Sunday, June 11, 2023

ବନ୍ଦରର ଓଡ଼ିଆ ପ୍ରତିଶବ୍ଦ

ପ୍ରାୟ ଛଅ ଵର୍ଷ ତଳେ ଦିନେଶ୍ ନାମକ ଜଣେ ଉତ୍ତର ପ୍ରଦେଶର ଛାତ୍ରକୁ ଓଡ଼ିଶାର ନୌଵାଣିଜ୍ୟ ଵିଷୟରେ କହୁଥିଲି । ସେ ହଠାତ୍ ପଚାରି ଦେଲା “ମୁଁ ଵର୍ଷେ ତଳେ ପାରାଦ୍ଵୀପରେ ଥିଲି । ସେଠି ସ୍ଥାନୀୟ ଲୋକେ ହିନ୍ଦୀ ଭଳି shipକୁ ଜାହାଜ ଆଉ Sea-portକୁ ବନ୍ଦର୍ କହୁଛନ୍ତି। 
 ଯଦି ତୁମ ପୂର୍ଵଜ ଆଗରୁ ନୌଵାଣିଜ୍ୟ କରୁଥିଲେ ତାହେଲେ ତୁମ ଭାଷାରେ Port ଵା Harbour ଆଉ Ship ପାଇଁ ମୌଳିକ ଶବ୍ଦ କାହିଁକି ନାହିଁ ? 

ସେଦିନ ମୁଁ ତାକୁ ଭଲରେ ଉତ୍ତର ଦେଇପାରିନଥିଲି କିନ୍ତୁ Ship ଵା ଜାହାଜ ଭଳି ଵୈଦେଶିକ ଶବ୍ଦ ପାଇଁ ଆମ ଭାଷାରେ ବୋଇତ ଏଵଂ ବନ୍ଦର୍ ପାଇଁ ମୁହାଣ ଶବ୍ଦ ଵ୍ୟଵହାର ହେଉଥିଲା ବୋଲି ତାକୁ କହିଥିଲି । ଏଇ ଘଟଣାର ବହୁତ ଦିନ ପରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ପୂର୍ଵେ ବନ୍ଦର ଅର୍ଥରେ ପ୍ରଚଳିତ ବୋଇତିଆ ଶବ୍ଦ 'ବାରା' ପାଇଲି ତେଣୁ ଏ ଘଟଣା ମୋର ପୁଣି ସୋର୍ ହେଲା(ମନେ ପଡ଼ିଗଲା)। 

ଆଜି ଅଧିକାଂଶ ଓଡ଼ିଆ Port ଓ Harbour ଅର୍ଥରେ ସାଧାରଣତଃ ପାର୍ସୀ ମୂଳର ବନ୍ଦର ଓ ଇଂରାଜୀ ମୂଳର ପୋର୍ଟ ଶବ୍ଦ ଵ୍ୟଵହାର କରୁଛନ୍ତି କିନ୍ତୁ ଓଡ଼ିଶାରେ ପାରମ୍ପରିକ ବୋଇତ ଚଳୁଥିଲା ବେଳେ ତତ୍କାଳୀନ ଓଡ଼ିଶାଵାସୀ ବନ୍ଦରକୁ ବାରା ଓ ଘାଟ କହୁଥିଲେ । ଆଗକାଳରେ ସାଧାରଣତଃ ନଦୀମୁଖକୁ ବନ୍ଦର ଭାବେ ଵ୍ୟଵହାର କରାଯାଉଥିଲା ।‌ ଓଡ଼ିଶାରେ ଦୁଇପ୍ରକାରର ବନ୍ଦର ଵ୍ୟଵହାର କରାଯାଉଥିଲା ନଦୀମୁଖ ଓ ପାଟଣା ।‌ ନଦୀମୁଖ ବନ୍ଦରକୁ ମୁହାଣ ମଧ୍ୟ କୁହାଯାଉଥିଲା । 

ତତ୍ସମ ଶବ୍ଦ ଭିତରେ ଓଡ଼ିଆ ଭାଷାରେ ସାଧାରଣତଃ ପୋତାଶ୍ରୟ ଶବ୍ଦ ଵ୍ୟଵହୃତ ହୋଇଥାଏ । ଏତଦଵ୍ୟତୀତ ନୌକାଶ୍ରୟ,କ୍ଷୟଣ ଓ କୋଳ ଶବ୍ଦ ମଧ୍ୟ ଅଛି। 

