Sunday, December 12, 2021

ଅନେକ ଵ୍ୟୁତ୍ପତ୍ତିକ ମତର ନାମଵାଚକ ଶବ୍ଦ ପୁରୀ

ପୁରୀର ନାମ ପରିଵର୍ତ୍ତନକୁ ନେଇ ଅଧୁନା କିଛି ଲୋକ ଚେଷ୍ଟା ଚଳାଇଛନ୍ତି  କିନ୍ତୁ ପୁରୀର  ଅନେକ ନାମ ରହିଛି ।  ପୁରୀର କେତୋଟି ଜଣାଶୁଣା ନାମ ହେଲା—ଶ୍ରୀକ୍ଷେତ୍ର, ନୀଳାଚଳ,ନୀଳାଚଳ କ୍ଷେତ୍ର, ନୀଳାଚଳ ଧାମ, ଶଙ୍ଖକ୍ଷେତ୍ର,ଶଙ୍ଖନାଭିକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ପୁରୁଷୋତ୍ତମ ଧାମ, ନୀଳାଦ୍ରି, ନୀଳାଦ୍ରି ଵିହାର, ଶଙ୍ଖକ୍ଷେତ୍ର,ଶ୍ରୀଧାମ, ଶ୍ରୀଜଗନ୍ନାଥ ଧାମ,ପୁରସ୍ତମ, ମର୍ତ୍ତ୍ୟଵୈକୁଣ୍ଠ,ଭୂସ୍ଵର୍ଗ,କମ୍ଭୁକଟକ,ନୀଳଶୈଳ,ନୀଳଗିରି , ନୀଳଗିରିକଟକ, ଶ୍ରୀପୁରୁଷୋତ୍ତମ କଟକ,ପୁରୁଷୋତ୍ତମପୁରୀ ଓ ଶ୍ରୀଜଗନ୍ନାଥପୁରୀ । ପୁରୀର ଏହିପରି ଆହୁରି ଅନେକ ନାମ ଅଛି ଏଵଂ ଓଡ଼ିଆ ତଥା ସଂସ୍କୃତ ସାହିତ୍ୟରେ ଵ୍ୟଵହାର ହୋଇଅଛି । ପୁରୀର ନାମକରଣକୁ ନେଇ ଭାଷାଵିଦ୍ ଏକମତ ନୁହନ୍ତି ଏଵଂ ଏହାର ପୁରୀ ନାମକୁ ନେଇ ଅନେକ ମତ ପୋଷଣ କରିଛନ୍ତି  ।

ସଂସ୍କୃତଵାଦୀ ଭାଷାଵିଦମାନେ କୁହନ୍ତି ପୁରୀ ଶବ୍ଦଟି ସଂସ୍କୃତର ପୂଳ୍ ଧାତୁ ସହିତ ସମୋଦ୍ଧୃତ ହୋଇଥାଇପାରେ । ପୂଳ ଧାତୁରୁ  ଏକତ୍ର କରିଵା,ସଂଗ୍ରହ କରିଵା, ଗୋଟାଇଵା ଓ  ଗଦା କରିଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ । ପୁରୀଠାରେ ଶ୍ରୀଜଗନ୍ନାଥଙ୍କୁ ପୂଜା କରାଯିଵା ପରଠାରୁ ସବୁ କଳିଙ୍ଗୀ ଜାତି ମଧ୍ୟରେ ଜାତୀୟତାବୋଧ ଜାଗ୍ରତ ହୋଇଥିଲା ଏଵଂ ଏ ଜାତି ହଜାର ହଜାର ଵର୍ଷ ଧରି ଅପରାଜେୟ ରହିପାରିଥିଲା ।

ଆଉ କେତେକଙ୍କ ମତରେ ତତ୍ସମ ପୌର ଶବ୍ଦରୁ ପୁରୀ ଶବ୍ଦର ସୃଷ୍ଟି ହୋଇଥିଵା ସମ୍ଭଵ ‌ । ପୌର ଶବ୍ଦ ଅଧୁନା
ନଗର ସମ୍ବନ୍ଧୀୟ, ନାଗରିକ,ପୁରସ୍ଥିତ ଓ ନଗରରେ ଉତ୍ପନ୍ନ ଅର୍ଥରେ ପ୍ରୟୋଗ ହେଉଅଛି ତେବେ ଏ ଶବ୍ଦଟି  ଉଦର ପୂରକ,ପୂର୍ବ ଦେଶୀୟ, ପୂର୍ଵକାଳରେ ଜାତ ଓ ପେଟ ଆଦି ଅର୍ଥରେ ମଧ୍ୟ ପ୍ରୟୋଗ ହୋଇଅଛି । ଶ୍ରୀଜଗନ୍ନାଥ ଭାରତଵର୍ଷର ପୂର୍ଵଭାଗର ପ୍ରଧାନ ଦେଵତା ତଥା ନୀଳାଚଳ ପୂର୍ଵ ଭାରତରୁ ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ହୋଇଥିଵାରୁ ଏ ଅଞ୍ଚଳକୁ ପୌର ଓ ପରେ ପୁରୀ କୁହାଯାଇଥାଇପାରେ ।

ଦେଶର ଜୈନ ମତାଲମ୍ଭୀମାନଙ୍କ ମତରେ ପୂର୍ଵେ କଳିଙ୍ଗ ଦେଶରେ ଜୈନମାନେ ଶ୍ରୀଜଗନ୍ନାଥଙ୍କୁ ପୂର୍ଵଜିନ ଭାବେ ପୂଜା କରୁଥିଲେ ।  ମଞ୍ଜୁଘୋଷ ନାମକ ସର୍ଵ ପ୍ରଥମ ଜୈନଗୁରୁଙ୍କର ଅନ୍ୟନାମ ପୂର୍ଵଜିନ । ଜୈନ ଧର୍ମ ଉପରେ ଆସ୍ଥା ରଖିଥିଵା ଲୋକେ କୁହନ୍ତି ଆଗେ ଓଡ଼ିଶାର ଲୋକ ପ୍ରାୟତଃ ଜୈନ ଥିଲେ ମାଛ ମାଂସ ଭକ୍ଷଣ ନକରି ଵ୍ୟାପାର କରି ଚଳୁଥିଲେ ଏଵଂ ଏଥିପାଇଁ ସେମାନଙ୍କୁ ସାଧଵ ଅଭିହିତ କରାଯାଉଥିଲା । ପୂର୍ଵଜିନ ଶବ୍ଦଟି ପରିଵୃତ୍ତ ହୋଇ କ୍ରମେ ପୁରୀ ହୋଇଥିଵା ଏହି ଧର୍ମାଵଲମ୍ବୀମାନେ ମତ ଦେଇଥାନ୍ତି ।

