Thursday, December 23, 2021

ଵେଦରୁ ଭାଷା ସୃଷ୍ଟି ହୋଇଅଛି କି ?

ଏ ଦେଶରେ ଭାଷା ଚର୍ଚ୍ଚା ବହୁପ୍ରାଚୀନ । ଵେଦ ରଚନାର ବହୁପୂର୍ଵରୁ ବି ଭାଷା ଥିଲା ତେଣୁ ଉକ୍ତ ଭାଷାରେ ଵେଦ ରଚିତ ହୋଇପାରିଥିଲା । ଅତଏଵ୍ ଵେଦରୁ ଭାଷା ସୃଷ୍ଟି ହୋଇନାହିଁ ଵରଂ ତତ୍କାଳୀନ ଭାଷାର ପ୍ରୟୋଗରେ ଵେଦର ସୃଷ୍ଟି ।

ଵେଦ ମଧ୍ୟରେ ଭାଷା ଓ ଧ୍ୱନିତତ୍ବ ଵିଷୟରେ  ସୂକ୍ଷ୍ମ ଭାବରେ ଯେଉଁ କଥା କୁହାଯାଇଛି ତାହା ଆଜି ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ ‌।

ଭାଷା ତଥା ଧ୍ଵନିତତ୍ତ୍ବ ସମ୍ବନ୍ଧରେ  ଋକଵେଦରେ ଶ୍ଲୋକଟିଏ ଅଛି

"ଚତ୍ୱାରିଶୃଙ୍ଘା ତ୍ରୟୋଽସ୍ଯ ପାଦା ଦ୍ୱେଶୀର୍ଷେ ସପ୍ତହସ୍ତାଂ ଶୋଷ୍ଯ |
ତ୍ରେଧାରଦ୍ଧୋ ଵୃଷଭୋ ଶ୍ବେରଵିତୀ ମହାଦେଵୋମର୍ତ୍ତ୍ଯାମାଵିଵେଶ ||" 

ଏହାର ଅର୍ଥ ...

ନାମ,ଅଖ୍ଯାତ,ନିପାତନ ଓ ଵିସର୍ଗ ଏହି ଚାରିଶୃଙ୍ଗଯୁକ୍ତ

ଅତୀତ,ଵର୍ତ୍ତମାନ ଓ ଭଵିଷ୍ଯତ ଆଦି ତିନିପାଦ ଵିଶିଷ୍ଟ

କାର୍ଯ୍ଯ ଓ ଅର୍ଥ ଦ୍ୱି ମସ୍ତକଧାରୀ

ଏବଂ

ପ୍ରଥମା ଠାରୁ ସପ୍ତମୀ ଵିଭକ୍ତି ଯାଏଁ ସପ୍ତହସ୍ତଯୁକ୍ତ ଭାଷାରୂପ ଜ୍ଯୋତିର୍ମୟ ଦେଵ ଵୃଷଭ ଵକ୍ଷ,କଣ୍ଠ ଓ ମୂର୍ଦ୍ଧାରେ ଆଵଦ୍ଧ ହୋଇ ପ୍ରାଣିଙ୍କ ମଧ୍ଯରେ ପ୍ରଵେଶ ହୋଇଲେ !

ଆପଣମାନେ ସାରା ପୃଥିଵୀର ପ୍ରାଚୀନ ଗ୍ରନ୍ଥ ଗୁଡି଼କରେ ଅଣ୍ଡାଳି ଆସନ୍ତୁ କିନ୍ତୁ ଋକଵେଦରେ ଭାଷା ସମ୍ବନ୍ଧରେ ଵର୍ଣ୍ଣିତ ଏହି ଶ୍ଲୋକଠାରୁ ଶ୍ରେଷ୍ଠ, ଉତ୍କୃଷ୍ଟ ଓ ଵୈଜ୍ଞାନିକ ଵିଶ୍ଲେଷଣ ଅନ୍ୟ କେଉଁଠି ପାଇବେ ନାହିଁ ।

ବଡ଼ଦିନ(ଫକୀରମୋହନ ସେନାପତି)

(ଦୁଇଜଣ ବନ୍ଧୁଙ୍କର କଥୋପକଥନ)

ପ୍ରଥମବନ୍ଧୁ – ସେଦିନ ଆମ୍ଭର ଗୋଟିଏ Grand feast (ବଡ଼ଖାନା) ହୋଇଥିଲା, ସମସ୍ତ ବନ୍ଧୁମାନେ ଉପସ୍ଥିତ ଥିଲେ, ତୁମ୍ଭଙ୍କୁ ଆମନ୍ତ୍ରଣ କରା ଯାଇଥିଲା, ଆସିଲେ ନାହିଁ କାହିଁକି ? ବନ୍ଧୁର ନିମନ୍ତ୍ରଣ କି ଏହିପରି ଅଵହେଳା କରିବାକୁ ହୁଏ ?

ଦ୍ବିତୀୟ ବନ୍ଧୁ – ଭାଇ ! ବଡ଼ ଦୁଃଖର ଵିଷୟ ଯେ, ମୁଁ ସେଦିନ ତୁମ୍ଭମାନଙ୍କ ସଙ୍ଗରେ ଯୋଗ ଦେଇ ପାରିନାହିଁ, ମଧ୍ୟ ବୁଝିଲି, ସେଦିନ ଆମ୍ଭର କିଛି ପୂଜାପର୍ଵ ନ ଥିଲା, ତେବେ ନିମନ୍ତ୍ରଣ କାହିଁକି ? ମନରେ ସନ୍ଦେହ ଜାତ ହେଵାରୁ ଯାଇ ପାରିନାହିଁ । ସେ ଗଏର ହାଜରି’ ଦୋଷ ମାଫ୍ କରିବେ ।

ପ୍ରଥମବନ୍ଧୁ – କିଛି ପୂଜାପର୍ଵ ନ ଥିଲେ କି ଖାଲି ଆମୋଦ ପ୍ରମୋଦ କରିଵା ନିମନ୍ତେ ଖୁଆଇଵା ପିଆଇଵା ହୁଏ ନାହିଁ ? ସେ ଯାହାହେଉ, ସେହିଦିନ ଆମ୍ଭର X Mas holiday (ବଡ଼ଦିନ) ଥିଲା, ତୁମ୍ଭ ଯିଵିରେ କି ଆପତ୍ତି ଥିଲା ?

ଦ୍ବିତୀୟ ବନ୍ଧୁ – ହିନ୍ଦୁଘରେ ବଡ଼ଦିନ, ଏକଥାତ ମୁଁ  ଆଜି ନୂଆ ଶୁଣିଲି ! ! ସେତ ଇଂରେଜମାନଙ୍କର ପର୍ଵ,ସେଥିରେ ଆମ୍ଭର କି ?

ପ୍ରଥମ ବନ୍ଧୁ – ଆଜି ନାଇଣ୍ଟିନାଇନଥ୍ ସେନ୍‌ଚୁରିରେ (ଊନବିଂଶ ଶତାବ୍ଦୀରେ) ତୁମ୍ଭର କି ନିଦ ଭାଙ୍ଗିନାହିଁ; ତୁମେ କି ଏପରି କଥା କହୁଛ ? ନଵ୍ୟ ସମାଜରେ ନଵ୍ୟ  ଯୁଵକମାନଙ୍କର ବଡ଼ଦିନ ଯେ ପ୍ରଧାନ ହିନ୍ଦୁପର୍ଵ ହୋଇଅଛି  ଇହାକି ତୁମ୍ଭଙ୍କୁ ଆଜିଯାଏଁ ଜଣାନାହିଁ ? ଏମନ୍ତ କଥା କହିଲେ ନଵ୍ୟ ସମାଜ ତୁମ୍ଭଙ୍କୁ ଅସଭ୍ୟ ମନେକରି ପାଖରେ  ବସାଇ ଦେବେ ନାହିଁ; ଏପରି କଥା ପୁଣି ଆଉଦିନେ କହିଵ ନାହିଁ ।

ଦ୍ବିତୀୟବନ୍ଧୁ – ହିନ୍ଦୁମାନଙ୍କର ଦୋଳ ଦୁର୍ଗୋତ୍ସଵଠାରୁ କି ବଡ଼ଦିନ ଭଲ ? ସେହିତା କୁହ ଯେ ହିନ୍ଦୁ ପର୍ଵରେ  ମଦମାଂସର ଵ୍ୟଵହାର ନାହିଁ, ଏହିପରି ବଡ଼ଦିନର ଦୋହାଇ ଦେଇ ଖୁବ୍ ମଦମାଂସ ଖାଇବୁଁ ଓ ଆମୋଦପ୍ରମୋଦ କରିବୁଁ ।

