ବନିଶୀ ସୂତାରେ ଲାଗିଥିବା କାଠି ବା ସୋଲଖଣ୍ଡ, ଯାହା ପାଣି ଉପରେ ଭାସେ ଓ ବନିଶୀ କଣ୍ଟାକୁ ମାଛ ଟାଣିଲେ ଏହା ପାଣି ଭିତରକୁ ବୁଡିଯାଏ ତାକୁ ତେରେଣ୍ଡା କୁହାଯାଏ । ଏହାକୁ ତରଣ୍ଡା, ତରଣ୍ଡୀ ମଧ୍ୟ କୁହନ୍ତି ।
ଆଗେ ଭାରତରେ ସାଧାରଣତଃ ମୟୂର ପକ୍ଷୀର ପକ୍ଷର ଅଂଶ ଓ ସୋଲ୍ଲର ଵ୍ଯଵହାର ତେରେଣ୍ଡା ଭାଵେ ହେଉଥିଲା । ତେଵେ ଆଜିକାଲି ଵିପଣୀକେନ୍ଦ୍ର ମାନଙ୍କରେ ନାନାପ୍ରକାରର ଆଧୁନିକ ତେରେଣ୍ଡା ମିଳୁଅଛି ।
ଯେଉଁ ଜଳାଶୟରେ ବଲସି ପକାଇବାକୁ ହୁଏ ସେ
ଜଳାଶୟର ଗଭୀରତାକୁ ଚାହିଁ ବନିସି ଡୋରିରେ ଅଗରୁ କିଛି ଦୂର ଛଡ଼ା କରି ତେରଣ୍ଡା ବନ୍ଧାଯାଏ, ମାଛ ବନସି ଥୋପ ଗିଳିଲେ ଏହା ବୁଡ଼ିଯାଏ। ତେଣୁ ମାଛ ଥୋପ ଧରି ଅଛି ବୋଲି ଜାଣି ଲୋକେ ବନସିକୁ ଉପରକୁ ଟାଣି ଆଣନ୍ତି। ମାଛ ଥୋପ ଧରିଵାର ସୂଚନା ପାଇଵା ପାଇଁ ହିଁ ତେରେଣ୍ଡାର ଵ୍ଯଵହାର ହୋଇଥାଏ । କେଉଁଠି କେଉଁଠି ଡଙ୍ଗା ଚଳାଇବା ସମୟରେ ବ୍ୟବହୃତ କାତକୁ ମଧ୍ୟ ତେରେଣ୍ଡା କୁହାଯାଏ ।
ଏ ଶବ୍ଦର ସଂସ୍କୃତ ସମଦ୍ଧୃତ ରୂପ ତରଣ୍ଡ ଓ ତରଣ୍ଡକ ଅଟେ । ତରଣ୍ଡ ଶବ୍ଦକୁ ତୃ ଧାତୁରୁ କରଣାର୍ଥେ ଅଣ୍ଡ ଯୁକ୍ତ କରିଣ ନିଷ୍ପନ୍ନ କରାଯାଇଛି । ଏ ଶବ୍ଦର କେତେକ ମୁଖ୍ୟ ଅର୍ଥ ଯଥା—
✓ନୌକା/Boat
✓ଭେଳା/Raft
✓ତେରେଣ୍ଡା; ମାଛ ଧରିବା ବନିଶୀର ସୂତା ବା ଜାଲର ସୂତା ମଧ୍ଯରେ ଲାଗିଥିବା କାଠି ବା ସୋହ୍ଲ (ଯାହା ମାଛ ଧରିବା ସମଯରେ ପାଣିରେ ଭାସେ)
✓ଡଙ୍ଗା ବୋହିବା ଦଣ୍ଡ; କାତ
ତରଣ୍ଡ ଶବ୍ଦ ସହିତ ସମଦ୍ଧୃତ ଆଉ ଏକ ଦେଶଜ ଶବ୍ଦ ରହିଛି
ତାହା ହେଉଛି ‘ତରିଣ୍ଡା’ । ସମୁଦ୍ର ବା ନଦୀର ଗଭୀର ତଳ ଦେଶରେ ଲଙ୍ଗର ବାହୁକଦ୍ବାରା ଖଟା ଯାଇଥିବା ଭାସମାନ ପିମ୍ପା;ବୟା(Buoy)କୁ ତରିଣ୍ଡା କୁହାଯାଏ ।
ଆପଣଙ୍କ ଅଞ୍ଚଳରେ ଏହି ଶବ୍ଦଟି କିଂଵା ଏଇଭଳି କୌଣସି ଶବ୍ଦ ରହିଛି କି ? ଆପଣଙ୍କ ଅଞ୍ଚଳରେ ତେରେଣ୍ଡାକୁ କ'ଣ କୁହନ୍ତି ନିଶ୍ଚିତ ଜଣାନ୍ତୁ !!!
No comments:
Post a Comment