Saturday, November 20, 2021

ଓଡ଼ିଶାର ତଥା ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ମାଆ ମଙ୍ଗଳା

⛵⛵⛵⛵⛵⛵⛵⛵⛵⛵⛵⛵

⛵⛵⛵⛵⛵⛵⛵⛵⛵⛵⛵⛵

ଆମ କଳିଙ୍ଗୋଡ୍ରତ୍କଳରେ ନୌଵାଣିଜ୍ୟ ପରମ୍ପରାର ଅଧିଷ୍ଠାତ୍ରୀ  ମା’ ମଙ୍ଗଳା  । କଳିଙ୍ଗ ଦେଶର ସାଧଵମାନେ ବୋଇତ ଦେଇ ଯାତ୍ରା ଆରମ୍ଭ କରିଵା ସମୟରେ ମା’ ମଙ୍ଗଳାକୁ ସ୍ମରଣ କରୁଥିଲେ ତାଙ୍କର ଆରାଧନା କରୁଥିଲେ ।

ଗୋପୀନାଥ ଦାସ  ତାଙ୍କ “ଖୁଦୁରୁକୁଣୀ” ପଦ୍ୟରେ ସାଧଵମାନେ କିପରି ମାଆ ମଙ୍ଗଳାଙ୍କୁ ସୁମରଣା କରନ୍ତି ତହିଁର ଵର୍ଣ୍ଣନା କରିଛନ୍ତି

“ଜୟଗୋ ଜୟଗୋ ମଙ୍ଗଳା
ଉଦ୍ଧାର ବୁଡ଼ିବାର ଭେଳା ।
  ସଂକଟ ତାରିଣୀ ମଙ୍ଗଳା
  ଉଦ୍ଧାର ବୁଡ଼ିବାର ଭେଳା ।”

ମଙ୍ଗ୍ ଧାତୁର ଅର୍ଥ ଗମନ କରିଵା ଵା ଯିଵା ।ନୌକାର ମୁଣ୍ଡ ଵା ନୌକାର କର୍ଣ୍ଣ ତଥା ଜାହାଜର ପାର୍ଶ୍ବ(ଆପ୍ଟେ)କୁ ମଙ୍ଗ କୁହାଯାଏ । ଡଙ୍ଗାର ଆଗ ପାଖର ମଙ୍ଗକୁ ଆଗମଙ୍ଗ ଓ ପଛପାଖର ମଙ୍ଗକୁ ପଛମଙ୍ଗ କହନ୍ତି ।

ଯେମିତି ମଙ୍ଗ ଵିନା ବୋଇତରେ ଆତଯାତ କରିଵା ଅସମ୍ଭଵ ସେହିପରି ମଙ୍ଗ୍ ଧାତୁରୁ ନିଷ୍ପନ୍ନ ମଙ୍ଗଳା ନାମରେ ନାମିତ ମାଆ ମଙ୍ଗଳାଙ୍କ ସ୍ମରଣ ଵିନା ଜଳଯାତ୍ରା ମଧ୍ୟ ନିତାନ୍ତ ଵିପଦପୂର୍ଣ୍ଣ ବୋଲି ପ୍ରାଚୀନ କାଳରୁ ଏ ଦେଶରେ ଲୋକଵିଶ୍ଵାସ ପ୍ରଚଳିତ । କଳିଙ୍ଗୋଡ୍ରତ୍କଳର ନୌଵାଣିଜ୍ୟ ଯୁଗରେ   ବୋଇତର ମଙ୍ଗ ଉପରେ ମା’ ମଙ୍ଗଳାକୁ ସ୍ଥାପନ କରାଯାଉଥିଲା ।  କାର୍ତ୍ତିକ ପୂର୍ଣ୍ଣିମା ପରେ ମାର୍ଗଶିର ମାସରେ ଗମନ କରି ଭାଦ୍ରବ ମାସରେ ସାଧବମାନେ ନୌବାଣିଜ୍ୟ ସାରି ଵିଦେଶରୁ ସ୍ଵଦେଶକୁ ଲେଉଟି ଆସୁଥିଲେ । ସାଧଵମାନଙ୍କର ଶୁଭ ପ୍ରତ୍ୟାଵର୍ତ୍ତନ ଲାଗି କୁମାରୀମାନେ ଭାଦ୍ରବ ମାସରେ ମଙ୍ଗଳମୟୀ ମା’ ମଙ୍ଗଳାଙ୍କୁ ଆରାଧନା କରୁଥିଲେ ଯାହା ଆଜି ମଧ୍ୟ “ଖୁଦୁରୁକୁଣୀ ଓଷା” ନାମରେ ପାଳିତ ହୋଇଥାଏ । 

ପାର୍ଵତୀ, ଦୁର୍ଗା ଓ ସରସ୍ବତୀ ଠାକୁରାଣୀଙ୍କ ମୂର୍ତ୍ତିକୁ ମଙ୍ଗଳା କୁହାଯାଏ । ପତିଵ୍ରତା ସ୍ତ୍ରୀ,ଧଳା ଓ ନୀଳ ଦୁବ ତଥା ହଳଦୀକୁ ମଧ୍ୟ ମଙ୍ଗଳା କୁହାଯାଏ ।‌ ଓଡ଼ିଶାର ଅଧିଷ୍ଠାତ୍ରୀ ଦେଵୀ ହେଉଛନ୍ତି ମାଆ ମଙ୍ଗଳା । ତାଙ୍କୁ ଏଠାକାର ଅଧିକାଂଶ ଗ୍ରାମରେ ଗ୍ରାମ୍ୟ ଦେଵୀ ରୂପେ ଆରାଧନା କରାଯାଏ । କାକଟପୁରରେ ସେହି ମାଆଙ୍କର ପ୍ରସିଦ୍ଧ ମନ୍ଦିର ଵିଦ୍ୟମାନ ।

ଓଡ଼ିଶାର ଲୋକେ ନୌଵାଣିଜ୍ୟ କରୁଥିଲେ ଫଳରେ  ନୌଯାତ୍ରାର ଅଧିଷ୍ଠାତ୍ରୀ ଦେଵୀ ମାଆ ମଙ୍ଗଳାଙ୍କର ଦେଵସ୍ଥାନ ଓଡ଼ିଶାର ପ୍ରାୟ ଅଧିକାଂଶ ଅଞ୍ଚଳରେ ଦେଖାଯାଏ । ମାଆ ମଙ୍ଗଳାଙ୍କୁ ସ୍ମରଣ ଵିନା ନୌଯାତ୍ରା କରିଵାକୁ ଅଶୁଭ ମନେ କରାଯାଉଥିଲା ‌ ।

ଶ୍ରୀଧର ଧୀଵରଙ୍କ  ‘ଖୁଲଣା ସୁନ୍ଦରୀ’ ଗୀତିକାଵ୍ୟରେ ଏହି ଲୋକଵିଶ୍ଵାସ ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି ।  ସାଧଵ ଧନେଶ୍ବର ନୌଵାଣିଜ୍ୟ ଯାତ୍ରା ଆରମ୍ଭ ପୂର୍ଵରୁ ମା’ ମଙ୍ଗଳାଙ୍କ ପରିଵର୍ତ୍ତେ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କରିଥିଵାରୁ ପରେ କେମିତି ବହୁ ଦୁଃଖ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ଏଵଂ ଧନେଶ୍ଵର ସାଧଵ ପ୍ରତି ମା’ ମଙ୍ଗଳାଙ୍କର ତିରସ୍କାରକୁ ଶ୍ରୀଧର ଧୀଵର ‘ଖୁଲଣା ସୁନ୍ଦରୀ’ରେ ଏପରି ଉଲ୍ଲେଖ କରିଛନ୍ତି ...

