ଦ୍ଵିତୀୟ ଵିଶ୍ଵଯୁଦ୍ଧରେ ୪୦ରୁ ୫୦ ନିୟୁତ ପୁରୁଷ(ସୈନ୍ୟ ଓ ଅସୈନ୍ୟ) ଏଵଂ ୧୫ରୁ ୨୦ ନିୟୁତ ମହିଳା ମରିଥିଲେ । ତେବେ ଯେତିକି ମହିଳା ମରିଥିଲେ ପାଖାପାଖି ସେତିକି ମହିଳା ବଳାତ୍କାରର ଶିକାର ହୋଇଥିଲେ ଏଵଂ ପ୍ରତ୍ୟେକ ବଳାତ୍କାରିତ ମହିଳା ଏକାଧିକଥର ବଳାତ୍କାରର ଶିକାର ହୋଇଥିଲେ । 
ଅନେକ ମହିଳାଙ୍କୁ ପଚାଶରୁ ଷାଠିଏ ଥର ଲେଖାଏଁ ବଳାତ୍କାର କରାଯାଇଥିଲା ଏଵଂ ଏଥିରେ ସବୁ ଜାତିର ମହିଳା ଥିଲେ । ଏହି ବଳାତ୍କାର  ସୋଭିୟେତ୍, ଜାପାନୀ, ଜର୍ମାନ୍ ଏଵଂ ମିତ୍ରଶକ୍ତି ସୈନ୍ୟମାନଙ୍କ ଦ୍ୱାରା କୋନ୍ହାଗ୍ରେଶନ୍ କ୍ୟାମ୍ପ, ଅଧିକୃତ ଅଞ୍ଚଳ ଏଵଂ ଯୁଦ୍ଧ ଶେଷରେ ଘଟିଥିଲା।
ହିଟଲରଙ୍କ ନେତୃତ୍ୱରେ ନାଜି ଜର୍ମାନୀ ଯୁଦ୍ଧ ଆରମ୍ଭ କରିଥିଲା ଓ ଶେଷରେ ପରାଜୟ ବରଣ କରିଥିଲା। ଶେଷରେ ୧୯୪୫ ମସିହା ମେ’ ମାସରେ ଜର୍ମାନୀ ଆତ୍ମସମର୍ପଣ କଲା । ତେବେ ମିତ୍ରଶକ୍ତି ସୈନ୍ୟଙ୍କ ଦ୍ଵାରା ଵିଶ୍ଵଯୁଦ୍ଧ ସମୟରେ ଏଵଂ ଯୁଦ୍ଧ ଶେଷର ଠିକ୍ ପରେ ପ୍ରାୟ ୧ରୁ ୨ ନିୟୁତ ଜର୍ମାନ୍ ମହିଳା ବଳାତ୍କାରର ଶିକାର ହୋଇଥିଲେ । କେଵଳ ବର୍ଲିନ୍ ଅଧିକାର ସମୟରେ (ଏପ୍ରିଲ୍-ମେ ୧୯୪୫) ପ୍ରାୟ ୮୦୦,୦୦୦ ଜର୍ମାନ୍ ମହିଳା ସୋଭିଏତ, ଆମେରିକୀୟ ଆଦି ମିତ୍ରଶକ୍ତି ସୈନ୍ୟଙ୍କ ଦ୍ଵାରା ବଳାତ୍କାରର ଶିକାର ହୋଇଥିବା ଅନୁମାନ କରାଯାଏ ।
 ଯେତେବେଳେ ବି ଯୁଦ୍ଧ ହୁଏ ସର୍ଵାଧିକ କ୍ଷତି ମହିଳା ଓ ଶିଶୁମାନଙ୍କର ହୋଇଥାଏ । ତାପରେ ନାରୀ ଆଖିର ଲୁହ ଓ ଲହୁ ଯୋଗୁଁ ଦେଶ ମାତୃକା ତଥା ମାନଵସମାଜର ମଧ୍ୟ କ୍ଷତି ଘଟିଥାଏ । ଜର୍ମାନୀ ସହିତ ମଧ୍ୟ ତାହା ହିଁ ଘଟିଲା ।
 ୨୦ ନିୟୁତ ମୃତ ମହିଳାଙ୍କ ଅଭିଶାପ ଯୋଗୁଁ ଦ୍ୱିତୀୟ ଵିଶ୍ୱଯୁଦ୍ଧ ଶେଷ ହେଵା ପରେ ଜର୍ମାନୀ ଏକ ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା। 
ଦ୍ୱିତୀୟ ଵିଶ୍ୱଯୁଦ୍ଧର ଧ୍ୱଂସଲୀଳା ପରେ ଵିଶ୍ୱର ଭୂ-ରାଜନୈତିକ ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା। ଯୁଦ୍ଧରେ ପରାଜିତ ଜର୍ମାନୀକୁ ଆମେରିକା, ବ୍ରିଟେନ୍, ଫ୍ରାନ୍ସ ଓ ସୋଭିଏତ୍ ସଂଘର ନିୟନ୍ତ୍ରଣ ଅଧୀନରେ ଚାରି ଅଧିକୃତ ଅଞ୍ଚଳ (occupation zones)ରେ ଭାଗ କରାଯାଇଥିଲା । ଆମେରିକା ପାଖରେ ଦକ୍ଷିଣ-ପଶ୍ଚିମ ଜର୍ମାନୀ ଥିଲା । ବ୍ରିଟେନ ପାଖରେ ଉତ୍ତର-ପଶ୍ଚିମ ଜର୍ମାନୀ ଥିଲା । ଫ୍ରାନ୍ସ ପାଖରେ ପଶ୍ଚିମ ଜର୍ମାନୀ ଥିଲା । ସୋଭିଏତ ୟୁନିଅନ ପାଖରେ ପୂର୍ଵ ଜର୍ମାନୀ ଥିଲା । 
ପୋଟ୍ସଡାମ୍ ଚୁକ୍ତି (Potsdam Agreement) ଅନୁସାରେ ଏହି ଚାରି ଶକ୍ତି ମଧ୍ୟରେ ଜର୍ମାନୀର ରାଜଧାନୀ ବର୍ଲିନକୁ ମଧ୍ୟ ଚାରି ଅଞ୍ଚଳରେ ଭାଗ କରାଗଲା। ବର୍ଲିନ ପୂର୍ଵ ଜର୍ମାନୀ ମଧ୍ୟରେ ଥିଲା, କିନ୍ତୁ ପଶ୍ଚିମ ମିତ୍ରଶକ୍ତିମାନେ (US, UK, France) ଚାହିଁଥିଲେ ଯେ ସେମାନଙ୍କର ମଧ୍ୟ ଏକ ଅଧିକାର ରହୁ। ଏହା ଏକ ରାଜନୈତିକ ସନ୍ତୁଳନ ଥିଲା । ଯଦି ବର୍ଲିନ ସମ୍ପୂର୍ଣ୍ଣ ସୋଭିଏତ ନିୟନ୍ତ୍ରଣକୁ ଚାଲିଯା’ନ୍ତା, ତେବେ ପଶ୍ଚିମ ଶକ୍ତିମାନଙ୍କର ଜର୍ମାନୀ ଉପରେ କୌଣସି ପ୍ରଭାଵ ରହିନଥାନ୍ତା । ସବୁ ଠିକ୍ ହେଲା କିନ୍ତୁ ଜର୍ମାନୀର ରାଜଧାନୀ ବର୍ଲିନକୁ ଦୁଇ ଦେଶ ମଧ୍ୟରେ ଦୁଇ ଭାଗ କରି ବାଣ୍ଟି ଦିଆଗଲା ।
୧୯୪୮ ମସିହାରେ ପଶ୍ଚିମ ଜର୍ମାନୀ ଅଞ୍ଚଳଗୁଡ଼ିକରେ ନୂଆ ମୁଦ୍ରା (ଡଏଚ୍ ମାର୍କ୍) ପ୍ରଚଳନ କରାଯାଇଥିଲା, ଯାହାକୁ ସୋଭିଏତ୍ ଵିରୋଧ କରି Berlin Blockade ଲଗାଇଥିଲା। ଏହି ଅଵରୋଧକୁ ଆମେରିକା ଓ ବ୍ରିଟେନ୍ ଵାୟୁପଥରେ Berlin Airlift ଯୋଗେ ଖାଦ୍ୟ ଓ ସାମଗ୍ରୀ ଯୋଗାଇ ଭାଙ୍ଗିଥିଲେ। ଏହା ଶୀତଳ ଯୁଦ୍ଧର ପ୍ରଥମ ବଡ଼ ସଙ୍କଟ ଥିଲା।
