Thursday, November 30, 2023

ଜଳଖିଆ କିପରି ଏକ ଉପଯୁକ୍ତ ଶବ୍ଦ ?


ସାଧାରଣ ମଣିଷଙ୍କ ଅଳ୍ପ ଆହାରଯୁକ୍ତ 'ଲଘୁଭୋଜନ'କୁ ଓଡ଼ିଶାରେ ଜଳଖିଆ, ଜଳପାନ,ଜଳଯୋଗ,ପାଣିପିଆ,ପାଣିପଣା,ଭୁଜା ଵା ଭୋଜା,ଭୁଜାଖିଆ,ଭୁଜାଭୁଜି,ଭୁରିଭୁଜା,ଭୁରୁଭୁଜା ଓ କଲ୍ୟଵର୍ତ୍ତ ଆଦି କୁହନ୍ତି। ଯେଉଁ ଜଳଖିଆ ଘରେ ଵା ଜେମନାଳୟ(ହୋଟେଲ)ରେ ନଖାଇ ଲୋକେ ତାକୁ ପତ୍ରାଦିରେ ବାନ୍ଧି ଅନ୍ୟତ୍ର ନେଇ ଖାଉଥିଲେ ସେହି ଜାତୀୟ ଜଳଖିଆ ଦ୍ରଵ୍ୟକୁ ଆଗେ 'ଛନ୍ଦା' କୁହାଯାଉଥିଲା ବୋଲି ଭାଷାକୋଷରେ ଉଲ୍ଲେଖ ଅଛି ।‌ ପୁଣି ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଆଗେ ସିଂହଭୂମି ଓଡ଼ିଆରେ ଜଳଖିଆକୁ ପାଣିଖିଆ ମଧ୍ୟ କୁହାଯାଉଥିଲା । ଆଜିକାଲି ଏ ପାଣିଖିଆ ଶବ୍ଦର ପ୍ରୟୋଗ ଉତ୍ତର ଓଡ଼ିଶାରେ କମିଗଲାଣି ତେବେ କର୍ପୂର ଉଡ଼ିଯାଇ ବାସ ରହିଯିଵା ଭଳି "ବାଘ ପାଣି ଖାଏ ଚାକୁଲ ଚାକୁଲ ଭାଲୁ ପାଣିଖାଏ ଚାକୁଲ..." ଆଦି ଲୋକଗୀତ ମଧ୍ୟରେ ତାହା ବଞ୍ଚି ରହିଛି । ଓଡ଼ିଶାର ଦକ୍ଷିଣ ପଶ୍ଚିମ ଭାଗର କେତେକ ଅଞ୍ଚଳରେ ସକାଳଓଳି ଶ୍ରମିକମାନେ ଵା କୃଷକମାନେ ବିଲରେ ଖାଉଥିଵା ବାସିପଖାଳକୁ ଡିବିଭାତ କୁହାଯାଏ । ସେହିପରି କଳାହାଣ୍ଡି ଜିଲ୍ଲାରେ ସକାଳ ଜଳଖିଆ ସମୟରେ ଶିଶୁମାନଙ୍କୁ ଛୋଟ ପାତ୍ରରେ ଖୁଆ ଯାଉଥିଵା ସଜଭାତକୁ ଡିବିଖିଆ କୁହାଯାଇଥାଏ ।