ପ୍ରଥମ ବନ୍ଧୁ – ଆମେ ସେହି ନେଷ୍ଟି’, ଡେମ" ହିନ୍ଦୁପର୍ଵ ସବୁ observe କରୁ ନା କି ମାନୁନା । ଆମ୍ଭେ ସେ କାଳର | orthodox (ଗୌଡ଼ା)* ହିନ୍ଦୁ ନୋହୁଁ ଯେ ସେ ସବୁ ମାନିବୁଁ।

ଦ୍ୱିତୀୟବନ୍ଧୁ – କାହିଁକି ମାନିଵ, ତୁମ୍ଭେ ତ ଏଣିକି ବେଶି ପଢ଼ାଶୁଣା କରି ବୁଝିସୁଝି ପାରିଲ, ତୁମ୍ଭର ପିତୃପିତାମହ ଯେଉଁ ଦୋଳ ଦୁର୍ଗୋତ୍ସଵ କରୁଥିଲେ, ତାହା – ବଦଳରେ ତୁମ୍ଭେ ବଡ଼ଦିନ ନ କରି ଆଉ କଅଣ କରିଵ ? ଅନେକ ବାବୁମାନେ ତ ଇଂରେଜୀରେ ଖୁବ ନଵସିନ୍ଧା ? ସେମାନଙ୍କ ଆଗରେ ଏମ୍, ବି.ଏ ଗ୍ରସ୍ତ ବାବୁମାନେ କଲମ ଧରି ପାରିବେ ନାହିଁ; ସେମାନେତ ବେଶ୍ ହିନ୍ଦୁପର୍ଵ ଏବଂ ହିନ୍ଦୁ ସମାଜର ରୀତି, ନୀତି ଅନୁସାରେ ଚଳନ୍ତି ।  ସେମାନେ କି ତୁମ୍ଭ ଲେଖାରେ ତେବେ ଅସଭ୍ୟ ?

ପ୍ରଥମ ବନ୍ଧୁ – ହେଲେ କଅଣ ହେଵ, ଆଜି କାଲିକାର ନଵ୍ୟସମାଜ ଆଗରେ ସେମାନେ ଅସଭ୍ୟ ଓ ପାଗଳ ନୁହନ୍ତି ଆଉ କଅଣ ?

ଦ୍ଵିତୀୟ ବନ୍ଧୁ – ସେହି ପରି ବଡ଼ଦିନ ମାନି ଵିଜାତୀୟଙ୍କ ଅଇଣ୍ଠା ଖାଇ ନଵ୍ୟସମାଜରେ ସଭ୍ୟ ବୋଲାଇଵା ଅପେକ୍ଷା ହିନ୍ଦୁଆନିରେ ରହି ଦଶ ପାଞ୍ଚଜଣ ନଵ୍ୟ ଯୁଵକଙ୍କଠାରେ ଅସଭ୍ୟ ବୋଲାଇଵାରୁ ସହସ୍ର ଗୁଣେ ଭଲ ।

ପ୍ରଥମ ବନ୍ଧୁ – ତୁମ୍ଭେ ଏପରି କହିଲେ ଆମ୍ଭ ସଙ୍ଗରେ ତୁମ୍ଭର ଘନିଷ୍ଠ ବନ୍ଧୁତା ହୋଇ ପାରିଵ ନାହିଁ । ତୁମ୍ଭର ଆଜିଯାଏଁ ତ Prejudice (ଭ୍ରମ) ଯାଇନାହିଁ, ତୁମ ସାଙ୍ଗରେ କି ବନ୍ଧୁତା ?

ଦ୍ବିତୀୟବନ୍ଧୁ – ସେପରି ଵିଜାତୀୟ ଅଇଣ୍ଠା ଖାଇଵା ବନ୍ଧୁତାରେ ଆମ୍ଭର ଆଵଶ୍ୟକ ନାହିଁ । ତୁମ୍ଭର ସେହି ଵିଜାତୀୟ ତାମସିକ ଖାଦ୍ୟ ଫାଉଲ କରିଵାଠାରୁ ଆମ୍ଭର ଏହି ସାତ୍ତ୍ଵିକ ଖାଦ୍ୟ ଡାଲି ଭାତ ଭଲ, ମଧ୍ୟ ସେପରି ଲୁଚାଇ ଵିଭା ଚୋରାଇ ଯଉତୁକରେ ଆମ୍ଭର ପ୍ରୟୋଜନ ନାହିଁ ।

ପ୍ରଥମ ବନ୍ଧୁ – ତୁମ୍ଭେ କୁସଙ୍ଗୀ; ଆଜିଠାରୁ ତୁମ୍ଭ ନାମ ଆମ୍ଭର ସଭ୍ୟ ଲିଷ୍ଟରୁ କାଟି ଦିଆଗଲା । ତୁମ୍ଭଦ୍ୱାରା ସମାଜର ଅବନତି ହେଵ ।

(ଭାଇ ପାଠକେ ! ଏପରି ବନ୍ଧୁତା ଭାଙ୍ଗିଯିଵାରେ କିଛି ଦୋଷ ହୋଇପାରେ କି ନା ?)

© ଫକୀରମୋହନ ସେନାପତିଙ୍କ ଗ୍ରନ୍ଥାଵଳୀରୁ ସଂଗୃହୀତ

Wednesday, December 22, 2021

ଓଡ଼ିଶା ଇତିହାସର ସବୁଠାରୁ କଳଙ୍କିତ ଇତିହାସ ; ଜଣେ ହିନ୍ଦୁ ରାଜପୁତ ଲୁଣ୍ଠନ କରିଥିଲା ଶ୍ରୀମନ୍ଦିର

ରାଜପୁତ୍‌ମାନଙ୍କ କଥା ଉଠିଲେ ସାରା ଭାରତର ଲୋକ କୁହନ୍ତି ସେମାନେ ବଡ଼ ଦେଶଭକ୍ତ ଵୀର ଓ ଵିଵେକୀ କିନ୍ତୁ ଯେମିତି ଯେମିତି ମୁଗୋଲମାନେ ସାରା ଉତ୍ତରଭାରତରେ ପ୍ରଭୁତ୍ଵ ଵିସ୍ତାର କରିଵାକୁ ଲାଗିଲେ ଅନେକ ରାଜପୁତ ମଧ୍ୟ ତାଙ୍କର ଗୋଲାମ ହେଵାକୁ ଲାଗିଲେ ।

ଏହିପରି ଜଣେ ଗୋଲାମ୍ ରାଜପୁତ କେଶୋ ଦାସ ଯୋଗୁଁ  ଓଡ଼ିଶା ଓ ଶ୍ରୀମନ୍ଦିର ସବୁଠାରୁ ଅଧିକ ଲୁଣ୍ଠିତ ଓ ଅପମାନିତ ହୋଇଥିଲା ।

ମୋଗଲ ସମ୍ରାଟ ଜାହାଙ୍ଗୀର ଓଡିଶାର ପ୍ରଥମ ମୋଗଲ ସୁବାଦାର ରୂପେ ହାସିମ୍ ଖାଁ (୧୬୦୭-୧୬୧୧ ମସିହା) ନିଯୁକ୍ତି ଦେବାପରେ ମୋଗଲ ବାଦଶାହାଙ୍କ ସନ୍ତୁଷ୍ଟପାଇଁ କଟକ ଜିଲ୍ଲାର ଜାଗିରିଦାର ତଥା ମୋଗଲ ସେନାପତି କେଶୋ ଦାସ ମାରୁ ସାହାଯ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ଲୁଣ୍ଠନ କରିଥିଲା ।

ସେହି ଜଘନ୍ୟ ଆକ୍ରମଣ ଆଷାଢ଼ ମାସରେ ଶ୍ରୀକ୍ଷେତ୍ରରେ ଵିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ଆୟୋଜନ ସମୟରେ ହୋଇଥିଲା ।  ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ରଥଯାତ୍ରା ଯୋଗୁଁ ବିଜେ ହୋଇଥାନ୍ତି । ସେତେବେଳେ ସମସ୍ତଙ୍କର ଦୃଷ୍ଟି ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିଲା । ତେଣୁ କେଶୋ ଦାସ ମାରୁ ବହୁସଂଖ୍ୟାରେ ରାଜପୁତ ସୈନ୍ୟସଜ୍ଜା କରି ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ ଛଳନାକରି ମନ୍ଦିରରେ ପ୍ରଵେଶ କରିଵା ସହ ରତ୍ନଭଣ୍ଡାର ଲୁଣ୍ଡନ କଲା ।

