Thursday, November 1, 2018

◆◆◆◆◆ବନ୍ଧୁଘର◆◆◆◆◆

ନିତାନ୍ତ ଦରିଦ୍ର ଯୁଵକଟିଏ । ପରରାଜ୍ୟରେ ଖଟି ଖାଇ ବଳିଲେ ଘରକୁ ଟଙ୍କା କେତୁଟା ପଠେଇଦିଏ ଯେ ତା ପୈତୃକ ଗୃହରେ ଚୁଲି ଜଳେ । ଦଶ ଵର୍ଷ ହେବ ଵିଦେଶ କରିଥିଲେ ହେଁ ସେ ଚାରଣାଏ ରଖିପାରିନି । ସାହୁକାରର ଋଣ ସୁଝାସୁଝିରେ ବାକି ଟଙ୍କା ଶେଷ ହେଇଯାଏ ବୋଲି ତାପାଖରେ ଵ୍ୟାଙ୍କ ଖାତାଟେ  ନାହିଁ ଆଉ ସଞ୍ଚିତ ଧନ ଵା ଆସିବ କାହୁଁ....

ଏଇ ସନ ବଡ଼ ଅସୁବିଧାରେ ପଡି଼ଲା....
ଚାରି ରାଇଜ ବୁଲି ଆଇଲା ହେଲେ କୋଉଠି ତିଷ୍ଟି ପାରିଲାନି....

ଶେଷକୁ ଏକ ଭଲ କମ୍ପାନୀରେ କାମ କରୁଥିଲା ଯେ ଡିଆଁଜ୍ଵରରେ ପଡି଼ ଵିଚରାଟା ବହୁତ ଖର୍ଚ୍ଚାନ୍ତ ହୋଇ ଶେଷକୁ ଗାଆଁକୁ ଫେରିଆସିଛି.....

କାମଟେ ପାଇଁ “ଵାରାଣାସୀ କଟକ” ଯାଇଥାଏ
କୁହନ୍ତି
“ଖୋଜିଲେ କାଳେ ଈଶ୍ଵର ବି ମିଳିଯାନ୍ତି”
କିନ୍ତୁ ଆ’ ଭାଗ୍ୟରେ ସେମନ୍ତ ସୌଭାଗ୍ୟ ଲେଖାନଥିଲା ।
ଚାରିଦିନ ଯାଏଁ ସହରଟା ସାରା ବୁଲି ବୁଲି ଭଲ କାମଟେ ନପାଇଲାରୁ ମନ ଦୁଃଖରେ ଫେରିଆସିବାକୁ ବାଧ୍ୟ ହେଲା....

ଢେଙ୍କାନାଳରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହୋଇଯାଇଥାଏ.....
ଲକ୍ଷ୍ମୀପୂଜା ଯୋଗୁଁ ନଗ୍ରଟା ଠିକ୍ ନଵଵିଵାହିତା ଵଧୂ ପରି ସଜେଇ ହୋଇଛି...
କୋରିହାଁ ଛକରେ ଯୁଵକଟା ଓହ୍ଲେଇ ପଡି଼ଲା...
ଏବେ କିସ କରିବ ....?
ରାତି ଅନେକ ହେଲାଣି.....
ଢେଙ୍କାନାଳଠୁଁ ପୈତୃକ ଗ୍ରାମଟା ଅତିକମ୍ ରେ୧୭ କି.ମି. ଦୂର ଏଣେ ପାଖରେ ମୋବାଇଲ କି କେହି ସାଙ୍ଗସାଥୀ ନାହିଁ.....

ତା’ର ମନେ ପଡି଼ଲା ଏଠି ଜଣେ ରକ୍ତ ସଜା ବନ୍ଧୁଙ୍କ ଘର ରହିଛି । କୋରିହାଁ ଛକରୁ ପ୍ରାୟ  ପାଞ୍ଚ ଛଅ କି.ମି. ପଶ୍ଚିମକୁ ଚାଲିଗଲେ ହେଲା । ରାତିଟା ସେଇଠି କଟେଇ ଦେଇ ସକାଳୁ ସକାଳୁ ଘରକୁ ବାହୁଡି଼ ଆସିବ ବୋଲି ଵିଚାର କରି ଯୁଵକଟି ସେଇ ଦିଗରେ ଚାଲିବାକୁ ଲାଗିଲା......

