Sunday, November 16, 2025

ମାନଵ ଜାତିର ଉତ୍ପତ୍ତି କେମିତି ହୋଇଥିଲା ?

ମଣିଷଙ୍କ ଉତ୍ପତ୍ତି ଵିଷୟରେ ଵୈଜ୍ଞାନିକ ଚିନ୍ତାଧାରା ପ୍ରାଚୀନ ସମୟରୁ ଆରମ୍ଭ ହୋଇ ଧୀରେ ଧୀରେ ଵିକଶିତ ହୋଇଛି । ତେବେ ପ୍ରଥମେ ମାନଵ ମନରେ ନିଜ ଜାତିର ସୃଷ୍ଟି କେମିତି ହୋଇଥିଲା ଏହି ପ୍ରଶ୍ନ ଉଙ୍କିମାରିଥିଲା । ସେ ସମୟର ଵିଦ୍ଵାନମାନେ ନିଜ ନିଜର ଜ୍ଞାନ ବଳରେ ଏହାର କାରଣମାନ ଉପସ୍ଥାପନ କଲେ । ତହୁଁ ଵିଶ୍ୱର ଵିଭିନ୍ନ ସଂସ୍କୃତିର ମାନଵ ଜାତିର ଉତ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ପୌରାଣିକ ଗାଥା ଶୁଣିଵାକୁ ମିଳିଲା । ପ୍ରାଚୀନ ସମୟରେ ଏହା ଧର୍ମୀୟ ସୃଷ୍ଟିଵାଦ ଉପରେ ଆଧାରିତ ଥିଲା ଏଵଂ ମଣିଷମାନେ ଦୈଵୀ କାର୍ଯ୍ୟକଳାପ ଯୋଗୁଁ ସୃଷ୍ଟି ହୋଇଛନ୍ତି ବୋଲି ଵିଶ୍ଵାସ କରାଯାଉଥିଲା । 

ପ୍ରାଚୀନ ଚୀନ୍ ଦେଶର ପୌରାଣିକ ଗାଥା ଅନୁସାରେ ଵିଶ୍ୱରେ ପ୍ରଥମେ ଏକ ଅଣ୍ଡା ଥିଲା। ସେହି ଅଣ୍ଡା ଭିତରେ ଥିଵା ପ୍ରଥମ ଦେଵତା ପାଙ୍ଗୁ (Pangu) ଧୀରେ ଧୀରେ ଜାଗ୍ରତ ହେଲେ। ତାଙ୍କର ହାତରେ ଥିଵା କୁଠାର ଦ୍ୱାରା ଅଣ୍ଡାକୁ ଭାଙ୍ଗି ଦେଇ ଆକାଶ ଓ ପୃଥିଵୀକୁ ଅଲଗା କଲେ। ହାଲୁକା ଅଂଶ ଉପରକୁ ଉଠି ଆକାଶ ହେଲା, ଭାରୀ ଅଂଶ ତଳେ ରହି ପୃଥିଵୀ ଗଠନ କଲା। ପାଙ୍ଗୁ ନିଜେ ହଜାର ହଜାର ଵର୍ଷ ଧରି ଆକାଶକୁ ଉଚ୍ଚକୁ ଠେଲି ରଖିଲେ, ଯାହାଦ୍ୱାରା ଵିଶ୍ୱ ବଢ଼ିଵାକୁ ଲାଗିଲା। ଅଵଶେଷରେ ପାଙ୍ଗୁଙ୍କର ମୃତ୍ୟୁ ହେଲା। ତାଙ୍କର ଶରୀରରୁ ଅଦ୍ଭୁତ ରୂପାନ୍ତର ଘଟିଲା। ତାଙ୍କର ଶ୍ୱାସପ୍ରଶ୍ୱାସ ଵାୟୁ ଓ ମେଘ ହେଲା। ଵଜ୍ରପାତ ତାଙ୍କର କଣ୍ଠସ୍ୱରରୁ ଉତ୍ପନ୍ନ ହେଲା। ଵାମ ଚକ୍ଷୁ ସୂର୍ଯ୍ୟ ଓ ଡାହାଣ ଚକ୍ଷୁ ଚନ୍ଦ୍ର ହେଲା। ଶରୀରର ଅଂଶଗୁଡ଼ିକ ପର୍ଵତମାଳାରେ ପରିଣତ ହେଲା। ରକ୍ତ ନଦୀ ଓ ସମୁଦ୍ରରେ ପରିଣତ ହେଲା। ମାଂସପେଶୀ ମାଟି ଓ କେଶଗୁଡ଼ିକ ଗଛଲତା ହେଲା। ହାଡ଼ଗୁଡ଼ିକ ଖଣିଜ ଓ ଧାତୁରେ ରୂପାନ୍ତରିତ ହେଲା। ଏପରିକି ତାଙ୍କର ଘର୍ମ ଵର୍ଷା ଓ ଶିଶିରରେ ପରିଣତ ହେଲା। କିନ୍ତୁ ପୃଥିଵୀରେ ସେତେବେଳେ କେହି ମଣିଷ ନଥିଲା। ତହୁଁ ଦେଵୀ ନୁୱା (Nuwa) ଆଵିର୍ଭାଵ ହେଲେ। ସେ ଏକ ସୁନ୍ଦରୀ ଦେଵୀ ଥିଲେ, ଯାହାଙ୍କର ଶରୀର ଅଧା ମନୁଷ୍ୟ ଓ ଅଧା ସର୍ପ ଥିଲା। ଦେଵୀ ନୁୱା “ହୁଆଙ୍ଗ ହେ ନଦୀ(Huang He River ଵା Yellow River)" କୂଳରେ ବୁଲୁଥିବା ବେଳେ ନିଜର ପ୍ରତିଛବି ଦେଖି ଏକାକୀ ଅନୁଭଵ କଲେ। ସେ ନଦୀର ମାଟି ନେଇ ମନୁଷ୍ୟ ଗଢ଼ିଵାକୁ ସ୍ଥିର କଲେ। ପ୍ରଥମେ ଧନୀ ଓ ଶକ୍ତିଶାଳୀ ଲୋକମାନଙ୍କୁ ହାତରେ ଗଢ଼ି ସୃଷ୍ଟି କଲେ। ପରେ ଅଧିକ ମନୁଷ୍ୟ ଲୋଡ଼ା ହେଵାରୁ ଏକ ଦଉଡ଼ିକୁ ମାଟିରେ ବୁଡ଼ାଇ ଛିଟକାଇ ଦେଇ ସାଧାରଣ ଲୋକମାନଙ୍କୁ ସୃଷ୍ଟି କଲେ। ଚୀନ ଦେଶୀୟ ପୁରାଣଗାଥା ଅନୁସାରେ ଏହିପରି ମନୁଷ୍ୟ ଜାତି ସୃଷ୍ଟି ହେଲା ଏଵଂ ନୁୱା ମାନଵଜାତିର ମାତା ରୂପେ ପୂଜିତ ହେଲେ।

ପ୍ରାଚୀନ ମିଶରର ପୁରାଣଗାଥାରେ ମନୁଷ୍ୟ ଜାତିର ଉତ୍ପତ୍ତି ସମ୍ବନ୍ଧରେ ଭିନ୍ନ କାହାଣୀ ରହିଛି । ନୀଳ ନଦୀର କୂଳରେ ଦେଵତା ଖ୍ନୁମ୍ (Khnum) ରାଜତ୍ୱ କରୁଥିଲେ। ତାଙ୍କର ମସ୍ତକ ଥିଲା ମେଷଶୃଙ୍ଗଯୁକ୍ତ ମେଣ୍ଢାର, ଶରୀର ମନୁଷ୍ୟର ଓ ହାତରେ ଥିଲା କୁମ୍ଭାରର ଚକ। ଖ୍ନୁମ୍ ନଦୀର କାଦୁଅ ମାଟି ନେଇ ନିଜର ଚକରେ ଘୁରାଇ ମନୁଷ୍ୟ ଗଢ଼ୁଥିଲେ। ପ୍ରତ୍ୟେକ ମନୁଷ୍ୟର ଶରୀର ଓ ଆତ୍ମା ଏକାଠି ସୃଷ୍ଟି ହେଉଥିଲା। ତାଙ୍କର ଶ୍ୱାସରେ ଜୀଵନ ପ୍ରବେଶ କରୁଥିଲା। ଖ୍ନୁମ୍ ପ୍ରଥମେ ଶରୀରର ଆକୃତି ଗଢ଼ି, ତା’ପରେ ତନୁମନ୍ତ୍ର ଉଚ୍ଚାରଣ କରି ଆତ୍ମା ସଞ୍ଚାର କରୁଥିଲେ। ସେ ରାଜାଠାରୁ ଆରମ୍ଭ କରି ସାଧାରଣ କୃଷକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗଢ଼ିଥିଲେ। ଫାରୋଙ୍କ ପାଇଁ ସୁନ୍ଦର ଓ ଶକ୍ତିଶାଳୀ ଆକୃତି, ସୈନିକଙ୍କ ପାଇଁ ବଳିଷ୍ଠ ଦେହ, କୃଷକଙ୍କ ପାଇଁ କଠୋର ପରିଶ୍ରମୀ ଶରୀର। ପ୍ରତ୍ୟେକ ମନୁଷ୍ୟର ଭାଗ୍ୟ ଓ ଆୟୁଷ ମଧ୍ୟ ଖ୍ନୁମ୍ ନିର୍ଦ୍ଧାରଣ କରୁଥିଲେ।
ତାଙ୍କ ସହ ଥିଲେ ଦେଵୀ ହେକେତ୍ (Heket), ଯିଏ ନିର୍ଜୀଵ ଶରୀରରେ ଜୀଵନର ଅଙ୍କୁର ଦେଉଥିଲେ। ସେ ଗର୍ଭଵତୀ ମହିଳାଙ୍କ ପାଖରେ ଉପସ୍ଥିତ ହୋଇ ସୁରକ୍ଷିତ ପ୍ରସଵ ନିଶ୍ଚିତ କରୁଥିଲେ। ଖ୍ନୁମ୍ ଗଢ଼ିଥିଵା ଶିଶୁ ମାତୃଗର୍ଭରେ ବଢ଼ୁଥିଲା, ହେକେତ୍ ତାକୁ ଜୀଵନ୍ତ କରୁଥିଲେ। ଏଲିଫାଣ୍ଟାଇନ୍ ଦ୍ୱୀପରେ ଥିଵା ମନ୍ଦିରରେ ଖ୍ନୁମ୍‌ଙ୍କୁ ପୂଜା କରାଯାଉଥିଲା। ସେ ନଦୀର ଵାର୍ଷିକ ବନ୍ୟା ନିୟନ୍ତ୍ରଣ କରୁଥିଲେ, ଯାହା ମାଟିକୁ ଉର୍ଵର କରୁଥିଲା। ଏହି କାରଣରୁ ଖ୍ନୁମ୍ ସୃଷ୍ଟିକର୍ତ୍ତା, ଜୀଵନଦାତା ଓ ଉର୍ଵରତାର ଦେଵତା ରୂପେ ଖ୍ୟାତ ହେଲେ। ମିଶରୀୟମାନେ ଵିଶ୍ୱାସ କରୁଥିଲେ ଯେ ପ୍ରତ୍ୟେକ ମନୁଷ୍ୟ ଖ୍ନୁମ୍‌ଙ୍କ କୁମ୍ଭାର ଚକରୁ ଜନ୍ମ ନେଇଥାଏ ଏଵଂ ମୃତ୍ୟୁ ପରେ ପୁନର୍ଵାର ସେହି ଚକକୁ ଫେରିଯାଏ। ଏହି କିମ୍ବଦନ୍ତୀ ମାନଵ ସୃଷ୍ଟି ଓ ନଦୀର ମହତ୍ତ୍ୱକୁ ପ୍ରତିଫଳିତ କରେ। 

ପ୍ରାଚୀନ ଗ୍ରୀସ୍‌ର ପୁରାଣଗାଥା ଅନୁସାରେ 
ପ୍ରୋମେଥିୟସ୍ ମନୁଷ୍ୟମାନଙ୍କୁ ସୃଷ୍ଟି କରିଥିଲେ । ଦିନେ ପର୍ଵତଶିଖରେ ଛିଡ଼ା ହୋଇ ଟାଇଟାନ୍ ପ୍ରୋମେଥିୟସ୍ (Prometheus) ମହାକାଶକୁ ଅନାଇଲେ। ଦେଵତାମାନେ ପୃଥିଵୀକୁ ଖାଲି ରଖିଥିଵା ଦେଖି ସେ ମାନଵ ସୃଷ୍ଟି କରିଵାକୁ ସ୍ଥିର କଲେ। ନଦୀକୂଳରୁ ମାଟି ଓ ଜଳ ସଂଗ୍ରହ କରି ସେ ଧୀରେ ଧୀରେ ମନୁଷ୍ୟର ଆକୃତି ଗଢ଼ିଲେ। ପ୍ରଥମେ ମୁଣ୍ଡ, ହାତ, ପାଦ ଆଦି ଗଢ଼ିଲେ । ପ୍ରୋମେଥିୟସ୍ ମନୁଷ୍ୟମାନଙ୍କ ପୁତ୍ତଳିକା ସବୁ ଦେଵତାଙ୍କ ପ୍ରତିଛବିରେ ଗଢ଼ିଥିଲେ। କିନ୍ତୁ ସେମାନେ ଜୀଵନ୍ତ ହେଲେ ନାହିଁ।

ପ୍ରୋମେଥିୟସ୍ ସ୍ୱର୍ଗକୁ ଉଡ଼ିଯାଇ ଓଲିମ୍ପସ୍‌ରୁ ଅଗ୍ନି ଚୋରେଇ ଆଣିଲେ। ହେଫେଷ୍ଟସ୍‌ଙ୍କ କାରଖାନାରୁ ଜ୍ୱଳନ୍ତ ଅଙ୍ଗାର ନେଇ ମାଟିର ମନୁଷ୍ୟଙ୍କ ଵକ୍ଷରେ ସ୍ପର୍ଶ କଲେ। ଅଗ୍ନିର ଶିଖା ନିର୍ଜୀଵ ପୁତ୍ତଳିକାର ହୃଦୟରେ ପ୍ରଵେଶ କରି ଆତ୍ମା ଜାଗ୍ରତ କଲା। ମାଟିର ପୁତୁଳମାନେ ଶ୍ୱାସ ନେଲେ, ଚକ୍ଷୁ ଖୋଲିଲେ, ଉଠି ଠିଆ ହେଲେ। ଏହିପରି ମାନଵଜାତି ଜନ୍ମ ନେଲା।
କିନ୍ତୁ ଏହା ଦେଖି ଜିଉସ୍‌ କ୍ରୋଧାନ୍ୱିତ ହେଲେ। ସେ ପ୍ରୋମେଥିୟସ୍‌ଙ୍କୁ କକେଶସ୍ ପର୍ଵତରେ ଶୃଙ୍ଖଳାବଦ୍ଧ କରି ଦେଇ ପ୍ରତିଦିନ ଗୋଟିଏ ଚିଲ ପଠାଇଲେ ଏଵଂ ସେଇ ପକ୍ଷୀ ତାଙ୍କର ଯକୃତ ଖାଇ ଯାଉଥିଲା। ରାତିରେ ଯକୃତ ପୁନର୍ଵାର ବଢ଼ୁଥିଲା। ପୁଣି ପରଵର୍ତ୍ତୀ ଦିନରେ ଏହି ସବୁ ଘଟଣାର ପୁନରାଵୃତ୍ତି ଘଟିଲା । ପ୍ରୋମେଥିୟସଙ୍କ ପାଇଁ ଏହା ଥିଲା ଅନନ୍ତ ଯନ୍ତ୍ରଣା। ତଥାପି ପ୍ରୋମିଥିୟସ୍ ଅଗ୍ନି ଦେଇ ମାନଵକୁ ସଭ୍ୟତାର ପଥ ଦେଖାଇଲେ। ଅଗ୍ନିରେ ରାନ୍ଧିଵା, ଉଷ୍ମତା, ଧାତୁ ତରଳାଇ ଦରଵ ତିଆରି—ସବୁ ଶିଖିଲେ। ସେ ମାନଵର ବନ୍ଧୁ ଓ ଜ୍ଞାନଦାତା ରୂପେ ପୂଜିତ ହେଲେ। ଅଵଶେଷରେ ହେରାକ୍ଲିସ୍ ତାଙ୍କୁ ମୁକ୍ତ କଲେ। ଏହି କିମ୍ବଦନ୍ତୀ ମାନଵ ସୃଷ୍ଟି, ଅଗ୍ନିର ମହତ୍ତ୍ୱ ଓ ଦେଵତାଙ୍କ ଅନ୍ୟାୟ ଵିରୁଦ୍ଧରେ ଵିଦ୍ରୋହର ପ୍ରତୀକ। 

ପ୍ରାଚୀନ ଗ୍ରୀସ୍‌ର ପୁରାଣଗାଥା ଅନୁସାରେ ପ୍ରୋମେଥିୟସ୍ ମାଟିରୁ ମନୁଷ୍ୟ ଗଢ଼ି ଅଗ୍ନି ଦେଇ ସଭ୍ୟତାର ବୀଜ ବୁଣିଥିଲେ। କିନ୍ତୁ ସେହି ପ୍ରଥମ ସୃଷ୍ଟିର ମାନଵଜାତି ଧୀରେ ଧୀରେ ଅହଂକାରୀ ଓ ଦୁରାଚାରୀ ହୋଇଉଠିଲା। ସେମାନେ ଦେଵତାଙ୍କ ପ୍ରତି ଅଵହେଳା କଲେ, ମାଂସ ଲୁଚାଇ ଦେଵତାଙ୍କୁ ହାଡ଼ ଅର୍ପଣ କଲେ,ନାନା ହିଂସା ଘଟାଇ ପୃଥିଵୀକୁ ରକ୍ତରେ ରଞ୍ଜିତ କଲେ। ଓଲିମ୍ପସ୍‌ର ସିଂହାସନରୁ ଜିଉସ୍ ଏହା ଦେଖି କ୍ରୋଧ ଜର୍ଜରିତ ହେଲେ। ସେ ସ୍ଥିର କଲେ —ଏହି ଅଧମ ଜାତିକୁ ସମ୍ପୂର୍ଣ୍ଣ ନିପାତ କରିବେ। ତହୁଁ ଆକାଶ କଳା ମେଘରେ ଢାଙ୍କି ହୋଇଗଲା, ଵଜ୍ରପାତ ହେଲା, ସମୁଦ୍ର ଉଛୁଳି ଉଠିଲା। ଜିଉସ୍ ମହାପ୍ଲାଵନର ଆଦେଶ ଦେଲେ। ନଦୀ ଉଚ୍ଛୁଳି ଉଠିଲା, ସମୁଦ୍ର ସ୍ଥଳଭାଗକୁ ଗ୍ରାସ କଲା, ଗ୍ରାମ ଓ ନଗର ଜଳମଗ୍ନ ହେଲା। ଲକ୍ଷାଧିକ ମାନଵ ଓ ପଶୁ ଭାସିଗଲେ। ପୃଥିଵୀ ଏକ ଅସୀମ ଜଳରାଶିରେ ପରିଣତ ହେଲା।

କେଵଳ ପ୍ରୋମେଥିୟସ୍‌ଙ୍କ ପୁତ୍ର ଧର୍ମପରାୟଣ ଡ୍ୟୁକାଲିୟନ୍ ଓ ତାଙ୍କ ପତ୍ନୀ ପାରା ବଞ୍ଚିଥିଲେ। ପିତାଙ୍କ ପରାମର୍ଶରେ ସେ କାଠର ଏକ ବକ୍ସ ତିଆରି କରିଥିଲେ। ନଅ ଦିନ ରାତି ଝଡ଼ତୋଫାନରେ ଭାସି ଭାସି ସେମାନେ ପାର୍ନାସସ୍ ପର୍ଵତଶିଖରରେ ପହଞ୍ଚିଲେ। 

ଜଳ ହ୍ରାସ ପାଇଵା ପରେ ସେମାନେ ଏକାକୀ ରହିଗଲେ। ଧରଣୀ କର୍ଦ୍ଦମଯୁକ୍ତ ଓ ଜନଶୂନ୍ୟ ହୋଇଥିଲା। ଡ୍ୟୁକାଲିୟନ୍ ଓ ପାରା ଥେମିସ୍ ଦେଵୀଙ୍କ ମନ୍ଦିରରେ ପ୍ରାର୍ଥନା କଲେ। ଦେଵୀଙ୍କ କଣ୍ଠ ଶୂନ୍ୟରୁ ଗର୍ଜି ଉଠିଲା— “ତୁମେ ମୁହଁ ଢାଙ୍କି ପଛରେ ତୁମର ମା’ର ଅସ୍ଥି ଫୋପାଡ଼।” ଉଭୟେ ପ୍ରଥମେ ଵିସ୍ମୟ ଓ ଭୟଭୀତ ହେଲେ, କିନ୍ତୁ ପରେ ଏହାର ମର୍ମ ବୁଝିଲେ—‘ମା’ ଅର୍ଥାତ୍ ଧରଣୀ ମାତା, ଅସ୍ଥି ଅର୍ଥାତ୍ ପଥର।

ସେମାନେ ମୁହଁ ଢାଙ୍କି ପଥର ଫୋପାଡ଼ିଵାକୁ ଲାଗିଲେ। ଡ୍ୟୁକାଲିୟନ୍‌ଙ୍କ ପଥର ପଡ଼ୁ ପଡ଼ୁ ପୁରୁଷର ଆକୃତି ନେଲା—ମାଂସପେଶୀ ଗଢ଼ି ଉଠିଲା, ହାଡ଼ ଦୃଢ଼ ହେଲା। ପାରାଙ୍କ ପଥରରୁ ନାରୀ ଉଦ୍ଭଵ ହେଲା—କୋମଳ ଅଙ୍ଗ, ସୌନ୍ଦର୍ଯ୍ୟ ଓ ମମତାରେ ପରିପୂର୍ଣ୍ଣ । ଏହି ନୂଆ ମାନଵଜାତି ପଥରର କାଠିନ୍ୟ ଓ ଧୈର୍ଯ୍ୟ ଧରି ଜନ୍ମ ନେଲା। ସେମାନେ ପ୍ରଥମ ମାନଵଠାରୁ ଅଧିକ କଠୋର ଓ ସହନଶୀଳ ଥିଲେ। ଏହିପରି ମହାପ୍ଲାଵନ ପରେ ପୃଥିଵୀ ପୁନର୍ଵାର ଜୀଵନ୍ତ ହେଲା। ଡ୍ୟୁକାଲିୟନ୍ ଓ ପାରା ମାନଵ ସଭ୍ୟତାର ନୂଆ ପିତାମାତା ରୂପେ ପୂଜିତ ହେଲେ। ଏହି କିମ୍ବଦନ୍ତୀ ଵିନାଶ ପରେ ପୁନରୁତ୍ଥାନ, ଧରଣୀର ଅମରତ୍ୱ ଓ ମାନଵର ଅନନ୍ତ ସଂଗ୍ରାମର କାହାଣୀ କହିଥାଏ ।

କିଚେ ଭାଷାରେ ଲିଖିତ ମାୟା ସଭ୍ୟତାର ପୁରାଣ ଗ୍ରନ୍ଥ ପୋପୋଲ୍ ଵୁହ୍ ଅନୁସାରେ 
ପୁରୁଣା କାଳରେ ଶାନ୍ତ ସମୁଦ୍ର ଓ ଆକାଶ ଵ୍ୟତୀତ କିଛି ନଥିଲା ‌ । ତେପେଉ, ଗୁକୁମାତ୍ସ୍, ହୁରାକାନ୍ ଆଦି ଦେଵତାମାନେ କେଵଳଥିଲେ। ସେମାନେ ପ୍ରଥମେ ଆଲୁଅ, ପର୍ଵତ, ଜଙ୍ଗଲ, ପଶୁପକ୍ଷୀ ସୃଷ୍ଟି ହେଲା। କିନ୍ତୁ ପଶୁମାନେ କଥା କହି ପାରୁନଥିଲେ, ଦେଵତାଙ୍କ ନାମ ଉଚ୍ଚାରଣ କରି ପୂଜା କରିପାରୁନଥିଲେ। ଦେଵତାମାନେ ମାଟିରୁ ପ୍ରଥମ ମଣିଷ ଗଢ଼ିଲେ। କିନ୍ତୁ ସେ ନରମ, ଭାଙ୍ଗିଯାଉଥିଲା, କଥା କହିପାରୁନଥିଲା, ପାଣିରେ ଓଦା ହୋଇ ବତୁରି ମିଳେଇ ଯାଉଥିଲା। ଦେଵତାମାନେ ସେମାନଙ୍କର ନାଶ କରିଦେଲେ। ସେମାନଙ୍କର ଅଵଶେଷରୁ ମାଟିର ପଶୁ ଜନ୍ମ ହେଲେ।

ପରେ କାଠରୁ ମଣିଷ ହେଲେ। ସେମାନେ ଚାଲୁଥିଲେ, ହସୁଥିଲେ, ଘର ଗଢ଼ୁଥିଲେ। କିନ୍ତୁ ମନ-ହୃଦୟ ନଥିଲା; ଦେଵତାଙ୍କୁ ଭୁଲି, ପଶୁ ମାରୁଥିଲେ, ଗଛ କାଟୁଥିଲେ, ମାଟି ନଷ୍ଟ କରୁଥିଲେ। ହୁରାକାନ୍ ରଗିଲେ—ଝଡ଼, ରକ୍ତଵର୍ଷା, ଵନ୍ୟା, କାମାତ୍ସ୍‌ର ଆକ୍ରମଣରେ ସେମାନେ ମରି ହଜିଗଲେ ଧ୍ୱଂସ। ଯୋଉ କାଠ ମଣିଷ ବଞ୍ଚିଲେ ସେମାନେ ମାଙ୍କଡ଼ ହୋଇଗଲେ।

ଶେଷରେ ଦେଵତାମାନେ ଧଳା ମକା ଓ ହଳଦିଆ ମକାରୁ ଚାରି ପୁରୁଷ ଜନ୍ମାଇଲେ: ବାଲାମ୍ କିତ୍ସେ, ବାଲାମ୍ ଆକାବ୍, ମାହୁକୁତାହ୍, ଇକି ବାଲାମ୍। ସେମାନେ ଚତୁର, ସବୁ ଦେଖୁଥିଲେ, ଦେଵତାଙ୍କୁ ଗୀତ ଗାଇ ପୂଜା କରୁଥିଲେ। ଦେଵତାମାନେ ଡରିଗଲେ; ହୁରାକାନ୍ ସେମାନଙ୍କ ଜ୍ଞାନ ଓ ଦୃଷ୍ଟିଶକ୍ତି ସୀମିତ କରିଦେଲେ। ସେମାନେ ସ୍ତ୍ରୀ ପାଇ, ସନ୍ତାନ ଜନ୍ମାଇ, ମାୟା ସଭ୍ୟତା ଗଢ଼ିଲେ। ମକାରୁ ଶରୀର ଗଠିତ ହୋଇଥିଲା ବୋଲି ମାୟାମାନେ ମକାକୁ ଦେଵତା ଜ୍ଞାନ କରି ପୂଜାକଲେ ।

କିନ୍ତୁ ଦକ୍ଷିଣ ଆମେରିକା ମହାଦେଶର ପ୍ରାଚୀନ ଇନକା ସଭ୍ୟତାରେ ମନୁଷ୍ୟ ଜାତିର ସୃଷ୍ଟି ସମ୍ବନ୍ଧରେ ଭିନ୍ନ କାହାଣୀ ରହିଛି । ସଂକ୍ଷେପରେ କାହାଣୀଟି ନିମ୍ନରେ ପ୍ରଦତ୍ତ ହେଲା । 

ପୁରୁଣା କାଳରେ ସୂର୍ଯ୍ୟ, ଚନ୍ଦ୍ରମା ଓ ତାରା ନଥିଲା, ସଂସାର ଅନ୍ଧକାରରେ ବୁଡ଼ି ରହିଥିଲା। ତହୁଁ ପଵିତ୍ର ଟିଟିକାକା ହ୍ରଦର ଗଭୀର ଜଳରୁ ଉଠିଆସିଲେ ସୃଷ୍ଟିକର୍ତ୍ତା ଦେଵ ଭୀରାକୋଚା, ତାଙ୍କ ହାତର ଏକ ଆଙ୍ଗୁଳି ଚାଳନାରେ ହ୍ରଦର ଏକ ଦ୍ୱୀପରୁ ସୂର୍ଯ୍ୟ ଉଦୟ ହେଲା, ତା’ ପରେ ଚନ୍ଦ୍ରମା ଓ ତାରା ଇତ୍ୟାଦି। ଭୂମି, ପର୍ଵତ, ନଦୀ ଓ ଜଙ୍ଗଲକୁ ଗଢ଼ି, ସେ ପ୍ରଥମେ ପଥରରୁ ବିଶାଳ ପଥର-ପୁରୁଷମାନଙ୍କୁ ସୃଷ୍ଟି କଲେ। କିନ୍ତୁ ଏମାନେ ଅତ୍ୟଧିକ ବଡ଼, ଵନ୍ୟ ଓ ଧ୍ୱଂସାତ୍ମକ ଥିଲେ। ଭୀରାକୋଚା ରାଗିଗଲେ; ସେ ଏମାନଙ୍କୁ ପୁଣି ପଥରରେ ପରିଣତ କରିଦେଲେ, ଯାହା ଆଜି ପ୍ରାଚୀନ ପଥର ମୂର୍ତ୍ତି ରୂପେ ଦେଖାଯାଏ। ତେବେ ଭୀରାକୋଚାଙ୍କ ଯାତ୍ରା ଜାରି ରହିଲା। ଟିଆହୁଆନାକୋ ପହଞ୍ଚି, ସେ ମାଟି ଓ ନିଜର ରକ୍ତ ମିଶାଇ ଛୋଟ ମାନଵମାନଙ୍କୁ ଗଢ଼ିଲେ। ପ୍ରତ୍ୟେକ ଗୋଷ୍ଠୀକୁ ପଥରରୁ ନିର୍ମାଣ କରି, ପ୍ରତ୍ୟେକରେ ନେତା ଓ ଗର୍ଭଵତୀ ସ୍ତ୍ରୀମାନଙ୍କୁ ଦେଲେ। ସେମାନଙ୍କୁ ଜୀଵନ୍ତ କରି, କୃଷି, ନିୟମ ଓ ପୂଜାଵିଧି ଶିଖାଇଲେ। କିଛି ଗୋଷ୍ଠୀକୁ ପୂର୍ଵ, କିଛି ଉତ୍ତର ଦିଗକୁ ପଠାଇ, ଭୂମିକୁ ନିଜ ବଂଶଧରଙ୍କ ଦ୍ଵାରା ପରିପୂର୍ଣ୍ଣ କରିଵାକୁ ଆଦେଶ ଦେଲେ। ଯେଉଁମାନେ ଅବାଧ୍ୟ ହେଲେ, ସେମାନଙ୍କୁ ପଥର କରିଦେଲେ। ଶେଷରେ, ଭୀରାକୋଚା ପୁନରାଗମନର ପ୍ରତିଶ୍ରୁତି ଦେଇ ପ୍ରଶାନ୍ତ ମହାସାଗରରୁ ପାର ହେଇ ଚାଲିଗଲେ । 

