଷାକୋଷର ଛପା ଫର୍ମା ପଡି଼ରହିଥିଲା ଓ କେହି କେହି ଏହି ଅବନ୍ଧା କାଗଜକୁ ନେଇ ଠୁଙ୍ଗା କରୁଥିଲେ କିମ୍ଵା ବନ୍ଧାଇଵା ଉଦ୍ଦେଶ୍ୟରେ ଵିକ୍ରି କରୁଥିଲେ । 

ବହୁତ ଅଳ୍ପ ଲୋକ ଜାଣିଥିବେ 
ଷାଠିଏ ଦଶକରେ ଉତ୍କଳ ସାହିତ୍ୟ ପ୍ରେସ୍‌ର ତତ୍କାଳୀନ ସତ୍ତ୍ଵାଧିକାରୀ ଶ୍ରୀଵିଶ୍ଵନାଥ କରଙ୍କ ପୌତ୍ର ସୁନନ୍ଦ କର ଘର ଘର ବୁଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସେହି ଅବନ୍ଧା ଅଵୟଵକୁ ଵିକ୍ରି କରିବାକୁ ଚେଷ୍ଟା କରିଥିଲେ । ତଥାପି ଭାଷାକୋଷ ବହୁଦିନ ଯାଏଁ ଓଡ଼ିଶାର ଗୌରଵ କଳାର କୋଣାର୍କ ପରି ପଡି଼ରହିଥିଲା ।

ଶେଷରେ ଲାର୍କ ବୁକ୍ସ ଟ୍ରଷ୍ଟ ଦ୍ଵାରା ଏହାକୁ ଗ୍ରନ୍ଥାକାରରେ ଏବଂ ଇ-ସଂସ୍କରଣ ଆକାରରେ ସୃଜନିକା ସଂଗଠନ ଦ୍ଵାରା ଛପାଗଲା । ଫଳରେ ମୁର୍ମୂଷୁ ପ୍ରାୟ ପଡି଼ରହିଥିଵା ଧୂଳିଧୂସରିତ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପୁର୍ନଃଜୀଵନ ଲାଭ କଲା ।

 ଓଡ଼ିଆ ଭାଷାର ଏହି ଅମୂଲ୍ୟ ଗ୍ରନ୍ଥଟିକୁ ଏଵଂ ଏହିଭଳି ଅନେକ ପ୍ରାଚୀନ ପୁସ୍ତକ ଗୁଡି଼କୁ ଉଦ୍ଧାର କରିଥିବା ହେତୁରୁ ଏ ଅକିଞ୍ଚନ ଅନୁଷ୍ଠାନର ଶ୍ରୀ ମହେନ୍ଦ୍ର ମିଶ୍ର,ଶ୍ରୀ ନିଖିଳ ମୋହନ ପଟ୍ଟନାୟକ ତଥା ତାଙ୍କର ଅନ୍ୟ ସହଯୋଗୀମାନଙ୍କୁ ସସମ୍ମାନ ଧନ୍ୟଵାଦ ଜ୍ଞାପନ କରୁଅଛି ।

 ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କୌଣସି ସାଧାରଣ ଶବ୍ଦକୋଷ ନୁହେଁ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କେଵଳ ଏକdictionary ନୁହେଁ ଏହା ଏକ Lexicon ଅଥଵା ଵିଶ୍ଵକୋଷ(encyclopedia) ମଧ୍ୟ !

 Dictionaryରେ କୌଣସି ଏକ ଵା ଏକାଧିକ ଭାଷାର ଶବ୍ଦ ସୂଚୀ କେଵଳ ରହିଥାଏ କିନ୍ତୁ Lexiconରେ କୌଣସି ଏକ ଭାଷାରେ ଗୋଟିଏ ଶବ୍ଦର ଅର୍ଥ ସହିତ ତହିଁର ପ୍ରୟୋଗ ଓ ନିରୁକ୍ତି ଆଦି ଉଲ୍ଲେଖ କରାଯାଇଥାଏ । ପୁଣି ଭାଷାକୋଷରେ ଵିଶ୍ଵକୋଷ ଭଳି ଉତ୍କଳ,ଭାରତ ତଥା ଵିଶ୍ଵର ଅନେକ ତଥ୍ୟ ମଧ୍ୟ ଅନେକ ଶବ୍ଦ ତଳେ ଦ୍ରଷ୍ଟଵ୍ୟ ଆକାରରେ ପ୍ରଦତ୍ତ ହୋଇଛି । ସେଥିପାଇଁ ଓଡ଼ିଶାର ଏହି ଶବ୍ଦକୋଣାର୍କକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ କୁହାଯାଇଛି ପୂର୍ଣ୍ଣଚନ୍ଦ୍ର ଶବ୍ଦକୋଷ ନୁହେଁ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଅନେକ ଵିଶେଷତ୍ଵ ରହିଛି ଯାହା ଆଧୁନିକ ସାଧାରଣ ଅଭିଧାନ ଵା ଶବ୍ଦକୋଷରେ କ୍ଵଚିତ୍ ଦେଖିଵାକୁ ମିଳେ । 

ଭାଷାକୋଷରେ ଅଧିକାଂଶ ଓଡ଼ିଆ ଶବ୍ଦର
ହିନ୍ଦୀ ଓ ବଙ୍ଗାଳୀ synonym ଯଥାକ୍ରମେ ଦେଵନାଗରୀ ଓ କାମରୂପୀ ଲିପିରେ ଲେଖାଯାଇଛି । କେତେକ ଓଡ଼ିଆ ଶବ୍ଦର ତେଲୁଗୁ, ତାମିଲ ,ମରାଠୀ ଗୁଜରାଟୀ ଓ କ୍ଵଚିତ୍ ଅହମିଆ ପ୍ରତିଶବ୍ଦ ମଧ୍ୟ ଦିଆଯାଇଛି ।‌ ଗଛ ଓ ଜୀଵଙ୍କର ଵୈଜ୍ଞାନିକ ଲାଟିନ୍ 
ନାମ ଦିଆଯାଇଛି । ଅଧିକାଂଶ ଓଡ଼ିଆ ଶବ୍ଦର ଵ୍ୟୁତ୍ପତ୍ତି ମୂଳ ଦିଆଯାଇଛି। ଅଧିକାଂଶ ସଂସ୍କୃତ ଶବ୍ଦର ନିରୁକ୍ତି ପ୍ରଦାନ କରାଯାଇଛି । ଅନେକ ଶବ୍ଦ ସମ୍ବନ୍ଧରେ ଵିସ୍ତୃତ ଵର୍ଣ୍ଣନା କରାଯାଇଛି ।‌ ଅନେକ ସଂସ୍କୃତ ଶବ୍ଦର ଦୁଇ ଵା ତତୋଽଧିକ ପର୍ଯ୍ୟାୟଵାଚୀ ଶବ୍ଦର ଉଲ୍ଲେଖ କରାଯାଇଛି । ଅଧିକାଂଶ ଶବ୍ଦ ତଳେ ଉକ୍ତ ଶବ୍ଦର ସାହିତ୍ୟରେ ପ୍ରୟୋଗର ଉଦାହରଣ ଦିଆଯାଇଛି । କେତେକ ଶବ୍ଦର କେମିତି ଵାକ୍ୟଗଠନ କରି ପ୍ରୟୋଗ କରାଯାଏ ତାହା ମଧ୍ୟ ଉଲ୍ଲେଖ କରାଯାଇଛି । କୌଣସି କୌଣସି ଶବ୍ଦ ତଳେ ସେହି ଶବ୍ଦର ପ୍ରୟୋଗ କେମିତି ପ୍ରାଚୀନ ସାହିତ୍ୟ,ପ୍ରଵଚନ,ଢଗଢମାଳି,ପ୍ରହେଳିକା ଆଦିରେ ହୋଇଛି ତାହା ମଧ୍ୟ ଦର୍ଶାଯାଇଛି ।
କେତୋଟି ଓଡ଼ିଆ ଲୋକକଥା ଓ କିଂଵଦନ୍ତୀ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇଛି । ଜଣେ ଜଣେ ମହାପୁରୁଷଙ୍କ ସଂକ୍ଷିପ୍ତ ଓ କେତେକଙ୍କ ଵିସ୍ତୃତ ଜୀଵନୀ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ଲଭିଛି । ହଜାର ହଜାର ସମ୍ବଲପୁରୀ,କଟକୀ,
ଗଞ୍ଜାମୀ,ଯାଜପୁରୀ,ଦେଶିଆ, ବାଲେଶ୍ଵରୀ ଶବ୍ଦ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ସ୍ଥାନ ପାଇଛି । ମୋଟ ଉପରେ କହିଵାକୁ ଗଲେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ହେଉଛି ଓଡ଼ିଆ ତଥା ଓଡ଼ିଶା ଵିଷୟରେ ଜାଣିଵାକୁ ଚାହୁଁଥିଵା ଲୋକ ତଥା ଗଵେଷକମାନଙ୍କ ପାଇଁ ଏକ ଅମୂଲ୍ୟ ସମ୍ପଦ । ତେଣୁ ଏଭଳି ତଥ୍ୟପୂର୍ଣ୍ଣ କୋଷକୁ କେଵଳ ଜ୍ଞାନକୋଷ ଵା encyclopaedia ବି ଅଭିହିତ କରାଯାଇପାରେ । 

ଯେଉଁମାନେ ଓଡ଼ିଆ ଭାଷାକୁ ଜାଣିଵାକୁ ଚାହୁଁଛନ୍ତି , ଯେଉଁମାନେ ଉତ୍କଳୀୟ ସଂସ୍କୃତି ସହିତ ପରିଚିତ ହେଵାକୁ ଚାହୁଁଛନ୍ତି ,ଯେଉଁମାନେ ଓଡ଼ିଆ ଜାତିକୁ ଭଲ ଭାବରେ ଜାଣିଵାକୁ ଚାହୁଁଛନ୍ତି ଏଵଂ ଯେଉଁମାନେ ଅନିସନ୍ଧିତ୍ସୁ ଵା ଗଵେଷକ ସେହିମାନେ ନିଶ୍ଚୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ତ୍ଵ କ'ଣ ତାହା ହୃଦୟଙ୍ଗମ କରିଥିବେ ।

ଜଣେ ଗଵେଷକ ପାଇଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅମୂଲ୍ୟ ସମ୍ପଦ । ବଡ଼ ମନ ଯାହାର ସେ ବଡ଼ କାମ କରେ । ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ବଡ଼ କାମଟିଏ କରିଯାଇଛନ୍ତି । ଗୁଜରାଟର ଭଗୋବତ୍ ମଣ୍ଡଳ ଅଭିଧାନ ହେଉ କି ହିନ୍ଦୀ ଶବ୍ଦ ସାଗର ଵା ତାମିଳ ଲେକ୍ସିକନ୍ ତତ୍କାଳୀନ ସମୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସବୁ ଭାଷାକୋଷ ମଧ୍ୟରେ ଶ୍ରେଷ୍ଠ ପରିଗଣିତ ହେଉଥିଲା ଏଵଂ ଓଡ଼ିଶାରେ ଓଡ଼ିଆ ଭାଷାରେ ଅନେକ ଶବ୍ଦକୋଷ ସଂକଳିତ ହୋଇଥିଲେ ହେଁ ପୂର୍ଣ୍ଣଚନ୍ଦ୍ର ପରି ଏହାର ପୂର୍ଣ୍ଣାଙ୍ଗ ସ୍ଵୟଂ ସମ୍ପୂର୍ଣ୍ଣ ସମସ୍ତ ଗୁଣ ଥିଲା ଭଳି କୌଣସି ଶବ୍ଦକୋଷ ଵା ଭାଷାକୋଷ କେଉଁଠି ଦୃଶ୍ୟ ହୁଏନାହିଁ । 

ପ୍ରହରାଜଙ୍କର ଦୁର୍ଭାଗ୍ୟ ସେ ଏହିପରି ଏକ ଜ୍ଞାନକୋଷ ଵା encyclopaedia ଓଡ଼ିଆ ଭାଷାରେ କଲେ ଯଦି ହିନ୍ଦୀ କି ବଙ୍ଗାଳୀରେ ସେ ଏହି କାମ କରିଥାନ୍ତେ ତେବେ ହିନ୍ଦିଆ ଓ ବଙ୍ଗାଳୀ ତାଙ୍କୁ ଏଇଲେଁ ମୁଣ୍ଡରେ ବସେଇ ବୁଲୁଥାନ୍ତେ !

ଆମ ଓଡ଼ିଆ ଜାତି, ଶବ୍ଦଗୁରୁ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଓ ତାଙ୍କର ଶବ୍ଦକୋଣାର୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ମହତ୍ଵ ଆଉ କେତେ ଶହ ଵର୍ଷ ଅତିଵାହିତ ହେଲାପରେ ହୃଦୟଙ୍ଗମ କରିଵ ?

News ଶବ୍ଦର ନିରୁକ୍ତି : ଭ୍ରମ ଓ ସତ୍ୟତା

ଅନ୍ତର୍ଜାଲରେ ପ୍ରଚାରିତ ଏକ ଲୋକପ୍ରିୟ ଭ୍ରମଧାରଣା ହେଉଛି ଇଂରାଜୀ NEWS ଶବ୍ଦଟି N,E,W,S ଏହିପରି ଚାରୋଟି ଲିପୀମକୁ ନେଇ ଗଠିତ ହୋଇଛି । ଏହି ଭ୍ରମଧାରଣା ଆଧାରରେ କିଛି ଲୋକ ପ୍ରଚାର କରନ୍ତି ଯେ ପ୍ରାଚୀନ କାଳର ୟୁରୋପୀୟ ନାଵିକମାନେ North,East,West ଓ South ଏହି ଚାରିଦିଗର ପ୍ରଥମ ଲିପୀମକୁ କ୍ରମାନ୍ୱୟରେ ଯୋଡ଼ି News ଶବ୍ଦ ସୃଷ୍ଟି କରିଥିଲେ । ଆଉ ଦଳେ ଲୋକ କୁହନ୍ତି 
Newness,Empathy,What where when who why ଓ 
Spred ଏହି ଶବ୍ଦ ଓ ପଦର ପ୍ରଥମ ଲିପୀମଗୁଡି଼କୁ ନେଇ News ଶବ୍ଦ ସୃଷ୍ଟି ହୋଇଛି । 

ଏକାଧିକ ଶବ୍ଦର ପ୍ରଥମ ଲିପୀମଗୁଡି଼କୁ ଏକାଠି ଯୋଡ଼ି ଗଠନ କରାଯାଉଥିଵା ଶବ୍ଦକୁ acronym words କୁହାଯାଏ । ଇଂରାଜୀ ଭାଷାରେ Lol(laughs out loud) ,SONAR( Sound navigation and ranging),AIDS( Acquired immunodeficiency syndrome),Radar(Radio detecting and ranging) ଓ OMG(oh my God) ଭଳି କିଛି acronym ଶବ୍ଦ ନିଶ୍ଚୟ ଅଛି କିନ୍ତୁ News ଶବ୍ଦ ଏହି ଶ୍ରେଣୀର ଶବ୍ଦ ନୁହେଁ । 
ଭାଷାଵିଦମାନେ କୁହନ୍ତି News ଶବ୍ଦରେ new (ନୂଆ) ଓ -s ପ୍ରତ୍ୟୟ ରହିଛି । 
ପ୍ରକୃତରେ ଆଧୁନିକ ଇଂରାଜୀ News ଶବ୍ଦଟି ମଧ୍ୟଯୁଗୀୟ ଇଂରାଜୀ ଶବ୍ଦ newes, newys (“new things;ନୂଆ ଵିଷୟ ଵା ନୂଆ କଥା”)ର ଆଧୁନିକ ରୂପ ଅଟେ । 

ଯଦି News ଶବ୍ଦଟି ଏକ acronym ଜାତୀୟ ଶବ୍ଦ ହୋଇଥାନ୍ତା ତେବେ ସାରା ୟୁରୋପୀୟ ଭାଷାଗୁଡି଼କରେ ସମ୍ବାଦକୁ କେଵଳ News ହିଁ କୁହାଯାଉଥାନ୍ତା କିନ୍ତୁ ୟୁରୋପରେ ଵିଭିନ୍ନ ଭାଷାରେ ସମ୍ବାଦ ଅର୍ଥଜ News ଶବ୍ଦର ଭିନ୍ନ ଭିନ୍ନ ପ୍ରତିଶବ୍ଦ ରହିଛି । 

ଉଦାହରଣ ସ୍ୱରୂପ ଆର୍ମାନୀୟ ଭାଷାରେ ସମ୍ବାଦକୁ նորություն (norutʿyun) କୁହାଯାଏ ଏଵଂ ଏଥିରେ 
 նոր (nor, “ନୂଆ”) ଓ -ութիւն (-utʿiwn, “-ness ଵା ଯୁକ୍ତ”) ଏହିପରି ଦୁଇଗୋଟି ଶବ୍ଦ ରହିଛି । ନିମ୍ନରେ ୟୁରୋପରେ କଥିତ ହେଉଥିଵା ଵିଭିନ୍ନ ଭାଷାରେ ସମ୍ବାଦ ଅର୍ଥଜ ପ୍ରତିଶବ୍ଦର ଉଲ୍ଲେଖ କରାଗଲା । 
 
•ଚେକ୍ ଭାଷା : noviny 
•ଡାନିଶ୍ : nyt
•ଡଚ୍ : nieuws 
•ଗାଲିସିଆନ୍ : novas 
•ଜର୍ମାନ୍ : Neuigkeiten , Nachricht, Nachrichten ଓ Neues 
•ଗ୍ରୀକ୍: νέα(néa)
•ଇଂଗ୍ରିଆନ୍ : noovosti
•ଲିଥୁଆନିଆ : naujiena
•ମେସିଡୋନିଆନ୍ : новости (novosti) ଓ новини (novini)
•ନରୱେଜିୟନ୍ : nyhet, nytt, nyheit ଓ nyhende 
•ପୋଲିଶ୍ : nowości
•ରୋମିନିୟନ୍ : noutate 
•ରଷିୟନ୍: но́вости (nóvosti)
•ସିସିଲିଆନ୍ : nutizzia
•ସ୍ଲୋଵାକ୍ : novinky
•ସ୍ଲୋଵେନେ : novice
•ସ୍ଵିଡିଶ୍ : nyhet ,nyheter
•ୟୁକ୍ରେନିୟନ୍ : нови́ни (novýny)
•ୱାଲୂନ୍(Waloon): novele
•ୱେଲ୍ସ ଭାଷା : newyddion
•ଫ୍ରିଶିଅନ୍ : Näis,näjs ଓ nijs 

ଇଂରାଜୀ News ଶବ୍ଦର ଵିଭିନ୍ନ ୟୁରୋପୀୟ ଭାଷାରେ ପ୍ରଚଳିତ ଏ ସମସ୍ତ ପ୍ରତିଶବ୍ଦଗୁଡି଼କର ପ୍ରାକ୍ ଜର୍ମାନିକ୍ ମୂଳ ଶବ୍ଦଟି ହେଉଛି *niwi ଓ *niwjaz ଏଵଂ ଏହାର ପ୍ରାକ୍ ଭାରୋପୀୟ ଶବ୍ଦରୂପ *néwyos (“new”) ତଥା *néwos ନିର୍ଣ୍ଣୟ କରାଯାଇଛି । ଆମ ଭାରତୀୟ ଭାଷାଗୁଡି଼କରେ ପ୍ରଚଳିତ ନଵ,ନୂତନ ଓ ନୂଆ ଇତ୍ୟାଦି ଶବ୍ଦଗୁଡି଼କ ମଧ୍ୟ ମୂଳ ପ୍ରାକ୍ ଭାରୋପୀୟ ଶବ୍ଦ *néwosରୁ ସୃଷ୍ଟି ହୋଇଛି ଅତଃ ଇଂରାଜୀ News ଶବ୍ଦର ଆମ ଭାରତୀୟ ଶବ୍ଦ ନଵ ଓ ନୂଆ ଆଦି ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଅଛି । 

ଆମେ ଆଜି ବି ସବୁଦିନ ନୂତନ News ଵା ସମ୍ବାଦ ଶୁଣନ୍ତି ଵା ଶୁଣିଵାକୁ ଇଚ୍ଛା କରନ୍ତି । ପ୍ରତିଦିନ ଗଣମାଧ୍ୟମରେ ନୂଆ ନୂଆ ସମ୍ବାଦ ପ୍ରଚାରିତ ହୋଇଥାଏ ଏଵଂ ପୁରୁଣା ସମ୍ଵାଦକୁ ସେତେ ଗୁରୁତ୍ଵ ଦିଆଯାଏ ନାହିଁ । ବାସି ସମ୍ବାଦ ଵିଷୟରେ ଜାଣିଥିଲେ ତାକୁ ଆଉ କେହି ଶୁଣିଵାକୁ ଚାହାନ୍ତି ନାହିଁ । ଫଳତଃ “ପ୍ରତିଦିନ ନୂତନ ସମ୍ବାଦ” ଭାଵକୁ ଘେନି ୟୁରୋପରେ ପ୍ରୋକ୍ତ ଶବ୍ଦଗୁଡି଼କ ସୃଷ୍ଟି ହୋଇଥିଲା । 

ତେବେ ଅନେକେ ହୁଏତ ଜାଣିନଥିବେ ଯେ ଆଗେ ପ୍ରାଚୀନ ଇଂରାଜୀ ଭାଷାରେ ଏହି News ଶବ୍ଦ ଛଡ଼ା spell ଶବ୍ଦ ମଧ୍ୟ ସମ୍ବାଦ ଅର୍ଥରେ ପ୍ରୟୋଗ କରାଯାଉଥିଲା ।‌
ଆଜିକାଲି Spell ଶବ୍ଦଟି କେଵଳ ଯାଦୁ କରିଵା ସମୟରେ ବୋଲାଯିଵା ମନ୍ତ୍ର ଅର୍ଥରେ ଵ୍ୟଵହୃତ ହେଉଅଛି । ଅଷ୍ଟମରୁ ପନ୍ଦରଶହ ଶତାବ୍ଦୀ ଯାଏଁ ଇଂରାଜୀ ଭାଷାରେ spell ଶବ୍ଦଟି ଭାଷଣ ଓ ପ୍ରଵଚନ ଅର୍ଥରେ ପ୍ରୟୋଗ ହେଉଥିଲା । 
କିନ୍ତୁ ଅଷ୍ଟମ ଶତାବ୍ଦୀ ପୂର୍ଵରୁ ଏହି spell ଶବ୍ଦ ଇଂରାଜୀ ଭାଷାରେ ସମ୍ବାଦ ଅର୍ଥରେ ପ୍ରୟୋଗ କରାଯାଉଥିଵା ଜଣାଯାଏ । ଏହାର ପ୍ରାକ୍ ଜର୍ମାନିକ୍ ଶବ୍ଦରୂପ *spellą (“ଭାଷଣ,ଵଚନ,କଥା”) ଓ ପ୍ରାକ୍ ଭାରୋପୀୟ ଶବ୍ଦରୂପ *spel- ("କହିଵା ”) ଓ *bʰel- (“କହିଵା,ଶବ୍ଦକରିଵା”) ନିର୍ଣ୍ଣୟ କରାଯାଇଛି । ସଂସ୍କୃତ ଶବ୍ଦ ଭର୍ଗ , ଭର୍ଗସ ଓ ଭାଲ ଭଳି କିଛି ଶବ୍ଦ ସହିତ ଏହାର ସଗୋତ୍ରୀୟ ସମ୍ପର୍କ ଥିଵା ଜଣାଯାଏ । 

ଅସ୍ତୁ, News ଶବ୍ଦ ସମ୍ବନ୍ଧୀୟ ପ୍ରୋକ୍ତ ଆଲୋଚନାରୁ ଆମେ ଜାଣିଲେ ଯେ ଏହି ଶବ୍ଦଟି ଏକ acronym ଶବ୍ଦ ନୁହେଁ ଵା North, East,West ଓ Southର ପ୍ରଥମ ଅକ୍ଷରକୁ ନେଇ ସୃଷ୍ଟି ହୋଇନାହିଁ ଵରଂ News ଶବ୍ଦର ସଗୋତ୍ରୀୟ ସମ୍ପର୍କ ଆମ ଭାରତର ନଵ,ନୂତନ,ନୂଆ ଭଳି ଶବ୍ଦ ସହିତ ଅଛି ।

Monday, May 15, 2023

ଶାନ୍ତି ଓ ଯୁଦ୍ଧ

ତିନୋଟି କୁକୁର ଶୀତ ସକାଳରେ ଖରା ପୋଇଁ ହୋଇ ପରସ୍ପର ସହିତ ଗପୁଥାଆନ୍ତି । 



ପ୍ରଥମ କୁକୁରଟି କହୁଥାଏ , "ଏହି ଶ୍ଵାନରାଜରେ ଜନ୍ମ ନେଵା ସତରେ ବଡ଼ ସୁଖମୟ ଅଟେ । ହେଇ ଯୁଗ ଥିଲା ଆମ ପୂର୍ଵଜ ଜଙ୍ଗଲରେ ରହୁଥିଲେ ଆଉ ଖାଇଵା ପିଇଵା ପାଇଁ ଜୀଵନ ଵିପନ୍ନ କରି ଦିନଯାକ ଦୌଡ଼ୁଥିଲେ । ଏବେ ଦେଖ ଆମେ ମୋଟରଗାଡି଼,ଉଡ଼ାଜାହାଜ ଓ ବୁଡ଼ାଜାହାଜରେ ବସି କେଡ଼େ ଆରାମରେ ଜଳ,ସ୍ଥଳ ଓ ଆକାଶରେ ଯାତ୍ରା କରୁଛେ । ଆମକୁ ସୁଖ ଶାନ୍ତି ଦେଵା ପାଇଁ କେତେ ଯେ ନୂଆ ନୂଆ ଆଵିଷ୍କାର ହେଉନାହିଁ ସତେ ! 

ଦ୍ଵିତୀୟ କୁକୁର ତା କଥା ଶୁଣି କହିଲା,
ଏବେ ଆମେ ଲୋକମାନଙ୍କର ପ୍ରକୃତିକୁ ଭଲ ଭାବରେ ବୁଝି ତାଙ୍କଠାରୁ ନିଜ ସ୍ଵାର୍ଥ ଲାଭର ସବୁ ଉପାୟ ଜାଣିସାରିଛନ୍ତି । ଜହ୍ନକୁ ଦେଖି ଆମ ପୂର୍ଵଜଙ୍କ ଅପେକ୍ଷା ଆମେମାନେ ଅଧିକ ଲୟବଦ୍ଧ ରୂପେ ଭୋକିପାରୁଛନ୍ତି ।‌ ଆମେ ପାଣିରେ ନିଜ ମୁହଁକୁ ଦେଖି ଜାଣିପାରନ୍ତି ଯେ ଆମ ପୂର୍ଵଜଙ୍କ ତୁଳନାରେ ଆଜି ଆମେ ଅଧିକ ପରିଷ୍କାର ଓ ସୁନ୍ଦର ଦେଖାଯାଉଛନ୍ତି ।‌ ଆହା ! ସତରେ ଆମେମାନେ ବଡ଼ ଭାଗ୍ୟଵାନ ଏହି ଯୁଗରେ ଜନମିଛନ୍ତି । 

ତହୁଁ ତୃତୀୟ କୁକୁରଟି କହିଲା
ମୁଁ ତ ଏ ଶ୍ଵାନରାଜରେ ଆମମାନଙ୍କ ମଧ୍ୟରେ ତାଳମେଳ ଦେଖି ଆଶ୍ଚର୍ଯ୍ୟ ହେଉଛି ! ଆମେ ଟିକେ ଟିକେ କଥାରେ କାମୁଡ଼ି କାମୁଡ଼ି ହେଵା ଜାତି କିନ୍ତୁ ଏ ଯୁଗରେ ସଭ୍ୟ ହୋଇ ଯାଇଛନ୍ତି । ସତରେ ଏହା ବଡ଼ ଅଦ୍ଭୁତ କଥା ନୁହେଁ କି ? 
 
ଠିକ୍ ସେହି ସମୟରେ କୁକୁର ଧରିଵାଵାଲା ଲୋକ ତାଙ୍କ ଆଡ଼କୁ ଚାଲି ଆସୁଥିଵାର କୁକୁରମାନେ ଦେଖିଦେଲେ । 

ତିନୋଟି ଯାକ କୁକୁର ଶୋଇଵା ଥାନରୁ ଡେଇଁ ଡରି ମରି ଗୋଟାଏ ଗଳି ବାଟ ଦେଇ ଦୌଡ଼ିଵାକୁ ଲାଗିଲେ ।‌ ଧାଉଁ ଧାଉଁ ତୃତୀୟ କୁକୁରଟି କହୁଥାଏ ଦଉଡ଼ ଦଉଡ଼ ଆହୁରି ଯୋର୍ ରେ ଧାଅଁ ନିଜ ଜୀଵନ ବଞ୍ଚାଅ ସଭ୍ୟତା ଆମକୁ ଗୋଡ଼ାଇଛି !!!

•ଖଲୀଲ ଜ଼ିବ୍ରାନଙ୍କ ଦ୍ଵାରା ଲିଖିତ ଏକ କାହାଣୀର ଭାଵାନୁଵାଦ•

ମୂଳ ଲେଖାର ନାମ Peace And War ଥିଲା । ଲେଖକଙ୍କର ମୂଳ କାହାଣୀଟି ନିମ୍ନରେ ପ୍ରଦତ୍ତ ହେଲା ...

        ●Peace And War●
Three dogs were basking in the sun and conversing. The first dog said dreamily, "It is indeed wondrous to be living in this day of dogdom. Consider the ease with which we travel under the sea, upon the earth and even in the sky. And meditate for a moment upon the inventions brought forth for the comfort of dogs, even for our eyes and ears and noses."

And the second dog spoke and he said, "We are more heedful of the arts. We bark at the moon more rhythmically than did our forefathers. And when we gaze at ourselves in the water we see that our features are clearer than the features of yesterday."

Then the third dog spoke and said, "But what interests me most and beguiles my mind is the tranquil understanding existing between dogdoms."

At that very moment they looked, and lo, the dog-catcher was approaching.

The three dogs sprang up and scampered down the street; and as they ran the third dog said, "For God's sake, run for your lives. Civilization is after us."

