ତେବେ ସର୍ଵଭାରତୀୟ ସ୍ତରରେ ଗୋଆର ସ୍ୱାଧୀନତା ସଂଗ୍ରାମକୁ ସେତେ ମହତ୍ତ୍ଵ ଦିଆଯାଇନାହିଁ। ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଵିଦ୍ୟାଳୟରେ ଗୋଆ ସ୍ଵାଧୀନତା ସଂଗ୍ରାମ ଵିଷୟରେ ପଢ଼ାଯାଉନଥିଲା କି ଗଣମାଧ୍ୟମରେ ଏ ସମ୍ବନ୍ଧରେ ସେତେ ଚର୍ଚ୍ଚା ବି ହେଉନଥିଲା । ଗୋଆ, ଡମନ ଓ ଡିଉର ଭାରତରେ ଵିଲୟ ପଛରେ ଅନେକ ଲୋକଙ୍କର ଭୂମିକା ରହିଥିଲା, ଯାହା ବିଷୟରେ ଲୋକମାନଙ୍କୁ ସମ୍ଭବତଃ ଜଣା ନାହିଁ। 1946 ମସିହାର ଗ୍ରୀଷ୍ମରେ ଡକ୍ଟର ରାମ ମନୋହର ଲୋହିଆ ଗୋଆରେ ସ୍ୱାଧୀନତାର ଜ୍ୟୋତି ପ୍ରଜ୍ଜ୍ୱଳିତ କରିଥିଲେ। ଡାକ୍ତର ଲୋହିଆ ତାଙ୍କ ବନ୍ଧୁ ଡାକ୍ତର ଜୁଲିଆଓ ମେନେଜେସଙ୍କ ନିମନ୍ତ୍ରଣରେ ଗୋଆ ଯାଇଥିଲେ। ଲୋହିଆ ଗୋଆର ଅସୋଲନାରେ ଡାକ୍ତର ମେନେଜେସଙ୍କ ଘରେ ରହିଥିଲେ ତହୁଁ ଜାଣିଵଖକୁ ପାଇଥିଲେ ଯେ ପର୍ତ୍ତୁଗୀଜମାନେ କୌଣସି ପ୍ରକାରର ସାର୍ଵଜନିକ ସଭା ଉପରେ କଟକଣା ଲଗାଇ ରଖିଥିଲେ। ଓମ ପ୍ରକାଶ ଦୀପକ ଓ ଅରଵିନ୍ଦ ମୋହନଙ୍କ ପୁସ୍ତକ "ଲୋହିଆ ଏକ ଜୀଵନୀ"ରେ ଗୋଆରେ ଲୋହିଆଙ୍କ ସଂଗ୍ରାମ ଵିଷୟରେ ଏହା ଉଲ୍ଲେଖ କରାଯାଇଛି। ତାଙ୍କର ଉଦ୍ଦେଶ୍ୟ ଥିଲା ଅସୁସ୍ଥ ଶରୀରକୁ ଆରାମ ଦେଵା, କିନ୍ତୁ ଗୋଆ ଯାଇ ସେ ଦେଖିଲେ ପର୍ତ୍ତୁଗୀଜ ଶାସନ ବ୍ରିଟିଶଙ୍କଠାରୁ ମଧ୍ୟ ଅଧିକ ନିର୍ଦ୍ଦୟ। ଲୋକମାନଙ୍କର କୌଣସି ନାଗରିକ ଅଧିକାର ନଥିଲା। ଡାକ୍ତର ଲୋହିଆ ୨୦୦ ଲୋକଙ୍କୁ ଏକତ୍ର କରି ଏକ ଵୈଠକ କଲେ ଏଵଂ ଉକ୍ତ ଵୈଠକରେ ନାଗରିକ ଅଧିକାର ପାଇଁ ଆନ୍ଦୋଳନ ଆରମ୍ଭ କରିଵାକୁ ନିଷ୍ପତ୍ତି ହେଲା। ୧୯୪୬ ମସିହା ଜୁନ୍ ୧୮ ତାରିଖରେ ଅସୁସ୍ଥ ରାମ ମନୋହର ଲୋହିଆ ପର୍ତ୍ତୁଗୀଜ ପ୍ରତିବନ୍ଧକୁ ପ୍ରଥମ ଥର ପାଇଁ ଆହ୍ଵାନ କଲେ।
ପ୍ରଵଳ ବର୍ଷା ସତ୍ତ୍ୱେ ଜୟପ୍ରକାଶ ନାରାୟଣ ପ୍ରଥମ ଥର ପାଇଁ ଏକ ଜନସଭାକୁ ସମ୍ବୋଧିତ କରି ପର୍ତ୍ତୁଗୀଜ ଦମନ ଵିରୋଧରେ ସ୍ଵର ଉତ୍ତୋଳନ କରିଥିଲେ। ତାଙ୍କୁ ଗିରଫ କରାଯାଇ ମଡଗାଓଁ ଜେଲରେ ରଖାଗଲା। ମହାତ୍ମା ଗାନ୍ଧୀ ତାଙ୍କ ପତ୍ରିକା "ହରିଜନ"ରେ ପ୍ରବନ୍ଧ ଲେଖି ପର୍ତ୍ତୁଗୀଜ ସରକାରଙ୍କ ଦମନକୁ କଡ଼ା ସମାଲୋଚନା କରିଵା ସହ ଲୋହିଆଙ୍କ ଗିରଫଦାରୀ ଉପରେ କଠୋର ଟିପ୍ପଣୀ କରିଥିଲେ।
ଏହାପରେ ପର୍ତ୍ତୁଗୀଜମାନେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଦେଖି ଲୋହିଆଙ୍କୁ ଗୋଆ ସୀମା ବାହାରେ ଛାଡ଼ି ଦେଇଥିଲେ। ମୁକ୍ତ ହେଲାପରେ ଲୋହିଆଙ୍କ ଗୋଆ ପ୍ରଵେଶ ଉପରେ ୫ ଵର୍ଷ ପାଇଁ ପ୍ରତିବନ୍ଧ ଲଗାଯାଇଥିଲା, କିନ୍ତୁ ସେ ତାଙ୍କ କାମ ସମ୍ପୂର୍ଣ୍ଣ କରି ସାରିଥିଲେ।ପର୍ତ୍ତୁଗୀଜ ଦମନ ଯୋଗୁଁ ଅସନ୍ତୁଷ୍ଟ ଗୋଆର ହିନ୍ଦୁ ଓ କ୍ୟାଥଲିକମାନେ ଭାରତୀୟ ସ୍ୱାଧୀନତା ସଂଗ୍ରାମରୁ ପ୍ରେରଣା ନେଇ ନିଜକୁ ସଙ୍ଗଠିତ କରିଵା ଆରମ୍ଭ କଲେ। ଗୋଆରୁ ପର୍ତ୍ତୁଗୀଜମାନଙ୍କୁ ହଟାଇଵା କାମରେ ଏକ କ୍ରାନ୍ତିକାରୀ ଦଳ ସକ୍ରିୟ ଥିଲା, ଯାହାର ନାମ ଥିଲା "ଆଜାଦ୍ ଗୋମାନ୍ତକ ଦଳ"। ଵିଶ୍ୱନାଥ ଲାୱାଣ୍ଡେ, ନାରାୟଣ ହରି ନାୟକ, ଦତ୍ତାତ୍ରେୟ ଦେଶପାଣ୍ଡେ ଓ ପ୍ରଭାକର ସୀନାରୀ ଏହାର ପ୍ରତିଷ୍ଠା କରିଥିଲେ। ଏମାନଙ୍କ ମଧ୍ୟରୁ ଅନେକଙ୍କୁ ପର୍ତ୍ତୁଗୀଜମାନେ ଗିରଫ କରି ଦୀର୍ଘ ଦଣ୍ଡାଦେଶ ଦେଇଥିଲେ ଏଵଂ କେତେକଙ୍କୁ ଆଫ୍ରିକୀୟ ଦେଶ ଆଙ୍ଗୋଲାର ଜେଲରେ ରଖାଯାଇଥିଲା। ଵିଶ୍ୱନାଥ ଲାୱାଣ୍ଡେ ଓ ପ୍ରଭାକର ସୀନାରୀ ଜେଲରୁ ପଳାଇଵାରେ ସଫଳ ହୋଇଥିଲେ ଏଵଂ ଦୀର୍ଘ ସମୟ ଧରି କ୍ରାନ୍ତିକାରୀ ଆନ୍ଦୋଳନ ଚଳାଇଥିଲେ। ୧୯୫୪ ମସିହାରେ ଲୋହିଆଙ୍କ ପ୍ରେରଣାରୁ "ଗୋଆ ଵିମୋଚନ ସହାୟକ ସମିତି" ଗଠିତ ହୋଇଥିଲା ଏଵଂ ଏ ସମିତି ସତ୍ୟାଗ୍ରହ ଓ ପର୍ତ୍ତୁଗୀଜ୍ ଆଇନ ଅମାନ୍ୟ ଆଧାରରେ ଆନ୍ଦୋଳନ ଚଳାଇଥିଲା। ମହାରାଷ୍ଟ୍ର ଓ ଗୁଜରାଟରେ ଆଚାର୍ଯ୍ୟ ନରେନ୍ଦ୍ର ଦେଵଙ୍କ "ପ୍ରଜା ସୋସିଆଲିଷ୍ଟ ପାର୍ଟି"ର ସଦସ୍ୟମାନେ ମଧ୍ୟ ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। "ଲୋହିଆ ଏକ ଜୀଵନୀ" ଅନୁସାରେ, ଗୋଆ ଛାଡ଼ିବା ପୂର୍ବରୁ ଡାକ୍ତର ସାହେବ ଆହ୍ୱାନ ଦେଇଥିଲେ ଯେ ଗୋଆର ଲୋକମାନେ ନିଜର ସଂଗ୍ରାମ ଜାରି ରଖନ୍ତୁ।
ଲୋହିଆ ତିନି ମାସ ପରେ ଗୋଆ ଫେରିଵାର ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ୧୯୪୬ ମସିହା ଡିସେମ୍ବର ସୁଦ୍ଧା ଭାରତର ଅନ୍ୟ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସା ବଢ଼ିଗଲା ଫଳତଃ ଲୋହିଆ ଆଉ ଗୋଆ ଯାଇ ପାରି ନଥିଲେ କାରଣ ସେ ଗାନ୍ଧୀଙ୍କ ସହ ମିଶି ସାମ୍ପ୍ରଦାୟିକ ହିଂସାର ଜ୍ୱାଳା ଶାନ୍ତ କରିଵାରେ ବ୍ୟସ୍ତ ଥିଲେ। ପୁସ୍ତକ ଅନୁସାରେ, ଲୋହିଆ ନିଜର ପ୍ରତିଶ୍ରୁତିକୁ ଭୁଲି ନଥିଲେ। ସେ ପୁନର୍ଵାର ଗୋଆ ଗଲେ, କିନ୍ତୁ ରେଳ ଷ୍ଟେସନରେ ହିଁ ତାଙ୍କୁ ଗିରଫ କରାଗଲା। ଏହି ଥର ମଧ୍ୟ ଗାନ୍ଧୀ, ଲୋହିଆଙ୍କ ଗିରଫଦାରୀ ଵିପକ୍ଷରେ ଟିପ୍ପଣୀ କରିଥିଲେ। ୧୦ ଦିନ ଜେଲରେ ରଖିଵା ପରେ ଲୋହିଆଙ୍କୁ ପୁନର୍ଵାର ଗୋଆ ସୀମା ବାହାରେ ଛାଡ଼ି ଦିଆଗଲା। ଗୋଆର ସ୍ୱାଧୀନତା ସଂଗ୍ରାମରେ ଲୋହିଆଙ୍କ ଭୂମିକାକୁ କେଵଳ ଗାନ୍ଧୀଙ୍କ ସମର୍ଥନ ମିଳିଥିଲା। କଂଗ୍ରେସ ପାର୍ଟିର ବଡ଼ ନେତା ନେହେରୁ ଓ ପଟେଲଙ୍କର ଧ୍ୟାନ ଗୋଆ ଆଡ଼େ ନଥିଲା। ସେମାନେ ମନେ କରୁଥିଲେ ଯେ ଏହା ଇଂରେଜମାନଙ୍କ ଵିରୋଧରେ ଚାଲିଥିଵା ମୁଖ୍ୟ ଲଢ଼େଇରୁ ଧ୍ୟାନ ଭଙ୍ଗ କରିଵ ।ଏହି ସମୟରେ ଲୋହିଆ ଗୋଆ ସହ ଲାଗିଥିଵା ଅନେକ ଜିଲ୍ଲାର ପରିଦର୍ଶନ ଆରମ୍ଭ କଲେ। ସେ ଗୋଆର ସ୍ୱାଧୀନତା ଭାଵନା ରଖିଥିବା ଲୋକମାନଙ୍କୁ ସଙ୍ଗଠିତ କରିଵାର କାମ ଆରମ୍ଭ କଲେ। ଲୋହିଆ ମୁମ୍ବାଇରେ ରହୁଥିଵା ଗୋଆର ଲୋକମାନଙ୍କୁ ଏକତ୍ର କରି ଆନ୍ଦୋଳନର ପ୍ରସ୍ତୁତିରେ ଲାଗି ପଡ଼ିଲେ। "ଲୋହିଆ ଏକ ଜୀଵନୀ" ଅନୁସାରେ, ଗୋଆଵାସୀମାନେ ଚାହୁଁଥିଲେ ଯେ ଲୋହିଆ ହିଁ ସେମାନଙ୍କ ନେତୃତ୍ୱ ନିଅନ୍ତୁ, କିନ୍ତୁ ଗାନ୍ଧୀଜୀଙ୍କ ମତ ଥିଲା ଯେ ଗୋମାନ୍ତକର ଲୋକମାନେ ନିଜର ଲଢ଼େଇ ନିଜେ ଲଢ଼ିଵା ଉଚିତ। ଏହାପରେ ଗାନ୍ଧୀ ଲୋହିଆଙ୍କୁ ନିଜ ପାଖକୁ ଡାକି ନେଇଥିଲେ। "ଲୋହିଆ ଏକ ଜୀଵନୀ"ରେ ଲେଖାଯାଇଛି ଯେ ୧୯୪୭ ମସିହା ଫେବୃଆରୀରେ ନେହେରୁ କହିଥିଲେ ଗୋଆର ପ୍ରଶ୍ନ ଗୁରୁତ୍ୱହୀନ ଏଵଂ ଗୋଆର ଲୋକମାନେ ଭାରତ ସହ ଆସିବାକୁ ଚାହାଁନ୍ତି କି ନାହିଁ ବୋଲି ସେ ସନ୍ଦେହ ପ୍ରକାଶ କରିଥିଲେ । ଏହାପରେ ଗୋଆର ସ୍ୱାଧୀନତା ଆନ୍ଦୋଳନ ମଉଳିଵାକୁ ଲାଗିଲା, କିନ୍ତୁ ଗୋଆର ଲୋକମାନଙ୍କର ମନ ବଦଳି ଯାଇଥିଲା। ସେମାନଙ୍କର ସ୍ୱାଧୀନ ଆତ୍ମାର ପ୍ରତୀକ ହୋଇ ଉଠିଥିଲେ ଡାକ୍ତର ରାମ ମନୋହର ଲୋହିଆ।