ଭୁଜଙ୍ଗ ଶବ୍ଦକୁ ନେଇ ଵିଭିନ୍ନ ଜାତୀୟ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଭ୍ରମ ଧାରଣା ପ୍ରଚଳିତ । ହିନ୍ଦୀଭାଷୀ ତାଙ୍କ ଭାଷା ଅନୁସାରେ ଏ ଶବ୍ଦର ଵ୍ଯାଖ୍ଯା କରନ୍ତି
ଯଥା—
ଭୂ=ଭୂମିରେ
ଜ=ଯଃ ଵା ଯେ ;ହିନ୍ଦୀଭାଷୀ ଯେହେତୁ ‘ଜୋ’ କୁହନ୍ତି
ଗ=ଗମନ କରିଵା
ଅର୍ଥାତ୍
“ ଭୂମିରେ ଯେ ଗମନ କରେ ସେ ଭୂଜଙ୍ଗ ଵା ଭୁଜଙ୍ଗ ।”
ତେଵେ ଆମ ଓଡ଼ିଶାର କିଛି ପଣ୍ଡିତଙ୍କୁ ଜଣା ଯେ ଭୁଜଙ୍ଗ ଶବ୍ଦରେ ‘ଭୂ’ ନୁହେଁ ଵରଂ ‘ଭୁଜ’ ଶବ୍ଦ ରହିଛି କିନ୍ତୁ ସେମାନେ ଭ୍ରମଵଶତଃ ଏଠାରେ ହସ୍ତାର୍ଥେ ଭୁଜ ଶବ୍ଦ ଵ୍ଯଵହୃତ ହୋଇଛି ବୋଲି ଭାଵିନିଅନ୍ତି ଏଵଂ ଏ ଶବ୍ଦର ଵ୍ଯାଖ୍ଯା କରିଵାକୁ ଯାଇ କୁହନ୍ତି ଯେ
“ଭୁଜ ଵା ହାତ ସାହାଯ୍ଯରେ ଗମନ କରେ ସେ ଭୁଜଙ୍ଗ”
କିନ୍ତୁ ଏ ମତ ଏଥିପାଇଁ ଗ୍ରହଣୀୟ ନୁହେଁ ଯେ
ସର୍ପର ତ ହସ୍ତ ହିଁ ନାହିଁ...
ଭୁଜଙ୍ଗ ଶବ୍ଦର ନିରୁକ୍ତି ମଧ୍ୟରେ ଏ ଶବ୍ଦ ଵିଷୟରେ ଯାହା କିଛି ତଥ୍ଯ ରହିଛି ଚାଲନ୍ତୁ ସେ ସବୁ ଏଠାରେ ଆଲୋଚନା କରିଵା ।
ଭୁଜଙ୍ଗ,ଭୁଜଗୀ, ଭୁଜଙ୍ଗୀ, ଭୁଜଙ୍ଗମୀ ଇତ୍ୟାଦି ଏ ଶବ୍ଦର ଵିଭିନ୍ନ ରୂପ ରହିଛି । ଏ ସମସ୍ତ ଶବ୍ଦକୁ ଭୁଜ ଓ ଗମ୍ ଧାତୁର ନିରୁକ୍ତି ପ୍ରତ୍ଯୟ ଦ୍ଵାରା ନିର୍ଣ୍ଣୟ କରାଯାଇଛି ।
ଭୁଜଙ୍ଗ ଶବ୍ଦର ନିରୁକ୍ତି =
ଭୁଜ+ଗମ୍ ଧାତୁ+କର୍ତ୍ତୃ. ଅ => ଭୁଜଙ୍ଗ ।
ଭୁଜଙ୍ଗ ଶବ୍ଦରେ ଥିଵା ଭୁଜ ଶବ୍ଦର ନାନା ଅର୍ଥ ରହିଛି
ଯଥା—
{ଵିଶେଷ୍ଯ}
୧)ବକ୍ରାକୃତି
୨)ସମସ୍ତ ହସ୍ତ ; ବାହୁ
୩)କ୍ଷେତ୍ରର ବାହୁ; କ୍ଷେତ୍ରର ସୀମା ରେଖା
୪)ସର୍ପର କୁଣ୍ଡଳ
୫)ହାତୀର ଶୁଣ୍ଢ
୬)ବାଙ୍କ
୭)ବୃକ୍ଷ ଶାଖା
୮)ତ୍ରିଭୂଜର ଭୁମି
୯)ଛାୟାର ଭୁମି(ଜ୍ଯୋତିଷ ଶାସ୍ତ୍ର)
ଏଵଂ ଭୁଜ ଶବ୍ଦର ଵିଶେଷଣ ଅର୍ଥ ବଙ୍କୁଆ
ସେଇଭଳି ଏଇ
ଭୁଜ ଶବ୍ଦକୁ ଭୁଜ୍ ଧାତୁରୁ ନିଷ୍ପନ୍ନ କରାଯାଇଛି
ଭୁଜ୍ ଧାତୁର କେତେକ ଅର୍ଥ
ଯଥା—
୧)ଖାଇବା(ଭୋଜନ)
୨)ଭୋଗ କରିବା(ଭୁକ୍ତ,ଭୋକ୍ତା,ଭୋଗ)
୩)କୁଟିଳ ହେବା (ଭୁଗ୍ନ)
୪)ନମ୍ର ହେବା
୫)ଶାସନ କରିବା
୬)ବଙ୍କାଇବା(ଭୁଜଙ୍ଗ)
୭)ଅନୁଭବ କରିବା; ସହିବା
୮)ଭାଜିଵା(ଭର୍ଜନ)
ତେଣୁ ଏଠାରେ ଭୁଜ୍ ଧାତୁର କୁଟିଳ ହେଵା ଓ ବଙ୍କେଇଵା
ଅର୍ଥ ଆଧାରରେ ନିଷ୍ପନ୍ନ ଭୁଜଶବ୍ଦକୁ ଵ୍ଯଵହାର କରି ତାହାର
ଗମ୍ ଧାତୁ ଶହ କୃଦନ୍ତ ପ୍ରତ୍ଯୟ ଦ୍ଵାରା ଭୁଜଙ୍ଗ ଶବ୍ଦଟି ସୃଷ୍ଟି ହୋଇଛି । ଏଣୁ ଯେଉଁ ଜୀଵ ବକ୍ର ଗତି ପ୍ରାୟ ଗମନ କରେ ସେ ଭୁଜଙ୍ଗ ବୋଲାଏ ଏଵଂ ସମସ୍ତ ଜୀଵଙ୍କ ମଧ୍ଯରେ ସର୍ପ ତାହାର ବକ୍ରଗତି ଯୋଗୁଁ ସର୍ଵାଧିକ ଲୋକପ୍ରିୟ ଅଟଇ
No comments:
Post a Comment