Sunday, August 25, 2024

କାଳକୂଟ ପୁରାଣ

ଏଣ୍ଡୁଅ ଆଉ କାଳକୂଟ ଦୁଇଜଣ ଅନ୍ତରଙ୍ଗ ବନ୍ଧୁ ଥିଲେ । ଉଭୟଙ୍କର ଉଚ୍ଚ ଆଶା ଥିଲା ଯେ ସେମାନେ କେମିତି ଈଶ୍ଵରଙ୍କଠାରୁ ବର ପାଇ ଶକ୍ତିଶାଳୀ ହେବେ । ତେଣୁ ଉଭୟେ ଵର ପାଇଵାକୁ ଈଶ୍ୱରଙ୍କ ନିକଟକୁ ଗଲେ । ଈଶ୍ଵର ସେମାନଙ୍କ ନିଷ୍ଠା ପରୀକ୍ଷା କରିଵା ପାଇଁ କହିଲେ ମୋତେ ଭାରି ଶୋଷ ,ଯିଏ ପାଣି ଆଣି ଦଵ ତାକୁ ମୁଁ ଇଚ୍ଛା ଅନୁସାରେ ଶକ୍ତି ଦେବି । ଏଣ୍ଡୁଅ ଆଉ କାଳକୂଟ ଜଳ ଯୋଗାଡ଼ରେ ଲାଗିଗଲେ । ଏଣ୍ଡୁଅ ଅତି ବୁଦ୍ଧି ଖଟେଇ ଗୋଟେ ଚଉପତାରେ ନିଜ ମୁତ୍ରକୁ ସଂଗ୍ରହ କରି ତାକୁ ଆଣି ଈଶ୍ୱରଙ୍କୁ ଦେଲା । ଈଶ୍ଵର ତାହା ମୁତ୍ର ଜାଣିପାରି ଅଭିଶାପ ଦେଲେ ଏଣିକି ଏଣ୍ଡୁଅ ଆତ୍ମରକ୍ଷା ପାଇଁ ନିଜର ସବୁ ବୁଦ୍ଧି ଖଟେଇଵ ‌। ଏଣ୍ଡୁଅ ସେଇ ଦିନଠାରୁ ଆଜି ଯାଏଁ ଵିପଦ ଦେଖିଲେ ସେଥିରୁ ମୁକୁଳିଵାକୁ ମୁଣ୍ଡ ଟୁଙ୍ଗାରି ବୁଦ୍ଧି ବାହାର କରୁଛି । 

ଏଣେ କାଳକୂଟ ଚାରି ଆଡ଼େ ବୁଲି ବୁଲି ଘାସ ଉପରେ ଓ ସାରୁଗଛ ପତ୍ର ଉପରେ ଥିଵା ଜଳକୁ ଚଉପତାରେ ସଂଗହ କରି ଆଣି ଈଶ୍ୱରଙ୍କୁ ପିଇଵାକୁ ଦେଲା । ଈଶ୍ଵର କାଳକୂଟର ସେଵାଭାଵ ଦେଖି ପ୍ରସନ୍ନ ହୋଇ ଵର ଯାଚିଲେ । କାଳକୂଟ କହିଲା ପ୍ରଭୁ ମୁଁ ଗୋଟିଏ ନିରୀହ ଜୀଵ ସମସ୍ତେ ମୋତେ ମାରି ଖାଇଯାଆନ୍ତି ତେଣୁ ଆପଣ ମୋର ସାରା ଶରୀର ଵିଷଵତ୍ କରିଦିଅନ୍ତୁ । ଭଗଵାନ ଟିକେ ଭାବି ତାକୁ ତଥାସ୍ତୁ କହି ଵର ଦେଇଦେଲେ । ତାପରେ କାଳକୂଟ ଦିନା କେତେ ଥିର୍ ଥାର୍ କରି ରହିଲା ତାପରେ ମଣିଷ ବିଲେଇ କୁକୁର ବାଘ ହରିଣ ମାଛ ଷଣ୍ଢ ଯାହାକୁ ପାଇଲା କାମୁଡି଼ ଗୋଡ଼ାଇଲା । କାଳକୂଟର ଏତେ ଅହଂକାର ହୋଇଗଲା ଯେ ସେ ଭାବିଲା ମୁଁ ହିଁ ହର୍ତ୍ତାକର୍ତ୍ତା ଦୈଵ ଵିଧାତା ।‌ କାଳକୂଟର ଏତାଦୃଶ ଅହଂ ଅସ୍ମିତା ଦେଖି ଭଗଵାନ ତାହାର ସ୍ମୃତି ଲୋପ କରାଇଦେଲେ ଏଵଂ ଗୁପ୍ତରେ ତା ଲାଙ୍ଗୁଡ଼ରେ 'କାଲି' ଏହି ଶବ୍ଦ ଲେଖି ଦେଲେ । କାଳକୂଟ ମର୍ତ୍ତ୍ୟଲୋକକୁ ଫେରି କାହାକୁ କାମୁଡ଼ିଵାକୁ ଗଲା ବେଳେ ପଛକୁ ଲାଙ୍ଗୁଡ଼ ଆଡ଼କୁ ଚାହିଁ ଦେଇ 'କାଲି କାମୁଡ଼ିଵି' ବୋଲି ଲେଖା ହୋଇଛି ଦେଖି କାମୁଡ଼ିଲା ନାହିଁ ଓ ପ୍ରତିଦିନ ଏହିପରି 'କାଲି' 'କାଲି' କରି ଆଦୌ କାହାକୁ କେବେବି କାମୁଡ଼ିପାରିଲା ନାହିଁ। କାଳକ୍ରମେ ସେଇ କାଳକୂଟର ଚମ୍ପେଇନେଉଳ,ତେଲଗୁଣି ସାପ ଆଦି ଅନେକ ଛୁଆ ହେଲେ କିନ୍ତୁ ପୂର୍ଵଜଙ୍କୁ ମିଳିଥିଵା ଅଭିଶାପ ଯୋଗୁଁ ଵିଷହୀନ ରହିଲେ । 


(ଏହି ଲୋକକଥା ଆଧାରରେ ଓଡ଼ିଆ ଭାଷାରେ ''ଚମ୍ପେଇ ନେଉଳି 'କାଲି' କରିଵା" ପ୍ରବଚନଟିଏ ଚଳୁଅଛି । ଯେକୈଣସି କାର୍ଯ୍ୟ କରିଵାକୁ ଯାଇଁ ପ୍ରତିଦିନ 'କାଲି' କରିବି 'କାଲି' କରିବି ବୋଲି ଯେ କହେ ଓ ଆଦୌ ସେ କରି ପାରେ ନାହିଁ ସେ କ୍ଷେତ୍ରରେ ଏହି ପ୍ରଵଚନ ପ୍ରୟୋଗ କରାଯାଏ ।‌)
•••••••••••••••••••••••••
ଚମ୍ପେଇନେଉଳ : ଇଂରାଜୀ ଭାଷାରେ ଚମ୍ପେଇନେଉଳକୁ skink କୁହନ୍ତି । ଚମ୍ପେଇନେଉଳ Scincidae କୁଳର ଜୀଵ ଏଵଂ ଏହି କୁଳରେ ଶହେରୁ ଅଧିକ ବଂଶ ତଥା ୧୫୦୦ରୁ ଅଧିକ ଜାତିର ଚମ୍ପେଇନେଉଳ ଅଛନ୍ତି। Scincidae ଚମ୍ପେଇନେଉଳ କୁଳକୁ ସାତୋଟି ଉପକୁଳରେ ଵିଭକ୍ତ କରାଯାଇଛି । ଏହି ଉପକୁଳଗୁଡ଼ିକ ମଧ୍ୟରେ Acontinae ଉପକୁଳରେ ପଦହୀନ ସର୍ପ ସାଦୃଶ୍ୟ ତେଲୁଗୁଣି ସାପ ଵା ତେଲୁଗୁଣିଆ ଚମ୍ପେଇ ଅଛନ୍ତି। Egerniinae ଉପକୁଳରେ ଵିଭିନ୍ନ ଜାତୀୟ ରୂପରଙ୍ଗର ଚମ୍ପେଇ ଅଛନ୍ତି। Eugongylinae ଉପକୁଳରେ ଲମ୍ବା ଲାଞ୍ଜଯୁକ୍ତ ଚମ୍ପେଇ ଅଛନ୍ତି। 
Lygosominae ଉପକୁଳରେ ଆମ ଗାଆଁ ଗଣ୍ଡାରେ ଦେଖାଯାଉଥିଵା ଭାରତୀୟ ଚମ୍ପେଇନେଉଳ ଅଛନ୍ତି। 
Mabuyinae ଓ Scincinae ଉପକୁଳରେ ନାନାରଙ୍ଗର ଚମ୍ପେଇ ଅଛନ୍ତି।Sphenomorphinae ଉପକୁଳରେ କାଳକୂଟ ନାମରେ ଜଣାଶୁଣା ଲାଲ ଲାଞ୍ଜିଆ ଚମ୍ପେଇ ଅଛନ୍ତି । ମୋଟ ଉପରେ କହିଵାକୁ ଗଲେ ଝିଟିପିଟି ଜାତୀୟ ଜୀଵଙ୍କ ମଧ୍ୟରେ ଚମ୍ପେଇନେଉଳ କୁଳରେ ସର୍ଵାଧିକ ଵିଵିଧତା ଦେଖାଯାଇଥାଏ। 

ଵିଭିନ୍ନ ଓଡ଼ିଆ ନାମ : ଚମ୍ପେଇନେଉଳର ଓଡ଼ିଶାରେ ଅନେକ ନାମ ଅଛି ଯଥା : ଚମ୍ପେଇନୁଳି, ଚମ୍ପେଇନେଉଳି,ଚେମ୍ପରୁଳି,ଚମ୍ପେଇନଲି,ଚମ୍ପାନାଉଳି,ଚମ୍ପେଇନାଳୀ,ଚେମ୍ପେଇରୁଳି,ଘିର୍‌ଲିଖା,ହାଉଳି,ଆଉଲି,କାଳକୁଟ,କାଲକୁତ,ଗିରୋଳ,ଗେରୁଲ,ଗିଲର୍,ଗିଲ,ଗିହ୍ଲ,ଘିରଲୋ,ବଳଦଲୁକାନି,କେତରାଳି,କେତ୍ରା,କେତ୍ରି,କେଲ୍ କେତ୍ରା ଓ କେତେରା ଇତ୍ୟାଦି ଇତ୍ୟାଦି 

ଵିଷାକ୍ତ ? : ପ୍ରକୃତରେ ମନୁଷ୍ୟମାନଙ୍କ ପାଇଁ ଚମ୍ପେଇନେଉଳି ଵିଷାକ୍ତ ନୁହେଁ ତେବେ ଏ ଜୀଵ ନିଜ ଶିକାରକୁ ସମ୍ପୂର୍ଣ୍ଣ ଗିଳିଵା ଆଗରୁ କାମୁଡ଼ିଥାଏ ବୋଧହୁଏ ସେଥିପାଇଁ ମନୁଷ୍ୟମାନଙ୍କ ମଧ୍ୟରେ ଏ ଜୀଵ ଵିଷାକ୍ତ ବୋଲି ଏକ ଭ୍ରମ ଧାରଣା ଜାତ ହୋଇଥିଲା ଏଵଂ ତତ୍ ଆଧାରରେ ପରେ ଏଭଳି ଏକ କାହାଣୀ ପ୍ରଚଳିତ ହୋଇଛି । 

ଏଣ୍ଡୁଅ କାହିଁକି ମୁଣ୍ଡ ଟୁଙ୍ଗାରିଥାଏ : ନିଜର ଦୃଷ୍ଟିଶକ୍ତିକୁ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ କେନ୍ଦ୍ରିତ କରିଵାକୁ, ଅନ୍ୟାନ୍ୟ ଏଣ୍ଡୁଅ ସହିତ ଯୋଗାଯୋଗ ସ୍ଥାପନ ପାଇଁ,ଗତି କଲାବେଳେ ଶରୀରର ସନ୍ତୁଳନ ରକ୍ଷା କରିଵା ତଥା ଶିକାର କିମ୍ବା ଶିକାରୀର ଦୂରତା ଆକଳନ ଆଦି ଅନେକ କାରଣ ହେତୁ ଏଣ୍ଡୁଅ ମୁଣ୍ଡ ଟୁଙ୍ଗାରିଥାଏ । 

ଲୋକକଥା : କେରଳ, ତାମିଲନାଡୁ,କର୍ଣ୍ଣାଟକ,ଅଵିଭକ୍ତ ଆନ୍ଧ୍ର,ଓଡ଼ିଶା ଓ ଏହାର ହୃତ ଵିଚ୍ଛିନ୍ନାଞ୍ଚଳରେ ଏହି ଲୋକକଥାଟି ସାମାନ୍ୟ ସାମାନ୍ୟ ପରିଵର୍ତ୍ତନ ସହିତ ଲୋକମୁଖରେ ପ୍ରଚଳିତ। କେରଳରେ ଚମ୍ପେଇନେଉଳିକୁ 'ଅରଣ' କୁହନ୍ତି,ଏ ଅଞ୍ଚଳର ଲୋକକଥା ଅନୁସାରେ ଚମ୍ପେଇନେଉଳି ସମସ୍ତଙ୍କୁ କାମୁଡ଼ି ଗୋଡ଼ାଇଵାରୁ ଭଗଵାନ ତାହାର ସ୍ମୃତି ଲୋପ କରିଦେଲେ ଫଳତଃ ସେ କାମୁଡ଼ିଵା ହିଁ ଭୁଲିଗଲା ।

Tuesday, August 20, 2024

ମାଧଵ ଭଗିଆ ସମ୍ବାଦ —୨(ଅଣ ଓ ତିଅଣର କଥା)


ମାଧଵ ଆଜି ରାଗିଛି,ତାକୁ ଫେସବୁକରେ କିଏ ବହେ ଶୋଦି ଦେଇଛି ତେଣୁ ତା'ର ଭାଆରି ମନଦୁଃଖ। ଭଗଵାନ ଦାଶ ଓରଫ୍ ଭଗିଆ ମାଧିଆଟାର ଶୁଖିଲା ମୁହଁ ଦେଖି କାରଣ କ'ଣ ପଚାରନ୍ତେ ସେ ଚଢ଼ାଗଳାରେ କହିଲା “ହଇବୋ... ଫେସବୁକରେ ଏବେ ସବୁ ମହା ମହା ପଣ୍ଡିତ ବୁଲୁଛନ୍ତି ହୋ , ମୁଁ ତରକାରୀର juiceକୁ ଆଉ ତରକାରୀ ଵା curryକୁ ଓଡ଼ିଆରେ କ'ଣ କୁହନ୍ତି ବୋଲି ଗୋଟିଏ ଗୃପ୍‌ରେ ପଚାରିଦେଲି ଯେ ଜଣେ ମୋତେ ଅଣଓଡ଼ିଆ ଆଖ୍ୟା ଦେଇ ଦେଲା । କହିଲା ହଇରେ ଅଳପେଇଶା ତୋତେ ଝୋଳ,ଅଣ ଓ ତିଅଣ ଜଣାନାହିଁ ଯେ curry ଆଉ juice କହୁଛୁ ? ହଇଏ ଭଗିଆ ଭାଇ ତମେ କୁହ ତ ମୋର ଭୁଲ୍ କ'ଣ? ତିଅଣ ଆଉ ଅଣ କ'ଣ ଖାଣ୍ଟି ଓଡ଼ିଆ ଶବ୍ଦ? 
 
ଭଗିଆ କହିଲା ନାଇଁ ଯେ ମୋତେ ଆଗେ କହ ଆମେ ଓଡ଼ିଆ ଭାଷାରେ ଅଯଥା ହିନ୍ଦୀ ଇଂରାଜୀ ଆରବୀ ପାର୍ସୀ ତୁର୍କ ପର୍ତ୍ତୁଗୀଜ୍ ଶବ୍ଦ କାହିଁକି ଵ୍ୟଵହାର କରିଵା ? ଶବ୍ଦ ନଥିଲେ ଅଲଗା କଥା, ଶବ୍ଦ ଥାଇ କାହିଁକି ଝୋଳ,ଅଣ କୁ juice ପୁଣି ତିଅଣକୁ curry କହୁଥିଲୁ ଶୁଣେ ? 

ମାଧଵ ଚିଡ଼ିଯାଇ କହିଲା “ଖୋରେ ! ସହର ସାରା ଲୋକେ ଜୁସ୍ କରୀ କହୁଛନ୍ତି ମୁଁ କହିଦେଲି ଯେ ଆକାଶ ଛିଡ଼ି ପଡ଼ିଲା ? ହେଇଟି ସେ ନିଆଁଲଗା କଥା ନକହି ମତେ ଆଗେ ତୁଣ ଓ ଅଣ କଥା କୁହ ! ଆମେ ଓଡ଼ିଆ ତ ପଖାଳଖିଆ ଜାତି , ପଖାଳ କଂସାକୁ ଲୁଣ ତୁଣ୍ଡପୋଡ଼ା,ଆଚାର,ବଡ଼ି,ମାଛ ଭଜା ,ଶାଗ ଭଜା ଓ ପୋଡ଼ା ପୋଡ଼ିରେ ଆମ ମନ । ତାହେଲେ ଆମ ପୂର୍ଵଜ କ'ଣ ତୁଣ ଖାଉଥିଲେ ନା ? 

ଭଗିଆ ତା କଥା ଶୁଣି ଅଳ୍ପ ହସି କହିଲା ନାଇଁରେ ପାଗଳା ଓଡ଼ିଆ ଜାତି ପ୍ରକୃତରେ ତିଅଣଖିଆ ଜାତି । ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ଏବେ ବି ତବତ ଭାତ ଖାଇଲାବେଳେ ଥାଳିଏ ଭାତକୁ ବେଲାଏ ତୁଣ ଲୋଡ଼ନ୍ତି। 
 ତବତ ଭାତ ହେଉ କି ଚକୁଳି ଏଣ୍ଡୁରି ପିଠା ଅବା କ୍ଷୀରି ଜାଉ ଆଦି ମିଷ୍ଟାନ୍ନ ହେଉ ସବୁ ଦରଵ ସହିତ ଓଡ଼ିଆଏ ତୁଉଣ ଵା ତିଅଣ ଟିକେ ଲୋଡ଼ନ୍ତି । ଓଡ଼ିଆମାନଙ୍କର ତୁଣ ପ୍ରତି ଆଦର ଏତେ ଯେ ଭୁଜା,ଚୁଡ଼ା,ହୁରୁମ ଓ ଲିଆ ଆଦି ଭ୍ରୁଷ୍ଟ ତଣ୍ଡୁଳ ସହିତ ମଧ୍ୟ ତିଅଣ ମିଶାଇ ଖାଇଵାକୁ ବଡ଼ ସୁଖ ପାଆନ୍ତି । ବାକି ସବୁ ଭାରତୀୟ କେଵଳ ଡାଲି ଖାଉଥିଲାବେଳେ ଓଡ଼ିଆ ଏମିତି ଏକ ଜାତି ଯେ ନିଜର ତିଅଣପ୍ରେମ ଯୋଗୁଁ ଡାଲି ମଧ୍ୟରେ ପରିବା ମିଶାଇ ଡାଲମା କରି ଖାଏ । ତେଣୁ ଓଡ଼ିଆଙ୍କ ପାଇଁ ତିଅଣ ବଡ଼ ଗୁରୁତ୍ବପୂର୍ଣ୍ଣ । 

ମାଧଵ କଥା କାଟି କହିଲା ଆଉ ଆଉ ସେ ଅଣ କାହାକୁ କୁହନ୍ତି? ତୁଣ ଓ ଅଣ ଗୋଟିଏ ନା ଭିନ୍ନ ଭିନ୍ନ? 

