Wednesday, June 28, 2023

ସୂର୍ଯ୍ୟ ଶବ୍ଦ ଏବେ ବି ଵୈଜ୍ଞାନିକ କେମିତି ?

ସଂସ୍କୃତ କଳ୍ପଦ୍ରୁମ ଅଭିଧାନରେ ସୂର୍ଯ୍ୟଃ(सूर्य्य:) ଶବ୍ଦ ଅଛି ଅର୍ଥାତ୍ 'ଯ' ଦ୍ଵିତ ଓଡ଼ିଆମାନେ ଲେଖୁଥିଵା ସୂର୍ଯ୍ୟ ଶବ୍ଦ ହିନ୍ଦୀଭାଷୀଙ୍କର सूर्य(ସୂର୍ଯ) ନୁହେଁ । 

ସେଠାରେ ସୂର୍ଯ୍ୟଃ ଶବ୍ଦର ନିରୁକ୍ତି ଲେଖାଅଛି 

”ସରତି ଆକାଶେ ସୁଵତି କର୍ମ୍ମଣି ଲୋକଂ ପ୍ରେରୟତି ଵା । ସୃ ଗତୌ ସୂପ୍ରେରଣେଵା + “ରାଜସୂୟସୂର୍ଯ୍ଯମୃଷୋଦ୍ଯେତି ।” ୩ । ୧ । ୧୧୪ । ଇତି କ୍ଯପ୍ପ୍ରତ୍ଯୟେନ ମାଧୁଃ ।)”

ସୃ ଧାତୁରୁ ଗତି କରିଵା ଅର୍ଥରେ ସୂର୍ଯ୍ୟ ଶବ୍ଦ ନିଷ୍ପନ୍ନ ହୋଇଅଛି । 

ପୃଥିଵୀ ଭିତରେ ଥାଇ ଆମେ ଦେଖନ୍ତି ସୂର୍ଯ୍ୟ ପୂର୍ଵରେ ଉଦୟ ଓ ପଶ୍ଚିମରେ ଅସ୍ତ ହୁଅନ୍ତି । ଏହି ଆଧାରରେ ସୂର୍ଯ୍ୟ ଶବ୍ଦ ସୃ ଧାତୁରୁ ନିଷ୍ପନ୍ନ ହୋଇଥିଲା ତେବେ ଆଜି ବି ସୂର୍ଯ୍ୟ ଶବ୍ଦ ପ୍ରାସଙ୍ଗିକ । କାରଣ ସୂର୍ଯ୍ୟ ଆମ ଆକାଶଗଙ୍ଗାରେ ତାଙ୍କର ଏକ ନିର୍ଦ୍ଦିଷ୍ଟ ପଥରେ ଗତି କରୁଛନ୍ତି ।


କେଵଳ ସୂର୍ଯ୍ୟ କାହିଁକି ସୂର୍ଯ୍ୟଙ୍କ ସହିତ ତାଙ୍କର ସମସ୍ତ ଗ୍ରହ ଉପଗ୍ରହ ଗ୍ରହାଣୁ ଓ ଧୁମକେତୁଗୁଡ଼ିକୁ ଧରି ୮୨୮,୦୦୦ କି.ମି. ପ୍ରତିଘଣ୍ଟା ବେଗରେ ଆମ ଆକାଶଗଙ୍ଗାରେ ଗତି କରୁଛନ୍ତି । ଆମ ଆକାଶଗଙ୍ଗାର ମଧ୍ୟ ଭାଗରେ ଏକ ଅତି ଵିଶାଳ କୃଷ୍ଣଵିଵର(blackhole) ଅଛି ଯାହାକୁ Sagittarius A* ନାମ ଦିଆଯାଇଛି ଯେହେତୁ ଏହା Sagittarius ଵା ଧନୁରାଶୀ ଭିତରେ ଦୃଶ୍ୟ ହୋଇଥାଏ । ଏହି କୃଷ୍ଣଵିଵରର ଚତୁର୍ପାଶ୍ଵରେ ଆମ ସୂର୍ଯ୍ୟ ପ୍ରତି ୨୩୦ ନିୟୁତ(million) ଵର୍ଷରେ ଥରେ ପରିକ୍ରମା କରିଥାନ୍ତି ଏଵଂ ନିଜ ସୃଷ୍ଟିକାଳ ୪୬୦ କୋଟି ଵର୍ଷରୁ ଏଯାଵତ୍ ସୂର୍ଯ୍ୟ କେଵଳ କୋଡ଼ିଏ ଥର ହିଁ ଆକାଶଗଙ୍ଗାର ସମ୍ପୂର୍ଣ୍ଣ ପରିକ୍ରମା କରିପାରିଛନ୍ତି । ୨୩୦ ନିୟୁତ ଵର୍ଷର ସୂର୍ଯ୍ୟଙ୍କର ଏହି ପରିକ୍ରମାକୁ ଗୋଟିଏ galactic year ମଧ୍ୟ କୁହାଯାଏ । କେଵଳ ସୂର୍ଯ୍ୟ ହିଁ ନୁହେଁ ଆମ ଆକାଶଗଙ୍ଗା ମଧ୍ୟ galactic center ଚାରିପଟେ ଘୂରିବୁଲିଵା ସହ ବ୍ରହ୍ମାଣ୍ଡ ମଧ୍ୟରେ ଗତି କରୁଅଛି । 

ଅତଃ ପୂର୍ଵେ ସୂର୍ଯ୍ୟଙ୍କର ଉଦୟ ଅସ୍ତ ଆଧାରରେ ସୃ ଧାତୁରୁ ଗତି କରିଵା ଅର୍ଥରେ ସୂର୍ଯ୍ୟ ଶବ୍ଦ ନିଷ୍ପନ୍ନ ହୋଇଥିଲେ ବି ସୂର୍ଯ୍ୟ ଯେହେତୁ ଆକାଶଗଙ୍ଗାରେ ଗତି କରୁଛନ୍ତି ତେଣୁ ସୂର୍ଯ୍ୟ ଶବ୍ଦ ଏବେ ବି ଏକ ଵୈଜ୍ଞାନିକ ଶବ୍ଦ ଅଟେ । 

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...