Monday, December 15, 2025

ଓଡ଼ିଆ ଜାଗରଣର ପଥପ୍ରଦର୍ଶକ ପଣ୍ଡିତ ନୀଳମଣି ଵିଦ୍ୟାରତ୍ନ

ନୀଳମଣି ଵିଦ୍ୟାରତ୍ନ ଓଡ଼ିଶାର ଜଣେ ଅମର ସନ୍ତାନ ଭାଵେ ଚିରସ୍ମରଣୀୟ ହୋଇ ରହିଛନ୍ତି ଯାହାଙ୍କର ଜୀଵନ ଓ କର୍ମ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଏଵଂ ଓଡ଼ିଶାର ରାଜନୈତିକ ଏକତ୍ରୀକରଣ ଆନ୍ଦୋଳନରେ ଅଵିସ୍ମରଣୀୟ ଅଵଦାନ ରଖିଛି । ସେ ଜଣେ ଵିଦ୍ୱାନ ସାମ୍ଵାଦିକ ସମାଜ ସୁଧାରକ ଏଵଂ ଦେଶପ୍ରେମୀ ନେତା ଥିଲେ ଯାହାଙ୍କର ନିର୍ଭୀକ ଲେଖନୀ ଓ ସାଙ୍ଗଠନିକ କ୍ଷମତା ଓଡ଼ିଆ ଜାତିକୁ ଏକତ୍ରିତ କରିଵାରେ ମୁଖ୍ୟ ଭୂମିକା ନିର୍ଵାହ କରିଥିଲା । ଓଡ଼ିଶାର ଵିଭିନ୍ନ ଅଞ୍ଚଳ ବ୍ରିଟିଶ୍ ଶାସନ ଅଧୀନରେ ଵିଭକ୍ତ ଥିଵା ସମୟରେ ସେ ଓଡ଼ିଆ ଭାଷାର ସୁରକ୍ଷା ଏଵଂ ଵିଛିନ୍ନ ଓଡ଼ିଆ ଅଞ୍ଚଳକୁ ଏକତ୍ର କରି ଏକ ପ୍ରଦେଶ ଗଠନର ଆହ୍ୱାନ ଦେଇଥିଲେ । ତାଙ୍କର ସାମ୍ଵାଦିକତା ନିଷ୍ଠାପର ଏଵଂ ସତ୍ୟନିଷ୍ଠ ଥିଲା ଯାହା ତତ୍କାଳୀନ ସମାଜରେ କୁସଂସ୍କାର ଵିରୁଦ୍ଧରେ ଲଢ଼େଇ କରିଥିଲା ଏଵଂ ଓଡ଼ିଆ ଜାତିର ଜାଗରଣ ଘଟାଇଥିଲା । ନୀଳମଣି ଵିଦ୍ୟାରତ୍ନଙ୍କ ଜୀଵନ କାହାଣୀ ହେଉଛି ନିଷ୍ଠା ଅଧ୍ୟଵସାୟ ଏଵଂ ଦେଶପ୍ରେମର ଏକ ଉଜ୍ଜ୍ୱଳ ଉଦାହରଣ ଯାହା ଆଜି ବି ଓଡ଼ିଶାର ଯୁଵପିଢ଼ିକୁ ପ୍ରେରଣା ଯୋଗାଇଥାଏ ।


ନୀଳମଣି ଵିଦ୍ୟାରତ୍ନ ୧୮୬୭ ମସିହା ଡିସେମ୍ଵର ୧୪ ତାରିଖରେ କଟକ ଜିଲ୍ଲାର ବାଙ୍କି ଉପଖଣ୍ଡ ଅନ୍ତର୍ଗତ ଵୈଦେଶ୍ୱର ନିକଟସ୍ଥ ଵ୍ରଜଵିହାରୀପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେଠାରେ ଜନ୍ମ ହେଵା କାରଣରୁ ତାଙ୍କୁ ବାଙ୍କୀର ଵିଦ୍ୟାରତ୍ନ ଵୋଲି ମଧ୍ୟ କୁହାଯାଏ । ତାଙ୍କର ପରିଵାର ଏକ ସାଧାରଣ ବ୍ରାହ୍ମଣ ପରିଵାର ଥିଲା ଯେଉଁଠାରେ ଶାସ୍ତ୍ର ପୁରାଣ ଏଵଂ ସାହିତ୍ୟର ପରମ୍ପରା ରହିଥିଲା । ଵାଲ୍ୟକାଳରେ ସେ ଗ୍ରାମ୍ୟ ଵିଦ୍ୟାଳୟରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ ଏଵଂ ଘରୋଇ ଭାଵେ ସଂସ୍କୃତ ଓଡ଼ିଆ ଶାସ୍ତ୍ର ପୁରାଣ ଆଦିରେ ଗଭୀର ଜ୍ଞାନ ଆହରଣ କରିଥିଲେ । ନିଜର ଅଧ୍ୟଵସାୟ ଦ୍ୱାରା ସେ ଇଂରାଜୀ ଏଵଂ ଵଙ୍ଗଳା ଭାଷାରେ ମଧ୍ୟ ପାରଙ୍ଗମତା ଲାଭ କରିଥିଲେ । ତତ୍କାଳୀନ ସ୍କୁଲ ଇନସ୍ପେକ୍ଟର ରାଧାନାଥ ରାୟ ତାଙ୍କର ଜ୍ଞାନ ଓ ଶିକ୍ଷା ପ୍ରତି ଆଗ୍ରହ ଦେଖି ବାମଣ୍ଡା ଗଡ଼ଜାତର ଗୋପୀନାଥପୁର ପ୍ରାଥମିକ ଵିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ଦେଇଥିଲେ । ଏହି ସମୟରେ ସେ ବାମଣ୍ଡା ରାଜ୍ୟର ରାଜା ଵାସୁଦେଵ ସୁଢଳ ଦେଵଙ୍କୁ ସାକ୍ଷାତ କରିଥିଲେ ଯାହାଙ୍କର ପ୍ରଶ୍ରୟରେ ତାଙ୍କର ଜୀଵନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା ।

ବାମଣ୍ଡା ରାଜା ଵାସୁଦେଵ ସୁଢଳ ଦେଵ ନୀଳମଣିଙ୍କର ପାଣ୍ଡିତ୍ୟ ଓ ଵ୍ୟକ୍ତିତ୍ୱରେ ମୁଗ୍ଧ ହୋଇ ୧୮୮୯ ମସିହାରେ ସମ୍ଵଲପୁର ହିତୈଷିଣୀ ପତ୍ରିକାର ସମ୍ପାଦକ ଦାୟିତ୍ୱ ଅର୍ପଣ କରିଥିଲେ । ଏହି ପତ୍ରିକା ବଡ଼ମ୍ଵାରୁ ପ୍ରକାଶିତ ହେଉଥିଲା ଏଵଂ ରାଜାଙ୍କର ସାହିତ୍ୟ ଓ ସଂସ୍କୃତି ପ୍ରତି ଆଗ୍ରହ କାରଣରୁ ଏହା ଓଡ଼ିଆ ସାହିତ୍ୟର ଵିକାଶରେ ମୁଖ୍ୟ ଭୂମିକା ନେଇଥିଲା । ନୀଳମଣି ଏହି ପତ୍ରିକା ମାଧ୍ୟମରେ ଗଙ୍ଗାଧର ମେହେର ରାଧାନାଥ ରାୟ ଆଦି କଵିଙ୍କ ରଚନା ପ୍ରକାଶ କରି ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ । ଏହା ସହିତ ସେ ନିଶାସକ୍ତି ଵାଲ୍ୟଵିଵାହ କୁସଂସ୍କାର ଅଶିକ୍ଷା ଆଦି ଵିରୁଦ୍ଧରେ ଲେଖା ପ୍ରକାଶ କରି ସମାଜ ସୁଧାରର ଆହ୍ୱାନ ଦେଇଥିଲେ । ରାଜା ତାଙ୍କର ଗୁଣକୁ ସମ୍ମାନ ଦେଇ ଵିଦ୍ୟାରତ୍ନ ଉପାଧି ପ୍ରଦାନ କରିଥିଲେ ଯାହା ତାଙ୍କର ନାମର ଅଵିଚ୍ଛେଦ୍ୟ ଅଂଶ ହୋଇଗଲା । କିନ୍ତୁ ସେ ନିର୍ଭୀକ ସାମ୍ଵାଦିକ ଥିଵାରୁ ରାଜାଙ୍କ ସହ ମତଭେଦ ହେଵାରୁ ବାମଣ୍ଡା ଏଵଂ ହିତୈଷିଣୀ ପରିତ୍ୟାଗ କରି ଗଞ୍ଜାମ ଅଞ୍ଚଳକୁ ଚାଲିଯାଇଥିଲେ ।

ଗଞ୍ଜାମର ଖଲ୍ଲିକୋଟ ରାଜ୍ୟରେ ରାଜା ହରିହର ମର୍ଦ୍ଦରାଜ ନୀଳମଣିଙ୍କର ପାଣ୍ଡିତ୍ୟ ଓ ସାଙ୍ଗଠନିକ କ୍ଷମତାକୁ ଚିହ୍ନି ରମ୍ଭା ପ୍ରେସ ପ୍ରତିଷ୍ଠା କରି ପତ୍ରିକା ପ୍ରକାଶନ ପାଇଁ ଅନୁରୋଧ କରିଥିଲେ । ୧୯୦୨ ମସିହା ଜୁନ୍ ୨୫ ତାରିଖରେ ନୀଳମଣିଙ୍କ ସମ୍ପାଦନାରେ ପ୍ରଜାବନ୍ଧୁ ସାପ୍ତାହିକ ପ୍ରକାଶିତ ହୋଇଥିଲା । ଏହି ପତ୍ରିକା ଓଡ଼ିଆ ଵିଛିନ୍ନାଞ୍ଚଳର ଏକତ୍ରୀକରଣ ଆନ୍ଦୋଳନର ମୁଖ୍ୟ ମାଧ୍ୟମ ହୋଇଥିଲା । ଏଥିରେ ସେ ଓଡ଼ିଆ ଭାଷାର ସୁରକ୍ଷା ଏଵଂ ଵିଭିନ୍ନ ପ୍ରଦେଶରେ ଵିଭକ୍ତ ଓଡ଼ିଆଙ୍କୁ ଏକତ୍ର କରିଵାର ଆହ୍ୱାନ ଦେଇଥିଲେ । ଗଞ୍ଜାମର ଵିଭିନ୍ନ ଗ୍ରାମରେ ପ୍ରଜାଵନ୍ଧୁ ସମିତି ଗଠନ ହୋଇଥିଲା ଯାହା ପରେ ଗଞ୍ଜାମ ଜାତୀୟ ସମିତି ରୂପ ନେଇଥିଲା । ଏହି ସମିତି ଓଡ଼ିଶା ଏକତ୍ରୀକରଣର ପ୍ରଥମ ସଂଗଠିତ ପ୍ରୟାସ ଥିଲା ଏଵଂ ଉତ୍କଳ ସମ୍ମିଳନୀର ପୂର୍ଵସୂରୀ ଭାବେ ଵିଵେଚିତ ହୋଇଥାଏ । ନୀଳମଣି ପରେ ଗଞ୍ଜାମ ଗୁଣ ଦର୍ପଣ ଉତ୍କଳ ମଧୁପ ଉତ୍କଳ ଦୀପିକା ଆଦି ପତ୍ରିକା ସମ୍ପାଦନା କରିଥିଲେ ଯାହା ଓଡ଼ିଆ ଜାତୀୟତାଵାଦର ପ୍ରଚାରରେ ସହାୟକ ହୋଇଥିଲା ।

ଓଡ଼ିଶାର ଏକତ୍ରୀକରଣ ଆନ୍ଦୋଳନରେ ନୀଳମଣି ଵିଦ୍ୟାରତ୍ନଙ୍କର ଭୂମିକା ଅତୁଳନୀୟ । ତତ୍କାଳୀନ ସମୟରେ ଓଡ଼ିଆ ଅଞ୍ଚଳ ବଙ୍ଗ ମଧ୍ୟପ୍ରଦେଶ ମଦ୍ରାସ ପ୍ରେସିଡେନ୍ସି ଆଦିରେ ଵିଭକ୍ତ ଥିଲା ଏଵଂ ଵିଭିନ୍ନ ସ୍ଥାନରେ ଓଡ଼ିଆ ଭାଷା ଉପରେ ଆକ୍ରମଣ ହେଉଥିଲା । ସମ୍ଵଲପୁରରେ ହିନ୍ଦୀ ଏଵଂ ଗଞ୍ଜାମରେ ତେଲୁଗୁ ଭାଷାର ପ୍ରଭାଵ ଵଢ଼ୁଥିଵା ବେଳେ ନୀଳମଣି ହିତୈଷିଣୀ ଏଵଂ ପ୍ରଜାବନ୍ଧୁ ମାଧ୍ୟମରେ ଓଡ଼ିଆ ଭାଷା ଆନ୍ଦୋଳନକୁ ଉଜ୍ଜୀଵିତ କରିଥିଲେ । ଉତ୍କଳ ଗୌରଵ ମଧୁସୂଦନ ଦାସ ଏଵଂ ଉତ୍କଳମଣି ଗୋପଵନ୍ଧୁ ଦାସ ତାଙ୍କର ସାଙ୍ଗଠନିକ ଶକ୍ତିରେ ମୁଗ୍ଧ ହୋଇଥିଲେ । ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାରେ ତାଙ୍କର ପ୍ରେରଣା ଏଵଂ ପରାମର୍ଶ ମୁଖ୍ୟ ଥିଲା । ସେ ଓଡ଼ିଆ ଭାଷାର ଶୁଦ୍ଧତା ଉଚ୍ଚାରଣ ଏଵଂ ଲେଖନ ଶୈଳୀ ଉପରେ ଗୁରୁତ୍ୱ ଦେଇ ଓଡ଼ିଆ ଭାଷା ଆନ୍ଦୋଳନକୁ ସଶକ୍ତ କରିଥିଲେ । ତାଙ୍କର ଲେଖା ଦ୍ୱାରା ଅନେକ ରାଜା ମହାରାଜା ଓଡ଼ିଆ ଏକତାରେ ଯୋଗ ଦେଇଥିଲେ ଏଵଂ ଶେଷରେ ୧୯୩୬ ମସିହାରେ ଓଡ଼ିଶା ଏକ ପୃଥକ ପ୍ରଦେଶ ରୂପେ ଗଠିତ ହୋଇଥିଲା ।

ନୀଳମଣି ଵିଦ୍ୟାରତ୍ନ କେଵଳ ସାମ୍ଵାଦିକ ନ ଥିଲେ ସେ ଜଣେ ସାହିତ୍ୟିକ ମଧ୍ୟ ଥିଲେ । ସେ ଶ୍ଳୋକ ମୁକ୍ତାଵଳୀ, ଜଳ ଚିକିତ୍ସା ଓ ଗୋ ଚିକିତ୍ସା ଆଦି ପୁସ୍ତକ ରଚନା କରିଥିଲେ ଯାହା ସାଧାରଣ ଜ୍ଞାନ ଏଵଂ ସ୍ୱାସ୍ଥ୍ୟ ଵିଜ୍ଞାନ ଉପରେ ଆଲୋକପାତ କରିଥିଲା । ତାଙ୍କର ରଚନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି । ସେ ଶଶୀ ଭୂଷଣ ରଥ ଆଦି ଯୁଵ ସାମ୍ଵାଦିକଙ୍କୁ ପ୍ରେରଣା ଦେଇ ଆଶା ପତ୍ରିକା ଆରମ୍ଭ କରାଇଥିଲେ ଯାହା ଓଡ଼ିଶାର ପ୍ରଥମ ଦୈନିକ ପତ୍ରିକା ହୋଇଥିଲା । ତାଙ୍କର ଜୀଵନ ଦେଶପ୍ରେମ ସମାଜ ସେଵା ଏଵଂ ଭାଷା ପ୍ରେମର ଏକ ଆଦର୍ଶ ଥିଲା । ୧୯୨୩ ମସିହା ଜୁଲାଇ ୨୬ ତାରିଖରେ ସେ ଇହଲୀଳା ସମ୍ଵରଣ କରିଥିଲେ କିନ୍ତୁ ତାଙ୍କର ଅଵଦାନ ଓଡ଼ିଶାର ଇତିହାସରେ ଚିର ଅମ୍ଳାନ । ଆଜି ବି ତାଙ୍କର ଜନ୍ମଦିଵସରେ ଓଡ଼ିଶାଵାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସ୍ମରଣ କରି ଓଡ଼ିଆ ଗର୍ଵର ଅନୁଭଵ କରନ୍ତି । ନୀଳମଣି ଵିଦ୍ୟାରତ୍ନଙ୍କ ଭଳି ମହାମାନଵ ଓଡ଼ିଶାର ଗର୍ଵ ଓ ଗୌରଵ ଏଵଂ ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହୋଇଛି କିନ୍ତୁ ତାଙ୍କର ଆଦର୍ଶ ଆମକୁ ସଦା ସର୍ଵଦ ପଥ ପ୍ରଦର୍ଶକ ହୋଇ ରହିଛି ।

•••••••••••••••••••••••••••••••••

ତଥ୍ୟ ଉତ୍ସ

ପଣ୍ଡିତ ନୀଳମଣି ଵିଦ୍ୟାରତ୍ନ - ଗଣେଷ ରାମ ନାହାକ (୨୦୦୯)

History of Journalism in Odisha - ବିଭିନ୍ନ ଓଡ଼ିଶା ସରକାରୀ ପ୍ରକାଶନ ଏଵଂ ଓଡ଼ିଶା ରିଭ୍ୟୁ ଆଦି

Odia Press and Freedom Movement - ଵିଭିନ୍ନ ଐତିହାସିକ ଲେଖା ଏଵଂ ଓଡ଼ିଶାର ଇତିହାସ ସମ୍ବନ୍ଧୀୟ ପୁସ୍ତକ ।

•••••••••••••••••••••••••••••••••

Sunday, December 14, 2025

ମଣିଷମାନେ ସର୍କିଟ୍ ବୋର୍ଡ କେମିତି ତିଆରି କଲେ ?

ଆପଣଙ୍କର ଟିଭି, ରେଡିଓ, ମୋବାଇଲ୍ ଭିତରେ ସାଧାରଣତଃ ଗୋଟିଏ କିମ୍ବା ଏକାଧିକ ସବୁଜ ରଙ୍ଗର କାର୍ଡ୍‌ ଲାଗିଥାଏ । ସେହି କାର୍ଡକୁ ଅନେକେ ହୁଏତ ସର୍କିଟ ବୋର୍ଡ୍ ଵା Printed Circuit Board - PCB ନାମରେ ଜାଣିଥିବେ । ଏହି PCB ଵା ସର୍କିଟ୍ ବୋର୍ଡକୁ ଦେଖି ସାଧାରଣ ଲୋକେ ଭାବିବେ ହଁ ମ ୟାର କ'ଣ ଵିଶେଷତା ଅଛି ? କିନ୍ତୁ ଏହି ସାଧାରଣ ଦେଖାଯାଉଥିଵା ସବୁଜ ବୋର୍ଡ୍‌ ହିଁ ଆଧୁନିକ ଇଲେକ୍ଟ୍ରୋନିକ୍ସ୍‌ର ମୂଳ ଆଧାର । ଏହା ବିନା ଆଜିର ସ୍ମାର୍ଟଫୋନ୍‌, କମ୍ପ୍ୟୁଟର୍‌, ଟେଲିଭିଜନ୍‌ କିମ୍ବା ଅନ୍ୟ ଯନ୍ତ୍ରଗୁଡ଼ିକ କଳ୍ପନା କରାଯାଇନପାରେ । ଏହି ବୋର୍ଡ୍‌ର ଇତିହାସ ଅତ୍ୟନ୍ତ ରୋମାଞ୍ଚକର ଏଵଂ ଆଜକୁ ପ୍ରାୟ ୨୬୦୦ ଵର୍ଷ ତଳେ ସ୍ଥିର ଵିଦ୍ୟୁତର ପ୍ରଥମ ଉଲ୍ଲେଖ ସହିତ ଏହାର ଇତିହାସ ଆରମ୍ଭ ହୋଇଥିଲା। 
ଖ୍ରୀଷ୍ଟପୂର୍ଵ ୬୦୦ ମସିହାରେ ମିଲେଟସ୍‌ ନଗରର ଦାର୍ଶନିକ ଥେଲସ୍‌ ଏକ ଅଦ୍ଭୁତ ଘଟଣା ଲକ୍ଷ୍ୟ କଲେ। ସେ ଦେଖିଲେ ଯେ, Amber (ଗ୍ରୀକ୍‌ ଭାଷାରେ elektron) ନାମକ ଏକ ହଳଦିଆ ରଙ୍ଗର ପଥରକୁ ପଶମ କିମ୍ବା ଉଲ୍‌‌ରେ ଘଷିଲେ ସେଥିରେ ଏକ ଅଦୃଶ୍ୟ ଶକ୍ତି ଉତ୍ପନ୍ନ ହୁଏ, ଯାହା ଶସ୍ୟଚଷୁ, କାଗଜ ଖଣ୍ଡ କିମ୍ବା କେଶକୁ ନିଜ ଆଡ଼କୁ ଟାଣି ଆଣେ। ଏହି ଘଟଣାକୁ ସେ ସମ୍ଭଵତଃ ପ୍ରଥମେ ରେକର୍ଡ କରିଥିଲେ। ଏହା ସ୍ଥିର ଵିଦ୍ୟୁତ୍ (Static Electricity) ଅଟେ ଏଵଂ ଏହି ଗ୍ରୀକ୍‌ ଶବ୍ଦ elektronରୁ ବହୁତ ପରେ ଇଂରାଜୀରେ Electricity ଓ Electron ଶବ୍ଦ ସୃଷ୍ଟି ହେଲା। ପ୍ରାଚୀନ ରୋମାନ୍‌,ଭାରତ ଓ ଚୀନ୍‌ ଦେଶରେ ମଧ୍ୟ ଏହି ପରୀକ୍ଷା ହେଉଥିଲା। କିନ୍ତୁ ଏହି ସ୍ଥିର ଵିଦ୍ୟୁତକୁ ସେତେବେଳେ କେହି ବି ନିରନ୍ତର ପ୍ରଵାହରେ ପରିଣତ କରିପାରି ନ ଥିଲେ ।

ମଧ୍ୟଯୁଗରେ ଧାର୍ମିକ ଏକଛତ୍ରଵାଦ ଯୋଗୁଁ ଵିଦ୍ୟୁତ୍‌ ଵିଷୟରେ ଵିଶେଷ ଅଗ୍ରଗତି ହେଲା ନାହିଁ। ଚର୍ଚ୍ଚ ଓ ଧର୍ମଗ୍ରନ୍ଥ ପ୍ରଭାଵରେ ଵୈଜ୍ଞାନିକ ଚିନ୍ତାଧାରା ଦମନ ହେଲା। କିନ୍ତୁ ଷୋଡ଼ଶ ଶତାବ୍ଦୀରେ ରେନେସାଁ ଯୁଗ ଆସିଵା ପରେ ପୁନର୍ଵାର କୌତୂହଳ ଜାଗ୍ରତ ହେଲା। ୧୬୦୦ ମସିହାରେ ଇଂଲଣ୍ଡର ଵୈଜ୍ଞାନିକ William Gilbert ନିଜର ପୁସ୍ତକ De Magneteରେ ସ୍ଥିର ଵିଦ୍ୟୁତ୍ ଓ ଚୁମ୍ବକତ୍ୱର ପାର୍ଥକ୍ୟ ବୁଝାଇଲେ ଏଵଂ ପ୍ରଥମ କରି ଲାଟିନ୍‌ ଶବ୍ଦ “electrica” ଵ୍ୟଵହାର କଲେ। 
ଅଷ୍ଟାଦଶ ଶତାବ୍ଦୀରେ ଆମେରିକାର ବେଞ୍ଜାମିନ୍‌ ଫ୍ରାଙ୍କଲିନ୍‌ ତାଙ୍କର ଵିଖ୍ୟାତ ଘୁଡ଼ି ପରୀକ୍ଷା କରି ଦେଖାଇଲେ ଯେ ଵିଜୁଳି ଓ ସ୍ଥିର ବିଦ୍ୟୁତ୍‌ ଏକା ପ୍ରକାରର ଶକ୍ତି। ଫ୍ରାଙ୍କଲିନ୍‌ ଝଡ଼ ଵର୍ଷା ଦିନେ ରେଶମୀ ସୂତା ସହିତ ଏକ ସିଲ୍କ ହ୍ୟାଣ୍ଡକର୍ଚିଫ୍‌ରେ ତିଆରି ଘୁଡ଼ି ଉଡ଼ାଇଲେ। ପତଙ୍ଗର ଉପର ବିନ୍ଦୁରେ ଏକ ଧାରୁଆ ଲୁହା ତାର ଲଗାଇଥିଲେ ଯାହା ଵିଜୁଳିକୁ ଆକର୍ଷଣ କରିପାରିଵ। ସୂତାର ତଳ ପାଖରେ ଏକ ଲୁହା ଚାବି ବାନ୍ଧି ରଖିଥିଲେ ଏଵଂ ସେହି ଚାବି ସହିତ ଏକ ଲେଡେନ୍‌ ଜାର୍‌ (Leyden jar) ନାମକ ପ୍ରାଚୀନ ଵିଦ୍ୟୁତ୍‌ ସଞ୍ଚୟକାରୀ ଯନ୍ତ୍ର ଯୋଡ଼ିଥିଲେ। ଫ୍ରାଙ୍କଲିନ୍‌ ନିଜେ ଏକ ଶୁଖିଲା ଜାଗାରେ ଘର ବାରଣ୍ଡା ତଳେ ଠିଆ ହୋଇ ରେଶମୀ ସୂତାର ଅଂଶ ଧରି ରହିଥିଲେ ।ଏହି ରେଶମ ସୂତା ଵିଦ୍ୟୁତ୍‌ ଅପରିଵାହୀ ହେତୁ ସୁରକ୍ଷିତ ଥିଲା ।
ଯେତେବେଳେ ମେଘ ଉପରେ ଵିଜୁଳି ଚମକୁଥିଲା ଓ ଝଡ଼ ଵର୍ଷା ହେଉଥିଲା, ଘୁଡ଼ି ମେଘ ନିକଟକୁ ଯାଇ ଵିୟୁମଣ୍ଡଳରେ ଥିବା ବିଦ୍ୟୁତ୍‌ ଆଵେଶ (electric charge)କୁ ଆକର୍ଷଣ କଲା। ସେହି ଵିଦ୍ୟୁତ୍‌ ଘୁଡ଼ିର ତାର ଦେଇ ସୂତା ତଳକୁ ଆସି ଚାବି ନିକଟରେ ସଞ୍ଚିତ ହେଲା। ଫ୍ରାଙ୍କଲିନ୍‌ ଆଙ୍ଗୁଳି ଚାବି ନିକଟକୁ ଆଣିଲେ ଚମକିଲା ସ୍ଫୁଲିଙ୍ଗ (spark) ବାହାରିଲା ଏଵଂ ଲେଡେନ୍‌ ଜାର୍‌ରେ ଵିଦ୍ୟୁତ୍‌ ସଞ୍ଚୟ ହେଲା। ଏହା ସ୍ପଷ୍ଟ ପ୍ରମାଣ କରିଦେଲା ଯେ ଵଜ୍ରପାତ ଓ ସ୍ଥିର ଵିଦ୍ୟୁତ୍‌ ଏକା ପ୍ରକାରର ଅଟେ । ଏହି ପରୀକ୍ଷା ଅତ୍ୟନ୍ତ ଵିପଦପୂର୍ଣ୍ଣ ଥିଲା ଏଵଂ ପରେ ଅନେକ ଲୋକ ଏହାର ଅନୁକରଣ କରି ମରିଯାଇଥିଲେ ତଥାପି ଏହା ଵିଦ୍ୟୁତ୍‌ ଵିଜ୍ଞାନର ମୂଳଦ୍ୱାର ଖୋଲିଦେଇଥିଲା ଏଵଂ ପରେ ଫ୍ରାଙ୍କଲିନ୍‌ ଏହା ଆଧାରରେ ଵଜ୍ର ନିରୋଧକ ଦଣ୍ଡ (lightning rod) ଉଦ୍ଭାଵନ କରିଥିଲେ ଯାହା ଆଜି ସବୁ ଉଚ୍ଚ ଅଟ୍ଟାଳିକାରେ ଲଗାଯାଏ।
ବେଞ୍ଜାମିନ୍‌ ଫ୍ରାଙ୍କଲିନ୍‌ ଲେଡେନ୍‌ ଜାର୍‌ (Leyden Jar) ନାମକ ଏକ ସରଳ କ୍ୟାପାସିଟର୍‌ ଵ୍ୟଵହାର କରି ଵିଦ୍ୟୁତ୍‌କୁ ଷ୍ଟୋର୍‌ କରିଵାର ପ୍ରଥମ ପ୍ରୟୋଗ କଲେ। କିନ୍ତୁ ଏହା ମଧ୍ୟ ସ୍ଥିର ଵିଦ୍ୟୁତ୍‌ ଥିଲା। ନିରନ୍ତର ପ୍ରଵାହୀ ବିଦ୍ୟୁତ୍‌ ଵା Continuous Current ଆଵିଷ୍କାର ପାଇଁ ଵିଶ୍ୱକୁ ଆହୁରି ଅଢ଼େଇଶହ ଵର୍ଷ ଅପେକ୍ଷା କରିଵାକୁ ପଡ଼ିଲା।
୧୮୦୦ ମସିହାରେ ଇଟାଲୀର ପାଭିଆ ଵିଶ୍ୱଵିଦ୍ୟାଳୟର ପ୍ରଫେସର Alessandro Volta ଏକ ଯୁଗାନ୍ତକାରୀ ଆଵିଷ୍କାର କଲେ। ସେ ଦେଖିଲେ ଯେ ଦୁଇଟି ଭିନ୍ନ ଧାତୁ - ଜିଙ୍କ୍‌ ଓ କପର୍‌ ଏକ ଇଲେକ୍ଟ୍ରୋଲାଇଟ୍‌ (ଲୁଣ ପାଣି) ସହିତ ସଂସ୍ପର୍ଶରେ ଆସିଲେ ସେଥିରୁ ନିରନ୍ତର ଵିଦ୍ୟୁତ୍‌ ପ୍ରଵାହ ହୁଏ। ଏହି ନୀତି ଉପରେ ସେ ଜିଙ୍କ୍‌ ଓ କପର୍‌ ଚକତିକୁ ଲୁଣ ପାଣିରେ ଭିଜା କାର୍ଡ଼ବୋର୍ଡ଼ ଦେଇ ଅଲଗା କରି ଏକ ଷ୍ଟାକ୍‌ ତିଆରି କଲେ। ଏହାକୁ ସେ ନାମ ଦେଲେ Voltaic Pile। ଏହା ଥିଲା ପୃଥିଵୀର ପ୍ରଥମ ରାସାୟନିକ ବାଟେରୀ। ଏହି ବାଟେରୀରୁ ପ୍ରଥମ ଥର ପାଇଁ ମଣିଷ ନିରନ୍ତର ଵିଦ୍ୟୁତ୍‌ ପ୍ରଵାହ (Direct Current – DC) ପାଇଲା। ଏହି ବାଟେରୀର ଦୁଇ ପ୍ରାନ୍ତରେ ତାର ଯୋଡ଼ି ଦେଇ ଏକ ବନ୍ଦ ପଥ (Closed Loop) ତିଆରି ହେଲା — ଏହା ହିଁ ପ୍ରକୃତ ଅର୍ଥରେ ପ୍ରଥମ ଵିଦ୍ୟୁତ୍‌ ସର୍କିଟ୍‌ (Electric Circuit) ଥିଲା। ଏହି ଆଵିଷ୍କାର ପରେ ଵିଶ୍ୱର ଅନ୍ୟ ଵୈଜ୍ଞାନିକମାନେ ଵିଦ୍ୟୁତ୍‌ ଉପରେ ପରୀକ୍ଷା ଆରମ୍ଭ କଲେ। ଭୋଲ୍ଟାଙ୍କର ସାଙ୍ଗିଆ ନାମାନୁସାରେ ଭୋଲ୍ଟ (Volt) ନାମକ ଏକକ ଆଜି ବି ଵ୍ୟଵହୃତ ହେଉଛି।

