ହେ ତାରକାଗଣ
କିମ୍ପା ଦିଶ ସାନ ସାନ ।
ତୁମ୍ଭେ ପରା ଅଛ କେତେ ରବି ରଶ୍ମି ମାନ ।।
ଦିବସେ ନ ଦିଶି କିଁପା ରଜନୀରେ ଦିଶ ।
ପ୍ରଭାକର ହୋଇ ତୁମ୍ଭେ
ମନେ ଭୟ କିସ ?
ତୁମ୍ଭକୁ ଯେ ବୋଲିଥାନ୍ତି ଚନ୍ଦ୍ର ଜାୟା ଜନେ ।
ସେ କଥାରେ ନ ହୁଏ କି ଲଜ୍ଯା ତୁମ୍ଭ ମନେ ।।
ଜାଣିଲି ଶୁଣିଲି ତୁମ୍ଭେ ସୂର୍ଯ୍ୟ ଅଟ ସତ ।
ଆଲୋକିତ କରୁଅଛ ନିଜର ଜଗତ ।।
ଆମ୍ଭ ଭାସ୍କରକୁ ତୁମ୍ଭ ରାଜ୍ଯଲୋକ ସାରା ।
ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକ ତାରା ।।
ତୁମ୍ଭ ରାଜ୍ଯେ ତୁମ୍ଭ ଆଗେ ଆମ୍ଭର ଭାସ୍କର ।
ନ ଦିଶନ୍ତି ଦିନେ ତେଣୁ ନ ହୁଅ ଭାସ୍ବର ।।
ଯାହାକୁ ଯେମନ୍ତ ଦିଶେ ସେମନ୍ତ ସେ ଭାଷେ ।
ସେ କଥାରେ ମହତଙ୍କ କି ଯାଏ କି ଆସେ ?
କେତେ ଚନ୍ଦ୍ର ଖଟୁଛନ୍ତି ତୁମ୍ଭର ଚରଣେ ।
ଆମ ଚନ୍ଦ୍ରେ ପତି ବୋଲି ତୁମ୍ଭର କେ ଗଣେ ?
ତୁମ୍ଭ ରାଜ୍ୟେ ଦିଅ ତୁମ୍ଭେ ପ୍ରଚୁର କିରଣ ।
ତେଣୁ ସେହିଠାରେ ଥିବ ତୁମ୍ଭ ରବିପଣ ।।
ଆମ୍ଭ ରାଜ୍ଯେ ଆମ୍ଭ ରବି କରେ ତମ କ୍ଷୟ
ଏଣୁ ଆମ୍ଭେ ଚାହୁଁ ଥାଉଁ ତାଙ୍କର ଉଦୟ ।।
ତୁମ୍ଭେ ଯେତେ ବଡ଼ ହେଲେ ଆମ୍ଭର କି ଲାଭ ।
ଆମ୍ଭ ତମ ନାଶିବାକୁ ନାହିଁ ତ ପ୍ରଭାବ ।।
ଯେ ଯାହାର ହିତ କରେ ନହେଲେ ତା ନାମ,
ଆମ୍ଭ ଦେଶେ କହୁଁ ତାକୁ ନିମକହରାମ ।।
°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°
°°°°°°°°°°°°°°°°°°°°°°°°°°°°°°°°°°°°°°°°°°°°
ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଏହି
କବିତାଟିରେ ଆମେ ତାଙ୍କର ଦେଶମାତୃକା ପ୍ରତି ଥିବା ଭକ୍ତି କୁ ସହଜେ ଅନୁଭବ କରିପାରିବା ।
ତାଙ୍କର ଏହି କବିତା ସେ ସମୟେ ଅନେକ ବିପ୍ଲବୀଙ୍କ ଧ୍ଯାନ ଆକର୍ଷଣ କରିଥିଲା ... ଏଠାରେ କବି ଯେ ଇଂରେଜ ମାନଙ୍କୁ ତାରା ଉପଲକ୍ଷ କରି କବିତା ରଚନା କରିଥିଲେ ତାହା ସାହିତ୍ୟ ଜଗତରେ ସର୍ବଦୌ ସଭିଏଁ ଜାଣିପାରିଥିଲେ ।