ମୁଖ୍ତାର ଅନୀସ ତାଙ୍କ ପୁସ୍ତକ "ସମାଜବାଦ କେ ଶିଲ୍ପୀ"ର ୧୪୨ ନମ୍ବର ପୃଷ୍ଠାରେ ଲେଖିଛନ୍ତି ଯେ, ସେତେବେଳେ ଭାରତରେ କଂଗ୍ରେସ ଓ ମୁସଲିମ ଲୀଗର ଅସ୍ଥାୟୀ ସରକାର ଥିଲା। ସେହି ସରକାରର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏକ ବୟାନରେ କହିଥିଲେ ଯେ, "ଗୋଆର ପ୍ରାଧାନ୍ୟ ଭାରତର ଗାଲରେ ଏକ ଛୋଟ ଵ୍ରଣ ପରି, ଯାହାକୁ ଇଂରେଜମାନେ ଚାଲିଗଲେ ପରେ ସହଜରେ ହଟାଇ ଦିଆଯାଇ ପାରିଵ।" ମୁଖ୍ତାର ଅନୀସ ଲେଖିଛନ୍ତି ଯେ, ସରକାରରେ ଥିଵା ପଟେଲ ମଧ୍ୟ ସ୍ପଷ୍ଟ କହିଥିଲେ ଯେ ଗୋଆ ସହ ଅସ୍ଥାୟୀ ସରକାରର କୌଣସି ସମ୍ପର୍କ ନାହିଁ। କିନ୍ତୁ ଲୋହିଆଙ୍କୁ ଗାନ୍ଧୀଜୀଙ୍କ ଆଶୀର୍ବାଦ ମିଳିଥିଲା। ଵିଭାଜନ ଓ ଭୟଙ୍କର ସାମ୍ପ୍ରଦାୟିକ ହିଂସା ପରେ ଭାରତ ସ୍ୱାଧୀନତା ପାଇଥିଲା, କିନ୍ତୁ ଗୋଆ ପର୍ତ୍ତୁଗାଲର ଅଧିକାରରେ ରହିଥିଲା। ଏପରିକି ୧୯୫୪ ମସିହାରେ ଫରାସୀମାନେ ପାଣ୍ଡିଚେରୀ ଛାଡ଼ି ଚାଲିଗଲେ, କିନ୍ତୁ ଗୋଆ ସ୍ୱାଧୀନ ହୋଇ ପାରିନଥିଲା। ଭାରତ ସରକାର ୧୯୫୫ ମସିହାରେ ଗୋଆ ଉପରେ ଅର୍ଥନୈତିକ ପ୍ରତିବନ୍ଧ ଲଗାଇଥିଲେ। ଏହି ପ୍ରତିବନ୍ଧର ଜବାବରେ ପର୍ତ୍ତୁଗାଲ ସରକାର ଗୋଆକୁ ନେଦରଲ୍ୟାଣ୍ଡରୁ ଆଳୁ, ପର୍ତ୍ତୁଗାଲରୁ ମଦ, ପାକିସ୍ତାନରୁ ଚାଉଳ ଓ ପନିପରିବା ଓ ଶ୍ରୀଲଙ୍କାରୁ ଅନ୍ୟାନ୍ୟ ଦରଵ ଆମଦାନୀ କରିଥିଲା।"ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଉତ୍ତେଜନା ବଢ଼ିଚାଲିଥିଲା। ଡାକ୍ତର ଲୋହିଆଙ୍କ ଅନେକ ଯୁଵ ସମାଜବାଦୀ ଶିଷ୍ୟ ଗୋଆର ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ। ଏମାନଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନାମ ଥିଲା ମଧୁ ଲିମୟେ(ମଧୁକର ରାମଚନ୍ଦ୍ର ଲିମୟେ), ଯିଏ ୧୯୫୫ରୁ ୧୯୫୭ ମଧ୍ୟରେ ଗୋଆର ସ୍ୱାଧୀନତା ପାଇଁ ୨ ଵର୍ଷ ପର୍ତ୍ତୁଗୀଜ ଜେଲରେ କାଟିଥିଲେ ଏବଂ ସେଠାରେ ତାଙ୍କୁ ଅନେକ କଷ୍ଟ ସହିଵାକୁ ପଡ଼ିଥିଲା।
ସେହି ଦିନଗୁଡ଼ିକରେ ଗୋଆର ଜେଲଗୁଡ଼ିକ ସତ୍ୟାଗ୍ରହୀଙ୍କଦ୍ୱାରା ପୂର୍ଣ୍ଣ ହୋଇଯାଇଥିଲା ଏଵଂ ଅନ୍ତର୍ଜାତୀୟ ମାନଵାଧିକାର ଆୟୋଗ ଏହି ଆନ୍ଦୋଳନକାରୀଙ୍କ ମୁକ୍ତି ପାଇଁ ପୋପଙ୍କଠାରୁ ହସ୍ତକ୍ଷେପ କରିବାକୁ ଅପିଲ କରିଥିଲା । ଗୋଆ ୧୯୬୧ ମସିହା ଡିସେମ୍ବର ୧୯ ତାରିଖରେ କିପରି ସ୍ୱାଧୀନତା ପାଇଲା, ତାହାର କାହାଣୀ ବହୁତ ରୋଚକ। ଏକଦା ଗୋଆକୁ ଵ୍ରଣ କହି ସହଜରେ ତହିଁର ସମାଧାନ ହୋଇପାରେ ବୋଲି ଟିପ୍ପଣୀ କରିଥିଵା ନେହେରୁ ଶେଷରେ ଗୋଆ ସମସ୍ୟାର ସମାଧାନ ଉଣ୍ଡିଵାକୁ ଯାଇ ଅନେକ ଧନ୍ଦି ହୋଇଥିଲେ ।
ପର୍ତ୍ତୁଗାଲ ଗୋଆକୁ ସହଜରେ ଛାଡ଼ିବା ମନସ୍ଥିତିରେ ନଥିଲା। ପର୍ତ୍ତୁଗାଲ ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ (ନାଟୋ)ର ସଦସ୍ୟ ଥିଲା ଏଵଂ ନେହେରୁ କୌଣସି ସାମରିକ ସଂଘର୍ଷ ଚାହୁଁନଥିଲେ। ୧୯୬୧ ମସିହା ନଭେମ୍ବର ମାସରେ ପର୍ତ୍ତୁଗୀଜ ସୈନିକମାନେ ଗୋଆର ମତ୍ସ୍ୟଜୀଵୀଙ୍କ ଉପରେ ଗୁଳି ଚଳାଇଥିଲେ ଫଳତଃ ଜଣେ ଵ୍ୟକ୍ତିର ମୃତ୍ୟୁ ହୋଇଥିଲା। ଏହାପରେ ପରିସ୍ଥିତି ବଦଳିଗଲା।
ସେତେବେଳକୁ ପର୍ତ୍ତୁଗାଲ ଦ୍ଵାରା ଗୋଆ ଛାଡ଼ିଵାର ସମସ୍ତ ପ୍ରୟାସ ଵିଫଳ ହୋଇଯାଇଥିଲା ଏଵଂ ନେହେରୁ ମଧ୍ୟ ନିରାଶ ହୋଇଥିଲେ। ଗୋଆରେ ମତ୍ସ୍ୟଜୀଵୀମାନଙ୍କ ଉପରେ ଗୁଳିଚାଳନା ପରେ ଭାରତର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ କେ.ଵି. କ୍ରିଷ୍ଣ ମେନନ ଓ ନେହେରୁ ଏକ ଜରୁରୀ ଵୈଠକ ଡାକିଥିଲେ। ଵୈଠକ ପରେ ନେହରୁ ସେନା ପଠାଇ ଗୋଆକୁ ଭାରତରେ ମିଶ୍ରଣ କରିଵାର ଯୋଜନାକୁ ସ୍ୱୀକୃତି ଦେଇଥିଲେ। ଭାରତ ୩୦,୦୦୦ ସୈନିକଙ୍କୁ "ଅପରେସନ୍ ଵିଜୟ" ଅଧୀନରେ ଗୋଆ ପଠାଇଵାର ନିଷ୍ପତ୍ତି ନେଇଥିଲା।