ଭଗିଆ କହିଲା ହଁ ତିଅଣ କଥା ପଡ଼ିଲେ ଅଣ କଥା ବି ଆପେ ଚର୍ଚ୍ଚାକୁ ଚାଲିଆସେ ‌। "ତିଅଣ ଓ ଅଣ"ର ସମ୍ପର୍କ ନିଵିଡ଼ । ତିଅଣରୁ ଅଣକୁ ଵିଚ୍ଛିନ୍ନ କରିଦେଲେ ତିଅଣର ସ୍ଵରୂପ ସଂହରିଯାଏ(ବଦଳିଯାଏ) ପୁଣି ସେ ଅଣହୀନ ଜୁକୁଜୁକିଆ ତିଅଣର ସ୍ଵାଦ ବି କିଛିଟା ପରିଵର୍ତ୍ତିତ ହୁଏ । ଓଡ଼ିଶାରେ ନାନା ଜାତୀୟ ତିଅଣ କରନ୍ତି । ବଡ଼ଓଷାରେ ଅଟକାଳି ଓ ଗୋଟାପିଠା ସହିତ ଘାଣ୍ଟ ତିଅଣ ହୁଏ । ଖଟାଯୁକ୍ତ ଆମ୍ବିଳ ତୁଣ ଵା ଖଟେଇ ତିଅଣଠାରୁ ତେଲ ଵ୍ୟଵହୃତ ହେଉନଥିଵା ଆଣ୍ଟାନି ତିଅଣ ଯାଏଁ,ଭଲ ଭାବେ ସିଜିନଥିଵା ପରିଵାଯୁକ୍ତ ଅସଙ୍ଘଡ଼ ତିଅଣଠାରୁ ବାଉଁଶ ଗଜାର କରଡ଼ି ତିଅଣ ପର୍ଯ୍ୟନ୍ତ ଓଡ଼ିଶାରେ ଶତ ସହସ୍ରାଧିକ ତିଅଣ କରାଯାଏ ‌। ତେବେ ତୁଉଣ ଵା ତିଅଣ ଓ ଅଣ ସହିତ ଆମେ ଓଡ଼ିଶାଵାସୀ ଯେତିକି ପରିଚିତ ତିଅଣ ଓ ଅଣ ଶବ୍ଦର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ସେତେ ସଚେତନ ନୁହନ୍ତି। ନଗରାଞ୍ଚଳର ଲୋକେ Curry କିମ୍ବା ତରକାରୀ ଓ juice, Soup ଓ ଝୋଳ ଶବ୍ଦ ହିଁ ଅଧିକ ଵ୍ୟଵହାର କରନ୍ତି ଫଳତଃ ତନ୍ମଧ୍ୟରୁ କିଛି ଲୋକଙ୍କୁ ତିଅଣ ଓ ଅଣ ମଧ୍ୟରେ ପ୍ରଭେଦ ତଥା ଅର୍ଥ ହିଁ ଜଣାନାହିଁ। ତେବେ ଓଡ଼ିଶାର ଗ୍ରାମାଞ୍ଚଳରେ ଲୋକେ ତିଅଣ ଵା ତୁଉଣକୁ ତରକାରୀ ଵା Curry ଅର୍ଥରେ ପ୍ରୟୋଗ କରୁଥିଲାବେଳେ ଝୋଳ ଵା Soup ଅର୍ଥରେ ଅଣ ଶବ୍ଦ ଵ୍ୟଵହାର କରନ୍ତି । 

ସେଇଠୁ ମାଧଵ ପଚାରିଲା ଆଚ୍ଛା ତୁଣ, ତରକାରୀ ଓ curry ମଧ୍ୟରେ ପାର୍ଥକ୍ୟ କ'ଣ ?

ଭଗିଆ କହିଲା,
ତିଅଣ , ତରକାରୀ ଓ curry ଗୋଟିଏ ଖାଦ୍ୟ ଦରଵର ଅଲଗା ଅଲଗା ଭାଷାର ନାଆଁ । ତିଅଣ ଵା ତୁଉଣ ଓଡ଼ିଆ, ତରକାରୀ ପାର୍ସୀ ଆଉ curry ହେଲା ଇଂରାଜୀ। ହେଲେ କେତେକ ଅଞ୍ଚଳରେ ତରକାରୀ, curry ଓ ତିଅଣ ମଧ୍ୟରେ ଅର୍ଥଗତ ପାର୍ଥକ୍ୟ ଥିଵା ଜଣାଯାଏ ଏଵଂ ସେଇ ନିର୍ଦ୍ଧିଷ୍ଟ ଅଞ୍ଚଳର ଲୋକମାନେ ଆମିଷ ଜାତୀୟ ଵ୍ୟଞ୍ଜନକୁ ତରକାରୀ ତଥା curry କୁହନ୍ତି ଆଉ ନିରାମିଷ ଵ୍ୟଞ୍ଜନକୁ ତୁଉଣ ଵା ତିଅଣ କହିଥାନ୍ତି। ଅର୍ଥାତ୍ ଅଣ୍ଡା କରୀ ଵା ଅଣ୍ଡା ତରକାରି ଆଉ ପୋଇ ତିଅଣ ଏହିପରି କୁହାଯାଏ। 

ଉତ୍ତର ଶୁଣି ମାଧଵ ମନରେ କ'ଣ ଭାବି ପଚାରିଲା ଆଚ୍ଛା ଏଇ ତିଅଣ ଓ ଅଣ କ'ଣ ଗୋଟାଏ ଶବ୍ଦରୁ ସୃଷ୍ଟି ହୋଇଛି ନା ଭିନ୍ନ ଭିନ୍ନ ଶବ୍ଦରୁ ସୃଷ୍ଟି ହୋଇଛି ? 

ଭଗିଆ କହିଲା ବୁଝିଲୁ ମାଧିଆ ଆମ ଓଡ଼ିଶାରେ କେଵଳ ତିଅଣ ଓ ଅଣ ଶବ୍ଦର ଅର୍ଥ ହିଁ ନୁହେଁ ଵରଂ ଏ ଶବ୍ଦଦ୍ଵୟର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ମଧ୍ୟ ଲୋକଙ୍କ ମନରେ ନାନା ଦ୍ଵନ୍ଦ୍ଵ ଭରି ରହିଛି ଫଳତଃ ଉଭୟ ଶବ୍ଦର ସୃଷ୍ଟି ସମ୍ବନ୍ଧରେ ଅନେକେ ଭ୍ରମାତ୍ମକ ମତ ରଖନ୍ତି। କେହି କେହି କୁହନ୍ତି ତୁଉଣ ଓ ଅଣ ମିଶି ତିଅଣ ‌ଶବ୍ଦ ହୋଇଛି ପୁଣି ଆଉ କିଛି ଲୋକେ କୁହନ୍ତି ତିଅଣ ଶବ୍ଦରୁ ଅଣ ଶବ୍ଦ ସୃଷ୍ଟି ହୋଇଛି। ଆହୁରି ମଧ୍ଯ କେହି କେହି ଅନୁମାନ କରନ୍ତି ଯେ ଵ୍ୟଞ୍ଜନ ଶବ୍ଦରୁ ଅଣ ଶବ୍ଦ ସୃଷ୍ଟି ହୋଇଛି। ତେବେ ପ୍ରକୃତରେ ତୁଉଣ ଵା ତିଅଣ ତଥା ଅଣ ଶବ୍ଦଦ୍ଵୟ ଭିନ୍ନ ଭିନ୍ନ ଶବ୍ଦ ମୂଳରୁ ସୃଷ୍ଟି ହୋଇଛି ଏଵଂ ଅଣ ଶବ୍ଦର କୌଣସି ସଗୋତ୍ରୀୟ ସମ୍ପର୍କ 'ଵ୍ୟଞ୍ଜନ' ଶବ୍ଦ ସହିତ ନାହିଁ। 

ତାହେଲେ ତିଅଣ ଆଉ ଅଣ ଶବ୍ଦ କୁଆଡ଼ୁ ଆସିଲା ? ମାଧଵ ଅଥୟ ହୋଇ ପଚାରିଲା !

ଭଗିଆ କହିଲା ଶୁଣେ ସଂସ୍କୃତ ଭାଷାରେ ତେମନ ବୋଲି ଶବ୍ଦଟିଏ ଅଛି। ତିମ୍ ଧାତୁରୁ ଭାଵାର୍ଥେ ଆର୍ଦ୍ର କରିଵା ଅର୍ଥରେ ଲ୍ୟୂଟ ପ୍ରତ୍ୟୟ(ଅନ) ଯୁକ୍ତ କରି ତେମନ ଶବ୍ଦ ନିଷ୍ପନ୍ନ କରାଯାଇଛି। ଓଦା କରିଵା ଵା 
ଆର୍ଦ୍ରକରଣକୁ ତେମନ କୁହନ୍ତି,ଵ୍ୟଞ୍ଜନକୁ ତେମନ କୁହନ୍ତି ,ରନ୍ଧା ଯାଇଥିଵା ଖାଦ୍ୟକୁ ବି ତେମନ କୁହାଯାଏ। ଏଇ ତେମନ ଶବ୍ଦଟି ଓଡ଼ିଆ ଭାଷାରେ ତିଅଣ ରୂପରେ ଚଳୁଅଛି । ସେହିପରି ଅଣ ଶବ୍ଦଟି ତିଅଣରୁ ଆସିନାହିଁ ଵରଂ ଏହା ପ୍ରାକୃତ ମୂଳର ଏକ ପ୍ରାଚୀନ ଓଡ଼ିଆ ଶବ୍ଦ ଅଟେ । ପ୍ରାଚୀନ କାଳରେ ଭାରତରେ ଜଳକୁ ଅନସ୍,ଅର୍ଣ୍ଣସ୍ ଓ ଅଣ୍ଣ କୁହାଯାଉଥିଲା। ଜଳ ଅର୍ଥଜ ପ୍ରାକୃତ ଅଣ୍ଣ ଶବ୍ଦଟି କାଳକ୍ରମେ ଓଡ଼ିଆ ଭାଷାରେ ତିଅଣର ଜଳୀୟ ଅଂଶ ଅର୍ଥରେ ପ୍ରୟୋଗ ହେଉଅଛି ।

ଉତ୍ତର ଶୁଣି ମାଧଵ ଆହୁରି କ'ଣ ପଚାରିଵ ବୋଲି ଉଦ୍ୟତ ହୁଅନ୍ତେ ଭଗିଆ ତାକୁ ପୁଣି କେବେ ଭେଟିଲେ କଥା ହେଵା କହି ସେଠାରୁ ଚାଲିଗଲା...

 

Wednesday, August 7, 2024

ଶିକାର

ବାଘର ଭଣଜା ଶୃଗାଳ ନୂଆ ନୂଆ ଭେଣ୍ଡିଆ ହେଇଥାଏ । ଯୁଵସୁଲଭ ଅହଂ ଭାଵ ଘେନି ସିଏ ବାଘମାମୁର ଆଗେ ଆଗେ ଚାଲିଵାକୁ ବଡ଼ ସୁଖ ପାଏ ହେଲେ ପଛରୁ ଅଵା ଏତଡ଼ୁ କି ସେତଡ଼ୁ କିଏ ଆସୁଛି ସେତ୍ତାକୁ ମୁଟେ ନିଘା କରେନି । ବାଘ ମାମୁ କେତେ ଥର ବୁଝେଇଲା “ବାପ ଇଏ ଜଙ୍ଗଲ ଭୁଇଁ ସଵଧାନ ହେଇକିରି ଚଳିବୁ ନୋହିଲେ କୋଉ ଜୀଵ କେତେବେଳେ ଡେଗି ପଡ଼ି ଶଙ୍ଖୀ କାମୁଡ଼ି ଦଵ କେ ଜାଣେ” ! ହେଲେ ୟେ ନୂଆ ନୂଆ ଭେଣ୍ଡା କୋଉ ଶୁଣୁଛି ଯେ ? ଶେଷକୁ ଦିନେ ବାଘମାମୁ ଅତିଷ୍ଠ ହୋଇ ଭଣଜା ଶୃଗାଳକୁ ପାନେ ଦଵ ବିଚାରି ନିଜ ମାମୁଁ ଝିଅ ଭଉଣୀ ଚିତାବାଘୁଣୀ ପାଖକୁ ଗଲା । 

କିଛି ଦିନ ପରେ ବାଘମାମୁଁ ଓ ଶୃଗାଳ ଭଣଜା ଦିହେଁ ଜଙ୍ଗଲରେ ଆଗ ପଛ ହେଇକି ଶିକାର ଉଣ୍ଡୁଥାନ୍ତି । ବାଘମାମୁ ପୁଣି ତା ଭଣଜାକୁ କହିଲା ବାବୁ ଏ ଥାନଟା ଭାରି କାନ୍ତାର,ଦେଖି ଚାହିଁ ଚାଲୁ ଥା । ଶୃଗାଳ ଭଣଜା ସବୁଥର ପରି ଏଥର ବି ମାମୁକୁ କହୁଥାଏ ”ମାମୁ ଗୋ ମୁଁ ପା ତମ ଭଣଜା , ମୁଁ ପୁଣି ପଛକୁ ଚାହିଁବି ? ତମ ନାଆଁ ପଡ଼ିଵନି ? ବାଘର ଭଣଜା ଫୁଣି ଡରି ମରି ପଛକୁ ଅନେଇ ଅନେଇ ଚାଲୁଛି ! ଜଙ୍ଗଲୀ ଜୀଵ ଏତା ଦେଖିଲେ କିୟଣ ଭାବିବେ ? ତାଛଡ଼ା ମାମୁ ତମେ ମତେ ବାଳୁତ କାଳରୁ ଶିକାର ଵିଷୟରେ ଏତେ କଥା ଶିଖେଇଛ ଯେ ମୁଁ ତୁମ କୃପାରୁ ଶିକାର କରିଵାରେ ଏକବାରେ ବେତ୍ତା ହେଇଗଲିଣି !”

ବାଘ ଦେଖିଲା ୟାକୁ ଆଉ ବୁଝେଇ ଲାଭ ନାହିଁ କି ସେ ବୁଝେଇଲେ ବି ୟେ ବୁଝିଵାର ନାହିଁ ତେଣୁ ଆଉ କିଛି ନକହି ମଉନ ରହିଗଲା । 

ଏ କଥାଵାର୍ତ୍ତା ମଧ୍ୟରେ ମାମୁ ଭଣଜା ଦିହେଁ ଜଙ୍ଗଲ ମଝାମଝି ହେଲାବେଳକୁ ଚିତାଟେ କୋଉଠି ଥିଲା କେଜାଣି ଶୃଗାଳ ଉପରକୁ ଗୋଟେ ପଟୁ ଆଡ଼ଚିରା ମାରିଦେଲା ଆଉ ଚାହୁଁ ଚାହୁଁ ତା ପଛରେ ଏମିତି ଆଣ୍ଠିକୁଣ୍ଠି ଧୁପିଲା ଯେ ଵିଚରା ଶୃଗାଳଟି ହଗି ମୁତି ପଳେଇଗଲା । 

(ଵି-ଦ୍ର: ମୁଁ ଶିକାର କରିଵାରେ ବେତ୍ତା ହେଇଗଲିଣି ମନେ କରି ଶୃଗାଳଟା ଶେଷରେ ଚିତାବାଘୁଣିର ଅତର୍କିତ ଆକ୍ରମଣର ସାମ୍ନା ନକରିପାରି ପଳାୟନ କଲା । ଶୃଗାଳ ଭଳି ଆମର ଏଠି କିଛି କଵି ଲେଖକ ବୁଦ୍ଧିଜୀଵୀ ବି ଅଛନ୍ତି ଯୋଉମାନେ ପଚାଶ ଶହେ କଵିତା ପ୍ରବନ୍ଧ ଲେଖି ଦେଲାପରେ କହି ଦିଅନ୍ତି “ମୁଁ ଅଭିଧାନ ଦେଖେନି ମ ! ଯାହା ମନରୁ ଆସିଲା ଲେଖିଦିଏ 😁” । ସେମାନେ ମନେ ମନେ ଭାବି ନେଇଛନ୍ତି ଯେ ଅଭିଧାନ ଵିଶେଷତଃ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଥିଵା ତଥା ଲୋକମୁଖରେ ପ୍ରଚଳିତ ସବୁ ଶବ୍ଦ ଜାଣି ଦେଇଛନ୍ତି 🤣। ଯୋଉ କଵି ଲେଖକ ବୁଦ୍ଧିଜୀଵୀ କହୁଛି ମୁଁ ଅଭିଧାନ ଦେଖୁନି ସେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ନିତ୍ୟ ପଠନ ପାଠନ କରୁ , ଫଳତଃ ଓଡ଼ିଆ ଭାଷାର ହଜି ଯାଉଥିଵା ଦେଶୀୟ ଶବ୍ଦଗୁଡ଼ିକର ପ୍ରୟୋଗ ସାହିତ୍ୟରେ କରି ନିଜ ରଚନାର ମାନବୃଦ୍ଧି କରିଵା ସହିତ ଓଡ଼ିଆ ଭାଷାର ମହତ୍ତ୍ଵ ବଢ଼ାଇପାରିବେ । ଦି ଚାରିଟା ତତ୍ସମ ଶବ୍ଦ ଓ ଆଉ ଆଠ ଦଶୁଟା ଆରବୀ ପାର୍ସୀ ତୁର୍କ ଇଂରାଜୀ ପର୍ତ୍ତୁଗୀଜ୍ ଶବ୍ଦ ପୂରାଇ ସାହିତ୍ୟ ରଚନା କରି ଦେଲେ ଓଡ଼ିଆ ଭାଷାର କି ଲାଭ ? ମୂଳ ଶବ୍ଦଗୁଡ଼ିକ ତ ହଜି ହଜି ଯାଉଛି 🙄 )

Saturday, June 22, 2024

ସ୍ନାନଯାତ୍ରା ପଛର ଵିଜ୍ଞାନ କ'ଣ ?

“ସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ତିନିଠାକୁରଙ୍କର ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥାଏ ।”

ଏହି ଵାକ୍ୟଟି ହୁଏତ ଅଣଓଡ଼ିଆମାନେ ବୁଝିନପାରିପାରନ୍ତି କିନ୍ତୁ ଜଣେ ଓଡ଼ିଶାଵାସୀ ନିଶ୍ଚୟ ବୁଝିଯାଆନ୍ତି କାରଣ ଏହି ଵାକ୍ୟର ଭରି ରହିଛି ଜଗନ୍ନାଥ ସଂସ୍କୃତିର ଉପାଦାନ ଯାହା ନିଆରା ଓ ଅନନ୍ୟ । ଜ୍ଯୈଷ୍ଠ ପୂର୍ଣ୍ଣିମା ହିଁ ଜଗନ୍ନାଥ ଦେଶରେ ସ୍ନାନ ପୂର୍ଣ୍ଣିମା ଭାବେ ଖ୍ୟାତ । ଏହି ପୂର୍ଣ୍ଣିମା ଦିନ ଶ୍ରୀଵିଗ୍ରହଙ୍କର ସ୍ନାନ ମଣ୍ଡପରେ ସ୍ନାନ ଵିଧି ସମ୍ପାଦିତ ହୁଏ । ଶ୍ରୀକ୍ଷେତ୍ରରେ ଯେଉଁ ମଣ୍ଡପରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମାମାନଙ୍କର ଜ୍ଯୈଷ୍ଠ ପୂର୍ଣ୍ଣିମା ଦିନ ସ୍ନାନ କାର୍ଯ୍ୟ ସମ୍ପାଦନ କରାଯାଏ ତାକୁ ସ୍ନାନ ମଣ୍ଡପ କୁହାଯାଏ। ସେହିପରି ଜ୍ଯେଷ୍ଠ ପୂର୍ଣ୍ଣିମା ଦିନ ଶ୍ରୀକ୍ଷେତ୍ରର ସ୍ନାନ ମଣ୍ଡପରେ ଯେଉଁ ମହାସ୍ନାନ ଉତ୍ସଵ ଅନୁଷ୍ଠିତ ହୁଏ ତାହା ସ୍ନାନ ଯାତ୍ରା ନାମରେ ଜଣାଶୁଣା ।
ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ୧୦୮ ଗରା ଜଳରେ ସ୍ନାନ କରାଯାଏ l ୧୮ ଗରା ଜଳରେ ଚକ୍ରରାଜ ଶ୍ରୀସୁଦର୍ଶନ, ୨୨ ଗରା ଜଳରେ ମା' ସୁଭଦ୍ରା,୩୩ ଗରା ଜଳରେ ପ୍ରଭୁ ଶ୍ରୀବଳଭଦ୍ର ,୩୫ ଗରା ଜଳରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ନାନ କରନ୍ତି ।  ଶ୍ରୀଵିଗ୍ରହଙ୍କ ଉପରେ ବହୁପରିମାଣରେ ପାଣି ଢଳାହେଵାଦ୍ୱାରା ତାଙ୍କ ଦେହରୁ ରଙ୍ଗ ଛାଡ଼ିଯାଏ; ଏଥିପାଇଁ ସ୍ନାନଯାତ୍ରା ପରେ ସେ ମୂର୍ତ୍ତିମାନଙ୍କୁ ପୁନର୍ଵାର ଚିତ୍ରିତ କରିଵାକୁ ୧୫ ଦିନ ଲାଗେ। ସେ ସମୟରେ ଭକ୍ତମାନେ ଠାକୁରମାନଙ୍କୁ ଦର୍ଶନ କରି ପାରନ୍ତି ନାହିଁ। ଉକ୍ତ ୧୫ ଦିନକୁ 'ଅଣସର' ବୋଲାଯାଏ। କାରଣ ସ୍ନାନାଧିକ୍ୟ ଯୋଗୁଁ ଜଗନ୍ନାଥଙ୍କୁ ଥଣ୍ଡା ଧରିଥିଵାରୁ ଯାତ୍ରୀଙ୍କୁ ଦର୍ଶନ ଦେଵାକୁ ତାଙ୍କୁ ଅନବସର ଵା ଅଣସର ହୁଏ ବୋଲି ବୋଲାଯାଏ। ଚିତ୍ର କାର୍ଯ୍ୟ ଶେଷ ହୋଇଗଲେ ଜଗନ୍ନାଥଙ୍କର 'ନଵଯୌବନ' ବେଶକୁ ଯାତ୍ରୀମାନେ ଦେଖନ୍ତି ଓ ତତ୍ପରେ ନଵଚିତ୍ରିତ ମୂର୍ତ୍ତିମାନଙ୍କୁ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ରଥକୁ ନିଆଯାଇ ରଥଯାତ୍ରା କରାଯାଏ।

 ଵସ୍ତୁତଃ ଆମ ପର୍ଵ ପର୍ଵାଣୀଗୁଡ଼ିକର ସାଂସ୍କୃତିକ ଐତିହାସିକ ଵୈଜ୍ଞାନିକ ଓ ଆଧ୍ୟାତ୍ମିକ ଆଦି ଵିଭିନ୍ନ ଦିଗ ରହିଛି ।
ଆଧ୍ୟାତ୍ମିକଵାଦୀ କୁହନ୍ତି ଯେ ସ୍ନାନଯାତ୍ରା ସମୟରେ ପର°ବ୍ରହ୍ମ ମାନଵୀୟ ଲୀଳା ଦ୍ବାରା ଜୀଵକୁ ଏହା ସୂଚେଇ ଦେଉଛନ୍ତି ଯେ ଶମ ଦମ ଆଦି ଷଟ୍ ସମ୍ପତ୍ତି ସ୍ଵରୁପ ଜଳରେ କାମ କ୍ରୋଧ ଲୋଭାଦି କଳୁଷ ରଙ୍ଗ ଧୋଇଦିଅ,ତେବେ ମୋର ପ୍ରିୟ ହୋଇଵ।ଏହି କ୍ରିୟା ସମୟରେ ଜ୍ଵର ରୂପ ଭବବାଧା ଆଦି  ଆଘାତ ବି ସହି ଯା'। 

ତେବେ ଏହି ସ୍ନାନଯାତ୍ରା ପଛରେ ରହିଛି ସମାଜକୁ ଏକ ସାଵଧାନୀ ଵାର୍ତ୍ତା । ଆଗକାଳରେ ଜ୍ଯୈଷ୍ଠ ମାସରେ ମୌସୁମୀ ପ୍ରଭାଵରେ ହଠାତ୍ ଵର୍ଷା ହେଵା ଯୋଗୁଁ ନାନା ମହାମାରୀ ରୋଗ ଵ୍ୟାପୁଥିଲା । ତେଣୁ ଗ୍ରାମାଞ୍ଚଳରେ ମହାମାରୀ ରୋଗରୁ ରକ୍ଷା ପାଇଵା ପାଇଁ ଦେଵୀ ଆସ୍ଥାନରେ ପୂଜାର୍ଚ୍ଚନା ହେଉଥିଲା ଏଵଂ ଆଜି ବି ଅନେକ ଗ୍ରାମରେ ଏହି ପ୍ରଥା ରହିଛି ।‌ ତେବେ ସମାଜକୁ ଶିକ୍ଷା ଦେଵାକୁ ପ୍ରତିଵର୍ଷ ଶ୍ରୀବିଗ୍ରହମାନେ ଜ୍ଯୈଷ୍ଠ ପୂର୍ଣ୍ଣମାରେ ସ୍ନାନ କରନ୍ତି ଓ ଜ୍ଵରରେ ପଡ଼ନ୍ତି । ପ୍ରକାରନ୍ତରେ କଳିଙ୍ଗ ଦେଶର ପ୍ରକୃତ ଅଧିପତି ଶ୍ରୀଜଗନ୍ନାଥ ତାଙ୍କ ଭ୍ରାତା ଭଗିନୀଙ୍କ ଦ୍ଵାରା ସମାଜକୁ ଶିକ୍ଷା ଦେଉଛନ୍ତି ଯେ ଜ୍ୟୈଷ୍ଠ ମାସରେ ଅପେକ୍ଷାକୃତ ସାଵଧନତାର ସହିତ ସ୍ନାନ କରି ନିଜକୁ ଜ୍ଵରାଦି ରୋଗରୁ ଦୂରେଇ ରଖନ୍ତୁ । ଆଜି ଅଵଶ୍ୟ ଅନେକେ ସ୍ଵଚ୍ଛ ଜଳରେ ସ୍ନାନ କରୁଛନ୍ତି ତଥାପି ଏବେବି କିଛି ଗ୍ରାମଵାସୀ ଵର୍ଷାଦିନରେ ସୁଦ୍ଧା ନଦୀ ଓ ପୋଖରୀରେ ଗାଧୋଉଛନ୍ତି । ଗ୍ରାମର ଜଳାଶୟଗୁଡ଼ିକ ସ୍ଵଚ୍ଛ ଜଳଯୁକ୍ତ ନହୋଇଥିଵାରୁ ସେଭଳି ଜଳ ରୋଗର ଵାହକ ହୋଇଥାଏ । 
ଆମ ପୂର୍ଵଜ ଏହା ଜାଣିଥିଲେ ତେଣୁ ସେମାନେ ସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ତିନିଠାକୁରଙ୍କର ସ୍ନାନ ଯାତ୍ରା ଅନୁଷ୍ଠିତ କରିଵାର ପରମ୍ପରା ଗଢ଼ିଥିଲେ । ଏହା ହିଁ ଆମ ମହାନ ଜଗନ୍ନାଥ ସଂସ୍କୃତିର ମହାନତା । 

Tuesday, June 18, 2024

ଘସି ଓ ପାଉଁଶକୁ କାହିଁକି ଛେନା କୁହାଯାଏ ?

ରସଗୋଲା ହେଉ କି ଛେନାପୋଡ଼,ଛେନା ଵ୍ୟଵହାର କରି ଵିଭିନ୍ନ ମିଠା ପ୍ରସ୍ତୁତ କରାଯାଏ । ପନୀର ଓ ଛେନା ଏକାପରି ଖାଦ୍ୟ ଦରଵ ହୋଇଥିଲେ ବି ପ୍ରକାର, ଵ୍ୟଵହାର ଓ ସ୍ଵାଦ ଦୃଷ୍ଟିରୁ ଭିନ୍ନ ଭିନ୍ନ ହୋଇଥାଏ। ପନୀର ଅପେକ୍ଷା ଛେନା ନରମ ଏଵଂ ଏହି ଉଭୟ ପ୍ରକାରର ଖାଦ୍ୟ ଦରଵକୁ Cheese ଶ୍ରେଣୀଭୁକ୍ତ କରାଯାଇଛି । 
ନାନାପ୍ରକାରେ ଛେନା ପ୍ରସ୍ତୁତ କରାଯାଏ । କ୍ଷୀର ଛିଣ୍ଡିଗଲେ ଛେନା ହୁଏ, ଦହି ନିଆଁରେ ବସିଲେ ଛେନା ହୁଏ । ପ୍ରଥମ ପ୍ରକାରର ଛେନାକୁ ଦୁଧଛେନା ଓ ଦ୍ଵିତୀୟଟିକୁ ଦହିଛେନା କହନ୍ତି । ଲେଖିକା କେଥରିନ୍ ଡୋନଲୀ ତାଙ୍କ ପୁସ୍ତକ The Oxford Companion to Cheeseର ୩୭୩ତମ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ଯେ ଵେଦରେ ପଳାଶ ଗଛର ଛାଲ ତଥା ବରକୋଳି (Ziziphus mauritiana) ଆଦି କେତେକ ପାଦପର ଫଳରସ ଵ୍ୟଵହାର କରି ଛେନା ପ୍ରସ୍ତୁତ କରାଯିଵା ସମ୍ବନ୍ଧରେ ଉଲ୍ଲେଖ ଅଛି । ଦଶମ ଶତାବ୍ଦୀର ଲୋକୋପକାର ତଥା ଦ୍ଵାଦଶ ଶତାବ୍ଦୀର ମାନସୋଲ୍ଲାସ ଭଳି ଗ୍ରନ୍ଥଗୁଡ଼ିକରେ ମଧ୍ୟ ଛେନା ସମ୍ବନ୍ଧୀୟ ତଥ୍ୟ ଅଛି । ଚରକ ସଂହିତାର କେତେକ ତଥ୍ୟ ଆଧାରରେ ବି ଏନ୍ ମାଥୁର ଓ ସୁନୀଲ କୁମାର ଆଦି ଗଵେଷକମାନେ କୁହନ୍ତି ଯେ ଭାରତରେ ପ୍ରାୟ ଦୁଇହଜାର ଵର୍ଷ ପୂର୍ଵରୁ ଲୋକଙ୍କୁ ଛେନା ପ୍ରସ୍ତୁତ କରିଵାର ପ୍ରଣାଳୀ ଜଣାଥିଲା । 

ଏଇ 'ଛେନା' ନାମକ ଦରଵର 'ଛେନା' ନାମର ଵ୍ୟୁତ୍ପତ୍ତି ସମ୍ବନ୍ଧରେ କିଏ କେତେ ପ୍ରକାରେ ମତ ଦିଅନ୍ତି । କେହି କେହି କୁହନ୍ତି ସଂସ୍କୃତ 'ସନ୍ତାନିକା(ଦୁଧସର)' ଶବ୍ଦରୁ 'ଛେନା' ଶବ୍ଦ ସୃଷ୍ଟି ହୋଇଛି ତ ଆଉ କେତେକଙ୍କ ମତରେ ସଂସ୍କୃତ 'ଛିନ୍ନ' ଶବ୍ଦରୁ 'ଛେନା' ଶବ୍ଦ ଜାତ ହୋଇଛି । ତେବେ Sir. Ralph Lilley Turner ତାଙ୍କ ଵ୍ୟୁତ୍ପତ୍ତିକୋଷ "A comparative dictionary of Indo-Aryan languages"ରେ 'ଛେନା' ଶବ୍ଦଟି ସଂସ୍କୃତ ଶବ୍ଦ 'ସ୍ତ୍ଯାନ' ଵା 'ସ୍ତ୍ଯୈନ୍ଯ'ର ପରିଵର୍ତ୍ତିତ ରୂପ ହୋଇଥିଵା ମତ ରଖିଯାଇଛନ୍ତି ଯାହା ଆଜି ଅନେକେ ଭାଷାଵିଦ ଗ୍ରହଣ କରିସାରିଛନ୍ତି । 

ଓଡ଼ିଆ ଭାଷାରେ ଛେନାର ନାନା ଅର୍ଥ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛେନା ଶବ୍ଦର ଚାରୋଟି ଅର୍ଥ ଉଲ୍ଲେଖ ଅଛି । 

ପ୍ରଥମତଃ ଦଧି ଓ ଦୁଗ୍ଧରୁ ଅଗ୍ନିସଂଯୋଗରେ ଵା ଅମ୍ଳରସଯୋଗେ ଯେଉଁ ପିଣ୍ଡ ବାହାରେ ତାକୁ ସଂସ୍କୃତ ଭାଷାରେ 'ଆମିକ୍ଷା' ତଥା ଓଡ଼ିଆ ଭାଷାରେ 'ଛେନା' କୁହାଯାଏ । ଏଇ ଛେନା ଶବ୍ଦର ଵ୍ୟୁତ୍ପତ୍ତି ସମ୍ବନ୍ଧରେ ଉପରେ ଆମେ ଆଲୋଚନା କରିଛନ୍ତି । 

ପୁଣି ଓଡ଼ିଆ ଭାଷାରେ 'ଛେନା' ଶବ୍ଦଟି ଵିରକ୍ତି ପ୍ରକାଶ ନିମନ୍ତେ "କିଛି ନାହିଁ" ଅର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ । ଯଥା—ମୁଁ ପୁଅ ପିଛା ଶହ ଶହ ଖରଚ କଲି, ସେ ଛେନାଟା ପଢ଼ିଲା।”

ହେଲେ ଛେନା ଶବ୍ଦର ଗୋଟିଏ ଅର୍ଥ ଵିରକ୍ତ ଭାଵ ଘେନି "କିଛି ନାହିଁ" କେମିତି ହେଲା ? 

ଏହାର ଉତ୍ତର ସମ୍ଭଵତଃ ଗୋଜାତ ଦ୍ରଵ୍ୟର ପ୍ରସ୍ତୁତିକରଣ ପ୍ରଣାଳୀ ମଧ୍ୟରେ ଲୁଚିରହିଛି । 

ପ୍ରଥମେ ଆଉଟା ଦୁଧ ଶୀତଳ ହେଵା ପରେ ତହିଁରେ ମହି ପକାଇ କିଛି ସମୟ ରଖିଦେଲେ ଯେଉଁ ଗାଢ଼ ଥଲଥଲିଆ ପଦାର୍ଥ ହୁଏ ତାକୁ 'ବସା ଦହି' ବୋଲାଯାଏ ଓ ବସା ଦହିରେ ପାଣି ମିଶାଇ ତାକୁ ମୁହାଇଁ ସେଥିରୁ ଲହୁଣୀ ବାହାର କଲା ପରେ ଯେଉଁ ଜଳୀୟ ପାଦାର୍ଥ ହୁଏ ତାକୁ ଘୋଳ ଵା ଘୋଳ ଦହି ଵା ଚହ୍ଲା ବୋଲାଯାଏ। ଦହି ମୁହାଁଇ ସେଥିରୁ ନଵନୀତ ଵା ଲହୁଣୀ ବାହାର କରାଯାଏ । ଲହୁଣୀକୁ ତରଳାଇ ଘିଅ ବାହାର କରାଯାଏ। 
ଗରମ ଦୁଧରେ ଲେମ୍ବୁ ରସ,ଖଟା ଵା ଫିଟିକିରି ମିଶାଇ କିମ୍ବା ଦହିକୁ ନିଆଁରେ ବସାଇ ସେଥିରୁ ଛେନା ପ୍ରସ୍ତୁତ କରାଯାଏ । କିନ୍ତୁ ଛେନା ହୋଇସାରିଵା ପରେ ତହିଁରୁ ଆଉ କୌଣସି ଦରଵ ବାହାରିପାରେ ନାହିଁ । ଫଳତଃ ଯେହେତୁ ଛେନା ପରେ ଆଉ କିଛି ହୋଇପାରେ ନାହିଁ ତେଣୁ ଏହିକାରଣରୁ ଛେନା ଶବ୍ଦଟି "କିଛି ନାହିଁ" ଅର୍ଥରେ ପ୍ରୟୋଗ କରାଯାଇଥାଇପାରେ । 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଆ ଭାଷାରେ "ଛେନା ଓ ଛେନାଗୁଡ଼" ଏ ଉଭୟ ଶବ୍ଦ ଵିରକ୍ତି ସୂଚକ "କିଛି ନାହିଁ" ଅର୍ଥରେ ପ୍ରୟୋଗ କରାଯାଏ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ ଯେ ଆଗକାଳରେ କାନଫୋଡ଼ା ହେଵା ବେଳେ ପିଲାର ହାତରେ ଛେନା ଗୁଡ଼ ଦେଇ ପିଲାଙ୍କୁ କହୁଥିଲେ "ଛେନାଗୁଡ଼ ଖା", ପିଲା ଛେନା ଗୁଡ଼ ଖାଇଵାରେ ଲାଗିଥିଲା ବେଳେ ଭଣ୍ଡାରି ତା କାନକୁ ଛୁଞ୍ଚିରେ ଟୁକ୍ କିନି ଫୋଡ଼ି ଦିଏ । ଏଥିପାଇଁ ଲକ୍ଷଣାର୍ଥ ପିଲାଙ୍କୁ ଭଣ୍ଡାଇଲା ପରି ଅଳ୍ପ ମୂଲ୍ୟର ଲୋଭନୀୟ ଵସ୍ତୁକୁ ଓଡ଼ିଶାରେ କ୍ରମେ ଛେନାଗୁଡ଼ କୁହାଗଲା । ଆଜି ସିନା ଗୁଡ଼ ଓ ଛେନାର ମୂଲ୍ୟ ବଢ଼ିଯାଇଛି କିନ୍ତୁ ଆଗେ ଓଡ଼ିଆଙ୍କ ପାଇଁ ଛେନା ଓ ଗୁଡ଼ ଅତି ସାଧାରଣ ତଥା ସହଜରେ ଘରେ ଘରେ ମିଳିଯାଉଥିଵା ଵସ୍ତୁ ଥିଲା । ଓଡ଼ିଆଙ୍କ ପାଇଁ ଛେନା ଓ ଗୁଡ଼ ଥିଲା ଅଳ୍ପ ମୂଲ୍ୟର ଵସ୍ତୁ ତେଣୁ ପରେ ହୁଏତ ଏହି ଅର୍ଥ ଆହୁରି ପରିଵର୍ତ୍ତିତ ହୋଇ ଵିରକ୍ତି ଵାଚକ "କିଛି ନାହିଁ"ରେ ପରିଣତ ହୋଇଥିଵା ସମ୍ଭଵ । 

ଏତଦଵ୍ୟତୀତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛେନା ଶବ୍ଦର ପାଉଁଶ(Ashes) ତଥା ଘସି(cowdung), ଏହି ଦୁଇଗୋଟି ଅର୍ଥ ମଧ୍ୟ ଉଲ୍ଲେଖ ଅଛି ‌। 

ହେଲେ ପାଉଁଶ ଓ ଘସିକୁ କାହିଁକି ଛେନା କୁହାଯାଏ ? କ'ଣ ଏଭଳି କହିଵା ଠିକ୍ କି ? 