କୋରିହାଁ ଛକର ଟିକିଏ ଆଗକୁ ତାହାର ଜଣେ ପୁରୁଣା ସାଙ୍ଗ ସହ ଭେଟ ହୋଇଗଲା । ଯୁଵକ ଓ ତା’ ସାଙ୍ଗ ତା’ର ରକ୍ତସମ୍ପର୍କୀୟ ବନ୍ଧୁଙ୍କ ଗୃହ ଆଡ଼କୁ ଆଗେଇ ଗଲେ ....

ବାଟରେ ହୋଟେଲଟିଏ ପଡି଼ଲା ......
ଯୁଵକର ସାଙ୍ଗଟା ଏଠାରେ ଖାଇ ନେଵାକୁ କହିଲା ହେଲେ ସେ
ତାକୁ ବଡ଼ ଵିଶ୍ଵାସର ସହ ମନା କରିଦେଲା....

ସାଙ୍ଗକୁ ବୁଝେଇଦେଲା ସେ ଯାହା ଘରକୁ ଯାଉଛନ୍ତି ତାଙ୍କର ବହୁତ ବଡ଼ ଘର ଓ ଅମାପ ଧନ ରହିଛି । ତାଙ୍କ ଘରେ କଣ୍ ଖାଇବାକୁ ନଥିବ ଯେ ଆମେ ବାଟରୁ ଘାଟରୁ ଖାଇକି ଯିବା.....?

ଦୁଇ ସାଙ୍ଗ ଦୁଃଖ ସୁଖ କଥା ହେଇ ଯାଉ ଯାଉ ଯୁଵକର ବନ୍ଧୁବାନ୍ଧବଙ୍କର ଘର ଆସିଲା । ଜଗୁଆଳି ଟା ଯୁଵକ ପରିଚୟ ପାଇ ଉପରୁ ସ୍ଵୀକୃତି ପାଇଲାରୁ ଭିତରକୁ ଛାଡ଼ିଲା....

ଯୁଵକ ଯାଇ ଦେଖେ ତ ଘରେ କେହି ନାହାନ୍ତି କେଵଳ ତାଙ୍କର ଜଣେ ସମ୍ପର୍କୀୟା ମହିଳା ସେଠାରେ ଟିଭିଘରେ ଆରାମଚଉକି ଉପରେ ବସି ଧାରାଵାହିକ ଦେଖୁଅଛନ୍ତି ....

ଯୁଵକଟା ଯାଇ ତାଙ୍କ ଗୋଡ଼ ଛୁଇଁ ଲମ୍ଵା ଦଣ୍ଡଵତଟେ ହେଲା
ମହିଳା ଜଣକ ନ ଚିହ୍ନିପାରିଲା ପରି ପଚାରିଲେ
ବାପ ତମେ କିଏ ତମ ଘର କୋଉଠି କି ?
ଯୁଵକଟା ଆପଣା ଘର ଓ ଵଂଶ ପରିଚୟ ଦେଲା ଆଉ କହିଲା ଯଦି ଖାଦ୍ୟର ଵ୍ୟଵସ୍ଥା ହୋଇପାରନ୍ତା ତେବେ ବହୁତ ଭଲ ହୁଅନ୍ତା..

ସେତେବେଳେ ମହିଳା ଜଣକ ରାଗିକି ପାଚିଯାଇଥାନ୍ତି...
ବଡ଼ ପାଟିଟାଏ କଲେ....
ପାଟି ଶୁଣି ଜଗୁଆଳି ଓ ସେ ଘରର ଭଡା଼ଟିଆ ଓ ତା ସ୍ତ୍ରୀ ବି ଦୌଡ଼ି ଆସିଲେ....
ଜଗୁଆଳିକୁ ଦେଖି ବୁଢ଼ୀଟା ତା ଉପରେ ଭୀଷଣ ରାଗିଯାଇ କହିଲା–
“ଏ ଭିକାରୀ ଲୋକଗୁଡା଼କୁ ଘର ଭିତରକୁ କାହିଁକି ଛାଡ଼ିଲ ?
ଏଗୁରା ବଡ଼ ଘର ଦେଖିକି ଚାଲିଆସନ୍ତି
ଏଠି ଡାଇନିଂ ଟେବୁଲୁରେ ବସିବେ ଆଉ ମାଗଣାରେ କ୍ଷୀରିପୁରି ଖାଇବେ !!
ଯା ଯା ଏଗୁରାକୁ ଶିଘ୍ର ଦଫା କର୍ !!!!!!”

