ବହୁ ପ୍ରାଚୀନ କାଳରେ ଵିରାଡି଼ମାନେ ଆଜିଭଳି ଛୋଟ ନଥିଲେ ଵରଂ ବାଘ ସିଂହଟାକର ବଡ଼ ବଡ଼ ହେଉଥିଲେ । ସେ ସମୟର କଥା । ଛୋଟବେଳୁ ଵିଡା଼ଳ ଓ ଆଦିମାନଵ ସଙ୍ଗାତ ବସିଥିଲେ । ସେମାନେ ଦିହେଁ ସର୍ଵଭକ୍ଷୀ ଥିଲେ । ମାଂସ ହେଉ ଵା ଫଳମୂଳ ଯାହାକୁ ଯୋଉ ଖାଦ୍ୟ ମିଳୁଥିଲା ଏକେଲା ନଖାଇ ବାଣ୍ଟିକୁଣ୍ଟି ଖାଉଥିଲେ । ଆଦିମାନଵ ଚତୁର ଓ ଗଛଚଢା଼ରେ ଦକ୍ଷ ଥିଲା । ସେ ଗଛରେ ଚଢି଼ ଫଳମୂଳ ଓ ମହୁ ସଂଗ୍ରହ କରି ଆଣୁଥିଲା । ବିଡା଼ଳ ମଧ୍ୟ ଠେକୁଆ ହରିଣ ମାରି ଆଣେ ଦୁଇ ସଙ୍ଗାତ ମିଳିମିଶି ଖାଆନ୍ତି ।
ସେ ବଣକୁ ବିଡା଼ଳୀଟିଏ ଆସିଲା । ସେ ଆଦିମାନଵଟାକୁ ଖାଇଵା ପାଇଁ ମନକଲା କିନ୍ତୁ ଵିଡା଼ଳ ତାହାର ରକ୍ଷାକର୍ତ୍ତା । ସ୍ତ୍ରୀ ଜାତି କୂଟବୁଦ୍ଧିରେ ସିଦ୍ଧହସ୍ତ । ସେ ବିଡା଼ଳୀଟି ଵିଡା଼ଳକୁ ନିଜ ପ୍ରେମରେ ପକାଇ ଦେଲା । ଵିଡା଼ଳ ତହୁଁ ବିଡା଼ଳୀକୁ ବାହା ହୋଇ ରହିଲା । କିଛି ଦିନ ଗଲାରୁ ଦିନେ ଵିଡା଼ଳ ଆଗରେ ତାହାର ପତ୍ନୀ ବିଡା଼ଳୀ ମହୁ ଖାଇଵାକୁ କଟାଳ କଲା । ଵିଡା଼ଳ ତ ଗଛ ଚଢ଼ି ଜାଣିନଥିଲା ତେଣୁ ସେ ତା ସାଙ୍ଗ ଆଦିମାନଵକୁ ମହୁ ଆଣିଵାକୁ କହିଲା ।
ଆଦିମାନଵ ଜଙ୍ଗଲ ସାରା ବୁଲି ବୁଲି ନିଘିନିଘିଆ ଦିପହରଟାରେ ମସ୍ତବଡ଼ ମହୁଫେଣାଟେ ଧରି ଅଇଲା । ତା ଦେହଯାକ ଝାଳନାଳ ହୋଇଯାଇଥିଲା ଏଵଂ ମହୁମାଛି କାମୁଡ଼ା ଯୋଗୁଁ ଦେହହାତ ବି ଫୁଲିଯାଇଥାଏ । ଵିଡା଼ଳଟା ଆଦି ମାନଵକୁ କହିଲା ସଙ୍ଗାତେ ତମେ ଯାଇ ଗାଧୋଇ ପାଧୋଇ ଆସ, ତମେ ଆସିଲେ ଆମେ ମିଶିକି ଖାଇଵା ।
ଆଦିମାନଵ ଗାଧୋଇ ଯାଇଛି ଏଇ ସୁଯୋଗରେ ଵିଡା଼ଳର ସ୍ତ୍ରୀ ବିଡା଼ଳୀ ମହୁଫେଣାରୁ ମହୁ ଚାଟୁ ଚାଟୁ ଲୋଭରେ ସବୁ ଖାଇଗଲା । ସେ ଆଉ ଉଠିପାରିଲା ନାହିଁ ସେଇଠି ଶୋଇ ରହିଲା ।
ଆଦିମାନଵ ଗାଧୋଇ ପାଧୋଇ ଫେରିଲାରୁ ବାଘ ଓ ଵିଡା଼ଳ ଖାଇ ବସିଲେ । ହେଲେ ମହୁଫେଣା ତ ଖାଲି ଖାଇଵେ କ'ଣ ?