ଭୋଲ୍ଟାଙ୍କ ବାଟେରୀ ଆଵିଷ୍କାର ପରେ ଅନେକ ଵୈଜ୍ଞାନିକ ଵିଦ୍ୟୁତ୍‌ର ଗୁଣ ବୁଝିଵାକୁ ଲାଗିଲେ। ୧୮୨୦ ମସିହାରେ ଡେନମାର୍କର ପଦାର୍ଥଵିଜ୍ଞାନୀ Hans Christian Ørsted ଏକ ଐତିହାସିକ ପରୀକ୍ଷା କଲେ। ସେ ଦେଖିଲେ ଯେ ତାର ଭିତରେ ଵିଦ୍ୟୁତ୍‌ ପ୍ରଵାହ ହେଲେ ପାଖରେ ରଖା କମ୍ପାସ୍‌ର ସୂଚକ ଡେଇଁଗଲା। ଅର୍ଥାତ୍ ଵିଦ୍ୟୁତ୍‌ ପ୍ରଵାହ ଚାରିପାଖେ ଚୁମ୍ବକୀୟ କ୍ଷେତ୍ର (Magnetic Field) ସୃଷ୍ଟି କରୁଥିଲା। ଏହି ଆଵିଷ୍କାର ଵିଦ୍ୟୁତ୍‌ ଓ ଚୁମ୍ବକତ୍ୱର ଅଵିଚ୍ଛେଦ୍ୟ ସମ୍ପର୍କକୁ ପ୍ରଥମେ ପ୍ରମାଣ କଲା। ଏହାକୁ ଆଧାର କରି ଫରାସୀ ଵୈଜ୍ଞାନିକ André-Marie Ampère ଵିଦ୍ୟୁତ୍‌ ପ୍ରଵାହର ଓ ଚୁମ୍ବକୀୟ ଶକ୍ତିର ଗାଣିତିକ ସମ୍ପର୍କ ବୁଝାଇଲେ। ତାଙ୍କ ନାମାନୁସାରେ ଆଜି ଵିଦ୍ୟୁତ୍‌ ପ୍ରଵାହର ଏକକକୁ ଆମ୍ପିୟର୍‌ ଵା Ampere କୁହାଯାଏ।
ଏହି ସମୟରେ ଇଂଲଣ୍ଡର Michael Faraday ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆଵିଷ୍କାର କଲେ। ୧୮୩୧ ମସିହାରେ ସେ ଦେଖାଇଲେ ଯେ ଚୁମ୍ବକକୁ ତାର କୁଣ୍ଡଳୀ ଭିତରେ ଘୁଞ୍ଚାଇଲେ କିମ୍ବା କୁଣ୍ଡଳୀକୁ ଚୁମ୍ବକ ଆଗରେ ଘୁରାଇଲେ ତାରରେ ଵିଦ୍ୟୁତ୍‌ ପ୍ରଵାହ ଉତ୍ପନ୍ନ ହୁଏ। ଏହାକୁ ସେ ନାମ ଦେଲେ ଵିଦ୍ୟୁତ୍‌-ଚୁମ୍ବକୀୟ ପ୍ରେରଣ (Electromagnetic Induction)। ଏହି ନୀତି ଉପରେ ଆଜିର ଵିଦ୍ୟୁତ୍‌ ଜେନେରେଟର୍‌, ମୋଟର୍‌, ଟ୍ରାନ୍ସଫର୍ମର୍‌ ସବୁ କାମ କରୁଅଛି। ଏହି ସମୟରେ ସର୍କିଟ୍‌ ଥିଲା ଅତ୍ୟନ୍ତ ସରଳ — କେଵଳ ତାର, ବାଟେରୀ ଓ କିଛି ଧାତୁ ଖଣ୍ଡ ହିଁ ଏହାର ଅଂଶ ଵିଶେଷ ଥିଲା । ସବୁ ହାତରେ ଯୋଡ଼ା ହେଉଥିଲା ଏଵଂ ଏହାକୁ Point-to-point wiring କୁହାଯାଏ। ଏହା ଅତ୍ୟନ୍ତ ଧୀର, ଅସୁଵିଧାଜନକ ଓ ଭୁଲ୍‌ପ୍ରଵଣ ଥିଲା। ଏକ ଛୋଟ ଯନ୍ତ୍ର ତିଆରି କରିଵାକୁ ମଧ୍ୟ ଅନେକ ଦିନ ଲାଗିଯାଉଥିଲା।
ଉନଵିଂଶ ଶତାବ୍ଦୀର ଶେଷ ଭାଗରେ ଥୋମସ୍‌ ଆଲ୍‌ଵା ଏଡିସନ୍‌ ଓ ନିକୋଲା ଟେସଲାଙ୍କ ମଧ୍ୟରେ ଵିଖ୍ୟାତ “War of Currents” ଚାଲିଲା। ଏଡିସନ୍‌ DC ଵିଦ୍ୟୁତ୍‌କୁ ସମର୍ଥନ କରୁଥିଵା ବେଳେ ଟେସଲା ଓ ଜର୍ଜ୍‌ ୱେଷ୍ଟିଙ୍ଗହାଉସ୍‌ AC (Alternating Current) ଦିଗରେ କାର୍ଯ୍ୟ କଲେ । ଅଵଶେଷରେ AC ଜାତୀୟ ଵିଦ୍ୟୁତ୍ ଜିତିଲା କାରଣ ଏହାକୁ ଟ୍ରାନ୍ସଫର୍ମର୍‌ ଦେଇ ଉଚ୍ଚ ଭୋଲ୍ଟେଜ୍‌ରେ ଦୂର ଦୂରାନ୍ତକୁ ପଠାଇ ପୁଣି କମ୍‌ ଭୋଲ୍ଟେଜ୍‌ରେ ପରିଵର୍ତ୍ତନ କରି ଘରେ ଘରେ ପହଞ୍ଚାଇ ହେଉଥିଲା। ଏହି ସମୟରେ ବି ସର୍କିଟ୍‌ ତିଆରି ହାତରେ ହେଉଥିଲା। ରେଡିଓ, ଟେଲିଫୋନ୍‌, ଟେଲିଗ୍ରାଫ୍‌ ଭଳି ଯନ୍ତ୍ରରେ ଶହ ଶହ ତାର ସମୂହ ଯୋଡ଼ା ହେଉଥିଲା। ଏହା ଅତ୍ୟନ୍ତ ମୂଲ୍ୟଵାନ ଓ ସମୟସାପେକ୍ଷ ଥିଲା।
ଵିଂଶ ଶତାବ୍ଦୀର ଆରମ୍ଭରେ ପ୍ରିଣ୍ଟେଡ୍‌ ସର୍କିଟ୍‌ର ଧାରଣା ଧୀରେ ଧୀରେ ଜନ୍ମ ନେଲା। ୧୯୦୩-୧୯୦୪ ମଧ୍ୟରେ ଜର୍ମାନୀର ଇଞ୍ଜିନିୟର୍ Albert Hanson ଏକ ପେଟେଣ୍ଟ ପଞ୍ଜିକୃତ କଲେ ଯେଉଁଥିରେ ସେ ଫ୍ଲାଟ୍‌ ଧାତୁ ତାରକୁ ପାରାଫିନ୍‌ କାଗଜ ଉପରେ ଲଗାଇ ଇନ୍ସୁଲେଟିଂ ବୋର୍ଡରେ ରଖିଵାର ଏକ ପ୍ରସ୍ତାବ ଦେଲେ। ଏହା ଆଜିର PCBର ଅତି ସରଳ ରୂପ ଥିଲା। ସେହିପରି ୧୯୨୫ରେ ଆମେରିକାର Charles Ducas ପେଟେଣ୍ଟ ନେଲେ ଯେଉଁଥିରେ ସେ ଷ୍ଟେନସିଲ୍‌ ଦେଇ ଇଙ୍କ୍‌ରେ କଣ୍ଡକ୍ଟିଵ୍ ପାଉଡର ଲଗାଇ ସର୍କିଟ୍‌ ପ୍ରିଣ୍ଟ କରିବାର ପ୍ରକ୍ରିୟା ଵର୍ଣ୍ଣନା କଲେ। କିନ୍ତୁ ଏହି ସବୁ ଧାରଣା କେଵଳ କାଗଜ ଉପରେ ହିଁ ରହିଗଲା।
ପ୍ରକୃତ ପରିଵର୍ତ୍ତନ ଆଣିଲେ ଅଷ୍ଟ୍ରିଆରେ ଜନ୍ମିତ ଇହୁଦୀ ଇଞ୍ଜିନିୟର Paul Eisler। ୧୯୩୬ ମସିହାରେ ଲଣ୍ଡନରେ ରହୁଥିଵା ବେଳେ ସେ ଏକ ରେଡିଓ ସେଟ୍‌ ଭିତରେ ଥିଵା ଅସଂଖ୍ୟ ତାର ଦେଖି ଭାବିଲେ ଯେ ଏହାକୁ କିପରି ସଂକ୍ଷିପ୍ତ କରାଯାଇ ପାରିଵ। ସେ କପର୍‌ ଫଏଲ୍‌କୁ ବାକେଲାଇଟ୍‌ କିମ୍ବା ଗ୍ଲାସ୍‌ ବେସ୍‌ ଉପରେ ଲଗାଇ ଅଣଆଵଶ୍ୟକ ଅଂଶକୁ Etching ପ୍ରକ୍ରିୟାରେ ହଟାଇ ଦେଇ କେଵଳ Conductive Track ରଖିଲେ। ଏହା ଥିଲା ପ୍ରଥମ ଆଧୁନିକ ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ୍‌। କିନ୍ତୁ ତାଙ୍କର ଏହି ଆଵିଷ୍କାରକୁ ସେତେବେଳେ କେହି ଗୁରୁତ୍ୱ ଦେଲେ ନାହିଁ। ସେ ଅନେକ କମ୍ପାନୀକୁ ଦେଖାଇଲେ ମଧ୍ୟ କେହି ଗ୍ରହଣ କଲେ ନାହିଁ। ଅଵଶେଷରେ ଦ୍ୱିତୀୟ ଵିଶ୍ୱଯୁଦ୍ଧ ଲାଗିଗଲା।
୧୯୪୦ରୁ ୧୯୪୨ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାର ଵିଜ୍ଞାନୀ ଓ ସୈନ୍ୟଵାହିନୀ ଏକ ଗୋପନ ପ୍ରଯୁକ୍ତିଵିଦ୍ୟା ତିଆରି କରୁଥିଲେ ଯାହା ଆର୍ଟିଲେରୀ ଗୋଳାରେ ଲଗାଯାଉଥିଲା ଏଵଂ ଶତ୍ରୁ ଵିମାନ ନିକଟକୁ ଆସିଲେ ଗୋଳା ସ୍ୱତଃ ଫାଟିଯାଉଥିଲା ଏଵଂ ଏହାକୁ କୁହାଯାଉଥିଲା Proximity Fuze କିମ୍ବା VT Fuze ଵା Variable Time Fuze। ଏହା ମୁଖ୍ୟତଃ ଵିମାନ ଵିରୋଧୀ ଆର୍ଟିଲେରୀ ପାଇଁ ଡିଜାଇନ୍ ହୋଇଥିଲା ଯାହା ନୌସେନାର ଜାହାଜଗୁଡ଼ିକୁ କାମିକାଜେ ଆକ୍ରମଣରୁ ରକ୍ଷା କରିଥିଲା ଏଵଂ ପରେ ଜର୍ମାନୀର V-1 ରକେଟ୍ ଏଵଂ ସ୍ଥଳ ଯୁଦ୍ଧରେ ମଧ୍ୟ ଵ୍ୟଵହାର ହୋଇଥିଲା।
ମାତ୍ର ଏହି ଯନ୍ତ୍ର ଭିତରେ ଭ୍ୟାକ୍ୟୁମ୍‌ ଟ୍ୟୁବ୍‌ ଥିଲା ଏଵଂ ହଜାର ହଜାର ତାର ଯୋଡ଼ା ହେଉଥିଲା। କିନ୍ତୁ ସେ ଗୋଳା ଵିଶେଷ ଆଘାତ ପ୍ରାପ୍ତ ହେଲେ ତା ମଧ୍ୟରେ ଥିଵା ତାର ଛିଣ୍ଡି ଯାଉଥିଲା। ତେଣୁ ଆମେରିକୀୟ ସେନା ସହିତ ସମ୍ପୃକ୍ତ ଵୈଜ୍ଞାନିକମାନେ ପଲ୍‌ ଐସ୍‌ଲର୍‌ଙ୍କ ପେଟେଣ୍ଟ ଦେଖି ତାଙ୍କ ପ୍ରକ୍ରିୟାକୁ ସଂଶୋଧନ କରି ଏକ କଠିନ ବୋର୍ଡ ଉପରେ କପର୍‌ ଫଏଲ୍‌ ଲଗାଇ ଏଚିଂ କରି ସର୍କିଟ୍‌ ତିଆରି କଲେ। ଏହି ଯନ୍ତ୍ର ୧୯୪୩ରୁ ଵ୍ୟଵହାର ହେଲା ଏଵଂ ଯୁଦ୍ଧରେ ଵିପୁଳ ସଫଳତା ଦେଲା। ଯୁଦ୍ଧ ପରେ ଆମେରିକା ସରକାର ୧୯୪୮ରେ ଏହି ପ୍ରଯୁକ୍ତିକୁ ସାଧାରଣ ଲୋକଙ୍କ ପାଇଁ ମୁକ୍ତ କରିଦେଲେ। ଏହା ପରେ ଜାପାନ ଓ ଆମେରିକାର କମ୍ପାନୀମାନେ ଵ୍ୟାପକ ସର୍କିଟ୍ ଉତ୍ପାଦନ ଆରମ୍ଭ କଲେ।
୧୯୫୦ ଦଶକରେ ଆଉ ଏକ ବଡ଼ ଧରଣର ଵୈଷୟିକ ସିଦ୍ଧି ମିଳିଲା ଏଵଂ ତାହା ଥିଲା ଟ୍ରାନ୍‌ଜିଷ୍ଟରର ଉଦ୍ଭାଵନ। ୧୯୪୭ ଡିସେମ୍ବର ୨୩ ତାରିଖରେ ବେଲ୍‌ ଲ୍ୟାବୋରେଟରୀରେ ଜନ୍‌ ବାର୍ଡିନ୍‌, ୱାଲ୍ଟର୍‌ ବ୍ରାଟେନ୍‌ ଓ ୱିଲିୟମ୍‌ ଶକ୍‌ଲି ଜର୍ମେନିୟମ୍‌ କ୍ରିଷ୍ଟାଲ ଉପରେ gold foil ଲଗାଇ ପ୍ରଥମ ପଏଣ୍ଟ କଣ୍ଟାକ୍ଟ ଟ୍ରାନ୍‌ଜିଷ୍ଟର ତିଆରି କଲେ। 
ଏହା ଭ୍ୟାକ୍ୟୁମ୍‌ ଟ୍ୟୁବ୍‌ଠାରୁ ହଜାର ଗୁଣ ଛୋଟ ଥିଲା ଏଵଂ କମ୍‌ ଶକ୍ତି ଖର୍ଚ୍ଚ କରୁଥିଲା ତଥା ଅଧିକ ନିର୍ଭରଯୋଗ୍ୟ ଥିଲା। ୧୯୫୪ରେ ଟେକ୍ସାସ୍‌ ଇନ୍‌ଷ୍ଟ୍ରୁମେଣ୍ଟ୍‌ କମ୍ପାନୀ ପ୍ରଥମ ସିଲିକନ୍‌ ଟ୍ରାନ୍‌ଜିଷ୍ଟର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ କଲା। ଟ୍ରାନ୍‌ଜିଷ୍ଟର ଓ PCBର ମିଶ୍ରଣ ଯୋଗୁଁ ଇଲେକ୍‌ଟ୍ରୋନିକ୍ସ୍‌ ଜଗତରେ ଵିଶେଷ ପରିଵର୍ତ୍ତନ ଦେଖାଦେଲା । ଫଳତଃ ଏକ ଛୋଟ PCB ଉପରେ ଶହ ଶହ ଟ୍ରାନ୍‌ଜିଷ୍ଟର ଲଗେଇ ରେଡିଓ, ଟେଲିଭିଜନ୍‌, କ୍ୟାଲକୁଲେଟର ତିଆରି ହେଵା ଆରମ୍ଭ ହେଲା।
ଏହି ଵୈଷୟିକ ଵିପ୍ଳଵକୁ ଆଉ ଏକ ସ୍ତରକୁ ନେଇଗଲେ Jack Kilby ଓ Robert Noyce। ୧୯୫୮ରେ କିଲ୍‌ବି ଟେକ୍ସାସ୍‌ ଇନ୍‌ଷ୍ଟ୍ରୁମେଣ୍ଟ୍‌ରେ ଏକ ଜର୍ମେନିୟମ୍‌ ଚିପ୍‌ ଉପରେ ଟ୍ରାନ୍‌ଜିଷ୍ଟର, ରେଜିଷ୍ଟର ଓ କ୍ୟାପାସିଟର ଏକାଠି ତିଆରି କଲେ। ଏହାକୁ ସେ ନାମ ଦେଲେ Integrated Circuit (IC)। ୧୯୫୯ରେ ରବର୍ଟ୍‌ ନୟସ୍‌ ଫେେୟାର୍‌ଚାଇଲ୍ଡ କମ୍ପାନୀରେ ସିଲିକନ୍‌ ଉପରେ ପ୍ଲାନାର ପ୍ରକ୍ରିୟା (Planar Process) ଉଦ୍ଭାଵନ କଲେ ଯାହାର ଅନୁକରଣରେ ଆଜିର ସବୁ IC ତିଆରି ହେଉଛି। ଏହି ଦୁଇ ଉଦ୍ଭାଵନ ଫଳ ସ୍ଵରୂପ ମାଇକ୍ରୋଚିପ୍‌ ଯୁଗ ଆରମ୍ଭ ହୋଇଗଲା । ୧୯୬୦ ଦଶକରେ ପ୍ରଥମ ଵାଣିଜ୍ୟିକ IC ବଜାରକୁ ଆସିଲା। ଏକ ଛୋଟ ଚିପ୍‌ ଭିତରେ ଶହ ଶହ ଟ୍ରାନ୍‌ଜିଷ୍ଟର ରହିଵା ସମ୍ଭଵ ହେଲା।
୧୯୬୫ ମସିହାରେ ଇଣ୍ଟେଲର ସହ-ପ୍ରତିଷ୍ଠାତା Gordon Moore ତାଙ୍କ ନିୟମ Moore's Law ଘୋଷଣା କଲେ — ଏହି ନିୟମରେ କୁହାଯାଇଥିଲା ଯେ ପ୍ରତି ୧୮-୨୪ ମାସରେ ଏକ ଚିପ୍‌ରେ ରହିପାରୁଥିଵା ଟ୍ରାନ୍‌ଜିଷ୍ଟର ସଂଖ୍ୟା ଦୁଇଗୁଣ ହେଵ। ଏହି ନିୟମ ଆଜି ପର୍ଯ୍ୟନ୍ତ ପ୍ରାୟ ଠିକ୍‌ ରହିଛି। ୧୯୭୧ରେ ଇଣ୍ଟେଲ ୪୦୦୪ ମାଇକ୍ରୋପ୍ରୋସେସର ବାହାର କଲା ଯେଉଁଥିରେ ୨୩୦୦ ଟ୍ରାନ୍‌ଜିଷ୍ଟର ଥିଲା। ଆଜି ଆପଲର M2 ଅଲଟ୍ରା ଚିପ୍‌ରେ ୧୩୪ ବିଲିଅନ (୧୩,୪୦୦ କୋଟି) ଟ୍ରାନ୍‌ଜିଷ୍ଟର ଅଛି।
ଆଜିର PCB ଅତ୍ୟନ୍ତ ଜଟିଳ। ଏକ ଆଧୁନିକ ମଦରବୋର୍ଡରେ ୧୬-୨୪ ଲେୟାର ଥାଏ, Microvia, HDI (High Density Interconnect), ଫ୍ଲେକ୍ସିବଲ PCB, ରିଜିଡ-ଫ୍ଲେକ୍ସ PCB ଭଳି ଅନେକ ପ୍ରକାର ରହିଛି। ଏହା ଏୟାରବସ୍‌ ଵିମାନ, ମଙ୍ଗଳ ଯାନ, କୃତ୍ରିମ ହୃଦୟ ପମ୍ପଠାରୁ ଆରମ୍ଭ କରି ଆପଣଙ୍କ ପକେଟରେ ଥିବା ସ୍ମାର୍ଟଫୋନ୍‌ ପର୍ଯ୍ୟନ୍ତ ସବୁଠାରେ ରହିଛି। ଏହାର ଵିକାଶ କେବଳ ଵୈଜ୍ଞାନିକଙ୍କର ନୁହେଁ, ଯୁଦ୍ଧ, ଅର୍ଥନୀତି, ରାଜନୀତି ଓ ମାନଵ କୌତୂହଳର ମିଶ୍ରଣ। ଥେଲସ୍‌ଙ୍କ ଆମ୍ବର୍‌ ଘଷାରୁ ଆରମ୍ଭ ହୋଇ ଆଜିର ନାନୋମିଟର ପ୍ରକ୍ରିୟା (3nm, 2nm) ପର୍ଯ୍ୟନ୍ତ ଏହି ଯାତ୍ରା ମାନଵ ସଭ୍ୟତାର ସବୁଠାରୁ ଅଵିଶ୍ୱସନୀୟ ଅଧ୍ୟାୟ। ଏହି ସବୁଜ ବୋର୍ଡ୍‌ ଆଜି ଆମର ଜୀଵନର ଅଵିଚ୍ଛେଦ୍ୟ ଅଂଶ। ଏହା ଵିନା ଆଧୁନିକ ସଭ୍ୟତା କଳ୍ପନା କରିଵା ଅସମ୍ଭଵ। 
•••••••••••••••••••••••••••••••••
ତଥ୍ୟ ସୂଚୀ :

୧. "Crystal Fire: The Invention of the Transistor and the Birth of the Information Age" by Michael Riordan and Lillian Hoddeson.

୨. "The Chip: How Two Americans Invented the Microchip and Launched a Revolution" by T.R. Reid.

୩. "Empires of Light: Edison, Tesla, Westinghouse, and the Race to Electrify the World" by Jill Jonnes.

୪. "Benjamin Franklin: An American Life" by Walter Isaacson.

୫. "Much Ado About Almost Nothing: Man's Encounter with the Electron" by Hans Camenzind.
••••••••••••••••••••••••••••••••

Thursday, December 11, 2025

•Project Karachi: ଭାରତ ପାକିସ୍ତାନର ଏକ ଅର୍ଥନୈତିକ ଯୁଦ୍ଧ•

ପାକିସ୍ତାନ , ଆମ ଦେଶକୁ ସାମରିକ ଯୁଦ୍ଧରେ ପରାସ୍ତ କରିଵାରେ ଵିଫଳ ହେଵା ପରେ ଏକ ଅଦୃଶ୍ୟ ଯୁଦ୍ଧ ଆରମ୍ଭ କରିଦେଇଥିଲା। ଏହି ଯୁଦ୍ଧର ନାମ ଥିଲା Project Karachi। ଏହା ଥିଲା ଭାରତର ଅର୍ଥନୀତିକୁ ଭିତରୁ ଭିତରୁ ଖାଇ ଖାଇ ଖୋଳି କରିଦେଵାର ଏକ ଦୀର୍ଘକାଳୀନ ଯୋଜନା ଯାହା ୧୯୯୦ ଦଶକର ଆଦ୍ୟକାଳରୁ ଆରମ୍ଭ ହୋଇ ୨୦୧୬ ପର୍ଯ୍ୟନ୍ତ ଚାଲିଥିଲା। ଏହାର ମୁଖ୍ୟ ଅସ୍ତ୍ର ଥିଲା ଉଚ୍ଚମାନର ନକଲି ଭାରତୀୟ ମୁଦ୍ରା (FICN) ଯାହା ପାକିସ୍ତାନର ସରକାରୀ ପ୍ରିଣ୍ଟିଙ୍ଗ୍ ପ୍ରେସ୍ରେ ଛାପାଯାଉଥିଲା ଏଵଂ ଏହା ଆତଙ୍କଵାଦୀ ସଂଗଠନ ଲଶ୍କର୍-ଏ-ତୋଇବା, ହରକତ୍-ଉଲ୍-ମୁଜାହିଦିନ୍, ଜୈଶ୍-ଏ-ମହମ୍ମଦ ଓ ହିଜବୁଲ୍ ମୁଜାହିଦିନ୍ ପାଇଁ ଅର୍ଥ ଯୋଗାଉଥିଲା।

୧୯୮୯ରେ କାଶ୍ମୀରରେ ଵିଚ୍ଛିନ୍ନତାଵାଦୀ ଆନ୍ଦୋଳନ ଆରମ୍ଭ ହେଵା ପରେ ISI ଭାରତକୁ ଅର୍ଥନୈତିକ ଭାବେ ଦୁର୍ଵଳ କରିଵାର ଯୋଜନା ଚଳାଇଲା। ୧୯୯୩ରେ ମୁମ୍ବାଇ ଵିସ୍ଫୋରଣରେ ପ୍ରଥମେ ନକଲି ନୋଟ୍‌ର ଵ୍ୟଵହାର ଦେଖାଯାଇଥିଲା। ୧୯୯୬ରେ ପାକିସ୍ତାନ ସିକ୍ୟୁରିଟି ପ୍ରିଣ୍ଟିଙ୍ଗ୍ କର୍ପୋରେସନ୍ (PSPC) କରାଚୀରେ ଭାରତୀୟ ମୁଦ୍ରା ପ୍ଲେଟ୍ ପ୍ରସ୍ତୁତ କରିଵା ଆରମ୍ଭ କଲା। ଏହି ପ୍ଲେଟ୍ଗୁଡ଼ିକ ଭାରତର ନାସିକ୍ ସିକ୍ୟୁରିଟି ପ୍ରିଣ୍ଟିଙ୍ଗ୍ ପ୍ରେସ୍‌ର ଡିଜାଇନ୍ ସହ ପ୍ରାୟ ସମାନ ଥିଲା। କିନ୍ତୁ ଭାରତୀୟ ନୋଟ୍‌ର ପ୍ଲେଟ୍ ପାକିସ୍ତାନକୁ କିପରି ମିଳିଲା ତାହା ଏଠାରେ ଜାଣିନେଵା ଉଚିତ୍ ହେଵ । 

୧୯୯୪-୨୦୦୨ ମଧ୍ୟରେ ନାସିକ୍ ପ୍ରେସ୍‌ର କେତେକ ଉଚ୍ଚପଦସ୍ଥ ଅଧିକାରୀ ଓ ଟେକ୍ନିସିଆନ୍‌ମାନେ ISI ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲେ। ସବୁଠାରୁ ବଡ଼ ଘଟଣା ୨୦୦୦ରେ ଧରାପଡ଼ିଥିଲା ଯେତେବେଳେ ନାସିକ୍ ପ୍ରେସ୍‌ର ଜଣେ ସିନିଅର ଇଞ୍ଜିନିଅର ଓ ତାଙ୍କର ଦୁଇ ସହକର୍ମୀଙ୍କୁ CBI ଗିରଫ କରିଥିଲା। ସେମାନେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ମାଷ୍ଟର ଇଣ୍ଟାଗ୍ଲିଓ ପ୍ଲେଟ୍‌ର ଡିଜିଟାଲ୍ ସ୍କାନ୍ ଓ କେତେକ ପୁରୁଣା ପ୍ଲେଟ୍‌ର ନକ୍ସା ISI ଏଜେଣ୍ଟଙ୍କୁ ଦେଇଥିଲେ। ଏହି କେସ୍‌ରେ ନାମ ଥିଲା “Nasik Security Press Espionage Case 2000”।

ଭାରତ ୧୯୮୦ ଦଶକରୁ ଉଚ୍ଚ ସୁରକ୍ଷା କାଗଜ ଓ କେତେକ ପ୍ଲେଟ୍ ଡିଜାଇନ୍ ବ୍ରିଟେନ୍‌ର De La Rue Giori (ପରେ ସୁଇଜରଲ୍ୟାଣ୍ଡ୍‌ର KBA-NotaSys) ଠାରୁ କିଣୁଥିଲା। ୧୯୯୫-୯୬ରେ ପାକିସ୍ତାନ ମଧ୍ୟ ଏହି କମ୍ପାନି ଠାରୁ ନିଜର ମୁଦ୍ରା ପାଇଁ ଇଣ୍ଟାଗ୍ଲିଓ ମେସିନ୍ ଓ ପ୍ଲେଟ୍ କିଣିଥିଲା। ଏହି ସମୟରେ ISI ଏଜେଣ୍ଟମାନେ De La Rueର କେତେକ କର୍ମଚାରୀଙ୍କୁ ଉତ୍କୋଚ ଦେଇ ଭାରତୀୟ ୫୦୦ ଓ ୧୦୦୦ ନୋଟ୍‌ର ସମ୍ପୂର୍ଣ୍ଣ ଡିଜାଇନ୍ ଫାଇଲ୍ (vector artwork ଓ intaglio engraving data) ପାଇ ଯାଇଥିଲେ। ଏହା ୨୦୧୬ରେ NIAର “Operation Clean Money” ଓ ୨୦୧୮ରେ ଜର୍ମାନୀର BKA ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ହୋଇଛି।

୧୯୯୭ ପରେ ପାକିସ୍ତାନ ଦୁବାଇରୁ ଜର୍ମାନୀର KBA-Giori କମ୍ପାନିର ୪ଟି ପୁରୁଣା କିନ୍ତୁ ଉଚ୍ଚମାନର Super Orlof Intaglio ମେସିନ୍ କିଣି କରାଚୀ ଓ ଲାହୋରକୁ ପଠାଇଥିଲା। ଏହି ମେସିନ୍‌ଗୁଡ଼ିକ ଭାରତର ନାସିକ୍ ଓ ଦେୱାସ୍‌ରେ ଥିବା ମେସିନ୍ ସହ ପ୍ରାୟ ଏକାପ୍ରକାର ଥିଲା। ଏହି ମେସିନ୍ ସହିତ ଭାରତୀୟ ନୋଟ୍‌ର ନିଖୁଣ ପ୍ଲେଟ୍ ମଧ୍ୟ Malik Siraj Akhtar ନାମକ ପାକିସ୍ତାନୀ ଵ୍ୟଵସାୟୀ ଯୋଗାଇ ଦେଇଥିଲା। ମାଲିକ ସିରାଜ୍‌କୁ ୨୦୧୦ରେ ଦୁବାଇରେ NIA ଓ UAE ପୋଲିସ୍ ମିଶି ଗିରଫ କରିଥିଲେ ଏଵଂ ତା’ ଠାରୁ ପ୍ରମାଣ ମିଳିଥିଲା ଯେ ସେ ନାସିକ୍ ପ୍ରେସ୍‌ର ଚୋରି ହୋଇଥିଵା ଡିଜାଇନ୍ ଓ ପ୍ଲେଟ୍ ଡାଟା ଵ୍ୟଵହାର କରି ପାକିସ୍ତାନ ସରକାରୀ ପ୍ରେସ୍‌କୁ ଯୋଗାଇ ଦେଉଥିଲା।

୧୯୯୮ର ନ୍ୟୁକ୍ଲିୟର୍ ପରୀକ୍ଷଣ ପରେ ପାକିସ୍ତାନ ଉପରେ ଅର୍ଥନୈତିକ ନିଷେଧାଜ୍ଞା ଲାଗିଲାରୁ ପ୍ରୋଜେକ୍ଟ କରାଚିକୁ ପାକିସ୍ତାନ ଆହୁରି ତୀଵ୍ରତର କଲା।

୨୦୦୧ରେ ଭାରତୀୟ ସଂସଦ ଉପରେ ଆକ୍ରମଣ ପରେ ଆଇଏସ୍ଆଇ ଉତ୍ସାହିତ ହୋଇ ଆତଙ୍କଵାଦୀ ସଂଗଠନଙ୍କ ସାହାଯ୍ୟରେ ଆହୁରି ଆକ୍ରମଣ କରିଵା ପାଇଁ ନକଲି ନୋଟ୍‌ର ପରିମାଣ ବଢ଼ାଇଦେଲା। ୨୦୦୩ରେ ଭାରତରେ ଜବତ ହୋଇଥିଵା ନକଲି ନୋଟର ପରିମାଣ ଥିଲା ୩୫ କୋଟି ଟଙ୍କା ଯାହା ୨୦୦୬ରେ ୧୫୦ କୋଟି ଏଵଂ ୨୦୧୦ରେ ୧୭୦୦ କୋଟିରେ ପହଞ୍ଚିଗଲା। ଏହି ସମୟରେ ପାକିସ୍ତାନର ମୁଲତାନ୍ କ୍ୱେଟା ପେଶାୱର୍ ଓ ଲାହୋର୍‌ର ସରକାରୀ ପ୍ରେସ୍‌ରେ ଭାରତୀୟ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଛାପାଯାଉଥିଲା। ଏହି ନୋଟ୍‌ଗୁଡ଼ିକର କାଗଜ ଥିଲା ୧୦୦% ର୍ୟାଗ୍ ପଲ୍ପ ଯାହା ଭାରତର ନାସିକ୍ ପ୍ରେସ୍ ସହ ସମ୍ପୂର୍ଣ୍ଣ ମେଳ ଖାଉଥିଲା। ଫରେନ୍ସିକ୍ ରିପୋର୍ଟ୍ ଅନୁଯାୟୀ ଏହି ନକଲି ନୋଟ୍‌ର Watermark,Security Thread ଓ Optically Variable Ink ପର୍ଯ୍ୟନ୍ତ ପ୍ରକୃତ ଭାରତୀୟ ନୋଟ୍ ସହ ଏତେ ନିଖୁଣଭାବେ ମିଶିଯାଉଥିଲା ଯେ ସାଧାରଣ ଦୃଷ୍ଟିରେ ପାର୍ଥକ୍ୟ କରିଵା ପ୍ରାୟ ଅସମ୍ଭଵ ହୋଇପଡ଼ୁଥିଲା।

ପାକିସ୍ତାନରୁ ଛପାହୋଇଥିବା ଉଚ୍ଚମାନର ନକଲି ଭାରତୀୟ ମୁଦ୍ରା (FICN) ଭାରତ ଭିତରକୁ ପହଞ୍ଚାଇଵା ପାଇଁ ISI ତଥା Dawood Ibrahimର D-Company ମିଶି ଚାରୋଟି ମୁଖ୍ୟ ପଥ ଵ୍ୟଵହାର କରୁଥିଲେ ‌ । 

ପ୍ରଥମ ଏଵଂ ସବୁଠାରୁ ବଡ଼ ପଥ ଥିଲା କରାଚୀରୁ ଦୁବାଇ ଦେଇ ଢାକା ଏଵଂ ସେଠାରୁ ପଶ୍ଚିମବଙ୍ଗରେ ନକଲି ନୋଟ୍ ପହଞ୍ଚାଇଵା। କରାଚୀର PSPC କିମ୍ବା ମାଲିକ ସିରାଜ୍ ଅଖ୍‌ତର୍‌ର ଘରୋଇ ପ୍ରେସ୍‌ରୁ ନକଲି ନୋଟ୍‌ଗୁଡ଼ିକ ପ୍ରଥମେ ସମୁଦ୍ରପଥରେ କିମ୍ବା ଏୟାର୍ କାର୍ଗୋରେ ଦୁବାଇ ପହଞ୍ଚୁଥିଲା। ଦୁବାଇରେ Dawoodର ଭାଇ Anees Ibrahim ଏଵଂ ତାହାର ସହଯୋଗୀ Aftab Batki ଏହାକୁ ଗ୍ରହଣ କରି ବଙ୍ଗଳାଦେଶଗାମୀ ଵିମାନରେ ଢାକା ପଠାଉଥିଲା। ଢାକାରେ ଜଣେ ବଡ଼ ହକର୍ ଥିଲା ତାହାର ନାମ Haji Mohammad Salim ଯିଏ ଏହି ନୋଟ୍‌ଗୁଡ଼ିକୁ ପେଟିକୋଟ୍ ସୀମାନ୍ତ(Petrapole-Benapole) ଦେଇ ମୁର୍ଶିଦାବାଦ୍, ମାଲଦା ଓ ଉତ୍ତର ୨୪ ପରଗଣା ଜିଲ୍ଲାକୁ ପଠାଉଥିଲେ। ଏହି ପଥରେ ପ୍ରାୟ ୬୦-୭୦ ପ୍ରତିଶତ ନକଲି ନୋଟ୍ ଭାରତକୁ ଆସୁଥିଲା ଏଵଂ ଏହାକୁ NIA ଓ BSF “Malda Route” ନାମ ଦେଇଥିଲେ।

ଦ୍ୱିତୀୟ ପଥ ଥିଲା କରାଚୀରୁ କୁଆଲାଲମ୍ପୁର୍ ଏଵଂ ସେଠାରୁ କାଠମାଣ୍ଡୁ ଦେଇ ଉତ୍ତରପ୍ରଦେଶ ଓ ବିହାର। କରାଚୀରୁ ନୋଟ୍‌ଗୁଡ଼ିକ ମଲେସିଆର କୁଆଲାଲମ୍ପୁର୍ ଵିମାନବନ୍ଦରକୁ ଆସୁଥିଲା ଯେଉଁଠାରେ ନେପାଳୀ ତସ୍କର ଏଵଂ କେତେକ ଭାରତୀୟ ହକର୍ ଏହାକୁ ଗ୍ରହଣ କରୁଥିଲେ। ସେଠାରୁ କାଠମାଣ୍ଡୁ ଵିମାନବନ୍ଦରକୁ ଯାଇ ବୀରଗଞ୍ଜ-ଗୋରଖପୁର କିମ୍ବା ଭୈରହଓ୍ବା-କୁଶିନଗର-ମହାରାଜଗଞ୍ଜ ଖୋଲା ସୀମା ଦେଇ ଉତ୍ତରପ୍ରଦେଶର ଗୋରଖପୁର, ଦେଓରିଆ, ମହାରାଜଗଞ୍ଜ ଓ ବିହାରର ପଶ୍ଚିମ ଚମ୍ପାରଣ, ପୂର୍ଵ ଚମ୍ପାରଣ ଜିଲ୍ଲାକୁ ପହଞ୍ଚୁଥିଲା। ଏହି ପଥର ମୁଖ୍ୟ ହକର୍ ଥିଲା ନେପାଳର ଯୁନୁସ୍ ଅନ୍ସାରୀ ଏବଂ ଭାରତର ଜୟେଶ୍ ପଟେଲ୍।

ତୃତୀୟ ପଥ ଥିଲା କରାଚୀରୁ ବ୍ୟାଙ୍କକ୍ ଏଵଂ ସେଠାରୁ ସିଧାସଳଖ କଲିକତା। ଏହି ପଦରେ ଥାଇଲ୍ୟାଣ୍ଡ୍‌ର ବ୍ୟାଙ୍କକ୍ ସୁଵର୍ଣ୍ଣଭୂମି ଵିମାନବନ୍ଦରକୁ ନୋଟ୍‌ଗୁଡ଼ିକ ଆସୁଥିଲା ଏଵଂ ସେଠାରୁ ଭାରତୀୟ କିମ୍ବା ଅନ୍ୟାନ୍ୟ ଵିମନ ଯୋଗେ ଵିମାନରେ କଲିକତାର ନେତାଜୀ ସୁଭାଷ ଵିମାନବନ୍ଦରକୁ ପହଞ୍ଚୁଥିଲା। କୋ
କଲିକତାରେ କାର୍ଗୋ କ୍ଲିୟରିଂ ଏଜେଣ୍ଟ ଏଵଂ କିଛି କଷ୍ଟମ୍ସ ଅଫିସରଙ୍କର ଏଥିରେ ଗୁପ୍ତ ସମର୍ଥନ ଯୋଗୁଁ ଏହା ବାହାରି ଆସୁଥିଲା। ଏହି ପଥର ମୁଖ୍ୟ ହକର୍ ଥିଲେ ଏନାମୁଲ ହକ୍ ଓ ରବି ପୋଦ୍ଦାର୍। ଅଧିକାଂଶ ସମୟରେ ନୋଟ୍‌ଗୁଡ଼ିକୁ ଇଲେକ୍ଟ୍ରୋନିକ୍ ସାମଗ୍ରୀ କିମ୍ବା ଗାର୍ମେଣ୍ଟ୍ ଭିତରେ ଲୁଚାଇ ଆଣୁଥିଲେ।

ଚତୁର୍ଥ ପଥ ଥିଲା କରାଚୀରୁ କାବୁଲ୍ ଏଵଂ ସେଠାରୁ ଅମୃତସର ଵା ଅଟାରୀ ଦେଇ ପଞ୍ଜାବରାଜ୍ୟ। ଏହା ପଥରେ ନୋଟ୍‌ଗୁଡ଼ିକ ପ୍ରଥମେ ଆଫଗାନିସ୍ତାନର କାବୁଲ୍ ଵିମାନବନ୍ଦରକୁ ଯାଉଥିଲା ଏଵଂ ସେଠାରୁ ଅମୃତସର କିମ୍ବା ଦିଲ୍ଲୀ ଵିମାନରେ ଆସୁଥିଲା। କିଛି ସମୟରେ ପାକିସ୍ତାନରୁ ଲାହୋର-ଅଟାରୀ-ଅମୃତସର ସଡ଼କ ପଥରେ ସମଝୌତା ଏକ୍ସପ୍ରେସ୍ ଟ୍ରେନ୍ ଓ ବସ୍‌ରେ ମଧ୍ୟ ଆସୁଥିଲା। ପଞ୍ଜାବର ମୁଖ୍ୟ ହକର୍ ଥିଲେ ଜଗଦୀଶ ଭୋଲା ଓ ରଞ୍ଜିତ ସିଂହ ରାଣା। ଏହି ପଥରେ ଖାଲିସ୍ତାନୀ ଉଗ୍ରବାଦୀ ଗୋଷ୍ଠୀ ମଧ୍ୟ ସମ୍ପୃକ୍ତ ଥିଲେ।

ଏହି ଚାରୋଟି ପଥ ଵ୍ୟତୀତ ଅଳ୍ପ ପରିମାଣରେ ଗୁଜରାଟ ସମୁଦ୍ରପଥ ଏଵ ଗୋଆ ଵିମାନବନ୍ଦର ମଧ୍ୟ ଵ୍ୟଵହାର ହେଉଥିଲା କିନ୍ତୁ ମୁଖ୍ୟ ପରିମାଣର ନକଲି ନୋଟ୍ ଉପରୋକ୍ତ ଚାରୋଟି ପଥ ଦେଇ ହିଁ ଆସୁଥିଲା। ୨୦୧୬ ନୋଟବନ୍ଦି ପରେ ଏହି ପଥଗୁଡ଼ିକରେ ସତର୍କ ଦୃଷ୍ଟି ବହୁତ କଡ଼ାକଡ଼ି ହୋଇଛି କିନ୍ତୁ ନୂଆ ୫୦୦ ଓ ୨୦୦୦ ନୋଟ୍‌ର ନକଲି ସପ୍ଲାଇ ଏବେ ବି ନେପାଳ ଓ ବଙ୍ଗଳାଦେଶ ପଥ ଦେଇ ଚାଲିଛି ବୋଲି NIA ଓ IB ରିପୋର୍ଟରେ କୁହାଯାଉଛି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଵ୍ୟଵହୃତ ଅର୍ଥର ଏକ ବଡ଼ ଅଂଶ ଏହି ନକଲି ନୋଟ୍‌ରୁ ଆସିଥିଲା ଯାହା ଡେଵିଡ୍ ହେଡଲିର ବୟାନରେ ପ୍ରମାଣିତ।

