Thursday, August 20, 2020

ଠକ ଓ ଓଲା

ଗୋଟିଏ ପ୍ରାଚୀନ ନଗରରେ ଜଣେ ଲୋକ ଥିଲା ଯିଏ ଅନ୍ଯକୁ ନାନା ଉପାୟରେ ଠକି ଅର୍ଥ ଲାଭ କରିଜାଣିଥିଲା । ଦିନେ ସେ ଜଙ୍ଗଲରେ ଯାଉଥିଲାବେଳେ ଗୋଟିଏ ବଡ଼ ସିନ୍ଧୁକ ପାଇଲା ।  ସେ ସିନ୍ଧୁକ ଉପରେ ଲେଖାଥିଲା

"ତମେ ଚାହିଁଲେ ଏ ସିନ୍ଧୁକ ଖୋଲିପାର
ମାତ୍ର ଯଦି ଖୋଲ ମରିଵା ହେଵ ସାର"

ଠକଲୋକଟି ଭାବିଲା ମୁଁ ଏ ସିନ୍ଧୁକ ନ ଖୋଲି ଅଉ ଜଣକ ହାତରେ ଖୋଲିବି , ମୁଁ ଖାଲିଟାରେ ଏଟାକୁ ଖୋଲି କାହିଁକି ମରିବି ?

ନଗରର ସବୁଠାରୁ ଓଲା ଲୋକକୁ ଧରି ଆଣି ସେ ସେହି ସିନ୍ଧୁକଟି ଖୋଲିଵାକୁ କହିଲା । ଉକ୍ତ ଲୋକଟି ଓଲା ଥିଲେ ବି ଅଶିକ୍ଷିତ ନଥିଲା । ସେ ଠକକୁ କହିଲା ଏଥିରେ ପରା ଲେଖା ହୋଇଛି ଯିଏ ଖୋଲିଵ ସିଏ ମରିଵ ମୁଁ ଏ ସିନ୍ଧୁକ ଖୋଲିଲେ ତ ମରିଯିବି ?

ଠକ ଲୋକଟି ବି କୋଉ ଛାଡୁଛି ? ସିଏ  ଓଲାକୁ କହିଲା,

"ଆରେ ୟା ଭିତରେ ଗୋଟିଏ ସୁନ୍ଦର  ରାଜକୁମାରୀ ଅଛି  , ମୁଁ ପରା ନିଜେ ତା ପାଟି ଶୁଣି ତୋ ପାଖକୁ ଦୌଡ଼ିଗଲି । ମୋର ଝିଅ କ'ଣ ହେଵ ହେଲେ ତୋର ପା' ବାହାଘର ହୋଇ ନାହିଁ । ତୁ ଏଇ ସିନ୍ଧୁକ ଖୋଲି ରାଜକୁମାରୀକୁ ରଖିବୁ ।  ମୋତେ ରାଜକୁମାରୀ ଖୁସି ହୋଇ ହାରଟେ ଦେଲେ ବି ଚଳିଯିଵ ଯେ ..."

ଓଲା ଲୋକଟି ତା କଥାରେ ପଡ଼ି ସିନ୍ଧୁକ ଖୋଲି ଦେଲା ହେଲେ ସେଥିରେ ରାଜକୁମାରୀ ନଥିଲା !!!

ଥିଲା ଗୁଡାଏ ହୀରା ନୀଳା ମୋତି ମାଣିକ ଓ ରାଜମୁକୁଟ ...

ଓଲାଟି ରାଗିକି ଠକଲୋକଟା ସହ ଝଗଡା଼ କରିଵାକୁ ବାହାରିଲାରୁ

ଓଲା ଲୋକକୁ ଠକ କହିଲା,
"ଆରେ  ଏଥିରେ ପରା କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି, ଗୋଟେ କାମ କରିଵା ତୋର ମୋର ଅଧା ଅଧା ବାଣ୍ଟିନେଵା ,ଟଙ୍କା ଥିଲେ ଗୋଟେ କ'ଣ ତିନି ତିନିଟା ଝିଅକୁ ବାହା ହେଇପାରିବୁ ଯେ । ଆଜିକାଲି ହାଣ୍ଡିକଳା ଟୋକା,ପାରୁ ବୁଢ଼ା କି ହାତଗୋଡ଼ କଟା ,ଅନ୍ଧ କଣା କେମ୍ପାଙ୍କୁ ବି ଝିଅ ମିଳିଯାଉଛି । ଧନ ଥିଲେ , ଚାକିରି କରି ଉପୁରି ରଖିପାରୁଥିଲେ କେତେ ନା କେତେ ଝିଅ ମିଳିଵେ ମ"

ଠକ କଥାରେ ଓଲା ଭାସିଗଲାରୁ ଠକ ତାକୁ ଗୋଟିଏ ଥଳୀ ଆଣିଵାକୁ ପଠେଇ ଦେଲା,ଥଳୀ ଆଣିଲେ ସେଥିରେ ସେମାନେ ଏତକ ଧନ ଭାଗବାଣ୍ଟି ନେବେ ।

