Wednesday, October 30, 2019

ଧୃଷ୍ଟ ଶବ୍ଦରୁ ଝିଟ ଯାଏଁ

ଓଡ଼ିଆ ଦେଶଜ ଶବ୍ଦ ଝିଟ, ଶାସ୍ତ୍ରୀୟ ସଂସ୍କୃତଭାଷାର ଶବ୍ଦ ‛ଧୃଷ୍ଟ’ ସହିତ ସମଦ୍ଧୃତ ଅଟେ । ଏ ଶବ୍ଦଟି ସାଧାରଣତଃ ଚେମରଚଟୁ,ଧିଟ,ଧୃଷ୍ଟ,ଜିଗରିଆ,
ବେହିଆ, ନିର୍ଲଜ୍ଜ,ନଗଣ୍ଯ ଓ ଅଶ୍ଳୀଳ ଆଦି ଅର୍ଥରେ ଏ ଶବ୍ଦ ପ୍ରୟୋଗ ହୋଇଥାଏ ।

ହିନ୍ଦୀରେ ଏହା ସହିତ ସମଦ୍ଧୃତ ଶବ୍ଦ ‛ଢୀଠ୍’ ଚଳୁଅଛି । ହିନ୍ଦୀ ଶବ୍ଦ ସାଗର ଅନୁସାରେ ପ୍ରାକୃତ ଭାଷାରେ ଢୀଟ'ଠ୍ ଶବ୍ଦ  ମଧ୍ୟ  ରହିଛି ଯାହା ସମାର୍ଥକ ଅଟଇ । 

ହିନ୍ଦୀଭାଷୀ ଢୀଠ୍  ଶବ୍ଦର ପ୍ରୟୋଗ ବଡ଼ ଲୋକଙ୍କ କଥା ମାନୁଥିଵା ଅମାନୁଆ ଲୋକଙ୍କ ପାଇଁ ଵ୍ୟଵହାର କରନ୍ତି । ତୁଳସୀଦାସ ଏହି ଅର୍ଥରେ ଏ ଶବ୍ଦର ପ୍ରୟୋଗ କରି ଅଵଧି ଭାଷାରେ ଲେଖିଛନ୍ତି

“ବିନୁ ପୂଛେ କଛୁ କହଉଁ ଗୋସାଈ ।
ସେଵକ ସମୟ ନ ଢୀଠ ଢିଠାଈ ।”

ତେଵେ ସୁରଦାସ ଏ ଶବ୍ଦର ପ୍ରୟୋଗ ବ୍ରଜଭାଷାରେ #ଅନୁଚିତ_ସାହାସୀ ଅର୍ଥରେ କରିଛନ୍ତି
ଯଥା―

“ଐସେ ଢୀଠ୍ ଭଏ ହୈଂ କାହ୍ନା
ଦଘି ଗିରାୟ ମଟକୀ ସବ୍  ଫୋରୀ ।”

ସାଧାରଣତଃ ଯେଉଁମାନେ ଅଲଜ୍ଯା,ଲଜ୍ୟାହୀନ,ଅଶ୍ଳୀଳ ଓ ଜିଗରିଆ-ଜିଦିଆ ସେମାନେ ନିଜର କାମନା ଵାସନା ହେଉ କି କ୍ରୋଧରେ କଵଳିତ ହୋଇ କିଛି ବି ଦୁଃସାହସିକ କାର୍ଯ୍ୟ କରିପାରନ୍ତି । ତେଣୁ ଓଡ଼ିଆ ଭାଷାରେ ଧୃଷ୍ଟ ଶବ୍ଦ ସହିତ ସମଦ୍ଧୃତ ଝିଟ ଶବ୍ଦର ପ୍ରୟୋଗ ଭିନ୍ନ ଦିଗରେ ହୋଇଅଛି ।