ପାକିସ୍ଥାନର ବ୍ୟାଙ୍କର ଜାଭେଦ ଖନାନୀ Kalia Internationalର ମାଲିକ ଏଵଂ ଦୁବାଇରୁ ପରିଚାଳିତ ହୱାଲା ନେଟୱର୍କର ମୁଖ୍ୟ ଥିଲା । ୨୦୦୮ରେ ଆମେରିକା ତାକୁ ମନି ଲଣ୍ଡରିଂ ଅଭିଯୋଗରେ ସାନ୍କସନ୍ ଲଗାଇଥିଲା। ନୋଟବନ୍ଦୀ ପରେ
 ୨୦୧୬ ନଭେମ୍ବର ୧୨ରେ ଆଇଏସ୍ଆଇ ତାକୁ ହତ୍ୟା କରି ଆତ୍ମହତ୍ୟା ବୋଲି ଘୋଷଣା କଲା। ସେତେବେଳେ ପାକିସ୍ତାନୀ ଜେନେରାଲ ଫଜଲୁର ରେହମାନ ଓ ଏସ୍ପି ଆସଲମ ଚୌଧୁରୀ ଭଳି ସରକାରୀ ଲୋକେ ସରକାରୀ ପ୍ରେସ୍‌ରୁ ନକଲି ନୋଟ୍ ବାହାର କରାଇ ଡି-କମ୍ପାନୀ ଓ ଲଶ୍କର୍କୁ ପଠାଉଥିଲେ।
 ରେହମାନ ଡକୈତ (ଲିୟାରୀର ଗ୍ୟାଙ୍ଗ୍ ଲିଡର୍ ୨୦୦୯ରେ ପୁଲିସ୍ ଏନ୍କାଉଣ୍ଟରରେ ମୃତ),ଇଲିୟାସ କାଶ୍ମୀରୀ (୨୦୧୧ରେ ଡ୍ରୋନ୍ ଆଟାକ୍ରେ ମୃତ) ଓ ସାଜିଦ ମୀର (୨୬/୧୧ର ମାଷ୍ଟରମାଇଣ୍ଡ୍ ବର୍ତ୍ତମାନ ପାକିସ୍ତାନ ଜେଲ୍‌ରେ) ଭଳି ଆତଙ୍କଵାଦୀ ଏଥିରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । 

୨୦୧୦ରେ ଏନ୍ଆଇଏର ଚାର୍ଜସିଟ୍‌ରେ ଉଲ୍ଲେଖ ଅଛି ଯେ ଭାରତୀୟ ମୁଦ୍ରା ପ୍ଲେଟ୍ ପାକିସ୍ତାନକୁ ପହଞ୍ଚିଥିଲା ଦୁବାଇ ମାଧ୍ୟମରେ। ଏହି ପ୍ଲେଟ୍ କିଣିଵାରେ ଭାରତର ଜଣେ କେନ୍ଦ୍ରମନ୍ତ୍ରୀ ଓ ତା ପୁଅର ନାମ ଉଠିଛି। ସାମାଜିକ ଗଣମାଧ୍ୟମରେ ଏ ମନ୍ତ୍ରୀର ସିଧାସଳଖ ନାଆଁ ଉଲ୍ଲେଖ ନକରି ଲୋକେ ତାକୁ ଫୁଲକୋବି ମନ୍ତ୍ରୀ କହୁଛନ୍ତି ।‌ ତେବେ ଏହାର ସତ୍ୟାସତ୍ୟ ଲେଖୁଛି ଜଣାନ୍ତୁ। 
୨୦୧୦ ମସିହାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଦ୍ୱାରା ପ୍ରସ୍ତୁତ ଚାର୍ଜସିଟ୍‌ରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ଭାରତୀୟ ମୁଦ୍ରା ଛାପିଵାର ପ୍ଲେଟ୍‌ଗୁଡ଼ିକ ଦୁବାଇ ମାଧ୍ୟମରେ ପାକିସ୍ତାନକୁ ପହଞ୍ଚାଇ ଦିଆଯାଇଥିଲା ଯାହା ପାକିସ୍ତାନର ଆଇଏସ୍‌ଆଇ ଦ୍ୱାରା ନକଲି ନୋଟ୍ ପ୍ରସ୍ତୁତ କରିଵା ପାଇଁ ଵ୍ୟଵହୃତ ହେଉଥିଲା ଏଵଂ ଏହି ରାକେଟ୍‌ରେ ସେତେବେଳେର କେନ୍ଦ୍ରୀୟ ମନ୍ତ୍ରୀ ପି ଚିଦମ୍ବରମ୍‌ ଓ ତା ପୁଅର ହାତ ଥିଲା ବୋଲି ଅଭିଯୋଗ ହୋଇଛି ।‌ ଏ ଲୋକ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଵାଣିଜ୍ୟ ଗୃହ ଏଵଂ ଅର୍ଥ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ଵାହ କରିଥିଲା ଆଉ ତା ପୁଅ କାର୍ତ୍ତି ଚିଦମ୍ବରମ୍‌ ମଧ୍ୟ କଂଗ୍ରେସଧ ସଦସ୍ୟ ଅଟେ । ଏହି ଚାର୍ଜସିଟ୍‌ରେ କାର୍ତ୍ତିର କମ୍ପାନୀ ଆଡ୍‌ଭାଣ୍ଟେଜ୍ ଷ୍ଟ୍ରାଟେଜିକ୍ କନ୍ସଲ୍ଟିଙ୍ଗ୍ ମାଧ୍ୟମରେ ଦୁବାଇ ସ୍ଥିତ ନକଲି ମୁଦ୍ରା ରାକେଟ୍‌ର ମୁଖ୍ୟ ଜାୱେଦ୍ ମୁହମ୍ମଦ୍ କନାନୀର କମ୍ପାନୀ ଵିବ୍ରୋକୁ ଧନ ପରିଵହନ ସୁଵିଧା ଯୋଗାଇ ଦେଵାର ଅଭିଯୋଗ ରହିଛି ଯାହାକି ଏହି ରାକେଟ୍‌ର ଅର୍ଥନୈତିକ ସମ୍ପର୍କକୁ ସୂଚିତ କରେ । ଆଚ୍ଛା ଏ ମନ୍ତ୍ରୀକୁ ଫୁଲକୋବି ମନ୍ତ୍ରୀ ଲୋକେ ଏଥିପାଇଁ କହୁଛନ୍ତି କାରଣ ଏହି ମନ୍ତ୍ରୀର ଦିଲ୍ଲୀ ବାଙ୍ଗଲୋରେ ଫୁଲକୋବି ଗଛ ଥିଲା ।‌ 

ଦୁର୍ଭାଗ୍ୟକୁ ନକଲି ନୋଟ୍ କାରବାରରେ ସଂମ୍ପୃକ୍ତି ସମ୍ପର୍କୀୟ ଅଭିଯୋଗ ପରେ ଅନେକ ଵିଵାଦ ଓ ରାଜନୈତିକ ଭାବେ ବହୁ ଆଲୋଚିତ ହୋଇଥିଲେ ମଧ୍ୟ ସିଧାସଳଖ କୌଣସି ଗିରଫ୍ଦାରୀ ଵା ମାମଲା ଦାୟର ହୋଇନଥିଲା କିନ୍ତୁ ପରଵର୍ତ୍ତୀ ସମୟରେ ପି ଚିଦମ୍ବରମ୍ ଓ କାର୍ତ୍ତି ଚିଦମ୍ବରମ୍ ଵିରୋଧରେ ଅନ୍ୟାନ୍ୟ ଦୁର୍ନୀତି ଓ ଧନଶୋଧନ ମାମଲାରେ ଵ୍ୟାପକ କାର୍ଯ୍ୟାନୁଷ୍ଠାନ ହୋଇଛି ଯେପରି ଆଇଏନ୍‌ଏକ୍ସ୍ ମିଡ଼ିଆ ମାମଲାରେ ଵିଦେଶୀ ନିଵେଶ ଅନୁମୋଦନରେ ଅନିୟମିତତା ଏଵଂ ଉତ୍କୋଚ ଲାଭ ଅଭିଯୋଗରେ ସିବିଆଇ ଓ ଇଡି ଦ୍ୱାରା ଚାର୍ଜସିଟ୍ ଦାୟର । ଏଥିପାଇଁ ପି ଚିଦମ୍ବରମ୍‌ର ୨୦୧୯ରେ ଗିରଫ୍ଦାରୀ ପରେ ବେଲ୍ ମିଳିଥିଲା। ଏୟାର୍ସେଲ୍-ମାକ୍ସିସ୍ ମାମଲାରେ ଵିଦେଶୀ ନିଵେଶ ଅନୁମୋଦନରେ ଅନିୟମିତତା ଓ କାର୍ତ୍ତି ଚିଦାମ୍ବରମର କମ୍ପାନୀରେ ଧନ ଜବତ ଚାଲୁ ରହିଛି। ଚାଇନିଜ୍ Visa ମାମଲାରେ ଚାଇନିଜ୍ କାର୍ମୀଙ୍କ Visa ପୁନର୍ଵ୍ୟଵହାରରେ ଲାଞ୍ଚ ଅଭିଯୋଗରେ ସିବିଆଇ ଓ ଇଡି ଚାର୍ଜସିଟ୍ ଦାୟର କରିଛନ୍ତି ଏଵଂ ଡାଇଜିଓ ସ୍କଟଲ୍ୟାଣ୍ଡ୍ ମାମଲାରେ ୨୦୨୫ ଜାନୁଆରୀରେ ନୂଆ ଏଫ୍‌ଆଇଆର୍ ଦାୟର ହୋଇଛି ଯାହା ଡ୍ୟୁଟି-ଫ୍ରି ଲିକର୍ ନିଷେଧ ଉଠାଇଵା ସହ ସମ୍ପର୍କିତ ଏବଂ ଘୁଷ୍ ଅଭିଯୋଗ ରହିଛି। ଏହି ସବୁ ମାମଲା ମୁଖ୍ୟତଃ ସିବିଆଇ ଓ ଇଡି ଦ୍ୱାରା ତଦନ୍ତ ଚାଲୁ ରହିଛି ଏଵଂ ଚିଦମ୍ବରମ୍ ପରିବାର ଏହାକୁ ରାଜନୈତିକ ପ୍ରତିଶୋଧ ଭାବେ ଦର୍ଶାଉଛନ୍ତି ଯଦିଓ ନ୍ୟାୟାଳୟୀ ପ୍ରକ୍ରିୟା ଦୀର୍ଘସ୍ଥାୟୀ ହେଉଛି ଏଵଂ ନକଲି ମୁଦ୍ରା ରାକେଟ୍‌ର ଅଭିଯୋଗ ସହ ଏହି ଦୁର୍ନୀତି ମାମଲାଗୁଡ଼ିକ ମିଶି ପି ଚିଦମ୍ବରମ୍ ଓ ତା ପୁଅର ରାଜନୈତିକ କ୍ୟାରିଅର୍‌କୁ ଵିଵାଦାସ୍ପଦ କରି ରଖିଛି। 

ଏତଦ୍ଵ୍ୟତୀତ ପୂର୍ଵତନ ଆର୍ଏଡବ୍ଲୁ ଚିଫ୍ ଏ ଏସ ଦୌଲତଙ୍କ ଵିଷୟରେ ମଧ୍ୟ ଅଭିଯୋଗ ଉଠିଥିଲା ଯେ ସେ ଏହି ରାକେଟ୍ ଵିଷୟରେ ଜାଣି ମଧ୍ୟ କିଛି କହିନଥିଲେ କି କରିନଥିଲେ।

୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବାତିଲ୍ ଘୋଷଣା କରିଵା ମାତ୍ରେ ପାକିସ୍ତାନର ଅର୍ଥନୀତିରେ ଭୂମିକମ୍ପ ହେଲା। ପାକିସ୍ତାନର ବ୍ୟାଙ୍କଗୁଡ଼ିକରେ ପ୍ରାୟ ୧୫ ଲକ୍ଷ କୋଟି ଟଙ୍କାର ଭାରତୀୟ ନକଲି ନୋଟ୍ ଥିଲା ଯାହା ରାତାରାତି କାଗଜ ହୋଇଗଲା। ଏହା ପରେ ଆଇଏସ୍ଆଇ ନିଜ ଏଜେଣ୍ଟ୍‌ମାନଙ୍କୁ ହଟାଇଵା ଆରମ୍ଭ କଲା। ୨୦୧୭ରେ ଏଫ୍ଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖିଲା ଯାହା ୨୦୨୨ ପର୍ଯ୍ୟନ୍ତ ଚାଲୁ ରହିଲା। ତେବେ ଏବେ ମଧ୍ୟ ପାକିସ୍ତାନର ଆର୍ଥିକ ଅଵସ୍ଥା ପୂରା ଧ୍ଵସ୍ତ ହୋଇ ରହିଛି । 

ଯଦିଓ ପ୍ରୋଜେକ୍ଟ କରାଚୀ ଧ୍ୱଂସ ହୋଇଗଲା ତଥାପି ପାକିସ୍ତାନର ମାଲିର କାଣ୍ଡାହାର ଓ ଥାଇଲ୍ୟାଣ୍ଡରେ ନୂଆ ପ୍ରେସ୍ ଖୋଲାଯାଇଛି। ୨୦୨୪ରେ ଭାରତରେ ଜବତ ହୋଇଥିଵା ନକଲି ନୋଟ୍‌ର ପରିମାଣ ପୁଣି ବଢ଼ିଛି। ଏହା ପ୍ରମାଣ କରୁଛି ଯେ ଯୁଦ୍ଧ ଶେଷ ହୋଇନାହିଁ କେଵଳ ଏକ ଅସ୍ଥାୟୀ ବିରତି ନେଇଛି।

ଏହି ସମସ୍ତ ତଥ୍ୟ ଏନ୍ଆଇଏର ଚାର୍ଜସିଟ୍ (୨୦୧୦-୨୦୧୬) ଏଫ୍ଏଟିଏଫ ରିପୋର୍ଟ୍ (୨୦୧୮ ୨୦୨୨) ଆଇବି ରିପୋର୍ଟ୍ ଏଵଂ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଵା ଏଫିଡେଵିଟ୍‌ରୁ ସଂଗୃହୀତ। ଏହା କୌଣସି ରାଜନୈତିକ ମତଵାଦ ନୁହେଁ ଵରଂ ପ୍ରମାଣିତ ଐତିହାସିକ ସତ୍ୟ। 
•••••••••••••••••••••••••••••••••••••
ତଥ୍ୟ ଉତ୍ସ:
•••••••••••••••••••••••••••••••••••••
1.“Black Money and Tax Havens” – Prof. R. Vaidyanathan (2017)

2.“India’s Money Trail: Fake Currency and Terror Financing” – S. Gurumurthy & Abhijit Iyer-Mitra (2021)

3.“The Karachi Deception: How Pakistan Flooded India with Fake Currency” – Rajeev Sharma (2018)

4.“Countering the Counterfeit: The Story of FICN and Pakistan’s War on India” – Wilson John (2019, Vivek Prahladan ଏହାର ସହ-ଲେଖକ)

5.“Spy Stories: Inside the Secret World of the R.A.W. and the I.S.I.” – Adrian Levy & Cathy Scott-Clark (2021, ଅଧ୍ୟାୟ ୯ ଓ ୧୦ରେ Project Karachi ଓ FICN ଵିସ୍ତୃତ ଵର୍ଣ୍ଣନା ଅଛି)

6.“The Unending Game: A Former R&AW Chief’s Insights into Espionage” – Vikram Sood (2018, FICN ଓ ISIର ଅର୍ଥଯୁଦ୍ଧ ଵିଷୟରେ ସ୍ପଷ୍ଟ ଉଲ୍ଲେଖ)

7.“Pakistan’s Proxy War: Fake Indian Currency Notes” – Col. Anil Athale (Retd.) (2015)

8.“Fake Currency: The Menace and the Nation” – B.V. Kumar (ପୂର୍ବତନ CBI ଡିରେକ୍ଟର୍, 2013)

9.“FICN and Terror Financing: The Pakistan Connection” – Research Report by Institute for Defence Studies and Analyses (IDSA), ଲେଖକ: P.K. Das & Shruti Pandalai (2017)

ଏହି ବହିଗୁଡ଼ିକ ସରକାରୀ ଡକ୍ୟୁମେଣ୍ଟ, କୋର୍ଟ ରେକର୍ଡ ଓ ଗୁଇନ୍ଦା ରିପୋର୍ଟ ଆଧାରରେ ଲେଖାଯାଇଛି। 



Tuesday, December 9, 2025

ମୂର୍ତ୍ତି ଵିସର୍ଜନରେ ଡିଜେ ! ଆଧୁନିକତା ନା ମୂର୍ଖାମୀ ?

ମୂର୍ତ୍ତି ଵିସର୍ଜନରେ ଡିଜେ ! ଆଧୁନିକତା ନା ମୂର୍ଖାମୀ ?

ପ୍ରତିଢର୍ଷ ଆସେ ଗଣେଶ ଚତୁର୍ଥୀ, ଦୁର୍ଗାପୂଜା, ଵିଶ୍ୱକର୍ମା ପୂଜା ଆଦି ଉତ୍ସଵ। ଦଶଦିନ ଧରି ଘରେ ଘରେ, ପଡ଼ାରେ ପଡ଼ାରେ, ମଣ୍ଡପେ ମଣ୍ଡପେ ମୂର୍ତ୍ତି ପ୍ରତିଷ୍ଠା ହୁଏ। ଭକ୍ତିର ସମୁଦ୍ର ଉଛୁଳି ଉଠେ। ଆଉ ଶେଷଦିନ ଆସେ ଵିସର୍ଜନ। ସେଦିନ ସକାଳୁ ରାତି ପର୍ଯ୍ୟନ୍ତ ରାସ୍ତାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖାଯାଏ। ଟ୍ରକ୍, ଟ୍ରାକ୍ଟର, ଟ୍ରଲି ଉପରେ ବିରାଟ ବିରାଟ ମୂର୍ତ୍ତି। ତା ଚାରିପାଖେ ହଜାର ହଜାର ଯୁଵକ ଯୁଵତୀ। ଆଉ ସେ ସବୁ ଗାଡ଼ିର ଉପରେ ଲାଗିରହିଥାଏ ଵିରାଟ ଵିରାଟ ଡିଜେ ସ୍ପିକର। ଧ୍ୱନିର ତୀଵ୍ରତା ଏତେ ଯେ ଦୂରରୁ ମଧ୍ୟ କାନ ଫାଟିଯାଏ। ଗୀତ ବଜେ ବଲିବୁଡର ନାଚଗୀତ, ଆଇଟମ୍ ସଂ, ରିମିକ୍ସ ଗୀତ। ଯୁବକମାନେ ନାଚନ୍ତି, ଝୁମନ୍ତି, ହୁଇସଲ୍ ମାରନ୍ତି। କେହି କେହି ମଦ ପିଇ ଅଶ୍ଲୀଳ ନୃତ୍ୟ କରନ୍ତି। ଆଉ ମୂର୍ତ୍ତିଟି ଯେ ସେହି ଗାଡ଼ି ଉପରେ ରହିଛି, ତାକୁ କେହି ମଧ୍ୟ ଦେଖୁ ନାହାନ୍ତି। ଏହା ଆଧୁନିକତାର ଚିହ୍ନ ନା ମୂର୍ଖାମୀର ପରାକାଷ୍ଠା ? ଏହି ପ୍ରଶ୍ନ ଆଜି ଓଡ଼ିଶାରେ ନୁହେଁ, ସାରା ଭାରତରେ ଉଠୁଛି।

ମନେପଡ଼େ ପୁରୁଣା ଦିନ। ଗାଁ ଗହଳିରେ ଶଙ୍ଖ ଧ୍ୱନି, ଘଣ୍ଟା ଧ୍ୱନି, ଉଲୁଳି, ଜୟଧ୍ୱନି। ସମ୍ପୂର୍ଣ୍ଣ ପାରମ୍ପରିକ ଶୈଳୀରେ ଵିସର୍ଜନ ହେଉଥିଲା । ପୂଜକ ମନ୍ତ୍ର ପଢ଼ିଵା ପରେ ମୂର୍ତ୍ତି ଵିସର୍ଜିତ ହେଉଥିଲା । ସେହି ଦୃଶ୍ୟରେ ଏକ ଆଧ୍ୟାତ୍ମିକ ଶାନ୍ତି ଥିଲା। ମନ ଶାନ୍ତ ହେଉଥିଲା। ଆଜି ସେହି ଦୃଶ୍ୟ କ୍ରମେ ଲୁପ୍ତ ହେଉଛି। ତା ସ୍ଥାନ ନେଇଛି ଡିଜେର କର୍ଣ୍ଣଭେଦୀ ଧ୍ୱନି ଆଉ ଅଶ୍ଲୀଳ ନୃତ୍ୟ।

ଡିଜେ ଶବ୍ଦଟି ଆସିଛି ଇଂରାଜୀ Disc Jockeyରୁ। ମୂଳତଃ ୟେ ଜଣେ ଵ୍ୟକ୍ତି ଯିଏ ରେଡିଓ କିମ୍ବା କ୍ଲବ୍‌ରେ ଗୀତ ବଜାଏ ଆଉ ଶ୍ରୋତାଙ୍କୁ ନଚାଏ। କିନ୍ତୁ ଆଜି ଭାରତରେ ଡିଜେ ମାନେ ହେଇଗଲାଣି ବିରାଟ ସ୍ପିକର ବ୍ୟାକ୍। ଯାହାର ଧ୍ୱନି ୧୨୦ ଡେସିବେଲ୍‌ରୁ ଅଧିକ ହେଇପାରେ। ଵିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ୮୫ ଡେସିବେଲ୍ ରୁ ଅଧିକ ଧ୍ୱନି ଦୀର୍ଘଦିନ ଶୁଣିଲେ କାନର କ୍ଷତି ହୁଏ। କିନ୍ତୁ ଆମର ଵିସର୍ଜନ ଶୋଭାଯାତ୍ରାରେ ଧ୍ୱନି ୧୩୦-୧୪୦ ଡେସିବେଲ୍ ପର୍ଯ୍ୟନ୍ତ ପହଞ୍ଚିଯାଏ। ଏହା ଏକ ବୋମା ଫାଟିଵା ସହ ସମାନ। କିନ୍ତୁ ଆମେ ତାକୁ ଉତ୍ସଵର ଅଂଶ ବୋଲି ଗ୍ରହଣ କରୁଛୁ।

ଏହାର ପଛରେ ମୁଖ୍ୟ କାରଣ ହେଉଛି ପ୍ରତିଯୋଗିତା। ଗୋଟିଏ ପଡ଼ାର ମୂର୍ତ୍ତି ଅନ୍ୟ ପଡ଼ାର ମୂର୍ତ୍ତିଠାରୁ ବଡ଼ ହେବ। ଗୋଟିଏ ମଣ୍ଡପର ଡିଜେ ଅନ୍ୟ ମଣ୍ଡପର ଡିଜେଠାରୁ ଜୋର୍‌ରେ ବାଜିବ। ଏହି ପ୍ରତିଯୋଗିତା ଏତେ ବଢ଼ିଗଲା ଯେ ଆଜି ମୂର୍ତ୍ତି ଵିସର୍ଜନ ନୁହେଁ, ଡିଜେ ପ୍ରତିଯୋଗିତା ହେଇଗଲା। ଯାହାର ଡିଜେ ଜୋର୍‌ରେ ବାଜିଲା, ସେ ଜିତିଲା। ଆଉ ଏହି ପ୍ରତିଯୋଗିତାରେ ଭକ୍ତି ଲୁଚିଗଲା। ଦେଵତା ଲୁଚିଗଲେ। ବାକି ରହିଲା କେଵଳ ଧ୍ୱନି ପ୍ରଦୂଷଣ, ଯାନବାହୁଲ୍ୟ ଅଞ୍ଚଳରେ ଯାତାୟାତ ସମସ୍ୟା ଆଉ ଅଶ୍ଲୀଳତା।

ଆମେ ଯଦି ଧର୍ମଗ୍ରନ୍ଥ ପଢ଼ିଵା,ସେଠି କୋଉଠି ଲେଖା ନାହିଁ ଯେ ଦେଵତାଙ୍କ ଵିସର୍ଜନ ସମୟରେ ଅଶ୍ଲୀଳ ଗୀତ ବଜାଇ ନାଚିଵାକୁ ହେବ। ଗଣେଶ ଚତୁର୍ଥୀର ଵିସର୍ଜନ ସମୟରେ ଲୋକମାନ୍ୟ ତିଳକ ଯେଉଁ ଶୋଭାଯାତ୍ରା ଆରମ୍ଭ କରିଥିଲେ, ତା’ର ଉଦ୍ଦେଶ୍ୟ ଥିଲା ସ୍ୱାଧୀନତା ଆନ୍ଦୋଳନରେ ଲୋକଙ୍କୁ ଏକାଠି କରିଵା। ସେତେବେଳେ ଶୋଭାଯାତ୍ରାରେ ଗୀତ ଥିଲା – “ଗଣପତି ବାପ୍ପା ମୋରିଆ, ଅଗଲେ ଵର୍ଷ ତୁ ଜଲ୍ଦି ଆଆ”। ସେହି ଗୀତ ଭକ୍ତିଭରା ଥିଲା। ଆଜି ସେହି ଗୀତ ରିମିକ୍ସ ହେଇ ଏତେ ଜୋର୍‌ରେ ବାଜୁଛି ଯେ ଶବ୍ଦଗୁଡ଼ିକ ମଧ୍ୟ ବୁଝାଯାଉ ନାହିଁ। ବାକି ରହୁଛି କେବଳ ବିଟ୍ ଆଉ ବେସ୍।

ଆମ ଓଡ଼ିଶାରେ ଦୁର୍ଗାପୂଜା ଏକ ଅତି ପଵିତ୍ର ଉତ୍ସଵ। କିନ୍ତୁ ଗତ ଦଶଵର୍ଷ ଭିତରେ ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା ଆଦି ସହରରେ ଵିସର୍ଜନ ଶୋଭାଯାତ୍ରା ଏକ ଭୟଙ୍କର ରୂପ ନେଇଛି। ୨୦୨୩ ଦୁର୍ଗାପୂଜାରେ କଟକରେ ଏକାଥରେ ୧୭୦ଟି ମୂର୍ତ୍ତି ଵିସର୍ଜନ ହେଲା। ସେଥିମଧ୍ୟରୁ ଅଧିକାଂଶ ଶୋଭାଯାତ୍ରାରେ ଡିଜେ ଥିଲା। ଧ୍ୱନି ଏତେ ଅଧିକ ଥିଲା ଯେ ହସ୍ପିଟାଲ୍‌ର ରୋଗୀମାନେ ଅସୁଵିଧାରେ ପଡ଼ିଥିଲେ। ଵୟସ୍କ ଲୋକେ, ଶିଶୁମାନେ ଭୟରେ ଘର ଭିତରେ ବନ୍ଦ ହେଇଯାଇଥିଲେ। ଆଉ ଯୁଵକମାନେ ରାସ୍ତାରେ ମଦ୍ୟପାନ କରି ଅଶ୍ଲୀଳ ଗୀତରେ ନାଚୁଥିଲେ। ଏହା କ’ଣ ଆମର ସଂସ୍କୃତି ?

ଆମେ ଯଦି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଦେଖିବଵ, ସେଠାରେ ମଧ୍ୟ ସାରା କଲିକତାରେ ଦୁର୍ଗାପୂଜାର ଵିସର୍ଜନ ଏକ ଵିରାଟ କାର୍ନିଭାଲ୍ ହେଇଗଲା। କିନ୍ତୁ ସେଠାରେ ଅନେକ ପୂଜା କମିଟି ନିଜେ ଡିଜେ ବ୍ୟାନ୍ କରିଛନ୍ତି। କଲିକତା ହାଇକୋର୍ଟ ମଧ୍ୟ ରାତି ୧୦ଟା ପରେ ଡିଜେ ବନ୍ଦ କରିଵାକୁ ନିର୍ଦ୍ଦେଶ ଦେଇଛି। କିନ୍ତୁ ଓଡ଼ିଶାରେ ଏପର୍ଯ୍ୟନ୍ତ ଏହାକୁ ନେଇ କୌଣସି କଡ଼ା ନିୟମ ହେଇନାହିଁ। ପୋଲିସ ଅଛି, କିନ୍ତୁ ସେମାନେ ମଧ୍ୟ ଭୟରେ କିଛି କହିପାରୁ ନାହାନ୍ତି। କାରଣ ଏହି ଶୋଭାଯାତ୍ରାରେ ହଜାର ହଜାର ଲୋକ ଥାଆନ୍ତି। କୌଣସି ଅଘଟଣ ଘଟିଲେ ଦଙ୍ଗା ହେଇପାରେ। ତେଣୁ ପୋଲିସ ଚୁପ୍ ରହିଯାଏ। ଆଉ ଆମର ସମାଜ ମଧ୍ୟ ଚୁପ୍ ରହିଯାଏ।

ଏହାର ଏକ ବଡ଼ କାରଣ ହେଉଛି ଵ୍ୟଵସାୟ। ଡିଜେ ଭଡ଼ା ଦେଵାକୁ ହେଲେ ୫୦ ହଜାରରୁ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଗେ। ଏହି ଟଙ୍କା କେଉଁଠାରୁ ଆସୁଛି ? ଚାନ୍ଦାରୁ ଆସୁଛି । ପୂଜା କମିଟି ଚାନ୍ଦା ଉଠାଏ। ଦୋକାନୀ, ଵ୍ୟଵସାୟୀ, ରାଜନୈତିକ ଦଳ ଚାନ୍ଦା ଦିଅନ୍ତି। ଆଉ ସେହି ଚାନ୍ଦାରୁ ଡିଜେ ଭଡ଼ା ଦିଆଯାଏ। ଏହା ଏକ ଵିରାଟ ଵ୍ୟଵସାୟ ହେଇଗଲା। ଯାହାର ଡିଜେ ଭଲ, ସେ ଅଧିକ ଚନ୍ଦା ପାଇଵ। ଆଉ ଅଧିକ ଲୋକ ତା ଶୋଭାଯାତ୍ରାରେ ଯୋଗ ଦେବେ। ଏହା ଏକ ଦୁଷ୍ଟଚକ୍ର। ଧର୍ମ ଏହି ଦୁଷ୍ଟଚକ୍ରର ଶିକାର ହେଉଛି।

ଆମେ ଯଦି ପରିଵେଶକୁ ଦେଖିଵା, ତା’ର ଅଵସ୍ଥା ଆହୁରି ଭୟଙ୍କର। ମୂର୍ତ୍ୟ ମୂର୍ତ୍ତି ତିଆରି ହେଉଛି ପ୍ଲାଷ୍ଟର ଅଫ୍ ପ୍ୟାରିସ୍ (Plaster of Paris) ରେ। ଯାହା ଜଳରେ ନରମି ମିଳେଇ ଯାଏନାହିଁ। ତା ସହିତ ରଙ୍ଗ ହେଉଛି ରାସାୟନିକ। ଏହି ମୂର୍ତ୍ତି ନଦୀରେ ବୁଡ଼ାଇଲେ ଜଳ ପ୍ରଦୂଷିତ ହୁଏ। ମାଛ ମରିଯାଏ। ଆଉ ତା ଉପରେ ଡିଜେର ଧ୍ୱନି ପ୍ରଦୂଷଣ। ଏହା କ’ଣ ଆମେ ଦେଵତାଙ୍କୁ ସମ୍ମାନ ଦେଉଛୁ ନା ଅପମାନ କରୁଛୁ ?

କିଛି ଲୋକ କହନ୍ତି ଯେ ଏହା ଆଧୁନିକତା। ଯୁଵପିଢ଼ି ଏହା ପସନ୍ଦ କରୁଛନ୍ତି। କିନ୍ତୁ ଆଧୁନିକତାର ଅର୍ଥ କ’ଣ ଅଶ୍ଲୀଳତା ? ଆଧୁନିକତାର ଅର୍ଥ କ’ଣ ଧ୍ୱନି ପ୍ରଦୂଷଣ ? ଆଧୁନିକତାର ଅର୍ଥ କ’ଣ ପରିଵେଶ ନଷ୍ଟ କରିଵା ? ଯଦି ଏହା ଆଧୁନିକତା, ତା’ହେଲେ ମୁଁ ଏହି ଆଧୁନିକତାକୁ ଘୃଣା କରେ। ପ୍ରକୃତ ଆଧୁନିକତା ହେଉଛି ଵିଜ୍ଞାନ ସହ ସଂସ୍କୃତିକୁ ମିଶାଇଵା। ପ୍ରକୃତ ଆଧୁନିକତା ହେଉଛି ଇକୋ-ଫ୍ରେଣ୍ଡଲି ମୂର୍ତ୍ତି ତିଆରି କରିଵା । ମାଟିର ମୂର୍ତ୍ତି, ପ୍ରାକୃତିକ ରଙ୍ଗ, ଭକ୍ତିଗୀତ, ଢୋଲ-ମୃଦଙ୍କ ସହ ଶୋଭାଯାତ୍ରା। ତାହା ହିଁ ପ୍ରକୃତ ଆଧୁନିକତା।

ଆଜି ଅନେକ ସଚେତନ ପୂଜା କମିଟି ଏହି ଦିଗରେ ଆଗେଇ ଆସୁଛନ୍ତି। ଭୁବନେଶ୍ୱରର ରସୁଲଗଡ଼ ଦୁର୍ଗାପୂଜା କମିଟି ଗତ ଵର୍ଷ ଡିଜେ ବ୍ୟାନ୍ କରିଥିଲା। ସେମାନେ କେଵଳ ଭକ୍ତିଗୀତ ଓ ଢୋଲ ଵାଦ୍ୟ ସହ ଶୋଭାଯାତ୍ରା କରିଥିଲେ। ଆଉ ଲୋକେ ତାକୁ ଅଧିକ ପସନ୍ଦ କରିଥିଲେ। ସମ୍ବଲପୁରର କିଛି ପୂଜା କମିଟି ମାଟିର ମୂର୍ତ୍ତି ଓ ପ୍ରାକୃତିକ ରଙ୍ଗ ଵ୍ୟଵହାର କରୁଛନ୍ତି। ଏହା ହିଁ ଆମର ଭଵିଷ୍ୟତ। ଆମେ ଯଦି ଆଜି ନ ଜାଗିଲୁ, କାଲି ଆମର ଉତ୍ସଵ କେଵଳ ଏକ ମେଳା ହେଇରହିଯିଵ। ଧର୍ମ ଲୁପ୍ତ ହେଇଯିଵ।

ଶେଷରେ ଏତିକି କହିଵାକୁ ଚାହୁଁଛି, ମୂର୍ତ୍ତି ଵିସର୍ଜନରେ ଡିଜେ ଵ୍ୟଵହାର ନିଶ୍ଚିତ ଭାବରେ ମହାମୂର୍ଖାମୀ। ଏହା ଆଧୁନିକତା ନୁହେଁ। ଆଧୁନିକତା ହେଉଛି ସଚେତନତା। ଆଧୁନିକତା ହେଉଛି ପରିଵେଶ ପ୍ରତି ଦାୟୀତ୍ୱ। ଆଧୁନିକତା ହେଉଛି ଧର୍ମକୁ ତା’ର ପଵିତ୍ରତା ତଥା ଶାସ୍ତ୍ରୀୟ ସ୍ଵରୂପ ସହିତ ବଞ୍ଚାଇ ରଖିଵା । ଆସନ୍ତୁ ଆମେ ସବୁ ମିଶି ଏହି ମୂର୍ଖାମୀକୁ ବନ୍ଦ କରିଵା। ଆସନ୍ତୁ ଆମେ ପ୍ରକୃତ ଭକ୍ତି ସହିତ ଆମର ଉତ୍ସଵ ପାଳନ କରିଵା। ତା’ହେଲେ ହିଁ ଆମର ଦେଵତା ଖୁସି ହେବେ। ଆମର ପରିଵେଶ ବଞ୍ଚିବ। ଆଉ ଆମର ସଂସ୍କୃତି ଅମର ହେଇରହିଵ।


Sunday, December 7, 2025

ସୁନା : ବ୍ରହ୍ମାଣ୍ଡର ସବୁଠାରୁ ଵିରଳ ଉପହାର

ସଂସ୍କୃତ ଭାଷାରେ ଗୋଟିଏ ନୀତିଵାଣୀ ଅଛି ଯହିଁରେ କେଉଁ ଦରଵ ମୂଲ୍ୟଵାନ ଏଵଂ କେଉଁ ଦରଵକୁ ଲୋକେ ମୂଲ୍ୟଵାନ ମନେ କରନ୍ତି ତାହା ସଂକ୍ଷେପରେ କୁହାଯାଇଛି । ଉକ୍ତ ନୀତିଵାଣୀ କହେ :

ପୃଥିଵ୍ଯାଂ ତ୍ରୀଣି ରତ୍ନାନି ଜଳମନ୍ନଂ ସୁଭାଷିତମ୍।
ମୂଢୈଃ ପାଷାଣଖଣ୍ଡେଷୁ ରତ୍ନସଂଜ୍ଞା ଵିଧୀୟତେ॥

ଅର୍ଥାତ୍ ପୃଥିଵୀରେ ପ୍ରକୃତ ତିନୋଟି ରତ୍ନ ହେଉଛି — ଜଳ, ଅନ୍ନ ଓ ସୁଭାଷିତ ( ଵା ଉତ୍ତମ ଜ୍ଞାନ)। କିନ୍ତୁ ମୂଢ଼ ଲୋକମାନେ ହୀରା–ମାଣିକ୍ୟ, ସ୍ଵର୍ଣ୍ଣ, ରୌପ୍ୟ ଆଦି ପଥରଖଣ୍ଡକୁ ମୂଲ୍ୟଵାନ ବୋଲି ଭାବନ୍ତି। ହଜାର ହଜାର ଵର୍ଷ ଧରି ମନୁଷ୍ୟମାନେ ସୁନା ରୂପାକୁ ମୂଲ୍ୟଵାନ ମାନି ଆସିଛନ୍ତି କିନ୍ତୁ ସତରେ କ’ଣ ଏ ଧାତୁଗୁଡ଼ିକ ମୂଲ୍ୟଵାନ କି ? 