ଆଉ କିଛି ଗଵେଷକ ପୁରୀ ଶବ୍ଦର ସମ୍ପର୍କ ପ୍ରାଚୀନ ବାଲି ଦ୍ଵୀପ ତଥା ଇଣ୍ଡୋନେସିଆ ସହିତ ସମ୍ପର୍କ ଥିଵା ମତ ଦେଇଛନ୍ତି । ଆମେ ଜାଣନ୍ତି ଯେ ଇଣ୍ଡୋନେସିଆର ବାଲିଦ୍ୱୀପ ସହିତ ପ୍ରାଚୀନ କଳିଙ୍ଗୋଡ୍ରତ୍କଳ ଦେଶର ଵାଣିଜ୍ୟ ସମ୍ପର୍କ ଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ବେଳକୁ କଳିଙ୍ଗର ସାଧଵମାନେ ଏହି ଦ୍ୱୀପରେ  ସାଂସ୍କୃତିକ ଓ ଵାଣିଜ୍ୟିକ ଉପନିଵେଶ ସ୍ଥାପନ ହୋଇ ସାରିଥିଲା ଯାହା ଶୈଳଭୌମ ଶାସନକାଳରେ ଉତ୍କର୍ଷ ଲାଭ କରିଥିଲା । ପ୍ରାଚୀନ ଉତ୍କଳ ତଥା କଳିଙ୍ଗରୁ ବହୁ ସାଧବ ସେଠାକୁ ଯାଉଥିଲେ ଫଳତଃ ସେମାନଙ୍କ ସଂସ୍କୃତିର ପ୍ରଭାବ ସେଠାରେ ପଡ଼ିଥିଲା । ଏହିକାରଣରୁ ବାଲିଦ୍ୱୀପରେ ସଂସ୍କୃତ ତଥା ପାଲୀ ଭାଷାର ପ୍ରଭାଵ ପରିଲକ୍ଷିତ ହୋଇଥାଏ । ଏଠାରେ ଆଜି ବି ସନାତନୀ ଅଳ୍ପ ହେଲେ ହେଁ ଅଛନ୍ତି ଏଵଂ ଶହ ଶହ ପ୍ରାଚୀନ ମନ୍ଦିର ମଧ୍ୟ ଅଛି । ଇଣ୍ଡୋନେସିଆର ଲୋକମାନେ ଆଜି ବି ମନ୍ଦିରକୁ 'ପୁର' କହନ୍ତି । ଉଲ୍ଲେଖଯୋଗ୍ୟ ଯେ ମାଲେସିଆର ମାଳୟ ଭାଷାରେ ପୁରୀ ଶବ୍ଦ ଛଡ଼ା ତାମିଲ கோயில் (kōyil) ମୂଳର  kuil ଶବ୍ଦ ମଧ୍ୟ ମନ୍ଦିର ଅର୍ଥରେ ଵ୍ୟଵହୃତ ହୋଇଥାଏ ।  କିନ୍ତୁ ଜାଭା ଦ୍ଵୀପରେ ପ୍ରଚଳିତ ᬧᬸᬭᬶ(ପୁରୀ) ଶବ୍ଦଟି ᬧᬸᬭ (ପୁର) ଶବ୍ଦର ଏକ ରୂପ ଏଵଂ ଏହା ସଂସ୍କୃତ ମୂଳର ଶବ୍ଦ ଅଟଇ ବୋଲି ଭାଷାଵିଦ ମତ ଦିଅନ୍ତି । ଏହି ᬧᬸᬭᬶ ଶବ୍ଦଟି ମନ୍ଦିର,ନଗର ଓ ସ୍ଥାନ ଅର୍ଥରେ ଇଣ୍ଡୋନେସିଆରେ ପ୍ରଚଳିତ । ଇଣ୍ଡୋନେସିଆର କେତେକ ଭାଷାରେ ପୁର ଶବ୍ଦ ମଧ୍ୟ ମନ୍ଦିର ଅର୍ଥରେ ଚଳୁଅଛି । ହୁଏତ ବାଲି ଦ୍ଵୀପରେ ମନ୍ଦିରକୁ ପୁର ଓ ପୁରୀ କୁହାଯିଵାରୁ ଶ୍ରୀଜଗନ୍ନାଥଧାମ ଶ୍ରୀକ୍ଷେତ୍ରର ପୁରୀ ନାମକରଣ ହୋଇଥିଲା କାରଣ ମୂଳ ସଂସ୍କୃତ ପୁର ଶବ୍ଦଟି  ମନ୍ଦିର ଅର୍ଥରେ ଵ୍ୟଵହୃତ ହେଉନଥିଲା ।

ପୁର ଶବ୍ଦଟି ସଂସ୍କୃତରେ ଵିଭିନ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ ଯଥା—   ଅନ୍ତଃପୁର,ରାଜଧାନୀ, ନଗର, ଦୁର୍ଗ ଗୃହ,ରକ୍ଷିତ ନଗର,ଶରୀର, କୋଠରୀ, ସ୍ଥାନ, ଆଧାର(Receptacle),ପୁଷ୍ପର ଗର୍ଭ,ପତ୍ରଠୋଲା ଵା ଚଉପଦୀ, ଗୃହ ଉପରେ ନିର୍ମିତ ଗୃହ, ନାଗର ମୁଥା ନାମକ ଘାସ, ଗୁଗ୍ଗୁଳ, ଵେଶ୍ୟାଳୟ, ଭଣ୍ଡାର ଘର,ରାଶି(Astrological sign),ପୀତଝିଣ୍ଟୀ(Yellow Barleria) ଓ ନଳ ଇତ୍ୟାଦି ଇତ୍ୟାଦି । ସମ୍ଭଵତଃ ଓଡ଼ିଶାରେ କିଂଵା ବାଲି ଦ୍ଵୀପରେ ଈଶ୍ଵରଙ୍କ ଗୃହ ଵା ଈଶ୍ଵରଙ୍କ ନଗର ଭାବରେ ପୁରୀ ଶବ୍ଦ ଵ୍ୟଵହାର ହେଲା ଫଳତଃ ମନ୍ଦିରକୁ ପୁରୀ କୁହାଗଲା ।  ଏହାଛଡ଼ା ମନ୍ଦିରକୁ ପ୍ରାସାଦ ମଧ୍ୟ କୁହାଯାଏ । ବାଲିଦ୍ୱୀପର 'ପୁରଵୈଶାଖୀ' ମନ୍ଦିରକୁ ଠିକ୍‍ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଭଳି 'ପ୍ରାସାଦ' କୁହାଯାଏ ।

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ 'କୋଟିବ୍ରହ୍ମାଣ୍ଡ ସୁନ୍ଦରୀ' କାଵ୍ୟରେ ପୁରୀର ଶ୍ରୀମନ୍ଦିରକୁ 'ପ୍ରାସାଦ' କୁହାଯାଇଛି ।

"ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯାର
ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର ।"

ଜୀଵଦେବାଚାର୍ଯ୍ୟ (ଷୋଡ଼ଶ ଶତାବ୍ଦୀର ଉତ୍କଳୀୟ କବି) ତାଙ୍କର ସଂସ୍କୃତ ରଚନା 'ଉତ୍ସାହଵତୀ ରୂପକ'ରେ ଲେଖିଛନ୍ତି-"ଅସ୍ମିନ୍ ବସନ୍ତ ସମୟେ ପୁରୁଷୋତ୍ତମସ୍ୟ ପ୍ରାସାଦ... ।" ଗଙ୍ଗବଂଶର ପ୍ରତିଷ୍ଠାତା ଚୋଡ଼ଗଙ୍ଗଦେଵଙ୍କ ପ୍ରଦତ୍ତ ଏକ ଅଭିଲେଖରେ ମଧ୍ୟ ଶ୍ରୀମନ୍ଦିରକୁ 'ପ୍ରାସାଦ ପୁରୁଷୋତ୍ତମସ୍ୟ' ବୋଲି  କୁହାଯାଇଛି ।

Khmer ଭାଷାରେ ଆଜି ବି  វត្ត (voat) ଓ ទេវាល័យ (teivieleay) ଛଡ଼ା ប្រាសាទ(praasaat) ଶବ୍ଦଟି ମନ୍ଦିର ଅର୍ଥରେ ଚଳୁଅଛି । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଏକଦା ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରକୁ 'ପୁର' କୁହାଯାଉଥିଲା । କାଳକ୍ରମେ ଏହାର ନିକଟଵର୍ତ୍ତୀ ଅଞ୍ଚଳ 'ପୁରୀ' ନାମରେ ଵିଖ୍ୟାତ ହେଲା ।

