ଭଗଵାନ ଆସି ଦେଖିଲେ ଯେ ଖେଳରେ ବଢ଼େ ଗୁହିଁ ଗୁନ୍ଧୁରି ହେଉଛି । ତେଣୁ ଭଗଵାନ ନିଜେ ଅମ୍ପାୟାର୍ ହୋଇଗଲେ । ଖେଳରେ ଫ୍ରାଙ୍କ୍ମାନେ ଜିତିଗଲେ କିନ୍ତୁ ଅନ୍ୟ ଦଳମାନେ ସହିପାରିଲେ ନାହିଁ। ଭୀଷଣ ବାଡ଼ିଆପିଟା ଲାଗିଯିଵାରୁ ଭଗଵାନ ପୁଣି ମଧ୍ୟସ୍ଥି ହୋଇଗଲେ ଆଉ ପାଞ୍ଚ ଜାତି ମଧ୍ୟରେ ମାଟି ବାଣ୍ଟିଦେଲେ । ତଥାପି ଫ୍ରାଙ୍କ୍ ଆଉ ଫ୍ରିଶିଆନଙ୍କ ତୁଲେ ଆଙ୍ଗେଲ୍,ସାକ୍ସନ୍ ଆଉ ଜୁଟ୍ସ୍ମାନଙ୍କର ପଡ଼ୁନଥିଲା ତେଣୁ ସେମାନେ ସମୁଦ୍ରରେ ନୂଆ ଭୂଇଁ ଉଣ୍ଡିଵାକୁ ବାହାରି ଗଲେ ଆଉ ଯାଇ ପହଞ୍ଚିଲେ ବ୍ରିଟେନ ଦ୍ଵୀପରେ । ସେତେବେଳେ ବ୍ରିଟେନ୍ ଦ୍ଵୀପରେ କେଲ୍ଟିକ୍ ଲୋକେ ରହୁଥିଲେ । ସେମାନଙ୍କୁ ମାରି ପିଟି ତଡ଼ି ଯାହା ତାହା କରି ଇଂଲଣ୍ଡ ଅଞ୍ଚଳକୁ ଅଧିକାର କଲେ । ଏହିପରି ଭାବେ ଆଙ୍ଗେଲ୍,ସାକ୍ସନ୍ ଓ ଜୁଟ୍ସ୍ମାନେ ମିଶି ଗୋଟିଏ ଜାତି ଗଢ଼ିଲେ ଯାହାର ନାଆଁ ହେଲା ଇଂରେଜ । କିନ୍ତୁ ଆରମ୍ଭରେ ସେମାନେ ଭିନ୍ନ ଭିନ୍ନ ଜର୍ମାନ୍ ଭାଷା ବୋଲୁଥିଲେ ଯାହାର ତାଳମେଳ ବିଗିଡ଼ି ଯିଵାରୁ ଅନେକ ଅଘଟଣ ଘଟୁଥିଲା । ଉଦାହରଣ ସ୍ଵରୂପ ଆଙ୍ଗେଲ୍ ଲୋକଟେ 'ପାଣି' କହିଲେ ତାକୁ ସାକ୍ସ୍ନ ଲୋକଟାଏ 'ମୁତ୍ର' ବୁଝୁଥିଲା । ଦିନ ରାତି ଚାରି ଆଡ଼େ ଏଥିପାଇଁ ବଡ଼ ପାଲା ଲାଗୁଥିଲା । ଭଗଵାନ ଦେଖିଲେ ଏ ଇଂରେଜଗୁଡ଼ା ମଝିରେ ମଝିରେ ନିୟନ୍ତ୍ରଣ ବାହାରକୁ ଯାଇ ଵିଭିନ୍ନ ଅଵାନ୍ତର ଅନୈତିକ କାର୍ଯ୍ୟମାନ କରୁଛନ୍ତି । ସେସବୁ କୁକର୍ମମାନ ଦେଖି ଭଗଵାନ ଅତ୍ୟନ୍ତ ଵିରକ୍ତ ହେଲେ ।