ଏ ପ୍ରସଙ୍ଗରେ ସ୍ଵର୍ଣ୍ଣ ଵା ସୁନା ପ୍ରକୃତରେ ମୂଲ୍ୟଵାନ କି ନୁହେଁ ତାହା ଆଲୋଚନା କରାଗଲେ ହୁଏତ ପ୍ରୋକ୍ତ ପ୍ରଶ୍ନର କେତେକାଂଶରେ ସମାଧାନ ହୋଇଯିଵ । 

ସ୍ଵର୍ଣ୍ଣ ଵା ସୁନା ମଣିଷକୁ ହଜାର ହଜାର ଵର୍ଷ ଧରି ମୋହିତ କରି ରଖିଛି। ରାଜକୋଷଠାରୁ ଆରମ୍ଭ କରି ଗୃହିଣୀର ଲୁହା ସିନ୍ଦୁକ ପର୍ଯ୍ୟନ୍ତ, ମନ୍ଦିରର ଗର୍ଭଗୃହରୁ ବ୍ୟାଙ୍କ୍‌ର ରତ୍ନକୋଷ ପର୍ଯ୍ୟନ୍ତ ସୁନାକୁ ମୂଲ୍ୟଵାନ ଵିଚାର କରି ସାଇତି ରଖାଯାଏ । ସୁନାରେ ମହିଳାଙ୍କ ଗହଣା ହୁଏ,ପ୍ରାଚୀନ କାଳରେ ସୁନାରେ ମୁଦ୍ରା ହେଉଥିଲା ଏଵଂ ଅଧୁନା ସୁନାର ଵ୍ୟଵହାର କୃତ୍ରିମ ଉପଗ୍ରହରେ ମଧ୍ୟ ହେଉଅଛି । 
ସୁନା ତଥା ସୁନା ଶବ୍ଦ ସହିତ ଆମେ ଭାରତୀୟମାନେ ବାଲ୍ୟକାଳରୁ ପରିଚିତ । ଉତ୍ତମ ବାଳକ ଵା ବାଳିକାଙ୍କୁ ଆମର ଏଠି ସୁନାପିଲା,ସୁନାଝିଅ ଵା ସୁନାପୁଅ ଇତ୍ୟାଦି କୁହନ୍ତି । ଶିଶୁ ଓ ପ୍ରଣୟିନୀଙ୍କ ପ୍ରତି ସ୍ନେହ ସମ୍ବୋଧନ ଅଟେ ସୁନା । ମାଆ କୁହେ “ମୋ ସୁନାଟା ! ମୋ ଧନଟା ! ” ସେହିପରି ସ୍ଵାମୀ ତାହାର ସ୍ତ୍ରୀକୁ ସୁନା କହି ସ୍ନେହରେ ସମ୍ବୋଧନ କରେ । ଆମ ଓଡ଼ିଶାରେ ସ୍ଵୟଂ ଭଗଵାନ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ସ୍ନେହରେ ସୁନା ସମ୍ବୋଧନ କରାଯାଇ ଭକ୍ତିଗୀତ ଲେଖା ହୋଇଛି। 

“ତୋ ଲାଗି ଗୋପଦାଣ୍ଡ ମନାରେ କାଳିଆ ସୁନା, ତୋ ଲାଗି ନ ଯିବି ଯମୁନାରେ କାଳିଆ ସୁନା”

ପୁଣି ସୁନାପରି ମୂଲ୍ୟଵାନ ଵସ୍ତୁକୁ ଲୋକେ ସୁନା କୁହନ୍ତି । ପୁରୁଷଙ୍କ ପାଇଁ ତଥା ମାନଵ ସମାଜ ପାଇଁ ପୁଂଲିଙ୍ଗ ବହୁତ ମୂଲ୍ୟଵାନ ବୋଲି ତାକୁ ସୁନା କୁହାଯାଏ। ସୁନାପରି ଵର୍ଣ୍ଣଵିଶିଷ୍ଟ ଦରଵ ଓ ଜୀଵ ଇତ୍ୟାଦିଙ୍କୁ ସୁନା କୁହାଯାଏ ଯଥା: ସୁନାମୁଗ,ସୁନାଜଙ୍ଘୀ ପକ୍ଷୀ ଓ ସୁନାବେଙ୍ଗ ଇତ୍ୟାଦି। ଏହିପରି ଭାବେ ସୁନାର ଅନେକ ଅର୍ଥ ଅଛି ଏଵଂ ଏହାର ସମସ୍ତ ଅର୍ଥ ସକାରାତ୍ମକ ଅଟେ। କେଵଳ ଓଡ଼ିଆ ହିଁ ନୁହେଁ ଅନ୍ୟାନ୍ୟ ଭାରତୀୟ ଭାଷାରେ ମଧ୍ୟ ସମାନ ରୂପେ ସକାରାତ୍ମକ ଅର୍ଥରେ ସୁନା ସହିତ ସଗୋତ୍ରୀୟ ଶବ୍ଦଗୁଡ଼ିକ ପ୍ରୟୋଗ କରାଯାଏ । 

ଭାରତକୁ "ସୁନାର ଚଢ଼େଇ" କୁହାଯାଉଥିଲା କାରଣ ୟୁରୋପୀୟଙ୍କ ଆଗମନ ପୂର୍ଵରୁ ଏ ଦେଶର ଅସୀମ ଅର୍ଥନୈତିକ ସମୃଦ୍ଧି ଥିଲା,ଵିଶ୍ୱର ସର୍ଵାଧିକ ସୁନା ଭଣ୍ଡାର ଥିଲା । 
ଵିପୁଳ ଵାଣିଜ୍ୟ ଆୟ ହେଉଥିଲା,ପୃଥିଵୀର ସବୁଠାରୁ ଧନୀ ରାଜଵଂଶ ଓ ସାମ୍ରାଜ୍ୟ ଭାରତରେ ଥିଲା । ସବୁଠାରୁ ବଡ଼ କଥା ଭାରତୀୟ ସଂସ୍କୃତି ପରମ୍ପରା ପର୍ଵପର୍ଵାଣୀ ସର୍ଵତ୍ର କୌଣସି ନା କୌଣସି କ୍ଷେତ୍ରରେ ସୁନା ଜଡ଼ିତ ଥିଲା । 

1292–94 ମଧ୍ୟରେ ମାର୍କୋ ପୋଲୋ ମାଲାବାର ତଟ ଓ ଗୁଜରାଟରେ ପହଞ୍ଚିଥିଲେ ଏଵଂ ଭାରତର ଧନ ସମ୍ପତ୍ତି ଦେଖି ନିଜ ପୁସ୍ତକ The Travels of Marco Poloରେ ଭାରତ ଵିଷୟରେ ଲେଖିଥିଲେ "India is a province which extends a distance of some 1,500 miles 
both in length and breadth, and it is extremely populous. 
It is the richest and most productive country in the world. 
The rivers yield gold in great abundance, and the sea produces pearls."

ମାର୍କୋ ପୋଲୋଙ୍କ ପରି ଆଉ କିଛି ପରିଵ୍ରାଜକ ବି ୟୁରୋପ ତଥା ଆରବ ଉପମହାଦେଶ ଆଡ଼ୁ ଭାରତ ଆସି ଏଠାକାର ଧନ ସମ୍ପତ୍ତି ଦେଖି ଫେରିଗଲେ ଏଵଂ ନିଜ ନିଜର ଅନୁଭୂତି ଲେଖିଲେ ‌। ତାହା ପଢ଼ି 
ଭାରତର ଧନ ସମ୍ପତ୍ତି ଲୋଭରେ ଫ୍ରେଞ୍ଚ୍,ପର୍ତ୍ତୁଗୀଜ,ଡଚ୍ ଓ ଇଂରେଜ ଇତ୍ୟାଦି ୟୁରୋପୀୟ ଜାତି ଭାରତକୁ ଆସିଲେ ଏଵଂ ସୁଯୋଗ ଉଣ୍ଡି ଭାରତକୁ ପରାଧୀନ କରି ଧନ ସମ୍ପତ୍ତି ଲୁଣ୍ଠନ କରି ଚାଲିଲେ ।‌ 

ତେବେ ଭାରତକୁ ସୁନାର ଚଢ଼େଇ କୁହାଯାଉଥିଲା ଏହାର ଅନେକ କାରଣ ମଧ୍ୟରୁ ଗୋଟିଏ ଥିଲା ସୁନାର ପ୍ରାଚୁର୍ଯ୍ୟ ଵା ସ୍ଵର୍ଣ୍ଣ ଭଣ୍ଡାର । ଷୋଡ଼ଶରୁ ସପ୍ତଦଶ ଶତାବ୍ଦୀ ବେଳକୁ ଭାରତରେ ମୋଟ୍ ୪୦,୦୦୦ରୁ ୫୦,୦୦୦ ଟନ୍ ସୁନା ଥିଲା। ଏବେ ମଧ୍ୟ ଭାରତୀୟ ଗୃହସ୍ଥଙ୍କ ପାଖରେ ଆନୁମାନିକ ୨୫୦୦୦ ଟନ୍ ଏଵଂ ଭାରତ ସରକାରଙ୍କ ପାଖରେ ୮୮୦ ଟନ୍ ସୁନା ଅଛି ।‌

ପ୍ରାଚୀନ କାଳରେ ଭାରତୀୟମାନେ ଅନେକ ସୁନା - ମନ୍ଦିର,ରାଜକୋଷ ତଥା ଗୃହରେ ଅଳଙ୍କାର ଓ ବାସନ ରୂପରେ ସାଇତି ରଖିଥିଲେ । ସୁନା ଭାରତୀୟ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ଦରଵ ଥିଵାରୁ ସଂସ୍କୃତ ଭାଷାରେ ଏହାର ଶହେରୁ ଅଧିକ ନାମ ରହିଛି । ସୁନାର କେତେକ ଭାରତୀୟ ମାନକ ଶାସ୍ତ୍ରୀୟ ନାମ ହେଲା : ସ୍ଵର୍ଣ୍ଣ, ସୁଵର୍ଣ୍ଣ, କନକ,ହେମ, ହାଟକ, କାଞ୍ଚନ, ହିରଣ୍ୟ, ଜାତରୂପ, କଞ୍ଚନ, ଚାମୀକର, ହେମନ୍, ରୁକ୍ମ, ପୁରଟ, ତାପନ, ଶାତକୁମ୍ଭ, କୁମ୍ଭ, ଶତକୁମ୍ଭ, ଚନ୍ଦ୍ର, ଭାସ୍କର, ଅଗ୍ନି, ତେଜଃ, ପୀତ, ହରିତ, ଗୌର, ଅରୁଣ, କେଶର, ନିଷ୍କ, ଅଷ୍ଟାପଦ, ଚାମ୍ପେୟ, ରତ୍ନଵର, ମହାରଜନ, ତପନୀୟକ, ଶ୍ରୀମତ୍କୁମ୍ଭ, ଶାତକୌମ୍ଭ, ହିରଣ୍ୟହେମନ୍, କର୍ଵୁର, କର୍ଵୂର, ଲୋହୋତ୍ତମ, ଲୋହଵର, ମହାଧାତୁ, ମହାଧନ, ଅଗ୍ନିବୀଜ, ଵହ୍ନିବୀଜ, ଅଗ୍ନିଶିଖ, ଅଗ୍ନିଭ, ଗାଙ୍ଗେୟ, ଜାମ୍ବଵ, ଜାମ୍ବୁନଦ, ଜାମ୍ବୁନାଦ, କୁନ୍ଦନ, ପିଞ୍ଜର, ପିଞ୍ଜାନ, ଆପିଞ୍ଜର, କାର୍ତ୍ସ୍ୱର, ହେମକ, ସୌଵର୍ଣ୍ଣ, ସୁଵର୍ଣ୍ଣକ, ସ୍ଵର୍ଣ୍ଣକ, ରୁକ୍ମଳ, ଶତଖଣ୍ଡ, ଶୃଙ୍ଗାର, ଭୃଙ୍ଗାର, ଉଜ୍ଜ୍ୱଳ, ଉଜ୍ଜ୍ୱଳନ, ମନୋହର, ସୁରଭି, ସୁରାର୍ହ, ଭଦ୍ର, କଲ୍ୟାଣ, ମଙ୍ଗଲ୍ୟ, ଅମୃତ, ଦୀପ୍ତ, ଦୀପ୍ତକ, ରସ, ରେକ୍ଣସ୍, ହର୍ଷୟିତ୍ନୁ, ଶିଳୋଦ୍ଭଵ, ସ୍ପର୍ଶମଣିପ୍ରଭଵ, ଶୂନ୍ୟହର, ଅଗ୍ନିଵିର୍ଯ୍ୟ, ଅଗ୍ନିରେତଃ, ଅଗ୍ନିସମ୍ଭଵ, ପାରଜ୍, ଋକ୍ଥ, ରିକ୍ଥ, ଵରଵର୍ଣ୍ଣ, ଵର୍ଣ୍ଣି, ରକ୍ତଵର୍ଣ୍ଣ, ଗୈରିକ, ତାମରସ, ଅର୍ଜୁନ, ତାର୍କ୍ଷ୍ୟ, ଗାରୁଡ, ଭର୍ମ, ଭସ୍ମକ, ଚାରୁସାର, ଦଳପ, ଧତ୍ତୂର, କକନ୍ଦ, କନ୍ଦଳ, ଭରୁ, ର, ରୀ, ଟୁ, ଅଭ୍ର, ତିରୀଟ, ଆଗ୍ନେୟ, ଆଗ୍ନେୟୀ, ସୌମେଚକ, ସୌମେରଵ, ସୌମେରୁକ, ଔଜସ, ଶୁକ୍ର, ନାରଜୀଵନ, ଲୋଭନ, ମହାରଜତ, କୃଶନ, କର୍ଚୂର, ଅୟସ୍, ପୁରୁଦ, ଶ୍ରୀମକୁଟ, ହିରଣ, ଵସୁ, ଭୂରି, ଭୂତ୍ତମ, ଦ୍ରଵ୍ୟ, ରୁଦ୍ରରୋଦନ, କାଚିଘ, ପୀୟୁ, ତଵୀଷ, ତାଵିଷ, ତାଵୀଷ, ମରୁତ୍, ଅଵଷ୍ଟମ୍ଭ, ଗର୍ମୁତ୍, ଦ୍ରୁ, କଳଧୂତ, ଦାକ୍ଷାୟଣ, ପ୍ରଗ୍ରହ ଓ ଵେଦଃ ଇତ୍ୟାଦି। ପୃଥିଵୀର ଆଉ କୌଣସି ଭାଷାରେ ଏତେ ଶବ୍ଦ ଥିଵା ଜଣାଯାଏ ନାହିଁ । 

ହେଲେ ସୁନାକୁ ଦେଖିଲେ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଆସେ ଯେ ଏହି ଧାତୁ କେବେ, କାହିଁକି ଓ କିପରି ଏତେ ମୂଲ୍ୟଵାନ ହୋଇଗଲା ? 

ଏହି ପ୍ରଶ୍ନର ଉତ୍ତର ଜାଣିଵାକୁ ହେଲେ ଆମକୁ ପ୍ରାଚୀନ କାଳର ଇତିହାସ ଜାଣିଵାକୁ ହେଵ । 
ପ୍ରାଚୀନତମ ମାନଵ ଯେତେବେଳେ ନଦୀକୁ ଗାଧୋଇଵାକୁ ଯାଉଥିଲା କିମ୍ବା ଶିକାର କରି ଫେରୁଥିଲା ଅଥଵା କୌଣସି କାରଣରୁ ମାଟି ଖୋଳୁଥିଲା ବେଳେବେଳେ ତାକୁ ଏକ ଅଦ୍ଭୁତ ଚକମକିଆ ହଳଦିଆ ପଥର ମିଳୁଥିଲା। ସେ ହଳଦୀ ରଙ୍ଗର ପଥର ଭାଙ୍ଗୁ ନ ଥିଲା, ମଳିଛିଆ ପଡ଼ୁ ନ ଥିଲା,ତରଳାଇଵା ସହଜ ଥିଲା ଏଵଂ ଚମକ କଦାପି ହରାଉ ନ ଥିଲା। କାରଣ ତାହା ପ୍ରାକୃତିକ ଶୁଦ୍ଧ ସୁନା ଥିଲା । ଅନ୍ୟ ଧାତୁଗୁଡ଼ିକ ଖଣିରୁ ଖୋଳି ବାହାର କରି ତାକୁ ତରଳାଇ ବଡ଼ କଠିନ ପଦ୍ଧତିରେ ପ୍ରାପ୍ତ ହେଇଥିଲା କିନ୍ତୁ ସୁନା ଅତି ଅଳ୍ପ ପରିମାଣରେ ହେଉ ପଛେ ନଦୀ ବାଲିରେ ମଧ୍ୟ ମିଳିଯାଉଥିଲା । ଏଥିପାଇଁ ସୁନା ମାନଵ ସଭ୍ୟତାର ସର୍ଵପ୍ରଥମ ଵ୍ୟଵହୃତ ଧାତୁଗୁଡ଼ିକ ମଧ୍ୟରେ ଗୋଟିଏ ହେଲା ।

ଆଜିଯାଏଁ ମିଳିଥିଵା ସବୁଠାରୁ ପୁରୁଣା ସୁନା ଗହଣା ବୁଲଗେରିଆର ଵାର୍ନ୍ନା ନେକ୍ରୋପୋଲିସ୍‌ରୁ ପ୍ରାପ୍ତ ହୋଇଛି ଏଵଂ ଏହାର ସମୟକାଳ– ଖ୍ରୀଷ୍ଟପୂର୍ଵ ୪୬୦୦-୪୨୦୦ ବୋଲି ଜଣାଯାଏ । ଅର୍ଥାତ୍ ଆଜକୁ ପ୍ରାୟ ୬୫୦୦ ଵର୍ଷ ତଳେ ଵା ତା ପୂର୍ଵରୁ ମାନଵ ସୁନାକୁ ଗହଣା ଓ ସମ୍ମାନର ପ୍ରତୀକ ରୂପେ ଵ୍ୟଵହାର କରୁଥିଲା। ଏହାର କିଛି ଶତାବ୍ଦୀ ପରେ ମିଶର, ସୁମେର, ସିନ୍ଧୁ ସଭ୍ୟତାରେ ସୁନା ରାଜକୀୟ ଓ ଧାର୍ମିକ ଵସ୍ତୁ ହୋଇଗଲା।

ତେବେ ମନୁଷ୍ୟମାନେ ସୁନାରେ ଏମିତି କ’ଣ ଦେଖିଲେ ଯେ ତାକୁ ମୂଲ୍ୟଵାନ ମନେ କଲେ ? 

ସୁନାର ମୂଲ୍ୟ କେଵଳ ମାନଵ ମନର ଲୋଭ ନୁହେଁ, ଏହା ଏକ ଵିଜ୍ଞାନସମ୍ମତ ଅନିଵାର୍ଯ୍ୟତା। ପ୍ରକୃତି ସୁନାକୁ ଏପରି ଅଦ୍ଭୁତ ଗୁଣ ଦେଇଛି ଯେ ଅନ୍ୟ କୌଣସି ଧାତୁ ତା’ ସହ ତୁଳନା କରିପାରେ ନାହିଁ। ଏହାର ମୂଲ୍ୟ ପଛରେ ପାଞ୍ଚଟି ମୁଖ୍ୟ କାରଣ ଅଛି – ଅପ୍ରାପ୍ୟତା ଵା ଦୁର୍ଲଭତା, ଅଵିନଶ୍ୱରତା, ସୌନ୍ଦର୍ଯ୍ୟ, କାରିଗରି ସୌଲଭ୍ୟ ଓ ସଞ୍ଚୟ ସୌଲଭ୍ୟ।

ସୁନା ବହୁତ ଦୁର୍ଲଭ କାରଣ ପୃଥିଵୀରେ ସୁନା ଯେତେ କମ୍ ଅଛି, ତାହା ଅକଳ୍ପନୀୟ । 
ପୃଥିଵୀର ଭୂତଳରେ ସୁନାର ପରିମାଣ ମାତ୍ର ୦.୦୦୦୦୦୪ ଭାଗ (୪ ppb)। ଅର୍ଥାତ୍ ପୃଥିଵୀରେ ଏକ ବିଲିୟନ ଟନ୍ ପଥରରୁ ମାତ୍ର ୪ କିଲୋଗ୍ରାମ ସୁନା ମିଳେ। World Gold Council ଅନୁସାରେ ଆଜି ନଭେମ୍ଵର ୨୦୨୫ ପର୍ଯ୍ୟନ୍ତ ମାନଵ ଜାତି ମୋଟ୍ ୨୧୯,୫୦୦ ଟନ୍ ସୁନା ଖନନ କରିଛି। ଅନ୍ୟାନ୍ୟ ଧାତୁ ତୁଳନାରେ ମାନଵ ଇତିହାସରେ ଆମେ ଯେତିକି ସୁନା ବାହାର କରିଛୁ, ତାହା ଅତି ନଗଣ୍ୟ। ଫଳତଃ ସୁନା ସବୁବେଳେ “ଦୁର୍ଲଭ” ରହିଛି।

ସୁନା ପ୍ରକୃତିର ଏକମାତ୍ର “ଅମର” ଧାତୁ । ସୁନାର ରାସାୟନିକ ନାମ Au (Aurum) ଆସିଛି ଲାଟିନ୍ ଶବ୍ଦ “aurora”ରୁ – ଅର୍ଥାତ୍ “ଚମକଦାର ସକାଳ”। ଏଭଳି ନାମକରଣର ତାତ୍ପର୍ଯ୍ୟ ହେଲା ସୁନା କଦାପି ଅକ୍ସିଡାଇଜ୍ ହୁଏ ନାହିଁ । ଲୌହରେ କଳଙ୍କି ଲାଗେ, ରୂପା ମଧ୍ୟ କଳା ପଡ଼େ, କିନ୍ତୁ ସୁନା ୫୦୦୦ ଵର୍ଷ ପୁରୁଣା ହେଲା ପରେ ବି ଚମକୁଥାଏ। ମିଶରର ଫାରୋ ତୁତନ୍‌ଖାମୁନଙ୍କ ସୁନା ମୁଖା ୧୩୩୦ ଖ୍ରୀ.ପୂ.ର କିନ୍ତୁ ଆଜି ବି ସେମିତି ଚମକୁଛି ଯେମିତି ନୂଆ ଗଢ଼ା ହେଲାବେଳେ ଥିଲା । ଏହାର କାରଣ – ସୁନାର ଇଲେକ୍ଟ୍ରନ ଗଠନ ଏପରି ଯେ ଅମ୍ଳଜାନ ସହ ବନ୍ଧନ କରିପାରେ ନାହିଁ। ସବୁଠାରୁ ଶକ୍ତିଶାଳୀ ଅମ୍ଳ “ଆକ୍ୱା ରେଜିଆ” (ନାଇଟ୍ରିକ୍ + ହାଇଡ୍ରୋକ୍ଲୋରିକ୍) ଵ୍ୟତୀତ ଅନ୍ୟ କିଛିରେ ସୁନା ତରଳେ ନାହିଁ। ଏଥି ଯୋଗୁଁ ପ୍ରାଚୀନ କାଳରେ ରାଜାମାନେ ଭାବୁଥିଲେ ଏହା “ଅମରତ୍ୱର ଧାତୁ”।

ସୁନା ପରି ହଳଦିଆ ରଙ୍ଗ ଅନ୍ୟ କୌଣସି ମୌଳିକ ଧାତୁର ନାହିଁ। ସୁନାର ଏହି ହଳଦିଆ ରଙ୍ଗ ପଦାର୍ଥ ଵିଜ୍ଞାନର ଅଦ୍ବିତୀୟ ଉଦାହରଣ - ଇଲେକ୍ଟ୍ରନ୍, ଆଲୋକ ଓ ପରମାଣୁ ଗଠନର ସମ୍ପୂର୍ଣ୍ଣ ସଂଯୋଗ। ସୁନାର 5d¹⁰ 6s¹ ଵିନ୍ୟାସରୁ 5d-6s ମିଶ୍ରଣ ହୋଇ ନୀଳ-ସବୁଜ ଆଲୋକ (520 nm) ଶୋଷଣ କରେ। ବାକି ରହିଥାଏ ହଳଦିଆ-କମଳା-ଲାଲ ରଙ୍ଗ, ଯାହା ପ୍ରତିଫଳିତ ହୋଇ ଆମ ଆଖିକୁ ସୁନେଳି ହଳଦିଆ ଦେଖାଯାଏ। ସୁନାର ରଙ୍ଗ ଓ ସୂର୍ଯ୍ୟଙ୍କ ରଙ୍ଗରେ ସମାନତା ଦେଖି ପ୍ରାଚୀନ ମିଶରୀୟମାନେ ସୁନାକୁ “ରା’ଙ୍କର ମାଂସ” ବୋଲୁଥିଲେ। ଭାରତରେ ଏହାକୁ ସୂର୍ଯ୍ୟ ଓ ଲକ୍ଷ୍ମୀଙ୍କ ସହ ଯୋଡ଼ାଯାଏ। ଏହାର ଚମକ କଦାପି ମ୍ଳାନ ହୁଏ ନାହିଁ, ଯାହା ଅନ୍ୟ ଧାତୁରେ ଦେଖାଯାଏ ନାହିଁ। ତେଣୁ ସୁନାର ରଙ୍ଗ ଯୋଗୁଁ ଏହାକୁ ମୂଲ୍ୟଵାନ ଵିଚାର କରାଗଲା । 

ସୁନାରେ ଯେକୌଣସି ସୂକ୍ଷ୍ମ କାରୁକାର୍ଯ୍ୟ ହୋଇପାରେ କାରଣ ଏହା ନରମ ଓ ପତଳା ଧାତୁ । ସୁନାର କାଠିନ୍ୟ ମାତ୍ର ୨.୫–୩ MHS (Mohs Hardness Scale)। ଏହା ଅତ୍ୟନ୍ତ malleable ଅର୍ଥାତ୍ ହାତୁଡ଼ିରେ ପିଟିଲେ ପତଳା ଧାତୁପତ୍ରରେ ରୂପାନ୍ତରିତ ହୁଏ; ମାତ୍ର ଏକ ଗ୍ରାମ ସୁନାରୁ ଗୋଟିଏ ଵର୍ଗମିଟର ଧାତୁପତ୍ର ପ୍ରସ୍ତୁତ ହୋଇପାରେ। ଏହା ଆହୁରି ଅଧିକ ductile ଅର୍ଥାତ୍ ଟାଣିଲେ ଅତି ସରୁ ଓ ଲମ୍ବା ତାରରେ ପରିଣତ ହୁଏ; ଏକ ଗ୍ରାମ ସୁନାରୁ ପ୍ରାୟ ୨.୪ କିଲୋମିଟର ଲମ୍ବା ତାର ଟାଣିହେଵା ସମ୍ଭଵ। ସୁନାର ଏହି ଗୁଣ ଯୋଗୁଁ ପ୍ରାଚୀନ ମାନଵ ଆଭୂଷଣ ଗଢ଼ିଵାରେ ସୁନାର ଉପଯୋଗ ଅଧିକ କରୁଥିଲା । ଆଜି ବି ମନ୍ଦିରର ଗମ୍ବୁଜ ଓ ଵିଗ୍ରହଙ୍କୁ ସୁନାପତ୍ରରେ ସଜ୍ଜିତ କରାଯାଏ।

ସୁନାର ଏକ ବଡ଼ ଗୁଣ ମଣିଷ ବୁଝିଥିଲା ସଞ୍ଚୟ ସୌଲଭ୍ୟକୁ କାରଣ ଏହା ଅଳ୍ପ ଜାଗାରେ ଵିପୁଳ ଧନ ସଞ୍ଚୟର ମାଧ୍ୟମ ପାଲଟିଥିଲା। ସୁନାର ଘନତ୍ୱ ୧୯.୩ ଗ୍ରାମ/ଘନ ସେ.ମି. ତେଣୁ ଏକ ଛୋଟିଆ ଵାକ୍ସରେ କୋଟି କୋଟି ଟଙ୍କାର ସୁନା ରହିଯାଏ। ଏଥିଯୋଗୁଁ ରାଜା, ମନ୍ଦିର ଓ ବ୍ୟାଙ୍କ ସୁନା ସଞ୍ଚୟ କରୁଥିଲେ। ଆଜି ବି ଭାରତରେ ଗୃହିଣୀମାନେ ସୁନାକୁ “ସୁରକ୍ଷିତ ସଞ୍ଚୟ” ମନେ କରନ୍ତି।

ପ୍ରାଚୀନ କାଳର ଭାରତରେ ସୁନା ମୋହର ଵା ସ୍ଵର୍ଣ୍ଣମୂଦ୍ରାକୁ ନିଷ୍କ କୁହାଯାଉଥିଲା । ଏହାର ଓଜନ ଅଞ୍ଚଳ ଓ କାଳ ଅନୁଯାୟୀ ଵିଭିନ୍ନ ଥିଲା ଏଵଂପ୍ରାୟ 13–18g ମଧ୍ୟରେ ହେଉଥିଲା । ୠଗ୍ବେଦରେ ନିଷ୍କ ସ୍ଵର୍ଣ୍ଣମୂଦ୍ରାର ଉଲ୍ଲେଖ ୪୦ରୁ ଅଧିକ ଥର ହୋଇଅଛି। ଏହା ସେତେବେଳେର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ମୁଦ୍ରା ଥିଲା। ୠଗ୍ବେଦରେ ଦାନ ଓ ଵାଣିଜ୍ୟରେ ନିଷ୍କର ଵ୍ୟଵହାରର ଉଲ୍ଲେଖ ଅଛି। 
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ନିଷ୍କ ଶବ୍ଦର ଗୋଟିଏ ଅର୍ଥ ସୁନା ମୋହର । ଏହା ଦିନାର୍ ସମତୁଲ୍ୟ 32 ରତିପରିମିତ ସ୍ୱର୍ଣ୍ଣ ଥିଲା । 108 ମଷା ସୁଵର୍ଣ୍ଣର ପରିମାଣକୁ ବି ନିଷ୍କ କୁହାଯାଉଥିଲା। 16 କାହାଣ କଉଡ଼ି ପରିମାଣ ସମାନ ନିଷ୍କର ମୂଲ୍ୟ ଥିଲା ବୋଲି ଭାଷାକୋଷରେ ଉଲ୍ଲେଖ ଅଛି । ଚାରି ମଷା ଓଜନର ସୁନାକୁ ମଧ୍ୟ ନିଷ୍କ କହୁଥିଲେ । 

ମହାଭାରତ (ସଭାପର୍ଵ)ରେ ଧୃତରାଷ୍ଟ୍ରଙ୍କ ଦ୍ଵାରା ଯୁଧିଷ୍ଠିରଙ୍କୁ ଅନେକ ନିଷ୍କ ଦିଆଯିଵାର ଉଲ୍ଲେଖ ମିଳେ; ଦୌପଦୀ ସ୍ୱୟମ୍ବରରେ ଅର୍ଜୁନଙ୍କୁ ମଧ୍ୟ ନିଷ୍କ ଦିଆଯିଵାର ସଂଦର୍ଭ ରହିଛି। ରାମାୟଣରେ ମଧ୍ୟ ନିଷ୍କର ଉଲ୍ଲେଖ ଅଛି। ଅୟୋଧ୍ୟାକାଣ୍ଡରେ ଲେଖାଅଛି ଯେ ଶ୍ରୀରାମଙ୍କ ଅଭିଷେକରେ ନିଷ୍କମାଳା ଵ୍ୟଵହୃତ ହୋଇଥିଲା। ଅର୍ଥାତ୍ ନିଷ୍କର ମାଳା ପିନ୍ଧାଇଥିଲେ। 

ନିଷ୍କକୁ ଦେଵତାଙ୍କୁ ଦାନ ସ୍ୱରୂପ ଦିଆଯାଉଥିଲା। ରାଜାମାନେ ଏହା ଦାନ କରୁଥିଲେ। ବଡ଼ଧରଣର ଵାଣିଜ୍ୟରେ ଏହା ଵ୍ୟଵହୃତ ହେଉଥିଲା। ସ୍ୱୟମ୍ବର ଓ ଅଭିଷେକ ସମୟରେ ମଧ୍ୟ ଏହା ଦିଆଯାଉଥିଲା। ଅର୍ଥଶାସ୍ତ୍ରରେ କୌଟିଲ୍ୟ ନିଷ୍କର ଵ୍ୟଵହାର ଵିଷୟରେ ଲେଖିଛନ୍ତି। ସଂକ୍ଷେପରେ କହିଲେ ନିଷ୍କ ଥିଲା ଭାରତୀୟ ମୁଦ୍ରା ଵ୍ୟଵସ୍ଥାର ପ୍ରଥମ ପ୍ରତୀକ। 

ସେପଟେ ପାଶ୍ଚାତ୍ୟ ଦେଶଗୁଡ଼ିକ ମଧ୍ୟରେ ଖ୍ରୀଷ୍ଟପୂର୍ଵ ୬୪୩-୬୩୦ ମଧ୍ୟରେ ଲିଡିଆର ରାଜା କ୍ରୋଏସସ୍‌ଙ୍କ ସମୟରେ ପ୍ରଥମ ଶୁଦ୍ଧ ଇଲେକ୍ଟ୍ରମ୍ (ସୁନା-ରୌପ୍ୟ ମିଶ୍ରଣ) ମୁଦ୍ରାର ଆଵିଷ୍କାର ସୁନାକୁ ଗହଣାରୁ ଵାଣିଜ୍ୟର ମାଧ୍ୟମ ରୂପେ ପରିଣତ କରିଦେଲା। ଫଳତଃ ଏହି କାରଣରୁ "as rich as Croesus" ପ୍ରଵାଦ ସୃଷ୍ଟି ହୋଇଛି । ଏହି ଐତିହାସିକ ଘଟଣା ପରେ ପ୍ରାଚୀନ ସଭ୍ୟତାଗୁଡ଼ିକରେ ସୁନାକୁ ମୁଦ୍ରା ରୂପେ ଗ୍ରହଣ କରିଵାର ଏକ ଵିସ୍ତୃତ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ପ୍ରାଚୀନ ଇଜିପ୍ଟରେ ଖ୍ରୀ.ପୂ. ୬୫୦ ସମୟରେ ସୁନା ଅର୍ଥ ଵିନିମୟର ଏକ ପ୍ରଧାନ ମାଧ୍ୟମ ଥିଲା ଏଵଂ ଏହାର ମୂଲ୍ୟ ‘ଡେବେନ୍’ ନାମକ ଓଜନ ଏକକରେ ମାପ ହେଉଥିଲା। ଫାରାଓମାନଙ୍କ ସମୟରେ ଏହା ଧାର୍ମିକ ଓ ରାଜକୀୟ ପ୍ରତୀକ ସହିତ ଵାଣିଜ୍ୟିକ ମୂଲ୍ୟ ସଞ୍ଚୟ ଉଭୟରେ ଅପରିହାର୍ଯ୍ୟ ଥିଲା। 

 ଖ୍ରୀ.ପୂ. ୩୦୫ରୁ ଖ୍ରୀ.ପୂ. ୩୦ ପର୍ଯ୍ୟନ୍ତ ଇଜିପ୍ଟର ପ୍ଟୋଲେମି ଶାସନକାଳରେ। ପ୍ଟୋଲେମି ରାଜାମାନେ ଗ୍ରୀକ୍ ଶୈଳୀର ସୁନା ଷ୍ଟେଟର୍ (gold stater) ଓ ଅକ୍ଟୋଡ୍ରାକ୍ମ୍ (gold octadrachm) ମୁଦ୍ରା ପ୍ରଚଳନ କରିଥିଲେ ।‌
ଏହା ପୂର୍ଵରୁ ଖ୍ରୀ.ପୂ. ୫୨୫ରେ ପର୍ଶୀୟ ଶାସନ ସମୟରେ ମଧ୍ୟ ଇଜିପ୍ଟରେ କିଛି ସୁନା ଓ ରୌପ୍ୟ ମୁଦ୍ରା ଚଳଣ ହୋଇଥିଲା (ଯେମିତି ଡାରିକ୍), କିନ୍ତୁ ସେଗୁଡ଼ିକ ଇଜିପ୍ଟର ମୂଳ ମୂଦ୍ରା ନଥିଲା ଵରଂ ପର୍ଶିଆରୁ ଆସିଥିଲା।‌

ଲିଡିଆ ଵିଜୟ କରିଵା ପରେ ପାର୍ସିଆର ଆଚେମେନିଡ୍ ସାମ୍ରାଜ୍ୟରେ ସୁନା ମୁଦ୍ରାର ନୂତନ ଯୁଗ ଆରମ୍ଭ ହୋଇଥିଲା। ଖ୍ରୀ.ପୂ. ୫୨୨ରୁ ୫୦୬ ମଧ୍ୟରେ ରାଜା ଡାରିୟସ୍ ପ୍ରଥମଙ୍କ ଦ୍ୱାରା ପ୍ରଚଳିତ ଡାରିକ୍ ମୁଦ୍ରା ଶୁଦ୍ଧ ସୁନାରୁ ତିଆରି ହୋଇଥିଲା। ଏଥିରେ ରାଜା ଧନୁ ଧରି ଦୌଡୁଥିଵା ଚିତ୍ର ଅଙ୍କିତ ଥିଲା। ଡାରିକ୍ କେଵଳ ପାର୍ସିଆରେ ନୁହେଁ, ଗ୍ରୀସ୍, ଇଜିପ୍ଟ ଓ ଭାରତ ପର୍ଯ୍ୟନ୍ତ ଵାଣିଜ୍ୟରେ ଗ୍ରହଣୀୟ ହୋଇଥିଲା। ଏହା ପ୍ରାଚୀନ ଵିଶ୍ୱର ସବୁଠାରୁ ପ୍ରଭାଵଶାଳୀ ସୁନା ମୁଦ୍ରା ଭାବେ ପରିଚିତ ହୋଇଥିଲା।
ପ୍ରାଚୀନ ଗ୍ରୀସରେ ସୁନାର ଵ୍ୟଵହାର ଅତି ପ୍ରାଚୀନ ଏବଂ ଵିଵିଧ ଥିଲା। ମାଇସେନିଆନ୍ ସଭ୍ୟତା (ଖ୍ରୀ.ପୂ. ୧୬୦୦–୧୧୦୦) ସମୟରୁ ହିଁ ରାଜକୀୟ ସମାଧିରେ ସୁନାର ମୁଖା (ଯେମ୍ବା ଆଗାମେମ୍ନନ୍‌ଙ୍କ ପ୍ରସିଦ୍ଧ ମୁଖା), ଗହଣା, ଅସ୍ତ୍ରର ସଜାବଜା ଓ ଧାର୍ମିକ ଵସ୍ତୁ ମିଳୁଛି। ହୋମରଙ୍କ ଇଲିଆଡ୍ ଓ ଓଡିସିରେ ସୁନାକୁ ଧନ, କ୍ଷମତା ଓ ଦେଵତାଙ୍କ ଗୌରଵର ପ୍ରତୀକ ରୂପେ ଵର୍ଣ୍ଣନା କରାଯାଇଛି। ଥ୍ରେସ୍, ପ୍ୟାଙ୍ଗେଆ ପର୍ଵତମାଳା ଓ କୋଲଚିସ୍ (ଆଧୁନିକ ଜର୍ଜିଆ)ରୁ ସୁନା ଆସୁଥିଲା। କ୍ଲାସିକାଲ୍ ଯୁଗରେ ଅଲିମ୍ପିଆର ଜିଉସ୍ ମୂର୍ତ୍ତି ଭଳି ଵିରାଟ ଚ୍ରାଇସୋଏଲେଫାଣ୍ଟାଇନ୍ (ସୁନା ଓ ହାତୀଦାନ୍ତ) ମୂର୍ତ୍ତି, ମନ୍ଦିରର ସାଜସଜ୍ଜା ଓ ଵିଜୟୀ କ୍ରୀଡାଵିତ୍‌ଙ୍କ ସୁନା ମୁକୁଟରେ ଏହା ଵ୍ୟଵହୃତ ହେଉଥିଲା।

