Thursday, June 22, 2017

•••ନବ ପ୍ରକାଶ••••କବି-ବିଦ୍ୟୁତପ୍ରଭା ଦେବୀ•••


ପାହି ପାହି ଆସେ
ସୃଷ୍ଟିର ଅମାରାତି
ଉଠ ଦେଶବାସୀ ଜାଗ ଏବେ ମୋର ଜାତି ।

ପ୍ରକୃତି ମୁଖେ ନବୀନ ଉଷାର ଗାନ
ଶୁଣହେ ମାନବ ଦେଶ ମହାଦେଶ
ଅନ୍ତରେ ପାତି କାନ ।

ଘୋର ଅଜ୍ଞାନ
ଘନ ଅନ୍ଧକାର ଭେଦି
ଉଜ୍ବଳି ଉଠେ
ଉଷାର ପୁଣ୍ୟ ବେଦୀ ।
ହୁଏ ତହିଁ ନବ ସତ୍ୟର ଅଭିଷେକ
ସତ୍ୟ ପୂଜକ ସତ୍ୟ ସାଧକ
ନୟନେ ନୟନେ ଦେଖ ।

ନବ ଆହ୍ବାନେ
ବିପ୍ଳବୀ ଯେତେ ଆସ
ଆସ ଦୁର୍ଜୟ
ଅଜ୍ଞାନ ଯା'ର ଦାସ ।
ପ୍ରକୃତିର ଏ ବିପୁଳ ଯଜ୍ଞେ
ବୀର ସମ ଦିଅ ଝାସ ।

ଅଗ୍ରଣୀ ଯେତେ ବିଜୟ ଦିହୁଡି ଧର ରାଜ୍ୟ ମୃତ୍ୟୁରେ ତୁମେ
ଅମୃତ ଆଜି କର ।
ଜ୍ଞାନ ପ୍ରେମ ତପେ ମରତେ ସରଗ ଖସୁ
ଚିର ଦୁଃଖିନୀ ମାଟିର ଧରଣୀ
ଚିର ଉଲ୍ଲାସେ ହସୁ ।

ମହାନ ମନ୍ତ୍ର
ସୁମରି ନିୟତ ମନେ
ଦିବ୍ୟ ଯନ୍ତ୍ର
ହୁଅହେ ତରୁଣ ଜନେ ।
ସମପଦେ ଚଳ ଲକ୍ଷ୍ୟେ ନିବେଶି ଲୟ
ଭଉଣୀ ଓ ଭାଇ ସମତାଳେ ଗାଇ
ଜୟ ସ୍ରଷ୍ଟାର ଜୟ

ଏ ଦେବ ଲଗନେ ଦିବ୍ୟ ଜୀବନ ଲାଗି
ଉନ୍ନତ ଯେତେ
ଆତ୍ମା ଉଠିଛ ଜାଗି ।
ନିଜେ ଜୟ ଲଭି ମୁକ୍ତିର ଅଭିଯାନେ
ଶୁଣାଅ ନବୀନ ଜାଗରଣ ବାଣୀ
କୋଟି ଜନତାର କାନେ ।

ନବ ଭାରତର ସନ୍ତାନ ଯେତେ ଅଛ
ନିର୍ଭୟେ ଚାଲ
ନ ଭାବି ହେ ଆଗ ପଛ ।
ନୂତନ ଜୀବନ ନୂତନ ଚେତନା ନେଇ
ଜାଗ୍ରତ ଯେତେ ଶୁଣ ଚଉଦିଗେ
ସେ ଡାକ ଶୁଭୁଛି ହେଇ.......

ବି:ଦ୍ର-))
ହାଇସ୍କୁଲରେ ପଢିଲା ସମୟରେ ଉପରୋକ୍ତ ଦେଶାତ୍ମବୋଧକ ଗୀତିକାଟି ସାହିତ୍ୟ ବହିରେ
ପଢିଥିଲି ।
ବିଦ୍ୟୁତପ୍ରଭା ଦେବୀଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ନିକଟବର୍ତ୍ତୀ ନାଟରା ଗ୍ରାମରେ ୧୯୨୯ସାଲ୍ ରେ ହୋଇଥିଲେ ।
ମରୀଚିକା,ବିହାୟସୀ, ବଚନିକା,ସ୍ବର୍ଣ୍ଣଦ୍ବୀପ ଓ ଯାହାକୁ ଯିଏ ଆଦି ତାଙ୍କର ପ୍ରଧାନ ରଚନା ।
ଯାହା କୁ ଯିଏ ପୁସ୍ତକ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...