              - --oOo-- -


Sunday, May 14, 2023

ଏକ ପ୍ରାଚୀନ ନକ୍ଷତ୍ର ସ୍ବାତୀ

ରାତ୍ରି ଆକାଶରେ ସପ୍ତର୍ଷିମଣ୍ଡଳକୁ ଠାବ କରନ୍ତୁ ଏଵଂ ତହିଁରେ ଥିଵା ସାତଗୋଟି ନକ୍ଷତ୍ର ମଧ୍ୟରେ ଵଶିଷ୍ଠରୁ ମରିଚି ନକ୍ଷତ୍ର ଆଡ଼କୁ ଏକ ସାମାନ୍ୟ ଵକ୍ର କାଳ୍ପନିକ ରେଖା ଟାଣି ତାକୁ ଆହୁରି ଟିକିଏ ଲମ୍ବାଇ ଦିଅନ୍ତୁ । ବାସ୍ ! ଯେଉଁ ଉଜ୍ଵଳ ନକ୍ଷତ୍ର ପାଇବେ ତାହା ସ୍ଵାତୀ ନକ୍ଷତ୍ର ଅଟେ । 

ୟୁରୋପରେ ସ୍ଵାତୀ ନକ୍ଷତ୍ରକୁ Arcturus କୁହାଯାଏ। ସ୍ଵାତୀ ନକ୍ଷତ୍ରର ଏହି Arcturus ନାମଟି ଏକ ଗ୍ରୀକ୍ ନାମ Ἀρκτοῦρος (Arktouros)ର ଆଧୁନିକ ରୂପ ଅଟଇ । ଗ୍ରୀକ୍ ଭାଷାରେ , ἄρκτος (arktos)ର ଅର୍ଥ “ଭାଲୁ” ଓ οὖρος (ouros)ର ଅର୍ଥ “ପାଳକ” ଵା “ଜଗୁଆଳି ଅଟେ । The great bear ନାମରେ ଜଣାଶୁଣା Ursa major ନକ୍ଷତ୍ରପୁଞ୍ଜ ନିକଟରେ ଵିଶେଷତଃ ଏହାର ପୁଚ୍ଛରୂପ ସପ୍ତର୍ଷିମଣ୍ଡଳ ନିକଟରେ ଦେଖାଯାଉଥିଵାରୁ ଗ୍ରୀକମାନେ ଏହି ନକ୍ଷତ୍ରର ଏଭଳି ନାମକରଣ କରିଥିଲେ । ଏହି ନାମକରଣ ଵିଷୟରେ ଏକ ଗ୍ରୀକ୍ ଲୋକଗାଥା ରହିଛି । 

ଜିଅସ ଓ କାଲିଷ୍ଟୋଙ୍କର ଗୋଟିଏ ପୁତ୍ର ଥିଲା ଯାହାର ନାମ ଆର୍କସ୍ ଥିଲା । ସେମାନେ ଦେଵୀ ଆର୍ଟେମିସଙ୍କର ଅନୁଗାମୀ ଥିଲେ । ସ୍ଵର୍ଗର ଦେଵତା ଜିଅସ୍ ,କାଲିଷ୍ଟୋଙ୍କ ରୂପରେ ମୋହିତ ହୋଇ ଛଦ୍ମଵେଶ ଧାରଣ କରି ତାଙ୍କ ସହିତ ପ୍ରଣୟ କଲେ । ଆର୍କସଙ୍କର ଜନ୍ମର ବହୁଦିନ ପରେ ଯେତେବେଳେ ଜିଉସଙ୍କର ପତ୍ନୀ ହେରା ଏ ଵିଷୟରେ ଜାଣିଲେ, ସେ କ୍ରୋଧିତ ହୋଇ କଲିଷ୍ଟୋଙ୍କୁ ଭାଲୁରେ ରୂପାନ୍ତରିତ କରିଦେଲେ । ସେହି ଭାଲୁ ରୂପା କାଲିଷ୍ଟୋ କାଳେ ଆର୍କାସଙ୍କର କିଏ କ୍ଷତି ଘଟାଇଵ ଏହି ଭୟରେ ଜିଅସ୍ ତାଙ୍କୁ ସେହି ଅଞ୍ଚଳରେ ଲୁଚାଇ ରଖିଥିଲେ ଯାହା ପରେ ତାଙ୍କ ନାମରେ ଆର୍କାଡିଆ ଭାବେ ନାମିତ ହୋଇଥିଲା । ଏହି ଘଟଣାର ବହୁତ ଦିନ ପରେ ଆର୍କସ୍ ରାଜା ହେଲେ ଏଵଂ ନିଜ ଦେଶର ସର୍ଵୋତ୍ତମ ଶିକାରୀ ଭାବରେ ମଧ୍ୟ ପରିଚିତ ହେଲେ । ଦିନେ ସେ ଜଙ୍ଗଲରେ ଭାଲୁ ରୂପରେ ପରିଵର୍ତ୍ତିତା କଲିଷ୍ଟୋଙ୍କୁ ହାବୁଡ଼ିଗଲେ ।‌ ପୁଅକୁ ଚିହ୍ନି ପାରି କାଲିଷ୍ଟୋ ତାଙ୍କୁ ଆଲିଙ୍ଗନ କରିଵାକୁ ଆଗେଇ ଆସିଲେ କିନ୍ତୁ ଆର୍କସ୍ ନିଜ ମାଆଙ୍କୁ ଚିହ୍ନିପାରିଲେ ନାହିଁ ଏଵଂ କେଵଳ ଏକ ଭାଲୁ ତାଙ୍କ ଆଡ଼କୁ ମାଡି଼ ଆସୁଥିଵାର ଦେଖି ନିଜର ଧନୁ ଉଠାଇ ତୀରଟିଏ ମାରିଦେଲେ । ପୁତ୍ର ହସ୍ତରେ ମାତାର ହତ୍ୟା ସହିନପାରି ସ୍ଵର୍ଗର ଦେଵତା ଜିଅସ୍ ଏଥିରେ ହସ୍ତକ୍ଷେପ କରି ମାଆ ଓ ପୁଅକୁ ନକ୍ଷତ୍ରପୁଞ୍ଜରେ ପରିଣତ କରିଦେଲେ ଯାହାକୁ ପରେ Boötes ଓ Ursa Major କୁହାଗଲା ।  

ଚୀନ ଦେଶରେ ସ୍ଵାତୀ ନକ୍ଷତ୍ରକୁ 大角星(Dàjiǎo xīng) ଓ takio କୁହାଯାଏ ।‌ ଚୀନ ଦେଶର ଲୋକେ ସ୍ଵାତୀ(Arcturus) ତଥା ଏହା ନିକଟରେ ଦୃଶ୍ୟ ହେଉଥିଵା ଚିତ୍ରା(Spica) ନକ୍ଷତ୍ରଦ୍ଵୟକୁ Azure Dragonର ଶିଙ୍ଗ ଵିଚାର କରୁଥିଲେ । ପୁଣି ଚୀନ ଦେଶର ଲୋକେ ସ୍ଵାତୀ ନକ୍ଷତ୍ରକୁ ଦେଵତା ତଥା ସମ୍ରାଟମାନଙ୍କର ଵାସସ୍ଥଳୀ ମନେକରୁଥିଲେ । 
ଉତ୍ତର ଆମେରିକାର ଏସ୍କିମୋମାନେ ସ୍ଵାତୀ ନକ୍ଷତ୍ରକୁ "Sibwudl କହୁଥିଲେ । ଡିସେମ୍ବର ଏବଂ ଜାନୁଆରୀର ରାତିରେ ମାଛ ଧରିବା ସମୟରେ ସ୍ଵାତୀ ନକ୍ଷତ୍ର ଦିଗ ତଥା ସମୟ ନିର୍ଦ୍ଧାରଣ ଆଦି କାର୍ଯ୍ୟ ପାଇଁ ଉପାଦେୟ ହେଉଥିଲା । ଏହି ଉଜ୍ଜ୍ୱଳ ତାରାର ଅଵସ୍ଥିତି ପୁଣି ଧ୍ରୁଵ ଚାରିପଟେ ଏହା ଘୂରି ବୁଲୁଥିଵାରୁ ଏସ୍କିମୋମାନେ ରାତିର ସମୟ ଵିଷୟରେ ଜାଣିପାରୁଥିଲେ । ଏସ୍କିମୋମାନଙ୍କର ଏକ ଭାଷା Inuitରେ ସ୍ଵାତୀ ନକ୍ଷତ୍ରକୁ Uttuqalualuk(ଵୃଦ୍ଧତାରା) ଓ Sivulliik(ପ୍ରଥମ ତାରା) କୁ଼ହାଯାଉଥିଲା । 
‌ସେହିପରି କାନାଡ଼ାର Miꞌkmaq ଜନଜାତି ସ୍ଵାତୀ ନକ୍ଷତ୍ରକୁ Kookoogwéss କୁହନ୍ତି ଯାହାର ଅର୍ଥ ପେଚା ଅଟଇ । 

Polynesian ଲୋକେ ସ୍ଵାତୀ ନକ୍ଷତ୍ରକୁ Hōkūleʻa କହୁଥିଲେ ଯାହାର ଅର୍ଥ ଆନନ୍ଦ ପ୍ରଦାୟକ ତାରା ଅଟେ । Polynesian ନାଵିକମାନେ ସ୍ଵାତୀ ଓ ପ୍ରଶ୍ଵା ନକ୍ଷତ୍ର ସାହାଯ୍ୟରେ ସମୁଦ୍ରରେ ଯାତ୍ରା କରୁଥିଲେ । 

ଆରବୀମାନେ ଚିତ୍ରା ଓ ସ୍ଵାତୀ ନକ୍ଷତ୍ର ଦ୍ଵୟକୁ ସ୍ଵର୍ଗ ରକ୍ଷକ ଭାବେ ଅଵତାରଣା କରି al-simāk ତଥା ħāris al-samā ନାମ ଦେଇଥିଲେ । ଆରବରେ  
 ସ୍ଵାତୀ ନକ୍ଷତ୍ରକୁ Al-simak-al-Ramih ମଧ୍ୟ କୁହାଯାଉଥିଲା । 
 
ଅଷ୍ଟ୍ରେଲିଆର ଦକ୍ଷିଣ ପୂର୍ଵ ଅଞ୍ଚଳର Wotjobaluk Koori ଜନଜାତୀୟ ଲୋକେ ସ୍ଵାତୀ ନକ୍ଷତ୍ରକୁ Marpean-kurrk ନାମ ଦେଇଥିଲେ ଏଵଂ ସେମାନଙ୍କ ମଧ୍ୟରେ ଲୋକଵିଶ୍ଵାସ ପ୍ରଚଳିତ ଥିଲା ଯେ ଏହି ନକ୍ଷତ୍ର Djuit (Antares) ଓ Weet-kurrk (Muphrid)ର ଜନ୍ମଦାତ୍ରୀ ଅଟେ । ଏ ଅଞ୍ଚଳରେ ସ୍ଵାତୀ ନକ୍ଷତ୍ର ଉତ୍ତରରେ ଦେଖାଦେଲେ Formica rufa (wood ant) ନାମକ ଏକ ଜନ୍ଦା ଲାର୍ଭା ଦେଉଥିଲା ଏଵଂ ଏହାର ଦକ୍ଷିଣରେ‌ ଅସ୍ତ ସହିତ ଏମାନଙ୍କର ଲାର୍ଭା ଦେଵା ମଧ୍ୟ ବନ୍ଦ ହୋଇଯାଉଥିଲା ।  

ଆମେରିକାର ଲୁମ୍ମୀ ଓ ସ୍ପୋକନେ ଜନଜାତୀୟ ଲୋକଙ୍କର ଏକ ଲୋକଗାଥା ଅନୁଯାୟୀ ସ୍ଵାତୀ ନକ୍ଷତ୍ର ଏକ ଶୃଗାଳ ଜାତୀୟ ଜୀଵ Coyoteର ଗୋଟିଏ ଆଖି ଅଟେ ।‌ ଉକ୍ତ କାହାଣୀ ଅନୁସାରେ Coyote (ଆମେରିକୀୟ କୋକିଶିଆଳି) ଝିଅମାନଙ୍କୁ ପ୍ରଭାଵିତ କରିଵା ପାଇଁ ସେ ତାହାର ଦୁଇଗୋଟି ଉଜ୍ବଳ ଚକ୍ଷୁ ବାହାର କରି ଉପରକୁ ଫିଙ୍ଗୁଥିଲା ଏଵଂ ପୁଣି ତାକୁ ଧରି ଉଦ୍ଭଟ ଖେଳ ଦେଖାଉଥିଲା । ଦିନେ କୟୋଟେ ଯେତେବେଳେ ସେ ସେମାନଙ୍କ ଆଗରେ ଏହି ଖେଳ ଦେଖାଉଥିଲା ସେତେବେଳେ ସେ ନିଜର ଗୋଟିଏ ଆଖିକୁ ଏତେ ଉଚ୍ଚକୁ ଫିଙ୍ଗିଦେଲା ଯେ ତାହା ଆକାଶରେ ଅଟକି ଗଲା ଏଵଂ ଏକ ତାରକା ହୋଇଗଲା ଆଉ ସେହି ତାରକାଟି ସ୍ଵାତୀ ନକ୍ଷତ୍ର ହୋଇଗଲା ।‌ 

ଭାରତୀୟମାନେ ଅଶ୍ୱିନୀ, ଦ୍ୱିଜା, କୃତ୍ତିକା, ରୋହିଣୀ, ମୃଗଶିରା, ଆର୍ଦ୍ରା, ପୁନର୍ଵସୁ, ପୁଷ୍ୟା, ଅଶ୍ଳେଷା, ମଘା, ପୂର୍ଵଫାଲ୍ଗୁନୀ, ଉତ୍ତରଫାଲ୍ଗୁନୀ, ହସ୍ତା, ଚିତ୍ରା, ସ୍ୱାତୀ, ଵିଶାଖା, ଅନୁରାଧା, ଜ୍ୟୋଷ୍ଠା, ମୂଳା, ପୂର୍ଵାଷାଢ଼ା, ଉତ୍ତରାଷାଢା, ଶ୍ରଵଣା, ଧନିଷ୍ଠା, ଶତଭିଷା, ପୂର୍ଵଭାଦ୍ରପଦ, ଉତ୍ତରଭାଦ୍ରପଦ ଓ ରେଵତୀ ଆଦି ୨୭ଗୋଟି ଉଜ୍ଜ୍ୱଳ ନକ୍ଷତ୍ରକୁ ଚନ୍ଦ୍ରଙ୍କର ପତ୍ନୀ ଅଭିହିତ କରିଥାନ୍ତି ।  

ଏ ଵିଷୟରେ ସାରଳା ମହାଭାରତର ଵନପର୍ଵରେ ଏମନ୍ତ ଉଲ୍ଲେଖ ଅଛି 

“ଚନ୍ଦ୍ର ଦେଵତାଙ୍କୁ ଦିଲା ସତାଇଶ କୁମାରୀ
କାମ୍ୟେକ ପୁରୁଷ ବୋଲି ଦିଲା ସେ ବିଚାରି ॥
ଅଶ୍ୱିନୀ ଦ୍ୱିଜା ଯେ କୃତ୍ତିକା ରୋହିଣୀ ମୃଗଶିରା
ଆର୍ଦ୍ରା ପୁନର୍ଵାସୁ ପୁଷ୍ୟା ଅଶ୍ଲେଷା ମଘା ପୂର୍ଵଫାଲଗୁନୀ ଉତ୍ତରଫାଲଗୁନୀ ହସ୍ତା ଚିତ୍ରା ॥
ସ୍ୱାତୀ ଵିଶାଖା ଅନୁରାଧା ଜ୍ୟେଷ୍ଠା ୟେତେକ ପୁଣି
ମୂଳା ପୂର୍ବାଷାଢ଼ା ଉତ୍ତରାଷାଢ଼ା ଶ୍ରବଣା ଧନିଷ୍ଠୋୟେ ଘେନି ॥
ଶତଭିଷା ପୂର୍ଵଭୋଦୋ ଉତ୍ତରଭୋଦୋ ଯେ ରେଵତୀ
ୟେମନ୍ତେ ସତାଇଶ କନ୍ୟା ଚନ୍ଦ୍ରଙ୍କୁ ଦିଲାକ ଦକ୍ଷ ପ୍ରଜାପତି ॥”

