Sunday, October 27, 2019

ଦୀପାଵଳି ନା ଦୀପାବଳୀ କେଉଁ ଶବ୍ଦଟି ଠିକ୍ ?

ଦୀପାଵଳି ଆସିଲେ ଗୋଟିଏ ପ୍ରଶ୍ନ ବହୁତ ଲୋକ ପଚାରନ୍ତି ଯେ ଦୀପାଵଳିର ଠିକ୍ ବନାନଟି କ'ଣ !

୧)ଦୀପାବଳୀ
୨)ଦୀପାବଳି
୩)ଦିପାବଳୀ
୪)ଦିପାବଳି
୫)ଦୀପାୱଳୀ
୬)ଦୀପାୱଳି

ପ୍ରଥମତଃ ଏଠାରେ ଯେତେ ଶବ୍ଦ ଲେଖା ହୋଇଛି ସେ ସମସ୍ତ ଶତକଡ଼ା ଶହେ ଠିକ୍ ନୁହେଁ । କାରଣ ଦୀପାଵଳି ଏକ ଶାସ୍ତ୍ରୀୟ ସଂସ୍କୃତ ଶବ୍ଦ ଏଵଂ ଏ ଭାଷାରେ ଅଵର୍ଗ୍ଯ 'ଵ' ର ଵ୍ଯଵହାର ନିତାନ୍ତ ଆଵଶ୍ୟକ ହୋଇଥାଏ । ଏଣୁ ଯେହେତୁ ଦୀପାଵଳି ଏକ ଶାସ୍ତ୍ରୀୟ ଶବ୍ଦ ତହିଁରେ ଅଵର୍ଗ୍ଯ 'ଵ' ଵ୍ଯଵହାର ହେଵା କଥା । ସେହିପରି ୱ ଏକ ଦ୍ଵିସ୍ଵର(ଦୁଇଟି ସ୍ଵର ଯୁକ୍ତ ହୋଇ ଗଠିତ= ଉ+ଅ =ୱ) ଏଵଂ ଏହା ତାୱା ,ହାୱା ଓ ୱାଟର୍ ଆଦି ଵୈଦେଶିକ ଶବ୍ଦ ଲେଖିଵା ପାଇଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅଭିଧାନକାର ଶ୍ରୀପ୍ରହରାଜ ଆଵିଷ୍କାର କରିଥିଲେ । ଆଗେ ଆମ ଭାଷାରେ  ଵର୍ଗ୍ଯ ‛ବ’ ଓ ଅଵର୍ଗ୍ଯ ଵ ପାଇଁ ଦୁଇଗୋଟି ସ୍ଵତନ୍ତ୍ର ଅକ୍ଷର ରହିଥିଲା । ତେଵେ ଦୀର୍ଘଦିନ ଧରି ଵୈଦେଶିକ ଵିଶେଷତଃ ବଙ୍ଗାଳୀ ଶାସକଙ୍କ ଶାସନାଧୀନ ରହିଵା ଯୋଗୁଁ ଆମଭାଷାରେ ଏ ଉଭୟ ଵର୍ଣ୍ଣରେ ଥିଵା ଭିନ୍ନତା ଅନେକାଂଶରେ  ଲୁପ୍ତ ହୋଇସାରିଥିଲା । ଆମେ ଆଜି ଯେଉଁ ଵର୍ଗ୍ଯ ‛ବ’ ଵ୍ଯଵହାର କରନ୍ତି ତାହା ଏକଦା ଅଵର୍ଗ୍ଯ 'ଵ' ଵର୍ଣ୍ଣ ପାଇଁ ଵ୍ଯଵହାର ହେଉଥିଲା । ଆଜି ଆମଭାଷାର ଲିପିରେ ଅଵର୍ଗ୍ଯ ‛ଵ’ ପାଇଁ ନୂଆ ଅକ୍ଷରଟିଏ ସୃଷ୍ଟି କରାଯାଇଛି । ଵର୍ଗ୍ଯ ବ ଓ ଅଵର୍ଗ୍ଯ ବ ର ପ୍ରାଚୀନ ସ୍ଵରୂପ ଜାଣିଵାକୁ ଚାହୁଁଥିଲେ ଭୂଵନେଶ୍ଵରର ରାଜ୍ଯ ସଂଗ୍ରହାଳୟ ପରିଦର୍ଶନ କରିପାରନ୍ତି ।

ସେଇଭଳି କେହି କେହି ଦୀପାଵଳି ଶବ୍ଦକୁ ଦୀପାଵଳୀ ଲେଖନ୍ତି । ଅଵଶ୍ଯ ଆଵଳି ଶବ୍ଦର ଅନ୍ୟ ରୂପ ଆଵଳୀ ହୋଇଥିଵା ହେତୁ ଏ ଶବ୍ଦ ମଧ୍ୟ ଠିକ୍ ଅଟେ । ଆଙ୍(ଆ)+ବଳ୍+ଇନ୍(ଇ) = ଆଵଳି ବୋଲି ଅମରକୋଷରେ ଏହାର ନିରୁକ୍ତି ଉଲ୍ଲେଖ କରାଯାଇଛି । ଇନ୍ ପ୍ରତ୍ଯୟ ଲାଗି ଵେଳେ ଵେଳେ ଦୀର୍ଘ 'ଈ' ରୂପ ହେଉଥିଵା ହେତୁରୁ ଏହି ଶବ୍ଦ ମଧ୍ୟ ଗ୍ରହଣୀୟ ।