ଜଣେ ହିନ୍ଦୁ ରାଜପୁତ ହୋଇ ବି କୋଶୋ ଦାସ ମାରୁ ଏକ ମୁସଲମାନ ଗୋଲାମ୍ ହୋଇଥିଵାରୁ ତା ମଧ୍ୟରେ ଆଉ ହିନ୍ଦୁ ଧର୍ମପ୍ରତି ଆସ୍ଥା ନଥିଲା ।  ସେବକ ବ୍ରାହ୍ମଣମାନଙ୍କ ଉପରେ ଅକଥନୀୟ ଅତ୍ୟାନ୍ତର କରି ତା ରାଜପୁତ ବାହିନୀ ମନ୍ଦିରରୁ କୋଟି କୋଟି ଟଙ୍କାର ମୂଲ୍ୟଵାନ ଧନରତ୍ନ ଲୁଣ୍ଠନ କଲେ ।

ଗଜପତି ପୁରୁଷୋତ୍ତମ ଦେଵ (୧୬୦୦ ୧୬୨୧ ମସିହା) ଏହି ଲୁଣ୍ଠନ ଵାର୍ତ୍ତା ପାଇ ରଥ ଓ ବହୁସଂଖ୍ୟକ ପାଇକ ଵାହିନୀ ସାହାଯ୍ୟରେ ମନ୍ଦିର ଚାରିପଟେ ରଥଗୁଡ଼ିକ ଭିଡ଼ିଦେଇ ଶ୍ରୀମନ୍ଦିର ଅଵରୋଧ କଲେ । ଖୋରଧା ଗଜପତିଙ୍କ ପ୍ରଚଣ୍ଡ ଆକ୍ରମଣରେ ଭୟଭୀତ କେଶୋ ଦାସ ମାରୁ ଅନ୍ୟ ଉପାୟ ନ ପାଇ ମନ୍ଦିର ଓ ମନ୍ଦିର ବେଢ଼ାରେ ଥିଵା ଛତି, ତ୍ରାସ,ଆଢ଼େଣି, ବୈରଖ ଓ ଚାନ୍ଦୁଆ ସବୁ ଚିରି ମନ୍ଦିର ବେଢ଼ାରେ ଥିଵା ବାଉଁଶ ଅଗ୍ରଭାଗରେ କନା ଗୁଡ଼ାଇ ସେଥିରେ ତେଲ ଓ ଘିଅ ଢ଼ାଳି ନିଆଁ ଲଗାଇ ମନ୍ଦିର ବେଢ଼ାର ବାହାର ଚତୁଃପାର୍ଶ୍ବରେ ଥିଵା ରଥ ଉପରକୁ ନିଆଁହୁଳା ଫୋପାଡ଼ିଲା।

କେଶୋଦାସ ପରାଜିତ ହେଉଥିଵା ଖବର ପାଇ ବଙ୍ଗ ସୁବାଦାର ଇସଲାମ୍ ଖାଁ ଖୁଜା, ତହିର ମହମ୍ମଦ ବକ୍ତି ନାମକ ସେନାପତିକୁ ସାହାଯ୍ୟ କରିଵାପାଇଁ ଓଡ଼ିଶା ପଠାଇଲା ।  ସେ ଓଡ଼ିଶା ସୁବାଦାର ହାସିମ୍‌ ସହ ମିଶି କେଶୋ ଦାସକୁ ସାହାଯ୍ୟ କଲେ ।  ତେବେ ଗଜପତି ପରାଜୟ ହେଉଥିଵା ଦେଖି ଯୁଦ୍ଧ ବନ୍ଦକରି କେଶୋଦାସ ସହ ସନ୍ଧି କରିଵାକୁ ତାଙ୍କୁ ବକ୍ତି ପରାମର୍ଶ ଦେଲା ।

ଗଜପତି ରାଜାଙ୍କ ସମ୍ମୁଖରେ  ସନ୍ଧିର ନିମ୍ନ ସର୍ତ୍ତଗୁଡି଼କ ରଖାଗଲା ।

(କ)ଖୋରଧା ଗଜପତି ମହାରାଜା ପୁରୁଷୋତ୍ତମ ଦେଵ ନିଜ କନ୍ୟା ରାଜଜେମା କନକପ୍ରତିମା ଦେଵୀଙ୍କୁ ଜାହାଙ୍ଗୀରଙ୍କୁ ବିବାହ ଦେବେ ।

(ଖ) 9. ୩ଲକ୍ଷ ଟଙ୍କା ମୋଗଲ ବାଦଶାହାଙ୍କୁ ପେସ୍‌‌କସ୍‌ ହେବେ ।

(ଗ) ନିଜର ଭଗିନୀକୁ କେଶୋ ଦାସ ସହିତ ଵିଵାହ କରାଇବେ ।

(ଘ)ଯୁଦ୍ଧର କ୍ଷୟକ୍ଷତିପାଇଁ କେଶୋଦାସକୁ ଏକଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ।

ଶ୍ରୀମନ୍ଦିର ଓ ତତ୍କାଳୀନ ଉତ୍କଳଦେଶକୁ ବଞ୍ଚାଇଵାକୁ ଯାଇ ଗଜପତି ରାଜା ଏହି ସର୍ତ୍ତରେ ରାଜି ହେଵାକୁ ଵାଧ୍ୟ ହୋଇଥିଲେ । ଗୋଲାମ୍ ହିନ୍ଦୁ ଦ୍ରୋହୀ ରାଜପୁତ୍ କେଶୋ ଦାସ ଓଡ଼ିଶାରୁ ଗୋଟିଏ ବଳଵାନ ହାତୀ ଓ ଅନ୍ୟ ୫ଟି ମାଈ ହାତୀ ମଧ୍ୟ ନେଇଥିଲା । ପିଶାଚ ଜାହାଙ୍ଗୀରକୁ ଲୁଣ୍ଠିତ ଧନରତ୍ନ ଉପହାର ଦେଵାରୁ ଜାହାଙ୍ଗୀର ଅତ୍ୟନ୍ତ ପ୍ରୀତିହୋଇ କେଶୋ ଦାସକୁ ୪ହଜାର ଅଶ୍ଵବାହିନୀ ଉପରେ ସେନାପତି କରିଵା ସହ ଏକ ପତାକା, ମୂଲ୍ୟଵାନ ପୋଷାକ, ମଣିମୁକ୍ତାଖଚିତ ଖଣ୍ଡା, କମରପଟି, ଗୋଟିଏ ଵେଗଗାମୀ ଅଶ୍ଵ ଓ ରତ୍ନଖଚିତ ଜିନ୍ ପୁରସ୍କାର ଦେଇଥିଲା।

ରାଜଜେମା କନକପ୍ରତିମା ଦେଵୀ ସନ୍ଧି ଚାଲିଥିଵା ସମୟରେ ଘୋଡ଼ା ଯୋଗେ କୌଶଳରେ ନରସିଂହପୁର ଚାଲିଯାଇଥିଲେ ଏଵଂ ପରେ ସେ  ସମ୍ବଲପୁର ରାଜାଙ୍କ ପାଣିଗ୍ରହଣ କରିଥିଲେ ।

ଏହି ଯୁଦ୍ଧରେ ମାନସମ୍ମାନ ଧନସମ୍ପଦ ହରାଇ ରାଜା ପୁରୁଷୋତ୍ତମଦେଵ ମନ ଦୁଃଖରେ  ଖୋର୍ଦ୍ଧା ରାଜ୍ୟ ଛାଡି ରାଜମହେନ୍ଦ୍ରୀକୁ ଚାଲିଯାଇଥିଲେ ।  ହିନ୍ଦୁ ହୋଇ ହିନ୍ଦୁଵିଦ୍ବେଷ ନୀତି ଗ୍ରହଣକରି କିପରି କେଶୋ ଦାସ ମାରୁ ଶ୍ରୀଜଗନ୍ନାଥ ମନ୍ଦିର ଲୁଣ୍ଡନ କରିଥିଲା ତାହା ଓଡ଼ିଶାର ମାଦଳାପାଞ୍ଜିରେ ଵିଶଦ ଭାବରେ ଵର୍ଣ୍ଣିତ ହୋଇଅଛି ।

ତେବେ ଓଡ଼ିଶା ଉପରେ ଆକ୍ରମଣରୁ ମିଳିଥିଵା ଏହି ଅହେତୁକ ଲାଭ ଦେଖି ଗୋଲାମ୍ ରାଜପୁତ ଓ ତାଙ୍କ ମାଲିକ  ମୁଲ୍ଲା ଉତ୍ତରଭାରତୀୟମାନେ ବାରମ୍ବାର ଓଡ଼ିଶା ଉପରେ ଆକ୍ରମଣ କରିଵାକୁ ପଛାଇ ନଥିଲେ ।‌

