Sunday, September 8, 2024

ଦୁନିଆର ହାଲଚାଲ ପ୍ରଥମ ଭାଗର କିଛି ଅଂଶ(ସଂଗୃହୀତ)

ଶରତ୍‌କାଳ । ଚାନ୍ଦିନୀ ରାତି ! ଶନିବାର ! ଆମ୍ଭେମାନେ କଟକ ପ୍ରଵାସୀ କଚେରିଆ । ସସ୍ତ୍ରୀକ ଵିଦେଶଵାସ ଆଜି ପର୍ଯ୍ୟନ୍ତ ଭଗଵାନ୍ କପାଳରେ ଲେଖୁ ନାହାନ୍ତି । ଅତଏଵ ଵାଧ୍ୟ ହୋଇ ଶନିଵାର, ରବିଵାର ଦେଖି ଘରକୁ ଜୀଵନ ଵିକଳରେ ପଳାଇଯାଉଁ । ଯାହାହେଉ ରାତି ୧୦ଟା ବେଳ ଯାକେ କଟକରେ ମୂଲ ଲାଗି ରାତି ୧୦ଟା ବେଳେ ଗ୍ରାମକୁ ବାହାରିଲୁଁ (ସିଦ୍ଧେଶ୍ୱରପୁର କଟକଠାରୁ ୧୩ ମାଇଲ ପୂର୍ଵରେ ) କଟକଠାରୁ ସିଦ୍ଧେଶ୍ୱରପୁରର ବଙ୍ଗଳାଠାକୁ ଗୋଟିଏ ପକ୍କା ରାସ୍ତା ପଡ଼ିଛି । ଗାଡ଼ି, ବଗି,ଘୋଡ଼ା, ଶୂନଗାଡ଼ି, ଷ୍ଟିମର, ଡଙ୍ଗା, ନାଳ ନଈ ଆଠକାଳି ବାରମାସୀ ସବୁପ୍ରକାର ଯାତାୟାତର ସୁଵିଧା ଅଛି । ସିଦ୍ଧେଶ୍ୱରପୁର ବଙ୍ଗଳାଠାରୁ ଆମ୍ଭମାନଙ୍କ ଘରକୁ ଯିଵାପାଇଁ ୧ କ୍ୱାର୍ଟରରୁ କିଛି ବେଶି ବାଟ । କଟକ ଡିଷ୍ଟ୍ରିକ୍ଟ ବୋର୍ଡ଼ ଗୋଟିଏ ମାଟି ସଡ଼କ ପକାଇ
ଦେଇ ଅଛନ୍ତି । ଶୁଖିଲାଦିନେ ପ୍ରାୟ ଵର୍ଷକ ମଧ୍ୟରେ ୭୮ ମାସ ସେଵାଟେ ଘୋଡ଼ାଗାଡ଼ି ସ୍ୱଚ୍ଛନ୍ଦରେ ଯାଇପାରେ । ଘୋଡ଼ାଗାଡ଼ି ଯାଇ ଆମ ଦୁଆର ମୁହଁରେ ଲାଗେ । ଵର୍ଷାଦିନେ
ସେ ମାଟିସଡ଼କଟି କର୍ଦ୍ଦମମୟ ହୋଇ ଵିଶେଷ ଅସୁଵିଧାଜନକ ହୋଇପଡ଼େ । ଗ୍ରାମରେ
ଗୋଟିଏ ମାଇନର ସ୍କୁଲ, ଗୋଟିଏ ବାଳିକା ଵିଦ୍ୟାଳୟ, ଗୋଟିଏ ଅତ୍ୟୁଚ୍ଚ-ପାଠଶାଳା,
ଗୋଟିଏ ସଭା ଓ ତତ୍‌ସଂଲଗ୍ନ ଗୋଟିଏ ସାଧାରଣ ପୁସ୍ତକାଗାର ଅଛି । ପକ୍କା ସଡ଼କ
ନିକଟରେ କଟକର ଚାଉଳିଆ ମହାଜନମାନଙ୍କର ଚାଉଳ ଧରିଵା କୋଠି ଛ’ ଗୋଟି ଅଛି । ଵର୍ଷକେ ସେ କୋଠିମାନଙ୍କରେ ଊଣାଅଧିକ ଦୁଇଲକ୍ଷ ଟଙ୍କାର ଚାଉଳ ଧରା
ହୋଇ ଭିନ୍ନ ଭିନ୍ନ ସ୍ଥାନକୁ ପଠାଯାଏ । କ୍ୱାର୍ଟର ମାଇଲ ମାଟି ସଡ଼କଟିକୁ କଟକର ଡିଷ୍ଟ୍ରିକ୍
ବୋର୍ଡ଼ଙ୍କ ଦ୍ବାରା ପକ୍କା କରାଇଵା ନିମନ୍ତେ କେତେକ ମେମ୍ବରଙ୍କ ନିକଟରେ ଅନୁସରଣ
କରିଅଛୁ, ଫଳ ଈଶ୍ଵରାଧୀନ । ଯାହାହେଉ ଦିନକର ସାମାନ୍ୟ ଘଟନା ଏଠାରେ ଲେଖିବୁଁ । ରାତି ୧୧ଟା ବେଳେ ଥାର୍ଡ଼କ୍ଲାସ ଘୋଡ଼ାଗାଡ଼ିରେ କଟକଠାରୁ ରମାନା ହୋଇ ସିଦ୍ଧେଶ୍ଵରପୁର ବଙ୍ଗଳାଠାରେ ରାତି ୧ଟା ବେଳେ ଓହ୍ଲାଇଲୁଁ । ମୋହର ସହଯାତ୍ରୀ ଜଣେ ବନ୍ଧୁଙ୍କୁ ସେ ବଙ୍ଗଳାଠାରେ ଛାଡ଼ି ଦେଇ ସଙ୍ଗରେ ଲଣ୍ଠନଧରା ଚାକରଟିକୁ ନେଇ ମୁଁ ମାଟିସଡ଼କ ବାଟେ ଗ୍ରାମ ଅଭିମୁଖରେ ଗଲି । ପ୍ରାୟ ୨୦୦ ହାତ ଯାଇଛି, ଏହି ସମୟରେ ବାମପାର୍ଶ୍ଵରେ କ୍ୱାର୍ଟର ମାଇଲ ଦୂରରେ ୩୪ ଗୋଟି ଆଲୁଅ ଦେଖାଗଲା । ମନେ ମନେ ପ୍ରଥମେ ଵିଚାରିଲି, ଏହା ଦୂରଵର୍ତ୍ତୀ ଗୋଶକଟ ସଂଲଗ୍ନ ଆଲୋକ । ମୁଁ ଯେଉଁ ରାସ୍ତାରେ ଯାଉଥିଲି କ୍ବାର୍ଟର ମାଇଲ ବାମପାର୍ଶ୍ବରେ ସମାନ୍ତର ଭାବରେ ଗୋଟିଏ ପକ୍କା ସଡ଼କ କନ୍ଦରପୁରଠାରୁ ତାଳଦଣ୍ଡା ଆଡ଼କୁ ଯାଇଅଛି । ବିଚାରିଲି ସେହି ସଡ଼କରେ ପୂର୍ଵଦିଗକୁ ଯାଉଥ‌ିଵା ଗାଡ଼ିର ଆଲୋକ ଦେଖା ଯାଉଅଛି । ସେଠାରେ ଦଣ୍ଡେ ଠିଆ ହୋଇ ସେହି ଆଲୋକଗୁଡ଼ିକ ନିରୀକ୍ଷଣ କଲି । ଦେଖାଲି, ସେ ଆଲୋକଗୁଡ଼ିକ ବେଳେ ବେଳେ ଦ୍ରୁତଗତିରେ ଚାଲୁଅଛି, ବେଳେ ବେଳେ ନିସ୍ତଵ୍ଧ ଭାବରେ ରହି ଯାଉଅଛି, ବେଳେ ବେଳେ ନିଭି ଯାଉଅଛି, ବେଳେ ବେଳେ ଉଜ୍ଜ୍ୱଳତର ଭାବରେ ଜଳୁଅଛି । ବେଳେ ବେଳେ ଵିପରୀତ ଦିଗରେ ଗତି କରୁଅଛି । ସଙ୍ଗରେ ଯାଉଥିଵା ଚାକରଟି ଏକଲୟରେ ତଳକୁ ଚାହିଁ ଲଣ୍ଠନ ଧରି ଆଗେ ଆଗେ ଚାଲିଛି । ତାକୁ ଡାକି ସେ ଆଲୁଅଗୁଡ଼ିକ ଦେଖାଇ ଦେଲି । ଦୁହେଁଯାକ କିଛିକାଳ ଠିଆ ହୋଇ ସେଗୁଡ଼ିକୁ ଚାହିଁଲୁ । ଏହା ଦେଖି ଚାକରଟି ଭୟରେ ଅସ୍ଥିର । ଆଉ ୩୦୦।୪୦୦ ହାତ ଗଲେ ସିଦ୍ଧେଶ୍ଵରପୁର ମାଇନର ସ୍କୁଲ । ମନେ ମନେ ସ୍ଥିର କଲି ଯେ ସ୍କୁଲ ନିକଟକୁ ଯାଇ ସେଠାରେ ଥିଵା ହେଡମାଷ୍ଟର ଓ ହେଡପଣ୍ଡିତଙ୍କୁ ଡାକି ଏଗୁଡ଼ିକ ଦେଖାଇ ଦେବି । ଏହା ଵିଚାରି ସ୍କୁଲ ନିକଟକୁ ଅଗ୍ରସର ହେଲି । ସେତେବେଳେ ରାତି ପ୍ରାୟ ଦେଢ଼ଟା, କୃଷ୍ଣପକ୍ଷ ସପ୍ତମୀ,
ଜହ୍ନ ପଡ଼ିଛି । ସ୍କୁଲ ନିକଟରେ ପହଞ୍ଚି ଦେଖିଲି ଯେ ସ୍କୁଲ ଘର ମଧ୍ୟରେ ଗୋଟିଏ ଆଲୁଅ ଜଳୁଛି । ଝରକାଟି ମେଲା ହୋଇଅଛି, ଝରକା ନିକଟରେ ଦେଖିଲି - ଘର ମଧ୍ୟରେ ଗୋଟି କେତେ ବେଞ୍ଚ ଯୋଡ଼ା ହୋଇ ପଲଙ୍କର କାର୍ଯ୍ୟ କରୁଅଛି । ତହିଁ ଉପରେ ଖଣ୍ଡିଏ ବିଛଣା ପଡ଼ିଅଛି । ବେଞ୍ଚକୁ ଲାଗି ଖଣ୍ଡିଏ ଟେବୁଲ ରହିଅଛି, ସେ ଟେବୁଲ ଉପରେ ଗୋଟିଏ ଲଣ୍ଠନ ଥୁଆ ହୋଇଅଛି । ଲଣ୍ଠନ ନିକଟରେ ଜଣେ ଲୋକ ବସି ନିଵିଷ୍ଟ ଚିତ୍ତରେ କ’ଣ ଲେଖୁଅଛନ୍ତି । ପୂର୍ଵର ଆଲୋକଗୁଡ଼ିକ ଦେଖ‌ିଲା ବେଳୁ ନିର୍ଜନ ରାତିରେ
କଳ୍ପନାଦେଵୀ ତ ପୂର୍ଵରୁ ଜାଲ ଵିସ୍ତାର କରିଥିଲେ । ନିର୍ଜନ ସ୍କୁଲଗୃହ ମଧ୍ୟରେ ଏତେ
ରାତିରେ ଏପରି ଦୃଶ୍ୟ ଦେଖି କଳ୍ପନାଦେଵୀ ଆହୁରି ଟିକିଏ ସରଗରମ ହୋଇ ଉଠିଲେ ।
ଅସୀମ ଵ୍ୟକ୍ତିଙ୍କର ଆନନ୍ଦ ମୁଖର ଗୋଟିଏ ପାଖ ଦେଖି ହଠାତ୍ ଚିହ୍ନି ପାରିଲି ନାହିଁ । ପଞ୍ଜର ନିକଟରେ ଠିଆ ହୋଇ ‘ଆନନ୍ଦ ରହୋ’ ଅଭ୍ୟାସସିଦ୍ଧ ଡାକଟିଏ ଦେଲି ।
ଧ୍ୟାନନିଵିଷ୍ଟ ଵ୍ୟକ୍ତି ଟିକିଏ ଵିରକ୍ତ ହେଲାପରି ବୋଧହେଲା, ଧ୍ୟାନଯୋଗ ଭାଙ୍ଗିଗଲା ।
ସେ ଝରକା ଆଡ଼କୁ ମୁହଁ ଫେରାଇଲେ । ଚାହିଁଦେଲି ସ୍କୁଲସମୂହର ସବଇନ୍‌ସ୍ପେକ୍ଟର
ଶ୍ରୀଯୁକ୍ତ ବାବୁ ନନ୍ଦକିଶୋର ବଳ ବି.ଏ. । ନନ୍ଦକିଶୋରବାବୁ ମୋର ପରମ ବନ୍ଧୁ । ଏପରିକି ମୁଁ ଗ୍ରାମରେ ନ ଥିଵା ସମୟରେ ସେ ସିଦ୍ଧେଶ୍ଵରପୁର ସ୍କୁଲ ପରିଦର୍ଶନ କରିଵାକୁ ଗଲେ ମୋ ଘରଠାକୁ ଯାଇ ପିଲାପିଲିଙ୍କୁ ସଙ୍ଖୁଳି ଆସନ୍ତି । ସେ ମୋ ପାଟି ବାରିପାରି
ଗୋଟିଏ ନମସ୍କାର କରି ସ୍କୁଲରୁ ବାହାରକୁ ଆସିଲେ । ତାହାଙ୍କୁ ସଙ୍ଗରେ ନେଇ ମୁଁ ସ୍କୁଲର ହେଡ଼ମାଷ୍ଟର ଓ ହେଡ଼ପଣ୍ଡିତଙ୍କୁ ଉଠାଇଲି । ଏତେ ରାତି, ସେଥିରେ ପୁଣି ଶରତ୍‌କାଳର ମଧୁର ଶୀତ ! ଏଥିରେ ଗାଢ଼ନିଦ୍ରାଭିଭୂତ । ଏପରି ଅଵସ୍ଥାରେ ଡାକ ଶୁଣି ବିଛଣାରୁ ଧତକିନି ଉଠିଵା କଷ୍ଟ । କିନ୍ତୁ ସେକ୍ରେଟେରୀ ଓ ସ୍କୁଲ ସବ-
ଇସ୍ପେକ୍ଟର * ଙ୍କ ସମନରେ ହାଜର ନ ହେଲେ ଉଆରଣ୍ଟ ବାହାରିଵାର ଅଵଶ୍ୟମ୍ଭାଵୀ,ଏହା ଭାବି ଓ ଅନେକ କାଳର ଚାକିରି ପ୍ରତି ଟିକିଏ ଵିଶେଷ ମାୟା ରଖି ସେମାନେ ଅଗତ୍ୟା ସୁଖଶଯ୍ୟାରୁ ଉଠି ବାହାରକୁ ଆସିଲେ । ସମସ୍ତେ ଯାଇ ମାଟିସଡ଼କ ଉପରେ ଠିଆହୋଇ ପୂର୍ଵଵତ୍ ସେହି ଆଲୁଅଗୁଡ଼ିକ ନିରୀକ୍ଷଣ କରିବାକୁ ଲାଗିଲୁ । ସେ
ଆଲୁଅଗୁଡ଼ିକ କେତେବେଳେ ଏକତ୍ର, କେତେବେଳେ ଭିନ୍ନ ଭିନ୍ନ, କେତେବେଳେ
ବିପରୀତ ଗତିଶୀଳ, କେତେବେଳେ ନିଷ୍ପନ୍ଦ, କେତେବେଳେ ଵିଭିନ୍ନ ଜ୍ୟୋତିର୍ଵିଶିଷ୍ଟ
ହୋଇ ପ୍ରାୟ ଅର୍ଦ୍ଧଘଣ୍ଟା କାଳ ଦେଖାଗଲା । ସେ ସ୍ଥାନକୁ ଯିଵା ନିମନ୍ତେ ମଝିରେ ଜଳପୂର୍ଣ୍ଣ
ଧାନକ୍ଷେତ୍ର । ଅଗତ୍ୟା ଆମ୍ଭେମାନେ ସେ ଆଲୋକ ଜଳୁଥିଵା ଆଡ଼କୁ ଯାଇପାରିଲୁ
ନାହିଁ । ତାହା ଗାଡ଼ି କିମ୍ବା ମନୁଷ୍ୟ ସଂଲଗ୍ନ ଆଲୋକ ନୁହେଁ, ଏହା ଆମ୍ଭମାନଙ୍କର
ଧାରଣା ହେଲା । ଶେଷକୁ ସେଥିରୁ ଯୋଡ଼ିଏ ଆଲୁଅ ନିଭିଗଲା ଓ ଗୋଟିଏ ଆଲୁଅ
ଆମ୍ଭମାନଙ୍କ ଆଡ଼କୁ କିଛିଦୂର ଆସି ଗୋଟିଏ ବାଉଁଶ ଭେଡ଼ା ନିକଟରେ ନିଭି ଗଲା ।
ଆମ୍ଭେମାନେ ଏହି କଥା ଭାବି ଭାବି ସେ ସ୍ଥାନକୁ ଫେରିଲୁ । ନନ୍ଦକିଶୋରବାବୁ ଓ
ମାଷ୍ଟରଦ୍ଵୟଙ୍କୁ ସ୍କୁଲରେ ଛାଡ଼ି ମୁଁ ଘରକୁ ଗଲି ।

