Tuesday, October 15, 2019

ସସେମିରା କଥା...

ଦିନେ ଭୋଜରାଜଙ୍କ ପୁତ୍ର ପାରିଧୀ କରିବାକୁ ଯାଇଥିଲେ କିନ୍ତୁ ନଅରକୁ ଫେରି ନ ଆସି ରାତ୍ରହେବାରୁ ନିବିଡ଼ ଅରଣ୍ୟ ମଧ୍ୟରେ ଅଗତ୍ୟା ରହିଗଲେ ।

ରାତି ହୋଇଯିବାରୁ ଜଙ୍ଗଲର ବିଭିନ୍ନ ହିଂସ୍ରଜନ୍ତୁଙ୍କ ଠାରୁ ରକ୍ଷା ପାଇବା ହେତୁ ସେ ଏକ ଭାଲୁ ସହ ମିତ୍ରତା କଲେ । ରାଜପୁତ୍ର ଓ ଭାଲୁ ଦୁହେଁ ଗୋଟିଏ ଗଛ ଉପରେ ଚଢ଼ି ରାତ୍ରୀଯାପନ କଲେ ।

ରାତ୍ରୀର ପ୍ରଥମ ଅଂଶରେ ଭାଲୁ ତା ଗୋଡ଼କୁ ଲମ୍ଵେଇ ଗଛଡାଳରେ ବସିଲାଓ ରାଜପୁତ୍ର ଭାଲୁର କୋଳରେ ସୁଖନିଦ୍ରା ଗଲେ । ଏହି ସମୟରେ ଗଛ ତଳକୁ ବାଘ ଆସି ଭାଲୁକୁ ବିନତି କରି କହିଲା…

“ତୁ ଗୋଡ଼କୁ ଖସାଇ ଦେ;ରାଜପୁତ୍ର ତଳକୁ ପଡି଼ଗଲେ ମୁଁ ତାକୁ ଖାଇବି”

କିନ୍ତୁ ଭାଲୁ କହିଲା

“ରାଜପୁତ୍ର ମୋର ମିତ୍ର,ମୁଁ ମିତ୍ରଦ୍ରୋହ କରିବିନି”

ଏହା ଶୁଣି ବାଘ ଫେରିଗଲା ହେଲେ ଗଲାବେଳେ କହିଗଲା
“ଆରେ ଦୁଇଗୋଡି଼ଆ(ମଣିଷ)ଙ୍କୁ ଭରସା ନାହିଁ”

ରାତ୍ରୀର ଶେଷାଂଶକୁ ରାଜପୁତ୍ର ଚେଇଁବ ଓ ଭାଲୁ ଶୋଇବ,ଏହିପରି କଥା ଆଗରୁ ଠିକ୍ ହୋଇଥିବାରୁ ରାଜପୁତ୍ର ନିଦରୁ ଉଠି ଗଛ ଉପରେ ଗୋଡ଼ ଲମ୍ବାଇ ବସିଲା ଏବଂ ଭାଲୁ ତାକୋଳରେ ଶୋଇଲା ।

କିନ୍ତୁ ବାଘର ପୂର୍ବ କଥିତ ଉପଦେଶ ମନେରଖି ରାଜପୁତ୍ରର ଅଜ୍ଞାତସାରରେ ଆପଣା ନଖକୁ ଗଛ କୋରଡ଼ରେ ବିଦ୍ଧ କରିଦେଇଥାଏ । ପାହାନ୍ତା ହେଲାବେଳକୁ ବାଘ ଆସି ରାଜାପୁଅକୁ କହିଲା
“ଆରେ ଭାଲୁ ଟା ହିଂସ୍ରଜନ୍ତୁ,ସେ ତୋତେ ଖାଇଯିବ;ତୁ ଗୋଡ଼ ଛାଡି଼ ଦେ,ଭାଲୁ ଟା ଖସିପଡୁ଼,ମୁଁ ତାକୁ ଖାଇଯିବି !”

ରାଜାପୁଅ ଏକଥା ଶୁଣି ଗୋଡ଼ ଟା ଖସେଇ ଦେଲା ହେଲେ ଭାଲୁ ଆଗରୁ ଗଛ କୋରଡ଼ରେ ନଖ ବିଦ୍ଧ କରିଥିବାରୁ ତଳେ ନପଡି ଯାଇ ଅଳ୍ପକେ ବର୍ତ୍ତିଗଲା ।

ସକାଳ ହେଲାରୁ ଭାଲୁ ରାଜପୁତ୍ର କୁ କହିଲା

“ତୁ ମିତ୍ରଦ୍ରୋହୀ ହେଲୁ କିନ୍ତୁ ମୁଁ ହେବି ନାହିଁ ସେଥିପାଇଁ ତୋତେ ପ୍ରାଣଦଣ୍ଡ ନଦେଇ ଛାଡ଼ି ଦେଉଛି”

ତହିଁପରେ ଭାଲୁ ରାଜପୁତ୍ର ଜିଭରେ ଚାରୋଟି ଅକ୍ଷର ଲେଖିଦେଲା

“ସ-ସେ-ମି-ରା”…

ତହୁଁ ରାଜପୁତ୍ର ପାଗଳ ହୋଇ ବୁଲିଲା…
ସେ ଖାଲି ସସେମିରା ସସେମିରା କହୁଥାଏ ।

କେତେଦିନ ପରେ ରାଜପୁତ୍ର ର ସନ୍ଧାନ ପାଇ ଭୋଜରାଜ ତାକୁ ରାଜନବର କୁ ଅଣାଇଲେ …
ହେଲେ ରାଜପୁତ୍ର ପ୍ରଗଳ୍ଭ ହୋଇଯାଇଥାଏ । ତାକୁ ଭଲ କରିବା ପାଇଁ ବହୁଚେଷ୍ଟା କରି ବିଫଳ ହେଲାରୁ ଶେଷରେ ରାଜା ଦେଶଯାକରେ ଘୋଷଣା କଲେ ଯେ କେହି ଯଦି ତାଙ୍କ ପୁତ୍ରକୁ ଭଲ କରିଦେବ ତାକୁ ସେ ତାଙ୍କ ରାଜ୍ୟରୁ ଅର୍ଦ୍ଧେକ ଦେବେ…

ଏହାର ବହୁ ପୂର୍ବରୁ ଭୋଜରାଜ ତାଙ୍କ ସ୍ତ୍ରୀଙ୍କର ଆବୃତ୍ତ ଅଙ୍ଗରେ ତିଳଚିହ୍ନ ଥିବା ବିଷୟକ କଥା କହିଥିବାରୁ କାଳିଦାସଙ୍କୁ ଦେଶାନ୍ତର ଦଣ୍ଡ ଦେଇଥିଲେ ହେଲେ ଭୋଜରାଜଙ୍କ ମନ୍ତ୍ରୀ ଗୁପ୍ତରେ ତାଙ୍କ ଗୃହରେ ଆଶ୍ରୟ ଦେଇଥାନ୍ତି…

ରାଜାଙ୍କ ପୁତ୍ର ଅସୁସ୍ଥ ହେବା ତଥା ରାଜାଙ୍କ ଘୋଷଣା କଥା ଶୁଣି ମନ୍ତ୍ରୀଙ୍କୁ କାଳିଦାସ କହିଲେମୁଁ ନାରୀବେଶ ଧାରଣକରି ଆପଣଙ୍କ ସହିତ ନଅରକୁ ଯିବି ଆପଣ ରାଜାଙ୍କୁ କହିବେ ଏ ମୋର କନ୍ୟା ଏବଂ ଏ ଆପଣଙ୍କ ପୁତ୍ର କୁ ଠିକ୍ କରିଦେବ…

ତାହା ହିଁ ହେଲା …

ମନ୍ତ୍ରୀ ଜଣକସ୍ତ୍ରୀବେଶଧାରୀ ଅବଗୁଣ୍ଠିତ କାଳିଦାସଙ୍କୁ ନେଇନଅର ପହଞ୍ଚିଲେ …

ରାଜା ସବୁ ଶୁଣି ଆଦେଶ ଦେଲାରୁଅବଗୁଣ୍ଠିତ କାଳିଦାସ ରାଜପୁତ୍ର କାନରେ‛ସସେମିରା’ର ଆଦ୍ୟ ଅକ୍ଷର ବିଶିଷ୍ଟ ଚାରୋଟି ପୂର୍ଣ୍ଣାବୟବ ଶ୍ଳୋକ ବୋଇଲେ ...

1.ସ→

●ସଦ୍ଭାବ ପ୍ରତିପନ୍ନାନାଂ ବଞ୍ଚନେ କା ବିଦଗ୍ଧତା ।
ଅଙ୍କ ମାରୁହ୍ୟ ସୁପ୍ତାନାଂ ହନ୍ତୁଃ କିମ୍ ନାମ ପୌରୁଷମ୍ ।। ●

(ଯେଉଁ ମାନେ ଏକାନ୍ତ ବିଶ୍ଵସ୍ତ,ସେମାନଙ୍କୁ ପ୍ରତାରଣା କରିବା କି ପାଣ୍ଡିତ୍ୟ ? ଯେଉଁ ମାନେ ଅଙ୍କକୁ ଆଶ୍ରୟ କରି ଶୋଇଥାଅନ୍ତି ତାଙ୍କୁ ମାରିଦେଲେ ହତ୍ୟାକାରୀର ପୌରୁଷ ପ୍ରକାଶ ପାଏ କି ?)

