Wednesday, May 10, 2023

ଫକୋଷ : ଏକ ଲୁପ୍ତ ଓଡ଼ିଆ ଶବ୍ଦର ଇତିବୃତ

ପ୍ରାଚୀନ ଶଶି ଶେଣା କାଵ୍ଯରେ କଵି ପ୍ରତାପ ରାୟ ଵିଭିନ୍ନ ପ୍ରକାରର ଜୀଵଜନ୍ତୁଙ୍କ ନାମ ଉଲ୍ଲେଖ କରିଛନ୍ତି । 

“ସିଂହ ଗଜ ଶଶା ମୃଗ ଶାର୍ଦ୍ଦୂଳ ।
ହରିଣ ଵରେହା ଗଣ୍ଡା ଗୟଳ ।
ମଇଁଷି ଘୋଡ଼ା ଫକୋଷ ଵଳେୟା ।
କପି ଖୁରାଣ୍ଟି କସ୍ତୂରୀ ଶାଳେୟା ।
ଶଅମ୍ବର ଶଶା । 
ଶୃଗାଳ ନେଉଳ ନେପାଳ ମୂଷା ॥”

ଏହି ପଦରେ ଉଲ୍ଲେଖିତ “ସିଂହ,ଗଜ(ହାତୀ),ମୃଗ,ଶାର୍ଦ୍ଦୂଳ(ବାଘ),ହରିଣ,ଗୟଳ,ଗଣ୍ଡା,ମଇଁଷି,ଘୋଡ଼ା,କପି(ମାଙ୍କଡ଼) କସ୍ତୁରୀ ମୃଗ,ଶମ୍ବର,ଶଶା(ଠେକୁଆ), ଶୃଗାଳ(jackal/ବିଲୁଆ),ନେଉଳ ଓ ନେପାଳ ମୂଷା” ଇତ୍ୟାଦି ଜୀଵଙ୍କୁ ଆମେମାନେ ଅଳ୍ପ ବହୁତେ ଜାଣନ୍ତି ତେବେ ପ୍ରୋକ୍ତ ପଦରେ ଥିଵା "ଵରେହା,ଫକୋଷ,ବଳେୟା,ଖୁରାଣ୍ଟି ଓ ଶାଳେୟା" ଏହି ପାଞ୍ଚୋଟି ନାମକୁ ପଢି଼ ହୁଏତ ଅନେକ ବୁଝିପାରିବେ ନାହିଁ। 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁଯାୟୀ 
ଶାଳେୟା ଶବ୍ଦର ଅର୍ଥ ଶାଳିଆପତନୀ(ଓ) ଓ ମେଥି(ସଂ) । ବଳିଆକୁକୁରର ଏକ ପ୍ରାଚୀନ ଓଡ଼ିଆ ନାମ ବଳେୟା ଅଟେ । ଖୁରାଣ୍ଟି ସେହିପରି ମୃଗ ଜାତୀୟ ଏକ କ୍ଷୁଦ୍ର ଜୀଵ ଵିଶେଷ ଅଟଇ ।‌ ଵରେହା ହେଉଛି ଵରାହ ଓ ଵାର୍‌ହା ଶବ୍ଦର ପ୍ରାଚୀନ ଓଡ଼ିଆ ରୂପ । କିନ୍ତୁ ଏଥିରେ ଫକୋଷ ବୋଲି ଏକ ଜୀଵର ନାମୋଲ୍ଲେଖ ମଧ୍ୟ ଅଛି ହେଲେ ସେ ଜୀଵଟି କ'ଣ ? 
 
