Friday, June 16, 2023

ସାପୁଆଗାର : ରଜସଂକ୍ରାନ୍ତିର ଗାରଟଣା ପରମ୍ପରା

ଆଜିକାଲିର ପିଲାଏ ମାଟି କାନ୍ଥ କ'ଣ ଜାଣିନଥିବେ କି ତାକୁ ନେଇ ଥିଵା ଆମ ଓଡ଼ିଶାର ସଂସ୍କୃତି ଵିଷୟରେ ଅଵଗତ ବି ନଥିବେ ‌‌। ତେବେ ଯେବେଠାରୁ ଏ ଦେଶରେ ମଣିଷ ମାଟିଘର କରିଵା ଆରମ୍ଭ କରିଛି ଉକ୍ତ ଘରର କାନ୍ଥକୁ ମଧ୍ୟ ଵିଭିନ୍ନ କାର୍ଯ୍ୟ ଲଗାଇଛି । କାନ୍ଥରେ ଘଷି ପାରିଵାଠାରୁ ତାହାର ସୌନ୍ଦର୍ଯ୍ୟକରଣ ପାଇଁ 
ପିଠଉ ଚିତା ପକାଯିଵା ପର୍ଯ୍ୟନ୍ତ ଵିଵିଧ କାର୍ଯ୍ୟ ହେଉଥିଲା । 

ପୂର୍ଵେ ମାଟିକାନ୍ଥରେ ଵିଭିନ୍ନ ଉପାୟରେ ଚିତା ଝୋଟି ପକାଯାଉଥିଲା । ଆଗକାଳର ସ୍ତ୍ରୀଲୋକମାନେ ପେଡ଼ିପେଡି଼କିଆ ଫଳକୁ ପିଠାଉ ପାଣି ଵା ଢାଉ ପାଣିରେ ବୁଡ଼ାଇ କାନ୍ଥରେ ଛାପା ମାରୁଥିଲେ ଓ ସେ ଚିତା ଗୋଲାକାର ଓ କମ କମ ଦେଖାଯାଉଥିଲା । ପ୍ରତିଵର୍ଷ ରକ୍ଷା ପଞ୍ଚମୀ ଦିନ ଗୃହକୁ ରାକ୍ଷସାଦିଙ୍କ ଆକ୍ରମଣରୁ, ରୋଗ ଓ ସର୍ପାଦି ଆପଦରୁ ରକ୍ଷା କରିଵା ପାଇଁ ଘରର ଦ୍ୱାର ନିକଟସ୍ଥ କାନ୍ଥରେ ଗଣେଶ, ମହାଦେଵ ଓ (ଏକଗୋଡ଼ିକିଆ) ଭୈରଵ ମୂର୍ତ୍ତିମାନ ଲେଖାଯାଉଥିଲା । 

ଵିଶେଷକରି କାନ୍ଥରେ ଲେଖାଲେଖି କାର୍ଯ୍ୟ ହେଉଥିଲା । ଆଗେ ଏତେ କାଗଜ କଲମ ନଥିଲା କି ସମସ୍ତଙ୍କ ପାଖରେ ତାଳପତ୍ର ଲେଖନୀ ବି ନଥିଲା ତେଣୁ ଲୋକେ କିଛି ଲେଖିଵା ପାଇଁ କାନ୍ଥର ଵ୍ୟଵହାର କରୁଥିଲେ । ପୂର୍ଵେ ଲୋକେ ଏଥିପାଇଁ ସବୁବେଳେ ଅଣ୍ଟାରେ ଗୋଟିଏ ଲେଖାଁଏ ଛୋଟ ଖଡ଼ିର ଗୋଲକ ଖୋସଣିରେ ଖୋସି ରଖୁଥିଲେ। ଏହା କରିଵା ଯୋଗୁଁ ଖୋସଣି ଖସି ଯାଉ ନ ଥିଲା ଏଵଂ କିଛି କଥା ଲେଖିଵାର ଆଵଶ୍ୟକ ପଡ଼ିଲେ ଅଣ୍ଟାରେ ଥିଵା ଖଡ଼ି ଗୋଟାଳି ଦ୍ୱାରା ଲେଖାଲେଖି ଵା ଗଣନା ଆଦି ଭୂମିରେ ଵା କାନ୍ଥରେ ହେଉଥିଲା । ପୁଣି ପିଲାଏ ମାଟି କାନ୍ଥରେ କାଠି ଦ୍ଵାରା ଗାର ଟାଣି ଖେଳୁଥିଲେ । 

