Wednesday, March 26, 2025

•ଭାରତ ତଥା ଚୀନ ଦେଶର ଖଗୋଳ ଵିଜ୍ଞାନର ଇତିହାସ ଓ ଭାରତୀୟ ଖଗୋଳ ଵିଜ୍ଞାନ କ୍ଷେତ୍ରରେ ଆଚାର୍ଯ୍ୟ ଲଗଧଙ୍କର ଅଵଦାନ•

କିଛି ବୁଦ୍ଧିଜୀଵୀ କୁହନ୍ତି,ଭାରତର ଖଗୋଳ ଵିଜ୍ଞାନ ସମ୍ପୂର୍ଣ୍ଣ ରୂପେ ଗ୍ରୀକ୍‌ମାନଙ୍କଠାରୁ ନକଲ କରାଯାଇଛି। କିନ୍ତୁ ପ୍ରକୃତରେ, ଏହା ସମ୍ପୂର୍ଣ୍ଣ ଭୁଲ୍‌। ଭାରତୀୟ ଖଗୋଳ ଵିଜ୍ଞାନର ଏକ ଗଭୀର ଓ ମୌଳିକ ଇତିହାସ ରହିଛି, ଯାହା ଅନ୍ୟ ସଭ୍ୟତାଙ୍କଠାରୁ ଅନେକାଂଶରେ ଭିନ୍ନ ଓ ସ୍ବତନ୍ତ୍ର। 

କେତେକ ଐତିହାସିକ ଓ ଜ୍ୟୋତିର୍ଵିଜ୍ଞାନ ଗଵେଷକଙ୍କ ମତରେ, ଭାରତରେ ଵର୍ତ୍ତମାନ ପ୍ରଚଳିତ ୧୨ ରାଶିଚକ୍ରର ଧାରଣା (ଯଥା ମେଷ, ଵୃଷ, ମିଥୁନ ଇତ୍ୟାଦି) ପ୍ରାଚୀନ ଗ୍ରୀକ୍‌ ଵା "ଯବନ" ସଂସ୍କୃତିରୁ ଆସିଥିଵାର ସମ୍ଭାଵନା ରହିଛି। ଏହାର ମୂଳ ମେସୋପଟାମିଆ ସଭ୍ୟତାରୁ ଆରମ୍ଭ ହୋଇ ଗ୍ରୀକ୍‌ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଭାରତରେ ପ୍ରଵେଶ କରିଥିଲା ବୋଲି ଵିଶେଷଜ୍ଞମାନେ ମତ ପ୍ରକାଶ କରନ୍ତି। ଖ୍ରୀଷ୍ଟପୂର୍ଵ ୪ର୍ଥ ଶତାବ୍ଦୀରେ ଆଲେକ୍‌ଜାଣ୍ଡାରଙ୍କ ଭାରତ ଆକ୍ରମଣ ପରେ ଗ୍ରୀକ୍‌ ଓ ଭାରତୀୟ ସଂସ୍କୃତି ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ହୋଇଥିଲା, ଯାହା ଏହି ଧାରଣାର ସଞ୍ଚାରଣରେ ସହାୟକ ହୋଇଥାଇପାରେ। ଭାରତୀୟ ଜ୍ୟୋତିଷ ଶାସ୍ତ୍ରରେ ୧୨ ରାଶିର ଵ୍ୟଵହାର "ଯବନଜାତକ" ନାମକ ଗ୍ରନ୍ଥରେ ଦେଖାଯାଏ ଏଵଂ ଏହା ଗ୍ରୀକ୍‌ ପ୍ରଭାଵରୁ ଲିଖିତ ବୋଲି କୁହାଯାଏ। ମହାନ୍‌ ଖଗୋଳଵିଦ୍‌ ବରାହମିହିର ମଧ୍ୟ ତାଙ୍କ ଗ୍ରନ୍ଥରେ ବାରରାଶି ସମ୍ବନ୍ଧୀୟ ଜ୍ଞାନର ଶ୍ରେୟ ସ୍ପଷ୍ଟ ଭାବେ ଯଵନମାନଙ୍କୁ ଦେଇଛନ୍ତି। 

ତେବେ, ଏହାର ଵିରୋଧୀ ମତ ମଧ୍ୟ ଅଛି। କେତେକ ପଣ୍ଡିତ ଓ ଗଵେଷକ ଵିଭିନ୍ନ ଯୁକ୍ତି ଦ୍ଵାରା ଏହାର ଖଣ୍ଡନ କରନ୍ତି । ଭାରତରେ ଜ୍ୟୋତିଷ ଶାସ୍ତ୍ରର ଏକ ସ୍ୱାଧୀନ ପରମ୍ପରା ଥିଲା, ଯାହା ଵୈଦିକ ଯୁଗରୁ ଆରମ୍ଭ ହୋଇଥିଲା। ଋଗ୍ଵେଦ ଓ ଅନ୍ୟାନ୍ୟ ଵୈଦିକ ଗ୍ରନ୍ଥରେ ନକ୍ଷତ୍ର ଓ ଗ୍ରହମାନଙ୍କ ଉଲ୍ଲେଖ ରହିଛି ତେଣୁ ଏହା ନିଶ୍ଚିତ ଯେ ଭାରତରେ ଏକ ମୌଳିକ ଜ୍ୟୋତିର୍ଵିଜ୍ଞାନ ଵିଦ୍ୟା ବହୁତ ପୂର୍ଵରୁ ଵିକଶିତ ହୋଇସାରିଥିଲା। ତେଣୁ କିଛି ଗଵେଷକ ମତ ଦିଅନ୍ତି ଯେ ହୁଏତ ଗ୍ରୀସରୁ ଭାରତକୁ ନୁହେଁ ଵରଂ ଭାରତରୁ ସୃଷ୍ଟି ହୋଇ ପରେ ଗ୍ରୀସ୍‌ଦେଶକୁ ଵ୍ୟାପିଥିଵାର ସମ୍ଭାଵନା ରହିଛି ‌। ଏହି ମତର ସମର୍ଥକମାନେ ଚୀନଦେଶର ଖଗୋଳୀୟ ରାଶି ଵ୍ୟଵସ୍ଥା (Chinese Zodiac)ର ଉଦାହରଣ ଦେଇ କୁହନ୍ତି ଯେ ଯଦି ଗ୍ରୀସ୍ ଅପେକ୍ଷା ଭାରତର ଅତି ନିକଟରେ ଅଵସ୍ଥିତ ଚୀନଦେଶରେ ଗୋଟିଏ ସ୍ଵତନ୍ତ୍ର ରାଶି ଵ୍ୟଵସ୍ଥା ରହିଥିଲା ତାହେଲେ ଭାରତରେ କାହିଁକି ପୂର୍ଵେ ସେହିପରି ରାଶି ଵ୍ୟଵସ୍ଥା ସୃଷ୍ଟି ହୋଇନଥିଵ ? 

ଏଠାରେ ଚୀନଦେଶୀୟ ରାଶିଚକ୍ର ଵ୍ୟଵସ୍ଥା ଵିଷୟରେ ଜାଣିନେଵା ଉଚିତ ହେଵ । ଚୀନୀୟ ରାଶିଚକ୍ର ମୂଳତଃ ପଶୁମାନଙ୍କ ଉପରେ ଆଧାରିତ ଏଵଂ ଏହା ସମୟ ଚକ୍ର ସହିତ ଜଡ଼ିତ। ଚୀନୀୟ ରାଶିଚକ୍ରରେ ମୋଟ ୧୨ଟି ରାଶି ରହିଛି ଏଵଂ ପ୍ରତ୍ୟେକ ରାଶି ଏକ ନିର୍ଦ୍ଦିଷ୍ଟ ପଶୁ ଦ୍ୱାରା ପ୍ରତିନିଧିତ୍ୱ ହୋଇଥାଏ । ଏହି ୧୨ଟି ରାଶି ଏକ ୧୨ ଵର୍ଷିଆ ଚକ୍ର ଅନୁସାରେ ଚଳେ । ତେଣୁ ପ୍ରତ୍ୟେକ ଵର୍ଷ ଏକ ନିର୍ଦ୍ଦିଷ୍ଟ ପଶୁ ସହିତ ଜଡ଼ିତ। ଏହି ପଶୁମାନେ ହେଲେ: ମୂଷା,ବଳଦ,ବାଘ,ଠେକୁଆ,ଡ୍ରାଗନ୍,ସାପ,ଘୋଡ଼ା,ଛେଳି,ମାଙ୍କଡ଼,କୁକୁଡ଼ା,କୁକୁର ଓ ଶୂକର ଵା ଘୁଷୁରି। ଏହି ଚକ୍ର ଏକ ନିର୍ଦ୍ଦିଷ୍ଟ କ୍ରମରେ ଚାଲେ ଏଵଂ ପ୍ରତ୍ୟେକ ପଶୁ ସହିତ ନିର୍ଦ୍ଦିଷ୍ଟ ଗୁଣ ତଥା ଭାଗ୍ୟ ଜଡ଼ିତ ବୋଲି ଚୀନଦେଶୀୟ ଲୋକଵିଶ୍ୱାସ ରହିଛି। ଉଦାହରଣ ସ୍ୱରୂପ ଚୀନ ଦେଶର ରାଶିଚକ୍ର ଅନୁସାରେ ୨୦୨୫ ହେଉଛି "ସାପର ଵର୍ଷ" (Year of the Snake) ।



ଚୀନୀୟ ରାଶିଚକ୍ରର ଉତ୍ପତ୍ତି ସମ୍ପର୍କିତ ଏକ ପ୍ରସିଦ୍ଧ କିମ୍ବଦନ୍ତୀ ରହିଛି ଯାହା "ମହାନ୍ ଦୌଡ଼" (The Great Race) ନାମରେ ଜଣାଶୁଣା । ପ୍ରୋକ୍ତ ୧୨ଟି ପଶୁଙ୍କୁ ରାଶିଚକ୍ରରେ କିପରି ସ୍ଥାନ ମିଳିଲା ଏଵଂ ସେମାନଙ୍କର କ୍ରମ କିପରି ନିର୍ଦ୍ଧାରିତ ହେଲା ତାହାର ଏକ ରୋଚକ ଵର୍ଣ୍ଣନା କିମ୍ବଦନ୍ତୀରେ ଶୁଣିଵାକୁ ମିଳିଥାଏ । ସେହି କିମ୍ବଦନ୍ତୀଟି ସଂକ୍ଷେପରେ ନିମ୍ନରେ ପ୍ରଦତ୍ତ ହେଲା ‌ । 



ଅନେକ ଶତାବ୍ଦୀ ପୂର୍ଵେ, ଚୀନୀୟ ପୌରାଣିକ କଥାରେ ସ୍ୱର୍ଗର ଶାସକ ଭାବେ ଵିଵେଚିତ ଜେଡ୍ ସମ୍ରାଟ (Jade Emperor) ସ୍ଥିର କଲେ ଯେ ସେ ଏକ ପାଞ୍ଜିକା ସୃଷ୍ଟି କରିବେ, ଯାହା ପ୍ରତ୍ୟେକ ଵର୍ଷକୁ ଏକ ନିର୍ଦ୍ଦିଷ୍ଟ ପଶୁ ଦ୍ୱାରା ଚିହ୍ନିତ କରିଵ। ଏହି ପଶୁମାନଙ୍କୁ ନିର୍ଵାଚନ କରିଵା ପାଇଁ ସେ ଏକ ମହାନ୍ ଦୌଡ଼ର ଆୟୋଜନ କଲେ। ସମସ୍ତ ପଶୁଙ୍କୁ ନିମନ୍ତ୍ରଣ କରାଗଲା, କିନ୍ତୁ କେଵଳ ୧୨ଟି ପଶୁ ହିଁ ଏହି ଦୌଡ଼ରେ କୃତକାର୍ଯ୍ୟ ହୋଇ ପାରିବେ ବୋଲି ମଧ୍ୟ ଜଣାଇ ଦିଆଗଲା । ନିୟମ ଥିଲା ଯେ ପଶୁମାନେ ଏକ ବଡ଼ ନଦୀ ପାର କରି ଜେଡ୍ ସମ୍ରାଟଙ୍କ ରାଜପ୍ରାସାଦରେ ପହଞ୍ଚିଵେ ଏଵଂ ଯେଉଁ କ୍ରମରେ ସେମାନେ ପହଞ୍ଚିଵେ ସେହି କ୍ରମରେ ସେମାନଙ୍କୁ ରାଶିଚକ୍ରରେ ସ୍ଥାନ ମିଳିଵ। ମୂଷା ଅତ୍ୟନ୍ତ ଚତୁର ଥିଲା। ସେ ଜାଣିଥିଲା ଯେ ନିଜେ ନଦୀ ପାର ହେଵା କଷ୍ଟକର, ତେଣୁ ସେ ବଳଦକୁ କହିଲା, "ତୁମେ ମୋତେ ତୁମ ପିଠିରେ ବସାଇ ନଦୀ ପାର କରିଦିଅ, ମୁଁ ତୁମର ଗୀତ ଗାଇ ମନୋରଞ୍ଜନ କରିବି।" ବଳଦ ରାଜି ହେଲା। ନଦୀ ପାର ହେଵା ପରେ, ଠିକ୍ ସମ୍ରାଟଙ୍କ ପାଖରେ ପହଞ୍ଚିଵା ଆଗରୁ, ମୂଷା ବଳଦର ପିଠିରୁ ଡେଇଁ ପଡ଼ି ଦୌଡ଼ି ଯାଇ ପ୍ରଥମ ସ୍ଥାନ ଲଭିଲା। ଏହିପରି ମୂଷା ରାଶିଚକ୍ରର ପ୍ରଥମ ପଶୁ ହେଲା।ବଳଦ ଶକ୍ତିଶାଳୀ ଓ ନିର୍ଭରଯୋଗ୍ୟ ଥିଲା। ସେ ମୂଷାକୁ ନିଜ ପିଠିରେ ବସାଇ ନଦୀ ପାର କଲା, କିନ୍ତୁ ମୂଷାର ଚାଲାକି ଯୋଗୁଁ ଦ୍ୱିତୀୟ ସ୍ଥାନରେ ରହିଗଲା। ବାଘ ନିଜର ଶକ୍ତି ଓ ସାହସ ସହିତ ନଦୀର ସ୍ରୋତ ଵିରୁଦ୍ଧରେ ପହଁରି ତୃତୀୟ ସ୍ଥାନରେ ପହଞ୍ଚିଲା। ତା’ର ଦୃଢ଼ତା ତାକୁ ଏହି ସ୍ଥାନ ଦେଇଥିଲା। ଠେକୁଆ ନିଜେ ପହଁରି ପାରିଵ ନାହିଁ ବୋଲି ଜାଣିଥିଲା। ତେଣୁ ସେ ଏକ ଭାସମାନ କାଠ ଖଣ୍ଡରେ ଚଢ଼ି ନଦୀ ପାର ହେଲା ଏଵଂ ଶେଷରେ ନିଜର ଚଞ୍ଚଳତା ଯୋଗୁଁ ଚତୁର୍ଥ ସ୍ଥାନ ଲଭିଲା । କେତେକ ସଂସ୍କରଣରେ କୁହାଯାଏ ଯେ ସେ ଡେଇଁ ଡେଇଁ ପଥର ଉପରେ ଚଢ଼ି ନଦୀ ପାର ହୋଇଥିଲା। ଡ୍ରାଗନ୍ ଉଡ଼ିପାରୁଥିଲା, ତେଣୁ ସେ ସହଜରେ ପ୍ରଥମ ହୋଇପାରିଥାନ୍ତା। କିନ୍ତୁ ବାଟରେ ଏକ ଗାଁରେ ଲୋକମାନେ ଖରାରେ ପୀଡ଼ିତ ଥିଲେ ତେଣୁ ସେମାନଙ୍କ ପାଇଁ ମେଘମାଳାରୁ ଵର୍ଷା ଆଣିଵାକୁ ଯାଇ ତାହାର ମଠ ହୋଇଗଲା ଆଉ ଡ୍ରାଗନର ଏହି ଦୟାଳୁତା ଯୋଗୁଁ ସେ ପଞ୍ଚମ ସ୍ଥାନରେ ପହଞ୍ଚିଲା। ସାପ ଚତୁର ଓ ଲୁଚିଵାରେ ପାରଙ୍ଗମ ଥିଲା। ସାପ ଘୋଡ଼ାର ଖୁରାରେ ଲୁଚି ନଦୀ ପାର ହେଲା । କିନ୍ତୁ ଶେଷ ମୁହୂର୍ତ୍ତରେ ସାପ ଡେଇଁ ପଡ଼ି ଘୋଡ଼ାକୁ ଆଶ୍ଚର୍ଯ୍ୟ କରି ଷଷ୍ଠ ସ୍ଥାନ ଲାଭକଲା। ଘୋଡ଼ା ଦ୍ରୁତ ଗତିରେ ଦୌଡ଼ି ନଦୀ ପାର ହେଉଥିଲା, କିନ୍ତୁ ସାପର ଚାଲାକି ଯୋଗୁଁ ସେ ସପ୍ତମ ସ୍ଥାନରେ ରହିଗଲା। ଛେଳି, ମାଙ୍କଡ଼ ଓ କୁକୁଡ଼ା ଏକାଠି ମିଶି ଏକ ଭେଳା ତିଆରି କରି ନଦୀ ପାର ହେଲେ। ଛେଳି ନମ୍ରତାର ସହିତ ନିଜର ସାଙ୍ଗମାନଙ୍କୁ ସାହାଯ୍ୟ କଲା ଏବଂ ଅଷ୍ଟମ ସ୍ଥାନ ପାଇଲା। ମାଙ୍କଡ଼ ଚଞ୍ଚଳ ଓ ବୁଦ୍ଧିମାନ ଥିଲା। ସେ ଭେଳାରେ ସାଙ୍ଗମାନଙ୍କ ସହିତ ଆସି ନଵମ ସ୍ଥାନରେ ପହଞ୍ଚିଲା। କୁକୁଡ଼ା ଭେଳା ତିଆରିରେ ନେତୃତ୍ୱ ନେଇଥିଲା ଏଵଂ ତା’ର ସେହି ପରିଶ୍ରମ ଯୋଗୁଁ ସେ ଦଶମ ସ୍ଥାନ ପାଇଲା। କୁକୁର ସନ୍ତରଣରେ ପାରଙ୍ଗମ ଥିଲା, କିନ୍ତୁ ସେ ନଦୀରେ ଖେଳିଵାରେ ମଜ୍ଜିଯିଵାରୁ ତା'ର ଵିଳମ୍ବ ହେଲା ତେଣୁ ସେ ଏକାଦଶ ସ୍ଥାନରେ ପହଞ୍ଚିଲା। ଶୂକର ଧୀର ଓ ଆଳସ୍ୟପରାୟଣ ଥିଲା। ସେ ଦୌଡ଼ ଆରମ୍ଭ କରି ମଝିରେ ଭୋକ ଲାଗିଵାରୁ ଖାଇଵାକୁ ଅଟକି ଯାଇଥିଲା ଏଵଂ କିଛି ସମୟ ସେ ପଙ୍କରେ ଲୋଟି ଵିଶ୍ରାମ କରିଥିଲା । ଶେଷରେ ଉଠି ଦୌଡ଼ି ଘୁଷୁରି ଦ୍ୱାଦଶ ତଥା ଶେଷ ସ୍ଥାନ ହାସଲ କଲା।
କୁହାଯାଏ ଯେ ବିଲେଇ (Cat) ମଧ୍ୟ ଏହି ଦୌଡ଼ରେ ଭାଗ ନେଵାକୁ ଚାହୁଁଥିଲା। ବିଲେଇ ଓ ମୂଷା ପରସ୍ପରର ବନ୍ଧୁ ଥିଲେ। ବିଲେଇ ମୂଷାକୁ କହିଥିଲା, "ମୋତେ ସକାଳୁ ଉଠାଇ ଦେବୁ, ଆମେ ଏକାଠି ଦୌଡ଼ିଵା।" କିନ୍ତୁ ମୂଷା ଚାଲାକି କରି ବିଲେଇକୁ ଉଠାଇ ନଥିଲା ଓ ଏକାକୀ ଦୌଡ଼ିଥିଲା। ବିଲେଇ ଯେତେବେଳେ ଉଠିଲା ସେତେବେଳକୁ ଦୌଡ଼ ଶେଷ ହୋଇସାରିଥିଲା। ଏହି କାରଣରୁ ବିଲେଇ ରାଶିଚକ୍ରରେ ସ୍ଥାନ ପାଇଲା ନାହିଁ ଏଵଂ ମୂଷା ସହିତ ଚିରକାଳ ଶତ୍ରୁତା ରଖି ଘୃଣା କରିଵାକୁ ଲାଗିଲା। 



ଏହି କିମ୍ବଦନ୍ତୀ ମାଧ୍ୟମରେ ଚୀନୀୟ ରାଶିଚକ୍ରର ୧୨ଟି ପଶୁ ଏଵଂ ସେମାନଙ୍କର କ୍ରମ ନିର୍ଦ୍ଧାରିତ ହୋଇଥିଲା। ପ୍ରତ୍ୟେକ ପଶୁର ଚରିତ୍ର—ଯେମିତିକି ମୂଷାର ଚତୁରତା, ବଳଦର ଶକ୍ତି, ଡ୍ରାଗନ୍‌ର ଦୟାଳୁତା ଇତ୍ୟାଦି ଏହି କାହାଣୀରେ ପ୍ରତିଫଳିତ ହୋଇଛି। ଏହା ଚୀନୀୟ ସଂସ୍କୃତିରେ ଏକ ଜନପ୍ରିୟ ଉପାଖ୍ୟାନ ଭାବେ ଆଜି ମଧ୍ୟ ପ୍ରଚଳିତ ଅଛି।

ତେବେ ଚୀନୀୟ ରାଶିଚକ୍ରର ଉତ୍ପତ୍ତି ନିର୍ଦ୍ଦିଷ୍ଟ ଭାବେ କେବେ ହୋଇଥିଲା ତାହା ସ୍ପଷ୍ଟ ନୁହେଁ କିନ୍ତୁ ଏହାର ଵିକାଶକ୍ରମ 
ଶାଙ୍ଗ ରାଜବଂଶ(୧୬୦୦ ଖ୍ରୀଷ୍ଟପୂର୍ଵ) ସମୟରୁ ଆରମ୍ଭ ହୋଇଥିଵା ଜଣାଯାଏ । ଏହି ସମୟରେ ହାଡ଼ ଓ କଚ୍ଛପ ଆଦିଙ୍କ ଖୋଳପାରେ ଖୋଦିତ ଲେଖା (Oracle Bones) ମାଧ୍ୟମରେ ଖଗୋଳୀୟ ଘଟଣା ଯେପରିକି ସୂର୍ଯ୍ୟଗ୍ରହଣ ଓ ଚନ୍ଦ୍ରଗ୍ରହଣର ପ୍ରାଚୀନତମ ଲିପିଵଦ୍ଧ ତଥ୍ୟ ମିଳିଛି। ଅର୍ଥାତ୍ ଅନ୍ତତଃ ୧୬୦୦ ଖ୍ରୀଷ୍ଟପୂର୍ଵ ଵା ତହିଁର ବହୁତ ପୂର୍ଵରୁ ଚୀନାମାନେ ଆକାଶର ନିରୀକ୍ଷଣ କରୁଥିଲେ ଏଵଂ ଏହାକୁ ଧାର୍ମିକ ତଥା ରାଜନୈତିକ ଉଦ୍ଦେଶ୍ୟରେ ଵ୍ୟଵହାର କରୁଥିଲେ। ଝୋଉ ରାଜବଂଶ (Zhou Dynasty, ଖ୍ରୀ.ପୂ. ୧୦୪୬–୨୫୬) ସମୟରେ ଚୀନାମାନେ ଏକ ପାଞ୍ଜିକା ଵିକଶିତ କରିଥିଲେ, ଯାହା ଚନ୍ଦ୍ର ଓ ସୌର ଚକ୍ର ଉପରେ ଆଧାରିତ ଥିଲା। ଏହା ଖଗୋଳୀୟ ଗଣନା ସେମାନଙ୍କର ଦକ୍ଷତାକୁ ପ୍ରତିଫଳିତ କରେ ।

ପରଵର୍ତ୍ତୀ ସମୟରେ, ଖ୍ରୀଷ୍ଟପୂର୍ଵ ୪ର୍ଥ ଶତାବ୍ଦୀରେ, ଚୀନା ଖଗୋଳ ଵିଜ୍ଞାନୀମାନେ ତାରାମାନଙ୍କର ସୂଚୀ (Star Catalogues) ତିଆରି କରିଵା ଆରମ୍ଭ କରିଥିଲେ। ଶି ଶେନ (Shi Shen) ନାମକ ଜଣେ ଖଗୋଳ ଵିଜ୍ଞାନୀ ପ୍ରାୟ ୧୩୫ଟି ତାରାଙ୍କର ଏକ ସୂଚୀ ପ୍ରସ୍ତୁତ କରିଥିଲେ, ଯାହା ଵିଶ୍ୱର ପ୍ରାଚୀନତମ ତାରକା ସୂଚୀଗୁଡ଼ିକ ମଧ୍ୟରୁ ଅନ୍ୟତମ ବୋଲି ଵିଵେଚିତ ହୋଇଥାଏ ।

ତହୁଁ ହାନ୍ ରାଜବଂଶ (Han Dynasty, ଖ୍ରୀ.ପୂ. ୨୦୬–ଖ୍ରୀ.ଷ୍ଟ. ୨୨୦) ସମୟରେ ଖଗୋଳ ଵିଜ୍ଞାନ ଆହୁରି ଅଗ୍ରଗତି ଲାଭ କଲା। ଏହି ସମୟରେ ସୂର୍ଯ୍ୟଘଡ଼ି (Sundials), ଆର୍ମିଲାରୀ ସ୍ଫିୟର (Armillary Sphere) ଏବଂ ଅନ୍ୟାନ୍ୟ ଉପକରଣ ଵ୍ୟଵହାର କରାଯାଉଥିଲା। ଏହା ସହିତ ସୁପରନୋଭା (Supernova) ପରି ଅସାଧାରଣ ଖଗୋଳୀୟ ଘଟଣାର ପ୍ରଥମ ଲିଖିତ ଵିଵରଣୀ ମଧ୍ୟ ଚୀନରୁ ମିଳିଛି । ଯେପରିକି ଖ୍ରୀ.ଷ୍ଟ. ୧୮୫ରେ ଚୀନା ଖଗୋଳଵିଜ୍ଞାନୀମାନେ ଏକ ସୁପରନୋଵାର ନିରୀକ୍ଷଣ କରିଥିଲେ । ଏହା ଵିଶ୍ଵ ଇତିହାସରେ ସୁପରନୋଵାର ପ୍ରଥମ ଉଲ୍ଲେଖ ବୋଲି ମତପୋଷଣ କରାଯାଏ । 

 ହାନ୍ ରାଜବଂଶ (Han Dynasty, ଖ୍ରୀ.ପୂ. ୨୦୬–ଖ୍ରୀ.ଷ୍ଟ. ୨୨୦) ସମୟ ବେଳକୁ ଚୀନଦେଶରେ ଖଗୋଳ ଵିଜ୍ଞାନ ସମ୍ପୂର୍ଣ୍ଣ ରୂପେ ପ୍ରତିଷ୍ଠିତ ହୋଇଥିଲା ବୋଲି ଐତିହାସିକମାନେ ମତପ୍ରକାଶ କରନ୍ତି। ତେବେ, ଏହାର ମୂଳ ଏହାଠାରୁ ଅଧିକ ପ୍ରାଚୀନ ହୋଇପାରେ, ଯାହା ଝୋଉ ରାଜବଂଶ (Zhou Dynasty, ଖ୍ରୀ.ପୂ. ୧୦୪୬–୨୫୬) କିମ୍ବା ତା’ଠାରୁ ପୂର୍ଵରୁ ଆରମ୍ଭ ହୋଇଥାଇପାରେ। କିନ୍ତୁ ଚୀନୀୟ ରାଶିଚକ୍ର କେଵଳ ପଶୁମାନଙ୍କ ଉପରେ ଆଧାରିତ ନୁହେଁ; ଏହା ଖଗୋଳ ଵିଜ୍ଞାନ ଏଵଂ ଚୀନୀୟ ଦର୍ଶନ ସହିତ ଜଡ଼ିତ। ଏହା "ପଞ୍ଚ ତତ୍ତ୍ୱ" (Five Elements: କାଠ, ଅଗ୍ନି, ମାଟି, ଧାତୁ, ଜଳ) ଏଵଂ "ଯିନ୍-ଯାଙ୍ଗ" (Yin-Yang) ସହିତ ମିଶ୍ରିତ ହୋଇ ଏକ ୬୦ ଵର୍ଷିଆ ଚକ୍ର ସୃଷ୍ଟି କରେ। ପ୍ରତ୍ୟେକ ପଶୁ ଓ ତତ୍ତ୍ୱର ସଂଯୋଗ ଵ୍ୟକ୍ତିଙ୍କ ଭାଗ୍ୟ ଓ ଚରିତ୍ର ନିର୍ଦ୍ଧାରଣ କରେ ବୋଲି ଵିଶ୍ୱାସ କରାଯାଏ। ଚୀନରେ ହାନ୍ ରାଜବଂଶ ସମୟରେ ଏହି ସମୟରେ ରାଶିଚକ୍ର ଜନପ୍ରିୟ ହେଲା ଏଵଂ ଏହା ସମୟ ଗଣନା, ଜ୍ୟୋତିଷ ଶାସ୍ତ୍ର ଓ ସାମାଜିକ ରୀତିନୀତିରେ ଵ୍ୟଵହୃତ ହେଲା। ଚୀନୀୟ ରାଶିଚକ୍ର ପରଵର୍ତ୍ତୀ ସମୟରେ ପୂର୍ଵ ଏସିଆର ଅନ୍ୟ ଦେଶ ଯେମିତି ଜାପାନ, କୋରିଆ ଓ ଭିଏତନାମରେ ମଧ୍ୟ ସ୍ଥାନୀୟ ପରିଵର୍ତ୍ତନ ସହିତ ଗ୍ରହଣ କରାଗଲା । 

ତେବେ ସବୁଠାରୁ ବଡ଼ କଥା ହେଲା ଚୀନାମାନେ ଗ୍ରୀକ୍ ସଂସ୍କୃତି ସହିତ ସେତେ ପରିଚିତ ହେଇନଥିଲେ କି ଗ୍ରୀକ୍ ସଂସ୍କୃତିର ପ୍ରଭାଵ ଚୀନା ସଂସ୍କୃତି ଉପରେ ପଡ଼ିନଥିଲା । ତଥାପି ସେମାନେ ବାରଗୋଟି ରାଶିର କଳ୍ପନା କରିପାରିଥିଲେ । ସେ ସମୟରେ ଭାରତୀୟମାନେ ବି ଅନେକ ନୂତନ ଆଵିଷ୍କାର ଓ ଉଦ୍ଭାଵନ କରିଥିଲେ । 
 ସେହିପରି କେଵଳ ଚୀନ ହିଁ ନୁହେଁ ଗ୍ରୀକ୍ ସଂସ୍କୃତିର ପ୍ରଭାଵ ଵର୍ହିଭୁତ ପ୍ରାଚୀନ ଆଜଟେକ୍ସ,ଇନକା ଓ ମାୟା ସଭ୍ୟତା, ପ୍ରାଚୀନ ଅଷ୍ଟ୍ରେଲୀୟ ଆଦିଵାସୀ ସଭ୍ୟତା ତଥା ଆଫ୍ରିକାର ଵିଭିନ୍ନ ସଭ୍ୟତାରେ ମଧ୍ୟ ସ୍ଵତନ୍ତ୍ର ଭାବେ ରାଶିଚକ୍ରର କଳ୍ପନା କରାଯାଇଥିଲା । ତେଣୁ ଭାରତରେ ମଧ୍ୟ ବହୁତ ସମ୍ଭଵ ସ୍ଵତନ୍ତ୍ର ରାଶିଚକ୍ରର କଳ୍ପନା କରାଯାଇଥିଵ ଏଵଂ ପରେ ସେମାନେ ଗ୍ରୀକ୍ ଦେଶୀୟ ସଂସ୍କୃତି ସହିତ ପରିଚିତ ହୋଇ ତହିଁରେ କେତେକ ପରିଵର୍ତ୍ତନ କରିଥିବେ ଯାହା ପରେ ଗ୍ରୀକ୍‌ମାନେ ମଧ୍ୟ ଭାରତରୁ ଗ୍ରହଣ କରିଥିବେ । ଅଵଶ୍ୟ ଏହି ଵିଷୟରେ ଆଜି ପର୍ଯ୍ୟନ୍ତ ଗଵେଷଣା ଚାଲିଛି ତେଣୁ ସମ୍ପୂର୍ଣ୍ଣ ତଥ୍ୟ ନମିଳିଵା ଯାଏଁ କିଏ କାହାଠାରୁ ରାଶିଚକ୍ର ପଦ୍ଧତି ପ୍ରଥମେ ଗ୍ରହଣ କରିଥିଲା ତାହା ସ୍ପଷ୍ଟଭାବେ କହିପାରିଵା କଷ୍ଟକର ‌ । 

ଅସ୍ତୁ,ଭାରତୀୟ ଖଗୋଳ ଵିଜ୍ଞାନର ମୂଳ ସ୍ତମ୍ଭ ହେଉଛି ୨୭ ନକ୍ଷତ୍ର ଆଧାରିତ କ୍ୟାଲେଣ୍ଡର ଓ ଗଣନା ପଦ୍ଧତି ଏଵଂ ଏହା ପୃଥିଵୀର ପ୍ରାଚୀନତମ ଖଗୋଳ ଵିଜ୍ଞାନ ପଦ୍ଧତି ଅଟେ । ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ଵିକଶିତ ହୋଇଥିଲା ଏଵଂ ହଜାର ହଜାର ଵର୍ଷ ଧରି ଏହାର ଉପଯୋଗ ହୋଇଆସୁଛି। ତେବେ ଏହା କେତେ ପୁରୁଣା ତହିଁର ଠିକ୍‌ ଉତ୍ତର ଦେଵା କାଠିକର ପାଠ, କିନ୍ତୁ ଆମେ କିଛି ପ୍ରମାଣ ଆଧାରରେ ଏହା ଅନ୍ତତଃ କେତେ ହଜାର ଵର୍ଷ ପୁରାତନ ଖଗୋଳୀୟ ପରମ୍ପରା ତାହା ଅନୁମାନ କରିପାରିଵା । 

ଆମ ପାଖରେ ଥିଵା ସବୁଠାରୁ ପ୍ରାଚୀନ ଖଗୋଳୀୟ ଗ୍ରନ୍ଥ ହେଉଛି ଆଚାର୍ଯ୍ୟ ଲଗଧଙ୍କ ଦ୍ବାରା ରଚିତ "ଵେଦାଙ୍ଗ ଜ୍ୟୋତିଷ"। ଏହି ଗ୍ରନ୍ଥରେ ଆଚାର୍ଯ୍ୟ ଲଗଧ ଲେଖିଛନ୍ତି ଯେ ଉତ୍ତରାୟଣ ସମୟରେ ସୂର୍ଯ୍ୟ "ଧନିଷ୍ଠା ନକ୍ଷତ୍ର"ରେ ଥାଆନ୍ତି। ଏହା ଏକ ପୁରାତନ ଅଵସ୍ଥାକୁ ସୂଚାଏ। ପୃଥିଵୀର ଅୟନ-ଚଳନ (Precession) ଯୋଗୁଁ ଆକାଶରେ ନକ୍ଷତ୍ରମାନଙ୍କର ସ୍ଥାନ ପ୍ରତି ୭୨ ଵର୍ଷରେ ଏକ ଡିଗ୍ରୀ ଖସିଯାଏ। ଆଜିକାଲି ଉତ୍ତରାୟଣ "ମୂଳ ନକ୍ଷତ୍ର"ରେ ହୋଇଥାଏ(ମୂଳ ନକ୍ଷତ୍ର ଵୃଶ୍ଚିକ ତାରାମଣ୍ଡଳ ଵା Scorpius Constellationର ଅଂଶ ,ଵିଶେଷତଃ ଏହାର "ନାହୁଡ଼" ଅଂଶଵିଶେଷ, ଯେଉଁଠି Lambda Scorpii ଓ ଅନ୍ୟ ତାରା ରହିଛନ୍ତି)।