ଏବେ ପଚାରିଲେ ହୁଏତ ଅନେକ ଓଡ଼ିଆ ଏହି ଫକୋଷ ଶବ୍ଦର ଅର୍ଥ କହିନପାରନ୍ତି ତେବେ ଏହା ଏକ ଅତି ପୁରାତନ ଓଡ଼ିଆ ଶବ୍ଦ ଏଵଂ ଷୋହଳଶହ ଶତାବ୍ଦୀର ଶଶିଶେଣା କାଵ୍ୟରେ ଵ୍ୟଵହାର କରାଯାଇଛି । ଏହି ଫକୋଷ ଶବ୍ଦର ଅର୍ଥ କୋକିଶିଆଳୀ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି ଏଵଂ ଇଂରାଜୀ fox ଶବ୍ଦ ସହିତ ଏହାର ସଗୋତ୍ରୀୟ ସମ୍ପର୍କ ଥିଵା ମଧ୍ୟ ସହଜେ ଅନୁମେୟ । ୟୁରୋପର ଵିଭିନ୍ନ ଭାଷାରେ Fox ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଥିଵା କେତେକ ଶବ୍ଦ ପ୍ରଚଳିତ । କୋକିଶିଆଳିକୁ ଫିଶିଆନ୍ ଭାଷାରେ foks, foos ଓ fos,ଡଚ୍ ଭାଷାରେ vos, ଆଧୁନିକ ଜର୍ମାନ୍ ଭାଷାରେ Fuchs, ଆଇସଲ୍ୟାଣ୍ଡିକ୍ ଭାଷାରେ fóa (“fox”),ସିମ୍ରିଅନ୍ ଭାଷାରେ buks ଓ vuks,ଇଡୋ ଭାଷାରେ foxo,ଲକଜମ୍‌ବର୍ଗିସ୍‌ରେ Fochs ଓ Fuuss ,ୟିଡିଶ୍ ଭାଷାରେ פֿוקס‎ (fuks) ତଥା ୟୋଲା ଭାଷାରେ voxe କୁହାଯାଏ । ଏ ସମସ୍ତ ଶବ୍ଦ ପ୍ରାଚୀନ ପ୍ରାକ୍ ଜର୍ମାନିକ୍ ଭାଷାର *fuhs ଓ *fuhsaz ମୂଳ ଶବ୍ଦ ଦେଇ ସୃଷ୍ଟି ହୋଇଛି । 


ପାଶ୍ଚାତ୍ୟ ଭାଷାଵିଦମାନେ ଏହି ସବୁ ଶବ୍ଦଗୁଡି଼କର ମୂଳ ଭାରୋପୀୟ ଶବ୍ଦ púḱsos ତଥା ଏହାର ମୂଳ କ୍ଷୁଦ୍ର ଶବ୍ଦ ରୂପ puḱ- (ଲାଞ୍ଜ) ନିର୍ଣ୍ଣୟ କରିଛନ୍ତି । ଏହି ମୂଳ ଭାରୋପୀୟ ଶବ୍ଦରୁ ଗୋଟିଏ ପଟେ ପ୍ରାକ୍ ଜର୍ମାନିକ୍ ଭାଷା ଦେଇ ଇଂରାଜୀ ଭାଷାରେ fox ଶବ୍ଦ ସୃଷ୍ଟି ହୋଇଥିଲାବେଳେ ଅନ୍ୟ ଏକ ଦିଗରେ ଓଡ଼ିଆ ଭାଷାରେ ଫକୋଷ ତଥା ତରୱାଲୀ ଭାଷାରେ پوش‎ (pūš, “fox”) ଶବ୍ଦ ସୃଷ୍ଟି ହୋଇଛି। ସେହିପରି ସଂସ୍କୃତ ଭାଷାରେ ଏ ସମସ୍ତ ଶବ୍ଦର ମୂଳ ଭାରୋପୀୟ ଶବ୍ଦ puḱ- (ଲାଞ୍ଜ)ରୁ 'ପୁଚ୍ଛ' (púccha/ଲାଞ୍ଜ) ଶବ୍ଦଟି ସୃଷ୍ଟି ହୋଇ ଆଜି ବି ପ୍ରଚଳିତ ଅଛି ।ଉଲ୍ଲେଖଯୋଗ୍ୟ ଯେ କୋକିଶିଆଳି ଓ ବିଲୁଆଙ୍କ ଲାଞ୍ଜ କୁକୁରଙ୍କ ଅପେକ୍ଷା ବଡ଼ ହୋଇଥାଏ ତେଣୁ ପ୍ରାଚୀନ କାଳର ଭାରୋପୀୟ ଲୋକମାନେ ସେହି ଲାଞ୍ଜ ଅର୍ଥଜ puḱ ଶବ୍ଦ ଆଧାରରେ କୋକିଶିଆଳି, ଶୃଗାଳଙ୍କର púḱsos ନାମକରଣ କରିଥିଲେ ‌। 