ଅବ୍ରାହମିକ ସମ୍ପ୍ରଦାୟଗୁଡ଼ିକ ମଧ୍ୟରେ ଇହୁଦୀ ସମ୍ପ୍ରଦାୟ ସର୍ଵପ୍ରାଚୀନ ଏଵଂ ଏହାର ପୌରାଣିକ ଆଖ୍ୟାନ ଅନ୍ୟାନ୍ୟ ଆବ୍ରାହମିକ ସମ୍ପ୍ରଦାୟରେ ମଧ୍ୟ ସାମାନ୍ୟ ନାମ ଓ ସ୍ଥାନ ଆଦିର ପରିଵର୍ତ୍ତନ ସହିତ ସମାନ ଭାବରେ ରହିଛି । 

ଆବ୍ରାହାମିକ ପୌରାଣିକ ଗାଥା ତୋରାହର ବେରେଶିତ ଵା ଜେନେସିସ୍ ଅନୁସାରେ, ଈଶ୍ୱର ଛଅ ଦିନରେ ଵିଶ୍ୱ ସୃଷ୍ଟି କରିଥିଲେ। ପ୍ରଥମେ ଆଲୋକ, ଆକାଶ, ପୃଥିଵୀ, ଉଦ୍ଭିଦ ଓ ଜୀଵଜନ୍ତୁ ସୃଷ୍ଟି ହେଲା। ଷଷ୍ଠ ଦିନରେ ଈଶ୍ୱର ମଣିଷକୁ ସୃଷ୍ଟି କଲେ। ପ୍ରଥମେ ଆଦମକୁ ପୃଥିଵୀର ଧୂଳିରୁ ଗଢ଼ି, ତାଙ୍କ ନାସାରନ୍ଧ୍ରରେ ଜୀଵନର ନିଶ୍ୱାସ ଫୁଙ୍କି ଜୀଵନ୍ତ କଲେ। ଆଦମକୁ ଏଡେନ ଉଦ୍ୟାନରେ ରଖି, ସମସ୍ତ ଗଛର ଫଳ ଖାଇଵାକୁ ଅନୁମତି ଦେଲେ, କିନ୍ତୁ ଭଲ-ମନ୍ଦ ଜ୍ଞାନର ଵୃକ୍ଷର ଫଳ ଖାଇଵାକୁ ନିଷେଧ କଲେ। ଆଦମ ଏକାକୀ ଥିଵାରୁ ଈଶ୍ୱର ତାଙ୍କ ପକ୍ଷାଗ୍ରରୁ ହାୱାକୁ ସୃଷ୍ଟି କଲେ। ସର୍ପ ରୂପି Lucifer ଵା ସଇତାନର ପ୍ରଲୋଭନରେ ହାୱା ନିଷିଦ୍ଧ ଫଳ ଖାଇଲେ ଓ ଆଦମକୁ ମଧ୍ୟ ଖାଇଵାକୁ ଦେଲେ। ଏହାପରେ ସେମାନେ ନିଜର ନଗ୍ନତା ଜାଣିଲେ। ଈଶ୍ୱର ସେମାନଙ୍କୁ ଉଦ୍ୟାନରୁ ଵହିଷ୍କାର କଲେ, ଆଦମକୁ ପୃଥିଵୀ ଚାଷ କରିଵାକୁ ଓ ହାୱାକୁ ପ୍ରସଵ ଯନ୍ତ୍ରଣା ଭୋଗିଵାକୁ ଅଭିଶାପ ଦେଲେ। ଏହି କାହାଣୀ ମଣିଷର ଈଶ୍ୱରୀୟ ସମ୍ପର୍କ, ଅବାଧ୍ୟତା ଓ ପାପର ଉତ୍ପତ୍ତି ଵର୍ଣ୍ଣନା କରେ। ଇହୁଦୀ, ଖ୍ରୀଷ୍ଟିଆନ ଓ ମୁସଲିମ ଧର୍ମରେ ଆଦମ-ହାୱାର ଏହି ସୃଷ୍ଟି କାହାଣୀ ମୌଳିକ ରୂପେ ସମାନ। 

ତେବେ ପୃଥିଵୀର ପ୍ରାଚୀନ ତଥା ସମୃଦ୍ଧ ସଭ୍ୟତା ଭାବେ ଵିଖ୍ୟାତ ମହାଭାରତୀୟ ସଭ୍ୟତାରେ ମାନଵ ଜାତିର ସୃଷ୍ଟି ସମ୍ବନ୍ଧରେ ଏକ ଵିସ୍ତୃତ ଗାଥା ରହିଛି ‌ । ଭାରତୀୟ ପୁରାଣଗାଥା ଅନୁସାରେ ସୃଷ୍ଟିର ଆରମ୍ଭରେ କେଵଳ ଅନନ୍ତ ଶୂନ୍ୟତା ଥିଲା, ଯାହାକୁ ପୁରାଣଗୁଡ଼ିକରେ ‘ଅସତ୍’ ଵା ‘ତମସ୍’ କୁହାଯାଏ। ଏହି ଶୂନ୍ୟତା ମଧ୍ୟରୁ ଵିଷ୍ଣୁ ଶୟନ କରୁଥିଵା କ୍ଷୀରସାଗରରେ ଆଵିର୍ଭାଵ ହେଲେ। ତାଙ୍କ ନାଭିରୁ ଏକ ଵିଶାଳ ପଦ୍ମ ଉଦିତ ହେଲା ଏଵଂ ତହିଁରୁ ବ୍ରହ୍ମା ସ୍ୱୟଂଭୂ ରୂପେ ଜାତ ହେଲେ। ବ୍ରହ୍ମା ସୃଷ୍ଟିର ପ୍ରଥମ କାର୍ଯ୍ୟ ଆରମ୍ଭ କଲେ। ସେ ନିଜ ମନରୁ ଦଶ ପ୍ରଜାପତି ସୃଷ୍ଟି କଲେ—ମରୀଚି, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ଭୃଗୁ, ଵଶିଷ୍ଠ, ଦକ୍ଷ ଓ ନାରଦ। ଏହି ଦଶଜଣଙ୍କ ମଧ୍ୟରୁ ସପ୍ତଋଷି ହେଉଛନ୍ତି ମରୀଚି, ଅତ୍ରି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ ଓ ଵଶିଷ୍ଠ, ଯେଉଁମାନେ ପ୍ରଥମ ସ୍ୱାୟମ୍ଭୁଵ ମନ୍ଵନ୍ତରରେ ଆକାଶର ସପ୍ତର୍ଷି ନକ୍ଷତ୍ରମଣ୍ଡଳରେ ସ୍ଥାନ ପାଇଥିଲେ। ଏମାନେ ସୃଷ୍ଟିର ଵିଭିନ୍ନ ଅଂଶକୁ ନିୟନ୍ତ୍ରଣ କଲେ ଏଵଂ ଵେଦଗୁଡ଼ିକର ଜ୍ଞାନ ପ୍ରଚାର କଲେ। ପ୍ରଥମେ ବ୍ରହ୍ମା ଚାରି କୁମାର—ସନକ, ସନନ୍ଦନ, ସନାତନ ଓ ସନତ୍‌କୁମାର—ସୃଷ୍ଟି କଲେ, ଯେଉଁମାନେ ଅତି କୋମଳ ଵାଳକ ରୂପରେ ଜନ୍ମ ନେଲେ ଏଵଂ ସଦା ବ୍ରହ୍ମଚାରୀ ରହିଵାକୁ ନିଷ୍ପତ୍ତି ନେଲେ। ବ୍ରହ୍ମା ସେମାନଙ୍କୁ କହିଲେ, “ହେ ପୁତ୍ରଗଣ, ତୁମେ ସୃଷ୍ଟି ବଢ଼ାଅ, ପ୍ରଜା ଉତ୍ପାଦନ କର।” କିନ୍ତୁ ଚାରି କୁମାର କହିଲେ, “ଆମେ ଧ୍ୟାନରେ ମଗ୍ନ ରହିଵୁ, ସାଂସାରିକ ବନ୍ଧନରେ ବନ୍ଧା ହେଵୁ ନାହିଁ।” ଏହା ଶୁଣି ବ୍ରହ୍ମାଙ୍କ କ୍ରୋଧ ଉଦୟ ହେଲା। ତାଙ୍କ ଭ୍ରୂକୁଟିର ମଧ୍ୟଭାଗରୁ ନୀଳ ଓ ରକ୍ତଵର୍ଣ୍ଣର ଏକ ଵାଳକ ଜାତ ହେଲା, ଯାହାକୁ ରୁଦ୍ର (ଶିଵ) କୁହାଗଲା। ରୁଦ୍ର କାନ୍ଦି ଉଠିଲେ, ଏଵଂ ବ୍ରହ୍ମା ତାଙ୍କୁ ଏକାଦଶ ରୁଦ୍ର ରୂପେ ଵିଭକ୍ତ କଲେ। କିନ୍ତୁ ସୃଷ୍ଟି ଵଢ଼ିଵାର ଆଵଶ୍ୟକତା ରହିଥିଲା, ତେଣୁ ଏହି ଦଶ ପ୍ରଜାପତିମାନେ ସୃଷ୍ଟିର ପ୍ରଧାନ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ ଆରମ୍ଭ କଲେ।

ଏହି ପ୍ରଜାପତିମାନଙ୍କ ମଧ୍ୟରୁ ଦକ୍ଷ ନିଜର ଵାମ ଅଙ୍ଗୁଳିରୁ ଵୀର୍ଯ୍ୟ ସୃଷ୍ଟି କରି ତହିଁରୁ ପ୍ରଥମେ ହଜାର ପୁତ୍ର ଉତ୍ପନ୍ନ କଲେ, କିନ୍ତୁ ନାରଦଙ୍କ ପ୍ରଭାଵରେ ସେମାନେ ମୋକ୍ଷ ଲାଭ ଆଶାରେ ଚାଲିଗଲେ। ପୁନଶ୍ଚ ଷାଠିଏ ସହସ୍ର ପୁତ୍ର ସୃଷ୍ଟି ହେଲେ, ଯେଉଁମାନେ ହର୍ଷଶ୍ରଵା ଓ ଶଵଳାଶ୍ୱ ନାମରେ ଵିଭକ୍ତ ହୋଇ ସମୁଦ୍ରରେ ବୁଡ଼ି ମୋକ୍ଷ ପାଇଲେ। ଏହା ପରେ ଦକ୍ଷ ନିଜ ଇଚ୍ଛାଶକ୍ତିରୁ ଅଷ୍ଟାଵକ୍ରା (ଵା ଵୀରଣୀ/ଅସିକ୍ନୀ) ନାମକ ଏକ କନ୍ୟା ସୃଷ୍ଟି କଲେ। ଅଷ୍ଟାଵକ୍ରା ଅତି ସୁନ୍ଦରୀ ଥିଲେ ଏଵଂ ତାଙ୍କଠାରୁ ଷାଠିଏ କନ୍ୟା ଜାତ ହେଲେ (ମତ୍ସ୍ୟ ପୁରାଣରେ ୬୦, ଵିଷ୍ଣୁ ପୁରାଣରେ ପ୍ରସୂତିରୁ ୨୪ କନ୍ୟା ଉଲ୍ଲେଖିତ, କିନ୍ତୁ ସମଗ୍ରରେ ୬୦ରୁ ଅଧିକ ଵର୍ଣ୍ଣନା ଅଛି)। ଦକ୍ଷ ଏହି କନ୍ୟାମାନଙ୍କୁ ସୃଷ୍ଟିର ଵିଭିନ୍ନ ଅଂଶ ଵଢ଼ାଇଵା ପାଇଁ ଵିଭିନ୍ନ ଋଷି, ଦେଵତା ଓ ପ୍ରଜାପତିଙ୍କୁ ଵିଵାହ ଦେଲେ। 

ଉଦାହରଣ ସ୍ୱରୂପ, ଵିଷ୍ଣୁ ପୁରାଣ ଅନୁସାରେ ପ୍ରସୂତିରୁ ୨୪ କନ୍ୟା: ୧୩ଟି ଧର୍ମଙ୍କୁ (ଶ୍ରଦ୍ଧା, ଲକ୍ଷ୍ମୀ, ଧୃତି, ତୁଷ୍ଟି, ପୁଷ୍ଟି, ମେଧା, କ୍ରିୟା, ଵୁଦ୍ଧି, ଲଜ୍ଜା, ଵପୁଃ, ଶାନ୍ତି, ସିଦ୍ଧି, କୀର୍ତ୍ତି), ଅନ୍ୟାନ୍ୟଙ୍କୁ ଭୃଗୁ, ମରୀଚି, ଅଙ୍ଗିରା, ପୁଲସ୍ତ୍ୟ, ପୁଲହ, କ୍ରତୁ, ଅତ୍ରି, ଵଶିଷ୍ଠ ଆଦିଙ୍କୁ। ସତୀଙ୍କୁ ଶିଵଙ୍କ ସହିତ, ସ୍ୱାହାଙ୍କୁ ଅଗ୍ନିଙ୍କ ସହିତ ଏଵଂ ସ୍ୱଧାଙ୍କୁ ପିତୃମାନଙ୍କ ସହିତ ଵିଵାହ ଦେଲେ। 

ମତ୍ସ୍ୟ ପୁରାଣ ଅନୁସାରେ ଅସିକ୍ନୀରୁ ୬୦ କନ୍ୟା: ୧୦ଟି ଧର୍ମଙ୍କୁ (ମାରୁଵତୀ, ଵସୁ, ଯାମି, ଲମ୍ଵା, ଭାନୁ, ଊର୍ଜ୍ଜା, ସଂକଳ୍ପ, ମୁହୂର୍ତ୍ତ, ସାଧ୍ୟା, ଵିଶ୍ୱା), ୧୩ଟି କଶ୍ୟପଙ୍କୁ, ୨୭ଟି ଚନ୍ଦ୍ରଙ୍କୁ (ଯେଉଁମାନେ ୨୭ ନକ୍ଷତ୍ର ହେଲେ: ଅଶ୍ୱିନୀ, ଭରଣୀ, କୃତ୍ତିକା, ରୋହିଣୀ ଆଦି), ଅନ୍ୟାନ୍ୟଙ୍କୁ ଅରିଷ୍ଟନେମି, ଭୃଗୁଙ୍କ ପୁତ୍ର, ଅଙ୍ଗିରା ଆଦିଙ୍କୁ। ଏହି କନ୍ୟାମାନେ ସମାଜର ଗୁଣଗୁଡ଼ିକର ପ୍ରତୀକ ହେଲେ ଏଵଂ ଧର୍ମର ଵିଭିନ୍ନ ରୂପକୁ ଜନ୍ମ ଦେଲେ। ସୋମ (ଚନ୍ଦ୍ର)ଙ୍କୁ ୨୭ ନକ୍ଷତ୍ରରୂପେ ଦକ୍ଷଙ୍କ କନ୍ୟାମାନେ ମିଳିଥିଲେ; ଚନ୍ଦ୍ରଙ୍କ ପ୍ରଧାନ ପତ୍ନୀ ରୋହିଣୀ ଆଦି ନକ୍ଷତ୍ରମାନେ ଥିଲେ, ଯେଉଁମାନେ ଦକ୍ଷଙ୍କର କନ୍ୟା।

ସଵୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ୧୩ କନ୍ୟା—ଅଦିତି, ଦିତି, ଦନୁ, ଅରିଷ୍ଟା, ସୁରସା, ସୁରଭି, ଵିନତା, ତାମ୍ରା, କ୍ରୋଧଵଶା, ଇରା, କଦ୍ରୁ, ଵିଶ୍ୱା ଓ ମୁନି—ଯେଉଁମାନେ ମରୀଚିଙ୍କ ପୁତ୍ର କଶ୍ୟପଙ୍କୁ ଵିଵାହ ହେଲେ (ଵିଷ୍ଣୁ ପୁରାଣ ଓ ମତ୍ସ୍ୟ ପୁରାଣରେ ୧୩ ଉଲ୍ଲେଖିତ; କିଛି ସଂସ୍କରଣରେ ଅଧିକ, ଯେମିତି ପୁଲୋମା, କାଳକା, ନଟା ଆଦି, କିନ୍ତୁ ପ୍ରଧାନ ୧୩)। କଶ୍ୟପ ଥିଲେ ସମସ୍ତ ପ୍ରାଣୀଙ୍କର ଆଦି ପିତା, ତେଣୁ ତାଙ୍କୁ ‘ପ୍ରଜାପତି’ କୁହାଯାଏ। ଏହି ଵିଵାହ ସମଗ୍ର ସୃଷ୍ଟିର ଵିଵିଧତାର ମୂଳ ହେଲା, କାରଣ କଶ୍ୟପଙ୍କର ଦେଵ, ଅସୁର, ମାନଵ, ପଶୁ ଓ ପକ୍ଷୀ ଆଦି ଅନେକ ସନ୍ତାନ ଜାତ ହେଲେ । 

କଶ୍ୟପ ଓ ଅଦିତିଙ୍କଠାରୁ ଆଦିତ୍ୟ ଵା ଦ୍ୱାଦଶ ଦେଵତାମାନେ ଜାତ ହେଲେ—ଵିଷ୍ଣୁ, ଇନ୍ଦ୍ର, ସୂର୍ଯ୍ୟ (ଵିଵସ୍ୱାନ), ଵରୁଣ, ମିତ୍ର, ଅର୍ଯ୍ୟମା, ଭଗ, ଅଂଶ, ଧାତା, ତ୍ୱଷ୍ଟା, ପୂଷା ଓ ସଵିତା। ଦିତିଙ୍କଠାରୁ ଦୈତ୍ୟମାନେ (ହିରଣ୍ୟାକ୍ଷ, ହିରଣ୍ୟକଶିପୁ, ହୋଳିକା ଆଦି), ଦନୁଙ୍କଠାରୁ ଦାନଵମାନେ (ଵିପ୍ରଚିତ୍ତି ଆଦି), କଦ୍ରୁଙ୍କଠାରୁ ନାଗମାନେ (ଶେଷ, ଵାସୁକି, ତକ୍ଷକ ଓ କର୍କୋଟକ ଆଦି), ଵିନତାଙ୍କଠାରୁ ଗରୁଡ଼ ଓ ଅରୁଣ (ସୂର୍ଯ୍ୟଙ୍କ ସାରଥି), ସୁରସାଙ୍କଠାରୁ ନାଗ ଓ ରାକ୍ଷସୀ, ସୁରଭିଙ୍କଠାରୁ ଗାଈ ଓ ଘୃତାଚୀ, ତାମ୍ରାଙ୍କଠାରୁ ପକ୍ଷୀ, କ୍ରୋଧଵଶାଙ୍କଠାରୁ ରାକ୍ଷସ, ଇରାଙ୍କଠାରୁ ଵନସ୍ପତି, ଵିଶ୍ୱାଙ୍କଠାରୁ ଅପ୍ସରା, ମୁନିଙ୍କଠାରୁ ଗନ୍ଧର୍ଵ, ସିଂହିକା(ଅନ୍ୟ ସଂସ୍କରଣରେ)ଙ୍କଠାରୁ ରାହୁ ଜାତ ହେଲେ(ମସ୍ତକ କଟିଵା ପରେ ରା‌ହୁ ଓ କେତୁ ହେଲେ)। ଏହି ସନ୍ତାନମାନେ ସୃଷ୍ଟିର ସଂଘର୍ଷ ଓ ସନ୍ତୁଳନର ପ୍ରତୀକ ହେଲେ। କିନ୍ତୁ ମାନଵ ଜାତିର ସିଧାସଳଖ ଧାରା କଶ୍ୟପ ଓ ଅଦିତିର ପୁତ୍ର ଵିଵସ୍ୱାନଙ୍କ (ସୂର୍ଯ୍ୟ)ଠାରୁ ଆରମ୍ଭ ହୋଇଥିଲା । ଵିଵସ୍ୱାନଙ୍କ ପ୍ରଥମ ପତ୍ନୀ ସଂଜ୍ଞା (ତ୍ୱଷ୍ଟାଙ୍କ କନ୍ୟା) ଥିଲେ। ସଂଜ୍ଞା ସୂର୍ଯ୍ୟଙ୍କ ଅତ୍ୟଧିକ ତେଜ ସହ୍ୟ କରିପାରୁ ନଥିଲେ, ତେଣୁ ସେ ନିଜର ଛାୟାକୁ (ଵା ସରଣ୍ୟୂ) ରଖି ଘୋଡ଼ା ରୂପ ଧରି ଚାଲିଗଲେ। ସଂଜ୍ଞାଙ୍କଠାରୁ ଯମ, ଯମୀ ଓ ଵୈଵସ୍ୱତ ମନୁ ଜନ୍ମ ହୋଇଥିଲେ (ଅନେକେ ଏଠି ଭ୍ରମରେ ପଡ଼ନ୍ତି ତେବେ ମନୁ ସଂଜ୍ଞାରଙ୍କ ପୁତ୍ର, ଛାୟାଙ୍କର ନୁହନ୍ତି)। ଛାୟାଙ୍କଠାରୁ ଶନି, ତପତୀ ଓ ସାଵର୍ଣ୍ଣି ମନୁ ଜାତ ହେଲେ। 

ଅନେକେ ଏଠି ମଧ୍ୟ ଦ୍ଵନ୍ଦ୍ଵରେ ପଡ଼ନ୍ତି ତେବେ ଵୈଵସ୍ୱତ ମନୁ ସ୍ୱାୟମ୍ଭୁଵ ମନୁଙ୍କର ପୌତ୍ର ନୁହନ୍ତି। ସେ ସପ୍ତମ ମନୁ ଏଵଂ ମହାପ୍ରଳୟ ପରେ ମାନଵ ଜାତିର ପୁନଃସ୍ଥାପକ ରୂପେ ପରିଚିତ, ଯାହାଙ୍କୁ ମାନବ ଜାତିର ଆଦି ପିତା ମଧ୍ୟ କୁହାଯାଏ।

ପ୍ରଥମ ମନୁ ଥିଲେ ସ୍ୱାୟମ୍ଭୁଵ ମନୁ। ତାଙ୍କ ପତ୍ନୀ ଥିଲେ ଶତରୂପା। ସେମାନଙ୍କଠାରୁ ଦୁଇ ପୁତ୍ର ଜାତ ହୋଇଥିଲେ: ପ୍ରିୟଵ୍ରତ ଓ ଉତ୍ତାନପାଦ। କିନ୍ତୁ ଵୈଵସ୍ୱତ ମନୁ ହିଁ ପ୍ରଳୟ ପରେ ମାନଵ ଜାତିକୁ ନୂଆ କରି ସ୍ଥାପନ କରିଥିଲେ।

ସେହି ସମୟରେ ସ୍ୱାୟମ୍ଭୁଵ ମନ୍ୱନ୍ତର ସମାପ୍ତ ହେଵାକୁ ଯାଉଥିଲା ଏଵଂ ଵୈଵସ୍ୱତ ମନ୍ୱନ୍ତର ଆରମ୍ଭ ହେଲା। ମହାପ୍ରଳୟ ଆସିଲା ଯହିଁରେ ସମଗ୍ର ପୃଥିଵୀ ଜଳମଗ୍ନ ହେଲା। ଵିଷ୍ଣୁ ମତ୍ସ୍ୟ ରୂପ ଧରି ସତ୍ୟଵ୍ରତ (ଵୈଵସ୍ୱତ ମନୁଙ୍କର ଅନ୍ୟ ନାମ)ଙ୍କୁ ସତର୍କ କଲେ। ମନୁ ସପ୍ତଋଷିଙ୍କ ସହାୟତାରେ ଏକ ଵିଶାଳ ବୋଇତ ତିଆରି କଲେ। ମତ୍ସ୍ୟ ରୂପୀ ଵିଷ୍ଣୁ ବୋଇତଟିକୁ ନିଜ ଶିଙ୍ଗରେ ଵାନ୍ଧି ପ୍ରଳୟ ଜଳରେ ଭସାଇଲେ। ବୋଇତରେ ସପ୍ତଋଷି, ସମସ୍ତ ଔଷଧି, ଵୀଜ, ପଶୁ, ପକ୍ଷୀ ତଥା ଦେଵତାମାନଙ୍କ ପ୍ରତିନିଧି ଥିଲେ। ପ୍ରଳୟର ଭୟଙ୍କର ଝଡ଼, ଜଳପ୍ରଵାହ ଓ ଅନ୍ଧକାର ମଧ୍ୟରେ ବୋଇତ ଭାସୁଥିଲା। ମତ୍ସ୍ୟ ଵେଦଗୁଡ଼ିକୁ ରକ୍ଷା କରି ହୟଗ୍ରୀଵ ଦୈତ୍ୟଠାରୁ ଉଦ୍ଧାର କଲେ। ଅଵଶେଷରେ ବୋଇତ ହିମାଳୟର ମାଳିନୀ ଶୃଙ୍ଗରେ ଅଵତରଣ କଲା। ପ୍ରଳୟ ଶେଷ ହେଲା ଏଵଂ ପୃଥିଵୀ ପୁନର୍ଵାର ଜଳରୁ ଉଠିଲା।

ମନୁ ହିମାଳୟରେ ଏକ ଯଜ୍ଞ କଲେ। ସେ ଘୃତ ଓ ଦଧି ନେଇ ଯଜ୍ଞ କୁଣ୍ଡରେ ଅର୍ପଣ କଲେ। ଏହି ଯଜ୍ଞରୁ ଇଳା (ଵା ଇଡା) ନାମକ ଏକ କନ୍ୟା ଉତ୍ପନ୍ନ ହେଲା (କିଛି ସଂସ୍କରଣରେ ମନୁଙ୍କ ପତ୍ନୀ ଶ୍ରଦ୍ଧାଙ୍କଠାରୁ ଜାତ, କିନ୍ତୁ ପ୍ରଧାନ ପୁରାଣଗୁଡ଼ିକରେ ଯଜ୍ଞରୁ ଉତ୍ପତ୍ତି ଓ ମନୁଙ୍କ କନ୍ୟା ଭାଵେ ଵର୍ଣ୍ଣିତ)। ଇଳା ଥିଲେ ମନୁଙ୍କ କନ୍ୟା ଏଵଂ ପରେ ବୁଧ (ସୋମଙ୍କ ପୁତ୍ର)ଙ୍କ ପତ୍ନୀ ହେଲେ (ମତ୍ସ୍ୟକନ୍ୟା ରୂପ ମହାଭାରତର କିଛି ସଂସ୍କରଣରେ ଅଛି, କିନ୍ତୁ ପ୍ରଧାନ ପୁରାଣଗୁଡ଼ିକରେ ସେ ଯଜ୍ଞରୁ ଜାତ କନ୍ୟା ଏଵଂ ବୁଧଙ୍କ ସହ ଵିଵାହ କରି ପୁରୁରଵାଙ୍କୁ ଜନ୍ମ ଦେଇଥିଲେ)। ମନୁଙ୍କ ପତ୍ନୀ ଥିଲେ ଶ୍ରଦ୍ଧା, ଏହାଙ୍କର ୧୦ ସନ୍ତାନ ହେଲେ : ୯ ପୁତ୍ର—ଇକ୍ଷ୍ୱାକୁ, ଧୃଷ୍ଟ, ନରୀଷ୍ୟନ୍ତ, ଦିଷ୍ଟ, ନୃଗ, କରୂଷ, ଶର୍ଯ୍ୟାତି, ନଭାଗ, ପ୍ରାଂଶୁ, ପୃଥୁଶ୍ରଵା—ଏଵଂ କନ୍ୟା ଇଳା। ଏହି ଵିଵାହ ମାନଵ ଜାତିର ପ୍ରଥମ ସାଂସାରିକ ସମ୍ପର୍କ ହେଲା। ପ୍ରଥମ ପୁତ୍ର ଇକ୍ଷ୍ୱାକୁ ଅଯୋଧ୍ୟାର ରାଜା ହେଲେ ଏଵଂ ସୂର୍ଯ୍ୟଵଂଶର ପ୍ରତିଷ୍ଠାତା ଭାବେ ଖ୍ୟାତ ହେଲେ । ଅନ୍ୟ ପୁତ୍ରମାନେ ଭାରତଵର୍ଷର ଵିଭିନ୍ନ ଅଞ୍ଚଳରେ ରାଜ୍ୟ ସ୍ଥାପନ କଲେ। କନ୍ୟା ଇଳା ବୁଧଙ୍କ ସହ ଵିଵାହ ହେଲେ ଏଵଂ ତାଙ୍କଠାରୁ ପୁରୁରଵା ଜାତ ହେଲେ, ଯିଏ ଚନ୍ଦ୍ରଵଂଶର ପ୍ରତିଷ୍ଠା କଲେ ।