ଅତଏଵ ଏହି ପରିଵର୍ତ୍ତନକୁ ଗଣନା କଲେ ଜଣାପଡ଼େ ଯେ "ଵେଦାଙ୍ଗ ଜ୍ୟୋତିଷ"ରେ ଵର୍ଣ୍ଣିତ ଖଗୋଳୀୟ ଅଵସ୍ଥା ଆଜିଠାରୁ ପ୍ରାୟ ୩୩୦୦ରୁ ୩୪୦୦ ଵର୍ଷ ପୂର୍ଵେ, ଅର୍ଥାତ୍‌ ୧୩୦୦-୧୪୦୦ ଖ୍ରୀଷ୍ଟପୂର୍ଵରେ ଘଟିଥିଲା। ତେବେ ଏହା କୌଣସି ରାତାରାତି ଘଟିଥିଵା ଆଵିଷ୍କାର ନୁହେଁ।ତାରାମାନଙ୍କର ଗତି ବୁଝିଵା ପାଇଁ ଅନେକ ପିଢ଼ିର ପରିଶ୍ରମ ଲାଗିଥାଏ। ତେଣୁ ଅନୁମାନ କରାଯାଇପାରେ ଯେ ଭାରତରେ ଖଗୋଳ ଵିଜ୍ଞାନର ଵିକାଶ ୪ରୁ ୫ ହଜାର ବର୍ଷ ପୂର୍ଵେ ଆରମ୍ଭ ହୋଇଥିଲା। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେଉଛି ଆଚାର୍ଯ୍ୟ ଲଗଧଙ୍କ ଗ୍ରନ୍ଥରେ ଉଲ୍ଲେଖ ଅଛି ଯେ ୨୧ ଜୁନ୍‌ରେ ଦିନ ହେଉଛି ୧୪ ଘଣ୍ଟା ୨୪ ମିନିଟ୍‌ ଓ ରାତି ୯ ଘଣ୍ଟା ୩୬ ମିନିଟ୍‌। ଏହା କେଵଳ ୩୫.୪୨ ଡିଗ୍ରୀ ଅକ୍ଷାଂଶରେ ହିଁ ସମ୍ଭଵ, ଅନ୍ୟତ୍ର ନୁହେଁ। ଅତଃ ଏହି ତଥ୍ୟ ସୂଚାଏ ଯେ ଵେଦେଙ୍ଗ ଜ୍ୟୋତିଷ ଗ୍ରନ୍ଥର ରଚୟିତା ନିଶ୍ଚୟ ଭାରତର ଲେହ୍‌-ଲଦାଖ ଅଞ୍ଚଳ ନିକଟରେ ରହୁଥିଲେ। ଏହି ଅଞ୍ଚଳର ଉଚ୍ଚ ପାର୍ଵତ୍ୟ ଭୂମି ଓ ସ୍ପଷ୍ଟ ଆକାଶ ଖଗୋଳ ପର୍ଯ୍ୟଵେକ୍ଷଣ ପାଇଁ ଆଜି ବି ଏକ ଉତ୍ତମ ସ୍ଥାନ ।ଏହାଛଡ଼ା, ଭାରତୀୟ ଖଗୋଳ ଵିଜ୍ଞାନରେ ଗ୍ରହଗତି, ସୂର୍ଯ୍ୟଗ୍ରହଣ ଓ ଚନ୍ଦ୍ରଗ୍ରହଣର ଗଣନା ମଧ୍ୟ ଅତ୍ୟନ୍ତ ସୂକ୍ଷ୍ମ ଭାବେ କରାଯାଉଥିଲା। ଋଗ୍‌ଵେଦରେ ମଧ୍ୟ ନକ୍ଷତ୍ର ଓ ଗ୍ରହମାନଙ୍କର ଉଲ୍ଲେଖ ମିଳେ, ଯାହା ଏହାର ପ୍ରାଚୀନତାକୁ ଆହୁରି ପ୍ରମାଣିତ କରେ। ତେଣୁ ଏହା କହିଵା ଭୁଲ୍‌ ହେଵ ଯେ ଭାରତୀୟ ଖଗୋଳ ବିଜ୍ଞାନ କେଵଳ ଗ୍ରୀକ୍‌ମାନଙ୍କଠାରୁ ନକଲ ହୋଇଛି। ଏହା ଏକ ସ୍ବାଧୀନ ଓ ସମୃଦ୍ଧ ପରମ୍ପରା, ଯାହା ହଜାର ହଜାର ଵର୍ଷ ଧରି ଭାରତରେ ଵିକଶିତ ହୋଇଆସିଛି।

ତେବେ ଵେଦାଙ୍ଗ ଜ୍ୟୋତିଷର ରଚୟିତା ଆଚାର୍ଯ୍ୟ ଲଗଧ କିଏ ତାଙ୍କ ଵିଷୟରେ ମଧ୍ୟ ଏଠାରେ ଜାଣିନେଵା ଉଚିତ ହେଵ । ପ୍ରକୃତରେ ଆଚାର୍ଯ୍ୟ ଲଗଧ ଭାରତୀୟ ଖଗୋଳ ବିଜ୍ଞାନ ଓ ଜ୍ୟୋତିଷ ଶାସ୍ତ୍ରର ଇତିହାସରେ ଏକ ଅମର ନାମ। ତାଙ୍କ ଦ୍ୱାରା ରଚିତ "ଵେଦାଙ୍ଗ ଜ୍ୟୋତିଷ" ଭାରତର ସବୁଠାରୁ ପ୍ରାଚୀନ ଖଗୋଳୀୟ ଗ୍ରନ୍ଥ ଭାବେ ପରିଚିତ, ଯାହା ଵେଦ ସହିତ ଜଡ଼ିତ ଜ୍ୟୋତିଷ ଵିଜ୍ଞାନର ଏକ ଅଙ୍ଗ ରୂପେ ଵିକଶିତ ହୋଇଥିଲା। ଏହି ଗ୍ରନ୍ଥ ମାଧ୍ୟମରେ ଆଚାର୍ଯ୍ୟ ଲଗଧ ନକ୍ଷତ୍ର, ଗ୍ରହଗତି ଓ ସମୟ ଗଣନାର ଏକ ସୂକ୍ଷ୍ମ ପଦ୍ଧତି ପ୍ରତିଷ୍ଠା କରିଥିଲେ, ଯାହା ଭାରତୀୟ ସଂସ୍କୃତିରେ ଧାର୍ମିକ ଓ ଵ୍ୟଵହାରିକ କାର୍ଯ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିଲା।

ଅଵଶ୍ୟ ଆଚାର୍ଯ୍ୟ ଲଗଧଙ୍କ ଜୀଵନ ବିଷୟରେ ପୂର୍ଣ୍ଣାଙ୍ଗ ଐତିହାସିକ ତଥ୍ୟ ଉପଲବ୍ଧ ନାହିଁ। ତଥାପି, ତାଙ୍କ ଗ୍ରନ୍ଥ "ବେଦାଙ୍ଗ ଜ୍ୟୋତିଷ"ରୁ ମିଳିଥିଵା ପ୍ରମାଣ ଆଧାରରେ ଅନୁମାନ କରାଯାଏ ଯେ ସେ ସମ୍ଭଵତଃ ଖ୍ରୀଷ୍ଟପୂର୍ଵ ୧୪୦୦ରୁ ୧୩୦୦ ମଧ୍ୟରେ ଜୀଵିତ ଥିଲେ। ଆଚାର୍ଯ୍ୟ ଲଗଧ ଵୈଦିକ ଯୁଗରେ ଏକ ପ୍ରମୁଖ ଵିଦ୍ୱାନ ଥିଲେ।

ଆଚାର୍ଯ୍ୟ ଲଗଧଙ୍କ "ଵେଦାଙ୍ଗ ଜ୍ୟୋତିଷ" ଏକ ଅତି ସଂକ୍ଷିପ୍ତ ଗ୍ରନ୍ଥ ଏଵଂ ଏଥିରେ ମାତ୍ର ୩୬ଟି ଶ୍ଳୋକ ମଧ୍ୟରେ ଖଗୋଳ ଓ ସମୟ ଗଣନାର ମୂଳ ନିୟମ ଵର୍ଣ୍ଣନା କରାଯାଇଛି। ଵୈଦିକ ଯଜ୍ଞ ଓ ଧାର୍ମିକ ଅନୁଷ୍ଠାନ ପାଇଁ ଠିକ୍‌ ସମୟ ନିର୍ଣ୍ଣୟ କରିଵା ଏହି ଗ୍ରନ୍ଥ ରଚନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଵେଦାଙ୍ଗ ଜ୍ୟୋତିଷ ଗ୍ରନ୍ଥରେ, ଭାରତୀୟ ପରମ୍ପରା ମଧ୍ୟରେ ପ୍ରଚଳିତ ୨୭ ନକ୍ଷତ୍ରର ଏକ ସ୍ବତନ୍ତ୍ର ସୂଚୀ ରହିଛି, ଯାହା ଚନ୍ଦ୍ରମାର ଗତି ଉପରେ ଆଧାରିତ। ଲଗଧ ଏହାକୁ ସୁଚାରୁ ରୂପେ ଵ୍ୟଵହାର କରିଥିଲେ। ଦିନ ଓ ରାତିର ଅଵଧି, ଋତୁ ଚକ୍ର ଓ ମାସିକ ଗଣନାର ନିୟମ ମଧ୍ୟ ଏଥିରେ ଦିଆଯାଇଛି। ପୁଣି ସୂର୍ଯ୍ୟ ଓ ଚନ୍ଦ୍ରମାର ଗତି ଅନୁସାରେ ସଂକ୍ରାନ୍ତି ଓ ଗ୍ରହଣ ଗଣନାର ଆଧାର ଏଥିରେ ରହିଛି।

ଆଚାର୍ଯ୍ୟ ଲଗଧଙ୍କ ଵେଦାଙ୍ଗ ଜ୍ୟୋତିଷ ଭାରତୀୟ ସଂସ୍କୃତି ଓ ଧର୍ମର ଏକ ଅଵିଚ୍ଛେଦ୍ୟ ଅଂଶ ହୋଇପଡ଼ିଥିଲା। ତାଙ୍କ ନକ୍ଷତ୍ର ଆଧାରିତ ଗଣନା ପରଵର୍ତ୍ତୀ ଖଗୋଳଵିଦ୍‌ମାନଙ୍କ ପାଇଁ ଆଧାର ସ୍ତମ୍ଭ ପାଲଟିଥିଲା। ଆର୍ଯ୍ୟଭଟ୍ଟ, ବରାହମିହିର ଓ ଭାସ୍କରାଚାର୍ଯ୍ୟ ପରି ମହାନ୍‌ ଵିଜ୍ଞାନୀମାନେ ଲଗଧଙ୍କ କାର୍ଯ୍ୟକୁ ଆଗକୁ ନେଇ ଯାଇଥିଲେ। ଏହାଛଡ଼ା, "ଵେଦାଙ୍ଗ ଜ୍ୟୋତିଷ" ଋଗ୍‌ଵେଦ ଓ ଯର୍ଦୁଵେଦର ସମୟ ନିର୍ଣ୍ଣୟରେ ମଧ୍ୟ ସହାୟକ ହୋଇଥିଲା, ଯାହା ଏହାର ଵୈଦିକ ସମୟରେ ପ୍ରତିଷ୍ଠାକୁ ସୂଚାଏ।

ଆଚାର୍ଯ୍ୟ ଲଗଧ କେଵଳ ମାତ୍ର ଖଗୋଳଵିଦ୍‌ ନଥିଲେ; ସେ ଥିଲେ ଏକ ଦୂରଦର୍ଶୀ ଋଷି, ଯିଏ ତାରାମାନଙ୍କ ଗତି ମାଧ୍ୟମରେ ସମୟର ରହସ୍ୟ ଉନ୍ମୋଚନ କରିଥିଲେ। ତାଙ୍କ କାର୍ଯ୍ୟ ଆଜି ମଧ୍ୟ ଭାରତୀୟ ଖଗୋଳ ଵିଜ୍ଞାନର ମୌଳିକତା ଓ ଗଭୀରତାକୁ ପ୍ରତିଫଳିତ କରେ। ତାଙ୍କ ଅଵଦାନ ଭାରତର ଵୈଜ୍ଞାନିକ ଐତିହ୍ୟର ଏକ ଅମୂଲ୍ୟ ରତ୍ନ ରୂପେ ସଂରକ୍ଷିତ ହୋଇ ରହିଛି ଏଵଂ ଯେତେଦିନ ପର୍ଯ୍ୟନ୍ତ ଭାରତଵର୍ଷରେ ସନାତନ ସଂସ୍କୃତି ତଥା ସନାତନୀ ସମାଜ ରହିଥିଵ ଆଚାର୍ଯ୍ୟ ଲଗଧ ଓ ତାଙ୍କ କୃତି ଅମର ହୋଇ ରହିଥିଵ ।

Monday, March 24, 2025

ପାକିସ୍ତାନର ଵର୍ତ୍ତମାନ ଅଵସ୍ଥା ପଶ୍ଚିମ ଓଡ଼ିଶାର ଭଵିଷ୍ୟତ ନହେଉ

୧୯୬୫ ମସିହାରେ ଯେତେବେଳେ ଭାରତ ପାକିସ୍ତାନ ଯୁଦ୍ଧ ହେଲା, ଜେନେରାଲ ଅୟୁବ୍ ଖାନଙ୍କ ସରକାର ନିଷେଧାଜ୍ଞା ଜାରି କଲେ ଯେ ରେଡିଓ ପାକିସ୍ତାନରୁ ଭାରତୀୟ ମୂଳର କୌଣସି ଗୀତ ବାଜିଵ ନାହିଁ । ଏମନ୍ତକି ଭାରତୀୟ ପଠାଣ ଉର୍ଦ୍ଦୂ ଶାୟରମାନଙ୍କର ଗଜଲ ଶାୟରୀ ଓ ଗୀତ ଉପରେ ମଧ୍ୟ କଟକଣା ଲାଗିଗଲା । ପାକିସ୍ତାନ ସରକାରଙ୍କ ଆଦେଶ ପାଇଵା ମାତ୍ରେ ପାକିସ୍ତାନରେଡିଓର କର୍ମଚାରୀମାନେ ତରବର ହୋଇ କଵିମାନଙ୍କର ତାଲିକା ତିଆରି କଲେ ଓ ଭାରତୀୟ ଚଳଚ୍ଚିତ୍ରର ଗୀତଗୁଡ଼ିକୁ ତଥା ଭାରତୀୟ ମୂଳର ଶାୟରମାନଙ୍କର ଗଜଲ ଶାୟରୀଗୁଡ଼ିକୁ ସାଉଣ୍ଡ ଲାଇବ୍ରେରୀରୁ ହଟାଇ ଦେଲେ। ଏହି ନିଷେଧାଜ୍ଞା ସତ୍ତ୍ୱେ ଅଲ୍ଲାମା ଇକୱାଲ ହିନ୍ଦୁସ୍ତାନୀ ହୋଇଥିଲେ ମଧ୍ୟ ତାଙ୍କ ଗୀତ,ଗଜଲ ଓ ଶାୟରୀ ତଥାପି କୌଣସି କଟକଣା ଲାଗିଲା ନାହିଁ। କାରଣ ସେ କେବେ ଚଳଚ୍ଚିତ୍ର ଗୀତ ଲେଖି ନଥିଲେ ଏଵଂ ତାଙ୍କ ମାନସିକ ସନ୍ତାନ ପାକିସ୍ତାନ ହିଁ ଥିଲା । ଅର୍ଥାତ୍ ସାରେ ଜାହାଁ ସେ ଅଚ୍ଛା ହିନ୍ଦୋସ୍ତାଂ ଲେଖିଥିଵା ଅଲ୍ଲାମା ଇକୱାଲଙ୍କର ହିଁ ମାନସ ସନ୍ତାନ ପାକିସ୍ତାନ ଥିଲା । 

ତେବେ ମଜରୁ ସୁଲତାନପୁରୀ, କୈଫି ଆଜମୀ ଓ ଅଲି ସରଦାର ଜାଫରି ପଠାଣ ହେଲେହେଁ ଭାରତୀୟ ହୋଇଥିଵାରୁ କଟକଣାରୁ ଵର୍ତ୍ତିପାରିଲେ ନାହିଁ । କାରଣ ସେମାନେ ଚଳଚ୍ଚିତ୍ର ଗୀତ ଲେଖିବା ସହିତ କମ୍ୟୁନିଷ୍ଟ ଭାବେ ମଧ୍ୟ ପରିଚିତ ଥିଲେ। କିନ୍ତୁ ଭାରତୀୟ ହୋଇ ବି ଫିରାକ ଗୋରଖପୁରୀଙ୍କ ଗଜଲ ରେଡିଓ ପାକିସ୍ତାନରେ ତଥାପି ବାଜିଲା । ପାକିସ୍ତାନୀ ନଥିଲେ ଯେ ଫିରାକଙ୍କ ପ୍ରକୃତ ନାମ ରଘୁପତି ସହାୟ ଥିଲା ଏଵଂ ସେ ଜଣେ ହିନ୍ଦୁ ଥିଲେ । 

ଏକ ଶତାବ୍ଦୀ ପୂର୍ଵେ ପାକିସ୍ତାନରେ ପଢ଼ାଯାଉଥିଵା ଵିଦ୍ୟାଳୟର ପୁସ୍ତକରେ ଇତିହାସ ଆରମ୍ଭ ହେଉଥିଲା ଅଶୋକ ଓ ଚନ୍ଦ୍ରଗୁପ୍ତଙ୍କଠାରୁ ଏଵଂ ତତ୍ପରେ ପିଲାଏ ସିନ୍ଧୁ ଜୟ କରିଥିବା ମୋହମ୍ମଦ ବିନ କାସିମଙ୍କ ଇତିହାସ ପଢ଼ୁଥିଲେ । କିନ୍ତୁ ଆଜିର ପାକିସ୍ତାନରେ କୌଣସି ସ୍କୁଲ ପିଲା ଅଶୋକ କିମ୍ବା ଚନ୍ଦ୍ରଗୁପ୍ତଙ୍କୁ ଜାଣି ନାହିଁ କି ଏ ଇତିହାସ ସେ ଵିଦ୍ୟାଳୟରେ ପଢ଼େ ନାହିଁ । ଆଜି ପାକିସ୍ତାନରେ ପିଲାଏ ମୋହମ୍ମଦ ବିନ କାସିମଙ୍କୁ ସମସ୍ତେ ଜାଣନ୍ତି ଓ ତାଙ୍କ ପରି ଜେହାଦ୍ କରି ଗଜଵା ଏ ହିନ୍ଦ୍ କରିଵା ତଥା ହିନ୍ଦୁ ହତ୍ୟାର ସ୍ଵପ୍ନ ଦେଖୁଛି । ୫୫ ଵର୍ଷ ପୂର୍ଵର ପାକିସ୍ତାନୀ ପିଲାମାନେ ୧୮୫୭ର ସ୍ୱାଧୀନତା ସଂଗ୍ରାମ ପଢୁଥିଲେ । ବାହାଦୁର ଶାହ ଜଫର ଓ ଜେନେରାଲ ବଖ୍ତ ଖାନଙ୍କ ସହିତ ମଙ୍ଗଳ ପାଣ୍ଡେ ଓ ଝାନ୍ସୀର ରାଣୀଙ୍କୁ ମଧ୍ୟ ମନେ ରଖୁଥିଲେ। ଜାଲିଆଁବାଲା ବାଗର କାହାଣୀ ମଧ୍ୟ ଜାଣୁଥିଲେ । ଆଜି ପାଠ୍ୟପୁସ୍ତକ ପଢିଲେ ମନେହୁଏ ଯେମିତି ପାକିସ୍ତାନର ଇତିହାସ ମୋହମ୍ମଦ ବିନ କାସିମ, ମୋଗଲ ସାମ୍ରାଜ୍ୟ, ସର ସୈୟଦ ଅହମଦ ଖାନ ଓ ଖିଲାଫତ ଆନ୍ଦୋଳନ ଦେଇ ସିଧା ଅଗଷ୍ଟ ୧୯୪୭ରେ ପହଞ୍ଚି ଯାଉଛି । 

ପାକିସ୍ତାନର ସ୍କୁଲ ପୁସ୍ତକରେ ଏହି ପରିବର୍ତ୍ତନ ଭୁଟ୍ଟୋ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା ଓ ଜେନେରାଲ ଜିଆଙ୍କ ଶାସନ କାଳରେ ଇତିହାସକୁ ଏକ ଅସ୍ତ୍ରର ରୂପ ଦିଆଗଲା। ଫଳସ୍ୱରୂପ, ପାକିସ୍ତାନୀ ସମାଜରୁ ଵିଵିଧତା, ସମାଵେଶ ଓ ସମାନତାର ଅନୁଭଵ ଧୀରେ ଧୀରେ ଲୋପ ପାଇଗଲା । ଵୟସ୍କ ପାକିସ୍ତାନୀ କୁହନ୍ତି ତାଙ୍କ ସମୟରେ ଉଚ୍ଚଶିକ୍ଷିତା ଓ ଉଚ୍ଚଵର୍ଗର ମହିଳାମାନେ ସାଲୱାର କମିଜ ଓ ଶାଢ଼ୀ ପିନ୍ଧୁଥିଲେ ଓ ଖୋପା ମଧ୍ୟ ବାନ୍ଧୁଥିଲେ। ଆଜି ପାକିସ୍ତାନରେ ହିଜାବ ସଂସ୍କୃତି ଯୋଗୁଁ ଯଦି କୌଣସି ମହିଳା ଶାଢ଼ୀ ପିନ୍ଧି ଲାହୋରର କୌଣସି ସପିଂ ସେଣ୍ଟରକୁ ଚାଲି ଯାଉଛି ତେବେ ଦୋକାନୀମାନେ ତାଙ୍କୁ କହନ୍ତି, "ଆପଣ ତ ଆମର ଅତିଥି। ଲାହୋର କିପରି ଲାଗିଲା ? ଦିଲ୍ଲୀ ମଧ୍ୟ କ’ଣ ଆମ ଲାହୋର ପରି କି ?’’

ସ୍ଵାଧୀନତା ସଂଗ୍ରାମର ପ୍ରକୃତ ନାୟକ ସୁଭାଷ ବୋଷ ଓ ଭଗତ ସିଂହ ଆଜାଦ ଓ ସୁଖଦେଵଙ୍କ କଥା ଛାଡ଼ନ୍ତୁ ଯୋଉ ପାକିସ୍ତାନ ପାଇଁ ମହାତ୍ମା ଗାନ୍ଧୀଙ୍କ ହୃଦୟ ସବୁବେଳେ କାନ୍ଦୁଥିଲା ସେଇ ପାକିସ୍ତାନରେ ଆଜି ପାକିସ୍ତାନର ଶୁଭଚିନ୍ତକ ମହାତ୍ମା ଗାନ୍ଧୀଙ୍କୁ କେହି ବାଳକ ଚିହ୍ନି ନାହିଁ । ଭଗତ ସିଂହ ତ ପୁଣି ଅଖଣ୍ଡ ଭାରତର ଲାୟଲପୁରରେ ଜନ୍ମ ହୋଇଥିଲେ ଯାହା ଆଜି ପାକିସ୍ତାନରେ ଅଵସ୍ଥିତ । କିନ୍ତୁ ତଥାପି ପାକିସ୍ତାନରେ ଅନେକେ ତାଙ୍କ ଜୀଵନୀ ସହିତ ପରିଚିତ ନୁହେଁ । 

ଘୃଣା ଦ୍ଵେଷକୁ ପାଥେୟ କରି ଦେଶ ବାଣ୍ଟିଦେଲେ ଯାହା ଯାହା ଫଳ ଭୋଗିଵା ଉଚିତ୍ ଆଜି ପାକିସ୍ତାନୀମାନେ ତାହା ତାହା ଭୋଗ କରୁଅଛନ୍ତି । 

ନିଜର ପ୍ରକୃତ ପରିଚୟ ଓ ମୂଳ ଭୂଖଣ୍ଡଠାରୁ ଵିଚ୍ଛିନ୍ନ ହେଲେ ଯେଉଁ ଯେଉଁ ସମସ୍ୟା ଦେଖାଯିଵା କଥା ତାହା ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳ ଯଥା- ଶ୍ରୀକାକୁଲମ,ଵସ୍ତର,ମହାସମୁନ୍ଦ, ଷଡୈକଳା,ଖରସୁଆଁ, ସିଂହଭୂମି ଓ ମେଦିନୀପୁରରେ ମଧ୍ୟ ଧିରେ ଧିରେ ଦେଖିଵାକୁ ମିଳିଲାଣି । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳରେ ଆଜି ପିଲାଏ ନିଜର ଓଡ଼ିଆ ଭାଷା ଓ ସଂସ୍କୃତିଠାରୁ ଦୂରେଇ ଗଲେଣି । ଓଡ଼ିଆ ଵିଚ୍ଛିନ୍ନାଞ୍ଚଳ ହୋଇ ବି ଆମ ଓଡ଼ିଆ ଭାଇଭଉଣୀମାନେ ଓଡ଼ିଆ ଭାଷାରେ ପାଠ ପଢ଼ି ପାରୁନାହାନ୍ତି। ସେମାନେ ନିଜ ଅଞ୍ଚଳର ମୂଳ ବାସିନ୍ଦା ହୋଇ ମଧ୍ୟ ମାତ୍ର କେଇ ଶତାବ୍ଦୀ ତଳେ ତାଙ୍କ ଅଞ୍ଚଳରେ ଆସି ରହିଥିଵା ଅଣଓଡ଼ିଆମାନେ ସେମାଙ୍କୁ ବାହାରିଆ କହି ଅପମାନିତ କରୁଛନ୍ତି । ଏଣେ ଓଡ଼ିଶାରେ କିଛି ସ୍ଵାର୍ଥୀ ଲୋକ ଇତି ମଧ୍ୟରେ କେଵଳମ ମାନ ପ୍ରତିଷ୍ଠା ପାଇଵା ଆଶାରେ ଜର୍ଜ ସୋରସ୍ ଆଦି ଭାରତ ଵିରୋଧୀ ଵୈଦେଶିକଙ୍କଠାରୁ ଧନ ପାଇ ଓଡ଼ିଶା ଵିଭାଜନର ସ୍ଵପ୍ନ ଦେଖୁଛନ୍ତି। ଓଡ଼ିଶାର ପଶ୍ଚିମାଞ୍ଚଳରେ ପ୍ରାଚୀନ ଓଡ଼ିଆ କଵି, ମହାପୁରୁଷ ଏମନ୍ତକି ଓଡ଼ିଆଙ୍କ ରାଷ୍ଟ୍ରଭାଷା ଓଡ଼ିଆ ତଥା ରାଷ୍ଟ୍ରଦେଵତା ଶ୍ରୀଜଗନ୍ନାଥଙ୍କ ପ୍ରତି ଅସଦାଚରଣ କରିଵାକୁ ପଛାଉନାହାନ୍ତି । ଓଡ଼ିଶାରେ ପାକିସ୍ତାନଟିଏ କରି ଦେଵାକୁ ଚେଷ୍ଟା କରୁଥିଵା ସେଗ ଜାରଜମାନଙ୍କର ଵିଚ୍ଛିନ୍ନତାଵାଦ ରୋଗଳ ଯଦି ବେଳ ଥାଉଁ ଉପଶମ ନକରାଯାଏ ତେବେ ଆଗାମୀ ଦିନମାନଙ୍କରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ମଧ୍ୟ ପିଲାଏ ନିଜ ଭାଷା ସଂସ୍କୃତି ଓ ଇତିହାସକୁ ଜାଣିପାରିବେ ନାହିଁ ଓ ଘୃଣା ଦ୍ଵେଷର ଵିଷାକ୍ତ ଵାୟମଣ୍ଡଳରେ ଜନ୍ମ ଲଭି ମରି ଯିବେ ସିନା କେବେ ମଣିଷ ହୋଇପାରିବେ ନାହିଁ।

Friday, March 21, 2025

•ଇଲିଆଡ଼,ଓରେଷ୍ଟିଆ ତଥା ଓଡ଼େଶୀ ମହାକାଵ୍ୟର ସଂକ୍ଷିପ୍ତ କାହାଣୀ•

ଟ୍ରୟ(ଆଧୁନିକ ତୁର୍କୀର ପଶ୍ଚିମ ସମୁଦ୍ର କୂଳର ଏକ ନଗର)ର ରାଜା ପ୍ରିଆମ୍‌ ଓ ରାଣୀ ହେକ୍ୟୁବାଙ୍କ ଘରେ ଏକ ପୁତ୍ର ଜନ୍ମ ହେଲା, ନାମ ରଖାଗଲା ପାରିସ୍‌। କିନ୍ତୁ ଜନ୍ମ ପୂର୍ଵରୁ ହେକ୍ୟୁବା ଏକ ସ୍ୱପ୍ନ ଦେଖିଲେ ଯେ ସେ ଏକ ଜଳନ୍ତା ମଶାଲ ଜନ୍ମ ଦେଉଛନ୍ତି,ଯିଏ ଟ୍ରୟକୁ ନଷ୍ଟ କରିଦେଵ। ଭବିଷ୍ୟଦ୍‌ଵକ୍ତାମାନେ କହିଲେ, "ଏ ପିଲା ଟ୍ରୟ ଵିନାଶର କାରଣ ହେଵ।" ଭୟରେ ପ୍ରିଆମ୍‌ ପାରିସ୍‌କୁ ମାରିଵାକୁ ଆଦେଶ ଦେଲେ, କିନ୍ତୁ ଦୟାଳୁ ଦାସମାନେ ତାକୁ ମାଉଣ୍ଟ ଇଡାରେ ଛାଡ଼ିଦେଲେ। ସେଠାରେ ଗୋପାଳକମାନେ ତାକୁ ପାଳିଲେ। ବଡ଼ ହେଲା ପରେ ପାରିସ୍‌ ଜଣେ ସୁନ୍ଦର ଓ ଚତୁର ଯୁଵକ ହେଲେ। ଏକଦା ତିନି ଦେଵୀ "ହେରା, ଏଥେନା ଓ ଆଫ୍ରୋଡାଇଟ" ତାଙ୍କୁ ଏକ ସୁନାର ସେଓ ଦେଇ କହିଲେ, "ଆମ ମଧ୍ୟରୁ ସବୁଠୁ ସୁନ୍ଦରୀକୁ ବାଛ।" ହେରା ତାକୁ ଶକ୍ତି, ଆଥେନା ଜ୍ଞାନ, ଆଉ ଆଫ୍ରୋଡାଇଟ ପୃଥିଵୀର ସବୁଠୁ ସୁନ୍ଦରୀ ନାରୀର ପ୍ରେମ ଦେବାକୁ ପ୍ରତିଶ୍ରୁତି ଦେଲେ। ପାରିସ୍‌ ଆଫ୍ରୋଡାଇଟଙ୍କୁ ବାଛିଲେ। ସେ ସୁନ୍ଦରୀ ଥିଲେ ହେଲେନ୍‌, ସ୍ପାର୍ଟାର ରାଣୀ।

ପାରିସ୍‌ ଟ୍ରୟକୁ ଫେରି ନିଜର ରାଜକୁମାର ପଦ ପାଇଲେ। ସେ ସ୍ପାର୍ଟା ଗଲେ, ଯେଉଁଠି ରାଜା ମେନେଲାସ୍‌ ତାଙ୍କୁ ଅତିଥି ଭାବେ ସ୍ୱାଗତ କଲେ। କିନ୍ତୁ ପାରିସ୍‌ ହେଲେନ୍‌ଙ୍କୁ ପ୍ରେମରେ ପକାଇ ତାଙ୍କ ସହ ଟ୍ରୟକୁ ପଳାଇଲେ। ମେନେଲାସ୍‌ ଏହା ଜାଣି କ୍ରୋଧିତ ହେଲେ ଓ ତାଙ୍କ ଭାଇ ଆଗାମେମ୍‌ନୋନ୍‌ଙ୍କ ସହ ଗ୍ରୀସ୍‌ର ସମସ୍ତ ରାଜାଙ୍କୁ ଏକତ୍ରିତ କରି ଟ୍ରୟ ଵିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ।ଗ୍ରୀକ୍‌ମାନେ ହଜାରେ ଜାହାଜ ନେଇ ଟ୍ରୟ ପହଞ୍ଚିଲେ। ଆକିଲିସ୍‌, ଓଡ଼େଶିଅସ୍‌, ଆଜାକ୍ସ ଭଳି ଵୀରମାନେ ଟ୍ରୟଯୁଦ୍ଧରେ ଯୋଗ ହେଲେ। ଟ୍ରୟର ପ୍ରତିରକ୍ଷାରେ ରାଜକୁମାର ହେକ୍‌ଟର ଓ ତାଙ୍କ ଭାଇ ପାରିସ୍‌ ନେତୃତ୍ୱ ନେଲେ। ଯୁଦ୍ଧ ୯ ବର୍ଷ ଚାଲିଲା, କିନ୍ତୁ କେହି ଜିତିଲେ ନାହିଁ।୧୦ମ ଵର୍ଷରେ ଆଗାମେମ୍‌ନୋନ୍‌ ଏକ ବନ୍ଦୀ କ୍ରାଇସିସ୍‌ଙ୍କୁ ନିଜ ପାଖରେ ରଖିଥିଲେ। ଦେଵତା ଆପୋଲୋଙ୍କ କ୍ରୋଧରୁ ଗ୍ରୀକ ଶିଵିରରେ ମହାମାରୀ ଵ୍ୟାପିଲା। ଆକିଲିସ୍‌ ଆଗାମେମ୍‌ନୋନ୍‌ଙ୍କୁ କ୍ରାଇସିସ୍‌ଙ୍କୁ ଫେରାଇଵାକୁ କହିଲେ। ଆଗାମେମ୍‌ନୋନ୍‌ ମାନିଲେ, କିନ୍ତୁ ଆକିଲିସ୍‌ଙ୍କ ବନ୍ଦୀ ବ୍ରିସିସ୍‌ଙ୍କୁ ନେଇଗଲେ। କ୍ରୋଧିତ ଆକିଲିସ୍‌ ଯୁଦ୍ଧ ଛାଡ଼ିଦେଲେ। ଆକିଲିସ୍‌ ନଥିଵାରୁ ହେକ୍‌ଟର ଗ୍ରୀକମାନଙ୍କୁ ପରାସ୍ତ କରିଵାକୁ ଲାଗିଲେ। ସେ ଗ୍ରୀକ୍ ଶିଵିର ଆଡ଼େ ଆଗେଇ ଜାହାଜଗୁଡ଼ିକୁ ପୋଡ଼ିଵାକୁ ଆରମ୍ଭ କଲେ। ଆକିଲିସ୍‌ଙ୍କ ବନ୍ଧୁ ପାଟ୍ରୋକ୍‌ଲସ୍‌ ତାଙ୍କ ସାଜସଜ୍ଜା ପିନ୍ଧି ଯୁଦ୍ଧ କଲେ, କିନ୍ତୁ ହେକ୍‌ଟର ତାଙ୍କୁ ମାରିଦେଲେ। ଆକିଲିସ୍ ନିଜ ବନ୍ଧୁ ପାଟ୍ରୋକ୍‌ଲସ୍‌ଙ୍କ ମୃତ୍ୟୁରେ କ୍ରୋଧିତ ହୋଇ ଟ୍ରୟଯୁଦ୍ଧକୁ ଫେରିଲେ। ସେ ଟ୍ରୟ ସୈନ୍ୟଙ୍କୁ ଧ୍ୱଂସ କରି ହେକ୍‌ଟରଙ୍କୁ ଏକାକୀ ଯୁଦ୍ଧରେ ମାରିଲେ। ତାଙ୍କ ମୃତଦେହକୁ ଅପମାନ କଲେ, କିନ୍ତୁ ପ୍ରିଆମ୍‌ଙ୍କ ଅନୁରୋଧରେ ଫେରାଇ ଦେଲେ। ଆକିଲିସ୍‌ ହେକ୍‌ଟରଙ୍କୁ ମାରିବା ପରେ ଟ୍ରୟର ଅନ୍ୟ ଶତ୍ରୁଙ୍କ ବିରୋଧରେ ଲଢ଼ୁଥିଲେ। ସେହି ସମୟରେ ପାରିସ୍‌, ଦେଵତା ଆପୋଲୋଙ୍କ ସାହାଯ୍ୟରେ, ତାଙ୍କ ଗୋଇଠିକୁ ଲକ୍ଷ୍ୟ କରି ତୀର ମାରିଥିଲେ। ଆପୋଲୋ ତୀରକୁ ଠିକ୍‌ ଦିଗରେ ପରିଚାଳିତ କରିଥିଲେ, କାରଣ ସେ ଆକିଲିସ୍‌ଙ୍କ ଉପରେ କ୍ରୋଧିତ ଥିଲେ। ଏହି ଆଘାତରେ ଆକିଲିସ୍‌ ମରିଗଲେ। ଆକିଲିସ୍‌ ଥିଲେ ଗ୍ରୀକମାନଙ୍କର ସବୁଠୁ ଶକ୍ତିଶାଳୀ ଯୋଦ୍ଧା, ଦେଵୀ ଥେଟିସ୍‌ ଓ ମାନଵ ପେଲିଅସ୍‌ଙ୍କ ପୁତ୍ର। ତାଙ୍କ ମାଆ ଥେଟିସ୍‌ ତାଙ୍କୁ ଅମର କରିଵା ପାଇଁ ଶିଶୁ ଅଵସ୍ଥାରେ ଷ୍ଟିକ୍ସ୍‌ ନଦୀରେ ବୁଡ଼ାଇଥିଲେ, କିନ୍ତୁ ଗୋଇଠିରେ ଧରିଥିଵାରୁ ସେହି ଅଂଶ ଅସୁରକ୍ଷିତ ରହିଗଲା। ଗ୍ରୀକ୍‌ମାନେ ତାଙ୍କର ମହାନ ବୀରଙ୍କୁ ହରାଇ ଦୁଃଖିତ ହେଲେ। ଶେଷରେ ଓଡ଼େଶିଅସ୍‌ ଏକ ଚାଲାକି କଲେ। ସେ ଏକ ଵିରାଟ କାଠ ଘୋଡ଼ା ତିଆରି କରି ତା ଭିତରେ ଗ୍ରୀକ ସୈନିକ ଲୁଚାଇଲେ। ଗ୍ରୀକମାନେ ଟ୍ରୟ ଛାଡ଼ି ପଳାଇଯିଵାର ଅଭିନୟ କଲେ ଓ ଏକ ଵିଶାଳ କିନ୍ତୁ ଭିତରୁ ପୋଲା କାଠଘୋଡ଼ାକୁ ଟ୍ରୟ ବାହାରେ ଛାଡ଼ିଦେଲେ। ଏହି ଘୋଡ଼ାକୁ ଟ୍ରୋଜାନ୍ ଘୋଡ଼ା କୁହାଗଲା । ଟ୍ରୟବାସୀ ଏହାକୁ ଵିଜୟର ଉପହାର ଭାବି ସହର ଭିତରକୁ ନେଲେ। ପ୍ରକୃତରେ ସେହି ଟ୍ରୋଜାନ ଘୋଡ଼ା ମଧ୍ୟରେ ବଛା ବଛା ଗ୍ରୀକ୍ ଯୋଦ୍ଧା ଲୁଚି ରହିଥିଲେ। ଘୋଡା଼ ମଧ୍ୟରେ ଲୁଚି ରହିଥିଵା ଏହି ଯୋଦ୍ଧାମାନେ ରାତିରେ ବାହାରି ଟ୍ରୟ ନଗରର ଦ୍ୱାର ଖୋଲିଦେଲେ। ଗ୍ରୀକ ସୈନ୍ୟ ଭିତରକୁ ପଶି ଟ୍ରୟକୁ ନଷ୍ଟ କରିଦେଲେ। ପାରିସ୍‌ ମରିଗଲେ, ହେଲେନ୍‌ ଫେରିଆସିଲେ, ଆଉ ଟ୍ରୟ ଧ୍ୱଂସ ହେଲା। ଟ୍ରୟଯୁଦ୍ଧରେ ଵିଜୟ ଲଭିଲାପରେ ଗ୍ରୀକ୍ ଵୀରମାନେ ସମୁଦ୍ର ପଥରେ ବୋଇତ ନେଇ ଯେ ଯେଝା ଦେଶକୁ ଫେରିଗଲେ । 
ଦଶ ଵର୍ଷ ପରେ ବୋଇତ ଦ୍ଵାରା ଫେରିଲାବେଳେ ଅନେକ ଗ୍ରୀକ୍ ଯୋଦ୍ଧା ମୃତ୍ୟୁଵରଣ କଲେ । କେହି କେହି ଅନେକ କଷଣ ସହି ଅନେକ ଵର୍ଷ ପରେ ନିଜକୁ ଦେଶକୁ ଫେରିଲେ । କେହି କେହି ଗ୍ରୀକ୍ ଯୋଦ୍ଧା ନିଜ ଦେଶରେ ପହଞ୍ଚି ପରେ ଷଡ଼ଯନ୍ତ୍ରର ଶିକାର ହୋଇ ପ୍ରାଣ ହରାଇଲେ । ପ୍ରକୃତରେ ଦେଵତାମାନେ ଅନ୍ୟାୟରେ ଟ୍ରୟଯୁଦ୍ଧ ଜିତିଥିଵାରୁ ଗ୍ରୀକ୍ ଵୀରମାନଙ୍କୁ ଦୈଵୀ ଶକ୍ତି ବଳରେ ହଇରାଣ କରିଥିଲେ । 