2.ସେ→
●ସେତୁଂଗତ୍ଵା ସମୁଦ୍ରସ୍ୟ ଗଙ୍ଗାସାଗରସଙ୍ଗମମ୍ ।
ବ୍ରହ୍ମହା ମୁଚ୍ୟତେ ପାପାତ୍ ମିତ୍ରଦ୍ରୋହୀ ନ ମୁଚ୍ୟତେ ।।●

(ସେତୁବନ୍ଧ ରାମେଶ୍ଵର କୁ ଗଲେ କି ଗଙ୍ଗା ସାଗରରେ ସ୍ନାନ କଲେ ବ୍ରହ୍ମହତ୍ୟା ପାପି ମୁକ୍ତ ହୋଇପାରେ କିନ୍ତୁ ମିତ୍ରଦ୍ରୋହୀ ମୁକ୍ତ ହୁଏ ନାହିଁ)

3.ମି→

●ମିତ୍ରଦ୍ରୋହୀ କୃତଘ୍ନଶ୍ଚ ଯେ ଚ ବିଶ୍ଵାସଘାତକାଃ ।
ତେ ସର୍ବେ ନରକଂ ଯାନ୍ତି ଯାବଚ୍ଛନ୍ଦ୍ରଦିବାକରୌ ।।●

(ଯେଉଁ ମାନେ ମିତ୍ରଦ୍ରୋହୀ,କୃତଘ୍ନ ଓ ବିଶ୍ଵାସଘାତକସେମାନେ ସୂର୍ଯ୍ୟ ଚନ୍ଦ୍ର ଥିଲା ଯାଏଁ ନରକ ଗାମୀ ହେଥିବେ)

4.ରା→
●ରାଜଂସ୍ତ୍ଵଂ ନିଜ ପୁତ୍ରସ୍ୟ ଯଦି କଲ୍ୟାଣମିଚ୍ଛସି ।
ଦେହି ଦାନଂ ଦ୍ବିଜାତିଭ୍ୟୋ ଦେବତାରାଧନଂ କୁରୁ ।।●

(ହେ ରାଜନ୍ ଯେବେ ତୁମ୍ଭ ନିଜ ପୁତ୍ରର ମଙ୍ଗଳ ଇଛା କର ତେବେ (ମିତ୍ରଦ୍ରୋହୀ ପାପର ପ୍ରାୟଶ୍ଚିତ ସ୍ଵରୂପ)ବ୍ରାହ୍ମଣଙ୍କୁ ଦାନ ଦିଅ ଓ ଦେବ ଆରାଧନା କର)

ରାଜପୁତ୍ର ,ସ୍ତ୍ରୀ ବେଶଧାରୀ କାଳିଦାସଙ୍କ ଠାରୁଚାରୋଟି ଅକ୍ଷରର ଚାବି ସ୍ଵରୂପ ଚାରୋଟି ଶ୍ଲୋକ ଶୁଣିଲା ମାତ୍ରକେ ତାହାର ବାତୁଳପଣଛାଡି଼ଗଲା । ତତ୍ ପରେ ସେ ଉକ୍ତ ଦିନ ଘଟିଥିବା ଘଟଣାମାନ ଭୋଜରାଜଙ୍କୁ କହିବସିଲା…

ଭୋଜରାଜ ଏସବୁ ଶୁଣି ଆଶ୍ଚର୍ଯ୍ୟ ଚକିତ ହୋଇ ସ୍ତ୍ରୀ ବେଶଧାରୀ କାଳିଦାସଙ୍କୁ ଉପଲକ୍ଷ୍ୟ କରି ବୋଇଲେ

“ଗୃହେ ବସତି କୌମାରି ! ଅଟବ୍ୟାଂ ନୈବ ଗଚ୍ଛସିଋକ୍ଷବ୍ୟାଘ୍ର ମନୁଷ୍ୟାଣାଂ କଥଂ ଜାନାସି ଭାଷିତଂ ।।
(ହେ କୁମାରୀ ! ତୁ ତ ଘରେ ରହୁ ଅଟବ୍ୟାଂ ବା ଜଙ୍ଗଲ କୁ ଯାଉନାହିଁ ତେବେ ବାଘ ଭାଲୁ ମଣିଷ ମଧ୍ୟରେ ହୋଇଥିବା କଥା ତୁ କେମନ୍ତେ ଜାଣିଲୁ?)

ଏ ଶ୍ଲୋକର ପ୍ରତ୍ୟୁତ୍ତରରେ ଅବଗୁଣ୍ଠବାନ ସ୍ତ୍ରୀ ବେଶଧାରୀ କାଳିଦାସକହିଲେ…
“ଦେବଦ୍ବିଜ ପ୍ରସାଦେନ ଜିହ୍ଵାଗ୍ରେ ମେ ସରସ୍ଵତୀତେନାହଂ ନୃପ ! ଜାନାମି,ଭାନୁମତ୍ୟାସ୍ତିଳଂ ଯଥା ।।”

ଭୋଜରାଜା ଯେତେବେଳେ ଜାଣିଲେ ଯେ ସ୍ତ୍ରୀ ବେଶଧାରୀ ବ୍ୟକ୍ତି ସ୍ବୟଂ କାଳିଦାସ ସେ ତାଙ୍କ ପ୍ରତି କରିଥିବା ନିଜ ପୂର୍ବ ଅନ୍ୟାୟ ପାଇଁ ପଶ୍ଚାତାପ କରିବା ସହ କାଳିଦାସଙ୍କୁ କୃତଜ୍ଞତା ଜଣାଇ ବହୁ ରତ୍ନ ପ୍ରଦାନପୂର୍ବକ ତାଙ୍କର ଭୁରି ଭୁରି ପ୍ରଶଂସା କରିଲେ |

©ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

Monday, October 14, 2019

ଲରିଆ ଭାଷା ଓ ଉକ୍ତ ଭାଷାର କେତେକ ଵିଶିଷ୍ଟ ଶବ୍ଦ

ଲରିଆ ଓଡ଼ିଆ ଭାଷାର ଅନ୍ଯତମ ଶୈଳୀ କିନ୍ତୁ ଯେବେଠାରୁ ଛତିଶଗଡ଼ ରାଜ୍ୟ ହୋଇ ସେଠାକାର କଥିତ ଭାଷାଗୁଡିକୁ ସାମୁହିକ ଭାବରେ ଛତିଶଗଡ଼ୀ କୁହାଯିବା ଆରମ୍ଭ ହୋଇଛି ସେବେଠାରୁ ଲରିଆ ଶୈଳୀକୁ ଛତିଶଗଡ଼ର ଏକ ଶୈଳୀ ବୋଲି ହିନ୍ଦୀ ଭାଷୀଙ୍କ ଦ୍ଵାରା ପ୍ରଚେଷ୍ଟା ହୋଇ ଆସୁଛି । ସ୍ଵାଧୀନତା ପରଵର୍ତ୍ତୀ ହିନ୍ଦୀ ଭାଷୀ ଅଞ୍ଚଳରେ ରହିଵାରୁ ଏହି ଓଡ଼ିଆ ଭାଷୀ ଅଞ୍ଚଳରେ ହିନ୍ଦୀ ଭାଷାର ଦ୍ରୁତ ପ୍ରଚାର ପ୍ରସାର
ହୋଇଥିଲା । ମାତ୍ର ଗତ ଦୁଇ ଦଶନ୍ଧି ତଳେ ଛତିଶଗଡ଼ର ସମସ୍ତ ଭାଖା ଶୈଳୀ ଓଡ଼ିଆ ଲିପିରେ ଲେଖାଯାଉଥିଲା କିନ୍ତୁ ସେଠାରେ ରହୁଥିଵା ହିନ୍ଦିଭାଷୀ ନିରଵଚ୍ଛିନ୍ନ ଭାଵରେ ନାଗରୀ ଓ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ଫଳରେ ସେଠାରେ ରହୁଥିଵା ଆଜିର ଅଧିକାଂଶ ଓଡ଼ିଆ ଯୁଵକ ଯୁଵତୀ ଆଉ ତାଙ୍କ ପୂର୍ଵଜଙ୍କ ଲିପି ଚିହ୍ନିପାରୁନାହାନ୍ତି । କିନ୍ତୁ ଯେଉଁ ଲରିଆକୁ ହିନ୍ଦୀଭାଷୀ ହରଣ କରିନେଇଛନ୍ତି ତାହା ଏକ ଓଡ଼ିଆ ଶୈଳୀ ପ୍ରମାଣ କରିଵାକୁ ଅନେକ ତଥ୍ୟ ଆଧାରିତ ଯୁକ୍ତି ରହିଛି ।