ସେହିପରି ରଜ ସଂକ୍ରାନ୍ତି ଦିନ ସକାଳୁ ସକାଳୁ ଘରର ବାହାର ପଟ କାନ୍ଥରେ ତଳୁ ଉପରକୁ ଅଢ଼େଇ ଫୁଟରୁ ୩ ଫୁଟ ଉଚ୍ଚରେ ଗୋଟିଏ ଗାର ଟଣାଯାଏ ଏଵଂ ଏହାକୁ ସାପୁଆଗାର ଓ ସାପୁଆ ଗୋଵର କୁହନ୍ତି । ଏହି ଗାରଟି 
ଘରର ବାହାର କାନ୍ଥ ଚାରିପଟେ ନିରଵିଚ୍ଛିନ୍ନ ଭାବେ କଟାଯାଇଥାଏ । ଆଜିକାଲି ସାଧାରଣତଃ ଖଡ଼ିରେ ଗାର କଟାଯାଏ । ତେବେ ଆଗକାଳରେ ସ୍ତ୍ରୀଲୋକମାନେ ପ୍ରାୟତଃ ଗୋଵର ଦ୍ଵାରା ଘରର ବାହାର କାନ୍ଥ ଚାରିପଟେ ଗାର ଟାଣୁଥିଲେ । ସେତେବେଳର ଘର ମାଟିରେ ତିଆରି ହେଉଥିଲା ବୋଲି ଗୋଵରରେ ଗାର ଟଣା ଯାଉଥିଲା । ଆଜିକାଲି କୋଠାଘରଗୁଡି଼କର ବାହାର କାନ୍ଥରେ ରଜ ସଂକ୍ରାନ୍ତି ଦିନ ଖଡ଼ି ଦ୍ଵାରା ଗାର ଟଣା ଯାଉଛି ।

ଲୋକଵିଶ୍ଵାସ ପ୍ରଚଳିତ ଯେ ଘରକୁ ସର୍ପାଦି ସରସୃପମାନଙ୍କଠାରୁ ରକ୍ଷା କରିଵାକୁ ରଜ ସଂକ୍ରାନ୍ତିରେ ଏଭଳି ଗାର ଟଣାଯାଏ ।‌ ଵର୍ଷାଦିନେ ଵିଭିନ୍ନ ପ୍ରକାରର ପୋକଜୋକ ଓ ସରସୃପ ଜନ୍ମିଥାନ୍ତି ଓ ଘରେ ପଶିଵାକୁ ଚେଷ୍ଟା କରନ୍ତି ।‌ ଲୋକମାନେ ଏଥିପାଇଁ ପୂର୍ଵରୁ ସାଵଧାନ ରୁହନ୍ତୁ ତାହା ଜଣାଇ ଦେଵାକୁ ରଜ ସମୟରେ ହୁଏତ ଏଭଳି ପରମ୍ପରାକୁ ଯୋଡ଼ାଯାଇଥିଲା । 

ତେବେ କେଵଳ ରଜ ସଂକ୍ରାନ୍ତି ଅଵସରରେ ହିଁ କାନ୍ଥରେ ଗାର ଟଣାଯାଏ ନାହିଁ ଵରଂ ଆଉ ଏକ ପର୍ଵ ବି ଅଛି ଯହିଁରେ ଏଭଳି କାର୍ଯ୍ୟ କରାଯାଏ । ସେହି ପର୍ଵଟି ହେଉଛି ଓଡ଼ିଶାର କୁଡ଼ମୀ ଜନଜାତିଙ୍କ ଦ୍ଵାରା ଜ୍ୟୈଷ୍ଠ ତ୍ରୟୋଦଶୀ ତିଥିରେ ପାଳିତ ହେଉଥିଵା ରହିନ୍ ପର୍ଵ । 

