Thursday, June 1, 2023

ନୂଆ ସଂସଦଭଵନ କାହିଁକି ମହତ୍ତ୍ୱପୂର୍ଣ୍ଣ ?

ପୁରୁଣା ସଂସଦଭଵନ ଆମେ ଭାରତୀୟମାନେ ନିର୍ମାଣ କରିନଥିଲେ ଵରଂ ସ୍ଵାଧୀନତା ପରେ ତାକୁ ଇଂରେଜମାନେ ଆମ ପାଇଁ ଛାଡ଼ି ଦେଇ ଯାଇଥିଲେ । ଆମକୁ ପରାଧୀନ କରି ରଖିଥିଲା ବେଳେ ଆମ ଇଚ୍ଛା ଵିରୋଧରେ ଆମକୁ ଖଟାଇ ତଥା ଆମ ଧନ ଵ୍ୟୟ କରି ପୁରୁଣା ସଂସଦଭଵନ ଗଢ଼ାଯାଇଥିଲା କିନ୍ତୁ ନୂଆ ସଂସଦଭଵନ ଭାରତୀୟମାନଙ୍କ ଦ୍ଵାରା, ଭାରତୀୟମାନଙ୍କ ଇଚ୍ଛାରେ ଗଢ଼ାଯାଇଛି । 
ପୁରୁଣା ସଂସଦଭଵନ ବ୍ରିଟିଶ ସ୍ଥାପତ୍ୟକାର Sir Edwin Lutyens ଓ Sir Herbert Bakerଙ୍କ ପରିକଳ୍ପନାରେ ନିର୍ମିତ ହୋଇଥିଲା । Lutyens ଥରେ କହିଥିଲେ ଯଦି ଇଂରେଜମାନେ ଭାରତକୁ ଆସିନଥାନ୍ତେ ତାହେଲେ ଭାରତର କୌଣସି ଶ୍ରେଷ୍ଠ ସ୍ଥାପତ୍ୟ ନଥାନ୍ତା । Baker ବି କହିଥିଲେ ଭାରତୀୟ ସ୍ଥାପତ୍ୟର କୌଣସି ମହତ୍ତ୍ଵ ନାହିଁ ତେଣୁ ଭାରତରେ ନିର୍ମିତ ହେଉଥିଵା ନୂତନ ସ୍ଥାପତ୍ୟ ବ୍ରିଟିଶ ସ୍ଥାପତ୍ୟ ଆଧାରରେ ହିଁ ଗଢ଼ାଯିଵା ଉଚିତ୍ । ପୁରୁଣା ସଂସଦଭଵନର Foundation stone ବି ଜଣେ ବ୍ରିଟିଶ୍ ଯୁଵରାଜ Prince Arthur(Duke of Connaught) ୧୨ ଫେବୃଆରୀ ୧୯୨୧ରେ ସ୍ଥାପନ କରିଥିଲେ । 

ନୂଆ ସଂସଦଭଵନ ଭାରତୀୟ ଵାସ୍ତୁକଳା, ସ୍ଥାପତ୍ୟ ଓ ସଂସ୍କୃତି ଆଧାରରେ ନିର୍ମିତ ହୋଇଛି ଏଵଂ ଏହାର ସ୍ଥାପତ୍ୟକାର ଵା ଵାସ୍ତୁକାର ବି ଜଣେ ଭାରତୀୟ ବିମଳ ହସମୁଖ ପଟେଲ ଅଟନ୍ତି ।‌ ସେହିପରି ନୂଆ ସଂସଦଭଵନର Foundation stone ମଧ୍ୟ ଜଣେ ଭାରତୀୟ ଭାବେ ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦିଙ୍କ ଦ୍ଵାରା ୧୦ ଡିସେମ୍ବର ୨୦୨୦ରେ ସ୍ଥାପିତ ହୋଇଥିଲା । 