“ଧନେଶ୍ବର ତୁ କି ବାତୁଳ ହେଲୁ କି
ମତେ ଛାଡ଼ି ତୁ ଅନ୍ୟକୁ ଭଜିଲୁ ।
ସେ କାଳିଆ ବଡ଼ ଦେଉଳେ ବସି
ଭୋଗ ଖାଉଥାଏ ହୋଇଣ ଖୁସି ।
  ଦେଖିବି ସେ ତୋତେ ରଖେ କେମିତି
  ମୁହିଁ ମା’ ତୋତେ କହେ ଏତିକି । ”
 
ସ୍ପଷ୍ଟ ହୁଏ  ମା’ ମଙ୍ଗଳା ନୌଵାଣିଜ୍ୟ ପରମ୍ପରାର ଇଷ୍ଟ ଦେଵୀ ଫଳତଃ ଏ ଦେଶରେ ଆଗେ ନୌଯାତ୍ରା ପୂର୍ଵରୁ ଜୟ ଜଗନ୍ନାଥର ଜୟଘୋଷ ନୁହେଁ ଵରଂ ମାତା ମଙ୍ଗଳାଙ୍କୁ ସ୍ମରଣ କରାଯାଉଥିଲା  । ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଆଜକୁ ଶତ ଶତ ଵର୍ଷ ପୂର୍ଵେ ଏହି ମାର୍ଗଶିର ମାସରେ ମାଆ ମଙ୍ଗଳାଙ୍କୁ ସ୍ମରଣ ଓ ପୂଜା କରି ବୋଇତ ନେଇ ନୌଵାଣିଜ୍ୟ ହେତୁକ ସାଗରପାରି ଦେଶମାନଙ୍କୁ ଗମନ କରୁଥିଲେ ।‌

ଯୁଗ ପରେ ଯୁଗ ବିତି ଯାଇଛି କଳିଙ୍ଗ ଦେଶର ସେ ସବୁଵର୍ଣ୍ଣ ଯୁଗ ମଧ୍ୟ ଅପସରି ଯାଇଛି କିନ୍ତୁ ଓଡ଼ିଆ ଜାତି ପ୍ରାୟତଃ ସ୍ଵାଭିମାନହୀନ ହୋଇ ସୁଦ୍ଧା ତା ଜାତୀୟ ଠାକୁରାଣୀ ମାଆ ମଙ୍ଗଳାଙ୍କର ଆଜି ବି ଆରାଧନା କରିଚାଲିଛି । ସେଇ ମାଆମାଟି ଅଛି , ମହୋଦଧି ଓ ମାଆ ମଙ୍ଗଳା ଅଛନ୍ତି କିନ୍ତୁ ୪୦୦ ଵର୍ଷର ପରାଧୀନତା ଯୋଗୁଁ ଓଡ଼ିଆ ଜାତିର ସ୍ଵାଭିମାନ ହ୍ରାସ ହେତୁକ ଏ ଜାତି ସୁନାରୁ କ୍ରମଶଃ ମାଟି ହୋଇ ହୋଇ ଗଲାଣି ।

Wednesday, November 17, 2021

ସବୁରି ଚିତ୍ତଚୋର(ଗୋଦାଵରୀଶ ମହାପାତ୍ର)

ଉତ୍କଳମଣି ଗୋପବନ୍ଧୁ ଗଞ୍ଜାମରେ କୌଣସି ଏକ ପଲ୍ଲୀ ସଭାକୁ ଗଲାବେଳେ ଏକ କୌତୁକାଵହ ଘଟଣାଟିଏ ଘଟିଥିଲା । ଭିକ୍ଷାକରି ଚଳୁଥିଵା ଦୁଇଜଣ ବୁଢ଼ୀ ଗୋପବନ୍ଧୁଙ୍କୁ  ସବାରିରେ ଯିଵା ଦେଖି ଜଣେ କିଏ ବର ଵିଭାହୋଇଯାଉଛି ବୋଲି ମନେକରି ସଭାକୁ ଯାଇଥିଲେ । ଉଭୟ ବୁଢୀ଼ ପରସ୍ପରରେ କଥା ହେଉଥାନ୍ତି । ଏ ବୁଢ଼ା ଵରକୁ କିଏ ଅଵା ନିଜ ଝିଅର ଜୀଵନ ନଷ୍ଟ ହେଵାକୁ ଵିଭା କରାଉଛି ।  କିନ୍ତୁ ଉତ୍କଳମଣିଙ୍କ ଭାଷଣ ଶୁଣିଵାପରେ ତାଙ୍କର ହୃଦବୋଧ ହୋଇଛି ଯେ ଇଏ କାହାର ଵର ନୁହେଁ ଵରଂ ଓଡ଼ିଆ ଜାତିର ଵରପୁତ୍ର । “ସବୁରି ଚିତ୍ତଚୋର” କଵିତାରେ ଗୋଦାଵରୀଶ ମହାପାତ୍ର ସେହି ଘଟଣାକୁ ଅତୀଵ ଚମତ୍କାର ଭାବରେ ଵର୍ଣ୍ଣନା କରିଅଛନ୍ତି ...

  🔵🔵🔵🔵ସବୁରି ଚିତ୍ତଚୋର🔵🔵🔵🔵
🟠🟠🟠(ଗୋଦାବରୀଶ ମହାପାତ୍ର)🟠🟠🟠

ବାଜେ କରତାଳି, ବାଜେ ମାଦଳ,
ଥରିଉଠେ ନୀଳ ଗଗନ ତଳ,
ଗଣି ହୁଏ ନାଇଁ ଲୋକ-ଲହର ପଥପ୍ରାନ୍ତର ଧାରେ,
ସବୁରି ଵଦନେ ପୂରିଛି ଆଶା,
  ପୁଲକି ଉଠଇ ମରମ ଭାଷା,
  ପଡ଼ିଚି ଚହଲି ସବୁଜ ରସା ବନ୍ଦନ ଗୀତିକାରେ ।

ଜନଗଣ ମନ କାମନା ଜାଣି
ଵିଜେକଲେ ଅଵା ଅଭୟପାଣି,
ଲୋଚ଼ନ କୋଣରେ ଉଠେ ଉଜାଣି
ସବୁରି ଅଧରେ କଥା,
  ଶୋହେ କରେ କରେ କୁସୁମ ମାଳା,

ଦିଏ ହୁଳହୁଳି ପଲ୍ଲୀବାଳା,
ଉଶ୍ଵାସ ହୁଏ ପରାଣ ଭାରା ଦର୍ଶନେ ଚିର ଵ୍ୟଥା ।

ସେ ତ କୋଟି ଜନ ପରାଣସାଇଁ,
କୁସୁମେ ଶୁଶ୍ରୁ ଦେଇଡ଼ି ଛାଇ
ମାଳାଭାରେ ଗଳା ପଡ଼ିଚି ଲଇଁ
ଚିନ୍ତିତ ଭଗବାନ,
ନାଶିବେ ଦେଶର କଳି-କଳୁଷ,
ଯେତେ ଏ ଦଳିତ-ଦୀନ-ମଣିଷ
ଯୋଡ଼ି କର ଯୁଗ ଯାଚେ ଆଶିଷ
ସୁନ୍ଦର ମହୀୟାନ !!

କେଉଁ ଗାଆଁ, କେଉଁ କୁଟୀର ଛାଡ଼ି
ଆସିଥିଲେ ବୁଲି ଦୁଇଟି ବୁଢ଼ୀ,
ସେ ଲୋକ ଗହଳେ ରହିଲେ ବୁଡ଼ି
କି ବା ସେ ଦେଖିଲେ ତହିଁ,
କିଏ ଗୀତ ଗାଏ, କିଏସେ ହସେ,
ବୁଢ଼ୀ ବଖାଣିଲା ବୁଢ଼ୀର ପାଶେ
କାହା କାନେ କିଏ କି କଥା ଭାଷେ,
କି କଥା ଦେଖିଲି ମୁହିଁ !

ଏତିକି ବାଜଣା,
ଏତିକି ଗୋଳ ମଲା ଯା ଏତିକି ନାଟ !
ସବାରି ଭିତରେ ଏ ବୁଢ଼ା ବର
ଏଥିପାଇଁ କିଆଁ ଏତେ ଚହଳ,
ଏନ୍ତୁଡ଼ିଶାଳେ ନ ଚିପି ତୋଟି
କିଏ ରଖିଥିଲା କାହା ଝିଅଟି,
ଆଖି ଯାହା ଦେଖି ନଗଲା ଫୁଟି
ଗାଆଁରେ ବସିଛି ହାଟ !!

କହିଲା ଆରେକ ହୁଅ ଗୋ ତୁନି,
ବେଦୀରେ ବସିଵ ଏ ବୁଢ଼ା ପୁଣି !
କୁଶେ ବାନ୍ଧିଵେ କାହାର ପାଣି,
କିଏ ସେହି ଅଭାଗିନୀ

ଏତେ ଵରଜାତି,
ଏଡ଼ିକି ଭିଡ଼,
ଏ ବୁଢ଼ା ଵରକୁ ଏତିକି ମାଳ !