ମାଇସେନିର ରାଜା ଏଵଂ ଟ୍ରୟ ଯୁଦ୍ଧରେ ଗ୍ରୀକ୍ ସୈନ୍ୟର ସର୍ବାଧିନାୟକ ଆଗାମେମ୍‌ନୋନ୍‌ ନିଜର ସୈନ୍ୟଙ୍କ ସହ ମହା ଗୌରଵରେ ନିଜ ଦେଶ ମାଇସେନିକୁ ଫେରିଵାକୁ ଜାହାଜରେ ଚଢ଼ିଲେ। ସେ ସଙ୍ଗରେ କାସାଣ୍ଡ୍ରା ନାମକ ଜଣେ ଟ୍ରୟ ରାଜକୁମାରୀଙ୍କୁ ବନ୍ଦୀ ଭାବେ ଆଣିଥିଲେ ‌ । ୟେ
କାସାଣ୍ଡ୍ରା ଥିଲେ ଅତ୍ୟନ୍ତ ସୁନ୍ଦରୀ। ଦେଵତା ଆପୋଲୋ ତାଙ୍କ ସୌନ୍ଦର୍ଯ୍ୟରେ ମୋହିତ ହୋଇ ତାଙ୍କୁ ଭଵିଷ୍ୟତ ଦେଖିଵାର ଶକ୍ତି ଦେଵାକୁ ପ୍ରସ୍ତାଵ ଦେଲେ, ବଦଳରେ ତାଙ୍କ ପ୍ରେମ ମାଗିଲେ। କାସାଣ୍ଡ୍ରା ଶକ୍ତି ଗ୍ରହଣ କଲେ, କିନ୍ତୁ ଆପୋଲୋଙ୍କ ପ୍ରେମ ନିଵେଦନକୁ ପ୍ରତ୍ୟାଖ୍ୟାନ କଲେ। କ୍ରୋଧିତ ଆପୋଲୋ ତାଙ୍କୁ ଅଭିଶାପ ଦେଲେ ଯେ ସେ ସତ ଭଵିଷ୍ୟତ ଦେଖିବେ, କିନ୍ତୁ କେହି ତାଙ୍କ କଥା ଵିଶ୍ୱାସ କରିବେ ନାହିଁ। ଏହି ଅଭିଶାପ କାସାଣ୍ଡ୍ରାଙ୍କ ଜୀଵନକୁ ଦୁଃଖମୟ କରିଦେଲା।କାସାଣ୍ଡ୍ରା ଟ୍ରୟର ପତନ ଦେଖିପାରିଥିଲେ। ସେ "ଟ୍ରୋଜାନ ଘୋଡ଼ା" ଵିଷୟରେ ଚେତାବନୀ ଦେଇଥିଲେ, କହିଥିଲେ ଯେ ଏହା ସହରର ଵିନାଶ କରିଦେଵ। କିନ୍ତୁ ତାଙ୍କ ପରିଵାର ଓ ଟ୍ରୟବାସୀ ତାଙ୍କୁ ପାଗଳ ଭାବି ଅଣଦେଖା କରିଥିଲେ । ପରିଣାମ କ'ଣ ହେଲା ସମସ୍ତେ ଦେଖିଲେ । ଯୁଦ୍ଧ ଶେଷରେ ଆଗାମେମ୍‌ନୋନ୍‌, ଗ୍ରୀକ ସୈନ୍ୟର ସର୍ଵାଧିନାୟକ, କାସାଣ୍ଡ୍ରାଙ୍କୁ ନିଜର "ଯୁଦ୍ଧ ପୁରସ୍କାର" ଭାବେ ଦାବି କଲେ। ସେ ତାଙ୍କୁ ବନ୍ଦୀ ଭାବେ ମାଇସେନିକୁ ଆଣିଲେ। ଯାତ୍ରା ସମୟରେ କାସାଣ୍ଡ୍ରା ନିଜର ଓ ଆଗାମେମ୍‌ନୋନ୍‌ଙ୍କ ମୃତ୍ୟୁ ଦେଖିପାରୁଥିଲେ, କିନ୍ତୁ କେହି ତାଙ୍କ ଚେତାବନୀ ଶୁଣିଲେ ନାହିଁ।

ମାଇସେନିରେ ଆଗାମେମ୍‌ନୋନ୍‌ଙ୍କ ପତ୍ନୀ କ୍ଲାଇଟେମ୍‌ନେଷ୍ଟ୍ରା ତାଙ୍କ ଫେରିଵା ବାଟକୁ ଅପେକ୍ଷା କରି ରହିଥିଲେ। କିନ୍ତୁ ଆଗାମେମ୍‌ନୋନ୍‌ଙ୍କୁ ସ୍ୱାଗତ କରିଵା ପାଇଁ ନୁହେଁ, ବରଂ ପ୍ରତିଶୋଧ ନେଵା ପାଇଁ ଅପେକ୍ଷା କରୁଥିଲେ। କାରଣ? ଯୁଦ୍ଧ ଆରମ୍ଭ ପୂର୍ଵରୁ ଆଗାମେମ୍‌ନୋନ୍‌ ଦେଵୀ ଆର୍ଟେମିସ୍‌ଙ୍କୁ ପ୍ରସନ୍ନ କରିଵା ପାଇଁ ନିଜର ଝିଅ ଇଫିଜେନିଆଙ୍କୁ ବଳି ଦେଇଥିଲେ। ଏହି ଘଟଣା କ୍ଲାଇଟେମ୍‌ନେଷ୍ଟ୍ରାଙ୍କ ହୃଦୟରେ ଘୃଣା ଓ କ୍ରୋଧ ଭରିଦେଇଥିଲା। ଆଗାମେମ୍‌ନୋନ୍‌ ଯୁଦ୍ଧରେ ଥିଵା ସମୟରେ ସେ ଆଗାମେନୋନଙ୍କ ଦଦାପୁଅ ଭାଇ ଏଜିସ୍‌ଥସ୍‌ଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଥିଲେ, ଯିଏ ଆଗାମେମ୍‌ନୋନ୍‌ଙ୍କ ପରିଵାର ଉପରେ ପୁରୁଣା ଶତ୍ରୁତାର ପ୍ରତିଶୋଧ ନେବାକୁ ଚାହୁଁଥିଲେ।ଆଗାମେମ୍‌ନୋନ୍‌ ଆପଣା ଦେଶ ମାଇସେନିରେ ପହଞ୍ଚିଵା ଦିନ, କ୍ଲାଇଟେମ୍‌ନେଷ୍ଟ୍ରା ତାଙ୍କୁ ମିଠା କଥାରେ ସ୍ୱାଗତ କଲେ। ସେ ରାଜପଥରେ ଗାଲିଚା ବିଛାଇ ତାଙ୍କୁ ରାଜପ୍ରାସାଦକୁ ନେଲେ। ସେଠାରେ ସେ ଆଗାମେମ୍‌ନୋନ୍‌ଙ୍କୁ ଗାଧୋଇବା ପାଇଁ ଏକ ଗରମ ସ୍ନାନ ପ୍ରସ୍ତୁତ କରିଥିଲେ। ଆଗାମେମ୍‌ନୋନ୍‌ ଯୁଦ୍ଧର କ୍ଳାନ୍ତି ମେଣ୍ଟାଇବା ପାଇଁ ସ୍ନାନଗୃହରେ ପଶିଲେ। କିନ୍ତୁ ଏହା ଥିଲା ତାଙ୍କ ଶେଷ ମୁହୂର୍ତ୍ତ। କ୍ଲାଇଟେମ୍‌ନେଷ୍ଟ୍ରା ତାଙ୍କ ଉପରେ ଏକ ଜାଲ ପକାଇଲେ, ଯାହା ତାଙ୍କୁ ଅସହାୟ କରିଦେଲା। ତା’ପରେ ସେ ଏକ କୁଠାର ଦ୍ଵାରା ଆଗାମେମ୍‌ନୋନ୍‌ଙ୍କୁ ନିର୍ମମ ଭାବେ ହତ୍ୟା କଲେ। ସେହି ସମୟରେ କାସାଣ୍ଡ୍ର ମଧ୍ୟ କ୍ଲାଇଟେମ୍‌ନେଷ୍ଟ୍ରାଙ୍କ ହାତରେ ମରିଗଲେ। ହତ୍ୟା ପରେ କ୍ଲାଇଟେମ୍‌ନେଷ୍ଟ୍ରା ଓ ଏଜିସ୍‌ଥସ୍‌ ମାଇସେନିର ଶାସନ ହାତେଇ ନେଲେ।ଆଗାମେମ୍‌ନୋନ୍‌ଙ୍କ ମୃତ୍ୟୁର ପ୍ରତିଶୋଧ ତାଙ୍କ ପୁତ୍ର ଓରେଷ୍ଟିସ୍‌ ଓ ଝିଅ ଇଲେକ୍‌ଟ୍ରା ନେଇଥିଲେ। କେତେକ ଵର୍ଷ ପରେ ଓରେଷ୍ଟିସ୍‌ ଫେରି ଆସି କ୍ଲାଇଟେମ୍‌ନେଷ୍ଟ୍ରା ଓ ଏଜିସ୍‌ଥସ୍‌ଙ୍କୁ ହତ୍ୟା କରି ପିତାଙ୍କ ମୃତ୍ୟୁର ପ୍ରତିଶୋଧ ନେଲେ । 

ଏଣେ ଟ୍ରୟଯୁଦ୍ଧରେ ଵିଜୟୀ ହୋଇ ଇଥାକାର ରାଜା 
ଓଡ଼େଶିଅସ୍‌ ମଧ୍ୟ ସମୁଦ୍ର ଯାତ୍ରା ଆରମ୍ଭ କ୍ଇଦେଲେ । 

 ଓଡ଼େଶିଅସ୍‌, ତାଙ୍କ ବାରଟି ଜାହାଜ ଓ ସାଙ୍ଗମାନଙ୍କ ସହ ଇଥାକା ଆଡ଼କୁ ନୌଯାତ୍ରା ଆରମ୍ଭ କଲେ। କିନ୍ତୁ ଦେଵତାମାନଙ୍କ କ୍ରୋଧ ଓ ନିଜର ଭାଗ୍ୟ ଯୋଗୁଁ ତାଙ୍କ ଯାତ୍ରା ସହଜ ହୋଇନଥିଲା ‌। 

ଯାତ୍ରାର ଆରମ୍ଭରେ ଓଡ଼େଶିଅସ୍‌ ଓ ତାଙ୍କ ଦଳ ସିକୋନ୍‌ସ ନାମକ ଏକ ଜାତିର ଦେଶରେ ପହଞ୍ଚିଲେ। ସେମାନେ ସେଠାକାର ଗାଁକୁ ଲୁଟିଲେ, କିନ୍ତୁ ସିକୋନ୍‌ସମାନେ ପ୍ରତିଆକ୍ରମଣ କଲେ। ଓଡ଼େଶିଅସ୍‌ଙ୍କ ଅନେକ ସାଙ୍ଗ ମରିଗଲେ, ଆଉ ସେ କୌଣସି ମତେ ଜାହାଜରେ ପଳାଇ ପ୍ରାଣ ବଞ୍ଚାଇଲେ।

ସମୁଦ୍ରରେ ଯାତ୍ରା ସମୟରେ କେତେକ ଦିନ ପରେ ଓଡ଼େଶିଅସ ଓ ତାଙ୍କ ସାଥି ଏକ ଦ୍ୱୀପରେ ପହଞ୍ଚିଲେ । ସେ ଦ୍ଵୀପକୁ କମଳଦ୍ଵୀପ କୁହାଯାଏ ‌। ଏ ଦ୍ଵୀପର ଲୋକେ କମଳ ପୁଷ୍ପ ଖାଉଥିଵାରୁ ଏ ଦ୍ଵୀପର ଏଭଳି ନାମକରଣ ହୋଇଥିଲା। ସେ ଦ୍ବୀପର କମଳ ଖାଇଲେ ମଣିଷ ସବୁ କଥା ଭୁଲିଯାଏ। ଓଡ଼େଶିଅସ୍‌ଙ୍କ କିଛି ସାଙ୍ଗ ଏହା ଖାଇ ଘରକୁ ଫେରିଵା ଇଚ୍ଛା ହରାଇ ବସିଲେ। ଓଡ଼େଶିଅସ୍‌ ସେମାନଙ୍କୁ ଜୋର୍‌ କରି ଜାହାଜକୁ ଟାଣି ଆଣି ଯାତ୍ରା ଜାରି ରଖିଲେ।

ତହୁଁ କେତେକ ଦିନ ପରେ ସେମାନେ ଆଉ ଏକ ଦ୍ୱୀପରେ ପହଞ୍ଚିଲେ । ସେ ଦ୍ଵୀପରେ ଓଡ଼େଶିଅସ୍‌ ଓ ତାଙ୍କ ଦଳ ସାଇକ୍ଲୋପ୍‌ସ ନାମକ ଏକ ଏକଆଖିଆ ଦାନବ, ପଲିଫେମସ୍‌ଙ୍କ ଗୁମ୍ଫାରେ ପଶିଲେ। ପଲିଫେମସ୍‌ ସେମାନଙ୍କୁ ବନ୍ଦୀ କରି କିଛି ଲୋକଙ୍କୁ ଖାଇଦେଲା। ଓଡ଼େଶିଅସ୍‌ ଚାଲାକି କରି ତାକୁ ମଦ ପିଆଇ ଅନ୍ଧ କରିଦେଲେ। ସେ ନିଜ ନାମ "କେହି ନୁହେଁ" ବୋଲି କହିଥିଲେ, ତେଣୁ ପଲିଫେମସ୍‌ ସାହାଯ୍ୟ ମାଗିଲା ବେଳେ ଅନ୍ୟ ସାଇକ୍ଲୋପ୍‌ସମାନେ ଭାବିଲେ କିଛି ହୋଇନାହିଁ। ଶେଷରେ ଓଡ଼େଶିଅସ୍‌ ମେଣ୍ଢାଙ୍କ ପେଟ ତଳେ ଲୁଚି ପଳାଇଲେ। କିନ୍ତୁ ପଲିଫେମସ୍‌ ତାଙ୍କ ପିତା, ସମୁଦ୍ର ଦେଵତା ପୋସାଇଡନ୍‌ଙ୍କୁ ଓଡ଼େଶିଅସ୍‌ଙ୍କୁ ଶାପ ଦେବାକୁ କହିଲାରୁ ଓଡ଼େଶିଅସ ଓ ତାଙ୍କ ସାଥୀମାନଙ୍କର ଦୁର୍ଦ୍ଦିନ ଆରମ୍ଭ ହୋଇଗଲା । 

ତହୁଁ କେତେକ ଦିନ ଗତ ହୁଅନ୍ତେ ଓଡ଼େଶିଅସ୍‌ , ପବନ ଦେଵତା ଏଓଲସ୍‌ଙ୍କ ଦ୍ୱୀପରେ ପହଞ୍ଚିଲେ। ଏଓଲସ୍‌ ତାଙ୍କୁ ଏକ ଥଳି ଦେଇଥିଲେ, ଯହିଁରେ ସମସ୍ତ ପଵନ ବନ୍ଦ ଥିଲା, କେଵଳ ଗୃହ ପ୍ରତ୍ୟାଵର୍ତ୍ତନ ହେତୁକ ନିର୍ଦ୍ଦିଷ୍ଟ ଦିଗର ପବନ ଛଡ଼ା। କିନ୍ତୁ ଓଡ଼େଶିଅସ୍‌ଙ୍କ ସାଙ୍ଗମାନେ ଭାବିଲେ ଥଳିରେ ଧନ ଅଛି ଓ ସେମାନେ ସେ ଥଳୀକୁ ଖୋଲିଦେଲେ। ଫଳତଃ ଥଳୀରେ ଥିଵା ସବୁ ପଵନ ବାହାରି ଜାହାଜକୁ ଦୂରକୁ ଉଡ଼ାଇ ନେଇଗଲା।

ଅନେକ ଦହଗଞ୍ଜ ହୋଇ ଓଡ଼େଶିଅସ ଓ ତାଙ୍କ ସାଥୀମାନେ ଏକ ଦ୍ୱୀପରେ ପହଞ୍ଚିଲେ ‌ । ସେମାନେ ସେଠି ଲେଷ୍ଟ୍ରିଗୋନିଆନ୍‌ସ ନାମକ ଏକ ନରଭୋଜୀ ଜାତିଙ୍କୁ ଭେଟିଲେ। ଏମାନେ ଓଡ଼େଶିଅସ୍‌ଙ୍କ ବାରଟି ଜାହାଜ ମଧ୍ୟରୁ ଏକାଦଶଟିକୁ ନଷ୍ଟ କରିଦେଲେ। କେଵଳ ଓଡ଼େଶିଅସ୍‌ଙ୍କ ଜାହାଜ ବଞ୍ଚିଲା।

ଓଡ଼େଶିଅସ୍‌ ତାଙ୍କର ବଞ୍ଚି ଯାଇଥିଵା ସେଇ ଗୋଟିଏ ମାତ୍ର ଜାହାଜ ଓ ଅଳ୍ପ ସାଥୀଙ୍କୁ ଧରି ଦୁଃଖରେ ପୁଣି ନୌଯାତ୍ରା ଆରମ୍ଭ କରିଦେଲେ । 

ତହୁଁ ସେମାନେ ସର୍ସି ନାମକ ଜଣେ ମାୟାଵିନୀଙ୍କ ଦ୍ୱୀପରେ ପହଞ୍ଚିଲେ। ସର୍ସି ଓଡ଼େଶିଅସ୍‌ଙ୍କ ସାଙ୍ଗମାନଙ୍କୁ ଘୁଷୁରୀରେ ପରିଣତ କରିଦେଲେ। ଓଡ଼େଶିଅସ୍‌ ଦେଵତା ହର୍ମିସ୍‌ଙ୍କ ସାହାଯ୍ୟରେ ସର୍ସିଙ୍କୁ ପରାସ୍ତ କଲେ ଓ ତାଙ୍କ ସାଙ୍ଗମାନଙ୍କୁ ମୁକ୍ତ କରାଇଲେ। ସେଠାରେ ସେ ଏକ ବର୍ଷ ରହିଲେ। 

ସର୍ସିଙ୍କ ପରାମର୍ଶରେ ଓଡ଼େଶିଅସ୍‌ ପାତାଳକୁ ଗଲେ ଓ ଦିଵଙ୍ଗତ ଅନ୍ଧ ଭଵିଷ୍ୟତବକ୍ତା ଟାଇରେସିଆସ୍‌ଙ୍କୁ ଭେଟିଲେ। ଟାଇରେସିଆସ୍‌ ତାଙ୍କୁ ଆଗାମୀ ଵିପଦ ଵିଷୟରେ ସତର୍କ କଲେ ଓ ଘରେ ପହଞ୍ଚିଵାର ଠିକ୍ ବାଟ କହିଲେ।

ସେଠାରୁ ଫେରି ଓଡ଼େଶିଅସ ଓ ତାଙ୍କ ସାଥୀମାନେ ପୁଣି ନୌଯାତ୍ରା ଆରମ୍ଭ କରିଦେଲେ । ଏକ ଦ୍ଵୀପ ପାଖ ଦେଇ ସେମାନେ ଗଲାବେଳେ ସୁମଧୁର ସଂଗୀତ ଶୁଣିଵାକୁ ମିଳିଲା । ସେ ଦ୍ଵୀପରେ 
 ସାଇରେନ୍‌ସ ନାମକ ମାୟାବୀ ସ୍ତ୍ରୀମାନେ ରହୁଥିଲେ ଏଵଂ ସେମାନେ ମଧୁର ଗୀତରେ ନାଵିକମାନଙ୍କୁ ମୋହି ନିଜ ଦ୍ଵୀପକୁ ଅଣାଇ ମାରିଦେଉଥିଲେ । ଭଵିଷ୍ୟତବକ୍ତା ଟାଇରେସିଆସ୍‌ଙ୍କଠାରୁ ବାଟରେ ପଡ଼ୁଥିଵା ଏସବୁ ଵିପତ୍ତି ସମ୍ବନ୍ଧରେ ଆଗୁଆ ସତର୍କ ହୋଇଯାଇଥିଵାରୁ ତତ୍କ୍ଷଣାତ୍ ଓଡ଼େଶିଅସ୍‌ ନିଜ ସାଙ୍ଗମାନଙ୍କ କାନରେ ଚୁଣ୍ଟା ପୁରାଇ ନିଜକୁ ଜାହାଜରେ ବାନ୍ଧିଦେଲେ, ଯାହା ଫଳରେ ସେ ଗୀତ ଶୁଣି ମଧ୍ୟ ବଞ୍ଚିଗଲେ। 

ତତ୍ପରେ ସେମାନେ ଦୁଇ ଭୟଙ୍କର ପ୍ରାଣୀ, ସିଲା (ଏକ ଷଟ୍‌ମୁଣ୍ଡିଆ ଦାନବ) ଓ କାରିବ୍‌ଡିସ୍‌ (ଏକ ଘୂର୍ଣ୍ଣିପୂର୍ଣ୍ଣ ଜଳପ୍ରପାତ) ମଧ୍ୟ ଦେଇ ଗଲେ। ସିଲା ଓଡ଼େଶିଅସ୍‌ଙ୍କ ଛଅ ସାଙ୍ଗଙ୍କୁ ଖାଇଦେଲା, କିନ୍ତୁ ସେ ଜାହାଜକୁ ବଞ୍ଚାଇଲେ। 

ଏକ ଦ୍ୱୀପରେ ସେମାନେ ସୂର୍ଯ୍ୟଦେଵତା ହେଲିଓସ୍‌ଙ୍କ ପଵିତ୍ର ଗାଈଙ୍କୁ ଦେଖିଲେ। ଓଡ଼େଶିଅସ୍‌ ସତର୍କ କରିଥିଲେ ମଧ୍ୟ, ତାଙ୍କ ସାଥିମାନେ ଗାଈଙ୍କୁ ମାରି ଖାଇଗଲେ। ହେଲିଓସ୍‌ କ୍ରୋଧିତ ହୋଇ ଜିଉସ୍‌ଙ୍କୁ କହିଲେ, ଆଉ ଜିଉସ୍‌ ଓଡ଼େଶିଅସଙ୍କ ବୋଇତ ଉପରେ ଵଜ୍ରପାତ କଲେ। ଏହି ଦୁର୍ଘଟଣାରେ ସମସ୍ତେ ମରିଗଲେ, କେଵଳ ଓଡ଼େଶିଅସ୍‌ ବଞ୍ଚିଲେ।

 ଓଡ଼େଶିଅସ୍‌ ସମୁଦ୍ରରେ ଭଗ୍ନ ବୋଇତର ଏକ କାଷ୍ଟଖଣ୍ଡ ଉପରେ ଭାସି ଭାସି କାଲିପ୍‌ସୋ ନାମକ ଏକ ସୁନ୍ଦରୀ ଅପ୍‌ସରାଙ୍କ ଦ୍ୱୀପରେ ପହଞ୍ଚିଲେ। କାଲିପ୍‌ସୋ ତାଙ୍କୁ ଭଲ ପାଇ ସାତ ଵର୍ଷ ବନ୍ଦୀ ରଖିଲେ। ଶେଷରେ ଦେଵତାମାନଙ୍କ ଆଦେଶରେ ସେ ଓଡ଼େଶିଅସ୍‌ଙ୍କୁ ମୁକ୍ତ କଲେ।
ଓଡ଼େଶିଅସ୍‌ ନିଜେ ଏକ ଭେଳା ଗଢ଼ି ସେଥିରେ ଆଗକୁ ସମୁଦ୍ରରେ ଯାତ୍ରା କଲେ ‌ । ତହୁଁ ସେ କୌଣସି ମତେ ଫିଏସିଆନ୍‌ସ ଦ୍ୱୀପରେ ପହଞ୍ଚିଲେ। ସେଠାକାର ରାଜକୁମାରୀ ନଉସିକା ଓ ରାଜା ଆଲ୍‌ସିନସ୍‌ ତାଙ୍କୁ ସାହାଯ୍ୟ କଲେ। ଓଡ଼େଶିଅସ୍‌ ନିଜର ଜୀଵନ ଚରିତ ଶୁଣାଇଲେ ଫଳତଃ ସେମାନେ ତାଙ୍କୁ ବୋଇତଦ୍ଵାରା ଇଥାକାରେ ପହଞ୍ଚାଇଦେଲେ। 

ପ୍ରାୟତଃ ଦଶ ଵର୍ଷପରେ ଓଡ଼େଶିଅସ୍‌ ଇଥାକାରେ ପହଞ୍ଚିଲେ। ସେଠାରେ ତାଙ୍କ ପତ୍ନୀ ପେନେଲୋପିଙ୍କୁ ଵିଵାହ କରିଵା ପାଇଁ ଅନେକ ରାଜକୁମାର ଅଡ଼ି ବସିଥିଲେ। ଓଡ଼େଶିଅସ୍‌ ଭିକାରୀ ବେଶରେ ଆସି ନିଜ ପୁଅ ଟେଲେମାକସ୍‌ଙ୍କ ସହ ମିଶି ସେମାନଙ୍କୁ ମାରିଦେଲେ। ଶେଷରେ ପେନେଲୋପିଙ୍କ ସହ ଓଡ଼େଶିଅସଙ୍କର ପୁନର୍ମିଳନ ଘଟିଲା ଓ ସେ ନିଜ ରାଜ୍ୟ ଫେରି ପାଇଲେ।

(ଟ୍ରୟଯୁଦ୍ଧର କାହାଣୀ ହୋମରଙ୍କର ଇଲିଆଡ଼ କାଵ୍ୟରେ ଉଲ୍ଲେଖ ଅଛି । ଏସ୍‌କାଇଲସ୍‌ଙ୍କ "ଓରେଷ୍ଟିଆ" କାଵ୍ୟରେ ଆଗାମେମ୍‌ନୋନ୍‌'ଙ୍କ ସ୍ଵଦେଶ ପ୍ରତ୍ୟାଵର୍ତ୍ତନ ଓ ଵଧର ଉଲ୍ଲେଖ ଅଛି । ଓଡ଼େଶିଅସଙ୍କର ନୌଯାତ୍ରା ଓ ଗୃହ ପ୍ରତ୍ୟାଵର୍ତ୍ତନର କାହାଣୀ ହୋମରଙ୍କର ଓଡ଼େଶୀ କାଵ୍ୟରେ ଉଲ୍ଲେଖ ଅଛି । ସଂକ୍ଷେପରେ ତିନୋଟିଯାକ ମହାକାଵ୍ୟର ଗାଥା ଯାହା ମୋର ମନେ ଥିଲା ଏଵଂ ଭୁଲି ଯାଇଥିଵା ଘଟଣାକ୍ରମକୁ ଅନ୍ତର୍ଜାଲରେ ଉଣ୍ଡି ଏଠାରେ ଉଲ୍ଲେଖ କରିଛି । ଟ୍ରୟଯୁଦ୍ଧରୁ ପ୍ରେରିତ ରୋମାନ କଵି ଭର୍ଜିଲଙ୍କର ମହାକାଵ୍ୟ 'ଏନିଡ୍'ର କାହାଣୀ ପୁଣି କେବେ ଉପସ୍ଥାପନ କରାଯିଵ) 

Thursday, March 20, 2025

ଏ ମହାକାଶର ସ୍ଵାମୀ କିଏ ?



ଗ୍ରେଗୋରୀ ନିମିଟ୍ଜ୍ ନାମକ ଜଣେ ଵ୍ୟକ୍ତି ୨୦୦୦ ମସିହାରେ ଏକ ଏପରି ସ୍ଥାନର ପଞ୍ଜୀକରଣ କରାଇଥିଲେ, ଯେଉଁଠାରେ ବଜାର ମୂଲ୍ୟରେ ପ୍ରାୟ ୫ ଲକ୍ଷ ଖରବ ଟଙ୍କାର ପ୍ଲାଟିନମ୍ ରହିଛି। ଏହି ସ୍ଥାନଟି ପୃଥିଵୀର ନୁହେଁ, ଵରଂ ପୃଥିଵୀ ଓ ମଙ୍ଗଳ ଗ୍ରହ ମଧ୍ୟରେ ଘୂରି ବୁଲୁଥିଵା ୪୩୩-ଇରୋସ୍ (433-EROS) ନାମକ ଏକ ଗ୍ରହାଣୁରେ ରହିଛି । ଏହି ଘଟଣାର ପ୍ରାୟ ୧୧ ମାସ ପରେ ନାସା (NASA) ଏହି ଗ୍ରହାଣୁ ଉପରେ ଏକ ସ୍ପେସ୍-ସଟଲ୍ ଅଵତରଣ କରାଇ ଇତିହାସ ସୃଷ୍ଟି କରିଥିଲା। ତାହା ଜାଣିପାରି ଗ୍ରେଗୋରୀ ନାସାକୁ "ତାଙ୍କ ଜମିରେ ଅନାଧିକୃତ ଅଵତରଣ" ଅଭିଯୋଗରେ ୨୦ ଡଲାରର ପାର୍କିଂ ଟିକେଟ୍ ପଠାଇ ଦେଇଥିଲେ।  

କେଡ଼େ ହାସ୍ୟାସ୍ପଦ କଥା...!!!  

କିନ୍ତୁ ନାସା ଏବଂ ଆମେରିକାର ଆଟର୍ନି ଜେନେରାଲ୍ ଗ୍ରେଗୋରୀଙ୍କ ଦାବିକୁ "ଆଉଟର୍ ସ୍ପେସ୍ ଟ୍ରିଟି" (Outer Space Treaty) ଆଧାରରେ ବେଆଇନ ଘୋଷଣା କରି ଖାରଜ କରି ଦେଇଥିଲେ। ଏହି ସନ୍ଧି ଅନୁସାରେ, କୌଣସି ଵ୍ୟକ୍ତି କିମ୍ବା ରାଷ୍ଟ୍ର ପୃଥିଵୀ ଵ୍ୟତୀତ ବ୍ରହ୍ମାଣ୍ଡର କୌଣସି ଗ୍ରହ, ଉପଗ୍ରହ, କିମ୍ବା ତାରା ଉପରେ ନିଜର ଏକଚାଟିଆ ପ୍ରଭୁତ୍ଵ ଦାବି କରିପାରିବେ ନାହିଁ।  

 "ବ୍ରହ୍ମାଣ୍ଡ ମାନବଜାତିର ସର୍ଵସାଧାରଣ ସମ୍ପତ୍ତି।"  

୧୯୬୭ରେ ହୋଇଥିବା ଏହି ସନ୍ଧିରେ ବିଶ୍ୱର ପ୍ରାୟ ୧୩୦ଟି ଦେଶ ହସ୍ତାକ୍ଷର କରିଛନ୍ତି। ମଜା କଥା ହେଲା, ଏହି ସନ୍ଧିରେ "ମହାକାଶର ଵାଣିଜ୍ୟିକ ଉପଯୋଗ" ଵିଷୟରେ କିଛି ବି ଉଲ୍ଲେଖ ନାହିଁ। ଏହି କାରଣରୁ ଅନେକ ଘରୋଇ ସଂସ୍ଥା ଵ୍ୟକ୍ତିଗତ ମିଶନ ଜରିଆରେ ବ୍ରହ୍ମାଣ୍ଡରେ ଘୂରୁଥିଵା ଗ୍ରହାଣୁ ଓ ଉଲ୍କାପିଣ୍ଡରୁ ମୂଲ୍ୟଵାନ ଖଣିଜ ଉତ୍ଖନନ ଏଵଂ ଚନ୍ଦ୍ରମାରେ ଉପଲବ୍ଧ ନ୍ୟୁକ୍ଲିୟର୍ ଇନ୍ଧନର ଉନ୍ନତ ଵିକଳ୍ପ "ହିଲିୟମ୍-୩" ପାଇଵା ପାଇଁ ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପଗୁଡ଼ିକ ଉପରେ କାମ କରୁଛନ୍ତି।  

 ଏବେ ଧରନ୍ତୁ ଆପଣଙ୍କ ପାଖରେ ଅପାର ଧନସମ୍ପତ୍ତି ଅଛି। ଆପଣ ପୃଥିଵୀ ଛାଡ଼ି ଚନ୍ଦ୍ରମାକୁ ଯାଇ ସେଠାରେ ଏକ ସୁନ୍ଦର ଘର ତିଆରି କରି ରହିପାରିବେ। ତାହେଲେ ଆପଣଙ୍କୁ ଅଟକାଇବାର ଅଧିକାର କାହାର ଅଛି?  
ସମ୍ପତ୍ତି ଓ ଶକ୍ତିର ସିଧାସଳଖ ସମ୍ପର୍କ ରହିଛି। ଦେଖାଯାଏ "ସମ୍ପତ୍ତିର ସ୍ୱାମୀତ୍ୱ" କେଵଳ ତେତେବେଳେ ସମ୍ଭଵ, ଯେତେବେଳେ କୌଣସି ଶକ୍ତିଶାଳୀ ସଂସ୍ଥା, ଯେମିତି କି "ରାଷ୍ଟ୍ର", ଆପଣଙ୍କ ସ୍ୱାମୀତ୍ୱ ଉପରେ ମୋହର ଲଗାଇ ଆଇନଗତ ମାନ୍ୟତା ଦିଏ। ସେହିପରି ଆପଣ ଚନ୍ଦ୍ରମାରେ ରହି ତାହାକୁ ନିଜର ସମ୍ପତ୍ତି ଘୋଷଣା କରିପାରନ୍ତି। ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ, କିନ୍ତୁ ଚନ୍ଦ୍ରମା ଉପରେ ଆପଣଙ୍କର ଅଧିକାର ସେତିକି ଦିନ ପର୍ଯ୍ୟନ୍ତ ରହିବ, ଯେତିକି ଦିନ ପର୍ଯ୍ୟନ୍ତ "ଆପଣଙ୍କଠାରୁ ଅଧିକ ଶକ୍ତିଶାଳୀ" କେହି ସେଠାରେ ପହଞ୍ଚି ନଥିବେ !!!  

ପୁଣି ଏଠାରେ ଆଉ ଏକ ପ୍ରଶ୍ନ ଉଠୁଛି ଯେ, ଆମେ ମଣିଷମାନେ ବ୍ରହ୍ମାଣ୍ଡର କୌଣସି ଗ୍ରହର ପ୍ରଭୁତ୍ବ କରିଵାକୁ କିଏ ? ଆମର ଜନ୍ମ ତ ପୃଥିଵୀରେ ଉପଲବ୍ଧ ଉପାଦାନଗୁଡ଼ିକ ଦ୍ୱାରା ହୋଇଛି ତାହେଲେ ଆମକୁ ଏହି ଅଧିକାର କିଏ ଦେଇଛି ଯେ ଆମେ ବ୍ରହ୍ମାଣ୍ଡର ଅନ୍ୟ କୌଣସି ପିଣ୍ଡ ଉପରେ ନିଜର ସ୍ଵାମୀତ୍ବ ଦାବି କରିବୁ? ୪୫୦କୋଟି ଵର୍ଷ ଵୟସ୍କ ପୃଥିଵୀଗ୍ରହରେ ଆମେ ଏଇ ମାତ୍ର କିଛି ଵର୍ଷର ଜୀଵ । ତାହେଲେ ଆମକୁ ଏ ଗ୍ରହର କୌଣସି ଭୂମିଖଣ୍ଡକୁ କିଣା ବିକା କରିଵାର ଅଧିକାର ବି ଆମକୁ କିଏ ଦେଲା ? ଏକ ଭୂଭାଗ ଵିଶେଷକୁ କିଣା ବିକା ବେଳେ ଆମେ କ'ଣ ସେହି ଜମିରେ ରହୁଥିବା ପଶୁ, କୀଟପତଙ୍ଗଙ୍କ ଅନୁମତି ନେଉଛୁ?  