୧) ଓଡ଼ିଆ ପ୍ରାଚୀନ ଭାଷା

ଆଜି ଭାଷାଵିଦ୍'ଙ୍କ ଦ୍ଵାରା ସ୍ଵୀକୃତ ଯେ ଓଡ଼ିଆ ଭାଷା ପୂର୍ଵ ଭାରତର ସର୍ଵପ୍ରାଚୀନତମ ଭାଷା ଅଟେ କାରଣ ୨୪୦୦ ଵର୍ଷ ପୁରାତନ ଭାରତନାଟ୍ୟମ୍' ରେ ଓଡ଼ିଆ ଭାଷାର ନାମୋଲ୍ଲେଖ ଅଛି ପୁଣି ୨୦୦୦ ଵର୍ଷ ପୁରାତନ ଶିଳାଲେଖରେ  ଓଡ଼ିଆ ଲିପି ରହିଥିଵା ପ୍ରମାଣିତ ହୋଇସାରିଛି ‌ । ପ୍ରକୃତରେ ସମ୍ପୂର୍ଣ୍ଣ ଅଖଣ୍ଡ କଳିଙ୍ଗ ଦେଶରେ ଅନେକ କଥିତ ଇଣ୍ଡୋ ୟୁରୋପୀୟ ଭାଷାରେ ରହିଛି ଯେଉଁମାନଙ୍କର ପ୍ରତିନିଧିତ୍ଵ ଶାସ୍ତ୍ରୀୟ ଓଡ଼ିଆ ଭାଷା କରିଥାଏ । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ଯତା ମିଳିଵାପରେ ଓଡ଼ିଆ ଲୋକେ ସମସ୍ତ ପୂର୍ଵ ଭାରତୀୟ ଇଣ୍ଡୋ ୟୁରୋପୀୟ ଭାଷା ଶୈଳୀକୁ ସ୍ଵାଭାଵିକ ଭାଵେ ସମଗ୍ର ଓଡ଼ିଆ ଭାଷାର ଅଂଶ କହିପାରିଵେ । ତେଵେ ଓଡ଼ିଆ ନହୋଇ ଯଦି ବଙ୍ଗାଳୀ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥାନ୍ତା ଏତେଵେଳକୁ ବଙ୍ଗାଳୀମାନେ ଦାଣ୍ଡରେ ବାଟରେ ଘାଟରେ ସବୁଠିଁ ଓଡ଼ିଆ ଭାଷାକୁ ଆଉଥରେ “ଏକ୍ ସ୍ଵତନ୍ତ୍ରୋ ଭାଷା ନୋୟ” ବେଲି କହିବୁଲାଥାନ୍ତେ 🤣🤣🤣 କିନ୍ତୁ ଆମ ଓଡ଼ିଶାର ଲୋକେ ଏତେ “ସ୍ଵାଭିମାନ ଭରା ଅହଂ” କରନ୍ତି ନାହିଁ ଵରଂ ନିଜର ଭାଷା ଓ ସଂସ୍କୃତି ଅନ୍ଯ ଭାରତୀୟ ଜାତି ଠାରୁ ଶ୍ରେଷ୍ଠ ଓ ପ୍ରାମାଣିକ ହୋଇ ବି ସେମାନେ ଅନ୍ଯ ଜାତିର ହନୁକରଣ କରିଵାକୁ ପଛାନ୍ତି ନାହିଁ ।

୨) ଓଡ଼ିଆ ଓ ଲରିଆ ; ଦୁଇ ଭାଷାର ନାମ ମଧ୍ୟରେ ସାମଞ୍ଜସ୍ୟ

କେଵଳ ଓଡ଼ିଆ ନୁହେଁ ଏହାର ଅନେକ ଶୈଳୀର ନାମ ମଧ୍ୟ ଓଡ଼ିଆ ନାମ ସଦୃଶ ।
ଲରିଆ ଛଡ଼ା
→ସୁନ୍ଦରଗଡ଼ର ଅଘରିଆ ଶୈଳୀ
→ବରଗଡ଼,ବଲାଙ୍ଗୀର,ସୋନପୁର ଓ କଳାହାଣ୍ଡି ଅଞ୍ଚଳର ଭୁଲିଆ ଶୈଳୀ
→କୋରାପୁଟ ଅଞ୍ଚଳରେ ପ୍ରଚଳିତ ଝରିଆ ଶୈଳୀ
→ଦକ୍ଷିଣ ଓଡ଼ିଶାରେ ବୋଲାଯାଉଥିଵା ମାଟିଆ ଶୈଳୀ
→ବାଲ୍ମୀକି ଜାତୀୟ ଲୋକଙ୍କ କଥିତ ଓଡ଼ିଆ ଭାଷା ଶୈଳୀ କୁପିଆ(ଏହା ଦକ୍ଷିଣ ଓଡ଼ିଶା ତଥା ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଥିଵା ପ୍ରାଚୀନ କଳିଙ୍ଗ ଵିଚ୍ଛିନ୍ନାଞ୍ଚଳର କଥିତ ଓଡ଼ିଆ ଭାଷା)
→ଅଵିଭକ୍ତ କୋରାପୁଟର କଥିତ ଓଡ଼ିଆ ଶୈଳୀ ଦେଶିଆ ଵା କୋଟିଆ

ମଧ୍ୟରେ ଅନେକ କଥିତ ଭାଖାର ନାମର ଶେଷ ଵର୍ଣ୍ଣ ଓଡ଼ିଆର ‘ଆ’ ପରି ହୋଇଥାଏ ଯାହା




●ଅଉଁଠି(ସଂ. ଅଙ୍ଗୁଳି)—ଆଙ୍ଗୁଠି―(Finger)

●ଅନ୍ତେ—ଅନ୍ଯତ୍ର; ଅନ୍ଯ ସ୍ଥାନରେ
   (Elsewhere)

●ଆଙ୍ଗନ୍(ସ. ଅଙ୍ଗନ)—ପ୍ରାଙ୍ଗଣ;ଅଗଣା-   
    (Court-yard.)

●ଆମଚୁର୍—ଆମ୍ବୁଲ

●ଆମଟ(ଵି)―ଆମ୍ବିଳ ତିଅଣ—
   (Curry mixed with acid)
ଵସ୍ତରର ହଲଵୀ ଭତ୍ରୀ ଓଡ଼ିଆ ଭାଷାରେ ଏ ଶବ୍ଦ କାଞ୍ଜି (Fermented rice water)ଅର୍ଥରେ ଵ୍ୟଵହାର କରାଯାଏ ।

●ଇଶନ୍ (କ୍ରି. ଵିଣ)—ଏସନ; ଏପରି—
   (Such like; in this manner)

●ଉଞ୍ଜର୍ (ଵି)(ସଂ. ଉଜ୍ଜ୍ବଳ)—ଆଲୋକ— (Light)

●ଓଡ଼଼୍କନା―ଓଡ଼ଶ; ଛାରପୋକ—(Bed bug)

●କଉଁରା―ଗୁଣ୍ଡ଼; ଚୂର୍ଣ୍ଣ— (Powder)

●କଞ୍ଚେଇ(ଵି)(ସଂ. କରୁ)—କଚୁ

●କାଁଚ୍ମାରିି(ଵି)—ଲଙ୍କାମରିଚ—(Red pepper)

●ଖଣ୍ଡେ(ଵିଣ)—(ପାଣି) ମୁନ୍ଦିଏ—
( A little water)
    ଉ:-“ପାନି ଖଣ୍ଡ଼େ ଦେବ ଜାଗା”

●ଖପରାରୁଟି―ପୋଡ଼ପିଠା

●ଖାତୁ(ଵି)—ଖତ—(Manure)
  ଏ ଶବ୍ଦର ପଶ୍ଚିମ ଓଡ଼ିଶା ଅଞ୍ଚଳରେ
   ନିମ୍ନଲିଖିତ ଅର୍ଥରେ ଵ୍ୟଵହାର ରହିଛି
   ★1)ଠାଣି; ଢ଼ଙ୍ଗ—(Mien; bearing)
   ★2) ଅଭିମାନ—(Sullenness; sulks)
   ★3)ଆତ୍ମାଶ୍ଳାଘା—3(Self-praise)

●ଗଗରି
   ★1)ମାଠିଆ—(Water-jar)
   ★2) (ସଙ୍ଗୀତ) ସ୍ବରକୁ ଦୀର୍ଘ କରି ତୋଳିବା
     (Raising of the tune; elongation        of a tune.)

●ଗିରଵା/ଗିର୍ଵା―(ତୁଳ. ହି. ଗିର୍ନା)—ପଡ଼ିଯିବା (To fall down)

●ଗୁଙ୍ଗ୍ ନିଆ ହେବା(କ୍ରି)ଗୁରୁଣ୍ଡିବା—(To crawl)

●ଗୁର୍ଶି(ଵି)—ଉମ୍ଭେଇ— (A fire-pot; brazier.)