ନିକଟରେ ପ୍ରକାଶିତ ପୁସ୍ତକ “ଗୋଆ, ୧୯୬୧: ଦି କମ୍ପ୍ଲିଟ ଷ୍ଟୋରୀ ଅଫ ନ୍ୟାସନାଲିଜମ ଆଣ୍ଡ ଇଣ୍ଟିଗ୍ରେସନ”ର ଲେଖକ ବାଲ୍ମିକୀ ଫାଲେରୋ ଲେଖିଛନ୍ତି ଯେ ୧୯୬୧ ଡିସେମ୍ବର ୨ ତାରିଖରୁ ଭାରତୀୟ ସେନାର ଯୁଦ୍ଧ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା। ୫୦ ପାରାସୁଟ ବ୍ରିଗେଡକୁ ଆଗ୍ରା, ହାଇଦ୍ରାବାଦ ଓ ମଦ୍ରାସରୁ ବେଲଗାଓଁ ଆଣାଯାଇଥିଲା। ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଭାରତରେ ୧୦୦ରୁ ଅଧିକ ଟ୍ରେନର ରାସ୍ତା ବଦଳାଇ ବ୍ରିଗେଡର ସୈନିକମାନଙ୍କୁ ବେଲଗାଓଁ ପହଞ୍ଚାଇ ଦିଆଯାଇଥିଲା। ଯାତ୍ରୀ ଟ୍ରେନ୍ ଵ୍ୟତୀତ ଅନେକ ମାଲଗାଡ଼ିର ଵ୍ୟଵହାର ମଧ୍ୟ ବେଲଗାଓଁ ପର୍ଯ୍ୟନ୍ତ ସୈନିକ ସାମଗ୍ରୀ ପହଞ୍ଚାଇଵାରେ କରାଯାଇଥିଲା।
୧୯୬୧ ଡିସେମ୍ବରରେ ଭାରତରେ ଆମେରିକୀୟ ରାଜଦୂତ ଜନ କେନେଥ ଗାଲବ୍ରେଥ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଅନେକଵାର ଭେଟି ଗୋଆରେ ସୈନ୍ୟ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧିତ ତାଙ୍କ ନିଷ୍ପତ୍ତି ବଦଳାଇଵାକୁ ଚାପ ପକାଇଥିଲେ। ଫଳସ୍ୱରୂପ, ଗୋଆରେ ସୈନ୍ୟ କାର୍ଯ୍ୟାନୁଷ୍ଠାନର ପୂର୍ଵ ନିର୍ଦ୍ଧାରିତ ଦିନାଙ୍କ ୧୪ ଡିସେମ୍ବରକୁ ୧୬ ଡିସେମ୍ବରକୁ ବଢ଼ାଇ ଦିଆଗଲା। ପର୍ତ୍ତୁଗୀଜମାନେ ଶେଷ ମୁହୂର୍ତ୍ତରେ ଆମେରିକୀୟ କୂଟନୀତି ସଫଳ ହେଵ ବୋଲି ଏତେ ଆଶ୍ୱସ୍ତ ଥିଲେ ଯେ ୧୬ ଡିସେମ୍ବର ରାତିରେ ପର୍ତ୍ତୁଗୀଜ ଗଵର୍ନର ଜେନେରାଲ ଏଵଂ ସେନାର ସର୍ଵାଧିନାୟକ ସେମାନଙ୍କ ଜଣେ ବନ୍ଧୁର ଝିଅର ବାହାଘର ଭୋଜିରେ ଯୋଗ ଦେଇଥିଲେ।
୧୭ ଡିସେମ୍ବରରେ ଆମେରିକୀୟ ରାଜଦୂତ ନେହରୁଙ୍କୁ ଭେଟି ପ୍ରସ୍ତାଵ ଦେଇଥିଲେ ଯେ ଭାରତ ଗୋଆ ଵିରୁଦ୍ଧରେ ସୈନ୍ୟ କାର୍ଯ୍ୟାନୁଷ୍ଠାନକୁ ୬ ମାସ ପାଇଁ ସ୍ଥଗିତ ରଖୁ। ସେହି ଵୈଠକରେ ଉପସ୍ଥିତ କୃଷ୍ଣ ମେନନ ନେହରୁ ଓ ପ୍ରଫେସର ଗାଲବ୍ରେଥଙ୍କୁ କହିଥିଲେ ,ଏବେ ଏହା ଆଉ ସମ୍ଭଵ ନୁହେଁ । ଭାରତୀୟ ସେନା ୧୭-୧୮ ଡିସେମ୍ବରର ମଧ୍ୟରାତ୍ରିରେ ଗୋଆ ସୀମା ଅତିକ୍ରମ କରିଥିଲା। "ଟାଇମ୍ସ ଅଫ ଇଣ୍ଡିଆ" ତା’ର ୧୯ ଡିସେମ୍ବର ୧୯୬୧ ସଂସ୍କରଣରେ ବ୍ୟାନର ହେଡଲାଇନ ଛାପିଥିଲା: “ଆଓ୍ଵାର ଟ୍ରୁପ୍ସ ଏଣ୍ଟର ଗୋଆ: ଡମନ ଏଣ୍ଡ ଡିଉ ଆଟ ଲାଷ୍ଟ”। ଭାରତୀୟ ସେନାକୁ ଗୋଆରେ ପ୍ରଵେଶ କରିଵାକୁ ନଗଣ୍ୟ ପ୍ରତିରୋଧର ସମ୍ମୁଖୀନ ହେଵାକୁ ପଡ଼ିଥିଲା।
ଗୋଆ ଅଧିକାର କରିଵାର ଦାୟିତ୍ୱ ମେଜର ଜେନେରାଲ କାଣ୍ଡେଟଙ୍କ ନେତୃତ୍ୱରେ ୧୭ ଇନଫାଣ୍ଟ୍ରି ଡିଭିଜନକୁ ଦିଆଯାଇଥିଲା। ରାମଚନ୍ଦ୍ର ଗୁହା ତାଙ୍କ ପୁସ୍ତକ "ଇଣ୍ଡିଆ ଆଫଟର ଗାନ୍ଧୀ"ରେ ଲେଖିଛନ୍ତି ଯେ ୧୮ ଡିସେମ୍ବର ସକାଳେ ଭାରତୀୟ ସୈନିକମାନେ ଉତ୍ତରରୁ ସାଵନ୍ତଵାଡ଼ି, ଦକ୍ଷିଣରୁ କାରୱାର ଓ ପୂର୍ଵରୁ ବେଲଗାଓଁରୁ ଗୋଆରେ ପ୍ରଵେଶ କରିଥିଲେ। ଏହି ସମୟରେ ଭାରତୀୟ ଵିମାନଗୁଡ଼ିକ ଗୋଆରେ ପ୍ରଚାର ପ୍ରତିକା ପକାଇ ଗୋଆଵାସୀଙ୍କୁ ଶାନ୍ତ ଓ ସାହସୀ ରହିଵାକୁ ସଂଦେଶ ଦେଇଥିଲେ। ଏହି ପ୍ରଚାର ପତ୍ରିକାରେ ଲେଖାଥିଲା ଯେ (ଗୋଆଵାସୀ)ଆପଣମାନେ ନିଜର ସ୍ୱାଧୀନତା ପାଇଁ ଖୁସି ହୁଅନ୍ତୁ ଓ ତାକୁ ସଶକ୍ତ କରନ୍ତୁ। ୧୮ ଡିସେମ୍ବର ସନ୍ଧ୍ୟା ସୁଦ୍ଧା ରାଜଧାନୀ ପଣଜିକୁ ଚାରିପଟୁ ଘେରି ନିଆଯାଇଥିଲା। ସ୍ଥାନୀୟ ଲୋକମାନେ ଭାରତୀୟ ସୈନିକମାନଙ୍କୁ ସାହାଯ୍ୟ କରୁଥିଲେ ଓ ସେମାନଙ୍କୁ ସେହି ସ୍ଥାନଗୁଡ଼ିକ ଵିଷୟରେ ଜଣାଇ ଦେଉଥିଲେ ଯେଉଁଠାରେ ପର୍ତ୍ତୁଗୀଜମାନେ ବାରୁଦ ସୁଡ଼ଙ୍ଗ ପୋତି ରଖିଥିଲେ।
