Friday, June 16, 2023

ଦୋଳି ଓ ଲୋକଵିଶ୍ଵାସ

ଦୋଳିକୁ ନେଇ ଓଡ଼ିଶାରେ ଅନେକ ଲୋକଵିଶ୍ଵାସ ପ୍ରଚଳିତ ତେବେ ମୁଖ୍ୟତଃ ଅନେକ ଅଞ୍ଚଳରେ ଦୋଳି ସମ୍ବନ୍ଧୀୟ ତିନୋଟି ଲୋକଵିଶ୍ଵାସ ବହୁତ ଜଣାଶୁଣା । ସେହି ତିନୋଟି ଲୋକଵିଶ୍ଵାସ ମଧ୍ୟରେ ଗୋଟିଏ ବେଙ୍ଗ ସମ୍ବନ୍ଧୀୟ,ଅନ୍ୟଟି ସର୍ପ ସମ୍ବନ୍ଧୀୟ ଓ ତୃତୀୟ ଲୋକଵିଶ୍ଵାସ ଅଶରୀରୀ ଆତ୍ମା ସମ୍ବନ୍ଧୀୟ ଅଟେ । 



•ବେଙ୍ଗ ସମ୍ବନ୍ଧୀୟ ଲୋକଵିଶ୍ଵାସ 

କଥିତ ଅଛି ଯେ ରଜପର୍ଵରେ ଦୋଳି ନଖେଳିଲେ କାଠ ବେଙ୍ଗ ହୋଇ ଜନ୍ମ ଲଭିଵାକୁ ହୁଏ । ଦୋଳି ଖେଳିଵାକୁ ମନା କରୁଥିଵା ଅବୁଝା ପିଲାଏ ନିଜ ସଂସ୍କୃତି ପରମ୍ପରାକୁ ପାଳନ କରନ୍ତୁ ସେଥିପାଇଁ ଭୟମିଶ୍ରିତ ଏଭଳି ଏକ ଲୋକଵିଶ୍ଵାସର ପ୍ରଚଳନ ହୋଇଥିଵା ସମ୍ଭଵ । 

•ସର୍ପ ସମ୍ବନ୍ଧୀୟ ଲୋକଵିଶ୍ଵାସ 

ଆମ ଓଡ଼ିଶାର ରଜୋତ୍ସଵ ସମୟରେ ତିନିଦିନ କାଳ ଓ ତତ୍ପରେ କେତେକ ଦିନ ଯାଏଁ ପିଲାଏ ସକାଳ ଦ୍ବିପହର ଓ ଅପରାହ୍ନରେ ଦୋଳି ଖେଳିଥାନ୍ତି । କିନ୍ତୁ ଏହି ସମୟରେ ସେମାନଙ୍କୁ ସନ୍ଧ୍ୟା ତଥା ରାତିରେ ଦୋଳି ଖେଳିଵାକୁ ବାରଣ କରାଯାଇଥାଏ । କାରଣ ଓଡ଼ିଶାରେ ଲୋକଵିଶ୍ଵାସ ପ୍ରଚଳିତ ଯେ ସନ୍ଧ୍ୟା ତଥା ରାତିରେ ଦୋଳି ଖେଳିଲେ ଦୋଳିର ଦଉଡ଼ି ସାପରେ ପରିଣତ ହୋଇଯାଏ । ଆଧୁନିକ ଯୁଗରେ କେହି କେହି ଏହାକୁ ଅନ୍ଧଵିଶ୍ଵାସ ବୋଲି ଅଭିହିତ କରୁଅଛନ୍ତି କିନ୍ତୁ ଏହି ଲୋକଵିଶ୍ଵାସ ପଛରେ ଥିଵା ଵୈଜ୍ଞାନିକ କାରଣକୁ ସେମାନେ ଉପଲଵ୍ଧି କରିନାହାନ୍ତି । ସାଧାରଣତଃ ଵର୍ଷାଋତୁ ସମୟରେ ଗଛମାନଙ୍କରେ ଵିଷାକ୍ତ ସର୍ପମାନେ ଵିଚରଣ କରିଥାନ୍ତି । ଲାଉଡଙ୍କିଆ,ଡାଳୁଆଗୋଖର ଆଦି ଅନେକ ସର୍ପ ଵୃକ୍ଷରେ ରହିଵାକୁ ବୁଲିଵାକୁ ପସନ୍ଦ କରନ୍ତି ‌ । ରାତ୍ରୀସମୟରେ ସେମାନେ ଦୋଳିର ଦଉଡ଼ି ଉପରକୁ ଚାଲି ଆସିଵା ଅସମ୍ଭଵ ନୁହେଁ ‌ । ନିଶ୍ଚୟ ପୂର୍ଵେ ଆମ ସମାଜରେ ଅନେକ ପିଲା ବଡ଼ ଲୋକଙ୍କ ଆକଟ ନମାନି ସନ୍ଧ୍ୟା ଵା ରାତିରେ ଗଛ ଡାଳରେ ବନ୍ଧାଥିଵା ଦୋଳି ଖେଳି ସରରପ ଦଂଶନର ଶିକାର ହୋଇଥିବେ ଯାହା ଫଳରେ ଏଭଳି ଏକ ଲୋକଵିଶ୍ଵାସ ସୃଷ୍ଟି ହୋଇଥିଵ । 

