ବସ୍ରେ ବେଶ୍ ଭିଡ଼, ହେଲେ ଜାଗା ଲାଗି କାହା ସଙ୍ଗେ ଝଗଡ଼ା ଝାଟି ଲାଗି ନାହିଁ । ଆମ କେତେଜଣଙ୍କ ଛଡ଼ା ବସର ପ୍ରାୟ ସମସ୍ତ ଯାତ୍ରୀ କାଶ୍ମୀରୀ । ପୁରୁଷମାନେ ପାଇଜାମା, ଫେରନ୍ ପିନ୍ଧିଛନ୍ତି, ମୁଣ୍ଡରେ ପଗଡ଼ି ଭିଡ଼ିଛନ୍ତି, ସ୍ତ୍ରୀମାନଙ୍କର ରଙ୍ଗ ବେରଙ୍ଗର ଶାଢ଼ି, ଫେରନ୍, ମୁଣ୍ଡରେ ତରଙ୍ଗା, କେହି ବୁର୍ଖା ଭିତରେ ଆଖି ଦୁଇଟି ଜୁଳୁ ଜୁଳୁ କରୁଛନ୍ତି; ହିନ୍ଦୁ ସ୍ତ୍ରୀଙ୍କ କାନରେ ଦିଜହୁର, ମୁସଲମାନ ସ୍ତ୍ରୀଙ୍କ ଗୋଛା ଗୋଛା କାନଓ୍ବାଜି କାନକୁ ଲମ୍ବା ଆଉ ନଡ଼କା କରି ଦେଇଛି । ବସ୍ ଚାଲିଲା, ରାସ୍ତା ଦୁଇ ପାଖରେ ସଫେଦ, ଧୂଆଁଳିଆ ମେଘ ଅଳସ
ଗତିରେ ପାହାଡ଼ ଉପରକୁ ଉଠି ବରଫ ହେଉଛି । ଚଷା ଧାନବିଲ କାଦୁଅ କରୁଛନ୍ତି,
କେଉଁଠି ତଳି ରୁଆ ହେଉଛି, କେଉଠିଁ ଧାନ କଳା ବୁଲି ଆସିଲାଣି, ହିଡ଼େ ହିଡ଼େ ବଗ ଚରି ବୁଲୁଛନ୍ତି, ସୋରିଷ କ୍ଷେତରେ ସୁନାର ଢେଉ—ଝେଲମ୍ କୂଳେ କୂଳେ ଚାଲିଲା ଆମର ବସ୍, ଦିନ ଆଠଟା ବେଳେ ଗୋଟିଏ ପୋଲ ନିକଟରେ ପହଞ୍ଚିଲୁ !
ଏଠି ଭାରତ ଓ ପାକିସ୍ତାନର ଭାଗ୍ୟ ପରୀକ୍ଷାହୋଇଥିଲା, ରକ୍ତ ଧାରରେ ଝେଲମର
ଜଳ ହୋଇଥିଲା ଲୋହିତ । ସେତେବେଳେ ଆକ୍ରମଣକାରୀ ପାହାଡ଼ୀ ସୈନ୍ୟ ଶ୍ରୀନଗର ଅଧିକାର କରିଵାକୁ ଆଗେଇ ଆସୁଥାନ୍ତି। ବାରମୂଳା ସେମାନଙ୍କ ପ୍ରଧାନ ସେନାଛାଉଣି,
ସଙ୍ଗରେ ନାନାପ୍ରକାର ଆଧୁନିକ ଅସ୍ତ୍ରଶସ୍ତ୍ର–ଟ୍ୟାଙ୍କ୍, ଟ୍ୟାଙ୍କଵିଧ୍ୱଂସୀ ରାଇଫଲ୍,
ମେସିନ୍ ଗନ୍, ଷ୍ଟେନ୍ଗନ୍, ବ୍ରେନ୍ ଗନ୍, ହାଣ୍ଡଗ୍ରେନେଡ୍ । ହଜାର ହଜାର ସୁଶିକ୍ଷିତ