“ଧେତ୍ ! ଏ ଇଂରେଜଗୁଡ଼ାଙ୍କୁ ମୁଁ ସୃଷ୍ଟି ନକରିଥିଲେ ଵରଂ ଭଲ ହୋଇଥାନ୍ତା !” ନିରାଶ ହୋଇ ଭଗଵାନ କହୁଥାନ୍ତି। ତେବେ ଏମାନଙ୍କୁ ସଂସାରରୁ ହଟାଇଵାରେ ବହୁତ ଵିଳମ୍ବ ହୋଇଯାଇଛି ବୋଲି ଭଗଵାନ ଭଲ ଭାବରେ ବୁଝିଥିଲେ । ତେଣୁ ଭଗବାନ ଵିଚାରିଲେ ଵରଂ ୟେ ଏ ଇଂରେଜମାନଙ୍କୁ ସିଧା ବାଟକୁ ଫେରାଇ ଆଣିଵାକୁ ହେଵ । ଏହି ଯୋଜନା ଅନୁସାରେ ପ୍ରଥମେ ଭଗଵାନ ମାନଙ୍କୁ କିଛି ପ୍ରତିକୂଳ ଜଳଵାୟୁ ଦେଇଦେଲେ, କିନ୍ତୁ ତାହା ପ୍ରଭାଵହୀନ ପ୍ରମାଣିତ ହେଲା ।
ସେଇଠୁ ଭଗଵାନ ହାୱାଇଦ୍ଵୀପକୁ ଚାରି ଶତାବ୍ଦୀ କାଳ ପର୍ଯ୍ୟନ୍ତ ଛୁଟି କଟାଇଵାକୁ ଚାଲିଗଲେ । ଅନେକ ଶତାବ୍ଦୀ ପରେ ଭଗଵାନ ଫେରିଆସି କିଛି ମୂର୍ଖ ମେଷପାଳକଙ୍କ ସହାୟତାରେ ଇଂରାଜୀ ନାମକ ଏକ କିମ୍ଭୁତକିମାକାର ଭାଷା ସୃଷ୍ଟି କଲେ ଆଉ ଇଂରେଜମାନଙ୍କୁ ଏହି ଭାଷା ବୋଲିଵାକୁ ବାଧ୍ୟ କଲେ । ଭଗଵାନଙ୍କର ଆଶା ଥିଲା ଯେ ଏହି ଇଂରାଜୀ ଭାଷାର ଜଟିଳତା ଦ୍ୱାରା ବ୍ରିଟେନ୍ ଦ୍ଵୀପର ଇଂରେଜମାନେ ହତୋତ୍ସାହିତ ଓ ଵ୍ୟସ୍ତ ଵିଵ୍ରତ ହୋଇ ରହିବେ । କିନ୍ତୁ ଭଗଵାନଙ୍କର ଏ ଯୋଜନା ମଧ୍ୟ କାମ କଲା ନାହିଁ । ସେଇଠୁ ଭଗଵାନ ଏଗୁଡ଼ାଙ୍କୁ ପାନେ ଦେଵାକୁ ଆଉ ଥରେ ଫ୍ରାଙ୍କ୍ ଆଉ ଇଂରେଜ ଜାତି ମଧ୍ୟରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଭିଆଇଲେ । ଏଥର ମଧ୍ୟ ଫ୍ରାଙ୍କ୍ ଲୋକେ ଜିତିଗଲେ ଆଉ ଅନେକ ଵର୍ଷ ଯାଏଁ ଇଂରେଜମାନଙ୍କ ରାଜା ହୋଇ ତାଙ୍କ ମୁଣ୍ଡ ଉପରେ ବସିଗଲେ । ଶେଷକୁ ଏମାନଙ୍କ ଦୁଃଖ ଦେଖି ଭଗଵାନଙ୍କୁ ଦୟା ଆସିଗଲା ତେଣୁ ସେ ଆଉ ଇଂରେଜମାନଙ୍କୁ ହଇରାଣ ନକରି ସ୍ଵର୍ଗକୁ ଫେରିଗଲେ । ସେବେଠୁ ଭଗଵାନ ଯାଇଛନ୍ତି ଯେ ଯାଇଛନ୍ତି । ଏଣେ ଭଗଵାନ ନଥିଵାର ସୁଯୋଗ ନେଇ ଇଂରେଜମାନେ ସାରା ପୃଥିଵୀଟା ସାରା ଖଣ୍ଡେ ଖଣ୍ଡେ ଯାଗା ମାଡ଼ି ବସିଲେ ଆଉ ନିଜ ଭାଷାକୁ ସମସ୍ତଙ୍କୁ ଜ୍ଞାନର ଭାଷା କହି ଶିଖେଇ ଦେଲେ ।