ନନ୍ଦକିଶୋରବାବୁ ରଵିଵାର ସକାଳେ କଟକ ଅଭିମୁଖରେ ଯାତ୍ରା କରିଵାର ସ୍ଥିର
କରିଥିଲେ । କିନ୍ତୁ ଅନୁରୋଧ ଭାଙ୍ଗି ନ ପାରି ରଵିଵାର ଦିନ ସିଦ୍ଧେଶ୍ୱରପୁରଠାରେ ରହିଵାର
ସ୍ଥିର କଲେ । ସକାଳଓଳି ସେ ମୋ ଘରେ କୁଳୁହାଁ(କଟକୀ; କୁଣିଆ) ହେଲେ ଓ ଦୁହେଁଯାକ ସୁଖେଦୁଃଖେ କ୍ଷୁଧାଦେଵୀଙ୍କର ତର୍ପଣ କଲୁ । ସନ୍ଧ୍ୟା ସମୟରେ ଗ୍ରାମ ନିକଟସ୍ଥ କନ୍ଦରପୁର ଛକଠାକୁ ନନ୍ଦକିଶୋରବାବୁଙ୍କ ସଙ୍ଗରେ ବୁଲିଵାକୁ ଗଲୁ । ନନ୍ଦକିଶୋରବାବୁଙ୍କ ପରିଧାନ ଲୁଗା, କମିଜ, ଚାଦର, ମୋଜା, ଜୋତା ।
ନିତାନ୍ତ ଦାୟରେ ନ ପଡ଼ିଲେ ପୋଷାକ ପିନ୍ଧିଵାକୁ ମତେ ଵିରକ୍ତି ବୋଧହୁଏ । ନନ୍ଦକିଶୋରବାବୁ ସ୍କୁଲ ଇଲାକାର ହାକିମ ଓ ଵିଶେଷତଃ କନ୍ଦରପୁର ଛକ ତାଙ୍କର ଅପରିଚିତ ସ୍ଥାନ; ଅତଏଵ ସେ ପୋଷାକ ଆଦି ନ ପିନ୍ଧି ପଦାକୁ ବାହାରିଵା ଯୁକ୍ତିଯୁକ୍ତ
ନୁହେଁ । କିନ୍ତୁ ମୋ ପକ୍ଷରେ ଏ ନିୟମଗୁଡ଼ିକ ନ ଖଟିଵାରୁ ମୁଁ ଖଣ୍ଡିଏ ସାଧାରଣ ଈଷତ୍ ମଳିଆ ଲୁଗା ପିନ୍ଧି ଓ କାନ୍ଧରେ ଖଣ୍ଡିଏ ଗାମୁଛା ପକାଇ ତାଙ୍କ ସଙ୍ଗେ ସଙ୍ଗେ କନ୍ଦରପୁର ଛକଠାକୁ ଗଲି । ସଙ୍ଗରେ ସିଦ୍ଧେଶ୍ୱରପୁର ସ୍କୁଲର ହେଡ଼ପଣ୍ଡିତ, ସେକେଣ୍ଡ ପଣ୍ଡିତ ଥିଲେ । ବାଟରେ ସିଦ୍ଧେଶ୍ଵରପୁର ସର୍କଲର ଇନ୍‌ସ୍ପେକିଙ୍ଗ ପଣ୍ଡିତ ଆମ୍ଭମାନଙ୍କୁ ଭେଟିଲେ । କନ୍ଦରପୁର ୧୫।୧୭ ବର୍ଷ ତଳେ କେଵଳ ଖଣ୍ଡିଏମାତ୍ର ମୁଢ଼ି ଉଖୁଡ଼ା ଦୋକାନ ଥିଲା । ଵର୍ତ୍ତମାନ
ସେଠାରେ ଚାଉଳିଆ ଶେଠାମାନଙ୍କର ୫୬ ଗୋଟି କୋଠି, ୨୪ଟି ବଡ଼ ଦୋକାନ,
୧୦।୧୨ଟି ଉଠାଦୋକାନ ହୋଇଅଛି । ୧୦।୧୫ ଵର୍ଷ ତଳେ ଯାହାର ସେଠାରେ ଖଣ୍ଡିଏ ମୁଢ଼ି-ଉଖୁଡ଼ା ଦୋକାନ ଥିଲା, ଆଜି ସେ ସେଠାରେ ଗୋଟିଏ ମଫସଲ ମିଠାଇ ଦୋକାନ ଖୋଲିଅଛି । ସାଉଟି ସାହୁ ଦୋକାନ ନିକଟରେ ପହଞ୍ଚିଲା ମାତ୍ରକେ ସେ ଖଣ୍ଡିଏ ଅଖାପାଲ ଆଣି କେନାଲ ବନ୍ଧ ଉପରେ ବିଛାଇଦେଲା । ଆମ୍ଭେମାନେ ସେହିଠାରେ ବସି ଦୁନିଆର
ହାଲଚାଲ କଥାଭାଷା ହେଉଅଛୁଁ, ଏହି ସମୟରେ ଛକ ଉପରେ ଜଣେ ଆସି କହିଲା ଯେ ଜଣେ ଉଚ୍ଚପଦସ୍ଥ ହାକିମ ଏହି ବାଟେ ବଳଦଗାଡ଼ିରେ ହରିହରପୁର ଅଭିମୁଖରେ ଯାଉଅଛନ୍ତି । ଉପରୋକ୍ତ ହାକିମ ବଙ୍ଗୀୟ ନଵାଗତ ଵ୍ୟକ୍ତି । କିନ୍ତୁ ସଦାଳାପୀ ଓ ଭଦ୍ର । ତାଙ୍କ ସଙ୍ଗେ କେତେକଦିନ ହେଲା ପରିଚୟ ହୋଇଅଛି । ସେ ବଳଦଗାଡ଼ି ମଧ୍ୟରେ ଅନ୍ଧାରରେ ବସିଥିଲେ, ମୁଁ ମଧ୍ୟ ଗାଡ଼ି ପାଖରେ ଅନ୍ଧାରରେ ଠିଆ ହେଲି । ଓଡ଼ିଆ ଭାଷାରେ
ତାଙ୍କୁ ସମ୍ବୋଧନ କରି ଆଜି ରାତ୍ରିଟା ସିଦ୍ଧେଶ୍ଵରପୁର ପର୍ଣ୍ଣ-ବଙ୍ଗଳାରେ ଅତିଵାହିତ
କରିଵାକୁ ଅନୁରୋଧ କଲି । ଏକେ ଓଡ଼ିଆ କଥା, ତା ଉପରେ ମୋର ଲୁଗା ଗାମୁଛା ପୋଷାକ, ତହିଁରେ ପୁଣି ଅନ୍ଧାର ରାତି । ହାକିମମହୋଦୟ ହଠାତ୍ ମତେ ଚିହ୍ନି ନ ପାରି ହିନ୍ଦୀରେ ଉତ୍ତର ଦେଲେ ‘ତୁମ୍ କୋନ୍ ହେ’ । ମୁଁ ମଧ୍ଯ ଟିକିଏ ରଙ୍ଗ କରିବା ପାଇଁ ଉତ୍ତର ଦେଲି ‘ଆଜ୍ଞା ଜଣେ ଅନୁସରଣିଆ ବ୍ରାହ୍ମଣ’ । ସେ ପ୍ରଥମେ ଵିରକ୍ତ ହୋଇ ଗାଡ଼ି ଚଳାଇଵା

ନିମନ୍ତେ ଆଦେଶ ଦେଲେ । ମୁଁ ମୋର ଘନିଷ୍ଠ ପରିଚୟ ଉପରେ ନିର୍ଭର କରି ଗାଡ଼ିକୁ ଓଗାଳିଲି ଏଵଂ କହିଲି “ନା ! ଆପଣଙ୍କୁ ଏଠାରେ ରହିଵାକୁ ହେଵ” । ଏପରି ଧୃଷ୍ଟତାରେ ବାବୁମହୋଦୟ ଵିସ୍ମିତ ହୋଇ ଗାଡ଼ିରୁ ବାହାରି ଆସି ମତେ ଚିହ୍ନିଲେ ଓ ଟିକିଏ ଲଜ୍ଜିତ ହେଵା ପରି ବୋଧ ହେଲା । ଲଜ୍ଜିତ ହେଵାର କିଛି କାରଣ ନାହିଁ ବୋଲି ମୁଁ ଆଶ୍ୱାସନା ଦେଵାରୁ ସେ ଟିକିଏ ଶାନ୍ତ ହେଲେ ଓ ସେଦିନ ଵିଶେଷ ସରକାରୀ କାର୍ଯ୍ୟଵଶତଃ ସେ ମୋ ପିତାଙ୍କ ଆତିଥ୍ୟ ଗ୍ରହଣ କରିପାରିଵା ନାହିଁ ବୋଲି ଦୁଃଷ୍କୃତ ହୋଇ ମୋଠାରୁ ଵିଦାୟ ହେଲେ । ମୁଁ ତାଙ୍କୁ ଵିଦାୟ ଦେଇ ସେଠାରୁ ଆସି ନନ୍ଦକିଶୋରବାବୁ ବସିଥିଵା ସ୍ଥାନରେ ନାଳ ବନ୍ଧ ଉପରେ ବସି ସାଉଟି ସାହୁ ବୁଢ଼ା ସଙ୍ଗେ ଦୁଃଖ ସୁଖ ହେଲି । ଏହି
ସମୟରେ ସିଦ୍ଧେଶ୍ଵରପୁର ସ୍କୁଲର ସେକେଣ୍ଡ ମାଷ୍ଟର ଆସି କହିଲେ ଯେ ବୁଅର ଯୁଦ୍ଧର
Sir Redvers Buller ସେନାପତିଙ୍କ ନିକଟରେ ସର୍ଦ୍ଦାର ଥିଲା- ଏପରି ଜଣେ ଲୋକ
ଏଠାରେ ଗୁଡ଼ିଆ ଦୋକାନରେ ବସିଅଛି । ଉପସ୍ଥିତ ସମସ୍ତଙ୍କ ମନରେ କୌତୂହଳ ଜାତ
ହେଵାରୁ ସେ ଲୋକଙ୍କୁ ଆମ୍ଭମାନଙ୍କ ନିକଟକୁ ଡକାଇଲୁ । ସେ ଲୋକଟିର ଵୟସ ପ୍ରାୟ
୫୦ ଵର୍ଷ, ଶରୀର ବଳିଷ୍ଠ, ମସ୍ତକ ଲଣ୍ଡା, ବେକରେ ମାଳି ଅଛି । ପରିଧାନ ଖଣ୍ଡେ ଲୁଗା ଓ କାନ୍ଧରେ ଖଣ୍ଡେ ଗାମୁଛା । ସେ ଲୋକଟି ଆମ୍ଭମାନଙ୍କ ନିକଟରେ ଆସି ପହଞ୍ଚି ପ୍ରଥମେ ଓଡ଼ିଆ-ହିନ୍ଦୁସ୍ଥାନୀମିଶ୍ରିତ କଥାଵାର୍ତ୍ତା କଲା । କିଛିକ୍ଷଣ ପରେ ପ୍ରକାଶ କଲା ଯେ ସେ
ଇଂରାଜୀ ଲେଖାପଢ଼ା ଜାଣେ ନାହିଁ, କିନ୍ତୁ ଇଂରାଜୀରେ କଥାଵାର୍ତ୍ତା କରିପାରେ ।
ଆମ୍ଭମାନଙ୍କ ସଙ୍ଗେ ଇଂରାଜୀରେ କଥାଵାର୍ତ୍ତା କରିଵା ନିମନ୍ତେ ତାକୁ ଅନୁରୋଧ କରିଵାରୁ ସେ ଇଂରାଜୀରେ କଥାଵାର୍ତ୍ତା ଆରମ୍ଭ କଲା । ତାହାର ଇଂରାଜୀ କହିଵାର କ୍ଷମତା, ସ୍ୱର, accent, pronunciation, fluency ଦେଖି ଆମ୍ଭେମାନେ ସମସ୍ତେ ଆଶ୍ଚର୍ଯ୍ୟାନ୍ବିତ
ହେଲୁ । ଆମ୍ଭେମାନେ ତାହାର କାହାଣୀ ମଧ୍ୟରେ ଗୋଟିଏ ଲେଖାଏଁ ପ୍ରଶ୍ନ କରୁଥାଉଁ ।
ସେ କହିଵାକୁ ଲାଗିଲା -
ମୋ ଘର ‘ଜଇଶୋଳ’ ନାମକ ଗ୍ରାମରେ । (ଏହି ଗ୍ରାମଟି ସିଦ୍ଧେଶ୍ଵରପୁରଠାରୁ
୩/୪ ମାଇଲ ହେଵ ।) ମୁଁ ପ୍ରଥମେ ଏଠାରୁ ‘କୁଲି’ ହୋଇ କଲିକତାକୁ ଚାଲାଣ ହେଲି ।
ସେଠାରୁ ୩ ଵର୍ଷର ଏଗ୍ରିମେଣ୍ଟରେ ଆଫ୍ରିକାର ବ୍ରିଟିଶ ଗାଏନାକୁ ଗଲି । ୩ ଵର୍ଷ ବଗିଚାରେ
କୁଲିଗିରିର Agreementର ସମୟ ପୂର୍ଣ୍ଣ ହେଵାରୁ କୁଲିଗିରି ଛାଡ଼ି ସାହେବମାନଙ୍କ
ସର୍ଦାରି ଚାକିରି କଲି । ଅନେକ ସାହେବଙ୍କ କ୍ୱାର୍ଟରରେ ସର୍ଦାର (butler) ସ୍ବରୂପ କାର୍ଯ୍ୟ
କଲି । ଶେଷରେ ସେନାପତି Sir Redvers Bullerଙ୍କ ସର୍ଦାର ହେଲି । ତାଙ୍କ ନିକଟରେ
୧୮ ଵର୍ଷ କାଳ ରହିଲି । ସେଠାରେ ମୋର ମାସିକ ଦରମା ଏଠାକାର ୧୫ ଟଙ୍କା ସଙ୍ଗେ ସମାନ ହେଵ । ପ୍ରଥମେ ୧୨ ଟଙ୍କା ଦରମାରେ ଥିଲି, କିନ୍ତୁ ମୋର କାର୍ଯ୍ୟକୁଶଳତାରେ ମହୋଦୟ ସନ୍ତୁଷ୍ଟ ହୋଇ ମୋର ବେତନ ଵୃଦ୍ଧି କଲେ । ବୁଅର ଯୁଦ୍ଧ ସ୍ଥାନରୁ ଆମ୍ଭମାନଙ୍କ ତମ୍ବୁ ଦୁଇ ମାଇଲ ପଛରେ ପଡ଼ିଥାଏ । ସେନାପତିମାନେ ସେଠାକୁ
ଆସି ଚା’, ଜଳପାନ, ଭୋଜନାଦି କରି ପୁନର୍ଵାର ଯୁଦ୍ଧକ୍ଷେତ୍ରକୁ ଯା’ନ୍ତି । ଏକାଦିନକେ ଥରେ ଇଂରେଜମାନଙ୍କ ପକ୍ଷରୁ ୭୦୦୦ ସୈନ୍ୟ ହତ ହୋଇଥିଲେ । ବୁଅର ସାହେବଙ୍କର ଘରେ ଗୋଳା ବାଜିବାରୁ ସେ ଆହତ ହୋଇ ବିଲାତ ଗଲେ ଓ ମତେ ସଙ୍ଗେରେ British Guina ପର୍ଯ୍ୟନ୍ତ ଆଣି ସେଠାରେ ମୋ ନିମନ୍ତେ କଲିକତା ପର୍ଯ୍ୟନ୍ତ ଜାହାଜ ଭଡ଼ା
(ଆନୁମାନିକ ୨୫୦ ଟଙ୍କା) ଦେଇ ଟିକଟ କରି ଦେଲେ । ମୁଁ ଜାହାଜରେ ଆସି କଲିକତାଠାରେ ପହଞ୍ଚିଲି । ୧୦ ମାସ ହେଲା (ଗତ ପୁଷ ମାସରେ) ଏଠାକୁ ଆସିଅଛି । ଆଜି ପର୍ଯ୍ୟନ୍ତ Buller ସାହେବଙ୍କ ତରଫ ଲୋକ ମନିଅର୍ଡ଼ର ଦ୍ବାରା ମୋଠାକୁ ମାସିକ ୩୧ ଟଙ୍କା ଲେଖାଏଁ ପଠାଉ ଅଛନ୍ତି । ମୁଁ ସେଠାରେ ଜଣେ ନିଗ୍ରୋ ଜାତୀୟ ସ୍ତ୍ରୀକୁ ଵିଵାହ କରିଥିଲି । ମୋର ସେଠାରେ ଯୋଡ଼ିଏ ପୁଅ ହୋଇଥିଲା । ମୁଁ ସେ ସ୍ଥାନ ଛାଡ଼ିଲା ବେଳେ ଗୋଟିକର ଵୟସ ୫ ଵର୍ଷ ଆଉ ଗୋଟିକର ଵୟସ ୧୪ ଵର୍ଷ ହୋଇଥିଲା । ମୋ ସ୍ତ୍ରୀକୁ ମୋ ସଙ୍ଗରେ ଏଠାକୁ ଆସିଵା ନିମନ୍ତେ ମୁଁ ଵିଶେଷ ଅନୁରୋଧ କଲି । ସେ କହିଲା ଯେ ତୁମ ଦେଶର ଜଘନ୍ୟ ଜାତିଭେଦ ପ୍ରଥା (nasty custom of caste
system of f your country) ଯୋଗୁଁ ମତେ ସେଠାରେ ଵିଶେଷ କଷ୍ଟ ଭୋଗ କରିଵାକୁ ପଡ଼ିଵ । ମୋ ପିଲାଙ୍କୁ ମଧ୍ୟ ମୋ ସଙ୍ଗରେ ପଠାଇଵାକୁ ସେ ନାରାଜ ହେଲା । ମୁଁ
ଏଠାରେ ଆସି ପ୍ରଥମେ ଏକଘରକିଆ ହୋଇ ରହିଲି । ୨/୩ ମାସ ହେଵ ପଞ୍ଚଗଵ୍ୟ
ପ୍ରାୟଶ୍ଚିର (cowdung water) କରାଇ ମତେ ଜାତିରେ ନେଇ ଅଛନ୍ତି । ବୁଅରମାନେ
ସେଠାରେ ତାଙ୍କ ସ୍ବାଧୀନତା ନିମନ୍ତେ ଯୁଦ୍ଧ କରୁଥିଲେ । ଇଂରେଜମାନେ ବୁଅରମାନଙ୍କଠାରୁ କେତେ ଲକ୍ଷ sterling କ୍ଷତିପୂରଣ ଚାହିଁଥିଲେ, କିନ୍ତୁ ବୁଅରମାନେ ସେଥିରେ ନାରାଜ ହେଲେ । ମୁଁ କଟକରେ କେତେକ ଲୋକଙ୍କୁ ଜାଣେ । Mr. . . ଯେ କି କଟକର ଜଣେ
ପ୍ରଧାନ ଦେଶୀୟ ଵ୍ୟକ୍ତି ଅଟନ୍ତି, ସେ ମୋର ପରିଚିତ ବନ୍ଧୁ (well known friend of
mine) । ବ୍ରିଟିସ ଗାଏନାରେ ଆମ ଦେଶର ଅନେକ ଲୋକ କୁଲିଗିରି କରନ୍ତି (There
are lot of my people in British - Guina.)" । ମଝିରେ ମଝିରେ Negro ଜାତିସୁଲଭ ଇତର ଭାଷା ମଧ୍ୟ ଉକ୍ତ ଲୋକଟି ଵ୍ୟଵହାର କରୁଥିଲା । ଉଦାହରଣସ୍ୱରୂପ ‘I’ ସ୍ଥାନରେ ‘Me’, ‘he’ ସ୍ଥାନରେ ‘she’, 'me go-ing, me coming' ଇତ୍ୟାଦି । କିନ୍ତୁ ତାହାର କଥାଵାର୍ତ୍ତାର କାଇଦା ଓ ସ୍ୱରରେ
ଆମ୍ଭେମାନେ ‘ଚିତ୍ରାର୍ପିତାରମ୍ଭ’ ହୋଇ ରହିଥିଲା । ବେଶି ରାତି ହୋଇ ଯିଵାରୁ ସେ ଲୋକଟି ତା ଗୃହକୁ ଯିବାକୁ ଉଦ୍‌ଵିଗ୍ନ ହେଵାର ଦେଖି ଆମ୍ଭେମାନେ ତାକୁ ଵିଦାୟ ଦେଲୁ ଓ ପୁନର୍ଵାର ଆମ୍ଭମାନଙ୍କ ସଙ୍ଗରେ ଦେଖା କରିଵା ନିମନ୍ତେ ଅନୁରୋଧ କଲୁଁ । ତହୁଁ ସେ କହିଲା, ‘ଯେବେ ତୁମର card ଥାଏ ମତେ ଦିଅ, ନଚେତ୍ ତୁମର କଟକ ଠିକଣା ଲେଖିଦିଅ । ମୁଁ ଆଶାକରେ ଯେ ମୁଁ ତୁମ୍ଭ ସଙ୍ଗେ କଟକରେ ଦେଖା କରିବି (I will be
glad to meet you at Cuttack) । ଏହା କହି ମୋ ଠିକଣା ଲେଖି କାଗଜଟି ଧରି
ସେ ଚାଲିଗଲା । ଲେଖା ଥିଵା କାଗଜ ଖଣ୍ଡିକ ଧରି ସେ ଲୋକଟି ତାହାର ଗନ୍ତବ୍ୟ ପଥ
ଅନୁସରଣ କଲା । ମୋର ବନ୍ଧୁ ନନ୍ଦକିଶୋରବାବୁ ଉକ୍ତ ଲୋକଟିକୁ ଏଥି ମଧ୍ୟରେ ଥରେ
ପଚାରିଥଲେ- ‘ତୁମେ ଗୋଟିଏ ପିଲା ଆଣି ତୁମର ସ୍ତ୍ରୀକୁ ଗୋଟିଏ ପିଲା ଦେଇ ଆସିଲ ନାହିଁ କାହିଁକି ? ସେ ଲୋକଟି ଉତ୍ତର କଲା - ‘ମୋର ସ୍ତ୍ରୀ ମତେ ଵିଦାୟ ଦେଵାକୁ ଆପତ୍ତି କଲା ନାହିଁ, କିନ୍ତୁ ସେ ମୋ ସଙ୍ଗରେ ଆସିଵାକୁ ନିତାନ୍ତ ନାରାଜ ହେଵାରୁ ମୁଁ
ବାଧ୍ୟ ହୋଇ ଆସିଲି । ଆଜିକାଲି ମଝିରେ ମଝିରେ ସେମାନଙ୍କଠାରୁ ମୁଁ ଭାଷା ପାଉଅଛି ।’ ଆଉ ଗୋଟିଏ ପ୍ରଶ୍ନର ଉତ୍ତରରେ କହିଲା ଯେ ‘ମୁଁ ମୋର ଦେଶର ମାୟା ଛାଡ଼ି ନ ପାରି
ବାହାରି ଆସିଲି ।’ ସେ ଲୋକଟି ଯିଵା ପରେ ଆମ୍ଭେମାନେ ଆଜି ଦିନଟି ବଡ଼ ସୁଖର ଦିନ
ବୋଲି ଭାବିଲୁ । ସେ ଲୋକଟିକୁ ଦେଖି ଆମ୍ଭମାନଙ୍କ ମଧ୍ୟରେ ତଳଲିଖିତ ଵିଷୟଗୁଡ଼ିକ
ସିଦ୍ଧାନ୍ତ ହୋଇଥିଲା
ଇଂରାଜଙ୍କ ସହଵାସରେ ସେ ଲୋକଟିର ମାନସିକ ସ୍ଵାଧୀନତା
ଢେର ବଢ଼ିଅଛି । ଆମ୍ଭମାନଙ୍କ ମଧ୍ୟରୁ ଅଧିକାଂଶ ଲୋକେ ଇଂରାଜୀ କଥା କହିଵା ବେଳେ
ସୁଦ୍ଧା ଆମ୍ଭମାନଙ୍କ ଵାକ୍ୟରୁ ଆମ୍ଭମାନଙ୍କ ଜାତିର ମାନସିକ ପରାଧୀନତା ଜଣାପଡ଼େ । କିନ୍ତୁ
ଇଂରାଜୀ କଥା କହିଲା ବେଳେ ତାର ସ୍ବାଧୀନ ଭାବ ଦେଖି ମୁଁ ଓ ନନ୍ଦକିଶୋରବାବୁ ଵିସ୍ମିତ
ହୋଇ ବସିଥାଉଁ । ଜଣେ ଓଡ଼ିଆ ଗଉଡ଼ ମୁହଁରୁ ଇଂରାଜୀ ଭାଷାରେ "lost of my
people', Mr. ** is a friend of mine', nasty custom of caste system of
your counrty' ଏଗୁଡ଼ିକ ଶୁଣିଵା ପ୍ରଥମେ ସ୍ଵପ୍ନ ପରି ବୋଧ ହେଵ ।
-
ସେ ମନୁଷ୍ୟଟି ଯିଵା ପରେ ଆମ୍ଭମାନଙ୍କ ମନରେ କେତେ ଭାବର ଉଦୟ ହେଲା
ଓ ଲୋକଟି ସଙ୍ଗରେ ପୁନର୍ଵାର ଦେଖା ହେଲେ ଆଫ୍ରିକା ଦେଶଵାସୀ ଓଡ଼ିଆଙ୍କ ଆଚାର-
ଵ୍ୟଵହାର ସମ୍ବନ୍ଧରେ ଓ ବୁଅର ଯୁଦ୍ଧ ସମ୍ବନ୍ଧରେ ଉକ୍ତ ଲୋକଟିକୁ ଜଣାଥିଵା କେତେକ
ଵିଷୟ ବୁଝିବୁଁ ବୋଲି ରହିଲୁ ।
ତେବେ ମୋର ବନ୍ଧୁ ନନ୍ଦକିଶୋରବାବୁଙ୍କର କଵିକଳ୍ପନା ଆଗରୁ କେତେଗୁଡ଼ିଏ
ଚିତ୍ର ଆଙ୍କି ଦେଇଥ‌ିଵାରୁ ସେଗୁଡ଼ିକ ଲେଖିସରଖିଵାର ଉଚିତ ବୋଧ କରୁଁ ।
ଏଠାରୁ ଓଡ଼ିଆମାନେ ଯାଇ ସେଠାରେ ନିଗ୍ରୋମନଙ୍କ ସଙ୍ଗରେ ଵିଵାହ କରି ଘର ଦ୍ଵାର କରି ରହନ୍ତି । ବ୍ରିଟିଶ ଗାଏନା କୁଲିମାନଙ୍କ ମଧ୍ୟରେ ହିନ୍ଦୁସ୍ଥାନୀ (ପଶ୍ଚିମା) ଓ ଓଡ଼ିଆ କୁଲି ଅଧିକ । ସେମାନେ ସେଠାରେ ଓଡ଼ିଆମିଶା ହିନ୍ଦୁସ୍ଥାନୀ ଭାଷା ସୃଷ୍ଟି କରିଅଛନ୍ତି । ସେମାନେ ସେଠାକୁ ଯାଇ ଖ୍ରୀଷ୍ଟଧର୍ମ ଗ୍ରହଣ କରନ୍ତି । ଏ ଦେଶରେ ସାହେବମାନଙ୍କ ସଙ୍ଗେ ଦେଶୀୟମାନଙ୍କର ଯେଉଁ ସମ୍ପର୍କ, ସେଠାରେ ସମ୍ପର୍କ ତାହା ଅପେକ୍ଷା ଘନିଷ୍ଠତର ଓ ଉଚ୍ଚତର ।