ଏହି ଆଵଳି ଶବ୍ଦର ଅନେକ ଅର୍ଥ ରହିଛି । ଯଥା―
୧)ଶ୍ରେଣୀ; ପଂକ୍ତି; ଧାଡି
୨)ସମୂହ
୩)ବଂଶ
୪)ଏକସାଜ

ଦୀପାଵଳି କ୍ଷେତ୍ରରେ ଆଵଳି ଶବ୍ଦର ଵ୍ଯଵହାର ଦୀପଗୁଡି଼କର ପଂକ୍ତି ଅର୍ଥରେ ଵ୍ୟଵହାର ହୋଇଛି ।

ତେଵେ ସେ ଯାହା ହେଉ ଆମଭାଷାରେ କିନ୍ତୁ ଦୀପାଵଳି ଶବ୍ଦ ଛଡ଼ା #ଦିପାଳୀ,#ଦେଆଲୀ,#ଦେଵାଲୀ ଓ #ଦିଆଲି ଆଦି ଦେଶଜ  ଶବ୍ଦର ଵ୍ଯଵହାର ଅଧିକ ହେଉଥିଵାର ପ୍ରମାଣ ଆମେ କଥିତ ଭାଷାରେ ଚଳୁଥିଵା ଲୋକକଥା ଓ ଲୋକଵାଣୀରୁ ପାଇଥାନ୍ତି ।

ପଶ୍ଚିମ ଓଡ଼ିଶାରେ ଆଜି ଦୀପାଵଳିକୁ ଦିଆଲି କୁହନ୍ତି କିନ୍ତୁ ପୂର୍ଵେ କଟକାଞ୍ଚଳର କଥିତ ଭାଷାରେ ମଧ୍ୟ ଦୀପାଵଳିକୁ ଦିଆଲି କୁହାଯାଉଥିଲା ...

ଉଦାହରଣ ସ୍ୱରୂପ ନିମ୍ନୋକ୍ତ ଲୋକଵାଣୀଟି କଟକାଞ୍ଚଳର ହୋଇଥିଲେ ହେଁ ଏଥିରେ ଦିଆଲି ଶବ୍ଦର ଵ୍ଯଵହାର ହୋଇଥିଵା ଦେଖାଯାଏ

“ଆରେ ଛତରା ! 
      ଦଶରା ଗଲା; ଦିଆଲି ଗଲା
                       ବାକି ରହିଗଲା ବାଲିଯାତରା”

କାର୍ତ୍ତିକ କୃଷ୍ଣ ଅମାଵାସ୍ଯାର ଆମ ଦେଶରେ ଵିଭିନ୍ନ ନାମ ରହିଛି ।

■ଦୀପଦାନ ଯୋଗୁଁ ଏହାର ଦୀପାଵଳି ନାମ ସର୍ଵତ୍ର ଲୋକପ୍ରିୟ ହୋଇଥିଵାଵେଳେ ଏଇ ଧାରାରେ କାର୍ତ୍ତିକ କୃଷ୍ଣ ଅମାଵାସ୍ଯା ଅନ୍ୟ ଏକ ନାମ ହେଉଛି ଦୀପାନ୍ଵିତା ।

■ପୟା/ପିମ୍ପେଇ ଅମାଵାସ୍ଯା
ଆମ କଳିଙ୍ଗ ଦେଶରେ ଏଇ ଦିନ ନିଜ ଵୀରଗତି ପ୍ରାପ୍ତ ହୁତାତ୍ମା ପୂର୍ଵଜଙ୍କ ସଦଗତି ହେତୁ ଶ୍ରାଦ୍ଧର ନିୟମ ରହିଛି ପୁଣି ଏକମାସ ଧରି ଯେଉଁ ପୂର୍ଵଜମାନେ ଆମ ସହିତ ରହିଲେ ସେମାନଙ୍କୁ ଵିଦାୟ ଦେଵାର ପରମ୍ପରା ଆମ୍ଭ ଦେଶର ନିଆରା ପରମ୍ପରା ଅଟେ ।

■ଫଟାକି ଉଆଁସ
ଆଧୁନିକ ଯୁଗରେ ବାଣଫୁଟା ଵିଶେଷତଃ ତାଳଫୋଟକା ଵାଣ ଫୁଟେଇଵା ଆରମ୍ଭ ହେଵାରୁ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ କାର୍ତ୍ତିକ କୃଷ୍ଣ ଅମାଵାସ୍ଯାର ଏ ନାମଟି ଚଳିଵା ଆରମ୍ଭ ହୋଇଥିଵା ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଉଲ୍ଲେଖରୁ ଜଣାଯାଏ ।

(ଦୀପାଵଳି ଵିଷୟରେ ଆପଣଙ୍କ ପାଖରେ ଏଇଭଳି କିଛି ରୋଚକ ତଥ୍ୟ ଥିଲେ ଆପଣ ମଧ୍ୟ ସମସ୍ତଙ୍କ ସହ ବାଣ୍ଟନ୍ତୁ ...
ସମସ୍ତଙ୍କୁ ଦୀପାଵଳିର ଅନେକାନେକ ଶୁଭକାମନା)

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...