ଭାଷାର ଲିପି ବଦଳିଥାଏ ତାହାର ଵ୍ୟଵହାର ଭିତ୍ତିରେ କୌଣସି ସଂଗଠନ,କମିଟି ଵା ପଣ୍ଡିତ କହିଦେଲା ମାତ୍ରେ ଭାଷାରେ ପ୍ରଚଳିତ ଲିପିକୁ କାଟିଦିଆଯାଏ ନାହିଁ ।
ପୃଥିବୀର ଦୁଇଜଣ ମହାପୁରୁଷ ଆପଣା ଭାଷାରେ ଲିପିସଂସ୍କାର ସଂକ୍ରାନ୍ତୀୟ ତାଙ୍କ ଵିଵାଦିତ ମତ ପାଇଁ ବହୁତ ଜଣାଶୁଣା ଅଟନ୍ତି .....
ସେ ଦୁଇଜଣ ମହାତ୍ମା ହେଲେ
ଓଡ଼ିଶାର “ପଂଡିତ ନୀଳକଂଠ ଦାସ”
ଓ ଇଂରାଜୀ ନାଟ୍ୟକାର “ଜର୍ଜ ଵର୍ଣ୍ଣାଡ୍ ଶ”
ପଂଡିତ ନୀଳକଂଠ ଦାସ ବକୁଳବନ ଵା ସତ୍ୟଵାଦୀ ଵନ ଵିଦ୍ୟାଳୟ ତଥା ଓଡ଼ିଆ ଲିପିସଂସ୍କାର ଆନ୍ଦୋଳନ ପାଇଁ ଵିଖ୍ୟାତ ଅଟନ୍ତି । ଏହାଙ୍କ ଲିପି ସଂସ୍କାର ଆନ୍ଦୋଳନ ଓଡ଼ିଆ ଭାଷା ଆକାଶରେ ଏକ ଧୂମକେତୁ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ ।
ଲେଖକ ଵୈଷ୍ଣଵ ଚରଣ ମହାନ୍ତିଙ୍କ ଅନୁସାରେ
“ନୀଳକଂଠଙ୍କର ନଵଭାରତ ପ୍ରେସ୍ ରେ ଯୁକ୍ତାକ୍ଷର ପାଇଁ ଵ୍ୟଵହୃତ ଟାଇପ୍ ଫାଉଣ୍ଡରୀ
ଵର୍ଣ୍ଣର ଅଭାଵ ଥିଲା ।” ତହୁଁ ପଂଡିତେ ଭାବିଲେ ଏଥିର କୌଣସି ସହଜ ବାଟ କାଢିବାକୁ ହେବ ।
ଦାସେ ବହୁତ ଭାବିଲେ । ଭାବି ଭାବି କପାଳ ଫଟେଇ ଦେଲେ । ତହିଁ ପରେ ତାଙ୍କ ମୁଣ୍ଡରେ ଲିପିସଂସ୍କାର ରୂପି ଭୂତ ପଶିଲା ।
୧୯୩୪ ମସିହାରେ ପଂଡିତେ ତାଙ୍କର ଯେଉଁ ନୂତନ ମତଵାଦ ପ୍ରଚାର କଲେ ସେଥିରେ ସେ ନିମ୍ନଲିଖିତ ମତ ରଖିଥିଲେ
୧-ଯୁକ୍ତାକ୍ଷର ତ୍ୟାଗ କରି କେଵଳ ଅନସ୍ଵାର(ଂ) ଵ୍ୟଵହାର ପୂର୍ଵକ ଓଡ଼ିଆ ଲିଖନ.....
ଉଦାହରଣ ସ୍ୱରୂପ “ବାବୁଙ୍କ” ବଦଳରେ ବାବୁଂକ”,“ସନ୍ତାନ ବଦଳରେ ସଂତାନ”,
(ନୀଳକଂଠ ତାଙ୍କ ଆତ୍ମଜୀଵନୀରେ ଲେଖିଛନ୍ତି ଓଡ଼ିଆ ଭାଷାରେ ନୀଳକଣ୍ଠ ଲେଖାଯାଏ କିନ୍ତୁ ନୀଳକଂଠ ବୋଲାଯାଏ ତେଣୁ ଏମନ୍ତ ଲେଖିବାର ଯଥାର୍ଥତା ରହିଛି-ନୀଳକଂଠ ଗ୍ରନ୍ଥାଵଳୀ;ପୃଷ୍ଠା-୯୦)
୨–ତିନୋଟି ଶ,ଷ,ସ ଵଦଳରେ କେଵଳ ଗୋଟାଏ ସ ଵ୍ୟଵହାର......