ଇକ୍ଷ୍ୱାକୁଙ୍କର ସୂର୍ଯ୍ୟଵଂଶରେ ଅନେକ ରାଜା ଜାତ ହେଲେ—ଵିକୁକ୍ଷି, କକୁତ୍‌ସ୍ଥ, ମାନ୍ଧାତା, ସତ୍ୟଵ୍ରତ (ତ୍ରିଶଙ୍କୁ), ହରିଶ୍ଚନ୍ଦ୍ର, ରୋହିତ, ସଗର (ଯାହାଙ୍କ ଷାଠିଏ ହଜାର ପୁତ୍ର ଭସ୍ମ ହେଲେ), ଭଗୀରଥ (ଯିଏ ଗଙ୍ଗାକୁ ପୃଥିଵୀକୁ ଆଣିଲେ), ଅଂଶୁମାନ, ଦିଲୀପ, ରଘୁ, ଅଜ, ଦଶରଥ ଓ ଶ୍ରୀରାମ। ଏହି ଵଂଶ ଧର୍ମ ଓ ଯୁଦ୍ଧର ପ୍ରତୀକ ହେଲା। ଚନ୍ଦ୍ରଵଂଶରେ ପୁରୁରଵାଙ୍କଠାରୁ ଆୟୁ, ନହୁଷ, ଯଯାତି (ଯାହାଙ୍କ ପୁତ୍ର ପୁରୁ ଓ ଯଦୁ), ଯଦୁଙ୍କଠାରୁ ଯାଦଵମାନେ (କୃଷ୍ଣ), ପୁରୁଙ୍କଠାରୁ ଦୁଷ୍ୟନ୍ତ, ଭରତ (ଯାହାଙ୍କ ନାମରେ ଭାରତଵର୍ଷ), କୁରୁ, ଶାନ୍ତନୁ, ଵିଚିତ୍ରଵୀର୍ଯ୍ୟ, ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କଠାରୁ ପାଣ୍ଡଵ ଓ କୌରଵମାନେ ଜାତ ହେଲେ। ଏହି ଵଂଶମାନ ଭାରତଵର୍ଷର ସାତ ଦ୍ୱୀପ (ଜମ୍ଵୁ, ପ୍ଲକ୍ଷ ଆଦି)ରେ ଵିସ୍ତୀର୍ଣ୍ଣ ହେଲା। ମନୁ ନିଜେ ମାନଵ ସମାଜର ପ୍ରଥମ ରାଜା ଓ ଧର୍ମଶାସ୍ତ୍ରର ପ୍ରଣେତା ହେଲେ। ତାଙ୍କର ମନୁ ସ୍ମୃତି ସମାଜର ନିୟମାଵଳୀ—ଵର୍ଣ୍ଣାଶ୍ରମ ଧର୍ମ, ରାଜଧର୍ମ, ଵିଵାହ ଓ ଦଣ୍ଡଵିଧି—ନିର୍ଦ୍ଧାରଣ କଲା।

ଏହିପରି ଵ୍ରହ୍ମାଙ୍କ ମାନସ ପୁତ୍ରମାନେ → ଦକ୍ଷର କନ୍ୟାମାନେ → କଶ୍ୟପଙ୍କ ଵିଵାହ → ଵିଵସ୍ୱାନ ଓ ଵୈଵସ୍ୱତ ମନୁ → ମହାପ୍ରଳୟ ଓ ପୁନଃସୃଷ୍ଟି → ମନୁ-ଇଳାର ସନ୍ତାନ → ସୂର୍ଯ୍ୟଵଂଶ ଓ ଚନ୍ଦ୍ରଵଂଶ—ଏହି ଧାରାରେ ମାନଵ ଜାତିର ଉତ୍ପତ୍ତି ଓ ଵିସ୍ତାର ଘଟିଲା ବୋଲି ଭାରତୀୟ ପୁରାଣ ଶାସ୍ତ୍ରରେ ଉଲ୍ଲେଖ ଅଛି । ଏହା କେଵଳ ମାନଵ ଜାତିର ଉତ୍ପତ୍ତି ନୁହେଁ, ଵରଂ ସମଗ୍ର ସୃଷ୍ଟିକୁ ଏକ ଵିଶାଳ ପାରିଵାରିକ ଵୃକ୍ଷରେ ରୂପାନ୍ତରିତ କରେ। ଦେଵତା, ଅସୁର, ମାନଵ, ପଶୁ, ପକ୍ଷୀ—ସମସ୍ତେ ଏକ ସାଧାରଣ ମୂଳରୁ ଉତ୍ପନ୍ନ, ଯାହା ଏକତାର ରୂପକ ଅଟେ। ଵୈଵସ୍ୱତ ମନୁ ହିଁ ଵର୍ତ୍ତମାନ ମନ୍ୱନ୍ତରର ଆଦି ପିତା, ଯାହାଙ୍କ ସନ୍ତାନମାନେ ଆଜି ପୃଥିଵୀର ସମସ୍ତ ମାନଵଙ୍କ ପୂର୍ଵଜ। ପୁରାଣଗୁଡ଼ିକରେ ଏହି ଗାଥା ଵିଭିନ୍ନ ସଂସ୍କରଣରେ ଵର୍ଣ୍ଣିତ, କିନ୍ତୁ ମୂଳ ସତ୍ୟ ହେଉଛି ସମଗ୍ର ବ୍ରହ୍ମାଣ୍ଡର ଏକତା ଓ ମାନଵର ଦାୟିତ୍ୱ। 

ଵିଶ୍ୱର ଵିଭିନ୍ନ ସଂସ୍କୃତି ଓ ସଭ୍ୟତାରେ ମାନଵ ଜାତିର ଉତ୍ପତ୍ତିକୁ ନେଇ ଅନେକ ପୌରାଣିକ ଗାଥା ରହିଛି, ଯାହାସବୁ ମଣିଷର କଳ୍ପନାଶକ୍ତି, ପ୍ରକୃତିର ସହ ସମ୍ପର୍କ ଓ ଅଜ୍ଞାତର ରହସ୍ୟକୁ ପ୍ରତିଫଳିତ କରେ । ଚୀନର ପାଙ୍ଗୁ ଓ ନୁୱାଙ୍କ ଅଣ୍ଡା-ଭଙ୍ଗା ସୃଷ୍ଟିରୁ ଆରମ୍ଭ କରି ମିଶରର ଖ୍ନୁମ୍‌ଙ୍କ କୁମ୍ଭାର ଚକ, ଗ୍ରୀସ୍‌ର ପ୍ରୋମେଥିୟସ୍‌ଙ୍କ ଅଗ୍ନି-ଜୀଵନ୍ତ ମାଟି ପୁତ୍ତଳିକା, ମହାପ୍ଲାଵନ ପରେ ଡ୍ୟୁକାଲିୟନ୍‌ଙ୍କ ପଥର-ଫୋପାଡ଼ା ପୁନରୁତ୍ଥାନ, ମାୟାର ମକା-ମଣିଷ ଓ ଇନକାର ଭୀରାକୋଚାଙ୍କ ମାଟି-ରକ୍ତ ଗଠନ, ଆବ୍ରାହମିକ ଧର୍ମର ଆଦମ-ହାୱାଙ୍କ ପାପ ଫଳ ଭକ୍ଷଣ ଏଵଂ ଭାରତୀୟ ପୁରାଣର ବ୍ରହ୍ମା-କଶ୍ୟପ-ମନୁଙ୍କ ଵିଶାଳ ପାରିଵାରିକ ଵୃକ୍ଷ—ଏସବୁ କାହାଣୀ ଏକାଠି ମିଶି ମାନଵତାର ମୂଳ ପ୍ରଶ୍ନକୁ ଉଜାଗର କରେ: “ଆମେ କେଉଁଠାରୁ ଆସିଛୁ?” 

ଏହି ଗାଥାସବୁ ଧର୍ମୀୟ ଵିଶ୍ୱାସ, ନୈତିକ ଶିକ୍ଷା ଓ ସାଂସ୍କୃତିକ ପରିଚୟର ଆଧାର ହୋଇଥିଵିବେଳେ, ସେଥିରେ ସାଧାରଣ ସୂତ୍ର ରହିଛି—ମାଟି, ଜଳ, ଅଗ୍ନି, ପଥର ଓ ଦୈଵୀ ଶକ୍ତିର ମିଶ୍ରଣରୁ ଜୀଵନର ଉଦ୍ଭଵ, ଵିନାଶ ଓ ପୁନରୁତ୍ଥାନର ଚକ୍ର । ପ୍ରାଚୀନ ମଣିଷ ପ୍ରକୃତିର ଶକ୍ତିକୁ ଦେଖି ନିଜର ଉତ୍ପତ୍ତିକୁ ବୁଝିଵାକୁ ଚେଷ୍ଟା କରିଥିଲା, ଯାହା ଆଜି ଵୈଜ୍ଞାନିକ ଦୃଷ୍ଟିକୋଣରେ ଵିଵର୍ତ୍ତନ ଓ ଜୈଵିକ ପ୍ରକ୍ରିୟାରେ ପରିଣତ ହୋଇଛି । ତଥାପି ଏହି ପୌରାଣିକ ଆଖ୍ୟାନଗୁଡ଼ିକ ମାନଵ ମନର ଅମର କୌତୂହଳ ଓ ସମଗ୍ର ସୃଷ୍ଟି ସହ ଏକାତ୍ମତାର ପ୍ରତୀକ ହୋଇ ରହିଛି । ଏହା ଆମକୁ ଶିଖାଏ ଯେ ଭିନ୍ନତା ମଧ୍ୟରେ ମଧ୍ୟ ମାନଵତାର ମୂଳ ଏକ—ଜୀଵନର ଅନ୍ଵେଷଣ, ସଂଘର୍ଷ ଓ ଅସ୍ତିତ୍ୱର ଅନନ୍ତ ଯାତ୍ରା । 

ହଜାର ହଜାର ଵର୍ଷ ଧରି ଏହି ସବୁ ପୌରାଣିକ କାହାଣୀ ଲୋକ ସମାଜରେ ମାନଵ ଜାତିର ଉତ୍ପତ୍ତି ସମ୍ବନ୍ଧୀୟ ପ୍ରଶ୍ନର ପ୍ରାମାଣିକ ଉତ୍ତର ରୂପେ ପ୍ରତିଷ୍ଠିତ ହୋଇ ରହିଥିଲା । କିନ୍ତୁ ସେହି ସମୟରେ ଭିନ୍ନ ଭିନ୍ନ ମାନଵ ସଭ୍ୟତାରେ ପୃଥିଵୀରେ ଜୀଵଜଗତ ତଥା ମାନଵ ସୃଷ୍ଟି ସମ୍ବନ୍ଧରେ କେତେକ ଦାର୍ଶନିକ ମତ ମଧ୍ୟ ପ୍ରକାଶ ପାଇଥିଲା । 

କପିଳ ମୁନି ହିନ୍ଦୁ ଦର୍ଶନର ଅନ୍ୟତମ ପ୍ରାଚୀନ ଋଷି ଏଵଂ ସାଂଖ୍ୟ ଦର୍ଶନର ପ୍ରତିଷ୍ଠାତା ଵିଵେଚିତ ହୁଅନ୍ତି। ପୌରାଣିକ କାଳାନୁକ୍ରମ ଅନୁସାରେ ସେ ଖ୍ରୀ.ପୂ. ୭ମ ଶତାବ୍ଦୀ ଵା ତା’ ପୂର୍ଵରୁ ଜୀଵିତ ଥିଲେ। ମହାଭାରତ, ଭାଗଵତ ପୁରାଣ ଓ ଅନ୍ୟ ଗ୍ରନ୍ଥରେ ତାଙ୍କୁ ଵିଷ୍ଣୁଙ୍କ ଅଵତାର ଵା କର୍ଦ୍ଦମ ଋଷିଙ୍କ ପୁତ୍ର ରୂପେ ଉଲ୍ଲେଖ କରାଯାଏ। ତାଙ୍କର ମୂଳ ଗ୍ରନ୍ଥ ସାଂଖ୍ୟ ସୂତ୍ର ଲୁପ୍ତ ହୋଇଯାଇଥିଲେ ବି ତାଙ୍କ ପରଵର୍ତ୍ତୀ କାଳର ପଣ୍ଡିତମାନେ ଏହାକୁ ସଂରକ୍ଷଣ କରିଛନ୍ତି। ସାଂଖ୍ୟ ହେଉଛି ଦ୍ୱୈତଵାଦୀ ଦର୍ଶନ – ପୁରୁଷ (ଚେତନା) ଓ ପ୍ରକୃତି (ଜଡ଼) ଦୁଇ ସ୍ୱତନ୍ତ୍ର ତତ୍ତ୍ୱ। ଏହା ଯୋଗ, ଵୈଦାନ୍ତ ଓ ଆୟୁର୍ଵେଦର ମୂଳଦୁଆ।

ଈଶ୍ୱରକୃଷ୍ଣ (ଖ୍ରୀ.ଶ. ୩୫୦–୪୫୦, ଗୁପ୍ତ ଯୁଗ) କପିଳଙ୍କ ଚିନ୍ତାଧାରାକୁ ସାଂଖ୍ୟ କାରିକା (୭୨ ଶ୍ଲୋକ)ରେ ସଂକ୍ଷିପ୍ତ ଓ ସୁଗ୍ରଥିତ କରିଥିଲେ। ଏହା ପ୍ରଥମ ଲିଖିତ ସାଂଖ୍ୟ ଗ୍ରନ୍ଥ ଵୋଲି ଗ୍ରହଣ କରାଯାଏ।

ଈଶ୍ୱରକୃଷ୍ଣଙ୍କ ଅନୁସାରେ କପିଳଙ୍କ ସାଂଖ୍ୟ ସୂତ୍ରରେ ଉଲ୍ଲେଖ ଥିଲା ଯେ ଜୀଵ ସୃଷ୍ଟି ପ୍ରକୃତିର ଵିକାଶ ମାଧ୍ୟମରେ ହୁଏ। ଅଵ୍ୟକ୍ତ ପ୍ରକୃତିରୁ ମହତ୍ (ମହାନ୍ ଵୁଦ୍ଧି) ଉତ୍ପନ୍ନ ହୁଏ (ଶ୍ଲୋକ ୨୨)। ଏଥିରୁ ଅହଙ୍କାର ଓ ତିନି ଗୁଣ (ସତ୍ତ୍ୱ, ରଜସ୍, ତମସ୍) ସକ୍ରିୟ ହୁଅନ୍ତି। ସାତ୍ତ୍ୱିକ ଅହଙ୍କାରରୁ ମନ ଓ ୧୦ ଇନ୍ଦ୍ରିୟ (୫ ଜ୍ଞାନେନ୍ଦ୍ରିୟ + ୫ କର୍ମେନ୍ଦ୍ରିୟ), ତାମସିକରୁ ପଞ୍ଚତନ୍ମାତ୍ର (ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ) ଉତ୍ପନ୍ନ ହୁଏ (ଶ୍ଲୋକ ୨୫)। ତହିଁରୁ ପଞ୍ଚମହାଭୂତ (ଆକାଶ, ଵାୟୁ, ଅଗ୍ନି, ଜଳ, ପୃଥିଵୀ) ଗଠିତ (ଶ୍ଲୋକ ୩୯) ହୁଏ । ଏହି ଷୋଡଶ ଵିକାର (୧୧ ଇନ୍ଦ୍ରିୟ + ମନ + ୫ ମହାଭୂତ) ସଵୁ ଜୀଵର ଦେହ ଗଠନ କରେ।
ମନୁଷ୍ୟ ସୃଷ୍ଟି ପୁରୁଷର ପ୍ରକୃତି ସହ ସଂଯୋଗରୁ ହୁଏ। ପୁରୁଷ ନିଷ୍କ୍ରିୟ ଚେତନା; ପ୍ରକୃତି ସକ୍ରିୟ ଜଡ଼ ଅଟେ । ସେମାନଙ୍କ ମିଶ୍ରଣରୁ ଜୀଵ ଜାତ ହୁଏ। ଜୀଵଜଗତ ଗୁଣ ଅନୁସାରେ ସୋପାନକ୍ରମେ ଵିକଶିତ ହୋଇଛି । ତମସ୍ ପ୍ରଧାନ ଅର୍ଥାତ୍ ଉଦ୍ଭିଦ, ଅଚେତନ (ମୂଳ ସ୍ତର) । ରଜସ୍ ପ୍ରଧାନ ଅର୍ଥାତ୍ ପଶୁ, ମଧ୍ୟମ ଚେତନା । ସତ୍ତ୍ୱ ପ୍ରଧାନ ଅର୍ଥାତ୍ ମନୁଷ୍ୟ, ଦେଵତା (ଉଚ୍ଚ ସ୍ତର) । ଏହା ବ୍ରହ୍ମାଠାରୁ ତୃଣ ପର୍ଯ୍ୟନ୍ତ ଵିସ୍ତୃତ (ଶ୍ଲୋକ ୫୪)। ଏହି କ୍ରମିକ ଵିକାଶ ଆଧୁନିକ ଵିଵର୍ତ୍ତନ ସିଦ୍ଧାନ୍ତର ଏକ ପ୍ରାଚୀନ ସମାନ୍ତରାଳ ରୂପେ ଗ୍ରହଣ କରାଯାଏ, ଯଦିଓ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ସହ ଯୋଡ଼ାଯାଇଛି। ମୁକ୍ତି ପାଇଁ ପୁରୁଷର ପ୍ରକୃତିରୁ ଵିଚ୍ଛେଦ ଆଵଶ୍ୟକ ବୋଲି ଏଥିରେ କୁହାଯାଇଛି ।

ତେବେ ଷଷ୍ଠ ଶତାବ୍ଦୀରେ ଗ୍ରୀକ୍ ଦାର୍ଶନିକ Anaximander (ଆନୁମାନିକ ୬୧୦–୫୪୬ ଖ୍ରୀ.ପୂ.)ଙ୍କ ମନରେ ଯେତେବେଳେ ଏହି ପ୍ରଶ୍ନ ଉଠିଲା ସେ ଵର୍ଷ ଵର୍ଷ ଧରି ଏହା ଵିଷୟରେ ଚିନ୍ତନ ଓ ପଠନ କରି କହିଥିଲେ ଯେ ମଣିଷ ଜଳଚର ପ୍ରାଣୀଠାରୁ ଉତ୍ପନ୍ନ ହୋଇଛି। Anaximanderଙ୍କ ଅନୁସାରେ ପୃଥିଵୀର ପ୍ରଥମ ଜୀଵମାନେ ସମୁଦ୍ରରେ ରହୁଥିଲେ ଏଵଂ ସେମାନଙ୍କ ମଧ୍ୟରୁ କେତେକ ଧୀରେ ଧୀରେ ସ୍ଥଳଭାଗକୁ ଆସି ମଣିଷର ରୂପ ନେଇଥିଲେ। ଏହା ଥିଲା ଏକ ପ୍ରକାର ପ୍ରାକ୍-ଵିଵର୍ତ୍ତନୀୟ ଧାରଣା ଯାହା ଆଜିର ଆଧୁନିକ ଵିଵର୍ତ୍ତନ ସିଦ୍ଧାନ୍ତର ଦୂରଵର୍ତ୍ତୀ ସ୍ଵରୂପ ଥିଲା। Anaximander ଜଳଚର ପ୍ରାଣୀକୁ ମଣିଷର ପୂର୍ଵଜ ରୂପେ କଳ୍ପନା କରିଥିଲେ ଏଵଂ ସେ ସମୟରେ ତାହା ଏକ ଅତ୍ୟନ୍ତ ଅସାଧାରଣ ଵିଚାର ଥିଲା । 

ଅଵଶ୍ୟ Anaximanderଙ୍କର ମୌଳିକ ରଚନା “On Nature” ଆଜି ଉପଲବ୍ଧ ନାହିଁ; କେଵଳ ପରଵର୍ତ୍ତୀ ଲେଖକମାନଙ୍କ ଉଦ୍ଧୃତି ଓ ସାରାଂଶ ମାଧ୍ୟମରେ ତାଙ୍କ ଧାରଣା ଜଣାପଡ଼େ। ମାନଵ ଉତ୍ପତ୍ତି ଵିଷୟରେ ତାଙ୍କର ସବୁଠାରୁ ସମ୍ପୂର୍ଣ୍ଣ ଓ ନିର୍ଭରଯୋଗ୍ୟ ଵର୍ଣ୍ଣନା ରୋମାନ୍ ଯୁଗର ଗ୍ରୀକ୍ ଲେଖକ ପ୍ଲୁଟାର୍କ (Plutarch, ଆନୁମାନିକ ୪୬–୧୨୦ ଖ୍ରୀ.)ଙ୍କ ରଚନା Symposiacs (Table Talk)ର ବହି ୮, ପ୍ରଶ୍ନ ୮ରୁ ମିଳେ। ଏହା ହେଉଛି ପ୍ରାଚୀନ ଉତ୍ସ ମଧ୍ୟରେ ସବୁଠାରୁ ସିଧାସଳଖ ଓ ଵିସ୍ତୃତ ଉଦ୍ଧୃତି।

ପ୍ଲୁଟାର୍କଙ୍କ ଉଦ୍ଧୃତି ଅନୁସାରେ Anaximander କହିଥିଲେ : “ὁ Ἀναξίμανδρος ἔφη γεγονέναι τὰ ζῷα πάντα ἐξ ὑγροῦ· ἄνθρωπον δὲ πρῶτον ἐν ἑτέροις ζῴοις γεννηθῆναι ὁμοίοις ἰχθύσιν.

ଅର୍ଥାତ୍ Anaximanderଙ୍କ ଅନୁସାରେ ସମସ୍ତ ଜୀଵ ଜଳରୁ (moisture) ଉତ୍ପନ୍ନ।
ମଣିଷ ସିଧାସଳଖ ନୁହେଁ ଵରଂ ମାଛ ପରି ଜଳଚର ଜୀଵଙ୍କ ଭିତରେ ଭ୍ରୂଣ ରୂପେ ବଢ଼ିଥିଲା। ଏହି ଜୀଵମାନେ କଞ୍ଚା ଆବରଣ ଭିତରେ ରହି ବୃଦ୍ଧି ପାଇଥିଲେ।
ପରେ ଏହି ଆଵରଣ ଫାଟିଗଲା ଓ ସମ୍ପୂର୍ଣ୍ଣ ବୃଦ୍ଧି ପ୍ରାପ୍ତ ମଣିଷ ସ୍ଥଳଭାଗକୁ ଆସିଥିଲା।
ଏହା ଥିଲା ପ୍ରାକ୍-ଡାର୍ବିନୀୟ ଵିଵର୍ତ୍ତନ ଧାରଣାର ପ୍ରଥମ ଲିଖିତ ରୂପ – ଯାହା ଆଜିର ଆଧୁନିକ ଵିଵର୍ତ୍ତନ ସିଦ୍ଧାନ୍ତର ଦୂରଵର୍ତ୍ତୀ ପୂର୍ଵସୂରୀ। Anaximanderଙ୍କର ଏହି ଧାରଣା ପରଵର୍ତ୍ତୀ ସମୟରେ ଅନ୍ୟ ଚିନ୍ତାଵିଦ୍‌ମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇଥିଲା। 

କିନ୍ତୁ Anaximanderଙ୍କର ବହୁତ ପୂର୍ଵରୁ ଏକଥା ପରୋକ୍ଷରେ ହିନ୍ଦୁ ପୁରାଣଗୁଡ଼ିକରେ କହିଦିଆଯାଇଥିଲା ଯେ ଜଳଚର ଜୀଵଙ୍କଠାରୁ ଵିଵର୍ତ୍ତନ ପ୍ରକିୟାରେ ସ୍ଥଳଚର ଜୀଵ ସୃଷ୍ଟି ହୋଇଛନ୍ତି । ଵିଷ୍ଣୁଙ୍କର ଦଶାଵତାର ଗାଥା ଏକ ସ୍ପଷ୍ଟ ଵିଵର୍ତ୍ତନୀୟ କ୍ରମ ଦେଖାଏ । ମତ୍ସ୍ୟଵତାର କହେ ଜଳରୁ ଜୀଵ ଆରମ୍ଭ ହୋଇଛି।କୂର୍ମ ଅଵତାର କହେ ଏହାପରେ ଉଭୟଚର ଜୀଵ ସୃଷ୍ଟି ହେଲେ ଏଵଂ ଜଳ ଓ ସ୍ଥଳ ଉଭୟ କ୍ଷେତ୍ରରେ ରହିଲେ ।ଵରାହ ଅଵତାର କହେ ଏହାପରେ ପୂର୍ଣ୍ଣାଙ୍ଗ ସ୍ଥଳଚର ଜୀଵ ଜାତ ହେଲେ । ନୃସିଂହ ଅଵତାର କହେ ଏହାପରେ ସ୍ତନ୍ୟପାୟୀ ଓ ପ୍ରାଇମେଟ୍ ଜାତୀୟ ଜୀଵ ହେଲେ । ଵାମନ ଅଵତାର କହେ ତହୁଁ ଛୋଟ ମଣିଷ ଜାତ ହେଲେ । ଵୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ସତ୍ୟ କାରଣ ଆଜକୁ ସାତ ନିୟୁତ ଵର୍ଷ ତଳେ ଆମର ସବୁଠାରୁ ଆଦିମ ପୂର୍ଵଜ Sahelanthropus tchadensis ମାତ୍ର ୩ ଫୁଟ୍ ୬ ଇଞ୍ଚ୍‌ରୁ ଚାରି ଫୁଟ୍ ଉଚ୍ଚତା ଵିଶିଷ୍ଟ ହେଉଥିଲେ । ୩.୨ ନିୟୁତ ଵର୍ଷ ତଳେ ଆମ ଆଦିମ ପୂର୍ଵଜ Australopithecus afarensis (Lucy) ମାତ୍ର ୩ ଫୁଟ୍ ପାଞ୍ଚ୍ ଇଞ୍ଚ୍‌ରୁ ୪ ଫୁଟ୍ ୧୧ ଇଞ୍ଚ୍ ଉଚ୍ଚ ହେଉଥିଲେ । ଏହାପରେ ୨.୩ ନିୟୁତରୁ ୧.୪ ନିୟୁତ ଵର୍ଷ ମଧ୍ୟରେ ପୃଥିଵୀରେ ଚଳପ୍ରଚଳ କରୁଥିଵା ଆମ ପୂର୍ଵଜ Homo habilisମାନେ ୪ ଫୁଟରୁ ୪.୯ ଫୁଟ୍ ଉଚ୍ଚତାର ହେଉଥିଲେ ।
୧.୯ ନିୟୁତରୁ ୦.୧ ନିୟୁତ ଵର୍ଷ ତଳେ Homo erectusମାନେ ୪ ଫୁଟ୍ ୯ ଇଞ୍ଚ୍‌ରୁ ୬.୧ ଫୁଟ୍ ପର୍ଯ୍ୟନ୍ତ ଉଚ୍ଚ ହେଉଥିଲେ । ଏଥିରୁ ସ୍ପଷ୍ଟ ଯେ ଆଗେ ଵାମନ ମନୁଷ୍ୟ ହେଉଥିଲେ ଏଵଂ ଶେଷରେ ରାମ, କୃଷ୍ଣ, ବୁଦ୍ଧ ଭଳି ପୂର୍ଣ୍ଣ ମାନଵ ରୂପର ମନୁଷ୍ୟ ସୃଷ୍ଟି ହେଲେ ।

ଏହା Anaximanderଙ୍କ ଜଳଚର-ଠାରୁ-ସ୍ଥଳଚର-ମଣିଷ ଧାରଣା ସହ ସମାନ, କିନ୍ତୁ ଏହା ହଜାର ଵର୍ଷ ପୂର୍ଵରୁ ପୌରାଣିକ ଆଖ୍ୟାନ ମଧ୍ୟରେ ଵର୍ଣ୍ଣିତ ହୋଇଅଛି । ପୁରାଣଗୁଡ଼ିକରେ ଏହାକୁ ଦୈଵୀ ଅଵତାର ରୂପେ ଦର୍ଶାଯାଇଛି କିନ୍ତୁ ଏହି ଦଶାଵତାର ମଧ୍ୟରେ ଆଶ୍ଚର୍ଯ୍ୟଜନକ ଭାବେ ପ୍ରାକୃତିକ ଅନୁକ୍ରମ (adaptation to environment)ର ସୂଚନା ଦିଆଯାଇଛି।

ଅସ୍ତୁ Anaximanderଙ୍କ ପରେ ଅନ୍ୟ ଜଣେ ଗ୍ରୀକ୍ ଦାର୍ଶନିକ Empedocles (ଆନୁମାନିକ ୪୯୪–୪୩୪ ଖ୍ରୀ.ପୂ.) ଆଉ ଏକ ଅଲଗା ଧାରଣା ଦେଇଥିଲେ। ସେ କହିଥିଲେ ଯେ ପ୍ରାଣୀମାନଙ୍କର ଅଙ୍ଗପ୍ରତ୍ୟଙ୍ଗ ଯାଦୃଚ୍ଛିକ ଭାଵେ ମିଶି ଵିଭିନ୍ନ ରୂପ ହୁଏ ଏଵଂ ଯେଉଁ ରୂପମାନ ପରିଵେଶ ସହ ଖାପ ଖୁଆଇ ପାରୁଥାଏ ସେଗୁଡ଼ିକ ଵଞ୍ଚି ରହିଥାଏ ଅନ୍ୟମାନ ଲୋପ ପାଇଯାଏ । ଏହା ଥିଲା ପ୍ରାକୃତିକ ଚୟନର ଏକ ଅସ୍ପଷ୍ଟ ଚିତ୍ରଣ ଯାହା ପରେ Darwinଙ୍କ ସିଦ୍ଧାନ୍ତର ଏକ ବୀଜ ରୂପେ କାମ କରିଥିଲା। Empedocles ମଣିଷକୁ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନକରି ସାଧାରଣ ପ୍ରାଣୀଜଗତର ଵିକାଶକୁ ନେଇ ଏହି ଧାରଣା ଦେଇଥିଲେ। ତାଙ୍କ ଦ୍ବାରା ପ୍ରଦତ୍ତ ଏହି ଧାରଣା ଦ୍ଵାରା ଅନେକ ଅଦ୍ଭୁତ ପ୍ରାଣୀଙ୍କ ଉତ୍ପତ୍ତି ଓ ଲୋପ ପାଇଯିଵା ସମ୍ବନ୍ଧରେ ମଧ୍ୟ ସେତେବେଳେ ଵାଖ୍ୟା କରାଯାଇପାରିଥିଲା ।