୧୯୪୯ ମସିହା ମେ’ ୨୩ ତାରିଖରେ ପଶ୍ଚିମୀ ଅଞ୍ଚଳଗୁଡ଼ିକ ମିଶି ଫେଡେରାଲ୍ ରିପବ୍ଲିକ୍ ଅଫ୍ ଜର୍ମାନୀ (FRG) ଗଠନ କଲା। ଏହାର ରାଜଧାନୀ Bonn ଥିଲା ଓ ପ୍ରଥମ ଚାନ୍ସେଲର କୋନରାଡ୍ ଆଡେନାଉଅର୍ ଥିଲେ।
ଅକ୍ଟୋଵର ୭ ତାରିଖରେ ପୂର୍ଵ ଅଞ୍ଚଳ ଜର୍ମାନ୍ ଡେମୋକ୍ରାଟିକ୍ ରିପବ୍ଲିକ୍ (GDR) ଗଠନ ହେଲା, ଯାହାର ନେତା ଥିଲେ ୱାଲ୍ଟର୍ ଉଲବ୍ରିଖ୍ଟ। ଏହି ଦୁଇ ଦେଶ ମଧ୍ୟରେ Berlin ଏକ ଵିଶେଷ ସ୍ଥାନ ଥିଲା—ପଶ୍ଚିମ Berlin ପୂର୍ଵ ଜର୍ମାନୀ ଭିତରେ ଏକ ଲୋକତାନ୍ତ୍ରିକ ଦ୍ୱୀପ ଭଳି ଥିଲା।
ପରେ ୧୯୪୯ ମସିହାରେ ବ୍ରିଟେନ, ଆମେରିକା ଓ ଫ୍ରାନ୍ସ୍ ନିଜ ଅଧିକୃତ ଜର୍ମାନ ଅଞ୍ଚଳକୁ ମିଶାଇଦେଲେ ଫଳତଃ ଜର୍ମାନୀ ଦୁଇ ଦେଶରେ ଵିଭକ୍ତ ହୋଇଗଲା—ପଶ୍ଚିମ ଜର୍ମାନୀ (ଫେଡେରାଲ୍ ରିପବ୍ଲିକ୍ ଅଫ୍ ଜର୍ମାନୀ) ଓ ପୂର୍ଵ ଜର୍ମାନୀ (ଜର୍ମାନ୍ ଡେମୋକ୍ରାଟିକ୍ ରିପବ୍ଲିକ୍)। ଏହି ଵିଭାଜନ ପ୍ରଥମେ ଅସ୍ଥାୟୀ ଭାବେ କରାଯାଇଥିଲା, କିନ୍ତୁ ଶୀତଳ ଯୁଦ୍ଧର ଆରମ୍ଭ ସହିତ ଏହା ସ୍ଥାୟୀ ରୂପ ନେଲା। ପଶ୍ଚିମ ଜର୍ମାନୀ ଲୋକତାନ୍ତ୍ରିକ ମୂଲ୍ୟବୋଧକୁ ଆପଣାଇ ଆମେରିକା ଓ ତା’ର ମିତ୍ରଦେଶଗୁଡ଼ିକର ସହାୟତାରେ ଆର୍ଥିକ ସମୃଦ୍ଧିର ପଥରେ ଆଗେଇଗଲା ବେଳେ ପୂର୍ଵ ଜର୍ମାନୀ ସୋଭିଏତ୍ ପ୍ରଭାଵରେ ସାମ୍ୟଵାଦୀ ଵିଚାରଧାରା ସହିତ ଆଗେଇଥିଲା।
ପଶ୍ଚିମ ଜର୍ମାନୀରେ ଆମେରିକାର ମାର୍ଶଲ୍ ଯୋଜନା (Marshall Plan) ଅଧୀନରେ ଵିପୁଳ ସହାୟତା ମିଳିଥିଲା। ଏହି ଯୋଜନା ଯୁରୋପୀୟ ଦେଶଗୁଡ଼ିକର ପୁନରୁଦ୍ଧାର ପାଇଁ ୧୯୪୮ରୁ ୧୯୫୨ ଯାଏଁ ପ୍ରାୟ ୧୩ ଵିଲିୟନ୍ ଡଲାର୍ ଵ୍ୟୟ କରିଥିଲା। ଜର୍ମାନୀ ଏଥିରୁ ସର୍ଵାଧିକ ଲାଭଵାନ୍ ହୋଇଥିଲା। ଅର୍ଥମନ୍ତ୍ରୀ ଲୁଡୱିଗ୍ ଏର୍ହାର୍ଡଙ୍କ ନେତୃତ୍ୱରେ ମୁକ୍ତ ବଜାର ଅର୍ଥନୀତି ଲାଗୁ ହେଲା ଓ ୧୯୫୦ ଦଶକରେ ‘ଅର୍ଥନୈତିକ ଅଲୌକିକ ଘଟଣା’ ଘଟିଲା ଯାହାକୁ ଜର୍ମାନ ଇତିହାସରେ Wirtschaftswunder ନାମରେ ଜଣାଯାଏ । କାରଖାନା, ରେଳପଥ, ରାସ୍ତା ଓ ଘରଗୁଡ଼ିକ ପୁନର୍ନିର୍ମାଣ ହେଲା। ବୋଲ୍କସ୍ୱାଗେନ୍, ସିମେନ୍ସ୍, ବିଏମ୍ୱି ଭଳି କମ୍ପାନୀ ଵିଶ୍ୱବଜାରରେ ପ୍ରତିଷ୍ଠିତ ହେଲେ। ୧୯୬୦ ଦଶକ ସୁଦ୍ଧା ପଶ୍ଚିମ ଜର୍ମାନୀ ଵିଶ୍ୱର ତୃତୀୟ ଵୃହତ୍ତମ ଅର୍ଥନୀତି ହୋଇଗଲା।
ଏଣେ ପୂର୍ଵ ଜର୍ମାନୀ ସୋଭିଏତ୍ ମଡେଲ୍ ଅନୁସରଣ କଲା। ସଵୁ ଉଦ୍ୟୋଗଗୁଡ଼ିକର ରାଷ୍ଟ୍ରୀୟକରଣ ହେଲା, କୃଷି ସମଵାୟୀ ହୋଇଗଲା ଓ କେନ୍ଦ୍ରୀୟ ଯୋଜନା ଅନୁସାରେ ଉତ୍ପାଦନ ହେଉଥିଲା। ସୋଭିଏତ୍ ସଂଘ ଯୁଦ୍ଧ କ୍ଷତିପୂରଣ ଭାବେ ପୂର୍ଵ ଜର୍ମାନୀରୁ କାରଖାନା ଓ ସାମଗ୍ରୀ ନେଇଯାଇଥିଲା। ଫଳରେ ଅର୍ଥନୀତି ଦୁର୍ଵଳ ରହିଗଲା। ଖାଦ୍ୟ, ଵସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀର ଅଭାଵ ଦେଖାଦେଲା। ସରକାର ଷ୍ଟାସି (Stasi) ନାମକ ଗୁପ୍ତ ପୁଲିସ୍ ମାଧ୍ୟମରେ ନାଗରିକଙ୍କ ଉପରେ କଡ଼ା ନଜର ରଖୁଥିଲା। ସ୍ୱାଧୀନତା ଓ ଅଭିଵ୍ୟକ୍ତିର ଅଭାଵ ଥିଲା।
୧୯୪୯ରୁ ୧୯୬୧ ଯାଏ ପ୍ରାୟ ୩୦ ଲକ୍ଷ ପୂର୍ଵ ଜର୍ମାନ୍ ନାଗରିକ ପଶ୍ଚିମ ଜର୍ମାନୀକୁ ପଳାଇଲେ। ଏମାନଙ୍କ ମଧ୍ୟରେ ଡାକ୍ତର, ଇଞ୍ଜିନିୟର, ଶିକ୍ଷକ ଓ ଯୁଵକମାନେ ଅଧିକ ଥିଲେ। ଏହାକୁ ସେତେବେଳେ "Brain Drain"  କୁହାଯାଉଥିଲା। Berlin ନଗର ଏହି ପଳାୟନର ମୁଖ୍ୟ ପଥ ଥିଲା, କାରଣ ସହର ଭିତରେ ପଶ୍ଚିମ ଓ ପୂର୍ଵ ମଧ୍ୟରେ ମୁକ୍ତ ଯାତାୟତ ଥିଲା। ୧୯୬୧ ଜୁଲାଇ ମାସରେ ପ୍ରତିଦିନ ୧,୦୦୦ରୁ ଊର୍ଦ୍ଧ୍ଵ ଲୋକେ ପଶ୍ଚିମକୁ ଯାଉଥିଲେ।
