Friday, November 9, 2018

“ନାଲେ ଵା ଏଵଂ ଓଡି଼ଶା”


୧୯୯୦ ଦଶକରେ ଦକ୍ଷିଣ ଭାରତ ଵିଶେଷତଃ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ଏକ ପିଶାଚିର ଭୟରେ ଲୋକ ସନ୍ଧ୍ୟା ହେଲେ ଘରୁ ବାହାରିଵା ଛାଡ଼ି ଦେଇଥିଲେ । ବାଙ୍ଗାଲୋର ନଗର ନିକଟଵର୍ତ୍ତୀ ଅଞ୍ଚଳରେ ଭୟଙ୍କର ଅଵସ୍ଥା ସୃଷ୍ଟି ହୋଇଥିଲା । ଏ ସମୟରେ ଗୁଡାଏ ମୃତ୍ୟୁ ମଧ୍ଯ ଏ ଭୟକୁ ଆହୁରି ତ୍ବରାନ୍ବିତ କରିଦେଇଥିଲା ।

ପିଶାଚିର ଭୟ ଏତେ ବଢିଲା ଯେ ତାହା କେଵଳ ଏଇ ଦୁଇରାଜ୍ୟ ହିଁ ନୁହେଁ ଵରଂ କେରଳ,ତାମିଳନାଡୁ,ମହାରାଷ୍ଟ୍ର,ଓଡ଼ିଶା ଏମିତିକି ଉତ୍ତର ଭାରତ ଯାଏଁ ଵ୍ୟାପିଗଲା ।

ସାରା ଵିଶ୍ଵରେ ଭାରତର ଏ ପିଶାଚି ଵିଷୟରେ ଚର୍ଚ୍ଚା ହେଉଥାଏ ଏଣେ ଲୋକ ଵିଶେଷତଃ ପୁରୁଷ ମାନେ ବହୁ ସଂଖ୍ୟାରେ ମରିଵା ଆରମ୍ଭ ହୋଇଯାଇଥିଲା ।

କିଛି ଦିନ ପରେ ସେ ପିଶାଚିକୁ କାବୁ କରିଵା ପାଇଁ ଲୋକମାନେ ଗୋଟାଏ ବାଟ ପାଇଯାଇଥିଲେ । କୁହାଯାଏ ସେଇଦିନିଆ ଥରେ ଜଣେ ସ୍ତ୍ରୀ ଲୋକ ଶୋଇଵାକୁ ଯାଉଥାଏ କି ତା ପତିକୁ ବାହାରୁ କିଏ ଡାକ ପକାଉଥିଵା ସେ ଶୁଣିବାକୁ ପାଇଲା ।

କଣ୍ଠଟା ତା ଶାଶୁଙ୍କର ବୋଲି ଅନୁଭଵ କରି ସ୍ତ୍ରୀ ଲୋକଟି ଡରିଗଲା କାରଣ ତା ଶାଶୁ ଦି ଵର୍ଷ ପୂର୍ଵରୁ ମରିସାରିଥିଲେ । ଡରି ଡରି ସେ ଯେତେବେଳେ ଯାଇ ଝରକାର ଏକ କଣା ଦେଇ ବାହାରକୁ ଦେଖିଲା ସେଠି କେହି ନଦେଖି ଆଚମ୍ବିତ ହେଲା । ସେ ଶୋଇଵାକୁ ଯାଉଥାଏ ପୁଣି ସେଇମିତି କିଏ ଡାକିଲା । ସ୍ତ୍ରୀ ଲୋକଟି ଜାଣିଗଲା ଏ ସବୁ ସେହି ପିଶାଚିର କାମ । ତାପରେ ତା ପାଟିରୁ ବାହାରିଗଲା “ନାଲେ ଵା” ମାନେ “କାଲି ଆ” ।

ତତ୍ପରେ ଆଉ କାହାର ପାଟି ଶୁଣିଵାକୁ  ମିଳିନଥିଲା । କିନ୍ତୁ ତହିଁଦିନ ପୁଣି ସେହିଭଳି କଣ୍ଠସ୍ଵର ଶୁଣିଵାକୁ ମିଳିଲା  ଏଵଂ ପୂର୍ବ ପରି ସ୍ତ୍ରୀ ଲୋକଟି ନାଲେ ଵା କହିଦେଵାରୁ ଡକା ବନ୍ଦ ହେଇଗଲା ।

ଏ ଘଟଣାଟା ସେ ଅଞ୍ଚଳ ସାରା ଅଳ୍ପ ସମୟ ମଧ୍ୟରେ ରାଷ୍ଟ୍ର ହୋଇଗଲା । ଲୋକେ ନିଜ ଘର କାନ୍ଥରେ,କବାଟରେ ଏମନ୍ତକି ଗ୍ରାମର ନାମଫଳକରେ ସୁଦ୍ଧା ନାଲେ ଵା ଲେଖିଵା ଆରମ୍ଭ କରିଦେଲେ । କନ୍ନଡ଼ ଲୋକଙ୍କ ଦେଖାଦେଖି ଆନ୍ଧ୍ରପ୍ରଦେଶର ଲୋକେ ‛ଓ ସ୍ତ୍ରୀ ! ରେପୁ ରା’ ଲେଖିପକେଇଲେ । ସେ ପିଶାଚିଟା ନିଶ୍ଚେଁ ବହୁଭାଷୀ ହେଇଥିବ  ମାନେ ଅତିକମ୍ ରେ ଦକ୍ଷିଣ ଭାରତର ଅଧିକାଂଶ ଭାଷା ବୁଝୁଥିବ ପଢି ବି ପାରୁଥିବ । ଈଶ୍ୱରଙ୍କ ପରି ଅଶରୀରୀ ମାନେ ବି ତ୍ରିକାଳଦର୍ଶୀ ହୋଇଥାଇପାରନ୍ତି ।