ହାସିମ ଖାଁ ପରେ ୧୬୧୧ରେ ଆଉ ଜଣେ ରାଜପୁତ  କଲ୍ୟାଣ ମଲ୍ଲ ଓଡ଼ିଶାର ସୁବାଦାର ହୋଇ ଆସିଥିଲା । କିନ୍ତୁ ଦାୟିତ୍ଵ ନେଵା ଦିନୁଳଠାରୁ ସେ ଆକ୍ରମଣ ଆରମ୍ଭ କରିଦେଇଥିଲା । ଏହି ସମୟରେ ସେ ବିପୁଳ ସୁନା, ରୂପା ଓ ସମ୍ପରି ନେଇ ଯାଇଥିଲା । ୧୬୧୭ରେ ମକରମ ଖାଁ ମନ୍ଦିର ଭିତରେ ପଶି ମନଇଚ୍ଛା ଧନସମ୍ପତି ଲୁଟି ନେଇଥିଲା । ପୁରୀ ଆକ୍ରମଣ ଯୋଗୁଁ ଜଗନ୍ନାଥଙ୍କୁ ବାଣପୁରର ଗଜପଦାଠାରେ ଗୋପନ ରଖାଗଲା । ସେ ମଧ୍ୟ ଅନେକ ଲୁଣ୍ଠିତ ଧନ ନେଇଗଲା ।

ଆଜି ଉତ୍ତର ଭାରତରେ ବହୁତ ଲୋକ ହିନ୍ଦୁ ହିନ୍ଦୁ ଚିତ୍କାର କରୁଛନ୍ତି କିନ୍ତୁ ଏହା ଅତ୍ୟନ୍ତ କଟୁ ହଳାହଳ ଵିଷତୁଲ୍ୟ ସତ୍ୟ ଯେ ସେହି ଉତ୍ତର ଭାରତୀୟ ହିନ୍ଦୁମାନଙ୍କ ପୂର୍ଵଜ ହିଁ ମୋଗଲ ଶାସନକାଳରେ ମୁସଲମାନ ଶାସକଙ୍କ ଗୋଡ଼ଚଟା ଚାକର ହୋଇ ହିନ୍ଦୁରାଜ୍ୟ ଓଡ଼ିଶା ତଥା ହିନ୍ଦୁମାନଙ୍କର ପରମ ଆରାଧ୍ୟ ଶ୍ରୀଜଗନ୍ନାଥଙ୍କର ଅହେତୁକ କ୍ଷତି କରିଵାକୁ ପଛାଇ ନଥିଲେ ।

(ପ୍ରୋକ୍ତ ଐତିହାସିକ ତଥ୍ୟ ମହାଵିଦ୍ୟାଳୟରେ ପାଠ କରାଯାଉଥିଵା ଏକ ଇତିହାସ ପୁସ୍ତକରୁ ସଂଗୃହୀତ)

Sunday, December 12, 2021

ଅନେକ ଵ୍ୟୁତ୍ପତ୍ତିକ ମତର ନାମଵାଚକ ଶବ୍ଦ ପୁରୀ

ପୁରୀର ନାମ ପରିଵର୍ତ୍ତନକୁ ନେଇ ଅଧୁନା କିଛି ଲୋକ ଚେଷ୍ଟା ଚଳାଇଛନ୍ତି  କିନ୍ତୁ ପୁରୀର  ଅନେକ ନାମ ରହିଛି ।  ପୁରୀର କେତୋଟି ଜଣାଶୁଣା ନାମ ହେଲା—ଶ୍ରୀକ୍ଷେତ୍ର, ନୀଳାଚଳ,ନୀଳାଚଳ କ୍ଷେତ୍ର, ନୀଳାଚଳ ଧାମ, ଶଙ୍ଖକ୍ଷେତ୍ର,ଶଙ୍ଖନାଭିକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ପୁରୁଷୋତ୍ତମ ଧାମ, ନୀଳାଦ୍ରି, ନୀଳାଦ୍ରି ଵିହାର, ଶଙ୍ଖକ୍ଷେତ୍ର,ଶ୍ରୀଧାମ, ଶ୍ରୀଜଗନ୍ନାଥ ଧାମ,ପୁରସ୍ତମ, ମର୍ତ୍ତ୍ୟଵୈକୁଣ୍ଠ,ଭୂସ୍ଵର୍ଗ,କମ୍ଭୁକଟକ,ନୀଳଶୈଳ,ନୀଳଗିରି , ନୀଳଗିରିକଟକ, ଶ୍ରୀପୁରୁଷୋତ୍ତମ କଟକ,ପୁରୁଷୋତ୍ତମପୁରୀ ଓ ଶ୍ରୀଜଗନ୍ନାଥପୁରୀ । ପୁରୀର ଏହିପରି ଆହୁରି ଅନେକ ନାମ ଅଛି ଏଵଂ ଓଡ଼ିଆ ତଥା ସଂସ୍କୃତ ସାହିତ୍ୟରେ ଵ୍ୟଵହାର ହୋଇଅଛି । ପୁରୀର ନାମକରଣକୁ ନେଇ ଭାଷାଵିଦ୍ ଏକମତ ନୁହନ୍ତି ଏଵଂ ଏହାର ପୁରୀ ନାମକୁ ନେଇ ଅନେକ ମତ ପୋଷଣ କରିଛନ୍ତି  ।

ସଂସ୍କୃତଵାଦୀ ଭାଷାଵିଦମାନେ କୁହନ୍ତି ପୁରୀ ଶବ୍ଦଟି ସଂସ୍କୃତର ପୂଳ୍ ଧାତୁ ସହିତ ସମୋଦ୍ଧୃତ ହୋଇଥାଇପାରେ । ପୂଳ ଧାତୁରୁ  ଏକତ୍ର କରିଵା,ସଂଗ୍ରହ କରିଵା, ଗୋଟାଇଵା ଓ  ଗଦା କରିଵା ଆଦି ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ । ପୁରୀଠାରେ ଶ୍ରୀଜଗନ୍ନାଥଙ୍କୁ ପୂଜା କରାଯିଵା ପରଠାରୁ ସବୁ କଳିଙ୍ଗୀ ଜାତି ମଧ୍ୟରେ ଜାତୀୟତାବୋଧ ଜାଗ୍ରତ ହୋଇଥିଲା ଏଵଂ ଏ ଜାତି ହଜାର ହଜାର ଵର୍ଷ ଧରି ଅପରାଜେୟ ରହିପାରିଥିଲା ।

ଆଉ କେତେକଙ୍କ ମତରେ ତତ୍ସମ ପୌର ଶବ୍ଦରୁ ପୁରୀ ଶବ୍ଦର ସୃଷ୍ଟି ହୋଇଥିଵା ସମ୍ଭଵ ‌ । ପୌର ଶବ୍ଦ ଅଧୁନା
ନଗର ସମ୍ବନ୍ଧୀୟ, ନାଗରିକ,ପୁରସ୍ଥିତ ଓ ନଗରରେ ଉତ୍ପନ୍ନ ଅର୍ଥରେ ପ୍ରୟୋଗ ହେଉଅଛି ତେବେ ଏ ଶବ୍ଦଟି  ଉଦର ପୂରକ,ପୂର୍ବ ଦେଶୀୟ, ପୂର୍ଵକାଳରେ ଜାତ ଓ ପେଟ ଆଦି ଅର୍ଥରେ ମଧ୍ୟ ପ୍ରୟୋଗ ହୋଇଅଛି । ଶ୍ରୀଜଗନ୍ନାଥ ଭାରତଵର୍ଷର ପୂର୍ଵଭାଗର ପ୍ରଧାନ ଦେଵତା ତଥା ନୀଳାଚଳ ପୂର୍ଵ ଭାରତରୁ ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ସ୍ଥାନ ହୋଇଥିଵାରୁ ଏ ଅଞ୍ଚଳକୁ ପୌର ଓ ପରେ ପୁରୀ କୁହାଯାଇଥାଇପାରେ ।

