Wednesday, June 28, 2023

Fish migration ସହିତ ସମ୍ବନ୍ଧିତ ଓଡ଼ିଆ ଶବ୍ଦ ଉଠାମାଛ

ଜଳାଶୟରେ ଵର୍ଷାପାଣି ଅତ୍ୟନ୍ତ ବେଗରେ ପଶିଵା ସମୟରେ ବହି ଆସୁଥିଵା ଜଳସ୍ରୋତର ଵିପରୀତ ଦିଗକୁ ଉଠୁଥିଵା ମାଛକୁ ଓଡ଼ିଶାରେ ଉଠାମାଛ,ଉଠାଣିମାଛ ଓ ଚଢ଼େନ୍ ମାଛ ଵା ଚଢ଼େନ୍ ଝୁରି  କୁହାଯାଏ । 

ଓଡ଼ିଶାରେ ଉଠାମାଛକୁ ନେଇ ଢଗଟିଏ ବି ଅଛି 
“ଉଠାମାଛ ମୁଣ୍ଡରେ ପାହାର”


ପୃଥିଵୀରେ ଅନେକ ଜାତିର ମାଛ ସ୍ତ୍ରୋତର ଵିପରୀତ ଦିଗରେ ଗତି କରୁଥିଲେ ବି salmon ମାଛ ପ୍ରାୟତଃ ଏଭଳି କରୁଥିଵାରୁ ତାହାର ଏଭଳି କାର୍ଯ୍ୟକୁ salmun run କୁହାଯାଏ । ସାଲମନ୍ ଭଳି କେତେକ ମାଛ ବହୁ ଦୂରକୁ ଜଳ ସ୍ତ୍ରୋତର ଵିପରୀତ ଦିଗରେ ଗତି କରିପାରନ୍ତି ବୋଲି ସେହି କାର୍ଯ୍ୟକୁ ତଥା ସେହିଭଳି ମାଛମାନଙ୍କୁ anadromos କୁହାଯାଏ ଏଵଂ ଏହାର ଗ୍ରୀକ୍‌ରେ ଆକ୍ଷରିକ ଅର୍ଥ "running upward" ଵା “ଓଲଟ ଗତି/ଦୌଡ଼” ଅଟେ । 

ଵର୍ଷା ଋତୁରେ ଇଲିଶିମାଛ ଆଲାହାବାଦର ତ୍ରିବେଣୀ ସଙ୍ଗମ ପର୍ଯ୍ୟନ୍ତ ଚାଲି ଯାଇଥାଏ । ଗଙ୍ଗାରେ ସେତେବେଳେ ଏହି ମାଛ ପଚୁର ଧରାଯାଏ ଏଵଂ ତାକୁ ଗଙ୍ଗା ଇଲିଶି କୁହାଯାଏ । ଇଲ୍ ମାଛ ଅଣ୍ଡା ଦେଵା ପାଇଁ ସମୁଦ୍ରରୁ ପ୍ରାୟ 350 ମାଇଲ ଗତି କରି ଖାଦ୍ୟ ନ ଖାଇ ଖୁବ୍ ଉଚ୍ଚତାକୁ ଉଠିଥାଏ ଓ ଅଣ୍ଡା ଦେଇ ସାରି ଦୁର୍ବଳତା ପାଇଁ ମରିଯାଏ l

ମାଛମାନଙ୍କର ଏଭଳି ଓଲଟଗତିର ଅନେକ କାରଣ ରହିଛି । ଜଳସ୍ରୋତ ସହିତ ଜନ୍ମସ୍ଥଳୀ ଗନ୍ଧ ଜଡ଼ିତ ଥିଲେ କେତେକ ମାଛ ନିଜ ଜନ୍ମସ୍ଥାନର ଗନ୍ଧ ମନେ ରଖିଵାକୁ ସକ୍ଷମ ଥିଵାରୁ ସେମାନେ ଜଳସ୍ତ୍ରୋତ ଆସୁଥିଵା ଦିଗକୁ ଗତି କରିଵାକୁ ଚେଷ୍ଟା କରନ୍ତି । କେତେକ ମାଛ ଅଣ୍ଡା ଦେଵା ପାଇଁ ଏଭଳି କରିଥାନ୍ତି ବୋଲି ମଧ୍ୟ ଜଣାଯାଏ । ଅନେକ ମାଛ ଅଧିକ ସୁରକ୍ଷିତ ସ୍ଥାନ ତଥା ପ୍ରଜନନସ୍ଥଳୀ ଅନ୍ଵେଷଣ କରିଵାକୁ ସ୍ରୋତର ଵିପରୀତ ଦିଗରେ ଗତି କରନ୍ତି ଏଵଂ ଏହାକୁ fish migration କୁହାଯାଏ । 

ଓଡ଼ିଶାରେ ଵର୍ଷାଦିନରେ ନଦୀ ପୋଖରୀରୁ ଉଠି ଆସିଥିଵା ଉଠାମାଛମାନଙ୍କ ମଧ୍ୟରେ ଯେଉଁ ମାଛମାନେ ଜଳପୂର୍ଣ୍ଣ ଧାନ୍ୟ କ୍ଷେତ୍ରରେ ରହନ୍ତି ଓ ଶରତ୍ କାଳରେ ଚାରିଆଡ଼ୁ ପାଣି ଶୁଖିଗଲେ ବିଲରେ ରହିଯାଇ ଭୋଦୁଆ ମାସରେ ଖରାର ଉତ୍ତାପରେ ବିଲରେ ମରିଯାଆନ୍ତି ସେମାନଙ୍କୁ କଣମଛା ବୋଲାଯାଏ। ସେହିପରି ଖରାଦିନରେ ଜଳାଶୟର ଜଳ ଗରମ ହୋଇଗଲେ କିମ୍ବା ଜଳ ଵିଷାକ୍ତ ହେଲେ ମାଛମାନେ ମରି ଯାଇ ପାଣି ଉପରେ ଭାସିଵାକୁ 'ମାଛ ବଉଳିଵା' ବୋଲାଯାଏ। ଏହି କାରଣରୁ ବଡ଼ ମାଛମାନେ ପାଣି ଉପରକୁ ଭାସି ଉଠି ଦରମରା ହୋଇ ଚିତି ହୋଇ ପହଁରିଲେ 'ମାଛଙ୍କୁ ଲାହିଆ ମାରିଲା' ବୋଲି ଲୋକେ କହିଥାନ୍ତି।

ଜଳ ସ୍ରୋତର ଵିପରୀତ ଦିଗରେ ଉଠୁ ଥିଵାରୁ ଏଭଳି କାର୍ଯ୍ୟ କରୁଥିଵା ମାଛମାନଙ୍କୁ ଆମ ଓଡ଼ିଆ ଭାଷାରେ ଉଠାମାଛ,ଉଠାଣି ମାଛ ଓ ଚଢ଼େନ୍ ଝୁରି  କୁହାଯାଏ । 

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...