ଏହି ସମୟରେ Aristotle (୩୮୪–୩୨୨ ଖ୍ରୀ.ପୂ.) ପ୍ରାଣୀଜଗତକୁ ଏକ ସ୍ଥିର ସୋପାନରେ ସଜାଇଥିଲେ ଯହିଁରେ ମଣିଷ ସର୍ଵୋଚ୍ଚ ସ୍ଥାନରେ ଥିଲା। ସେ ଵାନର ଓ ମଣିଷଙ୍କ ମଧ୍ୟରେ ଶାରୀରିକ ସମାନତାକୁ ପର୍ଯ୍ୟଵେକ୍ଷଣ କରିଥିଲେ କିନ୍ତୁ ଏହାକୁ ଵଂଶାନୁକ୍ରମିକ ସମ୍ପର୍କ ରୂପେ ଗ୍ରହଣ କରିନଥିଲେ। Aristotleଙ୍କ ଵିଶ୍ୱଦୃଷ୍ଟିରେ ସମସ୍ତ ପ୍ରଜାତି ଅପରିଵର୍ତ୍ତନୀୟ ଥିଲା ଏଵଂ ଦୈଵୀ ସୃଷ୍ଟିର ଅଂଶ ଥିଲା। ତାଙ୍କର ଏହି ସୋପାନ ଧାରଣା ପରଵର୍ତ୍ତୀ ଶତାବ୍ଦୀଗୁଡ଼ିକରେ ଅନେକ ଚିନ୍ତାଵିଦମାନଙ୍କୁ ପ୍ରଭାଵିତ କରିଥିଲା ଅଵଶ୍ୟ ଏହା ଵିଵର୍ତ୍ତନ ମତଵାଦର ଅନେକାଂଶରେ ଵିରୋଧୀ ମତ ଥିଲା। ତେବେ ଗ୍ରୀକ୍ ଯୁଗର ଏହି ସମସ୍ତ ଦାର୍ଶନିକ ଚିନ୍ତାଧାରା ମଣିଷର ଉତ୍ପତ୍ତିକୁ ପ୍ରାକୃତିକ ପ୍ରକ୍ରିୟା ସହ ଯୋଡ଼ିଵାର ପ୍ରଥମ ପ୍ରଚେଷ୍ଟା ଥିଲା ଯାହା ଧର୍ମୀୟ ପୌରାଣିକ କାହାଣୀଠାରୁ ଅଲଗା ଥିଲା।

ମଧ୍ୟଯୁଗରେ ଧର୍ମୀୟ ପ୍ରଭାଵ ଅତ୍ୟନ୍ତ ପ୍ରଵଳ ହୋଇଯାଇଥିଲା ତଥାପି କେତେକ ଚିନ୍ତାଵିଦ୍ ପ୍ରାକୃତିକ ପ୍ରକ୍ରିୟାର ସୂଚନା ଦେଇଥିଲେ। ଖ୍ରୀଷ୍ଟିଆନ୍ ଧର୍ମତତ୍ତ୍ୱଵିତ୍ Augustine (୩୫୪–୪୩୦ ଖ୍ରୀ.ଶ.) ବାଇବେଲର ଜେନେସିସ୍‌କୁ ରୂପକାତ୍ମକ ଭାବେ ଵ୍ୟାଖ୍ୟା କରି ରେସିଓନେସ୍ ସେମିନାଲେସ୍ ନାମକ ଏକ ଧାରଣା ଲୋକଲୋଚନକୁ ଆଣିଥିଲେ। ସେ କହିଥିଲେ ଯେ ସୃଷ୍ଟି ଏକ ସମୟରେ ହୋଇଥିଲା କିନ୍ତୁ ପ୍ରାଣୀମାନେ ଧୀରେ ଧୀରେ ଵିକଶିତ ହୋଇ ନିଜର ଵର୍ତ୍ତମାନ ରୂପ ପ୍ରାପ୍ତ ହୋଇଛନ୍ତି। ଏହା ଥିଲା ଏକ ପ୍ରକାର ପ୍ରାକ୍-ଵିଵର୍ତ୍ତନୀୟ ମତ ଯାହା ଧର୍ମୀୟ ଵିଶ୍ୱାସ ସହ ମିଶ୍ରିତ କରି ଉପସ୍ଥାପନ କରାଯାଇଥିଲା। Augustineଙ୍କ ଏହି ଧାରଣା ମଣିଷକୁ ଅନ୍ୟ ପ୍ରାଣୀଠାରୁ ଉତ୍ପନ୍ନ ହେଵାର ସମ୍ଭାଵନାକୁ ସୂଚାଇଥିଲା ମାତ୍ର ଏହା ସ୍ପଷ୍ଟ ନଥିଲା। ସେହି ସମୟରେ ଅନ୍ୟ ଜଣେ ଧର୍ମତତ୍ତ୍ୱଵିତ୍ Thomas Aquinas (୧୨୨୫–୧୨୭୪ ଖ୍ରୀ.ଶ.) ଦୈଵୀ ଆଦେଶକୁ ପ୍ରାକୃତିକ ପ୍ରକ୍ରିୟା ସହ ଯୋଡ଼ି ଜୀଵଜାତିମାନଙ୍କର ଵିକାଶକୁ ଵୁଝାଇଥିଲେ। ସେ ଜୀଵଜାତିଗୁଡ଼ିକୁ ଅପରିଵର୍ତ୍ତନୀୟ ଭାବେ ଦେଖୁଥିଲେ ଏଵଂ ମଣିଷକୁ ସ୍ୱର୍ଗୀୟ ସୃଷ୍ଟିର ଅଂଶ ରୂପେ ଗ୍ରହଣ କରିଥିଲେ। Thomas Aquinasଙ୍କ ମତ ଅନୁସାରେ ଧର୍ମ ଓ ପ୍ରକୃତିର ଏକ ସମନ୍ୱୟ ଥିଲା କିନ୍ତୁ ଵିଵର୍ତ୍ତନକୁ Aquinas ସମ୍ପୂର୍ଣ୍ଣ ସ୍ୱୀକାର କରିନଥିଲେ।

ଅଷ୍ଟମ ଶତାବ୍ଦୀ ବେଳକୁ ଇସଲାମୀୟ ଜଗତରେ ମଧ୍ୟ ସମାନ ଧରଣର ଚିନ୍ତାଧାରା ଵିକଶିତ ହେଉଥିଲା। Al-Jahiz (୭୭୬–୮୬୮/୮୬୯ ଖ୍ରୀ.ଶ.) ନାମକ ଜଣେ ଇସଲାମୀୟ ଵିଜ୍ଞାନୀ ତାଙ୍କ ପୁସ୍ତକ Kitab al-Hayawan (ଆନୁମାନିକ ୮୪୭ ଖ୍ରୀ.ଶ. ପ୍ରକାଶିତ)ରେ ପ୍ରାଣୀମାନଙ୍କ ମଧ୍ୟରେ ସଂଘର୍ଷ ଓ ପରିଵେଶ ଅନୁକୂଳନର ଵର୍ଣ୍ଣନା କରିଥିଲେ। ସେ ପ୍ରାକୃତିକ ଚୟନର ଏକ ପ୍ରାଥମିକ ରୂପ ଉପସ୍ଥାପନ କରିଥିଲେ ଯାହା ପରେ Darwinଙ୍କ ସିଦ୍ଧାନ୍ତ ସହ ଆଶ୍ଚର୍ଯ୍ୟଜନକ ସମାନତା ଦେଖାଇଥାଏ। Al-Jahiz ମଣିଷକୁ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନକରି ସାଧାରଣ ପ୍ରାଣୀଜଗତର ଉଦ୍ବର୍ତ୍ତନ(survival) ଓ ଅନୁକୂଳନକୁ ନେଇ ଲେଖିଥିଲେ। ତାଙ୍କ ଏହି ଚିନ୍ତା ଇସଲାମିକ୍ ସୁଵର୍ଣ୍ଣଯୁଗର ଵୈଜ୍ଞାନିକ ଅଗ୍ରଗତିର ଏକ ଉଦାହରଣ ଥିଲା। ସେହି ସମୟରେ ଅନ୍ୟ ଜଣେ ମୁସଲିମ୍ ଚିନ୍ତାଵିତ୍ Ibn Khaldun (୧୩୩୨–୧୪୦୬ ଖ୍ରୀ.ଶ.) ତାଙ୍କ ପୁସ୍ତକ Muqaddimah (୧୩୭୭ ଖ୍ରୀ.ଶ. ରଚିତ) ରେ ଵାନର ଓ ମଣିଷଙ୍କ ମଧ୍ୟରେ ଶାରୀରିକ ଓ ଆଚରଣଗତ ସମାନତା ପର୍ଯ୍ୟଵେକ୍ଷଣ କରିଥିଲେ। ସେ ଵାନରମାନଙ୍କର ସମାଜ ଗଠନ ଓ ନେତୃତ୍ୱର କଥା ଉଲ୍ଲେଖ କରିଥିଲେ କିନ୍ତୁ ଏହାକୁ ଵଂଶାନୁକ୍ରମିକ ଵିକାଶ ରୂପେ ନୁହେଁ ଵରଂ ଆରିଷ୍ଟୋଟେଲୀୟ ସୋପାନ ଅଵଲମ୍ବନରେ ପ୍ରକୃତିର ଅଂଶ ରୂପେ ଦେଖିଥିଲେ। Ibn Khaldunଙ୍କ ଏହି ପର୍ଯ୍ୟଵେକ୍ଷଣ ମଣିଷ ଓ ଵାନରଙ୍କ ମଧ୍ୟରେ ସମ୍ପର୍କକୁ ନେଇ ପ୍ରଥମ ଲିଖିତ ଉଲ୍ଲେଖ ମଧ୍ୟରୁ ଅନ୍ୟତମ ଥିଲା କିନ୍ତୁ ଏହା ଆଧୁନିକ ଵିଵର୍ତ୍ତନ ମତଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ମଧ୍ୟଯୁଗର ଏହି ଚିନ୍ତାଧାରା ଧର୍ମୀୟ ପ୍ରଭାଵ ମଧ୍ୟରେ ମଧ୍ୟ ପ୍ରାକୃତିକ ଵ୍ୟାଖ୍ୟାର ଏକ ସୂକ୍ଷ୍ମ ଧାରା ଵହନ କରିଥିଲା।

ରେନେସାଂସ୍ ଯୁଗରେ ଵୈଜ୍ଞାନିକ ପଦ୍ଧତିର ଉଦୟ ସହ ଧର୍ମୀୟ ପ୍ରଭାଵ କମିଵାକୁ ଲାଗିଲା ଏଵଂ ପ୍ରାକୃତିକ ଵ୍ୟାଖ୍ୟା ପ୍ରାଧାନ୍ୟ ପାଇଲା। ୧୫ଶ ଶତାବ୍ଦୀରେ Lucretiusଙ୍କ‌ ଦ୍ଵାରା ପ୍ରଥମ ଶତାବ୍ଦୀ ଖ୍ରୀ.ପୂ. ରଚିତ De Rerum Naturaର ପୁନରୁଦ୍ଧାର ହୋଇଥିଲା । ଏଥିରେ ପ୍ରାଣୀଙ୍କ ଉତ୍ପତ୍ତି ଅଣୁମାନଙ୍କରୁ ହୋଇଥାଏ ବୋଲି କୁହାଯାଇଛି। ଏହା ଦୈଵୀ ହସ୍ତକ୍ଷେପ ଵିନା ପ୍ରାଣୀଜଗତର ଵିକାଶକୁ ଵୁଝାଇଥିଲା ଯାହା ଏକ ଯୁଗାନ୍ତକାରୀ ଚିନ୍ତା ଥିଲା। Lucretiusଙ୍କ ଏହି ପୁସ୍ତକ ରେନେସାଂସ୍ ଚିନ୍ତାଵିଦ୍‌ମାନଙ୍କୁ ଅତ୍ୟନ୍ତ ପ୍ରଭାଵିତ କରିଥିଲା। ଫ୍ରାନ୍ସର ଵିଜ୍ଞାନୀ Buffon (୧୭୦୭–୧୭୮୮) ତାଙ୍କ Histoire Naturelle (୧୭୪୯–୧୭୮୮ ମଧ୍ୟରେ ପ୍ରକାଶିତ)ରେ ଜୀଵଜାତିମାନେ ପରିଵେଶର ପ୍ରଭାଵରେ ପରିଵର୍ତ୍ତିତ ହୁଅନ୍ତି ଵୋଲି ପ୍ରମାଣ କରିଥିଲେ। ସେ ମଣିଷ ଓ ଵାନରଙ୍କ ସମାନତା ଉଲ୍ଲେଖ କରି ସାଧାରଣ ପୂର୍ଵଜର ସମ୍ଭାଵନା ଦେଖାଇଥିଲେ କିନ୍ତୁ ପରେ ଧର୍ମୀୟ ଚାପରେ ଏହା ପ୍ରତ୍ୟାହାର କରି ନେଇଥିଲେ। Buffonଙ୍କ ଏହି ଧାରଣା ଵିଵର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ପୂର୍ଵଗାମୀ ରୂପ ଥିଲା। ସେହି ସମୟରେ Diderot (୧୭୧୩–୧୭୮୪) ଓ d’Alembert (୧୭୧୭–୧୭୮୩) (ପରୀକ୍ଷା-ନିରୀକ୍ଷା ମାଧ୍ୟମରେ)ଜୀଵଜାତିର ପରିଵର୍ତ୍ତନ ସମ୍ଭବ ଵୋଲି କହିଥିଲେ। ସେମାନେ ମଣିଷକୁ ଏକ ଵିଶେଷ ସ୍ଥାନରେ ରଖିଥିଲେ କିନ୍ତୁ ପ୍ରାଣୀଜଗତର ଵିକାଶକୁ ସ୍ୱୀକାର କରିଥିଲେ। ଇଂଲଣ୍ଡର Erasmus Darwin (୧୭୩୧–୧୮୦୨) ଜୁନୋମିଆ (୧୭୯୪–୧୭୯୬ ମଧ୍ୟରେ ପ୍ରକାଶିତ)ରେ ସମସ୍ତ ଉଷ୍ଣରକ୍ତଯୁକ୍ତ ପ୍ରାଣୀ ଏକ ଏକକ ସୂତ୍ରରୁ ଵିକଶିତ ହୋଇଛନ୍ତି ବୋଲି କଳ୍ପନା କରିଥିଲେ। ଏହା ତାଙ୍କ ନାତି Charles Darwinଙ୍କ ଵିଵର୍ତ୍ତନ ସିଦ୍ଧାନ୍ତର ଏକ ପ୍ରାଥମିକ ରୂପ ଥିଲା। Erasmus Darwin ଙ୍କ ଏହି ଚିନ୍ତା ରେନେସାଂସ୍ ଓ ଏନ୍ଲାଇଟେନ୍ମେଣ୍ଟ୍ ଯୁଗର ଵୈଜ୍ଞାନିକ ଉନ୍ନତିର ଏକ ଉଜ୍ଜ୍ୱଳ ଉଦାହରଣ ଥିଲା। ଏହି ଯୁଗରେ ଵୈଜ୍ଞାନିକ ପର୍ଯ୍ୟଵେକ୍ଷଣ ଓ ଯୁକ୍ତି ପ୍ରାଧାନ୍ୟ ପାଇଲା ଯାହା ପରଵର୍ତ୍ତୀ ସମୟରେ ଵିଵର୍ତ୍ତନ ସିଦ୍ଧାନ୍ତର ଭିତ୍ତିଭୂମି ପ୍ରସ୍ତୁତ କରିଥିଲା।

ପ୍ରାକ୍-ଡାର୍ୱିନୀୟ ସମୟରେ ଵିଵର୍ତ୍ତନ ଧାରଣା ପ୍ରଭାଵ ପଡ଼ିଵା ଆରମ୍ଭ ହୋଇଥିଲା କିନ୍ତୁ ଏହା ସେତେବେଳେ ଏକ ସମ୍ପୂର୍ଣ୍ଣ ଵୈଜ୍ଞାନିକ ଭିତ୍ତିଭୂମି ପାଇନଥିଲା। ଫ୍ରାନ୍ସର Jean-Baptiste Lamarck (୧୭୪୪–୧୮୨୯) ଫିଲୋସୋଫି ଜୁଓଲୋଜିକ୍ (୧୮୦୯ ପ୍ରକାଶିତ)ରେ ଅଧିଗତ ଗୁଣାଙ୍କ ଉତ୍ତରାଧିକାର ମାଧ୍ୟମରେ ପ୍ରଜାତିର ଵିକାଶ ଵର୍ଣ୍ଣନା କରିଥିଲେ। ସେ ମଣିଷକୁ ନିମ୍ନତର ପ୍ରାଣୀଙ୍କ ଅନୁସରଣରେ ଵିକଶିତ ବୋଲି ଦେଖାଇଥିଲେ କିନ୍ତୁ ପ୍ରାଇମେଟ୍‌ ମୂଳରୁ ସୃଷ୍ଟି ହୋଇଛନ୍ତି ବୋଲି କହିନଥିଲେ । Lamarckଙ୍କ ଏହି ସିଦ୍ଧାନ୍ତ ଅନେକ ସମାଲୋଚନାର ଶିକାର ହୋଇଥିଲା କିନ୍ତୁ ଵିଵର୍ତ୍ତନକୁ ନେଇ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଚେଷ୍ଟା ଥିଲା। ସ୍କଟଲ୍ୟାଣ୍ଡର Robert Chambers (୧୮୦୨–୧୮୭୧) ଵେଷ୍ଟିଜେସ୍ ଅଫ୍ ଦ ନାଟୁରାଲ୍ ହିଷ୍ଟୋରି ଅଫ୍ କ୍ରିଏସନ୍ (୧୮୪୪ ଅଜ୍ଞାତ ନାମରେ ପ୍ରକାଶିତ)ରେ ପ୍ରଗତିଶୀଳ ଵିକାଶର ଏକ କାହାଣୀ ରଚନା କରିଥିଲେ। ସେ ମଣିଷକୁ ପ୍ରାଣୀଜଗତର ଏକ ଅଂଶ ରୂପେ ଉପସ୍ଥାପନ କରିଥିଲେ ଯାହା ଵିଜ୍ଞାନୀୟ ସମାଜରେ ଵିଵାଦ ସୃଷ୍ଟି କରିଥିଲା କିନ୍ତୁ ଜନସାଧାରଣରେ ଵିଵର୍ତ୍ତନ ଧାରଣାକୁ ଲୋକପ୍ରିୟ କରିଥିଲା। Chambersଙ୍କ ପୁସ୍ତକ ଅଜ୍ଞାତ ନାମରେ ପ୍ରକାଶିତ ହୋଇଥିଲା ଯାହା ତାର ଵିଵାଦାସ୍ପଦ ଵିଷୟଵସ୍ତୁକୁ ନେଇ ଥିଲା। 

ସେହି ସମୟରେ ସ୍ୱିଜରଲ୍ୟାଣ୍ଡର Louis Agassiz (୧୮୦୭–୧୮୭୩) , Polygenismର ସମର୍ଥନ କରି ଶ୍ୱେତ,କୃଷ୍ଣ,ଏସୀୟ ଇତ୍ୟାଦି ଵିଭିନ୍ନ ମାନଵଗୋଷ୍ଠୀମାନେ ଭିନ୍ନ ଭିନ୍ନ ମୂଳରୁ ସୃଷ୍ଟି ହୋଇଥିଵା କଥା କହିଥିଲେ। ସେ ଵୈଜ୍ଞାନିକ ଜାତିଵାଦକୁ ପ୍ରୋତ୍ସାହିତ କରିଥିଲେ। Agassizଙ୍କ ଏହି ଧାରଣା ଅନେକ ଵିଜ୍ଞାନୀଙ୍କୁ ପ୍ରଭାଵିତ କରିଥିଲା କିନ୍ତୁ ଏହା ପରେ ଅସତ୍ୟ ପ୍ରମାଣିତ ହୋଇଥିଲା। ସେତେବେଳେ ଵିଵର୍ତ୍ତନ ଧାରଣା ଵିଭିନ୍ନ ରୂପ ନେଉଥିଲା ଏଵଂ ଵୈଜ୍ଞାନିକ ସମାଜରେ ଏହା ନେଇ ତୀଵ୍ର ଵିତର୍କ ଲାଗି ରହିଥିଲା।

ଡାର୍ୱିନୀୟ ଯୁଗରେ ଏହି ସମସ୍ତ ଧାରଣା ଏକ ସମ୍ପୂର୍ଣ୍ଣ ଵୈଜ୍ଞାନିକ ଭିତ୍ତିଭୂମି ପାଇଥିଲା। Charles Darwin (୧୮୦୯–୧୮୮୨) ଅନ୍ ଦ ଅରିଜିନ୍ ଅଫ୍ ସ୍ପିସିଜ୍ (୧୮୫୯ ପ୍ରକାଶିତ)ରେ ପ୍ରାକୃତିକ ଚୟନ ମାଧ୍ୟମରେ ପ୍ରଜାତିର ଵିଵର୍ତ୍ତନ ଵର୍ଣ୍ଣନା କରିଥିଲେ। ସେ ମଣିଷଙ୍କ ଉତ୍ପତ୍ତିରେ ସୂକ୍ଷ୍ମ ଉଲ୍ଲେଖ କରିଥିଲେ କିନ୍ତୁ ଦ ଡିସେଣ୍ଟ୍ ଅଫ୍ ମ୍ୟାନ୍ (୧୮୭୧ ପ୍ରକାଶିତ)ରେ ସ୍ପଷ୍ଟ ଭାବେ କହିଥିଲେ ଯେ ମଣିଷ ଜାତି ପ୍ରାଇମେଟ୍‌ ଵର୍ଗ (order)ରୁ ପ୍ରାକୃତିକ ଓ ଲିଙ୍ଗୀୟ ଚୟନ ମାଧ୍ୟମରେ ଵିକଶିତ ହୋଇଛି। ସେ ମଣିଷର ମନସ୍ତତ୍ତ୍ୱକୁ ପ୍ରାଣୀମାନଙ୍କ ସହ ସମାନ ବୋଲି ନିଜ ପୁସ୍ତକ 
ଦ ଡିସେଣ୍ଟ୍ ଅଫ୍ ମ୍ୟାନ୍‌ରେ ଉଲ୍ଲେଖ କରିଛନ୍ତି 
“The difference in mind between man and the higher animals... is one of degree and not of kind.”
(ଡାରୱିନ୍‌ଙ୍କ "The Descent of Man" -1871)

 Darwinଙ୍କ ଵିଵର୍ତ୍ତନ ସିଦ୍ଧାନ୍ତ ଵିଜ୍ଞାନ ଜଗତରେ ଏକ ଵିପ୍ଳଵର ସୂତ୍ରପାତ କଲା। ତାଙ୍କ ସମର୍ଥକ Thomas Huxley (୧୮୨୫–୧୮୯୫) ଏଵିଡେନ୍ସ୍ ଆଜ୍ ଟୁ ମ୍ୟାନ୍ସ୍ ପ୍ଲେସ୍ ଇନ୍ ନେଚର (୧୮୬୩ ପ୍ରକାଶିତ)ରେ ମଣିଷ ଓ ଵାନରଙ୍କ ହାଡ଼ ଓ ମାଂସପେଶୀର ସମାନତା ପ୍ରମାଣ କରି ସାଧାରଣ ପୂର୍ଵଜର ଧାରଣାକୁ ସୁଦୃଢ଼ କରିଥିଲେ। Huxleyଙ୍କ ଏହି କାର୍ଯ୍ୟ ଡାର୍ୱିନ୍ ସିଦ୍ଧାନ୍ତର ପ୍ରଚାର ଓ ପ୍ରତିରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଵାହ କରିଥିଲା। ତତ୍କାଳୀନ ସମୟରେ ଜୀଵାଶ୍ମ ଆଵିଷ୍କାରଗୁଡ଼ିକ ଏହି ସିଦ୍ଧାନ୍ତକୁ ପ୍ରାମାଣିକ ଆଧାର ଦେଇଥିଲା। ୧୮୫୬ରେ ଜର୍ମାନୀରେ ନିଆଣ୍ଡର୍ଥାଲ୍ ମାନଵର ହାଡ଼ ଆଵିଷ୍କୃତ ହୋଇଥିଲା ଯାହା ପ୍ରାଥମିକ ଭାବରେ ରୋଗଗ୍ରସ୍ତ ମଣିଷ ଵୋଲି ଵିଚାର କରାଯାଇଥିଲା କିନ୍ତୁ ପରେ ପୂର୍ଵଜ ରୂପେ ସ୍ୱୀକୃତ ହୋଇଥିଲା। ସେହିପରି ୧୮୯୧ରେ ଡଚ୍ ଵିଜ୍ଞାନୀ Eugene Dubois (୧୮୫୮–୧୯୪୦) ଇଣ୍ଡୋନେସିଆରେ ହୋମୋ ଇରେକ୍ଟସ୍ (ଜାଭା ମ୍ୟାନ୍) ମାନଵର ଅଵଶେଷ ଆଵିଷ୍କାର କରି ଵାନର ଓ ମଣିଷ ମଧ୍ୟରେ ଏକ ମଧ୍ୟଵର୍ତ୍ତୀ ରୂପ ଦେଖାଇଥିଲେ। Duboisଙ୍କ ଏହି ଆଵିଷ୍କାର ମାନଵ ଵିଵର୍ତ୍ତନର ଏକ ମାଇଲଖୁଣ୍ଟ ଥିଲା। 


ତେବେ ଆଲଫ୍ରେଡ ରାସେଲ ୱାଲେସ ମଧ୍ୟ ଚାର୍ଲ୍ସ ଡାର୍ଵିନଙ୍କ ସହିତ ସ୍ୱାଧୀନ ଭାବେ ପ୍ରାକୃତିକ ଚୟନ (Natural Selection) ଦ୍ୱାରା ଵିଵର୍ତ୍ତନ ସିଦ୍ଧାନ୍ତର ମୂଳ ଧାରଣା ପ୍ରତିଷ୍ଠା କରିଥିଲେ। ୧୮୫୪ରୁ ୧୮୬୨ ମଧ୍ୟରେ ସେ ଇଣ୍ଡୋନେସିଆ ଓ ମାଲେସିଆରେ ହଜାର ହଜାର ଜୀଵଜାତିର ନମୁନା ସଂଗ୍ରହ କରିଥିଲେ। ଏହି ଅଞ୍ଚଳରେ ୱାଲେସ ରେଖା (Wallace Line) ଆଵିଷ୍କାର କରିଥିଲେ ଯାହା ଏକ କାଳ୍ପନିକ ରେଖା ଏଵଂ ଏସିଆଟିକ୍ ଓ ଅଷ୍ଟ୍ରେଲିଆନ୍ ପ୍ରାଣୀଜଗତକୁ ଵିଭାଜିତ କରେ। ଏହା ଭୂଗୋଳିକ ଵିଵର୍ତ୍ତନ (Biogeography) ର ମୂଳଭିତ୍ତି ସ୍ଥାପନ କଲା। ମାଲାରିଆ ଜ୍ୱରରେ ପୀଡ଼ିତ ହେଲାବେଳେ ତାଙ୍କୁ ପ୍ରାକୃତିକ ଚୟନର ଧାରଣା ଆସିଥିଲା। ୱାଲେସ୍ ତାଙ୍କର ଟିର୍ନେଟ ପ୍ରବନ୍ଧ ଵା Ternate Essay(୧୮୫୮)ରେ 
ଲେଖିଥିଲେ ଯେ ପ୍ରାଣୀମାନେ ଅଧିକ ସନ୍ତାନ ଜନ୍ମ ଦିଅନ୍ତି, କିନ୍ତୁ ସମ୍ପଦ ସୀମିତ ଥିଵାରୁ ଯେଉଁମାନେ ପରିଵେଶ ସହିତ ଅଧିକ ଅନୁକୂଳ (fittest) ସେମାନେ ବଞ୍ଚନ୍ତି ଏଵଂ ଏହିପରି ଭାବେ ଲକ୍ଷ ଲକ୍ଷ ଵର୍ଷ ମଧ୍ୟରେ ନୂଆ ଜୀଵଜାତି ସୃଷ୍ଟି ହୁଏ। ୱାଲେସ୍ ଏହି ପ୍ରବନ୍ଧ ଡାର୍ଵିନଙ୍କୁ ପଠାଇଥିଲେ। ଲିନିଆନ୍ ସୋସାଇଟି ଅଫ୍ ଲଣ୍ଡନରେ ୱାଲେସଙ୍କ ପ୍ରବନ୍ଧ ଓ ଡାର୍ଵିନଙ୍କ ସିଦ୍ଧାନ୍ତର ଏକ ଅଂଶ ଯୁଗ୍ମ ଭାବେ ଉପସ୍ଥାପିତ ହୋଇଥିଲା। ଏହା ଆଧୁନିକ ଵିଵର୍ତ୍ତନ ସିଦ୍ଧାନ୍ତର ପ୍ରଥମ ସାର୍ଵଜନୀନ ଘୋଷଣା ଥିଲା ।

ଇଂଲଣ୍ଡର Charles Lyell (୧୭୯୭–୧୮୭୫) ଜିଓଲୋଜିକାଲ୍ ଏଭିଡେନ୍ସେସ୍ ଅଫ୍ ଦ ଆଣ୍ଟିକ୍ୱିଟି ଅଫ୍ ମ୍ୟାନ୍ (୧୮୬୩ ପ୍ରକାଶିତ)ରେ ମଣିଷଙ୍କ ପ୍ରାଚୀନତା ପ୍ରମାଣ କରି ଵିଵର୍ତ୍ତନର ସମ୍ଭାଵନା ସ୍ୱୀକାର କରିଥିଲେ। ସେ ଭୂତତ୍ତ୍ୱ ପ୍ରମାଣ ମାଧ୍ୟମରେ ମଣିଷର ପ୍ରାଚୀନତାକୁ ସ୍ଥାପନ କରିଥିଲେ। Lyellଙ୍କ ଏହି କାର୍ଯ୍ୟ ଡାର୍ୱିନ୍‌ଙ୍କୁ ଅତ୍ୟନ୍ତ ପ୍ରଭାଵିତ କରିଥିଲା।