ଭିକମଗା ଆଜି ଛାଡ଼ିଲେ ଛାଡ଼,
ଦେଖିଵା ଚାଲ ଗୋ ନାନି ।
  ବସିଲା ଏ କାଳେ ସେ ଜନସଭା
  ଜମାଟ ଧରିଲା ଜଳଦ ଅଵା,
 
   ସଜ୍ଜିତ ପୀଠେ ହୋଇଲେ ଉଭା
   ସେଇ ଚିନ୍ତିତ ଵୀର,
    ଅଭୟ ଵରଦ ଶ୍ରୀକର ଟେକି
     ବେଗ-ଉଦ୍‌ବେଗ
   ଜନତା ଦେଖି କହିଲେ
   ରହିଚି ଆହୁରି ବାକି ଆଗେ ପଥ ବହୁ ଦୂର ।
  
ଚାଲ, ଚାଲ, ଆଜି ଚାଲ ରେ ବେଗେ,
ଭିକ୍ଷା ଯା ମାଗୁଛ ଲଜ୍ଜା ଲାଗେ,
ମାନଵ ଭିତରେ ଦେଵତା ଜାଗେ,
ରମଣୀ ଭିତରେ ରମା,
ଉନ୍ନତ କର ଆନତ ଶିର
ଏଇ ତୋ ବିଜୟ-ପତାକା ଧର,
ଭୁଲ ତୋ ଭିତରେ ଆପଣା ପର,
ଛାଡ଼ ବନ୍ଧନ ସୀମା ।

ଏଇ ମାଟିତଳ ଦଳିତ ଜାତି,
ଏଇ ଧରଣୀର ଗଭୀର ରାତି,
ଏଇ ଏ ଜାତିର ପତଳା ଛାତି,
ଏଇ ମାଟିଘେରା ଗାଆଁ,
ଏଇ ଜନତାର ଏକଇ ଡାକେ
ଭେଦି ଗିରିଵନ ଦିଗ୍‌ଵିଦିକେ
ନଵ କଳେଵର ନଵୀନ ଲୋକେ
ବାରେ ତୁ ଆଗକୁ ଚାହାଁ ।

ଏଇ ଯେ ଗାଆଁର ଗରିବ ‘ବିନ’,
ଏଇ କୁଡ଼ିଆର ‘ସୁଦୁରୀ’, ‘ଘନ’,
ଏଇ କୁଲି, ଏଇ ବାଉରି, ପାଣ,
ଏଇ ଭିକାରୁଣୀ ବୁଢ଼ୀ,
  ଏଇ ତୋ ଜାତିର ଅସ୍ଥିମଜ୍ଜା
   ନଵୀନ ଜୀଵନେ କର ତୁ ତାଜା,

ପର ବୋଲେ ତୁହି ନିଜେ ନ ହଜା,
ମରିବୁ ଅକୂଳେ ବୁଡ଼ି ।
କରତାଳି ତାଳ ଉଠିଲା ନାଡ଼ି;
ସନ୍ଧାନ କଲେ ସଵ୍ୟସାଚୀ
  ପ୍ରତି ମନ ତଳେ ବଚନ ଯୋଡ଼ି,
ବିଜୁଳି ଖେଳିଲା ସତେ !

ଦେଲେ ହୁଳହୁଳି ରମଣୀକୁଳ,
ଚମକିଲା ନର-ସାଗର କୂଳ,
ସେଇ ସମାକୁଳ ଭକ୍ତକୁଳ
ବନ୍ଦିଲେ ଯୋଡ଼ ହାତେ ।

ସେ ସଭା ପ୍ରାନ୍ତେ ଦୁଇଟି ବୁଢ଼ୀ
ପଳିତ ଗଣ୍ଡେ ଲୋତକ ଢାଳି
ଯୋଡ଼ି କରଯୁଗ କହିଲେ ଖାଲି
ଆହା ଲୋ ଭଉଣୀ ମୋର,
ଏଇ ଯେ ବେଦୀରେ ବସିଚି ଵର
ଏ ଵର ନୁହେ ତ ଜଣେ କାହାର,
କାହା ହୃଦମଣି କାହା ଦୋସର
  ସବୁରି ଚିତ୍ତଚୋର !!

............................................................

Tuesday, November 16, 2021

ଶବ୍ଦଭେଦୀର ଜୀଵନ(୨) — ମୃଗତୃଷ୍ଣା


ଆଜକୁ ପ୍ରାୟ ସତର ଅଠର ଵର୍ଷ ତଳେ(୨୦୦୩-୨୦୦୪ ଶିକ୍ଷାଵର୍ଷ) ମୁଁ କନ୍ତିଓ ପୁଟସାହି ଗ୍ରାମପଞ୍ଚାୟତର ଉଚ୍ଚ ଵିଦ୍ୟାଳୟରେ (ନଵମ ଶ୍ରେଣୀରେ) ପାଠ ପଢୁ଼ଥାଇ । ସେତେବେଳେ ଆମର ଭୂଗୋଳ ଶିକ୍ଷକ ଥାଆନ୍ତି ୰ଶ୍ରୀରଵିନ୍ଦ୍ର ସାହୁ ମହାଶୟ । ଥରେ ଶ୍ରେଣୀଗୃହରେ ମରୁଭୂମି କଥା ପଡ଼ିଥାଏ ଏଵଂ ଶିକ୍ଷକ ମହାଶୟ ଏ ଵିଷୟରେ ବୁଝାଉଥାଆନ୍ତି । ସାହାରା ମରୁଭୂମିର କଥା ପଡ଼ିଥିଲା କିନ୍ତୁ ହଠାତ୍ ରଵି ସାର୍ ଆମ୍ଭମାନଙ୍କ ଆଡ଼କୁ ଅନାଇ ପଚାରିଲେ ଆଚ୍ଛା କହିଲ ପିଲେ ‘ମୃଗତୃଷ୍ଣା’ର ଅର୍ଥ କ'ଣ ?

କନ୍ତିଓ ପୁଟସାହି ଉଚ୍ଚ ଵିଦ୍ୟାଳୟ ଗ୍ରାମାଞ୍ଚଳରେ ଅଵସ୍ଥିତ ପୁଣି ସେଥିରେ ଯେଉଁମାନେ ସେତେବେଳେ ପାଠ ପଢୁ଼ଥିଲେ ତନ୍ମଧ୍ୟରୁ ଜଣେ ଅଧେକୁ ଛାଡି଼ଦେଲେ ଅନ୍ୟମାନେ ପ୍ରାୟ ପାଠବହି ଛଡ଼ା ଅନ୍ୟ ବହି ପଢୁ଼ଥିଵେ କି ନାହିଁ ସନ୍ଦେହ  । ତେବେ ରଵି ସାର୍ ଭାବିଲେ ଯେହେତୁ ମୋର ଭୂଗୋଳ ଇତିହାସରେ ଭଲ ନମ୍ବର ରହୁଥିଲା କାଳେ ମୋତେ ଏହାର ଉତ୍ତର ଜଣାଥିଵ ତେଣୁ ସେ ମୋତେ ପଚାରିଲେ କିନ୍ତୁ ମୁଁ ଏହାର ଉତ୍ତର ଆଦୌ ଜାଣିନଥିଲି ।

ସେତେବେଳେ ଅଶିରୁ ଅଧିକ ଛାତ୍ରଛାତ୍ରୀ ନଵମ ଶ୍ରେଣୀରେ ପଢୁ଼ଥିଲେ କିନ୍ତୁ କେହି ମଧ୍ୟ ମୃଗତୃଷ୍ଣା ଶବ୍ଦର ଅର୍ଥ ଜାଣିନଥିଲେ । କାହାକୁ ବି ମୃଗତୃଷ୍ଣା ଶବ୍ଦର ଅର୍ଥ ଜଣାନଥିଵା ଦେଖି ଶିକ୍ଷକ ମହୋଦୟ ଟିକିଏ ନିରାଶ ହେଲେ କିନ୍ତୁ ସେ ସେଦିନ ଶ୍ରେଣୀଗୃହରେ ଏହି ଶବ୍ଦର ଅର୍ଥ ମରିଚୀକା ବୋଲି ସମସ୍ତଙ୍କୁ ଜଣାଇଥିଲେ ।‌