କାହିଁକି ପାଉଁଶ ଓ ଘସିକୁ ଛେନା କୁହନ୍ତି ତାହା ଜାଣିଵାକୁ ହେଲେ ଆମକୁ ଏଇ ଦୁଇଟି ଛେନା ଶବ୍ଦର ଵ୍ୟୁତ୍ପତ୍ତି ଇତିହାସ ଜାଣିଵାକୁ ହେଵ । 

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଛେନାର ଦୁଇଗୋଟି ଅର୍ଥ କେଵଳ ପାଉଁଶ ଓ ଘସି ଲେଖାଅଛି କିନ୍ତୁ ଏହାର ଵ୍ୟୁତ୍ପତ୍ତି ସମ୍ବନ୍ଧରେ କୌଣସି ତଥ୍ୟ ଦିଆଯାଇନାହିଁ । 

କିନ୍ତୁ Sir. Ralph Lilley Turnerଙ୍କ ଵ୍ୟୁତ୍ପତ୍ତିକୋଷ "A comparative dictionary of Indo-Aryan languages"ରେ ଉଣ୍ଡିଲେ ଆମେ ଏହି ପ୍ରଶ୍ନର ଉତ୍ତର ପାଇଯାଆନ୍ତି । 

ସଂସ୍କୃତ ଭାଷାରେ ଗୋଟିଏ ଶବ୍ଦ ଅଛି 'କ୍ଷାମ' , ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହାର ଅନେକ ଅର୍ଥ ଥିଲେ ବି ଏଠାରେ ଆଲୋଚନା ଦୃଷ୍ଟିରୁ ତହିଁର ଦୁଇ ତିନୋଟି ଅର୍ଥ ଉଲ୍ଲେଖ ଯୋଗ୍ୟ । କ୍ଷାମର ଗୋଟିଏ ଅର୍ଥ ଶୁଷ୍କ, ପାଉଁଶ ଶୁଷ୍କ ହୋଇଥାଏ । ତାପଯୋଗୁଁ ପୋଡ଼ିଯାଇ ଥିଵା ଵା ଦଗ୍ଧ ଅର୍ଥରେ ବି କ୍ଷାମ ଶବ୍ଦ ପ୍ରୟୋଗ ହୋଇଥାଏ । ପୋଡ଼ି ଅଙ୍ଗାର ଵା ପାଉଁଶ ହୋଇଥିଵା ଦରଵକୁ କ୍ଷାମ କୁହନ୍ତି ଏଵଂ ଏହି ଅଵସ୍ଥା ଆଉ କିଛି ନୁହେଁ ପାଉଁଶ ଅଟେ । ଏ କ୍ଷାମ ଶବ୍ଦରୁ ହିଁ ପାଉଁଶ ଅର୍ଥଜ 'ଛେନା' ଶବ୍ଦଟି ଓଡ଼ିଆ ଭାଷାରେ ଚଳୁଅଛି । ଏହି କ୍ଷାମ ଶବ୍ଦରୁ ଗୋଟିଏ ପଟେ ଓଡ଼ିଆ ଭାଷାରେ ପାଉଁଶ ଅର୍ଥଜ 'ଛେନା' ଶବ୍ଦ ସୃଷ୍ଟି ହୋଇଥିଵାବେଳେ ଆଉ ଏକ ଦିଗରେ ବଙ୍ଗାଳୀ ଓ ଅହମିଆ ଭାଷାରେ ପାଉଁଶ ଅର୍ଥରେ ছাই ଶବ୍ଦ ସୃଷ୍ଟି ହୋଇଛି । ଆଜି ବି ଉତ୍ତର ଭାରତର ଗ୍ରାମାଞ୍ଚଳରେ କେଉଁଠି କେଉଁଠି ପାଉଁଶକୁ छाई କହୁଥିଵାର ଶୁଣାଯାଏ ଏଵଂ ସେ ଶବ୍ଦଟି କ୍ଷାମ ମୂଳର ଶବ୍ଦ ଅଟେ । 

ମାତ୍ର ଛେନାର ଅର୍ଥ ଘସି କେମିତି ହୋଇପାରେ? 

ପ୍ରକୃତରେ ଏହି ଛେନା ଶବ୍ଦଟି ଆଉ ଏକ ଭିନ୍ନ ମୂଳରୁ ସୃଷ୍ଟି ହୋଇଛି । ଏହି ଛେନା ଶବ୍ଦର ପ୍ରାକ୍ ଭାରୋପୀୟ ରୂପ ଥିଲା *śakana ଵା ଶକନ୍ ଯାହା ପରେ *chakana ଵା ଛକନ ହୋଇ ଶେଷରେ ପ୍ରାକୃତ ତଥା କଥିତ ସଂସ୍କୃତ ଭାଷାରେ ଛଗଣ ରୂପେ ଚଳିଲା । ଶକନ୍'ର ମାନକ ସଂସ୍କୃତରୂପ ଥିଲା ଶକୃତ (śákṛt) ଯାହାର ଅର୍ଥ ଗୋଵର ଅଟେ । ତହୁଁ ପ୍ରାକୃତ ଶବ୍ଦ 𑀙𑀕𑀡 (chagaṇa) ଶବ୍ଦଟି କ୍ରମେ 𑀙𑀸𑀡 (chāṇa) ଓ 𑀙𑀸𑀡𑀻 (chāṇī) ହୋଇପରେ ଓଡ଼ିଆ ଭାଷାରେ ଛେନାରେ ପରିଣତ ହୋଇଥିଲା। କାଳାନ୍ତରେ ଏହା କେଵଳ ଓଡ଼ିଶାର ପଶ୍ଚିମାଞ୍ଚଳରେ ବଞ୍ଚିକି ରହିଗଲା ଏଵଂ ଅନ୍ୟତ୍ର ଭିନ୍ନ ଭିନ୍ନ ଅର୍ଥ ଘେନି ଛେନା ଶବ୍ଦ ପ୍ରଚଳିତ ହେଵାରୁ ସେସବୁ ଅଞ୍ଚଳରେ ଘସି ଅର୍ଥରେ ଅପ୍ରଚଳିତ ହୋଇଗଲା । ଆଜି ଭାରତର ଵିଭିନ୍ନ ଭାଷାରେ ପ୍ରାକୃତ ଛଗଣ ଵା ଛଗନ ମୂଳରୁ ଅନେକ ଶବ୍ଦ ସୃଷ୍ଟି ହୋଇ ଘସି ତଥା ଗୋଵର ଅର୍ଥରେ ଚଳୁଅଛି । 
ଉଦାହରଣ ସ୍ୱରୂପ:- କନ୍ନଡ଼ ଭାଷାର ಸಗಣಿ (sagaṇi),ମାରୱାରୀ ଭାଷାରେ छणारौ,ପଞ୍ଜାବୀ ਛਾਣਾ(chāṇā),ସରାଈକୀ ଭାଷାରେ छाना, ଗୁଜରାଟୀରେ છાણું (chāṇũ),ସିନ୍ଧୀରେ छेणु ଓ छेणो, କୋଙ୍କଣୀ ଓ ମରାଠୀରେ शेण(śeṇ),ମରାଠୀ ଭାଷାର ବର୍ହାଡୀ ଶୈଳୀରେ शेन(śen),ଅହିରାନୀ ଭାଷାରେ शेन(śen),ମଳୟାଳମରେ ചാണകം (cāṇakaṁ) ଓ ତାମିଳ ଭାଷାରେ சாணி (cāṇi) ଇତ୍ୟାଦି ଶବ୍ଦଗୁଡ଼ିକ ଘସି ,dung ଵା Cowdung ଅର୍ଥରେ ଵ୍ୟଵହାର ହେଉଅଛି ଏଵଂ ଏ ସମସ୍ତ ଶବ୍ଦଗୁଡ଼ିକର ମୂଳ ପ୍ରାକୃତ ରୂପ ଥିଲା ଛଗଣ ଵା ଛକନ । 

ଏଣୁ ଓଡ଼ିଆ ଭାଷାରେ 'ଛେନା' ଭଳି ଯଦି କୌଣସି ଗୋଟିଏ ଶବ୍ଦର ଚାରି ପାଞ୍ଚୋଟି ବହୁତ ଭିନ୍ନ ଭିନ୍ନ ଅର୍ଥରେ ପ୍ରୟୋଗ ହେଉଥିଵାର ଦେଖନ୍ତି ତେବେ ଜାଣିବେ ତାହା ପ୍ରକୃତରେ ଗୋଟିଏ ଶବ୍ଦ ନୁହେଁ ଚାରି ଵା ତତୋଃଧିକ ଶବ୍ଦ ମୂଳରୁ ସୃଷ୍ଟି ହୋଇଥିଵା ଚାରୋଟି ଭିନ୍ନ ଭିନ୍ନ ଶବ୍ଦ ଅଟେ । 
 



Sunday, June 16, 2024

ମୂଳ ଆର୍ଯ୍ୟଭାଷାର ସମ୍ବନ୍ଧଵାଚକ ଶବ୍ଦ

ମୂଳ ଆର୍ଯ୍ୟଭାଷାର ଅନେକ ଶବ୍ଦ ଆଜି ବି ଆମେ ନିଜର କଥିତ ଭାଷାରେ ଵ୍ୟଵହାର କରୁଛନ୍ତି ଏଵଂ ସେ ଶବ୍ଦଗୁଡ଼ିକ ପୁଣି ଅନ୍ୟ ଅନେକ ଭାଷାରେ ମଧ୍ୟ ଭିନ୍ନ ଭିନ୍ନ ରୂପରେ ଚଳୁଅଛି ।‌ ଯଦି ଆମେ ପ୍ରାକ୍ ଭାରୋପୀୟ ସମ୍ବନ୍ଧଵାଚକ ଶବ୍ଦଗୁଡ଼ିକ ଉପରେ ଦୃଷ୍ଟି ଦେଵା ତେବେ ଜାଣିପାରିଵା ଯେ ଅତି ପ୍ରାଚୀନ ଆର୍ଯ୍ୟ ସମାଜରେ ଚଳୁଥିଵା ସମ୍ବନ୍ଧଗୁଡ଼ିକ ଆଜି ମଧ୍ୟ ଆମ ସମାଜରେ ଯଥାଵତ୍ ରହିଛି ।‌ ତେବେ ଚାଲନ୍ତୁ ପ୍ରାକ୍ ଭାରୋପୀୟ ଭାଷାପରିଵାରର ଏହିପରି କିଛି ସମ୍ବନ୍ଧଵାଚକ ଶବ୍ଦ ଵିଷୟରେ ଜାଣିଵା ଯାହା ଆଜି ବି ଉଭୟ ୟୁରୋପ ତଥା ଏସିଆର ଵିଭିନ୍ନ ଭାଷାରେ ସମ ଅର୍ଥରେ ଚଳୁଅଛି । 

ଗୃହର ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ସଦସ୍ୟା ହେଲେ ମାଆ । ମୂଳ ଭାରୋପୀୟ ଭାଷାରେ ମାଆ ପାଇଁ *méh₂tēr ଶବ୍ଦ ଥିଲା ଏଵଂ ସେଥିରୁ ସଂସ୍କୃତ ଭାଷାରେ mā́tṛ, mātṛ́ ହୋଇଛି , ଓଡ଼ିଆ ଭାଷାରେ ମାଆ ଶବ୍ଦ ଏହି ମୂଳରୁ ଜାତ । ଏହି ମୂଳ ଶବ୍ଦରୁ ପୁଣି ବହୁତ ପରେ ଜର୍ମାନିକ୍ ଭାଷା 
ଇଂରାଜୀରେ mother ଶବ୍ଦ ସୃଷ୍ଟି ହେଲା । ଓଡ଼ିଆ ଭାଷାର ମାଆ,ମାଈ ଭଳି ଶବ୍ଦ ଏହି ମୂଳର ଶବ୍ଦ। 
 
ଗୃହର ଅନ୍ୟତମ ଗୁରୁତ୍ତ୍ୱପୂର୍ଣ୍ଣ ସଦସ୍ୟ ହେଲେ ପିତା । 
ମୂଳ ଭାରୋପୀୟ ଭାଷାରେ ପିତାଙ୍କୁ *ph₂tḗr କୁହାଯାଉଥିଲା ଏଵଂ ସେଥିରୁ ସଂସ୍କୃତ ଭାଷାରେ pitṛ́ ହୋଇଛି । ଇଂରାଜୀ ଭାଷାରେ ଜର୍ମାନିକ ଦେଇ ପରେ ଏହି ଶବ୍ଦଟି father ହେଲା । ତତ୍ସମ ପିତା ଏହି ମୂଳର ଶବ୍ଦ । 

ଆଗେ ଗୃହରେ ଅନେକ ଭାଇ ରହୁଥିଲେ ତେଣୁ ସେମାନଙ୍କୁ ସମ୍ବୋଧନ କରିଵାକୁ ଶବ୍ଦଟିଏ ଲୋଡ଼ା ହେଵା ସ୍ଵାଭାଵିକ କଥା । 
ମୂଳ ଭାରୋପୀୟ ଭାଷାରେ ଭାଇଙ୍କୁ ସମ୍ବୋଧନ ପାଇଁ *bʰréh₂tēr ଶବ୍ଦ ଚଳୁଥିଲା ।‌ସେଥିରୁ ସଂସ୍କୃତ ଭାଷାରେ bʰrā́tṛ ହେଲା ଏଵଂ ପରେ ଇଂରାଜୀ ଭାଷାରେ brother ହୋଇଛି। ଓଡ଼ିଆ ଶବ୍ଦ ଭାଇ ଏହି ମୂଳର ଶବ୍ଦ ଅଟେ। 

ଗୃହରେ ଭଉଣୀ ବି ରହୁଥିଲେ ତେଣୁ ସେମାନଙ୍କୁ ସମ୍ବୋଧନ କରିଵାକୁ ଶବ୍ଦଟିଏ ଲୋଡ଼ା ହେଲା । ମୂଳ ଭାରୋପୀୟ ଭାଷାରେ ଭଉଣୀଙ୍କୁ *swésōr କୁହାଯାଉଥିଲା । ସଂସ୍କୃତ ଭାଷାରେ ଏ ଶବ୍ଦ svásṛ ହେଲା ଯାହାର ଅର୍ଥ ଭଗିନୀ , ଇଂରାଜୀ ଭାଷାରେ ଏହି ଶବ୍ଦରୁ ଜର୍ମାନିକ ଦେଇ sister ଶବ୍ଦ ସୃଷ୍ଟି ହୋଇଛି । 

ଗୃହରେ ବାପା ମାଆ ପୁଣି ନିଜ କନ୍ୟାକୁ ସମ୍ବୋଧନ କରିଵାକୁ ଶବ୍ଦ ଲୋଡ଼ିଲେ । ମୂଳ ଭାରୋପୀୟ ଭାଷାରେ ଝିଅକୁ ସମ୍ବୋଧନ ପାଇଁ *dʰugh₂tḗr ଶବ୍ଦଟିଏ ଚଳୁଥିଲା ଯହିଁରୁ ସଂସ୍କୃତ ଭାଷାରେ dúhitṛ ଶବ୍ଦ ସୃଷ୍ଟି ହୋଇ ଚଳି ପରେ ତାହା ଦୁହିତା ହୋଇଛି । ସେହିପରି *dʰugh₂tḗr ଶବ୍ଦଟି ଜର୍ମାନିକ ମୂଳରୁ ଇଂରାଜୀ ଭାଷାରେ daughter ରୂପେ ମଧ୍ୟ ଚଳୁଅଛି । 

ସେହିପରି ମୂଳ ଭାରୋପୀୟ ଭାଷାରେ ପୁଅକୁ *suHnús କୁହାଯାଉଥିଲା । ପରେ‌ ଏ ଶବ୍ଦ ସଂସ୍କୃତ ଭାଷାରେ sūnú(ସୁନୂ) ହେଲା । ଇଂରାଜୀ ଭାଷାରେ ଏହି ମୂଳର son ଶବ୍ଦ ପ୍ରଚଳିତ । ପ୍ରାଚୀନ ଓଡ଼ିଆ ସାହିତ୍ୟରେ ଏହି ସୁନୂ ଶବ୍ଦ ଵ୍ୟଵହାର ହୋଇଥିଵା ଜଣାଯାଏ । 

ମୂଳ ଭାରୋପୀୟ ଭାଷାରେ ସେହିପରି ପୁଅକୁ *putló କହୁଥିଲେ ଏଵଂ ତାହା ସଂସ୍କୃତ ଭାଷାରେ putrá ରୂପେ ଚଳିଲା । ତେବେ ଇଂରାଜୀ ଭାଷାରେ ଏହି ମୂଳର ଶବ୍ଦ ନାହିଁ କିନ୍ତୁ ଲାଟିନ ଭାଷାରେ ଏହା ସହିତ ସଗୋତ୍ରୀୟ puklo ଶବ୍ଦଟି ପୁଅ ଅର୍ଥରେ ପ୍ରଚଳିତ । ଓଡ଼ିଆ ଭାଷାରେ ସେହି ପ୍ରାଚୀନ ଶବ୍ଦ ମୂଳରୁ ସୃଷ୍ଟି ହୋଇ 'ପୁଅ' ଶବ୍ଦ ଆଜି ବି କଥିତ ଭାଷାରେ ବୋଲାଯାଉଅଛି । 