୧୮୭୦ ପରେ ଫସିଲ୍ ଆନାଟମିକାଲ୍ ଓ ଭ୍ରୂଣଵିଜ୍ଞାନ ପ୍ରମାଣରୁ ଏହା ଵ୍ୟାପକ ସ୍ୱୀକୃତି ପାଇଲା। ମଣିଷ ଓ ଚିମ୍ପାଞ୍ଜିଙ୍କ ମଧ୍ୟରେ ଶାରୀରିକ ସମାନତା ଏଵଂ ଭ୍ରୂଣର ଵିକାଶରେ ସମାନ ପର୍ଯ୍ୟାୟଗୁଡ଼ିକ ଏହି ସିଦ୍ଧାନ୍ତକୁ ଆହୁରି ସଶକ୍ତ କରିଥିଲା। ଏତଦ୍ଵ୍ୟତୀତ ଅନ୍ୟାନ୍ୟ ପ୍ରାଇମେଟ୍ ଯଥା ଗୋରିଲା ଓ ଓରାଙ୍ଗୁଟାନ୍ ସହ ମଧ୍ୟ ସମାନତା ଦେଖାଯାଇଥିଲା। ଵିଂଶ ଶତାବ୍ଦୀରେ ଜେନେଟିକ୍ସ୍ ଦ୍ଵାରା ଵିଵର୍ତ୍ତନ ସିଦ୍ଧାନ୍ତ ଆହୁରି ସ୍ପଷ୍ଟ ନିଖୁଣ ହେଲା। ସିମ୍ପାଞ୍ଜି ସହ ମଣିଷର ୯୮.୮ ପ୍ରତିଶତ DNA ସମାନତା (୧୯୭୦ ଦଶକରେ ପ୍ରଥମ ଅନୁମାନ କରାଯାଇଥିଲା, ୨୦୦୫ରେ ସିମ୍ପାଞ୍ଜି ଜେନୋମ୍ ସିକ୍ୱେନ୍ସିଂ ଦ୍ୱାରା ନିଶ୍ଚିତ ହୋଇଥିଲା) ଏଵଂ ସାଧାରଣ ପୂର୍ଵଜର ପ୍ରମାଣ ଏହି ସିଦ୍ଧାନ୍ତକୁ ଅପରିହାର୍ଯ୍ୟ କରି ଦେଇଥିଲା। ଜେନେଟିକ୍ ଅଧ୍ୟୟନ ମାଧ୍ୟମରେ ମଣିଷ ଓ ଅନ୍ୟ ପ୍ରାଇମେଟ୍‌ମାନଙ୍କ ମଧ୍ୟରେ ଵିଵର୍ତ୍ତନୀୟ ସମ୍ପର୍କକୁ ସ୍ପଷ୍ଟ ଭାଵେ ଚିହ୍ନଟ କରାଗଲା। ଏହା ଵିଜ୍ଞାନର ଏକ ମହାନ୍ ଵିପ୍ଳଵ ଥିଲା ଯାହା ଧର୍ମୀୟ ସୃଷ୍ଟିଵାଦକୁ ଚ୍ୟାଲେଞ୍ଜ୍ କରି ଆଧୁନିକ ମାନଵ ଵିକାଶ ଅଧ୍ୟୟନର ଦୃଢ଼ ଆଧାର ସ୍ଥାପନ କରିଥିଲା। ଆଜି ମଧ୍ୟ ନୂତନ ଫସିଲ୍ ଆଵିଷ୍କାର ଯଥା ଅଷ୍ଟ୍ରେଲୋପିଥେକସ୍ (ଯେମିତି ଲୁସି, ୧୯୭୪ରେ ଆଵିଷ୍କୃତ) ଓ ହୋମୋ ହାବିଲିସ୍ (୧୯୬୦ ଦଶକରେ ଆଵିଷ୍କୃତ) ଏହି ଅଧ୍ୟୟନକୁ ସମୃଦ୍ଧ କରୁଛି। ଆଫ୍ରିକାରେ ମିଳିଥିଵା ପୁରୁଣା ଜୀଵାଶ୍ମଗୁଡ଼ିକ ମଣିଷର ଆଫ୍ରିକୀୟ ଉତ୍ପତ୍ତିକୁ ନିଶ୍ଚିତ କରିଛି। ଏହି ସମସ୍ତ ଆଵିଷ୍କାର ମଣିଷକୁ ପ୍ରାଇମେଟ୍ ପରିଵାରର ଏକ ସଦସ୍ୟ ରୂପେ ସ୍ଥାପନ କରିଛି ଯାହା ପ୍ରାଚୀନ ସନାତନ ସଂସ୍କୃତିରେ ଦଶାଵତାର କଥା ମଧ୍ୟରେ ଲୁକ୍କାୟିତ ଥିଵା ଜୀଵ ଵିଵର୍ତ୍ତନ ସିଦ୍ଧାନ୍ତ ତଥା Anaximanderଙ୍କ ଜଳଚର ପୂର୍ଵଜର ଧାରଣାଠାରୁ ଆରମ୍ଭ କରି ଆଜିର ଜେନେଟିକ୍ ପ୍ରମାଣ ପର୍ଯ୍ୟନ୍ତ ଏକ ଦୀର୍ଘ ଯାତ୍ରାର ଫଳ। ପ୍ରାଚୀନ ଯୁଗରେ ଜଳଚର ପ୍ରାଣୀ ଵା ଅନ୍ୟ ନିମ୍ନତର ଜୀଵଠାରୁ ମଣିଷର ଉତ୍ପତ୍ତିର କଳ୍ପନା କରାଯାଇଥିଲା ଯାହା ପରେ ଵାନର ଓ ପ୍ରାଇମେଟ୍ ସହ ସମ୍ପର୍କ ସ୍ଥାପନ କରାଗଲା। ଏହି ଵିକାଶ ମାନଵ ଇତିହାସର ଏକ ଅଵିସ୍ମରଣୀୟ ଅଧ୍ୟାୟ ଯାହା ଆଜି ମଧ୍ୟ ଚାଲିଛି।

ତେବେ ଅନେକ ଵର୍ଷର ଚିନ୍ତନ,ଏଷଣା ଓ ଗଵେଷଣା ଯୋଗୁଁ ଆଜି ଆମ ସମ୍ମୁଖରେ ମାନଵ ଜାତିର ଵିଵର୍ତ୍ତନ ଇତିହାସର ଏକ ସ୍ପଷ୍ଟ ଚିତ୍ର ପ୍ରସ୍ତୁତ ହୋଇ ସାରିଛି । ମାନଵ ଜାତିର ଵିଵର୍ତ୍ତନ ଇତିହାସ ଅତି ଵିସ୍ତୀର୍ଣ୍ଣ ଏଵଂ ଏହି କାହାଣୀ Primates ଵର୍ଗର ଉତ୍ଥାନ ସହିତ ଆରମ୍ଭ ହୋଇଥିଲା । 

ପ୍ରାଇମେଟ୍‌ମାନେ ସ୍ତନ୍ୟପାୟୀ ପ୍ରାଣୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଵର୍ଗ ଯେଉଁମାନେ ପ୍ରାୟ ୮୫ ନିୟୁତ ଵର୍ଷ ପୂର୍ଵେ ପୃଥିଵୀରେ ଆଵିର୍ଭାଵ ହୋଇଥିଲେ। ଏମାନଙ୍କର ଉତ୍ପତ୍ତି ଏକ ଛୋଟ, ଗଛରେ ଵାସ କରୁଥିଵା ସ୍ତନ୍ୟପାୟୀ ଜୀଵଙ୍କଠାରୁ ହୋଇଥିଲା ଯାହାକୁ 'Purgatorius' ନାମରେ ଜଣାଯାଏ। ଏହି ଜୀଵମାନେ କ୍ରିଟେସିଅସ-ପାଲିଓଜିନ ସମୟରେ (ପ୍ରାୟ ୬୫-୮୫ ନିୟୁତ ଵର୍ଷ ପୂର୍ଵେ) ଉତ୍ତର ଆମେରିକା ଓ ୟୁରୋପରେ ଵାସ କରୁଥିଲେ। 'Purgatorius' ଏକ ଛୋଟ, ମୂଷା ଆକାରର ଜୀଵ ଥିଲେ ଏଵଂ ସେମାନଙ୍କର ଶରୀର ଦୈର୍ଘ୍ୟ ପ୍ରାୟ ୧୦–୧୫ ସେଣ୍ଟି ମିଟର ଥିଲା। ସେମାନଙ୍କର ଦାନ୍ତ ଓ ଅଙ୍ଗପ୍ରତ୍ୟଙ୍ଗ ଗଛରେ ଚଢ଼ିଵା ଓ ପୋକ ଖାଇଵା ପାଇଁ ଅନୁକୂଳ ଥିଲା। ଏହି Purgatorius ପ୍ରାଇମେଟ୍‌ମାନଙ୍କର ପ୍ରାରମ୍ଭିକ ପୂର୍ଵଜ ଥିଲା ।‌

ତହୁଁ ପ୍ରାୟ ୫୫-୬୦ ନିୟୁତ ଵର୍ଷ ପୂର୍ଵେ, ପ୍ରାଇମେଟ୍‌ମାନେ ଦୁଇଟି ମୁଖ୍ୟ ଉପଵର୍ଗରେ ଵିଭକ୍ତ ହୋଇଥିଲେ: 'Strepsirrhines' ଓ 'Haplorhines'। 'Strepsirrhines' ଉପଵର୍ଗରେ ଲେମୁର୍‌, ଲୋରିସ୍‌ ଓ ଗାଲାଗୋ ଭଳି ଜୀଵ ଅନ୍ତର୍ଭୁକ୍ତ ଏଵଂ ଏମାନେ ମୁଖ୍ୟତଃ ଆଫ୍ରିକା ଓ ମାଡାଗାସ୍କାରରେ ଵାସ କରନ୍ତି। ଏମାନଙ୍କର ନାସିକା ଆଦ୍ର ଏଵଂ ଅଧିକ ଗନ୍ଧ ଶକ୍ତି ଉପରେ ନିର୍ଭରଶୀଳ ଥିଲା। 'Haplorhines' ଉପଵର୍ଗରେ ଟାର୍ସିଅର୍‌, ମାଙ୍କଡ଼, ଵାନର ଓ ମନୁଷ୍ୟ ଅନ୍ତର୍ଭୁକ୍ତ । ଏମାନଙ୍କର ଦୃଷ୍ଟି ଅଧିକ ଉନ୍ନତ ଥିଲା ଏଵଂ ନାକର ଗଠନ ଶୁଷ୍କ ଥିଲା।

'Haplorhines' ଉପଵର୍ଗ ପରେ ଆଉ ଦୁଇଟି ଉପଗଣ(Parvorder)ରେ ଵିଭକ୍ତ ହୋଇଥିଲା: 'Platyrrhines' (ନୂଆ ଵିଶ୍ୱର ମାଙ୍କଡ଼, ଯେପରି ସ୍ପାଇଡର ମାଙ୍କଡ଼ ଓ ହାଉଲର ମାଙ୍କଡ଼) ଏଵଂ 'Catarrhines' ଉପଗଣ (ପୁରୁଣା ଵିଶ୍ୱର ମାଙ୍କଡ଼, ଵାନର ଓ ମନୁଷ୍ୟ)। ତେଣୁ ଏଥିରୁ ସ୍ପଷ୍ଟ ହୁଏ ଯେ ଆଜି ଆମେ ଯେଉଁ ପାତିମାଙ୍କଡ଼ ଓ ହନୁମାଙ୍କଡ଼ଙ୍କୁ ଦେଖୁଛନ୍ତି ସେମାନେ ଆମ ପୂର୍ଵଜ ନୁହେଁ ଵରଂ ସଗୋତ୍ରୀୟ ଏଵଂ ଆମ ଭଳି Catarrhines ଉପଗଣର ସଦସ୍ୟ । ପ୍ରଭେଦ କେଵଳ ଏତିକି ଯେ ମନୁଷ୍ୟମାନଙ୍କ ପୂର୍ଵଜମାନେ ପରିଵେଶ ସହିତ ଖାପଖୁଆଇ କ୍ରମଶଃ ଵିଵର୍ତ୍ତିତ ହୋଇ ହୋଇ ବୁଦ୍ଧିମାନ ହୋଇଗଲେ । ମାତ୍ର ପାତିମାଙ୍କଡ଼ ଓ ହନୁମାଙ୍କଡ଼ମାନଙ୍କ ପୂର୍ଵଜମାନେ ମନୁଷ୍ୟମାନଙ୍କ ପୂର୍ଵଜଙ୍କ ପରି ଵିଵର୍ତ୍ତିତ ନହେଵା ଯୋଗୁଁ ଆଜି ମଧ୍ୟ ଅଵିକଶିତ ବୁଦ୍ଧିଯୁକ୍ତ ହୋଇ ରହିଛନ୍ତି(ମଣିଷଙ୍କ ୧୦୦% IQ ତୁଳନାରେ ହନୁମାଙ୍କଡ଼ ଓ ପାତିମାଙ୍କଡ଼ଙ୍କ IQ 20-30 %)। ତେବେ ନୂଆ ଵିଶ୍ୱର ମାଙ୍କଡ଼, ଯେପରି ସ୍ପାଇଡର ମାଙ୍କଡ଼ ଓ ହାଉଲର ମାଙ୍କଡ଼ ଇତ୍ୟାଦି 'Platyrrhines' ଉପଗଣର ଜୀଵ ମୁଖ୍ୟତଃ ଦକ୍ଷିଣ ଆମେରିକାରେ ଵିକାଶ ଲାଭ କରିଥିଲେ ଏଵଂ ସେଠାରେ ସେମାନେ ଗଛରେ ଵାସ କରୁଥିଵା ଜୀଵନଶୈଳୀ ଅଵଲମ୍ଵନ କରିଥିଲେ। 

ଏଣେ 'Catarrhines' ଉପଗଣ ଆଫ୍ରିକା ଓ ଏସିଆରେ ରହିଥିଲେ ଏଵଂ ଏମାନଙ୍କ ମଧ୍ୟରେ ମନୁଷ୍ୟର ପୂର୍ଵଜମାନେ ଵିକାଶ ଲାଭ କରିଥିଲେ। ଆଜକୁ ପ୍ରାୟ ୪୦ ନିୟୁତ ଵର୍ଷ ପୂର୍ଵେ, 'Catarrhines' ଉପଗଣରେ 'Aegyptopithecus' ନାମକ ଏକ ପ୍ରାଇମେଟ୍‌ ଆଵିର୍ଭାଵ ହୋଇଥିଲେ। ଏହି ଜୀଵ ଇଜିପ୍ଟର Faiyum ଅଞ୍ଚଳରେ ଵାସ କରୁଥିଲେ ଏଵଂ ଆଧୁନିକ ଵାନର ଓ ମନୁଷ୍ୟଙ୍କର ସାଧାରଣ ପୂର୍ଵଜ ଥିଲେ। 'Aegyptopithecus'ର ମସ୍ତିଷ୍କ ଅନ୍ୟ ପ୍ରାରମ୍ଭିକ ପ୍ରାଇମେଟ୍‌ଙ୍କ ତୁଳନାରେ ବଡ଼ ଥିଲା ଏଵଂ ସେମାନଙ୍କର ଦାନ୍ତ ଫଳ ଓ ପତ୍ର ଖାଇଵା ପାଇଁ ଵିଵର୍ତ୍ତିତ ହୋଇଥିଲା। ଏହି ଜୀଵମାନେ ଗଛରେ ଚଳପ୍ରଚଳ କରୁଥିଲେ, କିନ୍ତୁ ତାଙ୍କର ଶାରୀରିକ ଗଠନ ଅଧିକ ଜଟିଳ ସାମାଜିକ ଆଚରଣ ଓ ଦୃଷ୍ଟି ଉପରେ ନିର୍ଭରଶୀଳତାକୁ ସୂଚାଇଥିଲା।

ଆଫ୍ରିକାରେ ପ୍ରାଇମେଟ୍‌ମାନଙ୍କ ଵିକାଶ ମନୁଷ୍ୟ ଜାତିର ଉତ୍ପତ୍ତି ଓ ଵିଵର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଏହି ପ୍ରକ୍ରିୟା ଲକ୍ଷ ଲକ୍ଷ ଵର୍ଷ ଧରି ଚାଲିଥିଲା ଯହିଁରେ ପରିଵେଶଗତ ପରିଵର୍ତ୍ତନ, ଜୈଵିକ ଅନୁକୂଳନ ଏଵଂ ଜୀଵଵିଜ୍ଞାନୀୟ ଵିଭାଜନ ମୁଖ୍ୟ ଭୂମିକା ନିର୍ଵାହ କରିଥିଲା। ଆଫ୍ରିକାରେ ପ୍ରାଇମେଟ୍‌ଙ୍କ ଵିକାଶର ଆରମ୍ଭ ପ୍ରାୟ ୪୦ ନିୟୁତ ଵର୍ଷ ପୂର୍ଵେ ହୋଇଥିଲା, ଯେତେଵେଳେ 'Aegyptopithecus' ଭଳି ପ୍ରାଇମେଟ୍‌ମାନେ ଦେଖାଦେଇଥିଲେ। ସେତେଵେଳେ ଆଫ୍ରିକାର ଫୟୁମ ଅଞ୍ଚଳ (ଵର୍ତ୍ତମାନର ଇଜିପ୍ଟ) ଏକ ଉଷ୍ଣ,ଆଦ୍ର ଜଳଵାୟୁଯୁକ୍ତ ଜଙ୍ଗଲମୟ ପରିଵେଶ ଥିଲା, ଯେଉଁଠାରେ 'Aegyptopithecus zeuxis' ନାମକ ଏକ ପ୍ରାଇମେଟ୍‌ ଦେଖାଦେଇଥିଲେ। ଏହି ଜୀଵମାନେ 'Catarrhines' (ପୁରୁଣା ଵିଶ୍ୱର ମାଙ୍କଡ଼ ଓ ଵାନର) ଗୋଷ୍ଠୀର ଅଂଶ ଥିଲେ ଏଵଂ ଆଧୁନିକ ଵାନର ଓ ମନୁଷ୍ୟଙ୍କର ସାଧାରଣ ପୂର୍ଵଜ ଭାବେ ଵିଵେଚିତ ହୁଅନ୍ତି। 'Aegyptopithecus' ଏକ ଛୋଟ, ଵିଲେଇ ଆକାରର ପ୍ରାଇମେଟ୍‌ ଥିଲେ, ଯାହାର ଶରୀର ଦୈର୍ଘ୍ୟ ପ୍ରାୟ ୧ ଫୁଟ୍ ୯ ଇଞ୍ଚ୍ – ୨ ଫୁଟ୍ ୨ ଇଞ୍ଚ୍ (୦.୫୫–୦.୬୫ ମିଟର) ଥିଲା। ସେମାନଙ୍କର ଲମ୍ଵା ହାତପାଦ ଓ ପରିଗ୍ରାହୀ ଆଙ୍ଗୁଠି(prehensile thumb) ଆଦି ଶାରୀରିକ ଗଠନ ଗଛରେ ଚଳପ୍ରଚଳ ପାଇଁ ଵିଵର୍ତ୍ତିତ ହୋଇଥିଲା ।‌ ସେମାନଙ୍କର ମୁଖମଣ୍ଡଳ ଅଧିକ ଉନ୍ନତ ଥିଲା, ଯହିଁରେ ଉଭୟ ଆଖିରୁ ଗଭୀରତା ଅନୁଭଵ କରିଵା ଭଳି ଏକ ମୁଖ୍ୟ ଵୈଶିଷ୍ଟ୍ୟ ଥିଲା। ଏହା ଗଛରେ ଶାଖା ଧରି ଝୁଲିଵା ଓ ଖାଦ୍ୟ ସଂଗ୍ରହ କରିଵାରେ ସହାୟକ ହୋଇଥିଲା।

'Aegyptopithecus'ର ଦାନ୍ତଗୁଡ଼ିକ ଫଳ, ପତ୍ର ଓ କେତେକ ପୋକ ଖାଇଵା ପାଇଁ ଵିକଶିତ ହୋଇଥିଲା। ଏମାନଙ୍କର ମସ୍ତିଷ୍କ ଅନ୍ୟ ପ୍ରାରମ୍ଭିକ ପ୍ରାଇମେଟ୍‌ଙ୍କ ତୁଳନାରେ ବଡ଼ ଥିଲା, ଯାହା ଅଧିକ ଜଟିଳ ସାମାଜିକ ଆଚରଣ ଓ ସମସ୍ୟା ସମାଧାନ କ୍ଷମତା ପାଇଁ ଵିଵର୍ତ୍ତିତ ହୋଇଥିଲା। ଫୟୁମର ଜୀଵାଶ୍ମ ସ୍ଥାନରୁ ମିଳିଥିଵା ପ୍ରମାଣ ଅନୁସାରେ, 'Aegyptopithecus' ଏକ ଘନ ଜଙ୍ଗଲ ପରିଵେଶରେ ଵାସ କରୁଥିଲେ, ଯେଉଁଠାରେ ଜଳାଶୟ ଓ ପ୍ରଚୁର ଖାଦ୍ୟ ଉପଲଵ୍ଧ ଥିଲା। ଏମାନଙ୍କର ଜୀଵନଶୈଳୀ ଆଧୁନିକ ମାଙ୍କଡ଼ମାନଙ୍କ ସହ ସାମଞ୍ଜସ୍ୟପୂର୍ଣ୍ଣ ଥିଲା, ଏଵଂ ସେମାନେ ଗଛରେ ଝୁଲିଵା, ଶାଖା ମଧ୍ୟରେ ଚଳପ୍ରଚଳ କରିଵା ଓ ଗୋଷ୍ଠୀରେ ଵାସ କରିଵାକୁ ପସନ୍ଦ କରୁଥିଲେ।

ଆଜକୁ ପ୍ରାୟ ୩୦-୨୫ ନିୟୁତ ଵର୍ଷ ପୂର୍ଵେ, ପୃଥିଵୀର ଜଳଵାୟୁ ଏକ ଗୁରୁତ୍ୱପୂର୍ଣ୍ଣ ପରିଵର୍ତ୍ତନର ସମ୍ମୁଖୀନ ହେଉଥିଲା। Miocene epoch ସମୟକାଳରେ, ଆଫ୍ରିକାର ଘନ ଜଙ୍ଗଲ କ୍ରମଶଃ ସଙ୍କୁଚିତ ହେଉଥିଲା ଏଵଂ ଖୋଲା ସାଭାନା (ଘାସ ପ୍ରଧାନ ଅଞ୍ଚଳ) ଵିସ୍ତାର ଲାଭ କରୁଥିଲା। ଏହି ପରିଵର୍ତ୍ତନ ମୁଖ୍ୟତଃ ଟେକ୍ଟୋନିକ କାର୍ଯ୍ୟକଳାପ ଓ ଵିଶ୍ୱ ତାପମାତ୍ରାରେ ହ୍ରାସ ଯୋଗୁଁ ହୋଇଥିଲା। ପୂର୍ଵ ଆଫ୍ରିକାରେ ଗ୍ରସ୍ତ ଉପତ୍ୟକା(Rift valley)ର ଗଠନ ଜଙ୍ଗଲର ଖଣ୍ଡ ଵିଖଣ୍ଡନ କରିଥିଲା,ଫଳରେ ଵିଭିନ୍ନ ପରିଵେଶ ସୃଷ୍ଟି ହୋଇଥିଲା। ଏହି ନୂଆ ପରିଵେଶରେ ପ୍ରାଇମେଟ୍‌ମାନଙ୍କୁ ଵିଵର୍ତ୍ତିତ ହେଵାକୁ ପଡ଼ିଥିଲା ଏଵଂ ଏଥିରେ ଖାଦ୍ୟ ସଂଗ୍ରହ, ଶିକାରୀଙ୍କଠାରୁ ରକ୍ଷା ଏଵଂ ନୂଆ ଜୀଵନଶୈଳୀ ଅଵଲମ୍ଵନ ଅନ୍ତର୍ଭୁକ୍ତ ଥିଲା।

ଜଙ୍ଗଲର ସଙ୍କୁଚନ ଯୋଗୁଁ ପ୍ରାଇମେଟ୍‌ମାନଙ୍କର ଖାଦ୍ୟ ଉତ୍ସରେ ପରିଵର୍ତ୍ତନ ଦେଖା ଦେଇଥିଲା। ପୂର୍ଵରୁ ଫଳ ଓ ପତ୍ର ପ୍ରଚୁର ମାତ୍ରାରେ ଉପଲଵ୍ଧ ଥିଵା ଵେଳେ, ସାଭାନାରେ ଘାସ, ମୂଳ, ଵୀଜ ଓ କ୍ୱଚିତ୍‌ ମାଂସ ଉପରେ ନିର୍ଭର କରିଵାକୁ ପଡ଼ିଥିଲା। ଏହି ପରିଵର୍ତ୍ତନ ପ୍ରାଇମେଟ୍‌ଙ୍କ ଶାରୀରିକ ଗଠନରେ ମଧ୍ୟ ପ୍ରଭାଵ ପକାଇଥିଲା। କେତେକ ପ୍ରାଇମେଟ୍‌ ଅଧିକ ଶକ୍ତିଶାଳୀ ଶୌଵନ ଦନ୍ତ(Canine teeth) ଵିକାଶ କରିଥିଲେ, ଯାହା କଠିନ ଖାଦ୍ୟ ଚୋଵାଇଵାରେ ସହାୟକ ହୋଇଥିଲା। ଅନ୍ୟମାନେ ମାଟିରେ ଚଳପ୍ରଚଳ କରିଵା ପାଇଁ ଅନୁକୂଳନ କରିଥିଲେ, ଯାହା ପ୍ରାଇମେଟମାନଙ୍କ ମଧ୍ୟରେ ଦ୍ୱିପାଦୀ ଚଳନର ପ୍ରାରମ୍ଭିକ ଲକ୍ଷଣ ଥିଲା ।

ପ୍ରାୟ ୨୫-୧୮ ନିୟୁତ ଵର୍ଷ ପୂର୍ଵେ, ପୂର୍ଵ ଆଫ୍ରିକାରେ 'Proconsul' ନାମକ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାଇମେଟ୍‌ ଦେଖାଦେଇଥିଲେ। 'Proconsul' ଵଂଶରେ ଅନେକ ଜାତି ଅନ୍ତର୍ଭୁକ୍ତ ଥିଲେ, ଯେପରି 'Proconsul africanus', 'Proconsul nyanzae', ଓ 'Proconsul heseloni'। ଏମାନଙ୍କର ଜୀଵାଶ୍ମ କେନିୟା ଓ ଉଗାଣ୍ଡାରେ ମିଳିଛି ଏଵଂ ତହିଁରୁ ଜଣାଯାଏ ଯେ ସେମାନେ ଜଙ୍ଗଲ ଓ ଖୋଲା ପରିଵେଶରେ ଵାସ କରୁଥିଲେ। 'Proconsul' ଆଧୁନିକ ଵାନର ଓ ମନୁଷ୍ୟଙ୍କର ସାଧାରଣ ପୂର୍ଵଜ ଥିଲେ ଏଵଂ ସେମାନଙ୍କର ଶାରୀରିକ ଗଠନ ଗିବନ୍‌ ଓ ଚିମ୍ପାଞ୍ଜୀଙ୍କ ସ୍ଵରୂପର ଏକ ମିଶ୍ରଣ ପରି ଥିଲା।

'Proconsul'ର ଶରୀର ଲାଞ୍ଜ ଵିହୀନ ଥିଲା, ଯାହା ଵାନରଙ୍କର ଏକ ମୁଖ୍ୟ ଵୈଶିଷ୍ଟ୍ୟ। ଏମାନଙ୍କର ହାତପାଦ ଗଛରେ ଝୁଲିଵା ଓ ଶାଖା ମଧ୍ୟରେ ଚଳପ୍ରଚଳ କରିଵା ପାଇଁ ଵିଵର୍ତ୍ତିତ ହୋଇଥିଲା, କିନ୍ତୁ ସେମାନେ ମାଟିରେ ମଧ୍ୟ ଚାଲିପାରୁଥିଲେ। ଏମାନଙ୍କର ଦାନ୍ତଗୁଡ଼ିକ ଫଳ, ପତ୍ର ଓ କେତେକ ମାଂସାହାରୀ ଖାଦ୍ୟ ଖାଇଵା ପାଇଁ ଅନୁକୂଳ ଥିଲା, ଯାହା ଏକ ମିଶ୍ରିତ ଖାଦ୍ୟଶୈଳୀକୁ ସୂଚାଇଥାଏ। 'Proconsul'ର ମସ୍ତିଷ୍କ ଆକାର ଅନ୍ୟ ପ୍ରାରମ୍ଭିକ ପ୍ରାଇମେଟ୍‌ଙ୍କ ତୁଳନାରେ ବଡ଼ ଥିଲା ତେଣୁ ଗଵେଷକମାନେ କୁହନ୍ତି ଯେ ସେମାନେ ସେମାନଙ୍କ ପୂର୍ଵଜଙ୍କ ଅପେକ୍ଷା ଅଧିକ ଜଟିଳ ସାମାଜିକ ଆଚରଣ ଓ ଵୁଦ୍ଧିମତ୍ତା ଵିକଶିତ କରିଥିଲେ ।