ଏହି ଘଟଣାଟି ମୋର ଅନ୍ୟ ସହପାଠୀମାନଙ୍କର ହେତୁ ଅଛି କି ନାହିଁ ଜାଣିନାହିଁ ତେବେ କେଜାଣି କାହିଁକି ଏହା ମୋର ଆଜି ବି ମନେଅଛି । ଉଚ୍ଚ ଵିଦ୍ୟାଳୟରେ ପଢୁ଼ଥିଵା ସମୟରେ ମୋର ଵିଭିନ୍ନ ଶବ୍ଦ ଵିଷୟରେ ଜାଣିଵାର ଆଗ୍ରହ ପୂର୍ଵାପେକ୍ଷା ବଢି଼ଯାଇଥିଲା । ମାତ୍ର ସେ ସମୟରେ ମୋ ପାଖରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଭଳି କୌଣସି ଅଭିଧାନ ନଥିଲା କି ତାହା କେମିତି ଅତି ଆଵଶ୍ୟକ କେହି ହୃଦୟଙ୍ଗମ କରାଇନଥିଲେ ।

ଅଵଶ୍ୟ ଉଚ୍ଚ ଵିଦ୍ୟାଳୟରେ ଥରେ ସାହିତ୍ୟ ଶିକ୍ଷକ ଶ୍ରୀଶିଵ ରଥ ମହାଶୟ ଗୋଟିଏ ଶବ୍ଦର ଉଲ୍ଲେଖ କରିଥିଲେ । କିନ୍ତୁ ଶ୍ରୀଶିଵ ରଥ ମହାଶୟଙ୍କ ଦ୍ଵାରା ପ୍ରଦତ୍ତ ଉକ୍ତ ଶବ୍ଦ ଆଉ ମନେ ପଡୁନାହିଁ  ହେଲେ ତାହାର ଅର୍ଥ ମନେ ଅଛି “ହଠାତ୍ ଶାଶୁମାଆଙ୍କୁ ନିଜ ସମ୍ମୁଖରେ ଦେଖି ଜ୍ବାଇଁ ନିଜ ଅସଜଡା଼ କେଶ ତଥା ପୋଷାକ ପତ୍ର ସଜାଡି଼ ନେଵା” । 

ସେହି ଵିସ୍ମୃତ ହୋଇଯାଇଥିଵା ଶବ୍ଦ ଓ ତାହାର ଅର୍ଥ କହି ଶିଵ ସାର୍ ଏହି ଭଳି ହଜାର ହଜାର ଶବ୍ଦ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପାଇପାରିଵ ବୋଲି ଆମକୁ କହିଥିଲେ । ମୋର ଝାପ୍ସା ମନେ ପଡୁଛି କେହି ଜଣେ ତାହା କେଉଁଠି ମିଳିଵ ପଚାରିଵାରୁ ସାର୍ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଆକାର ବହୁତ ବଡ଼ ,ମୂଲ୍ୟଵାନ ଓ ସହଜରେ ମିଳୁନଥିଵା କହିଥିଲେ । ସୌଭାଗ୍ୟକୁ ଆଜି ଅନ୍ତର୍ଜାଲରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପିଡିଏଫ୍ ଆକାରରେ ଉପଲବ୍ଧ ଅଛି ।

ସମ୍ଭଵତଃ ଶିଵ ସାର୍ ଯେଉଁ ଶବ୍ଦଟି ଆମକୁ ସେତେବେଳେ କହିଥିଲେ ତାହା “ଆଡ଼ଆଡ଼ ହେଵା” ହୋଇଥାଇପାରେ । ୨୦୦୪ ସମୟରେ ଯେତେବେଳେ ଶିଵ ସାର୍ ଆମକୁ ପଢ଼ାଉଥିଲେ ସେତେବେଳେ ଅନ୍ତର୍ଜାଲର ଵ୍ୟଵହାର ଆଜିଭଳି ନଥିଲା ତେଣୁ ସେ ଯଥା ସମ୍ଭଵ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ କୌଣସି ପାଠାଗାରରେ କିଂଵା କାହାଘରେ ପାଇ ପଢି଼ଥିଵେ ଏଵଂ ପ୍ରାରମ୍ଭିକ କିଛି ପୃଷ୍ଠା ଆଡେ଼ଇଵା ମଧ୍ୟରେ ଏହି ଆଡ଼ ଆଡ଼ ହେଵା କ୍ରିୟାଶବ୍ଦଟି ତାଙ୍କର ଦୃଷ୍ଟିଗୋଚର ହୋଇଥିଵ ।‌ ମାତ୍ର ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ “ଆଡ଼ ଆଡ଼ ହେଵା” କ୍ରିୟାର ପାଞ୍ଚ ଛଅ ଗୋଟି ଅର୍ଥ ମଧ୍ୟରେ ଗୋଟିଏ ଅର୍ଥ ଲେଖାଅଛି 

“ଲଜ୍ଜା , ଭୟ , ଅଭିମାନ କିଂଵା ସମ୍ଭ୍ରମ ଯୋଗୁଁ କୌଣସି ଵ୍ୟକ୍ତିଙ୍କ ସାମନାରେ ଵା ମୁହାଁମୁହିଁ ଠିଆ ନ ହୋଇ ସଙ୍କୋଚଯୁକ୍ତ ଓ ଏକପାଖିଆ ହେଵା । ଆମ ସମାଜରେ ଵୋହୂ ଶାଶୁ ଆଦି ଗୁରୁଜନଙ୍କୁ ଦେଖିଲେ ଆଡ଼ଆଡ଼ ହୁଏ।”

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଆଡ଼ ଆଡ଼ ହେଵା କ୍ରିୟା ଵିଷୟରେ ଥିଵା ଦ୍ରଷ୍ଟଵ୍ୟରେ ଶାଶୁ ଓ  ସମ୍ଭ୍ରମ ଶବ୍ଦର ଉଲ୍ଲେଖରୁ ମୋର ହୃଦବୋଧ ହେଉଛି ଯେ ହୁଏତ ଆମର ସାହିତ୍ୟ ଶିକ୍ଷକ ଶ୍ରୀଶିଵ ରଥ ମହାଶୟ ଏହି ଶବ୍ଦଟି ମନେ ରଖିଥିଲେ ଓ ଆମକୁ ଜଣାଇଵା ସମୟରେ ଅର୍ଥ ସାମାନ୍ୟ ଭିନ୍ନ ହୋଇଯାଇଥିଲା ।

ଏମନ୍ତ ମଧ୍ୟ ହୋଇପାରେ ଯେ ଶିଵ ସାର୍ କହିଥିଵା ଶବ୍ଦଟି କୌଣସି ଭିନ୍ନ ଶବ୍ଦ ହୋଇଥିଵ କିନ୍ତୁ ମୋ ମନ କହୁଛି ତାହା ଆଡ଼ ଆଡ଼ ହେଵା ହିଁ ହୋଇଥିଵ ।

ତେବେ ସେ ଯାହା ହେଉ ଶିଵ ସାର୍ ଯେଉଁ ଶବ୍ଦଟି ଵିଷୟରେ ୨୦୦୪ ସମୟରେ କହିଥିଲେ ତାହାର  ଅର୍ଥ ମନେ ଥିଲେ ବି ଆଜି ମୁଁ  ସେ ଶବ୍ଦକୁ ଭୁଲି ଯାଇଛି ଏଵଂ ତାହା “ଆଡ଼ ଆଡ଼ ହେଵା” ହୋଇଥାଇପାରେ ବୋଲି ସନ୍ଦେହ କରୁଛି ।

ମାତ୍ର ରଵି ସାର୍‌ଙ୍କ ଦ୍ଵାରା ପ୍ରଥମେ ପରିଚିତ ହୋଇଥିଵା ମୃଗତୃଷ୍ଣା ଶବ୍ଦ ମୋର ମନେ ରହିଯାଇଛି । କୌଣସି ଶବ୍ଦ ବହୁ ପ୍ରଚଳିତ ହୋଇଥିଲେ ଵା ବାରମ୍ବାର ଵ୍ୟଵହାର କରୁଥିଲେ ତାହା ଆପେ ମନେ ରହିଯାଏ । ମୃଗତୃଷ୍ଣା ଶବ୍ଦକୁ ଓ ଏହାର ଅର୍ଥକୁ ଜାଣିଵାପରେ ମୁଁ ଅନେକ ସ୍ଥାନରେ ତାହାର ଵ୍ୟଵହାର କରିଥିଲି । ଶିକ୍ଷକ ଯେଉଁ ପାଠ ଦେଉଥିଲେ ସେଥିରେ ମଧ୍ୟ ସୁଯୋଗ ଉଣ୍ଡି ଏ ଶବ୍ଦ ଵ୍ୟଵହାର କରୁଥିଲି ତେଣୁ ତାହା ମନେ ରହିଛି ।‌