ମୂଳ ଭାରୋପୀୟ ଭାଷାରେ ନାତିକୁ *(h₂)népōts କୁହାଯାଉଥିଲା ଯାହା ସଂସ୍କୃତ ଭାଷାରେ nápāt ହେଲା ଏଵଂ ଓଡ଼ିଆ ଭାଷାରେ ନାତୀ ହେଲା । ଇଂରାଜୀ ଭାଷାର neve(ପ୍ରାଚୀନ) ଓ nephew ଏହି ଶବ୍ଦ ମୂଳରୁ ସୃଷ୍ଟି ହୋଇଛି । 

ମୂଳ ଭାରୋପୀୟ ଭାଷାରେ ନାତୁଣୀକୁ *(h₂)néptih₂ କହୁଥିଲେ ଯାହା ସଂସ୍କୃତ ଭାଷାରେ naptī́ ହେଲା । ପରେ ଜର୍ମାନିକ ମୂଳରୁ ଇଂରାଜୀ ଭାଷାରେ niece ଓ nift(ପ୍ରାଚୀନ) ଶବ୍ଦ ଚଳିଲା । 

ମୂଳ ଭାରୋପୀୟ ଭାଷାରେ ସ୍ଵାମୀଙ୍କ ଭାଇଙ୍କୁ *deh₂iwḗr କହୁଥିଲେ ଯାହା ସଂସ୍କୃତ ଭାଷାରେ devṛ́, devará ହେଲା, ଓଡ଼ିଆ ଭାଷାରେ ଦିଅର ହେଲା । ପ୍ରାଚୀନ ଇଂରାଜୀ ଭାଷାରେ ସମାର୍ଥକ ସମୋଦ୍ଧୃତ ଶବ୍ଦ tācor ଚଳୁଥିଲା ଯାହା ଆଜି brother in lawର ପ୍ରୟୋଗ ଯୋଗୁଁ ଲୁପ୍ତ । 

ଭାଇର କନିଆ(ସ୍ତ୍ରୀ)ଙ୍କୁ ମୂଳ ଭାରୋପୀୟ ଭାଷାରେ *snusós କହୁଥିଲେ ଯାହା ସଂସ୍କୃତ ଭାଷାରେ snuṣā ହେଲା ।ପ୍ରାଚୀନ ଇଂରାଜୀ ଭାଷାରେ ସମାର୍ଥକ ସମୋଦ୍ଧୃତ ଶବ୍ଦ snoru ଚଳୁଥିଲା ଯାହା ଆଜି sister in lawର ପ୍ରୟୋଗ ଯୋଗୁଁ ଲୁପ୍ତ ।  

ମୂଳ ଭାରୋପୀୟ ଭାଷାରେ *wedʰ- ଶବ୍ଦଟି ପ୍ରତିଜ୍ଞା, ପ୍ରତିଶ୍ରୁତି,ବନ୍ଧନ, ନେତୃତ୍ୱ ଆଦି ଅର୍ଥରେ ଚଳୁଥିଲା । ଭାରତରେ ସାତ ଜନମ ସାଥିରେ ରହିଵାର ପ୍ରତିଜ୍ଞା ନେଇ ଵିଵାହ ହେଉଥିଲା ବୋଲି ଏହି ଶବ୍ଦରୁ ଵଧୂ ଶବ୍ଦ ସୃଷ୍ଟି ହୋଇଛି, ସେହିପରି ଇଂରାଜୀ ଭାଷାରେ ଏହି ମୂଳ ଶବ୍ଦରୁ wed ଶବ୍ଦ ଵିଵାହ ଅର୍ଥରେ ପ୍ରଚଳିତ। 

ଶଶୁରଙ୍କ ପାଇଁ ମୂଳ ଭାରୋପୀୟ ଭାଷାରେ *swéḱuros ଶବ୍ଦ ଥିଲା ଯାହା ସଂସ୍କୃତ ଭାଷାରେ śváśura ହେଲା, ଓଡ଼ିଆ ଭାଷାରେ ଶଶୁର ହେଲା। ପ୍ରାଚୀନ ଇଂରାଜୀ ଭାଷାରେ ସମାର୍ଥକ ସମୋଦ୍ଧୃତ ଶବ୍ଦ swēor ଥିଲା ଯାହା ଆଜି father in law ବୋଲାଯିଵା ଯୋଗୁଁ ଇଂରାଜୀ ଭାଷାରେ ଅପ୍ରଚଳିତ ହୋଇଅଛି । 

ଶାଶୁଙ୍କୁ ମୂଳ ଭାରୋପୀୟ ଭାଷାରେ *sweḱrúh₂ କୁହାଯାଉଥିଲା ଯାହା ସଂସ୍କୃତ ଭାଷାରେ śvaśrū́ ହେଲା, ଓଡ଼ିଆ ଭାଷାରେ ଶାଶୁ ହେଲା। କିନ୍ତୁ ପ୍ରାଚୀନ ଇଂରାଜୀ ଭାଷାରେ ସମାର୍ଥକ ସମୋଦ୍ଧୃତ ଶବ୍ଦ sweger ଥିଲେ ବି mother in law ବୋଲାଯିଵା ଯୋଗୁଁ ଏହି ଶବ୍ଦ ଆଜି ସେ ଭାଷାରେ ଚଳୁନାହିଁ । 

ପ୍ରାକ୍ ଭାରୋପୀୟ ଶବ୍ଦ *syo(w)ros ଶବ୍ଦଟି ସଂସ୍କୃତ ଭାଷାରେ ଶ୍ୟାଳ ତଥା ଓଡ଼ିଆ ଭାଷାରେ ଶଳା ହୋଇଛି। ତେବେ ଇଂରାଜୀ ଭାଷାରେ ଏହି ମୂଳ ଶବ୍ଦ ନାହିଁ କିନ୍ତୁ ରୁଷୀଭାଷାରେ ପତ୍ନୀଙ୍କ ଭାଇଙ୍କୁ шурин (šurin) କୁହାଯାଏ ଯାହା ଏହି ମୂଳ ଶବ୍ଦରୁ ସୃଷ୍ଟି ହୋଇଛି । 

ପ୍ରାକ୍ ଭାରୋପୀୟ ଭାଷାରେ *ph₂tr̥wyos ଶବ୍ଦ ଥିଲା । ତହିଁରୁ ସଂସ୍କୃତ ଭାଷାରେ ପିତୃଵ୍ୟ(ଭେଣୋଇ) ଓ ପିତୃଵ୍ୟା(ପିଉସୀ) ଶବ୍ଦର ସୃଷ୍ଟି । 
ସେହି ପ୍ରାକ୍ ଭାରୋପୀୟ ଶବ୍ଦରୁ ପ୍ରାଚୀନ ଗ୍ରୀକ୍‌ରେ πάτρως (pátrōs, “paternal uncle”),ଆଵେସ୍ତାନୀରେ 𐬙𐬏𐬌𐬭𐬌𐬌𐬀 (tūiriia, “paternal uncle”) (> *(p)tərvya), ପ୍ରାଚୀନ ପାର୍ସୀରେ افدر (afdar, “paternal uncle”), ଲାଟିନ ଭାଷାରେ patruus (“paternal uncle”) ଓ ପ୍ରାକ୍ ଜର୍ମାନିକ୍ ଶବ୍ଦରେ *fadurwijô (“paternal uncle”) ଶବ୍ଦ ସୃଷ୍ଟି ହୋଇଥିଲା । 

କିନ୍ତୁ Maternal uncle ଅର୍ଥରେ ଓଡ଼ିଆ ଭାଷାରେ ଵ୍ୟଵହୃତ ମାମୁ, ଓଡ଼ିଆ ତଥା ହିନ୍ଦୀ ଶବ୍ଦ ମାମା ତଥା ସଂସ୍କୃତ māma ଶବ୍ଦ ପ୍ରାକ୍ ଦ୍ରାଵିଡ଼ *māma ଶବ୍ଦ ମୂଳର ଅଟେ । ସେହିପରି ଭାତୃଜାୟାରୁ ଭାଉଜ ଓ भौजाई,ଆର୍ଯ୍ୟ ଓ ଆର୍ଯ୍ୟା ଶବ୍ଦରୁ ଯଥାକ୍ରମେ ଅଜା ଓ ଆଈ ଆଦି ଶବ୍ଦ ସୃଷ୍ଟି ହୋଇଛି । ସଂସ୍କୃତ ନନାନ୍ଦା ଶବ୍ଦରୁ ଓଡ଼ିଆ ଭାଷାରେ ନଣନ୍ଦ ଶବ୍ଦ ସୃଷ୍ଟି ହୋଇଛି । ସମୟ ସହିତ ମୂଳ ଆର୍ଯ୍ୟଭାଷାର ଅନେକ ଶବ୍ଦରୁ କ୍ରମେ ମୂଳ ଆର୍ଯ୍ୟଭାଷାର ଵିଭିନ୍ନ ଶାଖାରେ ଜାତ ନୂତନ ଭାଷାଗୁଡ଼ିକରେ ନୂଆ ନୂଆ ସମ୍ବନ୍ଧଵାଚକ ଶବ୍ଦମାନ ସୃଷ୍ଟି ହୋଇଛି ।

Tuesday, June 11, 2024

ସ୍ଵାର୍ଥୀ ବାଦୁଡ଼ି

ଆଜକୁ ପ୍ରାୟ ୫୨ ନିୟୁତ ଵର୍ଷ ତଳେ ବାଦୁଡ଼ିମାନେ ଆକାଶରେ ଉଡ଼ିପାରୁଥିଲେ । ସେତେବେଳେ ପକ୍ଷୀ ଓ ପଶୁଙ୍କ ମଧ୍ୟରେ ଭୀଷଣ ଝଗଡ଼ା ଲାଗିଗଲା । ବାଦୁଡ଼ିମାନେ 
ନିଜ ଇତିହାସ ଜାଣିଥିଲେ । ସେମାନେ ଜାଣିଥିଲେ ତାଙ୍କ ପୂର୍ଵଜ ମୂଷା ଜାତୀୟ Scrotifera ଜୀଵ ଥିଲେ । ହେଲେ 'ଜୀଵଯୁଦ୍ଧ'ରେ ବାଦୁଡ଼ିମାନେ ପଶୁ କି ପକ୍ଷୀ କାହାର ପକ୍ଷ ନନେଇ ନିରପେକ୍ଷ ରହିଲେ । ସେମାନେ ଥିଲେ ସ୍ଵାର୍ଥପର ତେଣୁ ଯୋଉ ଦଳ ଜିତିଵ ତାହା ପକ୍ଷରେ ରହିଲେ ଲାଭ ଵିଚାରି କୌଣସି ପକ୍ଷକୁ ସମର୍ଥନ କରୁନଥାନ୍ତି। ଧୀରେ ଧୀରେ ଦେଖାଗଲା ବିରାଡ଼ି ଓ ମର୍କଟ ଜାତୀୟ ଜୀଵଙ୍କ ଯୋଗୁଁ ପଶୁମାନେ ଜିତିଵାକୁ ଲାଗିଲେ ଫଳରେ ନିଜ ପୂର୍ଵଜଙ୍କ ଦ୍ଵାହି ଦେଇ ବାଦୁଡ଼ିମାନେ ପଶୁମାନଙ୍କ ପକ୍ଷଧର ହୋଇଗଲେ । ତାପରେ ପକ୍ଷୀମାନଙ୍କ ମଧ୍ୟରେ ଇଗଲ,ଗରୁଡ଼,କାଉ,ଛଞ୍ଚାଣ ଓ ଗିରିଧ ଭଳି ଟାଣୁଆ ଵୀର ପକ୍ଷୀଜାତିମାନେ ବାହାରିଲେ । ସେତେବେଳେ ତ ଆଧୁନିକ ଵିରାଡ଼ି,ମୂଷା ଓ ମର୍କଟମାନଙ୍କର ପୂର୍ଵଜ ଆଜିର ମୂଷାଙ୍କ ଆକାରର ଥିଲେ ତେଣୁ ଏହି ନୂତନ ପକ୍ଷୀଜାତିମାନେ ଏମାନଙ୍କର ସହଜରେ ଶିକାର କରି ପକ୍ଷୀଦଳକୁ ଵିଜୟ ଆଡ଼କୁ ଆଗେଇ ନେଲେ । ବାଦୁଡ଼ି ତ ସହଜେ ସ୍ଵାର୍ଥପର ଜାତି ସେମାନେ ଯେତେବେଳେ ଦେଖିଲେ ପକ୍ଷୀମାନେ ଜିତିଲେଣି ତହୁଁ ତାଙ୍କେ ଅଵିଳମ୍ଭେ ଦଳ ବଦଳ କରିଦେଲେ ‌। ବାଦୁଡ଼ିମାନେ ପକ୍ଷୀମାନଙ୍କୁ ସେମାନଙ୍କର ପକ୍ଷ ଦେଖାଇ ଓ ଆକାଶରେ ଉଡ଼ିପାରିଵାର କ୍ଷମତା ଦେଖାଇ ପକ୍ଷୀଦଳରେ ମିଶିଗଲେ । ଅନେକ ଵର୍ଷ ଲଢ଼େଇ ଚାଲିଲା ଏଵଂ ଶେଷକୁ ପକ୍ଷୀ ଓ ପଶୁଙ୍କ ମଧ୍ୟରେ ସନ୍ଧି ହୋଇଗଲା । କିନ୍ତୁ ସ୍ଵାର୍ଥୀ ବାଦୁଡ଼ିମାନଙ୍କର ସ୍ଵାର୍ଥପର ବୁଦ୍ଧି ବୁଝି ପଶୁ ଓ ପକ୍ଷୀମାନେ ସେମାନଙ୍କୁ ନିଜ ନିଜ କୁଳରେ ରଖିଲେ ନାହିଁ । ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ ବାଦୁଡ଼ିମାନେ ଏକଘରକିଆ ହୋଇ ରହିଛନ୍ତି । କାଉ ଆଦି ପକ୍ଷୀମାନେ ବାଦୁଡ଼ିକୁ ଦେଖିଲେ ହୁରୁଡ଼େଇ ଦିଅନ୍ତି। ବାଦୁଡ଼ିମାନେ ପଶୁଥିଲେ,ପକ୍ଷୀ ସମ ଆକାଶରେ ଉଡ଼ିଲେ କିନ୍ତୁ କୋଉ କୁଳକୁ ହେଲେ ନାହିଁ । 

(ମନୋଜ ମିଶ୍ରା ଭଳି କିଛି ସ୍ଵାର୍ଥୀ ବି ଅଧୁନା ନିଜର ଓଡ଼ିଆ ପରିଚୟ ଛାଡ଼ି କେଵଳ ସ୍ଵାର୍ଥ ସାଧନ ପାଇଁ ପର ବୋପାର ପରିଚୟ ଧରି ବୁଲୁଛନ୍ତି, ଡେଉଁଛନ୍ତି । ସେମାନେ ବି ବାଦୁଡ଼ିଙ୍କ ପରି ଦୁର୍ଯୋଗ ଭୋଗିବେ କାରଣ ଯୁଗେ ଯୁଗେ ସତ୍ୟର ହିଁ ଜୟ ହୋଇଛି । ଓଡ଼ିଶାର ପଶ୍ଚିମାଞ୍ଚଳ ହିଁ ପ୍ରାଚୀନ ଉଡ୍ରଦେଶ ତେଣୁ ସେଠାରେ ଓଡ଼ିଆ ଜାତି ଭାଷା ସଂସ୍କୃତି ଲିପି ଓ ସାହିତ୍ୟର (ଚର୍ଯ୍ୟାଗୀତି) ଜନ୍ମ । ଉଡ୍ରଦେଶକୁ ମିଛରେ ଠୋଶଳ କହିଦେଲେ ସତଟା ବଦଳି ଯିଵନି )

Sunday, June 9, 2024

ଶନିଦଶା

ଜଣେ ସ୍ତ୍ରୀଲୋକ ତା ପୁଅର ଵିଵାହ ପାଇଁ ଝିଅ ଠିକ୍ କରିଵାକୁ ପଡ଼ୋଶୀ ଗାଆଁକୁ ଯାଇଥିଲେ। ଝିଅଘର ଏଣେ ନିଜ ଝିଅ ପାଇଁ ଚିକିରିଆ ବର ଉଣ୍ଡୁଥାନ୍ତି । ଝିଅର ଯୋଗ୍ୟତା ବୋଇଲେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ । ଝିଅଘରକୁ ପୁଅର ମାଆ ଯାଇଥିଲା,ତାକୁ ଝିଅର ମାଆ କହିଲା ମୋ ଝିଅ ଯେମିତି ତା ଶାଶୁଘରେ ଖଟିଵନି ତାକୁ ଦୃଷ୍ଟିରେ ରଖି ମୁଁ ଵର ଉଣ୍ଡୁଚି । ତମେ ମୋତେ ପ୍ରତିଶ୍ରୁତି ଦିଅ ଯେ ତମ ଘରେ ମୋ ଝିଅ ଖଟିଵନି ବୋଲେ ମୁଁ ତୁମ ପୁଅ ହାତରେ ମୋ ଝିଅକୁ ଦେବି । ପୁଅର ମାଆ ଵିଚାରି କରେ କ'ଣ 🙄 ସହଜେ ଆଜିକାଲି ପ୍ରେମ ବିନା ଝିଅ ମିଳିଵା କଷ୍ଟ,ଜ୍ଞାତି ପରିଚିତ ବି ସେ ପ୍ରେମ ଭୟରେ କାହାର ବାହାଘର ଠିକ୍ କରାଉନାହାନ୍ତି କି ମଧ୍ୟସ୍ଥି ହେଉନାହାନ୍ତି । ପୁଅ ସୁନ୍ଦର ଡଉଲ ହେଲେ କ'ଣ ହେଵ ପୈତୃକ ସଂପତ୍ତି କହିଲେ ଛୋଟିଆ ବାଡ଼ି(ବାରି) ଖଣ୍ଡେ ଆଉ ବିଲ ଦି ଚାରିଖଣ୍ଡ ଅଛି । ଵର ଜଣକ ସରକାରଙ୍କ ଚାକର ହୋଇଥିଲେ ଅଵା ଆଶାଟିଏ ଥାଆନ୍ତା କିନ୍ତୁ ସେ ଗୋଟେ ସାଧାରଣ ବେସରକାରୀ ସଂସ୍ଥାର ନିମ୍ନ ବେତନ ପ୍ରାପ୍ତ କର୍ମଚାରୀ ତେଣୁ ତାକୁ ଝିଅ କିଏ ଦେଵ ? 
ବାଧ୍ୟ ହୋଇ ପୁଅର ମାଆ ଝିଅର ମାଆ ସର୍ତ୍ତରେ ରାଜି ହୋଇଗଲା ‌। ବାହାଘର ହେଲା,ଵୈଦେଶିକ ଶୈଳୀରେ ରିସପସନ୍ ହେଲା ଆଉ ଵର କନ୍ୟା ଦିଟା ସିଂହାସନରେ ରାଜା ରାଣୀ ଭଳି ବସି ମେଞ୍ଚେ ଫୋଟୋ ଉଠେଇ ଫେସବୁକରେ ଢାଳି ଗଦେଇ ଦେଲେ । 