(ମାଇନର ସ୍କୁଲର ସେକ୍ରେଟେରୀ ଗୋପାଳ ଚନ୍ଦ୍ର ପ୍ରହରାଜ ।
* ସବ୍-ଇନିସ୍ପେକ୍ଟର ଅଫ୍ ସ୍କୁଲ୍ସ : ନନ୍ଦକିଶୋର ବଳ ।)

×××××××××××××××××××
୰ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଦୁନିଆର ହାଲଚାଲ ପ୍ରଥମ ଭାଗରୁ ଗୃହୀତ 
×××××××××××××××××××

Saturday, September 7, 2024

•ଫକୀରମୋହନଙ୍କ "ଓଡ଼ିଶା ଦୁର୍ଭିକ୍ଷ" ଆଲୋଚନା•

ହଜାର ହଜାର ଵର୍ଷ ଧରି ପୃଥିଵୀ ପୃଷ୍ଠରେ ମନୁଷ୍ୟମାନଙ୍କର ଏକଛତ୍ରଵାଦୀ ଶାସନ ରହିଛି । କିନ୍ତୁ ପୃଥିଵୀର ସବୁଠାରୁ ଶକ୍ତିଶାଳୀ ଓ ବୁଦ୍ଧିମାନ ଜୀଵ ହୋଇ ମଧ୍ୟ ମଣିଷ ଅନେକ ସମୟରେ ପ୍ରକୃତି ପାଖରେ ଅସହାୟ ହୋଇ ଅନ୍ନ ଜଳ ଅଭାଵରୁ ମୃତ୍ୟୁଵରଣ ମଧ୍ୟ କରିଥାଏ । ଵନ୍ୟା, ଵାତ୍ୟା ,ମରୁଡ଼ି ଓ ଦୁର୍ଭିକ୍ଷ ମଣିଷକୁ ଅସହାୟ କରିଦିଏ ଫଳତଃ ଶକ୍ତିଶାଳୀ ମନୁଷ୍ୟ କ୍ଷଣକେ ଅସହାୟ ହୋଇ ମୃତ୍ୟୁ ମୁଖରେ ପଡ଼େ । ଵିଭିନ୍ନ ପ୍ରାକୃତିକ ଵିପର୍ଯ୍ୟୟ ପରି ଦୁର୍ଭିକ୍ଷ ଯୋଗୁଁ ମଧ୍ୟ ଲକ୍ଷ ଲକ୍ଷ ଲୋକେ ମୃତ୍ୟୁଵରଣ କରିଥାନ୍ତି। ହଜାର ହଜାର ଵର୍ଷ ଧରି ମନୁଷ୍ୟମାନେ ଦୁର୍ଭିକ୍ଷର ଶିକାର ହୋଇଥିଵାର ପୌରାଣିକ ତଥା ଐତିହାସିକ ପ୍ରମାଣ ମିଳେ । ମୁଖ୍ୟତଃ ଦୁଇ ପ୍ରକାରର ଦୁର୍ଭିକ୍ଷ ଦେଖାଯାଏ, ପ୍ରାକୃତିକ ଓ ମାନଵକୃତ । ମନୁଷ୍ୟମାନେ ଵର୍ଷେ ଵର୍ଷେ ପ୍ରାକୃତିକ ଦୁର୍ଭିକ୍ଷର ଶିକାର ହୁଅନ୍ତି । ଦେଖାଯାଏ ପ୍ରତି ଅଶି କି ଶହେ ଵର୍ଷ ମଧ୍ୟରେ ବାଉଁଶ ଗଛରେ ଧାନ୍ୟ ହୁଏ ଏଵଂ ହଠାତ୍ ଏତେ ପରିମାଣର ଖାଦ୍ୟ ଵୃଦ୍ଧି ଯୋଗୁଁ ମୂଷାମାନଙ୍କର ସଂଖ୍ୟା ଅହେତୁକ ବଢ଼ିଯାଏ । ଫଳରେ ସେହି ମୂଷାମାନଙ୍କ ଯୋଗୁଁ ମନୁଷ୍ୟାଦି ଅନ୍ୟାନ୍ୟ ଜୀଵମାନେ ଖାଦ୍ୟ ଶସ୍ୟ ଅଭାଵରେ ଅନାହାର ପିଡ଼ିତ ହୋଇ ମୃତ୍ୟୁ ମୁଖରେ ପଡ଼ନ୍ତି। ଏହା ପ୍ରାକୃତିକ ଦୁର୍ଭିକ୍ଷର ଗୋଟିଏ ଉଦାହରଣ । ପ୍ରତି କୋଡ଼ିଏ ପଚିଶ ଵର୍ଷରେ ଏଲ୍ ନିନୋ ପ୍ରାକୃତିକ ଜଳଵାୟୁ ଵିପର୍ଯ୍ୟୟ ଚକ୍ର ଯୋଗୁଁ ପୃଥିଵୀର କିଛି ଅଞ୍ଚଳରେ ଭୟଙ୍କର ଵନ୍ୟା ଵାତ୍ୟା ଦେଖାଯାଏ ପୁଣି ଅନ୍ୟ କେତେକ ଅଞ୍ଚଳରେ ଭୟଙ୍କର ମରୁଡ଼ି ପଡ଼େ । ସେଭଳି ଭୀଷଣ ମରୁଡ଼ି ଯୋଗୁଁ ମଧ୍ୟ ଦୁର୍ଭିକ୍ଷ ହୋଇ ଅନେକ ଲୋକ ମୃତାହତ ହୁଅନ୍ତି । ଶସ୍ୟ ଅମଳ ପୂର୍ଵରୁ ଭୀଷଣ ଵନ୍ୟା ଵାତ୍ୟା ଘଟି ଶସ୍ୟହାନୀ ଘଟିଲେ ବି ଲୋକେ ଦୁର୍ଭିକ୍ଷର ଶିକାର ହୋଇଥାନ୍ତି । ମନୁଷ୍ୟ ଯୋଗୁଁ ମଧ୍ୟ ଦୁର୍ଭିକ୍ଷ ହୋଇଥାଏ। ଅତୀତରେ ବଡ଼ ବଡ଼ ଯୁଦ୍ଧ ହୋଇଛି ଏଵଂ ତତ୍ପରଵର୍ତ୍ତୀ କାଳରେ ଦୁର୍ଭିକ୍ଷ ଯୋଗୁଁ ଲକ୍ଷ ଲକ୍ଷ ଲୋକେ ମରିଛନ୍ତି। ଚୀନରେ ଷାଠିଏ ଦଶକରେ ମାଓ ସେ ତୁଙ୍ଗ୍‌ଙ୍କ କେତେକ ଭୁଲ୍ ନୀତି ଯୋଗୁଁ ଲକ୍ଷ ଲକ୍ଷ ଚୀନିଲୋକେ ମୃତ୍ୟୁଵରଣ କରିଥିଲେ। ମଶା,ମାଛି,ଚଟିଆ ଓ ମୂଷାଙ୍କ ଵିନାଶ ଦ୍ଵାରା ଶସ୍ୟ ରକ୍ଷା ହେଵ ବୋଲି ଵିଚାର କରି ମାଓ ସେ ତୁଙ୍ଗ୍‌ ଚୀନ ଦେଶରେ Four Pests campaign(Four Evils campaign ଓ Chú Sì Hài ନାମରେ ବି ଜଣାଶୁଣା) ଵା ଚାରି କୀଟ ଅଭିଯାନ ଚଳାଇଲେ । ଏଥିରେ ସାଧାରଣ ଜନତାଙ୍କୁ ମଧ୍ୟ ଧନ ଲୋଭ ଦେଖାଇ ସମ୍ପୃକ୍ତ କରାଗଲା । ଲୋକେ ଵିଶେଷତଃ ଚଟିଆମାନଙ୍କୁ ଲକ୍ଷ ଲକ୍ଷ ସଂଖ୍ୟାରେ ମାରିଵାକୁ ଲାଗିଲେ । ଫଳତଃ ଶସ୍ୟକୁ କ୍ଷତି ଘଟାଉଥିଵା ଅନ୍ୟାନ୍ୟ କୀଟଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ିଗଲା । ଵିଶେଷକରି ଶିକାରୀ ଅଭାଵରୁ ତଥା ଖାଦ୍ୟ ପ୍ରାଚୁର୍ଯ୍ୟ ଯୋଗୁଁ ଝିଣ୍ଟିକାମାନଙ୍କ ସଂଖ୍ୟା ଭୀଷଣ ଭାବେ ଵୃଦ୍ଧିପାଇଲା । ପରଵର୍ତ୍ତୀକାଳରେ ସେଇ ଝିଣ୍ଟିକା ଅଣାୟତ୍ତ ହୋଇ ପଙ୍ଗପାଳ ଦଳ ଗଢ଼ି ଚୀନର ଲକ୍ଷ ଲକ୍ଷ ଏକର୍ ଚାଷ ଜମିର ଶସ୍ୟକ୍ଷେତ୍ରର ଗଛ ନଷ୍ଟ କରିଦେଲେ । ଫଳ ସ୍ଵରୁପ ଚୀନରେ ପନ୍ଦରରୁ ପଞ୍ଚାବନ ନିଉତ(ମିଲିଅନ) ଲୋକେ ଦୁର୍ଭିକ୍ଷର ଶିକାର ହେଲେ । ଚୀନର ଏହି ଦୁର୍ଭିକ୍ଷକୁ Great Chinese Famine ନାମରେ ଜଣାଯାଏ ଯାହା ମାନଵକୃତ ଦୁର୍ଭିକ୍ଷର ବଡ଼ ଉଦାହରଣ। ଦୁର୍ଭିକ୍ଷ କଥା ପଡ଼ିଲେ ଓଡ଼ିଶା, ବିହାର ଓ ବଙ୍ଗରେ ୧୮୬୬ ମସିହାରେ ଦେଖା ଦେଇଥିଵା ନ ଅଙ୍କ ଦୁର୍ଭିକ୍ଷ ମନେ ପଡ଼ିଯାଏ। ଏହା ମଧ୍ୟ ମାନଵକୃତ ଦୁର୍ଭିକ୍ଷର ଗୋଟିଏ ଅନ୍ୟତମ
 ଉଦାହରଣ କହିଲେ ଅତ୍ୟୁକ୍ତି ହେଵ ନାହିଁ।
ଓଡ଼ିଶାରେ ନଅ ଅଙ୍କ ଦୁର୍ଭିକ୍ଷ ପୂର୍ଵରୁ ପ୍ରାୟ ଦୁଇ ହଜାର ଵର୍ଷ ପୂର୍ଵେ ମାନଵକୃତ ଦୁର୍ଭିକ୍ଷ ପଡ଼ିଥିଲା ବୋଲି ଅଶୋକଙ୍କ ଶିଳାଲେଖରୁ ଜଣାଯାଏ। କଳିଙ୍ଗ ଯୁଦ୍ଧ ପରେ ପରେ ତତ୍କାଳୀନ କଳିଙ୍ଗ ଦେଶରେ ଭୀଷଣ ଦୁର୍ଭିକ୍ଷ ପଡ଼ିଥିଲା । ତହିଁର ଦି ହଜାର ଵର୍ଷ ପରେ ପୁଣି ଓଡ଼ିଶାର ଲୋକେ ୧୮୬୬ ମସିହାରେ ମାନଵୀୟ ତ୍ରୁଟି ଯୋଗୁଁ ଦୁର୍ଭିକ୍ଷର ଶିକାର ହେଲେ । ୧୮୬୬ ମସିହାର ନ ଅଙ୍କ ଦୁର୍ଭିକ୍ଷ ଵିଷୟରେ ଅନେକ ପୁସ୍ତକ ରହିଛି ଏଵଂ ବଙ୍ଗ ଓଡ଼ିଶା ଓ ବିହାରର ଅନେକ ଲେଖକ ଏ ଵିଷୟରେ ଲେଖିଛନ୍ତି। ତେବେ ଫକୀର ମୋହନ ସେନାପତିଙ୍କ ଆତ୍ମଜୀଵନୀରେ ସଂକ୍ଷିପ୍ତ ଆକାରରେ ଓଡ଼ିଶା ଦୁର୍ଭିକ୍ଷ ଶୀର୍ଷକରେ ଯେଉଁ ଛୋଟିଆ ଉପାଖ୍ୟାନଟି ରହିଛି ତାହା ଅତ୍ୟନ୍ତ ମାର୍ମିକ ଓ ବାରମ୍ବାର ପଠନୀୟ ‌। ଫକୀରମୋହନ ସେନାପତି ନଅ ଅଙ୍କ ଦୁର୍ଭିକ୍ଷର ପ୍ରତ୍ୟକ୍ଷଦର୍ଶୀ ଓ ଅନ୍ୟମାନଙ୍କ ପରି ସେ ମଧ୍ୟ ନଅଙ୍କ ଦୁର୍ଭିକ୍ଷ ଦ୍ଵାରା ପିଡ଼ିତ ହୋଇଥିଲେ । ନ ଅଙ୍କ ଦୁର୍ଭିକ୍ଷ ସମୟରେ ଫକୀରମୋହନଙ୍କୁ ମାତ୍ର ୨୩ ଵର୍ଷ ହୋଇଥିଲା ଏଵଂ ସେ ବାଲେଶ୍ଵର ଜିଲ୍ଲା ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ । ଫକୀରମୋହନଙ୍କ ଆତ୍ମଜୀଵନୀରେ ଏହି କଥାକୁ ଏମନ୍ତ ଲେଖାଯାଇଅଛି “ମହାତ୍ମା ରେଭରେଣ୍ଡ ଇ, ସି. ବି. ହାଇମ ସାହେବଙ୍କଠାରୁ ସହାନୁଭୂତି ପାଇ ସୁଖ ଆନନ୍ଦ ଉତ୍ସାହ ସହିତ ସ୍କୁଲର କାର୍ଯ୍ୟ କରୁଥାଏଁ । ସ୍କୁଲଛୁଟି ଉତ୍ତାରେ ଅଧିକାଂଶ ସମୟ ସାହିତ୍ୟ ଵିଷୟରେ ତାଙ୍କ ସହିତ ଚର୍ଚ୍ଚା ହୁଏ । ମୁଁ ତାଙ୍କର ଅଧୀନସ୍ଥ କର୍ମଚାରୀ ହେଲେ ମଧ୍ୟ ଉକ୍ତ ମହାତ୍ମା ମୋ ସହିତ ପରମାତ୍ମୀୟ ପରି ଵ୍ୟଵହାର କରୁଥିଲେ । ଓଡ଼ିଆ ଜାତିର ଉନ୍ନତିକାମୀ ଥିଵାରୁ ମୁଁ ତାଙ୍କୁ ଦେଵତା ତୁଲ୍ୟ ଭକ୍ତି କରୁଥିଲି । ଏହି ସମୟରେ
ଖ୍ରୀଷ୍ଟଧର୍ମାଵଲମ୍ବୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥାଏ । ଏହି ଵୃଦ୍ଧିର ଅନ୍ୟତମ ଅଥଵା ଵିଶେଷ କାରଣ ଉତ୍କଳର ଭୀଷଣ ଦୁର୍ଭିକ୍ଷ । [ପୁରୀ ରାଜାଙ୍କ] ନ-ଅଙ୍କରେ (ସନ ୧୮୬୬ ମସିହା) ଏହି ରୋମହର୍ଷଣ ଵ୍ୟାପାର ଘଟିଥିଲା । ସେହି ଭୀଷଣ କାଣ୍ଡ ଆଜିଯାଏ ଲୋକେ ଭୁଲି ପାରିନାହାନ୍ତି । ସେହି ବର୍ଷ ମଧ୍ୟରେ ୩୦ ଲକ୍ଷ ଲୋକ ପ୍ରାଣତ୍ୟାଗ କରିଥିଲେ । ପ୍ରାୟ ଛପଣି ଲୋକଙ୍କ ଵଂଶ ଉଚ୍ଛନ୍ନ ହୋଇ ଯାଇଅଛି । ଅନେକ ମୃତ, ଅଵଶିଷ୍ଟ ଇତସ୍ତତଃ ହୋଇ ଯାଇଅଛନ୍ତି । ସେ ସମୟକୁ ମୋହର ବୟସ ୨୩ ଵର୍ଷ | ବାଲେଶ୍ଵର ମିସନ ସ୍କୁଲର ପ୍ରଧାନ ଶିକ୍ଷକ ଥିଲି । ଆଜକୁ ୫୦ ଵର୍ଷ ଗତ ହୋଇଅଛି; ମାତ୍ର ସେ ସମୟର ଘଟନାଗୁଡ଼ିକ ଯେମନ୍ତ ମୋ ହୃଦୟରେ ସୁସ୍ପଷ୍ଟରୂପେ ଅଙ୍କିତ ହୋଇ ରହିଅଛି ।”