ଓଲା ଥଳୀ ନେଵାକୁ ଗଲାବେଳେ ବାଟରେ ଗୋଟିଏ ଚଷାଝୁଅ ଛେଳି ଚରାଉଥିଵାର ଦେଖିଵାକୁ ପାଇଲା । ସ୍ବଭାଵତଃ ଓଲା ହୋଇଥିଵାରୁ  ସେ ତାକୁ ଗୁପ୍ତଧନ ମିଳିଵା ଓ ଧନ ଵଣ୍ଟନ ପାଇଁ ଥଳୀ ଆଵଶ୍ଯକ ଥିଵା ଇତ୍ଯାଦି ସବୁକଥା ଖୋଲିକି କହିଦେଲା । ଝିଅଟି ଓଲାକୁ ନିଜ ଲୁଗାରୁ ଖଣ୍ଡେ ଦେଇ ତା ପଛରେ ସିନ୍ଧୁକ ପାଖକୁ ଗଲା ।

ପ୍ରକୃତରେ ଠକଟା ଓଲାକୁ କୌଶଳରେ ଥଳୀ ଆଣିଵାପାଇଁ ପଠେଇ ଦେଇ ନିଜେ ସବୁ ଧନ ନେଇଯିଵାର ଯୋଜନା କରିଥିଲା । ଓଲା ଯେମିତି ଥଳୀ ଆଣିଵାକୁ ଗଲା ଠକ ସବୁ ମୂଲ୍ଯଵାନ ଵସ୍ତୁ ସେ ଲୁଚେଇଥିଵା ଗୋଟିଏ ଥଳୀରେ ପୁରେଇଵାକୁ ଲାଗିଲା ‌ । ଥଳୀରେ ପ୍ରାୟ ସବୁ ଵସ୍ତୁ ଭରିଦେଇଥାଏ । ସିନ୍ଧୁକ ଭିତରେ ଆଉ ଗୋଟିଏ ସୁନା ମୋହର ରହିଯାଇଥାଏ ‌ । ଠକଟା ବଡ଼ ଚେଣ୍ଟା ଥିଲା । ସେ ସିନ୍ଧୁକରେ ଗୋଟିଏ ବି ମୋହର ଛାଡି଼ଦେଵାକୁ ଚାହୁଁନଥିଲା । ଶେଷ ସ୍ଵର୍ଣ୍ଣ ମୋହର ଆଣିଵାକୁ ଚେଷ୍ଟା କରିଵା ଭିତରେ ଠକଟି ସିନ୍ଧୁଟ ଭିତରେ ପଡି଼ଗଲା ଆଉ ସେ ଯେମିତି ସିନ୍ଧୁକ ଭିତରେ ପଡି଼ଛି ତାହା ବନ୍ଦ ହୋଇଗଲା । ଠକ ଵିଚରା କେତେ କାନ୍ଦ ବୋବାଳି କଲେ ହେଁ ତା କଥା ସିନ୍ଧୁକ ଭିତରେ ରହିଗଲା ବାହାରକୁ ଶୁଣାଗଲା ନାହିଁ ।

କିଛି ସମୟ ପରେ ଓଲା ଓ ଚଷାଝିଅ ଉଭୟ ସେହି ସିନ୍ଧୁକ ପାଖକୁ ଆସିଲେ ଆଉ ବନ୍ଧା ହୋଇଥିଵା ମୂଲ୍ଯଵାନ ଦରଵ ଧରି ମହା ଆନନ୍ଦରେ ଘରକୁ ଫେରି ବାହା ହୋଇ ରହିଲେ ।

ଆଉ ସେ ଵିଚରା ଠକ 😀 ସେ ସିନ୍ଧୁକରେ ମଲାପର୍ଯ୍ୟନ୍ତ ଭାବୁଥିଵ ସିନ୍ଧୁକରେ ତ ଲେଖାଥିଲା ଯିଏ ଖୋଲିଵ ସେ ଅସୁଵିଧାରେ ପଡି଼ଵ ତାହେଲେ ମୁଁ କେମିତି ଏହା ଭୋଗିଲି 🤔

No comments:

Post a Comment

ଓଡ଼ିଆ ସାହିତ୍ୟରେ ରାଣ୍ଡ ଓ ରାଣ୍ଡୀ ଶବ୍ଦର ଵ୍ୟଵହାର ଓ ଏହାର ଵ୍ୟୁତ୍ପତ୍ତି ଇତିହାସ

କନ୍ୟାସୁନା ଗଳ୍ପରେ ଫକୀର ମୋହନ ସେନାପତି ରାଣ୍ଡ ଶବ୍ଦକୁ ଵିଧଵା ଅର୍ଥରେ ଦୁଇଥର ପ୍ରୟୋଗ କରି ଲେଖିଛନ୍ତି... “ମିଶ୍ରେ କହିଲେ, "ସେ କଥା ଏ କଥା ଢେର ତଫାତ୍ । ସେ ...