ସୈନ୍ୟ । ଦେହରେ ଅକଳନ୍ତି ବଳ, ମନରେ ଵିଜୟଵିଶ୍ଵାସ । ସେନାପତି ରଣଜିତ୍
ରାୟ ଵିଷମ ସଙ୍କଟରେ ପଡ଼ିଲେ ।
ମାତ୍ର ଘଣ୍ଟାଏ ଆଗରୁ ସେ ଶ୍ରୀନଗର ବିମାନ ଘାଟିରେ ପହଞ୍ଚିଥାନ୍ତି, ଘାଟି
ନିରାପଦ ରଖିଵା ଲାଗି ଦିଲ୍ଲୀରୁ ଆଦେଶ ପାଇଥାନ୍ତି । କିନ୍ତୁ କାଶ୍ମୀରକୁ ଆସି ଯେଉଁ
ଅଵସ୍ଥା ଦେଖିଲେ, ସେଥିରେ ତାଙ୍କ ଆଖି ଖୋସି ହୋଇଗଲା । ଉରିରେ ବାଧା
ଦେଵାକୁ ଯାଇ ମହାରାଜ ହରସିଂଙ୍କ ସେନାପତି ପ୍ରାଣ ଦେଇଛନ୍ତି, ତା ପରେ ଆକ୍ରମଣକାରୀ ବିନା ବାଧାରେ ପଙ୍ଗପାଳ ପରି ଆଗେଇ ଆସୁଛନ୍ତି, ଲୋକଙ୍କ ମନୋବଳ ଭାଙ୍ଗି ପଡ଼ିଛି, ଵିକଳରେ ଈଶ୍ଵରଙ୍କୁ ଡକା ପକାଉଛନ୍ତି, ଚାରିଆଡ଼େ ହାହାକାର ପଡ଼ିଯାଇଛି; ଆଉ ଗୋଟିଏ ଦିନ ମାତ୍ର, ଶ୍ରୀନଗର ଶତ୍ରୁ କବଳରେ
ପଡ଼ିଵ । ଉଡ଼ାଜାହାଜ ଘାଟିକି ଜାବୁଡ଼ି ଧରି ବସିଲେ କି ଲାଭ ହେଵ ? ଶ୍ରୀନଗର
ଅଧିକୃତ ହେଲେ ସେ କ’ଣ ସମ୍ବଳା ପଡ଼ିଵ ? ଦିଲ୍ଲୀରୁ ଯେ ଆଦେଶ ନାହିଁ ! ତାକୁ
ଚାହିଁଵା ଅର୍ଥ ଠେଙ୍ଗା ତୁଲେଇ ବସିଵା, ଠେଙ୍ଗା ତୁଲଉଁ ତୁଲଉଁ ଘୁଷୁରି ମଙ୍ଗଳପୁରରେ
ହାଜର ହେଵା ଵିଚିତ୍ର ନୁହେଁ । ପୁଣି ଏତିକି ସୈନ୍ୟ ନେଇ ଵିରାଟ ଶତ୍ରୁବାହିନୀ
ସଙ୍ଗେ କିପରି ଯୁଦ୍ଧ କରାହେଵ ? ମହାସ୍ରୋତ ଆଗରେ ତୃଣ ପରି ଭାସିଯିଵା ହିଁ
ସାର ହେଵ । ମିଲିଟାରୀ ଗାଡ଼ି ନାହିଁ, ଉଡ଼ାଜାହାଜ ନାହିଁ, ସେଭଳି ଅସ୍ତ୍ର ଶସ୍ତ୍ର ବି