ନ ଅଙ୍କ ଦୁର୍ଭିକ୍ଷ ଯେଉଁ ୧୮୬୬ ମସିହାରେ ହୋଇଥିଲା ସେହି ଵର୍ଷ ପୃଥିଵୀର ଵିଭିନ୍ନ ସ୍ଥାନରେ ଭୀଷଣ ପ୍ରାକୃତିକ ଵିପର୍ଯ୍ୟୟ ହୋଇଥିଵାର ପ୍ରମାଣ ପୁରୁଣା ସମ୍ବାଦପତ୍ରରୁ ଜଣାଯାଏ। ତେବେ ଏସିଆରେ ୧୮୬୬ ଏକ ଉତ୍ତପ୍ତ ଵର୍ଷ ଭାବେ ଉଭା ହୋଇଥିଲା । ସେହି ଵର୍ଷ ଭଲ ଵର୍ଷା ନହେଵାରୁ ଲୋକେ କେମିତି ଭାଦ୍ରଵ ମାସଠାରୁ ଚାଷ ନକରିପାରି କ୍ରମଶଃ ହଇରାଣ ହୋଇଥିଲେ ସେକଥା ଫକୀରମୋହନ ତାଙ୍କ ଆତ୍ମଜୀଵନୀରେ ଉଲ୍ଲେଖ କରିଵାକୁ ଯାଇ ଲେଖିଲେ... “ଭାଦ୍ରମାସ ଚାରିଦିନ ଖୁବ୍ ଟାଣ ଅସ୍ରାଏ ପାଣି ଵର୍ଷି ଛାଡ଼ିଗଲା; ଭାଦ୍ର ଉତ୍ତାରେ ଅଶିଣ ପ୍ରଥମରୁ ଲୋକେ ଜଳସକାଶେ କାତର ଭାଵରେ ଆକାଶକୁ ଚାହିଁଵାକୁ ଲାଗିଲେ । କାହାରି ମୁଖରୁ ଆଉ କୌଣସି କଥା ଶୁଣିଵାକୁ ନାହିଁ, କେଵଳ ଜଳ ଜଳ । କାର୍ତ୍ତିକ ମାସ ଆରମ୍ଭରୁ ଲୋକେ ନିତାନ୍ତ ନିରାଶ ହୋଇପଡ଼ିଲେ । ଜଳ ହେଲେ ମଧ୍ୟ ଆଉ ରକ୍ଷା ନାହିଁ । ଧାନଗଛ ମରିଵାକୁ ଲାଗିଲାଣି । ବାଲେଶ୍ଵର ଜିଲ୍ଲାର ଏକମାତ୍ର ଫସଲ ଧାନ,ସେହି ଗୋଟିକ ମାତ୍ର ଫସଲ ପ୍ରତି ଲୋକଙ୍କ ଜୀଵନ ନିର୍ଭର କରେ । ମୋ ଘରଠାରୁ ଅର୍ଦ୍ଧମାଇଲ ଦକ୍ଷିଣକୁ ବାଲେଶ୍ଵର ସହରର ଲୋକଵସତି ଶେଷ । ସେହିଠାରୁ ଦିଗ୍‌‌ଵଳୟ ସୀମା ପର୍ଯ୍ୟନ୍ତ ନିରଵଚ୍ଛିନ୍ନ ଧାନ୍ୟକ୍ଷେତ୍ର । ମଧ୍ୟରେ ମଧ୍ୟରେ ସମୁଦ୍ର ମଧ୍ୟଗତ ଦ୍ବୀପସ୍ବରୂପ ଗୋଟିଏ ଗୋଟିଏ ପୃଥକ୍ ପୃଥକ୍ ଗ୍ରାମ । ସେହି ସମୟରେ ପ୍ରତିଦିନ ପୂର୍ଵାହ୍ନ ୯ ଘଣ୍ଟା ସମୟରେ ସ୍ନାନ କରି ଖଣ୍ଡିଏ କମ୍ବଳା ସନ କାଖରେ ଯାକି ଏକାକୀ ଧାନ ବିଲକୁ ଯାଏଁ, ବିଲ ମଧ୍ୟରେ ଆସନ ପାରି ବସି ଈଶ୍ବରଙ୍କଠାରେ ଲୋକମାନଙ୍କ ରକ୍ଷା ସକାଶେ ପ୍ରାର୍ଥନା କରେ । ଧାନଗଛଗୁଡ଼ିକ ଶୁଖି କୁଟା
ପରି ହୋଇଗଲାଣି । କେତେକ ଧାନ ଅଧାଅଧି ବାହାରି,କେତେ ଵା ସମ୍ପୂର୍ଣ୍ଣରୂପେ ବାହାରି ସାନ ସାନ ଧଳା ଧଳା ଅଣଖୁଆ ଚଅଁର ପରି ଏପାଖ ସେପାଖ ଦୋହରୁ ଥାଏ । ଲୋକେ ଗୋରୁ ଗାଈ ବିଲ ମଧ୍ଯରେ ଛାଡ଼ି ଦେଇଥାନ୍ତି;ମାତ୍ର ଗୋରୁଗୁଡ଼ାକ ଧାନଗଛ ସବୁ ଥରେ ଥରେ ଶୁଙ୍ଘି ଚାଲିଯାନ୍ତି, ଗଛ ଖାନ୍ତି ନାହିଁ ।”

ଏଥିରୁ ଜଣାପଡ଼େ ଯେ ୧୮୬୬ ମସିହାରେ ପ୍ରଥମେ ପ୍ରାକୃତିକ କାରଣରୁ ମରୁଡ଼ି ଭଳି ସ୍ଥିତି ଉପୁଜିଥିଲା ଯାହା ପରଵର୍ତ୍ତୀ କାଳରେ ଦୁର୍ଭିକ୍ଷରେ ପରିଣତ ହୋଇଯାଇଥିଲା । କିଛି ଗଵେଷକ ଅନୁମାନ କରନ୍ତି ଯେ ୧୮୧୫ରେ ଇଣ୍ଡୋନେସିଆର ତାମ୍ବୋରା ପର୍ଵତରେ ହୋଇଥିଵା ଭୟଙ୍କର ଆଗ୍ନେୟ ଉଦ୍ଗିରଣ ଯୋଗୁଁ ତତ୍ପରଵର୍ତ୍ତୀ ଵର୍ଷଗୁଡ଼ିକ ଵିଶ୍ଵତାପନ ଯୋଗୁଁ କ୍ରମଶଃ ଉଷ୍ଣ ହୋଇଥିଲା । ହୁଏତ ଏହି କାରଣରୁ ଵର୍ଷ ୧୮୬୬ରେ ସେତେ ଵର୍ଷା ହୋଇପାରିନଥିଲା । ଆଉ କିଛି ଗଵେଷକ ୧୮୬୬ ମସିହାରେ ଵର୍ଷା ନହେଵା ପଛରେ el nino ଜଳଵାୟୁ ଵିପର୍ଯ୍ୟୟ ଚକ୍ରର ହାତ ଥିଵା ମଧ୍ୟ ଅନୁମାନ କରନ୍ତି । ଉଲ୍ଲେଖଯୋଗ୍ୟ ଯେ ୧୯୯୯ ଵାତ୍ୟା ଏଲ୍ ନିନୋ ପ୍ରାଵଲ୍ୟ ଵର୍ଷରେ ଘଟିଥିଲା । ସେ ଯାହାହେଉ ମାନଵ ହସ୍ତକ୍ଷେପ ପୂର୍ଵରୁ ଯେ ପ୍ରାକୃତିକ କାରଣରୁ ଲୋକେ ପ୍ରଥମେ ଖାଦ୍ୟ ଓ ଜଳ ନପାଇ ହନ୍ତସନ୍ତ ହୋଇଥିଲେ ସେକଥା ଫକୀରମୋହନଙ୍କ ଆତ୍ମଜୀଵନୀରୁ ସ୍ପଷ୍ଟ ହୋଇଯାଏ। ବନ୍ଦୀର ଆତ୍ମକଥାରେ ଉତ୍କଳମଣି ଗୋପବନ୍ଧୁ ଦାସ ଓଡ଼ିଶାରେ ଵନ୍ୟା ଓ ଦୁର୍ଭିକ୍ଷ ଯୋଗୁଁ କେମିତି ଲୋକେ ସବୁବେଳେ ହନ୍ତସନ୍ତ ହେଉଥିଲେ ସେକଥା ଵର୍ଣ୍ଣନା କରିଯାଇଛନ୍ତି ...

“ଦୁର୍ଭିକ୍ଷ ଵନ୍ୟାର ଚିର ସହଚର, ଏକ ପଛେ ଅନ୍ୟ ଆସେ ନିରନ୍ତର ।
ସହି ସହି ଵନ୍ୟା-ଦୁର୍ଭିକ୍ଷ-ପ୍ରହାର ଉତ୍କଳର କେତେ ପଲ୍ଲୀ ଛାରଖାର ।
କେତେ ଗ୍ରାମ ଶୂନ୍ୟ, କେତେ ଘର ଖାଲି, କେତେ ଶସ୍ୟକ୍ଷେତ୍ରେ ପୂରିଅଛି ବାଲି;
ନିରାଶା ଆତଙ୍କେ ପ୍ରଜା ଅଵସନ୍ନ, ମରୁଛନ୍ତି କେତେ ନ ପାଇଣ ଅନ୍ନ ।”

ଵାସ୍ତଵିକ ଯେବେ ଯେବେ ପ୍ରାକୃତିକ ଵିପର୍ଯ୍ୟୟ ଘଟେ, ଶତ୍ରୁ ଆକ୍ରମଣ ଯୋଗୁଁ ଯୁଦ୍ଧ ଲାଗିଯାଏ,ମହାମାରୀ ଵ୍ୟାପେ ସେବେ ସେବେ ଦୁର୍ଭିକ୍ଷ ଦେଖାଦିଏ । ପରାଧୀନତ୍ଵର ଶିକୁଳିରେ ବନ୍ଧା ଓଡ଼ିଶା ମଧ୍ୟ ମୋଗଲ ମରାଠା ଓ ଇଂରେଜୀ ଶାସନ କାଳରେ ଅନେକ ଥର ଵନ୍ୟା ଵାତ୍ୟାର ଦାଉ ସହିଛି ଓ ନିଜର ସନ୍ତାନ ସନ୍ତତି ହରାଇଛି । ତେବେ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ଯେତେ ଯେତେ ଦୁର୍ଭିକ୍ଷ ଵନ୍ୟା ଵାତ୍ୟା ଆଦି ଘଟିଛି ତନ୍ମଧ୍ୟରେ ନଅ ଅଙ୍କ ଦୁର୍ଭିକ୍ଷ ଯୋଗୁଁ ସର୍ଵାଧିକ ଲୋକେ ମରିଛନ୍ତି ଏଵଂ ଏକ ଶତାବ୍ଦୀରୁ ଅଧିକ ସମୟକାଳ ଧରି ଓଡ଼ିଆ ଲୋକଙ୍କୁ ଏହାର ଦୁଷ୍ପରିଣାମ ଭୋଗିଵାକୁ ପଡ଼ିଛି । 

ବାଲେଶ୍ୱରର ଜିଲ୍ଲା ସ୍କୁଲରେ ଶିକ୍ଷକତା କରୁଥିଵା ସମୟରେ ଫକୀରମୋହନ ୧୯୬୬ ମସିହାର ନଅ ଅଙ୍କ ଦୁର୍ଭିକ୍ଷକୁ ଅତି ନିକଟରେ ଦେଖିଥିଲେ ତେଣୁ ସେ ତାଙ୍କ ଆତ୍ମଜୀଵନୀରେ ତତ୍କାଳୀନ ସମାଜରେ ଏହାର କିପରି ଭୟଙ୍କର ପ୍ରଭାଵ ପଢ଼ିଥିଲା ତହିଁର ଅତି ଭାଵପୂର୍ଣ୍ଣ ଵର୍ଣ୍ଣନା କରିଅଛନ୍ତି। ଫକୀରମୋହନ ଲେଖଛନ୍ତି ସେତେବେଳେ “ଦିନ ମଜୁରିଆ ମୂଲିଆଗୁଡ଼ାକ କଂସା ପିତ୍ତଳ ଯାହା ଖଣ୍ଡେ ଖଣ୍ଡେ ଥିଲା ବିକିଦେଇ ଯେତେ ଦିନ ଚଳିଲା ଚଳିଲେ । କାର୍ତ୍ତିକ ଶେଷ ସରିକି ଯାହାକୁ ଯେଉଁ ବାଟ ଦିଶିଲା ଘରୁ ବାହାରି ଚାଲିଗଲେ । ସ୍ତ୍ରୀ ପୁରୁଷ, ବାପ ପୁଅ କାହାରି ସହିତ କାହାରି ଭେଟ ନାହିଁ । ଦୁଆର ଦୁଆର ବୁଲି ବୁଲି ଭିକ ମାଗୁଥାନ୍ତି । କାହାଘରେ ଚାଉଳ ଅଛି ଯେ ଭିକ ଦେଵ । ଚାଷବନ୍ଦି ଲୋକେ ଅଵସ୍ଥାନୁସାରେ ପ୍ରଥମେ
କଂସା-ପିତ୍ତଳ, ଗୋରୁଗାଈ, ସୁନାରୂପା ଯାହା ଘରେ ଯାହା ଥିଲା ବିକିବାକି ମାଘ ଫଗୁଣ ଯାଏ ଦାନ୍ତ କାମୁଡ଼ି ଘରେ ପଡ଼ି ରହିଲେ । ସେ ସମୟରେ ବଳଦ ଗୋଟାକର ଦାମ ଧାନ ଗୌଣିକ ଠାରୁ ଚାରି ପାଞ୍ଚ ଗୌଣି, ଗାଈଟାର ଦାମ ଧାନ ଗୌଣିଏ ଦୁଇଗୌଣି । ସୁନା ରୁପା ଓଜନ କରିଵାକୁ ନିକ୍ତି ତୌଲ ନାହିଁ, ପୁଣି ନିକ୍ତି ଖୋଜିଵାକୁ ତର ସହୁନାହିଁ । ଦରଦାମ ବୁଝୁଛି କିଏ ? ଯେତେ ଗୌଣି ଧାନ ଵା ଚାଉଳ ଦେବୁ ଦେ । ଅନେକ ମଧ୍ୟଭଳି ଲୋକେ ଟଙ୍କା ଅଣ୍ଟାରେ ଖୋସି ଗାଁ ଗାଁ କରି ଧାନ ଚାଉଳ ଖୋଜି ବୁଲୁଥାନ୍ତି । ଧାନ ତ ନାହିଁ, ଯାହାର ଯାହାର ଵା ଥିଲା ଲୁଚାଇ ଦେଲେଣି । ଫଗୁଣ ସରିକି ଚାଷବନ୍ଦି ଲୋକ ଅଧିକାଂଶ, କାରିଗର ଶ୍ରେଣୀର ପ୍ରାୟ ସମସ୍ତେ କୁଆଡ଼େ ଛିନ୍ନଭିନ୍ନ ହୋଇ ବୁଣି ପଡ଼ିଲେଣି । ଘାସପତ୍ର ଯେ ଯାହା ପାଇଲା ଚୋବାଉଥାଏ । ତେନ୍ତୁଳି ଗଛରେ କଅଁଳିଆ ପତ୍ର ବାହାରିଵାରୁ ଗୋଟାଏ ଗୋଟାଏ ଗଛରେ ଦଶ କୋଡ଼ିଏ ଜଣ ଲେଖାଏଁ ଚଢ଼ି ମାଙ୍କଡ଼ ପରି ପତ୍ର ସବୁ ଖୁଣ୍ଟି ଖୁଣ୍ଟି ଖାଉଥାନ୍ତି । ଯେଉଁ ଲୋକକୁ ଅନାଅ, ହାଡ଼ ଆଉ ଚମ, ଆଖି ଭିତରକୁ ପଶିଗଲାଣି । ଅନେକ ଭଲ ଭଲ ଘର ଯୁଵତୀ ବୋହୂ ଝିଅ ଦୁଇ ତିନି ହାତ ଲମ୍ବ ଶହେ ଗଣ୍ଠିଳା କନା ଖଣ୍ଡେ ଖଣ୍ଡେ ଅଣ୍ଟାରେ ଭିଡ଼ି ଦେଇ ଦାଣ୍ଡେ ଦାଣ୍ଡେ ବୁଲୁଥାନ୍ତି । ସେମାନଙ୍କର ମାତୃଚିହ୍ନ ଚର୍ମ ଦୁଇଖଣ୍ଡ ଛାତିରେ ଝୁଲୁଥାଏ । କାହାରି କାହାରି କୋଳରେ ଅସ୍ଥି ଚର୍ମମୟ ପିଲା ସେହି ଚର୍ମମୟ ସ୍ତନଟି ମୁହଁରେ ଦେଇ ଝୁଲି ପଡ଼ିଥାଏ । ଶିଶୁଟା ମୃତ କି ଜୀଵିତ ଚିହ୍ନି ହେଉ ନ ଥାଏ । ମା’ଟା ପ୍ରାଣପଣରେ ଛୁଆଟାକୁ ଯାବୁଡ଼ି ଧରିଥାଏ । ଚୈତ୍ରଠାରୁ କ୍ରମଶଃ ମୃତ୍ୟୁସଂଖ୍ୟା
ବଢ଼ିଵାକୁ ଲାଗିଲା,ଦାଣ୍ଡରେ,ଘାଟରେ,ବଣରେ,ପୋଖରୀ ତୁଠରେ ଯହିଁ ଦେଖିଵ ମଡ଼ା ପଡ଼ି ରହିଥାନ୍ତି ।”

ଆହା ! ସେ ସମୟରେ ଓଡ଼ିଆ ଲୋକମାନଙ୍କର ଦୁର୍ଭିକ୍ଷ ଯୋଗୁଁ ଯେଉଁ ଦୁର୍ଗତି ହୋଇଥିଲା ତାହା ଫକୀରମୋହନଙ୍କ ଆତ୍ମଜୀଵନୀରୁ ପଢ଼ିଲେ ସ୍ଵତଃସ୍ପୃତ ଭାବେ ଆଖି ଛଳ ଛଳ ହୋଇଯାଏ । ନିଜ ଯୁଵାଵସ୍ଥାରେ ଦୁର୍ଭିକ୍ଷର ପ୍ରତ୍ୟକ୍ଷଦର୍ଶୀ ହୋଇନଥିଲେ ଫକୀରମୋହନ କ'ଣ ତତ୍କାଳୀନ ଓଡ଼ିଆଙ୍କ ଦୁରଵସ୍ଥାର ଏତାଦୃଶ ଭାଵପୂର୍ଣ୍ଣ ଵର୍ଣ୍ଣନା କରିପାରିଥାନ୍ତେ ? 