ରହିନ୍‌ପର୍ଵ ଦିନରେ ପାରମ୍ପରିକ ରୀତିନୀତି ସହ ତିନିମୁଠା ଧାନ ବିଲର ଉତ୍ତର-ପୂର୍ଵ କୋଣରେ ବୁଣି କୃଷିକାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ମାଣ, ପଇଲା, ପାଇ, ପାଛିଆ, ବୁରୁଣୀ, ଠେକା, ହଳ, ଜୁଆଳି ଆଦିକୁ ଭଲ ଭାବେ ଧୋଇ ସଫା କରି ସେଥିରେ ପାଣି ମିଶା ଚୁନା ଗୁଣ୍ଡ ଦେଇ ସିନ୍ଦୂର ଟୀକା ଲଗାଇ ଵ୍ୟଵହାରର ଆରମ୍ଭ କରାଯାଇଥାଏ। ଭଲ ଫସଲର କାମନା କରି ଭୂତପିଢ଼ା ଵା ପୂର୍ଵପୁରୁଷଙ୍କ ଆସ୍ଥାନ ତଥା ଭାଡ଼ି ଘରୁ ପୂଜାର୍ଚ୍ଚନା କରି ଘରୁ କ୍ଷେତକୁ ବିହନ ନେଇ ଯାଇଥାନ୍ତି। ଏହି ଦିନ ସନ୍ଧ୍ୟାରେ ଘରର ମହିଳା ଓ କୁଆଁରୀ ଝିଅ ମାନେ ନିରୋଳାରେ ସମ୍ପୂର୍ଣ୍ଣ ନୀରଵତା ରକ୍ଷା କରି ନିଜ କ୍ଷେତ ଵ୍ୟତୀତ ଅନ୍ୟର କ୍ଷେତରୁ ପଵିତ୍ର ରହିନ୍ ମାଟି ଆଣି ଵିଭିନ୍ନ ଶୁଭ କାର୍ଯ୍ୟରେ ଵ୍ୟଵହାର କରିଥାନ୍ତି। ଗୃହର ତିନିକୋଣରେ ଓ ଭୂତପିଢ଼ାରେ ବିଲରୁ ଆଣିଥିଵା ରହିନ୍ ମାଟିକୁ ରଖିଥାନ୍ତି। ସେହି ମାଟି କାନ୍ଥରେ ଗାର ମଧ୍ୟ ଟଣା ଯାଇଥାଏ। କୁଡ଼ମୀ ଜନଜାତୀୟ ଲୋକେ ଵିଶ୍ଵାସ କରନ୍ତି ଯେ ଏହିଦିନଠାରୁ ସରୀସୃପ ପୃଥିଵୀପୃଷ୍ଠରେ ଆଵିର୍ଭାଵ ହୁଅନ୍ତି ଏଵଂ ଗାରଟାଣିଵା ଦ୍ୱାରା ଗୃହରେ କୌଣସି ପ୍ରକାର ସରୀସୃପ ପ୍ରଵେଶ କରିବେ ନାହିଁ । ପ୍ରକୃତରେ ଆଷାଢ଼ୀ ଫଳକୁ କୁଡ଼ମୀମାନେ ରହିନ୍ ଫଳ କୁହନ୍ତି ଏଵଂ ରହିନ୍ ପର୍ଵ ଦିନଠାରୁ ସେମାନେ ଆଷାଢ଼ୀ ଵା ରହିନ୍ ଫଳ ନୂଆ ଖାଆନ୍ତି । ଏହି ଆଷାଢ଼ୀ ଵା ରହିନ୍ ଫଳ ଖାଇଵା ଦ୍ୱାରା ଵିଷାକ୍ତ ସରୀସୃପ କାମୁଡ଼ିଲେ ମଧ୍ୟ ଵିଷ କମ୍ ପରିମାଣରେ ଲାଗିଵା ସହିତ ବିଭିନ୍ନ ପ୍ରକାରର ଘା’କୁ ଶୁଖାଇ ଦେଇଥାଏ। ଏହା ଏକ ପ୍ରକାରର ରୋଗ ପ୍ରତିରୋଧକ ବୋଲି କୁଡ଼ମୀମାନେ ଵିଶ୍ୱାସ ରଖନ୍ତି। 