ମନେ କରନ୍ତୁ ,ବ୍ରହ୍ମାଣ୍ଡରେ ଅତିବିକଶିତ ଓ ଅତିଵିଶାଳ ଅନେକ ପରଗ୍ରହୀ ସଭ୍ୟତା ରହୁଛନ୍ତି। ଯଦି ଆମରି ଆକାଶଗଙ୍ଗା Milky Wayର ସ୍ୱାମୀତ୍ୱ ତନ୍ମଧ୍ୟରେ କୌଣସି ଏକ ପରଗ୍ରହୀ ସଭ୍ୟତା ପୂର୍ଵରୁ କିଣି ରଖିଛି ତାହେଲେ କ'ଣ ହେଵ ?  
ଯଦି କାଲିକୁ କୌଣସି ଏଲିୟନ୍ ସଭ୍ୟତା ଆସି ଆମ ସମ୍ପଦ ଉପରେ ନିଜର ପ୍ରଭୁତ୍ବ ଦାବି କରି ମଣିଷମାନଙ୍କୁ ପୃଥିଵୀ ଖାଲି କରିଦେବାକୁ ଆଦେଶ ଦିଏ, ତେବେ କ’ଣ ହେଵ?  
ଆମେ ସେମାନଙ୍କର କିପରି ପ୍ରତିକାର କରିବୁ ?  
ଆମେ ଆମର ଧର୍ମଗ୍ରନ୍ଥର କାହାଣୀଗୁଡ଼ିକୁ ପଢ଼ାଇ ସେମାନଙ୍କ ମନରେ ଵିଶ୍ୱାସ ଜନ୍ମାଇ ପାରିବୁ କି ଯେ ଆମେ ଈଶ୍ୱରଙ୍କ ପ୍ରିୟ ସନ୍ତାନ ଏଵଂ ଏହି ସମଗ୍ର ସଂସାର ଆମର ଉପଭୋଗ ପାଇଁ ସୃଷ୍ଟି ହୋଇଛି ?  
 
କିମ୍ବା ଏମନ୍ତ ବି ହୋଇପାରେ ଯେ ସେହି ପରଗ୍ରହୀମାନେ ଆମ ସହ କଥାଵାର୍ତ୍ତା କରିଵାର ଆଵଶ୍ୟକତା ହିଁ ଅନୁଭଵ ନ କରିପାରନ୍ତି ଏଵଂ ବିନା ଚେତାବନୀରେ ମଣିଷମାନଙ୍କୁ ନାଶ କରିଵାର ଵ୍ୟଵସ୍ଥା କରିପାରନ୍ତି। ଠିକ୍ ଯେମିତି ଆମେ ମଣିଷମାନେ ଗୋଟିଏ ସ୍ଥାନରେ ଘର ତୋଳିଲା ବେଳେ ଉକ୍ତ ସ୍ଥାନରେ ରହୁଥିଵା ଗଛ,ଜୀଵଜନ୍ତୁ ଓ କୀଟପତଙ୍ଗ ଆଦିଙ୍କୁ ମାରି ତଡ଼ି ଦିଅନ୍ତି ହୁଏତ ଅତିଵିକଶିତ କୌଣସି ପରଗ୍ରହୀ ମଧ୍ୟ ଆମ ସହିତ ସେତେବେଳେ ସେହିପରି ଵ୍ୟଵହାର ପ୍ରଦର୍ଶନ କରିପାରନ୍ତି । 


ଏହି ପ୍ରଶ୍ନଗୁଡ଼ିକ ଯେତେ ଅଜଣା ଓ ଅଦ୍ଭୁତ, ସେତେ ଗମ୍ଭୀର ମଧ୍ୟ। ଯଦି ଆମକୁ ପ୍ରକୃତରେ ଏକ ପାଦ ଆଗକୁ ବଢ଼ାଇ ବ୍ରହ୍ମାଣ୍ଡର ନାୟକ ଭାବେ ପ୍ରତିଷ୍ଠିତ ହେଵାକୁ ହୁଏ, ତେବେ ଆଜି ନୁହେଁ ତ କାଲି... ଏହି ପ୍ରଶ୍ନଗୁଡ଼ିକ ଉପରେ ଵିଶ୍ୱର ସମସ୍ତ ରାଷ୍ଟ୍ରଙ୍କୁ ଚିନ୍ତନ କରିବାକୁ ହେଵ।  

ମନେ ରଖନ୍ତୁ...  
ଆମେ ବ୍ରହ୍ମାଣ୍ଡରେ ଏକାକୀ ବୁଦ୍ଧିମାନ ଜୀଵ ହୋଇଥିଲେ ଅଥଵା ମାନବ ସାମ୍ରାଜ୍ୟର ସୁରକ୍ଷା ପାଇଁ ଯଥେଷ୍ଟ ଶକ୍ତିଶାଳୀ ହୋଇଥିଲେ ହିଁ କେଵଳ ଏ ବ୍ରହ୍ମାଣ୍ଡର ସ୍ୱାମୀ ହୋଇପାରିଵା ଅନ୍ୟଥା ଆମର ଅସ୍ଥିତ୍ଵ ଏ ବ୍ରହ୍ମାଣ୍ଡର ଅତିଶକ୍ତିଶାଳୀ ପରଗ୍ରହୀ ଜାତିମାନଙ୍କ ଆଗରେ ଆମ ଘରେ ରହୁଥିଵା ପିମ୍ପୁଡ଼ି ପରି ତୁଚ୍ଛ ଓ ଅସାର । 

ପ୍ରକୃତରେ ଆମେ କେଵଳ ତେବେ ହିଁ ବ୍ରହ୍ମାଣ୍ଡର ପ୍ରକୃତ ଶାସକ ହୋଇପାରିବୁ, ଯଦି ଆମ ପାଖରେ ଶକ୍ତି ସହ ତାହା ଲାଗୁ କରିଵାର କ୍ଷମତା ବି ରହିଥିଵ । ନଚେତ୍ ଶୀଘ୍ର କିମ୍ବା ବିଳମ୍ବରେ, କେଉଁଠି ନା କେଉଁଠି କେହି ଆମର,ଆମ ଗ୍ରହର ଅଥଵା ଆମର ଆକାଶଗଙ୍ଗାର ଭାଗ୍ୟ ଲେଖି ସାରିଥିବେ ଆଉ ଆମେ କିଛି ନଜାଣିପାରି କୋଉଠି ଯାଗା କିଣି ଘର ତୋଳିଵା ସକାଶେ ସେଠାରେ ପୂର୍ଵରୁ ଵସଵାସ କରୁଥିଵା ଜୀଵଜନ୍ତୁ କୀଟପତଙ୍ଗ ମାରି ଖେଦି ଚାଲିଥିଵା ଗଛବୃଚ୍ଛକୁ ହାଣି ଚାଲିଥିଵା...

Wednesday, March 19, 2025

ଉତ୍ପ୍ଳାଵନର ସିଦ୍ଧାନ୍ତ

ଥରେ ଜଣେ ଵୈଜ୍ଞାନିକ ତାଙ୍କର ଜଣେ ସାଙ୍ଗ ସହିତ ପ୍ରସିଦ୍ଧ ତୀର୍ଥସ୍ଥଳକୁ ଗଲେ। ସେଠାରେ ଵୈଜ୍ଞାନିକଙ୍କ ସାଙ୍ଗଟା କୌଣସି କାରଣରୁ ରାଗିଗଲା ଆଉ ଵୈଜ୍ଞାନିକଙ୍କୁ କହିଲା - "ତୁମେ ଧର୍ମ, ସିଦ୍ଧି, ଚମତ୍କାର ଆଦି ମାନୁନାହଁ। ଆସ, ଆଜି ତୁମକୁ ସାକ୍ଷାତ୍ ଚମତ୍କାର ଦେଖାଇ ଆଣିବି।"

ତୀର୍ଥରେ ଗୋଟିଏ କୁଣ୍ଡ ଥିଲା, ଯେଉଁଠି ଫଳ ପକାଇଲେ ତାହା ବୁଡ଼େ ନାହିଁ। ଦୂର ଦୂରରୁ ଶ୍ରଦ୍ଧାଳୁମାନେ ଏହି ତଥାକଥିତ ଚମତ୍କାର ଦେଖିଵାକୁ ଆସୁଥିଲେ। ଵୈଜ୍ଞାନିକଙ୍କ ସାଙ୍ଗ ତାଙ୍କ ହାତ ଧରି ସେଠାରେ ଉପସ୍ଥିତ ଜଣେ ବାବାଙ୍କ ପାଖକୁ ନେଇଗଲା ଓ କହିଲା - "ଆମର ଏହି ମୂଢ଼ମତି ସାଙ୍ଗକୁ ସିଦ୍ଧିର ଶକ୍ତି ଦେଖାନ୍ତୁ। "ବାବାଜୀ "ଅଲେଖ ନିରଞ୍ଜନ" କହି ଵୈଜ୍ଞାନିକଙ୍କୁ ଗୋଟିଏ କମଳା ଦେଇକରି କୁଣ୍ଡରେ ପକାଇଵାକୁ କହିଲେ। କମଳାଟି ବୁଡ଼ିଲା ନାହିଁ, ପାଣି ଉପରେ ଭାସିଲା। ଵୈଜ୍ଞାନିକଙ୍କ ସାଙ୍ଗ ଗଡ଼ ଜିତିଲା ପରି ଅତି ଖୁସି ହୋଇଗଲା । ତହୁଁ ଵୈଜ୍ଞାନିକ କ'ଣ କଲେ ନା ଆଉ ଗୋଟିଏ କମଳା ଉଠାଇଲେ, ତାର ଚୋପା ଛଡ଼ାଇ ବାବାଜୀଙ୍କୁ ଦେଇ କହିଲେ - "ଏହାକୁ ଭସାନ୍ତୁ ତାହେଲେ ମାନିବି।" ଏଥର କିନ୍ତୁ କମଳାଟି ବୁଡ଼ିଗଲା। 

 ଵୈଜ୍ଞାନିକ କୁଟିଳ ହସ ହସି ବାବାଙ୍କ ଆଡ଼କୁ ଚାହିଁଲା ବେଳକୁ ତେଣେ ବାବା ରକ୍ତ ଚାଉଳ ଚୋବେଇଲେଣି ।

ତହୁଁ ଵୈଜ୍ଞାନିକ ସେଠି ଉତ୍ପ୍ଲାଵନର ସିଦ୍ଧାନ୍ତ ବୁଝାଇଵାକୁ ଆଗଭର ହୁଅନ୍ତେ ବାବାଜଣକ କ୍ରୁଦ୍ଧ ହୋଇ ଗର୍ଜି ଉଠିଲେ - "ଏହି ଵିଧର୍ମୀର ନକାରାତ୍ମକ ଶକ୍ତି କାରଣରୁ କୁଣ୍ଡରେ ଫଳ ବୁଡ଼ିଗଲା। ଏହି ଅସୁର ଏଠାରେ ଠିଆ ହେଵାର ଯୋଗ୍ୟ ନୁହେଁ।

"ତା’ପରେ ଆଉ କ'ଣ ହେଵ ?"
ଵୈଜ୍ଞାନିକ ତାଙ୍କ ଵିଜୟର ମୂଲ୍ୟ ଦୌଡ଼ି ଦୌଡ଼ି ପିଠିରେ ବାବାଙ୍କର ଚାରିପାହାର ଦଣ୍ଡମାଡ଼ ଖାଇ ଫେରିଲେ...!

••••••••••••••••••••••••••
ଉତ୍ପ୍ଳାବନର ସିଦ୍ଧାନ୍ତ (Principle of Buoyancy) , ଆର୍କିମିଡିସ୍‌ଙ୍କ ସିଦ୍ଧାନ୍ତ (Archimedes' Principle) ସହ ଜଡ଼ିତ ଏକ ଭୌତିକ ନିୟମ। ଏହି ସିଦ୍ଧାନ୍ତ ଅନୁସାରେ, ଯେକୌଣସି ଵସ୍ତୁ ଯଦି ଏକ ତରଳ (ତରଳ ପଦାର୍ଥ ଯଥା ଜଳ କିମ୍ବା ତେଲ) ଭିତରେ ଆଂଶିକ ଵା ସମ୍ପୂର୍ଣ୍ଣ ଭାବେ ନିମଜ୍ଜିତ ହୋଇଛି, ସେହି ଵସ୍ତୁ ଉପରକୁ ଏକ ଉତ୍ପ୍ଳାବନ ବଳ (buoyant force) ଅନୁଭଵ କରେ। ଏହି ବଳ ସେହି ତରଳର ଓଜନ ସହ ସମାନ ହୋଇଥାଏ, ଯାହାକୁ ଵସ୍ତୁଟି ବିସ୍ଥାପିତ (displace) କରିଥାଏ।ସରଳ ଭାଷାରେ, ଯେତେବେଳେ ଆମେ ଏକ ଵସ୍ତୁକୁ ପାଣିରେ ପକାଇଵା, ତାହା ଯେତିକି ଜଳକୁ ଵିସ୍ଥାପିତ କରେ ଉକ୍ତ ଜଳର ଓଜନ ହିଁ ଵସ୍ତୁଟିକୁ ଉପରକୁ ଉଠାଇଵାରେ ସାହାଯ୍ୟ କରେ। ଏହାକୁ ଉତ୍ପ୍ଳାବନ ବଳ କୁହାଯାଏ।ଉଦାହରଣ ସ୍ଵରୂପ ଯେତେବେଳେ ଆମେ ଜଳରେ ଏକ କାଠ ଖଣ୍ଡ ପକାଇଵା, ତାହା ଭାସିଵ କାରଣ ଉତ୍ପ୍ଳାବନ ବଳ ତାର ଓଜନଠାରୁ ଅଧିକ ହୋଇଥାଏ। କିନ୍ତୁ ଯଦି ଏକ ଲୁହା ଖଣ୍ଡ ପକାଯିଵ, ତାହା ବୁଡ଼ିଯିଵ କାରଣ ତାର ଓଜନ ଉତ୍ପ୍ଳାବନ ବଳଠାରୁ ବେଶି ହୋଇଥାଏ।ଏହି ସିଦ୍ଧାନ୍ତ ଜାହାଜ, ସବମେରିନ୍‌ ଓ ବେଲୁନ୍‌ ଆଦିର କାର୍ଯ୍ୟକାରିତା ବୁଝାଇଵାରେ ସାହାଯ୍ୟ କରେ। ମୋର ମନେ ପଡ଼ୁଛି ଆମେ ଵିଦ୍ୟାଳୟରେ ପଢ଼ିଲାବେଳେ ଆର୍କିମିଡିସ୍‌ଙ୍କ ୟୁରେକା କାହାଣୀ ସହିତ ଏହି ଉତ୍ପ୍ଳାଵନର ସିଦ୍ଧାନ୍ତ ପଢ଼ିଥିଲୁ । 

"ୟୁରେକା" (Eureka) ଗ୍ରୀକ୍ ଭାଷା ମୂଳର ଶବ୍ଦ। ଏହା ଗ୍ରୀକ୍ ଶବ୍ଦ "εὑρίσκω" (heuriskō)ରୁ ଆସିଛି ଏଵଂ ଏହାର ଅର୍ଥ "ମୁଁ ଖୋଜି ପାଇଲି" ଵା "ମୁଁ ଆଵିଷ୍କାର କଲି" ଅଟେ । ଏହି ଶବ୍ଦଟି ପ୍ରାୟତଃ ଆଵିଷ୍କାର କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ ସତ୍ୟ ବୁଝିଵାର ଆନନ୍ଦ ଅଥଵା ଉତ୍ସାହ ପ୍ରକାଶ କରିଵା ପାଇଁ ଵ୍ୟଵହାର ହୁଏ।ଏହାର ଐତିହାସିକ ପ୍ରସିଦ୍ଧି ଗ୍ରୀକ୍ ଗଣିତଜ୍ଞ ତଥା ବୈଜ୍ଞାନିକ ଆର୍କିମିଡିସ୍‌ଙ୍କ ସହିତ ଜଡ଼ିତ। କିମ୍ବଦନ୍ତୀ ଅନୁସାରେ, ଆର୍କିମିଡିସ୍ ସ୍ନାନ କରୁଥିଵା ସମୟରେ ଜଳର ଉଚ୍ଛୋଳନ ଵା ଉତ୍ପ୍ଳାଵନ (buoyancy) ସୂତ୍ର ଆବିଷ୍କାର କରିଥିଲେ ଏଵଂ ଉତ୍ସାହରେ "ୟୁରେକା! ୟୁରେକା!" ବୋଲି ଚିତ୍କାର କରି ରାସ୍ତାରେ ଦୌଡ଼ିଥିଲେ। ତେବେ, ଏହି ଘଟଣାର ଐତିହାସିକ ସତ୍ୟତା ଉପରେ ଵିତର୍କ ରହିଛି।ସମୟ କ୍ରମେ, "ୟୁରେକା" ଶବ୍ଦଟି ବିଭିନ୍ନ ଭାଷାରେ ଏକ ସାର୍ଵଜନୀନ ଅଭିଵ୍ୟକ୍ତି ଭାବେ ଗୃହୀତ ହୋଇଯାଇଛି ଏଵଂ ଏହା କୌଣସି ନୂଆ ଆଵିଷ୍କାର କିମ୍ବା ସଫଳତାର ସଙ୍କେତ ଦେଇଥାଏ ।

Monday, March 17, 2025

କ'ଣ ଅଵଧୀ निअर ଶବ୍ଦରୁ ଇଂରାଜୀ Near , ଶବ୍ଦ ସୃଷ୍ଟି ହୋଇଛି ?

ସୁଧାଂଶୁ ତ୍ରିଵେଦୀ ତାଙ୍କର ଅନେକ ସାକ୍ଷାତକାରରେ ରାମଚରିତ ମାନସର କିଷ୍କିନ୍ଧା କାଣ୍ଡରେ ଥିଵା ଏକ ଚୌପାଈ ପ୍ରାୟତଃ ବୋଲିଥାନ୍ତି । 


“बरषहिं जलद भूमि निअराएँ।
 जथा नवहिं बुध बिद्या पाएँ।
बूँद अघात सहहिं गिरि कैसे। 
खल के बचन संत सह जैसें॥२॥”

ତାପରେ ସେ କୁହନ୍ତି ଦେଖ ଏହି ଚୌପାଈରେ ‘ନିଅର’ ବୋଲି ଗୋଟିଏ ଶବ୍ଦ ଅଛି ତାହାର ଅର୍ଥ ନିକଟ । କେହି କହିପାରେ ରାମଚରିତ ମାନସରେ ଇଂରାଜୀ Near(ନିକଟ) ଶବ୍ଦଟି ଆସି ମିଶିଛି । କିନ୍ତୁ ତୁଳସୀ ଦାସଙ୍କ ସମୟରେ କ'ଣ ଅଯୋଧ୍ୟାରେ ଇଂରେଜମାନଙ୍କ ଶାସନ ଥିଲା ? ନା ! ନଥିଲା ! ତେଣୁ ଏହି ଅଵଧି 'ନିଅର' ଶବ୍ଦରୁ ଇଂରାଜୀ ଭାଷାରେ near ଶବ୍ଦ ଚଳିଅଛି ‌। 

ଶବ୍ଦ ଵ୍ୟୁତ୍ପତ୍ତି ଵିଜ୍ଞାନ ନଜାଣି ଯେତେବେଳେ ଲୋକେ ଦୁଇଟି ଶବ୍ଦ ମଧ୍ୟରେ କେଵଳ ଵାହ୍ୟ ସାମ୍ୟ ଦେଖି କୌଣସି ଗୋଟିଏ ଶବ୍ଦକୁ ଆଉ ଗୋଟିଏ ଶବ୍ଦର ବୋପା ଘୋଷଣା କରିଦିଅନ୍ତି ସେତେବେଳେ ଦେଶର ଭାଷାଵିତମାନେ ତହିଁର ସତ୍ୟାସତ୍ୟ ଜାଣି ସମାଜକୁ ଜଣାଇଵା ଉଚିତ୍। 

ତେବେ ଦୁଃଖର ଵିଷୟ ୧୪୦ କୋଟି ଜନସଂଖ୍ୟା ଵିଶିଷ୍ଟ ଭାରତରେ କେହି ବି ଏହି ଭ୍ରମାତ୍ମକ ଟିପ୍ପଣୀ ଵିପକ୍ଷରେ କୌଣସି ଯୁକ୍ତିଯୁକ୍ତ ମତ ପୋଷଣ କରୁନାହାନ୍ତି କି କେବେ କରିନାହାନ୍ତି। 

“(ଶବ୍ଦଵ୍ୟୁତ୍ପତ୍ତି ଵିଜ୍ଞାନକ୍ଷେତ୍ରରେ) ଦୁଇଟି ଶବ୍ଦମଧ୍ୟରେ ଵ୍ୟୁତ୍ପତ୍ତିକ ସମ୍ବନ୍ଧ ଥିଲେ ତାକୁ ସଗୋତ୍ରୀୟ ଵା phylogenetically linked ବୋଲି କୁହାଯାଏ । ଅଣଗୋତ୍ରୀୟ ଶବ୍ଦ ଗୁଡ଼ିକୁ କେଵଳ ବାହ୍ୟ ସାଦୃଶ୍ୟ ଆଧାରରେ ଯୋଡ଼ିଲେ ତାହାକୁ ପରିସଂଖ୍ୟାନ ଶାସ୍ତ୍ରରେ spurious association କହନ୍ତି । ଏପରି କରାଯାଉଥିଲେ ପାଠକ ନିଜେ ଵିଭ୍ରାନ୍ତ ହୁଅନ୍ତି ଓ ଅନ୍ୟକୁ ମଧ୍ଯ ଵିଭ୍ରାନ୍ତ କରିଥାନ୍ତି ।”


ସୁଧାଂଶୁ ତ୍ରିଵେଦୀ ଅଵଧୀ 'निअर' ଓ ଇଂରାଜୀ Near ମଧ୍ୟରେ ଵାହ୍ୟ ସାମ୍ୟ ଦେଖି ଉଭୟ ଶବ୍ଦକୁ ଏକ ମୂଳର ମନେ କରିଛନ୍ତି ଆଉ ନିଜେ ଭ୍ରମରେ ପଡ଼ି ଅନ୍ୟ ଲୋକମାନଙ୍କୁ ମଧ୍ୟ ଭ୍ରମରେ ପକେଇ ଦେଇଛନ୍ତି । 

ପ୍ରକୃତରେ ଅଵଧୀ निअर(ନିକଟ) ଓ ଇଂରାଜୀ Near(ନିକଟ)ର ଅର୍ଥ ସମାନ,ଉଭୟ ଶବ୍ଦର ଉଚ୍ଚାରଣରେ ମଧ୍ୟ କେତେକାଂଶରେ ସମାନତା ଅଛି କିନ୍ତୁ କୌଣସି ସଗୋତ୍ରୀୟ ସମ୍ପର୍କ ନାହିଁ । 

ଇଂରାଜୀ ଭାଷାରେ ପ୍ରଚଳିତ Near ଶବ୍ଦଟି ଗୋଟିଏ ଖାଣ୍ଟି ଇଂରାଜୀ ଶବ୍ଦ। ଏହାର ମଧ୍ୟଯୁଗୀୟ ଇଂରାଜୀ ରୂପ nere ଓ ner ତଥା ପ୍ରାଚୀନ ଇଂରାଜୀ ରୂପ nēar ଥିଲା । ଇଂରାଜୀ Near ଶବ୍ଦର ମୂଳ ପଶ୍ଚିମ ଜର୍ମାନିକ ରୂପ *nēhw (“near”) ଥିଲା ଯହିଁରୁ ଅନ୍ୟ ଦିଗରେ ଡଚ୍ ଭାଷାରେ naar (“to, towards”), ଜର୍ମାନ୍ ଭାଷାରେ näher (“nearer”),ଡାନିଶ୍ ଭାଷାରେ nær (“near, close”), ନରୱେଜିଅନ୍ ଭାଷାରେ nær (“near, close”) ଓ ସ୍ଵେଡିଶ୍ ଭାଷାରେ nära (“near, close”) ଇତ୍ୟାଦି ଶବ୍ଦ ସୃଷ୍ଟି ହୋଇଛି । ପ୍ରୋକ୍ତ ସମସ୍ତ ଭାଷାମାନ ଭାରୋପୀୟ ଭାଷାପରିଵାରର ଜର୍ମାନିକ ଶାଖାର ସଦସ୍ୟ ତେଣୁ ଏଭଳି ଏକାର୍ଥବୋଧକ ସଗୋତ୍ରୀୟ ଶବ୍ଦ ଏକାଧିକ ଭାଷାରେ ଚଳିଵାରେ ଆଶ୍ଚର୍ଯ୍ୟ ହେଵାର କିଛି ନାହିଁ । ତେବେ ଭାଷାଵିତମାନେ ଏହି ଇଂରାଜୀ Near ଶବ୍ଦଟିର ମୂଳ ଭାରୋପୀୟ କ୍ଷୁଦ୍ରଶବ୍ଦରୂପ  
*h₂neḱ-(ପହଞ୍ଚିଵା,ଲଭିଵା) ନିର୍ଣ୍ଣୟ କରିଛନ୍ତି ।‌ ତେଣୁ ଏ ଦୃଷ୍ଟିରୁ ଅଵଧୀ ଭାଷାର निअर ନୁହେଁ ଵରଂ ସଂସ୍କୃତ ଭାଷାର ଆନଟ,ଆଷ୍ଟ,ଅଶ୍ନୋତି,ଅକ୍ଷ୍ ଧାତୁ ଓ ଅକ୍ଷତି ଇତ୍ୟାଦି ଶବ୍ଦଗୁଡ଼ିକ ସହିତ ଇଂରାଜୀ ଭାଷାରେ ପ୍ରଚଳିତ Near ଓ Nigh ଆଦି ଶବ୍ଦ ସହିତ ସଗୋତ୍ରୀୟ ସମ୍ପର୍କ ଅଛି । 


ତାହେଲେ ଅଵଧୀ ଭାଷାରେ ପ୍ରଚଳିତ निअर ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ କ'ଣ ? 

ଏହି ପ୍ରଶ୍ନର ଉତ୍ତର ଆଜକୁ ଷାଠିଏ ସତୁରୀ ଵର୍ଷ ପୂର୍ଵେ‌ ଭାଷାଵିତ Sir Ralph Lily Turner ତାଙ୍କ ଵ୍ୟୁତ୍ପତ୍ତି କୋଷ “A comparative dictionary of Indo-Aryan languages”ର ୪୦୯ତମ ପୃଷ୍ଠାରେ ଉଲ୍ଲେଖ କରିଯାଇଛନ୍ତି। ସାର୍ ଟର୍ନରଙ୍କ ଅନୁସାରେ ଅଵଧୀ ଭାଷାରେ ପ୍ରଚଳିତ निअर ଶବ୍ଦଟି ସଂସ୍କୃତ ଭାଷାର ନିକଟ ଶବ୍ଦ ମୂଳର ଦେଶଜ ଶବ୍ଦ ଅଟେ ।‌ ଏହି ଵ୍ୟୁତ୍ପତ୍ତିକୋଷ ଅନୁସାରେ ସଂସ୍କୃତ ଶବ୍ଦ ନିକଟ ପାଲି ଭାଷାରେ ନିକଟ୍ଠେ, ପ୍ରାକୃତ ଭାଷାରେ ଣିଅଡ଼, ଣିଅଲ ଓ ଣିଅଡିଅ ଓ ବୌଦ୍ଧ ସଂସ୍କୃତ ଶୈଳୀରେ nī́er ହୋଇ ଚଳୁଥିଲା । ପାକିସ୍ତାନ ଭାରତ ଓ ଆଫଗାନିସ୍ଥାନରେ ଅନେକ ଇଣ୍ଡିକ୍ ଭାଷା ଚଳୁଅଛି ଏଵଂ ଉକ୍ତ ଭାଷାମାନ ଦାର୍ଦିକ ଭାଷା ରୂପେ ପରିଚିତ ।‌ ଅନେକ ଦାର୍ଦିକ ଇଣ୍ଡିକ୍ ଭାଷାରେ ବି 'ନିକଟ' ଶବ୍ଦ ଯାଇ ନାନା ରୂପ ଘେନି ଚଳୁଅଛି । ଉଦାହରଣ ସ୍ୱରୂପ ଦାର୍ଦିକ ଭାଷା dameliରେ nyεiŕ ଓ nyäyᵃ,ଦରୱାଲୀ ଭାଷାରେ niō,
ଦାର୍ଦିକ ଭାଷା Pashaiରେ nyōṛṓ,ଦାର୍ଦିକ ଭାଷା Gawar-Batiରେ nyāṛɔ,ସାବୀଭାଷାରେ nyeṛo ଓ ପାଲୁଲା ଵା ଅସ୍ରାତୀ ଭାଷାରେ nihā́ṛa ଇତ୍ୟାଦି ଶବ୍ଦ ନିକଟ ଶବ୍ଦ ମୂଳର ଏଵଂ ସମାର୍ଥକ ‌ । ସବୁଠାରୁ ଜଣାଶୁଣା ଦାର୍ଦିକ ଭାଷା କଶ୍ମୀରୀରେ nyūrᵘ,nīrᷴ,nēri,nēṛē(ରାମଵାଣୀ ଉପଭାଷା),niōṛᵘ(Kashṭawāṛī ଉପଭାଷା) ଓ nēṛi(Pǒgulī ଶୈଳୀ) ଇତ୍ୟାଦି ଶବ୍ଦ 'ନିକଟ' ଅର୍ଥରେ ଚଳୁଅଛି । ସେହିପରି ପଶ୍ଚିମୀ ପଞ୍ଜାବୀ ଲହଣ୍ଡା ଭାଷାରେ ନିକଟ ଶବ୍ଦ ସହିତ ସଗୋତ୍ରୀୟ ଶବ୍ଦ neṛe ସମ ଅର୍ଥରେ ଚଳୁଥିଲାବେଳେ ପଞ୍ଜାବୀରେ neṛā(vicinity') ଓ neṛe(near) ଶବ୍ଦ ଚଳୁଅଛି । 

ପଶ୍ଚିମ ପାହାଡ଼ୀ ଭାଷାରେ nēṛō, ଓ nīṛ,କାମାୟୁନୀରେ neṛo , ନେପାଳୀରେ nira, ବଙ୍ଗାଳୀରେ niaḍi, ଓ niyaṛ,ମରାଠୀ ଓ ଭୋଜପୁରୀରେ niyar, ହିନ୍ଦୀରେ neṛe, nīṛe ଓ nīre ତଥା ଗୁଜରାଟୀରେ neṛε ଇତ୍ୟାଦି ଶବ୍ଦ 'ନିକଟ' ଶବ୍ଦ ସହିତ ସମୋଦ୍ଧୃତ ଓ ସମ ଅର୍ଥରେ ଵ୍ୟଵହୃତ ହୁଏ ବୋଲି ସାର୍ ରାଲ୍ଫ ଲିଲି ଟର୍ନରଙ୍କ ଵ୍ୟୁତ୍ପତ୍ତିକୋଷରୁ ଜଣାଯାଏ ।

ତେବେ ଏହି ଵ୍ୟୁତ୍ପତ୍ତିକୋଷ ଅନୁସାରେ ଓଡ଼ିଆ ଭାଷାରେ ବି ଗୋଟିଏ ଶବ୍ଦ 'ନିଆଡ଼' ଚଳୁଅଛି ଯାହା ଏହି ମୂଳର ଶବ୍ଦ ବୋଲି ଉଲ୍ଲେଖ ଅଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ନିଆଡ଼ ଶବ୍ଦର ସମ୍ମୁଖ,ନିରନ୍ତରାଳ,ପ୍ରତ୍ୟକ୍ଷ ଓ ନିକଟଵର୍ତ୍ତୀ ଆଦି ଅର୍ଥମାନ ଉଲ୍ଲେଖ କରାଯାଇଛି । ପୁଣି କଥିତ ଓଡ଼ିଆ ଶବ୍ଦକୋଷର ୬୬୯ତମ ପୃଷ୍ଠାରେ 
ନିଆତ ବୋଲି ଏକ ଶବ୍ଦ ନିକଟ ଅର୍ଥରେ ଅନୁଗୋଳ ଅଞ୍ଚଳରେ ଚଳୁଥିଵା ଲିଖିତ ହୋଇଅଛି । 

ତେଣୁ ମୋଟ ଉପରେ କହିଵାକୁ ଗଲେ ଇଂରାଜୀ Near ଶବ୍ଦ ସହିତ ସଂସ୍କୃତ ନିକଟ,ପ୍ରାକୃତ ଣିଅଡ଼ ଓ ଣିଅଲ,ଅଵଧୀ ନିଅର ତଥା ଓଡ଼ିଆ ନିଆଡ଼ ଇତ୍ୟାଦି ଶବ୍ଦଗୁଡ଼ିକର କୌଣସି ସମୋଦ୍ଧୃତଗତ ସମ୍ପର୍କ ନାହିଁ। 
ସୁଧାଂଶୁ ତ୍ରିଵେଦୀଙ୍କ ଭଳି ଵିଚକ୍ଷଣ ଵକ୍ତା ଓ ଜ୍ଞାନୀଙ୍କର ମଧ୍ୟ ଭୁଲ୍ ହୋଇପାରେ ଅତଃ ଯେତେ ବଡ଼ ଲୋକଙ୍କ ଵକ୍ତଵ୍ୟ ଵା ଆଲେଖ୍ୟ ହୋଇଥାଉ ଶବ୍ଦ ସମ୍ଭନ୍ଧୀୟ ଵ୍ୟୁତ୍ପତ୍ତି ମତଗୁଡ଼ିକୁ ଆଖି ବୁଜି ଗ୍ରହଣ ନକରି ତହିଁର ସତ୍ୟାସତ୍ୟ ପରଖିନେଵା ଆମ୍ଭମାନଙ୍କର କର୍ତ୍ତଵ୍ୟ ହେଵା ଉଚିତ ନୁହେଁ କି ? 


Sunday, February 2, 2025

କାଚକେନ୍ଦୁ : ଏକ ନିଆରା ମୌଳିକ ଓଡ଼ିଆ ଶବ୍ଦ

ପ୍ରତ୍ୟେକ ଭାଷା ଓ ଶୈଳୀରେ ଏମିତି କିଛି ଶବ୍ଦ ଥାଏ ଯହିଁର ଅନ୍ୟ ଭାଷାରେ ସମାର୍ଥକ,ସମ ଶବ୍ଦରୂପାର୍ଥକ ପ୍ରତିଶବ୍ଦ ଉଣ୍ଡିଲେ ମିଳିଵା କଷ୍ଟସାଧ୍ୟ ହୋଇପାରେ । ଅନ୍ୟ ଭାଷାପରି ଓଡ଼ିଆ ଭାଷା ତଥା ଏହାର ଶୈଳୀଗୁଡ଼ିକରେ ବି ଏ ଧରଣର ଶବ୍ଦର ଅଭାଵ ନାହିଁ । ଗୋଟିଏ ଓଡ଼ିଆ ଶବ୍ଦର ଏଠାରେ ଉଦାହରଣ ଦିଆଯାଇପାରେ ।‌ ଓଡ଼ିଶାର ଲୋକେ ଯେତେବେଳେ କେଉଁଠି Very transparent water ଵା ଅତି ସ୍ଵଚ୍ଛ ଜଳ ଦେଖନ୍ତି ସେମାନେ କୁହନ୍ତି “ଵାଃ ଏଠି ତ ‘କାଚକେନ୍ଦୁ’ ପରି ପାଣି ମିଳୁଛି !”