ବର୍ମା ଏକଦା ଓଡ଼ିଶାର ଏକ ଉପନିଵେଶ ଥିଲା ଏଵଂ ଏଠାରେ ଶ୍ରୀକ୍ଷେତ୍ର ଆଧାରରେ ପ୍ରାଚୀନ କଳିଙ୍ଗୀମାନେ  ପ୍ରୋମ୍ ନଗର ସ୍ଥାପନ କରିଥିଲେ । ବ୍ରହ୍ମ ଦେଶର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଵିଵରଣୀ (୧୯୧୬)ରୁ ଜଣାଯାଏ ଯେ, ସେଠାର ପ୍ରାଚୀନ ପ୍ରୋମ୍‍ ଅଞ୍ଚଳର ନାମ ଥିଲା 'ଶ୍ରୀକ୍ଷେତ୍ର' । କଳିଙ୍ଗୀ ଉପନିଵେଶକାରୀମାନେ ବ୍ରହ୍ମଦେଶର ପ୍ରୋମ୍‍ ଅଞ୍ଚଳରେ ପରିଵ୍ୟାପ୍ତ ହୋଇଥିଲେ । ଖ୍ରୀଷ୍ଟପୂର୍ଵ ଦୁଇଶହରେ କଳିଙ୍ଗୀମାନେ ସେଠାରେ ଉପନିଵେଶଶ ସ୍ଥାପନ କରିଥିଲେ । ବର୍ମିଜ୍‌ରେ ဘုရား  (bhu.ra:) ଶବ୍ଦଟି ମନ୍ଦିର ଅର୍ଥରେ ଚଳୁଅଛି ଯାହା ସଂସ୍କୃତର ଵରପୂଜାର୍ହ ଶବ୍ଦ ମୂଳର ବୋଲି ଭାଷାଵିଦ ମତପୋଷଣ କରନ୍ତି । ସାଧାରଣତଃ ବୌଦ୍ଧ ମନ୍ଦିର,ଧାର୍ମିକ ତଥା ରାଜଵଂଶ ଜାତ ଵ୍ୟକ୍ତି ଵିଶେଷ ତଥା ଭଗଵାନ ଅର୍ଥରେ ବର୍ମିଜ୍ ଭାଷାର ဘုရား  (bhu.ra:) ଶବ୍ଦଟି ବର୍ମା ଵା ବ୍ରହ୍ମଦେଶରେ ଚଳୁଅଛି । କେତେକ ଗଵେଷକ କୁହନ୍ତି ପ୍ରାଚୀ  'ପ୍ରୋମ୍‍' ନଗରର ନାମଟି ହୁଏତ 'ପୁରମ୍‍' (ପୁର) ଶବ୍ଦରୁ ସୃଷ୍ଟି ହୋଇଥିଵ ଏଵଂ ଅନ୍ୟ ଏକ ଦିଗରେ ମୂଳ ପୁର ଶବ୍ଦଟି ဘုရား  (bhu.ra:) ମଧ୍ୟ ହୋଇଥାଇପାରେ  ।

ଅସ୍ତୁ,ବର୍ମାର ဘုရား  (bhu.ra:) ତଥା ଇଣ୍ଡୋନେସିଆରେ
ପ୍ରଚଳିତ ᬧᬸᬭᬶ(ପୁରୀ) ଓ ᬧᬸᬭ (ପୁର) ଆଦି ଶବ୍ଦଗୁଡ଼ିକର ମନ୍ଦିର ଅର୍ଥରେ ପ୍ରୟୋଗ କେଵଳ ସଂଯୋଗ ନା ଜଗନ୍ନାଥ ପୁରୀ ସହିତ ଏଗୁଡ଼ିକର କୌଣସି ସମ୍ପର୍କ ରହିଛି ତାହା ଗଵେଷଣ ସାପେକ୍ଷ ।

ଓଡ଼ିଶାର କେତେକ ଭାଷାଵିଦ ପୁରୀ ଶବ୍ଦର ଆଉ ଏକ ନିରୁକ୍ତି ମତ ପ୍ରଦାନ କରିଛନ୍ତି । ସେମାନଙ୍କ ମତରେ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀ ଓଡ଼ିଆମାନଙ୍କର ଧର୍ମସ୍ଥଳୀ ତେଣୁ ଏହାର ନାମକରଣ ମଧ୍ୟ ଓଡ଼ିଆ ଭାଷା ଆଧାରରେ ହିଁ ହୋଇଥିଵା ସମ୍ଭଵ । ଓଡ଼ିଆ ଭାଷାର ପୂରିଵା କ୍ରିୟାରୁ ପୁରୀ ଶବ୍ଦ ସୃଷ୍ଟି ହୋଇଥିଵା ଏହି ଭାଷାଵିଦମାନେ ମତଵ୍ୟକ୍ତ କରନ୍ତି । ପୂରିଵା କ୍ରିୟାଟି ଓଡ଼ିଆ ଭାଷାରେ ସାଧାରଣତଃ ପୂର୍ଣ୍ଣ ହେଵା ଅର୍ଥରେ ପ୍ରୟୋଗ ହୋଇଥାଏ କିନ୍ତୁ ଏହାର ଆହୁରି ଅନେକ ଅର୍ଥରେ ମଧ୍ୟ ଵ୍ୟଵହାର ରହିଛି ଯଥା —
ମନୋବାଞ୍ଛା ଫଳବତୀ ହେଵା ଵା  ସଫଳ ହେବା
କଵି ଵିଶ୍ଵନାଥ ଖୁଣ୍ଟିଆଙ୍କ ଵିଶି ରାମାୟଣରେ ଏହି ଅର୍ଥରେ ପୂରିଲା କ୍ରିୟାଶବ୍ଦ  ପ୍ରୟୋଗ ହୋଇଅଛି

ତାଙ୍କୁ ପ୍ରସନ୍ନ ହେଲେ ଜଗନ୍ନାଥ ।
ବୋଲେ ବିଶି ପୂରିଲା ମ‌ନୋରଥ ।

ସମ୍ପୂର୍ଣ୍ଣ ହେଵା, ସମାପ୍ତ ହେଵା,ସମୟର ମିଆଦ ଅତିକ୍ରାନ୍ତ ହେବା ଵା କାଳ ଶେଷ ହେଵା ଅର୍ଥରେ ମଧ୍ୟ ପୂରିଵା କ୍ରିୟାର ଵ୍ୟଵହାର ରହିଛି । ଏହାର ଵ୍ୟଵହାର ଏକ  ଓଡ଼ିଆ ଢଗରେ କେମିତି ହୋଇଅଛି ତାହା ଉଦାହରଣ ସ୍ୱରୂପ  ନିମ୍ନରେ ଦିଆଗଲା

“ଆଶା ଲୁବୁଧରେ ପୂରିଲା କାଳ
ଷଣ୍ଢ ପଛେ ଧାଇଁ ମଲା ଶିଆଳ”

ଵ୍ୟାପିଵା ଵା ଵ୍ୟାପ୍ତ ହେଵା ଅର୍ଥରେ ମଧ୍ୟ ପୂରିଵା କ୍ରିୟାର ଵ୍ୟଵହାର ରହିଛି ।

ଏମନ୍ତେ କେତେ ଦିନ ଗଲା ।
ତା କୀର୍ତ୍ତି ଜଗତେ ପୂରିଲା ।
(ଦାଢ଼୍ୟତାଭକ୍ତି,ଭକ୍ତକଵି ରାମଦାସ)


ସେହିପରି ଦେହଯାକ ଵ୍ୟାପିଵା ଅର୍ଥରେ ପୂରିଵା କ୍ରିୟାର ପ୍ରୟୋଗ କଵସୂର୍ଯ୍ୟ ଵଳଦେଵ ରଥ ତାଙ୍କ କିଶୋରୀ ଚନ୍ଦ୍ରାନନ୍ଦ ଗ ଚମ୍ପୂରେ କରିଅଛନ୍ତି

        “ଗାତ୍ର ଗୋଟିଯାକ ପୂରିଲା ପୁଲକ”

ପଶିଵା ଵା  ପ୍ରବେଶ କରିଵା ଅର୍ଥରେ ମଧ୍ୟ ପୂରିଵା କ୍ରିୟାର ଵ୍ୟଵହାର ଓଡ଼ିଆ ଭାଗଵତର ପ୍ରଥମ ଅଧ୍ୟାୟରେ ହୋଇଅଛି