ମୁଦ୍ରା ରୂପେ ସୁନାର ୟଵହାର ଗ୍ରୀସରେ ଅତି ସୀମିତ ଥିଲା ଏଵଂ ସାଧାରଣତଃ ରୂପା ମୁଦ୍ରା ପ୍ରାଧାନ୍ୟ ପାଇଥିଲା। ତଥାପି ଖ୍ରୀଷ୍ଟ ପୂର୍ଵ ୫ମ ଶତାବ୍ଦୀରେ ପେଲୋପୋନେସିଆନ୍ ଯୁଦ୍ଧ ସମୟରେ ଏଥେନ୍ସ ଆଦି କେତେକ ନଗରରାଜ୍ୟ ଅତି ଅଳ୍ପ ପରିମାଣରେ ସୁନା ମୁଦ୍ରା ଜାରି କରିଥିଲେ। ନିୟମିତ ଓ ଵ ପୁଳ ପରିମାଣରେ ସୁନା ମୁଦ୍ରା ପ୍ରଚଳନ ଆରମ୍ଭ ହୋଇଥିଲା ଖ୍ରୀ.ପୂ. ୩୫୯ ପରେ ମାସିଡୋନିଆର ରାଜା ଫିଲିପ୍ ଦ୍ୱିତୀୟଙ୍କ ସମୟରୁ, ଯିଏ ପ୍ୟାଙ୍ଗେଆର ଖଣି ଅଧିକାର କରି ସୁନାର ଷ୍ଟେଟର୍ ଜାରି କରିଥିଲେ। ତାଙ୍କ ପୁଅ ଆଲେକଜାଣ୍ଡାର ଦି ଗ୍ରେଟ୍ ପର୍ସିଆର ସୁନା ଡାରିକ୍‌କୁ ପଛରେ ଠେଲି ନିଜର ସୁନା ଷ୍ଟେଟର୍‌କୁ ହେଲେନିଷ୍ଟିକ୍ ଵିଶ୍ୱରେ ସର୍ଵତ୍ର ଚଳାଇଥିଲେ।

ରୋମାନ୍ ସାମ୍ରାଜ୍ୟରେ ସୁନାର ଵ୍ୟଵହାର ଅତି ପ୍ରାଚୀନ ଏଵଂ ଵିଵିଧ ଥିଲା। ରୋମାନ୍ ପ୍ରଜାତନ୍ତ୍ର କାଳରେ ହିଁ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରୁ) ସୁନା ଗହଣା, ମୂର୍ତ୍ତି, ମନ୍ଦିରର ସାଜସଜ୍ଜା, ଵିଜୟୀ ସେନାପତିଙ୍କ ପୁରସ୍କାର (ଯଥା corona aurea ଵା ସୁନା ମୁକୁଟ), ଧନୀ ଲୋକଙ୍କ ଘରର ଆସବାବପତ୍ର ଓ ପୋଷାକରେ ଵ୍ୟଵହୃତ ହେଉଥିଲା। ସୁମେରିଆନ୍, ଇଜିପ୍ଟ ଓ ଗ୍ରୀକ୍ ପ୍ରଭାଵରେ ସୁନାକୁ ଧନ, କ୍ଷମତା ଓ ଦେଵତାଙ୍କ ପ୍ରତୀକ ରୂପେ ଗ୍ରହଣ କରାଯାଉଥିଲା। ରୋମାନ୍ ସୈନିକମାନେ ଗଲ୍ (Gaul), ସ୍ପେନ୍ (Hispania) ଓ ପରେ ଡାସିଆ (Dacia) ଆଦି ଅଞ୍ଚଳରୁ ଵିପୁଳ ପରିମାଣର ସୁନା ଲୁଟ୍ କରି ଆଣି ରୋମର ଅର୍ଥଭଣ୍ଡାର ଭରିଥିଲେ। ଏହି ସୁନା ସରକାରୀ ଭଣ୍ଡାର (aerarium), ସାମ୍ରାଟଙ୍କ ଵ୍ୟକ୍ତିଗତ ଧନାଗାର ଵା fiscus ରହୁଥିଲା ଏଵଂ ବଡ଼ ବଡ଼ ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ ହେଉଥିଲା।

ମୁଦ୍ରା ରୂପେ ସୁନା ରୋମାନ୍ ସାମ୍ରାଜ୍ୟରେ ନିୟମିତ ଭାବେ ପ୍ରଥମେ ଚଳିଥିଲା ଖ୍ରୀ.ପୂ. ୧୯୦ ଦଶକର ମଧ୍ୟଭାଗରେ, ଅର୍ଥାତ୍ ଆଉରେଅସ୍ (Aureus) ନାମକ ସୁନା ମୁଦ୍ରା ସହିତ, ଯାହା ଦ୍ୱିତୀୟ ପ୍ୟୁନିକ୍ ୟୁଦ୍ଧ ସମୟରେ ପ୍ରଚଳନ ଆରମ୍ଭ ହୋଇଥିଲା।

ପ୍ରାଚୀନ ଭାରତରେ ନିଷ୍କ ସ୍ଵର୍ଣ୍ଣମୂଦ୍ରାର ଵ୍ୟଵହାର ହେଉଥିଲା କିନ୍ତୁ ଖ୍ରୀ.ପୂ. ୬୦୦ରୁ ସୁନାର ଆଧୁନିକ କାଳର ମୁଦ୍ରା ପ୍ରଚଳନ ଆରମ୍ଭ ହୋଇଥିଲା। ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ସମୟରେ "କାର୍ଷାପଣ" ଏଵଂ କୁଷାଣ ସମ୍ରାଟ କାନିଷ୍କଙ୍କ ସମୟରେ ସୁନା ମୁଦ୍ରା ପ୍ରଚଳନରେ ରହିଥିଲା। ଏହି ମୁଦ୍ରାଗୁଡ଼ିକରେ ରୋମାନ୍ ପ୍ରଭାବ ଦେଖାଯାଏ ଏଵଂ ଏଗୁଡ଼ିକ ଭାରତୀୟ ଉପମହାଦେଶରେ ବାଣିଜ୍ୟର ମୂଳ ଆଧାର ହୋଇଥିଲା। 

ଚୀନ୍ ଦେଶରେ ଖ୍ରୀ.ପୂ. ୨୨୧ରୁ ଚିନ୍ ଶି ହୱାଙ୍ତିଙ୍କ ସମୟଠାରୁ ସୁନା ମୁଖ୍ୟତଃ ଗହଣା, ଧାର୍ମିକ ଵସ୍ତୁ ଓ ଧନଭଣ୍ଡାର ରୂପେ ଵ୍ୟଢହୃତ ହେଉଥିଲା । ଚୀନ୍ ଇତିହାସରେ ସୁନା ମୁଦ୍ରା କେବେ ମୁଖ୍ୟ ମୁଦ୍ରା ହୋଇନଥିଲା ‌।ଅଳ୍ପ କିଛି ସୁନା ମୁଦ୍ରା ସର୍ଵପ୍ରଥମେ ଆସିଥିଲା ଖ୍ରୀଷ୍ଟାବ୍ଦ ୧୮୮୯ରେ ଚିଙ୍ଗ ରାଜଵଂଶର ଶେଷ ଭାଗରେ ଏଵଂ ୧୯୧୧–୧୯୪୯ ମଧ୍ୟରେ ଗଣପ୍ରଜାତନ୍ତ୍ରିକ ଯୁଗରେ, କିନ୍ତୁ ସେଗୁଡ଼ିକ ଅତି ସୀମିତ ଥିଲା।

ପ୍ରାଚୀନ ମେସୋଆମେରିକା ଓ ଆଣ୍ଡିଜ୍ ଅଞ୍ଚଳରେ ସୁନାର ଭୂମିକା ଅତ୍ୟନ୍ତ ଭିନ୍ନ ଭିନ୍ନ ଥିଲା । ପ୍ରାଚୀନ ମାୟା ସଭ୍ୟତାରେ (ଖ୍ରୀଷ୍ଟପୂର୍ବ ୨୫୦–୯୦୦) ସୁନା ପ୍ରାୟ ଅଵର୍ତ୍ତମାନରେ ଅନୁପସ୍ଥିତ ଥିଲା। ମାୟା ଅଞ୍ଚଳରେ (ଆଜିର ଦକ୍ଷିଣ ମେକ୍ସିକୋ, ଗ୍ୱାଟେମାଲା, ବେଲିଜ୍, ହୋଣ୍ଡୁରାସ୍ ଓ ଏଲ୍ ସାଲଭାଡୋର) ସ୍ୱାଭାଵିକ ସୁନାର ଖଣି ନ ଥିଵାରୁ ଏହି ଧାତୁ ସେମାନଙ୍କ ପାଖରେ ଅତ୍ୟନ୍ତ ଵିରଳ ଥିଲା। ପ୍ରାଚୀନ ଯୁଗର ହଜାର ହଜାର ସମାଧି ଓ ନଗର ଖନନ କରାଯାଇଛି, କିନ୍ତୁ ସେଠାରେ ସୁନାର କୌଣସି ବଡ଼ ଵସ୍ତୁ ମିଳିନାହିଁ। ମାୟାମାନଙ୍କ ପାଇଁ ସବୁଠାରୁ ମୂଲ୍ୟଵାନ ଧାତୁ ଥିଲା ଜେଡାଇଟ୍ (jadeite), ଯାହାକୁ ସେମାନେ ଜୀଵନ, ଉର୍ବରତା ଓ ରାଜକୀୟ କର୍ତ୍ତଵ୍ୟର ପ୍ରତୀକ ମାନୁଥିଲେ। ଅନ୍ୟ ମୂଲ୍ୟଵାନ ଵସ୍ତୁ ଥିଲା କ୍ୱେଟ୍‌ଜାଲ୍ ପକ୍ଷୀର ନୀଳ-ସବୁଜ ପର, ସିପି ଶେଲ୍ (Spondylus shell), ଓବ୍‌ସିଡିଆନ୍ (obsidian) ଓ ତମ୍ବା (copper)। କୋକୋ ବିନ୍ (cocoa beans) ନିଶ୍ଚିତ ଭାବେ ମାୟା ଓ ପରଵର୍ତ୍ତୀ ଆଜଟେକ୍‌ଙ୍କ ପାଖରେ ମୁଦ୍ରା ଭାବେ ଵ୍ୟଵହୃତ ହେଉଥିଲା, କିନ୍ତୁ ସୁନା ସହିତ ତାର କୌଣସି ସମ୍ପର୍କ ନ ଥିଲା, କାରଣ ସୁନା ସେତେବେଳେ ପ୍ରାୟ ନ ଥିଲା।

ସୁନାର ଵସ୍ତୁ ମାୟା ଅଞ୍ଚଳରେ କେଵଳ ଖ୍ରୀଷ୍ଟାବ୍ଦ ୯୦୦ରୁ ଖ୍ରୀଷ୍ଟାବ୍ଦ ୧୫୦୦ ମମୟରେ ଦେଖାଯାଏ, ଯେତେବେଳେ ମଧ୍ୟ ଆମେରିକାର ଦକ୍ଷିଣ ଭାଗ (ଆଜିର କୋଷ୍ଟାରିକା, ପାନାମା ଓ କୋଲମ୍ବିଆ)ରୁ ଵ୍ୟଵସାୟ ମାଧ୍ୟମରେ ସୁନା ଆସିଵାକୁ ଲାଗିଲା। ସେତେବେଳେ ମଚିଚେନ୍ ଇତ୍‌ଜା ଓ ମାୟାପାନ୍ ଭଳି ଉତ୍ତର ମାୟା ନଗରରେ କିଛି ସୁନାର ଗହଣା ଓ ଛୋଟ ଘଣ୍ଟି ମିଳିଛି। କିନ୍ତୁ ସେହି ସୁନା ମଧ୍ୟ ମୁଦ୍ରା ନ ଥିଲା, ଧାର୍ମିକ ଓ ଅଭିଜାତ ପ୍ରତୀକ ଥିଲା।

ଅନ୍ୟପକ୍ଷରେ ଇନ୍‌କା ସଭ୍ୟତାରେ (ପ୍ରାୟ ଖ୍ରୀଷ୍ଟାବ୍ଦ ୧୪୩୮–୧୫୩୩) ସୁନାର ଭୂମିକା ପୁରାପୁରି ଭିନ୍ନ ଥିଲା। ଆଣ୍ଡିଜ୍ ପର୍ଵତମାଳାରେ ପ୍ରଚୁର ପରିମାଣର ସୁନା ଥିଵାରୁ ଇନ୍‌କାମାନେ ଏହାକୁ ବହୁଳ ଭାବେ ଵ୍ୟଵହାର କରୁଥିଲେ। ସେମାନେ ସୁନାକୁ “ଇଣ୍ଟିର ଆନ୍ଦୀ” ଵା “ସୂର୍ଯ୍ୟଦେଵାତାଙ୍କର ଘର୍ମ” (sweat of the sun) ଏଵଂ ରୂପାକୁ “କିଲ୍ଲାର ଜେଉଁ” ଵା “ଚନ୍ଦ୍ରଦେଵତାଙ୍କର ଲୁହ” (tears of the moon) କହୁଥିଲେ। ସୁନା ଇନ୍‌କାଙ୍କ ପାଇଁ କେଵଳ ଧାର୍ମିକ ଓ ରାଜକୀୟ ପଵିତ୍ରତାର ପ୍ରତୀକ ଥିଲା। କୁଜ୍‌କୋର କୋରିକାଞ୍ଚା (Coricancha) ମନ୍ଦିରର ଭିତର ପ୍ରାଚୀର ସମ୍ପୂର୍ଣ୍ଣ ସୁନାର ପତ୍ରରେ ମଢ଼ା ଯାଇଥିଲା ଏଵଂ ସେଠାରେ ଜୀଵନ୍ତ ଆକାରର ସୁନାର ଲାମା, ମକା ଗଛ ଓ ମଣିଷ ମୂର୍ତ୍ତି ରଖାଯାଇଥିଲା। ଇନ୍‌କା ସାମ୍ରାଜ୍ୟରେ କୌଣସି ମୁଦ୍ରା ପ୍ରଥା ନ ଥିଲା। ସେମାନେ ଶ୍ରମ ଵିନିମୟ ଓ ଵସ୍ତୁ ଵିନିମୟ ଉପରେ ନିର୍ଭର କରୁଥିଲେ। ସୁନା କେଵଳ ସୂର୍ଯ୍ୟଦେଵତା ଇଣ୍ଟି ଓ ରାଜକୁଳର ସମ୍ପତ୍ତି ଥିଲା, ସାଧାରଣ ଲୋକଙ୍କ ପାଖରେ ତାହାର ଵ୍ୟଵହାର ନିଷିଦ୍ଧ ଥିଲା।

ଏହିପରି ଭାବେ ପ୍ରାଚୀନ ସଭ୍ୟତାଗୁଡ଼ିକରେ ସୁନାକୁ ମୁଦ୍ରା ରୂପେ ଗ୍ରହଣ କରିଵା ଏକ ଐତିହାସିକ କ୍ରାନ୍ତି ଥିଲା। ପ୍ରାଚୀନ ଭାରତ,ମେସୋପୋଟାମିଆ ଓ ଲିଡିଆରୁ ଆରମ୍ଭ ହୋଇ ଇଜିପ୍ଟ,ପାର୍ସିଆ, ଗ୍ରୀସ୍, ରୋମ ଓ ଚୀନ ପର୍ଯ୍ୟନ୍ତ ଏହାର ପ୍ରସାର ଵିଶ୍ୱ ଵଣିଜ୍ୟରେ ଏକ ସ୍ଥିର ଓ ଵିଶ୍ୱସନ୍ନୀୟ ଵ୍ୟଵସ୍ଥାର ସୃଷ୍ଟି କରିଥିଲା। ସୁନାର ଅଜଳା ଚମକ କେଵଳ ଗହଣାରେ ସୀମିତ ନ ରହି ଅର୍ଥନୀତିର ମୂଳ ଚାଳିତ ଶକ୍ତି ହୋଇ ଉଭା ହୋଇଥିଲା। ଆଜି ମଧ୍ୟ ସୁନାର ମୂଲ୍ୟ ଏହାର ଐତିହାସିକ ମହତ୍ୱରେ ନିର୍ଭର କରିଥାଏ।
ଆଜି ବି ସୁନା ହେଉଛି ଵିଶ୍ୱର ସବୁଠାରୁ ବଡ଼ ସୁରକ୍ଷିତ ନିଵେଶ। ଯୁଦ୍ଧ, ମହାମାରୀ, ମୁଦ୍ରାସ୍ଫୀତି ହେଲେ ସୁନା ଦାମ୍ ଵଢ଼େ। ତେଣୁ ସୁନା କେଵଳ ଏକ ଧାତୁ ନୁହେଁ – ଏହା ହେଉଛି ମାନଵ ସଭ୍ୟତାର ସବୁଠାରୁ ପୁରୁଣା ଓ ଅପରିଵର୍ତ୍ତନଶୀଳ ମୂଲ୍ୟବୋଧର ପ୍ରତୀକ।

ଯଦିଓ ସୁନା ବହୁତ ମୂଲ୍ୟଵାନ, ତଥାପି ଏହାର ଅଦ୍ୱିତୀୟ ଭୌତିକ ଓ ରାସାୟନିକ ଗୁଣ ଯୋଗୁଁ ସ୍ପେସ୍‌ରେ ଏହା ଵ୍ୟତୀତ ଅନ୍ୟ ଧାତୁ ସହଜରେ କାମ ଦେଇପାରେ ନାହିଁ। 
ସୁନା ଅତି ଉତ୍ତମ ଵିଦ୍ୟୁତ୍ ପରିଵାହୀ ଏଵଂ ଏହା କ୍ଷୟ (corrosion) ହୁଏ ନାହିଁ।
ମହାକାଶରେ ଅମ୍ଳଜାନ ନ ଥାଏ, ଆଦ୍ରତା ନ ଥାଏ, କିନ୍ତୁ ତଥାପି ତାପମାନ ଅତି ଉଚ୍ଚ ଓ ନିମ୍ନ (±୨୫୦° ସେଲସିୟସ୍‌ ପର୍ଯ୍ୟନ୍ତ) ହେଉଥାଏ। ଏଭଳି ପରିଵେଶରେ କପର, ସିଲଭର୍ ଭଳି ଅନ୍ୟାନ୍ୟ ଧାତୁ ଅକ୍ସିଡାଇଜ୍ ହୋଇ ସଂଯୋଗ ଖରାପ କରିଦିଏ, କିନ୍ତୁ ସୁନା କଦାପି ଅକ୍ସିଡାଇଜ୍ ହୁଏ ନାହିଁ । ତେଣୁ ସାଟେଲାଇଟର ସବୁ ଗୁରୁତ୍ୱପୂର୍ଣ୍ଣ କନେକ୍ଟର, ସୁଇଚ୍, ରିଲେ ଇତ୍ୟାଦି ସୁନାରେ ପ୍ଲେଟେଡ୍ (gold-plated) କରାଯାଏ।ସାଟେଲାଇଟରେ ଅନେକ ସେନ୍ସର, ଚିପ୍ ଇତ୍ୟାଦି gold wire bonding ଦ୍ୱାରା ଯୋଡ଼ାଯାଏ। ଅତି ପତଳା (୨୦-୫୦ ମାଇକ୍ରୋନ) ସୁନାର ତାର ଵ୍ୟଵହାର କରାଯାଏ, ଯାହା ବହୁତ ଵିଶ୍ୱସନୀୟ ଏଵଂ ସ୍ପେସ୍ ରେଡିଏସନ୍ ସହିପାରେ। ସୁନା ଅତି ଭଲ ଇନଫ୍ରାରେଡ୍ (IR) ରିଫ୍ଲେକ୍ଟର। ଏହା ସୂର୍ଯ୍ୟଙ୍କ ତାପକୁ ୯୫%ରୁ ଅଧିକ ପ୍ରତିଫଳିତ କରିଦିଏ। ଅନେକ ସାଟେଲାଇଟରେ Multi-Layer Insulation (MLI) blanketsର ବାହାର ଭାଗରେ gold-coated Kapton or Mylar ଵ୍ୟଵହାର ହୁଏ। ଏହା ସାଟେଲାଇଟକୁ ଅତି ଗରମ ହେଵାରୁ ରକ୍ଷା କରେ। କିଛି ହାଇ-ଫ୍ରିକ୍ୱେନ୍ସି ଆଣ୍ଟେନା ଓ ରେଡିଓ ରିଫ୍ଲେକ୍ଟରରେ ସୁନାର ପତଳା ଲେୟର୍ ଲଗାଯାଏ ଯାହା ସିଗନାଲ୍ ଲସ୍ କମାଇଥାଏ। ଗୋଟିଏ ଵଡ଼ ସାଟେଲାଇଟରେ ସାଧାରଣତଃ ୫୦ ଗ୍ରାମରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ସୁନା (ପ୍ଲେଟିଙ୍ଗ + ୱାୟାର) ଵ୍ୟଵହାର ହୋଇପାରେ। କିନ୍ତୁ ଏହା ଵିନା ସାଟେଲାଇଟ ବେଶୀ ଦିନ ଚାଲିପାରେ ନାହିଁ। ଏଥିପାଇଁ ସୁନା ଆଧୁନିକ ଯୁଗରେ ଆହୁରି ମୂଲ୍ୟଵାନ ହୋଇଯାଇଛି ତେବେ ପ୍ରକୃତରେ କ’ଣ ସୁନା ମୂଲ୍ୟଵାନ କି ? 

ପ୍ରାଚୀନ ମାନଵ ସୁନାକୁ ଦେଖିଲା ନଦୀ କୂଳରେ, ମାଟି ତଳେ, ପଥର ଭିତରେ। ସେ ଜାଣିନଥିଲା ଏହା କେଉଁଠାରୁ ଆସିଛି। ସେ କେଵଳ ଦେଖିଲା ଯେ ଏହା ନଷ୍ଟ ହୁଏନାହିଁ, ମଳିନ ପଡ଼େ ନାହିଁ ତେଣୁ ସେ ଏହାକୁ ଦେଵତାଙ୍କ ଅଂଶ ବୋଲି ଭାବିଲା। ମିଶରର ଫାରୋମାନେ ଏହାର ଵ୍ୟଵହାର କରି ମୃତଦେହ ସହିତ ରଖିଲେ ଯାହାଦ୍ୱାରା ପରଲୋକରେ ସେମାନେ ଅମର ହେବେ। ଇନ୍‌କାମାନେ ଏହାକୁ ସୂର୍ଯ୍ୟଦେଵତା ଇନ୍‌ତିଙ୍କର ଘର୍ମ ବୋଲି ମାନି ପୂଜା କଲେ। ଭାରତରେ ଏହା ଲକ୍ଷ୍ମୀଙ୍କ ପ୍ରତୀକ ହେଲା। କିନ୍ତୁ ଆଜି ଆଧୁନିକ ଵିଜ୍ଞାନ କହୁଛି ଯେ ପ୍ରାଚୀନ ମାନଵର ଅନୁଭଵ ଭୁଲ୍ ନଥିଲା। ସୁନା ପ୍ରକୃତରେ ଦିଵ୍ୟ, କାରଣ ଏହା ବ୍ରହ୍ମାଣ୍ଡର ସବୁଠାରୁ ଵିପଦପୂର୍ଣ୍ଣ ଦୁର୍ଘଟଣାରୁ ଜାତ ହୋଇଛି । କିନ୍ତୁ କେମିତି ? 

ସୁନାର ପରମାଣୁ ସଂଖ୍ୟା ୭୯। ଏହାର ଅର୍ଥ ଏହାର ନ୍ୟୁକ୍ଲିୟସରେ ୭୯ଟି ପ୍ରୋଟନ ରହିଛି। ଆମେ ଜାଣୁ ଯେ ସାଧାରଣ ତାରାଗୁଡ଼ିକରେ (ଯେମିତି ଆମର ସୂର୍ଯ୍ୟ) କେଵଳ ହାଇଡ୍ରୋଜେନ୍ ଓ ହିଲିୟମ୍‌ରୁ ଆରମ୍ଭ କରି କାର୍ବନ୍, ଅମ୍ଳଜାନ, ଲୌହ ପର୍ଯ୍ୟନ୍ତ ମୌଳିକ ନିଉକ୍ଲିୟର ଫ୍ୟୁଜନ୍ ଦ୍ୱାରା ତିଆରି ହୋଇପାରେ। କିନ୍ତୁ ଲୌହଠାରୁ ଅଧିକ ପରମାଣୁ ଭାର ଥିଵା ଧାତୁ ତିଆରି କରିଵାକୁ ଗଲେ ତାରା ଭିତରେ ଶକ୍ତି ଖର୍ଚ୍ଚ ହୁଏ, ଉତ୍ପାଦନ ହୁଏ ନାହିଁ। ତେଣୁ ସାଧାରଣ ତାରା ମରିଵା ସମୟରେ ମଧ୍ୟ ସୁନା ତିଆରି କରିପାରେ ନାହିଁ। ଏହା ଥିଲା ଵିଜ୍ଞାନୀଙ୍କ ପାଇଁ ଦଶକ ଦଶକ ଧରି ଏକ ରହସ୍ୟ। ଯଦି ସାଧାରଣ ତାରାର ସୃଷ୍ଟି କିମ୍ବା ମୃତ୍ୟୁ ସମୟରେ ସୁନା ତିଆରି ଅସମ୍ଭଵ ତାହେଲେ ପୃଥିଵୀରେ ଥିଵା ସୁନା ଆସିଲା କୁଆଡ଼ୁ ?

ଅନେକ ଵର୍ଷ ଧରି ଵିଜ୍ଞାନୀମାନେ ଭାବୁଥିଲେ ଯେ ଭାରୀ ଧାତୁ ସୁପରନୋଵା ଵିସ୍ଫୋରଣରେ ତିଆରି ହେଉଥିଵ। ଯେତେବେଳେ ଵିଶାଳ ତାରା ମରେ, ତା’ର କେନ୍ଦ୍ର ଭାଙ୍ଗିପଡ଼େ ଓ ବାହାର ଆଵରଣ ଵିପୁଳ ବେଗରେ ବାହାରକୁ ଫୋପାଡ଼ି ଦିଆଯାଏ, ସେତେବେଳେ ଅତ୍ୟଧିକ ନ୍ୟୁଟ୍ରନ ଉତ୍ପନ୍ନ ହୁଏ ବୋଲି ସେମାନେ ଭାବୁଥିଲେ। ଏହି ନ୍ୟୁଟ୍ରନ ଲୌହ ଆଦି ହାଲୁକା ନ୍ୟୁକ୍ଲିୟସରେ ମିଶି ଭାରୀ ଧାତୁ ତିଆରି କରିଦେଇଥିଵ। ଏହି ପ୍ରକ୍ରିୟାର ନାମ ଦିଆଯାଇଥିଲା r-process (rapid neutron capture)। କିନ୍ତୁ ଗଣନା କରି ଦେଖାଗଲା ଯେ ସୁପରନୋଵାରେ ଏତେ ନ୍ୟୁଟ୍ରନର ଘନତ୍ୱ ନାହିଁ ଯେ ସୁନା ଵା ୟୁରେନିୟମ୍ ଭଳି ଧାତୁ ପର୍ଯ୍ୟାପ୍ତ ପରିମାଣରେ ତିଆରି ହେଵ। ଅନେକ ଵର୍ଷ ଯାଏଁ ଏହି ରହସ୍ୟ ରହସ୍ୟ ହୋଇ ହିଁ ରହିଲା।

୨୦୧୭ ଅଗଷ୍ଟ ୧୭ ତାରିଖ। ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୧୮:୪୧ ମିନିଟ୍ । ଆମେରିକାର LIGO ଓ ଇଟାଲିର Virgo ଗ୍ରାଭିଟେସନାଲ୍ ୱେଭ୍ ଡିଟେକ୍ଟର ଏକ ଅଦ୍ଭୁତ ସଙ୍କେତ ପାଇଲେ । ଏହା କୌଣସି ବ୍ଲାକ୍‌ହୋଲ୍ ମର୍ଜର ନଥିଲା। ଏହା ଥିଲା ଦୁଇଟି ନ୍ୟୁଟ୍ରନ ତାରାର ମିଶଣ। ପ୍ରତ୍ୟେକଟି ପୃଥିଵୀଠାରୁ ୧.୧ରୁ ୧.୬ ଗୁଣ ଅଧିକ ଭାରଯୁକ୍ତ , କିନ୍ତୁ ବ୍ୟାସ ମାତ୍ର ୨୦ କିଲୋମିଟରର ଏହି ମୃତ ତାରାଦ୍ୱୟ ଏକାଠି ଘୂରି ଘୂରି ଶେଷରେ ଏକାଠି ମିଶିଯାଇ ଭୟଙ୍କର ଵିସ୍ଫୋରଣ ହେଲା। ଏହି ଘଟଣାର ନାମ ଦିଆଗଲା GW170817। ଏହା ପୃଥିଵୀଠାରୁ ପ୍ରାୟ ୧୩୦ ନିୟୁତ ଆଲୋକଵର୍ଷ ଦୂରରେ ଘଟିଥିଲା (ଅର୍ଥାତ୍ ଆଜକୁ ପ୍ରାୟ ୧୩୦ ନିୟୁତ ଵର୍ଷ ତଳେ ଏହି ଘଟଣା ସେହି ସ୍ଥାନରେ ଘଟିଥିଲା) ।

ଏହି ଗ୍ରାଵିଟେସନାଲ୍ ୱେଭ୍ ସଙ୍କେତ ଆସିଵାର ମାତ୍ର ୧.୭ ସେକେଣ୍ଡ ପରେ ଆକାଶରେ ଏକ ନୂଆ ଆଲୋକ ଦେଖାଗଲା। ପ୍ରଥମେ ନୀଳ ଓ ଧଳା, ତା’ପରେ ଲାଲ୍ ଓ ଇନଫ୍ରାରେଡ୍। ଏହା କୌଣସି ସୁପରନୋଵା ନଥିଲା। ଏହା ଥିଲା କିଲୋନୋଵା (kilonova)। ଵିଶ୍ୱର ସମସ୍ତ ବଡ଼ ଟେଲିସ୍କୋପ୍ – Hubble, Chandra, VLA, Gemini, ESOର VLT – ସବୁ ଏହି ବିନ୍ଦୁକୁ ଦେଖିଵାକୁ ଲାଗିଲେ। ଏଵା ଯାହା ଦେଖାଗଲା ତାହା ଵିଜ୍ଞାନର ଇତିହାସରେ ଅମର ହୋଇ ରହିଗଲା। ସେହି ଆଲୋକର ସ୍ପେକ୍ଟ୍ରମରେ ସୁନା, ପ୍ଲାଟିନମ୍, ଷ୍ଟ୍ରଣ୍ଟିୟମ୍, ୟୁରେନିୟମ୍ ଆଦି ଭାରୀ ଧାତୁର ସ୍ପଷ୍ଟ ଚିହ୍ନ ମିଳିଲା। ଏହି ଏକ ଘଟଣାରେ ପୃଥିଵୀର ମୋଟ ସୁନାର ପ୍ରାୟ ୧୦୦ରୁ ୧୦୦୦ ଗୁଣ ଅଧିକ ସୁନା ତିଆରି ହୋଇଥିଲା। କେତେକ ଗଣନା ଅନୁଯାୟୀ ଏହି ଏକ ଵିସ୍ଫୋରଣରେ ପୃଥିଵୀର ଭାରର ୩ରୁ ୧୦ ଗୁଣ ସୁନା ଓ ଅନ୍ୟ ଭାରୀ ଧାତୁ ଉତ୍ପନ୍ନ ହୋଇଥିଲା।

ଯେତେବେଳେ ଦୁଇଟି ନ୍ୟୁଟ୍ରନ ତାରା ଏକାଠି ମିଶନ୍ତି, ସେମାନଙ୍କ ଭିତରେ ଥିଵା ଅତ୍ୟଧିକ ଘନ ପଦାର୍ଥ ବାହାରକୁ ଫୋପାଡ଼ି ଦିଆଯାଏ। ନ୍ୟୁଟ୍ରନ ତାରା ଏତେ ଘନ ଯେ ତହିଁର ଗୋଟିଏ ଚାମଚ ପଦାର୍ଥର ଓଜନ ଏଭରେଷ୍ଟ ପର୍ଵତ ସହ ସମାନ ହେଵ। ଯେତେବେଳେ ଏହି ଦୁଇଟି ଵସ୍ତୁ ମଧ୍ୟରେ ସଂଘର୍ଷ ହୁଏ, ସେତେବେଳେ ସେ ଦୁହିଁ ମଧ୍ୟରୁ ଅଵିଶ୍ୱାସନୀୟ ପରିମାଣର ନ୍ୟୁଟ୍ରନ ଏକ ମୁହୂର୍ତ୍ତରେ ବାହାରକୁ ଆସେ। ଏହି ନ୍ୟୁଟ୍ରନ ଵିସ୍ଫୋରଣର ଘନତ୍ୱ ଏତେ ଅଧିକ ଯେ ଲୌହ ଆଦି ଧାତୁର ନ୍ୟୁକ୍ଲିୟସ ଏକାଠି ଶହ ଶହ ନ୍ୟୁଟ୍ରନ ଗ୍ରହଣ କରି ତୁରନ୍ତ ସୁନା, ପ୍ଲାଟିନମ୍, ୟୁରେନିୟମ୍ ଆଦିରେ ପରିଣତ ହୋଇଯାଏ। ଏହି ପ୍ରକ୍ରିୟାକୁ କୁହାଯାଏ r-process। ଏହି ପ୍ରକ୍ରିୟା ଏତେ ତୀଵ୍ର ଯେ ଏହା ମାତ୍ର କିଛି ସେକେଣ୍ଡ ଧରି ଚାଲେ, କିନ୍ତୁ ଫଳାଫଳ କୋଟି କୋଟି ଵର୍ଷ ପର୍ଯ୍ୟନ୍ତ ରହିଥାଏ।

ଆମର "ମନ୍ଦାକିନୀ" ଆକାଶଗଙ୍ଗାରେ ଏଭଳି ନ୍ୟୁଟ୍ରନ ତାରା ସଂଘର୍ଷର ହାର ପ୍ରାୟ ୧୦,୦୦୦ରୁ ୧,୦୦,୦୦୦ ଵର୍ଷରେ ଗୋଟିଏ ଅଟେ । ଅର୍ଥାତ୍ ଆମର ଗାଲାକ୍ସିର ଇତିହାସରେ (ପ୍ରାୟ ୧୨ ନିୟୁତ ଵର୍ଷ) ଏଭଳି ଘଟଣା ମାତ୍ର କେତେକ ହଜାର ଥର ଘଟିଛି। ସମ୍ପୂର୍ଣ୍ଣ ଦୃଶ୍ୟ ବ୍ରହ୍ମାଣ୍ଡରେ ପ୍ରତି ସେକେଣ୍ଡରେ ଗୋଟିଏ ଥର ହୋଇପାରେ, କିନ୍ତୁ ତାହା ମଧ୍ୟ ଵିପୁଳ ଦୂରତା ହେତୁ ଅତ୍ୟନ୍ତ ଵିରଳ। ତେଣୁ ସୁନା ବ୍ରହ୍ମାଣ୍ଡରେ ଅତ୍ୟନ୍ତ ଦୁର୍ଲଭ। ଵୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ ଯଦି ଆମେ ସମ୍ପୂର୍ଣ୍ଣ ଦୃଶ୍ୟ ବ୍ରହ୍ମାଣ୍ଡର ସବୁ ସୁନାକୁ ଏକାଠି କରି ଏକ ଘନ ପିଣ୍ଡ ତିଆରି କଲେ, ତାହାର ବ୍ୟାସ ହେଵ ପୃଥିଵୀଠାରୁ ସୂର୍ଯ୍ୟ ପର୍ଯ୍ୟନ୍ତ ଦୂରତାର ମାତ୍ର ଏକ ଭାଗ ହେଵ । 

ତେବେ ଏଠାରେ ପ୍ରଶ୍ନ ଆସେ ପୃଥିଵୀରେ ଏତେ ସୁନା କୁଆଡ଼ୁ ଆସିଲା ? ଆମ ସୂର୍ଯ୍ୟ ତ ନ୍ୟୁଟ୍ରନ୍ ତାରକା ନୁହେଁ ଵରଂ G2V ଶ୍ରେଣୀର ତାରକା ଅଟେ ‌। ତେଣୁ ଅନ୍ତତଃ ପକ୍ଷେ ସୂର୍ଯ୍ୟ ଯୋଗୁଁ ପୃଥିଵୀରେ ଥିଵା ସୁନା ତିଆରି ହୋଇନାହିଁ । ତାହେଲେ ପୃଥିଵୀକୁ ଏତେ ସୁନା ଆସିଲା କୁଆଡ଼ୁ ? 