ଅନ୍ୟପଟେ ପର୍ତ୍ତୁଗାଲର ରାଜଧାନୀ ଲିସବନରେ ସେନ୍ସର ଅଧୀନରେ କାମ କରୁଥିଵା ପ୍ରେସ ସେଠାକାର ଲୋକମାନଙ୍କୁ ଗୋଆରେ ପର୍ତ୍ତୁଗୀଜ ସୈନିକମାନଙ୍କର କଡ଼ା ପ୍ରତିରୋଧ ଓ ଭାରତୀୟ ସୈନିକମାନଙ୍କ ସହ ହାତରେ ଲଢ଼ିଵାର ଖବର ଦେଉଥିଲା। ମିଛ ଖବର ମଧ୍ୟ ଛପାଯାଉଥିଲା ଯେ ପର୍ତ୍ତୁଗୀଜ ସୈନିକମାନେ ଭାରତୀୟ ସୈନିକମାନଙ୍କୁ ବନ୍ଦୀ କରିଛନ୍ତି। କିନ୍ତୁ କେମିତି ଗୋଆରେ ପର୍ତ୍ତୁଗାଲର ବହୁତ କମ୍ ସୈନିକ ଉପସ୍ଥିତ ଥିଲେ ଓ ସେମାନଙ୍କ ପାଖରେ ଲଢ଼ିଵାର ଅଭିଜ୍ଞତା ନଥିଲା କି ଏପରି ଅପରେସନ ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ନଥିଲା ଇତ୍ୟାଦି ସତ୍ୟ ପର୍ତ୍ତୁଗାଲର ଲୋକମାନଙ୍କୁ କୁହାଯାଇ ନଥିଲା । ଏମନ୍ତକି ଗୋଆରେ ସାଙ୍କେତିକ ଵିରୋଧ କରିଵା ହେତୁକ ମଧ୍ୟ ପର୍ତ୍ତୁଗୀଜ୍ମାନଙ୍କ ପାଖରେ ପର୍ଯ୍ୟାପ୍ତ ସାଧନ ନଥିଲା।
ଯେତେବେଳେ ପର୍ତ୍ତୁଗାଲ ଏହି ସମସ୍ୟାକୁ ସୁରକ୍ଷା ପରିଷଦରେ ଉଠାଇଥିଲା, ସେହି ଦିନ ପର୍ଯ୍ୟନ୍ତ ମଧ୍ୟ ପର୍ତ୍ତୁଗୀଜ୍ ପ୍ରେସ ବଢ଼ାଇ ଚଢ଼ାଇ ଦାବି କରୁଥିଲା ଯେ ଭାରତର ୧୫୦୦ ସୈନିକ ମରିଯାଇଛନ୍ତି। ୧୮ ଡିସେମ୍ବର ଦିନ ସାରା ଗୋଆ ରେଡ଼ିଓ ଯୁଦ୍ଧ ସଙ୍ଗୀତ ବଜାଇଥିଲା, କିନ୍ତୁ ଭାରତୀୟ ସୈନିକମାନଙ୍କ ଗୋଆରେ ପ୍ରଵେଶ ଵିଷୟରେ କୌଣସି ଖବର ଦେଇ ନଥିଲା। ଯେତେବେଳେ ଭାରତୀୟ ଵିମାନଗୁଡ଼ିକ ଡାବୋଲିମ ଵିମାନବନ୍ଦର ଉପରେ ବୋମା ମାଡ଼ ଆରମ୍ଭ କଲେ, ସ୍କୁଲ ଯାଇଥିଵା ପିଲାମାନଙ୍କୁସଘରକୁ ଫେରିଯିଵାକୁ କୁହାଗଲା ।
୧୮ ଡିସେମ୍ବର ସକାଳ ୭ଟାରେ ସ୍କ୍ୱାଡ୍ରନ ଲିଡର ଜୟଵନ୍ତ ସିଂଙ୍କ ନେତୃତ୍ୱରେ ୬ଟି ହଣ୍ଟର ବିମାନ ପୁଣେର ବାୟୁସେନା ଆଡ୍ଡାରୁ ଉଡ଼ାଣ ଭରିଥିଲେ। ସେମାନେ ବାମ୍ବୋଲେରେ ଥିବା ରେଡ଼ିଓ ଷ୍ଟେସନ ଉପରେ ରକେଟ ଓ ଗନ୍ କ୍ୟାନନ୍ ଦ୍ୱାରା ଆକ୍ରମଣ କରି ୧୦ ମିନିଟରେ ତାକୁ ଧ୍ୱଂସ କରି ଦେଇଥିଲେ। ଗୋଆର ବାହାର ଦୁନିଆ ସହ ସମ୍ପର୍କ ଛିନ୍ନ ହୋଇଗଲା। ଗୋଆ ରେଡ଼ିଓର ସେହି ପ୍ରସିଦ୍ଧ ଘୋଷଣା “ଏହା ପର୍ତ୍ତୁଗାଲ, ଆପଣ ଶୁଣୁଛନ୍ତି ରେଡ଼ିଓ ଗୋଆ” ସବୁଦିନ ପାଇଁ ବନ୍ଦ ହୋଇଗଲା।
ସେହି ସମୟରେ ପୁଣେରୁ ୧୨ଟି କାନବେରା ଓ ୪ଟି ହଣ୍ଟର ବିମାନ ଗୋଆ ଅଭିମୁଖେ ଉଡ଼ାଣ ଭରିଥିଲେ। ଭାରତୀୟ ଵିମାନ ଦ୍ଵାରା ଗୋଆର ଡାବୋଲିମ ରନୱେ ଉପରେ ୧୦୦୦ ପାଉଣ୍ଡର ୬୩ଟି ବୋମା ପକାଇ ଦିଆଯାଇଥିଲାସ। ବାଲ୍ମିକୀ ଫାଲେରୋ ଲେଖିଛନ୍ତି ଯେ ପ୍ରଥମ ରାଉଣ୍ଡରେ ୬୩,୦୦୦ ପାଉଣ୍ଡ ବୋମା ପକାଇଵା ସତ୍ତ୍ୱେ ଭାରତୀୟ ଵାୟୁସେନା ଶାନ୍ତ ହୋଇ ବସି ନଥିଲା। ପ୍ରାୟ ଅଧଘଣ୍ଟା ପରେ ଭାରତୀୟ ଵାୟୁସେନା ପୁନର୍ଵାର ଆକ୍ରମଣ କରିଥିଲା ଓ ଏଥର ମୋଟ ୪୮,୦୦୦ ପାଉଣ୍ଡ ବୋମା ନିକ୍ଷେପ କରାଯାଇଥିଲା । ଏହାର ଅଧଘଣ୍ଟା ପରେ ଫ୍ଲାଇଟ ଲେଫ୍ଟନାଣ୍ଟ ବିବିଆନ ଗୁଡ଼ୱିନଙ୍କୁ ଡାବୋଲିମ ଵିମାନଘାଟିରେ ବୋମାମାଡ଼ରୁ ହୋଇଥିଵା କ୍ଷୟକ୍ଷତିର ଫଟୋ ଉଠାଇଵାକୁ ପଠାଯାଇଥିଲା। ଫଟୋଗୁଡ଼ିକରୁ ଜଣାପଡ଼ିଥିଲା ଯେ ଵିମାନ ପଟିକୁ ଵିଶେଷ କ୍ଷତି ହୋଇ ନଥିଲା। ଏହାପରେ ସକାଳ ୧୧ଟା ୪୦ ମିନିଟରେ ଡାବୋଲିମ ଉପରେ ତୃତୀୟ ଆକ୍ରମଣ କରାଗଲା। ଭାରତୀୟ ବାୟୁସେନାର ତୀଵ୍ର ବୋମାମାଡ଼ ଯୋଗୁଁ ଡାବୋଲିମ ଵିମାନପଟିରେ କିଛି ଗର୍ତ୍ତ ହୋଇଯାଇଥିଲା।