(ପଂଡିତେ ତାଙ୍କ ଆତ୍ମଜୀଵନୀରେ ଲେଖିଅଛନ୍ତି ଓଡ଼ିଆ ଭାଷାରେ ତିନୋଟି ଶ,ଷ,ସ ର ଉଚ୍ଚାରଣ ଏକ ପ୍ରକାରର ତେଣୁ ଗୋଟାଏ ସ କୁ ରଖି ବାକି ଡେଂଗା ଶ ଓ ମୋଟା ଷ କୁ ଫାଶୀଖୁଣ୍ଟରେ ଝୁଲେଇ ଦେବା ଉଚିତ୍ । ଆପଣାର ପକ୍ଷ ରଖିବାକୁ ଯାଇ ନୀଳକଂଠ ପୁଣି କହିଛନ୍ତି ଯେ ସେ ଜାତିଵାଦର ଘୋର ଵିରୋଧୀ ତେଣୁ ବ୍ରାହ୍ମଣ ହୋଇ ମଧ୍ଯ ଦାଶ ଵଦଳରେ ଦାସ ଲେଖନ୍ତି ।)
୩-ନୀଳକଂଠ ଓଡ଼ିଆ ଭାଷାର ଵର୍ଣ୍ଣଦ୍ଵିତକରଣ(ର୍ଣ୍ଣ=କର୍ଣ୍ଣ,ଵର୍ଣ୍ଣ) ଭଳି ମୌଳିକ ଉପାଦାନକୁ ମଧ୍ଯ ଉଠେଇ ଦେବାକୁ ଆହ୍ଵାନ ଦେଇଥିଲେ........
ନୀଳକଂଠଙ୍କର ଏ ସମ୍ଵନ୍ଧୀୟ ମନ୍ତଵ୍ୟ ଫକୀର ମୋହନ ସେନାପତିଙ୍କ ଗ୍ରନ୍ଥାଵଳୀ ର ତାଙ୍କ ରଚିତ “ଉପୋଦଘାତ୍”ରେ ସ୍ଥାନିତ ହୋଇଅଛି । ପଂଡିତେ ଵର୍ଣ୍ଣଦ୍ଵିତକରଣର ଘୋର ଵିରୋଧୀ ଥିଲେ ବୋଲି ତାଙ୍କର ଗ୍ରନ୍ଥାଵଳୀ ଗୁଡି଼କରେ ବର୍ଣ୍ଣ ବଦଳରେ ବର୍ଣ ଲେଖା ହୋଇଥିବା ଯେ କେହି ପାଠକଙ୍କର ଦୃଷ୍ଟିଗୋଚର ହୋଇଥିବ ।
ପଂଡିତେ ବଡ଼ ଭୂଲ କରିଦେଲେ ।
ତାଙ୍କୁ ଓଡ଼ିଆ ଭାଷାର ଏକ ସ୍ଵତନ୍ତ୍ର ଵ୍ୟାକରଣ ଅଛି ବୋଲି ସେକାଳର ସଂସ୍କୃତ,ହିନ୍ଦୀ, ବଙ୍ଗଳା ଭାଷାର ଦିଵ୍ୟାଲୋକରେ ଆଦୌ ଦିଶିନଥିଲା । ତେବେ ଦେଖିଲା ଲୋକ ଯଦି ଦେଖିନପାରିଲା ତାହାଲେ ଏଥିପାଇଁ ସେ ଦାୟୀ ନା ଆଖି ଦାୟୀ ଏକଥା ଆଧୁନିକ ପଣ୍ଡିତଵର୍ଗ ଚାହିଁଲେ ଅନୁଧ୍ୟାନ କରିପାରନ୍ତି ।
ପଂଡିତ ନୀଳକଂଠ ପ୍ରଥମେ ଉତ୍କଳ ସାହିତ୍ୟ ପତ୍ରିକାରେ ତାଙ୍କ ଲିପିସଂସ୍କାର ମତଵାଦ ଅନୁସାରେ ଲେଖାଲେଖି କରିବା ଆରମ୍ଭ କରିଦେଲେ । କିନ୍ତୁ ଓଡ଼ିଆ ଭାଷାର ଅନ୍ୟ କେତେକ ବରପୁତ୍ରଙ୍କୁ ଏଭଳି ଅସଙ୍ଗତ କାର୍ଯ୍ୟ ଆଦୌ ଭଲ ଲାଗିଲା ନାହିଁ । ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଓ ଶ୍ରୀ ମୃତ୍ୟଞ୍ଜୟ ରଥ ପ୍ରଭୃତି ତାଙ୍କ ଵିରୋଧରେ ସ୍ଵରୋତ୍ତଳନଭ କଲେ ।
ତାପରେ ଏ ଲିପିସଂସ୍କାର ସଂଘର୍ଷ ଅନେକ ଦିନ ହେବ ଚାଲିଲା । ଶେଷରେ ପଂଡିତେ ୧୯୩୪ ମସିହାରେ ଆପଣାର ଲିପିସଂସ୍କାର ପ୍ରସ୍ତାବକୁ ତତ୍କାଳୀନ ଓଡ଼ିଶା-ଵିହାର ଶିକ୍ଷା ଵିଭାଗକୁ ପ୍ରଦାନ କରିଲେ । ସୂଚନା ଯୋଗ୍ୟ ଏହି ଶିକ୍ଷା ଵିଭାଗର ଅଧିକାଂଶ ସଦସ୍ୟ ସେତେବେଳେ ହିନ୍ଦିଭାଷୀ ଥିଲେ ଅର୍ଥାତ୍ ଏଠାରେ ଠିକ୍ ଅନ୍ଧ-କଣା ଵିଚାର ଭଳିଆ କଥା ହେଲା କହିଲେ ଚଳେ ।