ଅଵଶ୍ୟ ପ୍ରାଚୀନ ଓଡ଼ିଆ ସାହିତ୍ୟରେ କାଚକେନ୍ଦୁ ଶବ୍ଦ ପ୍ରୟୋଗର ପ୍ରମାଣ ମିଳେ ନାହିଁ ତେବେ ଆଜକୁ ପ୍ରାୟ ଶହେ ଵର୍ଷ ତଳେ ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ ମହାଶୟ ତାଙ୍କ ରଚିତ “ମାଡ଼ହାଣ୍ଡି କଥା” ଗଳ୍ପରେ କାଚକେନ୍ଦୁ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି - “ଏ ପାଣିକି ଦେଖିଲା କ୍ଷଣି ୟା ମନରେ ଭାରି ଲୋଭ ହେଲା । ଜୀଵନ ଵିକଳରେ ପାଣିକୂଳ ପାହାଚ ଉପରେ ଲଥ୍‌କିନି ବସିଗଲା,ଦେଖିଲା ଯେ କାଚକେନ୍ଦୁ ଭଳିଆ ପାଣି ମୁନ୍ଦିକ ହୋଇଛି, ସାତ ତାଳ ପାଣିରେ ରୁପାପାତିଆ ଟିକିଏ ପକେଇଦେଲେ ଉପରକୁ ଫୁଟି ଜକଜକ ଦିଶିଵ ।” 

 ପ୍ରହରାଜ ମହାଶୟଙ୍କ ଦ୍ଵାରା ସଂକଳିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ମଧ୍ୟ କାଚକେନ୍ଦୁ ଶବ୍ଦଟି ସ୍ଥାନ ପାଇଛି । ଭାଷାକୋଷରେ ଅନୁମାନ କରାଯାଇଛି ଯେ ସମ୍ଭଵତଃ କାଚକେନ୍ଦୁ ଶବ୍ଦଟି କାର୍ତ୍ତିକେନ୍ଦୁ ଶବ୍ଦର ପରିଵୃତ ରୂପ ହୋଇଥାଇପାରେ । ହୁଏତ ଆଗେ କାର୍ତ୍ତିକ ମାସର ଶରତ୍କାଳୀନ ଇନ୍ଦୁ ଵା ଚନ୍ଦ୍ର ପରି ଅତି ସ୍ୱଚ୍ଛ ଜଳକୁ ଓଡ଼ିଶାର ଲୋକେ କାର୍ତ୍ତିକେନ୍ଦୁ କହୁଥିଲେ ଯାହା ପରେ କାଚକେନ୍ଦୁ ହୋଇଅଛି । ଶରତଋତୁ ଓ ହେମନ୍ତଋତୁ ସମୟରେ 'ଆକାଶ' ଓ 'ଜଳ' ପରିଷ୍କାର ହୋଇଯାଇଥାଏ । ଏଠି କାର୍ତ୍ତିକ ମାସ ତଥା ଶରତ ଓ ହେମନ୍ତ ଋତୁ ସମ୍ବନ୍ଧୀୟ ଦ୍ବନ୍ଦ୍ଵ ଵିଷୟରେ ଜାଣିନେଵା ଠିକ୍ ହେଵ । ସାଧାରଣତଃ ଵର୍ଷାର ପରଵର୍ତ୍ତୀ ଓ ହେମନ୍ତର ପୂର୍ଵଵର୍ତ୍ତୀ ଋତୁକୁ ଶରତ ଋତୁ କୁହନ୍ତି ।‌ କେହି କେହି ଆଶ୍ୱିନ ଓ କାର୍ତ୍ତିକ ଏହି ଦୁଇ ମାସକୁ ଶରତ ଋତୁ କହୁଥିଵାବେଳେ ଆଉ କେହି କେହି ଭାଦ୍ର ଓ ଆଶ୍ୱିନ ମାସ ଦ୍ୱୟକୁ ଶରତ ଋତୁ ଅଭିହିତ କରିଥାନ୍ତି। ହିନ୍ଦୀ ଶବ୍ଦ ସାଗର ତଥା ଵିଶ୍ଵକୋଷ ଅନୁସାରେ ଵୈଦ୍ଯକ ଗ୍ରନ୍ଥ ମତରେ ଭାଦ୍ର ଓ ଆଶ୍ୱିନ ମାସକୁ ଶରତଋତୁ ବୋଲା ଯାଉଥିଲା । ଵର୍ତ୍ତମାନ ଆଶ୍ୱିନ ଓ କାର୍ତ୍ତିକକୁ ଶରତଋତୁ ବୋଲାଯାଏ। ମାଧଵାଚାର୍ଯ୍ଯଙ୍କ ପ୍ରଣୀତ କାଳମାଧଵ ନାମକ ଗ୍ରନ୍ଥରେ ଇଷ (ଆଶ୍ୱିନ) ଓ ଊର୍ଚ୍ଚ (କାର୍ତ୍ତିକ) ମାସଦ୍ୱୟକୁ ଶରତ୍କାଳ ବୋଲା ଯାଇଅଛି । ସମ୍ଭଵତଃ ଜଳଵାୟୁ ପରିଵର୍ତ୍ତନ ଯୋଗୁଁ ହେଉ ଵା ଉତ୍ତର ଓ ପୂର୍ଵ ଭାରତର ଜଳଵାୟୁ ଭିନ୍ନତା ଯୋଗୁଁ ହେଉ ଶରତକାଳକୁ ନେଇ ମତ ପାର୍ଥକ୍ୟ ହୋଇଅଛି । ସେ ଯାହା ହେଉ ଆଗେ 'କାର୍ତ୍ତିକମାସ'ରେ ନଦୀ ଓ ପୁଷ୍କରିଣୀ ଜଳ ଓ ଆକାଶର ଇନ୍ଦୁ ଵା ଚନ୍ଦ୍ର ଅତି ପରିଷ୍କାର ଦିଶୁଥିଲା । ଶରତ ଋତୁରେ ଇନ୍ଦୁ ଵା ଚନ୍ଦ୍ର ରାତ୍ରିକାଳରେ ଜଳରେ ପ୍ରତିଵିମ୍ଵିତ ହେଉଥିଲେ । ତେଣୁ ହୁଏତ ସ୍ବଚ୍ଛ ଜଳକୁ କାର୍ତ୍ତିକେନ୍ଦୁ କୁହାଯାଇଥିଵା ଯାହା ପରେ କାଚକେନ୍ଦୁ ହୋଇଅଛି । କିନ୍ତୁ ଯଦି କାର୍ତ୍ତିକେନ୍ଦୁ ଶବ୍ଦଟି କାଳକ୍ରମେ କାଚକେନ୍ଦୁ ହୋଇଅଛି ତେବେ ପ୍ରାଚୀନ ଓଡ଼ିଆ ତଥା ସଂସ୍କୃତ ସାହିତ୍ୟରେ କାର୍ତ୍ତିକେନ୍ଦୁ ଶବ୍ଦର ପ୍ରୟୋଗ କାହିଁକି ମିଳେ ନାହିଁ ? 

ହୁଏତ କାର୍ତ୍ତିକେନ୍ଦୁ ବୋଲି କୌଣସି ଶବ୍ଦ ହିଁ ନଥିଲା ଏଵଂ କେଵଳ କାଚକେନ୍ଦୁ ଶବ୍ଦକୁ ଟାଣି ଭିଡ଼ି ଗୋଟିଏ ତଦ୍ଭଵ ଶବ୍ଦ ପ୍ରମାଣ କରିଵାକୁ ଚେଷ୍ଟା କରାଯାଇଛି ? 

ଅନେକଙ୍କ ମନରେ ଏହି ସନ୍ଦେହ ଜାତ ହେଵାରୁ ସେମାନେ କାଚକେନ୍ଦୁ ଶବ୍ଦର ଅନ୍ୟାନ୍ୟ ଵ୍ୟୁତ୍ପତ୍ତି ଉପରେ ଵିଚାର କରିଥାନ୍ତି । କିଛି ଲୋକ କୁହନ୍ତି କାଚ ଏକ ତତ୍ସମ ଶବ୍ଦ ଏଵଂ ଏଥିରେ ସ୍ଵାର୍ଥେ କ ପ୍ରତ୍ଯୟରେ କାଚକ ହୋଇ ସେଥିରେ ଇନ୍ଦୁ ଶବ୍ଦ ଯୋଡ଼ାଯାଇ କାଚକେନ୍ଦୁ ଶବ୍ଦ ସୃଷ୍ଟି ହୋଇଛି । ଅର୍ଥାତ୍ କାଚ ଓ ଇନ୍ଦୁ(ଜହ୍ନ) ପରି ସ୍ଵଚ୍ଛ ଜଳ । ତେବେ ଏଭଳି କୌଣସି ସଂସ୍କୃତ ଶବ୍ଦର ଵ୍ୟଵହାର ଥିଵା ଜଣାଯାଏ ନାହିଁ କି ଓଡ଼ିଆ ଛଡ଼ା ଅନ୍ୟ କୌଣସି ଭାଷାରେ କାଚକେନ୍ଦୁ ଶବ୍ଦ ପ୍ରୟୋଗର ପ୍ରମାଣ ମିଳେ ନାହିଁ।

ପୁଣି କିଛି ଲୋକ କାଚକେନ୍ଦୁ ଶବ୍ଦଟି କାଚ ଓ କନ୍ଦୁକ ଶବ୍ଦଯୁକ୍ତ ହୋଇ ସୃଷ୍ଟି ହୋଇଛି ବୋଲି ମତ ଦିଅନ୍ତି । କନ୍ଦୁକ ଅର୍ଥ ପେଣ୍ଡୁ ।କାଚରେ ନିର୍ମିତ କନ୍ଦୁକ ଵା ପେଣ୍ଡୁ ଗୋଲାକାର ଵିଶିଷ୍ଟ ହୋଇଥିଲେ ମଧ୍ୟ ପାରଦର୍ଶୀ ହୋଇଥିଵା ଯୋଗୁଁ ଅପରପାର୍ଶ୍ବକୁ ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ, ତେଣୁ ସେ'ଦୃଷ୍ଟିରୁ କାଚ କନ୍ଦୁକରୁ କାଚ କେନ୍ଦୁ ସୃଷ୍ଟି ହୋଇ ଥାଇପାରେ । ତେବେ ଯଦି ଓଡ଼ିଆ ଭାଷାରେ କନ୍ଦୁକ ଶବ୍ଦରୁ କେନ୍ଦୁ ଶବ୍ଦ ସୃଷ୍ଟି ହୋଇଥାନ୍ତା ତା'ହେଲେ ଆଜି ବି ଓଡ଼ିଆ ଭାଷାରେ କେନ୍ଦୁ ଶବ୍ଦର ଗୋଟିଏ ଅର୍ଥ ପେଣ୍ଡୁ ହୋଇଥାନ୍ତା । କେନ୍ଦୁଫଳର କେନ୍ଦୁ ନାମଟି ଏକ ତତ୍ସମ ନାମ ଏଵଂ ସଂସ୍କୃତ କଳ୍ପଦ୍ରୁମ କୋଷ ଅନୁସାରେ ତତ୍ସମ କେନ୍ଦୁ ଶବ୍ଦଟି "କୁ ଈଷତ୍ ଇନ୍ଦୁରିଵ ; କୋଃ କାଦେଶଃ ଇତି କେନ୍ଦୁଃ" ତେଣୁ ପେଣ୍ଡୁ ସହିତ କେନ୍ଦୁ ଫଳର କୌଣସି ସମ୍ପର୍କ ନାହିଁ କି ଓଡ଼ିଆ ତଥା ସଂସ୍କୃତ ଭାଷାରେ କେନ୍ଦୁ ଶବ୍ଦର ଅର୍ଥ ପେଣ୍ଡୁ ନୁହେଁ । ହଁ ସଂସ୍କୃତ ତଥା ଓଡ଼ିଆ ଭାଷାରେ ଆଗେ ପେଣ୍ଡୁକୁ ଗେଣ୍ଡୁ କୁହାଯାଉଥିଲା ।‌ ଗଞ୍ଜମ ଜିଲ୍ଲାର କଵି କୃଷ୍ଣସିଂହ ତାଙ୍କ କୃଷ୍ଣ ମହାଭାରତରେ ପେଣ୍ଡୁ ଅର୍ଥରେ ଗେଣ୍ଡୁ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି “ଏ ଉତ୍ତାରେ ସେ ଗେଣ୍ତୁଟିଏ କରେ ଧରି, ଆରମ୍ଭିଲେ ଖେଳ ବିବିଧ ଭଙ୍ଗୀ କରି।” (କୃଷ୍ଣସିଂହ, କୃଷ୍ଣ ମହାଭାରତ, ଵନପର୍ଵ।)

ତେଣୁ କାଚରେ ଗଢ଼ା ପେଣ୍ଡୁର ଠିକ୍ ସଂସ୍କୃତ ନାମଟି କାଚକେନ୍ଦୁ ନୁହେଁ ଵରଂ କାଚଗେଣ୍ଡୁ ହେଵା ଵିଧେୟ । ଅଵଶ୍ୟ ମାନଵ ଇତିହାସରେ କାଚରେ ଗଢ଼ା ପେଣ୍ଡୁର ଇତିହାସ ୫୦୦୦ ଵର୍ଷ ପୁରୁଣା ତଥାପି କାଚଗେଣ୍ଡୁ ଭଳି କୌଣସି ଶବ୍ଦ ପ୍ରାଚୀନ ଭାରତୀୟ ସାହିତ୍ୟରେ ପ୍ରୟୋଗ ହୋଇଥିଵା ଜଣାଯାଏ ନାହିଁ ‌ । ତେଣୁ କାଚକେନ୍ଦୁ ଶବ୍ଦର ଏହି ସମ୍ଭାଵିତ ଵ୍ୟୁତ୍ପତ୍ତି ମତଟି ସନ୍ଦେହାସ୍ପଦ ।  

ପୁନଶ୍ଚ ଅନେକ ଲୋକ କାଚକେନ୍ଦୁ ଭଳି ଏକ ନିରୋଳ ଓଡ଼ିଆ ଶବ୍ଦର ଅଯଥା ସଂସ୍କୃତ ଵ୍ୟୁତ୍ପତ୍ତି ମୂଳ ନଉଣ୍ଡି ଏହାର ଓଡ଼ିଆ ଶବ୍ଦ ସମ୍ଭାର ଆଧାରରେ ଵ୍ୟୁତ୍ପତ୍ତି ଆଲୋଚନା କରିଵାକୁ ମତ ଦେଇଥାନ୍ତି । ସେମାନଙ୍କ ମତରେ ଆମ ଓଡ଼ିଆ ଭାଷାରେ କାଚ ଓ କେନ୍ଦୁ ଶବ୍ଦ ଥାଉ ଥାଉ ଆମେ ଅଯଥା ସଂସ୍କୃତ ଆଡ଼କୁ କାହିଁକି ଯିଵା ? ଆମ ଭାଷାର କାଚ ଓ କେନ୍ଦୁ ଶବ୍ଦ ମିଶି କାହିଁକି କାଚକେନ୍ଦୁ ଶବ୍ଦ ସୃଷ୍ଟି ହୋଇନଥିଵ ? 

ତାହେଲେ କାଚ ଓ କେନ୍ଦୁ ଶବ୍ଦଦ୍ଵୟ ମିଶି କିପରି ଓ କେଉଁ ଆଧାରରେ କାଚକେନ୍ଦୁ ଶବ୍ଦ ସୃଷ୍ଟି ହୋଇ ଏହାର ଅର୍ଥ Very transparent water ଵା ଅତି ସ୍ଵଚ୍ଛ ଜଳ ହୋଇଛି? 

diospyros ଜାତୀୟ ଅନେକ ଗଛ ଭାରତରେ ଦେଖାଯାଏ ଯଥା 
Diospyros melanoxylon ଵା କରମଣ୍ଡଳ କେନ୍ଦୁ,Diospyros montana ଵା ବମ୍ବେ କେନ୍ଦୁ,Diospyros malabarica ଵା ମାଲବାର କେନ୍ଦୁ ଇତ୍ୟାଦି । ତେବେ Diospyros melanoxylon ଵା କରମଣ୍ଡଳ କେନ୍ଦୁ ସାଧାରଣତଃ ଓଡ଼ିଶାରେ ଅଧିକ ଦେଖାଯାଏ ଏଵଂ ଏହି ଜାତୀୟ କେନ୍ଦୁର ଶସ ଈଷତ ଧଳା ରଙ୍ଗର ଆଉ ଏହି କେନ୍ଦୁର ରସ ଦେଖିଲେ ଖୁବ ସ୍ବଚ୍ଛ ହୋଇଥାଏ । ଓଡ଼ିଶାରେ ମିଳୁଥିଵା କରମଣ୍ଡଳ କେନ୍ଦୁର ରସ କୌଣସି କାଚ ପାତ୍ରରେ ରଖି ଦେଖିଲେ ଆରପଟର ଦରଵ ଦେଖାଯାଏ । ତେଣୁ ହୁଏତ ଏହି ଆଧାରରେ କାଚକେନ୍ଦୁ ଶବ୍ଦ ସୃଷ୍ଟି ହୋଇଥାଇପାରେ ‌ । ସେହିପରି ଆଉ କିଛି ଲୋକ କୁହନ୍ତି କେନ୍ଦୁ ପତ୍ର ଉପରେ ସ୍ୱଚ୍ଛ ଜଳବୁନ୍ଦା କାଚ ସଦୃଶ ପ୍ରତିଭାତ ହୁଏ ତେଣୁ ସ୍ବଚ୍ଛଜଳକୁ କାଚକେନ୍ଦୁ କୁହାଗଲା । ଆଉ କେହି କେହି କୁହନ୍ତି କେନ୍ଦୁ ଗଛର ଡାଳ କଳା, ଏହାର ବୀଜ ବି କଳା ଏଵଂ ଫଳ ପାଚି ଶୁଖିଗଲେ କଳା ହୋଇଯାଏ ତେଣୁ ଯୋଉ ସ୍ଵଚ୍ଛ ପାଣିରେ କେନ୍ଦୁକାଠ ଓ ବୀଜ ପରି କଳା ଭଳି କୌଣସି କଳାଵସ୍ତୁ ଥିଲେ ବି ଦେଖାଯାଏ ସେଭଳି ପାଣିକୁ କାଚକେନ୍ଦୁ ପାଣି କୁହାଯାଏ । ଏହିପରି ଭାବେ ଓଡ଼ିଆ ଭାଷାର କାଚକେନ୍ଦୁ ଶବ୍ଦର ଏକାଧିକ ସମ୍ଭାଵିତ ଵ୍ୟୁତ୍ପତ୍ତି ମତ ରହିଛି ଯାହା ଵିଷୟରେ ଆଲୋଚନା କରାଗଲା। କିନ୍ତୁ ଓଡ଼ିଆ ଭାଷାର ସ୍ଵଚ୍ଛ ଜଳ ଅର୍ଥଜ ଏହା ଏକମାତ୍ର ଶବ୍ଦ ନୁହେଁ ଵରଂ ଏହିପରି ଆଉ ଗୋଟିଏ ନିଆରା ଓଡ଼ିଆ ଶବ୍ଦର ଉଲ୍ଲେଖ ମଧ୍ୟ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅଛି । 

ଭାଷାକୋଷ ଅନୁସାରେ ଆଗେ ପୁରୀ ଅଞ୍ଚଳରେ ସ୍ୱଚ୍ଛ ଓ ନିର୍ମଳ ତରଳ ଵସ୍ତୁକୁ ପଞ୍ଜୁରିପାଣି କହୁଥିଲେ । ଯଥା—ଏ ମାଲପା ପଞ୍ଜୁରିପାଣି ଭଳି ଦିଶୁଛି । ସମ୍ଭଵତଃ ପ୍ରାଞ୍ଜଳ ଶବ୍ଦଟି ଲୋକମୁଖରେ ପଞ୍ଜୁରି ହୋଇଥାଇପାରେ କାରଣ ଏହି ପ୍ରାଞ୍ଜଳ ଶବ୍ଦର ଆଠ ଦଶଗୋଟି ଅର୍ଥ ମଧ୍ୟରେ ଦୁଇଗୋଟି ଅର୍ଥ ହେଲା ନିର୍ମଳ ଓ ଉଜ୍ଜ୍ୱଳ। ପୁଣି ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ସ୍ଫଟିକ ପରି ନିର୍ମଳ ଓ ସ୍ୱଚ୍ଛ ପାଣିକୁ ସଷ୍ଟିକ ଜଳ, ସଷ୍ଟିକ ପାଣି,ସ୍ୱଷ୍ଟିକ ଜଳ ଓ ସ୍ୱଷ୍ଟିକ ପାଣି କହୁଥିଲେ। ସଷ୍ଟିକ ଵା ସ୍ଵଷ୍ଟିକ ଶବ୍ଦ ଯେ ସ୍ଫଟିକ ଶବ୍ଦର ଗ୍ରାମ୍ୟ ରୂପ ଏହା ସହଜେ ଅନୁମେୟ । ସଂସ୍କୃତ ଭାଷାରେ ବି ଏହିପରି ଭାବେ ଅଂଶୂଦକ ଶବ୍ଦ ଅଛି । ଯେଉଁ (ଜଳାଶୟର) ଜଳରେ ଦିନରେ ସୂର୍ଯ୍ୟକିରଣ ଓ ରାତିରେ ଜ୍ୟୋତ୍ସ୍ନା ସମ୍ପୂର୍ଣ୍ଣରୂପେ ପଡ଼େ ଓ ଯହିଁରେ ଜଳ ନିର୍ମଳ ତାକୁ ଅଂଶୂଦକ କୁହନ୍ତି । ସ୍ୱଚ୍ଛ ସଲିଳ ଓ ହଂସୋଦକ ଏହି ଧରଣର ଆଉ ଦୁଇଗୋଟି ଶବ୍ଦ ଅଟେ । କାକ ଚକ୍ଷୁ ପରି ସ୍ପଟିକ ଵା ସ୍ଵଚ୍ଛ ଜଳକୁ ପୁଣି କାକଚକ୍ଷୁ ବି କୁହନ୍ତି । ସଂସ୍କୃତ ଭାଷାରେ ସ୍ଵଚ୍ଛ ସ୍ଫଟିକ ଦରଵ ପାଇଁ 'କାଚତୁଲ୍ୟ' ଶବ୍ଦର ପ୍ରୟୋଗ ଥିଵା ବି ଜଣାଯାଏ । 

ସଂସ୍କୃତ ଓ ଓଡ଼ିଆ ପରି ପୃଥିଵୀର ଅଳ୍ପ କେତେକ ଭାଷାରେ ହିଁ ଏହି ଵିଶେଷ ଅର୍ଥକୁ ପ୍ରକାଶ କଲା ଭଳି ଶବ୍ଦ ରହିଛି । ଇଂରାଜୀ ଭାଷାରେ ସ୍ଵଚ୍ଛ ନିର୍ମଳ ଜଳ ପାଇଁ Crystal clear,pellucid ଓ plain as day ଇତ୍ୟାଦି ଵ୍ୟଵହାର କରାଯାଏ । Polish ଭାଷାରେ krystaliczna ଶବ୍ଦ ଵ୍ୟଵହୃତ ହୁଏ । ଜର୍ମାନ୍ ଭାଷାରେ ସ୍ଵଚ୍ଛ ଜଳକୁ କୁହନ୍ତି glasklar ଅର୍ଥାତ୍ ଗ୍ଲାସ୍ ପରି ସ୍ଵଚ୍ଛ। ଆମ ଭାରତର ମରାଠୀ ଭାଷାରେ ବି ନିଵଳଶଙ୍ଖ ଓ ଶଙ୍ଖବଣୀ ପରି ଦୁଇଗୋଟି ସମାର୍ଥକ ଶବ୍ଦ ଅଛି। ନିଵଳଶଙ୍ଖ ଶବ୍ଦରେ ନିଵଳ ଅର୍ଥ ସ୍ଵଚ୍ଛଜଳ ଓ ଶଙ୍ଖ ଏଠାରେ ପ୍ରତୀକାତ୍ମକ ଭାବେ ଅତି ଅର୍ଥକୁ ପ୍ରକାଶ କରିଵା ପାଇଁ ଯୋଡ଼ା ଯାଇଛି । ସେଇମିତି ଶଙ୍ଖ ଓ ପାଣି ଶବ୍ଦକୁ ନେଇ ମରାଠୀ ଭାଷାରେ ଶଙ୍ଖବଣୀ ଶବ୍ଦ ସୃଷ୍ଟି ହୋଇଛି । ଶଙ୍ଖ ପରି ଅତି ଧଳା ସ୍ଵଚ୍ଛଜଳ ଵା ଘୋଳଦହି ଅଦି ତରଳ କ୍ଷେତ୍ରରେ ମରାଠୀ ଭାଷାରେ ନିଵଳଶଙ୍ଖ ଓ ଶଙ୍ଖବଣୀ ଶବ୍ଦ ପ୍ରୟୋଗ ହୁଏ ବୋଲି James Thomas Molesworthଙ୍କ ଦ୍ଵାରା ସଂକଳିତ A Marathi and English dictionary (2d ed)ର ପୃଷ୍ଠା ୪୭୨ ଓ ୭୮୦ରୁ ଜଣାଯାଏ । ଚୀନ ଦେଶର ମାଣ୍ଡାରିନ ଭାଷାରେ ଅତି ସ୍ଵଚ୍ଛ ଜଳକୁ 碧水(Bìshuǐ) କୁହନ୍ତି । ଚୀନଦେଶୀୟ ଭାଷାରେ 碧ର ଅର୍ଥ ନୀଳ,ସବୁଜ ନୀଳ ମିଶ୍ରରଙ୍ଗ ଓ ନୀଳ ରଙ୍ଗର ଜେଡ୍ ହସ୍ତାଳଙ୍କାର । ସେହିପରି 水(shuǐ)ର ଅର୍ଥ ଜଳ । ସାଧାରଣତଃ ଜଳାଶୟରେ ସ୍ଵଚ୍ଛ ଜଳ ଦେଖିଵାକୁ ନୀଳ ଵା ସବୁଜମିଶା ନୀଳରଙ୍ଗର ହୋଇଥିଵାରୁ ମାଣ୍ଡାରିନ ଭାଷାରେ ସ୍ଵଚ୍ଛ ଜଳ ପାଇଁ 碧水(Bìshuǐ) ଶବ୍ଦ ପ୍ରଚଳିତ ହୋଇଛି । ଜର୍ମାନ୍ ଭାଷାରେ ଅତି ସ୍ଵଚ୍ଛ ଜଳ ପାଇଁ glasklar ଶବ୍ଦ ଵ୍ୟଵହାର ହୁଏ । ଜାଵାନିଜ୍ ଭାଷାରେ ବି ꦕꦼꦛꦮꦼꦭꦮꦼꦭ (cetha wela-wela) ବୋଲି ଏକ ଶବ୍ଦ ଏହି ସମାନ ଅର୍ଥରେ ରହିଛି । ଉଣ୍ଡିଲେ ଆହୁରି ଅନେକ ଭାଷାରେ ମଧ୍ୟ ଏ ଧରଣର ଶବ୍ଦ ମିଳିଵ । 

କେହି କେହି ମନରେ ଵିଚାର କରିପାରନ୍ତି ଯେ ଆମ ପାଖରେ ତ ସଫାପାଣି,ସ୍ଵଚ୍ଛଜଳ,ଶୁଦ୍ଧଜଳ,ପଏର୍ଚା ପାଏନ୍ ଓ ତୋଫାପାଣି ପରି ଶବ୍ଦ ଅଛି ତାହେଲେ ୟେ କାଚକେନ୍ଦୁ ପରି ଶବ୍ଦଟିଏ କାହିଁକି ଲୋଡ଼ା ହେଲା ? ପ୍ରକୃତରେ ପ୍ରୋକରତ ଶବ୍ଦଗୁଡ଼ିକ ସ୍ଵଚ୍ଛଜଳ ପାଇଁ ଵ୍ୟଵହୃତ ହୁଏ କିନ୍ତୁ ଅତିସ୍ଵଚ୍ଛ ଜଳ ପାଇଁ ହିଁ କାଚକେନ୍ଦୁ ପରି ଶବ୍ଦ ଵ୍ୟଵହାର କରାଯାଏ । ଅର୍ଥାତ୍ କାଚକେନ୍ଦୁ ଶବ୍ଦଟି ସ୍ଵଚ୍ଛ ଜଳର ଅତି ଆଧିକ୍ୟ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିଵା ହେତୁ ଆଵଶ୍ୟକ ହୋଇଅଛି । କାଚକେନ୍ଦୁ ପାଣିରେ ଧୂଳି ମଳି ନଥିଵ,ତାହା ପାରଦର୍ଶୀ ହୋଇଥିଵ । କାଚକେନ୍ଦୁ ପାଣିରେ ଆଲୋକର ପ୍ରତିଫଳନ ଅଧିକ ହେଵା ଯୋଗୁଁ ଏହାର ରଙ୍ଗ ଉଜ୍ଜ୍ୱଳ ନୀଳ କିମ୍ଭା ସବୁଜ ନୀଳ ରଙ୍ଗ(Turquoise)ର ହୋଇଥାଏ । କାଚକେନ୍ଦୁ ପାଣି ଥିଵା ଜଳାଶୟର ଜଳ ପରିଷ୍କାର ପରିଵେଶକୁ ସୂଚିତ କରିଵା ସହିତ ଜଳଜୀଵ ଓ ମାନଵ ଵ୍ୟଵହାର ପାଇଁ ଉତ୍ତମ ହୋଇଥାଏ । ସାଧାରଣତଃ ସମୁଦ୍ରକୂଳିଆ ଅଞ୍ଚଳରେ କାଚକେନ୍ଦୁ ପରି ପାଣି ଦେଖିଵାକୁ ମିଳିଥାଏ । ମାଳଦ୍ଵୀପ, ଫିଲିପାଇନସର ପଲାୱାନ୍,ବେଲିଜ୍‌ର ଅବ୍ମରଗ୍ରିସ୍ କୈ, କ୍ରୋଏସିଆର ପ୍ଲିଟ୍‌ଵାଇସ୍ ହ୍ରଦ, ଯୁକ୍ତରାଷ୍ଟ୍ର ଆମେରିକାର ଓରେଗାନରେ ଅଵସ୍ଥିତ କ୍ରେଟର୍ ହ୍ରଦ ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଏ ଧରଣର ଅତି ସ୍ଵଚ୍ଛଜଳ ଅଧିକ ପରିମାଣରେ ଦେଖିଵାକୁ ମିଳିଥାଏ । ଓଡ଼ିଶାର ପୁରୀ ବେଳାଭୂମି, ଚନ୍ଦ୍ରଭାଗା ବେଳାଭୂମି,ବାଲିହରଚଣ୍ଡି ବେଳାଭୂମି, ରାମଚଣ୍ଡୀ ବେଳାଭୂମି ଓ ଚାନ୍ଦିପୁର ବେଳାଭୂମିରେ ମଧ୍ୟ ଏ ଧରଣର ଜଳ ଦେଖିଵା ମିଳେ ବୋଲି ଅନ୍ତର୍ଜାଲରୁ ଜଣାପଡି଼ଛି । ଅତଃ ଯେହେତୁ ଓଡ଼ିଶାର ବେଳାଭୂମିରେ ଲୋକେ ଆଗେ ଏ ଧରଣର ଅତି ସ୍ଵଚ୍ଛ ପାରଦର୍ଶୀ କଣିକାହୀନ ଜଳ ଦେଖିଵାକୁ ମିଳୁଥିଲା ତେଣୁ ଓଡ଼ିଶାରେ କାଚକେନ୍ଦୁ ଓ ସଷ୍ଟିକ ଜଳ ଵା ସ୍ପଟିକ ଜଳ ପରି ଶବ୍ଦ ପ୍ରଚଳିତ ହୋଇଥିଲା । ଅତଏଵ୍ ପୃଥିଵୀର ଅଳ୍ପ ଭାଷାରେ ଅତି ସ୍ଵଚ୍ଛ ପାରଦର୍ଶୀ ଜଳ ପାଇଁ ଶବ୍ଦ ଥିଵାରୁ, ଓଡ଼ିଆ ଭାଷାର ଶବ୍ଦ ସମ୍ଭାରକୁ ନେଇ ସୃଷ୍ଟି ହୋଇଥିଵାରୁ ନିଃସନ୍ଦେହରେ କୁହାଯାଇପାରେ ଯେ କାଚକେନ୍ଦୁ ଓଡ଼ିଆ ଭାଷାର ଏକ ନିଆରା ମୌଳିକ ଶବ୍ଦ ଅଟେ ।











Monday, January 27, 2025

•ପଲ୍ଵଳ: ଏକ ଵିସ୍ମୃତ ପ୍ରାଚୀନ ଭାରତୀୟ ଶବ୍ଦ•

ପଲ୍ବଳ ଗୋଟିଏ ନିରୋଳ ଶାସ୍ତ୍ରୀୟ ଭାରତୀୟ ଶବ୍ଦ ତେବେ ଅନେକେ ହୁଏତ ଏ ଶବ୍ଦ ସମ୍ବନ୍ଧରେ ସେତେଟା ଜାଣିନଥିବେ । ଅଵଶ୍ୟ ଛୋଟବେଳୁ ହିଁ ଆମେ ଓଡି଼ଆମାନେ 'ପଲ୍ବଳ' ଶବ୍ଦ ସହିତ ପରିଚିତ ହୋଇଯାଆନ୍ତି କିନ୍ତୁ ଏ ଶବ୍ଦଟିର ଵ୍ୟଵହାର କଥିତ ଭାଷାରେ କି ଲିଖିତ ଭାଷାରେ ସେତେ ନଥିଵାରୁ ଆମେ ଏହାକୁ ପରେ ପରେ ପୋଶୋରି ଦିଅନ୍ତି ।‌ 

ଆମେ ଓଡ଼ିଆମାନେ ଛୋଟବେଳୁ କେମିତି ପଲ୍ବଳ ଶବ୍ଦ ସହିତ ପରିଚିତ ହୁଅନ୍ତି କେହି କେହି ପଚାରି ପାରନ୍ତି। ତେବେ ଅନେକଙ୍କର ହୁଏତ ଆଜି ବି ମନେ ଥିଵ ଯେ ଵର୍ଣ୍ଣବୋଧରେ 'ଵ ଫଳା' ପାଇଁ “ସ୍ୱଭାଵ,ଉଦ୍ୱେଗ,ଈଶ୍ୱର,ନିଃଶ୍ୱାସ,ସମ୍ବଳ,ଗ‌ହ୍ୱର, ଵିହ୍ୱଳ,ରାଜତ୍ୱ,ଆଶ୍ୱିନ,ପଲ୍ୱଳ,ଆହ୍ୱାନ,ତେଜସ୍ୱୀ, ,ତପସ୍ୱୀ,ସତ୍ୱର ଓ ଅନ୍ୱେଷଣ ଆଦି ଶବ୍ଦର ଉଦାହରଣ ରହୁଥିଲା। ତେଣୁ ଛୋଟବେଳେ ଵର୍ଣ୍ଣବୋଧ ପଢ଼ିଥିଵା ଲୋକଙ୍କ ମଧ୍ୟରେ କେହି କେହି ଏବେ ବି ହୁଏତ ପଲ୍ବଳ ଶବ୍ଦଟିକୁ ମନେ ରଖିଥିବେ । ପ୍ରକୃତରେ କ୍ଷୁଦ୍ର ଜଳାଧାର,ଡୋବା ଵା ଚୁଆକୁ ସଂସ୍କୃତ ଭାଷାରେ ପଲ୍ବଳ କୁହନ୍ତି । ଏ ଶବ୍ଦ ବହୁତ ପ୍ରାଚୀନ। 

ମହାଭାରତରେ ପଲ୍ଵଳ ଶବ୍ଦ ପ୍ରୟୋଗ ହୋଇଥିଵା କଥା କଳ୍ପଦ୍ରୁମରେ ଉଲ୍ଲେଖ ଅଛି । ଯଥା :
“ପଲ୍ଵଳାନି ଚ ସର୍ଵ୍ଵାନି ସର୍ଵ୍ଵେ ଚୈଵ ତୃଣୋପଳାଃ ।
ସ୍ଥାଵରଂ ଜଙ୍ଗମଞ୍ଚୈଵ ନିଃଶେଷଂ କୁରୁତେ ଜଗତ୍ ॥”


ସଂସ୍କୃତ କଳ୍ପଦ୍ରୁମରେ ଏହି ଶବ୍ଦର ନିରୁକ୍ତି ଲେଖାଅଛି “ପଳତି ଗଚ୍ଛତି ପିବତ୍ଯସ୍ମିନ୍ ଵା ।ପଳ ଗତୌ ପା ପାନେ ଵା +“ସାନସିଵର୍ଣ୍ଣସିପର୍ଣ୍ଣସୀତି ।” ଉଣାଂ । ୪ । ୧୦୭ । ଇତି ନିପାତନାତ୍ଵଳଚ୍ ପ୍ରତ୍ଯୟେନ ସିଦ୍ଧମ୍” । 

ପଲ୍ ଧାତୁରୁ ଯିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୁଏ ତେଣୁ ଯେଉଁଠାକୁ ଗୋମେଷାଦି ପାଣି ପିଇଵାକୁ ଯାଆନ୍ତି ତାହା ପଲ୍ଵଳ ଅଟେ । ଭାଵପ୍ରକାଶ ଗ୍ରନ୍ଥରେ 'ପଲ୍ବଳ'ର ଲକ୍ଷଣ(ଅର୍ଥ) ଏମନ୍ତ ଉଲ୍ଲେଖ କରାଯାଇଛି -“ଅଳ୍ପଂ ସରଃ ପଲ୍ଵଳଂ ସ୍ଯାଦ୍ଯତ୍ର ଚନ୍ଦ୍ରର୍କ୍ଷ୍ୟଗେ ରଵୌ । ନ ତିଷ୍ଠତି ଜଳଂ କିଞ୍ଚିତ୍ତତ୍ରତ୍ଯଂ ଵାରି ପାଲ୍ଵଳମ୍ ॥” ସେହିପରି ପଲ୍ବଳର ଗୁଣ ଲେଖାଅଛି “ପାଲ୍ଵଳଂ ଵାର୍ଯ୍ଯଭିଷ୍ଯନ୍ଦି ଗୁରୁ ସ୍ଵାଦୁ ତ୍ରିଦୋଷକୃତ୍ ॥”

ଓଡ଼ିଆ ସାହିତ୍ୟରେ ପଲ୍ଵଳ ଶବ୍ଦର ପ୍ରୟୋଗ ନୂଆ ନୁହେଁ । କଵି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଓ ଵୈଦେହୀଶ ଵିଳାସରେ ପଲ୍ଵଳ ଶବ୍ଦର ଵ୍ୟଵହାର ରହିଛି । 
କଵି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାଵ୍ୟରେ ପଲ୍ଵଳ ଶବ୍ଦ ପ୍ରୟୋଗ କରି ଲେଖିଛନ୍ତି...