●ଚୁନ୍ଦି(ଵି)—କେଶ; ବାଳ— Hair.ପ୍ରାଦେ. ପଶ୍ଚିମ ଓଡ଼ିଶାରେ ଏ ଶବ୍ଦ ଚୁଟି; ଶିଖା ଅର୍ଥରେ ଵ୍ୟଵହୃତ ହୋଇଥାଏ । — (Chignon; pigtail)

●ଜୁହାଁ(ଵି)(ସଂ. ଯୂକା)ଉକୁଣି―(Louse)
  (ତୁଳନା:-ହିନ୍ଦୀ;ଜୁଁ)

●ଡାଙ୍ଗ୍(ଵି)—ଅଲଗୁଣି(Clothes-horse)

●ଡେକ୍ନା(ଵି)ଓଡ଼ଶ; ଛାରପୋକ—(Bed bug) ●ତିସନ୍(ଅ)(ସଂ. ତେସନ)—ସେହିପରି; ତାଦୃଶ—(Like that; similar to that)

●ତୁଟାଇଵା―(କ୍ରି)(ସଂ-ତ୍ରୁଟ୍ ଧାତୁ=ଛେଦନ କରିବା; 'ତ୍ରୁଟିବା'ର ଣିଜନ୍ତ ରୂପ) ଭାଙ୍ଗିବା—(To break.) ଲରିଆରେ ଏ କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ । ତେବେ ଓଡ଼ିଆ ଭାଷାରେ ଏ କ୍ରିୟା ଶବ୍ଦର ଅନ୍ୟ ଅର୍ଥରେ ଵ୍ୟଵହାର ଯଥା:-
  ★୧)(ବିବାଦ) ନିଷ୍ପତ୍ତି କରିଵା
  ★୨) ଭଙ୍ଗାଇବା
  ★୩)ହିସାବ ନିକାଶ କରିଵା      
  ★4) ବିଚ୍ଛିନ୍ନ କରିଵା
  ★5)ଦେୟ ଵା ଋଣ ପରିଶୋଧ କରିଵା

●ତେଁଟୂ(ଵି)—ତଣ୍ଟି; ଗଳା ଅନ୍ୟରୂପ-ତେଣ୍ଟୁ

●ଥିର୍ପଶିଆ(ଵି)—ତୋଡ଼ାଣି—(Cold rice gruel)
●ଦୋକନା ସିଝୁ(ସଂ. ସିହୁଣ୍ଡ, ବଜ୍ର ବଜ୍ର କଣ୍ଟକ) ଦାଓନା ସିଝୁ ;ଏକ ପ୍ରକାର ସିଝୁ; ଦୁଇଟି ଶାଖା ବା କୁଆଁ ଥିବା ଏକ ପ୍ରକାର ସିଝୁ ଗଛ— Euphorbia Antiqurum

●ପଏଁଶଲା―ପନିକି

●ପଏଶନ୍ (ତୁଳ ହି. ପସୀନା)—ଝାଳ; ସ୍ବେଦ— Sweat; perspiration. ପଶ୍ଚିମ ଓଡ଼ିଶାରେ ଏ ଶବ୍ଦର ଅର୍ଥ ଲୁଗାର ଭରଣି ସୂତା—(The woof of a cloth)

●ପଠ୍ଚା―କାନ୍ଥକୁରା—(Niche in the wall.)

●ପଶାଇବା―ଭାତ ଗାଳିବା—(To press out water from the boiled rice in the cooking pot.) ଏ ଶବ୍ଦର ଅନ୍ୟ ଦୁଇଟି ଓଡ଼ିଆ ଅର୍ଥ ଯଥା;

★୧)ପୂରାଇବା; ପ୍ରବିଷ୍ଟ କରାଇବା
★୨)କୋଡ଼ି କାଙ୍କ ଓ କହୁଣୀ ଆଦିର ପଶାରେ ଆଘାତ କରିବା

●ପହନା—କୁଣିଆ; ଅତିଥି; ଅଭ୍ଯାଗତ— (Guest.) (ଅନ୍ୟରୂପ:-ପଁହନା, ପହଁନା) (ତୁଳନା:-ହି. ପାହୁନା; ସଂ. ପ୍ରାଘୂର୍ଣ୍ଣ, ଦେଶିଆ. ପାଘୂଣ=ଅତିଥି)
ତେବେ ଯାଜପୁର ଭଦ୍ରକ ତଥା ମେଦିନୀପୁରୀ ଓଡ଼ିଆରେ ପହନା ଶବ୍ଦର ଅର୍ଥ “ମାଛ ଜାଆଁଳ; ରୋହି, ଭାକୁଡ଼, ମିରକାଳି ଆଦି ମାଛଛୁଆ” ଅଟେ ।

●ପାଢି଼―—ମାଈ ମହିଷୀ ଛୁଆ—(A female calf of buffalo) (ତୁଳନା:-ହି―ପାଡା଼)

●ପିଆଶ୍ ଶୋଷ—(Thirst) (ତୁଳନା:-ସଂ. ପିପାସା; ତୁଳ. ହି.ପ୍ୟାସ୍)

●ପିଚ୍ଛରି—(ଵି)ପାଛୁଡ଼ା; ଚାଦର; ଉତ୍ତରୀୟ— (ତୁଳନା:- ହି. ପିଚ୍ଛୌରା)

●ପୂରରା(ଵି)—ମଇଁଷିର ଅଣ୍ଡିରା ଛୁଆ

●ପେଜ(ଵି)―ପଖାଳ(ସଂ-ପେୟ)

●ଫକ୍ଲୋ ଲାଇ—ଖଇ— (Fried paddy.)

●ବଇଁରି(ଵି)—ତୋଡ଼ି ମାଛ

●ବଂଶଲା(ଵି)—ବଢ଼େଇଙ୍କ ବାରସୀ—(Carpenter's axe; adze) (ତୁଳନା:- ହି. ବସୁଲା)

●ବଖରିଆ(ଵି)—ଘୋଡ଼ା ସଇସ— Syce; groom of a horse.

●)ବଛରୁ(ଵି)—ବାଛୁରୀ—Calf. (ତୁଳନା:-ସଂ. ବତ୍ସତର; ହି. ବଛଡା଼)

●ବଛା―ଅଣ୍ଡିର ବାଛୁରୀ ଗଡ଼ଜାତରେ ଏ ଶବ୍ଦ ଯେ କୌଣସି ଅଣ୍ଡିର ପଶୁ ପାଇଁ ଵ୍ୟଵହୃତ ହୁଏ

●ବଞ୍ଜିରି—ଆଡ଼ିମାଛ— (A kind of fresh water fish.)

●ବର୍ଗାଏ(ଵି)—ଗଉଡ଼— (Cowherd)
   ଅନ୍ୟରୂପ―ବର୍ଗାୟ୍

●ବାହାରି(ଵି)—ଖଡ଼ିକାମୁଠା; ଝାଡ଼ୁ—(Broomstick.)

●ମଖନା(ଵି)ବୋଇତ କଖାରୁ—(Red pumpkin)

●ଯହଁ(ସର୍ବ.)—ଯହିଁ (ତୁଳନା:-ହି―ଜହାଁ,ପଞ୍ଜ–ଯଦୌଁ)

●ଯହିଁ ତହିଁ―(ସର୍ବ.)—ଯହିଁ ତହିଁ

●ଲ୍—(କ୍ରିୟାର ବିଭକ୍ତିସୂଚକ ପ୍ରତ୍ଯୟ)—
ଉଦା:-— ତୁଟାଏଲ୍=ତୁଟାଇବାକୁ, ଭାଙ୍ଗିବାକୁ →
【ଏ ବିଡ଼ିଲା ତୁଟାଏଲ୍ ଶକ୍ବେ ? =>ତୁ ଏ ଯଷ୍ଟିକୁ ଭାଙ୍ଗିପାରିବୁ?】

●ଲଇ କାନ(ଵି)—ନୋଳିକାନ— ଓଡ଼ିଶାରେ କେଉଁଠି କେଉଁଠି ଏ ଶବ୍ଦ କାନନୋଳି ହୋଇ ଵ୍ୟଵହୃତ ହୁଏ ।

●ଲଲେଇ(ଵିଣ)—ଅତ୍ଯନ୍ତ ଲାଳାଯିତ— (Longing; hankering.)

●ଲା―କର୍ମକାରକ ବା ଦ୍ବିତୀୟା ବିଭକ୍ତିର ପ୍ରତ୍ଯୟ (ଓଡ଼ିଆ=କୁ) (ଯଥା—ଏ ବାଡିଲା [ବାଡିକୁ] ତୁଟାଏଲ୍ ଭାଙ୍ଗିବାକୁ) ଶକ୍ବେ [ସମର୍ଥ ହେବୁ] ?)

●ସକ୍ବା(କ୍ରି)—ପାରିବା; (କୌଣସି କାର୍ଯ୍ୟ କରିବାକୁ) ସମର୍ଥହେବା; ସକିବା—(To be able; (to do a thing.)(ସଂ. ଶକ୍ ଧାତୁ) (ତୁଳନା:-ଓ―ଶକି ପାରିବା)

●ସଟାମ —ସୁଆରୀ ଗାଡ଼ି —An office jaun(carriage)

●ସତନ୍ତର—ସ୍ବତନ୍ତ୍ର(Separate.)

●ସଦା(ଵିଣ)—ସାଦା—(White.) (ତୁଳନା:-କ.ଓ ―ସାଧା)

●ସଧଲିଆ (ସଂ. ଶ୍ରଦ୍ଧାଳୁ)
—ଇଚ୍ଛୁକ(Desirous.)

