●●ଅକ୍ଷତ ଅସ୍ତିତ୍ବ●●
ନା ନା,ଆମ ଜୀଵନ କଦାପି ଵ୍ୟର୍ଥ ଯାଇନାହିଁ । ଏ ଉଚ୍ଚ ଉଚ୍ଚ ଅଟ୍ଟାଳିକା ଆମର ହିଁ ଅସ୍ତିରେ ତିଆରି ହୋଇଛି ।
●●ଅଟଳ ସତ୍ୟ●●
ମହାନ ମହାନ ଆତ୍ମା ବି ଦୈହିକ ଆଵଶ୍ୟକତା ପ୍ରତି ଅଵହେଳା ପ୍ରଦର୍ଶନ କରିପାରିବେନି (ଆଉ କଲେ ଵେଶୀ ଦିନ ବଞ୍ଚି ପାରିବେନି)
●●ଅନ୍ତର●●
ସେ ମୋତେ ପାଗଳ କହିଲେ କାହିଁକି ନା ମୁଁ ତାଙ୍କୁ ସୁନା ବଦଳରେ ମୋ ସମୟ ବିକି ନଥିଲି
ତେବେ ମୁଁ ବି ତାଙ୍କୁ ପାଗଳ କହିଲି
କାରଣ ସେ ଭାବୁଥିଲେ ଯେ ମୋ ସମୟ ମଧ୍ଯ କିଣାଯାଇପାରେ ।
●●ଅସହମତ●●
ପ୍ରତ୍ୟେକ ଶହେ ଵର୍ଷରେ ଥରେ ନଜାରଥ ର ଜୀସସ ଓ ଖ୍ରୀ଼ଷ୍ଟିଆନଙ୍କର ଜୀସସ ଉଭୟ ଲେଵାନନର ପର୍ଵତମାଳା ମଧ୍ୟରେ ସ୍ଥିତ ସ୍ଵର୍ଗରେ ଭେଟନ୍ତି ।
ସେଠି ସେ ଲମ୍ଵା ସମୟ ଯାଏଁ କଥା ହୁଅନ୍ତି । ତେବେ ନଜାରଥଙ୍କ ଜୀସସ,ଖ୍ରୀ଼ଷ୍ଟିଆନଙ୍କ ଜୀସସଙ୍କୁ ସଦାବେଳେ ଏଇଆ କହି ଵିଦାୟ ନିଅନ୍ତି
“ବନ୍ଧୁ ! ମୋତେ ଲାଗଛି ଆମେମାନେ କେବେ ବି କୌଣସି ଵିଷୟରେ ସହମତ ହୋଇପାରିବା ନାହିଁ ।”
●●ଅହଂ ବ୍ରହ୍ମୋସ୍ମି●●
ମୋର ଜାଗ୍ରତ ଅଵସ୍ଥାରେ ସେ ମୋତେ କହିଲେ-
“ସେହି ଜଗତ ଯେଉଁଠି ରହୁଛ, ଅନ୍ତହୀନ କୂଳ ତାହାର ଅସୀମ ସେ ସାଘର ସମ ଆଉ ତୁମେ ତହିଁରେ ସାମାନ୍ୟ ଜଳବିନ୍ଦୁଏ ମାତ୍ର...”