ଅଵଶ୍ୟ ଏହି ଲୋକକଥାଟା କୌଣସି ଇଂରାଜୀ ଭକ୍ତ କିମ୍ବା କଳାଇଂରେଜ ଦ୍ଵାରା କରାଯାଇଥିଵା ଏକ ଅପପ୍ରଚାର ବୋଲି ମଧ୍ୟ କେହି କେହି ଅନୁମାନ କରନ୍ତି ।
ତେବେ ଏହା ସତ୍ୟ ଯେ ଆଦି କାଳରୁ ଇଂରେଜମାନେ ବଡ଼ କାଢ଼ୁଆ ଜାତି ଥିଲେ । ଅଵଶ୍ୟ ପଞ୍ଚଦଶ ଶତାବ୍ଦୀ ପୂର୍ଵରୁ ଇଂରେଜମାନେ ପୃଥିଵୀରେ ଵିଶେଷ କିଛି ତାଡ଼ି ନଥିଲେ କିନ୍ତୁ ପଞ୍ଚଦଶ ଶତାବ୍ଦୀ ପରେ ଏମାନେ ସାରା ପୃଥିଵୀଟାକୁ ନିଜ ବୋପା ସମ୍ପତ୍ତି ମନେ କରି ଗୋଟିଏ ପରେ ଗୋଟିଏ ଦେଶ ଅଧିକାର କରିଵାକୁ ଲାଗିଲେ । ସ୍ଥଳଭାଗରେ ବେପାରୀ ଆଉ ଜଳଭାଗରେ ଜଳଦସ୍ୟୁ ହୋଇ ଯୋଉଠି ଯେମିତି ସୁଵିଧା ହେଲା ଲୋକଙ୍କୁ ଲୁଣ୍ଠନ କରିଵା ଏହା ହିଁ ଇଂରେଜ ଵ୍ୟକ୍ତିର ଜାତୀୟ ଚରିତ୍ର ହୋଇଗଲା ।
ଇଂରେଜମାନେ ଭାରତକୁ ଜଳଦସ୍ୟୁ ଓ ସ୍ଥଳଦସ୍ୟୁ ହୋଇ ଆସିଲାରୁ ଏଠାକାର ଲୋକେ ଏମାନଙ୍କୁ ବାଜା ଆଉ ଶଙ୍ଖ ବଜେଇ ଏମନ୍ତ ସ୍ଵାଗତ କଲେ ଯେ ବଡ଼ ଶ୍ରଦ୍ଧା ସହକାରେ ଦୁଇଶତାଧିକ ଵର୍ଷ ଭାରତକୁ ବାପ ଅଜାର ବିଲ ବାଡ଼ି ମଣି ରଖିନେଲେ । ଇଂରେଜମାନେ କିନ୍ତୁ ଭାରତ ଭିତରେ ସୀମିତ ରହିଵାକୁ ଚାହୁଁନଥିଲେ ତେଣୁ ସେମାନେ ଚୀନ ଗଲେ କିନ୍ତୁ ଚୀନାମାନେ ତାଙ୍କଠାରୁ ଅଫିମ ନେଲେ ଆଉ ସେହି ଅଫିମ ନିଶାରେ ଏମିତି ସାମୁହିକ ଜୁତେଇଲେ ଯେ ଇଂରେଜମାନେ ଆଉ ଚୀନ ନାମ ହିଁ ଧରିଲେ ନାହିଁ । ତଥାପି ଏସିଆ ଓ ଆଫ୍ରିକାର ଅନେକ ଦେଶକୁ ଇଂରେଜମାନେ ଅଧିକାର କରିନେଵାରୁ ତାଙ୍କ ଇଂରାଜୀ ଭାଷାଟା ଆଜି ପୃଥିଵୀର lingua