Tuesday, October 15, 2019

Serendipity ; ସିଂହଳ ଦେଶର ନାମରୁ ସୃଷ୍ଟ ଏକ ଇଂରାଜୀ ଶବ୍ଦ

ଇଂରାଜୀରେ Serendipity ବୋଲି ଶବ୍ଦଟେ ରହିଛି ଏହାର ଅର୍ଥ ଆଶା କରିନଥିଵା କୌଣସି ମୂଲ୍ଯଵାନ ଓ ଉତ୍ତମ ଦ୍ରଵ୍ଯ, ଵ୍ଯକ୍ତି ଵା ଭୂଭାଗ ପ୍ରାପ୍ତ ହେଵା, ଆବିଷ୍କାର କିଂଵା ଉଦ୍ଭାବନ କରିଵା  ।  ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଵେ ଏ ଶବ୍ଦର ସୃଷ୍ଟି ସହିତ ଶ୍ରୀଲଙ୍କାର ସମ୍ପର୍କ ରହିଛି ।

ଇଂରେଜ ଲେଖକ ଓ ରାଜନେତା Horace Walpole ୧୭୫୪ରେ ତାଙ୍କର ଜଣେ ସାଙ୍ଗକୁ ଏକ ଚିଠି ଲେଖିଥିଲେ ଏଵଂ ସେଇ ଚିଠିରେ ସର୍ଵପ୍ରଥମେ ଏ ଶବ୍ଦଟିର ଵ୍ଯଵହାର ହୋଇଥିଲା । Horace Walpole ନିଜ ସାଙ୍ଗକୁ ଏକ ପାରସ୍ଯ କାହାଣୀ “The Three Princes of Serendip” ଵିଷୟରେ ସଂକ୍ଷେପରେ ଲେଖିଥିଲେ ।

ପାରସ୍ଯ ଦେଶର ଏଇ କାହାଣୀଟି ପ୍ରଥମେ ଅମିର୍ ଖୁସ୍ରୁ ୧୩ଶହ ଶତାବ୍ଦୀରେ ଲେଖିଥିଲେ ଯାହା ପରେ ୟୁରୋପୀୟ ଦେଶଗୁଡ଼ିକରେ ଲୋକପ୍ରିୟ ହୋଇଥିଲା ।

Serendip ଦେଶର ତିନିଜଣ ରାଜକୁମାରୀ କେମିତି ଵିଶ୍ଯ ଦେଖିଵାକୁ ବାହାରିଛନ୍ତି ଏଵଂ ନୂଆ ନୂଆ କଥା ଅନୁଭଵ କରୁଛନ୍ତି ଏହା ଏହି କାହାଣୀର ମୂଳ ଵିଷୟଵସ୍ତୁ ।

ତେଵେ ପାର୍ସୀରେ ଵ୍ଯଵହୃତ ଏହି Serendip ଦେଶ ହେଉଛି ଶ୍ରୀଲଙ୍କା ଵା ସିଂହଳଦୀପ ।

ଆରବରେ ସିଂହଳଦୀପକୁ سِرَانْدِيب‎(sirāndīb) କୁହାଯାଏ ଏଵଂ ସେଇ ଶବ୍ଦକୁ ପାର୍ସୀ ଭାଷୀ سراندیپ‎(serândip) ଭାଵେ ଵ୍ଯଵହାର କରୁଛନ୍ତି ।  ଏ ଉଭୟ ଶବ୍ଦର ମୂଳ ରୂପ ହେଉଛି “ସିଂହଳଦ୍ଵୀପ” ଶବ୍ଦ । ଵର୍ତ୍ତମାନ ଶ୍ରୀଲଙ୍କାର ଆଜକୁ ପ୍ରାୟ ୨୦୦୦ରୁ ଵୈଦେଶିକ ଉପନିଵେଶ ଯାଏଁ ସିଂହଳ ନାମ ହିଁ ଲୋକପ୍ରଚଳିତ ନାମ ଥିଲା ଏଵଂ ଵୈଦେଶିକ ଶାସକ ସେ ନାମକୁ ଆହୁରି ବଦଳେଇ ସିଲୋନ୍ କରିଦେଇଥିଲେ । ସିଂହଳ ଶବ୍ଦଟି ପାଲୀଭାଷାର ଶବ୍ଦ ଯାହା ଆଜକୁ ପ୍ରାୟ ୨୦୦୦ରୁ ୧୨୦୦ ଶତାବ୍ଦୀ ଯାଏଁ ଓଡ଼ିଶାର ଲୋକଭାଷା ଥିଲା । ପାଲିରୁ ଏ ଶବ୍ଦ ଯାଇ ସଂସ୍କୃତ ଭାଷାରେ ଏକ ନାମଵାଚକ ଶବ୍ଦ ଭାଵରେ ଵ୍ଯଵହାର ହେଵାକୁ ଲାଗିଲା ।

ତେଵେ ଶ୍ରୀଲଙ୍କା ଦେଶର ଵିଭିନ୍ନ ସମୟରେ ନାନା ନାମ ରହିସାରିଛି ।

ଯଥା—
୧) ପ୍ରାଚୀନ କାଳରେ ଲଙ୍କା
୨)ସିଂହଳ
୩)ଇଲାମ୍
୪)ତପ୍ରୋଵଣ;ତାମ୍ରପର୍ଣ୍ଣି
୫)ସିଲୋନ୍
୬) ଶ୍ରୀଲଙ୍କା

ବହୁ ଵର୍ଷ ପରେ William Boyd  ଗୋଟିଏ ଶବ୍ଦ ଇଂରାଜୀ ଭାଷାରେ ଵ୍ଯଵହାର କଲେ zemblanity ଏହା Serendipityର ଵିପରୀତ ଶବ୍ଦ ଭାଵେ ଇଂରାଜୀ ଭାଷାରେ ଵ୍ଯଵହୃତ ହୋଇଥାଏ । ଇଂରାଜୀ ଅଭିଧାନରେ ଏହାର ଅର୍ଥ ଲେଖାଅଛି—
"making unhappy, unlucky and expected discoveries occurring by design"

ଉତ୍ତର ଗୋଲାର୍ଦ୍ଧର ସବୁଠାରୁ ଥଣ୍ଡା ସ୍ଥାନ ଯେଉଁଠି ହିମ ଛଡ଼ା ଆଉ କିଛି ଦୃଶ୍ୟ ହୁଏନାହିଁ ସେହି ଆଦ୍ର ମରୁଭୂମି Novaya Zemlya( Nova Zembla) ନାମରେ ଏହି ଶବ୍ଦଟି ସୃଷ୍ଟି କରାଯାଇଛି ।

 

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...