ଵିଡା଼ଳ ଭାବିଲା ଆଦିମାନଵଟା ମୋତେ ଠକିଵାକୁ ଖାଲି ମହୁଘରାଟିଏ ନେଇ ଆସିଛି ଏଣେ ଆଦିମାନଵ ଆପଣା ମନରେ ଵିଚାରିଲା ଏସବୁ ଵିଡା଼ଳର କାଣ୍ଡ ,ସେ ସମସ୍ତ ମହୁ ଖାଇ ମୋ ସହ ନାଟକ କରିଵାକୁ ମିଛଟାରେ କିଛି ନଜାଣିଵା ପରି ମୋ ସହ ଖାଇ ବସିଛି । ଦିଜଣ ଯାକ ତ ଗୁମାନିଆଁ କେହି କାହାକୁ କିଛି ନକହି ମନକଥା ମନରେ ରଖି ରହିଲେ ।
ଆଉ ଦିନକର କଥା । ଵିଡା଼ଳ ଓ ତାହାର ଭାରିଜା ଗୋଟାଏ ସମ୍ବର ମାରି ଆଦିମାନଵକୁ ଖାଇଵାକୁ ଡାକିଲେ । କିନ୍ତୁ ଆଦିମାନଵ ତାଙ୍କୁ କହିଲା ବନ୍ଧୁ ତମେ ଓ ତୁମ ପତ୍ନୀ ଏତେ ପରିଶ୍ରମ କରିଛ ଵରଂ ଯାଅ ଗାଧୋଇ ଆସିଲେ ଶ୍ରମ ଲାଘଵ ହେଵ । ଵିଡା଼ଳ ଓ ବିଡା଼ଳୀ ଗାଧୋଇ ଗଲେ । ୟା ଭିତରେ ଆଦିମାନଵ କ'ଣ କରିଛି ନା ମଲା ସମ୍ବର ପାଟି ଉପରେ ବସି ହଗିଦେଲା । ଵିଡା଼ଳ ଓ ବିଡା଼ଳୀ ଗାଧୋଇକି ଫେରୁଥାଆନ୍ତି । ସେମାନେ ଏ କଥା ଦେଖି ଦେଲେ । ବିଡା଼ଳୀ ଜାଣିଲା ଏଇଟା ପ୍ରକୃତ ସମୟ । ସେ ଵିଡା଼ଳକୁ କହିଲା—
"ଦେଖ ଏ ନେଞ୍ଚ ଲୋକଟାକୁ ସାଙ୍ଗ କରିଛ ପା ଦେଖ ସେ କି କାମ କରୁଛି । ଖାଦ୍ୟ ଉପରେ ପୁଣି କିଏ ହଗେ ?
କି କଥା ଏଗୁଡା଼କ ... ଛି ଛି ଛି..."