ଆଜି ଅନ୍ତର୍ଜାଲରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଉପଲବ୍ଧ ହେଵା ଯୋଗୁଁ ଏ ଅକିଞ୍ଚନ ଏହି ମୃଗତୃଷ୍ଣା ଶବ୍ଦ ଓ ଏହାର ପ୍ରତିଶବ୍ଦ ସମ୍ବନ୍ଧରେ ଅନେକ କଥା ଜାଣିପାରିଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ମୃଗତୃଷ୍ଣା ଶବ୍ଦଟି ବହୁଵ୍ରୀହି ସମାସ ଆଧାରରେ ମୃଗର ଯାହା ତୃଷ୍ଣା ଜନ୍ମାଏ ଏହି ଅର୍ଥରେ ସୃଷ୍ଟି ହୋଇଅଛି । Mirage ଅର୍ଥରେ ମୃଗତୃଷ୍ଣିକା,ମୃଗତୃଟ୍,ମୃଗତୃଷ୍ମା ଓ ମୃଗତୃଷ୍ଣି ଆଦି ଶବ୍ଦ ମଧ୍ୟ ଵ୍ୟଵହାର ହୋଇଥାଏ ।

ମୃଗତୃଷ୍ଣା ଶବ୍ଦଟି ଓଡ଼ିଆ ଭାଷାରେ ଗୋଟିଏ ସାହିତ୍ୟିକ ଶବ୍ଦ ଭାବେ ଵ୍ୟଵହୃତ ହୋଇଥାଏ ଏଵଂ କଥିତ ଓଡ଼ିଆ ଭାଷାରେ ସେତେ ଵ୍ୟଵହାର ହୋଇନଥାଏ ।  ଜଗନ୍ନାଥ ଦାସ ତ ଓଡ଼ିଆ ଭାଗଵତରେ ଏ ଶବ୍ଦକୁ ଅନେକ ଥର ଵ୍ୟଵହାର କରିଛନ୍ତି
ଯଥା—

ଏ ଦୁଃଖ-ସୁଖ-ରୂପ-ଗର୍ତ୍ତେ ।
ଵିଷୟା-ମୃଗତୃଷ୍ଣା ପଥେ ।।
(ଚତୁର୍ଥ ସ୍କନ୍ଧ)

କ୍ଷୁଧାପୀଡି଼ତ ଯେବେ ହୋଇ ।
ନିଷ୍ଫଳ-ଵୃକ୍ଷକୁ ଧାମଇଁ ।।
କେବେ ଵା ମୃଗତୃଷ୍ଣା ଦେଖି ।
ତୃଷାରେ ଧାମଇଁ ନିରେଖି ।।
(ପଞ୍ଚମ ସ୍କନ୍ଧ)

ତୋ ମାୟା-ସଂସାର-ସାଗରେ ।
ସ୍ୱପ୍ନ ମୃଗତୃଷ୍ଣା ପ୍ରକାରେ ।
(ସପ୍ତମ ସ୍କନ୍ଧ)

ଏ ମୃଗତୃଷ୍ଣା ପ୍ରାୟ ରାଜ୍ୟ ।
ଏଣେ ଆମ୍ଭର ନାହିଁ କାର୍ଯ୍ୟ ।
(ଦଶମ ସ୍କନ୍ଧ)

ଚିଲିକା ଖଣ୍ଡକାଵ୍ୟରେ ମୃଗତୃଷ୍ଣା ଶବ୍ଦର ପ୍ରୟୋଗରେ
କଵିଵର ରାଧାନାଥ ରାୟ ଲେଖିଲେ

“ବସ୍ତୁ ନୁହଇ ସେ ଅଟଇଟି ଧୂମ,
ଅନ୍ୟନାମ ତାର ଆକାଶ କୁସୁମ,
ତୋହରି ପୁଳିନେ ମୃଗତୃଷ୍ଣା ପ୍ରାୟେ,
ମନ ମୃଗକୁ ସେ ଜଗତ ଭ୍ରମାଏ ।”

ସ୍ଵଭାଵକଵି ଗଙ୍ଗାଧର ମେହେର ତପସ୍ଵିନୀ କାଵ୍ୟରେ ଏ ଶବ୍ଦର ଵ୍ୟଵହାରରେ ଲେଖିଛନ୍ତି ...

“ସୁଖ-ଵିଷୟ-ଭୋଗ ତୃଷ୍ଣାର ପରି
ସଞ୍ଜାର କଲା ମୃଗତୃଷ୍ଣା ସୁନ୍ଦରୀ,
ତୂଳା ଉଡ଼ିଲା ତେଜି ଶାଳଳୀ ତରୁ;
କୃପଣ ଧନ କାଳେ ଉଡ଼େ ଖାତରୁ ।।”

‘ନିର୍ଝରିଣୀ’ରେ  ନନ୍ଦକିଶୋର ବଳ ମଧ୍ୟ ମୃଗତୃଷ୍ଣା ଶବ୍ଦ ପ୍ରୟୋଗ କରିଛନ୍ତି...

“ଵିରାଟ ସେ ଦେଶ ନ ମିଳେ ଜଳ
ହସି ମୃଗତୃଷ୍ଣା ଦେଖାଏ ଛଳ।”

ସୂର୍ଯ୍ୟକିରଣରେ ହେଉଥିଵା ଜଳଭ୍ରମକୁ ଇଂରାଜୀରେ Mirage ତଥା କଥିତ ଓଡ଼ିଆ ଭାଷାରେ ଖରାନାଚ କୁହାଯାଏ ‌। କେହି କେହି ଭାରତୀୟ ଭାବନ୍ତି ଯେ ଇଂରାଜୀର Mirage ଶବ୍ଦଟି ମରୀଚିକା ଶବ୍ଦରୁ ଗୃହୀତ କିନ୍ତୁ ଏହା ଏକ ଭ୍ରମ ଧାରଣା । ପ୍ରକୃତରେ Mirage ଶବ୍ଦଟି ଫ୍ରେଞ୍ଚ୍ ଭାଷାରୁ ନିଆଯାଇଛି ଏଵଂ mirer +ତଥା -age ଶବ୍ଦ ଯୁକ୍ତ କରି ଏ ଶବ୍ଦ ସୃଷ୍ଟି ହୋଇଛି । mirerର ଅର୍ଥ  ଝଅଟ୍ ଦେଖିଵା ତଥା ଅନେଇ ରହିଵା ଓ -age ଏକ ଫ୍ରେଞ୍ଚ୍ ପ୍ରତ୍ୟୟ ଯାହା କାର୍ଯ୍ୟ କରିଵା ଅର୍ଥରେ ଆଗେ  ପ୍ରୟୋଗ ହେଉଥିଲା ।

ତେବେ ଓଡ଼ିଶାରେ ମୃଗତୃଷ୍ଣା ଅପେକ୍ଷା ମରୀଚିକା ସହିତ ଅନେକ ଲୋକ ପରିଚିତ । ମୃଗତୃଷ୍ଣାକୁ  ମରୀଚିଜଳ ଓ ମରୀଚିତୋୟ ମଧ୍ୟ କୁହାଯାଏ ଏଵଂ ଏ ସବୁ ଶବ୍ଦ ମଧ୍ୟରେ ଥିବା ମରୀଚି ଶବ୍ଦର ଅର୍ଥ କିରଣ ଅଟଇ ।  ଗ୍ରୀଷ୍ମକାଳରେ ଜଳଶୂନ୍ୟ ବାଲୁକାମୟ ମରୁଭୂମିରେ ପ୍ରଖର ସୂର୍ଯ୍ୟରଶ୍ମି ପତିତି ଓ ପ୍ରତିଫଳିତ ହୋଇ ତାହା ଦୂରରୁ ସ୍ବଚ୍ଛ ଜଳାଶୟ ପରି ପ୍ରତୀୟମାନ ହୁଏ । ତୃଷାର୍ତ୍ତ ମୃଗମାନେ ଓ ପିପାସାରେ ଶୁଷ୍କକଣ୍ଠ ପଥିକମାନେ ଜଳପାନ ଆଶାରେ ତଦ୍‌ଭିମୁଖରେ ଯେତିକି ଯେତିକି ଧାଵମାନ ହେଉଥାନ୍ତି, ତାହା ତେତିକି ତେତିକି ଦୂରକୁ ଘୁଞ୍ଚିଯିଵା ପରି ଦେଖା ଯାଉଥାଏ । ଫଳତଃ ଅଵଶେଷରେ ଉକ୍ତ ହତଭାଗ୍ଯ ଜୀଵ ଵା ଜୀଵଗଣ କ୍ଳାନ୍ତ ଓ ପିପାସାର୍ତ୍ତ ହୋଇ ମରିଯାଆନ୍ତି । ଏଥିପାଇଁ ପ୍ରଲୋଭନ ଵା ଵୃଥା ଆଶାକୁ ଲୋକେ ମୃଗତୃଷ୍ଣା ମରୀଚିକା ଵା ଖରାନାଚ  ସଙ୍ଗେ ତୁଳନା କରିଥାନ୍ତି  । ଫଳତଃ ଆମ ଭାଷାରେ ମୃଗତୃଷ୍ଣା ଶବ୍ଦଟି ଲକ୍ଷଣାର୍ଥ ଵୃଥା ଆଶା ଦେଖାଇଵାର ଛଳନା ଅର୍ଥରେ ସୁଦ୍ଧା ଵ୍ୟଵହାର ହୋଇଥାଏ ।