ପ୍ରକୃତରେ ଆମ ଓଡ଼ିଆ ଭାଷାରେ ପ୍ରଚଳିତ ଥିଵା ଝିଟ ଶବ୍ଦଟି ସଂସ୍କୃତ ଧୃଷ୍ଟ ଶବ୍ଦର ମୂଳ ଅର୍ଥକୁ ଅନୁସରଣ କରୁଅଛି  କିନ୍ତୁ ହିନ୍ଦୀ ଶବ୍ଦ ଢୀଠ୍ ସେଇ ମୂଳ ଅର୍ଥକୁ ଛାଡି଼ ଗୌଣ ଅର୍ଥରେ ଵ୍ଯଵହାର ହେଉଛି ।

ଧୃଷ୍ଟ ଏକ ଵିଶେଷଣ ଶବ୍ଦ ଏଵଂ ଏହାର ନିମ୍ନଲିଖିତ ଅର୍ଥ ରହିଛି
ଯଥା―
୧)ନିର୍ଲ୍ଲଜ୍ଜ; ଧୀଟ
୨)ଅବାଧ୍ଯ; ଉଦ୍ଧତ
୩)ପ୍ରଗଲ୍ଭ
୪)ଲମ୍ପଟ
୫)ଯେ ଅନୁଚିତ କାର୍ଯ୍ୟ କରି ସୁଦ୍ଧା ଦାମ୍ଭିକତା ବା ମୁହଁଭୁରୁଡ଼ୁ ବାହାର କରେ

ତେଵେ କଥିତ ଓଡ଼ିଆ ଭାଷାରେ ଏହି ଓଡ଼ିଆ ଦେଶଜ ଶବ୍ଦର ପ୍ରୟୋଗ ଆଜି ଏକ ସୀମିତ ଅଞ୍ଚଳ ମଧ୍ୟରେ ରହିଯାଇଛି । ସାଧାରଣତଃ ଜଗତସିଂହପୁର ଓ ଭଦ୍ରକ ଅଞ୍ଚଳରେ କେତେକ ଗ୍ରାମାଞ୍ଚଳର କଥିତ ଭାଷାରେ  ହିଁ ଏ ଶବ୍ଦ ବଞ୍ଚି ରହିଥିଵା ଜଣାଯାଏ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଆଜି ଏ ଶବ୍ଦ ସେତେ ଵ୍ଯଵହୃତ ହେଉଥିଵା ଦେଖାଯାଏ ନାହିଁ ଯଦିଵା କେହି କଵି-ଲେଖକ ଏ ଶବ୍ଦର ଅଦ୍ଯାପି ପ୍ରୟୋଗ କରୁଥିଵେ ତାହା ଲୋକପ୍ରିୟ ହୋଇପାରିନାହିଁ । ସମ୍ଭଵତଃ ଏ ଶବ୍ଦ ବାଲେଶ୍ବର ଅଞ୍ଚଳରେ ମଧ୍ୟ ଚଳୁଥିଲା ତେଣୁ ଵ୍ଯାସକଵି ଫକୀରମୋହନ ତାଙ୍କର ଏକ ଗଳ୍ପରେ ଏ ଶବ୍ଦର ପ୍ରୟୋଗ କରିଛନ୍ତି ...

ଯଥା―

“ମାଇକିନିଆଙ୍କ ସାଙ୍ଗରେ ସବୁବେଳେ ରଜଘଷ ହେବାରୁ ସେ ଭାରି ଝିଟ ହୋଇଯାଇଛି।”

ଆପଣଙ୍କ ଅଞ୍ଚଳରେ ଏହି ଝିଟ ଶବ୍ଦ ଏଵେ ବି ଚଳୁଅଛି କି ?
ଝିଟ ଭଳି କିଂଵା ସମାର୍ଥକ କୌଣସି ଶବ୍ଦ ଆପଣଙ୍କ ଅଞ୍ଚଳରେ ଚଳୁଥିଲେ ତାହା ଉଲ୍ଲେଖ କରିଵାକୁ ଅନୁରୋଧ ରହିଲା ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...