ଵିଡା଼ଳ ଆଉ ସହିପାରିଲାନି ସେ ଆଦିମାନଵଟାକୁ ମାରି ଦେଵାକୁ ଦୌଡି଼ଗଲା । ଆଦିମାନଵ ଡରିକି ଗଛ ଉପରକୁ ଚଢି଼ଗଲା ଏଵଂ ଭୟରେ ତା ଦିହହାତ କଳା ପଡି଼ଗଲା । ଵିଡା଼ଳ ତାକୁ ହୁଣ୍ଟାରି କହିଲା
"ହଇରେ ପାଷାଣ୍ଡ ତୋର ଆଉ ରକ୍ଷା ନାହିଁ । ତୁ ଯେବେ ମୋ ହାବୁଡ଼ରେ ପଡି଼ବୁ ତତେ ନିଶ୍ଚେ ମାରିଖାଇବି ।"
ସେଇଦିନଠୁ ଆଦିମାନଵଟା ଅଧିକ ସମୟ ଗଛରେ ରହେ ଏଵଂ ମାଂସ ନଖାଇ ଫଳମୂଳ ଖାଇ ବଞ୍ଚିଲା ଏଣେ ଵିଡା଼ଳକୁ ତ ଆଦିମାନଵ ଆଣି ଫଳମୂଳ ଦିଏ ଏବେ ସେସବୁ ଦରଵ ନମିଳିଲାରୁ ସେ କେଵଳ ମାଂସ ଖାଇ ବଞ୍ଚିଲା । କ୍ରମେ ଆଦିମାନଵଟା ଗୋଟାଏ ଗୁମ୍ଫା ପାଇ ତା ଭିତରେ ରହିଵାକୁ ଲାଗିଲା ଏଵଂ ସେ ମଧ୍ୟ ଵିଵାହ କଲା ।
ଏପଟେ ଵିଡା଼ଳ ବିଡାଳୀଙ୍କର ଚିତା,ହେଟା,କଲରାପତରିଆ,ବାଘ,ସିଂହ ଆଦି ଅନେକ ସନ୍ତାନ ହେଲେ । ଵିଡା଼ଳ ସେ ସମସ୍ତଙ୍କୁ ଆଦିମାନଵ ତାଙ୍କର ଶତ୍ରୁ ବୋଲି ଶିକ୍ଷା ଦେଇଥାଏ । ସେମାନେ ଯୋଉଠି ଦେଖନ୍ତି ତାକୁ ମାରି ଗୋଡା଼ନ୍ତି କିନ୍ତୁ ଆଦିମାନଵ ଉଦ୍ୟମୀ ଓ ବୁଦ୍ଧିଆ ତେଣୁ ପ୍ରତ୍ୟେକ ଥର ଵର୍ତ୍ତିଯାଏ ।
ତେବେ ସମୟ ସହ ଆଦିମାନଵ ସେମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇଗଲା । ତା ସ୍ତ୍ରୀ କିନ୍ତୁ ଭାରି ବୁଦ୍ଧିମତୀ ସେ ତାକୁ ବୁଦ୍ଧି ଦେଲା କଣ୍ଟାକୁ କଣ୍ଟାରେ କଢା଼ଯାଏ । ଦେଖ ଵିଡା଼ଳର ସ୍ତ୍ରୀ ପୁଣି ଗର୍ଭଵତୀ ହୋଇଛି । ସେ ଯେବେ ପିଲା ଜନ୍ମ ଦେଵ ତମେ ସେ ଛୁଆଙ୍କୁ ଚୋରାଇ ଆଣିଵ । ତାକୁ ଆମେ ଛୋଟବେଳୁ ପାଳିଲେ ସେ ଆମକୁ ନିଜର ଭାବିଵ ! ସେ ଆମ କଥା ମାନି ଚଳିଵ ଓ ଆମକୁ ଅନ୍ୟ ଵିରାଡି଼ମାନଙ୍କଠାରୁ ରକ୍ଷା କରିଵ ।
ଆଦିମାନଵ ସେଇଆ କଲା...