ପୁରୁଣା ସଂସଦଭଵନ ଦିଲ୍ଲୀ ଭଳି ଭୂମିକମ୍ପ ସମ୍ଭାଵିତ ସ୍ଥାନରେ ଥାଇ ମଧ୍ୟ ଭୂକମ୍ପ ଜନିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ନିର୍ମିତ ହୋଇନଥିଲା । ଦିଲ୍ଲୀରେ ମଧ୍ୟମ ଓ ବଡ଼ ଧରଣର ଭୂମିକମ୍ପ ହେଲେ ଶହେ ଵର୍ଷ ତଳର ପୁରୁଣା ସଂସଦଭଵନ ଭାଙ୍ଗିଯିଵାର ସମ୍ଭାଵନାକୁ ସହଜେ ଏଡ଼ାଇ ଦିଆନଯାଇପାରେ । ୧୯୯୯ରୁ ହିଁ ପୂର୍ଵ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏହି କଥା କହି ପୁରୁଣା ସଂସଦଭଵନରେ ପ୍ରସଙ୍ଗ ଉତ୍ଥାପନ କରିଥିଲେ । ପୁଣି ପୁରୁଣା ସଂସଦଭଵନରେ ଅଗ୍ନିକାଣ୍ଡରୁ ରକ୍ଷା ପାଇଵା ପାଇଁ ଉଚିତ୍ ଅଗ୍ନି ସୁରକ୍ଷା ପ୍ରକ୍ରିୟା(Proper Fire safety Procedure)ର ଵ୍ୟଵସ୍ଥା ମଧ୍ୟ ନାହିଁ । ନୂଆ ସଂସଦଭଵନ ଭୂମିକମ୍ପ ଓ ଅଗ୍ନିକାଣ୍ଡକୁ ଧ୍ୟାନରେ ରଖି ନିର୍ମିତ ହୋଇଛି ଏଵଂ ଏହି ସଂସଦଭଵନ ଭୂମିକମ୍ପ ଓ ଅଗ୍ନିରୋଧି ସମ୍ପୂର୍ଣ୍ଣ ସ୍ଵେଦଶୀ ରାଷ୍ଟ୍ରୀୟ ଭଵନ ଅଟେ । ଅତୀତରେ ପୁରୁଣା ସଂସଦଭଵନ ଉପରେ ଆତଙ୍କଵାଦୀ ଆକ୍ରମଣ ହୋଇଥିଲା କାରଣ ପୁରୁଣା ସଂସଦଭଵନରେ ଆଧୁନିକ ଯୁଗକୁ ଦୃଷ୍ଟିରେ ରଖି ସୁରକ୍ଷା ସମ୍ବନ୍ଧୀୟ ଵ୍ୟଵସ୍ଥା ହୋଇନଥିଲା କି ତାହା ସେଭଳି ନିର୍ମିତ ହୋଇନଥିଲା । କିନ୍ତୁ ନୂତନ ସଂସଦଭଵନରେ ଭଵଷ୍ୟତର କୌଣସି ବି ଆତଙ୍କଵାଦୀ ଵା ଯୁଦ୍ଧ ସମ୍ବନ୍ଧୀୟ ଆକ୍ରମଣକୁ ଧ୍ୟାନରେ ରଖି ନିର୍ମିତ ହୋଇଛି। ଏଥିରେ ଅଧିକ ଉନ୍ନତ ସାଂସଦ ସୁରକ୍ଷା ପ୍ରକୋଷ୍ଠ,Z ଓ Z Plus ସୁରକ୍ଷା କର୍ମୀ ଓ ସେମାନଙ୍କର ସ୍ଵତନ୍ତ୍ର ପ୍ରକୋଷ୍ଠ ରହିଛି ।‌ସମ୍ପୂର୍ଣ୍ଣ ସଂସଦଭଵନକୁ ଆଧୁନିକ ନିରୀକ୍ଷଣ ଯନ୍ତ୍ର ସାହାଯ୍ୟରେ ୨୪×୭ ନିୟନ୍ତ୍ରଣ କରାଯାଉଛି । ପୁରୁଣା ସଂସଦଭଵନ ନୂତନ ଯୁଗକୁ ଧ୍ୟାନରେ ରଖି ନିର୍ମିତ ହୋଇନଥିଲା 
