Thursday, October 3, 2019

ଡାଇନୋସରକୁ ଓଡ଼ିଆରେ କ'ଣ କୁହନ୍ତି ଜାଣିଛନ୍ତି କି ?

ଡାଇନୋସର କୋଟି କୋଟି ଵର୍ଷ ତଳେ ପୃଥିଵୀରୁ ଲୁପ୍ତ ହୋଇଯାଇଛନ୍ତି ଏଵଂ ଏଇମାତ୍ର କେତେ ଶହ ଵର୍ଷ  ତଳେ ସେମାନଙ୍କର ନାନା ଜୀଵାଶ୍ମ ମିଳିଅଛି । ଡାଇନୋସରମାନଙ୍କ ସମୟକାଳକୁ  ଜୁରାସିକ୍ ଯୁଗ କୁହାଯାଏ । ଏହା ପ୍ରାୟ ୧୯୯.୬ ରୁ ୧୪୫.୫ ନିୟୁତ ଵର୍ଷ ପୂର୍ଵର କାଳଖଣ୍ଡ ବୋଲି ଵୈଜ୍ଞାନିକମାନେ ମତ ଦିଅନ୍ତି । ଇଂରାଜୀର ଜୁରାସିକ୍ ଶବ୍ଦଟି ଫ୍ରେଞ୍ଚ ଭାଷାର Jurassique ଶବ୍ଦର ଆଧୁନିକ ରୂପ । ଆଧୁନିକ ଜୀଵାଶ୍ମ ଆବିଷ୍କାରର ପ୍ରାରମ୍ଭିକ କାଳରେ ସ୍ଵିଜରଲ୍ଯାଣ୍ଡର ଜୁରା ପର୍ଵତରୁ ଅନେକ ପ୍ରାଚୀନ ପ୍ରାଣୀଙ୍କ ଜୀଵାଶ୍ମ ମିଳିଵାପରେ ସେଇ ପର୍ଵତର ନାମାନୁସାରେ ଜୁରାସିକ ରଖାଯାଇଥିଲା ।

ମାନଵମାନେ ସେମାନଙ୍କୁ  ସାମୁହିକ ଭାଵେ dīnosaurus  ନାମ ଦେଲେ ଏଵଂ ଏହା ଏକ  ଲାଟିନ ଶବ୍ଦ ଅଟେ । ଏହି ଶବ୍ଦରେ ଦୁଇଗୋଟି ପ୍ରାଚୀନ ଗ୍ରୀକ୍ ଶବ୍ଦ ରହିଛି ।

୧)δεινός(deinós)
୨)σαῦρος(saûros)