ଶୁଣି କମ୍ପିଲେ ଦିଗପାଳେ ।
ପୂରିଲା ଭୂମି ଅନ୍ତରାଳେ ॥

ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନିର୍ଦ୍ଦିଷ୍ଟ ସମୟରେ ଦଶଜଣଙ୍କ ସଙ୍ଗେ ଯୋଗ ଦେଵାକୁ ବି ପୂରିଵା କ୍ରିୟାଦ୍ଵାରା ଆମ ଭାଷାରେ ପ୍ରକାଶ କରାଯାଏ । ଯଥା—

“ଗ୍ରାମ ଭେଦାର ଅମୁକ ଲୋକ ପୂରି ପାରିଲା ନାହିଁ”

ଲକ୍ଷଣାର୍ଥ ସନ୍ତୁଷ୍ଟ ହେଵା ଅର୍ଥରେ ଉଭୟ  କଥିତ ଓ  ଲିଖିତ ଓଡ଼ିଆରେ ପୂରିଵା କ୍ରିୟାର ପ୍ରୟୋଗ ଅଛି । ଉଦାହରଣ ସ୍ୱରୂପ ଲୋକେ କୁହନ୍ତି
“ତା ରୂପ ଦେଖି ମୋ ପେଟ ପୁରିଗଲା।” ଏଠାରେ ପେଟ ପୂରିଗଲା ଅର୍ଥ ପେଟ ଖାଦ୍ୟରେ ପୂର୍ଣ୍ଣ ହେଵା ନୁହେଁ ଵରଂ ଭୋକରେ ଆଉଟୁପାଉଟୁ ହୋଇଥିଵା ଲୋକକୁ ଅନ୍ନ ଦେଵାରୁ ସେ ପେଟ ଫଟେଇ ଖାଇ ଯେଉଁ ଆନନ୍ଦ ଲାଭ କଲା ସେହି ସୂକ୍ଷ୍ମ ଅର୍ଥ ଆଧାରରେ ପୂରିଲା ଶବ୍ଦ ପ୍ରୟୋଗ ହୋଇଅଛି ।

ଏତଦ୍‌ଵ୍ୟତୀତ ପୂରିଵା କ୍ରିୟାଟି ସମାହିତ ହେଵା,ଅଣ୍ଟିଵା, ଯଥେଷ୍ଟ ହେଵା ଓ  ଗର୍ଵ କିଂଵା ଆନନ୍ଦରେ ଉତ୍ଫୁଲ୍ଲ୍ ହେଵା ଅର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ ।

ତେବେ ପୂରିଵା କ୍ରିୟାର ପ୍ରୋକ୍ତ ସମସ୍ତ ଅର୍ଥ ଆଧାରରେ କେତେକ ଭାଷାଵିଦ ମତ ଦିଅନ୍ତି ଯେ ପୁରୀ ନଗରର ନାମକରଣ ପୂରିଲା କ୍ରିୟାରୁ ହୋଇଅଛି । ଯେଉଁ ନଗରରେ ମନୋବାଞ୍ଛା ପୂର୍ଣ୍ଣ ହୁଏ, ଯେଉଁ ନଗରୀର ଖ୍ୟାତି ଵିଶ୍ଵଵିଖ୍ୟାତ, ଯେଉଁ ନଗରରେ ପହଞ୍ଚିଗଲେ ଭକ୍ତର ମନ ଆପେ ସନ୍ତୁଷ୍ଟ ହୋଇଯାଏ , ଯେଉଁ ନଗରୀରେ କଳିଙ୍ଗର ସବୁ ଜାତୀୟ ଲୋକ ଏକତା ସୂତ୍ରରେ ବନ୍ଧା, ଯେଉଁ ନଗରୀରେ ଓଡ଼ିଶାର ସବୁ ଅଞ୍ଚଳର ପରମ୍ପରାକୁ ସମ୍ମାନ ଦିଆଯାଇ ଶ୍ରୀଜଗନ୍ନାଥ ମନ୍ଦିରର ନୀତିକାନ୍ତିରେ ସ୍ଥାନ ମିଳିଛି, ଯେଉଁ ନଗରୀରେ ସବୁ ଜାତୀୟ ଲୋକ ଏକାକାର ହୋଇଯାଆନ୍ତି, ଯେଉଁ ନଗରୀକୁ ଯିଵାକୁ ଓଡ଼ିଶାର ଲୋକେ ଉତ୍କଣ୍ଠିତ ତଥା ସେଠାରେ ପହଞ୍ଚି କାଳିଆକୁ ଦେଖି ଉତ୍ଫୁଲିତ ହୁଅନ୍ତି ଏଵଂ ଯେଉଁ ନଗରୀ ପାଇଁ ଓଡ଼ିଶାର ଲୋକେ ଗର୍ଵ କରନ୍ତି ସେ ନଗରୀ ପୁରୀ ଅଟେ ।

ମାତ୍ର ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ ଆଦି ଭାଷାଵିଦଙ୍କ ମତରେ, ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟା ମାଧ୍ୟମରେ 'ପୁରୁଷୋତ୍ତମ-ପୁରୀ' ବା 'ଜଗନ୍ନାଥ-ପୁରୀ'ର ସଂକ୍ଷିପ୍ତ ରୂପ 'ପୁରୀ' ହୋଇଛି ।  ନୀଳାଚଳର ପୁରାଣ ପ୍ରସିଦ୍ଧ ନାମ ପୁରୁଷୋତ୍ତମପୁରୀର ସଂକ୍ଷିପ୍ତ ରୂପ ପୁରୀ ହେଵା ଅସମ୍ଭଵ ନୁହଁଇ ।  ଆଉ କେତେ ଜଣ ଭାଷାଵିଦ୍ କୁହନ୍ତି ଯେ ଶ୍ରୀକ୍ଷେତ୍ରକୁ ଆଗେ ଜଗନ୍ନାଥପୁରୀ କୁହାଯାଉଥିଲା କିନ୍ତୁ କାଳକ୍ରମେ କେଵଳ ପୁରୀ କୁହାଯାଉଛି । ଉଭୟ ପୁରୁଷୋତ୍ତମପୁରୀ ଓ ଜଗନ୍ନାଥପୁରୀ ନାମରେ ଯେଉଁ ପୁରୀ ଶବ୍ଦ ରହିଛି ତାହା
ତତ୍ସମ ପୁରୀ ଶବ୍ଦ  ଅଟଇ ଏଵଂ ଏ ଶବ୍ଦ  ନଗର,ଵାସସ୍ଥାନ,ଭଵନ ଗୃହ,ଶରୀର,ପ୍ରାସାଦ ଓ  ଦୁର୍ଗ ଆଦି ଅର୍ଥରେ ଵ୍ୟଵହାର ହୋଇଥାଏ । ସେହିପରି ତତ୍ସମ ପୁରି ଶବ୍ଦର ଅର୍ଥ ନଗର,ନଦୀ ଓ ରାଜା ଅଟେ ।

ଆଧ୍ୟାତ୍ମିକଵାଦୀଙ୍କ ମତରେ ପୁରୀ ଶବ୍ଦରୁ ହିଁ ପୁରୀ ନଗରୀର ନାମକରଣ ହୋଇଛି । ପୁର ଓ ପୁରୀ ଶବ୍ଦର ଅନେକ ଅର୍ଥ ମଧ୍ୟରେ ଗୃହ, ଦେଶ, ନଗର, ଦେହ ଇତ୍ୟାଦିକୁ ଆଧ୍ୟାତ୍ମିକ ଭାଵଧାରା ଆଧାରରେ ଵ୍ୟାଖ୍ୟା କରିଵାକୁ ଯାଇ ସେମାନେ ମତ ଦିଅନ୍ତି ଯେ ଆତ୍ମା ସବୁ ପ୍ରାଣୀଙ୍କର ପୁର ଵା ପୁରୀରେ ଅର୍ଥାତ୍‍ ଦେହରେ ଅଵସ୍ଥାନ କରିଥାଏ ଵା ତାହାକୁ ପୂର୍ଣ୍ଣ କରି ରହେ । ଆତ୍ମା ଶରୀର ମଧ୍ୟରେ ଶୟନ କରେ ତେଣୁ ଆତ୍ମାକୁ 'ପୁରୁଷ' କୁହାଯାଏ । ପୁରୁଷ ଵା ଆତ୍ମା ମଧ୍ୟରେ ଉତ୍ତମ ଯେ ସେ ପୁରୁଷୋତ୍ତମ ଏଵଂ ଜଗନ୍ନାଥଙ୍କ ପୁର ହେତୁ ଏ ଧାମର ନାମ ପୁରୁଷୋତ୍ତମପୁରୀ ଵା ସଂକ୍ଷେପରେ ପୁରୀ ହୋଇଥିଵ ବୋଲି ସନାତନୀ ମତାଵଲମ୍ଭୀମାନେ ମତଵ୍ୟକ୍ତ କରିଥାନ୍ତି ।