। ୧୯୨୧ରୁ ୨୦୨୩ର ସମୟକାଳ ମଧ୍ୟରେ ପୃଥିଵୀର ମାନଵସମାଜ ଓ ଏହାର ଆଵଶ୍ୟକତାରେ ଅନେକ ପରିଵର୍ତ୍ତନ ହୋଇଯାଇଛି । ଆଧୁନିକ ଯୁଗରେ ସେହିସବୁ ଆଵଶ୍ୟକତାକୁ ଵିଚାର କରି ନୂତନ ସଂସଦଭଵନ ଗଢ଼ା ଯାଇଛି ଏଵଂ ଏକ ପରିଵେଶ ଅନୁକୂଳ ସବୁଜ ଭଵନ ଅଟଇ । ନୂଆ ସଂସଦଭଵନରେ ଅନେକ ଵୃକ୍ଷ ଵିଶେଷତଃ ବରଗଛ ଲଗାଯାଇଛି । ନୂତନ ସଂସଦଭଵନ ପରିସରରେ ଭାରତୀୟ ଵୃକ୍ଷରୋପଣ ସମ୍ପୂର୍ଣ୍ଣ ପରିଵେଶ ଅନୁକୂଳ ଏଵଂ ସ୍ବାସ୍ଥ୍ୟବର୍ଦ୍ଧକ । ପୁଣି ପୁରୁଣା ସଂସଦଭଵନ ଅପେକ୍ଷା ନୂତନ ସଂସଦଭଵନରେ ଏଭଳି ଵ୍ୟଵସ୍ଥା କରାଯାଇଛି ଯଦ୍ୱାରା ୩୦% କମ୍ ବିଜୁଳି ଵ୍ୟୟ ହେଵ । 

ଵର୍ତ୍ତମାନ ରାଜ୍ୟସଭା ଓ ଲୋକସଭାରେ ସାଂସଦମାନଙ୍କର ସଂଖ୍ୟା(ରାଜ୍ୟସଭା—୨୪୫ ଓ ଲୋକସଭା—୫୪୩) ୧୯୭୧ର ଜନସଂଖ୍ୟା ଆଧାରିତ । ୧୯୭୧ରେ ଭାରତର ଜନସଂଖ୍ୟା ଥିଲା ୩୭୬ ନିୟୁତ ଏଵଂ ଵର୍ତ୍ତମାନ ଭାରତର ଜନସଂଖ୍ୟା ୧୩୯୩ ନିୟୁତ ହୋଇସାରିଛି । ତେଣୁ ଜନସଂଖ୍ୟା ଆଧାରରେ ସାଂସଦମାନଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଵା କଥା । ନୂଆ ସଂସଦଭଵନ ଏହାକୁ ଧ୍ୟାନରେ ରଖି ନିର୍ମିତ ହୋଇଛି । ପୁରୁଣା ସଂସଦଭଵନ ଅପେକ୍ଷା ନୂତନ ସଂସଦଭଵନର ଲୋକସଭା ଗୃହରେ ୮୮୮ଟି ଆସନ ଏଵଂ ରାଜ୍ୟସଭା ଗୃହରେ ୩୮୪ଟି ଆସନ ରଖାଯାଇଛି । ସଂଯୁକ୍ତ ଅଧିଵେଶନ ସମୟରେ ୧୨୭୨ଟି ଆସନ ହୋଇପାରିଵାର ଵ୍ୟଵସ୍ଥା ମଧ୍ୟ ନଵ ସଂସଦଭଵନରେ କରାଯାଇଛି । 
ପୁରୁଣା ସଂସଦଭଵନ ଅପେକ୍ଷା ନୂତନ ସଂସଦଭଵନରେ ଆଧୁନିକ ଵୈଷୟିକ ଯନ୍ତ୍ରର ସୁଵିଧା ବଢ଼ିଯାଇଛି ଏଵଂ ସାଂସଦ କାର୍ଯ୍ୟାଳୟ ଅତ୍ୟାଧୁନିକ ଯନ୍ତ୍ରାଦି ସୁଵିଧାରେ ପରିପୂର୍ଣ୍ଣ ହୋଇଅଛି ‌। 