ସେହି ଦିନିଆ Thomas Edward Ravenshaw ନାମକ ଜଣେ ଇଂରେଜ ଵ୍ୟକ୍ତି ଓଡ଼ିଶାର ନୂତନ କମିଶନର ନିଯୁକ୍ତ ହେଲେ । ତାଙ୍କ ଓଡ଼ିଶା ଆସିଵାକୁ ସତେ ଅଵା କାଳ ଅନାଇ ବସିଥିଲା । ତେବେ ଫକୀରମୋହନ ଏହାଙ୍କୁ ଉତ୍କଳର ପରମବନ୍ଧୁ ପରମସହାୟ ବୋଲି ଇତ୍ୟାଦି ଉଲ୍ଲେଖ କରିଛନ୍ତି । 

ସେହି ଵର୍ଷ ସେପ୍ଟେମ୍ବର କି ଅକ୍ଟୋବର ମାସରେ ଗବର୍ଣ୍ଣମେଣ୍ଟରୁ କମିଶନର ରେଭେନ୍ସାଙ୍କ ପାଖକୁ ଚିଠି ଆସିଲା । ଫକୀରମୋହନ ସେନାପତିଙ୍କ ଆତ୍ମଜୀଵନୀ ଅନୁସାରେ ଉକ୍ତ ଚିଠିରେ ଲେଖାଥିଲା —“ଅନାଵୃଷ୍ଟି ହେତୁରୁ ଓଡ଼ିଶାରେ ଦୁର୍ଭିକ୍ଷ ଉପସ୍ଥିତ ହେଵାର ଖୁବ୍ ସମ୍ଭାଵନା । ପ୍ରଜାମାନଙ୍କ ରକ୍ଷା ନିମନ୍ତେ ଗଵର୍ଣ୍ଣମେଣ୍ଟଙ୍କ ପକ୍ଷରୁ କୌଣସି ପ୍ରକାର ଉପାୟ ଵିଧାନ କରାଯିଵାର ଆଵଶ୍ୟକ କି ନା ? ଯଦି ପ୍ରୟୋଜନ ହୁଏ, କି ପ୍ରକାର ଉପାୟ ଵିଧାନ କରାଯାଇପାରେ ?”

କମିଶନର ରେଭେନ୍ସା ତ ଓଡ଼ିଶାରେ ନୂଆ ନୂଆ ନିଯୁକ୍ତି ପାଇଥାନ୍ତି ତେଣୁ ସେ ଓଡ଼ିଶାର ସମାଜ ଓ ସମସ୍ୟା ସମ୍ବନ୍ଧରେ ସେତେଟା ଜାଣିନଥିଵା ସ୍ଵାଭାଵିକ କଥା । ତେବେ ଫକୀରମୋହନଙ୍କ ଆତ୍ମଜୀଵନୀରୁ ଜଣାଯାଏ ଯେ ଗଵର୍ଣ୍ଣମେଣ୍ଟଙ୍କ ଚିଠି ଵିଷୟରେ ଆଲୋଚନା ପାଇଁ ରେଭେନ୍ସା ସାହେଵ ଓଡ଼ିଶାରେ କାମ କରୁଥିଵା ସିରସ୍ତଦାର ଓ ପେସ୍କାର ଆଦି ସରକାରୀ କର୍ମଚାରୀଙ୍କର ଏକ ସଭା ବସାଇଥିଲେ । ଏହି ସଭାରେ କେମିତି ମନ୍ଥରା ଶକୁନି ଭଳି ରାଜକର୍ମଚାରୀମାନେ ଭୁଲ୍ ତଥ୍ୟ ଦେଇ କମିଶନରଙ୍କୁ ଠକିଵା ସହିତ ଓଡ଼ିଆ ଜାତିକୁ କାଳ ମୁଖରେ ଫୋପାଡ଼ି ଦେଇଥିଲେ ତାହା ଫକୀରମୋହନଙ୍କ ଆତ୍ମଜୀଵନୀରେ ସାମାନ୍ୟ ଵ୍ୟଙ୍ଗାତ୍ମକ ଢଗରେ ଲେଖା ହୋଇଛି “ଗଵର୍ଣ୍ଣମେଣ୍ଟଙ୍କ ଚିଠିର ଉତ୍ତର ଦେଵା ସକାଶେ କମିଶନର ସାହେବ କଚେରିର ସମସ୍ତ ଅମଲାଙ୍କୁ ବସାଇ ପରାମର୍ଶ କରିଵାକୁ ଲାଗିଲେ । ସିରସ୍ତାଦାର ଦୁଇଜଣ କହିଲେ,“ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିଵ– ପଡୁ; କିଛି ଚିନ୍ତା ନାହିଁ । ମଫସଲର ଜମିଦାର ମହାଜନମାନଙ୍କ ଘରେ ଯଥେଷ୍ଟ ଧାନ ମହଜୁଦ ଅଛି, ସେଥିରେ ଵର୍ଷକ ଚଳି ଯାଇପାରେ ।” ସିରସ୍ତାଦାରମାନେ ଯେ ସ୍ଥଳରେ ଏକଥା କହି ସାରିଲେଣି,
ସେମାନଙ୍କର ମନୋରଞ୍ଜନ ସକାଶେ ପେସ୍କାରମାନଙ୍କର ତ କିଛି ବଢ଼ାଇ କହିଵା ଉଚିତ । କମିଶନରୀ ପେସ୍କାର କହିଲେ, ‘ଗୋପାଳପୁର ମୌଜାର ଜମିଦାର ଘରେ ଦଶଟା ମରେଇରେ ପଚାଶ ହଜାର ଛେଲା ଧାନ ମହଜୁଦ୍ ଅଛି; ତାହାଛଡ଼ା ହଜାର ହଜାର ଛେଲା ଧାନ ଖଣି ପଡ଼ିଛି । ଭୀମପୁର ଶାମ ସାହୁ ଘରୁ ନିକୁଛରେ ଚାଳିଶ ହଜାର
ଛେଲା ଧାନ ବାହାରିଵ । ଏହାଛଡ଼ା ଫି' ଗାଁରେ ଛୁଟକୁରିଆ ମହାଜନମାନଙ୍କ ଘରେ ଧାନ ତ ପୂରି ରହିଛି । କେଵଳ ଏମାନେ ମରେଇ ଫିଟାଇ ଦେଲେ ଓଡ଼ିଶାକୁ ଦୁଇମାସ ସମ୍ଭାଳି ନେବେ ।’ ପଲିଟିକେଲ ଇଲାକା ପେସ୍କାର ବାବୁ ପଚାଶ ହଜାର ଛେଲାରୁ ଉଠି ଲକ୍ଷ ଲକ୍ଷ ଛେଲା ଧାନ ଲୋକମାନଙ୍କ ଘରେ ଥିଵାର ହିସାବ ଦେଲେ । ଆଉ ତଳ ଅମଲାମାନେ ଯେଉଁ ହିସାବ ଦେଲେ, ସେଥିରୁ ଜଣାଗଲା,
ଓଡ଼ିଶାରେ ଅସୀମ ଧାନ ମହଜୁଦ ଅଛି, ସେଥ‌ିରେ ଵର୍ଷକ ରକ୍ଷା ପାଇପାରେ । କମିଶନର ସାହେବ ଗଵର୍ଣ୍ଣମେଣ୍ଟଙ୍କୁ ଲେଖିଲେ,
‘ଓଡ଼ିଶାରେ ଦୁର୍ଭିକ୍ଷ ପଡ଼ିପାରେ; ମାତ୍ର ଦେଶ ମଧ୍ୟରେ ଅନେକ ଧାନ ମହଜୁଦ ଅଛି, ସେଥିରେ ଵର୍ଷକ ଚଳିଯାଇ ପାରିଵ ।”

କହିଵା ବାହୁଲ୍ୟ ସେତେବେଳେ ଓଡ଼ିଶାରେ କାର୍ଯ୍ୟ କରୁଥିଵା ଅଧିକାଂଶ ରାଜକର୍ମଚାରୀମାନେ ଅଣଓଡ଼ିଆ ହିଁ ଥିଲେ ତେଣୁ ସେମାନେ ଭଲା ଓଡ଼ିଆ ଲୋକେ ମରିଗଲେ କାହିଁକି ଚିନ୍ତା କରନ୍ତେ ? ଵରଂ ଓଡ଼ିଆ ଲୋକେ ମରିଗଲେ ତାଙ୍କ ଘର ବିଲ ବାଡ଼ି ଅକ୍ତିଆର କରିନେଵାକୁ ଏହି ତଥାକଥିତ ରାଜକର୍ମଚାରୀମାନେ ଅଧିକ ଶ୍ରେୟସ୍କର ମଣିଛନ୍ତି ତେଣୁ ବହୁତ ସମ୍ଭଵ ସେମାନେ କମିଶନରଙ୍କୁ ଓଡ଼ିଶାରେ ଯଥେଷ୍ଟ ଧାନ ଥିଵା ଆଦି ମିଥ୍ୟା କଥା କହିଛନ୍ତି । ଓଡ଼ିଶାରେ ସେସମୟର ଅନେକ ରାଜକର୍ମଚାରୀମାନେ ବଡ଼ ବଡ଼ ଭୂଭାଗ ମାଡ଼ି ବସିଥିଲେ ସେଥିପାଇଁ ତ ଆଜି ଓଡ଼ିଶାର ଅନେକ ଅଞ୍ଚଳରେ ସେହି ଅଣଓଡ଼ିଆଙ୍କ ଵଂଶୋଦ୍ଭଵ ବଡ଼ ବଡ଼ ବଙ୍ଗଳାରେ ରହୁଛନ୍ତି ଆଉ ଶହେରୁ ଅଧିକ ଵର୍ଷ ରହି ବି ନିଜକୁ ଓଡ଼ିଆ ବୋଲି ପରିଚୟ ଦେଵାକୁ କୁଣ୍ଠାବୋଧ କରୁଛନ୍ତି । 

ଅସ୍ତୁ ଫକୀରମୋହନ ସେନାପତି କମିଶନର ରେଭେନ୍ସା ସାହେବ କ'ଣ ଭୁଲ୍ କରିଵା ଯୋଗୁଁ ଦୁର୍ଭିକ୍ଷରେ ଲକ୍ଷାଧିକ ଜନହାନୀ ହୋଇଥିଲା ସେକଥା ଲେଖିଵାକୁ ଭୁଲିଯାଇନାହାନ୍ତି,ସେ ଲେଖିଛନ୍ତି —“କମିଶନର ସାହେବ ବଡ଼ ଭୁଲ୍ କଲେ,ଓଡ଼ିଶାରେ ପ୍ରକୃତ ଏତେ ଧାନ ମହଜୁଦ୍ ଅଛି କି ନାହିଁ, କଥାଟା ଭଲରୂପେ ତଦାରଖ କରିଵା; ପୁଣି ଯେଉଁମାନଙ୍କ ଘରେ ଧାନ ମହଜୁଦ୍ ଅଛି, ସାଧାରଣ ସଙ୍କଟ ସମୟରେ ସେମାନେ ସେହି ଧାନ ଵିକ୍ରୟ ଵା ଵିତରଣ କରିବେ କି ନାହିଁ, କଥାଟା ଭଲରୂପେ ତଦନ୍ତ କରି ଗଵର୍ଣ୍ଣମେଣ୍ଟଙ୍କୁ ଜଣାଇଵା ଉଚିତ ଥିଲା । ମାତ୍ର ଉତ୍କଳରୁ ୩୦ ଲକ୍ଷ ପର୍ଯ୍ୟନ୍ତ ମହାପ୍ରାଣୀ ଵିନାଶ ଯିଵା ଏଵଂ ସମସ୍ତେ ଲଣ୍ଡଭଣ୍ଡ ହେଵାର ଯେମନ୍ତ ଵିଧିର ଵିଧାନ । ଏ ସ୍ଥଳରେ କମିଶନରଙ୍କୁ ସୁବୁଦ୍ଧି ଆସିଵ କାହୁଁ ?”

ରାଜ୍ୟରେ ସମସ୍ୟା ଉପସ୍ଥିତ ହେଲେ ତହିଁର ସମାଧାନ ପ୍ରଶାସନ ଓ ପ୍ରଶାସକର ପରମ କର୍ତ୍ତଵ୍ୟ । କିନ୍ତୁ ସେତେବେଳର ସଂଖ୍ୟାଗରିଷ୍ଠ ଅଣଓଡ଼ିଆ ସିରସ୍ତଦାର,ପେସ୍କାର ଓ ପଲ୍ଟିକାଲ୍ ଏଜେଣ୍ଟମାନଙ୍କ କଥାକୁ ଆଖିବୁଜି ଵିଶ୍ଵାସ କରି ତଥା ସ୍ଵୟଂ ତୃଣମୂଳ ସ୍ତରରେ ଓଡ଼ିଆ ଓ ଓଡ଼ିଶାର ସମସ୍ୟାକୁ ନଜାଣି ନୂଆ ନୂଆ ଓଡ଼ିଶାକୁ କମିଶନର ହୋଇ ଆସିଥିଵା ଥୋମସ୍ ଏଡୱର୍ଡ୍ ରେଭେନ୍ସା ଯୋଉ ଭୁଲ୍ ନିର୍ଣ୍ଣୟ ନେଲେ ସେଥିପାଇଁ ଲକ୍ଷ ଲକ୍ଷ ଓଡ଼ିଆଙ୍କ ପ୍ରାଣହାନୀ ଘଟିଲା । ଜଣେ ଇଂରେଜ ସରକାରୀ ଵ୍ୟକ୍ତି ହୋଇ ବି ରେଭେନ୍ସାଙ୍କ ଭୁଲ୍ କ'ଣ ଥିଲା ତଥା ସେ ଦୁର୍ଭିକ୍ଷ କାଳରେ କ'ଣ କରିଵା ଉଚିତ ଥିଲା ତାହା ଫକୀରମୋହନ ତାଙ୍କ ଆତ୍ମଜୀଵନୀରେ ଉଲ୍ଲେଖ କରିଛନ୍ତି । ପ୍ରକୃତ ପକ୍ଷେ ଦେଖିଵାକୁ ଗଲେ ପ୍ରବନ୍ଧରେ ରେଭେନ୍ସାଙ୍କ ଉଲ୍ଲେଖ ସମୟରେ ପ୍ରଶଂସା ସୂଚକ ଉପମା ଦ୍ଵାରା ସମ୍ବୋଧନ କରି ଶେଷରେ ତାଙ୍କୁ ତାଙ୍କ ଭୁଲ୍ କ'ଣ ଜଣାଇ ଦେଵା ଭଳି ଦୁଃସାହସିକ କାର୍ଯ୍ୟ ଫକୀରମୋହନ ସେନାପତି କରିଯାଇଛନ୍ତି ‌।

ସରକାର ସାହାଯ୍ୟ କରନ୍ତୁ କି ନକରନ୍ତୁ ଓଡ଼ିଶାରେ ଏଣେ ଲକ୍ଷ ଲକ୍ଷ ଲୋକଙ୍କର ଜଳ ଅନ୍ନ ଅଭାଵରୁ ପ୍ରାଣଵାୟୁ ଉଡ଼ି ଯାଉଥାଏ । ସେ ସମୟର ସାମାଜିକ ଚିତ୍ର ପ୍ରଦାନ କରିଵାକୁ ଯାଇ ଫକୀରମୋହନ ତାଙ୍କ ଆତ୍ମଜୀଵନୀରେ ଲେଖିଛନ୍ତି —
“ଫଗୁଣ ଆରମ୍ଭଠାରୁ ଲୋକେ ମରିଵାର ଆରମ୍ଭ ହେଲା । ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିଵାକୁ ଲାଗିଲା । ବାଟ ଘାଟ ତୋଠ ପଡ଼ିଆ ଅରଣ୍ୟ ଯେଉଁଠାକୁ ଯାଅ,ସେଠାରେ ମଡ଼ା ପଡ଼ିଥିଵାର ଦେଖିଵ । କ୍ରମଶଃ ମୃତ ଶରୀରରେ ଦେଶଟା ଯେମନ୍ତ ଛାଇ ହୋଇଗଲା । ଚାଉଳର ଦର ହୋଇଗଲା ଟଙ୍କାକୁ ୧୦ ସେର । କେଵଳ ୩/୪ ଦିନ ସକାଶେ ଟଙ୍କାକୁ ୩ ସେର ହୋଇଥିଲା, ତାହା ମଧ୍ୟ ସହର ମଧ୍ୟରେ ମିଳିଲା ନାହିଁ । ୩/୪ ଦିନ ଉତ୍ତାରେ ରେଙ୍ଗୁନରୁ ଚାଉଳ ଆସିଵାରୁ ଯେଉଁ ଦଶକୁ ସେହି ଦଶସେର ହୋଇଗଲା । ସହର ମଧ୍ୟରେ କିଣିଵାକୁ କଷ୍ଟରେ ଯାହା କିଛି କିଛି ମିଳୁଥିଲା, କିନ୍ତୁ ମଫସଲରେ ଏକାବେଳକେ ଦୁଷ୍ଟ୍ରାପ୍ୟ । ମଫସଲରେ ଯେଉଁ ଯେଉଁ ଲୋକଙ୍କ ଘରେ ଧାନଚାଉଳ ଥିଲା, ସେମାନେ ଲୁଚାଇ ଦେଲେ; ଅଧିକାଂଶ ଲୋକେ ଘର ମଧ୍ୟରେ ଗାତ ଖୋଳି ପୋତି ପକାଇଲେ । ଯେଉଁସବୁ ଲୋକେ ଶସ୍ତା ପାଇ ପରକୁ ପଲ ଗାଈଗୋରୁ କିଣିଥିଲେ, ନିତାନ୍ତ ଆଶ୍ଚର୍ଯ୍ୟର ଵିଷୟ, ସେହିଵର୍ଷ ମଧ୍ୟରେ ସେ ସମସ୍ତ କିଣା ଗୋରୁ ତ ମଲେ,ସେମାନଙ୍କ ସହିତ ମହାଜନମାନଙ୍କ ଘରେ ନିଜର ଯେଉଁ ଗୋରୁ ଗାଈଥିଲେ, ସେ ଗୁଡ଼ାକ ମଧ୍ୟ ମରି ଗଲେ । ଏ
ସମସ୍ତ ପ୍ରତ୍ୟକ୍ଷ ଵିଷୟ, ଅଵିଶ୍ଵାସର କୌଣସି କାରଣ ନାହିଁ । ଯେଉଁସବୁ ଧାନୁଆ ମହାଜନ ଧାନ ବିକି ଘରେ ଟଙ୍କା ପୋତି ପକାଇଥଲେ, ସେ ସମସ୍ତ ଟଙ୍କା ସୁନା କାହିଁ ଉଭେଇ ଗଲା । ଦୁର୍ଭିକ୍ଷ ପୂର୍ଵଵର୍ଷ ଧାନ ଟଙ୍କାକୁ ବାଲେଶ୍ୱରୀ ଓଜନରେ ପ୍ରାୟ ଦେଢ଼ଶ ସେର ଏଵଂ ଚାଉଳ ଟଙ୍କାକୁ ଦେଢ଼ ମହଣ ଥିଲା । ସେହି ଚାଉଳ ଦୁର୍ଭିକ୍ଷ ଵର୍ଷ ଟଙ୍କାକୁ ଦଶସେର ହିସାବରେ ବିକ୍ରୀ ହେଵାର ଏପରି ଦୁର୍ଯୋଗ ଘଟିଥିଲା । କେଵଳ ତାହା ନୁହେଁ – ଗତ ପୂର୍ଵ ପାଞ୍ଚ ସାତ ଵର୍ଷଠାରୁ ଚାଉଳ ବାଲେଶ୍ଵରୀ ୧୦ ସେର ହିସାବରେ ବିକ୍ରି ହୋଇ ଆସୁ ଅଛି । ତେବେ ଦୁର୍ଯୋଗ ଘଟୁ ନାହିଁ କି ସକାଶେ ? ଵର୍ତ୍ତମାନ ପୂର୍ଵଠାରୁ ଟଙ୍କା ଖୁବ୍ ସୁଲଭ । ସମସ୍ତଙ୍କ ହାତରେ ଟଙ୍କା, ଚାଉଳ ସର୍ଵତ୍ର ସୁପ୍ରାପ୍ୟ । ଟଙ୍କା ଦେଲେ ଯେତେବେଳେ ଯେତେ ଇଛା ଧାନ ଚାଉଳ ପାଇ ପାରିଵ । ସେ ସମୟରେ ଚାଉଳ ଓ ଟଙ୍କା ଉଭୟ ଦୁର୍ଲ୍ଲଭ ଥିଲା । ସହସା ଵିଦେଶରୁ ଅଣାଇଵାର ଉପାୟ ମଧ୍ୟ ନଥଲା ।” 

ତେବେ ପ୍ରଶ୍ନ ଉଠେ ଓଡ଼ିଶାରେ ଚାଉଳ ଅଭାଵ କାହିଁକି ହେଲା ? ଯଦି ଗୋଟିଏ ଵର୍ଷ ଵର୍ଷା ହେଲା ନାହିଁ ତେବେ ପୂର୍ଵ ଵର୍ଷର ଚାଉଳ କୁଆଡେ଼ ଗଲା ? ଅନ୍ୟ ଅଞ୍ଚଳରୁ ଚାଉଳ କାହିଁକି ଆସିଲା ନାହିଁ? 