ଏହି ପୁର ଓ ପୁରୀ ଶବ୍ଦଦ୍ଵୟକୁ ପୂର୍ଵେ କେତେକ ଗଵେଷକ ଦ୍ରାଵିଡ଼ ମୂଳର ଶବ୍ଦ ବୋଲି ଅନୁମାନ କରିଯାଇଛନ୍ତି ତେବେ ପାଶ୍ଚାତ୍ୟ ଗଵେଷକଙ୍କ ଅନୁସାରେ ଏ ଶବ୍ଦଦ୍ଵୟ ଲାଟିନ୍ ଭାଷାର Poli(ନଗର) ଓ Polis(ନଗର) ସହିତ ସମୋଦ୍ଧୃତ । ଇଂରାଜୀ ଭାଷାରେ ପ୍ରଚଳିତ metropolis ଶବ୍ଦ ମଧ୍ୟରେ ମଧ୍ୟ Polis ଶବ୍ଦ ଵ୍ୟଵହାର ହୋଇଥାଏ ।  ଗ୍ରୀକ୍  πτόλις (ptólis) ଓ πόλις (pólis), ଲିଥୁଆନୀର pilis ଓ ଲାଟଵିୟାନ୍  pils ସହିତ ସଂସ୍କୃତ ପୁର ଓ ପୁରୀ ଶବ୍ଦର ସଗୋତ୍ରୀୟ ସମ୍ପର୍କ ରହିଛି ବୋଲି ପାଶ୍ଚାତ୍ୟ ଭାଷାଵିଦ୍ ମତ ଦିଅନ୍ତି ।

ପ୍ରଫେସର ଶ୍ରୀପଞ୍ଚାନନ ମହାନ୍ତି ଭଳି ଅନେକ ଓଡ଼ିଆ ଭାଷାଵିଦ୍ ପୁରୀ ଶବ୍ଦର ଭିନ୍ନ ନିରୁକ୍ତି ମତ ପୋଷଣ କରିଛନ୍ତି ।  ଶ୍ରୀ ମହାନ୍ତିଙ୍କ ଅନୁସାରେ ଓଡ଼ିଶା ଗୋଟିଏ ମୁଣ୍ଡାଭାଷୀ ଅଧ୍ୟୁଷିତ ରାଜ୍ୟ ଏଵଂ ଭାରତରେ ସର୍ଵାଧିକ ଜନଜାତୀୟ ଲୋକ ଅଵିଭକ୍ତ କଳିଙ୍ଗ ଦେଶର ଅଧିଵାସୀ ଅଟନ୍ତି  । ବଡ଼ ବଡ଼ ପ୍ରାୟ ୧୨ଗୋଟି ମୁଣ୍ଡା ଭାଷା ମଧ୍ୟରୁ ଅନ୍ୟୂନ ଦଶଗୋଟି ଭାଷା ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ କଥିତ ହୁଏ । ମହାପ୍ରଭୁ ଜଗନ୍ନାଥ ମୁଖ୍ୟତଃ ଶଵର  ଦେବତା ଥିଲେ । ଶଵରମାନଙ୍କର ସବା ସାନ ଦେଵତା ଜଗନ୍ତା କିତୁଙ୍ଗ୍ କାଳକ୍ରମେ ଜଗନ୍ନାଥ ଭାବେ ପୂଜିତ ହେଉଛନ୍ତି ବୋଲି ଗଵେଷକ ମତ ଦିଅନ୍ତି ।  ଶଵରମାନଙ୍କର ପୁରାଣଗାଥା ଅନୁସାରେ ଜଗନ୍ତା କିତୁଙ୍ଗ୍ ଆଗ୍ନେୟଗିରିରୁ ଅଗ୍ନି ଆଵିଷ୍କାର କରି ମନୁଷ୍ୟମାନଙ୍କୁ ଦେଇଥିଲେ ।‌ କିନ୍ତୁ ଲୋକକଲ୍ୟାଣ ହେତୁକ ଅଗ୍ନି କେତେ ଵିପଦଜନକ ତାହା ଜଣାଇଵାକୁ ନିଜେ ଜଳିଯାଇ କଳାକାଠ ହୋଇଯାଇଥିଲେ । ଶଵର ଲୋକେ ସେହି କଳାକାଠକୁ ନେଇ ପୂଜିଵା ଆରମ୍ଭ କରିଥିଲେ ।
ଶଵରମାନେ ମୁଣ୍ଡା ଗୋଷ୍ଠୀର ଅନ୍ତର୍ଭୁକ୍ତ  । ସାରଳା ମହାଭାରତ ଅନୁଯାୟୀ, ନୀଳାଚଳ ଥିଲା ଗୋଟିଏ ଶଵର ଅଧ୍ୟୁଷିତ କ୍ଷେତ୍ର । ପୁରୀରେ ପ୍ରାଚୀନକାଳରେ ଶଵରମାନେ ରାଜତ୍ୱ କରୁଥିଲେ ବୋଲି ଐତିହାସିକମାନେ ମଧ୍ୟ ମତଵ୍ୟକ୍ତ କରନ୍ତି ।  ଶଵରମାନେ ଏ ସ୍ଥାନଟିର  ନାମ ପୁରୀ  ଦେଇଥିଲେ ତଥା ସେହି ନାମଟି ମୁଣ୍ଡା ଭାଷାର ଶବ୍ଦ ଅଟେ ।  ପ୍ରଫେସର ମହାନ୍ତି କୁହନ୍ତି , ଏହି ପ୍ରାଚୀନ ନାମଟି 'ପୁରୀ' । କାରଣ ମୁଣ୍ଡା ଗୋଷ୍ଠୀର ବିଭିନ୍ନ ଭାଷାରେ ଏହି ଶବ୍ଦ ଜଳାଶୟ ଓ ସମୁଦ୍ର ସହିତ ସଂପୃକ୍ତ ତେଣୁ ପୁରୀ ଗୋଟିଏ ମୁଣ୍ଡା ଭାଷାର ଶବ୍ଦ । ଏହି ଶବ୍ଦ ସମୁଦ୍ରପାଇଁ ଵ୍ୟଵହୃତ ହୋଇ ସମୟକ୍ରମେ ସମୁଦ୍ରକୂଳସ୍ଥିତ ସ୍ଥାନଟିର ନାମରେ ପରିଣତ ହୋଇଯାଇଛି ।

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ପୁରୀର ନାମକରଣ ବହୁ ପ୍ରାଚୀନ କାଳରୁ ହୋଇଥିଲା ଏଵଂ ପୁରୀ ନାମଵାଚକ ଶବ୍ଦର ଆଠରୁ ଅଧିକ ଵ୍ୟୁତ୍ପତ୍ତିକ ମତ ରହିଛି । ଫଳତଃ କେଵଳ ଜଗନ୍ନାଥପୁରୀ ଵା ପୁରୁଷୋତ୍ତମପୁରୀରୁ ପୁରୀ ହୋଇଅଛି ଏହି ମତ ଘେନି ପୁରୀର ପୁନଃ ନାମକରଣ କରିଵା ଠିକ୍ ହେଵ ନାହିଁ ‌।