ଯେତେବେଳେ ଦୁଇଗୋଟି ନ୍ୟୁଟ୍ରନ ତାରା ମଧ୍ୟରେ ସଂଘର୍ଷ ଘଟେ ସେତେବେଳେ ସହସ୍ର କିଲୋମିଟର ପ୍ରତି ସେକେଣ୍ଡ ବେଗରେ ଏହି ଭାରୀ ଧାତୁ ଧୂଳି ଆକାଶଗଙ୍ଗାରେ ଫିଙ୍ଗି ଦିଆଯାଏ। ଏହା କୋଟି କୋଟି ଵର୍ଷ ଧରି ଆନ୍ତଃତାରକା ମେଘରେ ମିଶି ରହେ। ତା’ପରେ ଯେତେବେଳେ ନୂଆ ତାରା ଓ ଗ୍ରହ ତିଆରି ହୁଏ, ଏହି ଧୂଳି ତା’ ସହିତ ମିଶିଯାଏ। ଆମର ସୌରଜଗତ ୪.୬ ନିୟୁତ ଵର୍ଷ ତଳେ ଏଭଳି ଏକ ଧୂଳିମେଘରୁ ତିଆରି ହୋଇଥିଲା ଯେଉଁଥିରେ ପୂର୍ଵରୁ ଘଟିଥିଵା ଅନେକ କିଲୋନୋଵାର ଅଂଶ ମିଶିଥିଲା। ତେଣୁ ଆଜି ଆମର ଗଳାରେ ଥିବା ସୁନାର ପ୍ରତ୍ୟେକ ପରମାଣୁ ଅତୀତର ପାଖାପାଖି ୧୦୦ରୁ ୧୦୦୦ କିଲୋନୋଵାରୁ ଆସିଛି। 

 ଅର୍ଥାତ୍ ଆମର ଶରୀରରେ ଥିଵା କାର୍ବନ ଓ ଅମ୍ଳଜାନ ସାଧାରଣ ତାରାରୁ ଆସିଛି। ଆମର ହାଡ଼ରେ ଥିଵା କ୍ୟାଲସିୟମ୍ ସୁପରନୋଵାରୁ ଆସିଛି। କିନ୍ତୁ ଆମର ଅଳଙ୍କାରରେ ଥିଵା ସୁନା ସବୁଠାରୁ ନିଷ୍ଠୁର ଓ ଵିରଳ ଘଟଣା କିଲୋନୋଵାରୁ ଆସିଅଛି। ସତେ ଯେମିତି ବ୍ରହ୍ମାଣ୍ଡ ଆମକୁ କହୁଛି – “ମୁଁ ତୁମକୁ ସୌନ୍ଦର୍ଯ୍ୟମୟ କରିଵା ପାଇଁ ମଧ୍ୟ ମୋର ସବୁଠାରୁ ଭୟଙ୍କର ମୁହୂର୍ତ୍ତ ଵ୍ୟଵହାର କରିଛି।”

ଆଜି ଯେତେବେଳେ ଆମେ ସୁନା କିଣୁ, ତା’ର ମୂଲ୍ୟ ଦେଖୁ, ସେତେବେଳେ ଆମେ କେଵଳ ବଜାର ମୂଲ୍ୟ ଦେଖିଥାଉ। ଆମେ ଅଜାଣତରେ ଦୁଇଟି ମୃତ ନ୍ୟୁଟ୍ରନ୍ ତାରାର ଅନ୍ତିମ ସଂଘର୍ଷରୁ ଜାତ ଏକ ମୂଲ୍ୟଵାନ ଦରଵର ମୂଲ୍ୟ ଦେଉଛୁ। ଆମେ ସେହି ମୁହୂର୍ତ୍ତର ମୂଲ୍ୟ ଦେଉଛୁ ଯେତେବେଳେ ସମଗ୍ର ଗ୍ରହଠାରୁ ଅନେକ ଗୁଣ ଅଧିକ ଭାରଥିଵା ଵସ୍ତୁ ଏକାଠି ଧ୍ୱଂସ ହେଲା ଓ ତହିଁରୁ ଜନ୍ମ ନେଲା ସୌନ୍ଦର୍ଯ୍ୟମୟ ଅମର ଧାତୁ । ପ୍ରାଚୀନ ମାନଵ ସୁନାକୁ ଦେଵତାଙ୍କ ଅଂଶ ବୋଲି ଭାବିଥିଲା। ଆଧୁନିକ ଵିଜ୍ଞାନ କହୁଛି ଯେ ସେ ଭୁଲ ନଥିଲା। କାରଣ ସୁନା ପ୍ରକୃତରେ ବ୍ରହ୍ମାଣ୍ଡର ସବୁଠାରୁ ଵିପଜ୍ଜନକ, ସବୁଠାରୁ ଵିରଳ ଓ ସବୁଠାରୁ ପୁରୁଣା ଘଟଣାର ଅମର ସାକ୍ଷୀ।

ତେଣୁ ପରଦିନ ଯେତେବେଳେ ଆପଣ ଆପଣଙ୍କ ଗଳାରେ ଥିବା ସୁନାର ଚେନ୍‌କୁ ଛୁଇଁବେ, ଏକ ମୁହୂର୍ତ୍ତ ଅଟକି ଯାଇ ମନରେ ନିଶ୍ଚେ ଚିନ୍ତା କରନ୍ତୁ। ଏହା କେଵଳ ମାତ୍ର ଖଣ୍ଟିଏ ମୂଲ୍ୟଵାନ ଧାତୁ ନୁହେଁ ଵରଂ କୋଟି କୋଟି ଵର୍ଷ ତଳର ଏକ ଅତି ଅତି ଅତି ଭୟଙ୍କର ଵିସ୍ଫୋରଣର ଶାନ୍ତ ଅଵଶେଷ। ଏହା ବ୍ରହ୍ମାଣ୍ଡର ସବୁଠାରୁ ନିଷ୍ଠୁର ମୁହୂର୍ତ୍ତରୁ ଜନ୍ମ ନେଇଥିବା ସବୁଠାରୁ ସୁନ୍ଦର ଉପହାର। ସୁନାର ଉତ୍ପତ୍ତି ଇତିହାସ ପ୍ରମାଣ କରେ ଯେ ବ୍ରହ୍ମାଣ୍ଡ ଯେତେ ନିଷ୍ଠୁର ହେଲେ ମଧ୍ୟ, ତା’ର ଧ୍ୱଂସରୁ ମଧ୍ୟ ସୌନ୍ଦର୍ଯ୍ୟ ଜନ୍ମ ନେଇପାରେ।

ଏଵଂ ଏହି କାହାଣୀ ଆଜି ମଧ୍ୟ ଚାଲିଛି। କୋଣ ଅନୁକୋଣରେ ଏବେ ବି ଦୁଇଟି ନ୍ୟୁଟ୍ରନ ତାରା ଘୂରି ଘୂରି ପରସ୍ପର ମଧ୍ୟରେ ଵିସ୍ଫୋରଣ ଘଟାଇ ଧ୍ବଂସ ହୋଇ ଯାଉଛନ୍ତି। 

ତେଣୁ ସୁନା କେଵଳ ପୃଥିଵୀରେ ଦୁର୍ଲଭ ବୋଲି ମୂଲ୍ୟଵାନ ନୁହେଁ ! ସୁନା ମୂଲ୍ୟଵାନ କାରଣ ଏହା ବ୍ରହ୍ମାଣ୍ଡର ସବୁଠାରୁ ଭୟଙ୍କର ମୁହୂର୍ତ୍ତରୁ ଜନ୍ମ ନେଇ ମଧ୍ୟ ଏପର୍ଯ୍ୟନ୍ତ ଚମକୁଛି। ଏହା ପ୍ରମାଣ କରେ ଯେ ଧ୍ୱଂସ ଓ ସୃଷ୍ଟି ଏକା ସହ ଚାଲୁରହିଛି। ଏହା ଆମକୁ ଜଣାଇଦିଏ ଯେ ବ୍ରହ୍ମାଣ୍ଡ ଯେତେ ନିଷ୍ଠୁର ହେଲେ ମଧ୍ୟ, ତା’ର ଅନ୍ତିମ ଉପହାର ହେଉଛି ସୌନ୍ଦର୍ଯ୍ୟ।

ଏହା ହିଁ ସୁନାର ପ୍ରକୃତ କାହାଣୀ। ଏହା ହିଁ ଆମର ସଭ୍ୟତାର ସବୁଠାରୁ ପୁରୁଣା ଓ ସବୁଠାରୁ ନୂଆ ରହସ୍ୟ। ସୁନା ପ୍ରକୃତରେ ଅମର। କାରଣ ଏହା ଦୁଇ ନ୍ୟୁଟ୍ରନ୍ ତାରକାଙ୍କ ମୃତ୍ୟୁରୁ ଜନ୍ମ ନେଇ ମଧ୍ୟ ଅମର ହୋଇ ରହିଛି।
••••••••••••••••••••••••••••••••••
ତଥ୍ୟ ଉତ୍ସ 
୧. The Wonder That Was India – A.L. Basham
୨. Gold: The Extraordinary Metal – Erich Huchsmann
୩. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ – ଗୋପାଳଚନ୍ଦ୍ର ପ୍ରହରାଜ
୪. The Power of Gold: The History of an Obsession – Peter L. Bernstein
୫. A History of Gold and Money: 1450–1920 – Pierre Vilar
୬. Spacecraft Thermal Control Handbook – David G. Gilmore)
୭. The Alchemy of Us—Ainissa Ramirez
୮. Death from the Skies –Philip Plait
•••••••••••••••••••••••••••••••••••••••





Friday, December 5, 2025

ଭାରତରେ ପୁତିନଙ୍କୁ ମାରିଵାକୁ ଷଡ଼ଯନ୍ତ୍ର ହୋଇଥିଲା କି ?

ସେ ଦିନଟି ଥିଲା ୨୦୨୪ ସେପ୍ଟେମ୍ଵରର ଶେଷ ସପ୍ତାହ। ଆମେରିକାର ଅର୍ଥଭାଣ୍ଡାରର ଗୋପନ କୋଠରୀରେ ଏକ ଅଦୃଶ୍ୟ ହାତ ଏକ ବଡ଼ ଧରଣର ଋଣପତ୍ର ଉପରେ ସ୍ୱାକ୍ଷର କରିଥିଲା। ସାତ ବିଲିୟନ ଡଲାରର ସେହି ଋଣ ପାକିସ୍ତାନର ନାମରେ ମଞ୍ଜୁର ହୋଇଥିଲା ବେଳେ ଅନେକ ଦୂରଦୃଷ୍ଟିସମ୍ପନ୍ନ ଲୋକ ଜାଣିଥିଲେ ଯେ ଏହା କେଵଳ ଅର୍ଥନୈତିକ ସହାୟତା ନୁହେଁ, ଵରଂ ଏକ ଵିଶାଳ ରାଜନୈତିକ ଯୋଜନାର ପ୍ରଥମ ପାହାଚ। ସେହି ଯୋଜନାର ଲକ୍ଷ୍ୟ ଥିଲା ଭାରତ ଓ ରୁଷିଆର ଅଵିଚ୍ଛେଦ୍ୟ ବନ୍ଧୁତ୍ୱକୁ ଦିଲ୍ଲୀରେ ତଥା ଭାରତର ଅନ୍ୟାନ୍ୟ ନଗରରେ ଏକାଧିକ ଵିସ୍ଫୋରଣ ଘଟାଇ ଚିରକାଳ ପାଇଁ ଛିନ୍ନଭିନ୍ନ କରିଦେଵା। 
୨୦୨୪ର ଦ୍ଵିତୀୟ ଭାଗରେ ଭାରତ ଓ ରୁଷିଆ ମଧ୍ୟରେ ସମ୍ପର୍କ ଏକ ଅଭୂତପୂର୍ଵ ଉଚ୍ଚତାରେ ପହଞ୍ଚି ଯାଇଥିଲା। ରୁଷିଆର ଶସ୍ତା ତେଲ ଭାରତର ଅର୍ଥନୀତିକୁ ନୂଆ ଶକ୍ତି ଦେଉଥିଲା ପୁଣି ରୁଷିଆର ମଧ୍ୟ ଅନେକାଂଶରେ ଲାଭ ହେଉଥିଲା । ଏସ୍-୪୦୦ ରକ୍ଷାଵ୍ୟଵସ୍ଥା ଓ ସୁ-୫୭ ଯୁଦ୍ଧଵିମାନର ସମ୍ଭାଵ୍ୟ ହସ୍ତାନ୍ତର ଭାରତର ସାମରିକ ଶକ୍ତିକୁ ଅପ୍ରତିହତ କରିଵାକୁ ଯାଉଥିଲା। ଏହା ଆମେରିକାର ଡିପ୍ ଷ୍ଟେଟ୍‌ର ନିଦ ଭାଙ୍ଗିଦେଇଥିଲା। ସେମାନେ ବୁଝିଥିଲେ ଯେ ଯଦି ଏହି ଦୁଇ ମହାଶକ୍ତି ଆହୁରି ନିକଟତର ହୁଅନ୍ତି, ତେବେ ଵିଶ୍ୱର ଶକ୍ତିସନ୍ତୁଳନ ସବୁଦିନ ପାଇଁ ବଦଳିଯିଵ। ତେଣୁ ସେମାନେ ଦିଲ୍ଲୀରେ ପୁତିନ୍ ଓ ମୋଦିଙ୍କୁ ଏକାଠି ହତ୍ୟା କରି ଦୁଇ ଦେଶର ସମ୍ପର୍କକୁ ଚିରକାଳ ପାଇଁ ଵିଷାକ୍ତ କରିଦେଵା ଭଳି ଏକ ଏକ ଭୟଙ୍କର ଯୋଜନା ରଚିଲେ ।

ପାକିସ୍ଥାନକୁ Imfର ଋଣ ୨୦୨୪ ସେପ୍ଟେମ୍ବର ୨୫ରେ ମଞ୍ଜୁର ହୋଇଥିଲା ଏଵଂ ପ୍ରଥମ କିସ୍ତି (ପ୍ରାୟ ୧.୦୨ ବିଲିୟନ ଡଲାର) ଅକ୍ଟୋବର ୨୦୨୪ରେ ମିଳିଥିଲା। ତାପରେ ଦ୍ୱିତୀୟ ଓ ତୃତୀୟ କିସ୍ତି ଯଥାକ୍ରମେ ମେ’ ୨୦୨୫ରେ ୧.୦୩ ବିଲିୟନ ଓ ନଭେମ୍ବର ୨୦୨୫ରେ ୧.୦୪ ବିଲିୟନ ଡଲାର ମିଳିଛି।

ଯେତେବେଳେ ବି ପାକିସ୍ତାନଦ୍ଵାରା ଆମେରିକାର କିଛି କାର୍ଯ୍ୟ କରିଵାର ଥାଏ ଆମେରିକା ଏହିପରି ପାକିସ୍ତାନକୁ IMFଦ୍ଵାରା ଟଙ୍କା ଯୋଗାଇଥାଏ । ଅନ୍ୟାନ୍ୟ ଉପାୟରେ ମଧ୍ୟ ପାକିସ୍ତାନକୁ ଟଙ୍କା, ଅସ୍ତ୍ର ତଥା ତଥ୍ୟ ସମ୍ବନ୍ଧୀୟ ସାହାଯ୍ୟ ଆମେରିକା ବହୁ ଦଶନ୍ଧି ଧରି କରି ଆସିଛି ।‌ ଆଫଗାନିସ୍ତାନରେ ଅଶାନ୍ତି ସୃଷ୍ଟି କରିଵାରେ ସବୁଠାରୁ ବଡ଼ ହାତ ଆମେରିକାର ଥିଲା ଏଵଂ ଆମେରିକା ହିଁ ଟଙ୍କା ଯୋଗାଇ ପରୋକ୍ଷରେ ପାକିସ୍ତାନ ଦ୍ଵାରା ତାଲିବାନର ଗଠନ କରାଇଥିଲା । 

ତେବେ ୨୦୨୪ର ଶେଷ ଆଡ଼କୁ ଆତଙ୍କଵାଦୀଙ୍କୁ ଧନରାଶୀ ମିଳିଗଲାପରେ ସେମାନେ ଆଉଥରେ ସକ୍ରିୟ ହୋଇଗଲେ । 
ପାକିସ୍ତାନର ସୀମା ଭିତରୁ ହଜାର ହଜାର କିଲୋଗ୍ରାମ୍ ଆରଡିଏକ୍ସ ଓ ଅନ୍ୟାନ୍ୟ ଵିସ୍ଫୋରକ ଭାରତ ଭିତରକୁ ପଠାଇଵାର ପ୍ରସ୍ତୁତି ଆରମ୍ଭ ହେଲା। ଲସ୍କର-ଏ-ତୈଵା ଓ ଜୈଶ-ଏ-ମହମ୍ମଦର ଆତଙ୍କଵାଦୀମାନେ ପଞ୍ଜାଵ, ହରିୟାଣା, ରାଜସ୍ଥାନ ଓ ଉତ୍ତରପ୍ରଦେଶରେ ଗୋପନ ଆସ୍ଥାନ ତିଆରି କରିଵାକୁ ଲାଗିଲେ। ସେମାନଙ୍କର ଲକ୍ଷ୍ୟ ଥିଲା ୨୦୨୫ ଡିସେମ୍ଵରରେ ଦିଲ୍ଲୀ ଆସିଵାକୁ ଥିଵା ପୁତିନ୍‌ଙ୍କ ଗସ୍ତ ସମୟରେ ଏକ ଏକାଧିକ ଵିସ୍ଫୋରଣ ଘଟାଇ ସମଗ୍ର ରାଜଧାନୀକୁ ଧୂଳିରେ ମିଶାଇଦେଵା। ଯଦି ଏହା ସଫଳ ହୋଇଥାନ୍ତା, ତେବେ ଵିଶ୍ୱ ଇତିହାସର ସବୁଠାରୁ ଭୟଙ୍କର ଆତଙ୍କଵାଦୀ ଆକ୍ରମଣ ହୋଇଥାନ୍ତା।

କିନ୍ତୁ ଭାରତର ଗୋଇନ୍ଦା ସଂସ୍ଥାମାନେ ସଚେତ ଥିଲେ ସାଵଧାନ ଥିଲେ। r&aw ଓ NIAର ଗୋପନ ସୂତ୍ରଗୁଡ଼ିକ ପାକିସ୍ତାନ ସୀମାରେ ଅସ୍ୱାଭାଵିକ ଗତିଵିଧି ଲକ୍ଷ୍ୟ କରିଥିଲେ। ୨୦୨୪ ଅକ୍ଟୋଵରରୁ ଆରମ୍ଭ କରି ନଭେମ୍ଵର ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ବଡ଼ ଧରଣର ଵିସ୍ଫୋରକ ଧରାପଡ଼ିଵାକୁ ଲାଗିଲା। ହରିୟାଣାର ନୂହରୁ ଆରଡିଏକ୍ସ ଭର୍ତ୍ତି ଟ୍ରକ, ରାଜସ୍ଥାନର ବାରମେରରୁ ଵିସ୍ଫୋରକ ଭର୍ତ୍ତି ଗାଡ଼ି, ପଞ୍ଜାଵର ଅମୃତସର ନିକଟରୁ ଡେଟୋନେଟର ଓ ଆରଡିଏକ୍ସର ଵିଶାଳ ଷ୍ଟକ – ସବୁ ଧରାପଡ଼ିଵାକୁ ଲାଗିଲା। ଏହି ସବୁ ଧରଗଗଡ଼ ଯୋଗୁଁ ଆତଙ୍କଵାଦୀମାନଙ୍କର ଯୋଜନା ଧିରେ ଧିରେ ନିଷ୍ଫଳ ହୋଇଚାଲିଲା ।

ଆତଙ୍କଵାଦୀମାନେ ବୁଝିଗଲେ ଯେ ସେମାନଙ୍କର ଗୋପନୀୟତା ଧରାପଡ଼ିଯାଇଛି। ସେମାନେ ଭୟରେ ବାକି ଥିଵା ଵିସ୍ଫୋରକଗୁଡ଼ିକୁ ଅନ୍ୟ ସ୍ଥାନକୁ ନେଵାକୁ ଚେଷ୍ଟା କଲେ। କିନ୍ତୁ ଭାରତୀୟ ଗୋଇନ୍ଦା ସଂସ୍ଥାର ଦୃଷ୍ଟି ଏତେ ତୀକ୍ଷ୍ଣ ଥିଲା ଯେ ସେମାନେ କୌଣସି ମୂହୂର୍ତ୍ତରେ ନିଶ୍ଚିନ୍ତ ରହିପାରୁ ନଥିଲେ। ଅନେକ ଆତଙ୍କଵାଦୀ ଧରାପଡ଼ିଗଲେ, ଅନେକେ ନିଜର ଵିସ୍ଫୋରକ ସହିତ ମାଡ଼ିଯାଇ ମରିଗଲେ। ସେମାନଙ୍କର ଵିଶାଳ ଯୋଜନା ଧୂଳିରେ ମିଶିଗଲା।

ତଥାପି ସମ୍ପୂର୍ଣ୍ଣ ଵିଫଳ ହେଵା ପୂର୍ଵରୁ ଆତଙ୍କଵାଦୀମାନେ ଶେଷ ଏକ ଚେଷ୍ଟା କଲେ। ୨୦୨୫ ନଭେମ୍ଵରରେ ଦିଲ୍ଲୀର ରେଡ୍ ଫର୍ଟ୍ ନିକଟରେ ଏକ ଗାଡ଼ିରେ ଵିସ୍ଫୋରଣ ଘଟାଇଲେ। କିନ୍ତୁ ଏହା ସେମାନଙ୍କର ମୂଳ ଯୋଜନାର କେଵଳ ଏକ କ୍ଷୁଦ୍ର ଅଂଶ ଥିଲା। ଏହି ଵିସ୍ଫୋରଣ ସତ୍ତ୍ୱେ ପୁତିନ୍‌ଙ୍କର ଗସ୍ତ ନିର୍ଦ୍ଦିଷ୍ଟ ସମୟରେ ହେଲା। ୪ ଡିସେମ୍ଵର ୨୦୨୫ରେ ଯେତେବେଳେ ପୁତିନ୍ ଦିଲ୍ଲୀ ଵିମାନବନ୍ଦରରେ ଓହ୍ଲାଇଲେ ଓ ମୋଦି ତାଙ୍କୁ ଆଲିଙ୍ଗନ କରି ସ୍ୱାଗତ କଲେ, ସେତେବେଳେ ସମଗ୍ର ଵିଶ୍ୱ ବୁଝିଗଲା ଯେ ଏକ ଵିଶାଳ ଷଡ଼ଯନ୍ତ୍ର ଵିଫଳ ହୋଇଗଲା।

ସେହି ଦିନ ଦିଲ୍ଲୀର ରାଜପଥରେ ଯେତେବେଳେ ଦୁଇ ନେତା ଏକାଠି ଠିଆ ହୋଇ ହସୁଥିଲେ, ସେତେବେଳେ ସେମାନଙ୍କୁ ଦେଖି ବୋମା ଵିସ୍ଫୋରଣର ଯୋଜନା କରିଥିଵା ଶକ୍ତିଗୁଡ଼ିକ ଦୂରରୁ ଅସହାୟ ହୋଇ କେଵଳ ଦେଖୁଥିଲେ। ଭାରତୀୟ ଗୋଇନ୍ଦା ସଂସ୍ଥାର ଅପ୍ରତିମ ସତର୍କତା ଓ ନିଷ୍ଠା ଏକ ଅଭୂତପୂର୍ଵ ଵିପଦରୁ ସମସ୍ତଙ୍କୁ ବଞ୍ଚାଇ ଦେଇଥିଲା। ଏହି ଘଟଣା ଭାରତର ଇତିହାସରେ ଏକ ଅମର ଅଧ୍ୟାୟ ହୋଇ ରହିଯିଵ – ଯେଉଁ ଅଧ୍ୟାୟରେ ଏକ ଅଦୃଶ୍ୟ ଯୁଦ୍ଧରେ ଭାରତ ସମ୍ପୂର୍ଣ୍ଣ ଵିଜୟୀ ହୋଇଥିଲା ଏଵଂ ତା’ର ସବୁଠାରୁ ପୁରୁଣା ବନ୍ଧୁ ରୁଷିଆ ସହିତ ତା’ର ଵନ୍ଧୁତ୍ୱ ଆହୁରି ଅଧିକ ଅଟୁଟ ହୋଇଗଲା।

ସତ୍ୟର ଶକ୍ତି ଓ ସଚ୍ଚୋଟ ଗୋଇନ୍ଦା ତଥ୍ୟର ସମ୍ମିଳନ ଯେକୌଣସି ଷଡ଼ଯନ୍ତ୍ରକୁ ପରାସ୍ତ କରିପାରେ। ଦିଲ୍ଲୀ ସେଦିନ ବଞ୍ଚିଗଲା କାରଣ ଭାରତର ଅଦୃଶ୍ୟ ସୈନିକମାନେ ନିଜର କର୍ତ୍ତଵ୍ୟଠାରୁ କଦାପି ଵିଚ୍ୟୁତ ହୋଇ ନଥିଲେ। ଏହା ଥିଲା ଏକ ଅଦୃଶ୍ୟ ଯୁଦ୍ଧର ମହାନ ଵିଜୟ।

(ଏହି Conspiracy theoryଟି ୟୁଟ୍ୟୁବର କେତେକ ଵିଡିଓ ତଥା ରେଡିଟ୍‌ରେ ଘୂରି ବୁଲୁଛି ଏଵଂ ଯଦି ଏହା ସତ ହୋଇଥାଏ ତେବେ ବଡ଼ ଚିନ୍ତାଜନକ। ସଂକ୍ଷେପରେ ତାହା କ’ଣ ଲେଖି ଦେଇଛି। theoryଟିରେ ଆଉ କିଛି ସତ୍ୟ ଥାଉ କି ନଥାଉ ଏହା ଶତକଡ଼ା ୧୦୦ ସତ୍ୟ ଯେ ଆମ ଦେଶର ଗୋଇନ୍ଦା ସଂସ୍ଥା ଯୋଗୁଁ ହଜାର ହଜାର କିଲୋଗ୍ରାମର ଵିସ୍ଫୋରକ ଵିଗତ କିଛି ମାସ ହେଲା ଵିଭିନ୍ନ ସ୍ଥାନରେ ଧରାପଡ଼ିଥିଲା ଏଵଂ ଦିଲ୍ଲୀରେ ଧରାପଡ଼ିଵାର କିଛି ସମୟ ପୂର୍ଵରୁ ହିଁ ଵିସ୍ଫୋରଣ ଘଟିଥିଲା । ଆମେରିକା ପାକିସ୍ତାନକୁ ସବୁବେଳେ ଆତଙ୍କଵାଦ ପାଇଁ ଟଙ୍କା,ଅସ୍ତ୍ର ତଥା ଅନ୍ୟାନ୍ୟ ସାହାଯ୍ୟ ଯୋଗାଇ ଆସିଛି । ଦିଲ୍ଲୀ ବୋମା ଵିସ୍ଫୋରଣ ପରେ ପ୍ରଥମେ ପ୍ରଥମେ ଅନୁମାନ କରାଯାଉଥିଲା ବାବରୀ ଵିଧ୍ଵଂସ ଦିଵସ ଅଵସରରେ ବଡ଼ ଧରଣର ଵିସ୍ଫୋରଣ ପାଇଁ ଆତଙ୍କଵାଦୀ ଯୋଜନା କରୁଥିଲେ ତେବେ ୟେ ନୂଆ ଥିଓରୀ ଅଲଗା କଥା କହୁଛି) 
 

Thursday, December 4, 2025

Serendipity ; ସିଂହଳ ଦେଶର ନାମରୁ ସୃଷ୍ଟ ଏକ ଇଂରାଜୀ ଶବ୍ଦ

ଇଂରାଜୀରେ Serendipity ବୋଲି ଶବ୍ଦଟେ ରହିଛି ଏହାର ଅର୍ଥ ଆଶା କରିନଥିଵା କୌଣସି ମୂଲ୍ଯଵାନ ଓ ଉତ୍ତମ ଦ୍ରଵ୍ଯ, ଵ୍ଯକ୍ତି ଵା ଭୂଭାଗ ପ୍ରାପ୍ତ ହେଵା, ଆବିଷ୍କାର କିଂଵା ଉଦ୍ଭାବନ କରିଵା  ।  ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଵେ ଏ ଶବ୍ଦର ସୃଷ୍ଟି ସହିତ ଶ୍ରୀଲଙ୍କାର ସମ୍ପର୍କ ରହିଛି ।

ଇଂରେଜ ଲେଖକ ଓ ରାଜନେତା Horace Walpole ୧୭୫୪ରେ ତାଙ୍କର ଜଣେ ସାଙ୍ଗକୁ ଏକ ଚିଠି ଲେଖିଥିଲେ ଏଵଂ ସେଇ ଚିଠିରେ ସର୍ଵପ୍ରଥମେ ଏ ଶବ୍ଦଟିର ଵ୍ଯଵହାର ହୋଇଥିଲା । Horace Walpole ନିଜ ସାଙ୍ଗକୁ ଏକ ପାରସ୍ଯ କାହାଣୀ “The Three Princes of Serendip” ଵିଷୟରେ ସଂକ୍ଷେପରେ ଲେଖିଥିଲେ ।

ପାରସ୍ଯ ଦେଶର ଏଇ କାହାଣୀଟି ପ୍ରଥମେ ଅମିର୍ ଖୁସ୍ରୁ ୧୩ଶହ ଶତାବ୍ଦୀରେ ଲେଖିଥିଲେ ଯାହା ପରେ ୟୁରୋପୀୟ ଦେଶଗୁଡ଼ିକରେ ଲୋକପ୍ରିୟ ହୋଇଥିଲା ।

Serendip ଦେଶର ତିନିଜଣ ରାଜକୁମାରୀ କେମିତି ଵିଶ୍ଯ ଦେଖିଵାକୁ ବାହାରିଛନ୍ତି ଏଵଂ ନୂଆ ନୂଆ କଥା ଅନୁଭଵ କରୁଛନ୍ତି ଏହା ଏହି କାହାଣୀର ମୂଳ ଵିଷୟଵସ୍ତୁ ।

ତେଵେ ପାର୍ସୀରେ ଵ୍ଯଵହୃତ ଏହି Serendip ଦେଶ ହେଉଛି ଶ୍ରୀଲଙ୍କା ଵା ସିଂହଳଦୀପ ।

ଆରବରେ ସିଂହଳଦୀପକୁ سِرَانْدِيب‎(sirāndīb) କୁହାଯାଏ ଏଵଂ ସେଇ ଶବ୍ଦକୁ ପାର୍ସୀ ଭାଷୀ سراندیپ‎(serândip) ଭାଵେ ଵ୍ଯଵହାର କରୁଛନ୍ତି ।  ଏ ଉଭୟ ଶବ୍ଦର ମୂଳ ରୂପ ହେଉଛି “ସିଂହଳଦ୍ଵୀପ” ଶବ୍ଦ । ଵର୍ତ୍ତମାନ ଶ୍ରୀଲଙ୍କାର ଆଜକୁ ପ୍ରାୟ ୨୦୦୦ରୁ ଵୈଦେଶିକ ଉପନିଵେଶ ଯାଏଁ ସିଂହଳ ନାମ ହିଁ ଲୋକପ୍ରଚଳିତ ନାମ ଥିଲା ଏଵଂ ଵୈଦେଶିକ ଶାସକ ସେ ନାମକୁ ଆହୁରି ବଦଳେଇ ସିଲୋନ୍ କରିଦେଇଥିଲେ । ସିଂହଳ ଶବ୍ଦଟି ପାଲୀଭାଷାର ଶବ୍ଦ ଯାହା ଆଜକୁ ପ୍ରାୟ ୨୦୦୦ରୁ ୧୨୦୦ ଶତାବ୍ଦୀ ଯାଏଁ ଓଡ଼ିଶାର ଲୋକଭାଷା ଥିଲା । ପାଲିରୁ ଏ ଶବ୍ଦ ଯାଇ ସଂସ୍କୃତ ଭାଷାରେ ଏକ ନାମଵାଚକ ଶବ୍ଦ ଭାଵରେ ଵ୍ଯଵହାର ହେଵାକୁ ଲାଗିଲା ।

ତେଵେ ଶ୍ରୀଲଙ୍କା ଦେଶର ଵିଭିନ୍ନ ସମୟରେ ନାନା ନାମ ରହିସାରିଛି ।

ଯଥା—
୧) ପ୍ରାଚୀନ କାଳରେ ଲଙ୍କା
୨)ସିଂହଳ
୩)ଇଲାମ୍
୪)ତପ୍ରୋଵଣ;ତାମ୍ରପର୍ଣ୍ଣି
୫)ସିଲୋନ୍
୬) ଶ୍ରୀଲଙ୍କା

ବହୁ ଵର୍ଷ ପରେ William Boyd  ଗୋଟିଏ ଶବ୍ଦ ଇଂରାଜୀ ଭାଷାରେ ଵ୍ଯଵହାର କଲେ zemblanity ଏହା Serendipityର ଵିପରୀତ ଶବ୍ଦ ଭାଵେ ଇଂରାଜୀ ଭାଷାରେ ଵ୍ଯଵହୃତ ହୋଇଥାଏ । ଇଂରାଜୀ ଅଭିଧାନରେ ଏହାର ଅର୍ଥ ଲେଖାଅଛି—
"making unhappy, unlucky and expected discoveries occurring by design"

ଉତ୍ତର ଗୋଲାର୍ଦ୍ଧର ସବୁଠାରୁ ଥଣ୍ଡା ସ୍ଥାନ ଯେଉଁଠି ହିମ ଛଡ଼ା ଆଉ କିଛି ଦୃଶ୍ୟ ହୁଏନାହିଁ ସେହି ଆଦ୍ର ମରୁଭୂମି Novaya Zemlya( Nova Zembla) ନାମରେ ଏହି ଶବ୍ଦଟି ସୃଷ୍ଟି କରାଯାଇଛି ।

 

Wednesday, December 3, 2025

ଅଦୃଶ୍ୟ ଲୁଗାର ଅମର ଯାତ୍ରା : ଡନ୍ ଜୁଆନ୍ ମାନୁଏଲ୍‌ଙ୍କ ମଧ୍ୟଯୁଗୀୟ ଉପକଥାରୁ ହାନ୍ସ କ୍ରିଷ୍ଟିଆନ ଆଣ୍ଡରସନ୍‌ଙ୍କ ସମ୍ରାଟ୍‌ଙ୍କର ନୂଆ ଲୁଗା ପର୍ଯ୍ୟନ୍ତ

ହାନ୍ସ କ୍ରିଷ୍ଟିଆନ ଆଣ୍ଡରସନ୍‌ଙ୍କ ଵିଶ୍ୱପ୍ରସିଦ୍ଧ କାହାଣୀ “ସମ୍ରାଟ୍‌ଙ୍କର ନୂଆ ଲୁଗା” (The Emperor’s New Clothes, ୧୮୩୭) ଅହଂକାର ଓ ମିଛ ଗର୍ଵର ଏକ ଅମର ଉପହାସ ଅଟେ। ଏହି କାହାଣୀଟି ଅନେକେ ହୁଏତ ଶୁଣିଥିବେ । ସଂକ୍ଷେପରେ କାହାଣୀର କଥାନକ ନିମ୍ନରେ ଦିଆଗଲା । 

ଗୋଟେ ବଡ଼ ରାଜ୍ୟରେ ଜଣେ ସମ୍ରାଟ୍ ରହୁଥିଲେ, ଯାହାଙ୍କର ସବୁଠାରୁ ବଡ଼ ଵ୍ୟସନ ଥିଲା ନୂଆ ନୂଆ ଲୁଗା ପିନ୍ଧିଵା । ତାଙ୍କର ଗନ୍ତାଘରେ ଅଢେଇ ସହସ୍ରରୁ ଅଧିକ ଲୁଗା ଥିଲା, କିନ୍ତୁ ତଥାପି ସେ ସବୁବେଳେ ନୂଆ ଲୁଗା ଉଣ୍ଡୁଥିଲେ। ଦିନେ ଦୁଇ ଠକ ନିଜକୁ ସିପୁଟି(ଦର୍ଜି ) ପରିଚୟ ଦେଇ ରାଜଧାନୀକୁ ଆସି ଘୋଷଣା କଲେ ଯେ ସେମାନେ ଏକ ଅଦ୍ଭୁତ ଲୁଗା ବୁଣି ପାରନ୍ତି। ଏହି ଲୁଗାର ଵିଶେଷତ୍ୱ ଥିଲା – ଏହା ଅତି ସୁନ୍ଦର ଓ ଚମତ୍କାର, କିନ୍ତୁ ଯିଏ ଅଯୋଗ୍ୟ ଵା ବୋକା ସେ ଏହାକୁ ଦେଖି ପାରିଵ ନାହିଁ। କେଵଳ ଯୋଗ୍ୟ ଓ ବୁଦ୍ଧିମାନ୍ ଲୋକେ ହିଁ ଏହାର ରଙ୍ଗ ଓ ଡିଜାଇନ୍ ଦେଖିପାରିବେ।

ସମ୍ରାଟ୍ ଏହା ଶୁଣି ବହୁତ ଖୁସି ହେଲେ ଏଵଂ ସେମାନଙ୍କୁ ରାଜପ୍ରାସାଦରେ ରହି ଲୁଗା ତିଆରି କରିଵାକୁ କହିଲେ। ଦୁଇ ଠକ ସିପୁଟି ଖାଲି ହାତରେ ବୁଣାକାର ଭଳି ଅଭିନୟ କରି କହିଲେ, “ଆମେ ସୁନା ଓ ରେଶମରେ ଲୁଗା ବୁଣୁଛୁ।” ସମ୍ରାଟ୍ ପ୍ରଥମେ ଜଣେ ବୁଢ଼ା ଵିଶ୍ୱସ୍ତ ମନ୍ତ୍ରୀଙ୍କୁ ପଠାଇଲେ। ମନ୍ତ୍ରୀ କିଛି ଦେଖି ପାରିଲେ ନାହିଁ, କିନ୍ତୁ କାଳେ ସେ ଅଯୋଗ୍ୟ ବୋଲି ପ୍ରମାଣିତ ହୋଇଯିବେ ସେଇ ଭୟରେ ଫେରି ଆସି କହିଲେ, “ମହାରାଜ, ଲୁଗାଟି ବଡ଼ ସୁନ୍ଦର ହୋଇଛି । ରଙ୍ଗ ଓ କାରୁକାର୍ଯ୍ୟ ଅଦ୍ଭୁତ।” ପରେ ଆଉ ଜଣେ ଅଧିକାରୀ ଗଲେ ଏଵଂ ସେ ମଧ୍ୟ କିଛି ନ ଦେଖି ସେହି କଥା କହି ଆସିଲେ। ଯେତେଜଣ ଦେଖିଵାକୁ ଗଲେ ସେମାନେ ସମସ୍ତେ ଏହିପରି ଭୟରେ ମିଛ କହିଲେ।