ଆନଭାଷାଭାଷୀ ଲୋକ ଵା କାହିଁକି ଓଡ଼ିଆ ଭାଷାର ମୌଳିକତା ଓ ଵୈଜ୍ଞାନିକତା ଜାଣନ୍ତେ ଏଠି ତ ସ୍ଵୟଂ ଓଡ଼ିଆ ପଣ୍ଡିତେ ସୁଦ୍ଧା ଧୃତରାଷ୍ଟ୍ର ପରାୟେ ବୁଲୁଥିଲେ ।
ତହୁଁ ୧୯୩୪ ମସିହାରେ ଓଡ଼ିଶା ବିହାର ଶିକ୍ଷା ଵିଭାଗଙ୍କର ତାଲିଵାନୀ ଆଦେଶରେ ସମସ୍ତ ଓଡ଼ିଆ ଵିଦ୍ୟାଳୟ ଗୁଡି଼କୁ ନୀଳକଂଠଙ୍କର ମତ ମାନ ଶୁଣେଇ ଦିଆଗଲା ।
ଓଡ଼ିଆ ଭାଷାର ସୌଭାଗ୍ୟ ଯେ ସେତେବେଳେ ଏହି ଲିପିସଂସ୍କାର ଆନ୍ଦୋଳନ ସଫଳ ହୋଇନଥିଲା ଅନ୍ୟଥା ଓଡ଼ିଆ ଭାଷା ତାହାର ଅନେକ ମୌଳିକତା ହରାଇ କେବେ ବି ଶାସ୍ତ୍ରୀୟ ଭାଷା ମାନ୍ୟତା ପ୍ରାପ୍ତ କରିପାରିନଥାନ୍ତା ।
ଜର୍ଜ ଵର୍ଣ୍ଣାଡ୍ ଶ” ଙ୍କର କଥା ଶୁଣନ୍ତୁ । ଏ ମହାତ୍ମା ନିଜେ ସର୍ଟହାଣ୍ଡରେ ରେ ଲେଖୁଥିବା ହେତୁରୁ ଇଂରାଜୀ ବନାନ ପ୍ରତି ଵିତୃଷ୍ଣ ଥିଲେ । ସେ ଇଂରାଜୀରେ ବନାନ ସଂସ୍କାର ଚାହୁଁଥିଲେ ଏବଂ ସେଥିପାଇଁ ନିଜ ଉଇଲରେ ଵ୍ୟଵସ୍ଥା କରିଥିଲେ –
“ତାଙ୍କ ମୃତ୍ୟୁର ୨୧ ଵର୍ଷ ଉତ୍ତାରୁ ଯେତେ ରୟାଲଟି ମିଳିବ ସେଥିରେ ଏକ ଟ୍ରଷ୍ଟ ଖୋଲାଯିବ । ସେହି ଟ୍ରଷ୍ଟର ପ୍ରଧାନ କାର୍ଯ୍ୟ ହେବ ଯେ ସେମାନେ ଉଚ୍ଚାରଣ ଭିତ୍ତିକ ଏକ ନୂତନ ଲିପି ଆବିଷ୍କାର କରି ତାହାର ପ୍ରଣୟନ ସମସ୍ତ ବିଟ୍ରେନ୍ ରେ କରେଇବାକୁ ଚେଷ୍ଟା କରିବେ ।”
ଵର୍ଣ୍ଣାଡ୍ ଶ ୧୯୫୦ରେ ଆରପାରି କୁ ଚାଲିଗଲେ ଆଉ ତାଙ୍କ ଟ୍ରଷ୍ଟ ପକ୍ଷରୁ ୧୯୫୯ରେ ଏକ ପ୍ରତିଯୋଗିତା ହୋଇ ୪୦ ଵର୍ଣ୍ଣ ଵିଶିଷ୍ଟ ଏକ ଲିପି ତିଆରି ହେଲା । ତେବେ ସେହିଦିନ ଠାରୁ ଏଯାବତ ସେ ଲିପିରେ ମାତ୍ର ଗୋଟାଏ ବହି ଛପା ହୋଇଛି–ଵର୍ଣ୍ଣାଡ୍ ଶ ଙ୍କର ଗୋଟାଏ ନାଟକ ....
ଏ ଉଭୟ ମହାତ୍ମାଙ୍କର ଇଛା ପୂରଣ ନହେବା ଦେଖି ମନକୁ ସ୍ଵତଃ ପଦିଏ କଥା ଆସୁଛି–
“ଯା’ ନ ଚାହିଁବେ ସ୍ବୟଂ ନାରାୟଣ
ଚାହିଁଲେ ନହୋଇବ କେହି ଜନ”
ଜୟ ଜଗନ୍ନାଥ
No comments:
Post a Comment