କେହି କେହି ଇଂରାଜୀ ଭାଷାର fox ତଥା ଓଡ଼ିଆ ଭାଷାର ଫକୋଷ ଶବ୍ଦର ଅର୍ଥ ଓ ଵାହ୍ୟ ରୂପସାମ୍ୟ ଦେଖି ଅନୁମାନ କରିପାରନ୍ତି ଯେ ହୁଏତ ଇଂରାଜୀ ଭାଷାରୁ ଓଡ଼ିଆ ଭାଷାରେ ଫକୋଷ ଶବ୍ଦ ଆସି ଚଳିଥିଵ । କିନ୍ତୁ ଏଭଳି ଧାରଣା ଅମୂଳକ ଏଇଥିପାଇଁ ଯେ ଯେଉଁ ଶଶିଶେଣା କାଵ୍ୟରେ ଫକୋଷ ଶବ୍ଦ ଵ୍ୟଵହୃତ ହୋଇଅଛି ତାହା ଷୋହଳଶହ ଶତାବ୍ଦୀର କାଵ୍ୟ ଏଵଂ ସେତେବେଳେ ଓଡ଼ିଶାରେ ଇଂରେଜମାନେ ସେତେ ପ୍ରଭାଵଶାଳୀ ହୋଇନଥିଲେ ଵରଂ ତତ୍କାଳୀନ ଓଡ଼ିଶାରେ ପର୍ତ୍ତୁଗୀଜମାନେ ଵ୍ୟାପାର କରିଵା ସହ ଓ ଗୁପ୍ତରେ ବୋଇତ ଲୁଣ୍ଠନ କରୁଥିଲେ ‌। ପୁଣି ପର୍ତ୍ତୁଗୀଜମାନଙ୍କ ଭାଷାରେ କୋକିଶିଆଳୀ ପାଇଁ fox ଶବ୍ଦ ନୁହେଁ ଵରଂ raposa ଓ vermelha ଶବ୍ଦ ପ୍ରୟୋଗ ହେଉଥିଲା । ହିନ୍ଦୀରେ ଫକ୍‌ସିଆର୍, ଓଡ଼ିଆ ଭାଷାରେ ଫକ୍‌ଶିଆଳ ଓ ଫକୋଷ ତଥା ତରୱାଲୀ ଭାଷାର پوش‎ (pūš, “fox”) ଶବ୍ଦର ସାମ୍ୟ ଇଂରାଜୀ fox ଶବ୍ଦ ସହିତ ରହିଛି । ତେଣୁ ହୁଏତ ଏହି ସବୁ ଶବ୍ଦ ସମଗୋତ୍ରୀୟ ହୋଇଥାଇପାରନ୍ତି । ଵିଶେଷତଃ ଶୃଗାଳ ଅର୍ଥଜ ପ୍ରାଚୀନ ଓଡ଼ିଆ ଶବ୍ଦ ଫକୋଷ ଶବ୍ଦଟି ମୂଳ ଭାରୋପୀୟ ଶବ୍ଦ púḱsos(ଶୃଗାଳ)ର ଅତି ନିକଟତର ଜଣାପଡ଼େ । ଫଳତଃ କୁହାଯାଇପାରେ ଯେ ହୁଏତ ଓଡ଼ିଆ ଫକୋଷ ଶବ୍ଦଟି ଗୋଟିଏ ଅତି ପ୍ରାଚୀନ ଶବ୍ଦ ଏଵଂ ମୂଳ ଆର୍ଯ୍ୟଭାଷାରୁ ଓଡ଼ିଆ ଭାଷାରେ ସିଧାସଳଖ ପ୍ରଚଳିତ ହୋଇଥିଲା । ତେବେ ଓଡ଼ିଶାରେ Fox ଜାତୀୟ ଜୀଵମାନଙ୍କୁ ଫେକାରୀ,ଫକ୍‌ଶିଆଳ,କାଙ୍ଗୁଶିଆଳି,କିଖି,ଖିଖି,କୋକିଶିଆଳ,କୋକିଶାଳି,କୋକି,ଖେଁଖାରି,ଖେକର୍ଲି,ପାତିଶିଆଳ,ଭେଣ୍ଡେରା,ମାଲ୍ଖେଁଖାରି,ମାଲ୍ଖୋଁଖାରି ଓ ଖେଙ୍କ୍ଶିଆଳ ଇତ୍ୟାଦି କୁହାଯାଏ । ପୁଣି ସଂସ୍କୃତ ଭାଷାରେ ଫେର,ଫେରୁ ଓ ଫେରଣ୍ଡ ଭଳି କେତେକ ଶବ୍ଦ କୋକିଶିଆଳୀ ତଥା ବିଲୁଆ ଅର୍ଥରେ ଵ୍ୟଵହୃତ ହେଉଥିଲା ‌ ।