●ସଧ୍ରମ୍(ବିଣ)—ସତ୍ଯବାନ୍( Truthful)

●ସନାସି(ତୁଳନା:-ସଂ.ସନ୍ଦଂଶ/ଓ-ସଣ୍ଡୁଆସି)—
ଚିମୁଟା (A pair of tongs.)

●ସବୁଲା(ସର୍ବନାମ)—ସମସ୍ତ(All.) ତୁଳନା କରନ୍ତୁ
ଢେଙ୍କାନାଳର କଥିତ ଓଡ଼ିଆ ଶୈଳୀରେ ସବୁରା = ସବୁଯାକ;ସମସ୍ତ

●ସମ୍ ଧୀନ୍(ଵି. ସ୍ତ୍ରୀ)—ସମନ୍ଧୁଣୀ
(ତୁଳନା:- ହି―ସମଧନ୍/କ.ଓ―ସମନ୍ଦୁଣୀ,ସମୁଦୁଣୀ)

●ସର୍ଜନିଆ(ଵି)—ଉଚ୍ଚବଂଶୀୟ ବ୍ଯକ୍ତି—
   (A person of high caste.) (ତୁଳନା:-ସଂ ସଜ୍ଜନ ?/ଓ―ସାଧଵ ?)

●ସରିସ(ଵି. ଓ ଵିଣ)—ଶେଷ—(End/Fin)

●ସର୍ଲା(ଵିଣ)—ପିଚ୍ଛିଳ; ଖସଡ଼ା—(Slimy; slippery.)

●ସହ(ଵି)―ଚିତାଗ୍ନି—( Cremation fire.) ସଂ/ଓ ଶବ୍ଦ ସହଗମନ ଶବ୍ଦ ସହ ଏ ଶବ୍ଦର ସମ୍ପର୍କ ଥାଇପାରେ ଯେହେତୁ ଏ ଶବ୍ଦର ଏକ ଅର୍ଥ—“ମୃତ ସ୍ବାମୀଙ୍କ ଚିତାରେ ସ୍ତ୍ରୀଙ୍କର ଆରୋହଣରୂପ କ୍ରିୟା; ସହମରଣ” ଅଟେ ।

●ସାଇଁ ପୁଞ୍ଜି(ଵି) —ମୂଳଧନ—(The capital of a business.)

●ସାଉଁରିଆ(ଵିଣ)—ଶ୍ଯାମଳବର୍ଣ୍ଣ (ବ୍ଯକ୍ତି)— ( Of a dark complexion.) ତୁଳନା:-ସଂ-ଶ୍ୟାମଳକ,ଓ-ସାଵନା,ହି-ସାଁଵଲା)

●ସାଏଁ କଲା(ଵିଣ)—ବେଗି ବେଗି; ଶୀଘ୍ର— (Quickly; very soon.) ତୁଳନା:-କ.ଓ―(ସାଏଁ କରି,ସାଁଇ କିରି,ସାଇଁକି)

●ସାଁଚା(ଵିଣ)—ସତିଆ; ସତ୍ଯବାଦୀ—   (Truthful)

●ସାଗ(ଵି)—ପରିବା—(ସଂ-ଶାକ) (Kitchen vegetables.)

●ସାଜୁ(ଵି)—(ସଂ. ସଜ୍ଜା)—
୧) ସଜ୍ଜା; ଆଭରଣ—(Fittings)
୨)ଅଳଙ୍କାର—(Ornaments)

●ସାଢ଼ୀ(ଵି)—ଦୁଗ୍ଧାଦିର ସର—(Cream of milk)

●ସାମଗିରି―ସାମଗ୍ରୀ(materials; ingredients.)

●ସାହଁସେ— ଏକାଥରକେ(All at once
(ତୁଳନା କରନ୍ତୁ :-ଓଡି଼ଆ ଭାଷାରେ―ସହସା)

●ସାହାନା―(ଵି) ସଣ୍ଡୁ ଆସି(Tongs.)

●ସାହାପଏଖ୍(ଵିଣ)―ସାହାପକ୍ଷ

●ସାହେଯ(ଵି)―ସାହାଯ୍ୟ

●ସାହ୍ଲା―
            (ଵି)
୧)ସହ୍ଲା
୨)ବହୁବ୍ଯକ୍ତିଙ୍କ ମେଳ—
            (ଵିଣ)
୧)ମେଳବାନ୍ଧି ଥିବା (ବ୍ଯକ୍ତିଗଣ)
୨) ପରାମର୍ଶ ସଂଭୂତ (କର୍ମ)

●ସିଆନା(ଵିଣ)—ସିଆଣା—(Clever; sly) (ତୁଳନା ହି―ସ୍ୟାଣା; ଓ—ସିଆଣା)

●ସିଂକ୍(ଵି)—ଖଡ଼ିକା—(Slender long pick)

●ସିଂକ୍ରିବା(କ୍ରି)—ସିଂଘାଣି ପୋଛିବା—(To wipe away the mucus from one's running nose.)

●ସିଁକେର୍(ଵି)—ସିଂଘାଣି—(The mucus of the nose.)

●ସିଖ୍ରି(ଵି ଓ ଵିଣ)—ଅଇଁଠା—(Leaving of another's food.) (ତୁଳନା ଦକ୍ଷିଣୀ ଓଡି଼ଆ―ଶଙ୍ଖୁଡି଼)

●ସିଗ୍(ଵି)—କୌଣସି ପଦାର୍ଥର ଅଗ୍ରଭାଗ— (The top part of anything.)
(ତୁଳନା କରନ୍ତୁ –ଶିଖ,ଶିଖା)

●ସିଗ୍ରି(ଵି)—ପିଠା ବିଶେଷ—

●ସିର୍ ଜିନା—ସର୍ଜନା—(Creation.)

●ସୁଆଧୀନ(ଵିଣ)—ସ୍ବାଧୀନ— (Free; independent.)

●ସୁଆସୀ(ଵି)—ଅହ୍ଯ ସ୍ତ୍ରୀ—(A housewife with her husband living) (ତୁଳନା:-ସୁହାଗିନୀ)

●ସୁଇଝ୍ବା(କ୍ରି)—ସୁଝିଵା—(To repay.)

●ସୁଁତ—ସୂତା—(Thread.) (ତୁଳନା କରନ୍ତୁ-ସଂ―ସୂତ୍ର)

●ସୁଗାଇବା(କ୍ରି)—ସ୍ନେହ କରିବା— (To love to have attachment. for.) (ତୁଳନା:-ଓ―ସୁହାଗ)

●ସୁତି(ଵି ପୁଂ)—ଅଣନାତି; ନାତିର ପୁଅ— Great grandson(ସଂ-ସୁତ)

●ସୁଧି(ଵି)—ସିଦ୍ଧି— (success.)

●ସୁନାମୁଖୀ(ଵି)—ସୁନାମକେଇ(Cassia Augustifolia.)

●ସୁନ୍ଦାରୀ(ଵି)—ସୁନାରି ବଣିଆ— (Goldsmith.)

●ସୁରପ୍(ଵି ଓ ଵିଣ)—ପୋଷ; ପାତ୍ରୀକୃତ କରତାଳରେ ସମ୍ଭାଇଵା ଵସ୍ତୁର ପୂର୍ଣ୍ଣ ପରିମାଣ—One handful (of any thing). [ଯଥା—ସୁରପେ ଚାଵଲ୍।]

●ସୁରପା(ଵି)—ସୋଡକା—(One draught drinkable food) .[ଉ—ମଂଗନା ତୁନ ସୁରପାଏ—ଲରିଆ ପ୍ରବଚନ।]

●ସୁଶେକ୍(ଵି)(ଧ୍ବନ୍ଯନୁକରଣ)—ସକା କାନ୍ଦଣା, ଶକେଇ ହୋଇ କାନ୍ଦିବା; ସୁଁ ସୁଁ ହୋଇ କାନ୍ଦିବା— (Weeping with bated sighs;whimper)

●ସୁସ୍ତା(କ୍ରି.ଵିଣ)—ଧୀରେ ଧୀରେ—( Slowly) ଵାଲେଶ୍ବରରେ ଏକ ପ୍ରକାରର କ୍ଷୁଦ୍ର ମତ୍ସ୍ଯକୁ ସୁସ୍ତା କୁହାଯାଏ
ଆମେ ଓଡ଼ିଆ ଭାଷାରେ ମଧ୍ୟ କୁହନ୍ତି ଧୀରେ ସୁସ୍ତେ ।

●ସୁସ୍କିବା―ସକେଇ ସକେଇ କାନ୍ଦିବା—(To cry with bated sobs; to whimper.)

●ସୁସ୍ତାଇବ—ଥକା ମାରିବା; ଶ୍ରମ ମେଣ୍ଟାଇବା—(to refresh oneself after fatigue.)
(ତୁଳନା:-ହି―ସୁସ୍ତାନା)

●ସୁହୁଜେ(କ୍ରି. ଵିଣ)—ସହଜେ— Easily.