Sunday, November 21, 2021

ଓଡ଼ିଶାର ଛାଡ଼ଖାଇ

ଓଡ଼ିଶାରେ ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣିମାର ପରଦିନ ଅର୍ଥାତ୍ ମାର୍ଗଶୀର ଵା ମାର୍ଗଶୀର୍ଷ କୃଷ୍ଣ ପକ୍ଷ ପ୍ରତିପଦା ତିଥିରେ ଛାଡ଼ଖାଇ ପାଳିତ ହୋଇଥାଏ । କାର୍ତ୍ତିକ ମାସଯାକ ଵ୍ରତ ପାଳନ କରି ମାର୍ଗଶୀର ମାସର କୃଷ୍ଣ ପ୍ରତପଦାରେ ମାସଯାକ ମଧ୍ୟରେ ଛଡ଼ା ଯାଇଥିଵା ଖାଦ୍ୟ ଏହିଦିନ କାର୍ତ୍ତିକ ଵ୍ରତ ପାଳିଥିଵା ଲୋକଙ୍କ ଦ୍ଵାରା ଖିଆଯାଏ ବୋଲି ଛାଡ଼ଖାଇ  ନାମକରଣ କରାଯାଇଛି l

କାର୍ତ୍ତିକ ମାସରେ କେଵଳ ହବିଷାନ୍ନ ଗ୍ରହଣ କରି ଵ୍ରତ ପାଳିତ ହୋଇଥାଏ । ହବିଷ କରିଵା ଵ୍ୟକ୍ତିମାନେ ସୂର୍ଯ୍ୟାସ୍ତ ସମୟରେ ଅରୁଆ ଅନ୍ନ, ମୁଗ ଡ଼ାଲି ,ସାରୁ, ଅଦା ଓଉ, ନଡ଼ିଆ କଦଳୀ, ଅଗସ୍ତୀଶାଗ, ଗଇଁଠା ପିଠା, ବେତକନ୍ଦା ଆଦି ସାତ୍ତ୍ଵିକ ଵସ୍ତୁ ଖାଇ ହବିଷ କରନ୍ତି । କେହି କେହି ଏଥି ସଙ୍ଗେ କଇଁଥ, କମଳାଲେମ୍ବୁ, କନ୍ଦମୂଳ ଖାଆନ୍ତି । ଓଡ଼ିଶାର କେତେକ ଅଞ୍ଚଳରେ ଆମ୍ବିଳ ଦ୍ରଵ୍ୟ,ପିଆଜ ,ରସୁଣ ,ପୋଇ,ଛତୁ ଓ ଲାଉ ଆଦି କାର୍ତ୍ତିକ ଵ୍ରତ କରିଵା ଲୋକେ ଖାଆନ୍ତି ନାହିଁ । ହବିଷରେ ଲଙ୍କା ମରିଚ ଖାଇଵା ନିଷିଦ୍ଧ ଏଵଂ ହବିଷ ତିଅଣ ଫୁଟାଯାଏ ନାହିଁ ଵା ବଘରା ହୁଏନାହିଁ। ତେଣୁ ହବିଷ ତୈଳ ବାଟଣାହୀନ ସାତ୍ତ୍ୱିକ ଖାଦ୍ୟ ‌ହୋଇଥାଏ ।

  କାର୍ତ୍ତିକ ଵ୍ରତ ଶେଷପରେ ମାର୍ଗଶିର ମାସର ପ୍ରଥମ ଦିନରେ  ଓଡ଼ିଶାର ନରନାରୀ ବାଟଣା ଓ ମାଲପା ଯୁକ୍ତ ରାଜସିକ  ଖାଦ୍ୟ ଭକ୍ଷଣ କରୁଥିଲେ । ରାଜସିକ ଖାଦ୍ୟ କହିଲେ କେଵଳ ଆମିଷ ଖାଦ୍ୟ ନୁହେଁ । ଅତ୍ୟଧିକ ବାଟଣାଯୁକ୍ତ ଯେକୌଣସି ଗୁରୁପାକ ତିଅଣ ଓ ରନ୍ଧାଖାଦ୍ୟ ରାଜସିକ ଖାଦ୍ୟ ପଦଵାଚ୍ୟ ।

ଚାରିଶତଵର୍ଷର ପରାଧୀନତା ଓ ଵୈଦେଶିକ ଜାତୀୟ ଲୋକଙ୍କ ସଂସ୍ପର୍ଶରେ ଆସି ଅଧୁନା ଓଡ଼ିଶାର ଲୋକେ ଅଧିକ ପରିମାଣରେ ମାଂସ ମାଛ ଭକ୍ଷଣ କରୁଅଛନ୍ତି ଏଵଂ ଛାଡ଼ଖାଇ ଅଧୁନା ହୋଇଯାଇଛି ଆମିଷ ଭକ୍ଷଣର ଉତ୍ସଵ ।

ଛାଡ଼ଖାଇ ନାଆଁରେ ଦୁଇଗୋଟି ଶବ୍ଦ ରହିଛି  ଛାଡ଼ ଓ ଖାଇ । ଓଡ଼ିଆ ଭାଷାରେ ଛାଡ଼ ଶବ୍ଦଟି ଛାଡି଼ଵା କ୍ରିୟାର ଏକ ରୂପ ଏଵଂ ଏହି ଛାଡି଼ଵା କ୍ରିୟାର ଆମ ଭାଷାରେ ଚାଳିଶରୁ ଅଧିକ ଅର୍ଥରେ ଵ୍ୟଵହାର ରହିଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛାଡ଼ ଶବ୍ଦର ପନ୍ଦରଗୋଟି ଅର୍ଥ ଲେଖାଅଛି ଯଥା—  ଵିଚ୍ଛେଦ, ଵର୍ଜନ ଵା ତ୍ଯାଗ,ଦୂରୀକରଣ,ମୁକ୍ତି,ଦେଯ ଆଦି ଦେଵା ଦାୟିତ୍ବରୁ ମୁକ୍ତି(Remission), ଆଦେଶପତ୍ର, ଜ୍ବର ଆଦି ଦେହରୁ ଛାଡ଼ିଯିଵା, ମୁକ୍ତି ଦେଵାର ପତ୍ର ଵା ପାଉଣା ଆଦି ଦାଯିତ୍ବ ସମ୍ବନ୍ଧୀୟ ମୁକ୍ତିପତ୍ର(ଫରାକତି),ଛାଡ଼ ଚିଠି, କୌଣସି ଵ୍ୟକ୍ତିଙ୍କୁ କୌଣସି ଦେଶର ସୀମା ଟପିଵା ଵା ଅନ୍ୟ ଦେଶରେ ବିଚରଣ କରିଵା ନିମନ୍ତେ ଦିଆଯିଵା ଅନୁମତିପତ୍ର ଵା Pass, ଭଟା(ପଡ଼ିଆ ଜୁଆର),ଵିରତି; ଵିରାମ, ଵିଶ୍ରାମ,ଵ୍ୟଵଧାନ, କାର୍ଯ୍ୟ ବନ୍ଦ ଓ ନାମ ସୂଚୀ ଆଦିରେ ଅନ୍ତର୍ଭୁକ୍ତ ନ ହେଵା ଇତ୍ୟାଦି । ଛାଡ଼ ଶବ୍ଦଟି ଏକ ଭାରୋପୀୟ ଭାଷାପରିଵାର ମୂଳର ଶବ୍ଦ ଏଵଂ ଭାଷାଵିଦ୍ ଏହାର ସଂସ୍କୃତ ତତ୍ସମ ସମୋଦ୍ଧୃତ ରୂପକୁ ନେଇ ସହମତ ନୁହନ୍ତି । ଯଥାକ୍ରମେ କ୍ଷୋଟ(କାଟିଵା),ସାରଣ(Remove) ଓ ଛୋରଣ(ପରିତ୍ୟାଗ) ଦି ଶବ୍ଦ ସହିତ ଛାଡି଼ଵା କ୍ରିୟାର ସଗୋତ୍ରୀୟ ସମ୍ପର୍କ ଥିଵା ଭାରତର ଵିଭିନ୍ନ ଭାଷାଵିଦ୍ ମତ ଦେଇଛନ୍ତି ।