ଵିଡା଼ଳର ସ୍ତ୍ରୀ ଦୁଇଟି ଵିରାଡି଼କୁ ପ୍ରସଵ ଦେଇ ଅଚେତ ହୋଇ ପଡି଼ଥାଏ । ଆଦିମାନଵ ଲୁଚି ଲୁଚି ଯାଇ ସେ ଦୁଇଗୋଟି ଛୁଆଙ୍କୁ ଚୋରାଇ ଆଣିଲା । ଆଦିମାନଵର ସ୍ତ୍ରୀ ସେମାନଙ୍କୁ ନିଜ ସନ୍ତାନ ପରି ପାଳିଲା । ସେହି ଜାତୀୟ ଵିରାଡି଼ମାନେ କ୍ରମେ ମନୁଷ୍ୟଙ୍କ ସହିତ ରହିଗଲେ ଏଵଂ ଵିଵର୍ତ୍ତନ ପ୍ରକ୍ରିୟା ଯୋଗୁଁ ଧୀରେ ଧୀରେ ଛୋଟ ହୋଇ ହୋଇ ଗଲେ ।
🔴🔴🔴🔴🔴🔴🔴🔴🔴🔴🔴🔴🔴. 🔴🔴🔴🔴🔴🔴ଵି:ଦ୍ର🔴🔴🔴🔴🔴🔴
🔴ଗଳ୍ପ ଆଧାର🔴
ଏହି ଗପଟି ଓଡ଼ିଶାର "ବାଘ ଓ ହନୁମାଙ୍କଡ଼" ଲୋକକଥା ଆଧାରରେ ରଚିତ ହୋଇଅଛି । ମୂଳକଥାରେ ବାଘୁଣୀ ଯୋଗୁଁ ବାଘ ଓ ହନୁମାଙ୍କଡ଼ ମଧ୍ୟରେ ଶତ୍ରୁତା ହୋଇଯାଇଛି ଏଵଂ ଏକଦା ଅତର୍କିତ ବାଘ ଆକ୍ରମଣ ଯୋଗୁଁ ହନୁମାଙ୍କଡ଼ର ଦେହ କଳା ହୋଇଯିଵା ଗଳ୍ପରେ ଵର୍ଣ୍ଣିତ ହୋଇଅଛି ।
🔴ଵିଡା଼ଳ ଶବ୍ଦ🔴
ଓଡ଼ିଆ ଭାଷାରେ ଅଣ୍ଡିର ବିରାଡ଼ି ପାଇଁ ପ୍ରୟୋଗ କରାଯାଏ । ଏହାର ସ୍ତ୍ରୀଵାଚକ ରୂପ ଵିଡା଼ଳି ଅଟେ । ଏହି ଶବ୍ଦଟି ଓଡ଼ିଆ ବିରାଡ଼ି, ତତ୍ସମ ଵିରାଳ ଓ ବିଡ଼ ଧାତୁ ଶବ୍ଦ ସହ ସମଦ୍ଧୃତ । ସେହିପରି ବିଲି, ବିଲାଇ ଓ ବିଲେଇ ଇତ୍ୟାଦି ଶବ୍ଦ ତତ୍ସମ ଵିଲାଳ ସହିତ ସମଦ୍ଧୃତ । ବିଲେଇ ସହ ସମଦ୍ଧୃତ ଵିଲାଳ ଶବ୍ଦକୁ ଲଳ୍ ଧାତୁରୁ ନିଷ୍ପନ୍ନ କରାଯାଇଥିଵାବେଳେ ବିରାଡ଼ି ଓ ବିଡା଼ଳ ସହିତ ସମଦ୍ଧୃତ ବିରାଳ ଶବ୍ଦକୁ ଵିଡ଼୍ ଧାତୁରୁ ନିଷ୍ପନ୍ନ କରାଯାଇଅଛି ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି । ଲଳ୍ ଧାତୁର ଅର୍ଥ ପାଇଵାକୁ ଇଚ୍ଛା କରିଵା ହୋଇଥିଵାବେଳେ ଵିଡ଼୍ ଧାତୁର ଅର୍ଥ ଆକ୍ରୋଶ କରିଵା ଓ ଭେଦ କରିଵା ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ରହିଛି ।
🔴ଵୈଜ୍ଞାନିକ ପକ୍ଷ🔴