କର୍ଣ୍ଣାଟକ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଲୋକଙ୍କ ଅନୁସାରେ ଏହି ପିଶାଚି ଏକ ଅଵିଵାହିତ କନ୍ୟା ଯାହାର ଵିଵାହ ହେଵାର ଥିଲା କିନ୍ତୁ ତାକୁ ଆତ୍ମହତ୍ୟା ଵାଧ୍ୟ କରାଯାଇଥିଲା ।  କେତେକଙ୍କ ଅନୁସାରେ ଯୁଵତିକୁ ହତ୍ୟା କରାଯାଇଥିଵାରୁ ତା ଆତ୍ମା ଅତୃପ୍ତ ହୋଇଗଲା ।

ପିଶାଚିର କାହାଣୀ ପଡୋ଼ଶୀ ରାଜ୍ୟରୁ ଓଡି଼ଶାକୁ ଵ୍ୟାପିଲା । ସେଦିନିଆ ଓଡ଼ିଶାରେ କିନ୍ତୁ ପିଶାଚି ନିଵାରଣାର୍ଥେ ଭିନ୍ନ ଧରଣର ଆୟୋଜନ କରାଯାଇଥିଲା । ଓଡ଼ିଶାର ଲୋକେ ଘର ସମ୍ମୁଖସ୍ଥ କୁଢ଼ ଵା କାନ୍ଥରେ ପକଉଥିଵା ଚିତା(କାନ୍ଥ ଝୋଟି) ପକେଇଵା ଛାଡ଼ିଦେଲେ ଆଉ ଯାହାର ଚିତା ପଡି଼ଥିଲା ତାକୁ ଲିଭେଇ ପକେଇଲେ କିମ୍ବା ତା ଉପରେ ମାଟି ଲିପିଦେଲେ । ବୋଧହୁଏ ଏହି ଗୁଜବ ଯୋଗୁଁ ଓଡ଼ିଶାର ବହୁତ ଅଞ୍ଚଳ ଵିଶେଷତଃ ଗ୍ରାମାଞ୍ଚଳରେ କାନ୍ଥରେ ଚିତା ପକେଇଵା ସଂସ୍କୃତି ଲୁପ୍ତ ପାଇଵା ଆରମ୍ଭ କରିଥିଲା । ତେବେ ପିଶାଚିର ଭୟ ଚାରିଆଡେ଼ ଦାଵାନଳ ଭଳି ମାଡି଼ଯାଇ ଲିଭିଗଲା ସତ କିନ୍ତୁ ବାଙ୍ଗାଲୋରର କେତେକ ଅଞ୍ଚଳରେ ଆଜି ବି ତାହାର ଭୟ ଊଣା ଅଧିକେ ରହିଅଛି ।

ମାନବ ସମାଜରେ ଏଭଳି ଘଟଣାକୁ Urban legend କୁହାଯାଏ । ନବ୍ବେ ଦଶକର ସେଇ ପିଶାଚିର କାହାଣୀ ଆଧାରରେ ଗୋଟାଏ ହିନ୍ଦୀ ଫିଲ୍ମ ‛ସ୍ତ୍ରୀ’ ମଧ୍ଯ ନିର୍ମାଣ ହୋଇ ପ୍ରଦର୍ଶିତ ହୋଇଥିଲା ।

ହେଲେ ଥାଇଲାଣ୍ଡର ଏକ ଗାଁରେ ମଧ୍ୟ ଏହିପରି ଘଟଣା ଘଟିଥିଲା ଏଵଂ ଏ ଵିଷୟରେ ସମ୍ବାଦପତ୍ରରେ ପ୍ରଚାର ହେଵାରୁ ଲୋକଙ୍କ ମଧ୍ୟରେ ପିଶାଚିକୁ ନେଇ ଭୟ ବୃଦ୍ଧି ପାଇଥିଲା । ଥାଇଲାଣ୍ଡର ଏକ ଗାଆଁରେ  ସୁସ୍ଥ ସଵଳ ଯୁଵକମାନେ ହଟାତ୍  ଅଦୃଶ୍ୟ ହେଇ ଯାଉଥିଵା କଥା ପ୍ରକାଶ ପାଇଥିଲା । ଏହା ଭାରତର ଅନ୍ୟ ରାଜ୍ୟରେ ପିଶାଚି ଭୟ ବୃଦ୍ଧି କରିଦେଇଥିଲା ।

ସେ ଯାହା ହେଉ ଆସ୍ଥାର ଦେଶ ଭାରତରେ ଗୁଜବକୁ ବି ସହଜରେ  ଵିଶ୍ଵାସ କରିନିଆଯାଏ  । କିନ୍ତୁ ଗୁଜବ ଯେ ସଂସ୍କୃତି ଓ ତହିଁର କୌଣସି ପ୍ରଥାକୁ ସୁଦ୍ଧା ପ୍ରଭାଵିତ କରିପାରେ ତାହାର ଗୋଟାଏ ଉଦାହରଣ ହେଉଛି ନାଲେ ଵା ଭୟରେ ଓଡ଼ିଆ ଲୋକଙ୍କ ପାରମ୍ପରିକ ଚିତାପକା ପ୍ରଥା କିଛି ଦିନ ପାଇଁ(କେଉଁଠି କେଉଁଠି ସବୁଦିନ ପାଇଁ)ବନ୍ଦ ହୋଇଯିଵା...

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...