ତେବେ ଛାଡ଼ଖାଇ କ୍ଷେତ୍ରରେ ଛାଡ଼ ଶବ୍ଦଟି ଏହାର ମୂଳ ଅର୍ଥ ଵର୍ଜନ ଓ ତ୍ୟାଗ ଆଦି ଅର୍ଥରେ ଖାଇଵା କ୍ରିୟାର ମୂଳ ରୂପ ଖାଇ ସହିତ ଯୁକ୍ତ ହୋଇଅଛି । ଏଣୁ ଛାଡ଼ଖାଇର ଆକ୍ଷରିକ ଅର୍ଥ ହେଲା  “ମାସକ ପାଇଁ  ଛଡ଼ା ଯାଇଥିଵା ଖାଦ୍ୟ ଖାଇଵା” ।‌

ଅଧୁନା ଲୋକେ ମାର୍ଗଶିର ମାସର ପ୍ରଥମ ଦିନରେ ଆୟୋଜିତ ଛାଡ଼ଖାଇ ଦିନ ମାଛମାଂସ ଭକ୍ଷଣ କରୁଥିଵା ହେତୁରୁ ଶନିଵାର,ସୋମଵାର,ମଙ୍ଗଳଵାର ଓ ଗୁରୁଵାରରେ ଛାଡ଼ଖାଇ ପଡି଼ଥିଲେ ଅନ୍ୟ ଦିନରେ ଏହା ପାଳନ କରିଥାନ୍ତି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ବିଂଶ ଶତାବ୍ଦୀରେ ସଂକଳିତ ହୋଇଥିଵା ଏକ ଵିଶାଳ ଶବ୍ଦଭିତ୍ତିକ ଜ୍ଞାନକୋଷ । ଏହି ଭାଷାକୋଷରୁ ତତ୍କାଳୀନ ସମୟର ଅନେକ କଥା ଵିଷୟରେ ତଥ୍ୟ ମିଳିଯାଇଥାଏ । ଆଜକୁ ୧୦୦ ଵର୍ଷ ତଳେ ନଥିଵା ଅନେକ ଚଳଣି ଏବଂ ୧୦୦ ଵର୍ଷ ପୂର୍ଵର ଵିସ୍ମୃତ ଚଳଣି ଵିଷୟରେ ତର୍ଜମା କରିଵା ପାଇଁ ଏହି ଭଳି ପୁରୁଣା ପୁରୁଣା ପୁସ୍ତକର ଅଧ୍ଯୟନ କରିବାକୁ ହୋଇଥାଏ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଓଡ଼ିଶାର ଘରେ ଘରେ ପରିଚିତ ଛାଡ଼ଖାଇ ଵିଷୟରେ ଜାଣିଵାକୁ ଉଣ୍ଡିଲାରୁ ଏହି ଵିଶାଳକାୟ ଶବ୍ଦଗ୍ରନ୍ଥର  ପୃ-୨୭୯୫ ତଥା ପୃ-୮୧୫୦ ରେ ଏହି ପର୍ଵ ସମ୍ଵନ୍ଧିତ ଦୁଇଗୋଟି ଶବ୍ଦ ମିଳିଲା
🟠(କ)ଛାଡ଼ଖାଇ
🟠(ଖ)ସଭାଖାଈ(ସଵାଖାଇ,ସଵାଖାଈ)

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛାଡ଼ଖାଇ ଓ ସଭାଖାଈ ତଳେ ଦ୍ରଷ୍ଟଵ୍ୟ ପ୍ରାୟ ସମାନ ରହିଛି । ସଭାଖାଈ ଶବ୍ଦଟି ଅଵିଭକ୍ତ ଗଞ୍ଜାମ ଅଞ୍ଚଳର ତଥା ଏହା ସଵାଖାଇ ଶବ୍ଦ ସହିତ ସମୋଦ୍ଧୃତ ବୋଲି ଭାଷାକୋଷରେ ଉଲ୍ଲେଖ ରହିଛି ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛାଡ଼ଖାଇ ଶବ୍ଦ ତଳେ ଥିଵା ଦ୍ରଷ୍ଟଵ୍ୟରେ ଉଲ୍ଲେଖ ଅଛି ଯେ

“ହବିଷିଆଳିମାନେ କାର୍ତ୍ତିକମାସ ଯାକ ଵ୍ରତ କରିଥିଵା ଯୋଗୁଁ ଯେଉଁ ଯେଉଁ ଖାଦ୍ଯ ଛାଡ଼ିଥାଆନ୍ତି ତାହା 'ଛାଡ଼ଖାଇ' ଦିନ ଖାଆନ୍ତି ।”

ସେହିପରି ଭାଷାକୋଷରେ ‛ସଭାଖାଇ’ ଶବ୍ଦ ତଳେ ଥିଵା ଦ୍ରଷ୍ଟଵ୍ୟରେ ଲେଖାଅଛି

“ସଭାଖାଇ ଵା ସଵାଖାଇ ହେଉଛି ଛାଡ଼ଖାଇର ନାମାନ୍ତର ‌ । କାର୍ତ୍ତିକ ମାସରେ ହବିଷ୍ଯ (ନିରାମିଷ କିନ୍ତୁ ଅଣ ଉତ୍ତେଜକ ଭୋଜନ) କରୁଥିଵା ଵ୍ଯକ୍ତିମାନେ କାର୍ତ୍ତିକ ପୁର୍ଣ୍ଣିମା ବାସୀ ଦିନ ହବିଷ୍ଯ ଵ୍ରତ ଉଦ୍ୟାପନ କରିଵା ଉପଲକ୍ଷରେ ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କ ସଙ୍ଗେ ସମସ୍ତ ପ୍ରକାର ଖାଦ୍ଯ ଖାଇଵା ରୂପକ ଉତ୍ସଵ”

ଉଭୟ ଦ୍ରଷ୍ଟଵ୍ୟର ସୂକ୍ଷ୍ମ ଵିଚାର କରିଵାରୁ କେତେକ ନିଷ୍କର୍ଷ ପ୍ରାପ୍ତ ହେଵାରୁ ତାହା ନିମ୍ନରେ ପ୍ରଦାନ କରାଗଲା ।

■କ■
ଆଗେ କାର୍ତ୍ତିକମାସ ଯାକ ଵ୍ରତ କରି ମାର୍ଗଶିର ମାସରେ ଏକ ମାସ ପାଇଁ ଛାଡ଼ କରିଥିଵା  ଖାଦ୍ୟ ଭକ୍ଷଣ କରିଥିଲେ ହବିଷିଆଳି । ହବିଷିଆଳିମାନେ ପିଆଜ,ରସୁଣ,ପୋଇ,ଲାଭ,ଲଙ୍କାମରିଚ ଭଳି କେତେକ ଦ୍ରଵ୍ୟ କାର୍ତ୍ତିକ ମାସରେ ଵ୍ରତ କରୁଥିଵାରୁ ଖାଉନଥିଲେ ଯାହା ମାର୍ଗଶିର ମାସର ପ୍ରାତପଦାରେ ଭକ୍ଷଣ କରୁଥିଲେ ।‌

