ଘରେ ପଣ୍ଡିତ ଓ ପଣ୍ଡିତିଆଣୀ ଦୁଇପ୍ରାଣୀ ।
ସକାଳ ବେଳା ପଣ୍ଡିତିଆଣୀ ଗାଧୋଇ ଯିବାପାଇଁ ନଈ ଆଡିକି ବାହାରିଛନ୍ତି । ଚୁଲି ଉପରେ ଦୁଧହାଣ୍ଡି ବସିଛି । ପଣ୍ତିତଙ୍କୁ ଅନୁରୋଧ କଲେ ଯେ, ସେ ଦୁଧହାଣ୍ଡି ଆଡି଼କି ଟିକିଏ ନଜର ରଖିଥିବେ,-ଦୁଧ ଯେମିତି ଉତୁରି ନ ଯାଏ ।
ପଣ୍ଡିତଙ୍କୁ ଏତିକି କହି ପଣ୍ଡିତିଆଣୀ ଗାଧୋଇବାକୁ ଚାଲିଗଲେ ।
କିଛି ସମୟ ବିତିଗଲା ପରେ ହାଣ୍ଡିରୁ କ୍ଷୀର ଉତୁରିବାରେ ଲାଗିଲା ....
ପଣ୍ଡିତ ହାଣ୍ଡି ପାଖକୁ ଦଉଡି ଆସିଲେ;
କିନ୍ତୁ କ'ଣ କରି ଅବସ୍ଥାକୁ ସମ୍ଭାଳିବେ ବୁଝି ପାରିଲେନି । ଅଗ୍ନିଦେବତାଙ୍କ କୋପ ବୋଲି ମନେକରି ସେ ସେଠାରେ ଅର୍ଦ୍ଧ ପଦ୍ମାସନରେ ବସି ଅଗ୍ନିଦେବତାଙ୍କ ଶାନ୍ତି ମନ୍ତ୍ର ଉଚ୍ଚାରଣ କରିବାକୁ ଲାଗିଲେ ।
ଅଗ୍ନି,ବୈଶ୍ବାନର,ବହ୍ନି ପ୍ରଭୃତି ଅମରକୋଷରୁ ଶିଖିଥିବା ସମସ୍ତ ନାମଜପ କଲେ ।
ଯଜ୍ଞରେ ବହୁତ ଘିଅ ଖାଇବା ଫଳରେ କିପରି ତାଙ୍କର ଲୁଦୁବୁଦୁ ବ୍ୟାଧି ହୋଇଥିଲା,ଆଉ ଅର୍ଜୁନଙ୍କ ଖାଣ୍ଡବବନ ଦହନ ଫଳରେ ସେ ବ୍ୟାଧି ଆୟୋଗ୍ୟ ହୋଇଥିଲା, ସେକଥା ମଧ୍ଯ କହିବାକୁ ଛାଡ଼ିଲେନି ।
ତଥାପି ଦୁଧ ଉଚ୍ଛୁଳିବାକୁ ଲାଗିଲା ।
ପଣ୍ଡିତ ଭାବିଲେ ଯେ,ସେ ବୋଧହୁଏ ଭୂଲ ଦେବତାଙ୍କୁ ଆରାଧନା କରୁଅଛନ୍ତି । ମନରେ ସ୍ଥିରକଲେ,ଦୁଧରେ ପାଣି ମିଶୁଥିବା ଯୋଗୁଁ ପାଣି କମ୍ କିମ୍ବା ବେଶୀ ଫଳରେ ବରୁଣ ଦେବତାଙ୍କ କୋପ ହୋଇଛି । ସେ ତେଣୁ ବରୁଣ ଦେବଙ୍କ ସ୍ତୁତି ଆରମ୍ଭ କଲେ । ବରୁଣ ଦେବତାଙ୍କ ରୂପ କିପରି ,ସେ କଣ୍ ସବୁ ପିନ୍ଧନ୍ତି , କେଉଁଠି ଶୁଅନ୍ତି, ତାଙ୍କର ଧନରତ୍ନ କେତେ,ସେସବୁ ବର୍ଣ୍ଣନା କଲାପରେ ପ୍ରଳୟ ହେଲେ ସୃଷ୍ଟିର ବିନାଶ କିପରି ହୁଏ,ଆଉ ବରୁଣ ନିଜେ କିପରି ଭଗବାନଙ୍କ ଶ୍ବଶୁର,ସେସବୁ ମଧ୍ଯ କହିଲେ ; କିନ୍ତୁ କିଛି ଲାଭ ହେଲାନାହିଁ । ତା'ପରେ ପବନ ଦେବତାଙ୍କ ଧ୍ଯାନ କରିବା ଆରମ୍ଭ କରିଦେଇଛନ୍ତି । ଏଇ ସମୟରେ ପଣ୍ଡିତିଆଣୀ ତରତର ହୋଇ ଘରେ ପହଞ୍ଚି ଗଲେହ। ଚୂଲି(ଚୁଲି) ଉପରେ ବସିଥିବା ଦୁଧହାଣ୍ଡିର ଅବସ୍ଥା, ପଣ୍ଡିତଙ୍କ ଅର୍ଦ୍ଧ-ପଦ୍ମାସନ ଓ ହସ୍ତର ଧେନୁମୁଦ୍ରା ଦେଖି କଥା କଥା କଣ୍ ବୁଝିବାକୁ ତାଙ୍କୁ ବେଶି ସମୟ ଲାଗିଲାନି । ସେ ଦଉଡି ଯାଇ ହାତରେ ଥିବା ଢାଳରୁ ପାଣି ପୋଷେ ହାଣ୍ଡି ଭିତରକୁ ଛାଟିଦେଇ ଜାଳ ଟିକିଏ କମ୍ କରିଦେଲେ । କ୍ଷୀର ଉତୁରିବା କମିଗଲା ।
ପଣ୍ଡିତ ଏସବୁ ନିରୀକ୍ଷଣ କରୁଥାଆନ୍ତି ।
ପାଣିନୀଙ୍କ ବ୍ୟାକରଣ ଏବଂ ଅମରକୋଷ ଅଭିଧାନ ସମ୍ବନ୍ଧରେ ପଣ୍ଡିତିଆଣୀଙ୍କ ଜ୍ଞାନ ଅତି ସୀମିତ ଥିବାରୁ ସେ ତାଙ୍କୁ ମୂର୍ଖ ବୋଲି ମନେକରି ଯଥୋଚିତ ସମ୍ମାନ ଦେବାକୁ କୁଣ୍ଠାବୋଧ କରୁଥିଲେ କିନ୍ତୁ ଏବେ ତାଙ୍କର ମତ ବଦଳି ଯାଇଥିଲା ।
ସତରେ ବ୍ୟବହାରିକ ଜ୍ଞାନ ତଥା ପ୍ରୟୋଗାତ୍ମକ ବିଦ୍ୟା ବିନା ସବୁ ପୋଥୀ ଗତ ଜ୍ଞାନ ନିରର୍ଥକ ମନେ ହୁଏ .....
(ଭୂବନେଶ୍ବର ବେହେରାଙ୍କ ଭୂଷପଣ୍ଡିତ ପ୍ରବନ୍ଧ ରୁ)
No comments:
Post a Comment