ଏହାକୁ ରୋକିଵା ପାଇଁ ପୂର୍ଵ ଜର୍ମାନୀ ନେତା ୱାଲ୍ଟର୍ ଉଲବ୍ରିଖ୍ଟ ଓ ସୋଭିଏତ୍ ନେତା ନିକିତା ଖ୍ରୁଶ୍ଚେଭ୍ ଗୋପନୀୟ ଯୋଜନା କଲେ। ୧୯୬୧ ଅଗଷ୍ଟ ୧୩ ତାରିଖ ରାତିରେ Operation Rose ଆରମ୍ଭ ହେଲା। ପୂର୍ଵ ଜର୍ମାନର ସୈନିକମାନେ Berlinର ପଶ୍ଚିମ ଓ ପୂର୍ଵ ମଧ୍ୟରେ କଂକ୍ରିଟ୍ ଵ୍ଲକ୍, କଣ୍ଟାତାର ଦ୍ଵାରା ରାସ୍ତା ଅଵରୋଧ କଲେ। ପ୍ରଥମେ ଏହା ଏକ ତାର ବାଡ଼ ଥିଲା, କିନ୍ତୁ କିଛି ଦିନ ମଧ୍ୟରେ ଏହା ୧୫୫ କିଲୋମିଟର ଲମ୍ଵା ପ୍ରାଚୀରରେ ପରିଣତ ହେଲା। ପ୍ରାଚୀରର ଦୁଇ ପାର୍ଶ୍ୱରେ ଖାଲି ଜମି, ମାଇନ୍, Watch tower ଓ ସଶସ୍ତ୍ର ଗାର୍ଡଯୁକ୍ତ Death Strip ଥିଲା। ପଳାୟନ ଚେଷ୍ଟା କଲେ ଗୁଳି କରି ହତ୍ୟା କରାଯାଉଥିଲା। ପ୍ରାୟ ୧୪୦ ଜଣ ଏହି ଭାବେ ମୃତ୍ୟୁଵରଣ କଲେ।
ବର୍ଲିନ ପ୍ରାଚୀରର ନିର୍ମାଣ କାର୍ଯ୍ୟ ଵିଶ୍ୱଵାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଆମେରିକାର ରାଷ୍ଟ୍ରପତି ଜନ୍ ଏଫ୍ କେନେଡି ୧୯୬୩ରେ Berlin  ଆସି Ich bin ein Berliner ଘୋଷଣା କରି ପଶ୍ଚିମ ବର୍ଲିନର ସମର୍ଥନ ଜଣାଇଥିଲେ। ତେବେ ଏହା ଶୀତଳ ଯୁଦ୍ଧର ପ୍ରତୀକ ହୋଇଗଲା।
କିନ୍ତୁ ବର୍ଲିନର ପ୍ରାଚୀର କେଵଳ ଏକ ଭୌତିକ ପ୍ରାଚୀରରେ ସୀମିତ ନଥିଲା, ଏହା ପରିଵାର, ଵନ୍ଧୁ ଓ ସଂସ୍କୃତିକୁ ଵିଭକ୍ତ କରିଦେଲା। ଅନେକ ପରିଵାର ରାତିରାତି ଵିଭକ୍ତ ହୋଇଗଲେ। ପୂର୍ଵରେ ରହୁଥିଵା ଲୋକେ ପଶ୍ଚିମର ସମ୍ପର୍କୀୟଙ୍କୁ ଦେଖା କରିପାରୁ ନ ଥିଲେ। ପଶ୍ଚିମ Berlin ରେ ରଙ୍ଗୀନ ଜୀଵନ, ସଙ୍ଗୀତ, ଫେସନ୍ ଓ ସ୍ୱାଧୀନତା ଥିଲା,ପୂର୍ଵ ଜର୍ମାନୀରେ ସରକାରୀ ନିୟନ୍ତ୍ରଣ ଓ ଅଭାଵ ଭରି ରହିଥିଲା । ପୂର୍ଵ ଜର୍ମାନୀର ଯୁଵକମାନେ ପଶ୍ଚିମ ଜର୍ମାନୀର ରେଡିଓ ତଥା ଟିଭି ଚ୍ୟାନେଲ ଶୁଣି ଦେଖି ଆକୃଷ୍ଟ ହେଉଥିଲେ। ଅନେକେ ସୁଡ଼ଙ୍ଗ ଖୋଳି, ଗାଡ଼ିରେ ଲୁଚି ଵା ପହରା ଦେଇ ପଳାଇଵାକୁ ଚେଷ୍ଟା କଲେ। କେତେକ ସଫଳ ହେଲେ, କେତେକ ଧରାପଡ଼ି ଗୁଳି ଖାଇ ଜୀଵନ ହାରିଲେ। ଏହିପରି ଭାବେ ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ବର୍ଲିନର ପ୍ରାଚୀର 
 ସବୁ ଅନ୍ୟାୟ ଅନୀତି ଓ ପାଶଵିକ ଆଚରଣ ଦେଖି ମୁକ ପରି ଛିଡ଼ା ହୋଇ ରହିଲା । 
୧୯୮୦ ଦଶକରେ ସୋଭିଏତ୍ ଅର୍ଥନୀତି ଦୁର୍ଵଳ ହୋଇଗଲା। ମିଖାଇଲ୍ ଗୋର୍ବାଚେଭ୍ ନେତୃତ୍ୱ ନେଇ ଗ୍ଲାସ୍ନୋସ୍ତ (Glasnost - ଖୋଲାପଣ) ଓ ପେରେସ୍ତ୍ରୋଇକା (Perestroika - ପୁନର୍ଗଠନ) ନୀତି ଲାଗୁ କଲେ। ଏହା ପୂର୍ଵ ଇଉରୋପରେ ସ୍ୱାଧୀନତା ଆନ୍ଦୋଳନକୁ ଉତ୍ସାହିତ କଲା। ପୋଲାଣ୍ଡରେ ସୋଲିଡାରିଟି ଆନ୍ଦୋଳନ ହେଲା । ହଙ୍ଗେରୀ ଓ ଚେକୋସ୍ଲୋଭାକିଆ ପରି ଦେଶଗୁଡ଼ିକ ସୀମା ଖୋଲିଦେଇଥିଲେ, ଯାହା ଫଳରେ ହଜାର ହଜାର ପୂର୍ବ ଜର୍ମାନ୍ ନାଗରିକ ପଶ୍ଚିମକୁ ପଳାଇଥିଲେ। ପୂର୍ଵ ଜର୍ମାନୀରେ ଵିରୋଧ ବଢ଼ିଵାକୁ ଲାଗିଲା ଏଵଂ ଲାଇପ୍ଜିଗ୍ରେ ସୋମଵାର ଵିକ୍ଷୋଭ ତଥା ଆଲେକ୍ଜାଣ୍ଡର ପ୍ଲାଟ୍ଜରେ ଵିଶାଳ ସମାଵେଶ ହେଲା । ଅକ୍ଟୋବର ୧୮ରେ ଦୀର୍ଘଦିନିଆ ନେତା ଏରିଖ୍ ହୋନେକର୍ ପଦତ୍ୟାଗ କରିଥିଲେ ଏଵଂ ଏଗୋନ୍ କ୍ରେନ୍ଜ୍ ନୂଆ ନେତା ହୋଇଥିଲେ।
୯ ନଭେମ୍ବର ୧୯୮୯ ସକାଳେ ପୋଲିଟ୍ବ୍ୟୁରୋ ଏକ ନୂଆ ଯାତ୍ରା ନିୟମ ପାସ୍ କରିଥିଲା। ଏହି ନିୟମ ଅନୁଯାୟୀ, ପୂର୍ଵ ଜର୍ମାନ୍ ନାଗରିକମାନେ ପାସ୍ପୋର୍ଟ ଅଫିସ୍ରେ ଆବେଦନ କରି ପଶ୍ଚିମକୁ ଯାତ୍ରା ପାଇଁ ଅନୁମତି ପାଇପାରିବେ। କିନ୍ତୁ ଏହା ତତ୍କାଳ ପ୍ରଭାବୀ ହେଵ ନାହିଁ – ଏହା ୧୦ ନଭେମ୍ବରରୁ ଲାଗୁ ହେଵ ଏଵଂ କିଛି ସୀମାସ୍ଥଳରେ ନୂଆ ଚେକ୍ପଏଣ୍ଟ ଖୋଲାଯିଵ ବୋଲି ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତି  
ପୂର୍ଵ ଜର୍ମାନୀର ଉଚ୍ଚପଦସ୍ଥ ରାଜନେତା ଏବଂ ଶାସକ ସୋସିଆଲିଷ୍ଟ ୟୁନିଟି ପାର୍ଟିର ପୋଲିଟ୍ବ୍ୟୁରୋ ସଦସ୍ୟ  ଗୁନ୍ଥର୍ ଶାବୋୱସ୍କିଙ୍କୁ ଜଣା ନ ଥିଲା, କାରଣ ସେ ସେଦିନ ଉକ୍ତ ଵୈଠକରେ ଉପସ୍ଥିତ ନ ଥିଲେ। ସେ କେଵଳ ଏକ କାଗଜ ପାଇଥିଲେ ଯହିଁରେନିୟମର ସାରାଂଶ ଲେଖା ଥିଲା।