The Case for India(New York. 1930 p.50-53)” ରେ Will Durant Simon ଓ Schuster କାହିଁକି ବ୍ରିଟିଶ୍ ଶାସନ କାଳର ଭାରତରେ ଦଶରୁ ଅଧିକ ବଡ଼ ବଡ଼ ଦୁର୍ଭିକ୍ଷ ପଡ଼ିଥିଲା ତାହାର କାରଣ ଦର୍ଶାଇ କହିଥିଲେ 
“We can now understand why there are famines in India. Their cause, in plain terms, is not the absence of food, but the inability of the people to pay for it. It was hoped the railways would solve the problem...the fact that the worst famines have come since the building of the railways...behind all these, as the fundamental source of the terrible famines in India, lies such merciless exploitation, such unbalanced exploitation of goods, and such brutal collection of high taxes in the very midst of famine....(ଵର୍ତ୍ତମାନ ଆମେ ବୁଝିପାରୁଛୁ ଯେ ଭାରତରେ ଦୁର୍ଭିକ୍ଷ କାହିଁକି ହୁଏ । ସରଳ ଭାଷାରେ କହିଵାକୁ ଗଲେ ଏହାର କାରଣ ଖାଦ୍ୟର ଅଭାବ ନୁହେଁ, ଵରଂ ଲୋକମାନଙ୍କ ପାଖରେ ଖାଦ୍ୟ ପାଇଁ ଟଙ୍କା ହିଁ ନାହିଁ । ଆଶା କରାଯାଉଥିଲା ଯେ ରେଳବାଇ ଏହି ସମସ୍ୟାର ସମାଧାନ କରିଵ କିନ୍ତୁ ରେଳ ନିର୍ମାଣ ପରଠାରୁ ଭାରତରେ ସବୁଠାରୁ ଭୟଙ୍କର ଦୁର୍ଭିକ୍ଷମାନ ଘଟିତ ହୋଇଛି ‌‌। ଭାରତରେ ଏକାଧିକ ଭୟଙ୍କର ଦୁର୍ଭିକ୍ଷର ଉତ୍ସ ହେଲା ଇଂରେଜମାନଙ୍କର ନିଷ୍ଠୁର ଶୋଷଣ, ସାମଗ୍ରୀର ଅସନ୍ତୁଳିତ ଦୋହନ ଏଵଂ ଦୁର୍ଭିକ୍ଷ ପଡ଼ିଥିଲାବେଳେ ନିଷ୍ଠୁର ଉଚ୍ଚ କର ଆଦାୟ।)

ସ୍ପଷ୍ଟ ଯେ ଇଂରେଜ ସରକାରଙ୍କ ଦ୍ଵାରା ଲୋକଙ୍କଠାରୁ ଅସନ୍ତୁଳିତ ଶସ୍ୟାଦି ଦରଵ, ସବୁ ଵର୍ଷ କର ଆକାରରେ ଆଦାୟ କରାଯାଉଥିଲା ଏଵଂ ଏହି ନୀତି ୧୮୬୬ର ଉତ୍ତପ୍ତ ଵର୍ଷାହୀନ ଵର୍ଷରେ ଓଡ଼ିଆ ଜାତି ପାଇଁ ଘାତକ ହୋଇଗଲା । 

ଜାନୁଆରୀ ଫେବୃୟାରୀରେ ଓଡି଼ଶାରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେଵାରୁ ସମ୍ଭଵତଃ ରେଭେନ୍ସା ନିଜ ଭୁଲ୍ ବୁଝିପାରିଲେ ଏଵଂ ଚାଉଳ ପାଇଁ ଗଵର୍ଣ୍ଣମେଣ୍ଟଙ୍କ ପାଖକୁ ଟେଲିଗ୍ରାମ୍ ଲେଖିଲେ । ମାତ୍ର ଟେଲିଗ୍ରାମ୍ ଯୋଗେ ଉଚ୍ଚ ପଦାଧିକାରୀଙ୍କର ଉତ୍ତର ଆସିଲା “ତୁମ୍ଭେ ଚାଉଳ ପଠାଇଵା ସକାଶେ ଟେଲିଗ୍ରାମ କରି ଅଛ । ମାତ୍ର ଟେଲିଗ୍ରାମରେ ଚାଉଳ ପଠା ଯାଇ ନ ପାରେ ।”

ଓଡ଼ିଶାରେ ନଅ ଅଙ୍କ ଦୁର୍ଭିକ୍ଷ ଇଂରେଜ ସରକାରଙ୍କର ପୁରାତନ ଅର୍ଥନୈତିକ ପଦ୍ଧତି ଅନୁକରଣ ଯୋଗୁଁ ଘଟିଛି ତଥା ଓଡିଶା ଦୁର୍ଭିକ୍ଷ ପାଇଁ ବଙ୍ଗର ତତ୍କାଳୀନ Lieutenantଙ୍କୁ ଦାୟୀ କରି ୟୁନାଇଟେଡ଼ କିଙ୍ଗଡମର ଭୂତପୂର୍ଵ ପ୍ରଧାନମନ୍ତ୍ରୀ Viscount Cranborne ଦୁଇ ଅଗଷ୍ଟ ୧୮୬୭ରେ House of Commonsରେ ଭାଷଣ ଦେଇ କହିଥିଲେ “The Lieutenant Governor of Bengal was to the fullest extent responsible for not having made any preparation against the famine. ... The doctrines of political economy had been worshipped as a sort of "fetish" by officials who, because they believed that in the long run supply and demand would square themselves, seemed to have utterly forgotten that human life was short, and that men could not subsist without food beyond a few days. They mechanically left the laws of political economy to work themselves out while hundreds of thousands of human beings were perishing from famine.(ଦୁର୍ଭିକ୍ଷ ବିରୋଧରେ କୌଣସି ପ୍ରସ୍ତୁତି ନକରିଵା ପାଇଁ ବଙ୍ଗଳାର Lieutenant ସମ୍ପୂର୍ଣ୍ଣ ଭାବେ ଦାୟୀ ଥିଲେ। ... ରାଜନୈତିକ ଅର୍ଥନୀତିର ନୀତିଗୁଡ଼ିକୁ କର୍ତ୍ତୃପକ୍ଷ ଏକ ପ୍ରକାର "ମୂର୍ତ୍ତି" ଭାବରେ ପୂଜା କରୁଥିଲେ, କାରଣ ସେମାନେ ଵିଶ୍ୱାସ କରୁଥିଲେ ଯେ ଦୀର୍ଘକାଳୀନ ଯୋଗାଣ ଓ ଚାହିଦା ଆପଣାଛାଏଁ ପୂର୍ଣ୍ଣ ହୋଇଯିଵ,ମନେହୁଏ, ସେମାନେ ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛନ୍ତି ଯେ ମନୁଷ୍ୟ ଜୀଵନ ଛୋଟ ଏଵଂ ମନୁଷ୍ୟ କିଛି ଦିନରୁ ଅଧିକ ସମୟ ଖାଦ୍ୟ ବିନା ବଞ୍ଚିପାରିଵ ନାହିଁ । ହଜାର ହଜାର ଲୋକ ଦୁର୍ଭିକ୍ଷରେ ମରୁଥିଵା ବେଳେ ସେମାନେ ରାଜନୈତିକ ଅର୍ଥନୀତର ନିୟମଗୁଡ଼ିକୁ ଆପଣାଛାଏଁ କାମକରିଵାକୁ ଛାଡ଼ି ଦେଇଥିଲେ।)”

ତେଣୁ ଏକଥା ସ୍ପଷ୍ଟ ଯେ ଇଂରେଜମାନଙ୍କର ସେତେବେଳର ଉଦାସୀନତା ଯୋଗୁଁ ଓଡ଼ିଶାରେ ଲକ୍ଷାଧିକ ଲୋକ ମରି ହଜିଗଲେ । 
ହେଲେ ଯେତେବେଳେ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା ଭଳି ଦୁର୍ଭିକ୍ଷ ମୃତକଙ୍କ ସଂଖ୍ୟା ବଢ଼ିଵାରୁ ଚାରିଆଡ଼ୁ ଚାପ ପାଇ ଇଂରେଜ ସରକାର ରିଲିଫ ସାହାଯ୍ୟ ପଠାଇଵାକୁ ବାଧ୍ୟ ହେଲା । ସେତେବେଳେ ସ୍ଥଳପଥରେ ରିଲିଫ୍ ପଠେଇଵା ସହଜସାଧ୍ୟ ନଥିଲା ତେଣୁ ଜଳପଥ ଦେଇ ରିଲିଫ୍ ପଠାଗଲା । ଫକୀରମୋହନ ଏ ଵିଷୟରେ ଲେଖିଛନ୍ତି — “ଵର୍ତ୍ତମାନ କଲିକତାଠାରୁ ପୁରୀ ପର୍ଯ୍ୟନ୍ତ ଯେଉଁ ସୁନ୍ଦର ଟ୍ରଙ୍କ ରୋଡ଼ ଵା ବଡ଼ଦାଣ୍ଡ ଦେଖୁଅଛ ସେ ସମୟରେ ସେଥିର ଚିହ୍ନ ମାତ୍ର ଗୋହିରିସ୍ଵରୂପ ଥିଲା । ତାହା ପୁଣି ଅରଣ୍ୟମୟ ଏଵଂ ଚୋର ଡକାଏତରେ ପରିପୂର୍ଣ୍ଣ । ସୁତରାଂ ଉପର ଦାଣ୍ଡରେ ଧାନଚାଉଳ ଆସିଵାର ଉପାୟ ନ ଥିଲା । ନିମକ୍ ମାହାଲ ଉଠି ଯାଇଥିଵାରୁ ବାଲେଶ୍ୱରୀ ସାମୁଦ୍ରିକ ଜାହାଜର ଵଂଶ ବିଲୁପ୍ତ ହୋଇଥିଲା । ବାଲେଶ୍ଵରଵାସୀ କଳଜାହାଜ ନାମକ ଗୋଟାଏ ପଦାର୍ଥ ଅଛି ବୋଲି ନାମ ମାତ୍ର ଶୁଣିଥିଲେ । ତଥାପି ଗଵର୍ଣ୍ଣମେଣ୍ଟ
କଲିକତାରୁ ବଡ଼ ବଡ଼ ମନୋହରି ଜାହାଜ ଭଡ଼ା କରି ରେଙ୍ଗୁନ ଓ ବଙ୍ଗଦେଶରୁ ଚାଉଳ ପଠାଇଵାକୁ ଲାଗିଲେ । ସ୍ଥାନେ ସ୍ଥାନେ ଅନ୍ନଛତ୍ର ସରକାର ତରଫରୁ ଫିଟାଗଲା ।”

ସେକାଳର ସରକାରୀ କାଗଜପତ୍ରରୁ ଜଣାଯାଏ ଯେ ଅନ୍ନଛତ୍ର ଖୋଲିଵା ପାଇଁ ଇଂରେଜ ସରକାର ବାହାରୁ ପ୍ରାୟ ୪୦,୦୦୦ ଟନ୍ ଖାଦ୍ୟ ଶସ୍ୟ ମଗାଇଥିଲେ ପୁଣି ଓଡ଼ିଶାକୁ ୯୫୦୦୦୦୦ ଟଙ୍କାର ରିଲିଫ୍ ପାଣ୍ଠି ମଧ୍ୟ ଦିଆଯାଇଥିଲା । କିନ୍ତୁ ଏସବୁ ସରକାରୀ ସାହାଯ୍ୟ ଦୁର୍ଭିକ୍ଷ ପଡ଼ିଵାର ଛଅ ସାତ ମାସ ପରେ ଆରମ୍ଭ କରାଯାଇଥିଲା । ସେତେବେଳକୁ ଓଡ଼ିଶାର ମହା ମହା ଧନୀ ସୁଦ୍ଧା କାଙ୍ଗାଳି ହୋଇ ଯାଇଥିଲେ ଏଵଂ ସମାଜର ଅତି ଦରିଦ୍ର ଜନ ଦୁର୍ଭାଗ୍ୟରେ ପଡ଼ି ମରି ହଜି ଯାଇଥିଲା । 

ଅନ୍ନସତ୍ର ଶବ୍ଦଟି ଓଡ଼ିଆଙ୍କ ପାଇଁ ନୂଆ ନୁହେଁ କି ଭାରତୀୟ ସଂସ୍କୃତିରେ ଵିରଳ ନୁହେଁ। 

ଏ ଦେଶର ରାଜାମାନେ ମନ୍ଦିରନିର୍ମାଣ, ପୁଷ୍କରିଣୀଖନନ, ଅନ୍ନସତ୍ର ଓ ଜଳସତ୍ର ସ୍ଥାପନ, ଧର୍ମଶାଳା, ପାନ୍ଥନିଵାସ ସ୍ଥାପନ ଏଵଂ ପଥପାର୍ଶ୍ୱରେ ଵୃକ୍ଷାଦି ରୋପଣ ପ୍ରଭୃତି ଜନହିତକର କାର୍ଯ୍ୟଦ୍ୱାରା କୀର୍ତ୍ତି ବଢ଼େ ବୋଲି ଵିଚାର କରୁଥିଲେ । ଵୀରତ୍ୱ ପ୍ରକାଶ କରିଵା, ପାଣ୍ଡିତ୍ୟ ପ୍ରଦର୍ଶନ କରିଵା ପ୍ରଭୃତି ଦ୍ୱାରା ଯଶଃ ହୁଏ ବୋଲି ସେମାନଙ୍କର ଵିଶ୍ବାସ ଥିଲ । ଶାସ୍ତ୍ର କହେ “କୀର୍ତ୍ତି ସତ୍କାର୍ଯ୍ୟପ୍ରଭଵା ଓ ଯଶଃ ସଦ୍ଗୁଣପ୍ରଭଵା। କୀର୍ତ୍ତି ମରଣାନ୍ତସ୍ଥାୟିନୀ ଓ ଯଶଃ ଜୀଵିତକାଳସ୍ଥାୟୀ ॥” 

ତେଣୁ ରାଜା, ଜମିଦାରମାନେ ବହୁ ପୂର୍ଵରୁ ଏ ଦେଶରେ ଜଳସତ୍ର ଅନ୍ନସତ୍ରର ଆୟୋଜନ କରିଥିଲେ । ଉଦାହରଣ ସ୍ୱରୂପ ଅନଙ୍ଗଭୀମ ଦେଵ ଦଶ ହଜାର ଭରଣ ଧାନ ଅନ୍ନସତ୍ରରେ ଯୋଗାଇଥିଵା ଇତିହାସରୁ ଜଣାଯାଏ । ସାରଳା ମହାଭାରତରେ ବି ଅନ୍ନସତ୍ର ଶବ୍ଦର ପ୍ରୟୋଗ ରହିଛି। 

“ଗ୍ରହ ଶାନ୍ତି ମନ୍ତ୍ର ତହିଂ ପଢନ୍ତି ଗଣକେ ଚାରି ଦ୍ୱାରେ ଅନ୍ନଛତ୍ର ଦିଅନ୍ତି ଯେ ଲୋକେ” । 

ଅତଏଵ ଓଡ଼ିଆଙ୍କ ପାଇଁ ଅନ୍ନସତ୍ର ନୂଆ ନଥିଲା କିନ୍ତୁ ଊନବିଂଶ ଶତାଦ୍ଦୀର ଓଡ଼ିଆଙ୍କ ପାଇଁ ଖିରସ୍ତାନୀ ଅନ୍ନସତ୍ର ନିଶ୍ଚୟ ନୂଆ ଥିଲା । 
 