ନାହିଁ । ମହାଵୀର ରଣଜିତ ରାୟ ମହାଭାଵନାରେ ପଡ଼ିଲେ, କିନ୍ତୁ ଭାଵନାରେ ଆନନ୍ଦ ମିଳଇ କାହିଁ ? କାର୍ଯ୍ୟ—କାର୍ଯ୍ୟ, ଚତୁର୍ଦ୍ଦିଗରେ କାର୍ଯ୍ୟର ଆହ୍ୱାନ । ଶତ୍ରୁକୁ ହଟେଇଵାକୁ ହେଵ । ଶ୍ରୀନଗରରେ ଯେତେ ବସ୍, ଲରି, ମୋଟର ଚାଲୁଥିଲା, ସବୁ ଏକାଠି
କଲେ, ସେଇ ରାତିରେ କଲେ ଯୁଦ୍ଧଯାତ୍ରା । ବାରମୂଳାର ଅଳ୍ପ ଦୂରରେ ଗୋଟିଏ
ପାହାଡ଼, ଶୁଷ୍କତୃଣରେ ଧୂସର; ପାହାଡ଼ ମୂଳରେ ରାଜପଥ, ଡାକେ ବାଟରେ ଝେଲମ୍ । ରାତି ଅଧ, ଆକାଶର ତାରକା ଆଶୀର୍ଵାଦ କଲେ, ରଣଜିତ୍ ଏଇ ପାହାଡ଼ରେ ଘାଟି ଜମେଇଲେ । ଗାଡ଼ିସବୁ ଲୁଚାଇ ରଖିଲେ । ତା’ଆର ଦିନ ସିନ୍ଦୂରା ଫାଟି ନାହିଁ, ଶତ୍ରୁସୈନ୍ୟ ରାଜପଥରେ ପଟୁଆରରେ ଯିଵାର ଦେଖାଗଲା, କି ଫୁର୍ତ୍ତି !
କେତୋଟି ଘଣ୍ଟା ମଧ୍ୟରେ କାଶ୍ମୀରର ରାଜମୁକୁଟ ଅଧିକୃତ ହେଵ, ଅକଳନ୍ତି ଧନଦୌଲତ, ଅସରନ୍ତି ଖାଦ୍ୟଭଣ୍ଡାର ହାତରେ ପଡ଼ିଵ, ଗୀତ, ନୃତ୍ୟ, ଭୋଜି ମଉଜର ସୀମା ରହିଵ ନାହିଁ । କି ମଜ୍ଜା । ରଣଜିତ୍ ଆଦେଶ ଦେଲେ, ଚଳାଅ ଗୁଳି । ମେସିନ୍ ଗନ୍ ଗର୍ଜି ଉଠିଲା ଗୁଡୁମ୍, ଗୁଡୁମ—ଝେଲମର ଢେଉ ଚମକି ପଡ଼ିଲେ, ଭୟାଳୁ ପକ୍ଷୀ ଆର୍ତ୍ତ ରବରେ
ଇତସ୍ତତଃ ପଳାଇଗଲେ, କଜ୍ଜଳ ଧୂମରେ ଉଷାର ସିନ୍ଦୂରିତ ଆକାଶ ଛାଇ ହୋଇଗଲା, ରାସ୍ତାର ଦୁଇକଡ଼ରେ ଓଲଟି ପଡ଼ିଲେ ଶତ ଶତ ଶତ୍ରୁ ସୈନ୍ୟ, ଗୋଲାପୀ ସ୍ଵପ୍ନ ଉପରେ ସତେ କି ଅକାଳ ଚଡ଼କ ପଡ଼ିଲା, ଛିନ୍ ଛତର ହୋଇ କିଏ କୁଆଡ଼େ ପଳାଇଲେ । ସେନାପତି ସାହସ ଦେଇ ପୁଣି ସେମାନଙ୍କୁ ଏକାଠି
