Saturday, June 24, 2023

କୁମ୍ଭୀର କାନ୍ଦଣା ଓ ଢିଙ୍କିଆ ହସ

ନୀଳ ନଦୀ କୂଳରେ ଏକ କୁମ୍ଭୀର ସହିତ ଗୋଟିଏ ଢ଼ିଙ୍କିଆ ବାଘର ଭେଟ ହୋଇଗଲା । ଦୁହେଁ ପରସ୍ପରକୁ ଅଭିଵାଦନ ପରେ
ଢିଙ୍କିଆଟା କୁମ୍ଭୀରକୁ ପଚାରିଲା, "ଆଉ ଭାଇ ସବୁ ଭଲ ତ ?"

କୁମ୍ଭୀର ମୁହଁ ଶୁଖେଇ ଉତ୍ତର ଦେଲା, “କ’ଣ ଆଉ କହିବି ଭାଇ ମୋର ମନ ମୁଟେ ଭଲ ନାହିଁ । ଯେତେବେଳେ ବି ମୁଁ ଯନ୍ତ୍ରଣା ଓ ଦୁଃଖ ଭୋଗି କାନ୍ଦେ ‌ ମୋ ଆଖିର ଲୁହଧାର ଦେଖି ସମସ୍ତ ଜୀଵ କହନ୍ତି... ଓହଃ, ଇଏ ତ କୁମ୍ଭୀର କାନ୍ଦଣା ! ସେମାନଙ୍କର ଏଇ କଥା ମୋ ହୃଦୟକୁ କେତେ ଆଘାତ ଦେଉଛି ତାହା କହିବା କଷ୍ଟକର ‌!”

ତାହା ଶୁଣି ଢିଙ୍କିଆ କହିଲା, "ତୁମେ ନିଜ ଦୁଃଖ କଥା କହୁଛ ସତ କିନ୍ତୁ ମୋ ଦୁର୍ଦଶା ଵିଷୟରେ କିଛି କ୍ଷଣ ପାଇଁ ବି ଚିନ୍ତା କରିଛ କି?"

 ପ୍ରକୃତିର ସୌନ୍ଦର୍ଯ୍ୟ ଓ ଵିଚିତ୍ରତାକୁ ଦେଖି ମୁଁ ଉଷତ ହୋଇ ହସିଦିଏ । କିନ୍ତୁ ଲୋକେ ତାକୁ ଦେଖି କହନ୍ତି, ହେ... କିଛି ନାହିଁ ମ ! ଏହା ତ ଢିଙ୍କିଆ ହସ !

•••

 •ଖ଼ଲୀଲ୍ ଜ଼ିବ୍ରାନଙ୍କର ଏକ କାହାଣୀର ଏହା ଓଡ଼ିଆ ଭାଵାନୁଵାଦ•

 • -ତେବେ ପ୍ରଶ୍ନ ଉଠୁଛି କୁମ୍ଭୀର କ'ଣ ସତରେ କାନ୍ଦେ ନା ଢିଙ୍କିଆ ବାଘ ହସେ ? 

•ପ୍ରକୃତରେ କୁମ୍ଭୀରମାନେ ଦୁଃଖ କିମ୍ବା ଯନ୍ତ୍ରଣା ଯୋଗୁଁ କାନ୍ଦିନଥାନ୍ତି । କୁମ୍ଭୀରମାନଙ୍କ ଆଖିରେ ଲୁହ ଦେଖି ମଣିଷମାନେ ଭାବନ୍ତି କୁମ୍ଭୀର କାନ୍ଦୁଛି ।  

କୁମ୍ଭୀର ଚୋବାଇ ଖାଇଲାବେଳେ ତା ଆଖିର ଲୁହ ନଳୀ ଉପରେ ଚାପ ପଡ଼େ ଫଳତଃ ତା ଆଖି ଓ ନାକରୁ ଲୁହ ବାହାରିଥାଏ ।‌ ଏହି ଲୁହ କୁମ୍ଭୀର ଆଖିକୁ ଆର୍ଦ୍ର ଓ ସ୍ଵଚ୍ଛ ରଖିଵାରେ ସାହାଯ୍ୟ କରିଥାଏ ଏଵଂ ଖାଇଵା ସମୟରେ ଆଖି କିମ୍ବା ନାକ ଭିତରକୁ ଯାଇଥିଵା କୌଣସି ଆଵର୍ଜନାକୁ ମଧ୍ୟ ବାହାର କରିଦିଏ ।

ତେଣୁ,କୁମ୍ଭୀର ପ୍ରକୃତରେ କାନ୍ଦୁନଥାଏ ଵରଂ ଏହା ପ୍ରକୃତରେ ତାହାଉ ଖାଇଵା ସମୟର ଵା ତତ୍ ପରଵର୍ତ୍ତୀ ପ୍ରାକୃତିକ ଶାରୀରିକ ପ୍ରତିକ୍ରିୟା ଅଟେ ।  

ସେହିପରି ଢିଙ୍କିଆ ବାଘ ଵା Hyena ମାନେ ପ୍ରକୃତରେ ହସନ୍ତି ନାହିଁ ଵରଂ ସେମାନେ ପରସ୍ପର ସହ ଯୋଗାଯୋଗ କରିଵାର ତାହା ଏକ ପ୍ରକାରର ପ୍ରକ୍ରିୟା ଅଟେ । ପରସ୍ପର ସହ ଯୋଗାଯୋଗ କରିଵା ପାଇଁ ଢିଙ୍କିଆ ବାଘମାନେ ହସିଵା ଛଡ଼ା ଆହୁରି ଅନେକ ପ୍ରକାରର ସ୍ୱର ଉତ୍ପନ୍ନ କରିଥାନ୍ତି । ସେମାନଙ୍କ ଦ୍ଵାରା ସୃଷ୍ଟି କରାଯାଉଥିଵା ପ୍ରତ୍ୟେକ ସ୍ବର ଗୋଟିଏ ଗୋଟିଏ ଭାଵକୁ ପ୍ରକାଶ କରିଵା ଉଦ୍ଦେଶ୍ୟରେ ଜାତ ହୋଇଥାଏ । ଓଡ଼ିଆ ଭାଷାରେ Hyenaକୁ ଢିଙ୍କିଆ ବାଘ କୁହାଯିଵାର କାରଣ ଏମାନଙ୍କର ପଛଭାଗ ଢିଙ୍କି ପରି ତଳକୁ ରହିଥାଏ ଏଵଂ ଏମାନେ ବାଘ ଭଳି ଅତି ଦୁର୍ଦ୍ଦାନ୍ତ ତଥା ଏମାନଙ୍କ ଶରୀରରେ ବାଘଙ୍କ ପରି ଚିହ୍ନ ଥାଏ । 

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...