●ସେଁପୁଟ(ଵି)—ଦୀର୍ଘଶ୍ବାସ ବଲାଙ୍ଗିର ପାଟଣାରେ ସେଁପୁଟ ହେବା ବୋଲି ଏକ ଦେଶଜ କ୍ରିୟା ଚଳେ  ଯାହାର ଅର୍ଥ ଅଣ ନିଶ୍ବାସୀ ହେବା ଅଟେ

●ସେର୍ଷଁ―ସୋରିଷ—(Mustard seed.)

●ସେର୍ ସେଟା―ଶୁଖି ଯାଉଥିଵା ଘାଆ ଉପରର ଖୋଳପା—(Stiff slough formed on a convalescent sore.)

●ସେଲା(ସର୍ଵ.)—ସେହିଟା— That.
(ତୁଳନା:-ଗ.ଓ―ସେରା)

●ସେହି ଖନ(କ୍ରି.ଵିଣ)—ସେହିକ୍ଷଣି— At that moment; immediately; at once (ତୁଳନା ଓ:―ସେହି କ୍ଷ(ଖି, ଛି, ଛୁ)ଣି )

●ସେ ହେଲା(ସର୍ଵ)—ସେହିଟା—(That)

●ହଦ୍ (ଵି)—କାଦୁଅ; ପଙ୍କ (Clay; mud; mire) ବଲାଙ୍ଗୀର ପାଟଣାରେ ମଧ୍ଯ  ହଦ୍ ଶବ୍ଦର ଅର୍ଥ କାଦୁଅ କିନ୍ତୁ ସମ୍ଵଲପୁର ଅଞ୍ଚଳରେ ବଡ଼ଗାତ କୁ ହଦ୍ କୁହାଯାଏ ।

●ହିରୁଆଁ(ଵି)କୋଳଥ— (Horse gram)

××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××××

Wednesday, October 9, 2019

ଲାଇସେନ୍ସରୁ ଅନୁଜ୍ଞପ୍ତି ଯାଏଁ...

ସରକାର କିଂଵା ଅନ୍ଯ ସକ୍ଷମ ପ୍ରାଧିକରଣ ଦ୍ଵାରା କୌଣସି ଵ୍ଯକ୍ତି ଅଥଵା ପ୍ରତିଷ୍ଠାନକୁ ଵ୍ଯାପାର, ଵ୍ଯଵସାୟ ଅଵା ଉଦ୍ଯୋଗ ସ୍ଥାପିତ କରିଵା ପାଇଁ ଦିଆଯାଉଥିଵା ଅନୁମତିପତ୍ରକୁ Licence କୁହାଯାଏ । ସ୍ଵାମ୍ଯ(petent)  ଵା ରାଜ ପ୍ରଦତ୍ତ ଅଧିକାର ଥିଵା ଵ୍ଯକ୍ତି ଦ୍ଵାରା ନିଜ ଵସ୍ତୁ, ପ୍ରକ୍ରିୟା ଵା ଡିଜାଇନ ଆଦିକୁ  ପ୍ରୟୋଗ କରିଵା,ଗଢି଼ଵା  ଅଥଵା ବିକ୍ରି ହେତୁ ଯେଉଁ ସର୍ତ୍ତ ମୂଳକ ଅନୁମତିପତ୍ର ପ୍ରଦାନ କରିଥାନ୍ତି ତାକୁ ମଧ୍ୟ licence ଵା ଅନୁଜ୍ଞପ୍ତି କୁହାଯାଏ।

ଇଂରାଜୀରେ ପ୍ରଚଳିତ licence ଶବ୍ଦଟି ମୂଳତଃ ଏକ ଫ୍ରେଞ୍ଚ ଵା ଫରାସୀ ଭାଷାର ଶବ୍ଦ ଏଵଂ ଏହାର ପୁରୁଣା ଫ୍ରେଞ୍ଚ ଭାଷାରେ ଅର୍ଥ ଥିଲା

୧)ଵିଦାୟ ଅନୁମତି ମାଗିଵା(leave)

୨) ଦୂରେଇ ଯିଵାକୁ ଅନୁମତି ମାଗିଵା(permission to be away)

୩) ଉପସ୍ଥିତ ନଥିଵା(to be not present)

ପୁଣି ପୁରୁଣା ଫ୍ରେଞ୍ଚର ଏହି ଲାଇସେନ୍ସ ଶବ୍ଦଟି ଲାଟିନ୍ ଶବ୍ଦ licentiaର ଆଧୁନିକ ରୂପ ଅଟେ ଏଵଂ ମୂଳ licentia ଶବ୍ଦଟି ପୁରାତନ ଗ୍ରୀକ୍ licēns ଓ licet ସହିତ ସମଦ୍ଧୃତ ।

licēns(“ଅନିୟନ୍ତ୍ରିତ;ଅସନ୍ଦିତ;ଅୟତ ଵା licentious”)
ମୂଳରୂପ licet ଏଵଂ ଏହାର ଅର୍ଥ ଥିଲା ଅନୁମତି ପ୍ରାପ୍ତ ଵା permitted” । ଭାଷାବିଦ୍'ମାନେ licet ଶବ୍ଦକୁ ମୂଳ ପ୍ରୋଟୋ ଇଣ୍ଡୋ ୟୁରୋପୀୟ ଧାତୁ *leyk- ର ନିଷ୍ପନ୍ନ କରିଅଛନ୍ତି ସହିତ ଯାହାର ମୁଖ୍ୟ ଅର୍ଥ ଥିଲା ଵିକ୍ରି ହେତୁ ପୂର୍ଵପ୍ରସ୍ତୁତି କରିଵା(“to prepare for sale”) liceor ଓ liceō ଆଦି ଶବ୍ଦ ଏହା ସହିତ ସମଦ୍ଧୃତ ।

ତେଵେ ଏହି Licence ଶବ୍ଦର ଅନ୍ଯ କେତେକ ଭାରତୀୟ ପ୍ରତିଶବ୍ଦ ରହିଛି

ଯଥା—
✓ଅନୁଜ୍ଞାପତ୍ର(ଵି)
✓ଅନୁମତିପତ୍ର(ଵି)
✓ଅଧିକାରପତ୍ର(ଵି)
✓ଆଜ୍ଞାପତ୍ର(ଵି)
✓ଆଜ୍ଞାପଟ୍ଟା,ଅନୁମତି ପଟ୍ଟା(ଓ,ତେ)
✓କାର୍ଯ୍ୟାନୁମତି(ଵି.ଣ.)
✓କାର୍ଯ୍ୟସମ୍ମତି(ଵି.ଣ.)
ଇତ୍ୟାଦି...

ତାମିଳରେ licenceକୁ ଓରିମମ୍ କୁହାଯାଉଥିଵାଵେଳେ
ବୋଡୋ ଭାଷାରେ ଲାଇସେନ୍ସକୁ ବିଥୋନଲାଈ ଏଵଂ ମଣିପୁରୀ ଭାଷାରେ ‘ଅୟା-ଚେ’  କୁହାଯାଏ !
ସେଇଭଳି ହିନ୍ଦୀଭାଷୀ ଲାଇସେନ୍ସକୁ ପରଵାନା,ଇଜାଜତ୍ ପତ୍ର ଆଦି କହିଥାନ୍ତି ଏଵଂ ଏ ଉଭୟ ଶବ୍ଦ ଵୈଦେଶିକ !

ଵିଭିନ୍ନ ଵୈଦେଶିକ ଭାଷାରେ ଲାଇସେନ୍ସର ମୌଳିକ ପ୍ରତିଶବ୍ଦ ମଧ୍ୟ ରହିଛି

ଯଥା—

ଗ୍ରୀକ୍ ଭାଷାରେ — άδεια(ádeia)

ହଙ୍ଗେରିଆନ୍ ଭାଷାରେ —gedély

ଆଇସ୍'ଲ୍ଯାଣ୍ଡିକ୍ —Leyfi

ଆଇରିଶ୍—ceadúnas

ନରୱିଆନ୍—tillatelse

ୱେଲ୍ସ ଭାଷାରେ — trwydded

ୟେଡିଶ୍ ଭାଷାରେ — דערלויבעניש(derloybenish)

ମାଣ୍ଡାରିନ୍'ରେ — 执照(zhízhào)

ଖମେର୍ ଭାଷାରେ — អាជ្ញាប័ណ្ណ(achnhabn)

କୋରିଆନ୍ ଭାଷାରେ —특허(teugheo)

ଲାଓ ଭାଷାରେ —ໃບອະນຸຍາດ(baioanunyad)

ସିଂହଳୀ ଭାଷାରେ —බලපත්රය(balapatraya)

ଥାଇ ଭାଷାରେ —อนุญาต(Xnuỵāt)

ଭିଏତନାମି ଭାଷାରେ —Giấy phép

ଆରବୀ — رخصة(rukhsa)

ହିବ୍ରୁ — רישיון(rishayon)

ପାର୍ସୀ ଭାଷାରେ — مجوز(Mijwiz)

ଚିଚେୱା ଭାଷାରେ — chiphaso

ଇଗ୍ଵୋ ଭାଷାରେ — ikike

ମାଓରୀ ଭାଷାରେ — raihana

ଏସ୍ପରାନ୍ତୋ ଭାଷାରେ — permesilo

Monday, October 7, 2019

ମନୁଷ୍ୟମାନଙ୍କ ମଧ୍ୟରେ ଜାତିପ୍ରଥା ଅଵୈଜ୍ଞାନିକ

ଜୀଵଜଗତରେ ନିରିଖେଇ ଦେଖିଲେ ନାନା ପ୍ରଜାତିରେ ସହସ୍ର ସହସ୍ର ଜାତି ଦୃଶ୍ୟ ହୁଅନ୍ତି । ସେମାନଙ୍କୁ କିଏ ଏମିତି ଏତେ ରୂପ ଓ ଗୁଣ ଦେଲା ?