ଶେଷରେ ସମ୍ରାଟ୍ ନିଜେ ଗଲେ। ସେ ମଧ୍ୟ କିଛି ଦେଖିପାରିଲେ ନାହିଁ, କିନ୍ତୁ ନିଜକୁ ଅଯୋଗ୍ୟ ବୋଲି ସ୍ୱୀକାର କରିଵାର ଡରରେ କହିଲେ, “ଅପୂର୍ଵ ! ଏହା ମୋର ଜୀଵନର ସବୁଠାରୁ ସୁନ୍ଦର ଲୁଗା।” ଠକ ସିପୁଟିମାନେ ସମ୍ରାଟ୍‌ଙ୍କୁ ନଗ୍ନ ଅଵସ୍ଥାରେ ହିଁ ଲୁଗା ପିନ୍ଧାଇ ଦେଲେ ଏଵଂ ସମ୍ରାଟ୍ ବଡ଼ ଧୁମ୍‌ଧାମ୍‌ରେ ରାଜପଥରେ ଶୋଭାଯାତ୍ରା ବାହାର କଲେ। ସଭାସଦ, ଅମାତ୍ୟ ଓ ପ୍ରଜା ସବୁ ନିଜେ ନିଜକୁ ବୁଦ୍ଧିମାନ ଦେଖାଇଵା ପାଇଁ ଚିତ୍କାର କରି କହିଲେ, “କି ଅଦ୍ଭୁତ ଲୁଗା ! କେତେ ସୁନ୍ଦର ରଙ୍ଗ!”
କିନ୍ତୁ ହଠାତ୍ ଜଣେ ନିଷ୍ପାପ ଛୋଟ ପିଲା ଚିତ୍କାର କରି ଉଠିଲା, “କିନ୍ତୁ ରାଜାଙ୍କର ତ ଦେହରେ କିଛି ଲୁଗା ନାହିଁ! ସେ ପୁରା ନଗ୍ନ!” ଏହି ସରଳ ସତ୍ୟ କଥା ଶୁଣି ସମସ୍ତ ପ୍ରଜା ଏକା ସଙ୍ଗେ ହସି ଉଠିଲେ ଏଵଂ ସତ୍ୟ ପ୍ରକାଶ ପାଇଗଲା। ସମ୍ରାଟ୍ ଲଜ୍ଜାରେ ମୂକ ହୋଇଗଲେ, କିନ୍ତୁ ଅହଂକାର ଯୋଗୁଁ ଶୋଭାଯାତ୍ରା ଜାରି ରଖିଲେ ଏଵଂ ନଗ୍ନ ଅଵସ୍ଥାରେ ହିଁ ପ୍ରାସାଦକୁ ଫେରି ଆସିଲେ।

ହାନ୍ସ କ୍ରିଷ୍ଟିଆନ ଆଣ୍ଡରସନ୍‌ଙ୍କ ଏହି କାହାଣୀଟି ଆଜିବି ଵିଶ୍ୱର ସବୁଠାରୁ ଶକ୍ତିଶାଳୀ ଉପହାସ ଭାବେ ପଢ଼ାଯାଏ ଏଵଂ ଅହଂକାର, ମିଛ ଗର୍ଵ ଓ ସାମୂହିକ ମୌନତାର ଏକ ଅମର ଚିତ୍ରଣ ଅଟେ। ଏହା ୧୮୩୭ ମସିହାରେ “ଫେରୀ ଟେଲ୍ସ ଟୋଲ୍ଡ ଫର ଚିଲଡ୍ରେନ” ସଂକଳନର ତୃତୀୟ ଖଣ୍ଡରେ ପ୍ରଥମେ ପ୍ରକାଶ ପାଇଥିଲା।

ଏହି କାହାଣୀର ମୂଳ ଧାରଣା ଓ କାହାଣୀକଥା ସତରେ ଅନେକ ପୁରୁଣା ଅଟେ। ଆଣ୍ଡରସନ୍ ନିଜେ ସ୍ପଷ୍ଟ ଭାବେ ସ୍ୱୀକାର କରିଛନ୍ତି ଯେ ଏହାର ମୂଳ ଉତ୍ସ ହେଉଛି ସ୍ପେନୀୟ ଲେଖକ Don Juan Manuel(୧୨୮୨–୧୩୪୮)ଙ୍କ ଵିଖ୍ୟାତ ପୁସ୍ତକ El Conde Lucanor(୧୩୩୫)ର ୩୨ତମ ଉପକଥା ““ଏଜେମ୍ପ୍ଲୋ ଏନ୍ କ୍ୱେ କୋଣ୍ଟା ଦେ ଲୋ କ୍ୱେ କୋଣ୍ଟେସିଓ ଦେ ତ୍ରେସ୍ ଏଙ୍ଗାଞାଡୋରେସ୍ ଅ ଲ କ୍ୱେ ଲେ କୋଣ୍ଟେସିଓ ଅ ଲ ରେଇ ଦେ ଲାସ୍ ତ୍ରେସ୍ ଫେରିଦାସ୍” ଯାହାର ସଂକ୍ଷିପ୍ତ ଭାଵାର୍ଥ ହେଉଛି ““ତିନି ଠକ୍ ଯେଉଁମାନେ ରାଜାଙ୍କୁ ଠକିଲେ ଏଵଂ ତିନି ଆଘାତ ଵିଷୟରେ ଯାହା ଘଟିଥିଲା”।

ସେହି ମଧ୍ୟଯୁଗୀୟ ସ୍ପେନୀୟ କାହାଣୀରେ ତିନି ଠକ୍ ଏକ କଳା ରାଜା (ମୋରିଶ୍ ରାଜା)ଙ୍କୁ ଠକନ୍ତି ଏଵଂ କହନ୍ତି ଯେ ସେମାନେ ଏକ ଅଦୃଶ୍ୟ ଲୁଗା ତିଆରି କରୁଛନ୍ତି ଯାହା କେଵଳ ଵୈଧ ସନ୍ତାନମାନେ ହିଁ ଦେଖିପାରିବେ। ଶେଷରେ ଜଣେ କଳା ଘୋଡ଼ାଚାଳକ ସତ୍ୟ କହି ଚିତ୍କାର କରେ ଯେ ରାଜା ନଗ୍ନ ଅଛନ୍ତି। ଆଣ୍ଡରସନ୍ ଏହି ପୁରୁଣା କାହାଣୀକୁ ଅନେକ ପରିଵର୍ତ୍ତନ କରି ଅଧିକ ସରଳ, ତୀକ୍ଷ୍ଣ ଓ ସାର୍ଵଜନୀନ କରିଛନ୍ତି। 

ଡନ୍ ଜୁଆନ୍ ମାନୁଏଲ୍‌ଙ୍କ ପୁସ୍ତକ “El Conde Lucanor”ର ସମ୍ପୂର୍ଣ୍ଣ ଗଠନ ପଞ୍ଚତନ୍ତ୍ର ଓ ହିତୋପଦେଶ ଶୈଳୀରେ ଲିଖିତ ହୋଇଛି । ପୁସ୍ତକଟିରେ ମୋଟ ୫୧ଟି ଉପକଥା ରହିଛି ଏଵଂ ପ୍ରତ୍ୟେକ ଉପକଥା ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ଲେଖା ହୋଇଛି। ସେହି ଢାଞ୍ଚାଟି ଏହିପରି ଯେ Count Lucanor ଜଣେ ଯୁଵ ଅଭିଜାତ ରାଜକୁମାର ଅଟନ୍ତି। ସେ ଜୀଵନର ବିଭିନ୍ନ ସମସ୍ୟା ନେଇ ନିଜର ବୁଦ୍ଧିମାନ୍ ଓ ଅନୁଭଵୀ ଉପଦେଷ୍ଟା Patronioଙ୍କ ପାଖକୁ ଯାଆନ୍ତି ଏଵଂ ପଚାରନ୍ତି – “ଏହି ପରିସ୍ଥିତିରେ ମୁଁ କ’ଣ କରିବି?”  

ପାଟ୍ରୋନିଓ ତାଙ୍କୁ ସିଧାସଳଖ ଉପଦେଶ ଦିଅନ୍ତି ନାହିଁ। ଵରଂ କହନ୍ତି – “ମଣିମା, ଏହାର ଉତ୍ତର ମୁଁ ଆପଣଙ୍କୁ ଏକ ଉଦାହରଣ କହି ବୁଝାଇବି।” ତା’ପରେ ସେ ଏକ ଛୋଟ କାହାଣୀ କହନ୍ତି। କାହାଣୀ ଶେଷ ହେଲା ପରେ ପାଟ୍ରୋନିଓ ସେହି କାହାଣୀରୁ ନିଷ୍ପତ୍ତି ଵା ନୈତିକ ଉପଦେଶ କାଉଣ୍ଟ ଲୁକାନୋର୍‌ଙ୍କୁ ସ୍ପଷ୍ଟ ଭାବେ କହି ଦିଅନ୍ତି ଏଵଂ କାଉଣ୍ଟ ତାହା ଗ୍ରହଣ କରନ୍ତି। 

ତେଣୁ ୩୨ତମ ଉପକଥାରେ ବି ଠିକ୍ ସେହିପରି ହୋଇଛି। ପାଟ୍ରୋନିଓ ହିଁ କାଉଣ୍ଟ ଲୁକାନୋର୍‌ଙ୍କୁ ଠକ୍ ସିପୁଟିଙ୍କ କାହାଣୀ କହନ୍ତି ଏଵଂ ଶେଷରେ ତହିଁରୁ ପ୍ରାପ୍ତ ତିନି ଆଘାତ ଵା las tres feridasର ଉପଦେଶ ଦିଅନ୍ତି।

ଏହି ଢାଞ୍ଚା ମଧ୍ୟଯୁଗୀୟ ସ୍ପେନ୍ ଓ ଆରବୀୟ ସାହିତ୍ୟର ଏକ ପ୍ରଚଳିତ ଶୈଳୀ ଥିଲା ଏଵଂ ହୁଏତ ପ୍ରାଚୀନ ଭାରତୀୟ ତଥା ଗ୍ରୀକ୍ ରୋମାନ୍ କା‌ହାଣୀ ସମ୍ବଳିତ ଉପଦେଶ ଗ୍ରନ୍ଥଗୁଡ଼ିକରୁ ପ୍ରଭାଵିତ ହୋଇଥିଲା । ଏହିପରି ଉପକଥା ମାଧ୍ୟମରେ ଉପଦେଶ ଦେଲେ ଶ୍ରୋତା କିମ୍ବା ପାଠକ ନିଜେ ନିଜର ଜୀଵନ ସହିତ ତୁଳନା କରି ଶିଖିପାରନ୍ତି ଏଵଂ ଉପଦେଶଟି ଅଧିକ ଗଭୀର ଭାବେ ମନେ ରହିଥାଏ। ଏହି ଶୈଳୀ ପରେ ବୋକାଚିଓ, ଚୌସର୍ ଆଦି ଲେଖକମାନେ ମଧ୍ୟ ଅନୁସରଣ କରିଥିଲେ।

ତେବେ Don Juan Manuelଙ୍କ ପ୍ରୋକ୍ତ 
କାହାଣୀର ପ୍ରାମାଣିକ ସଂକ୍ଷିପ୍ତ ରୂପ ଏହିପରି:

କୌଣସି ଏକ ସମୟରେ ତିନି ଜଣ ଭ୍ରମଣକାରୀ ଠକ୍ ଏକ ମୋରିଶ୍ (ପଠାଣ) ରାଜାଙ୍କ ରାଜ୍ୟକୁ ଆସିଲେ। ସେମାନେ ରାଜାଙ୍କ ପାଖରେ ନିଜକୁ ଅତି ନିପୁଣ ସିପୁଟି(ଦର୍ଜି) ବୋଲି ପରିଚୟ ଦେଲେ ଏଵଂ କହିଲେ ଯେ ସେମାନେ ଏପରି ଏକ ଅଦ୍ଭୁତ ଲୁଗା ତିଆରି କରିପାରନ୍ତି ଯାହାକୁ କେଵଳ ସେହି ଲୋକେ ଦେଖିପାରିବେ ଯେଉଁମାନେ ନିଜ ବାପାଙ୍କ ଵୈଧ ସନ୍ତାନ (ଅର୍ଥାତ୍ ଯାହାର ମା’ ବାପାଙ୍କ ଵିଵାହ ହୋଇଥିଵ ଵା ସେମାନେ ନିଜ ମାଆ ବାପାଙ୍କ ସନ୍ତାନ ହୋଇଥିବେ)। 

ଯେଉଁ ଲୋକ ଅଵୈଧ ସନ୍ତାନ ସେ ଏହି ଲୁଗା ଦେଖିପାରିଵ ନାହିଁ । ରାଜା ଏହା ଶୁଣି ଅତ୍ୟନ୍ତ ଉତ୍ସାହିତ ହେଲେ ଏଵଂ ସେମାନଙ୍କୁ ପ୍ରଚୁର ସୁନା ଓ ରେଶମ କପଡ଼ା ଦେଇ ଲୁଗା ତିଆରି କରିଵାକୁ କହିଲେ। ଠକ୍‌ମାନେ ଖାଲି ଘରେ ବସି କେଵଳ ଅଭିନୟ କରୁଥାନ୍ତି ଯେ ସେମାନେ ତନ୍ତ ବୁଣୁଛନ୍ତି ଓ ସିଲେଇ କରୁଛନ୍ତି। ସେମାନେ ସୁନା ଓ କପଡ଼ା ନିଜ ପେଟିରେ ଭର୍ତ୍ତି କରି ଲୁଚାଇ ଦେଲେ।
କିଛି ଦିନ ପରେ ରାଜା ନିଜ ମନ୍ତ୍ରୀମାନଙ୍କୁ ପଠାଇଲେ ଲୁଗା ଦେଖିଵାକୁ। ପ୍ରଥମେ ଜଣେ ଯାଇ କିଛି ଦେଖିପାରିଲା ନାହିଁ, କିନ୍ତୁ କାଳେ ସେ ଅଵୈଧ ସନ୍ତାନ ବୋଲାଇଵ ଏହି ଭୟରେ ମିଛରେ କହିଲା ଯେ ଲୁଗାଟି ଅତି ସୁନ୍ଦର। ଅନ୍ୟ ମନ୍ତ୍ରୀମାନେ ମଧ୍ୟ ସେହିପରି କହିଲେ ଏଵଂ ଏକେ ଅନ୍ୟକୁ ଚାଟୁକାରିତା କଲେ। ଶେଷରେ ରାଜା ନିଜେ ଯାଇ କିଛି ଦେଖିପାରିଲେ ନାହିଁ, କିନ୍ତୁ ନିଜର ଵୈଧତା ଉପରେ ସନ୍ଦେହ କରିଵାକୁ ଭୟ କଲେ ଏବଂ କହିଲେ ଯେ ଲୁଗାଟି ଅତୀଵ ଚମତ୍କାର ହୋଇଛି।

ଶେଷରେ ବଡ଼ ଧୁମ୍‌ଧାମ୍‌ରେ ଏକ ଶୋଭାଯାତ୍ରା ବାହାର କରାଗଲା। ରାଜା ସମ୍ପୂର୍ଣ୍ଣ ନଗ୍ନ ଅଵସ୍ଥାରେ ଘୋଡ଼ା ଉପରେ ବସି ଶୋଭାଯାତ୍ରା କଲେ ଏଵଂ ସମସ୍ତ ପ୍ରଜା ଓ ଅମାତ୍ୟମାନେ ମିଛରେ ଲୁଗାର ପ୍ରଶଂସା କଲେ। କିନ୍ତୁ ରାଜାଙ୍କ ପଛରେ ଯେଉଁ ଜଣେ କଳା ଘୋଡ଼ାଚାଳକ (ମୋରିଶ୍ ଦାସ) ଘୋଡ଼ାର ଲଗାମ ଧରି ଚାଲୁଥିଲା, ସେ ସ୍ପଷ୍ଟ ଦେଖିଲା ଯେ ରାଜା ନଗ୍ନ ଅଛନ୍ତି। ସେ ବଡ଼ ପାଟିରେ ଚିତ୍କାର କରି କହିଲା:
“ହେ ରାଜନ୍! ଆପଣ ନଗ୍ନ ଅଛନ୍ତି! ଆପଣଙ୍କ ଦେହରେ କୌଣସି ଲୁଗା ନାହିଁ!”
ଏହା ଶୁଣି ରାଜା ବୁଝିଗଲେ ଯେ ସେ ଠକି ହୋଇ ଯାଇଛନ୍ତି, କିନ୍ତୁ ଶୋଭାଯାତ୍ରା ଜାରି ରଖିଲେ ଏଵଂ ଅଧିକ ଗର୍ଵରେ ମୁଣ୍ଡ ଉଠାଇ ଚାଲିଲେ। ଠକ୍‌ମାନେ ତା’ ପୂର୍ଵରୁ ସବୁ ସମ୍ପତ୍ତି ନେଇ ପଳାଇ ସାରିଥିଲେ।

କାହାଣୀ ଶୁଣେଇ ସାରି ପାଟ୍ରୋନିଓ (ଉପଦେଷ୍ଟା) କାଉଣ୍ଟ ଲୁକାନୋର୍‌ଙ୍କୁ ଏହି ଘଟଣାରୁ ତିନି ପ୍ରକାରର ବଡ଼ ଆଘାତ ଵା las tres feridas କ’ଣ ବୁଝାଇ ନୈତିକ ଉପଦେଶ ଦିଅନ୍ତି। ସେହି ତିନି ଆଘାତ୍ ହେଲା:

(୧)ପ୍ରଥମ ଆଘାତ – ଧନହାନି ଵା ଅର୍ଥ ହରାଇଵା

ରାଜା ଠକ୍‌ମାନଙ୍କୁ ପ୍ରଚୁର ସୁନା, ରେଶମ କପଡ଼ା ଓ ଅନ୍ୟାନ୍ୟ ସମ୍ପତ୍ତି ଦେଇ ଠକି ହୋଇ ସବୁ ହରାଇଲେ। ଏହା ମଣିଷର ଜୀଵନର ପ୍ରଥମ ବଡ଼ ଆଘାତ– ଯେତେବେଳେ କେହି ମୂର୍ଖ ଭାବେ କିମ୍ବା ଅହଂକାରରେ ନିଜର ଧନ ହରାଇ ବସେ ସେତେବେଳେ ସେ ଏହି ଆଘାତ ପାଏ ।

(୨)ଦ୍ୱିତୀୟ ଆଘାତ – ସମ୍ମାନହାନି ଵା ଇଜ୍ଜତ ହରାଇଵା

ଶୋଭାଯାତ୍ରାରେ ସମ୍ପୂର୍ଣ୍ଣ ନଗ୍ନ ହୋଇ ରାଜା ସାରା ରାଜ୍ୟ ଆଗରେ ଉନ୍ମୁକ୍ତ ହୋଇଗଲେ। ସମସ୍ତ ପ୍ରଜା ତାଙ୍କୁ ନଗ୍ନ ଦେଖି ହସିଲେ ଏଵଂ ତାଙ୍କର ରାଜକୀୟ ସମ୍ମାନ ଚିରକାଳ ପାଇଁ ନଷ୍ଟ ହୋଇଗଲା। ଏହା ଦ୍ୱିତୀୟ ଆଘାତ – ଯେତେବେଳେ ମିଛ ଗର୍ଵ ଓ ଚାଟୁକାରିତା ଯୋଗୁଁ ମଣିଷ ସମାଜ ଆଗରେ ଅପମାନିତ ହୁଏ ସେତେବେଳେ ସେ ଏହି ଆଘାତ ପାଇଥାଏ।

୩.ତୃତୀୟ ଆଘାତ୍ – ଆତ୍ମପ୍ରତାରଣାର ଆଘାତ ଵା ନିଜକୁ ନିଜେ ଠକିଵା

ଏହା ସବୁଠାରୁ ଭୟଙ୍କର ଆଘାତ । କଳା ଦାସଟି ଚିତ୍କାର କରି ସତ୍ୟ କହିଦେଲା ପରେ ମଧ୍ୟ ରାଜା ନିଜର ଭୁଲ୍ ସ୍ୱୀକାର କଲେ ନାହିଁ, ଵରଂ ଅଧିକ ଗର୍ଵରେ ମୁଣ୍ଡ ଉଠାଇ ନଗ୍ନ ଅଵସ୍ଥାରେ ଶୋଭାଯାତ୍ରା ଜାରି ରଖିଲେ। ଏହା ଦର୍ଶାଏ ଯେ ମଣିଷ ନିଜର ଅହଂକାରକୁ ଏତେ ଭଲ ପାଏ ଯେ ସ୍ପଷ୍ଟ ସତ୍ୟ ଦେଖି ମଧ୍ୟ ନିଜକୁ ଠକି ଚାଲେ – ଏହା ହେଉଛି ତିନି ଆଘାତ ମଧ୍ୟରେ ସବୁଠାରୁ ଗଭୀର ଓ ଅପୂରଣୀୟ। 

ଏହା ହିଁ ମଧ୍ୟଯୁଗୀୟ ସ୍ପେନୀୟ ମୂଳ କାହାଣୀର ସବୁଠାରୁ ଗଭୀର ନୈତିକ ଉପଦେଶ ଅଟେ, ଯାହାକୁ ଆଣ୍ଡରସନ୍ ପରେ ଆଉ ସିଧାସଳଖ କହିନଥିଲେ, କିନ୍ତୁ କାହାଣୀ ନିଜେ ହିଁ ତାହା ବୁଝାଇ ଦେଇଛି।

ହାନ୍ସ କ୍ରିଷ୍ଟିଆନ ଆଣ୍ଡରସନ୍‌ଙ୍କ ୧୮୩୭ର “ସମ୍ରାଟ୍‌ଙ୍କର ନୂଆ ଲୁଗା” ଏଵଂ ଡନ୍ ଜୁଆନ୍ ମାନୁଏଲ୍‌ଙ୍କ ୧୩୩୫ର ୩୨ତମ ଉପକଥା ମଧ୍ୟରେ ମୂଳ ଧାରଣା ଏକ ହେଲେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ରହିଛି। ନିମ୍ନରେ ସେହି ପାର୍ଥକ୍ୟଗୁଡ଼ିକୁ ସ୍ପଷ୍ଟ ଭାବେ ତୁଳନା କରାଗଲା।

ମାନୁଏଲ୍‌ଙ୍କ କାହାଣୀରେ ରାଜା ଜଣେ ମୋରିଶ୍ (ମୁସଲମାନ୍) ରାଜା ଅଟନ୍ତି ଏଵଂ ସେ କୌଣସି ଵିଶେଷ ଅହଂକାରୀ ବୋଲି କୁହାଯାଇନି। ଆଣ୍ଡରସନ୍‌ଙ୍କ କାହାଣୀରେ ସମ୍ରାଟ୍ ଜଣେ ଅତ୍ୟନ୍ତ ଅହଂକାରୀ ଓ ଲୁଗାପ୍ରେମୀ ରାଜା ଅଟନ୍ତି ଯିଏ ରାଜକାର୍ଯ୍ୟ ଅପେକ୍ଷା ନୂଆ ନୂଆ ଲୁଗା ପିନ୍ଧିଵାକୁ ଅଧିକ ପସନ୍ଦ କରନ୍ତି। ଏହା ଦ୍ୱାରା ଅହଂକାରର ଉପହାସ ଅଧିକ ତୀକ୍ଷ୍ଣ ହୋଇଛି।

ମାନୁଏଲ୍‌ଙ୍କ କାହାଣୀରେ ତିନି ଜଣ ଠକ୍‌ଙ୍କ କଥା କୁହାଯାଇଛି। ଆଣ୍ଡରସନ୍ ଏହାକୁ ଦୁଇ ଜଣ କରି କାହାଣୀକୁ ଅଧିକ ସରଳ କରିଛନ୍ତି।

ଅଦୃଶ୍ୟ ଲୁଗାର ସର୍ତ୍ତ ହେଉଛି ଦୁଇ କାହାଣୀ ମଧ୍ୟରେ ସବୁଠାରୁ ବଡ଼ ପାର୍ଥକ୍ୟ। ମାନୁଏଲ୍‌ଙ୍କ କାହାଣୀରେ ଲୁଗାଟି କେଵଳ ସେହି ଲୋକେ ଦେଖିପାରିବେ ଯେଉଁମାନେ ଵୈଧ ସନ୍ତାନ (ବିବାହିତ ମା’ବାପାଙ୍କ ସନ୍ତାନ)। ଅଵୈଧ ସନ୍ତାନ ଏହା ଦେଖିପାରିବ ନାହିଁ। ଆଣ୍ଡରସନ୍ ଏହାକୁ ପୂରା ପରିଵର୍ତ୍ତନ କରି କହିଛନ୍ତି ଯେ ଲୁଗାଟି କେଵଳ ସେହି ଲୋକେ ଦେଖିପାରିବେ ନାହିଁ ଯେଉଁମାନେ ନିଜ ପଦଵୀ ପାଇଁ ଅଯୋଗ୍ୟ ଅଟନ୍ତି। ଏହା ଦ୍ୱାରା ଉପହାସଟି ରାଜକୀୟ ଚାଟୁକାରିତା ଓ ଆତ୍ମପ୍ରତାରଣା ଉପରେ ଅଧିକ କେନ୍ଦ୍ରୀଭୂତ ହୋଇଛି।

ମାନୁଏଲ୍‌ଙ୍କ କାହାଣୀରେ ସତ୍ୟ କହୁଛି ଜଣେ କଳା ଘୋଡ଼ାଚାଳକ ଦାସ (ଯାହାକୁ ସେ ସମୟରେ ସାମାଜିକ ଭାବେ ନିମ୍ନତମ ସ୍ଥାନ ଦିଆଯାଉଥିଲା)। ଆଣ୍ଡରସନ୍ ସେହି ଚରିତ୍ରକୁ ପରିଵର୍ତ୍ତିତ କରି ଏକ ନିଷ୍ପାପ ଛୋଟ ପିଲା କରିଦେଇଛନ୍ତି। ଏହା କାହାଣୀକୁ ଅଧିକ ସର୍ଵଜନୀନ ଓ ହୃଦୟସ୍ପର୍ଶୀ କରିଛି ଏଵଂ ଶିଶୁଙ୍କ ନିଷ୍କଳଙ୍କ ସତ୍ୟଵାଦିତାକୁ ଅମର କରିଛି।

ମାନୁଏଲ୍‌ଙ୍କ କାହାଣୀ ମଧ୍ୟଯୁଗୀୟ ନୈତିକ ଉପଦେଶ ପୁସ୍ତକର ଏକ ଅଂଶ ଅଟେ ଯାହା ରାଜକୀୟ ଉପଦେଷ୍ଟା ପାଟ୍ରୋନିଓ ଓ କାଉଣ୍ଟ ଲୁକାନୋର୍ ମଧ୍ୟରେ କଥୋପକଥନ ଆକାରରେ ଲେଖା ହୋଇଛି। ଆଣ୍ଡରସନ୍ ଏହାକୁ ଏକ ସ୍ୱତନ୍ତ୍ର ଶିଶୁକାହାଣୀ ଭାବେ ଲେଖିଛନ୍ତି ଯାହା ଶିଶୁ ଓ ବଡ଼ ଉଭୟଙ୍କ ପାଇଁ ସମାନ ଭାବେ ଗ୍ରହଣୀୟ ଏଵଂ ଯାହାର ଉପହାସ ଅଧିକ ତୀକ୍ଷ୍ଣ ଓ ସାର୍ବଜନୀନ।

ସଂକ୍ଷେପରେ କହିଲେ ଡନ୍ ଜୁଆନ୍ ମାନୁଏଲ୍ ଏକ ଚତୁର ଲୋକକଥା ଲେଖିଥିଲେ ଯାହା ଅହଂକାର ଓ ଚାଟୁକାରିତାକୁ ଉପହାସ କରୁଥିଲା। ହାନ୍ସ କ୍ରିଷ୍ଟିଆନ ଆଣ୍ଡରସନ୍ ସେହି ପୁରୁଣା କାହାଣୀକୁ ନେଇ ଏତେ ସୁନ୍ଦର ଭାବେ ନୂଆ ରୂପ ଦେଇଛନ୍ତି ଯେ ଆଜି ସାରା ଵିଶ୍ୱରେ ଏହି କାହାଣୀଟି କେଵଳ ତାଙ୍କର ବୋଲି ପରିଚିତ। ସେ ଏକ ମଧ୍ୟଯୁଗୀୟ ଉପକଥାକୁ ଅମର ସାହିତ୍ୟର ଏକ ଅଂଶ କରି ଦେଇଛନ୍ତି।



Tuesday, December 2, 2025

କ’ଣ ଯୀଶୁ ଭାରତ ଆସିଥିଲେ କି ?

 ଓଶୋ ଓରଫ୍ ରଜନୀଶ୍ ଅନେକଥର କହିଛନ୍ତି ନିଜର ଅନେକ ବହି ମଧ୍ୟରେ ଯୀଶୁଙ୍କ ଵିଷୟରେ ଯାହା ଉଲ୍ଲେଖ କରିଛନ୍ତି ତହିଁର ସାର ହେଲା : “ଯୀଶୁ କ୍ରୁଶଵିଦ୍ଧ ହେଵା ସମୟରେ ମରିନଥିଲେ, କେଵଳ ଅତ୍ୟଧିକ ରକ୍ତସ୍ରାଵ ଯୋଗୁଁ ଅଚେତ ହୋଇଯାଇଥିଲେ। କାରଣ ସାଧାରଣ କ୍ରୁଶଦଣ୍ଡରେ ମୃତ୍ୟୁ ହେଵାକୁ ଅତ୍ୟଳ୍ପେ ୪୮ ଘଣ୍ଟା ଵା କେତେକ କ୍ଷେତ୍ରରେ ୬ ଦିନ ଲାଗେ, କିନ୍ତୁ ଯୀଶୁଙ୍କୁ ମାତ୍ର ୬ ଘଣ୍ଟାରେ କ୍ରୁଶରୁ ଓହ୍ଲାଇ ଦିଆଯାଇଥିଲା। ଏହା ପୋଣ୍ଟିୟସ୍ ପାୟଲଟ୍ ଓ ଧନୀ ଯୋସେଫ୍ ଅଫ୍ ଆରିମାଥିଆଙ୍କ ଷଡ଼ଯନ୍ତ୍ର ଥିଲା। ଶୁକ୍ରଵାର ଵିଳମ୍ବରେ ଶୁଳି ଦିଆଯାଇ ଶନିଵାର (ସବ୍ତ) ଆସିଵା ପୂର୍ଵରୁ ଶରୀର ଓହ୍ଲାଇ ନେଵାର ଵ୍ୟଵସ୍ଥା କରାଯାଇଥିଲା। ରକ୍ତସ୍ରାଵ ଯୋଗୁଁ ଯୀଶୁ ଅଚେତ ହୋଇଯାଇଥିଲେ, ମରି ନ ଥିଲେ। ଗୁମ୍ଫାରେ ରଖିଵା ପରେ ତାଙ୍କ ଅନୁକରଣକାରୀମାନେ ତାଙ୍କୁ ଉଦ୍ଧାର କରି ନେଇଯାଇଥିଲେ। ସୁସ୍ଥ ହେଵା ପରେ ଯୀଶୁ ଭାରତ ଚାଲିଆସି କାଶ୍ମୀରରେ ୧୧୦-୧୨୦ ଵର୍ଷ ବଞ୍ଚି ସେଠାରେ ମୃତ୍ୟୁଵରଣ କରିଥିଲେ।”
ତେବେ ଏହାର ସତ୍ୟାସତ୍ୟ କ’ଣ ? କ’ଣ ସତରେ ଜୀଶୁ ଭାରତ ଆସିଥିଲେ ? 

ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମରିନଥିଲେ ଏଵଂ ପରେ ଭାରତ ଆସି କାଶ୍ମୀରରେ ୧୧୦-୧୨୦ ଵର୍ଷ ବଞ୍ଚିଥିଲେ ଏହି ଦାବିଟି ମୁଖ୍ୟତଃ ଓଶୋ (ରଜନୀଶ) ଏଵଂ ତାଙ୍କ ପୂର୍ଵରୁ ରୁଷୀୟ ଲେଖକ ନିକୋଲାସ୍ ନୋଟୋଭିଚ୍ (୧୮୯୪ରେ ପ୍ରକାଶିତ “The Unknown Life of Jesus Christ”) ଓ ପରେ ହୋଲଗର କେର୍ସ୍ଟନ୍, ଏଲିଜାବେଥ କ୍ଲେର ପ୍ରଫେଟ୍ ଆଦି ଲୋକଙ୍କ ଦ୍ୱାରା ପ୍ରଚାରିତ ହୋଇଛି । ଏମାନେ ସମସ୍ତେ ଦାବି କରିଛନ୍ତି ଯେ ତିବ୍ବତର ହେମିସ୍ ଗୁମ୍ଫାରେ ଏକ ପୁରୁଣା ପାଣ୍ଡୁଲିପି ଅଛି ଯହିଁରେ “ଈଶା” ନାମରେ ଯୀଶୁଙ୍କ ଭାରତ ଆଗମନ ଓ କାଶ୍ମୀରରେ ତାଙ୍କ ସମାଧି ଵିଷୟ ଲେଖା ଅଛି ।

ଏହାର ସତ୍ୟତା କେତେ ? ଆଧୁନିକ ଗବେଷଣା ଅନୁଯାୟୀ ଏହି ଦାବିଟି ପ୍ରାୟ ଶତପ୍ରତିଶତ ଅସତ୍ୟ ଏଵଂ ଐତିହାସିକ ଭାବେ ଅସମର୍ଥିତ । କିନ୍ତୁ କେମିତି? 
ପ୍ରଥମତଃ କ୍ରୁଶରେ ମୃତ୍ୟୁ କେତେ ଶୀଘ୍ର ହୋଇପାରେ ସେ ଵିଷୟରେ ଆଧୁନିକ ଚିକିତ୍ସା ଵିଜ୍ଞାନ ଓ ପୁରାତତ୍ତ୍ଵ ଗଵେଷଣା କହୁଛି ଯେ ରୋମୀୟ କ୍ରୁଶଦଣ୍ଡ (crucifixion) ସାଧାରଣତଃ ୨-୩ ଦିନ ଲାଗୁଥିଲା ବେଳେ ଯୀଶୁଙ୍କ କ୍ଷେତ୍ରରେ ଅତ୍ୟଧିକ ଚାବୁକ ମାଡ଼ (scourging) ପରେ ରକ୍ତସ୍ରାଵ ଓ hypovolemic shock ଯୋଗୁଁ କେବଳ ୬ ଘଣ୍ଟା ମଧ୍ୟରେ ମୃତ୍ୟୁ ହେଵାର ସମ୍ଭାଵନା ବହୁତ ଥିଲା । ୧୯୮୬ରେ Journal of the American Medical Associationରେ ପ୍ରକାଶିତ ଗଵେଷଣା ପତ୍ରରେ ସ୍ପଷ୍ଟ ଲେଖାଯାଇଛି ଯେ ଯୀଶୁ କ୍ରୁଶରେ ମରିଥିଲେ ଏଵଂ ବର୍ଚ୍ଛା ଭୁଶିଵା ସମୟରେ ହୃତ୍ପିଣ୍ଡରୁ ରକ୍ତ ଓ ପାଣି (ପେରିକାର୍ଡିୟାଲ୍ ଫ୍ଲୁଇଡ୍) ବାହାରିଥିଲା ଯାହା ମୃତ୍ୟୁର ଚିକିତ୍ସାଗତ ପ୍ରମାଣ । ଯେଉଁ ଲୋକମାନେ ୬ ଦିନ ବଞ୍ଚି ରହୁଥିଲେ ସେମାନଙ୍କୁ ଆଗରୁ ଏତେ ଅତ୍ୟାଚାର କରାଯାଉ ନଥିଲା ।

ମାତ୍ର ଏହା ପଢ଼ି କିଛି ଲୋକ ପଚାରି ପାରନ୍ତି ପ୍ରମାଣ କଣ୍ ଅଛି ? ଯୀଶୁଙ୍କ ମୃତ ଶରୀର କେବେ ମିଳିନାହିଁ ତେଣୁ ଆମେ କେମିତି କହିପାରିଵା ଯେ ଯୀଶୁଙ୍କର ମୃତ୍ୟୁ ଛଅଘଣ୍ଟା ଭିତରେ ହୋଇଯାଇଥିଲା ? 