କଲେ, ସେନାକୁ ଦୂରକୁ ଘୁଞ୍ଚାଇ ନେଇ ପାଲ୍ଟା ଆକ୍ରମଣ ଲାଗି ପ୍ରସ୍ତୁତ ହେଲେ । ଯେଉଁ ଦିଗରୁ ଗୁଳି ଛୁଟୁଥିଲା, ସେହି ଦିଗକୁ ଲକ୍ଷ୍ୟ କରି ବନ୍ଧୁକର ଘୋଡ଼ା ଟିପିଲେ । କିନ୍ତୁ ଗୋଟିଏ ହେଲେ ଗୁଳି ଶିଖ୍ ସୈନ୍ୟଙ୍କ ଦେହରେ ବାଜିଲା ନାହିଁ । ସେମାନଙ୍କର ରକ୍ଷାକର୍ତ୍ତା ପାହାଡ଼ । ତା ପରେ ଶତ୍ରୁ ବାହିନୀ ପାହାଡ଼କୁ ଦୁଇଦିଗରୁ ଘେରାଉ କଲେ ।
ରଣଜିତ୍ ଦେଖିଲେ–କଥା ସରିଲା ଆଉ ରକ୍ଷା ନାହିଁ । ଏ ଘାଟିକି ଆବୁରି ରହିଵା ଅର୍ଥ ମୃତ୍ୟୁ । କମାଣ ଧୂଆଁର ଆବରଣରେ ସେ ସୈନ୍ୟମାନଙ୍କୁ ପଛେଇ ନେଲେ, ଜଣ ଜଣ ହୋଇ ସମସ୍ତେ ଗଲେ, କିନ୍ତୁ ସେ ନିଜର ଆସ୍ଥାନ ଛାଡ଼ିଲେ ନାହିଁ । ଏକୁଟିଆ ଛିଡ଼ା ହୋଇ ସେ ଗୁଳି ଟିପିଲେ, ଆଗେଇ ଆସୁଥିଵା ଶତ୍ରୁ ସୈନ୍ୟ ମଧ୍ୟରୁ ଯେତେ ନିପାତ ହେଲେ, ତହିଁରୁ ବେଶୀ ଘାଇଲା ହେଲେ । ଅନ୍ଧକାର ଘନେଇ ଆସିଲାଣି, ଶିଖ୍ସୈନ୍ୟ ଗୋଟିଏ ନିରାପଦ ଘାଟି ଆଗୁଳି ବସିଲେଣି; କିନ୍ତୁ ରଣଜିତ୍ ରାୟ ? ଆହା ରଣଜିତ୍ ରାୟ ! ଗୋଟିଏ ଗୋଳା ହଠାତ୍ କାହୁଁ ଆସି ତାଙ୍କ କପାଳରେ ବାଜିଲା, ରାୟଙ୍କ ଖପୁରି ଉଡ଼ିଗଲା । ମାତ୍ର ୩୪ ବର୍ଷ ବୟସରେ ସେ ଉଚ୍ଚ ପାହ୍ୟାକୁ ଉଠିଥିଲେ—ଲେପ୍ଟିନେଣ୍ଟରୁ କ୍ୟାପଟେନ, କ୍ୟାପଟେନରୁ ମେଜର, ମେଜରରୁ ଲେପ୍ଟନେଣ୍ଟ କର୍ଣ୍ଣେଲ । ସେ ହୁଏତ ଦିନେ ହୋଇଥାନ୍ତେ ଭାରତର ଶ୍ରେଷ୍ଠ
ସେନାପତି; ସେ ଜୀଵନ ଦେଇ ସହସ୍ର ସହସ୍ର ଜୀଵନ ରକ୍ଷାକଲେ ଏଵଂ ରକ୍ଷାକଲେ
କାଶ୍ମୀରର ଇଜ୍ଜତ, ଭାରତର ସମ୍ମାନ। ଏଇ ଛୋଟ ପାହାଡ଼ରେ ରଣଜିତ୍ ରାୟଙ୍କ
କୀର୍ତ୍ତି ଅମରାକ୍ଷରେ ଖୋଦିତ ହୋଇଅଛି ।