ପ୍ରାଚୀନ ଭାରତୀୟମାନେ ସ୍ବାତୀ ନକ୍ଷତ୍ର ଵିଷୟରେ ତତ୍କାଳୀନ ଵିଜ୍ଞାନ ଆଧାରରେ ଶାସ୍ତ୍ରରେ ଲେଖିଯାଇଛନ୍ତି । ପ୍ରାଚୀନ ଭାରତୀୟମାନଙ୍କ ଅନୁସାରେ ସ୍ଵାତୀ ନକ୍ଷତ୍ର କୁଙ୍କୁମାରୁଣଵର୍ଣ୍ଣ ଓ ଏକତାରକାଯୁକ୍ତ।ଏହାର ଅଧିଦେଵତା ପଵନ। ଏହି ନକ୍ଷତ୍ରଯୁକ୍ତ ତିଥିରେ ପଵନ ଵା ବତାସ ବହେ ଓ ଵୃଷ୍ଟି ହୁଏ ବୋଲି ଭାରତରେ ଲୌକିକ ଵିଶ୍ଵାସ ପ୍ରଚଳିତ । ଅମାଵାସ୍ୟା, ଶନିଵାର ଓ ସ୍ୱାତି ନକ୍ଷତ୍ର ଏହି ତିନିଙ୍କର ଏକତ୍ର ସଂଯୋଗ ମହାଵାତ୍ୟାସୂଚକ ବୋଲି ପ୍ରାଚୀନ ଭାରତୀୟମାନେ ଵିଶ୍ଵାସ କରୁଥିଲେ । ଭାରତୀୟ ପୁରାଣରେ ଉକ୍ତ ଅଛି ଯେ, ସ୍ୱାତି ନକ୍ଷତ୍ରରେ ହେଵା ଵର୍ଷା ଵା ଜଳବିନ୍ଦୁ ସାମୁକାରେ ମୁକ୍ତା, ବାଉଁଶରେ ବଂଶଲୋଚନ ଓ ସର୍ପଙ୍କଠାରେ ଵିଷ ଉତ୍ପାଦନ କରେ। 

“କୁଙ୍କୁମାରୁଣତରୈକତାରକେ ଵାୟୁଭେ ସୁଦତି ମୌଳିମାଗତେ । ଶାୟକାମ୍ବରଚରାଚଳାଃ କଳାଶ୍ଚଞ୍ଚଳାକ୍ଷି ଜଗଦୁର୍ମୃଗୋଦୟାତ୍ ॥” 
 (॥କାଳିଦାସକୃତ ରାତ୍ରିଲଗ୍ନ ନିରୂପକଗ୍ରନ୍ଥ,ଦଂ ୩ । ୧୫ ॥)

କୋଷ୍ଠୀପ୍ରଦୀପ ଶାସ୍ତ୍ର ଅନୁଯାୟୀ 
ସ୍ଵାତୀ ନକ୍ଷତ୍ରରେ ଜାତ ଵ୍ୟକ୍ତି କନ୍ଦର୍ପପରି ରୂପଵାନ୍ କାନ୍ତାଜନପ୍ରିୟ, ରତିପ୍ରସନ୍ନ, ମହାମତି ଓ ବିଭୂତିଶାଳୀ ହୁଅନ୍ତି ।‌

“କନ୍ଦର୍ପରୂପପ୍ରଭୟା ସମେତଃ କାନ୍ତାଜନପ୍ରୀତିରତିପ୍ରସନ୍ନଃ । ସ୍ଵାତିଃ ପ୍ରସୂତୌ ଯଦି ନିତ୍ଯଂ ସ୍ଵାତ୍ ମହାମତିଃ ପ୍ରାତଵିଭୂତିଯୋଗଃ ॥” 
(॥ କୋଷ୍ଠୀପ୍ରଦୀପ ॥ )

ଭାରତୀୟ ଜ୍ୟୋତିଷଶାସ୍ତ୍ରରେ 
ସ୍ୱାତୀ ଯୋଗ ବୋଲି ଏକ ଯୋଗର ଉଲ୍ଲେଖ ରହିଛି। ଆଷାଢ଼ ମାସ ଶୁକ୍ଳ ପକ୍ଷରେ ଚନ୍ଦ୍ରଙ୍କର ସ୍ୱାତି ନକ୍ଷତ୍ର ସଙ୍ଗେ ସଂଯୋଗକୁ ସ୍ବାତୀଯୋଗ କୁହାଯାଏ ।‌ ପୁଣି 
ରଵିଵାର, ଶନିଵାର ଵା ମଙ୍ଗଳଵାର ଦିନ ଅମାଵାସ୍ୟା ହେଵା ଓ ସେ ଦିନ ରଵିଙ୍କର ସ୍ୱାତି ନକ୍ଷତ୍ରରେ ଅଵସ୍ଥିତି ରୂପ ଜ୍ୟୋତିଷିକ ଯୋଗକୁ ବି ସ୍ଵାତୀଯୋଗ କହିଥାନ୍ତି । 

ପ୍ରାଚୀନ ଭାରତୀୟମାନେ ଵିଶ୍ଵାସ କରୁଥିଲେ ଯେ ସ୍ୱାତୀ ନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳତିଥିରେ ରାତ୍ରିର ପ୍ରଥମ ପ୍ରହରରେ ବୃଷ୍ଟି ହେଲେ ଶସ୍ୟ ବୃଦ୍ଧି ହୁଏ; ଦ୍ୱିତୀୟ ପ୍ରହରରେ ତିଳାଦି ଶସ୍ୟ ପ୍ରଚୁର ହୁଏ; ତୃତୀୟ ପ୍ରହରରେ ଗ୍ରୀଷ୍ମକାଳୀନ ଶସ୍ୟ ପ୍ରଚୁର ହୁଏ। ଦିଵସର ପ୍ରଥମ ତୃତୀୟ ଓ ଚତୁର୍ଥ ଭାଗରେ ଵୃଷ୍ଟି ହେଲେ ହିତକର ହୁଏ, ଅନ୍ଯଥା ଅଶୁଭ ।‌
ଦ୍ୱିଜା ଆର୍ଦ୍ରା, ଅଶ୍ଳେଷା, ସ୍ୱାତି, ଜ୍ୟେଷ୍ଠା ଓ ଶତଭିକ୍ଷା ଏହି ଛଅ ନକ୍ଷତ୍ରକୁ ପ୍ରାଚୀନ ଭାରତରେ ଜଘନ୍ୟଭ କୁ଼ହାଯାଉଥିଲା । 

ଫଳିତ ଜ୍ୟୋତିଷ ମତରେ ଅନୁରାଧା, ଧନିଷ୍ଠା, ହସ୍ତା, ଚିତ୍ରା, ସ୍ୱାତୀ, ଜ୍ୟେଷ୍ଠା, ଶତଭିଷା ଓ ରେଵତୀ ଆଦି ନକ୍ଷତ୍ର ନାଟକ ଆରମ୍ଭ କରିଵା ପାଇଁ ଶୁଭ ନକ୍ଷତ୍ର ଅଟନ୍ତି । 

ପ୍ରାଚୀନ ଭାରତୀୟ ଗ୍ରନ୍ଥମାନଙ୍କରେ ଲେଖା ଅଛି ଯେ ସ୍ୱାତୀ ନକ୍ଷତ୍ର ଯୋଗ ଦିନ ଵର୍ଷା ହେଵା ସମୟରେ ସାମୁକା ପାଣିରେ ପାଟି ମେଲା କରି ପହଁରୁ ଥାଏ ଓ ସେହି ଦିନ ତାହା ଗର୍ଭରେ ଵର୍ଷା ବିନ୍ଦୁ ପଡ଼ିଲେ ତାହା ମୋତି ପାଲଟି ଯାଏ।

ସ୍ଵଭାଵ କଵି ଗଙ୍ଗାଧର ମେହେର ତାଙ୍କର ତପସ୍ଵିନୀ କାଵ୍ୟର ପଞ୍ଚମ ସର୍ଗରେ ଏହି କଥାକୁ ଦୃଷ୍ଟାନ୍ତ ସ୍ବରୂପ ଉଲ୍ଲେଖ କରିଛନ୍ତି । 

“ପ୍ରେମ-ପ୍ରଭାମୟ ରାମ-ହୃଦୟ
ରାଜ-ସିଂହାସନେ ହୋଇ ଅଥୟ
ଉଦ୍ୟାନକୁ କିବା ଆସିଛି ଧାଇଁ
ସତୀଙ୍କ ଯାତନା ନାଶିଵା ପାଇଁ,
ସେ ନେତ୍ର ସୁଭଗ ଜ୍ୟୋତି
ସ୍ୱାତୀ-ଜଳ ପରି ସତୀ ହୃଦୟରେ
ସୃଜୁଥାଏ ପ୍ରେମ-ମୋତି ।”

ଖ୍ରୀଷ୍ଟପୂର୍ଵ ୫୨୭ରେ ଜୈନଗୁରୁ ମହାଵୀର କାର୍ତ୍ତିକ ମାସ ସ୍ୱାତୀ ନକ୍ଷତ୍ରରେ ଅମାଵାସ୍ୟା ଦିନ ରାତ୍ରି ଶେଷରେ ନିର୍ଵାଣ ପ୍ରାପ୍ତ ହୋଇ ଥିଲେ ଫଳତଃ ଜୈନମାନଙ୍କ ପାଇଁ ସେହିଦିନଠାରୁ ଦୀପାଵଳି ଏକ ପଵିତ୍ର ଦିଵସ ଭାବେ ପରିଗଣିତ ହେଉଅଛି । 

ସ୍ଵାତି ନକ୍ଷତ୍ରର ଅନ୍ୟତମ ଭାରତୀୟ ନାମ ଅନିଳ ଅଟେ ‌। ପଵନଙ୍କର ଅନ୍ୟନାମ ଅନିଳ ଅଟେ ଏଵଂ ଯେହେତୁ ସ୍ବାତୀ ନକ୍ଷତ୍ରର ଅଧିଷ୍ଠାତା ଦେଵତା ପଵନ ଅଟନ୍ତି ତେଣୁ ସ୍ଵାତୀ ନକ୍ଷତ୍ରର ଏକ ନାମ ଅନିଳ ହୋଇଅଛି । ମେସୋପୋଟାମିଆର ପ୍ରାଚୀନ ସୁମେରୀୟମାନେ ସେମାନଙ୍କର Enlil,Elil ଓ Nunamnir ନାମରେ ଜଣାଶୁଣା ଜଣେ ଦେଵତାଙ୍କୁ ମଧ୍ୟ ସ୍ଵାତୀ ନକ୍ଷତ୍ରର ଅଧିଷ୍ଠାତା ଦେଵତା ଭାବରେ ଅଭିହିତ କରୁଥିଲେ । ଆଶ୍ଚର୍ଯ୍ୟଜନକ ଭାବେ ଏହି ନାମଟି ଵାୟୁଦେଵଙ୍କର ଭାରତୀୟ ନାମ ଅନିଳ ସହିତ ମିଶିଯାଉଛି । ଭାରତରେ ଯେମିତି ପଵନ ଦେଵଙ୍କୁ ଵାୟୁ ଓ ଝଡ଼ର ଅଧିଷ୍ଠାତା ଦେଵତା ଵିଚାର କରାଯାଏ ଠିକ୍ ସେହିପରି ପ୍ରାଚୀନ ସୁମେରୀୟମାନେ Enlil ଵା Elilଙ୍କୁ ପଵନ,ଵାୟୁ,ଝଡ଼ ଓ ପୃଥିଵୀର ଅଧିଷ୍ଠାତା ଦେଵତା ଵିଚାର କରୁଥିଲେ । 

ତେବେ ଆଧୁନିକ ଯୁଗରେ ଜ୍ୟୋତିର୍ଵିଜ୍ଞାନ କ୍ଷେତ୍ରରେ ଅଦ୍ଭୁତପୂର୍ଵ ଗଵେଷଣା ଓ ଅଧ୍ୟୟନ ଯୋଗୁଁ ଆମ୍ଭମାନଙ୍କୁ ସ୍ଵାତୀ ନକ୍ଷତ୍ର ଵିଷୟରେ ଆହୁରି ଅନେକ ତଥ୍ୟ ପ୍ରାପ୍ତ ହୋଇଛି । 

ସ୍ଵାତୀ ନକ୍ଷତ୍ର ସୂର୍ଯ୍ୟଠାରୁ ପ୍ରାୟ ୩୬.୭ ଆଲୋକଵର୍ଷ ଦୂରରେ ଅଵସ୍ଥିତ ଏଵଂ ଏହାର ପାଶ୍ଚାତ୍ୟ ନାମ Arcturus ଓ alpha Boötis ଅଟଇ । ସ୍ଵାତୀ ନକ୍ଷତ୍ରର ଵୟସ ୭.୧ ଅବ୍ରୁତ ଵର୍ଷ ଅନୁମାନ କରାଯାଇଛି ଏଵଂ ଏହା ଏକ ଲାଲ୍ ଦାନଵ ନକ୍ଷତ୍ର ଅଟେ ।‌ ଦ୍ରଵ୍ୟମାଣ ଦୃଷ୍ଟିରୁ ସ୍ଵାତୀ ନକ୍ଷତ୍ର ସୂର୍ଯ୍ୟ ଓଜନର ପାଖାପାଖି ହୋଇଥିଲେ ବି ଆକାରରେ ୨୫ଗୁଣ ବଡ଼ ତଥା ଆଲୋକ ଦୃଷ୍ଟିରୁ ୧୭୦ ଗୁଣ ଅଧିକ ଉଜ୍ଵଳ ଅଟେ । ସ୍ଵାତୀ ନକ୍ଷତ୍ରର ଵ୍ୟାସ ପ୍ରାୟ ୩୫ ନିୟୁତ କିଲୋମିଟର ଥିଵା ଜଣାପଡି଼ଛି । ସ୍ଵାତୀ ନକ୍ଷତ୍ର ଆମର ନକ୍ଷତ୍ର ସୂର୍ଯ୍ୟ(୪.୬ ଅବ୍ରୁତ ଵର୍ଷ ଵୟସ୍କ) ଅପେକ୍ଷା ଵୟସରେ ଅର୍ଦ୍ଧାଧିକ ପୁରାତନ ନକ୍ଷତ୍ର ଏଵଂ ସୂର୍ଯ୍ୟ ଆଖପାଖରେ ଏଭଳି ଅତି ଵୟସ୍କ ନକ୍ଷତ୍ର କମ୍ ହିଁ ରହିଛି ।‌ 

ସ୍ଵାତୀ ଵା Arcturusକୁ "Arcturus moving group" ଵା Arcturus stream ନାମରେ କେତେଗୁଡ଼ିଏ ତାରକା ସମୂହର ଏକ ତାରକା ଭାବେ ଗଣନା କରାଯାଏ ।‌ ଏହି ତାରକା ସମୂହରେ Arcturus ଛଡ଼ା Anser (Alpha Vulpeculae), 27 Cancri ଓ Kappa Gruis ଭଳି ପ୍ରାୟ ୫୨ରୁ ଅଧିକ ତାରକା ଅଛନ୍ତି । ଅନୁମାନ କରାଯାଏ ଏହି ତାରକା ସମୂହରେ ଥିଵା ତାରକାଗୁଡି଼କ Milky way galaxyକୁ ଅତି ପ୍ରାଚୀନ କାଳରେ ଏକ ଉପ-ଛାୟାପଥ(Satellite Galaxy)ରୁ ଆସିଥିଲେ । 