“ରଞ୍ଜକ ଖ୍ୟାତ ନଳୀ ଅଛି ଯୋଖି ।
ମନୋହର ନାଭି ପଲ୍ୱଳ ଦେଖି॥”

ସେହିପରି ଵୈଦେହୀଶ ଵିଳାସରେ ପଲ୍ଵଳ ଶବ୍ଦର ଵ୍ୟଵହାର କରି ଭଞ୍ଜକଵି ପଦେ ରଚିଛନ୍ତି 

“ବନ୍ଧାଇ ହୋଇ ସୁଗ୍ରୀଵେ ମିତ୍ର ବଳ ସାଜି ।
ଵାରିଧି ପଲ୍ୱଳ ଡେଇଁ ଆସିଛି ମୁଁ ଖୋଜି ଯେ ॥”
(ହନୁମାନ ରାବଣକୁ କହିଲା "ରାମଚନ୍ଦ୍ର ସୁଗ୍ରୀବଙ୍କ ସହିତ ମିତ୍ରତା ସୂତ୍ରରେ ବନ୍ଧନ ହେବାରୁ ମିତ୍ର ସୁଗ୍ରୀବ ସୈନ୍ୟ ସଜ୍ଜିତ କରୁଅଛନ୍ତି । ମୁଁ ସମୁଦ୍ରକୁ କ୍ଷୁଦ୍ର ପୁଷ୍କରିଣୀ ପରି ଡେଇଁ ସୀତାଙ୍କୁ ଖୋଜିବାକୁ ଆସିଅଛି ।" )

ନାରାୟଣ ଵିପ୍ରଙ୍କ ଵିରଚିତ ପଦ୍ମପୁରାଣରେ ମଧ୍ୟ ପଲ୍ଵଳ ଶବ୍ଦ ପ୍ରୟୋଗ କରାଯାଇଥିଵା ଜଣାଯାଏ। 

“ହାୟନ ଯୁଗ ଆଦି ଯେତେ । ପୂର୍ଵାନୁକ୍ରମେ ଏ ଜଗତେ।। 
ନଦୀ ସାଗର ବାମ୍ଫୀ ସର । ପଲ୍ୱଳ ହ୍ରଦ ଯେ ନିର୍ଝର।। 
ଵୃକ୍ଷ ବଲ୍ଲରୀ ମନୌଷଧି । ଗିରି ନଗର ଗ୍ରାମ ଆଦି।। 
 ଏମାନେ ସ୍ଵାମୀ ଗୁଣେ ଯୁତ। ହୁଅନ୍ତି ସର୍ଵଦା ପୂଜିତ।।”
(ନାରାୟଣ ଵିପ୍ର କୃତ ପଦ୍ମପୁରାଣ)

ତେଣୁ ହଁ କଥିତ ଓଡ଼ିଆ ଭାଷାରେ ସେତେଟା ଵ୍ୟଵହାର ହେଉନଥିଲେ ବି ଓଡ଼ିଆ ଲିଖିତ ସାହିତ୍ୟରେ ପଲ୍ଵଳ ଶବ୍ଦର ଵ୍ୟଵହାର ରହିଛି । ଆଜି ବି ଅନେକ କଵି ପଲ୍ଵଳ ଶବ୍ଦ ପ୍ରୟୋଗ କରୁଅଛନ୍ତି । 

ତେବେ ଭାରତଵର୍ଷର କେତେକ ଇଣ୍ଡିକ୍ ଭାଷାରେ ପଲ୍ଵଳ ଶବ୍ଦ ମୂଳରୁ ଅନେକ ଦେଶଜ ଶବ୍ଦ ବି ସୃଷ୍ଟି ହୋଇଛି । 
ପାଲିରେ ପଲ୍ଵଳ ଶବ୍ଦ pallala ହୋଇ ଚଳୁଥିଲାବେଳେ 
ପ୍ରାକୃତରେ ତାହା 𑀧𑀮𑁆𑀮𑀮 (pallala) ହୋଇଥିଲା ।‌ ଏଥିରେ ଜଣାଯାଏ ଯେ ଆଗେ ପଲ୍ଵଳ ଶବ୍ଦଟି ତତ୍କାଳୀନ ଵିଭିନ୍ନ କଥିତ ଇଣ୍ଡିକ୍ ଭାଷାରେ ବି ନାନା ରୂପ ଘେନି ଚଳୁଥିଲା । ପରଵର୍ତ୍ତୀ କାଳରେ ପ୍ରାକୃତ ଓ ପାଲି ଭାଷା ଦେଇ ଏହି ପଲ୍ବଳ ଶବ୍ଦ ମୂଳର pallala ଓ 𑀧𑀮𑁆𑀮𑀮 (pallala) କ୍ରମେ ଧିଵେହୀ ଭାଷାରେ(ମାଳଦ୍ଵୀପ) ފަޅު
 (faḷu) ଓ ସିଂହଳୀ ଭାଷାରେ පල්ලල (pallala) ହୋଇଅଛି । ଏପଟେ ସିନ୍ଧୀ ଭାଷାରେ ବି ପ୍ରାକୃତ ଭାଷା ଦେଇ پَلهَرُ ପଲ୍ହରୁ ଶବ୍ଦ ସୃଷ୍ଟି ହୋଇଛି ‌। 

କିନ୍ତୁ ପଲ୍ଵଳ ଶବ୍ଦର ସଗୋତ୍ରୀୟ ସମ୍ପର୍କ ଥିଵା ସଗୋତ୍ରୀୟ ଶବ୍ଦ Balto-Slavic ଭାଷା ଲିଥୁଆନିଆ ଓ ଲାଟଵିଅନ୍ ଭାଷା,ଇଟାଲିକ୍ ଭାଷା ଲାଟିନ ଓ Hellenic ଭାଷା ଗ୍ରୀକ୍‌ରେ ବି ରହିଥିଵାର ଆଧୁନିକ ଭାଷାଵିଜ୍ଞାନୀମାନେ ପ୍ରମାଣ କରିଛନ୍ତି । 

ମୂଳ ଭାରୋପୀୟ ଭାଷାରେ*pelH ବୋଲି ଗୋଟିଏ ଶବ୍ଦ ପ୍ରଥମେ ଖଦିର,ଧୂସର,ପାଉଁଶିଆ ଵା Gray ଅର୍ଥରେ ପ୍ରୟୋଗ ହେଉଥିଲା । ପରେ ଏ ଶବ୍ଦ କ୍ଷେତ୍ରରେ semantic shift ଵା ଶବ୍ଦାର୍ଥ ପରିଵର୍ତ୍ତନ ଘଟି ତାହା swamp ଵା ଜଳାଭୂମି,marsh ଓ puddle ଆଦି ନାନା ଅର୍ଥରେ ଵିଭିନ୍ନ ଭାଷାରେ ଭିନ୍ନ ଭିନ୍ନ ରୂପରେ ଚଳିଵାକୁ ଲାଗିଲା । ଯେହେତୁ ଜଳାଭୂମି,ଛୋଟ ଗାଡ଼,ଡୋବା,ଚୁଆ ଓ କ୍ଷୁଦ୍ର ଜଳାଶୟ ଦୂରରୁ ଦେଖିଲେ ଖଦିର,ଧୂସର ଵା ପାଉଁଶିଆ ରଙ୍ଗର ଦେଖାଯାଇଥାଏ ତେଣୁ ହୁଏତ ମୂଳ ଭାରୋପୀୟ ଶବ୍ଦ *pelH କ୍ଷେତ୍ରରେ ଏଭଳି ଶବ୍ଦାର୍ଥ ପରିଵର୍ତ୍ତନ ସମ୍ଭଵ ହୋଇଥାଇପାରେ । ଆଜି ବି ଇଂରାଜୀ ଭାଷାରେ ଵ୍ୟଵହୃତ ହେଉଥିଵା Pale ଶବ୍ଦଟି ଏହି ମୂଳ ଶବ୍ଦରୁ ସୃଷ୍ଟି ହୋଇଛି । ସେହିପରି ପ୍ରାଚୀନ ଗ୍ରୀକରେ ଏହି ମୂଳ ଶବ୍ଦରୁ πηλός(pēlós) ଶବ୍ଦ ସୃଷ୍ଟି ହୋଇ ମୃତ୍ତିକା ଓ କର୍ଦ୍ଦମ ଆଦି ଅର୍ଥରେ ଚଳୁଥିଲା । ଲିଥୁଆନିଆର pelkė (“marsh”) ଓ ଲାଟଵିଅନର peļķe (“puddle”) ଶବ୍ଦ ମଧ୍ୟ ଏହି ମୂଳରୁ ସୃଷ୍ଟି ହୋଇଛି ବୋଲି ଆଧୁନିକ ଭାଷାଵିଜ୍ଞାନୀମାନେ ମତ ଦିଅନ୍ତି । ଲାଟିନ ଭାଷାର palūs ଓ palūdis ଇତ୍ୟାଦି ଶବ୍ଦ ବି ଏହି ମୂଳରୁ ସୃଷ୍ଟି ହୋଇଥିଲା ଏଵଂ ଜଳାଭୂମି,ଡୋବା,ଚୁଆ ଓ ଜଳାଶୟ ଇତ୍ୟାଦି ଅର୍ଥରେ ଚଳୁଥିଲା । କିନ୍ତୁ ପ୍ରଶ୍ନ ଆସେ ଯଦି ମୂଳ ଭାରୋପୀୟ ଭାଷାରେ ଆଗେ ପଲ୍ଵଳ ଶବ୍ଦର ମୂଳ ରୂପ *pelH ଶବ୍ଦଟିର ଅର୍ଥ ଧୂସର,ପାଣ୍ଡୁର ଓ ଖଦିର ଥିଲା ଏଵଂ ପରେ ସେହି ଶବ୍ଦରୁ ଇଂରାଜୀ ଭାଷାରେ Pale ଶବ୍ଦ ସୃଷ୍ଟି ହୋଇଛି ତାହେଲେ କ'ଣ ଭାରତରେ ବି କ୍ଷୁଦ୍ର ଜଳଧାରା ଵା ଡୋବା ଇତ୍ୟାଦି ଅର୍ଥଜ ପଲ୍ଵଳ ଶବ୍ଦ ଛଡ଼ା ଅନ୍ୟ କୌଣସି ଶବ୍ଦ ଥିଲା ? 

 Sir. Ralph Lilley Turnerଙ୍କ ଆର୍ଯ୍ୟଭାଷା ଵ୍ୟୁତ୍ପତ୍ତି କୋଷ A comparative dictionary of Indo-Aryan languagesର ୭୯୭୪ ତଥା ୭୯୭୫ତମ ପୃଷ୍ଠାରେ କୁହାଯାଇଛି ଯେ ହଁ ଆଗେ ଭାରତରେ ମଧ୍ୟ 
†*paluva(୰ପଲୁଵ),*palva(ପଲ୍ଵ) ଓ *palvara(ପଲ୍ଵର) ଭଳି ଶବ୍ଦ ଧୂସର,ପାଣ୍ଡୁର ଓ ଖଦିର ଅର୍ଥରେ ଚଳୁଥିଲା। ସେଥିପାଇଁ ତ ଆଜି ବି ସିଂହଳୀରେ Pulu(Grey hair),ପାହାଡ଼ୀ ଶୈଳୀ ଭାଲେଶୀରେ pallrā̃(Grey hair) ଓ ଭଦ୍ରଵାହୀରେ pallar(Grey hair) ଆଦି ଶବ୍ଦ ଚଳୁଅଛି ବୋଲି ରାଲ୍ଫ ଟର୍ନରଙ୍କ ଵ୍ୟୁତ୍ପତ୍ତିକୋଷରୁ ଜଣାଯାଏ । 

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ସଂସ୍କୃତ ଏମିତି ଏକ ଭାଷା ଯହିଁର ଶବ୍ଦଗୁଡ଼ିକ ମଧ୍ୟରେ ଅନେକ ଶବ୍ଦର ସଗୋତ୍ରୀୟ ସମ୍ପର୍କ ତିନି ଵା ତତୋଽଧିକ ଭାରୋପୀୟ ଶାଖାର ଭାଷାରେ ପ୍ରଚଳିତ ଶବ୍ଦ ସହିତ ଥିଵା ଦୃଷ୍ଟିଗୋଚର ହୋଇଥାଏ । *pelH ଭଳି ଗୋଟିଏ ଗୋଟିଏ ପ୍ରାଚୀନ ମୂଳ ଶବ୍ଦରେ semantic shift ଵା ଶବ୍ଦାର୍ଥ ପରିଵର୍ତ୍ତନ ଘଟି ନାନା ଭରୋପୀୟ ଭାଷାରେ ଗୋଟିଏ ମୂଳ ଶବ୍ଦ ଭିନ୍ନ ଭିନ୍ନ ରୂପ ଧାରଣ କରି ଅନେକ ଅର୍ଥରେ ଚଳିଅଛି ।‌ ପୁଣି ଅନେକ ପ୍ରାଚୀନ ମୂଳ ଭାରୋପୀୟ ଶବ୍ଦ ମଧ୍ୟ ନିଜର ପ୍ରାଚୀନ ଅର୍ଥ ଓ ରୂପ ଘେନି ସଂସ୍କୃତ ଓ ପ୍ରାକୃତ ଆଦି ଭାଷାରେ ଚଳୁଥିଲା ତଥା ଏବେ ବି ତନ୍ମଧ୍ୟରେ କେତେକ ଚଳୁଅଛି । ଶେଷରେ ପଲ୍ଵଳ ଶବ୍ଦର ନିରୁକ୍ତି ଓ ଵ୍ୟୁତ୍ପତ୍ତି ମଧ୍ୟରେ ଆକାଶ ପାତାଳ ପ୍ରଭେଦ ଦେଖି ଆମ୍ଭେମାନେ ଜାଣିଲେ ଯେ ଗୋଟିଏ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ଓ ନିରୁକ୍ତି ଇତିହାସ କେମିତି ଭିନ୍ନ ଭିନ୍ନ ହୋଇପାରେ। ପ୍ରାଚୀନ ଭାରତୀୟ ଭାଷାଵିଦମାନେ ନିରୁକ୍ତି ବଳରେ ମୂଳ ଭାରୋପୀୟ ଶବ୍ଦଗୁଡ଼ିକୁ ଧାତୁ ପ୍ରତ୍ୟୟାଦି ଦ୍ଵାରା ସଂସ୍କୃତ କରିଥିଲେ, ଶୁଦ୍ଧ କରିଥିଲେ କିନ୍ତୁ ଉକ୍ତ ଶବ୍ଦଗୁଡ଼ିକର ଅନ୍ୟାନ୍ୟ ଭାରୋପୀୟ ଭାଷାରେ ସଗୋତ୍ରୀୟ ସମୋଦ୍ଧୃତ ଶବ୍ଦ ଆମକୁ ଜଣାଇ ଦିଏ ଯେ ସେ ଶବ୍ଦର ଇତିହାସ ଅତି ଗହନ ଓ ପ୍ରାଚୀନ ହୋଇପାରେ । 

Thursday, January 23, 2025

ବୋଉ ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ

କିଛି ଵର୍ଷ ତଳେ ଜଣେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ମହାକଵି ଦାଣ୍ଡ ମଝିରେ ଡାକବାଜି ଲଗାଇ କଟକିଆଙ୍କୁ ପ୍ରଶ୍ନ କରୁଥାନ୍ତି... “ଗାଈ ହମ୍ମା ହମ୍ମା କରେ,ଅନେକ ମଣିଷ ବି ମାଁ କୁହନ୍ତି। ସଂସ୍କୃତରେ ମାତା, ଇଂରାଜୀରେ ମଦର ଅଛି । ଆମେ ବି ଆମ ମାଆଙ୍କୁ ମାଁ ଡାକୁ । ଇ କଟକିଏ ଉପକୂଳିଏ ବୋଉ ଶବ୍ଦ କେନୁ ଆନଲେ ବୋ ? ଆମେ ତ ଆମର ଫାଲେ ଦାଦାର କନିଆଁକେ ଆର୍ ଵହକେ ଵଊ ଡାକୁଛୁଁ । ଵହ ଲାଗି ଆମେ ଯେନ୍ ଵଊ ଶବ୍ଦ କହୁଛେଁ ହେଟା ଧରିକରିଁ ଇ କଟକିଏ ନିଜ ମାଁକେ କାଣା ବୋଉ ଡାକୁଛନ୍ ? 

ଆପଣା ବଳପଣ ଲାଗି ପିଲାମାନେ ଯେମିତି ଗୁରଦୁ ପ୍ରଶ୍ନ କରନ୍ତି ଠିକ୍ ସେହିପରି ମହାକଵି ନିଜର ବୃଦ୍ଧ ଵୟସରେ ଅଜ୍ଞାନତା ହେତୁ ଜାତ ବାଳପଣ ଯୋଗୁଁ ଏଭଳି ପ୍ରଶ୍ନ କରିଥିଲେ । ଗାଈ ଗୟଳ ମଇଁଷି ଆଦି bos ଵା ଗୋ-ଜାତୀୟ ଜୀଵ ହମା ହମା କରନ୍ତି,ଗାଈଛୁଆ ମାଁ ମାଁ କରେ,ଛେଳି ମେଁ ମେଁ କରେ,ଜିରାଫ୍ ହମ୍ ହମ୍ ଶବ୍ଦ କରେ ଆଉ ବିଲେଇ ଓ ଚିତା ମିଆଁଉ ମିଆଁଉ ଶବ୍ଦ କରନ୍ତି । ଏଥିରେ କିଛି ଵିଶେଷତା ନାହିଁ। ମ ଧ୍ଵନି ଉଚ୍ଚାରଣ ବଡ଼ ସହଜ । ତେବେ ମେଣ୍ଢା ଏମିତି ଏକ ଜୀଵ ଯିଏ ବା ବା କରେ ।‌ ବା ବା ବୋଲିଵା ଯୋଗୁଁ ମେଣ୍ଢା ଗୋଟେ ଦୀନ ହୀନ ଜୀଵ ପ୍ରମାଣିତ ହୁଏ ନାହିଁ କି କାଉ‌ କା କା କିମ୍ବା କୋଇଲି କୁ଼ହୁ କୁହୁ ଶବ୍ଦ କରିଵା ଯୋଗୁଁ ଛୋଟ ହୋଇଯାଏ ନାହିଁ । ଝେଳୀ ମେଁ ମେଁ କରି ହଣା ହୁଏ,ମେଣ୍ଢା ବା ବା ବୋଵାଳି ଛାଡ଼ି ରୋମ ଦେଇ ହଣା ହୁଏ । ଗାଈ ହମା ହମା କରି ,ବିଲେଇ ମିଆଁଉ ମିଆଁଉ କରି, ଛେଳି ମେଁ ମେଁ କରି ମନୁଷ୍ୟ ଦ୍ଵାରା ପୋଷା ହୋଇଛନ୍ତି ପଛେ ମନୁଷ୍ୟ ସହିତ ରହି ବି ନୂତନ ଭାଷା ସୃଷ୍ଟି କରିନାହାନ୍ତି । ପୃଥିଵୀର ଅନେକ ଜୀଵ ନିର୍ଦ୍ଧିଷ୍ଟ ଶବ୍ଦକୁ ଧରି କେଵଳ ବୋଵାଅନ୍ତି କିନ୍ତୁ ଏ ଜୀଵଜଗତ ମଧ୍ୟରେ କେଵଳ ମଣିଷ ହିଁ ଏକମାତ୍ର ଜୀଵ ଯିଏ ସହସ୍ରାଧିକ ଭାଷା ସୃଷ୍ଟି କରିଛି ‌।‌ ମଣିଷ ଭାଷା ସୃଷ୍ଟି କରିପାରିଛି ଯେହେତୁ ସେ କେଵଳ ମା ମା କି ବା ବା ରେ ସୀମିତ ହୋଇ ରହିଯାଇନାହିଁ । ଦା ଦା ,ନା ନା, ପା ପା ,ଭା ଭା ,ତା ତା ଇତ୍ୟାଦି ଶବ୍ଦ ବି ମାନଵ ଉଚ୍ଚାରଣ କରିଛି । ଏହି ସବୁ ଶବ୍ଦ ଅନୁକରଣରେ ପୃଥିଵୀର କୋଣ ଅନୁକୋଣର ଵିଭିନ୍ନ ଭାଷାରେ ନାନା ସମ୍ବନ୍ଧଵାଚକ ସମ୍ବୋଧନାର୍ଥକ ଶବ୍ଦ ସୃଷ୍ଟି ହୋଇଛି । 

ତେବେ ସେ ମହାକଵି ଅଜ୍ଞାନଵଶତଃ ବୋଉ ଓ ଵୋହୂ ଶବ୍ଦ ମଧ୍ୟରେ ପାର୍ଥକ୍ୟ ଜାଣିନଥିଲେ ବୋଲି ସ୍ପଷ୍ଟ। ସଂସ୍କୃତ 'ଵଧୂ' ଶବ୍ଦରେ ଅଵର୍ଗ୍ୟ 'ଵ' ଥିଲା । ପ୍ରାକୃତ ଭାଷାର ଵହୂ ଶବ୍ଦରେ ବି ଅଵର୍ଗ୍ୟ 'ଵ' ଥିଲା । ଏହି ମୂଳରୁ ଜାତ ହୋଇଥିଵା ଓଡ଼ିଆ ଭାଷାର ଵଧୂ ଅର୍ଥଜ ଵହ,ଵହୂ,ଵଊ ଓ ଵୋହୂ ଶବ୍ଦଗୁଡ଼ିକର ଉଚ୍ଚାରଣରେ ଆଜି ବି ଅଵର୍ଗ୍ୟ 'ଵ' ଓ ଦୀର୍ଘ 'ଊ'ର ଆଭାସ ମିଳେ । ଆଜି ବି ମାଆକୁ ପିଲାଏ ବୋଉ ଡାକିଲାବେଳେ ବୋଉ ଶବ୍ଦରେ ଥିଵା 'ଉ'କୁ ହର୍ସ୍ଵ ଉଚ୍ଚାରଣ କରନ୍ତି କିନ୍ତୁ ଶାଶୁଶଶୁର ଯେତେବେଳେ ନିଜ ଵୋହୂକୁ ଵୋଊ ଡାକନ୍ତି 'ଊ'କୁ ଦୀର୍ଘ ଉଚ୍ଚାରଣ କରନ୍ତି । କିନ୍ତୁ ଅତି ମହାପଣ୍ଡିତ ମହାକଵି ସାଧାରଣ ଲୋକଙ୍କ ସହିତ ରହି ବୋଉ ଓ ଵୋଊ ଶବ୍ଦ ମଧ୍ୟରେ ଥିଵା ଏହି ଧ୍ଵନିତତ୍ତ୍ଵ ଭିତ୍ତିକ ପ୍ରଭେଦକୁ କେବେ ଅନୁଭଵ ହିଁ କରିନଥିଲେ ବୋଲି ତାଙ୍କ ଭାଷଣରୁ ଜଣାପଡି଼ଯାଏ। 
 
‌ଅଵଶ୍ୟ ଏହା ସତ୍ୟ ଯେ ପୃଥିଵୀରେ ପ୍ରାୟ ଅନେକ ଭାଷାରେ ମାଆଙ୍କୁ ମ ଵା ମା ଆଦ୍ୟର ସମ୍ବୋଧନଵାଚକ ଶବ୍ଦ ଵ୍ୟଵହାର କରି ପିଲାଏ ଡାକନ୍ତି। ଉପକୂଳିଆମାନେ ବି ଅଧିକାଂଶ ନିଜ ମାତାଙ୍କୁ ମାଆ ‌ହିଁ ସମ୍ବୋଧନ କରନ୍ତି । ଗଞ୍ଜାମଵାସୀ ସମାଜର ଵୃଦ୍ଧା ମହିଳାମାନଙ୍କୁ ସମ୍ମାନ ସହକାରେ ମାଆ ସମ୍ବୋଧନ କରନ୍ତି । ଉପକୂଳରେ ଛୋଟ ଛୋଟ ଝିଅମାନଙ୍କୁ ସ୍ନେହରେ ମାଆ ସମ୍ବୋଧନ କରାଯାଏ ‌। ଠାକୁରାଣୀଙ୍କୁ ମଧ୍ୟ ଉପକୂଳିଏ ମାଆ ହିଁ ସମ୍ବୋଧନ କରନ୍ତି । ଅଧିକାଂଶ ପିଲା କଥା କହିଵା ଶିଖିଲାବେଳେ ସାଧାରଣତଃ ଶବ୍ଦଗୁଡ଼ିକର ଆନୁନାସିକ ଉଚ୍ଚାରଣ କରନ୍ତି ।‌ ଜନ୍ମରୁ ଏକ ମାସ ପର୍ଯ୍ୟନ୍ତ ଶିଶୁମାନେ ମୁଖ୍ୟତଃ ଆନନ୍ଦିତ ହେଲେ, ଆଶ୍ଚର୍ଯ୍ୟ, ଭୟଭୀତ ଓ ଦୁଃଖି ହେଲେ ହସନ୍ତି ଵା କାନ୍ଦନ୍ତି । ଜନ୍ମର ଦୁଇ ଓ ତିନି ମାସ ମଧ୍ୟରେ ପିଲାଏ ଆଁ ଆଁ ଉ ଉ ଭଳି ଶବ୍ଦ ଉଚ୍ଚାରଣ କରିଵାକୁ ଲାଗନ୍ତି। ଜନ୍ମରୁ ଚତୁର୍ଥ ଓ ପଞ୍ଚମ ମାସ ମଧ୍ୟରେ ପିଲାଏ ବଡ଼ମାନଙ୍କ ଦ୍ଵାରା ବୋଲାଯାଉଥିଵା ଭାଷାର ଶବ୍ଦ ଅନୁକରଣରେ ଆଉ କେତେକ ଅସ୍ପଷ୍ଟ ଶବ୍ଦ ଉଚ୍ଚାରଣ କରିଵା ଆରମ୍ଭ କରି ଦିଅନ୍ତି । ଛମାସ ବେଳକୁ ପିଲାଏ ସ୍ଵରତନ୍ତ୍ର ଉପରେ ନିୟନ୍ତ୍ରଣ କରିଵା ଶିଖନ୍ତି ଏଵଂ ଏହି ସମୟରେ ହିଁ ସେମାନେ ବା ବା,ବୋ ବୋ,ବୁ ବୁ ଭଳି ଶବ୍ଦ ଉଚ୍ଚାରଣ କରନ୍ତି । ବ ବ ବୁ ବୁ ବୋ ବୋ ଭଳି ଶବ୍ଦ ଉଚ୍ଚାରଣ କରୁଥିଵାରୁ ଆଧୁନିକ ଭାଷାଵିଦମାନେ ଶିଶୁମାନଙ୍କର ଏହି ଉଚ୍ଚାରଣ ପ୍ରକ୍ରିୟାକୁ Child babbling ନାମ ଦେଇଛନ୍ତି। ତେଣୁ ପିଲାମାନଙ୍କର ଵର୍ଗ୍ୟ 'ବ' ଧ୍ଵନି ଉଚ୍ଚାରଣ ମୌଳିକ ଅଟେ କିନ୍ତୁ ଯେତେବେଳେ ଏହି ଧ୍ଵନି ଅନୁନାସିକ ହୁଏ ତାହା ମ'ମା,ମେ,ନ,ନା,ନେ ଇତ୍ୟାଦି ହୋଇଥାଏ । ଏ ଦୃଷ୍ଟିରୁ ପିଲାମାନଙ୍କର ମାଆ,ମାଉସୀ,ନନା,ନାନୀ ଇତ୍ୟାଦି ଉଚ୍ଚାରଣ ଅପେକ୍ଷା ବା,ବବା,ବୁଆ,ବୋଉ,ବେଈ,ବୋଈ,ବାଈ ଆଦି ଉଚ୍ଚାରଣ ମୌଳିକ ଅଟେ । ଆଧୁନିକ ଭାଷାଵିଦମାନେ କୁହନ୍ତି ଯେ 
ପୃଥିଵୀର ଅଧିକାଂଶ ଭାଷାରେ ଯେତେ ସମ୍ବନ୍ଧଵାଚକ ସମ୍ବୋଧନ ଶବ୍ଦ ସ୍ଵାଭାଵିକ ଭାବେ ସୃଷ୍ଟି ହୋଇଛି ସେସବୁର ମୂଳ Child babblingରୁ ଜାତ ପିଲାମାନଙ୍କ ଦ୍ଵାରା ଉଚ୍ଚାରଣ କରାଯାଇଥିଵା ଏହା ବା ବା,ବୁ ବୁ,ମା ମା,ନା ନା,ତା ତା,ଦା ଦା ଇତ୍ୟାଦି ଧ୍ଵନିଗୁଡ଼ିକ ହିଁ ଅଟଇ । କିନ୍ତୁ ମହାକଵି ଜଣକ Child babbling ସମ୍ବନ୍ଧିତ ଏହି ଧ୍ଵନିତତ୍ତ୍ଵ ଭିତ୍ତିକ ତଥ୍ୟ କାହୁଁ ଜାଣିବେ ? ସେ ଏତେ ପାଠ ପଢ଼ିନାହାନ୍ତି କି ଜାଣିଵାକୁ ଅଧ୍ୟଵସାୟ କରିନାହାନ୍ତି ।

ନାକରେ କଥା କହୁଥିଵା ଲୋକ,ନାକକାନ୍ଦୁରା ପିଲା ତ ଜଗତରେ ଅନେକ ହୁଅନ୍ତି ଓ ହୋଇଛନ୍ତି ତେବେ ଆଶ୍ଚର୍ଯ୍ୟର ଵିଷୟ ଯେ ପୃଥିଵୀର କେତେକ ଵୀରଜାତିରେ ମାଆଙ୍କୁ 'ବ' ଆଦ୍ୟର ସମ୍ବୋଧନଵାଚକ ଶବ୍ଦ ଵ୍ୟଵହାର କରି ପିଲାଏ ଡାକୁଥିଵା ଦେଖାଯାଏ । 

ରୁଷିଆର Avarianମାନେ ପାର୍ଵତ୍ୟଵାସୀ ଯୋଦ୍ଧାଜାତି ସେମାନେ ନିଜ ମାଆଙ୍କୁ баба (baba) ସମ୍ବୋଧନ କରନ୍ତି। ଏକଦା ନିଜ ବାହୁବଳରେ ଚୀନଦେଶର ଉପକୂଳ ଅଞ୍ଚଳ ତଥା ଦକ୍ଷିଣପୂର୍ଵ ଏସିଆ ଓ ପୂର୍ଵ ଭାରତୀୟ ଦ୍ଵୀପପୁଞ୍ଜରେ ଆଧିପତ୍ୟ ଵିସ୍ତାର କରିଥିଵା ଚୀନଦେଶୀୟ Hokkien ଜାତି ନିଜ ମାଆଙ୍କୁ 阿母 (a-bú), 阿娘 (a-niâ) ଓ 老母 (lāu-bú) ସମ୍ବୋଧନ କରନ୍ତି। ମାଲେସିଆର ମାଳୟଭାଷୀ ଲୋକେ ମଧ୍ୟ ନିଜ ମାଆଙ୍କୁ 
ibu ଓ bu ସମ୍ବୋଧନ କରନ୍ତି। ଏହି ଭାଷାର ଏକ କଥିତ ଶୈଳୀ Brunei Malay ଶୈଳୀରେ ମାଆଙ୍କୁ ପିଲାଏ babu ଓ mama ସମ୍ବୋଧନ କରନ୍ତି । 
ମାଳୟଭାଷୀଙ୍କୁ ହରାଇ ପରାଧୀନ କରିଵାକୁ ଇଂରେଜମାନେ ନାକେଦମ୍ ହୋଇଯାଇଥିଵାର ଇତିହାସ ଖୁବ ଜଣାଶୁଣା। ସେହିପରି 
Austronesian ଭାଷାପରିଵାରର Sundanese ଭାଷାରେ ମାଆଙ୍କୁ biang ଓ indung ସମ୍ବୋଧନ କରାଯାଏ । ଏହି ଭାଷାପରିଵାରର Javanese ଓ ମାଳୟ ଭାଷାରେ ମାଆଙ୍କୁ ପିଲାଏ ibu ଡାକିଥାନ୍ତି । ଅନ୍ୟ ଏକ Austronesian ଭାଷା Indonesianରେ ମାଆଙ୍କୁ ibu ଓ bunda ସମ୍ବୋଧନ କରାଯାଏ । ଭାରତୀୟଙ୍କ ପରି ଇଣ୍ଡୋନେସିଆର ଲୋକେ ବି ୟୁରୋପୀୟ ଜାତିମାନଙ୍କ ଵିପକ୍ଷରେ ଦୀର୍ଘକାଳ ଧରି ସ୍ଵାଧୀନତା ସଂଗ୍ରାମ ଚଳାଇଥିଲେ । ଆମେରିକାରେ କଥିତ ଲୋହିତ ଭାରତୀୟମାନଙ୍କର Na-Dene ଭାଷା ପରିଵାରର Apache ଭାଷାର ଅନେକ କଥିତ ଶୈଳୀ ରହିଛି ତନ୍ମଧ୍ୟରୁ Chiricahuaରେ ମାଆଙ୍କୁ -má ସମ୍ବୋଧନ କରାଯାଏ କିନ୍ତୁ Western Apache ଭାଷାରେ ମାଆଙ୍କୁ ପିଲାଏ bimaa ଓ bąą ସମ୍ବୋଧନ କରିଥାନ୍ତି । ଏହି Apache ଜନଜାତିର ଲୋକମାନେ ଦୁର୍ଦ୍ଧାନ୍ତ ଯୋଦ୍ଧା ଥିଵାର ଇତିହାସ ଵିଶ୍ଵପ୍ରସିଦ୍ଧ। ୟୁରୋପୀୟମାନେ ଆମେରିକାରେ ଉପନିଵେଶ ସ୍ଥାପନ କରି ହଜାର ହଜାର ସ୍ଥାନୀୟ ଜନଜାତୀୟ ଲୋକଙ୍କୁ ମାରୁଥିଵାବେଳେ Apacheମାନେ ସେମାନଙ୍କର ଭୀଷଣ ଵିରୋଧ କରିଥିଲେ । ୟୁରୋପୀୟମାନେ Apache ଜନଜାତି ରହୁଥିଵା ଅଞ୍ଚଳରେ ପାଦ ଦେଵାକୁ ବି ଭୟ କରୁଥିଲେ । ଫଳତଃ ଆମେରିକାର ଅନେକ ଜନଜାତି ଓ ସେମାନଙ୍କ ଭାଷା ସଂସ୍କୃତି ଲୋପ ପାଇଯାଇଥିଵାବେଳେ Apacheମାନେ ଏବେ ବି ନିଜର ଅସ୍ତିତ୍ବ ବଜାୟ ରଖିପାରିଛନ୍ତି । ବ୍ରାଜିଲର mura ଭାଷାପରିଵାରର Pirahã ଭାଷାରେ ମାଆଙ୍କୁ baíxi ସମ୍ବୋଧନ କରାଯାଏ । ଏ ଭାଷାକୁ ବୋଲୁଥିଵା ଲୋକେ ଏବେ ପୃଥିଵୀରେ ୪୦୦ରୁ କମ୍ ଲୋକ ଅଛନ୍ତି । mura ଲୋକମାନଙ୍କ ମଧ୍ୟରୁ କେଵଳ Pirahãମାନେ ହିଁ ବ୍ରାଜିଲ ଦେଶର ଜଙ୍ଗଲ ମଧ୍ୟରେ ପ୍ରକୃତି ସହିତ ସଂଘର୍ଷ କରି ବଞ୍ଚି ପାରିଛନ୍ତି। Austroasiatic ଭାଷା ପରିଵାରର ଵିଏତନାମୀ ଭାଷାରେ ମାଆଙ୍କୁ mẹ , má , mạ , mệ , mợ , bầm, u, nạ , đẻ ଓ cái ଇତ୍ୟାଦି ସମ୍ବୋଧନ କରାଯାଇଥାଏ । ଵିଶେଷତଃ ଉତ୍ତର ଵିଏତନାମରେ ପ୍ରଚଳିତ ଉତ୍ତର ଵିଏତନାମୀ ଵା Tonkinese କଥିତ ଶୈଳୀରେ ମାଆମାନଙ୍କୁ bầm ସମ୍ବୋଧନ କରାଯାଇଥାଏ । ଭାରତ ସିନା ଦିଭାଗ ହୋଇ ୧୯୪୭ରେ ସ୍ଵାଧୀନ ହୋଇଗଲା କିନ୍ତୁ ଵିଏତନାମୀଙ୍କୁ ନିଜର ସ୍ଵାଧୀନତା ଲାଭ ପାଇଁ ଆହୁରି ପଚିଶ ଵର୍ଷ ରକ୍ତାକ୍ତ ସଂଗ୍ରାମ କରିଵାକୁ ପଡ଼ିଥିଲା । ଏକ ନଵେମ୍ବର ୧୯୫୫ରୁ ତିରିଶ ଏପ୍ରିଲ ୧୯୭୫ ଯାଏଁ ଵିଏତନାମ ଯୁଦ୍ଧ ହୋଇଥିଲା ‌। ଯେତେବେଳେ ଦକ୍ଷିଣ ଵିଏତନାମର ଲୋକେ ୟୁରୋପୀୟ ଶକ୍ତି ଆଗରେ ନତମସ୍ତକ ହୋଇଯାଇଥିଲେ ସେତେବେଳେ ଉତ୍ତର ଵିଏତନାମର ଲୋକେ ‌ହିଁ ତୁମୁଳ ସଂଗ୍ରାମ କରି ଦିଭାଗରେ ଵିଭକ୍ତ ହୋଇଯାଇଥିଵା ଦେଶକୁ ଏକାଠି କରିଥିଲେ । ଆମେରିକାକୁ ହରାଇ ଵିଏତନାମୀମାନେ ଜଣେଇ ଦେଲେ ଯେ କେଵଳ ଅସ୍ତ୍ରଶସ୍ତ୍ର ନୁହେଁ ଯୁଦ୍ଧ କ୍ଷେତ୍ରରେ ଵୀରତ୍ୱ ଓ ନିଜ ଜାତି ମାଟି ପାଇଁ ପ୍ରାଣବଳି ଦେଵାର ସାହସର ମଧ୍ୟ ଆଵଶ୍ୟକତା ରହିଛି। ଅଷ୍ଟ୍ରେଲିଆ ମହାଦେଶର ଏକ ଜନଜାତୀୟ ଭାଷାପରିଵାର Pama–Nyunganରେ ଵର୍ଗୀକୃତ urrbal ଭାଷାର ଗୋଟିଏ ଶୈଳୀ Yagaraରେ ମାଆଙ୍କୁ budang ସମ୍ବୋଧନ କରାଯାଉଥିଲା । Niger–Congo ଭାଷାପରିଵାର ମୂଳର ଜାମ୍ବିଆ ଦେଶରେ କଥିତ ହେଉଥିଵା ଏକ ଭାଷା Bemba ଭାଷାରେ ମାଆଙ୍କୁ Bamama [Bamaa] ସମ୍ବୋଧନ କରାଯାଏ ।‌ ପୃଥିଵୀର ଏହିପରି ଶତାଧିକ ଭାଷାରେ ମାଆଙ୍କୁ 'ବ' ଆଦ୍ୟ ଶବ୍ଦ ଦ୍ଵାରା ସମ୍ବୋଧନ କରାଯାଏ ତେବେ ଉକ୍ତ ଭାଷାଗୁଡ଼ିକୁ ବୋଲୁଥିଵା ଅଧିକାଂଶ ମାନଵଜାତି ଵୀରଜାତି ଭାବେ ଖ୍ୟାତ।