ହେଲେ ସେଇଦିନ ରାତିରେ ହେଲା କାଣ୍ଡ । କାଣ୍ଡ କ'ଣ ହେଲା ଜାଣିଵା ଆଗରୁ ତା ପଛର କାହାଣୀ ଜାଣିନେଵା ଉଚିତ୍ ହେଵ । 
କଥା କ'ଣ କି ଝିଅର ଜଣେ ଅନ୍ୟ ଜାତିର ପ୍ରେମିକ ଥିଲା ଯିଏ କୋଟା ଯୋଗୁଁ ସରକାରୀ ଚାକିରୀ ପାଇଥିଲା । ସରକାରୀ ଚାକିରୀ ପାଇ ସରକାରୀ ଦଳର ଭକ୍ତ ହୋଇ ସେ ଭ୍ରଷ୍ଟାଚାର ବଳରେ ଚାରି ମହଲା ପିଟି ଦେଇଛି ଆଉ ଏଣେ ଗଦା ଗଦା ଟଙ୍କା ବି ରଖିଛି । ହଁ ତା ରୂପଟା ସିନା ସିନ୍ଧିଖୋଳା ଚୋର ପରି କିନ୍ତୁ ଏ ଦେଶରେ ଵର ସନ୍ଧାନ ତଥା ପ୍ରେମ କରିଵା ସମୟରେ ଵର ଓ ପ୍ରେମିକର ଵୟସ କି ଚର୍ମରଙ୍ଗ ନୁହେଁ ଵରଂ ଧନ ଓ ଚାକିରୀ ଦେଖାଯାଏ । ଝିଅର ମାଆ କିନ୍ତୁ ଜାତି ଭିନ୍ନ ଯୋଗୁଁ ୟେ ଟୋକାକୁ ପସନ୍ଦ କରୁନଥିଲା ତେଣୁ ବହେ ଧନ ଓ ବଡ଼ ସରକାରୀ ଚାକିରୀ ଥାଇ ବି ଝିଅ ଦେଉନଥିଲା । ହେଲେ ଝିଅର ମନ ତ ଟୋକାଠିଁ ଲାଖିଛି । ବାହା ହେଲେ ପ୍ରତିଦିନ କେମିତି ଦଶ ପଟ ଶାଢ଼ୀ ପିନ୍ଧିଵ,ଷୋହଳ ରଙ୍ଗର ଲିପିଷ୍ଟିକି ଲଗେଇଵ ଓ ପଚିଶ ହଳ ହାଇ ହିଲି ପିନ୍ଧି ପଚାଶ ଲଖିଆ ଗାଡ଼ିରେ ନଗର ବୁଲିଵ ଝିଅ ସେଇ ସପନ ଦେଖୁଥାଏ । 

କିନ୍ତୁ ଦୈଵ ଦୁର୍ଯୋଗକ୍ରମେ ଝିଅର ବାହାଘର ତାହାରି ଜାତିର ଜଣେ ଟୋକା ସହିତ ହୋଇଗଲା ‌। ବାହାଘର ପରେ ଝିଅ ତିନି ଦିନ କ'ଣ କରିଵ ବୋଲି ବହୁତ ଭାବିଲା । ଶେଷରେ ତୃତୀୟ ଦିନ ବାଥରୁମ ଭିତରୁ ତା ଚାକିରିଆ ପ୍ରେମିକ ପାଖକୁ ଫୋନ୍ ଗଲା । 
ଚତୁର୍ଥୀ ଦିନ ରିସେପନ୍ ପରେ ଵର କନ୍ୟାଙ୍କ ମିଳନ ହୋଇଥାନ୍ତା କିନ୍ତୁ କନ୍ୟାଟି କୌଶଳରେ ଵରକୁ କ'ଣ ଗୋଟେ ଶୁଙ୍ଘେଇ ଦେଲା ଆଉ ସେଠୁ ରାତି ଅଧିଆ ଚାରିଟା କବାଟ ଖୋଲି ପ୍ରେମିକ ତୁଲେ ପଳାଇ ଗଲା । 

ଏ ଘଟଣା ଵର୍ଷେ ପାଖାପାଖି ହୋଇଗଲାଣି। ଚଉଠି ରାତିରେ ଵିଵାହିତା ସ୍ତ୍ରୀ ଛାଡ଼ି ପଳେଇଥିଵା ଟୋକାଟି ଆଉ ଗୋଟାଏ ଝିଅକୁ ବାହା ହେଇ ଛୁଆଟେ କାଢ଼ି ଦେଲାଣି କିନ୍ତୁ ତା ସ୍ତ୍ରୀ କିଛି କାମ କରୁନି ଵରଂ ପୁଅର ମାଆ ହିଁ କୂଅ ନଳକୂଅରୁ ପାଣି ଆଣୁଛି ଘର ଓଳାଉଛି ଭାତ ରାନ୍ଧୁଛି ଇତ୍ୟାଦି ଇତ୍ୟାଦି ୩୦୯ କାମ କରୁଛି ।

ଏପଟେ ଯୋଉ ଝିଅଟି ଚଉଠି ରାତିରେ ଅଜାତି ପ୍ରେମିକ ତୁଲେ ପଳାଇଥିଲା ତା ଚାକିରିଆ ପ୍ରେମିକର ଏବେ ଶନିଦଶା ପଡ଼ିଛି । ଶନି ଦଶା ବୋଲେ ଏଇଆ ଯେ ୨୫ ଵର୍ଷର ସରକାର ବଦଳି ନୂଆ ଦଳର ସରକାର ଆସିଵାରୁ ଭ୍ରଷ୍ଟାଚାରୀଙ୍କ ଉପରେ ଘନ ଘନ କାର୍ଯ୍ୟାନୁଷ୍ଠାନ ହେଉଛି । ଏ ଅଜାତି ପ୍ରେମିକ ମହାଶୟ ବି ଦଶ ଵର୍ଷ ହେଲା ବହୁତ ଅଧର୍ମ ବିତ୍ତ ସାଉଁଟିଥିଲେ ପୁଣି ପୂର୍ଵ ଶାସକ ଦଳର ପ୍ରଶଂସକ ସମର୍ଥକ ତେଣୁ ଏବେ ନୂଆ ସରକାରର ୟାଙ୍କ ଉପରେ କୋପ ଦୃଷ୍ଟି ପଡ଼ିଛି । 

ଗାଆଁରେ ବି ଏ କଥା ଇତି ମଧ୍ୟରେ ଶୁଣାଗଲାଣି । ଲୋକେ କୁହାକୁହି ହେଉଛନ୍ତି ଦଶ ଵର୍ଷ ତଳେ ଯୋଉ ଶନି ଦଶା ଝିଅର ଵର ଉପରେ ପଡ଼ିଥିଲା ସେଇ ଶନି ଦଶା ଏବେ ଝିଅର ପ୍ରେମିକ ଉପରେ ପଡ଼ିଛି । ମୁଁ ଶୁଣିଲାରୁ କହିଲି ହଉ ପଡ଼ୁ ପଡ଼ୁ ସବୁ ଭ୍ରଷ୍ଟାଚାରୀଙ୍କ ଉପରେ ଶନିଦଶା ପଡ଼ିଲେ ହିଁ ଦେଶର ମଙ୍ଗଳ ଯେ...

(କଳ୍ପିତ...)

Saturday, June 8, 2024

ରନ୍ତଲେଇର ନେପାଳୀ ବାବାଙ୍କ କଥା

ଆମ ଦେଶର ଜନତା ସାଧୁ ହୁଅନ୍ତୁ କି ନହୁଅନ୍ତୁ ସାଧୁପ୍ରେମୀ । ତେଣିକି ସେ ତଥାକଥିତ ସାଧୁଜଣକ ଯେତେ ଅସାଧୁ ହୋଇଥାଉ ଗେରୁଆ ରୁଦ୍ରାକ୍ଷ ପିନ୍ଧିଛି ବୋଇଲେ ତାକୁ ସାକ୍ଷାତ ଭଗଵାନ କରି ମୁଣ୍ଡରେ ବସେଇ ଦିଅନ୍ତି । ଓଡ଼ିଶା କଥା ତ ନକହିଵା ଭଲ, ଏଠାକାର ତଥାକଥିତ ସ୍ଵଘୋଷିତ ଅସ୍ମିତାପୁତ୍ରମାନେ ଷଡ଼ୈକଳା ଖରସୁଆଁର ଓଡ଼ିଶାରେ ମିଶ୍ରଣ ପାଇଁ ୧୯୫୬ରେ ଲଢ଼ି ଶହୀଦ ହୋଇଥିଵା ଓଡ଼ିଶାଵାସୀ ଯୁଵକ ବେଙ୍ଗ ପାଣିଆ କି ସୁନୀଲ ଦେଙ୍କୁ ଜାଣନ୍ତୁ କି ନଜାଣନ୍ତୁ କିନ୍ତୁ ତାଙ୍କ ମୃତ ଵର୍ଗୀବାବାଙ୍କୁ ସବୁଦିନ ମନେ ପକାନ୍ତି । 

ଆଚ୍ଛା ନବବାବୁ ମୁଖ୍ୟମନ୍ତ୍ରୀ ଥିଵାବେଳେ ଅନୁଗୁଳର ରନ୍ତଲେଇ ଗ୍ରାମରେ ଜଣେ ବାବା ଜାତ ହେଲେ ତାଙ୍କ ନାଆଁ ଥିଲା ନେପାଳୀବାବା । ପ୍ରକୃତରେ ବାବାଙ୍କ ନାଆଁ ନେପାଳ ଏଵଂ ସେ ନେପାଳଵାସୀ ନୁହନ୍ତି। ଗାଆଁ ଲୋକେ ସ୍ନେହରେ ନେପାଳୀ ନେପାଳୀ ଡାକୁଥିଲେ ତହୁଁ ଭକ୍ତଙ୍କ ମଧ୍ୟରେ ବି ସେଇ ନାମ ପ୍ରସିଦ୍ଧ ହେଲା । ନେପାଳୀବାବାଙ୍କ ଜନ୍ମ ସମୟରେ ଅନୁଗୁଳ ସହର ନିକଟରେ ଥିଵା ଏହି ରନ୍ତଲେଇ ଗାଆଁଟି ଏକ ଅଖ୍ୟାତ ପଲ୍ଲୀ ଥିଲା । ନେପାଳ ଯେତେବେଳେ ନେପାଳୀ ବାବା ଖ୍ୟାତ ହେଲେ ସେତେବେଳେ ଏହି ଗାଁକୁ କିଏ ରନ୍ତୁଲେଇ କହିଲା,କିଏ ରନ୍ତଲାଇ ତ ଆଉ କିଏ ରାମତଲାଇ କହିଲା । ନେପାଳଙ୍କ ବାପା ଥିଲେ ନଟବର ସାହୁ ଏଵଂ ଜାତିରେ ଚଷା । ତାଙ୍କର ତିନିପୁଅ ମଧ୍ୟରେ ବଡ଼ ଗୋଵର୍ଦ୍ଧନ, ମଝିଆ ଗୋପାଳ ଓ ସବା ସାନ ଥିଲେ ନେପାଳ । ସାନପୁଅ ନେପାଳର ଜନ୍ମ ୧୯୩୭ ମସିହାରେ ହୋଇଥିଲା । ରନ୍ତଲେଇ ଗାଁ ମୁଣ୍ଡରେ ଗୋଟିଏ ପୋଖରୀ, ପୋଖରୀର ନାଆଁ ବାବାଜୀ ବନ୍ଧ । ମଣିଦାସ ବୋଲି ଜଣେ ସାଧୁ ଏହି ପୋଖରୀଟି ଖୋଳିିଲେ । ନେପାଳ ବାରଵର୍ଷ ଵୟସରେ ମେଣ୍ଢା ଚରାଉଥାନ୍ତି(ନିଜ ଯୁଵାଵସ୍ଥାରେ ପଠାଣଙ୍କ ଆଦି ପ୍ରଵର୍ତ୍ତକ ମୋହମଦ ବି ମେଣ୍ଢା ଚରାଉଥିଲେ) । ତହୁଁ ନେପାଳ ଦିନେ ଅସୁସ୍ଥ ହୋଇପଡ଼ି ପୋଖରୀ ହୁଡ଼ାରେ ଥିଵା ଅଶ୍ୱତ୍ଥ ଗଛତଳେ ନିଦ୍ରାଗଲେ । ସେଠାରେ ସେ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ । ସ୍ୱପ୍ନରେ ଜଣେ ସାଧୁ ତାଙ୍କୁ ଦର୍ଶନ ଦେଇ କହିଲେ, "ତୁମେ ନିଶ୍ଚୟ ଆରୋଗ୍ୟ ହେଵ ନେପାଳ ।" କେତୋଟି ଗଛ ଚିହ୍ନାଇ ଦେଇ' ସାଧୁ ହୁକୁମଦେଲେ, "ଏଇସବୁ ଗଛ ସର୍ଵରୋଗର ମହୌଷଧି ।"

ଏହି ଘଟଣାର କିଛିଦିନ ପରେ ନେପାଳଙ୍କୁ ସ୍ୱପ୍ନାଦେଶ ହେଲା ଔଷଧ ଵିତରଣ ପାଇଁ । ନେପାଳ ପ୍ରଥମେ ସାଇପଡ଼ିଶା ଓ ଗାଁରୁ ଔଷଧଦେଵା ଆରମ୍ଭ କଲେ । ଵିଶ୍ଵାସ ବଳରେ ହେଉ ଵା ଶରୀରର ରୋଗପ୍ରତିରୋଧକ ଶକ୍ତି ଯୋଗୁଁ ହେଉ କିଛି ଲୋକେ ତାଙ୍କ ଔଷଧ ନେଇ ଭଲ ହୋଇଗଲେ । ଫଳରେ ନେପାଳ "ନେପାଳୀବାବା" ନାମରେ ପରିଚିତ ହେଲେ । ତାଙ୍କର ମହିମା ଚାରିଆଡ଼େ ଵ୍ୟାପିଗଲା । ଜିଲ୍ଲା, ରାଜ୍ୟ ଏପରିକି ଦେଶର ଵିଭିନ୍ନ ପ୍ରାନ୍ତରୁ ରନ୍ତଲେଇରେ ରୋଗୀମାନଙ୍କର ଭିଡ଼ ବଢ଼ିଗଲା । ଚାରିଆଡ଼ ଲୋକାରଣ୍ୟ । ସେଇ ଗାଁର ଗୌରାଙ୍ଗ ବେହେରା ବୋଲି ଜଣେ ବ୍ୟକ୍ତି ନେପାଳୀବାବାଙ୍କୁ କାନ୍ଧରେ ବସାଇ ଲୋକ ଗହଳିରେ ଔଷଧ ଵିତରଣ କରୁଥାଆନ୍ତି । ସେ କହୁଥିଲେ ରନ୍ତଲେଇରେ ଖର୍ବଖର୍ବ ଲୋକ ଆସି ପହଞ୍ଚିିଥିଲେ । ରେଳଯୋଗେ ଦୈନିକ ମେରାମୁଣ୍ଡଳୀ ଷ୍ଟେସନରେ ପାଞ୍ଚ ହଜାର ଲୋକ ଆସି ପହଞ୍ଚୁଥିଲେ ବୋଲି ସେହି ସମୟର ଉପଲବ୍ଧ ପ୍ରଶାସନିକ ତଥ୍ୟରୁ ଜଣାପଡ଼େ । ସ୍ଥାନୀୟ ଲୋକେ ପାଦରେ, ବଳଦଗାଡ଼ିରେ ତ‌ଥା ଅନ୍ୟାନ୍ୟ ଯାନରେ ରନ୍ତଲେଇରେ ଆସି ପହଞ୍ଚୁଥିଲେ । ସୋମଵାର, ମଙ୍ଗଳଵାର ଓ ବୁଧଵାର ସପ୍ତାହର ଏଇ ତିନିଦିନ ଔଷଧ ଦିଆଯାଉଥିଲା । ବ‌ହୁ ଲୋକ ଅନ୍ୟ ଦିନରେ ଖରା, କାକର, ଵର୍ଷା, ଶୀତ ସ‌ହି ରନ୍ତଲେଇଠାରେ ପଡିରହୁଥିଲେ । ଗାଁ ଲୋକ ଓ ଆରକ୍ଷୀମାନଙ୍କ ସହାୟତାରେ ଲୋକଙ୍କୁ ଧାଡ଼ିରେ ବସାଇ ଔଷଧ ଦିଆଯାଉଥିଲା । ଆରକ୍ଷୀମାନେ ମଧ୍ୟ ଏଠାରେ ଡେରା ପକାଇଥିଲେ । ନେପାଳୀ ବାବା ଧାଇଁଧାଇଁ କରି ଯାଇ କେତେବେଳେ କାହା କାନ୍ଧରେ ବସି ଲୋକଙ୍କ ମେଳରେ ପଶି ଔଷଧ ଵିତରଣ କରୁଥିଲେ । ଜ୍ୱର, ପେଟଵ୍ୟଥା, କୃଷ୍ଣ, ଛୋଟା, ମୂକ ଓ କାଲା ଲୋକମାନେ ଭଲ ହେଵାରେ ଲାଗିଲେ । ଭକ୍ତମାନେ ନାମ ସଂକୀର୍ତ୍ତନରେ ମାତି ନେପାଳୀବାବାଙ୍କର ଜୟଗାନ କରୁଥିଲେ । ଯେତିକି ଲୋକ ଔଷଧ ନେଇ ଫେରୁଥିଲେ ତା’ର ଦଶ ଗୁଣ ଲୋକ ଆସି ସେଠାରେ ଉପସ୍ଥିତ ହେଉଥିଲେ ।

ଲୋକଙ୍କର ପ୍ରଵଳ ଭିଡ଼ ଯୋଗୁଁ ଜଳ ଓ ଆହାରର ସଂକଟ ଦେଖାଦେଲା । ରୋଗୀକୁ ନେଇ ଆସୁଥିଵା ଲୋକେ ସ୍ଵୟଂ ରୋଗୀ ହୋଇ ପ୍ରାଣତ୍ୟାଗ କଲେ । ହଇଜା ଵ୍ୟାପିଲା । ହଇଜା ମହାମାରୀ ରୂପ ଧାରଣକଲା । ଲୋକେ ପୋକମାଛି ପରି ପଡ଼ି ମଲେ । କିଏ କୁଆଡ଼େ ଗଲେ ତା’ର ଗଣନା ମିଳିଲା ନାହିଁ । ସେତେବେଳେ ନବବାବୁ ଥାଆନ୍ତି ମୁଖ୍ୟମନ୍ତ୍ରୀ । ଏପରି ଅସ୍ବାଭାଵିକ ପରିସ୍ଥିତି ଦେଖି ମାଳତୀ ଦେଵୀ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରନ୍ତଲେଇରେ ୧୪୪ ଧାରା ଲଗାଇ ଦେଵା ପାଇଁ ନବ ବାବୁଙ୍କୁ କହିଲେ ।

ନବବାବୁ ମାଳତୀ ଦେଵୀଙ୍କୁ କହିଲେ, "ପ୍ରଶାସନର ଲୋକଙ୍କ ଧର୍ମଵିଶ୍ୱାସରେ ବାଧାଦେଵାର ଅଧିକାର ନାହିଁ । ସମ୍ବିଧାନ କହୁଛି କେହି କାହାରି ଧର୍ମ ଵିଶ୍ବାସ ଉପରେ ବାଧାଦେଇ ପାରିବେ ନାହିଁ।" ମାଳତୀ ଦେଵୀ ରାଗିଯାଇ କହିଲେ, "ନ ପାରିଵ ଯଦି ଇସ୍ତଫା ଦେଇଦିଅ । ଏଭଳି ମାଇଚିଆ ସରକାର ଆମର ଦରକାର ନାହିଁ ।"