ଉଦାହରଣ ସ୍ୱରୂପ
ସ୍ଥୁଳଭାଵେ ଛେଳି ଜାତି ଵା Capra
ଗୋଟିଏ ପ୍ରଜାତି କିନ୍ତୁ
ସୂକ୍ଷ୍ମ ଦୃଷ୍ଟିରେ ଦେଖିଲେ ତହିଁରେ
ନଅ ଗୋଟି ଜାତି ରହିଅଛି

ଯଥା—
✓West Caucasian tur(Capra caucasica)

✓East Caucasian tur(Capra caucasica cylindricornis)

✓Markhor(Capra falconeri)

✓Alpine ibex(Capra ibex)

✓Nubian ibex(Capra nubiana)

✓Spanish ibex(Capra pyrenaica)

✓Siberian ibex(Capra sibirica)

✓Walia ibex(Capra walie)

✓Wild goat(Capra aegagrus)

✓Domestic goat(Capra aegagrus hircus; includesferal goat)

✓Bezoar ibex(Capra aegagrus aegagrus)

ଇତ୍ୟାଦି ...

ଏହି ଜାତିଗତ ଵିଭାଗିକରଣ
ସେମାନଙ୍କ ରୂପ,ଗୁଣ,ଅଙ୍ଗ ଓ ଆକାରକୁ ଦୃଷ୍ଟିରେ ରଖି କରାଯାଇଛି ।

ସ୍ଥୁଳଦ୍ରଷ୍ଟାମାନେ କହିପାରନ୍ତି ଯେ ଏସବୁ ମନୁଷ୍ୟ ମନର ଭାଵନା କିନ୍ତୁ ସୂକ୍ଷ୍ମ ଦୃଷ୍ଟା ଵୈଜ୍ଞାନିକ ବୁଦ୍ଧି ସମ୍ପନ୍ନ ଲୋକଙ୍କ ମତରେ ଏସବୁର ମୂଳ କାରଣ ଡିଏନଏ ର ଜୀନ୍ସଗତ ତ୍ରୁଟି ଓ ମ୍ଯୁଟେସନ୍ ଯୋଗୁଁ ସମ୍ଭଵ ହୋଇଅଛି ।

ମାତ୍ର ମନୁଷ୍ୟମାନଙ୍କ କ୍ଷେତ୍ରରେ ଵର୍ତ୍ତମାନର homo sapiens ସମସ୍ତ ଗୋଟିଏ ଜାତି ଅଟନ୍ତି ସେମାନଙ୍କ ମଧ୍ୟରେ ଵୈଜ୍ଞାନିକମାନେ ସୁଦ୍ଧା କୌଣସି ଜାତିଗତ ଵିଭାଗିକରଣ କରିନାହାନ୍ତି ।

ମାନଵମାନେ ନିଜ ମଧ୍ୟରେ ଯେଉଁ ଜାତିଗତ ଵିଭାଗିକରଣ କରିଛନ୍ତି ତାହା ତାଙ୍କର କର୍ମ,ଗୁଣ,ସ୍ଥାନ,ସଂସ୍କୃତି ଓ ଭାଷା ଆଧାରରେ ଗଢ଼ି ଉଠିଛି ।

ଏଭଳି ଜାତିଗତ ଵିଭାଗିକରଣ ତେଣୁ ଭାଵ ଦୃଷ୍ଟିରୁ ଯୁକ୍ତିଯୁକ୍ତ ଲାଗୁଥିଲେ ହେଁ
ଯେହେତୁ ମଙ୍ଗୋଲୀୟ,ଭାରୋପୀୟ,ନିଗ୍ରୋ ଆଦି ସମସ୍ତ ମାନଵଜାତିଙ୍କୁ କେଵଳ homo sapiens କୁହାଯାଏ ତେଣୁ ଵୈଜ୍ଞାନିକ ଦୃଷ୍ଟିକୋଣରୁ ଏହାକୁ ନିତାନ୍ତ ଅମୂଳକ ହିଁ ଵିଚାର କରାଯିଵ  ।

Saturday, October 5, 2019

ଉଦବୋଧନୀ —୧

କଳିଙ୍ଗର ପୁଏ ଲଢୁ଼ଥିଲେ ମାତୃଭୂମି ରକ୍ଷା ପାଇଁ
ଏଭେ ଜନମନ୍ତି  ଅଜରା ଭାଗ କରଵା ପେଇଁ

ଆଘର କଳିଙ୍ଗ ଦେଶରେ ଯହ ଏକତା ଥିଲା
ଆଜ ଦେଖ ଭ୍ରାତା ଭଗ୍ନି ହେ ! କିସ ଯୁଗ ନ ହେଲା !!!

ଭାଇ କହେ ନୁହେଁ ଭାଇ ମୋ ଏଟା ଉପକୂଳିଆ !
ଲୁଟେ ମୋତେ ଦିନ ରାତି ସେ, ମୁଇଁ ବଡ଼ ଦୁଃଖିଆ !!!

ହେଲେ ଉପକୂଳିଆ ଖଟୁଛି ବାର ରାଇଜେ ଯାଇଁ
ଏକଥାଟା ତାକେ ଦିଶେନି କେଣ୍ଟି ବୁଦ୍ଧିର ପାଇଁ !!!

କିଏ କହେ ଆମ ସଂସ୍କୃତି  ଆର୍ ଭାଷାଟା ଭିନ୍ନ
ଆମେ ସବୁ ବଡ଼ ନିରୀହ ଉପକୂଳିଏ ହୀନ !!!

କିଏ କହେ ଆମ ଭାଷାଟା  ପୁରା ସ୍ଵତନ୍ତ୍ର ଆଏ,
ଓଡ଼ିଆ ଭାଷା ସହିତେ  କିଛି ସମ୍ପର୍କ କାଏଁ ?

ତିନି ସହସ୍ରାଧିକ ଵରଷ ଯେ ଏ ପୁରୁଣା ଭାଷା ।
କାହିଁକି କରୁଛ ତୁଚ୍ଛାକୁ ଏତେରେ ଲୋକହସା ।।

ଭାରତନାଟ୍ୟେ ନାମ ରହିଛି  ଉଡ୍ରୀ ଵିଭାଷା,
ନାଇଁ ସେ ସୂଚୀରେ ହିନ୍ଦୀ କି ବଙ୍ଗାଳୀ ଭାଷା !!

ସଂସ୍କୃତର ପରେ ଓଡ଼ିଆ ଭାଷା ଶାସ୍ତ୍ରୀୟ
ଭାରୋପୀୟ ଭାଷା ମଧ୍ୟରେ ବଡ଼ ବିଜ୍ଞାନମୟ

ସେହି ଓଡ଼ିଆର ଅନେକ ଆଜ ଶୈଳୀ ରହିଛି
ଦେଶିଆ ଭତ୍ରୀ ସମ୍ବଲପୁରୀ ଆଦି ନାମ ବହିଛି

ସର୍ଵ ଭାଷାଵିତ୍ ସ୍ଵୀକୃତ ଏ ସର୍ଵ ଓଡ଼ିଆଭାଷା
ତାଙ୍କ କଥାରେ ବଧେ କରୁନା ତେମେ ଭରସା ।।

ହେଲେ ହେଁ  ନାଇଁ ମାନିଲେ କେହି ସତ୍ଯକୁ
ସତ୍ଯ କି ବଦଳି ଯାଇଛି କେଵେ କା' କଥାକୁ ?

ଏଣ୍ଡି ମେଣ୍ଡି ସେଣ୍ଡି ସେ ଲୁକ ଯିଏ ବି ହେଉ
ଜାତିର ଏକତା ଆଗରେ ସିଏ ଗଣନା ନୋହୁଁ !!!

ଉଠ ଉଠ ଆରେ କଳିଙ୍ଗୀ ଆଉ ଡେରି ନକର
ଯେ ଭାଙ୍ଗୁଛି ତଵ ଏକତା ତାର ଵିନାଶ କର ।।


@ଶିଶିର ସାହୁ ମନୋଜ



Thursday, October 3, 2019

ଡାଇନୋସରକୁ ଓଡ଼ିଆରେ କ'ଣ କୁହନ୍ତି ଜାଣିଛନ୍ତି କି ?