ସନ୍ଧ୍ୟା ୬ଟାରେ ଆରମ୍ଭ ହୋଇଥିଵା ପ୍ରେସ୍ କନଫରେନ୍ସରେ ଶାବୋୱସ୍କି ଅନ୍ୟ ତିନି ଅଧିକାରୀଙ୍କ ସହ ଉପସ୍ଥିତ ଥିଲେ। ଯାତ୍ରା ନିୟମରେ ଶିଥିଳତା ଵିଷୟରେ ଏହା ଏକ ରୁଟିନ୍ ଘୋଷଣା ଥିଲା । କନଫରେନ୍ସ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା ଏଵଂ ସାମ୍ବାଦିକମାନେ ଵିଭିନ୍ନ ପ୍ରଶ୍ନ ପଚରାଇଥିଲେ। ଶାବୋୱସ୍କି କାଗଜ ପଢ଼ି କହିଥିଲେ ଯେ ନାଗରିକମାନେ ଵ୍ୟକ୍ତିଗତ ଯାତ୍ରା ପାଇଁ ଆଵେଦନ କରିପାରିବେ ଏଵଂ ଅନୁମତି ପାଇପାରିବେ। କିନ୍ତୁ ସେ ସ୍ପଷ୍ଟ କରି କହିନଥିଲେ ଯେ ଏହା କେବେଠାରୁ ଲାଗୁ ହେଵ ।
ଠିକ୍ ସନ୍ଧ୍ୟା ୬ଟା ୫୩ ମିନିଟ୍ରେ ଇଟାଲୀୟ ସାମ୍ବାଦିକ Riccardo Ehrman(ANSA ଏଜେନ୍ସି) ପଚରାଇଥିଲେ: “ଆପଣ କହୁଛନ୍ତି ଯେ ନାଗରିକମାନେ ପଶ୍ଚିମ ଜର୍ମାନୀକୁ ଯାଇପାରିବେ। କିନ୍ତୁ ଏହା କେବେଠାରୁ ଲାଗୁ ହେଵ? ତତ୍କାଳ କି?” ଏହି ପ୍ରଶ୍ନ ନିର୍ଣ୍ଣାୟକ ଥିଲା। ଏହ୍ମାନ୍ଙ୍କ ପରେ ବ୍ରିଟିଶ୍ ସାମ୍ବାଦିକ Tom Brokaw(NBC) ମଧ୍ୟ ପଚରିଥିଲେ: “ଏହା କେବେ ଆରମ୍ଭ ହେଵ?” 
ଶାବୋୱସ୍କି କାଗଜ ଦେଖି ଅସ୍ପଷ୍ଟ ଭାବେ କହିଥିଲେ: “ଯେତେ ଦୂର ମୋତେ ଜ୍ଞାତ ଅଛି, ଏହା ତତ୍କାଳ... ଅର୍ଥାତ୍ ଵିଳମ୍ବ ବିନା... ଆଜିଠାରୁ ଲାଗୁହେଵ।” ସେ ପ୍ରଶ୍ନ ଠିକ୍ ଭାବେ ବୁଝିନଥିଲେ ଏଵଂ କାଗଜରେ ଲେଖା ହୋଇଥିଵା “sofort, unverzüglich” (ତତ୍କାଳ, ଵିଳମ୍ବ ବିନା) ଶବ୍ଦ ଦେଖି ଏମିତି କହି ଦେଇଥିଲେ। ସେ ନିଜେ ପରେ କହିଥିଲେ ଯେ ସେ ଵୈଠକରେ ନ ଥିଵାରୁ ପୂରା ଵିଵରଣୀ ଜାଣିନଥିଲେ।
ଏଠି ପାଠକ ଜାଣିଵା ଉଚିତ୍ ଯେ ସେ ସମୟରେ ପୂର୍ଵ ଜର୍ମାନୀରେ Politbüro ସର୍ବୋଚ୍ଚ ରାଜନୈତିକ ଓ କାର୍ଯ୍ୟକାରୀ ସଂସ୍ଥା ଥିଲା । ଶାସକ ଦଳର ନେତୃତ୍ୱ ଏହାର ମୁଖ୍ୟ ଭୂମିକା ଥିଲା । ଏହା ଶାସକ 'ସୋସିଆଲିଷ୍ଟ ୟୁନିଟି ପାର୍ଟି ଅଫ୍ ଜର୍ମାନୀ' (SED)ର କେନ୍ଦ୍ରୀୟ କମିଟିର ମୁଖ୍ୟ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ଥିଲା । ପୂର୍ଵ ଜର୍ମାନୀର ଏକ ଆନୁଷ୍ଠାନିକ ସରକାର (ମନ୍ତ୍ରୀ ପରିଷଦ) ଏଵଂ ସଂସଦ (ଭୋକ୍ସକାମର) ଥିଲା, ତଥାପି ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ପୋଲିଟ୍ବ୍ୟୁରୋ ଦ୍ୱାରା ହିଁ ନିଆଯାଉଥିଲା । ଦେଶର ସମସ୍ତ ମୁଖ୍ୟ ନୀତି, ଅର୍ଥନୀତି, ଵୈଦେଶିକ ସମ୍ପର୍କ ଏଵଂ ସୁରକ୍ଷା ସମ୍ବନ୍ଧୀୟ ଵିଷୟଗୁଡ଼ିକ ଉପରେ ପୋଲିଟ୍ବ୍ୟୁରୋର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥିଲା ।ସଂକ୍ଷେପରେ କହିଵାକୁ ଗଲେ ପୋଲିଟ୍ବ୍ୟୁରୋ ହିଁ ପୂର୍ଵ ଜର୍ମାନୀର ପ୍ରକୃତ ଶାସନ କେନ୍ଦ୍ର ଥିଲା ଏଵଂ ଏହାର ମୁଖ୍ୟ ଵା ସାଧାରଣ ସମ୍ପାଦକ ସେତେବେଳର ପୂର୍ଵଜର୍ମାନୀ ଦେଶର ସବୁଠାରୁ ଶକ୍ତିଶାଳୀ ଵ୍ୟକ୍ତି ଥିଲେ ।
ତେଣୁ ଯେତେବେଳେ ପୋଲିଟ୍ବ୍ୟୁରୋ ପକ୍ଷରୁ ଏଭଳି ଅସ୍ପଷ୍ଟ ଘୋଷଣା ହେଲା ତାହା ଶୁଣି ହଜାର ହଜାର ଲୋକେ ପ୍ରାଚୀର  ନିକଟରେ ଜମା ହେଲେ। ଗାର୍ଡମାନେ ଅନୁମତି ନ ପାଇ ମଧ୍ୟ ପ୍ରାଚୀର ଖୋଲିଦେଲେ। ଲୋକେ ହାତୁଡ଼ି,ଶାବଳ ଆଦି ନେଇ ପ୍ରାଚୀର  ଭାଙ୍ଗିଵାକୁ ଲାଗିଲେ। ଏହାକୁ ”wall Woodpeckers” କୁହାଗଲା। ସଡ଼କରେ ନାଚ-ଗୀତ, ଆଲିଙ୍ଗନ ଓ ଉତ୍ସଵ ଚାଲିଲା। ପୂର୍ଵ ଜର୍ମାନୀରୁ ହଜାର ହଜାର ଲୋକେ ଚାଲି ଚାଲି ଓ ଗାଡ଼ି ଧରି ପଶ୍ଚିମ ଜର୍ମାନୀକୁ ଗଲେ ଏଵଂ ସାରା ରାତି ପାର୍ଟିରେ ନାଚିଲେ,ନୂଆ ନୂଆ ଜିନିଷ ଦେଖିଲେ ଯାହା ସୋଭିଏତ ନିୟନ୍ତ୍ରିତ ପୂର୍ଵ ଜର୍ମାନୀରେ କେବେ ସେମାନେ ଅନୁଭଵ କରିନଥିଲେ ସେସବୁ କଥା ପଶ୍ଚିମ ଜର୍ମାନୀରେ ପାଇଲେ । ଅନେକ ପୂର୍ଵଜର୍ମାନୀଵାସୀ ପଶ୍ଚିମ ଜର୍ମାନୀରେ ରହୁଥିଵା ସେମାନଙ୍କ ସମ୍ପର୍କୀୟଙ୍କୁ ଭେଟିଲେ । ପଶ୍ଚିମ ଜର୍ମାନୀରେ ସେଦିନର ରାତି ସାରା ପାର୍ଟି ହୋଇଥିଲା । ସଡ଼କଠାରୁ ଆରମ୍ଭ କରି କ୍ଲବ୍ ଯାଏଁ ଚାରିଆଡ଼େ ଲୋକେ ପାର୍ଟି କରୁଥିଲେ । ଏହା ଇତିହାସର ସବୁଠାରୁ ବଡ଼ ସଡ଼କ ପାର୍ଟି ଥିଲା।
