ଓଡ଼ିଆ ଭାଷାରେ ଏମିତି ଅନେକ ଶବ୍ଦ ରହିଛି ଯାହା ଅନ୍ଯ ଭାରତୀୟ ଭାଷାରେ ଦୃଷ୍ଟିଗୋଚର ହୁଏନାହିଁ । ଏହି ଶ୍ରେଣୀୟ ଏକ ଶବ୍ଦ ହେଉଛି ‛ପଝାରି’ ।
ଏ ଶବ୍ଦର ମୂଳକୁ ନେଇ ନାନା ମତ ରହିଛି । ତନ୍ମଧ୍ୟରୁ କେତୋଟିର ଏଠାରେ ଆଲୋଚନା କରାଯାଉ
🛶🛶🛶🛶🛶🛶🛶🛶🛶🛶🛶🛶🛶🛶🛶🛶🛶
■ପୋତଯାତ୍ରୀ ଶବ୍ଦର ଅପଭ୍ରଂଶ ପଝାରି
🛶🛶🛶🛶🛶🛶🛶🛶🛶🛶🛶🛶🛶🛶🛶🛶🛶
ଡ଼ଙ୍ଗାରେ ଚଢ଼ି ପାର ହେଉଥିବା ଯାତ୍ରା କରୁଥିଵା ନୌକାରୋହୀ ବ୍ଯକ୍ତିଗଣଙ୍କୁ ଓଡ଼ିଆ ଭାଷାରେ ପଝାରି କୁହାଯାଏ । ସମ୍ଭଵତଃ “ପୋତ-ଯାତ୍ରୀ” ଶବ୍ଦ ସମୟ ସହ ପଝାରିରେ ପରିଵର୍ତ୍ତିତ ହୋଇଅଛି ।
ଶାସ୍ତ୍ରୀୟ ‛ପୋତ’ ଶବ୍ଦର ଅନେକ ଅର୍ଥ ରହିଛି କିନ୍ତୁ ଏହା ସର୍ଵାଧିକ ବୋଇତ ଅର୍ଥରେ ହିଁ ଵ୍ଯଵହୃତ ହୋଇଥାଏ ।
ବୋଧହୁଏ ପୋତ ଶବ୍ଦରୁ କାଳକ୍ରମେ କେଵଳ ‛ପ’ ରହିଯାଇଥିଵା ଵେଳେ ଯାତ୍ରୀ ଶବ୍ଦରୁ ଅଵର୍ଗ୍ଯ ‛ଯ’
ଵର୍ଗ୍ଯ ‛ଜ’ ହୋଇ ମହାପ୍ରାଣ ‛ଝ’ ରେ ପରିବୃତ ହୋଇଛି ଏଵଂ ‛ତ’ ଵର୍ଣ୍ଣ ଲୁପ୍ତ ହୋଇ କେଵଳ ରି ରହିଯାଇଛି ।
ପୋତଯାତ୍ରୀ>ପୋଯାତ୍ରୀ>ପୋଜାରି>ପଝାରି
ତେଵେ ଏହା କେଵଳ କଳିଙ୍ଗ ଦେଶରେ ହୋଇଛି କାରଣ କାଳିଙ୍ଗୀ ଲୋକେ ସହସ୍ରାଧିକ ଵର୍ଷ ପୂର୍ଵରୁ ନୌଯାତ୍ରା କରିଆସୁଛନ୍ତି । ଭାରତୀୟଙ୍କ ମଧ୍ୟରେ ସର୍ଵାଧିକ ସାହସିକ ଜାତି ଭାଵେ ତେଣୁ କଳିଙ୍ଗ ଦେଶୀୟ ଲୋକଙ୍କୁ ଗଣନା କରାଯାଏ ।
⚓⚓⚓⚓⚓⚓⚓⚓⚓⚓⚓⚓⚓⚓⚓⚓⚓
■ପାଣିଯାତ୍ରୀ କିଂଵା ପୟଯାତ୍ରୀରୁ ପଝାରି ଶବ୍ଦ ସୃଷ୍ଟ
⚓⚓⚓⚓⚓⚓⚓⚓⚓⚓⚓⚓⚓⚓⚓⚓⚓