ବାରମୂଳା ଶ୍ରୀନଗରରୁ ୫୫ କିଲୋମିଟର ଦୂର, ପହଞ୍ଚିଲୁ ଦିନ ସାଢ଼େ
ନ’ଟାରେ । ବସ୍ କମ୍ପାନୀ ଅଫିସ୍ରେ ଜିନିଷପତ୍ର ରଖି ଦେଇ ସହର ପରିକ୍ରମାରେ
ବାହାରିଲୁ । ସହରଟି ଅତି ଛୋଟ, ବଜାରରେ ସେପରି ଚାକଚକ୍ୟ ନାହିଁ, ସିନେମା
ଏବେ ଚାଲୁ ହୋଇଛି, କଲେଜଟି ପୂର୍ଣ୍ଣାଙ୍ଗ ହୋଇନାହିଁ, ଏହାର ବନ୍ଦ ଦରଜା ଭାଙ୍ଗି
ପାହାଡ଼ୀ ସୈନ୍ୟ ରହିଥିଲେ, ତାପରେ ଭାରତୀୟ ସୈନ୍ୟଙ୍କ କର୍ତ୍ତୃତ୍ବରେ ଏହା ଅନେକ
ଦିନ ରହିଥିଲା, ଏବେ ନୂଆ ହୋଇ ଖୋଲିଛି, ଗଣ୍ଠିଲି ପତ୍ର ଘେନି ପଳାଇ ଯାଇଥିଵା
ଅଧ୍ୟାପକମାନେ ଯୋଗ ଦେଇଛନ୍ତି । ପାହାଡ଼ୀ ସୈନ୍ୟଙ୍କ ଆକ୍ରମଣରେ ଏହି ସହର
ଚୂର୍ଣ୍ଣଵିଚୂର୍ଣ୍ଣ ହୋଇଯାଇଥିଲ।, ଏବେ ନୂଆ ହୋଇ ମୁଣ୍ଡ ଟେକୁଛି, ଵ୍ୟଵସାୟ ଵାଣିଜ୍ୟ
ଘନେଇ ଆସୁଛି । ଶତ ଶତ ଭାରତୀୟ ମିଲିଟାରୀ ଗାଡ଼ି ଏଣେ ତେଣେ ଯା’ ଆସ
କରୁଛି । ତାରଘେରା ତମ୍ବୁରେ ହଜାର ହଜାର ସୈନ୍ୟ ଜଗି ରହିଛନ୍ତି ।
ବାରମୂଳା ଝେଲମ ନଦୀ କୂଳରେ ଅଵସ୍ଥିତ, ଆଗେ ରାଓଲପିଣ୍ଡି ଦେଇ
ଭାରତରୁ କାଶ୍ମୀର ଏଇବାଟେ ଯାତାୟାତ ହେଉଥିଲା । ପାକିସ୍ତାନ ହେଵାପରେ
ସେ ଦ୍ବାର ବନ୍ଦ । ଏହି ସହର ଏକ ଘାଟି ସ୍ଥାନରେ ଅଵସ୍ଥିତ । ଜଳ, ସ୍ଥଳ ଵା ଆକାଶ
ପଥରେ ଏଠାରୁ ଯାଇ କାଶ୍ମୀର ରାଜ୍ୟର ମୁକୁଟ ଶ୍ରୀନଗର ଅଧିକାର କରିଵା
ସୁଵିଧାଜନକ । ସେହିପରି ଯୋଜନା କରି ପାକିସ୍ତାନୀ ଓ ପାହାଡ଼ୀ ସୈନ୍ୟ ଅଗ୍ରସର
ହେଉଥିଲେ ।
*
ବାରମୂଳା ମହାଵୀର ମୀର୍ମାକ୍ବୁଲ୍ ସେରୱାନୀଙ୍କ ଲାଗି ପ୍ରସିଦ୍ଧ ।