franca ହୋଇଯାଇଛି । କିନ୍ତୁ ଭାଷାଵିଦ୍ ରବର୍ଟ ହେନେରୀ ଫିଲିଫସନଙ୍କ ଅନୁସାରେ ପୃଥିଵୀର ଵିଭିନ୍ନ ଦେଶର ସ୍ଥାନୀୟ ଅଧିଵାସୀଙ୍କ ଉପରେ ଗୋଟିଏ ଛୋଟିଆ ଦ୍ଵୀପର ବଙ୍କା ଟେହେଁଣା ଅଷ୍ଟଵକ୍ର ଭାଷା ଲଦି ଯେଉଁ English imperialism ନାମକ ଭୁର୍କୁଟି କରାଯାଉଛି ତାହା ଅନେକ ଭାଷାହତ୍ୟାର କାରଣ ହୋଇଛି ଏଵଂ ଭଵିଷ୍ୟତରେ ଶତାଧିକ ଭାଷାମୃତ୍ୟୁର କାରଣ ହେଵ । ଅଷ୍ଟ୍ରେଲିଆ ଓ ଆମେରିକାର ମୂଳ ପ୍ରାଚୀନ ଭାଷାଗୁଡି଼କୁ ମାରି ଦେଵାରେ ଇଂରାଜୀ ଭାଷାର ଯଥେଷ୍ଟ ଯୋଗଦାନ ରହିଛି ।ସେଥିପାଇଁ ଇଂରାଜୀ ଭାଷାର ଏହି ଅଦ୍ଭୁତ ଦୈଵୀ ଗୁଣ ପାଇଁ ରବର୍ଟ ହେନେରୀ ଫିଲିଫସନ ଏ ଭାଷାକୁ "lingua frankensteinia" ନାମ ଦେଇଥିଲେ ।
ଇଂରାଜୀ ଭାଷାକୁ ସାରା ଵିଶ୍ଵର ଶିକ୍ଷିତମାନଙ୍କର ଭାଷା ଭାବୁଥିଵା ଦେଵତାମାନେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମହିମା ଗାନ କରି କରି ମରିଯାଆନ୍ତି । ଦି ଅକ୍ଷର ଇଂରାଜୀ ପଢ଼ିଦେଲା ପରେ ଇଂରେଜମାନଙ୍କର ଇଂରାଜୀ ଭାଷାଟା ଏମାନଙ୍କ ଧମନୀରେ ରକ୍ତ ଭଳି ପ୍ରଵାହିତ ହେଵାକୁ ଲାଗେ । ଜଣେ ଇଂରେଜ-ଇଂରାଜୀପ୍ରେମୀ ମନୁଷ୍ୟରୂପୀ ଅଣଇଂରେଜ ଦେଵତାଙ୍କ ଦେହକୁ ଧାତଵ ପାତିଆ ବଳରେ ସାମାନ୍ୟ କାଟି ଦେଲେ ରକ୍ତ ପରିଵର୍ତ୍ତେ ଇଂରାଜୀ ବାହାରେ । ଇଂରାଜୀପ୍ରେମୀ କଳାଇଂରେଜଙ୍କର ଲଘୁଶଙ୍କା ଦୀର୍ଘଶଙ୍କା ତଥା ଵାୟୁତ୍ୟାଗ ସମୟରେ କେଵଳ ଇଂରାଜୀ ହିଁ ବାହାରେ । ଏହି ଇଂରାଜୀଭକ୍ତ କଳାଇଂରେଜମାନେ ଇଂରାଜୀ ଭାଷାକୁ ପୃଥିଵୀର ସବୁ ଭାଷା ମଧ୍ୟରେ ଶ୍ରେଷ୍ଠ ଓ ମୁଣ୍ଡିଆଳ ଭାଷା ମଣିଵାକୁ ଲୋକଙ୍କୁ ପ୍ରଵର୍ତ୍ତାଇ ଥାଆନ୍ତି । ଏଥିପାଇଁ ସେମାନେ କେତୋଟି ହେତ୍ବାଭାସ ଵା ଭ୍ରାନ୍ତିର ପ୍ରଚାର ପ୍ରସାର କରିଛନ୍ତି । ଯଥା :