ଭାରତରେ ମଧ୍ୟ ଅନେକ ଵୀର ଜାତିରେ ମାଆଙ୍କୁ ‘ବ’ ଆଦ୍ୟରେ ସମ୍ବୋଧନ କରାଯାଉଥିଵାର ଜଣାଯାଏ । ଭାରତରେ ପଞ୍ଜାବୀ ଗୋଟିଏ ଵୀର ଜାତି ଭାବେ ଵିଶ୍ଵଵିଖ୍ୟାତ । ପଞ୍ଜାଵୀମାନେ ମାତା ଭଗିନୀ ଆଦି ସମ୍ମାନୀୟ ମହିଳାମାନଙ୍କୁ ବେବେ ଓ ବିବୋ ଇତ୍ୟାଦି ସମ୍ବୋଧନ କରନ୍ତି । ଵିଶେଷକରି ମାଆଙ୍କୁ ପଞ୍ଜାଵୀମାଳେ ବେବେ ସମ୍ବୋଧନ କରୁଥିଵାର ଦେଖାଯାଏ ।‌ ଭାରତ ଉପରେ ଯଵନମାନେ ଯେବେ ଯେବେ ବି ଆକ୍ରମଣ କରିଛନ୍ତି ପଞ୍ଜାଵୀମାନେ ଯୁଦ୍ଧ କ୍ଷେତ୍ରରେ ସେମାନଙ୍କର ସର୍ଵାଗ୍ରେ ସାମ୍ନା କରିଛନ୍ତି। ମରାଠୀମାନେ ମଧ୍ୟ ଵୀରଜାତି ବୋଲି ଖ୍ୟାତି ଲଭିଛନ୍ତି । ମରାଠୀମାନେ ତାଙ୍କ ମାଆଙ୍କୁ ସାଧାରଣତଃ आई ଓ मां ସମ୍ବୋଧନ କରନ୍ତି । ତେବେ ମହାରାଷ୍ଟ୍ର ଶବ୍ଦକୋଷ(୧୯୩୨-୫୦)ରେ 'ब' ଓ 'बई' ଶବ୍ଦର ଦେଶୀୟ ମରାଠୀ ଅର୍ଥ ମାଆ ଵା ମାତା ଲେଖା ହୋଇଛି । ମହାରାଷ୍ଟ୍ର ଶବ୍ଦକୋଷର ୨୧୯୯ତମ ପୃଷ୍ଠାରେ 'ब' ଶବ୍ଦର ଦ୍ଵିତୀୟ ଅର୍ଥ ଲେଖା ହୋଇଛି “स्त्री. लहान मुलाचा आईस हांक मारण्याचा शब्द” ଅର୍ଥାତ୍ ”ପିଲାମାନଙ୍କ ଦ୍ଵାରା ମାଆଙ୍କୁ କରାଯାଉଥିଵା ସମ୍ବୋଧନ” 
। ପୁଣି ଏହି ଶବ୍ଦକୋଷର ୨୨୦୦ତମ ପୃଷ୍ଠାରେ बई —ଶବ୍ଦର ଦୁଇଗୋଟି ଅର୍ଥ ଲେଖାଅଛି । (କ)लहान मुलांच्या भाषेंत आई(ଶିଶୁମାନଙ୍କ ଭାଷାରେ ମାଆଙ୍କୁ କରାଯାଉଥିଵା ସମ୍ବୋଧନ) ଓ (ଖ) वयांत आल्या- वर आईस लडिवाळपणानें संबोधण्याचा शब्द[बाई] (ଅର୍ଥାତ୍ ଵୟସ୍କ ହେଲାପରେ ମାଆଙ୍କୁ ଓ ମାତୃସ୍ଥାନୀୟା ମହିଳାଙ୍କ ପ୍ରତି ସମ୍ବୋଧନ) । ତେଣୁ ମହାରାଷ୍ଟ୍ର ଶବ୍ଦକୋଷରୁ ସ୍ପଷ୍ଟ ହୋଇଯାଏ ଯେ ମରାଠୀ ଭାଷାରେ ବି ମାଆଙ୍କୁ 'ब' ଓ 'बई' ସମ୍ବୋଧନ କରନ୍ତି । ହୁଏତ ଏବେବି ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଏହି ଦୁଇଟି ଶବ୍ଦ ପ୍ରଚଳିତ ଥିଵ । ଗୁଜରାଟର ଗ୍ରାମାଞ୍ଚଳରେ ଏବେବି ଅନେକେ ମାଆଙ୍କୁ ବା ସମ୍ବୋଧନ କରନ୍ତି। କେହି କେହି ଜେଜେମାଆଙ୍କୁ 'ବା' ସମ୍ବୋଧନ କରନ୍ତି । ଶ୍ରୀରତିଲାଲ ଚନ୍ଦରିଆଙ୍କ Gujarati lexicon ભગવદ્ગોમંડલ(ଭଗଵଦ୍ଗୋମଣ୍ଡଳ) ଜ୍ଞାନକୋଷର
૬૨૮૭(6287)ତମ ପୃଷ୍ଠାରେ ବା’ ଶବ୍ଦର ଅର୍ଥ ଜେଜେବାପା,ବାପା(ସିନ୍ଧୀ ଗୁଜରାଟୀ),ରାଜା ଓ ବାପା ଆଦ ଵୟସ୍କ(କଚ୍ଛୀ ଗୁଜରାଟୀ), ଝିଅ,ବଡ଼ନଣନ୍ଦ, ବଡ଼ଭଉଣୀ, ଚାକରାଣୀ, ଜେଜେମାଆ,ପୁଅ ଓ ମାଆଙ୍କ ପ୍ରତି ସ୍ନେହ ସମ୍ବୋଧନ ପାଇଁ ଵ୍ୟଵହାର କରାଯାଏ ବୋଲି ଉଲ୍ଲେଖ ଅଛି ।‌ ତେବେ ଆଧୁନିକ ଯୁଗରେ ଗୁଜରାଟୀମାନେ ଆଉ ନିଜ ମାଆଙ୍କୁ ବା’ ସମ୍ବୋଧନ କରୁନଥିଵା ଦେଖାଯାଉଛି। ମହାତ୍ମା ଗାନ୍ଧୀଙ୍କ ପତ୍ନୀ କସ୍ତୁରଵାଙ୍କୁ ସେ ସମୟର ଲୋକେ ସ୍ନେହ ଆଦରରେ ବା’ ସମ୍ବୋଧନ କରୁଥିଲେ ତେଣୁ ସର୍ଵଭାରତୀୟ ସ୍ତରରେ ସେ କସ୍ତୁରଵା ନାମରେ ଖ୍ୟାତ ହୋଇଛନ୍ତି ।‌ ଗୁଜରାଟ ନାମଟି ଵୀର ଗୁଜ୍ଜରମାନଙ୍କ ନାମରେ ନାମିତ ହୋଇଛି ।‌ଚାଲୁକ୍ୟମାନେ ମଧ୍ୟ ଗୁଜରାଟର ଅନ୍ୟତମ ଵୀରଜାତି ଥିଲେ । ଗୁଜରାଟୀମାନେ ଆତତାୟୀ ଘୋରୀକୁ ପରାଜିତ କରିଥିଲେ । ଭୀନଦେଵ ଚାଲୁକ୍ୟ ୧୧୭୮ରେ ପ୍ରଥମେ ଆତତାୟୀ ଘୋରୀକୁ ପରାଜିତ କରିଥିଲେ କିନ୍ତୁ ସେ ଦୁଷ୍ଟକୁ ଛାଡ଼ି ଦେଵା ଯୋଗୁଁ ସେ ପୁଣି ଆକ୍ରମଣ କଲା ଓ ଗୁଜରାଟର ଅନେକ ଅଞ୍ଚଳ ଛଡ଼େଇ ନେଲା । ସେ ଯାହାହେଉ ଗୁଜରାଟର ଲୋକେ ଆଜି ସିନା ମାଆଙ୍କୁ ବା’ ଡାକିଵା ଛାଡ଼ି ଦେଇଛନ୍ତି କିନ୍ତୁ ସହସ୍ରାଧିକ ଵର୍ଷ ଯାଏଁ ସେମାନେ ଏହି ସ୍ନେହ ସମ୍ବୋଧନ ଦ୍ଵାରା ମାଆଙ୍କୁ ଡାକି ଆସୁଥିଲେ କହିଲେ ଅତ୍ୟୁକ୍ତି ହେଵ ନାହିଁ । ଅହମିଆ ଆସାମର ରାଜଭାଷା । ଆସାମର ନାମଟି ପ୍ରକୃତରେ କ୍ରା ଦାଈ ଭାଷାପରିଵାରର ଅହୋମ ଭାଷା ବୋଲୁଥିଵା ଅହୋମ ଜାତିର ଅହୋମ ରାଜ୍ୟର ନାମାନୁସାରେ ନାମିତ ହୋଇଛି । ଏହି ଵୀର ଜାତି ଷୋଡ଼ଶ ସପ୍ତଦଶ ଶତାବ୍ଦୀରେ ଆସାମରେ ଶାସନ କରି ଅନେକ ଥର ତତ୍କାଳୀନ ମୋଗଲ ସାମ୍ରାଜ୍ୟ ଵିପକ୍ଷରେ ଯୁଦ୍ଧ ଘୋଷଣା କରିଦେଇଥିଲେ । ତେବେ ଅହୋମମାନଙ୍କର ଶାସନ ପୂର୍ଵରୁ କାମରୂପରେ ୧୨୦୬ ସମୟରେ ମହାରାଜା ପୃଥୁ ଶାସନ କରୁଥିଲେ । ଏହି ରାଜା ବକ୍ତିଆର ଖିଲିଜିକୁ ସେହି ଵର୍ଷ ହରାଇ ଦେଇଥିଲେ ଏଵଂ ଏହା ହିନ୍ଦୁମାନଙ୍କର ପଠାଣ ଆକ୍ରାନ୍ତାଙ୍କ ଵିପକ୍ଷରେ ଏକ ବଡ଼ ଵିଜୟ ଥିଲା । ଏହି ଅହମିଆ ଲୋକମାନେ ନିଜ ମାଆଙ୍କୁ বৌ(ବୌ) ଓ ଭାଉଜଙ୍କୁ(ৱৌ) ସମ୍ବୋଧନ କରନ୍ତି । ତେବେ ଗୌହାଟୀ ଵିଶ୍ଵଵିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଚନ୍ଦ୍ରକାନ୍ତା ଅଭିଧାନ(୧୯୩୩)ର ୭୦୪ତମ ପୃଷ୍ଠାରେ বৌ(ବୌ) ଶବ୍ଦକୁ ଦୁଇଥର ଦୁଇଗୋଟି ଭିନ୍ନ ଭିନ୍ନ ଶବ୍ଦ ଦର୍ଶାଇଵା ପାଇଁ ତଳ ଉପର କରି ଲେଖା ହୋଇଛି । ପ୍ରଥମ বৌ(ଉଚ୍ଚାରଣ ତଥା ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଵୌ ଵା ৱৌ) ଶବ୍ଦଟି ଵଧୂ ଶବ୍ଦ ମୂଳର ଏଵଂ ଏହାର ଅର୍ଥ ককাইৰ ভাৰ্য্যা(କକାଇର ଭାର୍ଯ୍ୟା) ଵା ବଡ଼ଭାଇର ସ୍ତ୍ରୀ ଲେଖା ହୋଇଛି । ଦ୍ଵିତୀୟ বৌ(ବୌ) ଶବ୍ଦର କୌଣସି ଵ୍ୟୁତ୍ପତ୍ତି ଉଲ୍ଲେଖ ନାହିଁ କିନ୍ତୁ ଏହାର ଅର୍ଥ আই; পুত্ৰই মাকক কৰা সম্বোধন(ଆଇ; ପୁତ୍ରଇ ମାକକ କରା ସମ୍ବୋଧନ) ଆଈ;ପୁତ୍ରର ମାଙ୍କୁ କରାଯିଵା ସମ୍ବୋଧନ ଲେଖା ହୋଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜି ଯେମିତି ଅହମିଆ ଓ ମରାଠୀମାନେ ନିଜ ମାଆଙ୍କୁ ଆଈ ସମ୍ବୋଧନ କରନ୍ତି ଆଗେ ସେହିପରି ଓଡ଼ିଆମାନେ ବି ନିଜ ମାଆଙ୍କୁ ଆଈ ସମ୍ବୋଧନ କରୁଥିଲେ । ଵିଚିତ୍ର ରାମାୟଣରେ 
ଆଈ ଶବ୍ଦକୁ ମାତା ଅର୍ଥରେ ଵ୍ୟଵହାର କରାଯାଇଛି । 
“ଦଶରଥ ସୂତ, ଜଗତେ ଵିଦିତ, କୈକେୟୀ ମୋହର ଆଈ।”(ଵିଶ୍ୱନାଥ—ଵିଚିତ୍ରରାମାୟଣ) 

ତେବେ ୧୯୩୩ ମସିହାରେ ପ୍ରକାଶିତ ଚନ୍ଦ୍ରକାନ୍ତା ଅଭିଧାନରେ ଅହମିଆ বৌ ଶବ୍ଦର ଗୋଟିଏ ଅର୍ଥ ମାଆ ଲେଖାଥିଵା ସ୍ପଷ୍ଟ କରେ ଯେ କେଵଳ ଓଡ଼ିଆ ହିଁ ନୁହେଁ ଵରଂ ଅହମିଆମାନେ ବି ନିଜ ମାଆଙ୍କୁ ବୋଉ ନହେଲେ ମଧ୍ୟ ବୌ/বৌ ସମ୍ବୋଧନ କରୁଥିଲେ । ଉତ୍ତର ପୂର୍ଵ ଭାରତର ବୋଡୋମାନେ ବି ନିଜ ମାଆଙ୍କୁ ବିମା ସମ୍ବୋଧନ କରିଥାନ୍ତି । ଆସାମ ଓ ନାଗାଲାଣ୍ଡର ଦିମସାଭାଷାଭାଷୀ ବି ନିଜ ମାଆଙ୍କୁ ବୁମା ସମ୍ବୋଧନ କରନ୍ତି। Thomas Burrow ଓ M. B. Emeneauଙ୍କ ଦ୍ରାଵିଡ଼ ଭାଷା ଵ୍ୟୁତ୍ପତ୍ତିକୋଷ A Dravidian etymological dictionaryର ୩୯୨ତମ ପୃଷ୍ଠାରେ ଉଲ୍ଲେଖ ଅଛି ଯେ ତାମିଲନାଡୁର ନୀଳଗିରି ଅଞ୍ଚଳରେ ରହୁଥିଵା କୋଟା ଲୋକେ ନିଜ ମାଆଙ୍କୁ ବେ(Be) ତଥା ମାଉସୀଙ୍କୁ 
ଦୋବେ'କ(Dobe.k) ସମ୍ବୋଧନ କରିଥାନ୍ତି। ଏମନ୍ତକି ଆଗେ ହିନ୍ଦୀଭାଷାଭାଷୀ ଅଞ୍ଚଳରେ ବି ମାଆଙ୍କୁ 'बा' ସମ୍ବୋଧନ କରୁଥିଲେ। ତେଣୁ ହିନ୍ଦୀ ଶବ୍ଦ ସାଗର ଶବ୍ଦକୋଷର ୩୪୩୭ତମ ପୃଷ୍ଠାରେ ‘बा’ ଶବ୍ଦର ଅର୍ଥ 
माता , मा ଓ श्रेष्ठ या बड़ी स्त्रियों के लिये आदरार्थक शब्द ଆଦି ଲେଖା ହୋଇଛି। ଉତ୍ତର ତଥା ପଶ୍ଚିମ ଭାରତରେ ସମ୍ମାନନୀୟା ମହିଳାମାନଙ୍କୁ बाई ସମ୍ବୋଧନ କରନ୍ତି । ଓଡ଼ିଶାର ପଶ୍ଚିମାଞ୍ଚଳରେ ଜେଜେମାଆ ତଥା ବଡ଼ଭଉଣୀଙ୍କୁ ବାଈ ସମ୍ବୋଧନ କରାଯାଏ । ଓଡ଼ିଶାର କେନ୍ଦୁଝରର କେତେକ ଅଞ୍ଚଳରେ ଜେଜେମାଆଙ୍କୁ ବୋଈ ସମ୍ବୋଧନ କରାଯାଉଥିଲା ବେଳେ କଳାହାଣ୍ଡି ଓ ଏହାର ଆଖପାଖରେ କେତେକ ଅଞ୍ଚଳର ଜେଜେମାଆ ଓ ଆଈଙ୍କୁ ବେଈ ସମ୍ବୋଧନ କରନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୭୯୧ତମ ପୃଷ୍ଠାରୁ ଜଣାଯାଏ ଯେ ଆଗେ ବାଲେଶ୍ୱର ଓ ବାଙ୍କି ଅଞ୍ଚଳର କରଣଙ୍କ ଗୋଷ୍ଠୀରେ ଆବୋଉ ବୋଲି ଏକ ଶବ୍ଦ ପ୍ରଚଳିତ ଥିଲା । ଏହି ଅଞ୍ଚଳରେ ସାଧାରଣତଃ ଖୁଡୀ ଵା ଦେଠେଇଙ୍କୁ ଆବୋଉ ଡାକୁଥିଲେ । ପୁଣି ତହୁଁ ଉଲ୍ଲେଖ ଅଛି ଯେ ଏହି ଅଞ୍ଚଳରେ ପିତୃମାତୃହୀନ ଶିଶୁଙ୍କୁ ପିଲାଦିନୁ ପାଳିଥିଵା ପିଉସୀ, ମାଉସୀ, ମାଇଁ ଆଦିଙ୍କ ପ୍ରତି ଉକ୍ତ ଶିଶୁମାନଙ୍କର ସ୍ନେହ ସମ୍ବୋଧନ ଥିଲା ଆବୋଉ । କେତେକ ଅଞ୍ଚଳରେ ଏହି ଆବୋଉ ଶବ୍ଦ ଆଉବୋଉ ହୋଇ ମଧ୍ୟ ଚଳୁଥିଲା ବୋଲି ଭାଷାକୋଷର ୬୮୧ତମ ପୃଷ୍ଠାରୁ ଜଣାଯାଏ। ଅତି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ବୋଉ ଶବ୍ଦ ଅପେକ୍ଷା ମାତା ଓ ଆଈ ଶବ୍ଦର ପ୍ରୟୋଗ ଅଧିକ ହୋଇଥିଵାର ଦେଖିଵାକୁ ମିଳେ। ଏହାର ଅର୍ଥ ଏଇଆ ନୁହେଁ ଯେ ସେତେବେଳେ ବୋଉ ଶବ୍ଦ ଚଳୁନଥିଲା । ପୁରୁଣା ଯୁଗର ଅନେକ ଓଡ଼ିଆ ଢଗରେ ବୋଉ ଶବ୍ଦ ଦେଖାଯାଏ । ଯଥା —
“ଶାଶୁ ମଲା ବୋଉ ବେଇଲା,
ଯେଉଁ ତିନି ପ୍ରାଣୀ କି 
ସେହି ତିନି ପ୍ରାଣୀ ହେଲା”

“ନଈ ଭିତରେ ଯାଉଥିଲି ମୁହିଁ,
ମାଡ଼ିଲି ମୁଣ୍ଡା ଗାଗର,
ବୋଉକୁ କହିବ କାନ୍ଦିବେ ନାହିଁ,
ଜୋଇଁତ ଗୁଣ ସାଗର”

ଢଗଗୁଡ଼ିକ ଶତାଧିକ ଵର୍ଷରୁ ଲୋକ ମୁଖରେ ପ୍ରଚଳିତ ଥାଏ ତେଣୁ ଏ ଦୃଷ୍ଟିରୁ ଫକୀରମୋହନ ସେନାପତିଙ୍କ ପାଠୋଇଵୋହୂ, ଗୋପବନ୍ଧୁ ଦାସଙ୍କ ଧର୍ମପଦ, ଗୋଦାଵରୀଶ ମିଶ୍ରଙ୍କ କାଳିଜାଈ ଆଦିରେ ବୋଉ ଶବ୍ଦ ଵ୍ୟଵହାରର ବହୁତ ପୂର୍ଵରୁ ଓଡ଼ିଶାରେ , ଓଡ଼ିଆ ଭାଷାରେ ବୋଉ ଶବ୍ଦ ଚଳୁଥିଲା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ୫୯୩୧ତମ ପୃଷ୍ଠାରେ ବୋଉ ଶବ୍ଦ ସମ୍ବନ୍ଧୀୟ ଦ୍ରଷ୍ଟଵ୍ୟରେ ଉଲ୍ଲେଖ ଅଛି ଯେ “ସାଧାରଣତଃ ପୁରୀ ଓ କଟକ ଜିଲ୍ଲାର ବ୍ରାହ୍ମଣ, କେତେକ କରଣ ଓ ଖଣ୍ଡାୟତ ଵା କ୍ଷତ୍ରିୟ ପରିଵାରରେ ମାତାଙ୍କୁ 'ବୋଉ' ଓ ପିତାମହୀଙ୍କୁ 'ମା' ବୋଲି ଡାକନ୍ତି । ଶୂଦ୍ରମାନେ ମାତାଙ୍କୁ 'ମା' ଓ ପିତାମହୀଙ୍କୁ 'ବୁଢ଼ୀ ମା' ବା 'ଆଈ' ବୋଲି ଡାକନ୍ତି।” ଏଥିରୁ ଜଣାଯାଏ ଯେ ବୋଉ ଶବ୍ଦଟି ଆଗେ ସାରା ଓଡ଼ିଶାରେ କିମ୍ବା ସବୁ ଜାତିର ଲୋକମାନଙ୍କର ମଧ୍ୟରେ ଓ ଓଡ଼ିଶାର ସବୁ ପରିଵାରରେ ମାଆଙ୍କୁ ସମ୍ବୋଧନ କରିଵା ହେତୁ ଵ୍ୟଵହୃତ ହେଉନଥିଲା। ଏହା ଅଵିଭକ୍ତ ପୁରୀ ଓ ଅଵିଭକ୍ତ କଟକ ତଥା ଏହାର ଆଖପାଖରେ ରହୁଥିଵା କେତେକ ବ୍ରାହ୍ମଣ, କ୍ଷତ୍ରିୟ , ଖଣ୍ଡାୟତତଥା ଅନ୍ୟାନ୍ୟ ଚଷା ଓ କରଣ ପରିଵାର ମଧ୍ୟରେ ହିଁ ସୀମିତ ଥିଲା । ପୂର୍ଵେ ଓଡ଼ିଶାର ସବୁ ଅଞ୍ଚଳରେ ସବୁ ପରିଵାରରେ ସବୁ ଜାତିରେ ବୋଉ ଶବ୍ଦ ଵ୍ୟଵହାର ହେଉନଥିଲା ଫଳତଃ ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏ ଶବ୍ଦ ପ୍ରୟୋଗ ହୋଇନଥିଵା ସମ୍ଭଵ ।‌ କିନ୍ତୁ ଆଗେ ପ୍ରାକୃତ ଭାଷାରେ ମଧ୍ୟ ଵର୍ଗ୍ୟ ‘ବ’ ଆଦ୍ୟରେ ମାତୃ ସମ୍ବୋଧନାର୍ଥକ ଦୁଇଗୋଟି ଶବ୍ଦ ଚଳୁଥିଲା ବୋଲି ଅନେକେ ଜାଣିନଥିବେ ‌। ହିନ୍ଦୀର बा ଓ बाई, ମରାଠୀର ब ଓ बई, ଗୁଜରାଟୀର બા,ଅହମିଆର বৌ ପରି ଆଗେ ପ୍ରାକୃତ ଭାଷାରେ ବି ମାଆଙ୍କୁ 𑀩𑀸𑀈(ବାଈ) ଓ 𑀩𑀸𑀈𑀬𑀸(ବାଈଯା) ତଥା ବାପାଙ୍କୁ 𑀩𑀸(ବା) ସମ୍ବୋଧନ କରାଯାଉଥିଲା । ଏହି ପ୍ରାକୃତ ଭାଷାର 𑀩𑀸𑀈(ବାଈ) ଶବ୍ଦଟି ହିଁ ଆଜି ଓଡ଼ିଶାରେ ବାଈ(ଜେଜେମା, ବଡ଼ଭଉଣୀ),ବେଈ(ଆଈ,ଜେଜେମାଆ),ବୋଈ(ଜେଜେମାଆ),ବୋଉ(ମାଆ) ଓ ଆବୋଉ(ଖୁଡ଼ି) ରୂପେ ନାନା ଅର୍ଥରେ ଚଳୁଅଛି। ପୁଣି ମୂଳ ପ୍ରାକୃତ 𑀩𑀸(ବା) ଶବ୍ଦରୁ ବାଆ,ବାବା,ବାବୁ,ବୁବା(>ବୁଆ),ବବା,ବାପା ଓ ବୋପା ଇତ୍ୟାଦି ଶବ୍ଦ କାଳକ୍ରମେ ସୃଷ୍ଟି ହୋଇଛି। 

Sir Ralph lily Turner ତାଙ୍କ ସଂକଳିତ ଵ୍ୟୁତ୍ପତ୍ତି କୋଷ A comparative dictionary of Indo-Aryan languagesର 519ତମ ପୃଷ୍ଠାରେ ପ୍ରାକ୍ ଇଣ୍ଡିକ୍ ଭାଷାର ମୂଳ ଶବ୍ଦ *bāର ଅର୍ଥ ବାପା ତଥା *bāī-' ଶବ୍ଦର ଅର୍ଥ ମାତା ଲେଖିଅଛନ୍ତି । ସେହିପରି ସେଠ୍ ହରଗୋଵିନ୍ଦ ଦାସଙ୍କ ଦ୍ଵାରା ସଂକଳିତ ପ୍ରାକୃତ ଅଭିଧାନ Paia-sadda-mahannavo; a comprehensive Prakrit Hindi dictionaryର ୬୩୩ତମ ପୃଷ୍ଠାରେ 𑀩𑀸𑀇𑀬𑀸(बाइया/ବାଇଯା/bāiyā) ଶବ୍ଦର ଅର୍ଥ ମାଁ,ମାତା ଲେଖା ହୋଇଛି । ଯେମିତି Child babbling ଯୋଗୁଁ ପ୍ରାକୃତ ଭାଷାରେ ମାତୃଵାଚକ ବାଈ ଓ ବାଈଯା ଶବ୍ଦ ସୃଷ୍ଟି ହୋଇଥିଲା ଠିକ୍ ସେହିପରି *bā,*buba, *bābba ଓ *bāppa ଭଳି ପିତୃଵାଚକ ଶବ୍ଦ ବି ସୃଷ୍ଟି ହୋଇଛି ।‌ ମୂଳ ଭାରତୀୟ ପିତୃଵାଚକ ଶବ୍ଦ *bā ସାମାନ୍ୟ ପରିଵର୍ତ୍ତନ ଯୋଗୁଁ*buba ହୋଇଛି ଏଵଂ ଏହି ଶବ୍ଦରୁ ପରେ କୁମାୟୁନୀ ଭାଷାରେ buwā(ପିତା), bubo-jyu(ସ୍ବାମୀଙ୍କ ପିତା;ଶଶୁର) ଓ bubu(ପିଉସୀ) ଶବ୍ଦ ସୃଷ୍ଟି ହୋଇଛି । ନେପାଳୀରେ ଏହି ମୂଳରୁ bubā(ପିତା) ଓ buwā(ପିତା) ଶବ୍ଦ ସୃଷ୍ଟି ହୋଇଛି ।‌ 
ଓଡ଼ିଆରେ ଵିଶେଷତଃ ସମ୍ବଲପୁରୀ ଓଡ଼ିଆରେ ଏହି ମୂଳ ଶବ୍ଦଟି buā(ପିତା) ଓ buiε(ଝିଅମାନଙ୍କୁ ସ୍ନେହ ସମ୍ବୋଧନ) ହୋଇଅଛି । ମରାଠୀରେ ମୂଳ ଭାରତୀୟ ଶବ୍ଦ *buba ଆହୁରି ପରିଵର୍ତ୍ତିତ ହୋଇ buvā ହୋଇ ଵୟସ୍କ ପିତୃତୁଲ୍ୟ ଲୋକଙ୍କୁ ସମ୍ବୋଧନାର୍ଥ ଵ୍ୟଵହୃତ ହେଉଛି ।‌ ପଶ୍ଚିମ ପାହାଡ଼ୀରେ ଏହି ମୂଳରୁ bvi, bui ଓ buiε ଶବ୍ଦ ସୃଷ୍ଟି ହୋଇ ପିତାଙ୍କ ଭଗିନୀ ଵା ପିଉସୀଙ୍କୁ ସମ୍ବୋଧନ କରିଵା ହେତୁକ ଵ୍ୟଵହାର ହେଉଛି ।‌ ପିତୃଵାଚକ ମୂଳ ଆର୍ଯ୍ୟଶବ୍ଦ *bā ଆହୁରି ପରିଵର୍ତ୍ତିତ ହୋଇ କାଳକ୍ରମେ *bāppa(ବାପ୍ପା) ଓ *bābba(ବାବ୍ବା) ହୋଇଥିଲା ଯାହା ପରେ ଵିଭିନ୍ନ ଇଣ୍ଡିକ୍ ଭାଷାରେ ଭିନ୍ନ ଭିନ୍ନ ରୂପରେ ଓ ନାନା ଅର୍ଥରେ ପରିଵର୍ତ୍ତିତ ହୋଇ ଚଳୁଅଛି । 

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ଭାରତର ଦଶରୁ ଅଧିକ ଓ ଵିଶ୍ଵର କୋଡ଼ିଏ, ତିରିଶ ଵା ତତୋଽଧିକ ଭାଷାରେ ଵର୍ଗ୍ୟ 'ବ' ଆଦ୍ୟରୁ ମାତାଙ୍କୁ ସମ୍ବୋଧନ କରାଯାଉଥିଵା ସମ୍ବନ୍ଧଵାଚକ ଶବ୍ଦ ଚଳୁଅଛି ଵା ପୂର୍ଵେ ଚଳୁଥିଲା। ଅଧିକାଂଶ ଇତିହାସ ପ୍ରସିଦ୍ଧ ଵୀରଜାତିର ଶିଶୁମାନେ ହିଁ ମାଆଙ୍କୁ ଵର୍ଗ୍ୟ 'ବ' ଆଦ୍ୟର ସମ୍ବୋଧନଵାଚକ ଶବ୍ଦ ଵ୍ୟଵହାର କରି ଡାକିଥାନ୍ତି । 

ଆଜି ଗୁଜରାଟୀମାନେ ନିଜ ମାଆଙ୍କୁ બા ଡାକିଵା ଛାଡ଼ି ଦେଇଛନ୍ତି,ମରାଠୀମାନେ ବି ଆଉ ତାଙ୍କ ମାଆଙ୍କୁ ସେତେ ब ଓ बई ଡାକୁ ନାହାନ୍ତି। ଅହମିଆମାନେ ବି বৌ ଶବ୍ଦ ଛାଡ଼ି ସାରିଛନ୍ତି କିନ୍ତୁ ମାତା ଅର୍ଥଜ ପ୍ରାକ୍ ଇଣ୍ଡିକ୍
*bāī-' ଶବ୍ଦଟି ଆଜି ବି ଓଡ଼ିଶାରେ ବୋଉ ରୂପେ ପରିଵର୍ତ୍ତିତ ହୋଇ ମାତାଙ୍କୁ ସମ୍ବୋଧନ କରିଵା ହେତୁକ ପ୍ରୟୋଗ କରାଯାଉଛି ‌। କେଵଳ ଭାରତରେ ହିଁ ହିନ୍ଦୀ(बा),ମରାଠୀ(ब, बई), ଗୁଜରାଟୀ(બા),ଅହମିଆ(বৌ),ପଞ୍ଜାଵୀ(ਬੇਬੇ),ବୋଡ଼ୋ(बिमा),ଦିମସା(बुमा),କୋଟା(Be), ପ୍ରାକ୍ ଇଣ୍ଡିକ୍ ଭାଷା(*bāī) ଓ ପ୍ରାକୃତ ଭାଷାରେ 𑀩𑀸𑀈𑀬𑀸(ବାଈଯା) ଇତ୍ୟାଦି ଶବ୍ଦ ବୋଉ ଶବ୍ଦ ପରି ମାତାଙ୍କୁ ସମ୍ବୋଧନ ପାଇଁ କରାଯାଉଛି ଵା ପୂର୍ଵେ କରାଯାଉଥିଲା । 

ଅଜ୍ଞାନମାନେ ପଦ୍ମଶ୍ରୀ,ପଦ୍ମଭୂଷଣ କି ଭାରତରତ୍ନ ପାଇଗଲେ ପଣ୍ଡିତ ହୋଇଗଲେ । ଵିଶ୍ଵ ଓ ଭାରତର ଅନେକ ଭାଷାରେ 'ବ' ଆଦ୍ୟର ବୋଉ ଭଳି ଶବ୍ଦ ଥାଇ ବି ଗାଈ ହମ୍ମା ହମ୍ମା କରେ କଟକିଏ କାହିଁକି ବୋଉ ବୋଉ କରନ୍ତି ବୋଲି ଦାଣ୍ଡ ମଝିରେ ଡାକବାଜି ଲଗାଇ ପଚାରି ଦେଇ ଆପଣାର ପାଣ୍ଡିତ୍ୟ ନୁହେଁ ଵରଂ ସେ ଜାତୀୟ ପୁରସ୍କାର ପ୍ରାପ୍ତ ଫଡି଼ତମାନେ କିଛି ଜାଣନ୍ତି ନାହିଁ,ଅଜ୍ଞାନ ବୋଲି ହିଁ ପ୍ରମାଣ କରିଦେଲେ । କାହାର ଆକ୍ଷେପ ଦ୍ଵାରା ବୋଉ ଶବ୍ଦର ମହତ ଲୋପ ହେଵ ନାହିଁ କି ଓଡ଼ିଆ ଭାଷାର ଅପମାନ ହେଵ ନାହିଁ । ଆକାଶକୁ ପଥର ମାରିଲେ ପଥରଟା କେବେ ସୂର୍ଯ୍ୟ ଓ ଚନ୍ଦ୍ରଠି ଯାଇ ବାଜେ ନାହିଁ । ସେହିପରି ଅଜ୍ଞାନଲୋକେ ତିନି ହଜାର ଵର୍ଷ ପୂର୍ଵର ଓଡ଼ିଆ ଭାଷା ଓ ଏହାର ଶବ୍ଦ ସମ୍ଭାରକୁ ଆକ୍ଷେପ କରି କିଛି ଲାଭ ପାଇବେ ନାହିଁ । 
...............................................................

Tuesday, January 14, 2025

ଓଡ଼ିଆ ଜାତିକୁ ଓଡ଼ ନାମ କିଏ ଦେଇଥିଲା ?