ଦିନୁଁ ଦିନ ଅଵସ୍ଥା ଅସମ୍ଭାଳ ହେଲା । ମାଳତୀ ଦେଵୀ ବାଜି ରାଉତ ଆଶ୍ରମରୁ ଜଗାଭାଇ (ଜଗନ୍ନାଥ ପ୍ରସାଦ ଦାସ ) ଓ ଏମ.ଏଲ.ଏ ହୃଷୀକେଶ ତ୍ରିପାଠୀଙ୍କୁ ସାଙ୍ଗରେ ଧରି ଏକ ଜିପରେ ବସାଇ ରନ୍ତଲେଇ ଗ୍ରାମରେ ଯାଇ ପହଞ୍ଚିଲେ । ଜଗାଭାଇ ଯେମିତି ପହଞ୍ଚିଲେ ରାଗ ତମ ତମ ହୋଇ ନେପାଳୀବାବାଙ୍କୁ ଢାଇ କରି ଏକ ଶକ୍ତ ଚାପୁଡ଼ା ଦେଇ କହିଲେ, "ଆବେ ବଦମାସ୍, ବାବା ହୋଇ ହୁକୁମ୍ ଦେଉଛୁ, ଏଣେ ହଜାର ହଜାର ଲୋକ ମଲେଣି ।”

ଜଗାଭାଇଙ୍କ ଚାପୁଡ଼ା ଯେମିତି ବାଜିଛି ବାବା ନେପାଳୀ ଆଉ ନାହାନ୍ତି,ଡରି ମରି ଗାଆଁ ପାଖ ବଣ ଭିତରକୁ ଦୌଡ଼ି ଦୌଡ଼ି ପଳାଇଲେ । ବାବା ସିନା ମାଡ଼ ଖାଇ ବି ଜଗାଭାଇଙ୍କୁ ନିଜର ଅଲୌକିକ ଶକ୍ତି ବଳରେ ଭସ୍ମ କଲେନାହିଁ କି ଅଭିଶାପ ଦେଲେ ନାହିଁ କିନ୍ତୁ ସେଠାରେ ଥିଵା ବାବାଙ୍କ ଭକ୍ତମାନେ ଆଉ କ'ଣ ସହୁଛନ୍ତି । ଭୀଷଣ ଗୋଳ ହେଲା ଭକ୍ତମାନେ ପାଟିକରି ଉଠିଲେ "ଆମ ଭଗଵାନଙ୍କୁ ମାରିଛ ଏବେ ତମେ ସବୁ ମରିଵ" । ତେବେ ଲୋକେ ଉତ୍ତ୍ୟକ୍ତ ହୋଇ ଉଠିଵାରୁ ମାଳତୀ ଦେଵୀ, ଜଗନ୍ନାଥ ପ୍ରସାଦ ଦାସ ଓ ହୃଷୀକେଶ ତ୍ରିପାଠୀ ଜିପ୍‌ରେ ବସି କୌଶଳକ୍ରମେ ସେହି ସ୍ଥାନ ତ୍ୟାଗ କରି ଚାଲିଆସିଲେ । ତା’ପରେ ସେଠାରେ ସରକାରଙ୍କ ପକ୍ଷରୁ ୧୪୪ ଧାରା ଲାଗିଗଲା । ରନ୍ତଲେଇକୁ ବାହାରୁ ଆଉ କୋଉ ଲୋକଙ୍କୁ ଛାଡ଼ି ଦିଆଗଲା ନାହିଁ । କଲେରା ପାଇଁ ଉପଯୁକ୍ତ ପ୍ରତିଷେଧକ ଵ୍ୟଵସ୍ଥା ଓ ଚିକିତ୍ସା ଆରମ୍ଭ ହୋଇଗଲା । ସେଠାରେ ଥିଵା ଲୋକମାନଙ୍କୁ ନିଜ ନିଜ ଗ୍ରାମ, ସହର ଆଦିକୁ ବସ୍ ଓ ଟ୍ରେନ୍ ଯୋଗେ ପଠେଇ ଦେଵାର ସୁଵ୍ୟଵସ୍ଥା କରାଗଲା । କେତେକ ଦିନ ଉତ୍ତାରୁ ଧୀରେ ଧୀରେ ରନ୍ତଲେଇର ଅଵସ୍ଥା ଶାନ୍ତ ପଡ଼ିଲା । କିନ୍ତୁ ଏ ତଥାକଥିତ ଅନ୍ଧଵିଶ୍ୱାସ ଜାଲରେ ପଡ଼ି ବହୁତ ଲୋକ ମରିଗଲେ । 

ଯେତେବେଳେ ବଙ୍ଗର ସ୍ଵଘୋଷିତ ଈଶ୍ଵର ପଠାଣଙ୍କ ଅତ୍ୟାଚାରରେ ମରୁଥିଵା ଲକ୍ଷ ଲକ୍ଷ ହିନ୍ଦୁମାନଙ୍କର ଜୀଵନକୁ ନିଜର ତଥାକଥିତ ଐଶ୍ଵରୀୟ ଶକ୍ତି ବଳରେ ରକ୍ଷା କ'ଣ କରିବେ ପଳାତକ ଭଳି ନିଜ ଆଶ୍ରମ ଛାଡ଼ି ଭାରତ ପଳାଇ ଆସିଥିଲେ ସେବେଠାରୁ ବାବାମୋହରୁ ହିନ୍ଦୁମାନଙ୍କର ମୋହଭଙ୍ଗ ହୋଇଯିଵାର ଥିଲା । କିନ୍ତୁ ଏ ଦେଶରେ ତତ୍ପରେ ବି ଆସାରାମ,ରାମ ରହୀମ,ରାଧେ ମା, ସଚ୍ଚିଦାନନ୍ଦ,ଓମବାବା,ନିର୍ମଳ ବାବା,ଇଚ୍ଛାଧାରୀ ଭୀମାନନ୍ଦ,ଅସୀମାନନ୍ଦ,ନାରାୟଣ ସାଇଁ,ଶ୍ରାମପାଲ ଓ ସାରଥୀ ଭଳି ବାବା ହୋଇଛନ୍ତି ତଥା ଲୋକଙ୍କୁ ଠକିଛନ୍ତି । ଏ ଦେଶରେ ଅନ୍ଧଵିଶ୍ୱାସୀ ହିନ୍ଦୁଙ୍କର ବାବା ମୋହ କେବେ ଦୂର ହେଵ କେଜାଣି ?

Monday, May 27, 2024

•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ: ଅଭିଧାନ ନୁହେଁ ଭାଷାକୋଷ•

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଶହେ ଵର୍ଷ ତଳର ଭାଷାକୋଷ । ଜଣେ ଓଡ଼ିଆ ଭାଷାପ୍ରେମୀ ଚାଳିଶ ଵର୍ଷ ଆକ୍ଳାନ୍ତ ପରିଶ୍ରମ କରି ଏହାକୁ ସଂକଳନ କରିଛନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏକ ମହାନ ଭାଷାକୋଷ, ଏହାକୁ ଅଭିଧାନ କହି ଶ୍ରୀ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କର ଅପମାନ କରିଵା ଠିକ୍ ନୁହେଁ । ଭାଷାକୋଷ ସମ୍ରାଟ ହେଲେ ଅଭିଧାନ କୌଣସି ଏକ ଗ୍ରାମର ଜମିଦାର ତୁଲ୍ୟ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଅଭିଧାନ କହିଵା ଯାହା ସୂର୍ଯ୍ୟଙ୍କୁ ଦୀପ କହିଵା ସେଇଆ । ଭାଷାକୋଷ,ଶବ୍ଦକୋଷ ଓ ଅଭିଧାନ ମଧ୍ୟରେ ଅନେକ ଅନ୍ତର ରହିଛି । ଅଭିଧାନରେ କେଵଳ ଗୋଟିଏ ଭାଷାର କେତେକ ପ୍ରଚଳିତ ଶବ୍ଦ ଓ ତହିଁର ସଂକ୍ଷିପ୍ତ ଅର୍ଥ ହିଁ ଉଲ୍ଲେଖ ଥାଏ । ଶବ୍ଦକୋଷରେ ଗୋଟିଏ ଭାଷାର ଅଭିଧାନଠାରୁ କିଛିଟା ଅଧିକ ଶବ୍ଦ ଥାଏ ଏଵଂ ତହିଁର ଅର୍ଥ ସାମାନ୍ୟ ବୁଝାଇ ଲେଖାଯାଇଥାଏ । ଅଭିଧାନରେ କେଵଳ ମାନକ ଶବ୍ଦଗୁଡ଼ିକ ରହିଥାଏ, ଶବ୍ଦକୋଷରେ ଅଳ୍ପ ବହୁତ ଗୋଟିଏ ଶବ୍ଦର ଗୋଟିଏ ଦୁଇଟି ଶବ୍ଦ ରୂପ ସ୍ଥାନ ପାଏ କିନ୍ତୁ ଭାଷାକୋଷରେ ଗୋଟିଏ ଶବ୍ଦର ନାନାରୂପକୁ ସମାନ ରୂପେ ସ୍ଥାନ ମିଳିଥାଏ । ଗୋଟିଏ ଭାଷାକୋଷରେ ଵିଭିନ୍ନ ଅଞ୍ଚଳର ଉଲ୍ଲେଖ ସହିତ ସେସବୁ ଅଞ୍ଚଳର ସ୍ଥାନୀୟ ଶବ୍ଦଗୁଡ଼ିକୁ ସ୍ଥାନ ଦିଆଯାଇଥାଏ। ଏ ଦୃଷ୍ଟିରୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏକ ଅଭିଧାନ ନୁହେଁ ଭାଷାକୋଷ । ଭାଷାଵିଦ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ ମହାଶୟ କୁହନ୍ତି ଭାଷାକୋଷର ଇଂରାଜୀ ପ୍ରତିଶବ୍ଦ lexicon ହୋଇପାରେ । ତେବେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଯେକୌଣସି ଭାଷାର lexicon ଅପେକ୍ଷା ଅଧିକ ଉଚ୍ଚମାନର ତଥ୍ୟ ରହିଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଗୋଟିଏ ଶବ୍ଦର ଅର୍ଥ, ଏହାର ଅନ୍ୟରୂପ,ନିରୁକ୍ତି,ଵ୍ୟୁତ୍ପତ୍ତି,ଵ୍ୟାଖ୍ୟା, ସାଂସ୍କୃତିକ ମହତ୍ତ୍ଵ,ଅନ୍ୟ ଭାଷାର ସମାର୍ଥକ ପ୍ରତିଶବ୍ଦ ଆଦି ଅନେକ ତଥ୍ୟ ରହିଛି । ପାଦପ ଓ ଜୀଵଙ୍କର ଅନେକ ପର୍ଯ୍ୟାୟଵାଚକ ଶବ୍ଦ ତଥା ଵୈଜ୍ଞାନିକ ନାମର ଉଲ୍ଲେଖ ଅଛି । ଅନେକ ଶବ୍ଦର ପ୍ରବନ୍ଧ ସାମ୍ୟ ଦୀର୍ଘ ଦ୍ରଷ୍ଟଵ୍ୟ ଯୋଡ଼ାଯାଇଛି । ଢଗଢମାଳି,ପ୍ରଵାଦ,ପ୍ରଵଚନ ଆଦି ଲୋକଵାଣୀ ଓ ଅନେକ ଲୋକକଥା ମଧ୍ୟ ସ୍ଥାନ ପାଇଛି । ତେଣୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷକୁ ଶାବ୍ଦିକ ଜ୍ଞାନକୋଷ କହିଵା ଯୁକ୍ତିଯୁକ୍ତ ହେଵ । 

ତରୁଣ ଶବ୍ଦକୋଷ ଏକ ଶବ୍ଦକୋଷ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏକ ଭାଷାକୋଷ । ତରୁଣ ଶବ୍ଦକୋଷ କେବେବି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସ୍ଥାନ ନେଇପାରିଵ ନାହିଁ କାରଣ ଭାଷାକୋଷର ଗୁଣ ଓ ଉପାଦେୟତା ଦୃଷ୍ଟିରୁ ଆଜି ବି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅଦ୍ୱିତୀୟ। ହଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଅନେକ ଭୁଲ୍ ତଥ୍ୟ ରହିଛି । ଉଦାହରଣ ସ୍ୱରୂପ ଅଵର୍ଗ୍ୟ 'ଵ'ସମ୍ବନ୍ଧରେ ଦ୍ଵିସ୍ଵର 'ୱ' ଵିଷୟକ ଦ୍ରଷ୍ଟଵ୍ୟରେ କେତେକ ଭ୍ରମାତ୍ମକ ତଥ୍ୟ ଦିଆଯାଇଛି । ଗୁଡ଼ିଏ ପାଦପର ଭୁଲ୍ ଵୈଜ୍ଞାନିକ ନାମର ଉଲ୍ଲେଖ ଅଛି । ଆଧୁନିକ ଯୁଗରେ କେତେକ ନୂତନ ଶବ୍ଦ ଯୋଡ଼ାଯିଵା ତଥା ପୁରୁଣା ଶବ୍ଦର ନୂଆ ଆଧୁନିକ ଅର୍ଥ ଯୋଡ଼ାଯିଵାର ବି ଆଵଶ୍ୟକତା ଅଛି । ଏଇ ଯେମିତି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସଂକଳନ ସମୟରେ 'ଦୂରଦର୍ଶନ' ଶବ୍ଦର କେଵଳ ପୌରାଣିକ ଅର୍ଥ ହିଁ ରହିଥିଲା କିନ୍ତୁ ଆଜିକାଲି ଏ ଶବ୍ଦଟି television ଅର୍ଥରେ ମଧ୍ୟ ପ୍ରୟୋଗ ହେଉଅଛି। ତେଣୁ ଆଧୁନିକ ଯୁଗକୁ ଦୃଷ୍ଟିରେ ରଖି ଜଣେ ଵା ଏକାଧିକ ଯୋଗ୍ୟ ଵ୍ୟକ୍ତି ଯଦି ଵିଶେଷ ଚେଷ୍ଟା ଓ ଅଦମ୍ୟ ଇଚ୍ଛା କରନ୍ତି ତାହେଲେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ନୂତନ ସଂସ୍କରଣ ହୋଇପାରନ୍ତା ।

Sunday, May 19, 2024

ଓଡ଼ିଆ ଵର୍ଣ୍ଣମାଳାରେ 'ୱ' ଲିପୀମର ଆଵଶ୍ୟକତା ଓ ଏହାର ଵୈଜ୍ଞାନିକତା

ଓଡ଼ିଆ ଵର୍ଣ୍ଣମାଳାରେ କେହି କେହି 'ୱ'କୁ ଦେଖି ସନ୍ଦେହରେ ପଡ଼ି ପ୍ରଶ୍ନ କରନ୍ତି ଯେ ଏଠାରେ ସ୍ବର ଵର୍ଣ୍ଣରେ ଅର୍ଥାତ୍ 'ଓ' ଵର୍ଣ୍ଣରେ 'ବ' ଫଳା କେମିତି ଲାଗିଵ ? 

ଉଲ୍ଲେଖଯୋଗ୍ୟ ଯେ 'ୱ' ପ୍ରକୃତରେ ଏକ ଦ୍ଵିସ୍ଵର ଅର୍ଥାତ୍ 
'ଉ' ଆଉ 'ଅ'ର ମିଶ୍ର ଉଚ୍ଚାରଣ ହେଉଛି - ୱ ; ଏହିପରି ଆଉ ଏକ ଦ୍ଵିସ୍ଵର ଲିପୀମ ଆମ ଲିପିରେ ଅଛି ଏଵଂ ତାହା 'ୟ' ଅଟେ । 'ଇ' ଓ 'ଅ'ର ମିଶ୍ର ଉଚ୍ଚାରଣ 'ୟ' ଅଟେ ତେଣୁ ଏହାକୁ ସୂଚାଇଵାକୁ ପ୍ରାଚୀନ ଉତ୍କଳୀୟମାନେ 'ଯ' ତଳେ 2 ପରି ଏକ ଅଧୋବିନ୍ଦୁ ଵ୍ୟଵହାର କରିଥିଲେ । ତେବେ ଓଡ଼ିଆ ଭାଷାରେ ତାୱା ହାୱା ୱିକେଟ୍ ଭଳି କେତେକ ଵୈଦେଶିକ ଶବ୍ଦ ପ୍ରୟୋଗ କରାଗଲାରୁ ବହୁତ ପରେ 'ୱ' ବୋଲି ଏକ ଦ୍ଵିସ୍ଵର ଲିପୀମ ଲୋଡ଼ା ହୋଇଥିଲା । 

ତେବେ ଏହି 'ୱ'କୁ ସୃଷ୍ଟି କରିଵା ପାଇଁ ତତ୍କାଳୀନ ପଣ୍ଡିତମାନେ 'ଉ' ଏଵଂ 'ଅ' ଵର୍ଣ୍ଣର ମୂଳ ଉଡ୍ରଲିପି ରୂପକୁ ଵ୍ୟଵହାର କରିଥିଲେ । 'ୱ'କୁ ଯେମିତି ସହଜରେ ଲେଖି ହେଵ ତାକୁ ଦୃଷ୍ଟିରେ ରଖି 'ଅ' ର ମୂଳ ଓଡ଼ିଆ ରୂପକୁ 'ଉ' ର ମୂଳ ଓଡ଼ିଆ ରୂପ ଉପରେ ଥୋଇ ସ୍ଵତନ୍ତ୍ର 'ୱ' ଲିପୀମର ଗଠନ କରାଯାଇଥିଲା(ଏହା କେମିତି କରାଯାଇଥିଲା ତାହା ଚିତ୍ରରେ ଦର୍ଶାଯାଇଛି) । 


ଏଠାରେ ଜାଣି ରଖିଵାକୁ ହେଵ ଯେ ସବୁ ଭାରତୀୟ ଇଣ୍ଡିକ୍ ଲିପିର ଜନନୀ ବ୍ରାହ୍ମୀ ଲିପି ଅଟେ ଏଵଂ ଓଡ଼ିଆ ଲିପିର ଅ,ଦେଵନାଗରୀ अ, ଗୁଜରାଟୀ અ ଆଦି 'ଅ'ର ଯେତେ ଇଣ୍ଡିକ୍ ସ୍ଵରୂପ ରହିଛି ସେସବୁର ମୂଳ ହେଉଛି ବ୍ରାହ୍ମୀ ଲିପିର 𑀅 ! ସେହିପରି ବ୍ରାହ୍ମୀ ଲିପିର 𑀉(ଉ)ରୁ କ୍ରମଶଃ ଓଡ଼ିଆରେ ଉ,ଦେଵନାଗରୀରେ उ ଆଉ ଗୁଜରାଟୀରେ ઉ ହୋଇଛି । ଓଡ଼ିଆ ଲିପିର ପ୍ରାରମ୍ଭିକ ପର୍ଯ୍ୟାୟରୁ ଏହି ବ୍ରାହ୍ମୀ ଲିପୀମ 𑀉ଟି ସଂହରି ସଂହରି(ବଦଳି ବଦଳି) ଆଜି 'ଉ' ହୋଇଛି । 