ସେରୱାନୀ ଆକ୍ରମଣକାରୀ ପାହାଡ଼ୀ ସର୍ଦାରମାନଙ୍କୁ କହିଲେ,ଶ୍ରୀନଗର ବାରମୂଳାରୁ
ମାତ୍ର ଘଣ୍ଟାକର ରାସ୍ତା, ଜାଣ ପାକିସ୍ତାନର ହାତ ମୁଠାରେ, ଏତେ ତରବରରେ
ଆଗେଇ ଲାଭ ନାହିଁ । ଵରଂ ଗାଁ ଗଣ୍ଡା ଲୁଟ୍ପାଟ୍ କରାଯାଉ । ଏକା ଧର୍ମର ଲୋକ,
ସେରୱାନୀଙ୍କ କଥାରେ ସର୍ଦ୍ଦାରମାନେ ମାତିଗଲେ । କେତେ ଘର ପୋଡ଼ାଗଲା,
ଲୁଟ୍ପାଟ୍ ଚାଲିଲା, କେତେ ନିରୀହଙ୍କ ମୁଣ୍ଡ ଭୂଇଁରେ ଲୋଟିଲା । ପାକିସ୍ତାନୀ
ସୈନ୍ୟଙ୍କ ମଧ୍ୟରେ ଆଉ କୌଣସି ଶୃଙ୍ଖଳା ରହିଲା ନାହିଁ । ଏଇ ଅବସରରେ
ଭାରତୀୟ ସୈନ୍ୟମାନେ ପହଞ୍ଚି ସେମାନଙ୍କୁ ନିପାତ କଲେ, କେତେକ ଵନ ପାହାଡ଼
ପଥରେ ଲୁଚି ପଳାଇଗଲେ ।
ଏଇ ଯୁଦ୍ଧବେଳେ ପାକିସ୍ତାନୀ ସୈନ୍ୟମାନେ ସେରୱାନୀଙ୍କ କାରସାଦି ବୁଝି ପାରି ତାଙ୍କୁ ବନ୍ଦୀ କଲେ, ତାଙ୍କ ଦେହ ହାତରେ ବଡ଼ ବଡ଼ ଲୁହାକଣ୍ଟା ବାଡ଼େଇ, ସେମାନେ ତାଙ୍କୁ କୁଶବିଦ୍ଧ କରିଦେଲେ, ତଥାପି
ସେରୱାନୀ ପାକିସ୍ତାନର ଜୟଧ୍ବନି ଉଚ୍ଚାରଣ କଲେ ନାହିଁ । ତାପରେ ତାଙ୍କ ବକ୍ଷକୁ
ଲକ୍ଷ୍ୟ କରି ଚଉଦଟି ଗୁଳି ମରା ହେଲା । ‘ଭାରତର ଜୟ’ ‘କାଶ୍ମୀରର ଜୟ’
‘ସତ୍ୟର ଜୟ’ କହି ସେରୱାନୀ ପ୍ରାଣତ୍ୟାଗ କଲେ ।
-
ସେରୱାନୀଙ୍କ ସାନଭାଇଙ୍କ ସଙ୍ଗେ ବଜାରରେ ଭେଟ ହେଲା – ଦୀର୍ଘ ଦେହ,ଗହଳିଆ ନିଶ, ମୁଣ୍ଡ ବାଳରୁ ଅଧେ ପାଚିଯାଇଛି, ବୟସ ଚାଳିଶରୁ ଅଧୂକ ହେଵନାହିଁ, ଦୁର୍ଭାଗ ଓ ଦୁଶ୍ଚିନ୍ତାରେ ଯେପରିକି ତାଙ୍କ ମେରୁଦଣ୍ଡ ଚଡ଼କି ଯାଇଛି। ଅଶ୍ରୁପୂର୍ଣ୍ଣ ଚକ୍ଷୁରେ ସେ ବଡ଼ଭାଇଙ୍କ କୀର୍ତ୍ତି କାହାଣୀ ଵର୍ଣ୍ଣନା କଲେ, ଯେଉଁ ସ୍ଥାନରେ