ନୂଆ ସଂସଦଭଵନ ନୂତନ ଯୁଗକୁ ଧ୍ୟାନରେ ରଖି ନିର୍ମିତ ହୋଇଛି ପୁଣି ଏହି ସଂସଦଭଵନରେ ଭାରତର ପ୍ରାଚୀନ ସଂସ୍କୃତିକୁ ମଧ୍ୟ ଚିତ୍ର ଓ ସ୍ଥାପତ୍ୟ ଦ୍ଵାରା ପରିଭାଷିତ କରାଯାଇଛି । କୋଣାର୍କ ସୂର୍ଯ୍ୟଘଡ଼ି ଚକ୍ର, ଅଖଣ୍ଡ ଭାରତଵର୍ଷର ମାନଚିତ୍ର, ବ୍ରାହ୍ମୀଲିପିରେ ଭାରତୀୟ ପ୍ରାଚୀନ ଗାଥାର ଵର୍ଣ୍ଣନା ଏଵଂ ଭାରତର ପ୍ରାଚୀନ ଗାଥା ଓ ଇତିହାସ ସମ୍ବନ୍ଧିତ ଦେଶୀୟ ଚିତ୍ରକଳା ଏହି ସଂସଦଭଵନର ଶୋଭା ବୃଦ୍ଧି କରୁଅଛି । ଲୋକସଭାରେ ଜାତୀୟ ପକ୍ଷୀ ମୟୂର, ଜାତୀୟ ପୁଷ୍ପ ପଦ୍ମ ଓ ଜାତୀୟ ଵୃକ୍ଷ ବରଗଛକୁ ପ୍ରତୀକାତ୍ମକ ରୂପେ ଯୋଡ଼ାଯାଇଛି । ନୂତନ ସଂସଦଭଵନର ଉର୍ଦ୍ଧ୍ବ ଭାଗରେ ଜାତୀୟ ପ୍ରତୀକ ରୂପେ ଚାରିଗୋଟି ସିଂହଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ତେବେ ନୂଆ ସଂସଦଭଵନରେ ଗୋଟିଏ ଦୁଇଟି ନୁହେଁ ଵରଂ ଭାରତୀୟ ସଂସ୍କୃତିକୁ ଉଦ୍ଭାସିତ କଲା ଭଳି ୫୦୦୮ଗୋଟି ସାଂସ୍କୃତିକ ଚିତ୍ର, ୫୦୦୦ ଵର୍ଷର ଐତିହାସିକ ତଥ୍ୟ ଓ ପ୍ରାଚୀନ ସାପତ୍ୟକଳାର ନମୁନା ସ୍ଥାନ ପାଇଛି ଏଵଂ ଏସବୁ ଆମ ଭାରତର ସଂସ୍କୃତିକୁ ସ୍ପଷ୍ଟ ଭାବରେ ପ୍ରକାଶ କରୁଛି । ପୁରୁଣା ସଂସଦଭଵନରେ ପ୍ରାଚୀନ ଭାରତର ଉତ୍କର୍ଷ କଳା ଓ ସଂସ୍କୃତିର ଏଭଳି ପରିପ୍ରକାଶ ନଥିଲା । 

ନୂତନ ସଂସଦଭଵନକୁ ଭାରତୀୟ ଵାସ୍ତୁକଳା ଆଧାରରେ ଠିକ୍ ଏକ ମନ୍ଦିର ଭଳି ନିର୍ମାଣ କରାଯାଇଛି । ଯେମିତି ମନ୍ଦିରର ପ୍ରତ୍ୟେକ ଦ୍ଵାରର ସମ୍ମୁଖରେ ଗୋଟିଏ ଗୋଟିଏ ଜୀଵର ଦୁଇଗୋଟି ପ୍ରତିମୂର୍ତ୍ତି ରହିଥାଏ ଠିକ୍ ସେହିପରି ନୂତନ ସଂସଦଭଵନର ଛଅଗୋଟି ଦ୍ଵାରରେ ପ୍ରତିମୂର୍ତ୍ତି ସ୍ଥାପିତ କରାଯାଇଛି ।‌ ନୂଆ ସଂସଦଭଵନର ଉତ୍ତର ଦ୍ଵାରରେ ଗଜକୁ ଦ୍ଵାରପାଳ ଭାବେ ରଖାଯାଇଛି ଏଵଂ ଏହା ଜ୍ଞାନ,ବୁଦ୍ଧି,ସ୍ଵାସ୍ଥ୍ୟ ଓ ସ୍ମୃତିକୁ ସୂଚିତ କରୁଛି । ଦକ୍ଷିଣ ଦ୍ଵାରରେ ଅଶ୍ଵକୁ ରଖାଯାଇଛି ଏଵଂ ଏହା ଧୈର୍ଯ୍ୟ,ବଳ, ଶକ୍ତି ଓ ଗତିକୁ ଦର୍ଶାଉଛି । ପୂର୍ଵ ଦ୍ଵାରରେ ଗରୁଡ଼କୁ ସ୍ଥାପିତ କରାଯାଇଛି ଏଵଂ ଏହା ଭାରତୀୟମାନଙ୍କର ଉଚ୍ଚ ଆକାଂକ୍ଷାକୁ ପ୍ରକାଶ କରୁଛି । ଉତ୍ତର ପୂର୍ଵ ଦ୍ଵାରରେ ହଂସକୁ ସ୍ଥାପନ କରାଯାଇଛି ଏଵଂ ଏହା ପାଣ୍ଡିତ୍ୟ ଓ ପ୍ରଜ୍ଞତାକୁ ପ୍ରକାଶ କରୁଛି ।