ଦେଶର ଜୈନ ମତାଲମ୍ଭୀମାନଙ୍କ ମତରେ ପୂର୍ଵେ କଳିଙ୍ଗ ଦେଶରେ ଜୈନମାନେ ଶ୍ରୀଜଗନ୍ନାଥଙ୍କୁ ପୂର୍ଵଜିନ ଭାବେ ପୂଜା କରୁଥିଲେ ।  ମଞ୍ଜୁଘୋଷ ନାମକ ସର୍ଵ ପ୍ରଥମ ଜୈନଗୁରୁଙ୍କର ଅନ୍ୟନାମ ପୂର୍ଵଜିନ । ଜୈନ ଧର୍ମ ଉପରେ ଆସ୍ଥା ରଖିଥିଵା ଲୋକେ କୁହନ୍ତି ଆଗେ ଓଡ଼ିଶାର ଲୋକ ପ୍ରାୟତଃ ଜୈନ ଥିଲେ ମାଛ ମାଂସ ଭକ୍ଷଣ ନକରି ଵ୍ୟାପାର କରି ଚଳୁଥିଲେ ଏଵଂ ଏଥିପାଇଁ ସେମାନଙ୍କୁ ସାଧଵ ଅଭିହିତ କରାଯାଉଥିଲା । ପୂର୍ଵଜିନ ଶବ୍ଦଟି ପରିଵୃତ୍ତ ହୋଇ କ୍ରମେ ପୁରୀ ହୋଇଥିଵା ଏହି ଧର୍ମାଵଲମ୍ବୀମାନେ ମତ ଦେଇଥାନ୍ତି ।

ଆଉ କିଛି ଗଵେଷକ ପୁରୀ ଶବ୍ଦର ସମ୍ପର୍କ ପ୍ରାଚୀନ ବାଲି ଦ୍ଵୀପ ତଥା ଇଣ୍ଡୋନେସିଆ ସହିତ ସମ୍ପର୍କ ଥିଵା ମତ ଦେଇଛନ୍ତି । ଆମେ ଜାଣନ୍ତି ଯେ ଇଣ୍ଡୋନେସିଆର ବାଲିଦ୍ୱୀପ ସହିତ ପ୍ରାଚୀନ କଳିଙ୍ଗୋଡ୍ରତ୍କଳ ଦେଶର ଵାଣିଜ୍ୟ ସମ୍ପର୍କ ଥିଲା । ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ବେଳକୁ କଳିଙ୍ଗର ସାଧଵମାନେ ଏହି ଦ୍ୱୀପରେ  ସାଂସ୍କୃତିକ ଓ ଵାଣିଜ୍ୟିକ ଉପନିଵେଶ ସ୍ଥାପନ ହୋଇ ସାରିଥିଲା ଯାହା ଶୈଳଭୌମ ଶାସନକାଳରେ ଉତ୍କର୍ଷ ଲାଭ କରିଥିଲା । ପ୍ରାଚୀନ ଉତ୍କଳ ତଥା କଳିଙ୍ଗରୁ ବହୁ ସାଧବ ସେଠାକୁ ଯାଉଥିଲେ ଫଳତଃ ସେମାନଙ୍କ ସଂସ୍କୃତିର ପ୍ରଭାବ ସେଠାରେ ପଡ଼ିଥିଲା । ଏହିକାରଣରୁ ବାଲିଦ୍ୱୀପରେ ସଂସ୍କୃତ ତଥା ପାଲୀ ଭାଷାର ପ୍ରଭାଵ ପରିଲକ୍ଷିତ ହୋଇଥାଏ । ଏଠାରେ ଆଜି ବି ସନାତନୀ ଅଳ୍ପ ହେଲେ ହେଁ ଅଛନ୍ତି ଏଵଂ ଶହ ଶହ ପ୍ରାଚୀନ ମନ୍ଦିର ମଧ୍ୟ ଅଛି । ଇଣ୍ଡୋନେସିଆର ଲୋକମାନେ ଆଜି ବି ମନ୍ଦିରକୁ 'ପୁର' କହନ୍ତି । ଉଲ୍ଲେଖଯୋଗ୍ୟ ଯେ ମାଲେସିଆର ମାଳୟ ଭାଷାରେ ପୁରୀ ଶବ୍ଦ ଛଡ଼ା ତାମିଲ கோயில் (kōyil) ମୂଳର  kuil ଶବ୍ଦ ମଧ୍ୟ ମନ୍ଦିର ଅର୍ଥରେ ଵ୍ୟଵହୃତ ହୋଇଥାଏ ।  କିନ୍ତୁ ଜାଭା ଦ୍ଵୀପରେ ପ୍ରଚଳିତ ᬧᬸᬭᬶ(ପୁରୀ) ଶବ୍ଦଟି ᬧᬸᬭ (ପୁର) ଶବ୍ଦର ଏକ ରୂପ ଏଵଂ ଏହା ସଂସ୍କୃତ ମୂଳର ଶବ୍ଦ ଅଟଇ ବୋଲି ଭାଷାଵିଦ ମତ ଦିଅନ୍ତି । ଏହି ᬧᬸᬭᬶ ଶବ୍ଦଟି ମନ୍ଦିର,ନଗର ଓ ସ୍ଥାନ ଅର୍ଥରେ ଇଣ୍ଡୋନେସିଆରେ ପ୍ରଚଳିତ । ଇଣ୍ଡୋନେସିଆର କେତେକ ଭାଷାରେ ପୁର ଶବ୍ଦ ମଧ୍ୟ ମନ୍ଦିର ଅର୍ଥରେ ଚଳୁଅଛି । ହୁଏତ ବାଲି ଦ୍ଵୀପରେ ମନ୍ଦିରକୁ ପୁର ଓ ପୁରୀ କୁହାଯିଵାରୁ ଶ୍ରୀଜଗନ୍ନାଥଧାମ ଶ୍ରୀକ୍ଷେତ୍ରର ପୁରୀ ନାମକରଣ ହୋଇଥିଲା କାରଣ ମୂଳ ସଂସ୍କୃତ ପୁର ଶବ୍ଦଟି  ମନ୍ଦିର ଅର୍ଥରେ ଵ୍ୟଵହୃତ ହେଉନଥିଲା ।

ପୁର ଶବ୍ଦଟି ସଂସ୍କୃତରେ ଵିଭିନ୍ନ ଅର୍ଥରେ ପ୍ରୟୋଗ ହୋଇଥାଏ ଯଥା—   ଅନ୍ତଃପୁର,ରାଜଧାନୀ, ନଗର, ଦୁର୍ଗ ଗୃହ,ରକ୍ଷିତ ନଗର,ଶରୀର, କୋଠରୀ, ସ୍ଥାନ, ଆଧାର(Receptacle),ପୁଷ୍ପର ଗର୍ଭ,ପତ୍ରଠୋଲା ଵା ଚଉପଦୀ, ଗୃହ ଉପରେ ନିର୍ମିତ ଗୃହ, ନାଗର ମୁଥା ନାମକ ଘାସ, ଗୁଗ୍ଗୁଳ, ଵେଶ୍ୟାଳୟ, ଭଣ୍ଡାର ଘର,ରାଶି(Astrological sign),ପୀତଝିଣ୍ଟୀ(Yellow Barleria) ଓ ନଳ ଇତ୍ୟାଦି ଇତ୍ୟାଦି । ସମ୍ଭଵତଃ ଓଡ଼ିଶାରେ କିଂଵା ବାଲି ଦ୍ଵୀପରେ ଈଶ୍ଵରଙ୍କ ଗୃହ ଵା ଈଶ୍ଵରଙ୍କ ନଗର ଭାବରେ ପୁରୀ ଶବ୍ଦ ଵ୍ୟଵହାର ହେଲା ଫଳତଃ ମନ୍ଦିରକୁ ପୁରୀ କୁହାଗଲା ।  ଏହାଛଡ଼ା ମନ୍ଦିରକୁ ପ୍ରାସାଦ ମଧ୍ୟ କୁହାଯାଏ । ବାଲିଦ୍ୱୀପର 'ପୁରଵୈଶାଖୀ' ମନ୍ଦିରକୁ ଠିକ୍‍ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଭଳି 'ପ୍ରାସାଦ' କୁହାଯାଏ ।

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ 'କୋଟିବ୍ରହ୍ମାଣ୍ଡ ସୁନ୍ଦରୀ' କାଵ୍ୟରେ ପୁରୀର ଶ୍ରୀମନ୍ଦିରକୁ 'ପ୍ରାସାଦ' କୁହାଯାଇଛି ।

"ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯାର
ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର ।"

ଜୀଵଦେବାଚାର୍ଯ୍ୟ (ଷୋଡ଼ଶ ଶତାବ୍ଦୀର ଉତ୍କଳୀୟ କବି) ତାଙ୍କର ସଂସ୍କୃତ ରଚନା 'ଉତ୍ସାହଵତୀ ରୂପକ'ରେ ଲେଖିଛନ୍ତି-"ଅସ୍ମିନ୍ ବସନ୍ତ ସମୟେ ପୁରୁଷୋତ୍ତମସ୍ୟ ପ୍ରାସାଦ... ।" ଗଙ୍ଗବଂଶର ପ୍ରତିଷ୍ଠାତା ଚୋଡ଼ଗଙ୍ଗଦେଵଙ୍କ ପ୍ରଦତ୍ତ ଏକ ଅଭିଲେଖରେ ମଧ୍ୟ ଶ୍ରୀମନ୍ଦିରକୁ 'ପ୍ରାସାଦ ପୁରୁଷୋତ୍ତମସ୍ୟ' ବୋଲି  କୁହାଯାଇଛି ।