deinósର ଅର୍ଥ ଭୟଙ୍କର,ଭୀଷଣ, ଭୀମକାୟ, ଶକ୍ତିଶାଳୀ  ଇତ୍ୟାଦି ଏଵଂ   ଏହା P.I.E. root ଆକଳନ ଅନୁଯାୟୀ ସଂସ୍କୃତ ଦ୍ଵେଷ ଶବ୍ଦ ସ‌ହିତ ସମଦ୍ଧୃତ । deinósର ପୂର୍ଵ ରୂପ ଥିଲା dweynós ଏଵଂ ଏହାର P.I.E. root ମୂଳଧାତୁ *dwey ନିର୍ଣ୍ଣୟ କରାଯାଇଛି ।
*dwey P.I.E. rootର ମୂଳ ଅର୍ଥ ଭୟ କରିଵା । ଭାରତୀୟ ମୂଳ ଧାତୁଶବ୍ଦ ‘ଦ୍ଵିଷ୍’ ସହିତ ଏହା ସମଦ୍ଧୃତ । ଦ୍ଵିଷ୍ ଧାତୁର ଅର୍ଥଗୁଡ଼ିକ ମଧ୍ୟରେ ଦ୍ଵେଷ କରିଵା,ଶତ୍ରୁତା ଆଚରଣ କରିଵା,ହିଂସା କରିଵା ଇତ୍ଯାଦି ବହୁଳ ପ୍ରୟୋଗ ହୋଇଛି । ଲୋକେ ଯାହାକୁ ଭୟ କରନ୍ତି ତା ପ୍ରତି ଘୃଣା ଓ ଦ୍ଵେଷ କରିଵା ଆରମ୍ଭ କରିଦିଅନ୍ତି । ସେମାନେ ଭୟ ପ୍ରଦାତାକୁ ହିଂସ୍ର ଓ ଶତ୍ରୁ ଅଭିହିତ କରିଥାନ୍ତି । ଏହି ଆଧାରରେ ଆଉ ଏକ ଶବ୍ଦ ରହିଛି ମଖଦ୍ଵିଷ୍ ଯାହାର ଅର୍ଥ ରାକ୍ଷସ । ଲୋକ ଵିଶ୍ଵାସ ଆଧାରିତ ଏହି ରାକ୍ଷସ ମାନଙ୍କୁ ମଧ୍ୟ ଲୋକେ ଯେହେତୁ ଡରୁଥିଲେ ତେଣୁ ସେମାନଙ୍କ ପ୍ରତି ତାଙ୍କର ମନରେ ଦ୍ଵେଷ ଓ ଘୃଣା ସ୍ଵାଭାଵିକ ଭାଵେ ଉଦ୍ରେକ ହେଉଥିଲା । ତେଣୁ ମକଦ୍ଵିଷ୍ ଭଳି ଶବ୍ଦ ମଧ୍ୟ ସୃଷ୍ଟି ହୋଇଅଛି । ତେଵେ ଯେମିତି 'ସୋରସ' ଓ 'ସରଟ' ସମଦ୍ଧୃତ, ସେମିତି 'ଡାଇନୋ' ପାଇଁ 'ଦାନଵ' ଶବ୍ଦକୁ ସରଟ ସହ ଯୋଡ଼ି  'ଦାନୋସରସ' ଶବ୍ଦ ଗଠନ ହୋଇପାରନ୍ତା  । ଅଵର୍ଗ୍ୟ ଵ ର syncope ଘଟି ଦାନଵରୁ ଦାନୋ ଓ ସରଟ ଶବ୍ଦରେ ଟ ଵର୍ଣ୍ଣ ସ ରେ ପରିବୃତ୍ତ ହୋଇ ଏହି ଦାନୋସରସ ଶବ୍ଦ ସୃଷ୍ଟି ମଧ୍ୟ ସମ୍ଭଵ  ।

  ସେହିପରି saûros ଶବ୍ଦର ଅର୍ଥ ଝିଟିପିଟି,ଏଣ୍ଡୁଅ ଓ ସରୀସୃପ ଅଟେ ।

ଜୀଵାଶ୍ମଵିଜ୍ଞାନୀ Richard Oweninଙ୍କ ଦ୍ଵାରା 1842ରେ ଏହି ଡାଇନୋସର ନାମ ରଖାଯାଇଥିଲା । ଏହାର ବହୁତ ପରେ ଡାଇନୋସର ଶବ୍ଦର ସଂସ୍କୃତ ପ୍ରତିଶବ୍ଦ ଗଢା଼ଯାଇ ଏହାର ନାମ ଭୀମସରଟ ରଖାଯାଇଥିଲା ।

ସଂସ୍କୃତ ସରଟ,ଶରଟ ଓ ଶରଣ୍ଡ ଆଦି ଶବ୍ଦ ଗ୍ରୀକ୍ saûros ଶବ୍ଦ ସହିତ ସମଦ୍ଧୃତ ଏଵଂ ଏ ଶବ୍ଦଟିର ମଧ୍ୟ ଦୁଇଗୋଟି ଅର୍ଥ ହେଉଛି ଏଣ୍ଡୁଅ ଓ ଝିଟିପିଟି ।

ଭୀମ ଶବ୍ଦ ସାଧାରଣତଃ ଭୀଷଣ ଆକାର ଅର୍ଥରେ ଵ୍ଯଵହାର ହୁଏ । ତେଣୁ ଡାଇନୋସର ଶବ୍ଦର ଭାରତୀୟ ଵୈଜ୍ଞାନିକ ପ୍ରତିଶବ୍ଦ ଭୀମସରଟ ରଖାଯାଇଥିଲା ।

ଆପଣଙ୍କ ପାଖରେ ଡାଇନୋସରର ଅନ୍ଯ କୌଣସି ଭାରତୀୟ ପ୍ରତିଶବ୍ଦ ଜଣାଥିଲେ ଏଠାରେ ଜଣାଇଵାକୁ ଵିଶେଷ ଅନୁରୋଧ ରହିଲା ।

ଆଲେଖ୍ୟ:- ଉଡ୍ରବନ୍ଧୁ ଡାକ୍ତର ଦେଵାଶିଷ ଜ୍ଯୈଷ୍ଠୀ ଓ ଶିଶିର ସାହୁ ମନୋଜ

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...