‌ ଅନ୍ୟ ଏକ ଦ୍ଵାରରେ ଭାରତର ଅନେକତା ମଧ୍ୟରେ ଏକତାକୁ ଦର୍ଶାଇଵା ହେତୁ ମକରକୁ ସ୍ଥାପନ ଯାଇଛି । ଆଉ ଏକ ଦ୍ଵାରରେ ଶାର୍ଦ୍ଦୂଳ ଵା ବାଘକୁ ସ୍ଥାପନ କରାଯାଇଛି ଏଵଂ ଏହା ଭାରତୀୟମାନଙ୍କର କ୍ରମଶଃ ବୃଦ୍ଧି ପାଉଥିଵା ଶକ୍ତି ଓ ସାମର୍ଥ୍ୟକୁ ପରିପ୍ରକାଶ କରୁଛି‌ । ଏତଦଵ୍ୟତୀତ ନୂତନ ସଂସଦଭଵନରେ ରାଜଦଣ୍ଡ Sengol , ଭାରତୀୟ ଜନତାଙ୍କର ପସନ୍ଦର ପ୍ରତୀକଭାବେ ସ୍ଥାପନ କରାଯାଇଛି । ଭାରତର ସ୍ଵାଧୀନତା ସହିତ Sengol ଵା ରାଜଦଣ୍ଡର ଏକ ଗୁରୁତ୍ବପୂର୍ଣ୍ଣ ସମ୍ପର୍କ ଅଛି ।‌ ଯେତେବେଳେ ଭାରତକୁ ସ୍ଵାଧୀନ କରିଵାକୁ ଇଂରେଜମାନେ ନିଷ୍ପତ୍ତି ନେଲେ ସେତେବେଳେ ଲର୍ଡ ମାଉଣ୍ଟ ବ୍ୟାଟନ ପୂର୍ଵପ୍ରଧାନମନ୍ତ୍ରୀ ଶ୍ରୀଜବାହରଲାଲ ନେହେରୁଙ୍କୁ ପଚାରିଲେ କ'ଣ ଆପଣ ଏହି ସ୍ଵାଧୀନତାକୁ ପରିପ୍ରକାଶ କଲା ଭଳି କୌଣସି ପ୍ରତୀକ ଚାହୁଁଛନ୍ତି କି ? ଶ୍ରୀ ନେହୁରୁ ଏ ଵିଷୟରେ କିଛି ଦିନ ଵିଚାର କରିଵାକୁ ସମୟ ମାଗି ଶ୍ରୀ ସି ରାଜଗୋପାଳଚାରୀଙ୍କର ସାହାଯ୍ୟ ଲୋଡ଼ିଲେ । କିଛି ଦିନ ପରେ ଶ୍ରୀ ରାଜଗୋପାଳାଚାରୀ ଗଵେଷଣା କରି ଜଣାଇଲେ ଯେ ଚୋଳ ରାଜ୍ୟର ରାଜଦଣ୍ଡ sengolକୁ ସ୍ଵାଧୀନତାର ଚିହ୍ନ ସ୍ଵରୂପ ଗୃହୀତ କରାଯାଉ ।‌ ଭାରତରେ ପୂର୍ଵେ ରାଜଦଣ୍ଡ ଓ Sengol ଆଦିକୁ ସତ୍ତା ହସ୍ତାନ୍ତରଣର ପ୍ରତୀକ ରୂପେ ଵ୍ୟଵହାର କରାଯାଉଥିଲା । ଫଳତଃ ଇଂରେଜମାନେ Transfer of Powerର ପ୍ରତୀକ ଭାବରେ ନେହେରୁଙ୍କୁ ଭାରତର ସ୍ଵାଧୀନତା ସମୟରେ ଏହି ରାଜଦଣ୍ଡ Sengol ପ୍ରଦାନ କରିଥିଲେ । ଦୁର୍ଭାଗ୍ୟକୁ ଭାରତ ସ୍ଵାଧିନ ହେଵା ସହିତ ଏହି ରାଜଦଣ୍ଡକୁ ଲୋକେ ଭୁଲିଗଲେ ଏଵଂ ଏହାକୁ ଏକ ସଂଗ୍ରହାଳୟରେ ସଜାଇ ରଖିଦିଆଗଲା । ପୁଣି ଯେଉଁ ସଂଗ୍ରହାଳୟରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା ସେଠାରେ ଏହାକୁ Transfer of Powerର ପ୍ରତୀକ ବୋଲି ନକୁହା ଯାଇ ନେହେରୁଙ୍କ Working stick ଵା ଆଶାବାଡ଼ି ପରି ଉଲ୍ଲେଖ କରାଯାଉଥିଲା । ଉକ୍ତ ସଂଗ୍ରହାଳୟରେ Sengol ତଳେ ହିନ୍ଦୀ ଓ 
ଇଂରାଜୀରେ ନେହୁରୁଙ୍କୁ ଭେଟି ଦିଆଯାଇଥିଵା ସ୍ଵର୍ଣ୍ଣଦଣ୍ଡ ଏହିପରି ଲେଖା ଯାଇଥିଲା । ଏଇଟା ଠିକ୍ ଆମେରକୀୟ ସ୍ଵାଧୀନତାର ଘୋଷଣାନାମାକୁ ସଂଗ୍ରହାଳୟରେ ରଖି ଜର୍ଜ ୱାସିଙ୍ଗଟନଙ୍କ ଗାମୁଛା କହିଲା ଭଳିଆ କଥା । ନୂଆ ସଂସଦଭଵନରେ ଚାଣକ୍ୟ, ମହାତ୍ମାଗାନ୍ଧୀ,ସରଦାର ବଲ୍ଲଭଭାଇ ପଟେଲ ଓ ଭୀମରାଓ ଆମ୍ବେଦକରଙ୍କର ଗ୍ରାନାଇଟ୍ ପ୍ରତିମୂର୍ତ୍ତି ବି ସ୍ଥାପିତ କରାଯାଇଛି । 

ଏବେ ସାଧାରଣ ଜନତା ମଧ୍ୟ ଏକ ନିର୍ଦ୍ଦିଷ୍ଟ ପ୍ରଵେଶ ପ୍ରଣାଳୀ ଦ୍ଵାରା ଯାଇ ସଂସଦଭଵନର କାର୍ଯ୍ୟ ଦେଖିପାରିବେ । ଏଥିପାଇଁ ନୂତନ ସଂସଦଭଵନରେ ସ୍ଵତନ୍ତ୍ର ଦର୍ଶକ ଦୀର୍ଘାର ଵ୍ୟଵସ୍ଥା କରାଯାଇଛି । ସବୁଠାରୁ ବଡ଼ କଥା ହେଲା ନୂତନ ସଂସଦଭଵନରେ ଗୃହମୁଖ୍ୟଙ୍କ ଆସନକୁ ଏଭଳି ନିର୍ମିତ କରାଯାଇଛି ଯେ ତା ଆଗରେ ଆଉ ଵିରୋଧୀ ଦଳ ସହଜରେ ଵିରୋଧ ପ୍ରଦର୍ଶନ କରିପାରିବେ ନାହିଁ ।‌ ନୂଆ ସଂସଦଭଵନରେ କାର୍ଯ୍ୟ ଆରମ୍ଭ ସହିତ ପୁରୁଣା ସଂସଦଭଵନକୁ ଲୋକତନ୍ତ୍ରର ସଂଗ୍ରହାଳୟ କରି ଦିଆଯିଵ ବୋଲି କେନ୍ଦ୍ର ସରକାର ପକ୍ଷରୁ ଜଣାଇ ଦିଆଯାଇଛି। ନୂଆ ସଂସଦଭଵନର ଗୁଣ ଅନେକ ଏଵଂ ଏହାକୁ ରାଜନୀତିଠାରୁ ଉପରକୁ ଉଠି ଏକ ସ୍ଵାଭିମାନୀ ଭାରତୀୟର ଦୃଷ୍ଟିକୋଣରୁ ଦେଖାଯିଵା ଆଵଶ୍ୟକ । କେଵଳ ଵିରୋଧ କରିଵା ହିଁ ଧର୍ମ ବୋଲି ସବୁକାର୍ଯ୍ୟର‌ ଵିରୁଦ୍ଧାଚରଣ ଠିକ୍ ନୁହେଁ । 

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...