ସୂର୍ଯ୍ୟ ଏବଂ ସୁପରନୋଭା ଵ୍ୟତୀତ ସ୍ଵାତୀ ଵା Arcturus ପ୍ରଥମ ତାରା ଥିଲା ଯାହା ଦିନ ସମୟରେ ଟେଲିସ୍କୋପ ସାହାଯ୍ୟରେ ଦେଖାଯାଇଥିଲା । ୧୬୩୫ ମସିହାରେ ଫ୍ରାନ୍ସର ଜ୍ୟୋତିର୍ଵିଜ୍ଞାନୀ ଓ ଗଣିତଜ୍ଞ ଜାନ୍-ବାପ୍ଟିଷ୍ଟ ମୋରିନ୍ ପ୍ରଥମ ଵ୍ୟକ୍ତି ଭାବେ ଏହି କାର୍ଯ୍ୟ କରି ଦେଖାଇଥିଲେ । ବେଳେ ବେଳେ ସୂର୍ଯ୍ୟ ଅସ୍ତ ହେଵାର ଠିକ୍ ପୂର୍ଵରୁ ଖାଲି ଆଖିରେ ମଧ୍ୟ ସ୍ଵାତୀ ନକ୍ଷତ୍ର ଦୃଶ୍ୟ ହୋଇଥାଏ । 

ଆମ ସୂର୍ଯ୍ୟ ଅପେକ୍ଷା ଵୟସରେ ସ୍ଵାତୀ ନକ୍ଷତ୍ର ବହୁତ ପୁରୁଣା ନକ୍ଷତ୍ର ଏଵଂ ଵୈଜ୍ଞାନିକମାନେ ଏହାର ଆକାର, ଦ୍ରଵ୍ୟମାଣ ଓ ଵର୍ତ୍ତମାନ ସ୍ଥିତିକୁ ଅନୁଧ୍ୟାନ କରି ଅନୁମାନ କରନ୍ତି ଯେ ଏହି ନକ୍ଷତ୍ରଟି କିଛି ଶହ ନିୟୁତ ଵର୍ଷ ପରେ ଏକ ଶୁଭ୍ର ଵାମନ ତାରକା(white dwarf star)ରେ ପରିଣତ ହୋଇ ଶେଷରେ କୃଷ୍ଣ ଵାମନ ତାରକା( black dwarf star)ରେ ପରିଵର୍ତ୍ତିତ ହେଵ ଏଵଂ ମୃତ୍ୟୁଵରଣ କରିଵ । ପାଞ୍ଚ ଵା ଛଅ ଅବ୍ରୁତ ଵର୍ଷ ପରେ ଆମ ସୂର୍ଯ୍ୟର ମଧ୍ୟ ସମଦଶା ହେଵ ଫଳତଃ ଵୈଜ୍ଞାନିକମାନେ ଏହି ତାରକା ଵିଷୟରେ ଅଧିକରୁ ଅଧିକ ଗଵେଷଣା କରୁଛନ୍ତି । 

ଅନେକେ ଏହା ଜାଣି ହୁଏତ ଆଶ୍ଚର୍ଯ୍ୟ ହୋଇପାରନ୍ତି ତେବେ ପ୍ରାୟ ଅର୍ଦ୍ଧ ନିୟୁତ ଵର୍ଷ ପୂର୍ଵେ ସ୍ଵାତୀ ଵା Arcturus ନକ୍ଷତ୍ର ପୃଥିଵୀରୁ ଖାଲି ଆଖିରେ ଦେଖାଯାଉନଥିଲା । ଏହା ଵର୍ତ୍ତମାନ ଆମ ସୌରଜଗତ ଆଡ଼କୁ ଗତି କରୁଛି ଏଵଂ ସୂର୍ଯ୍ୟ ତୁଳନାରେ ୧୨୨ କିଲୋମିଟର/ସେକେଣ୍ଡ ବେଗରେ ଗତି କରି ସୌରମଣ୍ଡଳର ପ୍ରାୟ ନିକଟତମ ବିନ୍ଦୁରେ ପହଞ୍ଚିଛି । ପାଖାପାଖି ୪,୦୦୦ ଵର୍ଷ ମଧ୍ୟରେ ଏହା ଆହୁରି ନିକଟତର ହେଵ । ଵୈଜ୍ଞାନିକମାନେ କୁହନ୍ତି ସ୍ଵାତୀ ନକ୍ଷତ୍ର ଏକ ଆଲୋକ ଵର୍ଷର କିଛି ଶହ ଭାଗ ଵର୍ତ୍ତମାନ ତୁଳନାରେ ନିକଟତର ହେଵ ଏଵଂ ତାପରେ ଏହା ଦକ୍ଷିଣ ଦିଗରେ ଗତି କରିଵା ଆରମ୍ଭ କରିଦେଵ ତଥା ଆଉ ୧,୫୦,୦୦୦ ଵର୍ଷ ପରେ ପୃଥିଵୀରୁ ଖାଲି ଆଖିରେ ଦୃଶ୍ୟମାନ ହେଵ ନାହିଁ । ତେବେ ଵର୍ତ୍ତମାନ ସମୟରେ ସ୍ଵାତୀ ନକ୍ଷତ୍ର ପୃଥିଵୀର ରାତ୍ରୀ ଆକାଶରେ ତୃତୀୟ ସବୁଠାରୁ ଉଜ୍ଵଳତମ ନକ୍ଷତ୍ର ଅଭିହିତ ହେଉଅଛି । 

ସତରେ ଆମେ ଭାଗ୍ୟଵାନ ଯେ ଏଭଳି ଏକ ପ୍ରାଚୀନ ନକ୍ଷତ୍ରକୁ ଆମ୍ଭେମାନେ ପୃଥିଵୀର ରାତ୍ରି ଆକାଶରେ ଦେଖିପାରୁଛନ୍ତି । 

Friday, May 12, 2023

ରାତ୍ରୀ କାଳରେ କିଛି ଜୀଵଙ୍କ ଆଖି ଜଳିଲା ଭଳିଆ କାହିଁକି ଦେଖାଯାଏ ?

ଆମେରିକାର ଉତ୍ତର ପଶ୍ଚିମ ପ୍ରଶାନ୍ତ ଅଞ୍ଚଳରେ ଲୁମ୍ମି(Lummi) ତଥା ସ୍ପୋକନେ(Spokane) ଜନଜାତୀୟ ଲୋକଙ୍କର ଏକ ଲୋକଗାଥା ଅନୁସାରେ କୌଣସି କାରଣରୁ ଗୋଟିଏ Coyote (ଆମେରିକୀୟ କୋକିଶିଆଳି) ଅନେକ ଦିନ ପର୍ଯ୍ୟନ୍ତ ନିଃସଙ୍ଗ ଜୀଵନ କଟାଉଥିଲା । ତେବେ Coyote ନିଜ ଜୀଵନରେ କିଛି ପରିଵର୍ତ୍ତନ ଚାହୁଁଥିଲା କିନ୍ତୁ ଏଥିପାଇଁ ଜଣେ କିଏ ସାଥୀ ଆଵଶ୍ୟକ ଵିଚାର କରି ସେ ଦିନେ ନିକଟରେ ଥିଵା ଝିଅମାନଙ୍କୁ ପ୍ରଭାଵିତ କରିଵା ପାଇଁ ଚେଷ୍ଟା କଲା। Coyote ଅନେକ ପ୍ରକାରର ଖେଳ କୌତୁକ ଦେଖାଇଲା କିନ୍ତୁ ଝିଅମାନେ କୋଉଥିରେ ପ୍ରଭାଵିତ ହେଲେ ନାହିଁ । ଶେଷରେ Coyote ତାହାର ଦୁଇଗୋଟି ଉଜ୍ବଳ ଚକ୍ଷୁ ବାହାର କରି ଉପରକୁ ଫିଙ୍ଗିଲା ଏଵଂ ପୁଣି ତାକୁ ଧରି ଏକ ଉଦ୍ଭଟ ଖେଳ ଦେଖାଇଲା । ଯେତେଥର Coyote ତାହାର ଆଖି ଦୁଇଟିକୁ ଉପରକୁ ଫିଙ୍ଗୁଥିଲା ଝିଅମାନେ ଆନନ୍ଦରେ ତାଳି ମାରି ହସୁଥିଲେ ।‌ ଅତଃ Coyote ଏଥିରେ ଉତ୍ସାହିତ ହୋଇ ଆଉ ଟିକିଏ ଉପରକୁ ଆଖି ଦୁଇଟି ଫିଙ୍ଗିଲା । ଏଥିରେ ଝିଅମାନେ ଆହୁରି ଅଧିକ ସୁଖ ପାଇଲେ ଏଵଂ ତାଳି ବଜାଇ ନାଚିଲେ । ଏହିପରି ଅନେକ ଥର ହେଲା ଆଉ ଶେଷରେ Coyote ତାହାର ଆଖି ଦୁଇଟି ଏତେ ଉଚ୍ଚକୁ ଫିଙ୍ଗିଦେଲା ଯେ ତନ୍ମଧ୍ୟରୁ ଗୋଟିଏ ଆଖି ଆକାଶରେ ଅଟକି ଗଲା ଏଵଂ ତାହା ଏକ ତାରକା ହୋଇଗଲା ।‌ Coyoteର ଆକାଶରେ ଠାକିଯାଇଥିଵା ସେହି ଆଖିଟି ପରେ ସ୍ଵାତୀ ଵା Arcturus ନକ୍ଷତ୍ର ହୋଇଗଲା ।‌ ଏହା ଦେଖି ହସି ନାଚି ତାଳି ବଜାଉଥିଵା ଝିଅମାନେ ଚୁପ୍ ହେଇଗଲେ ଏଵଂ ଭୟରେ ସେଠାରୁ ଦୌଡ଼ି ପଳାଇଲେ । ଦୁଃଖରେ ଭାଙ୍ଗି ପଡି଼ ନିଜର ବଞ୍ଚିଯାଇଥିଵା ଗୋଟିଏ ଆଖିକୁ ଘେନି Coyote ସେଠାରୁ ଜଙ୍ଗଲକୁ ଚାଲିଗଲା । 

ହଁ ସ୍ଥୂଳ ଭାବେ କୁହାଯାଇପାରେ ଯେ ଏହା ଏକ ଜନଜାତୀୟ କାହାଣୀ ଛଡ଼ା ଆଉ କିସ ହୋଇପାରେ ! 
କିନ୍ତୁ ସୂକ୍ଷ୍ମ ଭାବେ ବୁଝିଲେ ଜାଣିହୁଏ ଯେ ଏହି କାହାଣୀ ମାଧ୍ୟମରେ ପ୍ରାଚୀନ ଆମେରକୀୟ ଜନଜାତୀୟ ଲୋକେ ନିଜ ଯୁଵପିଢ଼ିଙ୍କୁ ଶିକ୍ଷା ଦେଵାକୁ ଚେଷ୍ଟା କରିଛନ୍ତି ଯେ ଅନ୍ୟ କାହାକୁ(ଵିଶେଷତଃ ଝିଅମାନଙ୍କୁ) ପ୍ରଭାଵିତ କରିଵା ଚେଷ୍ଟାରେ ଏତେ ପ୍ରାଣପଣେ ଲାଗିପଡ଼ନାହିଁ ନହେଲେ Coyote ନିଜର ଆଖି ହରାଇଵା ଭଳି ଅସୁଵିଧାରେ ପଡି଼ଵା ସାର ହେଵ । Coyote, କୋକିଶିଆଳି, ବିଲୁଆ ଏମନ୍ତକି ବିଲେଇ ଭଳି ଜୀଵମାନଙ୍କର ଆଖି ଅନ୍ଧାରରେ ଆମକୁ ଜଳିଲା ଭଳି ଦେଖାଯାଏ । ତେଣୁ ଏହି ଲୋକକଥାଟି ସେଇ ଆଧାରରେ କଳ୍ପିତ ହୋଇଥିଲା । 

ତେବେ ଏଠାରେ ମନକୁ ପ୍ରଶ୍ନ ଆସୁଛି କିଛି ଜୀଵମାନଙ୍କର ଆଖି ଆମକୁ ଜଳିଲା ଜଳିଲା ଭଳି କାହିଁକି ଦେଖାଯାଏ 🤔

ଅନେକ ଜୀଵମାନଙ୍କର ଅକ୍ଷିପଟ ଵା ଦୃଷ୍ଟିପଟଳ(Retina) ପଛରେ ଏକ ସ୍ୱତନ୍ତ୍ର, ପ୍ରତିଫଳିତ ପୃଷ୍ଠ ଅଛି ଯାହାକୁ Tapetum lucidum କୁହାଯାଏ । ଏହି Tapetum lucidum ପୃଷ୍ଠ ଥିଵା ଯୋଗୁଁ ସେମାନଙ୍କ ଆଖି ଆମକୁ ଜଳିଲା ଭଳି ଦେଖାଯାଏ । ଅଵଶ୍ୟ ମଣିଷମାନଙ୍କ ଆଖିରେ Tapetum lucidum ପୃଷ୍ଠଟି ନାହିଁ ତେଣୁ ଆମ ଆଖି ଜଳିଵା ଭଳି ଦେଖାଯାଏ ନାହିଁ । Tapetum lucidum ପଶୁମାନଙ୍କୁ ରାତ୍ରିକାଳରେ ଦେଖିଵାର ସାମର୍ଥ୍ୟ ପ୍ରଦାନ କରିଥାଏ 
କିନ୍ତୁ ଦିନରେ ଏହା ଦୃଶ୍ୟ କ୍ଷମତାକୁ କମାଇ ଦିଏ । ତେଣୁ ଦୁଃଖ କରିଵାର କିଛି ନାହିଁ ,ଆମେ ମଣିଷମାନେ ଅନ୍ଧକାରରେ ଖାଲି ଆଖିରେ ଦେଖିପାରିଵା ନାହିଁ ସତ ହେଲେ ଦିନରେ ଆମେ ସବୁକିଛି ସ୍ପଷ୍ଟ ଭାବରେ ଦେଖିପାରୁଁ । ଫଳତଃ ଦିଵସ କାଳର ଏହି ସ୍ପଷ୍ଟ ଦୃଶ୍ୟ ଶକ୍ତି , ତୀକ୍ଷ୍ଣ ବୁଦ୍ଧି, ନିରନ୍ତର ଵୈଜ୍ଞାନିକ ଅଧ୍ୟଵସାୟ ତଥା ପିଢ଼ି ପିଢ଼ି ଧରି ଅନ୍ଧକାର ସହିତ ସଂଘର୍ଷ ପରେ ଆମ୍ଭେମାନେ ଆଜି ରାତ୍ରିକାଳରେ ମଧ୍ୟ ଆଲୋକ ସୃଷ୍ଟି କରିପାରିଵାରେ ସକ୍ଷମ ହୋଇଛୁ ଯାହା ପୃଥିଵୀର ଅନ୍ୟ କୌଣସି ଜୀଵ କରିପାରିନାହାନ୍ତି । 

Thursday, May 11, 2023

Mistressଠାରୁ Madam ଯାଏଁ

Misterକୁ ସଂକ୍ଷେପରେ Mr,Miss ଶବ୍ଦକୁ Ms ଓ Missus, Misses ଵା Mistressକୁ Mrs ଲେଖାଯାଇଥାଏ ଏଵଂ ସାଧାରଣତଃ ୟୁରୋପରେ ନାମ ପୂର୍ଵରୁ Mr. , Ms. ଓ Mrs. ଲେଖାଯାଏ । ଆମ୍ଭେମାନେ ବି ଭାରତରେ ଶ୍ରୀ,ଶ୍ରୀମାନ୍,ଶ୍ରୀଳଶ୍ରୀମାନ, ଶ୍ରୀମତି,ଦେଵୀ,କୁମାରୀ ଶବ୍ଦ ନାମ ପୂର୍ଵରୁ ଲଗାଇଥାଉ । 
 
