କିଛି ଦିନ ପୂର୍ଵେ ପର୍ଯ୍ୟୁଷଣ ପର୍ଵ ଉପଲକ୍ଷେ ଏକ ଧାର୍ମିକ ଜୈନ ସଜ୍ଜନଙ୍କୁ ଭେଟିବା ହେତୁରୁ ତାଙ୍କର ଜଣେ ସାଙ୍ଗ ଯାଇଥାଏ...
ସେ ବହୁତ ଵ୍ୟସ୍ତ ଥାଆନ୍ତି । କହିଲେ, ଆମର କ୍ଷମାଵାଣୀ ଉତ୍ସଵ ପାଳିତ ହେଉଛି ଅଛି ତେଣୁ ତହିଁରେ ଲାଗିଛି ।
କାର୍ଯ୍ୟଭାର ଯୋଗୁଁ ମସ୍ତକ ଭାରି ହୋଇଗଲାଣି । ୧୧ଦିନ ହେଲା ଏ ଵ୍ରତ ପାଳନ ହେଉଚି ଆଉ ଆଜି ତ ଶାନ୍ତିରେ ନିଶ୍ଵାସ ମାରିବାକୁ ମଧ୍ଯ ଅଵସର ନାହିଁ ।
ସାଙ୍ଗ ଜଣକ ପଚାରିଲା―ଏ ପୁଣି କି ପ୍ରକାରର ଉତ୍ସଵ ଯେ ?
ସେ କହିଲେ―
“ଭାଇ,ଏ ଉତ୍ସଵରେ ସବୁ ଲୋକ ରାଗରୁଷା ଭୂଲି ସ୍ନେହରେ ଆଲିଙ୍ଗନ କରିଥାଆନ୍ତି ଏଵଂ ପରସ୍ପରକୁ କ୍ଷମା କରିଦେଇଥାନ୍ତି । ସତରେ ଏ ପର୍ଵଟି ପ୍ରେମ ଆଉ ସଦଭାଵର ଉତ୍ସଵ ଅଟେ”
ଏତିକି କହି ସେ ପ୍ରେମ ଵିଭୋର ହୋଇଗଲେ.....
ତାଙ୍କ ସାଙ୍ଗ କହିଲା,
“ଆଉ ବଡ଼ ଭାଇ କାହାନ୍ତି ? ଆସିଛି ଯେତେବେଳେ ତାଙ୍କୁ ବି ଭେଟି ଯାଆନ୍ତି ?”
ସେ କହିଲେ,
" ସେଇ ପାଖର ତିନି ବଖରାଯାକ ତାଙ୍କର । ଆମର ଟିକିଏ ପାଟିତୁଣ୍ଡ ହେଇଯାଇଛି,କଥାଵାର୍ତ୍ତା ହେଉନାହିଁ । ତମେ ଡାକ ପକାଅ କାଳେ ଶୁଣିବେ......"
ଏତିକି କହି ସେ କ୍ଷମାଵାଣୀ ଉତ୍ସଵ
ପାଳନରେ ଲାଗିଗଲେ.....
ଆଗନ୍ତୁକ ସାଙ୍ଗଟା ବାହାରକୁ ଯାଇ ଦେଖିଲା–
ପୈତୃକ ଗୃହର ଠିକ ମଧ୍ୟଭାଗରେ ଦୁଇଭାଇ ଗୋଟାଏ ଆଠଫୁଟିଆ କାନ୍ଥ ଉଠେଇ ଦେଇଛନ୍ତି ।
ମାଟି ତ ମାଟି ଆକାଶଟାକୁ ବି
ଏ ଦି ଭାଇ ବାଣ୍ଟି ସାରିଛନ୍ତି.....
ପରସ୍ପରରେ କଥାଵାର୍ତ୍ତା ବନ୍ଦ ହେଲେ
ଦୁହେଁ ବଡ଼ ଉତ୍ସାହ ସହକାରେ
କ୍ଷମାଵାଣୀ ଉତ୍ସଵ ପାଳୁଥାନ୍ତି......
【ଵ୍ୟଙ୍ଗସମ୍ରାଟ ହରିଶଙ୍କର ପରସାଈଙ୍କର क्षमावाणी ଵ୍ୟଙ୍ଗକଥାର ଓଡ଼ିଆ ଭାଵାନୁଵାଦ】
No comments:
Post a Comment