ଐତିହାସିକମାନେ ପ୍ରଥମେ ଲେଖିଲେ, ଓଡ଼ିଶାର ନାମକରଣ ପଠାଣ କରିଥିଲେ । ଅନେକ ଵର୍ଷ ଯାଏଁ ଏହି କଥାକୁ ଆନ ଲୋକେ ବି ଘୋଷିଲେ । ପ୍ରକୃତରେ କେତେକ ପ୍ରାଚୀନ ପାରସ୍ୟ ଵିଦ୍ଵାନ ନିଜ ପୁସ୍ତକରେ ଓଡ଼ିଶାର ନାମୋଲ୍ଲେଖ କରିଥିଵାରୁ ଏଭଳି ଭ୍ରମ ଧାରଣା ଜାତ ହୋଇଅଛି । ପାରସ୍ୟ ଵିଦ୍ଵାନ Ibn Khurdadhbih ୮୪୬ ଖ୍ରୀଷ୍ଟାବ୍ଦରେ Kitāb al Masālik w’al Mamālik ପୁସ୍ତକ ଲେଖିଥିଲେ। ସେଥିରେ ଭାରତର Kudafarid, Kaylkan, Kanja, Samundar ଓ Ursfin ଆଦି ଅଞ୍ଚଳର ଉଲ୍ଲେଖ ଅଛି । ଋଷୀୟ ଗଵେଷକ V.Minorisky ତାଙ୍କ ପୁସ୍ତକରେ Kudafaridକୁ ଗୋଦାଵରୀ, Kaylkanକୁ କଳିଙ୍ଗ, Kanjaକୁ କଙ୍ଗୋଦ ଓ Ursfinକୁ ଓଡ଼ିଶା ସହିତ ଚିହ୍ନଟ କରିଥିଲେ ଏଵଂ ଐତିହାସିକ ଡକ୍ଟର ନଵୀନ କୁମାର ସା‌ହୁ ମଧ୍ୟ ଏହି ମତକୁ ନିଜ ପୁସ୍ତକରେ ସମର୍ଥନ କରିଛନ୍ତି । ଦଶମ ଶତାବ୍ଦୀର ଆଉ ଏକ ପାରସ୍ୟ ପୁସ୍ତକ Ḥudūd al-ʿĀlam (ଲେଖକ ସମ୍ଭଵତଃ Shaʿyā ibn Farīghūn)ରେ ଓଡ଼ିଶାର ନାମ Urshin ଲେଖା ହୋଇଛି । Alberuni (1025 A.D.)ଙ୍କ ପୁସ୍ତକ Kitab al-Hindରେ ଓଡ଼ିଶାର ନାଆଁ Urdabishau ଉଲ୍ଲେଖ ଅଛି । କିନ୍ତୁ Ziau- D Din Barni Shams -I- Siraj Afif ତାଙ୍କ ପୁସ୍ତକ Tarikh-I Firoz Shahiରେ ଯାଜନଗର ଉଡ଼ିଶା ଓ ଉଡ଼ିଶାର ଉଲ୍ଲେଖ ଚଉଦଶହ ଶତାବ୍ଦୀରେ କରିଥିଵାରୁ ଐତିହାସିକମାନେ ଲେଖି ଦେଲେ ଯେ ପଠାଣମାନେ ଓଡ଼ିଶାର ନାମକରଣ କରିଛନ୍ତି । 

ପରେ ଆହୁରି ଗଵେଷଣା ହେଲା । ଜଣାପଡ଼ିଲା, କପିଳେନ୍ଦ୍ର ଦେଵଙ୍କ ସମୟରେ 'ଓଡ଼ିଶା' ନାଆଁଟି ପ୍ରଥମେ ଵ୍ୟଵହୃତ ହୋଇଥିଲା । ସାରଳା ଦାସଙ୍କ ମହାଭାରତରେ ବି ଏହି ଉଡ୍ରରାଷ୍ଟ୍ରର ଉଲ୍ଲେଖ ଥିଵାର ପରେ ଜଣାଗଲା । 

“ଜମ୍ବୁ ଦ୍ୱୀପ ଭ୍ରଥଖଣ୍ଡ ଓଡ଼ିଶା ମଣ୍ଡଳେ 
ବ୍ରହ୍ମାଙ୍କର କୁଶସ୍ଥଳୀ ବୈତରଣୀ କୂଳେ।” 

 ଅନ୍ତତଃ ପଞ୍ଚଦଶରୁ ତ୍ରୟୋଦଶ ଶତାବ୍ଦୀ ମଧ୍ୟରେ ଓଡ଼ିଶା ନାମ ଚଳୁଥିଵାର ସ୍ପଷ୍ଟ ହୋଇଗଲା । ଆଗେ କିଛି ଗଵେଷକ କହୁଥିଲେ ଉଡ୍ରରାଷ୍ଟ୍ର ଶବ୍ଦରୁ ପରେ ଓଡ଼ିଶା ଶବ୍ଦ ସୃଷ୍ଟି ହୋଇଥିଵା ସମ୍ଭଵ । କିନ୍ତୁ ଆଉ କେତେକଙ୍କ ଅନୁସାରେ ଉଡ୍ରଵିଷୟ ଶବ୍ଦ କାଳକ୍ରମେ ଓଡ଼ିଶାରେ ପରିଣତ ହୋଇଛି ଯେହେତୁ Lama Taranath(Kun-dga'-snying-po)ଙ୍କ ଏକ ପୁସ୍ତକରେ ଓଡ଼ିଶାର ନାଆଁ Odivisa ଵା Udivisa ରହିଛି ତେଣୁ ବହୁତ ସମ୍ଭଵ ଓଡ଼ଵିଷୟ ନାମଟି ଓଡ଼ଵିଶ ହୋଇ ଶେଷରେ ଏହାର ରୂପ ଓଡ଼ିଶା ହୋଇଥିଵାର ସମ୍ଭାଵନା ଅଧିକ । 

ତାହେଲେ କ'ଣ ପାରସ୍ୟ ଵିଦ୍ଵାନମାନଙ୍କ ପୂର୍ଵରୁ ଓଡ଼ିଶାର ଉଡ୍ର ଓଡ଼ିଶା ଆଦି ନାମୋଲ୍ଲେଖ କୋଉଠି କେହି କରିନଥିଲା ? 

ପାରସ୍ୟ ଵିଦ୍ଵାନମାନଙ୍କର ଓଡ଼ିଶା ଵିଷୟରେ କିଛି ଲେଖିଵା ପୂର୍ଵରୁ,ପଠାଣମାନଙ୍କ ଦ୍ଵାରା ଭାରତ କଵଳିତ ହେଵା ପୂର୍ଵରୁ ଖ୍ରୀଷ୍ଟାବ୍ଦ ୬୩୬ରେ ଚୀନ ପରିବ୍ରାଜକ Hiuen Tsang ଓଡ଼ିଶା ଆସିଥିଲେ ଏଵଂ ସେ ଏହି ଦେଶର ନାମ ନିଜର ପୁସ୍ତକରେ ‘Wu-cha’ ଲେଖିଛନ୍ତି ଯାହା ଓଡ଼ିଶା କିମ୍ବା ଉଡ୍ର ଶବ୍ଦର ପରିଵର୍ତ୍ତିତ ରୂପ ଅଟେ । ଏହାର ତିନି ଚାରି ଶତାବ୍ଦୀ ପୂର୍ଵରୁ ବି ଏ ଦେଶର ନାଆଁ ଉଡ୍ର ଥିଵାର ପ୍ରମାଣ Pliny The Elder ନାମରେ ଜଣାଶୁଣା Gaius Plinius Secundus (AD 23/24–79)ଙ୍କ Naturalis Historia ଗ୍ରନ୍ଥରୁ ଜଣାପଡ଼ିଲା । ପ୍ଲିନୀ Naturalis Historia ଗ୍ରନ୍ଥରେ ଓଡ଼ିଆ ଜାତିକୁ Oretes ଓ ମଳୟଗିରିକୁ Meleus ଭାବେ ଉଲ୍ଲେଖ କରିଛନ୍ତି । ମଳୟଗିରି ପର୍ଵତ ପାଲଲହଡ଼ା(ଅନୁଗୋଳ)ରେ ଅଵସ୍ଥିତ ତେଣୁ ଆଜକୁ ପ୍ରାୟ ଦୁଇ ହଜାର ଵର୍ଷ ତଳେ ଅନୁଗୋଳ ଓ ଏହାର ଆଖପାଖ ଅଞ୍ଚଳରେ ଉଡ୍ରମାନେ ଵାସ କରୁଥିଵାର ପ୍ରମାଣ ପ୍ଲିନୀଙ୍କ Naturalis Historia ଗ୍ରନ୍ଥରୁ ସ୍ପଷ୍ଟ ହୋଇଯାଏ । 

ଏହାର ବହୁ ପୂର୍ଵରୁ ଆଜକୁ ପ୍ରାୟ ପାଞ୍ଚ ହଜାର ଵର୍ଷ ତଳେ ମହାଭାରତ କାଳରେ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞରେ ଭାଗ ନେଵାକୁ ଉଡ୍ରଦେଶର ରାଜା ଯାଇଥିଵାର ଉଲ୍ଲେଖ ମହାଭାରତ ଗ୍ରନ୍ଥରେ ଉଲ୍ଲେଖ ଅଛି । ପୁଣି ଵିଭିନ୍ନ ପୁରାଣରେ କଥା ଅଛି ଯେ ଉଡ୍ର ଓ କଳିଙ୍ଗ ଦୁଇ ଭାଇ ପ୍ରଥମେ ଆଧୁନିକ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମ ଭାଗରେ ନିଜ ନାମରେ ଦୁଇଗୋଟି ରାଜ୍ୟ ସ୍ଥାପନ କରିଥିଲେ । ଓଡ଼ିଆ ଭାଗଵତରେ ନଵମ ସ୍କନ୍ଦର ତ୍ରୟୋବିଂଶ ଅଧ୍ୟାୟରେ ଏହି ଵିଷୟକୁ ସରଳ କରି ଉଲ୍ଲେଖ କରାଯାଇଛି 

“ବଳିର କ୍ଷେତ୍ରେ ଷଡ଼ାତ୍ମଜେ । 
ଜନ୍ମିଲେ ଦୀର୍ଘତମା ବୀର୍ଯ୍ୟେ ॥୧୫॥
ଅଙ୍ଗବଙ୍ଗ କଳିଙ୍ଗ ତିନି । 
ସୁହ୍ମ ପୁଣ୍ତ୍ର ଯେ ଉଡ୍ର ଘେନି ॥୧୬॥
ଆପଣା ନାମେ ରାଜ୍ୟ କରି ।
ସୁଖେ ପାଳିଲେ ବସୁନ୍ଧରୀ ॥୧୭॥
ଏ ଷଡ଼ଦେଶେ ହୋଇ ରାଜା । 
ଧର୍ମେ ପାଳିଲେ ଜନପ୍ରଜା ॥୧୮॥”

ସେହିପରି ଉଡ୍ରମାନଙ୍କୁ ଅନାର୍ଯ୍ୟ,ପତିତ କ୍ଷତ୍ରିୟ ଵା ମ୍ଳେଚ୍ଛ କୁହନ୍ତୁ ପଛେ ଵୈଵସ୍ଵତ ମନୁ ତାଙ୍କର ମନୁସ୍ମୃତି ଗ୍ରନ୍ଥରେ ଅନ୍ତତଃ ଓଡ଼ିଆ ଜାତିର ନାମକୁ ପୌଣ୍ଡ୍ର ଓ ଦ୍ରାଵିଡ଼ଙ୍କ ସହିତ ଉଲ୍ଲେଖ କରି କହିଛନ୍ତି 

“ପୌଣ୍ଡ୍ରକାଶ୍ଚୌଡ୍ରଦ୍ରଵିଡାଃ କାମ୍ବୋଜା ଯଵନାଃ ଶକାଃ ।
ପାରଦାପହ୍ଲଵାଶ୍ଚୀନାଃ କିରାତା ଦରଦାଃ ଖଶାଃ ॥୧୦.୪୪॥
ମୁଖବାହୂରୁପଜ୍ଜାନାଂ ଯା ଲୋକେ ଜାତୟୋ ବହିଃ ।
ମ୍ଲେଚ୍ଛଵାଚଶ୍ଚାର୍ଯ୍ୟଵାଚଃ ସର୍ଵେ ତେ ଦସ୍ଯଵଃ ସ୍ମୃତାଃ ॥୧୦.୪୫॥
ଯେ ଦ୍ଵିଜାନାଂ ଅପସଦା ଯେ ଚାପଧ୍ଵଂସଜାଃ ସ୍ମୃତାଃ ।
ତେ ନିନ୍ଦିତୈର୍ଵର୍ତୟେୟୁର୍ଦ୍ଵିଜାନାଂ ଏଵ କର୍ମଭିଃ ॥୧୦.୪୬॥”

ଅତଃ ଏଥିକୁ କୁହାଯାଇପାରେ ଯେ ଵୈଵସ୍ଵତ ମନୁଙ୍କ ସମୟରେ ବି ଉଡ୍ରଜାତି ଥିଲା ସେଥିପାଇଁ ତ ମନୁ ଏ ଦେଶର ନାମ ପୌଣ୍ଡ୍ର ଓ ଦ୍ରାଵିଡ଼ ଦେଶ ସହିତ ଉଡ୍ରଜାତିର ନାଆଁ ଉଲ୍ଲେଖ କରିଛନ୍ତି ।‌

ପୁଣି ଉଡ୍ରଦେଶ ଓ ଜାତି ସମ୍ବନ୍ଧରେ ନୀଳକଣ୍ଠ ଦାସ ତାଙ୍କ ଖାରବେଳ ଗ୍ରନ୍ଥପ୍ରଵେଶରେ ଲେଖିଛନ୍ତି -“ଵର୍ତ୍ତମାନ ଆମ୍ଭେମାନେ ଯାହାକୁ ଓଡ଼ିଶା ବୋଲି କହୁ ଅଛୁଁ ତାହା ପ୍ରାଚୀନ କାଳରେ ତିନି ଗୋଟି ରାଜ୍ୟର ପ୍ରଧାନ ଅଂଶ ଥିଲା ।

(୧)ମେଦିନୀପୁର, ମୟୂରଭଞ୍ଜ, କେନ୍ଦୁଝର, ସିଂହଭୂମ ମାନଭୂମ ପ୍ରଭୃତି ଘେନି ମେଦିନୀପୁର ସମୁଦ୍ର କୂଳଠାରୁ ଗୟା ଜିଲ୍ଲା ପର୍ଯ୍ୟନ୍ତ ପ୍ରାଚୀନ ଉତ୍କଳ ଦେଶ
(୨)ଵର୍ତ୍ତମାନ ଓଡ଼ିଶାର ମହାନଦୀର ଦକ୍ଷିଣ ଗଡ଼ଜାତମାନ ଢେଙ୍କାନାଳ, ଅନୁଗୁଳ, ହିନ୍ଦୋଳ, ସମ୍ବଲପୁର ଓ ରାୟପୁର ପ୍ରଭୃତି ଘେନି ପ୍ରାଚୀନ ଉଡ଼ ଦେଶ; ଏଠାରେ ବହୁକାଳ ଵ୍ୟାଘ୍ର ରାଜବଂଶ ରାଜପଣ କରୁଥିଲେ।
(୩)ବାଲେଶ୍ୱର,କଟକ, ପୁରୀ ଓ ଗଞ୍ଜାମ ଜିଲ୍ଲାମାନଙ୍କୁ ଘେନି ଅତି ପ୍ରାଚୀନ କଳିଙ୍ଗ ଦେଶ।

ତେବେ ନୀଳକଣ୍ଠଙ୍କ ଅନୁସାରେ ଆଗେ ଯଦି ଢେଙ୍କାନାଳ ଅନୁଗୁଳ ରାୟପୁର ଓ ସମ୍ବଲପୁର ଆଦି ଗଡ଼ଜାତ ଅଞ୍ଚଳରେ ପ୍ରାଚୀନ ଓଡ଼ଦେଶ ଥିଲା ତାହେଲେ ପ୍ରଶ୍ନ ଆସେ; ପ୍ରାଚୀନ ଓଡି଼ଶାର ସମୁଦ୍ର ଉପକୂଳସ୍ଥ ଗୋଲରା, ମରିଚପୁର, ହରିଶପୁର, ବିଷୁନପୁର, କୁଜଙ୍ଗ, ପାରାଦେଇ ପୁର (ପାରାଦୀପ), ଆଳି ଓ କନିକା ଏହି ଆଠଟି ରାଜ୍ୟର ପ୍ରାଚୀନ ନାମ ମଧ୍ୟ ଓଡ଼ରାଷ୍ଟ୍ର(ଵା ଉଡ୍ରଵିଷୟ) କେମିତି ହେଲା ? 

କୃପାସିନ୍ଧୁ ମିଶ୍ରଙ୍କ ଉତ୍କଳ ଇତିହାସ ପୁସ୍ତକରେ ଏ ପ୍ରଶ୍ନର ଉତ୍ତର ଦେଵାକୁ ଯାଇ କୁହାଯାଇଛି ଯେ ଆଗେ “ଓଡ୍ର ନାମରେ ଏକ ଆର୍ଯ୍ୟ ଜାତି ପ୍ରାଚୀନ କାଳରୁ ଆସି କଳିଙ୍ଗର ପଶ୍ଚିମ ପ୍ରାନ୍ତରେ ବାସ କରୁଥିଲେ(ଗଡ଼ଜାତ ଓଡ଼ିଶା) ଏଵଂ ମନୁସଂହିତାରେ ଏମାନଙ୍କୁ ପତିତ କ୍ଷତ୍ରିୟ ବୋଲି କୁହା ଯାଇ ଅଛି। ପରେ ପୁଣି ନୂତନ ଆର୍ଯ୍ୟମାନେ ଆସି ଓଡ୍ରମାନଙ୍କୁ ଗଞ୍ଜାମ, ବିଶାଖାପାଟଣା, ଜୟପୁର ଓ ବସ୍ତର ଆଦି ପାର୍ଵତୀୟ ଅଞ୍ଚଳକୁ ତଡ଼ି ଦେଲେ । ବହୁକାଳ ପରେ ସେହି ସବୁ ଅଞ୍ଚଳକୁ 'ଓଡ଼ବାଦି' ବା 'ଓଡ୍ରଦେଶ' କୁହାଗଲା। ଵର୍ତ୍ତମାନ ଜୟପୁର ଅଞ୍ଚଳର ପାଇକମାନଙ୍କୁ 'ଓଡ଼' ବୋଲି କହନ୍ତି। ଗଙ୍ଗବଂଶର ରାଜତ୍ୱକାଳରେ ଏହି ଓଡ଼ମାନେ ଉତ୍କଳରାଜାଙ୍କ ସେନାଭୁକ୍ତହୋଇ ଖୋରଧା ପ୍ରଭୃତି ଅଞ୍ଚଳରେ ଵାସ କଲେ। ମୁସଲମାନମାନେ ଯେଉଁ ସୈନ୍ୟଙ୍କ ସଙ୍ଗେ 300 ଵର୍ଷ ପର୍ଯ୍ୟନ୍ତ ଯୁଦ୍ଧ କରି ଵାରମ୍ବାର ପରାସ୍ତ ହୋଇ ଫେରୁଥିଲେ ସେମାନେ ସାଧାରଣତଃ 'ଓଡ଼' ଥିଵାରୁ ସେମାନଙ୍କ ନାମାନୁସାରେ ମୁସଲମାନମାନେ କଳିଙ୍ଗ ଵା ଉତ୍କଳକୁ ଓଡ଼ିଶା ନାମ ଦେଲେ। ଖୋରଧାରେ ଓଡ଼ ପାଇକମାନେ ବହୁ ସଂଖ୍ୟାରେ ଵାସ କରି ରହିଥିଵାରୁ ଖୋରଧା ଅଦ୍ୟାପି ଲୋକମୁଖରେ ଓଡ଼ିଶାନାମରେ ପରିଚିତ।” 

ଜଗବନ୍ଧୁ ସିଂ ପ୍ରାଚୀନଉତ୍କଳରେ ଓଡ଼ିଶା ନାମକରଣ ସମ୍ବନ୍ଧରେ ଲେଖିଛନ୍ତି : “ତ୍ରିବିଡ଼ରୁ ପ୍ରାପ୍ତ ମତ୍ସ୍ୟବଂଶୀୟ ରାଜା ଅର୍ଜୁନଙ୍କ ତାମ୍ରଶାସନରୁ ଜଣାଯାଏ ଯେ ତଦାନୀନ୍ତନ ଉତ୍କଳର ରାଜା ତାଙ୍କର ଏକମାତ୍ର କନ୍ୟା ପଦ୍ମାଵତୀଙ୍କୁ ମୃତ୍ୟୁମାର୍ତ୍ତଣ୍ଡଙ୍କ ସହ ବିବାହ ଦେଇଥିଲେ ଏବଂ ଜାମାତାଙ୍କୁ 'ଉଡ଼ବାଡ଼ି' ଵା 'ଉଡ଼ଦେଶ' ନାମକ ଅଞ୍ଚଳର ରାଜା କରାଇଥିଲେ। ଉତ୍କଳର ରାଜା ଅପୁତ୍ରିକ ହୋଇ ମଲା ପରେ ସତ୍ୟ ମାର୍ତ୍ତଣ୍ଡ ଉତ୍କଳମଣ୍ଡଳର ଶାସନକର୍ତ୍ତା ହେଲେ। 'ଉତ୍କଳ' ଓ 'ଉଡ଼ବାଡ଼ି' ମଣ୍ଡଳ ଓଡ଼ିଶା ନାମରେ କଥିତ ହେଲା।”

ଆଜି ଓଡ଼ିଶାର ଦକ୍ଷିଣ ଭାଗରେ କୁପିଆ,କୋଟିଆ ଵା ଦେଶିଆ ଓ ରେଲି; ପଶ୍ଚିମ ଭାଗରେ ଭତ୍ରୀ,ହଲବୀ ଓ ଭୁୟାଁ ଓ ଉତ୍ତର ଭାଗରେ ବାଥୁଡ଼ି ଭଳି ଓଡ଼ିଆ ଜନଜାତିମାନ ଵସଵାସ କରୁଛନ୍ତି। ଏହି ଆର୍ଯ୍ୟଭାଷୀ ଜନଜାତୀୟ ଲୋକଙ୍କୁ ପ୍ରାଚୀନ ଉଡ୍ରଜାତୀୟ ଲୋକଙ୍କ ଵର୍ତ୍ତମାନ ବଂଶଧର ବୋଲି ଵିଵେଚନା କରାଯାଇପାରେ। ସେହିପରି ଓଡ଼ିଶାର ଉପକୂଳରେ ଵାସ କରୁଥିଵା ଓଡ଼ଚଷାମାନେ ପ୍ରାଚୀନ ଉଡ୍ରଜାତିର ଵର୍ତ୍ତମାନ ବଂଶଧର । ତେଣୁ ହୁଏତ ପ୍ରାଚୀନ କାଳରେ ଏହିପରି ଗୋଟିଏ ଓଡ଼ ଗୋଷ୍ଠୀ ଉପକୂଳରେ ରାଜ୍ୟ କରିଥିଵ ଓ ତାହାର ନାମ ଓଡ଼ଵିଷୟ ଦେଇଥିଵ । 

ଯୋଉ ଉଡ୍ର ଜାତି ନାମରେ ଓଡ଼ିଆ ଭାଷା ତଥା ଓଡ଼ିଶାର ନାମକରଣ ହୋଇଥିଲା ଏ ଜାତି ଏକ ପ୍ରାଚୀନ ଭାରତୀୟ ଜାତି ଏଵଂ ଏମାନେ ମୂଳତଃ ଗଡ଼ଜାତର ଵାସିନ୍ଦା ଥିଲେ । ତେବେ ଚାଷ ଯୋଗୁଁ ପରଵର୍ତ୍ତୀ କାଳରେ ଏହି ଜାତିଟି ମହାନଦୀ କୂଳେ କୂଳେ ନିଜର ଆଧିପତ୍ୟ ଵିସ୍ତାର କରି କ୍ରମଶଃ ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ ଵ୍ୟାପିଥିଲା ‌। 


ଅନେକେ ସଂସ୍କୃତ ଭାଷାର ଉଡ଼୍ର ନାମରୁ ଓଡ଼ ହୋଇଛି ବୋଲି ମତ ପୋଷଣ କରିଥାନ୍ତି କିନ୍ତୁ ପ୍ରକୃତରେ ଏହି ଓଡ଼ ଶବ୍ଦଟି ମୂଳତଃ ଏକ ଦ୍ରାଵିଡ଼ ଶବ୍ଦ ଅଟେ । ଅତି ପ୍ରାଚୀନ କାଳରେ ମୂଳ ଦ୍ରାଵିଡ଼ ଭାଷାରେ *uẓV ବୋଲି ଗୋଟିଏ ଶବ୍ଦ To plough ଵା ହଳ କରିଵା(ଅଥଵା ଚଷିଵା) ଅର୍ଥରେ ପ୍ରୟୋଗ ହେଉଥିଲା । ଏହି ମୂଳ ଶବ୍ଦରୁ ତାମିଳ଼ରେ உழவு (uḻavu) ଓ உழு (uḻu) ,କୋଲାମି ଭାଷାରେ ఉర్ర (urra),ମଳୟାଳ଼ମ ଭାଷାରେ ഉഴുക (uḻuka) , କନ୍ନଡ଼ ଭାଷାରେ ಉೞ್ (ul̤.) ଓ ಉತ್(ut),ତୁଲୁ ଭାଷାରେ ಉರ(ura), ତେଲୁଗୁ ଭାଷାରେ ದುನ್ನು(ଦୁନ୍ନୁ), ଗଦଵାରେ ūḍ,ଗୋଣ୍ଡୀ ଭାଷାରେ uḍ ଓ uṛ,ନାଇକୀ ଭାଷାରେ ur,କୋଣ୍ଡା ଭାଷାରେ ṛū(-t-) ,ପେଙ୍ଗୁ ଭାଷାରେ ṛū- (-t-),ମାଣ୍ଡା ଭାଷାରେ ṛū,ପାରେଙ୍ଗା ଭାଷାରେ uṛ-,କୁରଖ ଭାଷାରେ uinā/uynā (ussas) ,କୁଈ ଭାଷାରେ ṛūva (ṛūt- ହଳକରିଵା) ,ūṛa (ūṛi-/ଖୋଳିଵା ଓ ଚେର ଓପାଡ଼ିଵା) ଓ କୁୱି ଭାଷାରେ ruiyali (rū-) lūnai,ṛū-(-t-) ତଥା ṛuki ଆଦି ଶବ୍ଦ ସୃଷ୍ଟି ହୋଇଛି । ଓଡ଼ିଆ ଭାଷାରେ ପ୍ରଚଳିତ ଉଡ଼ୁଚାଷ,ଓଡ଼ିଵା(ଏକ ଓଡ଼ ଚାଷ କରିଵା),ଓଡ଼ ପକାଇଵା(କ୍ଷେତରେ ଏକଥର ମାତ୍ର ହଳ ବୁଲାଇଵା),ଓଡ଼ଦେଵା(ଭୂମିକୁ ଥରେ ହଳ ଦ୍ୱାରା ଚଷିଵା) ଓ ଓରଦା କରିଵା(ଧାନ ରୋଇଵା ନିମନ୍ତେ କ୍ଷେତକୁ କାଦୁଆ ଚାଷ କରି ଵପନ ଵା ରୋପଣୋପଯୋଗୀ କରିଵା) ଆଦି ଶବ୍ଦ ମଧ୍ୟ ଦ୍ରାଵିଡ଼ ମୂଳର ଶବ୍ଦ ଅଟେ । 

ତେବେ ଏସବୁ ପଢ଼ି ଅନେକେ ପ୍ରଶ୍ନ କରିବେ ଯଦି ଓଡ଼ ଶବ୍ଦଟି ଦ୍ରାଵିଡ଼ ଭାଷା ମୂଳର ତାହେଲେ ଓଡ଼ ଲୋକଙ୍କୁ ଵା ଉଡ୍ରଦେଶର ଲୋକଙ୍କୁ କାହିଁକି ଓଡ଼ କୁହାଗଲା ? 

ଆମେ ସମସ୍ତେ ଜାଣନ୍ତି ଯେ ଓଡ଼ିଶାରେ କନ୍ଧ ଓ ଗଣ୍ଡ ଆଦି ଅନେକ ପ୍ରାଚୀନ ଦ୍ରାଵିଡ଼ ଜାତି ରୁହନ୍ତି। ସଉରା ଓ ମୁଣ୍ଡା ଭଳି ଆଷ୍ଟ୍ରୋଏସୀୟ ଜାତି ବି ଏଇ ଓଡ଼ିଶାର ପ୍ରାଚୀନ ଅଧିଵାସୀ । ସେମାନଙ୍କ ସହିତ ଆଗେ ପାର୍ଵତ୍ୟାଞ୍ଚଳରେ ଗୋଟିଏ ଭାରୋପୀୟ ଜାତି ମଧ୍ୟ ରହୁଥିଲା । ଏହି ପ୍ରାଚୀନ ଭାରୋପୀୟ ଜାତିଟି କ୍ରମେ ପର୍ଵତରେ ଓ ଏହାର ପାଦଦେଶରେ ଚାଷଵାସ ଆରମ୍ଭ କରିଥିଲା । ସେହି ପ୍ରାରମ୍ଭିକ କାଳର ପାର୍ଵତ୍ୟ ଚାଷର ଆଧୁନିକ ରୂପକୁ ଆଜି ଲୋକେ ଉଡ଼ୁଚାଷ କୁହନ୍ତି । ଏ ଜାତିଟି ଚାଷକାର୍ଯ୍ୟରେ ଏତେ ଧୁରନ୍ଧର ହେଲା ଓ ପର୍ଵତରୁ ଓହ୍ଲାଇ ନଦୀକୂଳରେ ଘରବାଡ଼ି କରି ସଭ୍ୟତା ଗଢ଼ି ଵ୍ୟାପିଗଲା ଯେ କନ୍ଧ ଓ ଗଣ୍ଡମାନେ ଏହି ଜାତିକୁ ଓଡ଼ ନାଆଁ ଦେଇଥିଲେ । କ୍ରମେ ଗଡ଼ଜାତ ପାର୍ଵତ୍ୟାଞ୍ଚଳରେ ଥିଵା ମହାନଦୀ ଓ ଏହାର ଶାଖାନଦୀ କୂଳରେ ଏହି ଚଷାଜାତି ଓଡ଼ମାନେ ଆଧିପତ୍ୟ ଵିସ୍ତାର କଲେ ଏଵଂ ଏହିପରି ଭାବେ ଗଡ଼ଜାତରେ ପ୍ରଥମେ ଓଡ଼ଦେଶର ସ୍ଥାପନା ହୋଇଥିଲା । ଓଡ଼ିଶାର ପଶ୍ଚିମ ସୀମାରେ ରହି ଵୈଦେଶିକ ଶକ୍ତି ସହିତ ନାନା ସଂଘର୍ଷ କରି ଏ ଜାତି କ୍ରମଶଃ ଲୋକପ୍ରିୟ ହେଲା । ପରେ ଓଡ଼ମାନେ ଦକ୍ଷିଣରେ ଗଞ୍ଜାମଠାରୁ ଉତ୍ତରରେ ବାଲେଶ୍ୱର ଓ ତାମ୍ରଲିପ୍ତି ପର୍ଯ୍ୟନ୍ତ ଵ୍ୟାପିଗଲେ । ସର୍ଵଭାରତୀୟ ସ୍ତରରେ ଓଡ଼ମାନେ ନିଜର ଚାଷ ଓ ଵୀରତ୍ବ ପାଇଁ ଜଣାଶୁଣା ହେଵାରୁ ଭାରତର ତତ୍କାଳୀନ ପଣ୍ଡିତମାନେ ଓଡ଼ମାନଙ୍କର ଏକ ସଂସ୍କୃତ ଶାସ୍ତ୍ରୀୟ ନାମ ସୃଷ୍ଟି କରିଵାକୁ ମନ ବଳାଇଲେ । ଦ୍ରାଵିଡ଼ ମୂଳର ଓଡ଼ ଶବ୍ଦକୁ ସଂସ୍କୃତ ଭାଷାର ନିଆରା ଓ ଵୈଜ୍ଞାନିକ ନିରୁକ୍ତ ପ୍ରଣାଳୀ ଦ୍ଵାରା ଧାତୁ ପ୍ରତ୍ୟୟ ପ୍ରୟୋଗ କରି ଉଡ୍ର ରୂପେ ନିଷ୍ପନ୍ନ କରାଗଲା । ସଂସ୍କୃତ ଭାଷାରେ ଉଡ୍ ଧାତୁରୁ ନାଶ କରିଵା ଓ ସ୍ତୁତି କରିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ ।‌ ସମ୍ଭଵତଃ ପଣ୍ଡିତମାନେ ଉଡ୍ରମାନଙ୍କ ବୀରତ୍ୱ ସହିତ ପରିଚିତ ଥିବେ ସେଥିପାଇଁ ସେମାନେ ସଂସ୍କୃତ ଭାଷାରେ ଉଡ୍ ଧାତୁରୁ ସ୍ତୁତି କରିଵା କିମ୍ବା ନାଶ କରିଵା ଅର୍ଥରେ ଉଡ୍ର ଶବ୍ଦ ନିଷ୍ପନ୍ନ କରିଅଛନ୍ତି ।‌
ଯେଉଁ ଓଡ଼ ଜାତି ଶତ୍ରୁ ନାଶନ ପାଇଁ ଖ୍ୟାତ ଥିଲା ଯେଉଁ ଓଡ଼ ଜାତି ଆଗରେ ମଥା ନୁଆଇଁ ପ୍ରତ୍ୟେକ ଆକ୍ରାନ୍ତା ସ୍ତୁତି କରିଵାକୁ ବାଧ୍ୟ ହୋଇଛି ଏହି ସେଇ ଓଡ଼ ଜାତି ଯାହାର ନାମାନୁସାରେ ଓଡ଼ିଆ ଭାଷା, ଓଡ଼ିଆ ଜାତି ତଥା ଓଡ଼ିଶା ଦେଶର ନାମକରଣ ହୋଇଅଛି । 

 ••••••••••••••••••••••••••••••••••••••••
ତଥ୍ୟ ଉତ୍ସ:-
(୧) ପୂର୍ଣ୍ଣଚନ୍ଦ୍ର ଭାଷାକୋଷ: ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜ 
(୨)History of Orissa,Vol.I, p.75: Dr. N. K. Sahu
(୩)A Dravidian etymological dictionary: T. Burrow ଓ M. B. Emeneau
(୪) ଉତ୍କଳ ଇତିହାସ: କୃପାସିନ୍ଧୁ ମିଶ୍ର
(୫) ପ୍ରାଚୀନ ଉତ୍କଳ: ଜଗବନ୍ଧୁ ସିଂ 
••••••••••••••••••••••••••••••••••••••••••

Thursday, December 5, 2024

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ 
ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପା ଅର୍ଥଜ ଅସରପା ଶବ୍ଦଟି ଅସ୍ଥିରପାଦ ଶବ୍ଦରୁ ସୃଷ୍ଟି ହୋଇଛି ବୋଲି ମଧ୍ୟ ଉଲ୍ଲେଖ ଅଛି । ତେବେ ଭାଷାକୋଷରେ Cockroach ଅର୍ଥଜ ଅସରପା ଶବ୍ଦଟି ଅସ୍ରପା ଶବ୍ଦରୁ ସୃଷ୍ଟି ହୋଇଛି ବୋଲି ମତ ଦିଆଯାଇଛି । କିନ୍ତୁ ଭାଷାକୋଷ,ଶବ୍ଦକଳ୍ପଦ୍ରୁମ ଇତ୍ୟାଦି ଅନେକ ଅଭିଧାନରେ ଅସ୍ରପ ଓ ଅସ୍ରପା ଶବ୍ଦର ଅର୍ଥ ରାକ୍ଷସ, ରାକ୍ଷସୁଣୀ ଓ ଜୋକ ହିଁ ଲେଖା ହୋଇଛି। କୌଣସି ପୁରାତନ ସଂସ୍କୃତ ଅଭିଧାନରେ ଅସ୍ରପା ଶବ୍ଦର ଅର୍ଥ Cockroach ଲେଖାଥିଵା ଜଣାଯାଏ ନାହିଁ । ତେବେ ବହୁତ ସମ୍ଭଵ Cockroachକୁ ଶାସ୍ତ୍ରୀୟ ଓଡ଼ିଆ ନାଆଁଟିଏ ଦେଵା ପାଇଁ ସଂସ୍କୃତର ଅସ୍ର ଓ ପା/ପାଦ ଶବ୍ଦକୁ ଯୋଡ଼ି ଓଡ଼ିଶାରେ ସ୍ବତନ୍ତ୍ର ଭାଵେ ଅସ୍ରପା ଶବ୍ଦଟି ସୃଷ୍ଟି କରାଯାଇଥାଇପାରେ । ଭାରତରେ ଆଉ କୋଉଠି ବି କୌଣସି ଭାଷାରେ ଅସରପା କି ଅସ୍ରପା ସମସାଦୃଶ୍ୟ ଶବ୍ଦ ଦେଖାଯାଏ ନାହିଁ । କେଵଳ ବଙ୍ଗାଳୀରେ ହିଁ ଅସରପାକୁ আরশুলা (arśula) କୁହାଯାଏ । ମୂଳ ଅସ୍ରପା ଶବ୍ଦର ଵର୍ଣ୍ଣଵିପର୍ଯ୍ୟୟରେ ବଙ୍ଗାଳୀ ଭାଷାରେ আরশুলা (arśula) ଶବ୍ଦ ସୃଷ୍ଟି ହୋଇଛି ବୋଲି ଜ୍ଞାନେନ୍ଦ୍ର ମୋହନ ଦାସଙ୍କ "ବାଙ୍ଗ୍ଲା ଭାଷାରୋ ଅଭିଧାନରେ" ଉଲ୍ଲେଖ ଅଛି। 

ତେଣୁ ବହୁତ ସମ୍ଭଵ ଅସ୍ରପା ଵା ଅସ୍ରପାଦ ଶବ୍ଦରୁ ହିଁ ଅସରପା ଶବ୍ଦ ଭାରତର ପୂର୍ଵ ଭାଗସ୍ଥ କଳିଙ୍ଗ ଦେଶରେ ସୃଷ୍ଟି ହୋଇଛି। ଓଡ଼ିଆ ଭାଷା ଭାରତର ସର୍ଵାଧିକ ସଂସ୍କୃତନିଷ୍ଠ ଭାଷା ତେଣୁ ଏଭଳି ହେଵା ସାଧାରଣ କଥା । ତେବେ ଅସ୍ର ଆଉ ପା ଶବ୍ଦର ଅର୍ଥ ଆଲୋଚନା କରିଦେଲେ ସ୍ପଷ୍ଟ ହୋଇଯିଵ ଯେ Cockroachକୁ ଅସ୍ରପା ଵା ଅସରପା ନାଆଁ କାହିଁକି ଦିଆଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଅସ୍ର ଶବ୍ଦର ଅର୍ଥ କୋଣ,ରକ୍ତ,କେଶ ଓ ଅଶ୍ରୁ । ସେହିପରି ‘ପା’ ଵା ‘ପାଆ’ ଶବ୍ଦର ଅର୍ଥ ଗୋଡ଼( Leg) ଓ ପାଦ(foot) । ତେଣୁ ସ୍ପଷ୍ଟ ହୋଇଯାଏ ଯେ ଅସରପାର ପାଦଟି ଵା ଗୋଡ଼ଟି ଅସ୍ରକାର ଵା କୋଣାକାର ପୁଣି ଏହାର ପାଦରେ ଏକାଧିକ ଅସ୍ର ଵା କେଶ ବାହାରି ଥାଏ ତେଣୁ ତାକୁ ଅସ୍ରପା କୁହାଗଲା । ପରେ ସେହି ଶବ୍ଦଟି ଅସରପା ହେଲା,ଅସଲା ହେଲା,ଅସରଲା ଓ ଅସରଡ଼ା ହେଲା । ବଙ୍ଗାଳୀ ଭାଷାରେ ଏହି ମୂଳ କଳିଙ୍ଗୀ ଶବ୍ଦ ଅସ୍ରପାରୁ ହିଁ আরশুলা (arśula) ଶବ୍ଦ ସୃଷ୍ଟି ହୋଇଛି। 

କ୍ରମଶଃ...