Mister,Miss ଓ Misses
ଏହି ତିନୋଟି ଶବ୍ଦକୁ ନେଇ ଵିଶ୍ଵରେ ଗୋଟିଏ ଭ୍ରମଧାରଣା ପ୍ରଚଳିତ ଯେ ଯିଏ miss ଵା ହାତଛଡ଼ା ହୋଇଗଲା ସିଏ ମିଷ୍ଟର୍,ମିସ୍ ଓ ମିସେସ୍ ବୋଲାଏ କିନ୍ତୁ ପ୍ରୋକ୍ତ ତିନୋଟି ଶବ୍ଦର ନିରୁକ୍ତି କୁହେ ଏହା ଏକ ଭୁଲ୍ ଧାରଣା ଛଡ଼ା ଆଉ କିଛି ନୁହେଁ । 

Mister ଶବ୍ଦଟି ଇଂରାଜୀ ଭାଷାରେ ପନ୍ଦରଶହ ଶତାବ୍ଦୀରୁ ପ୍ରଚଳିତ ହେଉଛି ଏଵଂ ଏହା ମୂଳତଃ Master(ମାଲିକ,ପ୍ରଭୁ) ଶବ୍ଦର ଏକ ଅନାଘାତିତ(Unaccented) ରୂପ ଅଟେ । ଶିକ୍ଷକ,ମୁଖିଆ,ନେତା ଓ ପ୍ରଭୁ ଅର୍ଥଜ ମାଷ୍ଟର ଶବ୍ଦଟି ବ୍ରିଟେନରେ ରୋମାନ ଶାସନ କାଳରୁ ପ୍ରଚଳିତ ଲାଟିନ୍ ଭାଷା ମୂଳର ଶବ୍ଦ ।‌ ମଧ୍ୟଯୁଗରେ ଇଂରାଜୀ ଭାଷାରେ ମାଷ୍ଟର ଶବ୍ଦଟି maister, mayster, meister ଓ maistren ଥିଲା ଏଵଂ ପ୍ରାଚୀନ ଇଂରାଜୀରେ ଏହା mǣster, mæġster, mæġester, mæġister ଓ magister ରୂପେ ପ୍ରଚଳିତ ରହିଥିଲା । ମାଷ୍ଟର ଶବ୍ଦର ମୂଳ ଲାଟିନ୍ ଶବ୍ଦରୂପ magister ଓ magester ଥିଲା ଏଵଂ ତାହାର ମୂଳ ଅର୍ଥ ମୁଖିଆ,ଶିକ୍ଷକ ଓ ନେତା ଵା ଅଧିନାୟକ ଥିଲା । ପାଶ୍ଚାତ୍ୟ ଭାଷାଵିଦମାନେ ମାଷ୍ଟର ଶବ୍ଦର ପ୍ରାକ୍ ଭାରୋପୀୟ ଧାତୁରୂପ *méǵh₂s(ବଡ଼ ,ମହାନ) ନିର୍ଣ୍ଣୟ କରିଛନ୍ତି ଏଵଂ ଏହି ମୂଳ ଧାତୁ ଶବ୍ଦରୁ ଅନ୍ୟ ଏକ ଦିଗରେ ଭାରତୀୟ ମହାନ,ମହତ୍,ମହସ୍ ଆଦି ଶବ୍ଦ ସୃଷ୍ଟି ହୋଇଛି । ତେଣୁ mister ଶବ୍ଦଟି master ଶବ୍ଦର ସାମାନ୍ୟ ଭିନ୍ନ ଅର୍ଥରେ ପ୍ରୟୋଗ କରାଯାଉଥିଵା ପନ୍ଦରଶହ ଶତାବ୍ଦୀରୁ ପ୍ରୟୋଗ କରାଯାଉଥିଵା ଏକ ଶବ୍ଦରୂପ ଅଟେ । 

ସେହିପରି miss ,Missus ଓ Mrs ଶବ୍ଦ ତ୍ରୟ ପ୍ରକୃତରେ mistress ଶବ୍ଦର ସଂକ୍ଷିପ୍ତ ରୂପ ଅଟେ । ଇଂରାଜୀ mistress ଶବ୍ଦର ମଧ୍ୟଯୁଗୀୟ ଇଂରାଜୀ ରୂପ maistresse ଥିଲା ଏଵଂ ଏହା ପ୍ରାଚୀନ ଫ୍ରେଞ୍ଚ୍ ଶବ୍ଦ maistresseର ଆଧୁନିକ ଇଂରାଜୀ ରୂପ ଅଟଇ । ଅଧିକନ୍ତୁ 
surface analysis ଦୃଷ୍ଟିରୁ କୁହାଯାଇପାରେ ଯେ 
mist(e)r + ଶବ୍ଦରେ ସ୍ତ୍ରୀଵାଚକ -ess ପ୍ରତ୍ୟୟ ଲଗାଯାଇଛି ଏଵଂ mistress ଶବ୍ଦ ସୃଷ୍ଟି ହୋଇଛି । ଅଧୁନା ଇଂରାଜୀ ଭାଷାରେ ରକ୍ଷିତା,ପ୍ରେୟସୀ,ସର୍ଵଗୁଣସମ୍ପନ୍ନା ମହିଳାଙ୍କୁ ମଧ୍ୟ mistress କୁହାଯାଉଛି କିନ୍ତୁ ଏହାର ମୂଳ ପ୍ରାଚୀନ ଅର୍ଥ ଥିଲା ମାଲିକାଣୀ,ଘର ମୁଖିଆଙ୍କ ପତ୍ନୀ, ମହିଳା ଶିକ୍ଷିକା । 

ୟୁରୋପର ପ୍ରାଚୀନ ସାହିତ୍ୟରୁ ଜଣାଯାଏ ଯେ ଵିଭିନ୍ନ ସମୟକାଳରେ mistress ଶବ୍ଦକୁ ଵିଭିନ୍ନ ଅର୍ଥରେ ଵ୍ୟଵହାର କରାଯାଉଥିଲା । ତ୍ରୟୋଦଶ ଶତାବ୍ଦୀରେ Mistress ଶବ୍ଦ ମହିଳା ଶିକ୍ଷିକା,ଗୃହପରିଚାଳିକା ମହିଳା ଓ ଗଭର୍ଣ୍ଣେସ୍ ଆଦିଙ୍କୁ ସମ୍ବୋଧନ ପାଇଁ ପ୍ରଚଳିତ ଥିଲା । ପ୍ରାଚୀନ ଫ୍ରେଞ୍ଚ୍ ଶବ୍ଦ maistresse "ପ୍ରେମିକା; ହାଉସକିପର୍; ଗଭର୍ଣ୍ଣେସ୍ , ଶିକ୍ଷିକାମାନଙ୍କୁ ସମ୍ବୋଧନ ପାଇଁ ପ୍ରଚଳିତ ଥିଲା । ବଡ଼ ବଡ଼ ରାଜପ୍ରସାଦ ଓ ଧନାଢ଼୍ୟ ଵ୍ୟକ୍ତିଙ୍କ ଗୃହକାର୍ଯ୍ୟ ପରିଚାଳନା କରୁଥିଵା ମହିଳାମାନେ ନିଜ ତଳେ ଥିଵା ଅନ୍ୟ କର୍ମକର୍ତ୍ତାମାନଙ୍କୁ କାର୍ଯ୍ୟଭାର ଦେଉଥିଲେ ସେମାନଙ୍କୁ mistress କୁହାଯାଉଥିଲା । ପନ୍ଦରଶହ ଶତାବ୍ଦୀରେ ଯେଉଁ ମହିଳାମାନେ କଳା କ୍ଷେତ୍ରରେ ଏକ ଵିଶେଷ ଵିଷୟରେ ଦକ୍ଷତା ଲାଭ କରୁଥିଲେ ସେମାନଙ୍କୁ ମଧ୍ୟ ତତ୍କାଳୀନ ଲୋକେ mistress କହୁଥିଲେ । ରକ୍ଷିତା ଅର୍ଥରେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏ ଶବ୍ଦ ପ୍ରୟୋଗ ହୋଇଥିଲା ।‌ ତେବେ ତ୍ରୟୋଦଶ ଶତାବ୍ଦୀ ପୂର୍ଵରୁ Master ଶବ୍ଦର ସ୍ତ୍ରୀଵାଚକ ଶବ୍ଦରୂପ ଭାବେ mistress ଶବ୍ଦଟି ଗୃହସ୍ଵାମିନୀ ଅର୍ଥରେ ପ୍ରୟୋଗ ହେଉଥିଵା ଜଣାଯାଏ । 

ଆଜିକାଲି ଇଂରାଜୀ ଭାଷା ବୋଲାଯାଉଥିଵା ଦେଶମାନଙ୍କରେ 
ଅଵିଵାହିତ କନ୍ୟା, ଛାଡ଼ପତ୍ର ଯୋଗୁଁ ଅଲଗା ହୋଇଯାଇଥିଵା ମହିଳା,ଵିଧଵା ମହିଳା,ଖାଦ୍ୟପରଷୁଥିଵା ମହିଳା ଓ ଅଵିଵାହିତା ଶିକ୍ଷିକାମାନଙ୍କୁ miss କହି ସମ୍ବୋଧନ କରାଯାଉଛି କିନ୍ତୁ 
ବ୍ରିଟେନରେ ସତରଶହ ଶତାବ୍ଦୀ ପୂର୍ଵରୁ ସବୁ ଵିଵାହିତ ଅଵିଵାହିତ ମହିଳାଙ୍କୁ miss ସମ୍ବୋଧନ କରାଯାଉଥିଲା । ପୁଣି Mrs, Misses ଓ Missus ଆଦି ସମ୍ବୋଧନ ଅଠରଶହ ଶତାବ୍ଦୀ ପର୍ଯ୍ୟନ୍ତ କେଵଳ କୁଳୀନ ଉଚ୍ଚବଂଶୀୟା ଵିଵାହିତ ତଥା ଅଵିଵାହିତ ମହିଳାମାନଙ୍କୁ ସମ୍ବୋଧନ ପାଇଁ ଵ୍ୟଵହୃତ ହେଉଥିଲା ଯାହା ପରଵର୍ତ୍ତୀ କାଳରେ କେଵଳ ଵିଵାହିତ ମହିଳାଙ୍କ ଉଦ୍ଦେଶ୍ୟରେ ପ୍ରୟୋଗ ହେଵାକୁ ଲାଗିଲା । 

ଏଠାରେ ଗୋଟିଏ କଥା ବୁଝିଵାକୁ ହେଵ ଯେ Mister, miss ,misuss ଓ Mistress ଆଦି ଶବ୍ଦଗୁଡି଼କ ଇଟାଲିକ୍ ଵା ଲାଟିନ୍ ଭାଷା ମୂଳର ଶବ୍ଦ ଏଵଂ ଏସବୁ ଶବ୍ଦ ସହିତ ହରାଇଵା ଅର୍ଥଜ ଜର୍ମାନିକ୍ ମୂଳର miss, missing ଶବ୍ଦର କୌଣସି ସଗୋତ୍ରୀୟ ସମ୍ପର୍କ ହିଁ ନାହିଁ । ଇଂରାଜୀ ଏକ ଜର୍ମାନିକ୍ ଭାଷା ଏଵଂ ଇଂରେଜ୍ ଜାତି ଏକ ଜର୍ମାନିକ୍ ଜାତି ଫଳତଃ ଇଂରାଜୀ ଭାଷାରେ miss ଭଳି ଅନେକ ଜର୍ମାନିକ୍ ମୂଳର ଶବ୍ଦ ରହିଛି ଏଵଂ ଏହି ଶବ୍ଦଗୁଡି଼କ ହିଁ ପ୍ରକୃତରେ ମୂଳ ଇଂରାଜୀ ଶବ୍ଦ ଅଟେ ।ହରାଇଵା ଅର୍ଥଜ miss ଶବ୍ଦର ମଧ୍ୟଯୁଗୀୟ ଇଂରାଜୀ ରୂପ missen ତଥା ପ୍ରାଚୀନ ଇଂରାଜୀ ରୂପ missan (“to miss, escape the notice of a person”), ଥିଲା । ଏହି ଇଂରାଜୀ miss ଶବ୍ଦର ପ୍ରାକ୍ ଜର୍ମାନିକ୍ ଶବ୍ଦରୂପ *missijaną (“to miss, go wrong, fail”) ଓ ପ୍ରାକ୍ ଭାରୋପୀୟ ଶବ୍ଦରୂପ *meytH- ନିର୍ଣ୍ଣୟ କରାଯାଇଛି ଏଵଂ ଏହା ସହିତ ଭାରତୀୟ ଶବ୍ଦ ମେଥତି,ମିଥ୍ୟା,ମେଥେତେ,ମିଥସ୍ ଓ ମିଥକ ଆଦି ଶବ୍ଦର ସଗୋତ୍ରୀୟ ସମ୍ପର୍କ ଅଛି । 

ସାରକଥା ହେଲା ମହିଳାଙ୍କୁ ସମ୍ବୋଧନ କରାଯାଉଥିଵା miss ,Ms,Mrs ଓ Missus ଇତ୍ୟାଦି ଶବ୍ଦଗୁଡି଼କ ଲାଟିନ୍ ଭାଷା ମୂଳର ଏଵଂ ହରାଇଵା ଅର୍ଥଜ miss ଶବ୍ଦଟି ଜର୍ମାନିକ ଭାଷା ମୂଳର ଶବ୍ଦ ଅଟେ । ଏହି ଦୁଇଟି ପରସ୍ପର ଅସମ୍ବନ୍ଧିତ ଶବ୍ଦକୁ ଗୋଟିଏ ମନେ କରି ଭାଵଗତ ଵ୍ୟାଖ୍ୟା କରି ଲୋକେ କହିଦିଅନ୍ତି ଯେ ଯାହାକୁ ହରାଇଦେଲେ ସେ Mrs ଵା Missus ଅଟେ କିନ୍ତୁ ଏହା ଶବ୍ଦ ନିରୁକ୍ତି ଦୃଷ୍ଟିରୁ ଗୋଟିଏ ଅଦ୍ଭଟ ମତ ଛଡ଼ା ଆଉ କିଛି ନୁହେଁ । 

ଏତଦଵ୍ୟତୀତ ୟୁରୋପ ତଥା ଆମେରିକାରେ ମହିଳାମାନଙ୍କୁ madam ଓ maam ସମ୍ବୋଧନ କରାଯାଏ । ଅଧିକାଂଶ ଅଞ୍ଚଳରେ ମହିଳାମାନଙ୍କ ପ୍ରତି ଏହା ଏକ ସମ୍ମାନଜନକ ସମ୍ବୋଧନ ପରିଗଣିତ ହୋଇଥାଏ । ପରେ କେତେକ ଅଞ୍ଚଳରେ ଵୈଶ୍ୟାମାନଙ୍କର ଗୃହ ଚଳାଉଥିଵା ମୁଖ୍ୟ ମହିଳାଙ୍କୁ ମଧ୍ୟ madam କୁହାଗଲା । ଭାରତ ଭଳି କେତେକ ଦେଶରେ ମାଡାମ୍ ଶବ୍ଦ ବେଳେ ବେଳେ ଅପମାନଜନକ ଵିଦିତ ହୋଇଥାଏ ଏଵଂ ଏକ କଳିହୁଡ଼ୀ, ଅହଂକାରୀ ଵା ଅବମାନନାକାରୀ ମହିଳା ପାଇଁ ଵ୍ୟଵହୃତ ହୋଇଥାଏ । ତେବେ ପ୍ରାଚୀନ କାଳରେ madam ଶବ୍ଦ କେଵଳ ଗୃହସ୍ଵାମିନୀଙ୍କ ପାଇଁ ଵ୍ୟଵହୃତ ହେଉଥିଲା ।‌ Mistress ଭଳି madam ଶବ୍ଦ ସାଧାରଣତଃ ମାଲିକାଣୀଙ୍କୁ ସମ୍ବୋଧନ ପାଇଁ ଵ୍ୟଵହାର କରାଯାଉଥିଲା । 

ଏହି ମାଡାମ୍ ଶବ୍ଦଟି ଲାଟିନ ଭାଷାର mea dominaର ଆଧୁନିକ ରୂପ ଏଵଂ ଏହାର ଆକ୍ଷରିକ ଅର୍ଥ "ମୋ ଗୃହସ୍ଵାମିନୀ" ଵା "ମୋ ମାଲିକାଣୀ" ଅଟେ । dominusର ସ୍ତ୍ରୀଵାଚକ ଶବ୍ଦରୂପ domina ଥିଲା ଏଵଂ ଉଭୟ dominus ଓ domina ଶବ୍ଦଦ୍ଵୟ ଯଥାକ୍ରମେ "ଗୃହସ୍ଵାମୀ ଵା ମାଲିକ ଓ ଗୃହସ୍ଵାମିନୀ ଵା ମାଲିକାଣୀ" ଅର୍ଥରେ ଲାଟିନ ଭାଷାରେ ଚଳୁଥିଲା । ଏହାର ପ୍ରାକ୍ ଇଟାଲିକ୍ ରୂପ *domos ତଥା ପ୍ରାକ୍ ଭାରୋପୀୟ ମୂଳ ଶବ୍ଦରୂପ *dṓm (“ଘର,ଗୃହ”) ଓ ଧାତୁରୂପ *dem- (“ନିର୍ମାଣକରିଵା,ଗଢି଼ଵା ”) ନିର୍ଣ୍ଣୟ କରାଯାଇଛି । ଏ ଦୃଷ୍ଟିରୁ ଆଧୁନିକ madam ଶବ୍ଦରେ ଯେଉଁ dam ଶବ୍ଦ ଅଛି ତତ୍ ସହିତ ପ୍ରାଚୀନ ଗ୍ରୀକ୍ δόμος (dómos), ଆଲବାନୀୟ dhomë (“କୋଠରୀ”),ଆଵେସ୍ତାନୀ 𐬛𐬀𐬨-‎ (dam-) ଓ ସଂସ୍କୃତ ଦମ (dáma,ଘର) ଆଦି ଶବ୍ଦର ସଗୋତ୍ରୀୟ ସମ୍ପର୍କ ରହିଛି । 
ଆଜି ବି ଆମେରିକା ୟୁରୋପରେ ଦେଶର ରାଷ୍ଟ୍ରପତିଙ୍କ ସ୍ତ୍ରୀଙ୍କୁ First lady କୁହାଯାଏ ଏଵଂ ବ୍ରିଟେନର ମହାରାଣୀଙ୍କୁ ସମ୍ବୋଧନ କଲାବେଳେ my lady କୁହାଯାଏ । Madam ଶବ୍ଦର ଅର୍ଥ କେହି କେହି କରନ୍ତି ମୋ ସ୍ତ୍ରୀ କିନ୍ତୁ ମାଡାମ୍ ଶବ୍ଦର ମୂଳ ଲାଟିନ୍ ଶବ୍ଦରୂପ mea dominaର ଅର୍ଥ ମୋ ଗୃହସ୍ଵାମିନୀ ଥିଲା ବୋଲି ସେମାନେ ଜାଣିପାରନ୍ତି ନାହିଁ । ସମୟ ସହିତ ମାଡାମ୍ ଶବ୍ଦଟି କେତେକ ଅଞ୍ଚଳରେ ଏକ ଅପମାନଜନକ ଶବ୍ଦରେ ପରିଵର୍ତ୍ତିତ ହୋଇଛି ତା ବୋଲି ମାଡାମ୍ ଶବ୍ଦଟି ଏକ ଅପଶବ୍ଦ ହୋଇଯିଵ କି ? 

ଏଠାରେ ଭାରତରେ ପ୍ରଚଳିତ 'ବାଈ' ଶବ୍ଦର ଉଦାହରଣ ଦିଆଯାଇପାରେ। କେତେକ ଅଞ୍ଚଳରେ ବାଈ ଶବ୍ଦକୁ ଜେଜେମା ତ ଆଉ କେତେକ ଅଞ୍ଚଳରେ ଆଈଙ୍କୁ ସମ୍ବୋଧନ କରିଵାକୁ ପ୍ରୟୋଗ କରାଯାଏ । କେତେକ ଅଞ୍ଚଳରେ ମହିଳାମାନଙ୍କ ପ୍ରତି ଆଦରସୂଚକ ଶବ୍ଦ ରୂପରେ ବାଈ ଶବ୍ଦ ପ୍ରୟୋଗ ହୋଇଥାଏ ଯଥା ରାଣୀ ଲକ୍ଷ୍ମୀଵାଈ ! ପୁଣି ଉତ୍ତର ଭାରତର କେତେକ ଅଞ୍ଚଳରେ ଵୈଶ୍ୟାମାନଙ୍କୁ ସମ୍ବୋଧନ କଲାବେଳେ ତାଙ୍କ ନାମ ସହିତ ବାଈ ଶବ୍ଦ ଯୁକ୍ତ ହୋଇଥାଏ ‌।‌ ତାହେଲେ ବାଈ ଶବ୍ଦଟି ଏକ ଅଶ୍ଳୀଳ ଶବ୍ଦ ଆଉ ଭାରତୀୟମାନେ ନିଜ ଜେଜିମାଆ,ଆଈ ଓ ରାଣୀମାନଙ୍କୁ ବାଈ ଡାକି ପ୍ରକାରନ୍ତରେ ଵୈଶ୍ୟା ବୋଲି ସମ୍ବୋଧନ କରୁଥିଲେ କି ? 

ଗୋଟିଏ ଶବ୍ଦର ସ୍ଥାନ କାନ ପାତ୍ରରେ ପ୍ରୟୋଗ ଭିନ୍ନ ଭିନ୍ନ ହୋଇଥାଏ ତେଣୁ ସେସବୁ ଶବ୍ଦର କୌଣସି ନିର୍ଦ୍ଦିଷ୍ଟ ଅର୍ଥ ଘେନି ତାକୁ ଵ୍ୟଵହାର କରୁଥିଵା ମାନଵଜିତି ପ୍ରତି ଆକ୍ଷେପ କେତେ ଦୂର ଯୁକ୍ତିଯୁକ୍ତ ? 

mea dominaର ଆକ୍ଷରିକ ଅର୍ଥ ଥିଲା ମୋ ଗୃହସ୍ଵାମିନୀ ଏଥିରୁ madam ଶବ୍ଦ ସୃଷ୍ଟି ହୋଇଛି । ଏବେ କିଛି ଲୋକ ଏହାର ଅର୍ଥ ମୋ ସ୍ତ୍ରୀ କରିବେ ଯଦି ତାହା ଯୁକ୍ତିଯୁକ୍ତ ହେଵ କି ? ପୁନଶ୍ଚ First lady ଓ My lady କହିଵାର ଅଭିପ୍ରାୟ ପ୍ରଥମ ମହିଳା ଓ ମୋ ଦେଶର ପ୍ରଥମ ମହିଳା ଅଟେ ।‌ ଏବେ କେହି ଯଦି my ladyର ଆକ୍ଷରିକ ଅର୍ଥ ମୋ ମହିଳା ଵା ମୋ ସ୍ତ୍ରୀ ବୋଲି ଧରି ବସିଵ ତାହେଲେ ତାକୁ ବୁଝେଇଵ କିଏ ? 

ଅର୍ଦ୍ଧଜ୍ଞାନ ସହିତ ବହୁ ଲୋକଙ୍କ ସମ୍ମୁଖରେ ଏକ ଶବ୍ଦ ଵିଷୟରେ ଵିଵାଦୀୟ ଭାଷଣ ଦେଵା ବଡ଼ କଥା ନୁହେଁ ଏମିତି ଅନେକ କରିଛନ୍ତି ଏଵଂ ଆଗକୁ ମଧ୍ୟ କରିବେ । ଶବ୍ଦ ନିରୁକ୍ତି ଭିତରେ ନ ପଶି ଗୋଟିଏ ଶବ୍ଦ ଵିଷୟରେ କେଵଳ ଉପଠାଉରିଆ ଜାଣି ତାକୁ ଧରି ଏକ ନିର୍ଦ୍ଦିଷ୍ଟ ସମାଜ ଉପରେ ଆଙ୍ଗୁଳି ଉଠାଇ ଆକ୍ଷେପ କରିଵା ନୂଆ ନୁହେଁ । ଆମ ଓଡ଼ିଶାରେ ମଧ୍ୟ ବୋଉ,ବୁଈ,ବେଈ,ବାଈ,ନନା,ନାନୀ ଓ ଦଦା ଇତ୍ୟାଦି କେତେକ ଶବ୍ଦକୁ ଧରି କିଛି ଆଞ୍ଚଳିକଵାଦୀ ଉପକୂଳଵାସୀଙ୍କୁ ଆକ୍ଷେପ ଅପମାନ କରିଥାନ୍ତି । ଏହା କେଵଳ ଦ୍ଵେଷ ଭାଵନା ଘେନି କରାଯାଉଥିଵା ମାନସିକ ଵ୍ୟଭିଚାର ଛଡ଼ା ଆଉ କିଛି ନୁହେଁ !!!

(ସବୁ ଭାଷା ଶ୍ରେଷ୍ଠ, ସବୁ ଶବ୍ଦ ଶ୍ରେଷ୍ଠ, ମନୁଷ୍ୟମାନଙ୍କର ଚିନ୍ତାଧାରା ଉପରେ ନିର୍ଭର କରେ ସେମାନେ କୋଉ ଶବ୍ଦକୁ କିଭଳି ଦେଖୁଛନ୍ତି । ଦ୍ଵେଷ କରୁଥିଵା ଲୋକେ ବୋଉ ଭଳି ମଧୁର ଶବ୍ଦରୁ ବି ଦୋଷ ଦର୍ଶନ କରିପାରନ୍ତି ତେଣୁ ହଁ ଶବ୍ଦ ନୁହେଁ ମଣିଷର ଚିନ୍ତାଧାରା ଅଶ୍ଳୀଳ ହୋଇଥାଏ କାରଣ ଶବ୍ଦ ତ ସ୍ଵୟଂ ବ୍ରହ୍ମ ! )

Wednesday, May 10, 2023

ଫକୋଷ : ଏକ ଲୁପ୍ତ ଓଡ଼ିଆ ଶବ୍ଦର ଇତିବୃତ

ପ୍ରାଚୀନ ଶଶି ଶେଣା କାଵ୍ଯରେ କଵି ପ୍ରତାପ ରାୟ ଵିଭିନ୍ନ ପ୍ରକାରର ଜୀଵଜନ୍ତୁଙ୍କ ନାମ ଉଲ୍ଲେଖ କରିଛନ୍ତି । 

“ସିଂହ ଗଜ ଶଶା ମୃଗ ଶାର୍ଦ୍ଦୂଳ ।
ହରିଣ ଵରେହା ଗଣ୍ଡା ଗୟଳ ।
ମଇଁଷି ଘୋଡ଼ା ଫକୋଷ ଵଳେୟା ।
କପି ଖୁରାଣ୍ଟି କସ୍ତୂରୀ ଶାଳେୟା ।
ଶଅମ୍ବର ଶଶା । 
ଶୃଗାଳ ନେଉଳ ନେପାଳ ମୂଷା ॥”

ଏହି ପଦରେ ଉଲ୍ଲେଖିତ “ସିଂହ,ଗଜ(ହାତୀ),ମୃଗ,ଶାର୍ଦ୍ଦୂଳ(ବାଘ),ହରିଣ,ଗୟଳ,ଗଣ୍ଡା,ମଇଁଷି,ଘୋଡ଼ା,କପି(ମାଙ୍କଡ଼) କସ୍ତୁରୀ ମୃଗ,ଶମ୍ବର,ଶଶା(ଠେକୁଆ), ଶୃଗାଳ(jackal/ବିଲୁଆ),ନେଉଳ ଓ ନେପାଳ ମୂଷା” ଇତ୍ୟାଦି ଜୀଵଙ୍କୁ ଆମେମାନେ ଅଳ୍ପ ବହୁତେ ଜାଣନ୍ତି ତେବେ ପ୍ରୋକ୍ତ ପଦରେ ଥିଵା "ଵରେହା,ଫକୋଷ,ବଳେୟା,ଖୁରାଣ୍ଟି ଓ ଶାଳେୟା" ଏହି ପାଞ୍ଚୋଟି ନାମକୁ ପଢି଼ ହୁଏତ ଅନେକ ବୁଝିପାରିବେ ନାହିଁ। 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁଯାୟୀ 
ଶାଳେୟା ଶବ୍ଦର ଅର୍ଥ ଶାଳିଆପତନୀ(ଓ) ଓ ମେଥି(ସଂ) । ବଳିଆକୁକୁରର ଏକ ପ୍ରାଚୀନ ଓଡ଼ିଆ ନାମ ବଳେୟା ଅଟେ । ଖୁରାଣ୍ଟି ସେହିପରି ମୃଗ ଜାତୀୟ ଏକ କ୍ଷୁଦ୍ର ଜୀଵ ଵିଶେଷ ଅଟଇ ।‌ ଵରେହା ହେଉଛି ଵରାହ ଓ ଵାର୍‌ହା ଶବ୍ଦର ପ୍ରାଚୀନ ଓଡ଼ିଆ ରୂପ । କିନ୍ତୁ ଏଥିରେ ଫକୋଷ ବୋଲି ଏକ ଜୀଵର ନାମୋଲ୍ଲେଖ ମଧ୍ୟ ଅଛି ହେଲେ ସେ ଜୀଵଟି କ'ଣ ? 
 