ତେବେ ଓଡ଼ିଆ ଭାଷାର ନିଜସ୍ଵ ଶବ୍ଦ ହେଲା ବାରା ଓ ଘାଟ କିନ୍ତୁ ପାର୍ସୀର ବନ୍ଦରଗାହ୍‌ରୁ ବନ୍ଦର ଓ 
ଲଙ୍ଗରଗାହରୁ ଲଙ୍ଗର୍ଗା ଶବ୍ଦ ଓଡ଼ିଆରେ ଆସି ଚଳିଲାପରେ ଲୋକେ ନିଜର ଶବ୍ଦ ଛାଡ଼ି ଦେଲେ । ଏହାପରେ ଇଂରାଜୀ ଭାଷାର Harbour ଓ Port ଶବ୍ଦକୁ ଲୋକେ ହାଡ଼ୁବାହାର(ବାଲେଶ୍ଵର) ଓ ପୋର୍ଟ୍ ଭାବେ ଵ୍ୟଵହାର କଲେ । 


ଗୋଟିଏ ଵୈଦେଶିକ ଶବ୍ଦ ଯୋଗୁଁ ଏକ ଦେଶୀୟ ଶବ୍ଦ ମରିଯାଏ । ଏହା ହିଁ ବାରା ଶବ୍ଦ କ୍ଷେତ୍ରରେ ଘଟିଛି ‌। ସେହିପରି ଘାଟ ଶବ୍ଦଟି କେଵଳ ନଦୀଘାଟ କ୍ଷେତ୍ରରେ ଵ୍ୟଵହୃତ ହୋଇ ଏହାର ଅର୍ଥ ସଂକୁଚିତ ହୋଇଗଲା । ଓଡ଼ିଆ ଭାଷାରେ ବାରା,ଘାଟ ଓ ମୁହାଣ ଶବ୍ଦ ଅଛି ପୁଣି ପୋତାଶ୍ରୟ ଭଳି ତତ୍ସମ ଶବ୍ଦ ମଧ୍ୟ ବ୍ୟଵହାର ହେଉଛି । ତେବେ ଅଧିକାଂଶ ଭାରତୀୟ ଭାଷାରେ ବନ୍ଦର୍ ,Port ଓ Harbour ମୂଳର ଶବ୍ଦ ହିଁ ଵ୍ୟଵହାର କରାଯାଉଛି । ଓଡ଼ିଆ ଛଡ଼ା ମଳୟାଳ଼ମରେ തുറമുഖം (tuṟamukhaṃ), କନ୍ନଡ଼ରେ ರೇವು(rēvu),ସିଂହଳୀରେ ගමන්ලීලාව(gamanlīlāwa), ତେଲୁଗୁରେ ఓడరేవు (ōḍarēvu) ଓ ତାମିଳରେ 
துறைமுகம்(tuṟaimukam) ଭଳି ଶବ୍ଦ ଵ୍ୟଵହାର କରାଯାଏ । 

ଆଜି ଓଡ଼ିଶାର ଲୋକେ ନିଜ ଭାଷାର ବାରା,ଘାଟ ଓ ମୁହାଣ ଭଳି ଶବ୍ଦଗୁଡି଼କୁ ଛାଡି଼ ଦେଇ ବନ୍ଦର୍ ଭଳି ଵୈଦେଶିକ ଶବ୍ଦ ଵ୍ୟଵହାର କରି ଭାଷା ସମୃଦ୍ଧ କରୁଛନ୍ତି । ଗୋଟିଏ ଵୈଦେଶିକ ଶବ୍ଦ ଵ୍ୟଵହାର ଯୋଗୁଁ ସମାର୍ଥକ ଦେଶୀୟ ଶବ୍ଦଟିଏ ମରି ହଜିଯାଏ । ଏତଦ୍ଵାରା କିପରି କେମିତି ଭାଷା ସମୃଦ୍ଧ ହେଉଛି କେଜାଣି ?

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...