ପାଣି ଯାତ୍ରୀରୁ ମଧ୍ୟ ଏ ଶବ୍ଦ ଆସିଥାଇପାରେ । ଓଡ଼ିଶାରେ ଲୋକେ water ପାଇଁ ନୀର,ବାରୀ,ଜଳ ଆଦି ଶବ୍ଦ ଅପେକ୍ଷା ‛ପାଣି’ ଶବ୍ଦର ବହୁଳ ଵ୍ଯଵହାର କରନ୍ତି । ସଂସ୍କୃତରେ ମଧ୍ୟ ‛ପୟ’ ଶବ୍ଦ ପାଣି ଅର୍ଥରେ ଵ୍ଯଵହାର ହୋଇଥାଏ । ସମ୍ଭଵତଃ ପାଣି ଵା ପୟରେ ଯାତ୍ରା କରୁଥିଵା ଲୋକଙ୍କୁ ପାଣିଯାତ୍ରୀ ଵା ପୟଯାତ୍ରୀ କୁହାଯାଉଥିଲା ଯାହା କାଳକ୍ରମେ ବଦଳିଯାଇ ପଝାରି ହୋଇଅଛି ।
ପାଣି ଵା ପୟ ଶବ୍ଦରୁ କେଵଳ ‛ପ’ ରହିଯାଇଥିଵା
ଦୁଇଟି ଶବ୍ଦ ଏଵେ ବି ଗଡ଼ଜାତରେ ଚଳୁଅଛି ଯାହା ଏ ମତକୁ ଆହୁରି ସୁଦୃଢ କରେ । ସେଇ ଦୁଇଗୋଟି ଶବ୍ଦ ହେଲା ―
୧)ପଝରିବା―ତରଳିଯିଵା(ଗଡ଼ଜାତ
ଏ ଶବ୍ଦରେ ସମ୍ଭଵତଃ ପ=ପାଣି
ଏଵଂ ଝରିଵା ଶବ୍ଦ ଵସ୍ତୁର ତରଳ ଅଵସ୍ଥା ଆଡ଼କୁ ଇଙ୍ଗିତ କରୁଅଛି ।
୨)ପଝ’ରେନ୍―ପାଣି ସର୍ଵଦା ଗଳିଵା(ସମ୍ବଲପୁରୀ)
ଏ ଶବ୍ଦ ‛ପାଣି ଝରିଵା’ କ୍ରିୟା କୁ ସ୍ପଷ୍ଟ ପ୍ରକାଶ କରୁଛି ।
ତେଵେ ଏତଦ୍ବ୍ୟତୀତ ଅନୁଗୋଳର କଥିତ ଓଡ଼ିଆ ଭାଷାରେ ପଝାରି ଶବ୍ଦ ସହ ସମସାଦୃଶ୍ଯ ‛ପଝାର’ ବୋଲି ଆଉ ଗୋଟିଏ ଶବ୍ଦ ବି ରହିଛି ଏଵଂ ଏହାର ଅର୍ଥ ସୁନା । ସେଇଭଳି ଅନୁଗୋଳରେ ଗାଈଙ୍କ ପାକୁଳି କରିଵା କ୍ରିୟାକୁ ପଝାକରିଵା କୁହାଯାଏ ଯାହା ଢେଙ୍କାନାଳରେ ‛ଚଭା କରିଵା’ ଭାଵେ ପ୍ରଚଳିତ ।
🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️
■ବୋଇତଯାତ୍ରୀରୁ ବଝାରି ଶବ୍ଦ ସୃଷ୍ଟି ସମ୍ଭଵ
🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️🛥️
ଆମେ ସମସ୍ତେ ଜାଣନ୍ତି ଯେ ଆଗେ କଳିଙ୍ଗୀମାନେ
ଜାହାଜ ଭଳି ଵୈଦେଶିକ ଓ ପୋତ ପରି ସଂସ୍କୃତନିଷ୍ଠ ଶବ୍ଦ ଅପେକ୍ଷା boat ଅର୍ଥରେ ବୋଇତ ଶବ୍ଦର ବହୁଳ ଵ୍ଯଵହାର କରୁଥିଲେ । ସାଧଵପୁଅ ନୌଵାଣିଜ୍ଯ କରୁଥିଲେ ଓ ଅନ୍ଵେଷଣକାରୀ କଳିଙ୍ଗୀଲୋକେ ଜଳଯାତ୍ରା କରି ସାଗରପାରି ନୂଆ ନୂଆ ଭୂଭାଗରେ ନଵ ସଭ୍ଯତା ସ୍ଥାପନ କରୁଥିଲେ । ସେତେଵେଳେ ଏହି ବୋଇତ ଶବ୍ଦ ଏତେ ଲୋକପ୍ରିୟ ଥିଲା ଯେ