ଯେତେବେଳେ ଗାଆଁର କାଙ୍ଗାଳି ଲୋକେ ସହରରେ ଅନ୍ନସତ୍ର ଲାଗିଛି ବୋଲି ଜାଣିଲେ ସେମାନେ ସହରକୁ ଧାଇଁଲେ କିନ୍ତୁ ଅଧିକାଂଶ ବାଟରେ ମଲେ କିଏ ପହଞ୍ଚି ମଲା ତ ଆଉ କେହି କେହି ଅତିରିକ୍ତ ଅନ୍ନ ଭକ୍ଷଣ କରି ପ୍ରାଣ ହରାଇଲେ । ଫକୀରମୋହନ ସେସମୟର ଇଂରାଜୀ ଅନ୍ନଛତ୍ର ଖାଇ ଲୋକଙ୍କ ଅଵସ୍ଥା କ'ଣ ହୋଇଥିଲା ତାହା ତାଙ୍କ ଆତ୍ମଜୀଵନୀରେ ଏମନ୍ତ ଉଲ୍ଲେଖ କରିଛନ୍ତି - “ଅନ୍ନଛତ୍ରର ନାମ ମଫସଲରେ ପ୍ରଚାରିତ ହେଵା ମାତ୍ରକେ ଅନ୍ନକ୍ଳିଷ୍ଟ କାଙ୍ଗାଳିମାନେ ସହରକୁ ଧାଇଁଲେ । ପନ୍ଦର କୋଡ଼ିଏ ଦିନ ପୂର୍ଵରୁ ଅନ୍ନ ସହିତ ସେମାନଙ୍କର ଭେଟ ନାହିଁ, କଅଁଳ ପତ୍ର ଓ ଅଖାଦ୍ୟ ଫଳମୂଳ ଖାଇ ବଞ୍ଚି ରହିଥିଲେ ଅନ୍ନାଶାରେ ସହରକୁ ଧାଇଁଲେ, ମାତ୍ର ଏତେ ଦୂରକୁ ଆସି ପାରିବେ କିପରି ? ଦଶ ବାର ପଣି ଲୋକ‌ ତ ବାଟରେ ମଲେ, ଯେଉଁମାନେ ଅନ୍ନଛତ୍ର ଯାଏଁ ଆସି ପାରିଲେ, ସେମାନେ କେବଳ ବଖତେ ବଖତେ ଅନ୍ନ ଖାଇ
କେହି ଝାଡ଼ା ଵାନ୍ତିରେ କେହି ଆମାଶୟରେ ମଲେ । ସେମାନଙ୍କ ପେଟ ତ ଶୁଖି ରହିଥିଲା,ଏଣେ ଅନ୍ନ ପାଇଁ ରଙ୍କଣା ହୋଇଥିଲେ, ଭାତ ଦେଖି ଯେ ଯେତେ ପାଇଲା ପେଟେ ପେଟେ ଖାଇ ପକାଇଲା । ହଜମ ଶକ୍ତି ଵିଲୁପ୍ତ,ଏତେ ଭାତ କଣ ପେଟ ସମ୍ଭାଳି ପାରିଵ ? ପରଦିନ ରାତି ନ ପାହୁଣୁ ଝାଡ଼ା ଵାନ୍ତି ଵା ଅନ୍ୟ ବେମାରି ଉପସ୍ଥିତ
ହେଲା । ଦିନେ ଦୁଇଦିନ ମଧ୍ୟରେ ମରି ଶୋଇଲେ । ଶୁଷ୍କ ପେଟ -କାଙ୍ଗାଳି ମାନଙ୍କ ଚିକିତ୍ସା ସକାଶେ ଡାକ୍ତର ଉପସ୍ଥିତ । ସରକାର ବସ୍ତା ବସ୍ତା ସାଗୁଦାନା କଲିକତାରୁ ଅଣାଇ ଅନ୍ନଛତ୍ର ଗୋଦାମରେ ଜମା କରି ରଖିଲେ ।କାଙ୍ଗାଳିମାନଙ୍କୁ ପ୍ରଥମ କେତେଦିନ ଯାଏ ସାଗୁ ଦାନା ଦିଆଯିଵାର ଵ୍ୟଵସ୍ଥା କରାଗଲା; ମାତ୍ର କାହିଁରେ କିଛି ହେଲା ନାହିଁ, ପ୍ରାୟ ସବୁ ଗୁଡ଼ାକ ମଲେ । ଅନ୍ନଛତ୍ରରେ ଚତୁର୍ଦ୍ଦିଗରେ ଏଵଂ ସହରର ଅନ୍ୟାନ୍ୟ ସ୍ଥାନ – ଦାଣ୍ଡରେ ଘାଟରେ ଯେଉଁ ସବୁ ଲୋକ ମରି ପଡ଼ି ରହିଥାନ୍ତି, ସକାଳୁ ମେହେନ୍ତରମାନେ ସେମାନଙ୍କୁ ଉଠାଇ ଶଗଡ଼ରେ ପୂରାଇ ନଦୀକୁ ଫୋପାଡ଼ି ଦିଅନ୍ତି । ମାସେ କି ଦେଢ଼ମାସ ପର୍ଯ୍ୟନ୍ତ
ମେହେନ୍ତରମାନେ ତିନି ଚାରି ଖଣ୍ଡ ମଡ଼ା ବୋଝେଇ ଶଗଡ଼ ନଦୀ ଆଡ଼କୁ ଘେନି ଯାଉଥିଵାର ଲେଖକ ପ୍ରତ୍ୟକ୍ଷ ଦେଖି ଅଛି । ସରକାର ଯେଉଁ ଚାଉଳ ଵିଦେଶରୁ ଅଣାଇଥିଲେ, ଅନ୍ନଛତ୍ର ଖରଚ ବାଦ ଟଙ୍କାକୁ ୧୦ ସେର ଦରରେ ସାଧାରଣରେ ଵିକ୍ରୟ କରିଵାର ଵ୍ୟଵସ୍ଥା କରାଇଥିଲେ । ମାତ୍ର ଯାହାକୁ ଇଚ୍ଛା ତାକୁ କିମ୍ବା ଯେତେ ଇଚ୍ଛା ତେତେ ଵିକ୍ରୟ କରିଵାର ଵ୍ୟଵସ୍ଥା ନଥିଲା । ରିଲିଫ କମିଟି ନିଯୁକ୍ତ ମେମ୍ବରମାନେ ଲୋକ ଦେଖି ସେରେଠାରୁ ଟଙ୍କାକ ପର୍ଯ୍ୟନ୍ତ ଚାଉଳ ଦେଵାର ଟିକଟ ଦେଲେ । ସେହି ଟିକଟ ଦେଖାଇ ଲୋକେ ଗୋଦାମରୁ ଚାଉଳ ନେଉଥିଲେ ।”

ଅନେକ ଦିନ ଭୋକରେ ରହି ହଠାତ୍ ଭୋଜନ ମିଳିଗଲେ ଯଦି ମାତ୍ରାଧିକ ଖାଦ୍ୟ ସେଵନ କରାଯାଏ ତେବେ ମୃତ୍ୟୁର ସମ୍ଭାଵନା ଅଧିକ ଏଵଂ ଡାକ୍ତରୀ ଭାଷାରେ ଏହାକୁ "Refeeding Syndrome" କୁହାଯାଏ । ତତ୍କାଳୀନ ସରକାରୀ କର୍ମଚାରୀମାନେ, ଡାକ୍ତରମାନେ ଯଦି ରିଲିଫ୍ ବଣ୍ଟନ ସମୟରେ ଏଥିପ୍ରତି ଦୃଷ୍ଟି ଦେଇଥାଆନ୍ତେ ତେବେ ଅନେକ ଲୋକ ବଞ୍ଚିଯାଇଥାନ୍ତେ । ତେଣୁ ସେ ସମୟରେ ସରକାରଙ୍କ ଅନ୍ନଛତ୍ର ଯେ ଅନେକାଂଶରେ ଵିଫଳ ହୋଇଥିଲା ତାହା ସହଜେ ଅନୁମେୟ । ଅଵଶ୍ୟ ଅନେକ ଲୋକ ଅନ୍ନଛତ୍ର ଖାଇ ବଞ୍ଚିଯାଇଥିଲେ କିନ୍ତୁ ଖିରସ୍ତାନୀଙ୍କ ହାତରୁ ଖାଦ୍ୟ ଖାଇଥିଵାରୁ ତତ୍କାଳୀନ ମୌଳିଵାଦୀ ହିନ୍ଦୁ ସମାଜ ସେମାନଙ୍କୁ ସମାଜରୁ ଵହିଷ୍କାର କରିଦେଲା । 
ହିନ୍ଦୁ ସମାଜରେ ସ୍ଥାନ ନମିଳିଵାରୁ ଖିରସ୍ତାନୀ ଅନ୍ନଛତ୍ରରୁ ଅନ୍ନ ଖାଇଥିଵା ହିନ୍ଦୁମାନଙ୍କ ମଧ୍ୟରେ ଅନେକେ ପୁଣି ମୃତ୍ୟୁଵରଣ କରିଥିଵା ସ୍ଵାଭାବିକ କଥା । ତେବେ ଧର୍ମାନ୍ତରୀକରଣ ସୁଯୋଗରେ କିଛି ଖିରସ୍ତାନୀ ପାଦ୍ରୀ ଓ ପଠାଣ ମୌଲବୀ କାଙ୍ଗାଳିମାନଙ୍କୁ ନିଜ ସହିତ ନେଇଗଲେ ଖାଇଵାକୁ ଦେଲେ ରହିଵାକୁ ଘର ଦେଲେ ଫଳତଃ ଆଜି ଓଡ଼ିଶାରେ ଆମେ ସେଇମାନଙ୍କ ଧର୍ମାନ୍ତରୀତ ଵଂଶୋଦ୍ଭଵମାନଙ୍କୁ ଦେଖିଵାକୁ ପାଇଥାଉ । ଅନ୍ନଛତ୍ରରୁ ଅନ୍ନ ଖାଇଥିଵା ହିନ୍ଦୁମାନଙ୍କୁ ସେ ସମୟର ହିନ୍ଦୁ ସମାଜ ଛତରଖିଆ ଆଖ୍ୟା ଦେଇଥିଲା ଏଵଂ ପରଵର୍ତ୍ତୀ କାଳରେ ଏହା ଏକ ଗାଳି ଶବ୍ଦରେ ପରିଣତ ହୋଇଯାଇଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଯେ ବାରବୁଲା, ଯାହାର ଜାତିବାରଣ ନାହିଁ,ଯେ ବୁଲି ବୁଲି ଅନ୍ନଛତ୍ରରୁ ଅନ୍ନ ଖାଏ,ଯେ ଯେଉଁଠାରେ ଇଚ୍ଛା ସେଠାରେ ଖାଏ ଏଵଂ ଯେ ମାଗିଖିଆ ଲୋକ ତାକୁ ଓଡ଼ିଆ ଲୋକେ ଛତରଖିଆ କୁହନ୍ତି । ଦୁର୍ଭିକ୍ଷ ଵା ଅକାଳ ସମୟରେ ଅନ୍ନଛତ୍ରକୁ ଖାଦ୍ୟ ଖାଇଥିଵାରୁ କେହି କେହି କାଙ୍ଗାଳିମାନଙ୍କୁ ଅକାଳଛତରା ଓ କେଵଳ ଛତରା ବି କହିଵାକୁ ଲାଗିଲେ ।ସେମାନଙ୍କୁ ନଅଙ୍କିଆ କହି ବି ସମାଜରେ ଅପମାନିତ କରାଗଲା । କାଙ୍ଗାଳି ନରନାରୀମାନଙ୍କୁ ଏମାନଙ୍କ ସମାଜ ଗ୍ରହଣ ନ କରିଵାରୁ ପରଵର୍ତ୍ତୀ କାଳରେ ଜାତିଵିଚାର ନ କରି ଛତରଖିଆ ସଙ୍ଗେ ଛତରଖାଈମାନେ ଗାନ୍ଧର୍ଵ ଵିଵାହ କଲେ ଓ ଏହିପରି ଗୋଟିଏ 'ବାରଜାତିଆ' ସମାଜ ସୃଷ୍ଟି ହେଲା। ଏମାନଙ୍କ ବଂଶଧରମାନଙ୍କ ମଧ୍ୟରେ ବିବାହଦ୍ୱାରା ଆଦାନ ପ୍ରଦାନ ଚଳାଇଲେ ଏଵଂ କ୍ରମଶଃ ହିନ୍ଦୁ ଧର୍ମ ସେମାନଙ୍କୁ ଆପଣାଇନେଲା । ସେସମୟର ଅନେକ କାଙ୍ଗାଳୀ ସ୍ତ୍ରୀଲୋକ ସମାଜରୁ ବାସନ୍ଦ ହେଵାରୁ ପେଟର ଭୋକ ପାଇଁ ନୀଚସମାଜରେ ଵେଶ୍ୟାଵୃତ୍ତି କରିଵାକୁ ବାଧ୍ୟ ହେଲେ ଓ ଅନ୍ଯ କେତେକ ଛତରଖିଆଙ୍କୁ ପାଦ୍ରୀମାନେ ତଥା ମୌଳବୀମାନେ ନୂଆ ଗ୍ରାମମାନ ବସାଇ ଖିରସ୍ତାନୀ ଓ ପଠାଣ ରୂପେ ଧର୍ମାନ୍ତରୀକରଣ କରିଵାରେ ସଫଳ ହୋଇଥିଲେ । ଦୁର୍ଭିକ୍ଷରୁ ଵର୍ତ୍ତିଯାଇଥିଵା କାଙ୍ଗାଳିମାନେ କ'ଣ ଭୁଲ୍ କରିଥିଲେ ଯେ ସେମାନଙ୍କୁ ସେସମୟର ମୌଳିଵାଦୀ ହିନ୍ଦୁ ସମାଜ ଏତେ ବଡ଼ ଦଣ୍ଡ ଦେଇ ଦେଇଥିଲା ? 

ଦୁର୍ଭିକ୍ଷ ପରଵର୍ତ୍ତୀ କାଳରେ କାଙ୍ଗାଳିମାନଙ୍କ ସହିତ କ'ଣ ହୋଇଥିଲା ତାହା ମଧ୍ୟ ଫକୀରମୋହନ ତାଙ୍କ ଆତ୍ମଜୀଵନୀରେ ଲେଖିଵାକୁ ପଶ୍ଚାତପଦ ହୋଇନାହାନ୍ତି । ତତ୍ପରେ ଫକୀରମୋହନ ଲେଖିଛନ୍ତି - “ପୃଥ‌ିଵୀରେ କିଛି ଚିରସ୍ଥାୟୀ ନୁହେ । ଦୁର୍ଭିକ୍ଷ ତ ଚାଲିଗଲା। ଦୁର୍ଭିକ୍ଷର ପରଵର୍ଷ କେତେଗୁଡ଼ାଏ ବାଳକ ବାଳିକା ଏଵଂ ମନୁଷ୍ୟ ଦାଣ୍ଡେ ଦାଣ୍ଡେ ବୁଲୁଥିଲେ । ସେମାନେ ଛତ୍ରଖିଆ ବୋଲି ହିନ୍ଦୁସମାଜ ସେମାନଙ୍କୁ ତଡ଼ିଦେଲା । ମାତ୍ର ମିଶନରୀମାନେ ସେମାନଙ୍କୁ ଆଦର ପୂର୍ଵକ କୋଳକୁ ଟେକି ନେଇ ପୁତ୍ର ପରି ପ୍ରତିପାଳନ କଲେ ଏଵଂ ଶିକ୍ଷିତ ଓ ଉପଯୁକ୍ତ କରାଇଵାକୁ ଲାଗିଲେ। ଏହିଠାରେ ହିନ୍ଦୁଧର୍ମ ଓ ଖ୍ରୀଷ୍ଟାନ ଧର୍ମର ପାର୍ଥକ୍ୟ ଜଣାଯାଏ । ଆମ୍ଭମାନଙ୍କ ସମାଜସ୍ଥ ସ୍ୱଧର୍ମଵଲମ୍ବୀ ଲୋକଗୁଡ଼ିଏ ପ୍ରାଣରକ୍ଷା ନିମନ୍ତେ ଅନ୍ୟଲୋକ ହସ୍ତରୁ ଅନ୍ନଗ୍ରହଣ କରିଵାରୁ ଆମ୍ଭେମାନେ ସେମାନଙ୍କୁ ଦୂର ଦୂର କରି ପାଖରୁ ତଡ଼ି ଦେଉଁ, ମାତ୍ର ଦୂରଦେଶୀୟ ଭିନ୍ନ ଧର୍ମାଵଲମ୍ବୀ ଲୋକେ ସେମାନଙ୍କୁ ଆଦର ପୂର୍ଵକ କୋଳକରି ନେଇ
ପ୍ରତିପାଳନ କଲେ ଓ ଉପଯୁକ୍ତ କରାଇଲେ । ଏଥିକୁ ଆମ୍ଭେମାନେ ସାହସ ପୂର୍ଵକ ବୋଲିଵାକୁ ପ୍ରସ୍ତୁତ –ଖ୍ରୀଷ୍ଟାନ ଧର୍ମ ଓ ଜାତି ପତିତପାଵନ । ହିନ୍ଦୁସମାଜ ଯେ ସେ ସମୟରେ ସେ ଛତ୍ରଖିଆମାନଙ୍କୁ ସମାଜରୁ ତଡ଼ି ଦେଇଥିଲା, ଏଥିପାଇଁ ହିନ୍ଦୁଧର୍ମ ଦାୟୀ ନୁହେଁ, ଅଵିଵେକୀ
ସମାଜର ଦୋଷ ଅଟେ । ଦୁରଵସ୍ଥାରେ ପଡ଼ି ପ୍ରାଣରକ୍ଷା ନିମନ୍ତେ ଅତି ନୀଚ ଅସ୍ପୃଶ୍ୟ ଜାତିସୃଷ୍ଟ ଅନ୍ନଗ୍ରହଣ କରିଵା ଦୂଷଣୀୟ ନୁହେଁ ବୋଲି ହିନ୍ଦୁ-ପୁରାଣ-ଶାସ୍ତ୍ରମାନଙ୍କରେ
ସୁସ୍ପଷ୍ଟ ଉଲ୍ଲେଖ ଅଛି । ରାଜର୍ଷି ଵିଶ୍ୱାମିତ୍ର ଏକଦା ପ୍ରାଣରକ୍ଷା ନିମନ୍ତେ ଚଣ୍ଡାଳ ଦ୍ଵାରା ପାକ ହୋଇଥିଵା କୁକୁର ମାଂସ ଭକ୍ଷଣକରି ପୁନର୍ଵାର ମହର୍ଷି ମଣ୍ଡଳୀରେ ସ୍ଥାନଲାଭ କରିଵା ଵିଷୟ ମହାଭାରତରେ ସୁସ୍ପଷ୍ଟ ଉଲ୍ଲେଖ ଅଛି ।”

ଫକୀରମୋହନ "ଓଡ଼ିଶା ଦୁର୍ଭିକ୍ଷ"ର ଶେଷ ଆଡ଼କୁ ଖିରସ୍ତାନୀମାନଙ୍କୁ ପ୍ରଶଂସା କରିଵା ହୁଏତ ଆଜିର କଠୋରପନ୍ଥୀ ହିନ୍ଦୁମାନଙ୍କୁ ଅପସନ୍ଦ ହୋଇପାରେ ତେବେ ସେ ସମୟର ମୌଳିଵାଦୀ ହିନ୍ଦୁ ସମାଜ ହିଁ ସେମିତି ଥିଲା ବୋଲି ଆମକୁ ଅନେକ ଲେଖକଙ୍କ ପୁରୁଣା ବହି ପଢ଼ିଲେ ଜାଣିଵାକୁ ମିଳେ । ଆଜି ହିନ୍ଦୁ ସମାଜରେ ଆଉ ଆଗପରି ସେତେ ଜାତିଆଣ ଭାଵ ନାହିଁ। ସହରରେ ତ ଯିଏ ଯାହା ହାତରୁ ପାଇଲେ ଖାଇ ଦେଉଛନ୍ତି ପିଇ ଦେଉଛନ୍ତି କିନ୍ତୁ ଆଗେ ଏସବୁ ବାରବୁଲା କାର୍ଯ୍ୟ ସମାଜ ମଧ୍ୟରେ ବାରଣ ଥିଲା । ସାବୁନ ଓ ଟୁଥପେଷ୍ଟ ଭଳି ଦରଵ ଵ୍ୟଵହାର କରି ଲୋକେ ଧର୍ମଚ୍ୟୁତ ହେଉଥିଲେ । ଵିଦେଶକୁ ଗଲେ ଧର୍ମଚ୍ୟୁତ ହେଉଥିଲେ । ପଠାଣ କି ଖିରସ୍ତାନୀକୁ ବାହା ହେଵା ତ ଦୂରର କଥା ସେମାନଙ୍କ ସହିତ ଏକ ଥାନରେ ବସି ଖାଇଲେ ଧର୍ମ ଚାଲି ଯାଉଥିଲା । ବିସ୍କୁଟ ଚକୋଲେଟ ଆଦି ଵୈଦେଶିକ ଖାଦ୍ୟ ଦରଵକୁ ସମାଜରେ ବାସନ୍ଦ କରାଯାଇଥିଲା । ସୁରେନ୍ଦ୍ର ମହାନ୍ତିଙ୍କ "ଶତାବ୍ଦୀର ସୂର୍ଯ୍ୟ" ପୁସ୍ତକରୁ ଜଣାଯାଏ ଯେ ମଧୁବାବୁ କଲିକତାରୁ ଫେରି ତାଙ୍କ ଜନ୍ମମାଟି ତାଙ୍କ ଗାଆଁକୁ ଗଲାରୁ ସେ ଗାଆଁର ଲୋକେ ମଧୁବାବୁଙ୍କ ବସିଵା ପାଇଁ ତାଙ୍କରି ଗ୍ରାମସ୍ଥ ଘର ଆଗରେ ଚଟେଇଟିଏ ପକେଇ ଦେଲେ । ସେଇଠି ମଧୁବାବୁ କିଛି ସମୟ ବସି ବାହୁଡାଇଥିଲେ । ଆଜିର ତଥାକଥିତ କଠୋରପନ୍ଥୀ ହିନ୍ଦୁ ଯେତେ କାଠେଇ ଆଣ୍ଠେଇ କୁନ୍ଥେଇ ହିନ୍ଦୁ ହିନ୍ଦୁ ଚିତ୍କାର କରନ୍ତୁ ପଛେ ସେ ସମୟର ହିନ୍ଦୁ ସମାଜରେ ଗୋଟିଏ ଦିନ ବି କଟାଇ ପାରିବେ ଯଦି ବହୁତ ବଡ଼ କଥାଟିଏ ହୋଇଯିଵ । କିନ୍ତୁ ଏହାର ଅର୍ଥ ଏଇଆ ଆଦୌ ନୁହେଁ ଯେ ଖିରସ୍ତାନୀ ସମାଜ କି ଖିରସ୍ତାନୀମାନେ ପୂରା ସୁନାମୁଣ୍ଡା । 