■ଖ■
ଆଜକୁ ପ୍ରାୟ ୧୦୦ଵର୍ଷ ତଳେ ଓଡ଼ିଶାର ଘରେ ଘରେ ଛାଡ଼ଖାଇ ଦିନ ନିରାମିଷ କିନ୍ତୁ ଵିଭିନ୍ନ ରାଜସିକ ଭୋଜନ ପ୍ରସ୍ତୁତ ହେଉଥିଲା । ସେତେଵେଳେ ନୂଆଖାଇରେ ସବୁ ବନ୍ଧୁବାନ୍ଧବଙ୍କ ସହିତ ମିଳିମିଶି ଯେମିତି ପର୍ଵ ପାଳନ ହେଉଥିଲା ତଦନୁରୂପ ଛାଡ଼ଖାଇ ଦିନ ବି ଏହି ଵ୍ରତର ଉଦ୍ୟାପନ  ବନ୍ଧୁଜନଙ୍କ ସହିତ ମିଳିମିଶି କରାଯାଉଥିଲା ଯାହା ଆଜିକାଲି ଆଉ ଅଧିକାଂଶ ସ୍ଥାନରେ ହେଉନାହିଁ ।

■ଗ■
ବହୁତ ସମ୍ଭଵ ଛାଡ଼ଖାଇ ଦିନ ନିରାମିଷ ଖାଦ୍ୟ ଭକ୍ଷଣ ଯାଏଁ ଲୋକମାନେ ବନ୍ଧୁବାନ୍ଧବଙ୍କ ସହ ମିଳିମିଶି ଏ ପର୍ଵ ପାଳୁଥିବେ ଏଵଂ ପରଵର୍ତ୍ତୀକାଳରେ ଉତ୍ତର ଭାରତୀୟଙ୍କ ଦେଖାଦେଖି ଆଧୁନିକତା ନାମରେ ‛ଅତି ମାଂସ ମତ୍ସ୍ୟ ଭକ୍ଷକ’ ହେଲାରୁ ସ୍ଵ ସ୍ଵ ଗୃହରେ ଆମିଷ କରି ଭକ୍ଷଣ କରିଵା ଆରମ୍ଭ କରିଦେଇଥିବେ ।

■ଘ■
ଉଭୟ ଦ୍ରଷ୍ଟଵ୍ୟରେ ଜାଣିଶୁଣି ହେଉ କି ଅନ୍ୟ କାରଣଵଶତଃ ମାଂସ କି ମାଛର ଉଲ୍ଲେଖ
କରାଯାଇନାହିଁ ।

■ଘ■
ହବିଷିଆଳମାନେ  ତତ୍କାଳୀନ କାଳରେ ଆଜି ଅପେକ୍ଷା ଅଧିକ ଧାର୍ମିକ ହୃଦୟ ଵିଶେଷତଃ  ବ୍ରାହ୍ମଣ ଆଦି ଉଚ୍ଚପରିଵାରର ହେଉଥିଵା ହେତୁରୁ ନିଶ୍ଚିତ ମାଂସ ମାଛ ଭକ୍ଷଣ କରୁନଥାଇପାରନ୍ତି ଏଵଂ ମାଂସ ମାଛ ପରି ଶରୀରରେ ଉତ୍ତେଜନା ବୃଦ୍ଧି କରୁଥିଵା ତଥା ଲାଳୁଆ ଖାଦ୍ୟପଦାର୍ଥ(ପିଆଜ, ରସୁଣ, ପୋଈ ଓ ଲାଉ ଆଦି )ଏହି ମାସରେ ତ୍ୟାଗ କରିଦେଉଥିଲେ (ଵର୍ତ୍ତମାନ ବହୁ ସଂଖ୍ୟକ ସନାତନୀ ମାଂସଭକ୍ଷକ ହୋଇଯାଇଛନ୍ତି ଏମନ୍ତ କି ଉଚ୍ଚକୁଳର ଲୋକେ ସୁଦ୍ଧା ଵର୍ଜିତ ହୋଇଥିଵା ଜୀଵଙ୍କର ମାଂସଭକ୍ଷଣ କରିଵାକୁ ସୁଦ୍ଧା କୁଣ୍ଠାବୋଧ କରୁନାହାନ୍ତି) ।‌

ଧର୍ମ ସଭ୍ୟତା ସଂସ୍କୃତି ଓ ପରମ୍ପରାକୁ ଵୈଜ୍ଞାନିକ ଦୃଷ୍ଟିକୋଣରେ ଦେଖୁଥିଵା ଲୋକ କୁହନ୍ତି  ପୂର୍ଵେ ମଧ୍ୟ ଏ ଦେଶରେ ଅନେକ ଲୋକ ଥିଲେ ଯୋଉମାନେ ମାଛ ମାଂସ ଖାଉଥିଲେ କିନ୍ତୁ କାର୍ତ୍ତିକ ମାସରେ ଆମିଷ ଭକ୍ଷଣ କଲେ ଵସନ୍ତ ଭଳି ଭୟଙ୍କର ରୋଗରେ ପଡ଼ି ମରିଯିଵାର ଭୟ ରହୁଥିଲା ଫଳତଃ ଆମିଷାସୀ ଲୋକେ ମଧ୍ୟ ବାରଣ ମାନି ଚଳୁଥିଲେ । ଯେଉଁମାନେ ମାନୁନଥିଲେ ସେମାନେ ରୋଗରେ ପଡ଼ି ମରୁଥିଲେ ।  ଏଭଳି ଅମାନିଆ ଆମିଷ ଭକ୍ଷକମାନେ  ମହାମାରୀରେ ପଡ଼ି ମରୁଥିଲେ ।

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏହି ମାରି ଵା ମହାମାରୀକୁ ଆଗେ “ଛାଡ଼ଖାଇ ବାଡ଼ି” କୁହାଯାଉଥିଲା ।‌ ଆଜି ଔଷଧ  ତଥା ସ୍ଵଚ୍ଛତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିଵାରୁ ମାନଵମାନେ ଵସନ୍ତ ଆଦି ରୋଗରେ ସେତେ ଆକ୍ରାନ୍ତ ହେଉନାହାନ୍ତି କିନ୍ତୁ ଅତୀତରେ ଏ ରୋଗ ମରାତ୍ମକ ଥିଲା ଫଳତଃ ଆମ ପୂର୍ଵଜମାନେ କାର୍ତ୍ତିକ ମାସରେ ଆମିଷ ଭକ୍ଷଣ ନିଷେଧ କରିଵା ହେତୁକ ତାକୁ ଵ୍ରତ ରୂପେ ପାଳନ କରିଵାକୁ ଲାଗିଲେ । 

ଛାଡ଼ଖାଇର ସୃଷ୍ଟି ଓ ଏହାର ଇତିହାସ ସମ୍ବନ୍ଧିତ କୌଣସି ଯୁକ୍ତିଯୁକ୍ତ ଓ ପ୍ରାମାଣିକ ତଥ୍ୟ ମିଳେନାହିଁ । ଅସ୍ତୁ ସାଧାରଣତଃ  ଓଡ଼ିଶାର ଉଭୟ ଆମିଷ ଓ ନିରାମିଷ ଭୋଜନ କରୁଥିଵା ଲୋକେ କାର୍ତ୍ତିକ ମାସରେ ଆମିଷ ଓ ରସୁଣ ଭଳି ଉତ୍ତେଜକ ଖାଦ୍ୟ ଦ୍ରଵ୍ୟ ଖାଉନଥିଲେ । କାର୍ତ୍ତିକ ମାସରେ ଛାଡ଼ିଦେଇ ଥିଵା ଖାଦ୍ୟ ମାର୍ଗଶିର ପ୍ରାତିପଦାରେ ଭକ୍ଷଣ କରାଯାଉଥିଵାରୁ ଏହାକୁ କାଳକ୍ରମେ ଛାଡ଼ଖାଇ ଓ ସବାଖାଇ କୁହାଗଲା । ଛାଡ଼ଖାଇ ଆମିଷ ଓ ନିରାମିଷ ଉଭୟ ଜାତୀୟ ରାଜସିକ ଖାଦ୍ୟ ଭକ୍ଷଣର ଉତ୍ସଵ ଥିଲା ଯାହାକୁ ଆଜିର ଆଧୁନିକ ଓଡ଼ିଆ ଜାତୀୟ ଲୋକେ କେଵଳ ଆମିଷ ଭକ୍ଷଣୋତ୍ସଵରେ ପରିଣତ କରିଅଛନ୍ତି ।