ତେବେ ମୁଁ ମୋହର ସ୍ଵପ୍ନାଵସ୍ଥାରେ ତାଙ୍କୁ କହିଦେଇଛି ଯେ
“ମୁଁ ଅସୀମ ସାଗର ଆଉ ଏ ସମସ୍ତ ସୃଷ୍ଟି ମୋ ତଟଦେଶରେ ପଡି଼ରହିଥିବା ଧୂଳିକଣାଟେ ମାତ୍ର ।”
●●ସ୍ଵାଧୀନତା ର ସ୍ଵପ୍ନ●●
ସେ କହିଲେ-"ଯଦି କୌଣସି ଗୋଲାମକୁ ଶୋଇଥିବା ଦେଖିବ ତାକୁ ଆଦୌ ଉଠାଇବନି ଟି । ହୁଏତ ସେ ସ୍ଵାଧୀନତାର ସ୍ଵପ୍ନ ଦେଖୁଥାଇପାରେ”
ମୁଁ କହିଲି-
“ନା ନା, ଵରଂ ଯଦି କେହି ଗୋଲାମ ଶୋଇଥାଏ ତାକୁ ଯେନ ତେନ ପ୍ରକାରେ ଉଠେଇ ଦେଇ ସ୍ଵାଧୀନତା ଵିଷୟରେ ଜଣାଇଦେବା ଉଚିତ୍”
●●ସେ କହିଲା●●
ଥରେ କବରିସ୍ଥାନରେ ଯେତେବେଳେ ମୁଁ ମୋର ଜଣେ ନିଜ ଲୋକକୁ କବର ଦେଉଥାଏ କବର ଖୋଳୁଥିବା ଲୋକଟା ମୋ ପାଖକୁ ଆସିଲା ଆଉ କହିଲା-
“ଏ କବରିସ୍ଥାନକୁ ତ ହଜାର ହଜାର ଲୋକ ଆସନ୍ତି କିନ୍ତୁ ତୁମକୁ ଓ ତମର ନିଆରାପଣ ଦେଖିଲେ ଭଲ ଲାଗେ ।”
ମୁଁ କହିଲି-“ମୋତେ ଦେଖିଲେ ଆପଣ ପ୍ରସନ୍ନ ହେଉଛନ୍ତି ଜାଣି ସୁଖ ପାଇଲି ତେବେ ଦୟାକରି ଜଣେଇବେ କି ମୋହର କେଉଁ ନିଆରାପଣଟା ଆପଣଙ୍କୁ ଭଲ ଲାଗେ”
ସେ କହିଲା–ଏଠାକୁ ବହୁତ ଲୋକ ଆସନ୍ତି ସମସ୍ତଙ୍କ ମୁହଁ କାନ୍ଦ କାନ୍ଦ ହେଲେ ତମ ମୁଖମଣ୍ଡଳରେ କେବେ ବି ଵିଷାଦର ଛାୟା ନଥାଏ । ହସ ହସ ବଦନେ ଆସ ଆଉ ଯାଅ”
●●ସ୍ତ୍ରୀ ଓ ପୁରୁଷ●●
ଥରେ ମୁଁ ଏକ ସ୍ତ୍ରୀଲୋକର ଚେହେରା ଦେଖିଲି ଯେ
ସେଥିରେ ମୋତେ ଜନ୍ମ ହୋଇନଥିବା ତାହାର ସମସ୍ତ ସନ୍ତାନ ଦିଶିଗଲେ ।
କିଛି ଦିନ ଉତ୍ତାରେ...
ଜଣେ ସ୍ତ୍ରୀଲୋକ ମୋହର ଚେହେରା ଦେଖିଲା ଏଵଂ ନିଜ ଜନ୍ମର ବି ବହୁ ପୂ୍ର୍ଵରୁ ମରିଯାଇଥିବା ମୋର ସବୁ ପୂର୍ଵଜଙ୍କୁ ଜାଣିଗଲା ।
●●କଵି ଓ କଵିତା●●
ଜଣେ କଵିକୁ ଥରେ ମୁଁ କହିଥିଲି
"ତୁମ୍ଭର ମୃତ୍ୟୁ ପୂର୍ଵରୁ ଆମ୍ଭମାନେ ତୁମ୍ଭ ଶବ୍ଦସାଧନାର ମୂଲ୍ୟ ଆଦୌ ବୁଝିପାରିବୁନି ।"
"ସେ କହିଲେ, "ଠିକ କହୁଛନ୍ତି । ପ୍ରାୟତଃ ରହସ୍ୟ ଉପରୁ ମୃତ୍ୟୁ ହିଁ ପରଦା ଉଠାଇଥାଏ । ତେବେ ଯଦି ଵାସ୍ତଵରେ ତୁମେ ମୋ ଵିଷୟରେ ଜାଣିବାକୁ ଚାହୁଁଚ ତାହେଲେ ଶୁଣ,ଯେତିକି କହିଛି ତାହାଠାରୁ ଅଧିକ କଵିତା ମୋ ହୃଦୟରେ ଅଛି ଆଉ ଯେତିକି ଲେଖି ସାରିଛି ତାହାଠାରୁ ଶତଗୁଣ ଅଧିକ ମୋହର ଭାଵନା ମଧ୍ୟରେ ରହିଛି ।"
@ଖ଼ଲୀଲ ଜୀ଼ବ୍ରାନଙ୍କର କେତେକ ପ୍ରଶିଦ୍ଧ କ୍ଷଣିକା ଗୁଡ଼ିକର ଓଡ଼ିଆ ଭାଵାନୁଵାଦ
No comments:
Post a Comment