Khmer ଭାଷାରେ ଆଜି ବି  វត្ត (voat) ଓ ទេវាល័យ (teivieleay) ଛଡ଼ା ប្រាសាទ(praasaat) ଶବ୍ଦଟି ମନ୍ଦିର ଅର୍ଥରେ ଚଳୁଅଛି । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଏକଦା ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରକୁ 'ପୁର' କୁହାଯାଉଥିଲା । କାଳକ୍ରମେ ଏହାର ନିକଟଵର୍ତ୍ତୀ ଅଞ୍ଚଳ 'ପୁରୀ' ନାମରେ ଵିଖ୍ୟାତ ହେଲା ।

ବର୍ମା ଏକଦା ଓଡ଼ିଶାର ଏକ ଉପନିଵେଶ ଥିଲା ଏଵଂ ଏଠାରେ ଶ୍ରୀକ୍ଷେତ୍ର ଆଧାରରେ ପ୍ରାଚୀନ କଳିଙ୍ଗୀମାନେ  ପ୍ରୋମ୍ ନଗର ସ୍ଥାପନ କରିଥିଲେ । ବ୍ରହ୍ମ ଦେଶର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଵିଵରଣୀ (୧୯୧୬)ରୁ ଜଣାଯାଏ ଯେ, ସେଠାର ପ୍ରାଚୀନ ପ୍ରୋମ୍‍ ଅଞ୍ଚଳର ନାମ ଥିଲା 'ଶ୍ରୀକ୍ଷେତ୍ର' । କଳିଙ୍ଗୀ ଉପନିଵେଶକାରୀମାନେ ବ୍ରହ୍ମଦେଶର ପ୍ରୋମ୍‍ ଅଞ୍ଚଳରେ ପରିଵ୍ୟାପ୍ତ ହୋଇଥିଲେ । ଖ୍ରୀଷ୍ଟପୂର୍ଵ ଦୁଇଶହରେ କଳିଙ୍ଗୀମାନେ ସେଠାରେ ଉପନିଵେଶଶ ସ୍ଥାପନ କରିଥିଲେ । ବର୍ମିଜ୍‌ରେ ဘုရား  (bhu.ra:) ଶବ୍ଦଟି ମନ୍ଦିର ଅର୍ଥରେ ଚଳୁଅଛି ଯାହା ସଂସ୍କୃତର ଵରପୂଜାର୍ହ ଶବ୍ଦ ମୂଳର ବୋଲି ଭାଷାଵିଦ ମତପୋଷଣ କରନ୍ତି । ସାଧାରଣତଃ ବୌଦ୍ଧ ମନ୍ଦିର,ଧାର୍ମିକ ତଥା ରାଜଵଂଶ ଜାତ ଵ୍ୟକ୍ତି ଵିଶେଷ ତଥା ଭଗଵାନ ଅର୍ଥରେ ବର୍ମିଜ୍ ଭାଷାର ဘုရား  (bhu.ra:) ଶବ୍ଦଟି ବର୍ମା ଵା ବ୍ରହ୍ମଦେଶରେ ଚଳୁଅଛି । କେତେକ ଗଵେଷକ କୁହନ୍ତି ପ୍ରାଚୀ  'ପ୍ରୋମ୍‍' ନଗରର ନାମଟି ହୁଏତ 'ପୁରମ୍‍' (ପୁର) ଶବ୍ଦରୁ ସୃଷ୍ଟି ହୋଇଥିଵ ଏଵଂ ଅନ୍ୟ ଏକ ଦିଗରେ ମୂଳ ପୁର ଶବ୍ଦଟି ဘုရား  (bhu.ra:) ମଧ୍ୟ ହୋଇଥାଇପାରେ  ।

ଅସ୍ତୁ,ବର୍ମାର ဘုရား  (bhu.ra:) ତଥା ଇଣ୍ଡୋନେସିଆରେ
ପ୍ରଚଳିତ ᬧᬸᬭᬶ(ପୁରୀ) ଓ ᬧᬸᬭ (ପୁର) ଆଦି ଶବ୍ଦଗୁଡ଼ିକର ମନ୍ଦିର ଅର୍ଥରେ ପ୍ରୟୋଗ କେଵଳ ସଂଯୋଗ ନା ଜଗନ୍ନାଥ ପୁରୀ ସହିତ ଏଗୁଡ଼ିକର କୌଣସି ସମ୍ପର୍କ ରହିଛି ତାହା ଗଵେଷଣ ସାପେକ୍ଷ ।

ଓଡ଼ିଶାର କେତେକ ଭାଷାଵିଦ ପୁରୀ ଶବ୍ଦର ଆଉ ଏକ ନିରୁକ୍ତି ମତ ପ୍ରଦାନ କରିଛନ୍ତି । ସେମାନଙ୍କ ମତରେ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ପୁରୀ ଓଡ଼ିଆମାନଙ୍କର ଧର୍ମସ୍ଥଳୀ ତେଣୁ ଏହାର ନାମକରଣ ମଧ୍ୟ ଓଡ଼ିଆ ଭାଷା ଆଧାରରେ ହିଁ ହୋଇଥିଵା ସମ୍ଭଵ । ଓଡ଼ିଆ ଭାଷାର ପୂରିଵା କ୍ରିୟାରୁ ପୁରୀ ଶବ୍ଦ ସୃଷ୍ଟି ହୋଇଥିଵା ଏହି ଭାଷାଵିଦମାନେ ମତଵ୍ୟକ୍ତ କରନ୍ତି । ପୂରିଵା କ୍ରିୟାଟି ଓଡ଼ିଆ ଭାଷାରେ ସାଧାରଣତଃ ପୂର୍ଣ୍ଣ ହେଵା ଅର୍ଥରେ ପ୍ରୟୋଗ ହୋଇଥାଏ କିନ୍ତୁ ଏହାର ଆହୁରି ଅନେକ ଅର୍ଥରେ ମଧ୍ୟ ଵ୍ୟଵହାର ରହିଛି ଯଥା —
ମନୋବାଞ୍ଛା ଫଳବତୀ ହେଵା ଵା  ସଫଳ ହେବା
କଵି ଵିଶ୍ଵନାଥ ଖୁଣ୍ଟିଆଙ୍କ ଵିଶି ରାମାୟଣରେ ଏହି ଅର୍ଥରେ ପୂରିଲା କ୍ରିୟାଶବ୍ଦ  ପ୍ରୟୋଗ ହୋଇଅଛି

ତାଙ୍କୁ ପ୍ରସନ୍ନ ହେଲେ ଜଗନ୍ନାଥ ।
ବୋଲେ ବିଶି ପୂରିଲା ମ‌ନୋରଥ ।

ସମ୍ପୂର୍ଣ୍ଣ ହେଵା, ସମାପ୍ତ ହେଵା,ସମୟର ମିଆଦ ଅତିକ୍ରାନ୍ତ ହେବା ଵା କାଳ ଶେଷ ହେଵା ଅର୍ଥରେ ମଧ୍ୟ ପୂରିଵା କ୍ରିୟାର ଵ୍ୟଵହାର ରହିଛି । ଏହାର ଵ୍ୟଵହାର ଏକ  ଓଡ଼ିଆ ଢଗରେ କେମିତି ହୋଇଅଛି ତାହା ଉଦାହରଣ ସ୍ୱରୂପ  ନିମ୍ନରେ ଦିଆଗଲା

“ଆଶା ଲୁବୁଧରେ ପୂରିଲା କାଳ
ଷଣ୍ଢ ପଛେ ଧାଇଁ ମଲା ଶିଆଳ”

ଵ୍ୟାପିଵା ଵା ଵ୍ୟାପ୍ତ ହେଵା ଅର୍ଥରେ ମଧ୍ୟ ପୂରିଵା କ୍ରିୟାର ଵ୍ୟଵହାର ରହିଛି ।

ଏମନ୍ତେ କେତେ ଦିନ ଗଲା ।
ତା କୀର୍ତ୍ତି ଜଗତେ ପୂରିଲା ।
(ଦାଢ଼୍ୟତାଭକ୍ତି,ଭକ୍ତକଵି ରାମଦାସ)