ବ୍ରିଟିଶ ଶାସନର ଆରମ୍ଭରୁ ଅନ୍ତ ଯାଏଁ ଭାରତରେ ଅନେକ ବଡ଼ ବଡ଼ ଦୁର୍ଭିକ୍ଷ ପଡ଼ିଥିଲା ‌। ୧୭୭୦ ବଙ୍ଗ ଦୁର୍ଭିକ୍ଷ ବ୍ରିଟିଶ ଶାସନକାଳର ପ୍ରଥମ ଦୁର୍ଭିକ୍ଷ ଥିଲା , ସେହିପରି ବ୍ରିଟିଶ ଶାସନ ଅନ୍ତ ହେଵାର ଠିକ୍ ଚାରିଵର୍ଷ ପୂର୍ଵରୁ ସେଇ ବଙ୍ଗରେ ୧୯୪୩ରେ ଶେଷ ଥର ପାଇଁ ଦୁର୍ଭିକ୍ଷ ପଡ଼ିଥିଲା । ୧୭୮୩ରୁ ୧୭୮୪ ମଧ୍ୟରେ ଚାଳିଶା ଦୁର୍ଭିକ୍ଷ ଉତ୍ତର ଭାରତର କାଶ୍ମୀର,ରାଜପୁତାନା,ପଞ୍ଜାବ,ଅଵଧ ଆଦି ଅଞ୍ଚଳରେ ହୋଇଥିଲା । ୧୭୯୧ରୁ ୧୭୯୨ରେ ଦୋଜି ବାରା ଦୁର୍ଭିକ୍ଷ ହାଇଦ୍ରାବାଦ, ମହାରାଷ୍ଟ୍ର,ଡେକାନ ଅଞ୍ଚଳ, ଗୁଜରାଟ ଓ ମାରଵାଡ଼ ଅଞ୍ଚଳରେ ହୋଇଥିଲା। ୧୮୩୭ରୁ ୧୮୩୮ରେ ଆଗ୍ରା ଦୁର୍ଭିକ୍ଷ ଯୋଗୁଁ ଆଗ୍ରା, ଦିଲ୍ଲୀ,ଦୋଆଵ୍,ହିସାର୍ ଓ ଜମୁନା ଆଖପାଖର ଲକ୍ଷ ଲକ୍ଷ ଲୋକେ ମୃତ୍ୟୁଵରଣ କରିଥିଲେ । ଦୋଆଵ୍ ଅଞ୍ଚଳରେ ପୁଣି ୧୮୬୦-୬୧ରେ ଉପର ଦୋଆଵ୍ ଦୁର୍ଭିକ୍ଷ ପଡ଼ିଥିଲା। ୧୮୬୫ରୁ ୧୮୬୭ ଯାଏଁ ଓଡ଼ିଶାରେ ନଅ ଅଙ୍କ ଦୁର୍ଭିକ୍ଷ ପଡ଼ିଵାରୁ ପାଞ୍ଚ ନିଉତ ଲୋକ ମରିଥିଲେ। ୧୮୬୮ରୁ ୧୮୭୦ ମଧ୍ୟରେ ରାଜପୁତାନା ଦୁର୍ଭିକ୍ଷ ଯୋଗୁଁ ଆଜମେର୍, ପଶ୍ଚିମ ଆଗ୍ରା ଓ ପୂର୍ଵ ପଞ୍ଜାବର ଲୋକେ ହନ୍ତସନ୍ତ ହୋଇଥିଲେ। ୧୮୭୩-୭୪ରେ ବିହାର ଦୁର୍ଭିକ୍ଷ ଯୋଗୁଁ ଲୋକେ ପୁଣି ଦୁଃଖ ଭୋଗିଲେ । ୧୮୭୬-୭୮ରେ ଦକ୍ଷିଣ ଭାରତୀୟ ଦୁର୍ଭିକ୍ଷ ପଡ଼ିଥିଲା। ବମ୍ବେ ଡେକାନ୍, ବେଙ୍ଗଲ, ୟୁନାଇଟେଡ୍ ପ୍ରୋଭିନ୍ସ, ସେଣ୍ଟ୍ରାଲ୍ ପ୍ରୋଭିନ୍ସ ଓ ଏହାଵ୍ୟତୀତ ପଞ୍ଜାବର କିଛି ଅଂଶ ବିଶେଷ କରି ବାଗର ଅଞ୍ଚଳରେ ୧୮୯୬-୯୭ରେ ଯେଉଁ ଦୁର୍ଭିକ୍ଷ ଦେଖାଦେଲା Indian famine ଵା ଭାରତୀୟ ଦୁର୍ଭିକ୍ଷ କୁହାଗଲା । ପୁଣି ୧୮୯୯-୧୯୦୦ ବେଳକୁ ଏହି ଅଞ୍ଚଳରେ ଆଉଥରେ ଦୁର୍ଭିକ୍ଷ ହୋଇଥିଲା । ଏତଦଵ୍ୟତୀତ ଇଂରେଜ ଶାସନ ସମୟରେ ପ୍ରତିଵର୍ଷ ଭାରତର କୌଣସି ନା କୌଣସି ଅଞ୍ଚଳରେ ଦୁର୍ଭିକ୍ଷ ଭଳି ସ୍ଥିତି ନିଶ୍ଚୟ ଉପୁଜୁଥିଲା ।‌ କିନ୍ତୁ ୧୯୪୨-୪୩ର ବଙ୍ଗ ଦୁର୍ଭିକ୍ଷ ପରେ ଯେତେବେଳେ ବ୍ରିଟିଶ ଶାସନ ହଟିଗଲା ସେତେବେଳଠାରୁ ଏଯାଵତ୍ ଭାରତରେ ଆଉ କେବେ ବି ବଡ଼ ଧରଣର ଦୁର୍ଭିକ୍ଷ ପଡ଼ିନାହିଁ ‌। ଏହିକଥାର ଉଲ୍ଲେଖ କରି ଲେଖକ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ୍ ତାଙ୍କ ପୁସ୍ତକ The Idea of Justice(୨୦୦୯)ରେ ଲେଖିଛନ୍ତି “Though Indian democracy has many imperfections, nevertheless the political incentives generated by it have been adequate to eliminate major famines right from the time of independence. The last substantial famine in India — the Bengal famine — occurred only four years before the Empire ended. The prevalence of famines, which had been a persistent feature of the long history of the British Indian Empire, ended abruptly with the establishment of a democracy after independence.(ଯଦିଓ ଭାରତୀୟ ଗଣତନ୍ତ୍ରରେ ଅନେକ ତ୍ରୁଟି ରହିଛି, ତଥାପି ଏହା ଦ୍ୱାରା ସୃଷ୍ଟି ହୋଇଥିଵା ରାଜନୈତିକ ପ୍ରୋତ୍ସାହନ ସ୍ୱାଧୀନତା ପରଠାରୁ ବଡ଼ ଦୁର୍ଭିକ୍ଷର ଅନ୍ତ ଘଟାଇଵା ପାଇଁ ଯଥେଷ୍ଟ। ଭାରତରେ ଶେଷ ବଡ଼ ଦୁର୍ଭିକ୍ଷ - ବଙ୍ଗଳାର ଦୁର୍ଭିକ୍ଷ - ଇଂରାଜୀ ଶାସନ ଶେଷ ହେଵାର ମାତ୍ର ଚାରି ଵର୍ଷ ପୂର୍ଵରୁ ଘଟିଥିଲା । ବ୍ରିଟିଶ ଭାରତୀୟ ସାମ୍ରାଜ୍ୟର ଦୀର୍ଘ ଇତିହାସର ଏକ ନିରନ୍ତର ଵୈଶିଷ୍ଟ୍ୟ ଥିଵା ଦୁର୍ଭିକ୍ଷର ପ୍ରକୋପ ସ୍ୱାଧୀନତା ପରେ ଗଣତନ୍ତ୍ର ପ୍ରତିଷ୍ଠା ସହିତ ହଠାତ୍ ଶେଷ ହୋଇଗଲା ।)”

ଏତେ ସବୁ ଦୁର୍ଭିକ୍ଷ ପୁଣି ମଝିରେ ମଝିରେ ଦେଶଵ୍ୟାପୀ ମହାମାରୀ ରୋଗ ଵ୍ୟାପିଵା ପଛରେ ଭାରତୀୟମାନଙ୍କ ଵଂଶଲୋପର ଉଦ୍ଦେଶ୍ୟ ନଥିଲା ବୋଲି କୁହାଯାଇନପାରେ। ସ୍ଵର୍ଗଵାସୀ ଶ୍ରୀ ରାଜୀଵ ଦିକ୍ଷୀତ ସବୁବେଳେ କହୁଥିଲେ ଇଂରେଜମାନେ ଯାହା କରୁଥିଲେ ପଚାଶ ଵର୍ଷ ଆଗରୁ ତହିଁର ଯୋଜନା କରିରଖୁଥିଲେ । ତେଣୁ ହୁଏତ ଇଂରେଜମାନଙ୍କ ଦ୍ଵାରା ଯୋଜନାବଦ୍ଧ ଭାବେ ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଭାରତୀୟମାନଙ୍କୁ ମାରି ନିୟନ୍ତ୍ରିତ କରିଵାକୁ ଚେଷ୍ଟା ହୋଇଥିଲା ବୋଲି ଅନେକେ ମନେ କରନ୍ତି । ଯଦି ଏହା ସତ ହୋଇଥାଏ ତେବେ ୟୁରୋପୀୟ ଖିରସ୍ତାନୀମାନଙ୍କୁ ପତିତପାଵନ କହିଵା ଆଦୌ ଯୁକ୍ତିଯୁକ୍ତ ହେଵ ନାହିଁ । ପୁଣି ପୃଥିଵୀ ସାରା ସେ ସମୟରେ ୟୁରୋପୀୟ ଖିରସ୍ତାନୀମାନେ ଆନ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । 

ଇଂରେଜମାନେ ଖିରସ୍ତାନୀ, ୟୁରୋପୀୟ ବି ଅଧିକାଂଶ ଖିରସ୍ତାନୀ। ଅଷ୍ଟ୍ରେଲିଆକୁ ଯାଇ ସେଠାକାର ଷାଠିଏ ହଜାର ଲୋକମାନଙ୍କୁ ପ୍ରତ୍ୟକ୍ଷ ଭାବେ ହତ୍ୟା କରିଵା ଛଡ଼ା ମହାମାରୀ ରୋଗ ସ୍ଥାନୀୟ ଲୋକଙ୍କୁ ଦେଇ ଲକ୍ଷାଧିକ ପ୍ରାଚୀନ ଅଷ୍ଟ୍ରେଲୀୟ ନିଵାସୀଙ୍କୁ ମାରି ଦେଇଥିଲେ । ଅଷ୍ଟ୍ରେଲିଆର ଏହି ଆଦିଵାସୀମାନଙ୍କର ଛୁଆମାନଙ୍କୁ ଚୋରେଇ ନେଇ ନିଜର ଚାକର କରି ରଖୁଥିଲେ ଖିରସ୍ତାନୀ। ଏହା କି ପ୍ରକାରର ପତିତପାବନୀ ଗୁଣ ଥିଲା ? ଉତ୍ତର ଆମେରିକା ମହାଦେଶଦ୍ଵୟରେ ୫୫ ନିଉତ ପ୍ରାଚୀନ ଅଧିଵାସୀଙ୍କୁ ୟୁରୋପୀୟ ଖିରସ୍ତାନୀମାନେ ୧୫୦୦ରୁ ୧୮୦୦ ମଧ୍ୟରେ ମାରି ଦେଇଥିଲେ । ଅଶିରୁ ପଞ୍ଚାନବେ ପ୍ରତିଶତ ଆମେରିକୀୟ ମୂଳନିଵାସୀ ୟୁରୋପୀୟଙ୍କ ଆମେରିକା ଆଗମନର ଦେଢ଼ଶହ ଵର୍ଷ ମଧ୍ୟରେ ହତ୍ୟା, ମହାମାରୀ ଆଦିରେ ପଡ଼ି ମରି ଯାଇଥିଲେ । ସେହିପରି ଆଫ୍ରିକାରୁ କଳା ଲୋକମାନଙ୍କୁ ଗୋରା ଖିରସ୍ତାନୀ ଗୋରୁଙ୍କ ପରି ବାନ୍ଧି ଆମେରିକାରେ ଆଣି ଗଧ ଭଳି ଶତାଧିକ ଵର୍ଷ ଗୋଲାମ କରି ଖଟାଇଥିଲେ । ପ୍ରାୟ ୧୨.୫ ନିଉତ ଆଫ୍ରିକୀୟମାନଙ୍କୁ ସେତେବେଳେ ଖିରସ୍ତାନୀ ଗୋରାମାନେ ଗୋଲାମ କରିଥିଵା ଜଣାଯାଏ । ସେହିପରି ଆଫ୍ରିକାର ଅର୍ଦ୍ଧାଧିକ ଜନଜାତୀୟ ଲୋକଙ୍କୁ ୟୁରୋପୀଦ ଖିରସ୍ତାନୀମାନେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ମାରି ଦେଇଥିଲେ । ଆଜି ବି ଆଫ୍ରିକାର ଅନେକ ଦେଶ ଅନଗ୍ରସର ଓ ଦୁର୍ଭିକ୍ଷ ପ୍ରପୀଡି଼ତ ଏହାର ଗୋଟିଏ ବଡ଼ କାରଣ ଗୋରା ୟୁରୋପୀୟ ଖିରସ୍ତାନୀମାନଙ୍କ ଶୋଷଣ ଓ ଲୁଣ୍ଠନ ଅଟେ । ଏସିଆର ଅନ୍ୟ ଦେଶ କଥା କ'ଣ କହିଵା, କେଵଳ ଭାରତରେ ଇଂରେଜମାନଙ୍କ ଦ୍ଵାରା ପ୍ରତ୍ୟକ୍ଷରେ ଷାଠିଏରୁ ୧୫୦ ନିଉତ ଲୋକ ମୃତ୍ୟୁଵରଣ କରିଥିଲେ। ତାହେଲେ ୟୁରୋପୀୟ ଗୋରା ଖିରସ୍ତାନୀଙ୍କୁ ଫକୀରମୋହନଙ୍କ ଦ୍ଵାରା ପତିତପାଵନ କହିଵା ଯୁକ୍ତିଯୁକ୍ତ ଥିଲା କି ? ଆଜି ସିନା ଇଂରେଜମାନଙ୍କ ଅତ୍ୟାଚାର ସମ୍ବନ୍ଧୀୟ ତଥ୍ୟ ଅନ୍ତର୍ଜାଲରେ ବହି ରୂପରେ ସହଜେ ଉପଲବ୍ଧ କିନ୍ତୁ ଫକୀରମୋହନଙ୍କ ସମୟରେ ଏତେ ସବୁ ତଥ୍ୟ ସହଜରେ ମିଳୁନଥିଲା ତେଣୁ ସେ ଵା କେମିତି ଗୋରା ଖିରସ୍ତାନୀଙ୍କ ଵିଶ୍ଵଵ୍ୟାପୀ ଅତ୍ୟାଚାର ଵିଷୟରେ ଜାଣନ୍ତେ । ଅଵଶ୍ୟ ଧର୍ମାନ୍ତରୀକରଣର ସ୍ଵାର୍ଥ ରଖି ମିସନରୀମାନଙ୍କ ଦ୍ଵାରା ସେତେବେଳେ ହିନ୍ଦୁ କାଙ୍ଗାଳିମାନଙ୍କର ଯତ୍ନ ଓ ସେଵା କରାଯାଇଥିଲା ଏଵଂ ଏକଥା ଫକୀରମୋହନ ନିଜେ ମଧ୍ୟ ଉଲ୍ଲେଖ କରିଛନ୍ତି ତଥାପି ତତ୍କାଳୀନ ମୌଳିଵାଦୀ ହିନ୍ଦୁ ସମାଜକୁ କାଙ୍ଗାଳିମାନଙ୍କ ପ୍ରତି ସହନଶୀଳ ଦୟାଶୀଳ ହେଵାକୁ ଵାର୍ତ୍ତା ଦେଵା ପାଇଁ ଫକୀରମୋହନ ଖିରସ୍ତାନୀ ମିସନରୀମାନଙ୍କର ପ୍ରଶଂସା କରିଥିଵା ଅନୁମାନ କରାଯାଇପାରେ । 

ମୋଟ ଉପରେ କହିଵାକୁ ଗଲେ ଫକୀରମୋହନ ସେନାପତି ତାଙ୍କ ଆତ୍ମଜୀଵନୀରେ "ଓଡ଼ିଶା ଦୁର୍ଭିକ୍ଷ" ପ୍ରସଙ୍ଗରେ ନଅ ଅଙ୍କ ଦୁର୍ଭିକ୍ଷରେ ଲକ୍ଷାଧିକ ଜନହାନୀ ପାଇଁ ପ୍ରକୃତି, ରେଭେନ୍ସା, ସରକାରୀ ଅଣଓଡ଼ିଆ ସିରସ୍ତଦାର,ପେସ୍କାର ଓ ପଲ୍ଟିକାଲ୍ ଏଜେଣ୍ଟ, ସ୍ଥାନୀୟ ଧନୀକ, ସରକାର, ସ୍ଵୟଂ କାଙ୍ଗାଳି,ମୌଳିଵାଦୀ ହିନ୍ଦୁ ସମାଜ ଓ ଛତ୍ର ଲଗାଇଥିଵା ଖିରସ୍ତାନୀ ଇତ୍ୟାଦି ଅନେକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଦୋଷୀ କରିଛନ୍ତି । ଅତଏଵ ଫକୀରମୋହନଙ୍କୁ ଏସମସ୍ତ ପକ୍ଷ ମଧ୍ୟରେ
ଗୋଟିଏ ପକ୍ଷର ପକ୍ଷଧର ଭାବିବା ଭୁଲ୍ ଓ ତାଙ୍କ ପ୍ରତି ନିତାନ୍ତ ଅନ୍ୟାୟ ନୁହେଁ କି ?
 













ଦୁନିଆର ହାଲଚାଲ ପ୍ରଥମ ଭାଗର କିଛି ଅଂଶ(ସଂଗୃହୀତ)

ଶରତ୍‌କାଳ । ଚାନ୍ଦିନୀ ରାତି ! ଶନିବାର ! ଆମ୍ଭେମାନେ କଟକ ପ୍ରଵାସୀ କଚେରିଆ । ସସ୍ତ୍ରୀକ ଵିଦେଶଵାସ ଆଜି ପର୍ଯ୍ୟନ୍ତ ଭଗଵାନ୍ କପାଳରେ ଲେଖୁ ନାହାନ୍ତି । ଅତଏଵ ଵାଧ୍ୟ ...