'Proconsul'ର ଜୀଵାଶ୍ମ ଦେଖାଇଥାଏ ଯେ ସେମାନେ ଵିଭିନ୍ନ ପରିଵେଶରେ ଵାସ କରୁଥିଲେ, ଯେପରି ଘନ ଜଙ୍ଗଲ, ଖୋଲା ଜଙ୍ଗଲ ଓ ସାଭାନା ଅଞ୍ଚଳ। ଏହି ଵିଵିଧତା ସେମାନଙ୍କର ଅନୁକୂଳନ କ୍ଷମତାକୁ ପ୍ରତିଫଳିତ କରେ। 'Proconsul heseloni' ଅଧିକ ଵୃକ୍ଷଭିତ୍ତିକ ଜୀଵନଶୈଳୀ ଅଵଲମ୍ଵନ କରୁଥିଵାବେଳେ, 'Proconsul nyanzae' ଭୂମି ଉପରେ ଅଧିକ ସମୟ ଵିତାଉଥିଲେ। ଏହି ଵିଵିଧତା 'Proconsul'କୁ ଵିଭିନ୍ନ ଶାଖାରେ ଵିକାଶ ଲାଭ କରିଵାରେ ସହାୟକ ହୋଇଥିଲା, ଯାହା ପରେ ଗୋରିଲା, ଚିମ୍ପାଞ୍ଜୀ ଓ ମନୁଷ୍ୟର ପୂର୍ଵଜଙ୍କ ଉଦ୍ଭଵରେ ସହାୟକ ହୋଇଥିଲା। ଵିଭିନ୍ନ ପ୍ରଜାତିର ଶରୀର ଦୈର୍ଘ୍ୟ ପ୍ରାୟ ୨ ଫୁଟ୍ ୪ ଇଞ୍ଚ୍ – ୪ ଫୁଟ୍ ୧୧ ଇଞ୍ଚ୍ (୦.୭–୧.୫ ମିଟର) ଥିଲା। 'Proconsul' ପରେ, ଆଫ୍ରିକାରେ ଅନେକ ଅନ୍ୟ ପ୍ରାଇମେଟ୍‌ ଜାତି ଦେଖାଦେଇଥିଲେ, ଯେଉଁମାନେ ଵିଭିନ୍ନ ପରିଵେଶରେ ଅନୁକୂଳନ କରିଥିଲେ। ପ୍ରାୟ ୨୦-୧୫ ନିୟୁତ ଵର୍ଷ ପୂର୍ଵେ, 'Kenyapithecus' ନାମକ ଏକ ଜାତୀୟ ପ୍ରାଇମେଟ୍ ପୂର୍ଵ ଆଫ୍ରିକାରେ ଦେଖାଦେଇଥିଲେ। 'Kenyapithecus wickeri' ମାଟିରେ ଅଧିକ ସମୟ ଵିତାଉଥିଲେ ଏଵଂ ତାଙ୍କର ଦାନ୍ତ ବାଦାମ ଜାତୀୟ ଶକ୍ତ ବୀଜ ଓ ମୂଳ ଭଳି କଠିନ ଖାଦ୍ୟ ଚୋଵାଇଵା ପାଇଁ ଅନୁକୂଳ ଥିଲା। ଏହି ଜାତି ସାଭାନା ପରିଵେଶରେ ଜୀଵନ ଯାପନ କରିଵାରେ ଅଧିକ ସଫଳ ଥିଲେ । ଶରୀର ଦୈର୍ଘ୍ୟ ପ୍ରାୟ ୩ ଫୁଟ୍ ୩ ଇଞ୍ଚ୍ – ୩ ଫୁଟ୍ ୧୧ ଇଞ୍ଚ୍ (୧.୦–୧.୨ ମିଟର) ଥିଲା। 
ଏହି ସମୟରେ, 'Afropithecus' ଓ 'Morotopithecus' ଭଳି ଅନ୍ୟ ପ୍ରାଇମେଟ୍‌ମାନେ ମଧ୍ୟ ଆଫ୍ରିକାରେ ଦେଖାଦେଇଥିଲେ। 'Afropithecus turkanensis'ମାନେ ଵୃହତ ପ୍ରାଇମେଟ୍‌ ଥିଲେ, ସେମାନଙ୍କର ଶରୀର ଦୈର୍ଘ୍ୟ ପ୍ରାୟ ୩ ଫୁଟ୍ ୧୧ ଇଞ୍ଚ୍ – ୪ ଫୁଟ୍ ୧୧ ଇଞ୍ଚ୍ (୧.୨–୧.୫ ମିଟର) ଥିଲା। 'Morotopithecus bishopi' ଗଛରେ ଅଧିକ ସମୟ ଵାସ କରୁଥିଲେ ଏଵଂ ସେମାନଙ୍କର ହାଡ଼ ଗଠନ ଆଧୁନିକ ଗୋରିଲା ଓ ଚିମ୍ପାଞ୍ଜୀଙ୍କ ସହ ସାମଞ୍ଜସ୍ୟପୂର୍ଣ୍ଣ ଥିଲା। ଏହି ଵିଵିଧତା ଆଫ୍ରିକାରେ ପ୍ରାଇମେଟ୍‌ଙ୍କ ଵିକାଶର ଜଟିଳତାକୁ ଦର୍ଶାଇଥାଏ କାରଣ ଏହି ମହାଦେଶରେ ଭିନ୍ନ ଭିନ୍ନ ଜାତୀୟ ପ୍ରାଇମେଟ୍ ଵିଭିନ୍ନ ପରିଵେଶଗତ ସ୍ଥାନ ପୂରଣ କରିଥିଲେ। କିନ୍ତୁ ଆମେ ଆଜି ଯେଉଁ ମନୁଷ୍ୟ ଜାତିରେ ପରିଣତ ହୋଇଛୁ ତହିଁର କାହାଣୀ ଆଫ୍ରିକାରେ ପ୍ରାୟ ୭-୫ ନିୟୁତ ଵର୍ଷ ପୂର୍ଵେ ଆରମ୍ଭ ହୋଇଥିଲା। ଏହି ସମୟରେ Hominidae କୁଳ ଵିକାଶର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଖାଦେଇଥିଲେ। ଏହି କୁଳର ସଦସ୍ୟମାନେ ମନୁଷ୍ୟ ଓ ଅନ୍ୟ ମହାଵାନରମାନଙ୍କର ସାଧାରଣ ପୂର୍ଵଜମାନଙ୍କୁ ପ୍ରତିନିଧିତ୍ୱ କରୁଥିଲେ, ଯେଉଁମାନେ ଵିଭିନ୍ନ ପରିଵେଶରେ ଵିଵର୍ତ୍ତିତ ଓ ଵିକଶିତ ହୋଇଥିଲେ। 

ପ୍ରାରମ୍ଭିକ ହୋମିନିଡ୍‌‌ଙ୍କର ଆଵିର୍ଭାଵ
ପ୍ରାୟ ୭-୬ ନିୟୁତ ଵର୍ଷ ପୂର୍ଵେ ହୋଇଥିଲା । ଏହି ସମୟରେ ଆଫ୍ରିକାର ଚାଡ଼(chad) ଅଞ୍ଚଳରେ Sahelanthropus tchadensis ନାମକ ଏକ ଜାତି ଦେଖାଦେଇଥିଲେ। ଏହି ଜାତିକୁ ମନୁଷ୍ୟ ଓ ସିମ୍ପାଞ୍ଜୀଙ୍କର ସାଧାରଣ ପୂର୍ଵଜ ଵା ତାଙ୍କର ନିକଟତମ ସମ୍ପର୍କୀୟ ଭାଵେ ଵିଵେଚନା କରାଯାଏ। Sahelanthropus tchadensisର ଅଵଶେଷ(ଏକ ଖପୁରୀ ଏଵଂ କିଛି ଦାନ୍ତ) ୨୦୦୧ ମସିହାରେ ଚାଡ଼ର Toros-Menalla ଅଞ୍ଚଳରେ ଆଵିଷ୍କୃତ ହୋଇଥିଲା।  

Sahelanthropus tchadensisର ଖପୁରୀରେ କିଛି ଗୁରୁତ୍ୱପୂର୍ଣ୍ଣ ଵୈଶିଷ୍ଟ୍ୟ ଦେଖାଯାଇଥିଲା। ଉଦାହରଣ ସ୍ୱରୂପ, ସେମାନଙ୍କର foramen magnum (ମେରୁଦଣ୍ଡ ଖପୁରୀ ସହ ସଂଯୁକ୍ତ ହେଉଥିଵା ଛିଦ୍ର) ଅଵସ୍ଥାନ ସୂଚାଇଥାଏ ଯେ ସେମାନେ ସମ୍ଭଵତଃ ଦ୍ୱିପାଦୀ ଚଳନର କିଛି ପ୍ରାରମ୍ଭିକ ଲକ୍ଷଣ ଦେଖାଇଥାଇପାରନ୍ତି। ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆଵିଷ୍କାର ଥିଲା, କାରଣ ଦ୍ୱିପାଦୀ ଚଳନ ମନୁଷ୍ୟ ଵିକାଶର ଏକ ମୁଖ୍ୟ ଵୈଶିଷ୍ଟ୍ୟ। ତଥାପି, ସେମାନଙ୍କର ମସ୍ତିଷ୍କର ଆକାର ଅପେକ୍ଷାକୃତ ଛୋଟ ଥିଲା, ଯାହା ଆଧୁନିକ ସିମ୍ପାଞ୍ଜୀଙ୍କ ସହ ତୁଳନାତ୍ମକ। ଅର୍ଥାତ୍ ସେମାନେ ମନୁଷ୍ୟ ଓ ସିମ୍ପାଞ୍ଜୀଙ୍କ ଵିଭାଜନ ଵିନ୍ଦୁରେ ଵା ତାହା ନିକଟରେ ଵିକଶିତ ହୋଇଥିଲେ। ସେମାନଙ୍କର ଦାନ୍ତର ଗଠନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥାଏ। Sahelanthropus tchadensisମାନଙ୍କର ଶୌଵନ ଦାନ୍ତ (canine teeth) ଅନ୍ୟ ମହାଵାନରମାନଙ୍କ ତୁଳନାରେ କମ୍ ତୀକ୍ଷ୍ଣ ଥିଲା, ଯାହା ଖାଦ୍ୟାଭ୍ୟାସ ଏଵଂ ସାମାଜିକ ଆଚରଣରେ ପରିଵର୍ତ୍ତନକୁ ସୂଚାଇଥାଏ। ସମ୍ଭଵତଃ ସେମାନେ ଵିଭିନ୍ନ ପ୍ରକାରର ଖାଦ୍ୟ, ଯେପରି ଫଳ, ପତ୍ରକୁ ଵିଶେଷ ଭାବେ ଖାଉଥିଲେ । କାରଣ Sahelanthropus tchadensisମାନେ କେଵଳ ମରୁଭୂମି ନୁହେଁ, ଵରଂ ଏକ ମିଶ୍ରିତ ଜଙ୍ଗଲ ଓ ଘାସଭୂମି ଅଞ୍ଚଳରେ ଵାସ କରୁଥିଲେ ତେଣୁ ସେମାନେ ଵିଭିନ୍ନ ପରିଵେଶରେ ଅନୁକୂଳନ କରିଥିଲେ। ଏମାନଙ୍କର ଶରୀର ଦୈର୍ଘ୍ୟ ପ୍ରାୟ ୩ ଫୁଟ୍ ୭ ଇଞ୍ଚ୍ – ୪ ଫୁଟ୍ ୩ ଇଞ୍ଚ୍ (୧.୧–୧.୩ ମିଟର) ଥିଲା। 

ତହୁଁ ପ୍ରାୟ ୬ ନିୟୁତ ଵର୍ଷ ପୂର୍ଵେ, Orrorin tugenensis ନାମକ ଆଉ ଏକ ପ୍ରାରମ୍ଭିକ ହୋମିନିଡ୍‌ କେନିଆର Tugen Hills ଅଞ୍ଚଳରେ ଦେଖାଦେଇଥିଲେ। ଏହି ଜାତିକୁ "Millennium Man" ମଧ୍ୟ କୁହାଯାଏ, କାରଣ ଏହାର ଅଵଶେଷ ୨୦୦୦ ମସିହାରେ ଆଵିଷ୍କୃତ ହୋଇଥିଲା। Orrorin tugenensisଙ୍କର ଅଵଶେଷରେ କିଛି ମୁଖ୍ୟ ଅଙ୍ଗ, ଯେପରି ଫିମର (ଊରୁ ହାଡ଼), ଦାନ୍ତ, ଓ ବାହୁର ହାଡ଼ ଅନ୍ତର୍ଭୁକ୍ତ, ଯାହା ଵୈଜ୍ଞାନିକମାନଙ୍କୁ ସେମାନଙ୍କର ଶାରୀରିକ ଗଠନ ଏଵଂ ଜୀଵନଶୈଳୀ ଵିଷୟରେ ଅଧିକ ଜାଣିଵାରେ ସାହାଯ୍ୟ କରିଥିଲା। 

Orrorin tugenensisଙ୍କର ଫିମର ଵା ଊରୁ ହାଡ଼ର ଗଠନ ସୂଚାଇଥାଏ ଯେ ସେମାନେ ଦ୍ୱିପାଦୀ ଚଳନ କରୁଥିଲେ। ଫିମରର ଉପର ଭାଗରେ ଥିଵା ଗଠନ, ଯାହା ଶ୍ରୋଣୀ ସହ ସଂଯୁକ୍ତ ହେଉଥିଲା, ଆଧୁନିକ ମନୁଷ୍ୟଙ୍କ ସହ ସମାନତା ଦେଖାଇଥାଏ। ତେଣୁ ସେମାନେ ଦୁଇ ପାଦରେ ଠିଆ ହୋଇ ଚାଲିପାରୁଥିଲେ,ପୁଣି ସେମାନେ ସମ୍ଭଵତଃ ଗଛରେ ମଧ୍ୟ ଚଢ଼ିଵାରେ ସକ୍ଷମ ଥିଲେ। ସେମାନଙ୍କର ଦାନ୍ତର ଗଠନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥାଏ। Orrorin tugenensisଙ୍କର ଦାନ୍ତର ଏନାମେଲ ଅପେକ୍ଷାକୃତ ମୋଟା ଥିଲା ତେଣୁ ସେମାନେ ନିଶ୍ଚୟ କନ୍ଦମୂଳ ଓ ବାଦାମ ଭଳି କଠିନ ଖାଦ୍ୟ ଖାଇଵାରେ ସକ୍ଷମ ଥିଲେ । Orrorin tugenensisଙ୍କର ପରିଵେଶ ମଧ୍ୟ ମିଶ୍ରିତ ଜଙ୍ଗଲ ଓ ଘାସଭୂମି ଥିଲା। ଏହି ପରିଵେଶ ସେମାନଙ୍କୁ ଗଛରେ ଚଢ଼ିଵା ଏଵଂ ମାଟିରେ ଚାଲିଵା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିଵାକୁ ସାହାଯ୍ୟ କରିଥାଏ। ଏହି ପ୍ରଜାତିର ଆଵିଷ୍କାର ମନୁଷ୍ୟ ଵିକାଶରେ ଦ୍ୱିପାଦୀ ଚଳନର ପ୍ରାରମ୍ଭିକ ପର୍ଯ୍ୟାୟକୁ ବୁଝିଵାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏମାନଙ୍କର ଶରୀର ଦୈର୍ଘ୍ୟ ପ୍ରାୟ ୩ ଫୁଟ୍ ୩ ଇଞ୍ଚ୍ – ୩ ଫୁଟ୍ ୧୧ ଇଞ୍ଚ୍ (୧.୦–୧.୨ ମିଟର) ଥିଲା। 


Orrorin tugenensisଙ୍କ ପରେ ଆଜକୁ ପ୍ରାୟ ୪.୪ ନିୟୁତ ଵର୍ଷ ପୂର୍ଵେ, Ardipithecus ramidus ଇଥିଓପିଆର Afar ଅଞ୍ଚଳରେ ଦେଖାଦେଇଥିଲେ। ଏହି ପ୍ରଜାତିର ଅଵଶେଷ, ଯାହାକୁ "Ardi" ନାମରେ ମଧ୍ୟ ଜଣାଯାଏ, ୧୯୯୪ ମସିହାରେ ଆଵିଷ୍କୃତ ହୋଇଥିଲା। Ardipithecus ramidusଙ୍କର ଅଵଶେଷ ଅତ୍ୟନ୍ତ ସମ୍ପୂର୍ଣ୍ଣ ଥିଲା, ଯେଉଁଥିରେ ଏକ ଆଂଶିକ କଙ୍କାଳ, ଖପୁରୀର ଖଣ୍ଡ, ଦାନ୍ତ, ଓ ଅନ୍ୟ ହାଡ଼ ଅନ୍ତର୍ଭୁକ୍ତ ଥିଲା। ଏହା ଵୈଜ୍ଞାନିକମାନଙ୍କୁ ଏହି ପ୍ରଜାତିର ଶାରୀରିକ ଗଠନ ଏଵଂ ଜୀଵନଶୈଳୀ ଵିଷୟରେ ଵିସ୍ତୃତ ଅଧ୍ୟୟନ କରିଵାରେ ସାହାଯ୍ୟ କରିଥିଲା। ଏମାନଙ୍କର ଶରୀର ଦୈର୍ଘ୍ୟ ପ୍ରାୟ ୩ ଫୁଟ୍ ୭ ଇଞ୍ଚ୍ – ୩ ଫୁଟ୍ ୧୧ ଇଞ୍ଚ୍ (୧.୧–୧.୨ ମିଟର) ଥିଲା।

Ardipithecus ramidusଙ୍କ ପରେ ମାନଵ ଵିକାଶର କ୍ରମ ଆଫ୍ରିକାର ପରିଵର୍ତ୍ତନଶୀଳ ପରିଵେଶରେ ଆହୁରି ଗତି ଲାଭ କରିଥିଲା। ଜଙ୍ଗଲର ସଙ୍କୋଚନ ଓ ସାଭାନାର ଵିସ୍ତାର ଯୋଗୁଁ ପ୍ରାଇମେଟ୍‌ମାନେ ନୂଆ ରୂପରେ ଅନୁକୂଳନ କରିଵାକୁ ଵାଧ୍ୟ ହୋଇଥିଲେ, ଯାହା ଦ୍ୱିପାଦୀ ଚଳନ, ବଡ଼ ମସ୍ତିଷ୍କ ଓ ସାମାଜିକ ଜଟିଳତାକୁ ପ୍ରୋତ୍ସାହିତ କରିଥିଲା। ଏହି ପ୍ରକ୍ରିୟାରେ ଅଷ୍ଟ୍ରାଲୋପିଥେକସ୍ ଗୋଷ୍ଠୀ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ, ଯେଉଁମାନେ ଆଫ୍ରିକାର ଵିଭିନ୍ନ ଅଞ୍ଚଳରେ ଵାସ କରି ମାନଵ ପୂର୍ଵଜଙ୍କ ଶାରୀରିକ ଓ ଆଚରଣଗତ ଭିତ୍ତି ସ୍ଥାପନ କରିଥିଲେ।

ଆଜକୁ ପ୍ରାୟ ୩.୯ ନିୟୁତ ଵର୍ଷ ପୂର୍ଵେ, ପୂର୍ଵ ଆଫ୍ରିକାରେ Australopithecus afarensis ନାମକ ଏକ ପ୍ରଜାତି ଆଵିର୍ଭାଵ ହୋଇଥିଲେ। ଏହି ପ୍ରଜାତିର ଅଵଶେଷ ଇଥିଓପିଆର ହାଦାର ଅଞ୍ଚଳ ଓ ତାଞ୍ଜାନିଆର ଲେଟୋଲି ଅଞ୍ଚଳରେ ମିଳିଛି, ତନ୍ମଧ୍ୟରୁ ସବୁଠାରୁ ପ୍ରସିଦ୍ଧ ହେଉଛି “ଲୁସି” ନାମକ ଏକ ଆଂଶିକ କଙ୍କାଳ, ଯାହା ୧୯୭୪ ମସିହାରେ ଆଵିଷ୍କୃତ ହୋଇଥିଲା। 

Australopithecus afarensisଙ୍କର ଅଵଶେଷ ପାଖାପାଖି ସମ୍ପୂର୍ଣ୍ଣ ଥିଲା, ଯେଉଁଥିରେ ଖପୁରୀ, ଦାନ୍ତ, ଶ୍ରୋଣୀ, ଊରୁ ହାଡ଼ ଓ ପାଦର ହାଡ଼ ଅନ୍ତର୍ଭୁକ୍ତ ଥିଲା। ଏହା ଵୈଜ୍ଞାନିକମାନଙ୍କୁ ଏହି ଜାତିର ଶାରୀରିକ ଗଠନ ଏଵଂ ଜୀଵନଶୈଳୀ ଵିଷୟରେ ଵିସ୍ତୃତ ଅଧ୍ୟୟନ କରିଵାରେ ସାହାଯ୍ୟ କରିଥିଲା। ଏମାନଙ୍କ ପୁରୁଷମାନଙ୍କର ଶରୀର ଦୈର୍ଘ୍ୟ ପ୍ରାୟ ୪ ଫୁଟ୍ ୭ ଇଞ୍ଚ୍ – ୪ ଫୁଟ୍ ୧୧ ଇଞ୍ଚ୍ (୧.୪–୧.୫ ମିଟର) ଓ ମହିଳାମାନଙ୍କର ୩ ଫୁଟ୍ ୩ ଇଞ୍ଚ୍ – ୩ ଫୁଟ୍ ୧୧ ଇଞ୍ଚ୍ (୧.୦–୧.୨ ମିଟର) ଥିଲା, ଯାହା ଲିଙ୍ଗଭିତ୍ତିକ ଆକାର ଭିନ୍ନତାକୁ ସୂଚାଇଥାଏ।

Australopithecus afarensisର ଶରୀର ଗଠନ ଦ୍ୱିପାଦୀ ଚଳନରେ ସକ୍ଷମ ଥିଲା, ଯାହାର ପ୍ରମାଣ ଲେଟୋଲିରେ ମିଳିଥିଵା ପାଦଚିହ୍ନଗୁଡ଼ିକ ଦେଇଥାଏ। ସେମାନଙ୍କର ଶ୍ରୋଣୀ ଓ ଊରୁ ହାଡ଼ ଆଧୁନିକ ମନୁଷ୍ୟଙ୍କ ସହ ସମାନତା ଦେଖାଇଥାଏ, କିନ୍ତୁ ହାତପାଦର ଲମ୍ଵା ଆଙ୍ଗୁଠି ଓ ଵକ୍ର ଆଙ୍ଗୁଳି ଗଛରେ ଚଢ଼ିଵା ପାଇଁ ଵିଵର୍ତ୍ତିତ ହୋଇଥିଲା। ଏମାନଙ୍କର ମସ୍ତିଷ୍କ ଆକାର ପ୍ରାୟ ୪୦୦–୫୦୦ ଘନ ସେ.ମି. ଥିଲା, ଯାହା ଆଧୁନିକ ସିମ୍ପାଞ୍ଜୀଙ୍କ ସହ ତୁଳନୀୟ। ସେମାନଙ୍କର ଦାନ୍ତ ମୋଟା ଏନାମେଲ ଯୁକ୍ତ ଥିଲା। ସେମାନେ ମିଶ୍ରିତ ଜଙ୍ଗଲ ଓ ଘାସଭୂମିରେ ଵାସ କରୁଥିଲେ, ଯେଉଁଠାରେ ଗଛରେ ଆଶ୍ରୟ ନେଇ ଭୂମିରେ ଖାଦ୍ୟ ସଂଗ୍ରହ କରୁଥିଲେ। ଏହି ଜାତି ସାମାଜିକ ଗୋଷ୍ଠୀରେ ରହୁଥିଵା ଅନୁମାନ କରାଯାଏ, ଯାହା ମାନଵ ଵିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ। ପ୍ରାୟ ୩ ନିୟୁତ ଵା ୩୦ ଲକ୍ଷ ଵର୍ଷ ପୂର୍ଵେ, ଆଫ୍ରିକାର ପରିଵେଶ ଆହୁରି ପରିଵର୍ତ୍ତନଶୀଳ ହେଉଥିଲା। ଜଙ୍ଗଲର ଆୟତନ କ୍ରମଶଃ ହ୍ରାସ ପାଉଥିବାବେଳେ ସାଭାନା ଓ ଖୋଲା ଘାସଭୂମିର ଵିସ୍ତାର ଜାରି ରହିଥିଲା। ଏହି ପରିଵେଶଗତ ଚାପ ହୋମିନିଡ୍‌ମାନଙ୍କୁ ନୂଆ ପରିଵେଶରେ ଖାପଖୁଆଇ ଵିଵର୍ତ୍ତିତ ହେଵାକୁ ଵାଧ୍ୟ କରିଥିଲା, ଯାହା ଫଳରେ ଅଷ୍ଟ୍ରାଲୋପିଥେକସ୍ ଗୋଷ୍ଠୀର ଅନ୍ୟ ଜାତିମାନଙ୍କର ଉଦ୍ଭଵ ହୋଇଥିଲା। ଏହି ସମୟରେ ଅଷ୍ଟ୍ରାଲୋପିଥେକସ୍ ଆଫ୍ରିକାନସ୍ (Australopithecus africanus) ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଜାତି ଦକ୍ଷିଣ ଆଫ୍ରିକାରେ ଆଵିର୍ଭାଵ ହୋଇଥିଲେ। ଏମାନଙ୍କର ଜୀଵାଶ୍ମ ଷ୍ଟର୍କଫଣ୍ଟେନ୍, ଟାଉଙ୍ଗ ଓ ମାକାପାନସ୍ଗାଟ ଭଳି ଗୁମ୍ଫାସ୍ଥାନଗୁଡ଼ିକରୁ ମିଳିଛି। ସଵୁଠାରୁ ପ୍ରସିଦ୍ଧ ଅଵଶେଷ ହେଉଛି “Taung Child” ଯାହା ୧୯୨୪ ମସିହାରେ ଆଵିଷ୍କୃତ ହୋଇଥିଲା। ଏହି ଖପୁରୀ ଏକ ବାଳକର ଥିଲା ଏଵଂ ଏହା ଅଷ୍ଟ୍ରାଲୋପିଥେକସ୍ ଆଫ୍ରିକାନସ୍‌ର ମସ୍ତିଷ୍କ ଆକାର ଓ ଦାନ୍ତ ଗଠନ ଵିଷୟରେ ମହତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲା । Australopithecus africanusର ଶରୀର ଗଠନ ଦ୍ୱିପାଦୀ ଚଳନରେ ଅଧିକ ଅନୁକୂଳ ଥିଲା, ଯାହାର ପ୍ରମାଣ ସେମାନଙ୍କର ଶ୍ରୋଣୀ, ଊରୁ ହାଡ଼ ଓ ପାଦର ଗଠନରୁ ମିଳେ। ତଥାପି, ସେମାନଙ୍କର ହାତପାଦରେ ଥିଵା ଵକ୍ର ଆଙ୍ଗୁଳି ଗଛରେ ଚଢ଼ିଵାର କ୍ଷମତାକୁ ସୂଚାଇଥାଏ। ପୁରୁଷମାନଙ୍କର ଶରୀର ଦୈର୍ଘ୍ୟ ପ୍ରାୟ ୪ ଫୁଟ୍ ୩ ଇଞ୍ଚ୍ – ୪ ଫୁଟ୍ ୧୧ ଇଞ୍ଚ୍ (୧.୩–୧.୫ ମିଟର) ଓ ମହିଳାମାନଙ୍କର ୩ ଫୁଟ୍ ୭ ଇଞ୍ଚ୍ – ୪ ଫୁଟ୍ ୩ ଇଞ୍ଚ୍ (୧.୧–୧.୩ ମିଟର) ଥିଲା। ସେମାନଙ୍କର ମସ୍ତିଷ୍କ ଆକାର ପ୍ରାୟ ୪୨୦–୫୦୦ ଘନ ସେ.ମି. ଥିଲା, ଯାହା Australopithecus afarensis ଅପେକ୍ଷା ସାମାନ୍ୟ ବଡ଼। ଦାନ୍ତଗୁଡ଼ିକ ମୋଟା ଏନାମେଲ ଯୁକ୍ତ ଥିଲା, ଯାହା କଠିନ ଉଦ୍ଭିଦ, ମୂଳ ଓ ଵୀଜ ଖାଇଵା ପାଇଁ ଵିଵର୍ତ୍ତିତ ହୋଇଥିଲା। ସେମାନେ ମିଶ୍ରିତ ଜଙ୍ଗଲ ଓ ଖୋଲା ଅଞ୍ଚଳରେ ଵାସ କରୁଥିଲେ ଏଵଂ ଗଛରୁ ଖାଦ୍ୟ ସଂଗ୍ରହ କରି ମାଟିରେ ଚଳପ୍ରଚଳ କରୁଥିଲେ। ଏହି ଜାତି ସାମାଜିକ ଗୋଷ୍ଠୀରେ ରହୁଥିଵା ଏଵଂ ସମ୍ଭଵତଃ ସରଳ ସାମାଜିକ ଆଚରଣ ପ୍ରଦର୍ଶନ କରୁଥିଵା ଅନୁମାନ କରାଯାଏ। ଏହି ସମୟରେ ଆଫ୍ରିକାରେ ଅନ୍ୟ ଏକ ଶାଖା ଉଦ୍ଭଵ ହୋଇଥିଲା, ଯାହାକୁ ରୋବଷ୍ଟ ଅଷ୍ଟ୍ରାଲୋପିଥେକସ୍ (Robust Australopithecines) କୁହାଯାଏ, ଯାହାର ଅନ୍ତର୍ଗତ ଜାତିମାନେ ଥିଲେ Australopithecus aethiopicus, Australopithecus boisei ଓ Australopithecus robustus। ଏମାନେ ଗ୍ରେସିଲ (Gracile) ଅଷ୍ଟ୍ରାଲୋପିଥେକସ୍ (ଯେପରି afarensis ଓ africanus) ଠାରୁ ଅଧିକ ଶକ୍ତିଶାଳୀ ହନୁହାଡ଼ ଓ ମୋଟା ଦାନ୍ତ ଯୁକ୍ତ ଥିଲେ। ପ୍ରାୟ ୨.୭ ନିୟୁତ ଵର୍ଷ ପୂର୍ଵେ ପୂର୍ଵ ଆଫ୍ରିକାରେ Australopithecus aethiopicus ଦେଖାଦେଇଥିଲେ, ଯାହାର ଜୀଵାଶ୍ମ “ବ୍ଲାକ ସ୍କଲ୍” (Black Skull) ନାମରେ ପ୍ରସିଦ୍ଧ। ଏହାର ମୁଖମଣ୍ଡଳ ଅଗ୍ରସର(prognathic Face) ଏଵଂ ମସ୍ତିଷ୍କ ଆକାର ପ୍ରାୟ ୪୧୦ ଘନ ସେ.ମି. ଥିଲା । ଏମାନେ କଠିନ ଖାଦ୍ୟ ଯେପରି ଘାସର ମୂଳ ଓ ଵୀଜ ଖାଇଵା ପାଇଁ ଅନୁକୂଳିତ ଥିଲେ।