ସେରୱାନୀଙ୍କୁ ହତ୍ୟା କରାଯାଇଥିଲା, ସେ ସ୍ଥାନ ଦେଖାଇଲେ । ଯେଉଁ ସ୍ଥାନରେ ସେରୱାନୀଙ୍କ ରକ୍ତ ବିନ୍ଦୁ ବିନ୍ଦୁ ନିଃଶେଷ ହୋଇ ଝରୁଛି,ସେ ପଵିତ୍ର ତୀର୍ଥକ୍ଷେତ୍ର, ତା’ର ପ୍ରତ୍ୟେକ ଧୂଳିକଣାରେ ସେରୱାନୀଙ୍କ ଶୌର୍ଯ୍ୟ
ମିଶିଛି, ଟିପେ ଧୂଳି ଆଣି ମୁଣ୍ଡରେ ଲଗାଇଲି, ଦୀର୍ଘ ଶୋଷାରେ ଶୋଷି ନେଲି ସେ ଵାୟୁମଣ୍ଡଳର ମହତ୍ତ୍ବ ।
[ଲେଖକ :- ଡକ୍ଟର କୁଞ୍ଜବିହାରୀ ଦାଶ (୧୯୧୪-୧୯୯୪) ଏକାଧାରରେ ଜଣେ
ଵିଶିଷ୍ଟ କଵି, ସମାଲୋଚକ, ଭ୍ରମଣଵୃତ୍ତାନ୍ତ ଲେଖକ, ଲୋକ ସାହିତ୍ୟ ସଂଗ୍ରାହକ, ଗଵେଷକ,ଆତ୍ମଜୀଵନୀ ଲେଖକ ଓ କଥାକାର । ତାଙ୍କ କଵିତାରେ ଲୋକଐତିହ୍ୟ, ପଲ୍ଲୀଗୀତ, ଓଡ଼ିଶାର ଇତିହାସ, ଜାତୀୟ ଚେତନା, ସାମ୍ୟଵାଦୀ ଚେତନା, ମାନଵଵାଦ ଓ ଵୈପ୍ଳଵିକ ଚେତନା ଲକ୍ଷ୍ୟ କରାଯାଏ । ତାଙ୍କର କଵିତା ରଚନାଵଳୀ ମଧ୍ୟରେ ‘ଛିନ୍ନହସ୍ତା’ ‘ଵୀରଶ୍ରୀ’ ‘ନଵ ମାଳିକା’
‘ଡୁଡୁମା’ ‘ବାଗ୍ରା’ ‘କଙ୍କାଳର ଲୁହ’ ପ୍ରଭୃତି ପ୍ରଧାନ । ଜାତିଧର୍ମ ନିର୍ଵିଶେଷରେ ଜନ୍ମଭୂମି ସମସ୍ତଙ୍କ ପାଇଁ ମହାନ୍ ଓ ପବିତ୍ର । ଦେଶମାତୃକାର ସୁରକ୍ଷା ନିମିତ୍ତ କର୍ତ୍ତଵ୍ୟର ପରାକାଷ୍ଠା ଓ ଆମ୍ବୋତ୍ସର୍ଗ ସ୍ବାଗତଯୋଗ୍ୟ ! ପ୍ରସ୍ତୁତ ରଚନାରେ ଏହା ପ୍ରତିଫଳିତ ହୋଇଛି ।ଏହା ଲେଖକଙ୍କ ଭ୍ରମଣ ଵୃତ୍ତାନ୍ତ ‘‘ମୋ ସ୍ବପ୍ନର କାଶ୍ମୀର’’ ରୁ ସଂଗୃହୀତ ।ଆଗେ ଏହା ଉଚ୍ଚ ଵିଦ୍ୟାଳୟ ପାଠ୍ୟକ୍ରମରେ ପଢ଼ାଯାଉଥିଲା]