ଆଉ ଏକ ପ୍ରକାରର ମରୀଚିକା ରହିଛି । ଏହି ଧରଣର ମରୀଚିକାକୁ ମୃଗତୃଷ୍ଣା ନକହି ଚନ୍ଦ୍ରାଭାସ(ଚନ୍ଦ୍ର+ଆଭାସ) କୁହାଯାଏ ।  ଚନ୍ଦ୍ର ପରି ଆକାଶରେ ବେଳେ ବେଳେ ଦେଖାଯିଵା ଆଭାସକୁ ଚନ୍ଦ୍ରାଭାସ କୁହାଯାଏ । ସାଧାରଣତଃ ଏଭଳି ଆଭାସ ମେରୁ ପ୍ରଦେଶରେ ବରଫ ପ୍ରତିଫଳନ ଯୋଗୁଁ ହୋଇଥାଏ । ଏଥିଯୋଗୁଁ ଦୁଇଟି ଚନ୍ଦ୍ର ଵା ଦୁଇଗୋଟି ସୂର୍ଯ୍ୟ ଆକାଶରେ ଥିଵା ପ୍ରତୀତ ହୋଇଥାଏ ।‌

ପୁଣି ମେରୁପ୍ରଦେଶର Aurora Borealis ଵା Northern Lights ଭଳି ସାମୟିକ ଆଲୋକପୁଞ୍ଜ ମେରୁଜ୍ଯୋତିକୁ ସଂସ୍କୃତ ଗ୍ରନ୍ଥମାନଙ୍କରେ ଗନ୍ଧର୍ଵପୁର , ଗନ୍ଧର୍ଵନଗର ,ଗଗନପୁର, ହରିଶ୍ଚନ୍ଦ୍ରପୁର ଓ ଖପୁର କଳ୍ପନା କରାଯାଇଛି ଏମନ୍ତକି  ମହାଭାରତରେ ମଧ୍ୟ ଏହାକୁ ଗନ୍ଧର୍ଵମାନଙ୍କର ଵାସସ୍ଥାନ ଅଭିହିତ କରାଯାଇଛି । ସୂର୍ଯ୍ୟଠାରୁ ନିର୍ଗତ ଜୀଵନହାରିଣୀ ସୌରତରଙ୍ଗ(ପ୍ରକୃତରେ ଏହା ଦୁଇଧାରିଆ ଖଣ୍ଡା କାରଣ ସୌରତରଙ୍ଗ ସୌରମଣ୍ଡଳକୁ ପ୍ରଵେଶ କରିଵାକୁ ଚେଷ୍ଟା କରୁଥିଵା ଗାମା ରେଡିଏସନ୍ ଭଳି ଵିଷାକ୍ତ ତତ୍ତ୍ଵକୁ ସୌରଜଗତଠାରୁ ଦୂରେଇ ରଖେ ତେଣୁ ଏହା ଏକ ଦୃଷ୍ଟିରୁ ଜୀଵନଦାୟିନୀ ମଧ୍ୟ)  ସହ ପୃଥିଵୀର ଚୁମ୍ବକୀୟ ଵଳୟର ସଂଘର୍ଷ ଯୋଗୁଁ ଏହା ସୃଷ୍ଟି ହୋଇଥାଏ । ପୃଥିଵୀରେ ଏଭଳି ଅନେକ ମିଥ୍ୟା ଆଭାସ ଵା Mirage ରହିଛି ଯାହା ଦେଖିଦେଲେ ଅନେକେ ଭୟଭୀତ ହୋଇଯାଆନ୍ତି ।  Fata Morgana ନାମକ ମିଥ୍ୟା ଆଭାସ ସମୁଦ୍ର ତଥା ମରୁଭୂମି ମଧ୍ୟରେ ଦୃଶ୍ୟ ହୋଇଥାଏ । ଏହା ଏକ ଜାତୀୟ superior mirage ଓ ଭୟଙ୍କର । ଇଂଲଣ୍ଡରେ ଲୋକପ୍ରିୟ ଆର୍ଥର ଦନ୍ତକଥାର ନକାରାତ୍ମକ ଚରିତ୍ର Morgan le Fayର ନାମ ଆଧାରରେ ଏହି ଜାତୀୟ ମିଥ୍ୟା ଆଭାସର ନାମକରଣ ହୋଇଛି । ସେହିପରି Sundog,Brocken Spectre,Magnetic Hill ,Light Pillars,Water Sky,Green Flash,Omega Sun ଭଳି ଅନେକାନେକ Mirage ରହିଛି ଏଵଂ ଏଭଳି ଅନେକ ମିଥ୍ୟା ଆଭାସ ବହୁତ ଵିରଳ ଯାହା ଅନେକ ମାନଵ ନିଜ ଜୀଵନକାଳରେ କେବେ ଦେଖିନାହାନ୍ତି  ।

ଏଯାଵତ୍ ଆଲୋଚନାରୁ ଆମେ ଜାଣିଲେ ଯେ ଅନେକ ଜାତୀୟ Mirage ଵା ମରୀଚିକା ଅଛି ଵା ଏ ପୃଥିଵୀପୃଷ୍ଠରେ ମନୁଷ୍ୟାଦି ଜୀଵଙ୍କୁ ଦୃଶ୍ୟ ହୋଇଥାଏ ତେବେ ମରୁମରୀଚିକା ଵା ଖରାନାଚକୁ ମୃଗତୃଷ୍ଣା କାହିଁକି କୁହାଯାଏ ?

ପୁରାଣରେ ଅଛି ଯେ ଗୋଟିଏ ଶଶକ ଗଳ୍ପାନ୍ତରରେ ମୃଗ ତୃଷ୍ଣାର୍ତ୍ତ ହୋଇ ମରୀଚିକା ଭ୍ରମରେ ଚନ୍ଦ୍ରଙ୍କୁ କିମ୍ବା ଚନ୍ଦ୍ରକିରଣ ଆଭାସିତ ମରୁପ୍ରାନ୍ତରକୁ ଗୋଟିଏ ଜଳାଶୟ ବୋଲି ମନେକରି ଜଳ ପାନ କରିଵାପାଇଁ ଦଉଡ଼ି ଦଉଡ଼ି ଯାଇ ଦେଖିଲା ଯେ ସେଠାରେ ପାଣି ନାହିଁ। ଏହା ଦେଖି ଶଶକର ହଂସା ଉଡ଼ିଗଲା ଓ ସେ ମରିଗଲା। ତାଙ୍କଠାରେ ଆଶା ରଖି ଶଶକ ପ୍ରାଣ ହରାଇଥିଵାରୁ ସେହି ଶଶକଟି ଛନ୍ଦ୍ରଙ୍କ ଦେହରେ କଳଙ୍କରୂପ ଲାଗିରହିଲା ଏବଂ ସେହିଦିନଠାରୁ ଚନ୍ଦ୍ର ଶଶାଙ୍କ ହେଲେ। ଏହି କାହାଣୀକୁ ଉପଲକ୍ଷ କରି ଚନ୍ଦ୍ରାଭାସ ଓ ମୃଗତୃଷ୍ଣା ଶବ୍ଦଟି ସୃଷ୍ଟି ହୋଇଥାଇପାରେ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଶବ୍ଦଗୁରୁ ଶ୍ରୀଗୋପାଳଚନ୍ଦ୍ର ପ୍ରହରାଜ ମହାଶୟ ଅନୁମାନ କରିଅଛନ୍ତି ।