ଏହାପରେ ପୂର୍ଵ ଜର୍ମାନୀରେ ରାଜନୈତିକ ପରିଵର୍ତ୍ତନ ତୀଵ୍ରଗତିରେ ଘଟିଥିଲା। ଏରିଚ୍ ହୋନେକରଙ୍କ ନେତୃତ୍ୱାଧୀନ ସୋସିୟାଲିଷ୍ଟ୍ ୟୁନିଟି ପାର୍ଟିର ସରକାର ନଭେମ୍ବର ୧୮ରେ ଭାଙ୍ଗିଗଲା। ଏଗୋନ୍ କ୍ରେଞ୍ଜ୍ ନୂତନ ନେତା ହୋଇଥିଲେ କିନ୍ତୁ ଲୋକଙ୍କ ଅସନ୍ତୋଷ ଆହୁରି ବଢ଼ିଲା। ଡିସେମ୍ବର ୬ରେ ହାନ୍ସ୍ ମୋଡ୍ରୋ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ। ଏହା ସହିତ ଏକ ଗଣତାନ୍ତ୍ରିକ ରାଉଣ୍ଡ୍ ଟେବୁଲ୍ ଗଠନ ହୋଇଥିଲା ଏଵଂ ଏଥିରେ ଵିରୋଧୀ ଦଳଗୁଡ଼ିକ ମଧ୍ୟ ଯୋଗଦେଇଥିଲେ। ଏହା ପୂର୍ଵ ଜର୍ମାନୀରେ ବହୁଦଳୀୟ ଵ୍ୟଵସ୍ଥାର ଆରମ୍ଭ ଥିଲା। ମାର୍ଚ୍ଚ ୧୮, ୧୯୯୦ରେ ପ୍ରଥମ ସ୍ୱତନ୍ତ୍ର ନିର୍ଵାଚନ ହୋଇଥିଲା। ଏଥିରେ ଏଲାଏନ୍ସ୍ ଫର୍ ଜର୍ମାନି (ଏଲ୍ଏଫ୍ଡି) ଦଳ ଵିଜୟୀ ହୋଇଥିଲା। ଲୋଥାର୍ ଡି ମାଇଜିୟେର୍ ନୂତନ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହି ସରକାର ଏକତ୍ରୀକରଣର ପକ୍ଷରେ କାମ ଆରମ୍ଭ କରିଥିଲା।
ପଶ୍ଚିମ ଜର୍ମାନୀର ଚ୍ୟାନ୍ସଲର୍ ହେଲ୍ମୁଟ୍ କୋଲ୍ ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ଵାହ କରିଥିଲେ। ସେ ପୂର୍ଵ ଜର୍ମାନୀରେ ଯାଇ ଲୋକଙ୍କୁ ଏକତ୍ରୀକରଣର ଆଶ୍ୱାସନା ଦେଇଥିଲେ। କୋଲଙ୍କ ଖ୍ରୀଷ୍ଟିୟାନ୍ ଡେମୋକ୍ରାଟିକ୍ ୟୁନିୟନ୍ ଏଥିରୁ ରାଜନୈତିକ ଲାଭ ପାଇଥିଲା। ଏକତ୍ରୀକରଣର ପ୍ରକ୍ରିୟା ରାଜନୈତିକ ସହିତ ଅର୍ଥନୈତିକ ଓ ସାମାଜିକ ସଂଯୋଗ ଉପରେ ନିର୍ଭର କରୁଥିଲା। ପ୍ରାଚୀର ଖୋଲିଵା ପରେ ପୂର୍ଵଜର୍ମାନୀରୁ ଲୋକମାନେ ପଶ୍ଚିମ ଜର୍ମାନୀକୁ ଯାଇ କାର୍ଯ୍ୟ ଓ ଵ୍ୟଵସାୟ ଆରମ୍ଭ କରିଥିଲେ, ଯାହା ପୂର୍ଵଜର୍ମାନୀର ଅର୍ଥନୀତିର କ୍ଷତି ଘଟାଇଥିଲା। ପୂର୍ଵଜର୍ମାନୀର ଅର୍ଥନୀତି କେନ୍ଦ୍ରୀୟ ଯୋଜନାବଦ୍ଧ ଥିଲା, କିନ୍ତୁ ଏହା ଅକାର୍ଯ୍ୟକାରୀ ଓ ପୁରୁଣା ଥିଲା।
ଅର୍ଥନୈତିକ ସଂଯୋଗର ପ୍ରଥମ ପଦକ୍ଷେପ ମେ ୧୯୯୦ରେ ଘଟିଥିଲା। ଏକ ଚୁକ୍ତି ମାଧ୍ୟମରେ ଅର୍ଥନୈତିକ, ମୁଦ୍ରା ଓ ସାମାଜିକ ସଂଯୋଗ ସ୍ଥାପନ ହୋଇଥିଲା। ଜୁଲାଇ ୧, ୧୯୯୦ରୁ ପୂର୍ଵ ଜର୍ମାନୀର ମାର୍କ୍ (Ostmark)କୁ ପଶ୍ଚିମଜର୍ମାନୀର ଡଏଚ୍ଏମ୍ (Deutsche Mark) ଦ୍ୱାରା ପ୍ରତିସ୍ଥାପନ କରାଯାଇଥିଲା। ଏହା ପୂର୍ଵଜର୍ମାନୀର ଲୋକମାନଙ୍କୁ ପଶ୍ଚିମଜର୍ମାନୀର ବଜାରବାଦୀ ଅର୍ଥନୀତିରେ ଯୋଡ଼ିଦେଇଥିଲା। ପ୍ରଥମେ ଏହା ଆନନ୍ଦଦାୟକ ଲାଗିଥିଲା, କାରଣ ଲୋକମାନେ ନୂଆ ନୂଆ ସାମଗ୍ରୀ କିଣିପାରିଥିଲେ। କିନ୍ତୁ ପରେ ପୂର୍ଵଜର୍ମାନୀର କାରଖାନାଗୁଡ଼ିକ ପଶ୍ଚିମର ପ୍ରତିଯୋଗିତାରେ ତିଷ୍ଠିପାରିଲେ ନାହିଁ। ଫଳଳରେ ବେକାରୀ ବଢ଼ିଥିଲା ଓ ଅର୍ଥନୈତିକ ଅସମାନତା ସୃଷ୍ଟି ହୋଇଥିଲା।
ଏକତ୍ରୀକରଣର ଆନ୍ତର୍ଜାତୀୟ ଦିଗ ମଧ୍ୟ ଜଟିଳ ଥିଲା। ଦ୍ୱିତୀୟ ଵିଶ୍ଵଯୁଦ୍ଧ ପରେ ଜର୍ମାନୀକୁ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ଫ୍ରାନ୍ସ୍ ଓ ସୋଭିୟେଟ୍ ୟୁନିୟନ୍ ଦ୍ୱାରା ଵିଭକ୍ତ କରାଯାଇଥିଲା। ଏବେ ଏକତ୍ରୀକରଣ ପାଇଁ ଏହି ଚାରି ଶକ୍ତିଙ୍କର ସମ୍ମତି ଆଵଶ୍ୟକ ଥିଲା। ଏହାକୁ ସକାରାତ୍ମକ କରିଵା ପାଇଁ "Two Plus Four" ଆଲୋଚନା ଆରମ୍ଭ ହୋଇଥିଲା। ଏଥିରେ ଦୁଇ ଜର୍ମାନଦେଶ ଓ ଚାରିଗୋଟି ଵିଜୟୀ ଶକ୍ତି ଯୋଗଦେଲେ। ଫେବ୍ରୁଆରୀ ୧୦, ୧୯୯୦ରେ କୋଲ୍ ଗର୍ଭାଚେଭଙ୍କୁ ଭେଟି ଏକତ୍ରୀକରଣର ସମର୍ଥନ ପାଇଥିଲେ। ସୋଭିୟେଟ୍ ୟୁନିୟନ୍ ଏକ ନ୍ୟୁଟ୍ରାଲ୍ ଜର୍ମାନୀ ଚାହୁଁଥିଲା, ଯାହା ନାଟୋରେ ଯୋଗ ନଦେଵ। କିନ୍ତୁ କୋଲ୍ ଏକତ୍ରୀକୃତ ଜର୍ମାନୀକୁ ନାଟୋରେ ରଖିଵାକୁ ଇଚ୍ଛା କରିଥିଲେ।