ସେହିପରି ଦେହଯାକ ଵ୍ୟାପିଵା ଅର୍ଥରେ ପୂରିଵା କ୍ରିୟାର ପ୍ରୟୋଗ କଵସୂର୍ଯ୍ୟ ଵଳଦେଵ ରଥ ତାଙ୍କ କିଶୋରୀ ଚନ୍ଦ୍ରାନନ୍ଦ ଗ ଚମ୍ପୂରେ କରିଅଛନ୍ତି

        “ଗାତ୍ର ଗୋଟିଯାକ ପୂରିଲା ପୁଲକ”

ପଶିଵା ଵା  ପ୍ରବେଶ କରିଵା ଅର୍ଥରେ ମଧ୍ୟ ପୂରିଵା କ୍ରିୟାର ଵ୍ୟଵହାର ଓଡ଼ିଆ ଭାଗଵତର ପ୍ରଥମ ଅଧ୍ୟାୟରେ ହୋଇଅଛି

ଶୁଣି କମ୍ପିଲେ ଦିଗପାଳେ ।
ପୂରିଲା ଭୂମି ଅନ୍ତରାଳେ ॥

ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନିର୍ଦ୍ଦିଷ୍ଟ ସମୟରେ ଦଶଜଣଙ୍କ ସଙ୍ଗେ ଯୋଗ ଦେଵାକୁ ବି ପୂରିଵା କ୍ରିୟାଦ୍ଵାରା ଆମ ଭାଷାରେ ପ୍ରକାଶ କରାଯାଏ । ଯଥା—

“ଗ୍ରାମ ଭେଦାର ଅମୁକ ଲୋକ ପୂରି ପାରିଲା ନାହିଁ”

ଲକ୍ଷଣାର୍ଥ ସନ୍ତୁଷ୍ଟ ହେଵା ଅର୍ଥରେ ଉଭୟ  କଥିତ ଓ  ଲିଖିତ ଓଡ଼ିଆରେ ପୂରିଵା କ୍ରିୟାର ପ୍ରୟୋଗ ଅଛି । ଉଦାହରଣ ସ୍ୱରୂପ ଲୋକେ କୁହନ୍ତି
“ତା ରୂପ ଦେଖି ମୋ ପେଟ ପୁରିଗଲା।” ଏଠାରେ ପେଟ ପୂରିଗଲା ଅର୍ଥ ପେଟ ଖାଦ୍ୟରେ ପୂର୍ଣ୍ଣ ହେଵା ନୁହେଁ ଵରଂ ଭୋକରେ ଆଉଟୁପାଉଟୁ ହୋଇଥିଵା ଲୋକକୁ ଅନ୍ନ ଦେଵାରୁ ସେ ପେଟ ଫଟେଇ ଖାଇ ଯେଉଁ ଆନନ୍ଦ ଲାଭ କଲା ସେହି ସୂକ୍ଷ୍ମ ଅର୍ଥ ଆଧାରରେ ପୂରିଲା ଶବ୍ଦ ପ୍ରୟୋଗ ହୋଇଅଛି ।

ଏତଦ୍‌ଵ୍ୟତୀତ ପୂରିଵା କ୍ରିୟାଟି ସମାହିତ ହେଵା,ଅଣ୍ଟିଵା, ଯଥେଷ୍ଟ ହେଵା ଓ  ଗର୍ଵ କିଂଵା ଆନନ୍ଦରେ ଉତ୍ଫୁଲ୍ଲ୍ ହେଵା ଅର୍ଥରେ ମଧ୍ୟ ପ୍ରୟୋଗ ହୋଇଥାଏ ।

ତେବେ ପୂରିଵା କ୍ରିୟାର ପ୍ରୋକ୍ତ ସମସ୍ତ ଅର୍ଥ ଆଧାରରେ କେତେକ ଭାଷାଵିଦ ମତ ଦିଅନ୍ତି ଯେ ପୁରୀ ନଗରର ନାମକରଣ ପୂରିଲା କ୍ରିୟାରୁ ହୋଇଅଛି । ଯେଉଁ ନଗରରେ ମନୋବାଞ୍ଛା ପୂର୍ଣ୍ଣ ହୁଏ, ଯେଉଁ ନଗରୀର ଖ୍ୟାତି ଵିଶ୍ଵଵିଖ୍ୟାତ, ଯେଉଁ ନଗରରେ ପହଞ୍ଚିଗଲେ ଭକ୍ତର ମନ ଆପେ ସନ୍ତୁଷ୍ଟ ହୋଇଯାଏ , ଯେଉଁ ନଗରୀରେ କଳିଙ୍ଗର ସବୁ ଜାତୀୟ ଲୋକ ଏକତା ସୂତ୍ରରେ ବନ୍ଧା, ଯେଉଁ ନଗରୀରେ ଓଡ଼ିଶାର ସବୁ ଅଞ୍ଚଳର ପରମ୍ପରାକୁ ସମ୍ମାନ ଦିଆଯାଇ ଶ୍ରୀଜଗନ୍ନାଥ ମନ୍ଦିରର ନୀତିକାନ୍ତିରେ ସ୍ଥାନ ମିଳିଛି, ଯେଉଁ ନଗରୀରେ ସବୁ ଜାତୀୟ ଲୋକ ଏକାକାର ହୋଇଯାଆନ୍ତି, ଯେଉଁ ନଗରୀକୁ ଯିଵାକୁ ଓଡ଼ିଶାର ଲୋକେ ଉତ୍କଣ୍ଠିତ ତଥା ସେଠାରେ ପହଞ୍ଚି କାଳିଆକୁ ଦେଖି ଉତ୍ଫୁଲିତ ହୁଅନ୍ତି ଏଵଂ ଯେଉଁ ନଗରୀ ପାଇଁ ଓଡ଼ିଶାର ଲୋକେ ଗର୍ଵ କରନ୍ତି ସେ ନଗରୀ ପୁରୀ ଅଟେ ।

ମାତ୍ର ପ୍ରଫେସର ଗଗନେନ୍ଦ୍ର ନାଥ ଦାଶ ଆଦି ଭାଷାଵିଦଙ୍କ ମତରେ, ନାମ ସଂକ୍ଷିପ୍ତୀକରଣ ପ୍ରକ୍ରିୟା ମାଧ୍ୟମରେ 'ପୁରୁଷୋତ୍ତମ-ପୁରୀ' ବା 'ଜଗନ୍ନାଥ-ପୁରୀ'ର ସଂକ୍ଷିପ୍ତ ରୂପ 'ପୁରୀ' ହୋଇଛି ।  ନୀଳାଚଳର ପୁରାଣ ପ୍ରସିଦ୍ଧ ନାମ ପୁରୁଷୋତ୍ତମପୁରୀର ସଂକ୍ଷିପ୍ତ ରୂପ ପୁରୀ ହେଵା ଅସମ୍ଭଵ ନୁହଁଇ ।  ଆଉ କେତେ ଜଣ ଭାଷାଵିଦ୍ କୁହନ୍ତି ଯେ ଶ୍ରୀକ୍ଷେତ୍ରକୁ ଆଗେ ଜଗନ୍ନାଥପୁରୀ କୁହାଯାଉଥିଲା କିନ୍ତୁ କାଳକ୍ରମେ କେଵଳ ପୁରୀ କୁହାଯାଉଛି । ଉଭୟ ପୁରୁଷୋତ୍ତମପୁରୀ ଓ ଜଗନ୍ନାଥପୁରୀ ନାମରେ ଯେଉଁ ପୁରୀ ଶବ୍ଦ ରହିଛି ତାହା
ତତ୍ସମ ପୁରୀ ଶବ୍ଦ  ଅଟଇ ଏଵଂ ଏ ଶବ୍ଦ  ନଗର,ଵାସସ୍ଥାନ,ଭଵନ ଗୃହ,ଶରୀର,ପ୍ରାସାଦ ଓ  ଦୁର୍ଗ ଆଦି ଅର୍ଥରେ ଵ୍ୟଵହାର ହୋଇଥାଏ । ସେହିପରି ତତ୍ସମ ପୁରି ଶବ୍ଦର ଅର୍ଥ ନଗର,ନଦୀ ଓ ରାଜା ଅଟେ ।