କିନ୍ତୁ,  ତୃଷ୍ଣା ଶବ୍ଦ ସହିତ ଅନ୍ୟ କୌଣସି କାରଣରୁ ମଧ୍ୟ ମୃଗ ଶବ୍ଦ ଲାଗିଥାଇପାରେ କି ? କ'ଣ ମୃଗ ଶବ୍ଦର ହରିଣ ଛଡ଼ା ଅନ୍ୟ କୌଣସି ଅର୍ଥରେ ମଧ୍ୟ ଵ୍ୟଵହାର ରହିଛି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମୃଗ ଶବ୍ଦର ହରିଣ,ପଶୁ, ଯେକୌଣସି ଜନ୍ତୁ,ପ୍ରାର୍ଥନା; ଯାଚ୍ଞ୍ଜା ଵା ଭିକ୍ଷା,କପାଳରେ ଶୁଭ୍ର ଚିହ୍ନଯୁକ୍ତ ଥିଵା ହସ୍ତୀ,ଵୈଷ୍ଣଵମାନଙ୍କ କପାଳରେ ଧୃତ ତିଳକଚିହ୍ନର ପ୍ରକାର ଭେଦ (ଏହା ହରିଣ ଶିଙ୍ଗ ପରି ଦୋକନା),ମାର୍ଗଶୀର୍ଷ ମାସ,ମୃଗଶିରା ନକ୍ଷତ୍ର,ମକର ରାଶି, ଏକ ଜାତୀୟ ଯଜ୍ଞଵିଶେଷ,ମୃଗନାଭି ଵା କସ୍ତୂରୀ,ଅନ୍ବେଷଣ, ତତ୍ତ୍ବାନୁସନ୍ଧାନ ,ଶିକାର ଵା ମୃଗୟା ଓ ବିନ୍ଦୁ ଶାସ୍ତ୍ର ଵର୍ଣ୍ଣିତ ଚାରି ଜାତିର ପୁରୁଷ ମଧ୍ୟରୁ ଏକ ଜାତି ଆଦି ଅର୍ଥ ଉଲ୍ଲେଖ ରହିଛି ।

ସମ୍ଭଵତଃ ମୃଗ ଶବ୍ଦର ପ୍ରୋକ୍ତ ସମସ୍ତ ଅର୍ଥ ମଧ୍ୟରେ ଅନ୍ବେଷଣ ଵା  ତତ୍ତ୍ବାନୁସନ୍ଧାନ ଅର୍ଥକୁ ଗ୍ରହଣ କରି ତାହା ତୃଷ୍ଣା ଶବ୍ଦ ସହିତ ଯୁକ୍ତ କରାଯାଇ  ମୃଗତୃଷ୍ଣା ଶବ୍ଦଟି ସୃଷ୍ଟି ହୋଇଥାଇପାରେ । ଏମନ୍ତ ହୋଇପାରେ ଯେ ନିଜର ତୃଷ୍ଣା ମେଣ୍ଟାଇଵା ପାଇଁ ମରୁଭୂମି ମଧ୍ୟରେ ଜଳର ଅନୁସନ୍ଧାନ କରୁଥିଵା କୌଣସି ମୃଗକୁ ଦେଖି ଵା କଳ୍ପନା କରି କେହି ଏଭଳି ଏକ ଶବ୍ଦ ସୃଷ୍ଟି କରିଥିଲେ ଏଵଂ ତାହା ପରଵର୍ତ୍ତୀ କାଳରେ ଏକ ସର୍ଵଭାରତୀୟ ଶବ୍ଦରେ ପରିଣତ ହୋଇପାରିଛି ।

କ୍ରମଶଃ...

Thursday, November 4, 2021

ଓଡ଼ିଶାର ପିମ୍ପେଇ ଅମାଵାସ୍ୟା


କାର୍ତ୍ତିକ ଅମାଵାସ୍ୟାକୁ ଓଡ଼ିଶାରେ ଆଜି ଅଧିକାଂଶ ଦୀପାଵଳି( ଅମାଵାସ୍ୟା),ଦିଆଲି ଓ ଦେଵାଲୀ ବୋଲି ଜାଣିଛନ୍ତି କିନ୍ତୁ ଏହାକୁ ଓଡ଼ିଶାରେ ପୟା ଅମାଵାସ୍ୟା,ପୟାଁ ଅମେଇସା ଓ ବଡ଼ବଡ଼ିଆଡକା ଉଆଁସ ମଧ୍ୟ କୁହାଯାଏ । ଦକ୍ଷିଣ ଓଡ଼ିଶାରେ ଏହାକୁ ଫଟାକି ଉଆଁସ ମଧ୍ୟ କହିଥାନ୍ତି । ତେବେ ଏହି କାର୍ତ୍ତିକ ଅମାଵାସ୍ୟାର ଆଉ ଏକ ଓଡ଼ିଆ ନାମ ପିମ୍ପେଇ ଅମାଵାସ୍ୟା ମଧ୍ୟ ରହିଛି  । ଏହି ପିମ୍ପେଇ ଅମାଵାସ୍ୟାରେ ବଡ଼ବଡ଼ୁଆ ଡାକିଲାବେଳେ ଆଵଶ୍ୟକ ପଡ଼େ ପିମ୍ପେଇ କାଠି(ଚିତ୍ର ସମୂହ ଦ୍ରଷ୍ଟଵ୍ୟ) । ଓଡ଼ିଶାରେ କାର୍ତ୍ତିକ ଅମାଵାସ୍ୟାରେ ଆୟୋଜିତ ପୟାଶ୍ରାଦ୍ଧର ଏହା ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଵିଶେଷ ।

ସାଧାରଣତଃ କାଉଁରିଆ କାଠି,ଝୋଟ,ବାଳୁଙ୍ଗା(ନୀଵାର ଧାନ୍ୟ)ଗଛ, ରାଶିଫୁଲ ଓ ସୁଆମ ଲଈ ଦେଇ ପ୍ରସ୍ତୁତ
ହୁଏ ଏହି ପିମ୍ପେଇ କାଠି । 

ପ୍ରଥମେ ଏହି ପିମ୍ପେଇ କାଠିକୁ ଦୁଆର କିଂଵା ଯେଉଁଠି ପୂର୍ଵପୁରୁଷଙ୍କୁ ପିଣ୍ଡ ବଢା଼ଯାଇଥାଏ ସେଠାକୁ ଅଣାଯାଏ ଏଵଂ ତହିଁର  ବନ୍ଦାପନା ପରେ ଗୃହର ଇଶାଣରେ ଵା ଇଷ୍ଟଦେଵଙ୍କ ନିକଟରେ ରଖି ମହିଳାମାନଙ୍କ ଦ୍ଵାରା ହୁଳହୁଳି ଆଦି ମଙ୍ଗଳଧ୍ଵନି ସହ ପୁଣି  ବନ୍ଦାପନା କରାଯାଏ ।

ତହିଁ ପରେ ଭିତରଘରେ ଵା ଇଶାଣଘରେ ଜଳୁଥିଵା ଦୀପଦ୍ଵାରା ସେଥିରେ ଅଗ୍ନି ସଂଯୋଗ ହୋଇଥାଏ ।  ପରିଵାର ତଥା କୁଟମ୍ଵର ଆତ୍ମୀୟ ସ୍ଵଜନ ଏଥିରୁ ଗୋଟାଏ ଗୋଟାଏ ଧରି ଦାଣ୍ଡକୁ ନିଅନ୍ତି ଓ ଯାଉଥିଵା ସମୟରେ ବଡ଼ବଡୁ଼ଆ ଡାକି ଡାକି ଯାଆନ୍ତି । ପୁଣି ଦାଣ୍ଡରେ ସମସ୍ତେ ନିଜ ନିଜ ପିମ୍ପେଇ କାଠି ରଖି ପୁନଶ୍ଚ ବଡ଼ବଡୁ଼ଆଙ୍କୁ ଡାକିଥାଆନ୍ତି ।

“ବଡ଼ ବଡ଼ୁଆ ହୋ ...
ଅନ୍ଧାରରେ ଆସି ଆଲୁଅରେ ଯାଅ
ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ
ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ”