ଆଜି ବି ଧ୍ୟାନ ସହକାରେ ଦେଖିଲେ ସମସ୍ତ ଇଣ୍ଡିକ୍ ଲିପିର 'ଉ' ସ୍ଵରୂପ ମଧ୍ୟରେ ବ୍ରାହ୍ମୀ ଲିପିର ମୂଳ '𑀉(ଉ)' ସ୍ଵରୂପ ଦୃଶ୍ୟ ହୋଇଥାଏ । 

ତେଣୁ ଯେଉଁମାନେ 'ୱ'ରେ ଯାହାକୁ 'ଓ' ଭାବୁଛନ୍ତି ତାହା 'ଅ'ର ମୂଳ ଅଂଶ ଆଉ ଯାହାକୁ 'ବ ଫଳା' ଭାବୁଛନ୍ତି ତାହା 'ଉ'ର ମୂଳ ଅଂଶ ! 'ଅ'ରୁ ମୁଣ୍ଡଳା ଓ ବାଡ଼ି କାଟି ଦିଅନ୍ତୁ ଆଉ 'ଉ' ରୁ ମଧ୍ୟ ମୁଣ୍ଡଳା ତଥା ଛାଟ କାଟି ଦିଅନ୍ତୁ । ତାପରେ ଉଭୟକୁ ଉପର ତଳ କରି ପରସ୍ପର ଉପରେ ରଖି ଦିଅନ୍ତୁ ଦେଖିବେ ତାହା 'ୱ' ହୋଇଯିଵ ।

ଵୈଦେଶିକ ଆରବୀ ପାର୍ସୀ ଶବ୍ଦରେ ଯେଉଁଠି و(ୱାୱ୍) ଥାଏ ଏଵଂ ଇଂରାଜୀ ଆଦି ଭାରୋପୀୟ ଭାଷାରେ ଯେଉଁଠି 'W' ଥାଏ ,ସେହି ସବୁ ଶବ୍ଦଗୁଡ଼ିକୁ ଓଡ଼ିଆ ଭାଷାରେ ଲେଖିଲାବେଳେ 'ୱ' ଲିପୀମର ଆଵଶ୍ୟକ ହୋଇଥାଏ । ଭାରତରେ ଓଡ଼ିଆ ଲିପି ଛଡ଼ା ଆଉ କୌଣସି ଲିପିରେ ଆରବୀ 'و'(ୱାୱ୍) ତଥା ଇଂରାଜୀ 'w'କୁ ଲେଖି ପାରିଵାର ସାମର୍ଥ୍ୟ ନାହିଁ ‌। ଅନ୍ୟାନ୍ୟ ଭାରତୀୟ ଲିପିଗୁଡ଼ିକରେ ଆରବୀ 'و'(ୱାୱ୍) ତଥା ଇଂରାଜୀ 'w'ଯୁକ୍ତ ଵୈଦେଶିକ ଶବ୍ଦଗୁଡ଼ିକୁ ଲେଖିଵା ପାଇଁ କାମଚଳା ଧନ୍ଦାରେ ଅନ୍ତ୍ୟସ୍ତ ସ୍ପର୍ଶ ସଂଘର୍ଷୀ ଅଵର୍ଗ୍ୟ 'ଵ' ଵ୍ୟଵହାର କରାଯାଏ କିନ୍ତୁ ଧ୍ଵନିତତ୍ତ୍ଵ ଦୃଷ୍ଟିରୁ 'ୱ','ବ' ଆଉ 'ଵ' ଭିନ୍ନ ଭିନ୍ନ ଅଟେ ‌। ଵର୍ଗ୍ୟ 'ବ' ଉଚ୍ଚାରଣ ସମୟରେ ଦୁଇ ଓଠ ଲାଗେ ,ଦ୍ଵିସ୍ଵର 'ୱ' ଉଚ୍ଚାରଣ ସମୟରେ ଦୁଇ ଓଠ ଲାଗିନଥାଏ ଵରଂ ବାହାରକୁ ଖୋଲିଥାଏ ଏଵଂ ସ୍ପର୍ଶ ସଂଘର୍ଷୀ ଅନ୍ତ୍ୟସ୍ତ 'ଵ' ଉଚ୍ଚାରଣ ସମୟରେ ଉପର ଦାନ୍ତ ସହିତ ତଳ ଉଠ ସାମାନ୍ୟ ସ୍ପର୍ଶ କରିଥାଏ । ଏଣୁ ଉଚ୍ଚାରଣ ଦୃଷ୍ଟିରୁ ବ,ଵ ତଥା ୱ ଭିନ୍ନ ଭିନ୍ନ ଅଟେ । ଏହା ହିଁ ଓଡ଼ିଆ ଲିପିର ଵୈଜ୍ଞାନିକତା ଯାହା ବଙ୍ଗାଳୀ ହିନ୍ଦୀ ଭାଷାର ଲିପିରେ ନାହିଁ !!!
.............................

ହାତୀର ଗୋଡ଼

ଆଫ୍ରିକାର ଜଣେ ଯୁଵକ ଏକ ଛୋଟ ହାତୀଟିକୁ ଗୋଟାଏ ଗୋଡ଼ ଟେକି ଟେକି ଚାଲୁଥିଵାର ଦେଖିଲା। ସେ ନିକଟତର ହେଲାରୁ ଜାଣିଲା ଯେ ହାତୀର ଗୋଡରେ କଣ୍ଟା ଗଳିଯାଇଛି । ଯୁଵକଟି ସାଵଧାନତାର ସହିତ ଥିରି କରି କଣ୍ଟାଟି ବାହାର କରି ଦେଲେ । ହାତୀଟି ଏଥର ଭଲରେ ଚାଲିପାରିଲା ତେଣୁ ଉଷତ ହୋଇ ଶୁଣ୍ଢ ଉପରକୁ ଉଠାଇ ଉଚ୍ଚ ସ୍ୱରରେ ପେଁକାଳି ବଜେଇଲା। ତହୁଁ ସେହି ଛୋଟ ହାତୀଟି ଯୁଵକକୁ ଧନ୍ୟଵାଦ ଜଣାଇଵା ପାଇଁ ତା ଆଡକୁ ଅନାଇ ଶୁଣ୍ଢ ଉପରକୁ କରି ଚାଲିଗଲା | ଇତିମଧ୍ୟରେ ୨୦ ଵର୍ଷ ବିତିଗଲାଣି ଏଵଂ ଉକ୍ତ ଯୁଵକଜଣକ ପ୍ରୌଢ଼ ‌ହେଲାଣି । ଦିନେ ସେ ଵ୍ୟକ୍ତି ଏକ ପ୍ରାଣୀ ଉଦ୍ୟାନରେ ଥିଲା । ଦେଖିଲା ଗୋଟେ ହାତୀ ତା ଆଡ଼କୁ ଏକ ଲୟରେ ଅନାଇ ରହିଛି ଏଵଂ ମଝିରେ ମଝିରେ ଶୁଣ୍ଢ ଉପରକୁ ଟେକୁଛି ପୁଣି ଗୋଡ଼ ଉପରକୁ ସାମାନ୍ୟ ଉଠାଇ ତଳେ ରଖୁଛି ଆଉ ପେଁକାଳି ବଜାଉଛି । ଲୋକଟି ମନେ ମନେ ଭାଵନା କଲା ସତେ କ'ଣ ଇଏ ସେଇ ଛୋଟ ହାତୀଟି ଯାହା ପାଦରେ କଣ୍ଟା ପଶିଯାଇଥିଲା ଯେ ମୁଁ ତାକୁ କାଢ଼ି ଦେଇଥିଲି ? 
ହାତୀଟି ଉକ୍ତ ଲୋକକୁ ବାରମ୍ବାର ଅନାଇ ରହି ସେହିପରି ଶୁଣ୍ଢ ଟେକି ଗୋଡ଼ ଉଠାଇ ପେଁକାଳି ବଜାଇଵାରୁ ଲୋକର ଵିଶ୍ଵାସ ବଢ଼ି ବଢ଼ିଗଲା । ଶେଷରେ ଵ୍ୟକ୍ତିର ଵିଶ୍ଵାସ ଏତେ ବଢ଼ିଗଲା ଯେ ସେ ହାତୀ ଚାରିପଟେ ଘେରା ଯାଇଥିଵା ତାରବାଡ଼ ପାର କରି ହାତୀ ପାଖରେ ପହଞ୍ଚିଗଲା । ଵ୍ୟକ୍ତିକୁ ନିଜ ନିକଟରେ ଦେଖି ହାତୀଟି ତାକୁ ଘଡ଼ିଏ ଅନାଇ ରହିଲା ଏଵଂ ତତ୍ପରେ ପୂର୍ଵ ଭଳି ଗୋଡ଼ ଟେକିଲା ଶୁଣ୍ଢ ଟେକିଲା ପେଁକାଳି ବଜାଇଲା ଆଉ ଶେଷରେ ସେଇ ଲୋକଟାକୁ ନିଜ ପାଦ ତଳେ ଦଳି ମାରିଦେଲା । ବୋଧହୁଏ ଏଇ ହାତୀଟା ସେ କୋଡ଼ିଏ ଵର୍ଷ ତଳର ହାତୀ ନଥିଲା 

Sunday, May 5, 2024

ଯଜ୍ଞନିନ୍ଦା(ମହାଭାରତ କଥା)


ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସେ ବ୍ରାହ୍ମଣ ସ୍ଵର୍ଗପ୍ରାପ୍ତି ହେତୁ ଯଜ୍ଞ କରିଵାକୁ ଇଚ୍ଛା ପ୍ରକଟ କଲେ । ଯେଉଁଠି ବ୍ରାହ୍ମଣ ନିଵାସ କରୁଥିଲେ ସେଠି ଅନ୍ନ ନାମରେ ସୁଆଁ ମିଳୁଥିଲା,ଡାଲି ଭାବେ ହରଡ଼ ମିଳୁଥିଲା ଏଵଂ ପରିବା ଭାବେ ବ୍ରାହ୍ମୀ ଲତା ହିଁ ଉପଲବ୍ଧ ଥିଲା । ତେବେ ଉକ୍ତ ବ୍ରାହ୍ମଣଙ୍କ ତପସ୍ୟା ଯୋଗୁଁ ଏହି କଟୁ ଖାଦ୍ୟଶସ୍ୟଗୁଡ଼ିକ ମଧ୍ୟ ରସଯୁକ୍ତ ତଥା ଋଚିକର ହୋଇଯାଇଥିଲା । ବ୍ରାହ୍ମଣ ସତ୍ୟ ଯଜ୍ଞ ପାଇଁ ପ୍ରାଣୀ ହିଂସା ନକରି ସାତ୍ତ୍ୱିକ ଗୁଣ ବଳରେ ଫଳ ମୂଳ ପୁଷ୍ପାଦି ଦ୍ଵାରା ସ୍ଵର୍ଗପ୍ରାପ୍ତି ହେତୁ ଯଜ୍ଞର ଆୟୋଜନ କଲେ । ଶୁକ୍ରାଚାର୍ଯ୍ୟଙ୍କ ବଂଶଜ ପର୍ଣ୍ଣାଦ ଋଷି ଏହି ଯଜ୍ଞରେ ହୋତାର କାର୍ଯ୍ୟ ନିର୍ଵାହ କରୁଥିଲେ । ସେହି ଵନରେ ବ୍ରାହ୍ମଣ ସତ୍ୟଙ୍କ ସହଵାସୀ ଏକ ମୃଗ ରହୁଥିଲା । ଯଜ୍ଞ ସମୟରେ ସେହି ମୃଗ ଆସି ମନୁଷ୍ୟ ଭାଷାରେ ବ୍ରାହ୍ମଣ ସତ୍ୟଙ୍କୁ କହିଲେ "ହେ ବ୍ରାହ୍ମଣ ତୁମେ ଯଜ୍ଞ ନାମରେ ବଡ଼ ଦୁଷ୍କର୍ମ କରୁଅଛ,ଯଦି କରାଯାଉଥିଵା ଯଜ୍ଞ ମନ୍ତ୍ର ଓ ଅଙ୍ଗ ହୀନ ହୁଏ ତେବେ ତାକୁ ଦୁଷ୍କର୍ମ ହିଁ ଵିଚାର କରାଯିଵ ତେଣୁ ତୁମେ ଯଜ୍ଞକୁ ମୋତେ ସମର୍ପି ନିନ୍ଦାରହିତ ହୋଇ ସ୍ଵର୍ଗପ୍ରାପ୍ତି କର । ତଦନନ୍ତର ଯଜ୍ଞରୁ ସାକ୍ଷାତ ସାଵିତ୍ରୀ ଆଵିର୍ଭୁତ ହୋଇ ସେହି ମୃଗକୁ ଯଜ୍ଞ ହେତୁ ଆହୁତି ଦେଵାକୁ ଉପଦେଶ କଲେ କିନ୍ତୁ ବ୍ରାହ୍ମଣ ସତ୍ୟ ସହଵାସୀ ମୃଗର ଵଧ କରିପାରିଵେ ନାହିଁ ବୋଲି ସ୍ପଷ୍ଟ ଜଣାଇ ଦେଲେ ‌। ସତ୍ୟ ବ୍ରାହ୍ମଣ ସାଵିତ୍ରୀ ଦେଵୀଙ୍କ ଆଡ଼କୁ ହାତ ଯୋଡ଼ି ଠିଆ ହୋଇ ରହିଲେ କିନ୍ତୁ ମୃଗ ଆଉଥରେ ନିଜର ଯଜ୍ଞରେ ଆହୁତି ଦେଵାକୁ ବ୍ରାହ୍ମଣଙ୍କୁ ଅନୁରୋଧ କଲା ମାତ୍ର ଏହା ଶୁଣି ବ୍ରାହ୍ମଣ ମୃଗକୁ କୁଣ୍ଢାଇ ଧରିଲେ ଏଵଂ ସେଠାରୁ ଚାଲିଯିଵାକୁ ଅନୁରୋଧ କଲେ । ତହୁଁ ସେ ମୃଗ ଆଠ ପାଦ ଆଗକୁ ଯାଇ ଫେରି ଆସି ସତ୍ୟଙ୍କୁ କହିଲା ହେ ବ୍ରାହ୍ମଣ ତୁମେ ଵିଧିପୂର୍ଵକ ମୋର ଵଧ କର , ଏତଦ୍ବାରା ମୁଁ ପରମଗତି ଲାଭ କରିବି । ମୁଁ ତୁମକୁ ଦିଵ୍ୟଦୃଷ୍ଟି ପ୍ରଦାନ କରୁଛି,ତୁମେ ତଦ୍ଵାରା ଦେଖ ଆକାଶରେ ସ୍ୱର୍ଗଲୋକର ଦିଵ୍ୟ ଅପ୍ସରାମାନେ ଦଣ୍ଡାୟମାନ ଅଛନ୍ତି ପୁଣି ମହାତ୍ମା ଗନ୍ଧର୍ଵମାନଙ୍କ ଵିଚିତ୍ର ଵିମାନ ମଧ୍ୟ ଶୋଭା ପାଉଅଛି । ତହୁଁ ସତ୍ୟ ନାମକ ସେହି ବ୍ରାହ୍ମଣ ଦିଵ୍ୟଦୃଷ୍ଟି ଲଭି ସ୍ଵର୍ଗଲୋକର ସୌନ୍ଦର୍ଯ୍ୟ ଅନେକ କାଳ ଯାଏଁ ଉପଭୋଗ କରିଵାକୁ ଲାଗିଲେ । ତାଙ୍କ ମନର ଭାଵ ପରିଵର୍ତ୍ତିତ ହେଲା,ସେ ଵିଚାରିଲେ ମୃଗକୁ ଆହୁତି ଦେଲେ ନିଶ୍ଚିତ ସେ ଏଭଳି ସ୍ଵର୍ଗପ୍ରାପ୍ତି କରିପାରିଵେ । ମୃଗକୁ ହତ୍ୟାକରି ସ୍ଵର୍ଗପ୍ରାପ୍ତି କରିଵାର ଵିଚାର ବ୍ରାହ୍ମଣ ସତ୍ୟଙ୍କ ମନକୁ ଆସିଵା ମାତ୍ରେ ତାଙ୍କର ତପସ୍ୟାରେ ଅର୍ଜିତ ସମସ୍ତ ପୁଣ୍ୟ ନାଶ ଗଲା । ନିଜର ଆହୁତି ଦେଵାକୁ ବାରମ୍ବାର ସତ୍ୟ ବ୍ରାହ୍ମଣଙ୍କୁ ଅନୁରୋଧ କରୁଥିଵା ମୃଗ ପ୍ରକୃତରେ ସ୍ଵୟଂ ଧର୍ମ ଭଗଵାନ ଥିଲେ । ବ୍ରାହ୍ମଣଙ୍କ ପରୀକ୍ଷା ନେଵାକୁ ସେ ବ୍ରାହ୍ମଣଙ୍କ ନିକଟରେ ମୃଗ ରୂପେ ଵାସ କରୁଥିଲେ । ତେବେ ଧର୍ମ ଭଗଵାନଙ୍କୁ ବ୍ରାହ୍ମଣଙ୍କ ପୁଣ୍ୟ ନାଶ ଯିଵା ଦେଖି ଦୟା ହେଲା ତେଣୁ ସେ ନିଜର ପରିଚୟ ପ୍ରଦାନ କରି ବ୍ରାହ୍ମଣଙ୍କର ଯଜ୍ଞ ସମ୍ପନ୍ନ କରାଇଥିଲେ । 

ଏହି କାହାଣୀଟି ଶୁଣାଇ ସାରି ଭୀଷ୍ମ କହିଲେ ହେ ଵତ୍ସ ଯୁଧିଷ୍ଠିର ! 

“ଅହିଂସା ସକଳୋ ଧର୍ମୋ ହିଂସାଧର୍ମସ୍ତଥାହିତଃ ।
ସତ୍ୟଂ ତେଽହଂ ପ୍ରଵକ୍ଷାମି
ଯୋ ଧର୍ମଃ ସତ୍ୟଵାଦିନାମ୍ ॥”

ଅର୍ଥାତ୍ ଅହିଂସା ହିଁ ସମ୍ପୂର୍ଣ୍ଣ ଧର୍ମ ଅଟେ । ସେହିପରି ହିଂସା ଅଧର୍ମ ଓ ହାନିକାରକ ହୋଇଥାଏ । ଏବେ ମୁଁ ତୁମକୁ ସତ୍ୟର ମହତ୍ତ୍ଵ କହୁଛି ଯାହା ସତ୍ୟଵାଦୀମାନଙ୍କର ପରମ ଧର୍ମ ଅଟେ । 

ମହାଭାରତ ଶାନ୍ତିପର୍ଵର ମୋକ୍ଷଧର୍ମପର୍ଵସ୍ଥ ଯଜ୍ଞନିନ୍ଦା ନାମ ଦ୍ଵିସତ୍ୟାଧିକ ଦୁଇଶତତମ ଅଧ୍ୟାୟରେ ଏହି କଥା ରହିଛି ।