•ଡାହାଣୀ/ ପିଶାଚୁଣୀ /ବ୍ରହ୍ମରାକ୍ଷସ /ଓଥରା ଆଦି ଅଶରୀରୀ ସମ୍ବନ୍ଧୀୟ ଲୋକଵିଶ୍ଵାସ 

ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସନ୍ଧ୍ୟାରେ ଦୋଳି ଖେଳ ବନ୍ଦ କରି ଦୋଳିକୁ ସେଇମିତି ନ ଓହଳେଇ ଉକୁଚି ଦେଵା(ଖୋସି ଦେଵା)ର ପରମ୍ପରା ପ୍ରଚଳିତ । କୁହାଯାଏ ରାତିରେ ଦୋଳିକୁ ଓହଳେଇ ଛାଡ଼ି ଆସିଲେ ସେଥିରେ ମୃତ ଆତ୍ମାମାନେ ବସି ଦୋଳି ଖେଳନ୍ତି । ଆଉ କେତେକ ଅଞ୍ଚଳରେ ରାତିରେ ଦୋଳି ଖେଳିଲେ ଓଥରା ଓ ବ୍ରହ୍ମରାକ୍ଷସ ଇତ୍ୟାଦି ଅତୃପ୍ତ ଆତ୍ମାଙ୍କ ଯୋଗୁଁ ଡାଳ ଭାଙ୍ଗିଵା ତଥା ପ୍ରାଣ ନାଶ ହେଵାର ଲୋକଵିଶ୍ଵାସ ପ୍ରଚଳିତ । ସାଧାରଣତଃ ଗଛ ଦୋଳି କୌଣସି ମଟକା ଦୁର୍ଵଳ ଗଛଶାଖାରେ ବନ୍ଧାଯାଇଥିଲେ ଭାର ନ ସହିପାରି ଭାଙ୍ଗିଯାଏ । ଆଗକାଳରେ ରାତିରେ ଦୋଳି ଖେଳୁଥିଵା ସମୟରେ ଗଛର ଡାଳ ଭାଙ୍ଗି ପଡି଼ଗଲେ ଆଜି ଭଳି ହଠାତ୍ ଚିକିତ୍ସା ହୋଇପାରୁନଥିଲା । ତେଣୁ ରାତିରେ ଅଶୀରୀରୀମାନଙ୍କ ନାମରେ ଭୟ ଦେଖାଇ ଦୋଳି ଖେଳିଵାକୁ ବାରଣ କରାଯାଉଥିଲା । 

ତେଣୁ ଏହି ତିନୋଟି ଲୋକଵିଶ୍ଵାସ ପ୍ରକୃତରେ ଲୋକଙ୍କ ମଙ୍ଗଳାର୍ଥେ ପ୍ରଚଳିତ ହୋଇଥିଲା ଏଵଂ ଏଗୁଡ଼ିକ ଅନ୍ଧଵିଶ୍ୱାସ ନୁହେଁ ‌ଵରଂ ଏହା ପଛରେ ଵୈଜ୍ଞାନିକ କାରଣ ରହିଛି।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...