ଜଗୁଆଳିଟା ମାଲିକାଣି ବୁଢ଼ୀ କଥା ଶୁଣି ଏତେ ମାତ୍ରାରେ ରାଗିଲା ଯେ ଯୁଵକ ଦୁଇଜଣଙ୍କ ଗାଲରେ ଦି ଦି ଚାପୁଡ଼ା କଷିଦେଲା ଏଵଂ ବଡ଼ ନିର୍ଦ୍ଦୟ ଭାବରେ ଟାଣି ଟାଣି ସେମାନଙ୍କୁ ସେଇଠୁ ବାହାର କରିଦେଲା ।

ଯୁଵକଟି କିଛି ନବୁଝିପାରି ଖାଲି ଭକୁଆ ଭଳିଆ ସେ ସୁଉଚ୍ଚ ଗୃହ ଆଡ଼କୁ ଅନାଇ ରହିଥାଏ...
ତା ସଙ୍ଗଟା ତାକୁ କହିଲା ―

“ବୁଝିଲ ଭାଇ ଏ ଧନୀଲୋକ ଯାକ ଏମ୍ତି....
ଲାଭ ଥିଲାଯାଏଁ ଭାଵ ଯୋଡି଼ଥିବେ ଲାଭ ନଥିଲେ ମୁହଁ ମୋଡି଼ ଦେବେ.....”

ଦୁଇ ବନ୍ଧୁ ସେଇଠୁ କୋରିହାଁ ବାଇପାସ୍ ଆଡକୁ ଚାଲିଆସିଥିଲେ
ତାପରେ କଣ୍ ହୋଇଥିଲା ଜଣାପଡି଼ନାହିଁ....

କିନ୍ତୁ
ସକାଳେ ରାଜ୍ୟର ବଡ଼ ବଡ଼ ଟିଭିଚ୍ୟାନେଲରେ
କେବଳ ଗୋଟାଏ ବ୍ରେକିଙ୍ଗ ନ୍ୟୁଜ ଥିଲା
“ଢେଙ୍କାନାଳ–କାମାକ୍ଷାନଗର” ରାଜ୍ୟ ରାଜପଥରେ ହାତୀ ଆକ୍ରମଣ ଯୋଗୁଁ ଦୁଇଜଣ ଯୁଵକ ମୃତ.....

●{ଵି.ଦ୍ର:- କଥାଟି ଏକାନ୍ତ କାଳ୍ପନିକ । କୌଣସି ମାଙ୍କଡି଼ ରାକ୍ଷସୁଣୀ ବୁଢ଼ୀର ଚରିତ୍ର ସହିତ ଏ କାହାଣୀର ମୁଖ୍ୟ ଖଳନାୟିକାଙ୍କର କିଛି ବି ସମ୍ପର୍କ ନାହିଁ; “ବନ୍ଧୁକୁ ନେଇ ଧନ-ମାନ- ସମ୍ମାନରେ ଅହଂଅନ୍ଧ  ହୋଇଯାଇଥିବା ଆଉଜଣେ ବନ୍ଧୁ ଘରକୁ ଯିବା
ଅନୁଚିତ” କିନ୍ତୁ କାହାଣୀର ଦୁଇ ଯୁଵକଙ୍କୁ ଏହା ଶିକ୍ଷା କରିବା ହେତୁରୁ ଆପଣାର ଜୀଵନ ସୁଦ୍ଧା ହରେଇବାକୁ ପଡି଼ଥିଲା}●

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...