ପ୍ରାୟ ୨.୫ ନିୟୁତ ଵର୍ଷ ପୂର୍ଵେ, ପୂର୍ଵ ଆଫ୍ରିକାରେ Australopithecus boisei (ପୂର୍ଵରୁ Paranthropus boisei ନାମରେ ଜଣାଯାଉଥିଲା) ଆଵିର୍ଭାଵ ହୋଇଥିଲେ। ଏହି ଜାତିକୁ “ନଟକ୍ରାକର ମ୍ୟାନ୍” (Nutcracker Man) କୁହାଯାଏ କାରଣ ଏମାନଙ୍କର ଵିଶାଳ ହନୁହାଡ଼ ଓ ମୋଟା ଦାନ୍ତ କଠିନ ବୀଜ ଓ ମୂଳ ଚୋଵାଇଵା ପାଇଁ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ଏମାନଙ୍କର ମସ୍ତିଷ୍କ ଆକାର ପ୍ରାୟ ୫୦୦–୫୫୦ ଘନ ସେ.ମି. ଥିଲା ଏଵଂ ଶରୀର ଦୈର୍ଘ୍ୟ ପୁରୁଷଙ୍କ କ୍ଷେତ୍ରରେ ୪ ଫୁଟ୍ ୩ ଇଞ୍ଚ୍ – ୪ ଫୁଟ୍ ୭ ଇଞ୍ଚ୍ (୧.୩–୧.୪ ମିଟର) ଓ ମହିଳାଙ୍କ କ୍ଷେତ୍ରରେ ୩ ଫୁଟ୍ ୧୧ ଇଞ୍ଚ୍ – ୪ ଫୁଟ୍ ୩ ଇଞ୍ଚ୍ (୧.୨–୧.୩ ମିଟର) ଥିଲା । ଏମାନେ ସାଭାନା ଓ ହ୍ରଦ ନିକଟଵର୍ତ୍ତୀ ଅଞ୍ଚଳରେ ଵାସ କରୁଥିଲେ। ଦକ୍ଷିଣ ଆଫ୍ରିକାରେ ପ୍ରାୟ ୨.୫–୧.୫ ନିୟୁତ ଵର୍ଷ ପୂର୍ଵେ Australopithecus robustus (ପୂର୍ଵରୁ Paranthropus robustus) ଦେଖାଦେଇଥିଲେ। ଏମାନଙ୍କର ଶାରୀରିକ ଗଠନ boisei ସହ ସମାନ ଥିଲା, କିନ୍ତୁ ମସ୍ତିଷ୍କ ଆକାର ପ୍ରାୟ ୫୫୦ ଘନ ସେ.ମି. ଥିଲା। ଏହି ରୋବଷ୍ଟ ଜାତିମାନେ ମାନଵ ପରିଵାରର ଏକ ପାର୍ଶ୍ୱ ଶାଖା ଥିଲେ ଏଵଂ ପ୍ରାୟ ୧ ନିୟୁତ ଵର୍ଷ ପୂର୍ଵେ ବିଲୁପ୍ତ ହୋଇଯାଇଥିଲେ। ଏହି ସମୟରେ ମାନଵ ଵିକାଶର ଏକ ଗୁରୁତ୍ୱପୂର୍ଣ୍ଣ ପରିଵର୍ତ୍ତନ ଘଟିଥିଲା – ହୋମୋ (Homo) ବଂଶର ଆରମ୍ଭ ହୋଇଥିଲା । ପ୍ରାୟ ୨.୮ ନିୟୁତ ଵର୍ଷ ପୂର୍ଵେ ପୂର୍ଵ ଆଫ୍ରିକାରେ ପ୍ରାରମ୍ଭିକ ହୋମୋ ଜାତି ଦେଖାଦେଇଥିଲେ, ଯାହାକୁ ହୋମୋ ହବିଲିସ୍ (Homo habilis) କୁହାଯାଏ। ଏହି ଜାତିକୁ “ହ୍ୟାଣ୍ଡି ମ୍ୟାନ୍” (Handy Man) କୁହାଯାଏ କାରଣ ଏମାନେ ପ୍ରଥମ ଥର ପାଇଁ ସରଳ ପଥର ଅସ୍ତ୍ର (Oldowan tools) ତିଆରି କରି ଵ୍ୟଵହାର କରୁଥିଲେ। ଏମାନଙ୍କର ଜୀଵାଶ୍ମ Olduvai Gorge ଓ Koobi Foraଠାରୁ ମିଳିଛି। ହୋମୋ ହବିଲିସ୍‌ର ମସ୍ତିଷ୍କ ଆକାର ପ୍ରାୟ ୬୦୦–୭୦୦ ଘନ ସେ.ମି. ଥିଲା, ଯାହା ଅଷ୍ଟ୍ରାଲୋପିଥେକସ୍‌ଠାରୁ ଉଲ୍ଲେଖନୀୟ ରୂପେ ବଡ଼। ଏମାନଙ୍କର ଶରୀର ଦୈର୍ଘ୍ୟ ପ୍ରାୟ ୪ ଫୁଟ୍ ୩ ଇଞ୍ଚ୍ – ୪ ଫୁଟ୍ ୭ ଇଞ୍ଚ୍ (୧.୩–୧.୪ ମିଟର) ଥିଲା। ଏମାନଙ୍କର ଦାନ୍ତ ଛୋଟ ଥିଲା ଏଵଂ ପଥରର ହାତହତିଆର ବ୍ୟଵହାର ଯୋଗୁଁ ମାଂସ ଓ ମଜ୍ଜା ଭଳି ନୂଆ ଖାଦ୍ୟ ଉତ୍ସ ପ୍ରାପ୍ତ କରିପାରୁଥିଲେ। ଏହା ମସ୍ତିଷ୍କ ବୃଦ୍ଧି ଓ ଜ୍ଞାନକୌଶଳର ଆରମ୍ଭକୁ ଚିହ୍ନିତ କରିଥିଲା। ହୋମୋ ହବିଲିସ୍‌ର ଉତ୍ତରାଧିକାରୀ ଭାବେ ପ୍ରାୟ ୧.୯ ନିୟୁତ ଵର୍ଷ ପୂର୍ଵେ ପୂର୍ଵ ଆଫ୍ରିକାରେ ହୋମୋ ଇରେକ୍ଟସ୍ (Homo erectus) ନାମକ ଏକ ଅଧିକ ଉନ୍ନତ ଜାତି ଆଵିର୍ଭାଵ ହୋଇଥିଲେ। ଏହି ଜାତିକୁ “ଋଜୁକାୟ ମାନଵ” (Upright Man) କୁହାଯାଏ, କାରଣ ସେମାନେ ଆଧୁନିକ ମନୁଷ୍ୟଙ୍କ ସହ ଅଧିକ ସମାନତା ଦେଖାଇଥିଲେ ଏଵଂ ସମ୍ପୂର୍ଣ୍ଣ ଦ୍ୱିପାଦୀ ଚଳନ କରୁଥିଲେ। ହୋମୋ ଇରେକ୍ଟସ୍‌ର ଜୀଵାଶ୍ମ କେନିଆର ତୁର୍କାନା ହ୍ରଦ ନିକଟଵର୍ତ୍ତୀ ଅଞ୍ଚଳ, ଇଥିଓପିଆ ଓ ତାଞ୍ଜାନିଆରେ ମିଳିଛି। ସବୁଠାରୁ ପ୍ରସିଦ୍ଧ ଅଵଶେଷ ହେଉଛି “Turkana Boy” ଯାହା ୧୯୮୪ ମସିହାରେ ଆଵିଷ୍କୃତ ହୋଇଥିଲା ଏଵଂ ପ୍ରାୟ ୧୨ ଵର୍ଷୀୟ ବାଳକର ପ୍ରାୟ ସମ୍ପୂର୍ଣ୍ଣ କଙ୍କାଳ ଥିଲା। ଏମାନଙ୍କର ମସ୍ତିଷ୍କ ଆକାର ପ୍ରାୟ ୮୫୦–୧୧୦୦ ଘନ ସେ.ମି. ଥିଲା, ଯାହା ହୋମୋ ହବିଲିସ୍‌ଠାରୁ ଉଲ୍ଲେଖନୀୟ ରୂପେ ବଡ଼। ଶରୀର ଦୈର୍ଘ୍ୟ ପୁରୁଷଙ୍କର ପ୍ରାୟ ୫ ଫୁଟ୍ ୩ ଇଞ୍ଚ୍ – ୬ ଫୁଟ୍ (୧.୬–୧.୮ ମିଟର) ଓ ମହିଳାଙ୍କର ୪ ଫୁଟ୍ ୧୧ ଇଞ୍ଚ୍ – ୫ ଫୁଟ୍ ୭ ଇଞ୍ଚ୍ (୧.୫–୧.୭ ମିଟର) ଥିଲା। ଏମାନଙ୍କର ଶରୀର ଗଠନ ଆଧୁନିକ ମନୁଷ୍ୟଙ୍କ ସହ ସମାନ ଥିଲା – ଲମ୍ଵା ପାଦ, ସଂକୀର୍ଣ୍ଣ ଶ୍ରୋଣୀ ଓ ଦୀର୍ଘ ଦୂର ଚଳନ ପାଇଁ ଵିଵର୍ତ୍ତିତ ହୋଇଥିଲା । ଦାନ୍ତଗୁଡ଼ିକ ଛୋଟ ଥିଲା ଏଵଂ ପଥର ହାତହତିଆର ଵ୍ୟଵହାର ଯୋଗୁଁ ମାଂସାହାରୀ ଖାଦ୍ୟ ଅଧିକ ମାତ୍ରାରେ ଗ୍ରହଣ କରୁଥିଲେ। ହୋମୋ ଇରେକ୍ଟସ୍ ମାନଵ ଵିକାଶରେ ଏକ ମାଇଲଖୁଣ୍ଟ ଥିଲେ, କାରଣ ସେମାନେ ପ୍ରଥମ ଥର ପାଇଁ ଆଫ୍ରିକା ବାହାରକୁ ପ୍ରସାରିତ ହୋଇଥିଲେ। ପ୍ରାୟ ୧.୮ ନିୟୁତ ଵର୍ଷ ପୂର୍ଵେ ହୋମୋ ଇରେକ୍ଟସ୍ ମାନଵ ଜର୍ଜିଆର ଡମାନିସି, ଚୀନର ଝୌକୌଡିଆନ୍ ଓ ଇଣ୍ଡୋନେସିଆର ଜାଭା ଓ ୟୁରୋପରେ ପହଞ୍ଚିଥିଲେ। ଏହି ପ୍ରସାରଣ “Out Of Africa” ମଡେଲର ପ୍ରାରମ୍ଭିକ ପର୍ଯ୍ୟାୟକୁ ଚିହ୍ନିତ କରିଥାଏ। ଏମାନେ ଅଧିକ ଉନ୍ନତ ପଥର ହାତହତିଆର ତିଆରି କରୁଥିଲେ, ଯେପରି ଆଚେଉଲିଆନ୍ ହ୍ୟାଣ୍ଡ୍ ଆକ୍ସ୍ (Acheulean hand axes), ଯାହା ଦୁଇ ପାର୍ଶ୍ୱରେ କଟାଯାଇଥିଵା ପଥରର ଅସ୍ତ୍ର ଥିଲା। ଏହା ଶିକାର, ମାଂସ କାଟିଵା ଓ ଉଦ୍ଭିଦ ପ୍ରକ୍ରିୟାକରଣରେ ଵ୍ୟଵହୃତ ହେଉଥିଲା। ଏହାପରେ ହୋମୋ ଇରକ୍‌ଟସ୍‌ମାନେ ଏମିତି ଏକ ଆଵିଷ୍କାର କଲେ ଯାହା ପରେ ସବୁକିଛି ବଦଳିଗଲା । 
ନିଆଁର ଆଵିଷ୍କାର ପରେ ହୋମୋ ଇରକଟସ୍‌ମାନେ ହଠାତ୍ ପୃଥିଵୀର ଅଜେୟ ଜୀଵଜାତିରେ ପରିଣତ ହୋଇଗଲେ ।‌ କାଳକ୍ରମେ ନିଆଁ ଵ୍ୟଵହାର କରି ସେମାନେ ମାଂସ ପୋଡ଼ି ଖାଇଲେ ପୁଣି ନିଆଁ ଉଷ୍ମତା ଓ ଶିକାରୀଙ୍କଠାରୁ ରକ୍ଷା ପାଇଁ ମଧ୍ୟ ସହାୟକ ହୋଇଥିଲା। ହୋମୋ ଇରକଟସ୍‌ମାନେ ଗୋଷ୍ଠୀରେ ରହୁଥିଲେ, ସହଯୋଗରେ ଶିକାର କରୁଥିଲେ ଏଵଂ ସମ୍ଭଵତଃ ସେମାନେ ପ୍ରଥମେ ସରଳ ଭାଷାର ଆରମ୍ଭ କରିଥିଲେ। ହୋମୋ ଇରେକ୍ଟସ୍ ପ୍ରାୟ ୧୦୦,୦୦୦ ଵର୍ଷ ପୂର୍ଵେ ଵିଲୁପ୍ତ ହୋଇଯାଇଥିଲେ, କିନ୍ତୁ ଏସିଆରେ କେତେକ ଉପପ୍ରଜାତି (ଯଥା: ହୋମୋ ଇରେକ୍ଟସ୍ ସୋଲୋଏନ୍ସିସ୍) ଅଧିକ ଦୀର୍ଘ ସମୟ ଧରି ତିଷ୍ଠି ରହିଥିଲେ। ହୋମୋ ଇରେକ୍ଟସ୍‌ର ସମାନ୍ତରାଳରେ ଵା ପରେ ଆଫ୍ରିକାରେ ଅନ୍ୟ ହୋମୋ ଜାତି ମଧ୍ୟ ଦେଖାଦେଇଥିଲେ ତନ୍ମଧ୍ୟରେ ହୋମୋ ହାଇଡେଲବର୍ଗେନ୍ସିସ୍ (Homo heidelbergensis), ପ୍ରାୟ ୭୦୦,୦୦୦–୩୦୦,୦୦୦ ଵର୍ଷ ପୂର୍ଵେ ଆଫ୍ରିକାରେ ରହୁଥିଲେ । ଏହି ଜାତିକୁ ଆଧୁନିକ ମଣିଷ ଓ ନିୟାଣ୍ଡର୍ଥାଲ୍‌ଙ୍କର ସାଧାରଣ ପୂର୍ଵଜ ଭାବେ ବିବେଚନା କରାଯାଏ। ଏମାନଙ୍କର ଜୀଵାଶ୍ମ ଦକ୍ଷିଣ ଆଫ୍ରିକାର ବ୍ରୋକେନ ୟୁରୋପର ହାଇଡେଲବର୍ଗ ଠାରୁ ମିଳିଛି। ହୋମୋ ହାଇଡେଲବର୍ଗେନ୍ସିସ୍‌ଙ୍କ ମସ୍ତିଷ୍କ ଆକାର ପ୍ରାୟ ୧୨୦୦–୧୪୦୦ ଘନ ସେ.ମି., ଶରୀର ଦୈର୍ଘ୍ୟ ପ୍ରାୟ ୫ ଫୁଟ୍ ୭ ଇଞ୍ଚ୍ – ୬ ଫୁଟ୍ ୩ ଇଞ୍ଚ୍ (୧.୭–୧.୯ ମିଟର) ହେଉଥିଲା । ସେମାନେ ଅଧିକ ଜଟିଳ ପଥର ହାତହତିଆର ତିଆରି କରୁଥିଲେ, ଗୋଷ୍ଠୀରେ ଶିକାର କରୁଥିଲେ ଏଵଂ ସମ୍ଭଵତଃ ଭାଷା ଓ ସାଂସ୍କୃତିକ ଆଚରଣର ଆରମ୍ଭ କରିଥିଲେ।

ଏଵଂ ଶେଷରେ ଆଜକୁ ପ୍ରାୟ ୩୦୦,୦୦୦ ଵର୍ଷ ପୂର୍ଵେ ଆଫ୍ରିକାରେ ହୋମୋ ସାପିଏନ୍ସ୍ (Homo sapiens)ଙ୍କର ଆଵିର୍ଭାଵ ଘଟିଥିଲା। ହୋମୋ ସାପିଏନ୍ସ୍ ଵା ଆଧୁନିକ ମାନଵଜାତିର ପ୍ରାଚୀନତମ ଜୀଵାଶ୍ମ ମୋରୋକ୍କୋର ଜେବେଲ୍ ଇର୍ହୌଡ୍ (୩୦୦,୦୦୦ ଵର୍ଷ) ଓ ଇଥିଓପିଆର ଓମୋ କିବିଶ୍ (୧୯୫,୦୦୦ ଵର୍ଷ) ଠାରୁ ମିଳିଛି। ଆଧୁନିକ ମନୁଷ୍ୟଙ୍କର ମସ୍ତିଷ୍କ ଆକାର ପ୍ରାୟ ୧୩୫୦ ଘନ ସେ.ମି., ଉଚ୍ଚ କପାଳ, ଛୋଟ ମୁଖମଣ୍ଡଳ ଓ ଚିବୁକ ଥିଲା। ପ୍ରାୟ ୭୦,୦୦୦–୫୦,୦୦୦ ଵର୍ଷ ପୂର୍ଵେ ସେମାନେ ଆଫ୍ରିକା ବାହାରକୁ ପ୍ରସାରିତ ହୋଇ ଏସିଆ, ଅଷ୍ଟ୍ରେଲିଆ, ୟୁରୋପ ଓ ଆମେରିକାରେ ପହଞ୍ଚିଥିଲେ। ଏହି ସମୟରେ ସେମାନେ ନିୟାଣ୍ଡର୍ଥାଲ୍ (Homo neanderthalensis) ଓ ଡେନିସୋଭାନ୍‌ଙ୍କ ସହ ମିଶ୍ରଣ କରିଥିଲେ, ଯାହାର ଜେନେଟିକ୍ ପ୍ରମାଣ ଆଧୁନିକ ଅ-ଆଫ୍ରିକୀୟ ମନୁଷ୍ୟଙ୍କ ଡିଏନ୍‌ଏରେ ଦେଖାଯାଏ। ହୋମୋ ସାପିଏନ୍ସ୍ ଜଟିଳ ଭାଷା, କଳା, ସଙ୍ଗୀତ, ଧର୍ମ ଓ ପ୍ରଯୁକ୍ତିବିଦ୍ୟା ଵିକଶିତ କରି ପୃଥିଵୀର ସର୍ଵୋଚ୍ଚ ପ୍ରାଣୀ ହୋଇପାରିଛନ୍ତି। ଏହି ଦୀର୍ଘ ଯାତ୍ରା ପରିଵେଶଗତ ଚାପ, ଜୈଵିକ ଅନୁକୂଳନ ଓ ସାଂସ୍କୃତିକ ଵିକାଶର ଏକ ଅସାଧାରଣ କାହାଣୀ।

ତେବେ ଆଧୁନିକ ମାନଵଜାତି “Homo sapiens” ଗୋଟିଏ ଦିନରେ ପୃଥିଵୀର ସର୍ଵେସର୍ଵା ହୋଇଯାଇ ନାହାନ୍ତି । ପୃଥିଵୀର ସର୍ଵୋଚ୍ଚ ସର୍ଵଶକ୍ତିମାନ ଜୀଵ ରୂପେ ପ୍ରତିଷ୍ଠିତ ହେଵାକୁ ମାନଵଜାତିକୁ ଦୀର୍ଘ ସଂଘର୍ଷ ଓ ପ୍ରଯତ୍ନ କରିଵାକୁ ପଡ଼ିଛି । ସେ କାହାଣୀ ଆହୁରି ରୋଚକ ଓ ଵିସ୍ତୃତ ଅଟେ। ମାନଵ ଜାତିର ସମ୍ପୂର୍ଣ୍ଣ ପୃଥିଵୀରେ ଵିସ୍ତାର ତଥା ଵିଭିନ୍ନ ମାନଵ ସଭ୍ୟତାର ଉଦ୍ଭଵ ଏକ ଅଵିଚ୍ଛିନ୍ନ କାହାଣୀ। ଏହାକୁ ଵିସ୍ତାର କରି ଲେଖିଲେ ଆଠ ଦଶଖଣ୍ଡରୁ ଅଧିକ ପୋଥି ହେଵ । ମାନଵ ଵିସ୍ତାରର କାହାଣୀ ଆଫ୍ରିକାର ଗରମ ମରୁଭୂମିରୁ ଆରମ୍ଭ ହୋଇ ଵିଶ୍ୱର ପ୍ରତି କୋଣ ଅନୁକୋଣରେ ମାନଵ ସଭ୍ୟତାର ଵିକାଶ ଓ ପ୍ରତିଷ୍ଠିତ ହେଵା ସହିତ ସମାପ୍ତ ହୁଏ । ଏହି ଯାତ୍ରାରେ ମାନଵ କେଵଳ ମାତ୍ର ଭୌଗୋଳିକ ସୀମା ଅତିକ୍ରମ କରିନାହିଁ, ଵରଂ ନିଜର ଜୈଵିକ ସୀମାକୁ ମଧ୍ୟ ଲଙ୍ଘିଯାଇ ସାଂସ୍କୃତିକ, ଵୌଦ୍ଧିକ ଓ ପ୍ରଯୁକ୍ତିଗତ ଵିକାଶର ଶିଖରରେ ପହଞ୍ଚିଛି। 

ଆଜକୁ ପ୍ରାୟ ୩୧୫,୦୦୦ ଵର୍ଷ ପୂର୍ଵେ ମୋରୋକ୍କୋର ଜେଵେଲ୍ ଇର୍ହୌଡ୍ ଗୁମ୍ଫାରେ ମିଳିଥିଵା ଜୀଵାଶ୍ମରୁ ଜଣାଯାଏ ଯେ ଆଧୁନିକ ମୁଖମଣ୍ଡଳ ଓ ଵିଶାଳ ମସ୍ତିଷ୍କ ସହିତ ହୋମୋ ସାପିଏନ୍ସ୍ ଆଫ୍ରିକାର ଉତ୍ତର-ପଶ୍ଚିମରେ ଵାସ କରୁଥିଲେ। ଏହି ସମୟରେ ଆଧୁନିକ ମାନଵ ପ୍ରଥମେ ପଥରରୁ ଛୁରୀ, ଵର୍ଚ୍ଛା ମୁଣ୍ଡ ଗଢ଼ିଵାର ଉନ୍ନତ ପ୍ରଣାଳୀ ଵା ଲେଵାଲୋଇସ୍ ଟେକ୍ନିକ୍ ଵିକଶିତ କରିଥିଲା । ଏହା ଶିକାରକୁ ଅଧିକ କାର୍ଯ୍ୟକ୍ଷମ କଲା ଏଵଂ ମାନଵକୁ ପ୍ରକୃତିର ଦାସରୁ ନିୟନ୍ତ୍ରକ ଆଡ଼କୁ ଏକ ପାଦ ଆଗେଇ ନେଇଥିଲା। ଦକ୍ଷିଣ ଆଫ୍ରିକାର ବ୍ଲୋମ୍ଵୋସ୍ ଗୁମ୍ଫାରେ ୭୩,୦୦୦ ଵର୍ଷର ଶଙ୍ଖ ମାଳା ଓ ରଙ୍ଗିନ ଓକର୍ ମିଳିଛି, ଯାହା ପ୍ରତୀକାତ୍ମକ ଚିନ୍ତନର ପ୍ରଥମ ପ୍ରମାଣ। ଏହି ସମୟରେ ଆଫ୍ରିକାର ଵିଭିନ୍ନ ଅଞ୍ଚଳରେ ଛୋଟ ପଥର ଅସ୍ତ୍ରର ମାଇକ୍ରୋଲିଥିକ୍ ଉପକରଣ ଵିକଶିତ ହେଉଥିଲା ଏଵଂ ଏସବୁ ହାତ ହତିଆର ମାନଵଙ୍କୁ ଶିକାର ଓ ସଂଗ୍ରହ କ୍ଷେତ୍ରରେ ଅଧିକ ନିପୁଣ କରିଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରାକ୍-ଭାଷା ଵା Proto-language ୨ ନିୟୁତରୁ ୧,୦୦,୦୦୦ ଵର୍ଷ ମଧ୍ୟରେ ଧୀରେ ଧୀରେ ଵିକାଶ ଲାଭ କଲା ତେବେ ସେତେବେଳେ ଆଜି ଭଳି କଠିନ ଶବ୍ଦ ବୋଲାଯାଉନଥିଲା ଵରଂସରଳ ଧ୍ୱନି, ସଂକେତ ଵ୍ୟଵହାର କରି ହୋମୋ ଇରେକଟ୍ସ୍ ତଥା ଅନ୍ୟାନ୍ୟ ମାନଵଜାତି ପରସ୍ପର ସହିତ କଥା ହେଉଥିଲେ । ସେତେବେଳେ ମଣିଷ ଓ ତାଙ୍କ ପୂର୍ଵଜମାନଙ୍କର ସ୍ଵରଯନ୍ତ୍ର ଆଜି ଭଳି କଥାଭାଷା ହେଵା ପାଇଁ ସେତେଟା ଵିକଶିତ ହୋଇନଥିଲା । ତେବେ ନିରନ୍ତର ପ୍ରୟାସ ଯୋଗୁଁ ୧,୦୦,୦୦୦ରୁ ୫୦,୦୦୦ ଵର୍ଷ ମଧ୍ୟରେ ମନୁଷ୍ୟମାନଙ୍କର ସ୍ଵରଯନ୍ତ୍ରରେ କେତେକ ପରିଵର୍ତ୍ତନ ଦେଖାଦେଲା ଏଵଂ Cognitive Revolution ଯୋଗୁଁ ମନୁଷ୍ୟମାନେ ଭିନ୍ନ ଭିନ୍ନ ଅଞ୍ଚଳରେ ଆପଣାର ଏକ ଏକ ଭାଷା ଵ୍ୟଵହାର କରିଵାକୁ ଲାଗିଲେ। 

ତେବେ ସେହି ସମୟରେ ଏମିତି ଏକ ଘଟଣା ଘଟିଲା ଯାହା ମାନଵ ଜାତି Homo sapiensର ଅସ୍ତିତ୍ବ ହିଁ ଲୋପ କରିଵା ପଥରେ ଥିଲା ତଥାପି ଏ ଜାତି ଵିଲୁପ୍ତିର ଦ୍ଵାରଦେଶରୁ ଅଳ୍ପକେ ଵର୍ତ୍ତିଯାଇଥିଲା । 

ଆଜକୁ ପ୍ରାୟ ୭୪୦୦୦ ଵର୍ଷ ପୂର୍ଵେ ଇଣ୍ଡୋନେସିଆର ସୁମାତ୍ରା ଦ୍ଵୀପରେ ଅଵସ୍ଥିତ ଟୋବା ଆଗ୍ନେୟଗିରିରେ ଏକ ମହା ଭୀଷଣ ଵିସ୍ଫୋରଣ ଘଟିଥିଲା। ଏହା ଥିଲା ମାନଵ ଇତିହାସର ସବୁଠାରୁ ବଡ଼ ଆଗ୍ନେୟଗିରି ଵିସ୍ଫୋରଣ ଘଟଣା ମଧ୍ୟରୁ ଅନ୍ୟତମ। ଵିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଏହାର ପାଉଁଶ ଓ ଗ୍ୟାସ୍ ପୃଥିଵୀର ବାୟୁମଣ୍ଡଳକୁ ଢାଙ୍କି ଦେଇଥିଲା। ସୂର୍ଯ୍ୟର କିରଣ ପୃଥିଵୀ ପୃଷ୍ଠକୁ ପହଞ୍ଚି ପାରୁ ନ ଥିଵାରୁ ଏକ ଦୀର୍ଘ ଶୀତଯୁଗ ଆରମ୍ଭ ହୋଇଯାଇଥିଲା, ଯାହାକୁ ‘ଟୋବା ୱିଣ୍ଟର’ ବା ‘ଵାଲକୋନିକ୍ ୱିଣ୍ଟର’ କୁହାଯାଏ। ଏହି ଶୀତଯୁଗ ପ୍ରାୟ ୧୦୦୦ ଵର୍ଷ ଧରି ରହିଥିଲା ଏଵଂ ବିଶ୍ଵଵ୍ୟାପୀ ଜଳଵାୟୁରେ ଭୀଷଣ ପରିଵର୍ତ୍ତନ ଦେଖା ଦେଇଥିଲା। ଅଵଶ୍ୟ Gathorne-Hardyଙ୍କ ଭଳି କିଛି ଵୈଜ୍ଞାନିକ ଶୀତଯୁଗର ଏତାଦୃଶ ଦୀର୍ଘ ସମୟକାଳକୁ ନେଇ ସନ୍ତୁଷ୍ଟ ନୁହନ୍ତି । ସେମାନେ ଏହା ଅଳ୍ପ ସମୟ ଅଵଧିର ଶୀତଯୁଗ ଥିଲା ବୋଲି ମତ ଦିଅନ୍ତି । 