ଆଧ୍ୟାତ୍ମିକଵାଦୀଙ୍କ ମତରେ ପୁରୀ ଶବ୍ଦରୁ ହିଁ ପୁରୀ ନଗରୀର ନାମକରଣ ହୋଇଛି । ପୁର ଓ ପୁରୀ ଶବ୍ଦର ଅନେକ ଅର୍ଥ ମଧ୍ୟରେ ଗୃହ, ଦେଶ, ନଗର, ଦେହ ଇତ୍ୟାଦିକୁ ଆଧ୍ୟାତ୍ମିକ ଭାଵଧାରା ଆଧାରରେ ଵ୍ୟାଖ୍ୟା କରିଵାକୁ ଯାଇ ସେମାନେ ମତ ଦିଅନ୍ତି ଯେ ଆତ୍ମା ସବୁ ପ୍ରାଣୀଙ୍କର ପୁର ଵା ପୁରୀରେ ଅର୍ଥାତ୍‍ ଦେହରେ ଅଵସ୍ଥାନ କରିଥାଏ ଵା ତାହାକୁ ପୂର୍ଣ୍ଣ କରି ରହେ । ଆତ୍ମା ଶରୀର ମଧ୍ୟରେ ଶୟନ କରେ ତେଣୁ ଆତ୍ମାକୁ 'ପୁରୁଷ' କୁହାଯାଏ । ପୁରୁଷ ଵା ଆତ୍ମା ମଧ୍ୟରେ ଉତ୍ତମ ଯେ ସେ ପୁରୁଷୋତ୍ତମ ଏଵଂ ଜଗନ୍ନାଥଙ୍କ ପୁର ହେତୁ ଏ ଧାମର ନାମ ପୁରୁଷୋତ୍ତମପୁରୀ ଵା ସଂକ୍ଷେପରେ ପୁରୀ ହୋଇଥିଵ ବୋଲି ସନାତନୀ ମତାଵଲମ୍ଭୀମାନେ ମତଵ୍ୟକ୍ତ କରିଥାନ୍ତି ।

ଏହି ପୁର ଓ ପୁରୀ ଶବ୍ଦଦ୍ଵୟକୁ ପୂର୍ଵେ କେତେକ ଗଵେଷକ ଦ୍ରାଵିଡ଼ ମୂଳର ଶବ୍ଦ ବୋଲି ଅନୁମାନ କରିଯାଇଛନ୍ତି ତେବେ ପାଶ୍ଚାତ୍ୟ ଗଵେଷକଙ୍କ ଅନୁସାରେ ଏ ଶବ୍ଦଦ୍ଵୟ ଲାଟିନ୍ ଭାଷାର Poli(ନଗର) ଓ Polis(ନଗର) ସହିତ ସମୋଦ୍ଧୃତ । ଇଂରାଜୀ ଭାଷାରେ ପ୍ରଚଳିତ metropolis ଶବ୍ଦ ମଧ୍ୟରେ ମଧ୍ୟ Polis ଶବ୍ଦ ଵ୍ୟଵହାର ହୋଇଥାଏ ।  ଗ୍ରୀକ୍  πτόλις (ptólis) ଓ πόλις (pólis), ଲିଥୁଆନୀର pilis ଓ ଲାଟଵିୟାନ୍  pils ସହିତ ସଂସ୍କୃତ ପୁର ଓ ପୁରୀ ଶବ୍ଦର ସଗୋତ୍ରୀୟ ସମ୍ପର୍କ ରହିଛି ବୋଲି ପାଶ୍ଚାତ୍ୟ ଭାଷାଵିଦ୍ ମତ ଦିଅନ୍ତି ।

ପ୍ରଫେସର ଶ୍ରୀପଞ୍ଚାନନ ମହାନ୍ତି ଭଳି ଅନେକ ଓଡ଼ିଆ ଭାଷାଵିଦ୍ ପୁରୀ ଶବ୍ଦର ଭିନ୍ନ ନିରୁକ୍ତି ମତ ପୋଷଣ କରିଛନ୍ତି ।  ଶ୍ରୀ ମହାନ୍ତିଙ୍କ ଅନୁସାରେ ଓଡ଼ିଶା ଗୋଟିଏ ମୁଣ୍ଡାଭାଷୀ ଅଧ୍ୟୁଷିତ ରାଜ୍ୟ ଏଵଂ ଭାରତରେ ସର୍ଵାଧିକ ଜନଜାତୀୟ ଲୋକ ଅଵିଭକ୍ତ କଳିଙ୍ଗ ଦେଶର ଅଧିଵାସୀ ଅଟନ୍ତି  । ବଡ଼ ବଡ଼ ପ୍ରାୟ ୧୨ଗୋଟି ମୁଣ୍ଡା ଭାଷା ମଧ୍ୟରୁ ଅନ୍ୟୂନ ଦଶଗୋଟି ଭାଷା ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ କଥିତ ହୁଏ । ମହାପ୍ରଭୁ ଜଗନ୍ନାଥ ମୁଖ୍ୟତଃ ଶଵର  ଦେବତା ଥିଲେ । ଶଵରମାନଙ୍କର ସବା ସାନ ଦେଵତା ଜଗନ୍ତା କିତୁଙ୍ଗ୍ କାଳକ୍ରମେ ଜଗନ୍ନାଥ ଭାବେ ପୂଜିତ ହେଉଛନ୍ତି ବୋଲି ଗଵେଷକ ମତ ଦିଅନ୍ତି ।  ଶଵରମାନଙ୍କର ପୁରାଣଗାଥା ଅନୁସାରେ ଜଗନ୍ତା କିତୁଙ୍ଗ୍ ଆଗ୍ନେୟଗିରିରୁ ଅଗ୍ନି ଆଵିଷ୍କାର କରି ମନୁଷ୍ୟମାନଙ୍କୁ ଦେଇଥିଲେ ।‌ କିନ୍ତୁ ଲୋକକଲ୍ୟାଣ ହେତୁକ ଅଗ୍ନି କେତେ ଵିପଦଜନକ ତାହା ଜଣାଇଵାକୁ ନିଜେ ଜଳିଯାଇ କଳାକାଠ ହୋଇଯାଇଥିଲେ । ଶଵର ଲୋକେ ସେହି କଳାକାଠକୁ ନେଇ ପୂଜିଵା ଆରମ୍ଭ କରିଥିଲେ ।
ଶଵରମାନେ ମୁଣ୍ଡା ଗୋଷ୍ଠୀର ଅନ୍ତର୍ଭୁକ୍ତ  । ସାରଳା ମହାଭାରତ ଅନୁଯାୟୀ, ନୀଳାଚଳ ଥିଲା ଗୋଟିଏ ଶଵର ଅଧ୍ୟୁଷିତ କ୍ଷେତ୍ର । ପୁରୀରେ ପ୍ରାଚୀନକାଳରେ ଶଵରମାନେ ରାଜତ୍ୱ କରୁଥିଲେ ବୋଲି ଐତିହାସିକମାନେ ମଧ୍ୟ ମତଵ୍ୟକ୍ତ କରନ୍ତି ।  ଶଵରମାନେ ଏ ସ୍ଥାନଟିର  ନାମ ପୁରୀ  ଦେଇଥିଲେ ତଥା ସେହି ନାମଟି ମୁଣ୍ଡା ଭାଷାର ଶବ୍ଦ ଅଟେ ।  ପ୍ରଫେସର ମହାନ୍ତି କୁହନ୍ତି , ଏହି ପ୍ରାଚୀନ ନାମଟି 'ପୁରୀ' । କାରଣ ମୁଣ୍ଡା ଗୋଷ୍ଠୀର ବିଭିନ୍ନ ଭାଷାରେ ଏହି ଶବ୍ଦ ଜଳାଶୟ ଓ ସମୁଦ୍ର ସହିତ ସଂପୃକ୍ତ ତେଣୁ ପୁରୀ ଗୋଟିଏ ମୁଣ୍ଡା ଭାଷାର ଶବ୍ଦ । ଏହି ଶବ୍ଦ ସମୁଦ୍ରପାଇଁ ଵ୍ୟଵହୃତ ହୋଇ ସମୟକ୍ରମେ ସମୁଦ୍ରକୂଳସ୍ଥିତ ସ୍ଥାନଟିର ନାମରେ ପରିଣତ ହୋଇଯାଇଛି ।

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ପୁରୀର ନାମକରଣ ବହୁ ପ୍ରାଚୀନ କାଳରୁ ହୋଇଥିଲା ଏଵଂ ପୁରୀ ନାମଵାଚକ ଶବ୍ଦର ଆଠରୁ ଅଧିକ ଵ୍ୟୁତ୍ପତ୍ତିକ ମତ ରହିଛି । ଫଳତଃ କେଵଳ ଜଗନ୍ନାଥପୁରୀ ଵା ପୁରୁଷୋତ୍ତମପୁରୀରୁ ପୁରୀ ହୋଇଅଛି ଏହି ମତ ଘେନି ପୁରୀର ପୁନଃ ନାମକରଣ କରିଵା ଠିକ୍ ହେଵ ନାହିଁ ‌।