ଗୋଆରେ ଉପସ୍ଥିତ ପର୍ତ୍ତୁଗୀଜ୍ ଅଧିକାରୀମାନେ ନିଜର ପତ୍ନୀ ଓ ପିଲାମାନଙ୍କୁ ଵିମାନ ଯୋଗେ ପର୍ତ୍ତୁଗାଲ ପଠାଇଵାକୁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ଡାବୋଲିମରେ ମାତ୍ର ଦୁଇଟି ଵିମାନ ଉପଲବ୍ଧ ଥିଲା। ଅନ୍ଧାର ହେଵା ସଙ୍ଗେ ସଙ୍ଗେ ଡାବୋଲିମ ଵିମାନପଟିରେ ସୃଷ୍ଟି ହୋଇଥିଵା ଗର୍ତ୍ତଗୁଡ଼ିକର ତୁରନ୍ତ ମରାମତି କରାଗଲା। ଭାରତୀୟ ସେନାଦ୍ଵାରା ଚାରିପଟୁ ଘେରାଯାଇଥିଵା ସତ୍ତ୍ୱେ ଗଵର୍ନର ଜେନେରାଲ ସିଲଵା ଏହି ଵିମାନଗୁଡ଼ିକୁ ଉଡ଼ିଵାର ଅନୁମତି ଦେଇଥିଲେ। ବାଲ୍ମିକୀ ଫାଲେରୋ ଲେଖିଛନ୍ତି, ଦୁଇଟି ଵିମାନରେ ପର୍ତ୍ତୁଗୀଜ୍ ଅଧିକାରୀମାନଙ୍କ ପତ୍ନୀ ଓ ପିଲାମାନଙ୍କୁ ଭର୍ତ୍ତି କରାଯାଇଥିଲା ଏଵଂ ଆବଶ୍ୟକୀୟ ସରକାରୀ ଦଲିଲ ମଧ୍ୟ ରଖାଯାଇଥିଲା। ଏହି ଵିମାନଗୁଡ଼ିକ ଗାଢ଼ ଅନ୍ଧାରରେ ଭୀଷଣ ସମ୍ଭାଵିତ ଵିପତ୍ତି ଭୟ ମଧ୍ୟରେ ମାତ୍ର ୬୦୦ ମିଟର ଲମ୍ବର ରନୱେରୁ ବିନା ଆଲୋକରେ ଟେକ୍ଅଫ କରିଥିଲା। ସମୁଦ୍ରରେ ତୁରନ୍ତ ଭାରତୀୟ ଯୁଦ୍ଧପୋତମାନେ ଏହି ଵିମାନଗୁଡ଼ିକ ଉପରେ ଗୁଳି ଚଳାଇଥିଲେ, କିନ୍ତୁ ସେଗୁଡ଼ିକ ଖସି ପଳାଇଵାରେ ସଫଳ ହୋଇଥିଲେ। ଭାରତୀୟ ଵିମାନଗୁଡ଼ିକୁ ଧୋକା ଦେଵା ପାଇଁ ଏହି ଵିମାନଗୁଡ଼ିକ ଉତ୍ତର ଦିଗକୁ ନ ଉଡ଼ାଇ ପଶ୍ଚିମ ଦିଗକୁ ଉଡ଼ାଯାଇଥିଲା ଏଵଂ ବହୁତ ତଳେ ଉଡ଼ି ଲମ୍ବା ରାସ୍ତା ଅତିକ୍ରମ କରି ପାକିସ୍ତାନର କରାଚୀ ଵିମାନ ବନ୍ଦରରେ ଅଵତରଣ କରାଯାଇଥିଲା ।
ଏହି ସମୟରେ ଗୋଆର ଗଭର୍ନର ଜେନେରାଲ ମେଜର ଜେନେରାଲ ବସାଲୋ ସିଲଭା "ବାସ୍କୋ ଡା ଗାମା"ରେ ପହଞ୍ଚିଥିଲେ। ସେଠାରେ ସର୍ଵପ୍ରଥମେ ମେଜର ବିଲ କାରଭାଲୋଙ୍କ ନେତୃତ୍ୱରେ ୪ ସିଖ ସୈନିକ ପହଞ୍ଚିଥିଲେ। ମେଜର ବିଲ କାରଭାଲୋ, କ୍ୟାପଟେନ ଆରେସ ବାଲି ଏଵଂ ବ୍ରିଗେଡିୟର ରଵି ମେହେତା ଆଲପାଲ କିରୋଜ ହିଲର ଗେଟରେ ପହଞ୍ଚିଥିଲେ । ସେଠାରେ ଜେନେରାଲ ସିଲଭା ଉପସ୍ଥିତ ଥିଲେ। ସେମାନେ ସେହି ମେସ୍ରେ ପହଞ୍ଚିଲେ ଯେଉଁଠାରେ ଜେନେରାଲ ସିଲଭା ବସିଥିଲେ। ସେତେବେଳକୁ ତାଙ୍କୁ ଜଣାପଡ଼ିଗଲାଣି ଯେ ଭାରତୀୟ ସେନା ତାଙ୍କୁ ଚାରିଆଡ଼ୁ ଘେରି ଦେଇଛି ଏଵଂ ତାଙ୍କ ପାଖରେ ପ୍ରତିରୋଧ କରିଵାର କୌଣସି ଵିକଳ୍ପ ନାହିଁ। ବିଲ, ଗଵର୍ନରଙ୍କୁ ସାଲ୍ୟୁଟ କରିଥିଲେ, ଗଵର୍ନର ଉଠି ସେହି ସାଲ୍ୟୁଟର ଜବାବ ଦେଇଥିଲେ।
୪ ସିଖର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ ଓ କର୍ଣ୍ଣେଲ ନନ୍ଦା ଔପଚାରିକ ଆତ୍ମସମର୍ପଣ ସମାରୋହ ରାତିରେ ହେଵାର ନିଷ୍ପତ୍ତି ନେଇଥିଲେ । ଏହି ଆତ୍ମସମର୍ପଣ ସମାରୋହରେ ୬୨ ବ୍ରିଗେଡର କମାଣ୍ଡରଙ୍କ ସାମ୍ନାରେ ଜେନେରାଲ ସିଲଭା ଅସ୍ତ୍ର ସମର୍ପଣ କରିଥିଲେ ଏଵଂ ଏହା ୧୯ ଡିସେମ୍ବର ୧୯୬୧ ରାତି ୯ଟା ୧୫ ମିନିଟରେ ହୋଇଥିଲା। ସେତେବେଳେ ସେଠାରେ ବହୁତ କମ୍ ଲୋକ ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଡକ୍ଟର ସୁରେଶ କାନେକର, ଯିଏ ଗୋଆର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। ପରେ ସେ ୨୦୧୧ରେ ପ୍ରକାଶିତ ତାଙ୍କ ପୁସ୍ତକ *ଗୋଆ’ସ ଲିବରେସନ ଆଣ୍ଡ ଦେରଆଫ୍ଟର*ରେ ଉକ୍ତ ଆତ୍ମସମର୍ପଣ ସମାରୋହ ଖୋଲା ମଇଦାନରେ ହୋଇଥିଵା ଉଲ୍ଲେଖ କରିଛନ୍ତି। ବ୍ରିଗେଡିୟର ଢିଲ୍ଲୋନ ଜିପରେ ବସିଥିଲେ। ସେ ସେଠାରେ ଉପସ୍ଥିତ ଗାଡ଼ିଗୁଡ଼ିକୁ ଅର୍ଦ୍ଧଚନ୍ଦ୍ରାକାର ଶୈଳୀରେ ଛିଡ଼ା କରିଥିଲେ। ଗାଡ଼ିଗୁଡ଼ିକର ହେଡ଼ଲାଇଟ ଅନ ଥିଲା ଏଵଂ ସେହି ସ୍ଥାନ ଉପରେ କେନ୍ଦ୍ରିତ ଥିଲା ଯେଉଁଠି ଜେନେରାଲ ସିଲଭା ଆତ୍ମସମର୍ପଣ କରିଵାକୁ ଯାଉଥିଲେ।