ମେ ୫, ୧୯୯୦ରେ ବନ୍ ନଗରରେ ପ୍ରଥମ "Two Plus Four" ଵୈଠକ ହୋଇଥିଲା, ଏଵଂ ସେଠାରେ ସୈନ୍ୟ ଓ ସୁରକ୍ଷା ଵିଷୟରେ ଆଲୋଚନା ହୋଇଥିଲା। ଜୁନ୍ ୨୨ରେ ବର୍ଲିନ୍ରେ ଦ୍ୱିତୀୟ ଵୈଠକରେ ସୋଭିଏତ ପକ୍ଷ ଏକତ୍ରୀକରଣର ଅନେକ ବୁଝାମଣାରେ ସହମତି ପ୍ରକାଶ କରିଥିଲା। ଏକତ୍ରୀକୃତ ଜର୍ମାନୀର ସୈନ୍ୟଵଳ ୩୭୦,୦୦୦ରେ ସୀମିତ ରହିଵ, ସୋଭିଏତ୍ ସୈନ୍ୟ ୧୯୯୪ ସୁଦ୍ଧା ପୂର୍ଵ ଜର୍ମାନୀରୁ ପ୍ରତ୍ୟାହୃତ  ହେବେ ଏଵଂ ଜର୍ମାନୀ ୧୩ ବିଲିୟନ୍ ଡଏଚ୍ଏମ୍ ସାହାଯ୍ୟ ଦେଵ। ଜୁଲାଇ ୧୪-୧୭ରେ କୋଲ୍ ମସ୍କୋ ଯାଇ ଏହି ଚୁକ୍ତି ସମ୍ପନ୍ନ କରିଥିଲେ। ଜୁଲାଇ ୧୭ରେ ପାରିସ୍ରେ ତୃତୀୟ ଵୈଠକରେ ପୋଲାଣ୍ଡ୍କୁ ଏଥିରେ ଯୋଡ଼ାଯାଇଥିଲା ଏଵଂ ଓଡର୍-ନାଇସ୍ ସୀମାନ୍ତର ସୁରକ୍ଷା ନିଶ୍ଚିତ କରାଯାଇଥିଲା। ସେପ୍ଟେମ୍ବର ୧୨, ୧୯୯୦ରେ ମସ୍କୋରେ ଚୁକ୍ତି ସମ୍ପୂର୍ଣ୍ଣ ହୋଇଥିଲା ଫଳତଃ ଵିଜୟୀ ଶକ୍ତିଗୁଡ଼ିକର ଜର୍ମାନୀ ଉପରେ ସମସ୍ତ ଅଧିକାର ସମାପ୍ତ ହୋଇଥିଲା ଏଵଂ ଜର୍ମାନୀକୁ ସମ୍ପୂର୍ଣ୍ଣ ସାର୍ଵଭୌମତ୍ୱ ପ୍ରାପ୍ତ କରିଥିଲା।
ଏହି ଆନ୍ତର୍ଜାତୀୟ ସମର୍ଥନରୁ ଆଶ୍ୱସ୍ତ ହୋଇ, ଅଗଷ୍ଟ ୩୧, ୧୯୯୦ରେ ଏକତ୍ରୀକରଣ ଚୁକ୍ତି -Einigungsvertrag ସମ୍ପ୍ରସାରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ ପୂର୍ଵ ଜର୍ମାନୀର Brandenburg,
Mecklenburg-Vorpommern,Sachsen,Sachsen-Anhalt ଓ Thüringen
ପଶ୍ଚିମ ଜର୍ମାନୀରେ ଯୋଗ ଦେଵ ଏବଂ ବର୍ଲିନ୍କୁ ରାଜଧାନୀ କରାଯିଵ। ପଶ୍ଚିମର ସମ୍ବିଧାନ ‘Grundgesetz’ ସମଗ୍ର ଦେଶରେ ଲାଗୁ ହେଵ। ପଶ୍ଚିମଜର୍ମାନୀର ସଂସଦ ‘ବୁଣ୍ଡେସ୍ଟାଗ୍’ ଏଵଂ ପୂର୍ଵଜର୍ମାନୀର ‘ପିପୁଲ୍ସ୍ ଚାମ୍ବର୍’ ଏହାକୁ ଅନୁମୋଦନ କରିଥିଲେ। ଅକ୍ଟୋବର ୩, ୧୯୯୦ରେ ଏକତ୍ରୀକରଣ ସମ୍ପୂର୍ଣ୍ଣ ହୋଇଥିଲା। ଏହି ଦିନକୁ "ଏନାଇଟ୍ଟାଗ୍" (ଏକତା ଦିବସ) ଭାବେ ପାଳନ କରାଯାଏ। ବର୍ଲିନ୍ରେ ରାଷ୍ଟ୍ରପତି ରିଚାର୍ଡ୍ ଵନ୍ ୱେଇଜ୍ସାକର୍ ଘୋଷଣା କରିଥିଲେ ଯେ ଜର୍ମାନୀ ଏବେ ସବୁଦିନ ପାଇଁ ଏକ ଓ ଅଭିନ୍ନ ହୋଇଗଲା।
କିନ୍ତୁ ଜର୍ମାନୀ ଏକତ୍ରୀକରଣ ସିନା ହୋଇଗଲା  କିନ୍ତୁ ଜର୍ମାନୀର ଲୋକଙ୍କ ଆଗରେ ପରେ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ସମସ୍ୟାଗୁଡ଼ିକ ପ୍ରାଚୀର ଭଳି ଉଭା ହେଲା । 
ଏକତ୍ରୀକରଣର ସବୁଠାରୁ ବଡ଼ ସମସ୍ୟା ଅର୍ଥନୈତିକ ଅସମାନତା ଥିଲା। ପୂର୍ଵ ଜର୍ମାନୀ (GDR) ସାମ୍ୟଵାଦୀ ଅର୍ଥଵ୍ୟଵସ୍ଥା ଆଧାରରେ ଚାଳିତ ହେଉଥିଵାବେଳେ ପଶ୍ଚିମ ଜର୍ମାନୀ (FRG) ମୁକ୍ତ ବଜାର ଅର୍ଥନୀତିରେ ସମୃଦ୍ଧ ଥିଲା। ୧୯୯୦ ଜୁଲାଇରେ ମୁଦ୍ରା ଏକତ୍ରୀକରଣ ହେଲା ଯେଉଁଥିରେ ପୂର୍ଵଜର୍ମାନୀର ଓଷ୍ଟମାର୍କକୁ ୧:୧ ହାରରେ ପଶ୍ଚିମର Deutsche Mark (DM) ସହିତ ବଦଳାଯାଇଥିଲା। ଏହା ପୂର୍ଵଜର୍ମାନୀର ଅର୍ଥଵ୍ୟଵସ୍ଥାକୁ ଧ୍ୱଂସ କରିଦେଲା। ପୂର୍ଵଜର୍ମାନୀର କାରଖାନାଗୁଡ଼ିକ ପୁରୁଣା ଯନ୍ତ୍ରପାତି ଓ ଅଦକ୍ଷତା ଯୋଗୁଁ ପ୍ରତିଯୋଗିତାରେ ତିଷ୍ଠି ପାରିଲେ ନାହିଁ। ଫଳତଃ ଅନେକ କାରଖାନା ବନ୍ଦ ହୋଇଗଲା ଏଵଂ ଲକ୍ଷ ଲକ୍ଷ ଲୋକେ ବେରୋଜଗାର ହେଲେ। ୧୯୯୧ରେ ପୂର୍ଵଜର୍ମାନୀରେ ବେରୋଜଗାରୀ ହାର ୧୫ ପ୍ରତିଶତରୁ ଅଧିକ ହୋଇଯାଇଥିଲା, ଯାହା ପଶ୍ଚିମର ୫-୬ ପ୍ରତିଶତ ତୁଳନାରେ ଅତ୍ୟଧିକ ଥିଲା।