ଅଞ୍ଚଳ ଭେଦରେ ଏହି ପରମ୍ପରା ଭିନ୍ନ ଭିନ୍ନ ଭାବରେ ପାଳିତ ହୋଇଥାଏ । କେଉଁଠି କେଉଁଠି ଦେଖାଯାଏ ଯେ ଲୋକେ କାଉଁରିଆ କାଠି ବିଡା଼ରେ ନିଆଁ ଧରାଇ ଗାଁ ବାହାରେ ଗୋବରରେ ଲିପା ହୋଇଥିଵା ଉଚ୍ଚସ୍ଥାନରେ ପଣସ ପତ୍ରରେ ନେଇ ପିଣ୍ଡ ବାଢି଼ଥାନ୍ତି । ସେଠାରେ ପିତୃପୁରୁଷଙ୍କୁ ଅତି ଶ୍ରଦ୍ଧାର ସହିତ ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ନୂଆବସ୍ତ୍ର ପିନ୍ଧି ଵିଦାୟ ସମ୍ବର୍ଦ୍ଧନା ଜଣାଇଥାନ୍ତି ।

ଆଉ କେତେକ ଅଞ୍ଚଳରେ
ପିମ୍ପେଇ ଅମାଵାସ୍ୟା ଦିନ ସନ୍ଧ୍ଯା ପରେ ପିଣ୍ଡଵର୍ଜ୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୁପ ଦୀପ ଅର୍ଥାତ୍ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଏଵଂ ତହିଁ ପରେ ବଡ଼ବଡୁ଼ଆ ଡକାଯାଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପିମ୍ପେଇ ଶ୍ରାଦ୍ଧର ଏହି ରୀତିଟି  ଉଲ୍ଲେଖ କରାଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦର
ଅନ୍ୟ ଅନେକ ରୂପର ମଧ୍ୟ ଲେଖାଅଛି ଯଥା—
ପିମ୍ପାଇ,ପିମ୍ପେଇ,ପିପାଇ,ପିପେଇ,ପିମ୍ପା ଶ୍ରାଦ୍ଧ,ପପୋଇ ଅମେଇସା, ପିମ୍ପା ଇଆଁଶ, ପିମ୍ପେଇ ଅମାସିଆ,
ଓ ପିମ୍ପାଇ ଅମାଇସା ଇତ୍ୟାଦି ଇତ୍ୟାଦି ।

ଭାଷାକୋଷ ଅନୁସାରେ ଏହି ପିପେଇ ଵା ପିମ୍ପେଇ ଶବ୍ଦଟି ତତ୍ସମ ପୂପାଳି କିଂଵା ପୂପଦୀପ ଶବ୍ଦ ସହିତ ସମୋଦ୍ଧୃତ । ପୂପ ଓ ଆଳୀ ଶବ୍ଦ ଯୁକ୍ତ ହୋଇ ପୂପାଳୀ ଶବ୍ଦର ସୃଷ୍ଟି । ପୂପ,ପୂପଳା ଓ ପୂପାଳୀ ଶବ୍ଦର ଅର୍ଥ ପିଠା ଏଵଂ ସାଧାରଣତଃ ଘିଅପିଠାକୁ ପୂପଳା ଓ ପୂପାଳୀ କୁହାଯାଏ । ଏହି ଜାତୀୟ ପିଠାକୁ ଆଜିକାଲି ଓଡ଼ିଶାରେ ପୁଳୀ ପିଠା କୁହାଯାଏ ଏଵଂ ପୁଳୀ ଶବ୍ଦଟି ପୂପାଳୀର ଓଡ଼ିଆ ସମୋଦ୍ଧୃତ ରୂପ ।

ଓଡ଼ିଆମାନଙ୍କ ମଧ୍ୟରେ ଲୋକଵିଶ୍ବାସ ପ୍ରଚଳିତ ଯେ ପିତୃପୁରୁଷମାନେ କୁମାର ପୂର୍ଣ୍ଣିମାଠାରୁ କାର୍ତ୍ତିକ ଅମାଵାସ୍ୟା ପର୍ଯ୍ୟନ୍ତ ମର୍ତ୍ତ୍ୟଲୋକରେ ବାସ କରି ନିଜ ଵର୍ତ୍ତମାନ ଵଂଶଜମାନଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ଅଵଲୋକନ କରିଥାନ୍ତି । ପୟାଶ୍ରାଦ୍ଧ ଦିନ ଘରେ ପିତୃପୁରୁଷଙ୍କ ନିମନ୍ତେ ସ୍ଵତନ୍ତ୍ର ଖାଦ୍ୟ ପ୍ରସ୍ତୁତ ହୁଏ । ଶ୍ରାଦ୍ଧ ପାଇଁ କଦଳୀ, ନଡି଼ଆ ତଥା ଚାଉଳ ଆଦିରେ ନୈଵେଦ୍ୟ ପ୍ରସ୍ତୁତ ହୁଏ । ଉଲ୍ଲେଖ ଯୋଗ୍ୟ ଯେ ପ୍ରାଚୀନ ନୌଵାଣିଜ୍ୟ ପରମ୍ପରା ସହିତ ପିମ୍ପେଇ ଅମାଵାସ୍ୟାର ମଧ୍ୟ ସମ୍ବନ୍ଧ ରହିଛି ।

ଆଗେ କାର୍ତ୍ତିକ ଅମାଵାସ୍ୟାରେ ସାଧଵମାନେ ଶ୍ରୀଲକ୍ଷ୍ମୀଙ୍କର ଆରାଧନା କରୁଥିଲେ । ତତ୍ପରେ କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀଠାରୁ ବୋଇତରେ ପଣ୍ଯଦ୍ରଵ୍ୟାଦି ସଞ୍ଚୟନ ଆରମ୍ଭ ହେଉଥିଲା । କାର୍ତ୍ତିକ ପୂର୍ଣ୍ଣିମା ଦିନ ସାଧଵ ତଥା ଅନ୍ୟ ବୋଇତିଆଳମାନେ ମାଆ ମଙ୍ଗଳାଙ୍କୁ ଗୁଆ,ଗୁଜରାତି,ଲବଙ୍ଗ ଓ ଅଳେଇଚ ଆଦି ଦରିଆପାରିରୁ ଘେନି ଆଣିଥିଵା ଦରଵମାନ ନୈଵେଦ୍ୟ ଅର୍ପଣ କରି ଶୁଭ ମନାସି ତହିଁ ପରଠାରୁ ନୌଯାତ୍ରା ଆରମ୍ଭ କରୁଥିଲେ ।
ତତ୍କାଳୀନ ଓଡ଼ିଶାର ସାଧଵମାନେ ବୋଇତ ନେଇ ଵର୍ହି ଵାଣିଜ୍ୟରେ ବାହାରି ଯାଉଥିଲେ ଏଵଂ ପୁନଃ ଵର୍ଷାଋତୁ ପୂର୍ଵରୁ ଫେରିଆସୁଥିଲେ ।

କେହି କେହି କୁହନ୍ତି ସେହି ବୋଇତ ପ୍ରତ୍ୟାଵର୍ତ୍ତନ ସମୟକାଳଟି ଵୈଶାଖ ପୂର୍ଣ୍ଣିମା ଵା ମହାଵିଷୁଵ ପଣା ସଂକ୍ରାନ୍ତି ଥିଲା ଫଳତଃ ଏହା ଏକ ଵୈଶ୍ଵିକ ଉତ୍ସଵରେ ପରିଣତ ହୋଇ ଅଧୁନା ଭାରତ, ଶ୍ରୀଲଙ୍କା,ଵର୍ମା, ମାଲେସିଆ, ଇଣ୍ଡୋନେସିଆ ଆଦି ଦକ୍ଷିଣ ତଥା ଦକ୍ଷିଣ ପୂର୍ଵ ଏସିଆର ଵିଭିନ୍ନ ଦେଶରେ ପାରମ୍ପରିକ ପର୍ଵ ଭାବରେ ପାଳିତ ହେଉଅଛି । ପୂର୍ଵେ ବୋଇତଯାତ୍ରାର ସବୁ ରୀତିନୀତିର ଆରମ୍ଭ ହେଉଥିଲା ପୟାଶ୍ରାଦ୍ଧଠାରୁ ଏଵଂ ଶେଷ ହେଉଥିଲା କାର୍ତ୍ତିକ ପୂର୍ଣ୍ଣିମା ପର ନୌଯାତ୍ରା ସମୟରେ ବୋଇତ ବନ୍ଦାଣ ଓ ବୋଇତ ଵିଦାରୁ ତେଣୁ ପ୍ରାଚୀନ ଓଡ଼ିଆ ନୌଵାଣିଜ୍ୟ ପରମ୍ପରାରେ କାର୍ତ୍ତିକ ଅମାଵାସ୍ୟା ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଦିଵସ ଥିଲା କହିଲେ ଅତ୍ୟୁକ୍ତି ହେଵ ନାହିଁ ।