ପ୍ରାୟ ୮ଟା ୪୫ ମିନିଟରେ ଜେନେରାଲ ସିଲଭାଙ୍କୁ ସେଠାକୁ ଆଣାଗଲା। ତାଙ୍କ ସାଙ୍ଗରେ ତାଙ୍କ ଚିଫ ଅଫ ଷ୍ଟାଫ ଲେଫ୍ଟନାଣ୍ଟ କର୍ଣ୍ଣେଲ ମାର୍କେସ ଡି ଆନ୍ଦ୍ରାଦେ ମଧ୍ୟ ଥିଲେ। ସେମାନଙ୍କୁ ପ୍ରାୟ ଅଧଘଣ୍ଟା ଅପେକ୍ଷା କରାଯାଇଥିଲା। ସେମାନଙ୍କ ଦୁଇପାର୍ଶ୍ୱରେ ଭାରତୀୟ ସୈନିକମାନେ ଧାଡ଼ି ବାନ୍ଧି ଠିଆ ହୋଇଥିଲେ। ଡକ୍ଟର କାନେକର ଆଗେ ଲେଖିଛନ୍ତି,ଯେତେବେଳେ ବ୍ରିଗେଡିୟର ଢିଲ୍ଲୋନଙ୍କୁ ସମସ୍ତ ଵ୍ୟଵସ୍ଥା ସମ୍ପୂର୍ଣ୍ଣ ହୋଇଗଲାଣି ବୋଲି କୁହାଗଲା , ସେତେବେଳେ ସେ ନିଜ ଜିପରୁ ଓହ୍ଲାଇ ଜେନେରାଲ ସିଲଭାଙ୍କ ସାମ୍ନାରେ ଆସି ଠିଆ ହୋଇଗଲେ। ତାପରେ ବ୍ରିଗେଡିୟର ଢିଲ୍ଲୋନଙ୍କୁ ସମ୍ବୋଧିତ କରି ଲେଫ୍ଟନାଣ୍ଟ କର୍ଣ୍ଣେଲ ନନ୍ଦା କହିଥିଲେ - ଗୋଆ, ଡମନ ଓ ଡିଉର ଗଭର୍ନର ଜେନେରାଲ ତାଙ୍କ ସାମ୍ନାରେ ଆତ୍ମସମର୍ପଣ କରୁଛନ୍ତି। ନନ୍ଦାଙ୍କ ଆଦେଶରେ ଜେନେରାଲ ସିଲଭା ଆଗକୁ ବଢ଼ିଥିଲେ। ସେ ଢିଲ୍ଲୋନଙ୍କୁ ସାଲ୍ୟୁଟ କରିଥିଲେ, କିନ୍ତୁ ଢିଲ୍ଲୋନ ସେହି ସାଲ୍ୟୁଟର ଜବାବ ଦେଇ ନଥିଲେ। ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା କାରଣ ସିଲଭା ମେଜର ଜେନେରାଲ ଥିଲେ ଏଵଂ ପଦବୀରେ ଢିଲ୍ଲୋନଙ୍କଠାରୁ ଉଚ୍ଚ ଥିଲେ।
ଏହି ପୂରା ସମାରୋହ ସମୟରେ ସିଲଭା କି ଢିଲ୍ଲୋନ କେହି ଗୋଟିଏ ଶବ୍ଦ ବି କହି ନଥିଲେ। ଲେଫ୍ଟନାଣ୍ଟ କର୍ଣ୍ଣେଲ ନନ୍ଦା ଏହି ସମାରୋହର ଫଟୋ ଉଠାଇଵା ପାଇଁ ଜଣେ ଫଟୋଗ୍ରାଫରର ଵ୍ୟଵସ୍ଥା କରିଥିଲେ, କିନ୍ତୁ ଫଟୋଗ୍ରାଫରଙ୍କ କ୍ୟାମେରାରେ ଫ୍ଲାସ ନଥିଲା। ନନ୍ଦା ଫଟୋଗ୍ରାଫରଙ୍କୁ ସୂଚନା ଦେଇଥିଲେ ଯେତେବେଳେ ସେ ଈଶାରା କରିବେ ସେତେବେଳେ ତାଙ୍କୁ ଫଟୋ ଉଠାଇଵାକୁ ହେବ, କିନ୍ତୁ ଶେଷ ମୁହୂର୍ତ୍ତରେ ନନ୍ଦା ଇଶାରା ଦେଵାକୁ ଭୁଲିଗଲେ, ତେଣୁ ଫଟୋଗ୍ରାଫର ଫଟୋ ଉଠାଇ ନଥିଲେ।
କିଛି ଦିନ ପରେ ଦକ୍ଷିଣ କମାଣ୍ଡର ପ୍ରମୁଖ ଜେନେରାଲ ଜେ.ଏନ. ଚୌଧୁରୀ ଜେନେରାଲ ବସାଲୋ ସିଲଭାଙ୍କୁ ତାଙ୍କ ଜେଲ କୋଠରିରେ ଭେଟିଵାକୁ ଗଲେ। ଜେନେରାଲ ଚୌଧୁରୀ ବସାଲୋଙ୍କୁ ଆଶ୍ୱାସନା ଦେଇଥିଲେ ଯେ ତାଙ୍କ ପତ୍ନୀ ଫର୍ନାଣ୍ଡା ପେରେରା ମଣ୍ଟେରୋ ସୁରକ୍ଷିତ ଅଛନ୍ତି ଏଵଂ ଭାରତ ସରକାର ଶୀଘ୍ର ତାଙ୍କୁ ଲିସବନ ପଠାଇବେ। ଜେନେରାଲ ଚୌଧୁରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ବସାଲୋଙ୍କ ପତ୍ନୀ ଫର୍ନାଣ୍ଡା ସିଲଭାଙ୍କ ସହ ଭଲ ବ୍ୟବହାର କରାଗଲା ନାହିଁ। ବାଲ୍ମିକୀ ଫାଲେରୋ ଲେଖିଛନ୍ତି ଯେ ତାଙ୍କୁ ଜବରଦସ୍ତି ତାଙ୍କ ଡୋନାପାଉଲାସ୍ଥିତ ସରକାରୀ ନିଵାସରୁ ବାହାର କରାଗଲା। ତାଙ୍କୁ ପଣଜିର ରାସ୍ତାରେ ଏଣେ ତେଣେ ବୁଲୁଥିଵାର ଦେଖାଗଲା। ପୂର୍ଵତନ ମୁଖ୍ୟ ସଚିବ ଆବେଲ କୁଲାସୋ ତାଙ୍କୁ ନିଜ ସରକାରୀ ଘରେ ଆଶ୍ରୟ ଦେଇଥିଲେ। ଯେତେବେଳେ ଏହି ଘଟଣା ସଂସଦରେ ଉଠିଲା, ନେହରୁ କୁଲାସୋଙ୍କ ପ୍ରଶଂସା କରି କହିଥିଲେ ଯେ ସେ ଜଣେ ଭଦ୍ରଲୋକ ଭଳି ଵିପଦରେ ପଡ଼ିଥିଵା ଜଣେ ମହିଳାଙ୍କ ସହ ଉଚିତ ଵ୍ୟଵହାର କରିଛନ୍ତି।
୧୯୬୧ ଡିସେମ୍ବର ୨୯ରେ ଫର୍ନାଣ୍ଡା ସିଲଭାଙ୍କୁ ଭାରତୀୟ ଵାୟୁସେନାର ଏକ ଵିମାନରେ ମୁମ୍ବାଇ ନିଆଗଲା, ଯେଉଁଠାରୁ ସେ ଲିସବନ ଅଭିମୁଖେ ଉଡ଼ାଣ ଭରିଥିଲେ। ତାଙ୍କ ସ୍ୱାମୀ ଜେନେରାଲ ସିଲଭା ୫ ମାସ ପରେ ନିଜ ଦେଶକୁ ଯାଇପାରିଥିଲେ। "ଅପରେସନ ଵିଜୟ"ରେ ଭାରତର ୨୨ ଜଣ ସୈନିକ ଶହିଦ ହୋଇଥିଲେ ଏଵଂ ୫୪ ଜଣ ଆହତ ହୋଇଥିଲେ। ଅର୍ଜୁନ ସୁବ୍ରମଣ୍ୟମ ତାଙ୍କ ପୁସ୍ତକ *ଇଣ୍ଡିଆ’ସ ଓ୍ୱାର୍ସ ୧୯୪୭-୧୯୭୧*ରେ ଲେଖିଛନ୍ତି ଯେ ଏହି ଯୁଦ୍ଧରେ ପର୍ତ୍ତୁଗୀଜ୍ ସେନାର ୩୦ ସୈନିକ ମୃତ୍ୟୁଵରଣ କରିଥିଲେ ଏବଂ ୫୭ ଜଣ ଆହତ ହୋଇଥିଲେ। ଏହାଛଡ଼ା ପ୍ରାୟ ୩୩୦୬ ପର୍ତ୍ତୁଗୀଜ୍ ସୈନିକଙ୍କୁ ଭାରତୀୟ ସେନା ଯୁଦ୍ଧବନ୍ଦୀ କରିଥିଲା।