(କ)ବହୁଭାଷୀୟ ହେତ୍ବାଭାସ
ଏହି ଭ୍ରାନ୍ତି ପ୍ରଚାର ପୂର୍ଵକ ଇଂରାଜୀ ଭକ୍ତ କଳା ଇଂରେଜମାନେ କୁହନ୍ତି ଏକ ଦେଶରେ ଏକାଧିକ ଭାଷା କଥିତ ହେଉଥିଲେ ସେହିସବୁ ଭାଷା ମଧ୍ୟରେ କୌଣସି ଗୋଟିଏ ଭାଷାକୁ lingua franca ଵା ରାଷ୍ଟ୍ରଭାଷା ବୋଲି ଗ୍ରହଣ ନକରି ଜଳଦସ୍ୟୁ ଲୁଣ୍ଠନକାରୀ ଇଂରେଜମାନଙ୍କ ଭାଷାକୁ ସେ ଦେଶର ପ୍ରଶାସନିକ ଭାଷା ତଥା ରାଷ୍ଟ୍ରଭାଷା କରାଯାଉ ।
(ଖ)ସ୍ଥାନୀୟ ଵକ୍ତା ହ୍ଵେତ୍ଵାଭାସ
ଏହି ଭ୍ରାନ୍ତି ପ୍ରଚାର କରି କୁହାଯାଏ ଯଦି ଇଂରେଜମାନଙ୍କ ଭାଷାକୁ ମାତୃଭାଷା ଭାବେ ପିଲାଏ ଗ୍ରହଣ କରିବେ ସେମାନେ ଭଵିଷ୍ୟତରେ ଅଧିକ ଉନ୍ନତି କରିବେ ଏଵଂ ବଡ଼ ଚାକିରୀ କରି ଧନୀ ହୋଇପାରିବେ । ସେଥିପାଇଁ ଭାରତ ଭଳି ଦେଶର ମାଆ ବାପା ଛୋଟବେଳୁ ପିଲାଙ୍କୁ ସେମାନଙ୍କର ନିଜର ମାତୃଭାଷା ନଶିଖାଇ ଇଂରାଜୀ ଭାଷାକୁ ସେମାନଙ୍କ ମାତୃଭାଷା କରିଵାକୁ ନାନାଵିଧ ଚେଷ୍ଟା କରିଥାନ୍ତି ।
(ଗ) ପ୍ରାରମ୍ଭିକ ଆରମ୍ଭ ହେତ୍ବାଭାସ
ଏହି ଭ୍ରାନ୍ତି ପ୍ରଚାର ଦ୍ଵାରା କଳା ଇଂରେଜମାନେ ଯୁକ୍ତି କରନ୍ତି ପିଲାମାନଙ୍କୁ ଯେତେ ଶୀଘ୍ର ଇଂରାଜୀ ଶିଖାଯିଵ ସେମାନଙ୍କ ଜୀଵନ ସେତେ ଉନ୍ନତ ହେଵ । ସେଥିପାଇଁ ଭାରତ ଭଳି ଦେଶରେ ଛୋଟ ଛୋଟ ପିଲାଙ୍କୁ ଇଂରାଜୀ ଭାଷା ପଢ଼ାଇ ବାପାମାଆମାନେ ଧର୍ମକାର୍ଯ୍ୟ କରୁଛନ୍ତି ବୋଲି ମନେ କରନ୍ତି ।
(ଘ) ସର୍ଵାଧିକ ପ୍ରକାଶ ହେତ୍ବାଭାସ
ଇଂରାଜୀ ଭାଷାକୁ ଯେତେ ଅଧିକ ପଢ଼ିବେ ,ଜାଣିବେ ସେତେ ଉନ୍ନତ ମନୁଷ୍ୟ