ତେବେ ଏହି ପରିଵେଶଗତ ସଙ୍କଟ ମାନଵ ଜନସଂଖ୍ୟାକୁ ଅତ୍ୟନ୍ତ ପ୍ରଭାଵିତ କରିଥିଲା। ଆଫ୍ରିକା ବାହାରେ ଥିଵା ପ୍ରାଚୀନ ହୋମୋ ସାପିଏନ୍ସ ଜନସଂଖ୍ୟା ପ୍ରାୟ ନିଶ୍ଚିହ୍ନ ହୋଇଯାଇଥିଲା। ଜେନେଟିକ୍ ଅଧ୍ୟୟନ ଅନୁଯାୟୀ, ସମଗ୍ର ଵିଶ୍ଵରେ ମାତ୍ର ୧,୦୦୦ରୁ ୧୦,୦୦୦ ପ୍ରଜନନକ୍ଷମ ହୋମୋ ସାପିଏନ୍ସ୍ ଵ୍ୟକ୍ତି (ଅର୍ଥାତ୍ ପ୍ରାୟ ୧,୦୦୦ ଯୁଗଳ) ବଞ୍ଚି ରହିଥିଲେ। ଏହି ଘଟଣାକୁ ‘ଜେନେଟିକ୍ ବଟଲ୍‌ନେକ୍’ କୁହାଯାଏ ଏଵଂ ଏହା ଆଧୁନିକ ମାନଵଜାତିର ଜେନେଟିକ୍ ଵିଵିଧତାକୁ ସଙ୍କୁଚିତ କରିଦେଇଥିଲା।

ଏହି ସଙ୍କଟରୁ ବଞ୍ଚିଯାଇଥିବା ଅଳ୍ପ ସଂଖ୍ୟକ ମାନଵ ଆଫ୍ରିକାର ଉତ୍ତର-ପୂର୍ଵ ଅଞ୍ଚଳରୁ (ବିଶେଷତଃ ଇଥିଓପିଆ ଓ ସୁଡାନ୍ ଅଞ୍ଚଳ) ବାହାରି ସିନାଇ ଉପଦ୍ଵୀପ ହୋଇ ଲେଵାଣ୍ଟ୍ (ଆଧୁନିକ ଇସ୍ରାଏଲ୍, ଲେବାନନ୍ ଅଞ୍ଚଳ) ମାର୍ଗରେ ଏସିଆ ଓ ପରେ ୟୁରୋପ୍ ଆଡ଼କୁ ପ୍ରଵେଶ କରିଥିଲେ। ଏହି ପ୍ରଵାସକୁ ‘’Out Of Africa’’ କୁହାଯାଏ ଏଵଂ ଏହାକୁ ଆଧୁନିକ ମାନଵଜାତିର ଵିଶ୍ଵଵ୍ୟାପୀ ଵିସ୍ତାରର ମୁଖ୍ୟ ଧାରା ବୋଲି ମଧ୍ୟ ଵିଵେଚନା କରାଯାଏ। ଟୋବା ଵିସ୍ଫୋରଣ ଏହି ପ୍ରଵାସକୁ ତ୍ଵରାନ୍ଵିତ କରିଥିଵା ବେଳେ ମାନଵ ସଭ୍ୟତାର ଭିତ୍ତି ମଧ୍ୟ ପ୍ରତିଷ୍ଠା କରିଥିଲା।

ଏମିତିରେ ଆଧୁନିକ ମାନଵଜାତି ହୋମୋ ସାପିଏନ୍ସଙ୍କ ପୂର୍ଵଜମାନେ ୧୦ ଲକ୍ଷ ଵର୍ଷ ପୂର୍ଵେ ନିଆଁ ଵ୍ୟଵହାର କରିଥିଵାର ପ୍ରମାଣ 
ଦକ୍ଷିଣ ଆଫ୍ରିକାରେ ମିଳେ ତେବେ ହୋମୋ ସାପିଏନ୍ସ୍‌ମାନେ ନିଆଁର ନିୟନ୍ତ୍ରିତ ଵ୍ୟଵହାର ଆୟତ୍ତ କରିଥିଲେ। ନିଆଁ ମାନଵକୁ ଜୈଵିକ ଯନ୍ତ୍ରରୁ ସାଂସ୍କୃତିକ ପ୍ରାଣୀ କଲା। ଆରମ୍ଭରେ ହୋମୋ ସାପିଏନ୍ସ୍‌ମାନେ ନିଆଁ ଵ୍ୟଵହାର କରି ନିଜକୁ ଶୀତ ତଥା ହିଂସ୍ରଜନ୍ତୁଙ୍କଠାରୁ ରକ୍ଷା କରୁଥିଲେ ଏଵଂ ପରେ ନିଆଁ ଵ୍ୟଵହାର କରି ଖାଦ୍ୟ ପୋଡ଼ି ଖାଇଲେ । ଏହାଦ୍ୱାରା ମସ୍ତିଷ୍କ ଵୃଦ୍ଧି ପାଇଲା, ଶୀତଳ ଅଞ୍ଚଳରେ ଵଞ୍ଚିଵା ସମ୍ଭଵ ହେଲା ଏଵଂ ଅନେକ ସମୟ ବଞ୍ଚିଯିଵାରୁ ଅଗ୍ନିକୁଞ୍ଜ ଚାରିପାଖେ ଭାଷା ଓ ଗଳ୍ପଗାଥାର ଆରମ୍ଭ ହେଲା।

୭୦,୦୦୦ ଵର୍ଷ ପୂର୍ଵେ ଆରଵ ଉପଦ୍ୱୀପର ଦକ୍ଷିଣ ଉପକୂଳର ବାବ୍ ଅଲ୍ ମାନ୍ଦବ୍ ମାର୍ଗରେ ହୋମୋ ସାପିଏନ୍ସ୍‌ମାନେ ଭାରତ ଉପମହାଦେଶର ପଶ୍ଚିମ ଭାଗରେ ଆସି ପହଞ୍ଚିଥିଲେ । ନର୍ମଦା ଉପତ୍ୟକାରେ ମିଳିଥିଵା ଜୀଵାଶ୍ମ ସହ ସମ୍ପର୍କିତ ପଥର ଉପକରଣ ଏଵଂ ମଧ୍ୟପ୍ରଦେଶର ଭିମ୍ ବେଟକାରେ ୩୦,୦୦୦ ଵର୍ଷରୁ ଅଧିକ ପୁରୁଣା ଗୁମ୍ଫାଚିତ୍ରରୁ ଜଣାଯାଏ ଯେ ଭାରତ ଏକ ଦୀର୍ଘକାଳୀନ ଵସତି କ୍ଷେତ୍ର ଥିଲା। ଆଉଟ୍ ଅଫ୍ ଇଣ୍ଡିଆ ଥିଓରୀ ଅନୁସାରେ ଏହି ଅଞ୍ଚଳରେ ଜନସଂଖ୍ୟା ଵୃଦ୍ଧି ପାଇ ସ୍ୱତନ୍ତ୍ର ଜେନେଟିକ୍ ଧାରା “ହାପ୍ଲୋଗ୍ରୁପ୍ M ଓ U” ଗଠନ କରିଥିଲା। 

୬୪,୦୦୦ ଵର୍ଷ ପୂର୍ଵେ ମଣିଷମାନେ ଧନୁ ତୀର ଵ୍ୟଵହାର କରିଵା ଆରମ୍ଭ କଲେ । ଏହା ଶିକାରକୁ ସୁରକ୍ଷିତ ଓ ଅଧିକ ସଫଳ କଲା।

ଏହାପରେ ହୋମୋ ସାପିଏନ୍ସ୍‌ମାନେ ପଶ୍ଚିମ ଭାରତରୁ ନଡାପୁରମ୍ ନାଗେରକୋଇଲ୍ ଓ କେରଳ ଉପକୂଳରେ ପ୍ରାୟ ୫୦,୦୦୦ରୁ ୪୦,୦୦୦ ଵର୍ଷ ପୂର୍ଵେ ଯାଇ ପହଞ୍ଚିଥିଲେ । ପୁଣି ପଶ୍ଚିମ ଭାରତରୁ ମଧ୍ୟପ୍ରାଚ୍ୟ ଏଵଂ ୟୁରୋପକୁ ପର୍ସିଆନ୍ ଗଲ୍ଫ ଦେଇ ଲେଵାଣ୍ଟ ମାର୍ଗରେ ପ୍ରାୟ ୫୦,୦୦୦ରୁ ୩୫,୦୦୦ ଵର୍ଷ ପୂର୍ଵେ ହୋମୋ ସାପିଏନ୍ସ୍‌ମାନଙ୍କ ଏକ ଶାଖା ଯାଇଥିଲା। 

ପୂର୍ଵ ଭାରତରୁ ତିବତ୍ ଆଦି ଅରୁଣାଚଳ ପ୍ରଦେଶ ଦେଇ ଲ୍ହାସା ଅଭିମୁଖେ ପ୍ରାୟ ୪୦,୦୦୦ରୁ ୩୦,୦୦୦ ଵର୍ଷ ପୂର୍ଵେ ହୋମୋ ସାପିଏନ୍ସ୍‌ମାନଙ୍କ ଏକ ଶାଖା ଯାଇଥିଲା। ପୂର୍ବ ଭାରତରୁ ଚୀନକୁ ମଣିପୁର ଦେଇ ୟୁନାନ୍ ଓ ବେଜିଙ୍ଗ୍ ଅଭିମୁଖେ ପ୍ରାୟ ୪୦,୦୦୦ରୁ ୩୦,୦୦୦ ବର୍ଷ ପୂର୍ଵେ ହୋମୋ ସାପିଏନ୍ସ୍‌ମାନଙ୍କ ଏକ ଶାଖା ଯାଇଥିଲା । ପୂର୍ଵ ଭାରତରୁ ପୂର୍ଵ ଏସୀୟ ଦ୍ୱୀପପୁଞ୍ଜ ଲାଓସ୍ ଦେଇ ଭିଏତନାମ୍ ଫିଲିପାଇନ୍ସ୍, ଅଷ୍ଟ୍ରେଲିଆ ଓ ଜାପାନ୍ ଅଭିମୁଖେ ପ୍ରାୟ ୩୫,୦୦୦ରୁ ୨୫,୦୦୦ ଵର୍ଷ ପୂର୍ଵେ ହୋମୋ ସାପିଏନ୍ସ୍‌ମାନଙ୍କ ପ୍ରଵାସ ଘଟିଥିଲା।

ଏହି ସମୟରେ ପ୍ରାଥମିକ ପର୍ଯ୍ୟାୟର ଡଙ୍ଗା ଵା ଭେଳା ଵ୍ୟଵହାର ହୋଇଥିଲା ଏଵଂ ଆଜକୁ ପ୍ରାୟ ଦଶରୁ ଆଠ ହଜାର ଵର୍ଷ ତଳେ ମଣିଷମାନେ ପ୍ରକୃତ ଡଙ୍ଗା ତିଆରି କରିଵା ଆରମ୍ଭ କରି ଦେଇଥିଲେ । ଡଙ୍ଗା ହୋମୋ ସାପିଏନ୍ସ୍‌ମାନଙ୍କୁ ସ୍ଥଳଭାଗର ବନ୍ଦୀରୁ ଜଳଭାଗର ଵିଜେତା କଲା। ଏହା ମାନଵକୁ ଦ୍ୱୀପରୁ ଦ୍ୱୀପ ଅତିକ୍ରମ କରିଵାର ଶକ୍ତି ଦେଲା।

ଏପଟେ ୪୫,୦୦୦ ଵର୍ଷ ପୂର୍ଵେ – ୟୁରୋପରେ ହୋମୋ ସାପିଏନ୍ସ୍‌ମାନଙ୍କ ସହିତ ହୋମୋ ନିୟାଣ୍ଡର୍ଥାଲ୍‌ମାନଙ୍କ ରକ୍ତଗତ ସମ୍ବନ୍ଧ ଗଢ଼ି ଉଠିଲା ଏଵଂ ପରଵର୍ତ୍ତୀକାଳରେ ହୋମୋ ନିୟାଣ୍ଡର୍ଥାଲ୍‌ମାନଙ୍କର ଵିଲୁପ୍ତି ବି ଘଟିଥିଲା । ଲାସ୍କୋ (୩୫,୦୦୦ ଵର୍ଷ) ଗୁମ୍ଫାଚିତ୍ରରୁ ଜଣାଯାଏ ଯେ ଏହି ଜନସଂଖ୍ୟା ନିୟାଣ୍ଡର୍ଥାଲ୍ ସହ ସହଵାସ ଵା ଏକତ୍ରଵାସ କରିଥିଲା। ସେଥିପାଇଁ ଆଜି ଆଧୁନିକ ଅ-ଆଫ୍ରିକୀୟ ଜନସଂଖ୍ୟାରେ ୧-୪% ନିୟାଣ୍ଡର୍ଥାଲ୍ ଡିଏନ୍‌ଏ ମିଳେ। ୪୦,୦୦୦ରୁ ୨୫,୦୦୦ ଵର୍ଷ ପୂର୍ଵେ ହୋମୋ ସାପିଏନ୍ସ୍‌ମାନଙ୍କର ଏକ ଶାଖା ସାଇବେରିଆର ଆଲ୍‌ଟାଇରୁ ବେରିଙ୍ଗ ସ୍ଥଳସେତୁ ଦେଇ ଉତ୍ତର ଆମେରିକା ମହାଦେଶର ଆଲାସ୍କା (୨୫,୦୦୦ ଵର୍ଷ)ରେ ପହଞ୍ଚି ଥିଲା। ମନ୍ଟେ ଵେର୍ଡେ ଓ ପେଡ୍ରା ଫୁରାଡାରେ ୩୦,୦୦୦ ଵର୍ଷରୁ ଅଧିକ ପୁରୁଣା ଅଵଶେଷ ପ୍ରି-କ୍ଲୋଭିସ୍ ପ୍ରଵେଶକୁ ସୂଚିତ କରେ। ପ୍ୟାସିଫିକ୍ ଉପକୂଳ ଦେଇ ଏକ ସମୁଦ୍ରଗାମୀ ଧାରା ମଧ୍ୟ ଆମେରିକାରେ ପହଞ୍ଚିଥିଲା । 

ଏହି ପର୍ଯ୍ୟାୟରେ ମାନଵ ଆଜକୁ ପ୍ରାୟ ୩୦,୦୦୦ ଵର୍ଷ ପୂର୍ଵେ କୁକୁର ପାଳିଵା ଆରମ୍ଭ କରିଥିଲା। କୁକୁର ତାକୁ ଏକାକୀ ଶିକାରୀରୁ ସାଥୀ ସହଯୋଗୀ କଲା। ଏହା ମାନଵର ସାମାଜିକ ଵନ୍ଧନକୁ ସଶକ୍ତ କଲା ଏଵଂ ସହାନୁଭୂତିର ଵିକାଶ ଘଟାଇଲା। ୨୦,୦୦୦ ଵର୍ଷ ପୂର୍ଵେ ମଣିଷମାନେ ପିଞ୍ଚିଂ, କୋଇଲିଂ ଓ ସ୍ଲାବ୍ ପ୍ରଣାଳୀ ଵ୍ୟଵହାର କରା ମାଟି ହାଣ୍ଡି ତିଆରି କରିଵା ଶିଖିଲେ । ଫଳରେ ମଣିଷମାନେ ଅନେକ ଦରଵ ସଂଗ୍ରହ କରି ରଖିପାରିଲେ । କୁକୁର ପାଳିଲାପରେ ମଣିଷମାନେ ୧୫,୦୦୦ ଵର୍ଷରୁ ୧୦୦୦୦ ମଧ୍ୟରେ ଅନେକ ଜୀଵଙ୍କୁ ଗୃହପାଳିତ କଲେ । ପଶୁପାଳନ ମଣିଷମାନଙ୍କୁ ଶିକାରୀରୁ ଖାଦ୍ୟର ମାଲିକ କଲା। ଛେଳି, ମେଣ୍ଢା, ଗାଈ ପାଳିଵା ଦ୍ୱାରା ସ୍ଥାୟୀ ଖାଦ୍ୟ ଯୋଗାଣ ସମ୍ଭଵ ହେଲା। ୧୨,୦୦୦ ଵର୍ଷ ପୂର୍ଵର ଦକ୍ଷିଣ ଆମେରିକାର ମନ୍ଟେ ଵେର୍ଡେରେ ଅଵଶେଷ ଦେଖାଏ ଯେ ମାନଵ ଟିଏରା ଡେଲ୍ ଫୁଏଗୋ ପର୍ଯ୍ୟନ୍ତ ପହଞ୍ଚିଥିଲା। ହିମଯୁଗର ଅନ୍ତ ହେଉଥିଲା।

୧୨,୦୦୦ ଵର୍ଷ ପୂର୍ଵେ ମନୁଷ୍ୟମାନେ କୃଷିକାର୍ଯ୍ୟ ଆରମ୍ଭ କଲେ। ଚାଷ ମଣିଷମାନଙ୍କୁ ସବୁଦିନ ପାଇଁ ବଦଳେଇ ଦେଲା ଏଵଂ ମଣିଷ ଜାତି ଭୋଜନର ଵିଧାତା ହୋଇଗଲା। ଗହମ, ଯଵ, ମକା ଚାଷ ଦ୍ୱାରା ସ୍ଥାୟୀ ଵସତି ଓ ନଗର ଗଠନ ହେଲା। କୃଷି କଲାପରେ ମଣିଷ ମେଣ୍ଢା, ଛେଳି,ଗାଈ ଆଦି ଵିଭିନ୍ନ ଜୀଵଙ୍କୁ ଗୃହପାଳିତ କଲା । ଏହି ସବୁ କାରଣରୁ ମଣିଷ ଯେତେବେଳେ ସ୍ଥାୟୀ ଵସଵାସ ଆରମ୍ଭ କଲା ସେତେବେଳେ ଏକ ଛୋଟ ଜଙ୍ଗଲୀ ଜୀଵ ତାହାର ବାଡ଼ି ଘରେ ବୁଲି ବୁଲି ଖାଦ୍ୟ ଚୋରାଇ ଖାଇଗଲା, ମୂଷା ମାରି ଖାଇଗଲା । ସେତେବେଳେ ମୂଷାମାନେ ମଣିଷମାନଙ୍କର ସଞ୍ଚିତ ଶସ୍ୟ ଚୋରାଇ ଖାଇ ଯାଉଥିଲେ ତେଣୁ ବୁଦ୍ଧିଆ ମଣିଷମାନେ ସେ ଜୀଵକୁ ମୂଷା ଧରିଵା ପାଇଁ ପାଳିଵାକୁ ଲାଗିଲେ । ପୃଥିଵୀର ସେହି ଏକମାତ୍ର ଜୀଵ ବିଲେଇ ଥିଲା ଯିଏ ନିଜେ ନିଜକୁ ଗୃହପାଳିତ କରିଥିଲା ଏଵଂ ଆଜି ବି ତାହାର ଵର୍ତ୍ତମାନ ଵଂଶଧର ସେହି ପନ୍ଥାରେ ଲୋକଙ୍କ ପାଖରେ ଯାଇ ସେମାନଙ୍କର କୋମଳ ଚାହାଣୀ ଓ ପିଲାଳିଆ ସ୍ଵଭାଵ ଯୋଗୁଁ ଗୃହରେ ପାଳିତ ହେଉଛନ୍ତି । 

ତିମୋର-ଲେଷ୍ଟେର Jerimalai ଗୁମ୍ଫାରେ 
୪୨,୦୦୦ ଵର୍ଷ ପୁରୁଣା ଟୁନା (tuna) ଓ ଶାର୍କର ହାଡ଼ ମିଳିଛି । ଏହି ମାଛମାନଙ୍କୁ ଖୋଲା ସମୁଦ୍ରରେ ଧରାଯାଇଥିଲା । ଡଙ୍ଗା/ଭେଳା ବିନା ଏମାନଙ୍କୁ ଧରିଵା ଅସମ୍ଭଵ । ମାଲେସିଆର Niah ଗୁମ୍ଫାରେ ବି ଏହିପରି ୪୦୦୦୦ ପୁରୁଣା ଗଭୀର ସମୁଦ୍ରରେ ରହୁଥିଵା ମାଛଙ୍କ ହାଡ଼ ମିଳିଛି । କେହି କେହି ଗଵେଷକ କୁହନ୍ତି ସେତେବେଳେ ଲୋକେ ଡଙ୍ଗା କିମ୍ବା ଭେଳା ଯୋଗେ ସମୁଦ୍ର ଭିତରକୁ ଯାଇ ମାଛ ଶିକାର କରୁଥିଲେ । ଆଜକୁ ପ୍ରାୟ ଆଠ ହଜାର ଵର୍ଷ ପୂର୍ଵେ ଆଧୁନିକ କାଳର ଡଙ୍ଗାର ନିର୍ମାଣ ଆରମ୍ଭ ହୋଇଥିଵାର ପ୍ରତ୍ୟକ୍ଷ ପ୍ରମାଣ Pesse Canoe,ନେଦରଲ୍ୟାଣ୍ଡରେ ମିଳିଛି । 

ଅଧିକ ଉନ୍ନତ ବୋଇତ ନିର୍ମାଣ କଳା ଜାଣିଵା ପରେ ୫,୦୦୦–୧,୦୦୦ ଵର୍ଷ ପୂର୍ଵେ ମନୁଷ୍ୟମାନେ କ୍ରମେ ସମୁଦ୍ରଯାତ୍ରା କରିଵାକୁ ଲାଗିଲେ । ପଲିନେସିଆନ୍ ନାଵିକମାନେ ତାଇୱାନ୍, ହାୱାଇ ଓ ନ୍ୟୁଜିଲ୍ୟାଣ୍ଡ୍ ପହଞ୍ଚିଥିଲେ। ଭାରତୀୟ ନାଵିକମାନେ ପୂର୍ଵ ଏସିଆ,ଆଫ୍ରିକାର ଅନେକ ଅଞ୍ଚଳକୁ ଗଲେ । 

ଏହି ସମୟରେ ଧାତୁ ତରଳାଇଵା କାମ ମଧ୍ୟ ଆରମ୍ଭ ହେଲା। ତମ୍ଵା, ଵ୍ରୋଞ୍ଜ, ଲୌହ ସାଧନ ମାନଵକୁ ପଥରରୁ ଧାତୁ ଯୁଗରେ ପହଞ୍ଚାଇଥିଲା। ଚକ,ରଥ ଓ ଲିପି ମଧ୍ୟ ଏହି ପର୍ଯ୍ୟାୟରେ ଵିକଶିତ ହେଲା।

ସଂକ୍ଷେପରେ କହିଵାକୁ ଗଲେ ହୋମୋ ସାପିଏନ୍ସ୍‌ମାନେ ଆଫ୍ରିକାରୁ ବାହାରି ସାରା ପୃଥିଵୀରେ ଵ୍ୟାପିଗଲେ ଏଵଂ ସେମାନଙ୍କର ଵିଭିନ୍ନ ଵିସ୍ତାର କେନ୍ଦ୍ର ମଧ୍ୟରେ ଭାରତ ଥିଲା ଅନ୍ୟତମ । ନିଆଁ,ଭାଷା,ପଶୁପାଳନ, କୃଷି, ଡଙ୍ଗା,ଧାତୁ ଓ ଲିପି ଆଦିର ଆଵିଷ୍କାର ତଥା ଉଦ୍ଭାଵନ ଯୋଗୁଁ ମନୁଷ୍ୟମାନେ ଆଜି ପୃଥିଵୀର ଶାସକ ହୋଇପାରିଛନ୍ତି । ଘର ହେଉ ଗାଡ଼ି ହେଉ ମଣିଷ ମୁଖର ଭାଷା ହେଉ ଵା ହାତରେ ଧରି ଵ୍ୟଵହାର କରାଯାଉଥିଵା ମୋବାଇଲ ହେଉ, ଆଜି ତମେ ନିଜ ଆଖପାଖରେ ଯାହା ବି ଦେଖୁଛ ସେସବୁ ଲକ୍ଷ ଲକ୍ଷ ଵର୍ଷର ମାନଵଜାତିର ସଂଘର୍ଷର ପରିଣାମ । 

ମାତ୍ର ଏହି ସଫଳତାର ମୂଲ୍ୟ ମଧ୍ୟ ଅପାର । ଲକ୍ଷ ଲକ୍ଷ ଵର୍ଷର ସଂଘର୍ଷ ଆମକୁ ପୃଥିଵୀର ଶାସକ କରିଛି, କିନ୍ତୁ ଆଜି ଆମେ ନିଜକୁ ପ୍ରଶ୍ନ କରୁଛୁ – ଏହି ଶାସନ ଆଉ କେତେ ଦିନ ତିଷ୍ଠିପାରିଵ ? ଜଳଵାୟୁ ପରିଵର୍ତ୍ତନ, ପରମାଣୁ ଅସ୍ତ୍ର, କୃତ୍ରିମ ବୁଦ୍ଧିମତା ଓ ମହାମାରୀ ଆଦି ନୂଆ ଵିପଦ ଆମ ସମ୍ମୁଖରେ ନୂଆ ସମସ୍ୟା ରୂପେ ଉଭା ହୋଇଛି । ଆମେ ଯଦି ନିଜର ଅହଂକାରକୁ ନିୟନ୍ତ୍ରଣ ନକରି, ପୃଥିଵୀକୁ ରକ୍ଷା ନକରି, ଅନ୍ୟ ଜୀଵଜାତିମାନଙ୍କ ସହିତ ସହଅସ୍ତିତ୍ଵ ରକ୍ଷା ନକରିପାରିଲେ, ତେବେ ଏହି ଲକ୍ଷ ଵର୍ଷର ଯାତ୍ରା କେଵଳ ଏକ ଅଧ୍ୟାୟରେ ସମାପ୍ତ ହୋଇଯିଵ । 

ତଥାପି ଆଶା ଅଛି । ଆମର ସେହି ଅଗ୍ନି ଆଜି ମଧ୍ୟ ଜଳୁଛି – ଯାହା ଆଫ୍ରିକାର ଗୁମ୍ଫାରୁ ଆରମ୍ଭ ହୋଇ ମଙ୍ଗଳ ଗ୍ରହ ଅଭିଯାନ ପର୍ଯ୍ୟନ୍ତ ପହଞ୍ଚିଛି । ଆମେ ଯଦି ନିଜର ଜ୍ଞାନକୁ ଠିକ୍ ଦିଗରେ ପ୍ରୟୋଗ କରି, ସହଯୋଗ ଓ ସଚେତନତାକୁ ଅସ୍ତ୍ର କରି ଆଗକୁ ବଢ଼ିଲେ, ତେବେ ହୋମୋ ସାପିଏନ୍ସ୍‌ର କାହାଣୀ କେଵଳ ପୃଥିଵୀରେ ନୁହେଁ, ସୌରଜଗତରୁ ବାହାରି ଅନ୍ୟାନ୍ୟ ସୌରମଣ୍ଡଳରେ ମଧ୍ୟ ଲେଖାଯାଇପାରିଵ । 
••••••••••••••••••••••••••••••••••
ତଥ୍ୟ ଉତ୍ସ :
1."Chinese Mythology" by Anne Birrell
2. "The Complete Gods and Goddesses of Ancient Egypt" by Richard H. Wilkinson
3."Mythologiae" by Hesiod (translated by Hugh G. Evelyn-White); "Theogony" by Hesiod
4."Popol Vuh: The Definitive Edition of the Mayan Book of the Dawn of Life" translated by Dennis Tedlock
5."Inca Religion and Customs" by Bernabé Cobo; "History of the Inca Empire" by Father Bernabé Cobo
6. "The Bible: Genesis" (Old Testament); "The Torah: A Modern Commentary" by W. Gunther Plaut
7. "Vishnu Purana" translated by Horace Hayman Wilson
8. "Matsya Purana" translated by a B.I. Series
9. "Bhagavata Purana" translated by Bibek Debroy
10. "Manu Smriti" translated by G. Buhler
11.ସାଂଖ୍ୟ କାରିକା - ଈଶ୍ୱରକୃଷ୍ଣ  
12.ମହାଭାରତ - ଵ୍ୟାସ  
13.ଭାଗଵତ ପୁରାଣ - ଵ୍ୟାସ  
14.Fragments of Anaximander - Anaximander  
15.On the Nature of Things (De Rerum Natura) - Lucretius  
16.Kitab al-Hayawan - Al-Jahiz  
17.Muqaddimah - Ibn Khaldun  
18.Histoire Naturelle - Georges-Louis Leclerc, Comte de Buffon  
19.Zoonomia - Erasmus Darwin  
20.Philosophie Zoologique - Jean-Baptiste Lamarck  
21.Vestiges of the Natural History of Creation - Robert Chambers  
22.On the Origin of Species - Charles Darwin  
23.The Descent of Man - Charles Darwin  
24.Evidence as to Man's Place in Nature - Thomas Huxley  
25.Geological Evidences of the Antiquity of Man - Charles Lyell
26."The Dawn of Human Evolution" by Richard Leakey  
27."Lucy: The Beginnings of Humankind" by Donald Johanson and Maitland Edey  
28."From Ape to Man" by Roger Lewin  
29"The Human Career: Human Biological and Cultural Origins" by Richard G. Klein  
30."Principles of Human Evolution" by Roger Lewin and Robert A. Foley  
31."Sapiens: A Brief History of Humankind" by Yuval Noah Harari  
32."The Third Chimpanzee" by Jared Diamond  
33."Human Evolution: An Illustrated Introduction" by Roger Lewin
34.Guns, Germs, and Steel: The Fates of Human Societies0by Jared Diamond  
35.The Dawn of Everything: A New History of Humanity** by David Graeber and David Wengrow  
36.Africa: A Biography of the Continent by John Reader  
37.The Human Past: World Prehistory and the Development of Human Societies by Chris Scarre  
38.Out of Eden: The Peopling of the World by Stephen Oppenheimer  
39.The Journey of Man: A Genetic Odyssey by Spencer Wells
••••••••••••••••••••••••••••••••••••







No comments:

Post a Comment

ମାନଵ ଜାତିର ଉତ୍ପତ୍ତି କେମିତି ହୋଇଥିଲା ?

ମଣିଷଙ୍କ ଉତ୍ପତ୍ତି ଵିଷୟରେ ଵୈଜ୍ଞାନିକ ଚିନ୍ତାଧାରା ପ୍ରାଚୀନ ସମୟରୁ ଆରମ୍ଭ ହୋଇ ଧୀରେ ଧୀରେ ଵିକଶିତ ହୋଇଛି । ତେବେ ପ୍ରଥମେ ମାନଵ ମନରେ ନିଜ ଜାତିର ସୃଷ୍ଟି କେମିତି ...