ଏବେ ପଚାରିଲେ ହୁଏତ ଅନେକ ଓଡ଼ିଆ ଏହି ଫକୋଷ ଶବ୍ଦର ଅର୍ଥ କହିନପାରନ୍ତି ତେବେ ଏହା ଏକ ଅତି ପୁରାତନ ଓଡ଼ିଆ ଶବ୍ଦ ଏଵଂ ଷୋହଳଶହ ଶତାବ୍ଦୀର ଶଶିଶେଣା କାଵ୍ୟରେ ଵ୍ୟଵହାର କରାଯାଇଛି । ଏହି ଫକୋଷ ଶବ୍ଦର ଅର୍ଥ କୋକିଶିଆଳୀ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ଏଵଂ ଇଂରାଜୀ fox ଶବ୍ଦ ସହିତ ଏହାର ସଗୋତ୍ରୀୟ ସମ୍ପର୍କ ଥିଵା ମଧ୍ୟ ସହଜେ ଅନୁମେୟ । ୟୁରୋପର ଵିଭିନ୍ନ ଭାଷାରେ Fox ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଥିଵା କେତେକ ଶବ୍ଦ ପ୍ରଚଳିତ । କୋକିଶିଆଳିକୁ ଫିଶିଆନ୍ ଭାଷାରେ foks, foos ଓ fos,ଡଚ୍ ଭାଷାରେ vos, ଆଧୁନିକ ଜର୍ମାନ୍ ଭାଷାରେ Fuchs, ଆଇସଲ୍ୟାଣ୍ଡିକ୍ ଭାଷାରେ fóa (“fox”),ସିମ୍ରିଅନ୍ ଭାଷାରେ buks ଓ vuks,ଇଡୋ ଭାଷାରେ foxo,ଲକଜମ୍‌ବର୍ଗିସ୍‌ରେ Fochs ଓ Fuuss ,ୟିଡିଶ୍ ଭାଷାରେ פֿוקס‎ (fuks) ତଥା ୟୋଲା ଭାଷାରେ voxe କୁହାଯାଏ । ଏ ସମସ୍ତ ଶବ୍ଦ ପ୍ରାଚୀନ ପ୍ରାକ୍ ଜର୍ମାନିକ୍ ଭାଷାର *fuhs ଓ *fuhsaz ମୂଳ ଶବ୍ଦ ଦେଇ ସୃଷ୍ଟି ହୋଇଛି । 


ପାଶ୍ଚାତ୍ୟ ଭାଷାଵିଦମାନେ ଏହି ସବୁ ଶବ୍ଦଗୁଡି଼କର ମୂଳ ଭାରୋପୀୟ ଶବ୍ଦ púḱsos ତଥା ଏହାର ମୂଳ କ୍ଷୁଦ୍ର ଶବ୍ଦ ରୂପ puḱ- (ଲାଞ୍ଜ) ନିର୍ଣ୍ଣୟ କରିଛନ୍ତି । ଏହି ମୂଳ ଭାରୋପୀୟ ଶବ୍ଦରୁ ଗୋଟିଏ ପଟେ ପ୍ରାକ୍ ଜର୍ମାନିକ୍ ଭାଷା ଦେଇ ଇଂରାଜୀ ଭାଷାରେ fox ଶବ୍ଦ ସୃଷ୍ଟି ହୋଇଥିଲାବେଳେ ଅନ୍ୟ ଏକ ଦିଗରେ ଓଡ଼ିଆ ଭାଷାରେ ଫକୋଷ ତଥା ତରୱାଲୀ ଭାଷାରେ پوش‎ (pūš, “fox”) ଶବ୍ଦ ସୃଷ୍ଟି ହୋଇଛି। ସେହିପରି ସଂସ୍କୃତ ଭାଷାରେ ଏ ସମସ୍ତ ଶବ୍ଦର ମୂଳ ଭାରୋପୀୟ ଶବ୍ଦ puḱ- (ଲାଞ୍ଜ)ରୁ 'ପୁଚ୍ଛ' (púccha/ଲାଞ୍ଜ) ଶବ୍ଦଟି ସୃଷ୍ଟି ହୋଇ ଆଜି ବି ପ୍ରଚଳିତ ଅଛି ।ଉଲ୍ଲେଖଯୋଗ୍ୟ ଯେ କୋକିଶିଆଳି ଓ ବିଲୁଆଙ୍କ ଲାଞ୍ଜ କୁକୁରଙ୍କ ଅପେକ୍ଷା ବଡ଼ ହୋଇଥାଏ ତେଣୁ ପ୍ରାଚୀନ କାଳର ଭାରୋପୀୟ ଲୋକମାନେ ସେହି ଲାଞ୍ଜ ଅର୍ଥଜ puḱ ଶବ୍ଦ ଆଧାରରେ କୋକିଶିଆଳି, ଶୃଗାଳଙ୍କର púḱsos ନାମକରଣ କରିଥିଲେ ‌। 

କେହି କେହି ଇଂରାଜୀ ଭାଷାର fox ତଥା ଓଡ଼ିଆ ଭାଷାର ଫକୋଷ ଶବ୍ଦର ଅର୍ଥ ଓ ଵାହ୍ୟ ରୂପସାମ୍ୟ ଦେଖି ଅନୁମାନ କରିପାରନ୍ତି ଯେ ହୁଏତ ଇଂରାଜୀ ଭାଷାରୁ ଓଡ଼ିଆ ଭାଷାରେ ଫକୋଷ ଶବ୍ଦ ଆସି ଚଳିଥିଵ । କିନ୍ତୁ ଏଭଳି ଧାରଣା ଅମୂଳକ ଏଇଥିପାଇଁ ଯେ ଯେଉଁ ଶଶିଶେଣା କାଵ୍ୟରେ ଫକୋଷ ଶବ୍ଦ ଵ୍ୟଵହୃତ ହୋଇଅଛି ତାହା ଷୋହଳଶହ ଶତାବ୍ଦୀର କାଵ୍ୟ ଏଵଂ ସେତେବେଳେ ଓଡ଼ିଶାରେ ଇଂରେଜମାନେ ସେତେ ପ୍ରଭାଵଶାଳୀ ହୋଇନଥିଲେ ଵରଂ ତତ୍କାଳୀନ ଓଡ଼ିଶାରେ ପର୍ତ୍ତୁଗୀଜମାନେ ଵ୍ୟାପାର କରିଵା ସହ ଓ ଗୁପ୍ତରେ ବୋଇତ ଲୁଣ୍ଠନ କରୁଥିଲେ ‌। ପୁଣି ପର୍ତ୍ତୁଗୀଜମାନଙ୍କ ଭାଷାରେ କୋକିଶିଆଳୀ ପାଇଁ fox ଶବ୍ଦ ନୁହେଁ ଵରଂ raposa ଓ vermelha ଶବ୍ଦ ପ୍ରୟୋଗ ହେଉଥିଲା । ହିନ୍ଦୀରେ ଫକ୍‌ସିଆର୍, ଓଡ଼ିଆ ଭାଷାରେ ଫକ୍‌ଶିଆଳ ଓ ଫକୋଷ ତଥା ତରୱାଲୀ ଭାଷାର پوش‎ (pūš, “fox”) ଶବ୍ଦର ସାମ୍ୟ ଇଂରାଜୀ fox ଶବ୍ଦ ସହିତ ରହିଛି । ତେଣୁ ହୁଏତ ଏହି ସବୁ ଶବ୍ଦ ସମଗୋତ୍ରୀୟ ହୋଇଥାଇପାରନ୍ତି । ଵିଶେଷତଃ ଶୃଗାଳ ଅର୍ଥଜ ପ୍ରାଚୀନ ଓଡ଼ିଆ ଶବ୍ଦ ଫକୋଷ ଶବ୍ଦଟି ମୂଳ ଭାରୋପୀୟ ଶବ୍ଦ púḱsos(ଶୃଗାଳ)ର ଅତି ନିକଟତର ଜଣାପଡ଼େ । ଫଳତଃ କୁହାଯାଇପାରେ ଯେ ହୁଏତ ଓଡ଼ିଆ ଫକୋଷ ଶବ୍ଦଟି ଗୋଟିଏ ଅତି ପ୍ରାଚୀନ ଶବ୍ଦ ଏଵଂ ମୂଳ ଆର୍ଯ୍ୟଭାଷାରୁ ଓଡ଼ିଆ ଭାଷାରେ ସିଧାସଳଖ ପ୍ରଚଳିତ ହୋଇଥିଲା । ତେବେ ଓଡ଼ିଶାରେ Fox ଜାତୀୟ ଜୀଵମାନଙ୍କୁ ଫେକାରୀ,ଫକ୍‌ଶିଆଳ,କାଙ୍ଗୁଶିଆଳି,କିଖି,ଖିଖି,କୋକିଶିଆଳ,କୋକିଶାଳି,କୋକି,ଖେଁଖାରି,ଖେକର୍ଲି,ପାତିଶିଆଳ,ଭେଣ୍ଡେରା,ମାଲ୍ଖେଁଖାରି,ମାଲ୍ଖୋଁଖାରି ଓ ଖେଙ୍କ୍ଶିଆଳ ଇତ୍ୟାଦି କୁହାଯାଏ । ପୁଣି ସଂସ୍କୃତ ଭାଷାରେ ଫେର,ଫେରୁ ଓ ଫେରଣ୍ଡ ଭଳି କେତେକ ଶବ୍ଦ କୋକିଶିଆଳୀ ତଥା ବିଲୁଆ ଅର୍ଥରେ ଵ୍ୟଵହୃତ ହେଉଥିଲା ‌ ।

ଅନୁମାନ କରାଯାଇପାରେ ଯେ ହୁଏତ ଫକୋଷ ଶବ୍ଦଟି କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଚଳିତ ଥାଇ କ୍ରମଶଃ ମାନକ ଭାଷାରେ ଓ କଥିତ ଭାଷାରେ ଵ୍ୟଵହୃତ ନହେଵାରୁ ଲୁପ୍ତ ହୋଇଯାଇଅଛି ଏଵଂ ପରେ ତା ସ୍ଥାନ କୋକିଶିଆଳି ଭଳି ଶବ୍ଦ ନେଇଯାଇଛି । ଆଗେ ଗ୍ରାମାଞ୍ଚଳ ଓ କେବେ କେବେ ନଗରାଞ୍ଚଳରେ ମଧ୍ୟ ସହଜରେ କୋକିଶିଆଳି ଦେଖାଯାଉଥିଲେ ଫଳତଃ ସେମାନଙ୍କର ନାମ ମଧ୍ୟ ଅଥିତ ଭାଷାରେ ପ୍ରଚଳିତ ଥିଲା କିନ୍ତୁ ଅଧୁନା ଜଙ୍ଗଲ କଟିଵା ଯୋଗୁଁ ଏମାନଙ୍କ ସଂଖ୍ୟା ହ୍ରାସ ଘଟିଛି ଫଳତଃ ଏମାନଙ୍କର ଓଡ଼ିଆ ନାମଗୁଡ଼ିକ ମଧ୍ୟ କ୍ରମଶଃ ହଜି ହଜି ଗଲାଣି । 

ଅସ୍ତୁ ଓଡ଼ିଆ ଭାଷାରେ ଫକୋଷ ଓ ବୋଇତ ଭଳି ଶବ୍ଦ ପ୍ରାଚୀନ ମୂଳ ଆର୍ଯ୍ୟଭାଷାରୁ ସିଧାସଳଖ ପ୍ରଚଳିତ ହୋଇଛି ଏଵଂ ଏ ଉଭୟ ଶବ୍ଦ ମୂଳତଃ ସଂସ୍କୃତ ଭାଷାରେ ହିଁ ନାହିଁ । ଏହା ଓଡ଼ିଆ ଭାଷାର ପ୍ରାଚୀନତାର ଅନ୍ୟତମ ପ୍ରମାଣ । ଓଡ଼ିଆ ଭାଷାରେ କୋକେଇ ପରି ଆହୁରି ଅନେକ ଓଡ଼ିଆ ଶବ୍ଦ ନିଶ୍ଚୟ ଅଛି ଯାହାର ଆଜିଯାଏଁ କୌଣସି ଭାଷାଵିଦ ନିରୁକ୍ତି ନିର୍ଣ୍ଣୟ କରିପାରିନାହାନ୍ତି । ପଞ୍ଚଦଶ ଶତାବ୍ଦୀ ସମୟରେ ଓଡ଼ିଆ ଭାଷା ସଂସ୍କୃତନିଷ୍ଠ ହେଵାରୁ ଏହାର ଫକୋଷ ଭଳି କେତେକ ନିଆରା ପ୍ରାଚୀନ ଶବ୍ଦ କ୍ରମଶଃ ଲୋପ ପାଇଗଲା ଫଳରେ ଆମେ ଆଜି ଏଭଳି ପ୍ରାଚୀନ ଓଡ଼ିଆ ଶବ୍ଦକୁ କେଵଳ ପୁରୁଣା ତାମ୍ରଲେଖ,ପ୍ରାଚୀନ ସାହିତ୍ୟରେ ହିଁ କାଁ ଭାଁ ପାଇଥାନ୍ତି । 

















Sunday, May 7, 2023

ଅମରଵର

ବୋଲୋକୀ ବୋଲି ଏକ ଜନଜାତି କଙ୍ଗୋ ଦେଶରେ ରହୁଛନ୍ତି ଏଵଂ ଏମାନଙ୍କ ସଂଖ୍ୟା ଚାରି ହଜାର ଭିତରେ ଥିଵା ଜଣାଯାଏ । କଙ୍ଗୋ ଦେଶର ଏହି ଜନଜାତିରେ ମୃତ୍ୟୁ ସମ୍ବନ୍ଧରେ ଗୋଟିଏ ଲୋକକଥା ରହିଛି ‌ଏଵଂ ସେହି କାହାଣୀଟି ଏହିପରି...

ଈଶ୍ଵର ଜଣେ ସାଧାରଣ ଵ୍ୟକ୍ତିର ରୂପ ଧରି ମନୁଷ୍ୟମାନଙ୍କୁ ଦୁଇଗୋଟି ପେଟି ଦେଖେଇଲେ ଏଵଂ ତନ୍ମଧ୍ୟରୁ ସେମାନେ ଯେକୌଣସି ଗୋଟିଏ ହିଁ ରଖିପାରିବେ ବୋଲି କହିଲେ ‌। ସେହି ଦୁଇଗୋଟି ପେଟି ମଧ୍ୟରେ ଗୋଟିଏ ପେଟି ବଡ଼ ଏଵଂ ଆଉ ଗୋଟିଏ ପେଟି ଛୋଟ ଥିଲା । କେଉଁ ପେଟିକୁ ରଖିଵା ଉଚିତ୍ ହେ ସେ ଵିଷୟରେ ପୁରୁଷମାନେ ସ୍ତ୍ରୀଲୋକମାନଙ୍କ ସହିତ ପରାମର୍ଶ କଲେ । ବଡ଼ ପେଟିର ଆକାର ବହୁତ ବଡ଼ ଥିଲା , ସେଥିରେ ଵସ୍ତ୍ର ,ଆଭୂଷଣ,ଧନ ସମ୍ପତ୍ତି,ଘର କରଣା ଦରଵ ଇତ୍ୟାଦି ସବୁକିଛି ଥିଲା କିନ୍ତୁ ସାନ ପେଟିଟି ପୁରା ଖାଲି ଥିଲା । ତେଣୁ ସମସ୍ତେ ପରସ୍ପର ମଧ୍ୟରେ ମନ୍ତ୍ରଣା କରି ସର୍ଵଦ୍ରଵ୍ୟରେ ପରିପୂର୍ଣ୍ଣ ବଡ଼ ପେଟିଟିକୁ ରଖିଲେ । ଭଗଵାନ ସାଧାରଣ ଵ୍ୟକ୍ତିର ରୂପ ପରିତ୍ୟାଗ କରି ସାନ ପେଟିଟିକୁ ଧରି ସ୍ଵର୍ଗକୁ ଫେରି ଯାଉଥିଲେ ସେତିକିବେଳେ ଜଣେ ଜିଜ୍ଞାସୁ ଲୋକ ତାଙ୍କୁ ପଚାରିଲା ସେହି ସାନ ପେଟିଟି ଖାଲି କାହିଁକି ଥିଲା ? 

ଭଗଵାନ ସେ ଲୋକକୁ ସ୍ଵର୍ଗକୁ ଫେରୁଥିଵା ବେଳେ କହିଲେ ସେଥିରେ 'ଅମରଵର' ଥିଲା । ମନୁଷ୍ୟମାନେ ନିଜର ଅଜ୍ଞାନତା ଯୋଗୁଁ ଅମରତ୍ବକୁ ଗ୍ରହଣ ନକରି ନଶ୍ଵର ଦରଵକୁ ପ୍ରାଧାନ୍ୟ ଦେଲେ ଫଳତଃ ସେମାନେ ଅମର ହୋଇପାରିଲେ ନାହିଁ । 

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...