ଯେତେବେଳେ ପର୍ତ୍ତୁଗୀଜ। ସୈନିକମାନେ ୧୯୬୨ ମେ’ରେ ନିଜ ଦେଶକୁ ଫେରିଥିଲେ, ସେମାନଙ୍କ ସହ ତାଙ୍କ ଦେଶରେ ଭଲ ଵ୍ୟଵହାର କରାଗଲା ନାହିଁ। ବାଲ୍ମିକୀ ଫାଲେରୋ ଲେଖିଛନ୍ତି - ଲିସବନରେ ପହଞ୍ଚିଵା ମାତ୍ରେ ପର୍ତ୍ତୁଗୀଜ୍ ଯୁଦ୍ଧବନ୍ଦୀମାନଙ୍କୁ ସାଧାରଣ ଅପରାଧୀଙ୍କ ଭଳି ବନ୍ଦୁକ ନଳୀ ଆଗରେ ସୈନ୍ୟ ପୋଲିସ ହେପାଜତରେ ନେଇଥିଲେ। ସେମାନଙ୍କ ପରିଵାର ସଦସ୍ୟମାନେ ସେମାନଙ୍କୁ ଭେଟିଵାକୁ ଵିମାନ ବନ୍ଦରକୁ ଆସିଥିଲେ, କିନ୍ତୁ ସେମାନଙ୍କୁ ଭେଟିଵାକୁ ଅନୁମତି ଦିଆଗଲା ନାହିଁ ଏଵଂ ଏକ ଅଜଣା ସ୍ଥାନକୁ ନିଆଗଲା। ସେମାନଙ୍କୁ ଭୀରୁ ଓ ଦେଶଦ୍ରୋହୀ କହି ଅପମାନିତ କରାଗଲା। ଗଭର୍ନର ଜେନେରାଲ ବସାଲୋ ସିଲଭା ପ୍ରାୟ ଏକ ଡଜନ ଅଧିକାରୀଙ୍କୁ ସେନାରୁ ବରଖାସ୍ତ କରାଗଲା। ସେମାନଙ୍କୁ ଆଜୀଵନ କୌଣସି ସରକାରୀ ପଦବୀରେ ରହିବା ଉପରେ ମଧ୍ୟ ପ୍ରତିବନ୍ଧ ଲଗାଇ ଦିଆଗଲା।
ପର୍ତ୍ତୁଗାଲରେ (୧୯୭୪ରେ) ଯେତେବେଳେ ସାଲାଜାରଙ୍କ ଉତ୍ତରାଧିକାରୀ ମାର୍ସେଲୋ କାଇତାନୋଙ୍କୁ ସତ୍ତାରୁ ହଟାଇ ଦିଆଗଲା, ସେତେବେଳେ ଏହି ବରଖାସ୍ତ ହୋଇଥିଵା ଲୋକମାନେ ପନୁର୍ଵାର ସରକାରୀ ସହଯୋଗ ପାଇଲେ ହେ
ଏଵଂ ମେଜର ଜେନେରାଲ ବସାଲୋ ଇ ସିଲଭାଙ୍କୁ ସେନାରେ ତାଙ୍କ ପୂର୍ଵ ପଦଵୀରେ ପୁନଃସ୍ଥାପିତ କରାଗଲା।
ଗୋଆରେ ଅପରେସନ୍ ଵିଜୟର ସଫଳତା ଭାରତର ସାମରିକ ଓ ରାଜନୈତିକ ଆତ୍ମଵିଶ୍ଵାସ ବଢ଼ାଇଥିଲା ।
ଏହାପରେ ଭାରତରେ ପର୍ତ୍ତୁଗୀଜ୍ ଔପନିଵେଶିକ ଶାସନର ଅନ୍ତ ଘଟିଥିଲା, ଜାତୀୟ ଏକତାକୁ ସୁଦୃଢ଼ ହୋଇଥିଲା ଓ ଭାରତର ସାର୍ଵଭୌମତ୍ଵ ପ୍ରତିଷ୍ଠିତ ହୋଇଥିଲା । ଅପରେସନ ଵିଜୟ ଯୋଗୁଁ ୟୁରୋପୀୟ ଦେଶ ଵିଶେଷତଃ ପର୍ତ୍ତୁଗାଲ ସହିତ ଭାରତର ଆନ୍ତର୍ଜାତୀୟ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା କିନ୍ତୁ ଏହା ଭାରତର ଔପନିଵେଶିକଵାଦ ଵିରୋଧୀ ଅଵସ୍ଥାନକୁ ଦୃଢ଼ କରିଥିଲା ଏଵଂ ଗୋଆର ସାଂସ୍କୃତିକ ଏକୀକରଣ ତଥା ସାମରିକ ଶକ୍ତିକୁ ପ୍ରତିଫଳିତ କରିଥିଲା। କେହି କେହି କୁହନ୍ତି ଗୋଆରେ ଅପରେସନ୍ ଵିଜୟର ସଫଳତା ଦେଖି ଚାରିକୀଟ ଅଭିଯାନ ଯୋଗୁଁ ଭୟଙ୍କର ଦୁର୍ଭିକ୍ଷରେ ପଡ଼ିଥିଵା ଚୀନ ଦେଶର ଶାସକମାନଙ୍କ ମନରେ ଭାରତ ପ୍ରତି ଅଵିଶ୍ଵାସ ଭାଵ ଜାତ ହୋଇଥିଲା । ଫଳତଃ ଚୀନ ଦେଶର ଶାସକମାନେ ଭାରତ ଉପରେ ଆକ୍ରମଣ କରି ନିଜ ଦେଶର ଚାରିକୀଟ ଅଭିଯାନର ଅସଫଳତାକୁ ଲୁଚାଇଵାକୁ ଚେଷ୍ଟା କରିଥିଲେ । ନେହେରୁଙ୍କ ଅଦୂରଦର୍ଶୀତା ତଥା ଚୀନ ପ୍ରତି ଅହେତୁକ ଵିଶ୍ଵାସ ଯୋଗୁଁ ଭାରତକୁ ଅନେକ କ୍ଷୟକ୍ଷତି ସହିଵାକୁ ପଡ଼ିଥିଲା । ୧୯୬୫ ପର୍ଯ୍ୟନ୍ତ ମଧ୍ୟପ୍ରାଚ୍ୟରେ ଭାରତୀୟ ମୁଦ୍ରାରେ ହିଁ କାରବାର ହେଉଥିଲା କିନ୍ତୁ ୧୯୬୨ ଭାରତ ଚୀନ ଯୁଦ୍ଧ ତଥା ୧୯୬୫ ଭାରତ ପାକିସ୍ତାନ ଯୁଦ୍ଧ ଯୋଗୁଁ ଭାରତର ଆର୍ଥିକ ଅଵନତି ଘଟିଲା ଫଳରେ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ଘଟିଲା ଓ ଭାରତ ଏକ ମହାଶକ୍ତି ହୋଇପାରିନଥିଲା । କେହି କେହି ସନ୍ଦେହ କରନ୍ତି ପରୋକ୍ଷରେ ଭାରତ ଚୀନ ଯୁଦ୍ଧ ତଥା ଭାରତ ପାକିସ୍ତାନ ଯୁଦ୍ଧ ସଂଗଠିତ କରାଇ ଆମେରିକା(usa) ହିଁ ଭାରତକୁ ମହାଶକ୍ତି ହେଵାକୁ ଦେଇନଥିଲା । ସେ ଯାହାହେଉ
ଅପରେସନ ଵିଜୟ ଓ ଗୋଆ ସ୍ଵାଧୀନତା ସଂଗ୍ରାମରୁ ଅନେକ ପରାଧୀନ ଆଫ୍ରିକୀୟ ଦେଶର ସ୍ଵାଧୀନତା ସଂଗ୍ରାମୀ ପ୍ରଭାଵିତ ଓ ପ୍ରେରିତ ହୋଇଥିଲେ ଏଵଂ ତତ୍ପରେ ପର୍ତ୍ତୁଗୀଜ୍ ଶାସନାଧୀନ ଅନେକ ଆଫ୍ରିକୀୟ ଦେଶ ସ୍ଵାଧୀନ ମଧ୍ୟ ହୋଇଥିଲେ ।