ବିରାଡି଼ ପରିଵାରକୁ Felidae ନାମ ଦିଆଯାଇଛି । ଲାଟିନ୍ ଭାଷାରେ ବିରାଡି଼କୁ Felis କୁହାଯାଏ । ଏହି Felis ଶବ୍ଦ ସହ idae ଯୁକ୍ତ ହୋଇ Felidae ଶବ୍ଦ ସୃଷ୍ଟି ହୋଇଛି । ଏହି ପରିଵାରଟି ଚାରୋଟି ଉପପରିଵାରରେ ଵିଭକ୍ତ ହୋଇଅଛି । Felidae ପରିଵାରର Felinae ଉପପରିଵାରରେରେ ବିରାଡ଼ି ଜାତୀୟ ଜୀଵ ଅନ୍ତର୍ଭୁକ୍ତ ଏଵଂ Pantherinae ଉପପରିଵାରରେ ବାଘ ସିଂହ ଇତ୍ୟାଦି ଜୀଵଙ୍କୁ ରଖାଯାଇଛି । ଏତଦଵ୍ୟତୀତ Felidae ଵା ଵିରାଡି଼ ପରିଵାରର ଦୁଇଟି ଉପପରିଵାର Machairodontinae ଓ Proailurinae ସମ୍ବନ୍ଧୀୟ ଜୀଵ ଅଧୁନା ଲୁପ୍ତ ହୋଇସାରିଛନ୍ତି ।
ମାନଵମାନେ ଅନ୍ୟ ହିଂସ୍ରଯନ୍ତୁଙ୍କଠାରୁ ନିଜର ରକ୍ଷା ହେତୁ ବଣରୁ ଵିରାଡି଼ ଓ ବିଲୁଆ ଜାତୀୟ ଏକ ଏକ ଜୀଵ ଆଣି ପାଳିଥିଲେ । ସେମାନେ ଆଜିର କୁକୁର ଓ ଵିରାଡି଼ । କୁକୁରଟି ବିଲୁଆଜାତିର ବୋଲି ଆଜି ବି ତାଙ୍କ ପରି ଦେଖାଯାଏ ଓ ତାଙ୍କରି ଭଳି ବୋବାଇ ଥାଏ । ସେହିପରି ଵିରାଡି଼ଟି ବାଘ ସିଂହ ଜାତୀୟ ଜୀଵ ବୋଲି ମାଂସ ମାଛ ଖାଇଵାକୁ ସୁଖପାଏ । ଉଭୟ କିନ୍ତୁ ମାନଵର ସ୍ନେହ ଆଦରରେ ବନ୍ଧା ହୋଇ ଜଙ୍ଗଲ ପରିଵର୍ତ୍ତେ ଜନଵସତି ସହ ଏକତ୍ର ସହାଵସ୍ଥାନ କରୁଅଛନ୍ତି । ଏ ଉଭୟ ଜୀଵ ଅତୀତରେ ମାନଵର ସଭ୍ୟତା ଗଢି଼ଵାରେ ସାହାଯ୍ୟ କରିନଥିଲେ ମନୁଷ୍ୟ ପରି ଏକ ଶାରୀରିକ ଦୁର୍ଵଳ ଜୀଵ ଏତେଟା ସାମାଜିକ ଉନ୍ନତି ସହଜରେ କରିପାରି ନଥାନ୍ତା ।
🔴 ମନୁଷ୍ୟର କଳା ରଙ୍ଗ🔴
ବିଡା଼ଳ ଜାତୀୟ ଜୀଵ ଆକ୍ରମଣ ଯୋଗୁଁ ମନୁଷ୍ୟର ରଙ୍ଗ କଳା ହୋଇ ନାହିଁ । ମନୁଷ୍ୟଙ୍କ ପୂର୍ଵଜ ଆଫ୍ରିକା ମହାଦେଶର ମୂଳ ଅଧିଵାସୀ ଥିଲେ । ସେଠାକାର ଜଳଵାୟୁ ମୁଖ୍ୟତଃ ନୀରକ୍ଷୀୟ ଓ କ୍ରାନ୍ତୀୟ ହୋଇଥିଵା ହେତୁ ଚର୍ମର ରଙ୍ଗ କଳା ହୋଇଛି । ଆଫ୍ରିକାରୁ ଯାଇ ମନୁଷ୍ୟମାନେ ଯେତେବେଳେ ୟୁରୋପର ହିମାଵୃତ୍ତ ଅଞ୍ଚଳରେ ଵସଵାସ କଲେ ସେମାନଙ୍କ ଚର୍ମର ରଙ୍ଗ ସ୍ଥାନୀୟ ଜଳଵାୟୁ ଅନୁସାରେ ଶ୍ଵେତ ଵର୍ଣ୍ଣ ଲଭିଛି । ପ୍ରାଚୀନ କାଳରେ ଧଳା ଭାଲୁ ଓ ହିମ ଵ୍ୟାଘ୍ରଙ୍କଠାରୁ ବଞ୍ଚାଇଵାପାଇଁ ପ୍ରକୃତି ୟୁରୋପର ମାନଵମାନଙ୍କୁ ଏହି ଉପହାର ଦେଇଥିଲା ।
🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴🔴
No comments:
Post a Comment