କଵି ଜୟଦେଵ ଏ ଶବ୍ଦକୁ ସଂସ୍କୃତନିଷ୍ଠ କରି ବହିତ୍ର ଭାଵେ ଵ୍ଯଵହାର କରିଥିଲେ ଏଵଂ ଏ ଶବ୍ଦ ଭାଷା ଇଣ୍ଡୋନେସିଆରେ ସୁଦ୍ଧା ଵ୍ଯଵହାର ହେଉଥିଵାର ପ୍ରମାଣ ରହିଛି । ତେଣୁ ସମ୍ଭଵତଃ ପୋତ ନୁହେଁ ଵରଂ ବୋଇତ ଶବ୍ଦରୁ ପଝାରି ଶବ୍ଦ ଅପଭ୍ରଂଶ ହୋଇଥାଇପାରେ। ଵର୍ଗ୍ଯ ‛ବ’ ଵର୍ଣ୍ଣ ଟି ପଵର୍ଗରେ ଥିଵାରୁ ସ୍ଥଳଵିଶେଷରେ ପ,ଫ,ଭ ଏଵଂ ମ ରେ ରୂପାନ୍ତରିତ ହୋଇଥାଏ । ଏହି ସାଧାରଣ ଵର୍ଣ୍ଣଧର୍ମକୁ ଅନୁକରଣ କରି ବହୁତ ସମ୍ଭଵ ବୋଇତଯାତ୍ରୀରୁ
ବୋଯାତ୍ରୀ ହୋଇ ଶେଷକୁ ପଝାରି ହୋଇଥାଇପାରେ ।
●●●●●●●
●●●●●
●●●
●●
◆
ତେଵେ ଓଡ଼ିଆ ଭାଷାରେ ‛ପଝାରି’ ଶବ୍ଦ ଵ୍ଯଵହାରର ଅନେକ ଉଦାହରଣ ରହିଛି ।
ନନ୍ଦକିଶୋର ବଳ ତାଙ୍କ ‛ନିର୍ଝରିଣୀ’ ରେ ଏ ଶବ୍ଦର ଵ୍ଯଵହାର କରି ପଦେ ଲେଖିଛନ୍ତି―
“ପାହାଡ଼ିଆ ରାଗ ଛାଡ଼ି
ନାଉରିଆ କରୁଛି “ପଝାରି” ପାରି।”
ସେଇଭଳି ‛ଛ ମାଣ ଆଠଗୁଣ୍ଠ’ରେ
ଫକୀରମୋହନ ସେନାପତି ଏ ଶବ୍ଦର ଵ୍ଯଵହାର
କରିଥିଵା ଦୃଷ୍ଟିଗୋଚର ହୁଏ
ଯଥା―
“ଲୋକଟା ଡଙ୍ଗାରୁ ପାଣିକି ଡେଇଁ ପଡ଼ିବାବେଳେ ତାହାଗଣ୍ଠିରିରୁ ଡେମ୍ପେ ଲମ୍ବ ବିଡ଼ାଏ ତାଳପତ୍ର ଡଙ୍ଗାରେ ପଡ଼ିଯାଇଥିଲା । ସେହିବିଡ଼ାଟା ଚାନ୍ଦିଆ ପଲା ମଧ୍ୟରେ ଲୁଚାଇ ରଖିଥାଏ । କିଛିଦିନ ଉତ୍ତାରେ ଜଣେ “ପଝାରି” ଅବଧାନକୁ ପଢ଼ାଇବାରେ ସେ ଖଣ୍ତେ ପତ୍ରରୁ ଏହିପରି ପଢ଼ିଲେ...”
ଆପଣଙ୍କ ଅଞ୍ଚଳରେ ଏ ଶବ୍ଦ ଆଜି ବି ଚଳୁଛି କି ?
ଓଡ଼ିଆ ସାହିତ୍ୟରେ ଏ ଶବ୍ଦର ଅନ୍ଯ କେଉଁଠି ଵ୍ଯଵହାର ହୋଇଥିଲେ ଜଣେଇଵାକୁ ଵିଶେଷ ଅନୁରୋଧ ରହିଲା।
©ଶିଶିର ସାହୁ ମନୋଜ