ହେବେ ବୋଲି ଆଉ ଏକ ଭ୍ରାନ୍ତିର ଵିଶେଷ ପ୍ରଚାର ପ୍ରସାର ହୋଇଥାଏ ।
(ଙ)ଵିୟୋଗମୂଳକ ହେତ୍ବାଭାସ
ଏହି ଭ୍ରାନ୍ତି ପ୍ରଚାର କରି କଳା ଇଂରେଜମାନେ କୁହନ୍ତି ଯଦି ଇଂରାଜୀ ଭାଷାରେ ଦକ୍ଷତା ଲାଭ କରିଵାକୁ ଚାହୁଁଛନ୍ତି ତାହେଲେ ନିଜର ଓଡ଼ିଆ ହିନ୍ଦୀ ବଙ୍ଗଳା ଆଦି ସ୍ଥାନୀୟ ଦେଶୀୟ ମାତୃଭାଷା ଆଦି ତ୍ୟାଗ କରି ଇଂରାଜୀ ଭାଷାରେ ହିଁ କଥା ଭାଷା ହୁଅନ୍ତୁ ଓ ଲେଖାଲେଖି କରନ୍ତୁ । ଅନ୍ୟ ଭାଷା ଵ୍ୟଵହାର ଦ୍ଵାରା ଇଂରାଜୀ ଭାଷାରେ ଦକ୍ଷତା ହ୍ରାସ ଘଟିଥାଏ ବୋଲି ପ୍ରଚାର କରାଯାଏ ।
ଏତଦଵ୍ୟତୀତ ଇଂରାଜୀ ଭାଷାକୁ କଳା ଇଂରେଜମାନେ ଦୈଵୀୟ,ମହାନ, ଉନ୍ନତ ଓ ଆକର୍ଷଣୀୟ ଭାଷା ବୋଲି ପ୍ରଚାର କରନ୍ତି । ଅନେକ କଳା ଇଂରେଜ ମଧ୍ୟ ଇଂରାଜୀ ଏକ ସୁପ୍ରତିଷ୍ଠିତ ଭାଷା ଏଵଂ ଅନେକଙ୍କ ଦ୍ଵାରା ଵ୍ୟଵହୃତ ଭାଷା ତଥା ଏ ଭାଷାରେ ବହୁତ ପ୍ରଶିକ୍ଷିତ ଶିକ୍ଷକ ଓ ଶିକ୍ଷାଦାନ ସାମଗ୍ରୀ ଥିଵାରୁ ଏହାକୁ ନିଜ ମାତୃଭାଷାଠାରୁ ଶ୍ରେଷ୍ଠଭାଷା ମନେ କରନ୍ତି । ଇଂରାଜୀ ଶିଖିଲେ ସାରା ଵିଶ୍ଵର କବାଟ ଖୋଲିଯିଵ, ଇଂରାଜୀ ହିଁ ଜ୍ଞାନ ଵିଜ୍ଞାନର ଭାଷା, ଇଂରାଜୀ ଆଧୁନିକତାର ଭାଷା, ଇଂରାଜୀ ଦକ୍ଷତା ପରିପ୍ରକାଶର ଭାଷା, ଇଂରାଜୀ ହିଁ ମହାନ ଵ୍ୟକ୍ତିଙ୍କର ଭାଷା ଇତ୍ୟାଦି ଇତ୍ୟାଦି କହି କଳା ଇଂରେଜମାନେ ଇଂରାଜୀ ଭାଷାର ମହିମାଗାନ କରି କରି ମରି ଯାଆନ୍ତି ପଛକେ ନର୍କରେ ବି ତାଙ୍କର ଇଂରାଜୀ ପ୍ରେମ କିଞ୍ଚିତ୍ ବି ଊଣା ହୁଏନାହିଁ । ନିଜ ମାତୃଭାଷା ମରିଯାଉ ପଛକେ ଇଂରାଜୀ ଭାଷା ଶ୍ରେଷ୍ଠଭାଷା ମହାନ ଭାଷା ବୋଲି ପ୍ରଚାର ପ୍ରସାର କରି କରି ମରିଯିଵା ହିଁ କଳାଇଂରେଜମାନଙ୍କ ନିୟତି ।