ପଶ୍ଚିମ ଜର୍ମାନୀ ପୂର୍ଵଜର୍ମାନୀରେ ପୁନର୍ନିର୍ମାଣ ପାଇଁ ପ୍ରାୟ ୨ ଟ୍ରିଲିୟନ୍ ୟୁରୋ ଵ୍ୟୟ କଲା। ଏହି ଅର୍ଥ Transferleistungen ମାଧ୍ୟମରେ ଆସିଥିଲା ଯାହା ରାସ୍ତା, ରେଳପଥ, ଵିଦ୍ୟୁତ୍ ଓ ଦୂରସଞ୍ଚାର ଭିତ୍ତିଭୂମି କ୍ଷେତ୍ରରେ ସୁଧାର ପାଇଁ ଵ୍ୟଵହୃତ ହୋଇଥିଲା। ପୂର୍ଵର ରେଳବାଇ ଵ୍ୟଵସ୍ଥା ସମ୍ପୂର୍ଣ୍ଣ ନଵୀକରଣ ହେଲା ଏଵଂ ହାଇୱେଗୁଡ଼ିକ ପଶ୍ଚିମର ମାନଦଣ୍ଡକୁ ଉନ୍ନୀତ କରାଗଲା। କିନ୍ତୁ ଏହି ଵିପୁଳ ଵ୍ୟୟ ପଶ୍ଚିମର କରଦାତାମଆନେ ଅତିରିକ୍ତ କରର ଭାର ସହ୍ୟ କଲେ । ପଶ୍ଚିମରେ Solidaritätszuschlag ନାମକ ଅତିରିକ୍ତ କର ଲଗାଯାଇଥିଲା ଯାହା ଲୋକଙ୍କ ଅସନ୍ତୋଷ ବଢ଼ାଇଥିଲା। ଫଳରେ ପୂର୍ଵରୁ ପ୍ରାୟ ୧୮ ଲକ୍ଷ ଲୋକେ ପଶ୍ଚିମକୁ ଚାଲିଯାଇଥିଲେ, ଯାହା ପୂର୍ଵର ଜନସଂଖ୍ୟା ହ୍ରାସ ଓ କର୍ମଶକ୍ତି ଅଭାଵର କାରଣ ହେଲା ।
ଆଜି ମଧ୍ୟ ପୂର୍ଵ-ପଶ୍ଚିମ ଜର୍ମାନୀ ମଧ୍ୟରେ ଅସମାନତା ରହିଛି। ପୂର୍ଵର ପ୍ରତି ଵ୍ୟକ୍ତି ଆୟ ପଶ୍ଚିମଜର୍ମାନୀର ପ୍ରାୟ ୭୫ ପ୍ରତିଶତ। ଔଦ୍ୟୋଗିକ କାର୍ଯ୍ୟକଳାପର ୭୬ ପ୍ରତିଶତ ପଶ୍ଚିମରେ କେନ୍ଦ୍ରୀଭୂତ। ତଥାପି ୮୦ ଓ ୯୦ ଦଶକରୁ ଆରମ୍ଭ ହୋଇଥିଵା ପୁନର୍ନିର୍ମାଣ କାର୍ଯ୍ୟ ଫଳପ୍ରଦ ହୋଇଛି। ସରକାର ସଡ଼କ, ରେଳ, ବିଦ୍ୟାଳୟ ଓ ଚିକିତ୍ସାଳୟ ନିର୍ମାଣ କରି ପୂର୍ଵ ଜର୍ମାନୀକୁ ଉନ୍ନତ କରୁଛନ୍ତି। Leipzig ଓ Dresden ଭଳି ସହରଗୁଡ଼ିକ ଆଧୁନିକ ଔଦ୍ୟୋଗିକ କେନ୍ଦ୍ରରେ ପରିଣତ ହୋଇଛନ୍ତି। ଇଉରୋପୀୟ ୟୁନିୟନର ସହାୟତା ମଧ୍ୟ ଏହାକୁ ତ୍ୱରାନ୍ୱିତ କରିଛି।
ଜର୍ମାନୀ ଏକତ୍ରୀକରଣ ପରେ ଅର୍ଥନୈତିକ ସମସ୍ୟା ସହିତ ସାମାଜିକ ଵିଭେଦ ମଧ୍ୟ ଦେଖା ଦେଇଥିଲା। ପୂର୍ଵ ଓ ପଶ୍ଚିମ ଜର୍ମାନୀର ଲୋକମାନେ ଦଶନ୍ଧି ଧରି ଭିନ୍ନ ଭିନ୍ନ ଵ୍ୟଵସ୍ଥାରେ ରହିଆସିଥିଵାରୁ ମାନସିକ ଦୂରତ୍ୱ ସୃଷ୍ଟି ହୋଇଥିଲା। ପୂର୍ଵର ଲୋକମାନେ ନିଜକୁ Ossis ଭାବେ ଦେଖୁଥିଲେ, ପଶ୍ଚିମର ଲୋକେ ନିଜକୁ Wessis ଭାବେ ଵିଵେଚନା କରୁଥିଲେ। ଏହି ସାମାଜିକ ଵିଭାଜନ ଅନେକ ଵର୍ଷ ପର୍ଯ୍ୟନ୍ତ ରହିଲା । ପୂର୍ଵରେ ସାମ୍ୟଵାଦୀ ଯୁଗରେ ସୁରକ୍ଷିତ ଚାକିରି, ଶସ୍ତା ଵାସସ୍ଥାନ ଓ ସାମାଜିକ ସୁରକ୍ଷା ଥିଵାବେଳେ ପଶ୍ଚିମରେ ସ୍ୱାଧୀନତା ଓ ଉନ୍ନତ ଜୀଵନଶୈଳୀ ଥିଲା। ଏକତ୍ରୀକରଣ ପରେ ପୂର୍ଵଜର୍ମାନୀର ଲୋକମାନେ ଏକୀକୃତ ଜର୍ମାନୀରେ ନିଜକୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ଅନୁଭଵ କରୁଥିଲେ।
ପୂର୍ଵଜର୍ମାନୀର ଗୁପ୍ତଚର ଵିଭାଗ Stasi (Staatssicherheit)ର ଫାଇଲ୍ଗୁଡ଼ିକ ଖୋଲାଯିଵା ଯୋଗୁଁ ଆଉ ଏକ ଧରଣର ସାମାଜିକ ଵିପର୍ଯ୍ୟୟ ସୃଷ୍ଟି ହେଲା । Stasiରେ ପ୍ରାୟ ୧ ଲକ୍ଷ ୯୧ ହଜାର କର୍ମଚାରୀ ଓ ଲକ୍ଷ ଲକ୍ଷ ସୂଚନାଦାତା ଥିଲେ ଏଵଂ ସେମାନଙ୍କର ଫାଇଲ୍ରେ ଵ୍ୟକ୍ତିଗତ ଜୀଵନ, ପାରିଵାରିକ ସମ୍ପର୍କ ଓ ରାଜନୈତିକ ମତାମତ ରେକର୍ଡ ହୋଇଥିଲା। ୧୯୯୧ରେ ଏହି ଫାଇଲ୍ଗୁଡ଼ିକ ସାର୍ବଜନୀନ ହେଵା ପରେ ଅନେକ ପାରିଵାରିକ ଵିଶ୍ୱାସଘାତକତା ପ୍ରକାଶ ପାଇଲା। ସ୍ୱାମୀ-ସ୍ତ୍ରୀ, ଭାଇ-ଭଉଣୀ ଓ ବନ୍ଧୁମାନେ ପରସ୍ପର ଵିଷୟରେ ଗୁପ୍ତ ସୂଚନା ଦେଇଥିଵା ଜାଣିଲେ ଫଳତଃ ଅନେକ ସମ୍ପର୍କ ଭାଙ୍ଗିଗଲା। ଏହା ପୂର୍ଵଜର୍ମାନୀର ଲୋକଙ୍କ ମଧ୍ୟରେ ଆଘାତ ଓ ଅଵିଶ୍ୱାସ ସୃଷ୍ଟି କରିଥିଲା। ଆଜି ମଧ୍ୟ ପୂର୍ଵଜର୍ମାନୀର ଅନେକ ଲୋକେ ସାମ୍ୟଵାଦୀ ଯୁଗର ସୁରକ୍ଷାକୁ ମନେ ପକାନ୍ତି ।