ତେବେ ଓଡ଼ିଶାର ଅନେକ ଅଞ୍ଚଳରେ ଆଗେ ରଜ ସଂକ୍ରାନ୍ତି ଅଵସରରେ ମାଟିଘର କାନ୍ଥରେ ଗୋଵରର ଗାର ଟଣାଯାଉଥିଲା । ଓଡ଼ିଶାଵାସୀଙ୍କ ଛଡ଼ା ଆଫ୍ରିକାର ଜନଜାତୀୟ ଲୋକମାନେ ମଧ୍ୟ ବିଚ୍ଛା ଓ ସାପଙ୍କୁ ଘରୁ ଦୂରେଇ ରଖିଵାକୁ କଞ୍ଚା ଗୋଵର ଵ୍ୟଵହାର କରନ୍ତି । କେନିଆର ଜନଜାତୀୟ ଲୋକେ ନିଜ ଘର କାନ୍ଥରେ ଗୋଵର ଲେସନ୍ତି ‌‌। ଏହା ଦ୍ଵାରା ସାପ ଘରଠାରୁ ଦୂରେଇ ରହିଵ ବୋଲି ସେମାନେ ଵିଶ୍ଵାସ କରନ୍ତି ‌। ସମ୍ଭଵତଃ କଞ୍ଚା ଗୋଵରର ଗନ୍ଧ ଯୋଗୁଁ ସାପ ଘରଠାରୁ ଦୂରେଇ ରୁହେ ବୋଲି ଲୋକେ ଜାଣିଥିଲେ ତେଣୁ ସେମାନେ ରଜ ସଂକ୍ରାନ୍ତି ଦିନ ଘର କାନ୍ଥରେ ଗୋଵରର ଗାର ଟାଣୁଥିଲେ । 
 ଉଲ୍ଲେଖଯୋଗ୍ୟ ଯେ ସାପମାନଙ୍କର ଏକ ସ୍ୱତନ୍ତ୍ର ଶକ୍ତିଶାଳୀ ଗନ୍ଧ ସମ୍ବେଦକ ଅଙ୍ଗ ଅଛି ଯାହାକୁ ଇଂରାଜୀରେ Vomeronasal organ ଵା Jacobson's organ କୁହାଯାଏ । ଏହା ସାପର ପାଟିରେ ଠିକ୍ ଉପର ଭାଗରେ ଅଵସ୍ଥିତ । ଯେତେବେଳେ ସାପ ତାର ଜିଭକୁ ବାହାର କରେ, ସେତେବେଳେ ଏହା ଵାୟୁରୁ ରାସାୟନିକ ପଦାର୍ଥ ସଂଗ୍ରହ କରେ । ତତ୍ପରେ ସାପ ଯେତେବେଳେ ଜିଭକୁ ପାଟିକୁ ଟାଣି ନେଇଥାଏ, ସେତେବେଳେ ଏହି ଗନ୍ଧ ସମ୍ବେଦକ ଅଙ୍ଗ ଵାୟୁରୁ ଗନ୍ଧକୁ ବାରି ପାରେ । 