ଅନୁମାନ କରାଯାଇପାରେ ଯେ ହୁଏତ ଫକୋଷ ଶବ୍ଦଟି କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଚଳିତ ଥାଇ କ୍ରମଶଃ ମାନକ ଭାଷାରେ ଓ କଥିତ ଭାଷାରେ ଵ୍ୟଵହୃତ ନହେଵାରୁ ଲୁପ୍ତ ହୋଇଯାଇଅଛି ଏଵଂ ପରେ ତା ସ୍ଥାନ କୋକିଶିଆଳି ଭଳି ଶବ୍ଦ ନେଇଯାଇଛି । ଆଗେ ଗ୍ରାମାଞ୍ଚଳ ଓ କେବେ କେବେ ନଗରାଞ୍ଚଳରେ ମଧ୍ୟ ସହଜରେ କୋକିଶିଆଳି ଦେଖାଯାଉଥିଲେ ଫଳତଃ ସେମାନଙ୍କର ନାମ ମଧ୍ୟ ଅଥିତ ଭାଷାରେ ପ୍ରଚଳିତ ଥିଲା କିନ୍ତୁ ଅଧୁନା ଜଙ୍ଗଲ କଟିଵା ଯୋଗୁଁ ଏମାନଙ୍କ ସଂଖ୍ୟା ହ୍ରାସ ଘଟିଛି ଫଳତଃ ଏମାନଙ୍କର ଓଡ଼ିଆ ନାମଗୁଡ଼ିକ ମଧ୍ୟ କ୍ରମଶଃ ହଜି ହଜି ଗଲାଣି । 

ଅସ୍ତୁ ଓଡ଼ିଆ ଭାଷାରେ ଫକୋଷ ଓ ବୋଇତ ଭଳି ଶବ୍ଦ ପ୍ରାଚୀନ ମୂଳ ଆର୍ଯ୍ୟଭାଷାରୁ ସିଧାସଳଖ ପ୍ରଚଳିତ ହୋଇଛି ଏଵଂ ଏ ଉଭୟ ଶବ୍ଦ ମୂଳତଃ ସଂସ୍କୃତ ଭାଷାରେ ହିଁ ନାହିଁ । ଏହା ଓଡ଼ିଆ ଭାଷାର ପ୍ରାଚୀନତାର ଅନ୍ୟତମ ପ୍ରମାଣ । ଓଡ଼ିଆ ଭାଷାରେ କୋକେଇ ପରି ଆହୁରି ଅନେକ ଓଡ଼ିଆ ଶବ୍ଦ ନିଶ୍ଚୟ ଅଛି ଯାହାର ଆଜିଯାଏଁ କୌଣସି ଭାଷାଵିଦ ନିରୁକ୍ତି ନିର୍ଣ୍ଣୟ କରିପାରିନାହାନ୍ତି । ପଞ୍ଚଦଶ ଶତାବ୍ଦୀ ସମୟରେ ଓଡ଼ିଆ ଭାଷା ସଂସ୍କୃତନିଷ୍ଠ ହେଵାରୁ ଏହାର ଫକୋଷ ଭଳି କେତେକ ନିଆରା ପ୍ରାଚୀନ ଶବ୍ଦ କ୍ରମଶଃ ଲୋପ ପାଇଗଲା ଫଳରେ ଆମେ ଆଜି ଏଭଳି ପ୍ରାଚୀନ ଓଡ଼ିଆ ଶବ୍ଦକୁ କେଵଳ ପୁରୁଣା ତାମ୍ରଲେଖ,ପ୍ରାଚୀନ ସାହିତ୍ୟରେ ହିଁ କାଁ ଭାଁ ପାଇଥାନ୍ତି । 

















No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...