ପ୍ରଥମେ ଯୀଶୁଙ୍କ ମୃତ ଶରୀର କଥା ଉପରେ ଆଲୋଚନା କରାଯାଉ । ଆଜିଯାଏଁ ମଧ୍ୟ ଏହା ମିଳିନାହିଁ ଏଵଂ ଐତିହାସିକ ଦୃଷ୍ଟିରୁ ଏହା ମିଳିଵାର କୌଣସି ସମ୍ଭାଵନା ମଧ୍ୟ ନାହିଁ। 

ଖ୍ରୀଷ୍ଟୀୟ ଵିଶ୍ୱାସ ଅନୁଯାୟୀ ଯୀଶୁ ତୃତୀୟ ଦିନରେ ମୃତ୍ୟୁରୁ ପୁନରୁତ୍ଥାନ (resurrection) ହୋଇ ସ୍ୱର୍ଗକୁ ଆରୋହଣ (ascension) କରିଛନ୍ତି। ତେଣୁ ତାଙ୍କର ମୃତ ଶରୀର ପୃଥିଵୀରେ ରହିଵ ନାହିଁ। ଏହି ଵିଶ୍ୱାସ ପ୍ରାଚୀନକାଳରୁ ଆଜିଯାଏଁ ଵିଶ୍ୱର ଦୁଶଶହ କୋଟିରୁ ଅଧିକ ଖ୍ରୀଷ୍ଟିଆନଙ୍କ ମନରେ ବସା ବାନ୍ଧି ରହିଛି । ପ୍ରାଚୀନ ଖ୍ରୀଷ୍ଟୀୟ ଲେଖକମାନେ (ପଲ୍, ଇଗ୍‌ନେସିୟସ୍, ଜଷ୍ଟିନ୍ ମାର୍ଟିର୍ ଆଦି) ଏହାକୁ ବାରମ୍ବାର ଉଲ୍ଲେଖ କରିଛନ୍ତି ଯେ ଗୁମ୍ଫା ଖାଲି ମିଳିଥିଲା ଏଵଂ ଶରୀର କେହି ଚୋରେଇ ନେଇଯାଇ ନ ଥିଲା।

ତେବେ ଯଦି କେହି ନାସ୍ତିକ ଵା ଅନ୍ୟ ଧର୍ମାଵଲମ୍ବୀ ଏହି ଖ୍ରୀଷ୍ଟୀୟ ପୁନରୁତ୍ଥାନ ଲୋକଵିଶ୍ଵାସକୁ ମାନନ୍ତି ନାହିଁଁ, ତଥାପି ମଧ୍ୟ ଐତିହାସିକ କାରଣରୁ ଶରୀର ମିଳିଵା ଅସମ୍ଭଵ। କାରଣ ପ୍ରଥମ ଶତାବ୍ଦୀରେ ଜେରୁଜେଲମରେ କ୍ରୁଶଵିଦ।ଧ ଅପରାଧୀଙ୍କ ଶଵ ସାଧାରଣତଃ ସାମୂହିକ ଶଵ ଫିଙ୍ଗା ଗାଡ଼ (ଯେମିତି ଆଖ୍ରୋତ୍ ଉପତ୍ୟକାର ଗର୍ତ୍ତଗୁଡ଼ିକ) ଫିଙ୍ଗି ଦିଆଯାଉଥିଲା ଏଵଂ ଏକ ଵର୍ଷ ପରେ ହାଡ଼ଗୁଡ଼ିକ ସଂଗ୍ରହ କରି ଅଷ୍ଟୁଆରି (ossuary)ରେ ରଖାଯାଉଥିଲା। କିନ୍ତୁ ଯୀଶୁଙ୍କ କ୍ଷେତ୍ରରେ ଯୋସେଫ୍ ଅଫ୍ ଆରିମାଥିଆଙ୍କ ନିଜର ନୂଆ ଗୁମ୍ଫା କବର ଦିଆଯାଇଥିଲା ଏଵଂ ତୃତୀୟ ଦିନରେ ଗୁମ୍ଫା ଖାଲି ମିଳିଥିଲା ବୋଲି ସମସ୍ତ ପ୍ରାଚୀନ ସାକ୍ଷ୍ୟ କହୁଛି। ତେଣୁ ଶରୀର ସେଠାରୁ ଅଦୃଶ୍ୟ ହୋଇଯାଇଥିଲା। ହୋଇପାରେ ଯୀଶୁଙ୍କୁ ମହାତ୍ମା,ଦେଵତା,ଈଶ୍ଵରଙ୍କ ସନ୍ତାନ ପ୍ରମାଣ କରିଵାକୁ ଯାଇ ସେସମୟର କିଛି ଲୋକେ ତାଙ୍କ ଶଵକୁ ଚୋରାଇ ନେଇଥିବେ ଏଵଂ କୌଣସି ଗୁପ୍ତ ସ୍ଥାନରେ ରଖିଥିବେ । 

୧୯୮୦ ମସିହାରେ ଜେରୁଜେଲମ୍‌ର ଦକ୍ଷିଣ ତାଲ୍‌ପିୟୋଟ୍ ଅଞ୍ଚଳରେ ଏକ ପ୍ରାଚୀନ କବର ମିଳିଥିଲା ଯେଉଁଥିରେ ୧୦ଟି ଅସ୍ଥିପାତ୍ର (ossuaries) ଥିଲା। ସେଥିମଧ୍ୟରୁ କେତେକ ପାତ୍ରରେ ଲେଖା ଥିଲା –Yeshua bar Yosef ଅର୍ଥାତ୍ Josephଙ୍କ ପୁଅ Jesus ପୁଣି “ମରିୟମ” (Mary), “ଯୋସେ” (Jose), “ମରିୟା ମାଗ୍‌ଦଲେନୀ” ବୋଲି ଏକ ପାତ୍ରରେ ଲେଖା ଥିଵାର ଦାବି କରାଯାଇଛି ଏଵଂ ଆଉ ଏକ ପାତ୍ରରେ “ଯୁଡାହ ବର୍ ୟେଶୁଆ” (Judah son of Yeshua) ଅର୍ଥାତ୍ ଯୀଶୁଙ୍କ ପୁଅ ବୋଲି ଦାବି ମଧ୍ୟ ହୋଇଛି । ଏହି କବରକୁ ନିର୍ମାତା ସିମ୍‌ଚା ଜେକୋବୋଭିଚି ଏଵଂ ଜେମ୍ସ କ୍ୟାମେରନ୍‌ ତାଙ୍କ ଡକ୍ୟୁମେଣ୍ଟାରି “The Lost Tomb of Jesus” (୨୦୦୭) ମାଧ୍ୟମରେ ଵିଶ୍ୱଵ୍ୟାପୀ ଚର୍ଚ୍ଚାକୁ ଆଣିଥିଲେ। କିନ୍ତୁ ଅଧିକାଂଶ ପ୍ରତ୍ନତତ୍ତ୍ୱଵିତ୍ ଏବଂ ବାଇବେଲ ଵିଶେଷଜ୍ଞ ଏହାକୁ ଭିତ୍ତିହୀନ ବୋଲି ମତପ୍ରକାଶ କରିଛନ୍ତି କାରଣ ସେସମୟରେ “ଯେଶୁଆ” ଓ “ମରିୟମ” ନାମ ବହୁତ ସାଧାରଣ ଥିଲା ଏଵଂ ଅସ୍ଥିପାତ୍ରଗୁଡ଼ିକରେ ଥିବା ଅସ୍ଥି ପରୀକ୍ଷା କରାଯାଇ ନ ଥିଵାରୁ ଏହା ଯୀଶୁଙ୍କ ପରିଵାର ବୋଲି କୌଣସି ପ୍ରମାଣ ନାହିଁ। ଇସ୍ରାଏଲ ପ୍ରତ୍ନତତ୍ତ୍ୱ ଵିଭାଗ ମଧ୍ୟ ଏହାକୁ ଯୀଶୁଙ୍କ କବର ବୋଲି ଗ୍ରହଣ କରେ ନାହିଁ। ତାଲ୍‌ପିୟୋଟ୍ “ପ୍ୟାଟ୍ରିଆର୍କ୍ସ କବର” ଵା “ତଥାକଥିତ ଯୀଶୁ ଫ୍ୟାମିଲି ଟୁମ୍ବ୍” ନିକଟରେ ଥିଵା ୨୦୧୦ ପରେ ଆଵିଷ୍କୃତ ଆଉ ଏକ କବରକୁ ମଧ୍ୟ କେତେକ ଗଣମାଧ୍ୟମ ଯୀଶୁଙ୍କ ପରିଵାର ସହ ଯୋଡ଼ି ଚର୍ଚ୍ଚା କରିଥିଲେ, କିନ୍ତୁ ଏହା ମଧ୍ୟ ଵିଶେଷଜ୍ଞମାନଙ୍କ ଦ୍ୱାରା ନାକଚ ହୋଇଛି। ଏହା ଵ୍ୟତୀତ ଯୁରୋପରେ ମଧ୍ୟ କେତେକ ଦାବି ରହିଛି ଯାହା ଯୀଶୁ ମରି ନ ଥିଲେ ବା ତାଙ୍କ ଶରୀର ସେଠାରେ ରହିଛି ବୋଲି କହିଥାଏ। ଉଦାହରଣ ସ୍ୱରୂପ ଫ୍ରାନ୍ସର Rennes-le-Château ନିକଟରେ କେତେକ ଗୁପ୍ତ ସଙ୍ଘ (ପ୍ରିୟୋରୀ ଅଫ୍ ସାୟନ୍ ପରି) ଯୀଶୁ ଓ ମରିୟମ ମାଗ୍‌ଦଲେନୀଙ୍କ ଵଂଶଧରଙ୍କୁ ସୁରକ୍ଷା ଦେଉଥିଵା ଏଵଂ ତାଙ୍କ ଶରୀର ସେଠାରେ ରହିଛି ବୋଲି କଳ୍ପନାକାହାଣୀ ରହିଛି (ଯାହା “ଦ ଦା ଵିନ୍ଚି କୋଡ୍” ଭଳି ପୁସ୍ତକରେ ଲୋକପ୍ରିୟ ହୋଇଥିଲା), କିନ୍ତୁ ଏହାର କୌଣସି ଐତିହାସିକ ଵା ପ୍ରତ୍ନତାତ୍ତ୍ୱିକ ପ୍ରମାଣ ନାହିଁ।

ଅଧିକାଂଶ ଵିଶେଷଜ୍ଞ ମାନନ୍ତି ଯେ ଯୀଶୁଙ୍କ ମୃତ ଶରୀର କେବେ ମଧ୍ୟ ମିଳିନାହିଁ ଏଵଂ ଆଜି ପର୍ଯ୍ୟନ୍ତ କେହି ବି ଵିଶ୍ୱସନୀୟ ଭାବେ ଦାବି କରି ପ୍ରମାଣ ଦେଇ ପାରିନାହାନ୍ତି। ଯଦି ଯୀଶୁଙ୍କ ଶରୀର ମିଳିନାହିଁ ତେବେ କେମିତି କହିପାରିଵା ଯେ ଈଶ୍ଵରଙ୍କ ପୁତ୍ର ଯୀଶୁଙ୍କୁ ଭୀଷଣ ଚାବୁକ ମାଡ଼ ହୋଇଥିଲା ତଥା ତାଙ୍କ ପେଟରେ ବର୍ଚ୍ଛା ଭୁଷି ହତ୍ୟା କରାଯାଇଥିଲା ? 

ପ୍ରକୃତରେ ଯୀଶୁଙ୍କ ଚାବୁକ ମାଡ଼ (scourging) ଏବଂ ପାର୍ଶ୍ୱରେ ବର୍ଚ୍ଛା ଭୁଶା (lance thrust) ହୋଇଥିଵାର ପ୍ରମାଣ ଅତ୍ୟନ୍ତ ଦୃଢ଼ ଏଵଂ ଵିଭିନ୍ନ ସ୍ତରରେ ଉପଲବ୍ଧ । ଏହାକୁ ତିନିଦିଗରୁ ବୁଝାଇ ଦେଲେ ଯେକେହି ବୁଝିଯିବେ । 

ପ୍ରଥମତଃ –ଯୀଶୁଙ୍କୁ ଭୀଷଣ ଚାବୁକ ପ୍ରହାର ହୋଇଥିଵାର ତଥା ବର୍ଚ୍ଚାରେ ଉଦର ଉପରେ ଆଘାତ କରାଯାଇଥିଵାଳ ସାହିତ୍ୟିକ ଓ ଐତିହାସିକ ପ୍ରମାଣ ରହିଛି । ଚାରୋଟି ସୁସମାଚାର (ମାଥିଉ ୨୭:୨୬, ମାର୍କ ୧୫:୧୫, ଲୂକ ୨୩:୧୬, ଯୋହନ ୧୯:୧) ସ୍ପଷ୍ଟ ଲେଖାଅଛି ଯେ ପୋଣ୍ଟିୟସ୍ ପାୟଲଟ୍ ଯୀଶୁଙ୍କୁ “ଚାବୁକ ମାରିଵାକୁ” (ଗ୍ରୀକ୍ φραγελλόω / phragelloō) ଆଦେଶ ଦେଇଥିଲେ । ୟୋହନ ସୁସମାଚାର (୧୯:୩୪)ରେ ଲିଖିତ ହୋଇଛି ଯେ ରୋମୀୟ ସୈନିକ ଜଣେ ବର୍ଚ୍ଛା (λόγχη / lonchē) ନେଇ ଯୀଶୁଙ୍କ ପାର୍ଶ୍ୱରେ ଭୁଶିଦେଲା ଏଵଂ “ସଙ୍ଗେସଙ୍ଗେ ରକ୍ତ ଓ ଜଳ ବାହାରିଲା” । ଏହି ଵର୍ଣ୍ଣନା ଅତ୍ୟନ୍ତ ପ୍ରତ୍ୟକ୍ଷଦର୍ଶୀ ଭଳି ଏଵ ଅନ୍ୟ ସୁସମାଚାରଗୁଡ଼ିକ ସହ ଵିରୋଧ ନକରି ପୂରକ ହୋଇଛି । ଏହା ଛଡ଼ା ପ୍ରାଚୀନ ଖ୍ରୀଷ୍ଟୀୟ ଲେଖକ ଇଗ୍‌ନେସିୟସ୍ (୧୧୦ ଖ୍ରୀ.ପୂ.), ଜଷ୍ଟିନ୍ ମାର୍ଟିର୍ (୧୫୦ ଖ୍ରୀ.ପୂ.) ଓ ଟର୍ଟୁଲିଆନ୍ (୨୦୦ ଖ୍ରୀ.ପୂ.) ମଧ୍ୟ ଯୀଶୁଙ୍କ ଚାବୁକ ମାଡ଼ ଓ ବର୍ଚ୍ଛା ଭୁଶାକୁ ସ୍ଵୀକାର କରିଛନ୍ତି ।

ପୁଣି ପୁରାତତ୍ତ୍ୱ ଓ ରୋମୀୟ ଅଭ୍ୟାସର ଐତିହାସିକ ପ୍ରମାଣ ମଧ୍ୟ ଅଛି । ରୋମୀୟ କ୍ରୁଶଦଣ୍ଡରେ ଆଗରୁ ଭୟଙ୍କର ଚାବୁକ ମାଡ଼ (flagellum) ଏକ ମାନ୍ୟତାପ୍ରାପ୍ତ ନିୟମ ଥିଲା । ପ୍ରଥମ ଶତାବ୍ଦୀର ଈହୁଦୀ ଇତିହାସକାର ଯୋସେଫସ୍ ଅନେକ ଥର ଲେଖିଛନ୍ତି ଯେ କ୍ରୁଶ ପୂର୍ଵରୁ ଲୋକମାନଙ୍କୁ ଏତେ ଚାବୁକ ମାରାଯାଉଥିଲା ଯେ ସେମାନଙ୍କର ହାଡ଼ ପିଞ୍ଜରା ବାହାରି ଆସୁଥିଲା । ଚାବୁକରେ ଧାରୁଆ ଲୁହା ଓ ହାଡ଼ ଥାଏ ଯାହା ମାଂସ ଛିଣ୍ଡାଇ ଦିଏ । ୧୯୬୮ରେ ଜେରୁଜେଲମରେ ମିଳିଥିଵା ଯେହୋହାନାନ୍ ନାମକ ଜଣେ କ୍ରୁଶଵିଦ୍ଧ ଵ୍ୟକ୍ତିର ହାଡ଼ରେ ସମାନ ଚାବୁକ ଚିହ୍ନ ମିଳିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୌତିକ ପ୍ରମାଣ ରୂପେ ତୁରିନ୍ କଫନ (Shroud of Turin) ବି ଅଛି । ଏହି ୪.୪ ମିଟର ଲମ୍ବା କପଡ଼ାରେ ଏକ ପୁରୁଷର ସମ୍ପୂର୍ଣ୍ଣ ଶରୀରର ନେଗେଟିଭ୍ ଛବି ଅଛି ଯାହାର ପିଠି ଓ ଵକ୍ଷରେ ୧୨୦ରୁ ଅଧିକ ଡମ୍ବେଲ୍ ଆକୃତିର (dumb-bell shaped) ଚାବୁକ ଆଘାତର ଚିହ୍ନ ଅତ୍ୟନ୍ତ ସ୍ପଷ୍ଟ ଦେଖାଯାଏ । ଏହି ଚିହ୍ନଗୁଡ଼ିକ ରୋମୀୟ ଫ୍ଲାଜେଲମ୍ (flagellum)ର ତିନିଟି ଧାରୁଆ ବଲ୍ ସହ ପୂରା ମେଳ ଖାଏ । ପାର୍ଶ୍ୱରେ ଏକ ବଡ଼ ରକ୍ତସ୍ରାଵ ଚିହ୍ନ ଅଛି ଯାହା ରୋମୀୟ ବର୍ଚ୍ଛା (lancea)ର ଆକୃତି ସହ ମିଶେ । ଏହି କଫୀନର ପୋଲେନ୍ (pollen) ପରୀକ୍ଷାରେ ଜେରୁଜେଲମର ବସନ୍ତ କାଳର ଫୁଲର ପରାଗ ମିଳିଛି । ୧୯୮୮ର କାର୍ବନ୍ ଡେଟିଙ୍ଗ୍‌ରୁ ଏହା ମଧ୍ୟଯୁଗୀୟ ବୋଲା ଧରାଗଲା କିନ୍ତୁ ୨୦୧୦ ପରେ ନୂଆ ଅଧ୍ୟୟନ (୨୦୧୮ X-ray dating by Liberato De Caro, Italian National Research Council)ରେ ଏହା ୧ମ ଶତାବ୍ଦୀର ବୋଲି ପ୍ରମାଣିତ ହୋଇଛି । ଵିଶ୍ୱର ଅନେକ ଵୈଜ୍ଞାନିକ ଏହାକୁ ପ୍ରାଚୀନ ରୋମୀୟ କ୍ରୁଶଦଣ୍ଡର ଶିକାର ଵ୍ୟକ୍ତିର କଫୀନ ବୋଲି ମାନୁଛନ୍ତି ।

୧୯୮୬ରେ Journal of the American Medical Associationରେ ପ୍ରକାଶିତ ପ୍ରସିଦ୍ଧ ଗଵେଷଣା (Dr. Robert Bucklin, Dr. Frederick Zugibe ଆଦି) କହୁଛି ଯେ ରକ୍ତ ଓ ଜଳ (blood and clear fluid) ବାହାରିଵା କେଵଳ ମୃତ୍ୟୁ ପରେ ହୋଇପାରେ ଯେତେବେଳେ ହୃତ୍ପିଣ୍ଡ ଫାଟି ପେରିକାର୍ଡିୟାଲ୍ ଫ୍ଲୁଇଡ୍ ଓ ପ୍ଲୁରାଲ୍ ଫ୍ଲୁଇଡ୍ ଜମା ହୋଇଥାଏ । ଜୀଵିତ ଅଵସ୍ଥାରେ ଏହା ଅସମ୍ଭଵ ।

ତେଣୁ ଯୀଶୁଙ୍କ ଶରୀର ନମିଳିଵା ସତ୍ତ୍ୱେ ଚାବୁକ ମାଡ଼ ଓ ବର୍ଚ୍ଛା ଭୁଶାର ପ୍ରମାଣ ଅତ୍ୟନ୍ତ ବହୁମୁଖୀ ଏଵଂ ପରସ୍ପର ସହ ମେଳ ଖାଉଛି ।‌ ପ୍ରାଚୀନ ଲେଖ୍ୟ, ରୋମୀୟ ଅଭ୍ୟାସ, ପୁରାତତ୍ତ୍ୱ ଚିହ୍ନ, ତୁରିନ୍ କଫନର ଭୌତିକ ଛବି ଓ ଆଧୁନିକ ଚିକିତ୍ସା ଵିଜ୍ଞାନ ସବୁ ଏକ ଗୋଟିଏ କହୁଛନ୍ତି । ଏହା ଵିଶ୍ୱର ପ୍ରାୟ ସମସ୍ତ ନିରପେକ୍ଷ ଐତିହାସିକ ଓ ଵୈଜ୍ଞାନିକମାନଙ୍କ ଦ୍ୱାରା ସ୍ୱୀକୃତ ।

ତହୁଁ ଦାବି କରାଯାଏ, “ଯୀଶୁଙ୍କ ପ୍ରତି ସହାନୁଭୂତି ରଖିଥିଵା ଜଣେ ଧନୀକ ଵ୍ୟକ୍ତି ଓ ପୋଣ୍ଟିୟସ ପାଇଲଟ୍ ଉଭୟେ ଷଡ଼ଯନ୍ତ୍ର ରଚିଥିଲେ ଯେ ଯୀଶୁଙ୍କୁ ଶୁକ୍ରଵାର ଦିନ ଯେତେଦୂର ସମ୍ଭଵ ଡେରିରେ ଯେପରି କ୍ରୁଶଵିଦ୍ଧ କରି ଶୂଳିରେ ଚଢ଼ାଯିଵ କାରଣ ଶନିଵାର ଦିନ, ଇହୁଦୀ ସବୁ ବନ୍ଦ କରିଦେଇ ଥାନ୍ତି; ସେମାନଙ୍କ ସବ୍ତର ଦିନରେ ସେମାନଙ୍କୁ କୌଣସି ପ୍ରକାର କୃତ୍ୟର ଅନୁମତି ନଥିଲା ।ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସବୁ ଶେଷ କରାଯାଉଥିଲା ।” 

ତେବେ ଏହି କଥାଟି କୌଣସି ପ୍ରାଚୀନ ଉତ୍ସରେ ନାହିଁ । ଚାରୋଟି ସୁସମାଚାର ଓ ଯୋସେଫସ୍, ଟାସିଟସ୍, ପ୍ଲିନି ଆଦି ରୋମୀୟ-ଇହୁଦୀ ଲେଖକମାନେ ଯୀଶୁଙ୍କ ମୃତ୍ୟୁକୁ ସ୍ୱୀକାର କରିଛନ୍ତି । କ୍ରୁଶ ପରେ ବର୍ଚ୍ଛା ଭୁଶି ରୋମୀୟ ସୈନିକମାନେ ନିଶ୍ଚିତ ହେଵା ପାଇଁ କରୁଥିଲେ ଏଵଂ ସେମାନଙ୍କୁ ଭୁଲ୍ ହେଲେ ମୃତ୍ୟୁଦଣ୍ଡ ମିଳୁଥିଲା । ତେଣୁ ଏହା ଗୋଟିଏ ସୁନ୍ଦର କଳ୍ପନା କାହାଣୀ ଛଡ଼ା ଆଉ କିଛି ନୁହେଁ । 

ସେଇଠୁ କାଶ୍ମୀରରେ “ରୌଜାବଲ୍” ନାମକ ସମାଧିକୁ ଯୀଶୁଙ୍କର ବୋଲି ଯେଉଁ ଦାବି କରାଯାଏ ତାହାର କୌଣସି ପୁରାତତ୍ତ୍ୱ ପ୍ରମାଣ ନାହିଁ । ୧୯୭୦ ଦଶକରେ ଜର୍ମାନ ଗଵେଷକ ପ୍ରଫେସର ଫିଦା ହାସ୍‌ନାଇନ୍ ଏହି କଥା ପ୍ରଚାର କରିଥିଲେ କିନ୍ତୁ ପରେ ନିଜେ ସ୍ୱୀକାର କରିଥିଲେ ଯେ ଏହା କେଵଳ ଲୋକକଥା ଓ ପର୍ଯ୍ୟଟକ ଆକର୍ଷଣ ପାଇଁ ପ୍ରଚାରିତ ହୋଇଥିଲା। ସେହି ସମାଧିରେ ଥିଵା ଦୁଇଟି କବର ମଧ୍ୟରୁ ଗୋଟିଏ ୧୫ଶ ଶତାବ୍ଦୀର ମୁସଲମାନ ସାଧୁ “ୟୁଜ୍ ଅସଫ୍”ଙ୍କର ଏବଂ ଅନ୍ୟଟି ତାଙ୍କ ଶିଷ୍ୟ ସୈୟଦ ନସୀରୁଦ୍ଦୀନ‌ଙ୍କର ଅଟେ । ଡିଏନ୍‌ଏ ପରୀକ୍ଷା ଵା କାର୍ବନ୍ ଡେଟିଙ୍ଗ୍ କେବେ ହୋଇନାହିଁ କାରଣ ସ୍ଥାନୀୟ ମୁସଲମାନ ସମ୍ପ୍ରଦାୟ ଏଥିପାଇଁ ଅନୁମତି ଦିଅନ୍ତି ନାହିଁ ।
ଦାବି କରାଯାଏ ଯେ ନିକୋଲାସ୍ ନୋଟୋଵିଚ୍ ନାମକ ଜଣେ ରୁଷିଆନ୍ ସାମ୍ବାଦିକ ତଥା ଅନୁସନ୍ଧାନକାରୀ ୧୮୮୭ ମସିହାରେ ଭାରତ ଓ ତିବ୍ବତ ଗସ୍ତ କରିଥିଲେ ଏଵଂ ୧୮୯୪ ମସିହାରେ ସେ ତାଙ୍କର ବହି “The Unknown Life of Jesus Christ” (ଯୀଶୁଖ୍ରୀଷ୍ଟଙ୍କ ଅଜଣା ଜୀବନ) ପ୍ରକାଶ କରିଥିଲେ। ଏହି ବହିରେ ନୋଟୋଵିଚ୍ ଦାବି କରିଛନ୍ତି ଯେ ଲଦାଖର ହେମିସ୍ ଗୁମ୍ଫାରେ (Hemis Monastery) ସେ ଦୁଇଟି ପ୍ରାଚୀନ ତିବ୍ବତୀ ପାଣ୍ଡୁଲିପି ଦେଖିଥିଲେ, ଯେଉଁଥିରେ ଲେଖା ଅଛି “ଈଶା” ଵା ଯୀଶୁଖ୍ରୀଷ୍ଟ ବାଇବେଲରେ ଉଲ୍ଲେଖ ନଥିଵା ତାଙ୍କର ୧୨ରୁ ୩୦ ଵର୍ଷ ବୟସ ମଧ୍ୟରେ ଭାରତ ଓ ତିବ୍ବତ ଆସି ହିନ୍ଦୁ ଓ ବୌଦ୍ଧ ଧର୍ମ ଶିଖିଥିଲେ। ନୋଟୋଵିଚ୍ କହିଥିଲେ ଯେ ଗୁମ୍ଫାର ପ୍ରଧାନ ଲାମା ତାଙ୍କୁ ସେହି ପାଣ୍ଡୁଲିପି ଦେଖାଇ ତା’ର ଫରାସୀ ଅନୁଵାଦ ଶୁଣାଇଥିଲେ।

ଏଠାରେ ଜାଣି ରଖିଵା ଉଚିତ ଯେ ନୋଟୋଭିଚ୍ କେବଳ ଯୁଵାଵସ୍ଥାର ଯୀଶୁଙ୍କ ଭାରତ ଆଗମନ ଵିଷୟରେ ହିଁ ଲେଖିଥିଲେ । ବହିରେ ଯାହା କୁହାଯାଇଛି ତାହାର ସଂକ୍ଷିପ୍ତ ସାର ଏଇଆ ଯେ ଯୀଶୁ ୧୩ ଵର୍ଷ ଵୟସରେ ଘର ଛାଡ଼ି ଵ୍ୟଵସାୟୀଙ୍କ ସହ ଭାରତ ଆସିଥିଲେ । ସିନ୍ଧୁ ନଦୀ ଅଞ୍ଚଳ, ପଞ୍ଜାବ, ରାଜପୁତାନା ଓ ହିମାଳୟ ଅଞ୍ଚଳରେ ବହୁ ଵର୍ଷ ରହି ହିନ୍ଦୁ ଓ ବୌଦ୍ଧ ଗୁରୁଙ୍କ ପାଖରେ ଧର୍ମ ଶିଖିଥିଲେ । ତାଙ୍କୁ ସେଠାରେ “ଈଶା” ବା “ସନ୍ଥ ଈଶା” ନାମରେ ଡକାଯାଉଥିଲା । ୨୯ ବର୍ଷ ବୟସରେ ପୁଣି ପାଲେଷ୍ଟାଇନ୍ ଫେରିଯାଇଥିଲେ ।‌ କ୍ରୁଶଵିଦ୍ଧରୁ ନ ମରି ବଞ୍ଚି ଯାଇ ପୁଣି ଭାରତ ଆସି କାଶ୍ମୀରରେ ୧୨୦ ଵର୍ଷ ବଞ୍ଚିଵା କଥାଟି ନୋଟୋଭିଚ୍ କେବେ ଲେଖି ନ ଥିଲେ। ଏହି ଦ୍ୱିତୀୟ ଅଂଶଟି ପରଵର୍ତ୍ତୀ କାଳରେ ଆନ୍ଦ୍ରିଆସ୍ ଫାବର୍-କାଇଜର୍ (୧୯୫୦ ଦଶକ),ହୋଲଗର କର୍ସ୍ଟେନ୍ (୧୯୬୦ ଦଶକ),
ଫିଦା ହାସନାଇନ୍ (୧୯୭୦-୮୦ ଦଶକ), ଏଲିଜାବେଥ୍ କ୍ଲେର୍ ପ୍ରଫେଟ୍‌ଟ୍ ଓ ଓଶୋ ଆଦି ଲେଖକ ଓ ଚିନ୍ତାଵିଦମାନେ ଯୋଡ଼ିଛନ୍ତି । 

ଅଵଶ୍ୟ ନୋଟୋଵିଚ୍‌ଙ୍କ ଦାବି ପ୍ରକାଶ ହେଵା ସମୟରେ ପାଶ୍ଚାତ୍ୟ ଵିଦ୍ୱାନମାନେ ଏହାକୁ ଅତ୍ୟନ୍ତ ସନ୍ଦେହରେ ଦେଖିଥିଲେ। ଵିଶେଷ କରି ଅକ୍ସଫୋର୍ଡ ଵିଶ୍ୱଵିଦ୍ୟାଳୟର ପ୍ରସିଦ୍ଧ ପ୍ରାଚ୍ୟଵିଦ୍ ତଥା ସଂସ୍କୃତ ଵିଶାରଦ ମାକ୍ସ ମୁଲର୍ (Max Müller) ଏହାକୁ ସମ୍ପୂର୍ଣ୍ଣ ଜାଲିଆତି ବୋଲି ଘୋଷଣା କରିଥିଲେ ଏଵଂ ସେ ନିଜେ ହେମିସ୍ ଗୁମ୍ଫା ସହ ଚିଠି ଲେଖାଲେଖି କରି ଖୋଜଖବର ନେଇଥିଲେ।

୧୯୨୦ ଦଶକରେ ଅନେକ ପାଶ୍ଚାତ୍ୟ ଗଵେଷକ ଓ ଯାତ୍ରୀ ନିଜେ ଲଦାଖ ଯାଇ ହେମିସ୍ ଗୁମ୍ଫାରେ ସେହି ପାଣ୍ଡୁଲିପି ଖୋଜିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ବ୍ରିଟିଶ୍ ଅନୁସନ୍ଧାନକାରୀ ଜର୍ଜ ରୋରିଚ୍, ଆମେରିକାନ୍ ଧର୍ମପ୍ରଚାରକ ଡାକ୍ତାର ଏଲମର୍ ଏଲିଜାବେଥ୍ ହାର୍ଵି, ସ୍ୱାମୀ ଅଭେଦାନନ୍ଦ (ଵିଵେକାନନ୍ଦଙ୍କ ଶିଷ୍ୟ) ଆଦି। ସେମାନେ ସମସ୍ତେ ଗୁମ୍ଫାର ପୁସ୍ତକାଳୟ ଓ ଭଣ୍ଡାର ଖୋଲାଖୋଲି କରି ଦେଖିଵା ସହ ପ୍ରଧାନ ଲାମାଙ୍କ ସହ କଥା ହୋଇଥିଲେ।

ହେମିସ୍ ଗୁମ୍ଫାର ତତ୍କାଳୀନ ପ୍ରଧାନ ଲାମା ନିଜେ ଲିଖିତ ଭାବେ ଓ ମୌଖିକ ଭାବେ ବାରମ୍ବାର ଘୋଷଣା କରିଥିଲେ ଯେ ସେଠାରେ ଏପରି କୌଣସି ପାଣ୍ଡୁଲିପି କେବେ ହେଲେ ନାହିଁ କି ନଥିଲା ଏଵଂ ନିକୋଲାସ୍ ନୋଟୋଵିଚ୍ ନାମରେ କେହି ବି କେବେ ସେ ଗୁମ୍ଫାକୁ ଆସି ନଥିଲେ। ଏହି ବୟାନ ଅନେକ ପାଶ୍ଚାତ୍ୟ ଗଵେଷକଙ୍କ ରିପୋର୍ଟରେ ଲିପିବଦ୍ଧ ହୋଇଛି ଏଵଂ ଆଜି ପର୍ଯ୍ୟନ୍ତ ହେମିସ୍ ଗୁମ୍ଫାର ଅଫିସିଆଲ୍ ଅଵସ୍ଥାନ ଏହି ଯେ ଏହା ଏକ ସମ୍ପୂର୍ଣ୍ଣ ଜାଲିଆତି।

ପରବର୍ତ୍ତୀ କାଳରେ ଅନେକ ବିଦ୍ୱାନ ଯେପରି ଏଡଗାର୍ ଗୁଡ଼ସ୍ପିଡ୍ (ଆମେରିକା), ଡଗଲାସ୍ ଟି. ମ୍ୟାକଗେଟିଗାନ୍ (କାନାଡା), ରବର୍ଟ ଏଚ୍. ଷ୍ଟାଇନ୍ ଆଦି ବି ଏହାକୁ ନୋଟୋଵିଚ୍‌ଙ୍କ ନିଜେ ରଚିତ କାଳ୍ପନିକ କାହାଣୀ ବୋଲି ପ୍ରମାଣିତ କରିଛନ୍ତି। ଆଜି ବି ଵିଶ୍ୱର ପ୍ରାୟ ସବୁ ପ୍ରସିଦ୍ଧ ଵିଶ୍ୱଵିଦ୍ୟାଳୟ ଓ ଗଵେଷଣା ସଂସ୍ଥା ଏହି ପୁସ୍ତକକୁ ଏକ ଐତିହାସିକ ଜାଲିଆତି (historical forgery) ରୂପେ ଗ୍ରହଣ କରନ୍ତି।

 ନୋଟୋଵିଚ୍ ଯାହା କହିଥିଲେ ତା’ର କୌଣସି ପ୍ରମାଣ ଆଜିଯାଏ ମିଳିନାହିଁ ଏଵଂ ହେମିସ୍ ଗୁମ୍ଫା ନିଜେ ଓ ଅନେକ ସ୍ୱାଧୀନ ଗଵେଷକ ଏହାକୁ ପୁରାପୁରି ଅସ୍ୱୀକାର କରିଛନ୍ତି। ତେଣୁ ଏହାକୁ ଆଜି ଐତିହାସିକ ଭାବେ ଏକ ଵିଶ୍ୱପ୍ରସିଦ୍ଧ ଜାଲିଆତି ରୂପେ ଗ୍ରହଣ କରାଯାଏ। 
 
ପ୍ରାଚୀନ ଭାରତ ଵା କାଶ୍ମୀରର କୌଣସି ସାହିତ୍ୟ, ଶିଲାଲିପି, ବୌଦ୍ଧ ବା ହିନ୍ଦୁ ଗ୍ରନ୍ଥରେ ଯୀଶୁ ଵା “ଈଶା” ଵିଷୟରେ କିଛି ବି ଉଲ୍ଲେଖ ନାହିଁ । ଯଦି ଯୀଶୁଙ୍କ ଭଳି ଜଣେ ଵିଶିଷ୍ଟ ଵ୍ୟକ୍ତି ୮୦-୧୦୦ ଵର୍ଷ ଧରି କାଶ୍ମୀରରେ ରହି ଧର୍ମ ପ୍ରଚାର କରୁଥାଆନ୍ତେ ତେବେ ରାଜତରଙ୍ଗିଣୀ ଭଳି କାଶ୍ମୀରର ଐତିହାସିକ ଗ୍ରନ୍ଥରେ ଅଵଶ୍ୟ ଏହାର ଉଲ୍ଲେଖ ରହିଥାଆନ୍ତା ।

ଶେଷରେ ଏତିକି କୁହାଯାଇପାରେ ଯେ ଓଶୋ ଏହି କଥା କହିଥିଲେ ମଧ୍ୟ ଏହା ଐତିହାସିକ ନୁହେଁ ଵରଂ ଏକ ଆଧ୍ୟାତ୍ମିକ କଳ୍ପନା ଓ ପରଵର୍ତ୍ତୀ କାଳର ଜାଲିଆତି ଉପରେ ଆଧାରିତ । ଵିଶ୍ୱର ପ୍ରାୟ ସମସ୍ତ ନିରପେକ୍ଷ ପୁରାତତ୍ତ୍ୱ ଓ ଚିକିତ୍ସା ଵିଜ୍ଞାନୀମାନେ ଯୀଶୁଙ୍କ କ୍ରୁଶ ମୃତ୍ୟୁକୁ ସ୍ୱୀକାର କରନ୍ତି ଏଵଂ ଭାରତ ଆଗମନ ତଥା କାଶ୍ମୀର ସମାଧି କଥାକୁ ପୌରାଣିକ କିମ୍ବା ପର୍ଯ୍ୟଟନ ଵ୍ୟଵସାୟ ସହ ଜଡ଼ିତ ମିଥକ ମାନନ୍ତି । ତେଣୁ ଏହି ଦାବିର କୌଣସି ଵିଶ୍ୱସନୀୟ ଐତିହାସିକ ଵା ବୈଜ୍ଞାନିକ ପ୍ରମାଣ ନାହିଁ ।


ଓଡ଼ିଆ ଜାଗରଣର ପଥପ୍ରଦର୍ଶକ ପଣ୍ଡିତ ନୀଳମଣି ଵିଦ୍ୟାରତ୍ନ

ନୀଳମଣି ଵିଦ୍ୟାରତ୍ନ ଓଡ଼ିଶାର ଜଣେ ଅମର ସନ୍ତାନ ଭାଵେ ଚିରସ୍ମରଣୀୟ ହୋଇ ରହିଛନ୍ତି ଯାହାଙ୍କର ଜୀଵନ ଓ କର୍ମ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଏଵଂ ଓଡ଼ିଶାର ରାଜନୈତିକ ...