ଗୋବରରେ ଏପରି ତୀକ୍ଷ୍ଣ ଗନ୍ଧ ଅଛି ଯାହା ସାପ ସହିପାରେ ନାହିଁ ତେଣୁ ସେ କଞ୍ଚା ଗୋଵରଠାରୁ ଦୂରେଇ ରୁହେ । ଆଗେ ପିଲାମାନଙ୍କର ନାକରୁ ହଠାତ୍ ରକ୍ତ ପଡ଼ିଲେ ଲୋକେ ପିଆଜ ଓ ପିଆଜ ନଥିଲେ ଗୋଵର ଶୁଙ୍ଘାଉଥିଲେ ଫଳତଃ ନାକରୁ ରକ୍ତ ପଡ଼ିଵା ବନ୍ଦ ହୋଇଯାଉଥିଲା । ଗୋଵରର ରାସାୟନିକ ଫର୍ମୁଲା ହେଉଛି C¹⁰H²⁰O⁶N² ଏଵଂ ଏଥିରେ କାର୍ବନ(ଅଙ୍ଗାରକ), ଅକ୍ସିଜେନ୍, ହାଇଡ୍ରୋଜେନ୍, ନାଇଟ୍ରୋଜେନ,ଫସଫରସ, ପୋଟାସିୟମ,କ୍ୟାଲସିୟମ(ଚୂନ), ମାଙ୍ଗାନିଜ,ଜିଙ୍କ୍,ମାଗ୍ନେସିଅମ୍,ଆଇରନ୍(ଲୌହ),ସିଲିକନ୍,ଗନ୍ଧକ,ଆୟୋଡିନ୍,କୋବାଲ୍ଟ ଓ ମେଲିବଡିନମ୍ ଭଳି ରସାୟନିକ ଅଛି । ଖରା ଦିନିଆ ଉଚ୍ଚ ତାପମାତ୍ରା ଯୋଗୁଁ ଗୋବରରେ ଥିଵା ନାଇଟ୍ରୋଜେନ (ଯବକ୍ଷାରଜାନ) ଓ ହାଇଡ୍ରୋଜେନ୍ (ଉଦଜାନ) ମଧ୍ୟରେ ପ୍ରତିକ୍ରିୟା ଘଟି ଆମୋନିଆ ଵାଷ୍ପ ନିର୍ଗତ ହୋଇଥାଏ । ସାପକୁ ଘରୁ ଦୂରେଇ ରଖିଵା ପାଇଁ ଆଜିକାଲି ରସାୟନ ମଧ୍ୟରେ ସର୍ଵାଧିକ ଆମୋନିଆ ହିଁ ଵ୍ୟଵହାର କରାଯାଉଛି। ଏତଦଵ୍ୟତୀତ ସଲଫର୍ ଓ ମାଗ୍ନେସିଅମ୍ ଭଳି ରସାୟନ ମଧ୍ୟ ଗୋଵରରେ ରହିଛି ଯାହାକୁ ସାପ ଘୃଣା କରେ । ସାପକୁ ଘରୁ ଦୂରେଇ ରଖିଵାକୁ ଆମୋନିଆ ଛଡ଼ା ରସୁଣ ରସ, ଏପସମ୍ ଲୁଣ(Epsom Salt),ପିପରମିଣ୍ଟ୍(ପୋଦିନା) ଓ ସିନାମୋନ୍(ଡାଲଚିନି) ତେଲ ଇତ୍ୟାଦି ଛିଞ୍ଚାଯାଏ । ଦେଵଦାରୁ ଗଛ,ଲେମ୍ବୁଗଛ,ଲେମନ୍ ଗ୍ରାସ୍,ଓ ମାରିଗୋଲ୍ଡ୍(ମଣ୍ଡାଫୁଲ) ଗଛ ଲଗାଇଲେ ମଧ୍ୟ ସାପମାନେ ଘର ପାଖକୁ ଆସନ୍ତି ନାହିଁ ‌। ରସୁଣରେ diallyl sulfide ଥାଏ ଏଵଂ ପୂର୍ଵେ କଥିତ ହୋଇଛି ଯେ ସଲଫରର ଗନ୍ଧଠାରୁ ସାପ ଦୂରେଇ ରୁହେ ‌। Epsom Salt ହେଉଛି Magnesium sulfateର ସାଧାରଣ ନାମ ଏଵଂ ସାପ ଉଭୟ ମାଗ୍ନେସିଅମ୍ ଓ ସଲଫରର ଗନ୍ଧକୁ ପସନ୍ଦ କରେ ନାହିଁ ‌। 

ଗୋଵର ଓ ଗୋମୂତ୍ରରେ ଥିଵା ସଲଫର୍ ଓ ମାଗ୍ନେସିଅମ୍ ଆଦି କେତେକ ରସାୟନ ତଥା ଏଥିରୁ ଉଚ୍ଚ ତାପମାତ୍ରାରେ ନିର୍ଗତ ହେଉଥିଵା ଆମୋନିଆ ଵାଷ୍ପର ଗନ୍ଧ ଯୋଗୁଁ ସାପମାନେ ଗାଈ ରହୁଥିଵା ସ୍ଥାନ ତଥା ଖତଗଦାକୁ ଅତି ଆଵଶ୍ୟକତା ନହେଲେ ଆସନ୍ତି ନାହିଁ। ବୋଧହୁଏ ପ୍ରାଚୀନ କାଳରେ ଆଫ୍ରିକାର କେନିଆ ଆଉ ଭାରତର ଓଡ଼ିଶାରେ ଲୋକେ ଏହିକଥା ଲକ୍ଷ୍ୟ କରିଥିଲେ ତେଣୁ ସେମାନେ ଗୋଵରକୁ ଏକ Snake Repellent ଭାବେ ଵ୍ୟଵହାର କରୁଥିଲେ । 

ତେଣୁ ହଁ ରଜ ସଂକ୍ରାନ୍ତି ଅଵସରରେ ଘର କାନ୍ଥରେ ସାପୁଆଗାର ଟାଣିଵା ଅନ୍ଧଵିଶ୍ୱାସ ନୁହେଁ ଵରଂ ଏହା ପଛରେ ଗୋଵରର ଗନ୍ଧ ଓ ସର୍ପର ଆଘ୍ରାଣ ସମ୍ବନ୍ଧୀୟ ଵୈଜ୍ଞାନିକ କାରଣ ରହିଛି । 

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...