ଡାଇନୋସର କୋଟି କୋଟି ଵର୍ଷ ତଳେ ପୃଥିଵୀରୁ ଲୁପ୍ତ ହୋଇଯାଇଛନ୍ତି ଏଵଂ ଏଇମାତ୍ର କେତେ ଶହ ଵର୍ଷ  ତଳେ ସେମାନଙ୍କର ନାନା ଜୀଵାଶ୍ମ ମିଳିଅଛି । ଡାଇନୋସରମାନଙ୍କ ସମୟକାଳକୁ  ଜୁରାସିକ୍ ଯୁଗ କୁହାଯାଏ । ଏହା ପ୍ରାୟ ୧୯୯.୬ ରୁ ୧୪୫.୫ ନିୟୁତ ଵର୍ଷ ପୂର୍ଵର କାଳଖଣ୍ଡ ବୋଲି ଵୈଜ୍ଞାନିକମାନେ ମତ ଦିଅନ୍ତି । ଇଂରାଜୀର ଜୁରାସିକ୍ ଶବ୍ଦଟି ଫ୍ରେଞ୍ଚ ଭାଷାର Jurassique ଶବ୍ଦର ଆଧୁନିକ ରୂପ । ଆଧୁନିକ ଜୀଵାଶ୍ମ ଆବିଷ୍କାରର ପ୍ରାରମ୍ଭିକ କାଳରେ ସ୍ଵିଜରଲ୍ଯାଣ୍ଡର ଜୁରା ପର୍ଵତରୁ ଅନେକ ପ୍ରାଚୀନ ପ୍ରାଣୀଙ୍କ ଜୀଵାଶ୍ମ ମିଳିଵାପରେ ସେଇ ପର୍ଵତର ନାମାନୁସାରେ ଜୁରାସିକ ରଖାଯାଇଥିଲା ।

ମାନଵମାନେ ସେମାନଙ୍କୁ  ସାମୁହିକ ଭାଵେ dīnosaurus  ନାମ ଦେଲେ ଏଵଂ ଏହା ଏକ  ଲାଟିନ ଶବ୍ଦ ଅଟେ । ଏହି ଶବ୍ଦରେ ଦୁଇଗୋଟି ପ୍ରାଚୀନ ଗ୍ରୀକ୍ ଶବ୍ଦ ରହିଛି ।

୧)δεινός(deinós)
୨)σαῦρος(saûros)

deinósର ଅର୍ଥ ଭୟଙ୍କର,ଭୀଷଣ, ଭୀମକାୟ, ଶକ୍ତିଶାଳୀ  ଇତ୍ୟାଦି ଏଵଂ   ଏହା P.I.E. root ଆକଳନ ଅନୁଯାୟୀ ସଂସ୍କୃତ ଦ୍ଵେଷ ଶବ୍ଦ ସ‌ହିତ ସମଦ୍ଧୃତ । deinósର ପୂର୍ଵ ରୂପ ଥିଲା dweynós ଏଵଂ ଏହାର P.I.E. root ମୂଳଧାତୁ *dwey ନିର୍ଣ୍ଣୟ କରାଯାଇଛି ।
*dwey P.I.E. rootର ମୂଳ ଅର୍ଥ ଭୟ କରିଵା । ଭାରତୀୟ ମୂଳ ଧାତୁଶବ୍ଦ ‘ଦ୍ଵିଷ୍’ ସହିତ ଏହା ସମଦ୍ଧୃତ । ଦ୍ଵିଷ୍ ଧାତୁର ଅର୍ଥଗୁଡ଼ିକ ମଧ୍ୟରେ ଦ୍ଵେଷ କରିଵା,ଶତ୍ରୁତା ଆଚରଣ କରିଵା,ହିଂସା କରିଵା ଇତ୍ଯାଦି ବହୁଳ ପ୍ରୟୋଗ ହୋଇଛି । ଲୋକେ ଯାହାକୁ ଭୟ କରନ୍ତି ତା ପ୍ରତି ଘୃଣା ଓ ଦ୍ଵେଷ କରିଵା ଆରମ୍ଭ କରିଦିଅନ୍ତି । ସେମାନେ ଭୟ ପ୍ରଦାତାକୁ ହିଂସ୍ର ଓ ଶତ୍ରୁ ଅଭିହିତ କରିଥାନ୍ତି । ଏହି ଆଧାରରେ ଆଉ ଏକ ଶବ୍ଦ ରହିଛି ମଖଦ୍ଵିଷ୍ ଯାହାର ଅର୍ଥ ରାକ୍ଷସ । ଲୋକ ଵିଶ୍ଵାସ ଆଧାରିତ ଏହି ରାକ୍ଷସ ମାନଙ୍କୁ ମଧ୍ୟ ଲୋକେ ଯେହେତୁ ଡରୁଥିଲେ ତେଣୁ ସେମାନଙ୍କ ପ୍ରତି ତାଙ୍କର ମନରେ ଦ୍ଵେଷ ଓ ଘୃଣା ସ୍ଵାଭାଵିକ ଭାଵେ ଉଦ୍ରେକ ହେଉଥିଲା । ତେଣୁ ମକଦ୍ଵିଷ୍ ଭଳି ଶବ୍ଦ ମଧ୍ୟ ସୃଷ୍ଟି ହୋଇଅଛି । ତେଵେ ଯେମିତି 'ସୋରସ' ଓ 'ସରଟ' ସମଦ୍ଧୃତ, ସେମିତି 'ଡାଇନୋ' ପାଇଁ 'ଦାନଵ' ଶବ୍ଦକୁ ସରଟ ସହ ଯୋଡ଼ି  'ଦାନୋସରସ' ଶବ୍ଦ ଗଠନ ହୋଇପାରନ୍ତା  । ଅଵର୍ଗ୍ୟ ଵ ର syncope ଘଟି ଦାନଵରୁ ଦାନୋ ଓ ସରଟ ଶବ୍ଦରେ ଟ ଵର୍ଣ୍ଣ ସ ରେ ପରିବୃତ୍ତ ହୋଇ ଏହି ଦାନୋସରସ ଶବ୍ଦ ସୃଷ୍ଟି ମଧ୍ୟ ସମ୍ଭଵ  ।

  ସେହିପରି saûros ଶବ୍ଦର ଅର୍ଥ ଝିଟିପିଟି,ଏଣ୍ଡୁଅ ଓ ସରୀସୃପ ଅଟେ ।

ଜୀଵାଶ୍ମଵିଜ୍ଞାନୀ Richard Oweninଙ୍କ ଦ୍ଵାରା 1842ରେ ଏହି ଡାଇନୋସର ନାମ ରଖାଯାଇଥିଲା । ଏହାର ବହୁତ ପରେ ଡାଇନୋସର ଶବ୍ଦର ସଂସ୍କୃତ ପ୍ରତିଶବ୍ଦ ଗଢା଼ଯାଇ ଏହାର ନାମ ଭୀମସରଟ ରଖାଯାଇଥିଲା ।

ସଂସ୍କୃତ ସରଟ,ଶରଟ ଓ ଶରଣ୍ଡ ଆଦି ଶବ୍ଦ ଗ୍ରୀକ୍ saûros ଶବ୍ଦ ସହିତ ସମଦ୍ଧୃତ ଏଵଂ ଏ ଶବ୍ଦଟିର ମଧ୍ୟ ଦୁଇଗୋଟି ଅର୍ଥ ହେଉଛି ଏଣ୍ଡୁଅ ଓ ଝିଟିପିଟି ।

ଭୀମ ଶବ୍ଦ ସାଧାରଣତଃ ଭୀଷଣ ଆକାର ଅର୍ଥରେ ଵ୍ଯଵହାର ହୁଏ । ତେଣୁ ଡାଇନୋସର ଶବ୍ଦର ଭାରତୀୟ ଵୈଜ୍ଞାନିକ ପ୍ରତିଶବ୍ଦ ଭୀମସରଟ ରଖାଯାଇଥିଲା ।

ଆପଣଙ୍କ ପାଖରେ ଡାଇନୋସରର ଅନ୍ଯ କୌଣସି ଭାରତୀୟ ପ୍ରତିଶବ୍ଦ ଜଣାଥିଲେ ଏଠାରେ ଜଣାଇଵାକୁ ଵିଶେଷ ଅନୁରୋଧ ରହିଲା ।

ଆଲେଖ୍ୟ:- ଉଡ୍ରବନ୍ଧୁ ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ ଓ ଶିଶିର ସାହୁ ମନୋଜ

Tuesday, October 1, 2019

କୁହ୍ଲିଆ

ସୂର୍ଯ୍ୟୋଦୟ କାଳରେ ନିଜର ଛାଈକୁ ଦେଖି କୁହ୍ଲିଆଟା ଵିଚାର କଲା  "ଆଜି ମୁଁ ଓଟକୁ ଖାଇଵି । ”

ସକାଳୁ ଦିପହର ଯାଏଁ ସେ ଓଟ ଉଣ୍ଡିଵାରେ ଲାଗିଗଲା ହେଲେ ଓଟଯାକ ତ ମରୁଭୂମିରେ ଏଠି ନଟାରେ ଓଟ ଵା କାହୁଁ  ମିଳିଵ ! 

ଦିପହରେ ସେ ନିଜ ଛାଈ ଦେଖି ପୁଣି  ଵିଚାର କଲା 

"ଏଵେ ତ ଗୋଟେ ମୂଷା ମିଳିଗଲେ ବି ଚଳିଯାଆନ୍ତା” !!!

©ଖଲୀଲ୍ ଜିବ୍ରାନ୍