ରାଜନୈତିକ ଭାବରେ ଜର୍ମାନୀ ଏକତ୍ରୀକରଣ ଅସନ୍ତୋଷକୁ ପ୍ରତିଫଳିତ କରିଥିଲା। ପୂର୍ଵ ଜର୍ମାନୀର ପୂର୍ଵତନ ଶାସକ ଦଳ SED (Sozialistische Einheitspartei Deutschlands) ପରେ PDS (Partei des Demokratischen Sozialismus) ଓ ଵର୍ତ୍ତମାନ Die Linke ଭାବେ ପୂର୍ଵ ଜର୍ମାନୀରେ ଜନପ୍ରିୟତା ଲାଭ କରିଛି। ଏହା ଏକତ୍ରୀକରଣର ଅସୁବିଧା ଓ ପୁରୁଣା ସାମ୍ୟଵାଦୀ ଆଦର୍ଶକୁ ପ୍ରତିନିଧିତ୍ୱ କରୁଛି। ଅନ୍ୟପକ୍ଷରେ, ଜର୍ମାନୀ ଏକତ୍ରୀକରଣ ପାଇଁ ଆନ୍ତର୍ଜାତୀୟ ସମର୍ଥନ ଗୁରୁତ୍ୱପୂର୍ଣ୍ଣ ଥିଲା। ଯୁକ୍ତରାଷ୍ଟ୍ର ଅମେରିକାର ରାଷ୍ଟ୍ରପତି ଜର୍ଜ ଏଚ୍.ଡବ୍ଲ୍ୟୁ. ବୁଶ୍ ଓ ସୋଭିଏତ୍ ନେତା ମିଖାଇଲ୍ ଗୋର୍ବାଚୋଭ୍ଙ୍କ ସମର୍ଥନ ବିନା ଏହା ସମ୍ଭଵ ହୋଇନଥାନ୍ତା।
ତଥାପି, ଏକତ୍ରୀକରଣ ଜର୍ମାନୀକୁ ଏକ ସମୃଦ୍ଧ ଓ ସ୍ଥିର ଦେଶ କରିଛି। ବର୍ଲିନ୍ ପୁନର୍ଵାର ରାଜଧାନୀ ହୋଇ ଏକ ଵିଶ୍ୱସ୍ତରୀୟ ସହରରେ ପରିଣତ ହୋଇଛି। ପୂର୍ଵ ଜର୍ମାନୀ ଓ ପଶ୍ଚିମ ଜର୍ମାନୀ ମଧ୍ୟରେ ଅସମାନତା ଧୀରେ ଧୀରେ ହ୍ରାସ ପାଉଛି। ଏହି ପ୍ରକ୍ରିୟା ଦେଖାଏ ଯେ ରାଜନୈତିକ ଇଚ୍ଛାଶକ୍ତି, ଅର୍ଥନୈତିକ ସଂଯୋଗ ଓ ଆନ୍ତର୍ଜାତୀୟ ସହଯୋଗ କିପରି ଵିଭାଜନକୁ ଏକତାରେ ପରିଣତ କରିପାରେ। ଜର୍ମାନୀର ଏହି ଯାତ୍ରା ଵିଶ୍ୱର ଅନ୍ୟ ଵିଭାଜିତ ଦେଶଗୁଡ଼ିକ ପାଇଁ ଏକ ଉଦାହରଣ। 
ବର୍ଲିନ ପ୍ରାଚୀରର ଧ୍ୱଂସାଵଶେଷରୁ ଉଠି ଜର୍ମାନୀ ଏକତାର ନୂଆ ସୂର୍ଯ୍ୟୋଦୟ ଦେଖିଲା । ଏଥିରୁ ଵିଶ୍ଵ ଶିଖିଲା ଯେ ଵିଭାଜନର ଅନ୍ଧକାର ଯେତେ ଗଭୀର ହେଲେ ମଧ୍ୟ ମାନଵୀୟ ସ୍ଥିତିସ୍ଥାପକତା ଓ ଆଶାର ଆଲୋକ ତାକୁ ଅତିକ୍ରମ କରିପାରେ। ରାଜନୈତିକ ଇଚ୍ଛାଶକ୍ତି ଓ ଅର୍ଥନୈତିକ ସଂଯୋଗ ସହିତ ଲୋକଙ୍କ ଅଟଳ ସ୍ୱପ୍ନ ଯେକୌଣସି ପ୍ରାଚୀରକୁ ଭାଙ୍ଗି ଏକତ୍ରୀକରଣର ଅଧ୍ୟାୟ ଲେଖିପାରେ। ଜର୍ମାନୀ ଏକତ୍ରୀକରଣର ଏହି ଇତିହାସ ଏକ ପ୍ରେରଣା – ଧ୍ୱଂସରୁ ସମୃଦ୍ଧି, ଵିଚ୍ଛେଦରୁ ମିଳନ ଓ ଆଘାତରୁ ନଵଜୀଵନର ଅମର ଗାଥା।
••••••••••••••••••••••••••••••••••••
ତଥ୍ୟ ଉତ୍ସ : 
1.The Rise and Fall of the Berlin Wall by R.G. Grant
2.Berlin 1961: Kennedy, Khrushchev, and the Most Dangerous Place on Earth by Frederick Kempe
3.The Collapse: The Accidental Opening of the Berlin Wall by Mary Elise Sarotte
4.After the Wall: The Fall of Communism and the Rebirth of Germany by John Borneman
5.The Fall of the Berlin Wall by William F. Buckley Jr.
6.Reunification in West German Politics: The Fall of the Berlin Wall and German Reunification by Joost Kleuters
7.The Berlin Wall: A World Divided 1961-1989 by Frederick Taylor
8.Stasiland: Stories from Behind the Berlin Wall by Anna Funder
9.The Year That Changed the World: The Untold Story Behind the Fall of the Berlin Wall by Michael Meyer
10.Wirtschaftswunder: The Economic Miracle of West Germany by Ludwig Erhard 
11.Two Plus Four: The Diplomacy of German Unification by Hans-Dietrich Genscher
12.The Rape of Europa: The Fate of Europe's Treasures in the Third Reich and the Second World War by Lynn H. Nicholas 
13.A Woman in Berlin: Eight Weeks in the Conquered City by Anonymous (Marta Hillers)
14.The Marshall Plan: Dawn of the Cold War by Benn Steil
15.Germany Unified and Europe Transformed: A Study in Statecraft by Philip Zelikow and Condoleezza Rice
No comments:
Post a Comment