ମୟୂରଭଞ୍ଜ,ବାଲେଶ୍ବର, ସିଂହଭୂମି ଓ ଷଡ଼ୈକଳା ଖରସୁଆଁର ଓଡ଼ିଆମାନେ ସକାଳ ହେଲେ ଭୁଜା ଲୋଡ଼ନ୍ତି। ବାଲେଶ୍ଵର ମୟୂରଭଞ୍ଜ ଜିଲ୍ଲାର ପ୍ରତି ଜଳଖିଆ ଦୋକାନରେ ଭୁଜା/ମୁଢି଼-ତୁଣ ମିଳେ । ମାଉଁସମୁଢ଼ି ପାଇଁ ସେହିପରି ଆମ ଉତ୍ତର ଓଡ଼ିଶା ଜଣାଶୁଣା । ବାଲେଶ୍ବରର ପ୍ରତ୍ୟେକ ଗ୍ରାମାଞ୍ଚଳରେ ସକାଳ ଓ ସନ୍ଧ୍ୟାରେ ଲୋକମାନେ ଭୁଜାତୁଣ ଖାଇଥାନ୍ତି । ଭୁଜାର ଏମିତି ମୋହ ଯେ ବାଲେଶ୍ବରର ଗ୍ରାମାଞ୍ଚଳର ଅନେକ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଲାଭ ପାଇଁ ଅନ୍ୟ ସହରକୁ ଗଲାବେଳେ ସାଥିରେ ଭୁଜା ବସ୍ତାଟିଏ ନେବାକୁ ଭୁଲନ୍ତି ନାହିଁ । ଅଵଶ୍ୟ ଏ ପରମ୍ପରା ନଵ୍ୟ ଶିକ୍ଷିତ ଵର୍ଗଙ୍କ କ୍ଷେତ୍ରରେ କମି କମି ଗଲାଣି । ତଥାପି ପ୍ରଵାସୀ ଶ୍ରମିକମାନଙ୍କ ମଧ୍ୟରେ ଆଜି ବି ଅନେକ ନିଜ ସହିତ ଭୁଜାବସ୍ତାଟେ ନେଇ ଯାଆନ୍ତି ।
ଢେଙ୍କାନାଳ ସମ୍ବଲପୁର ଆଦି ଗଡ଼ଜାତ ଅଞ୍ଚଳରେ ଚ଼ା ସହିତ ମୁଢ଼ି ଖାଆନ୍ତି, ସମ୍ବଲପୁରରେ ଆଳୁମୁଢି଼ ଏକ ଜାତୀୟ ଜଳଖିଆ ମଧ୍ୟ ମିଳେ ‌। ସେଥିପାଇଁ ଗଡ଼ଜାତରେ ଜଳଖିଆକୁ କେବଳ 'ଭୁଜା' ବି କୁହାଯାଏ । ଓଡ଼ିଶାରେ ଲଘୁଭୋଜନ ରୂପେ ଭୁଜାଖିଆ ପରମ୍ପରାକୁ ନେଇ ତେଣୁ ଜଳଖିଆ ଅର୍ଥରେ ଭୁଜା,ଭୋଜା,ଭୁଜାଖିଆ,ଭୁଜାଭୁଜି,ଭୁରିଭୁଜା ଓ ଭୁରୁଭୁଜା ଆଦି ଶବ୍ଦ ସୃଷ୍ଟି ହୋଇଛି । 

ଆମ ଓଡ଼ିଶାରେ କେତେକ ନିର୍ଦ୍ଦିଷ୍ଟ ଦିନରେ ଵିଶିଷ୍ଟ ପ୍ରକାରର ଜଳଖିଆ ଦିଆଯାଏ ଏଵଂ ତହିଁର ସ୍ଵତନ୍ତ୍ର ନାମକରଣ ମଧ୍ୟ କରାଯାଇଛି । ଏକୋଇଶିଆ ଦିନ ପିଲାମାନଙ୍କୁ ଦିଆଯିଵା ଲଘୁ ଭୋଜନକୁ ବାଳଭୋଗ କୁହନ୍ତି । ଆଗେ ଏକୋଇଶିଆ ଦିନ ଉଖୁଡ଼ାଭୋଗ କରାଯାଉଥିଲା ଏଵଂ ପିଲାମାନେ ତାହା ଭକ୍ଷଣ କରୁଥିଲେ ଆଜିକାଲି ଓଡ଼ିଶାର ଲୋକେ ସମ୍ପନ୍ନ ହେଲେଣି ତେଣୁ ଉଖୁଡା଼ ପରିଵର୍ତ୍ତେ ନାନା ଦରଵ ପରଶୁଛନ୍ତି । 

ଅନ୍ତ୍ୟେଷ୍ଟିକ୍ରିୟା ଉପଲକ୍ଷେ ମୃତ୍ୟୁର ୪ର୍ଥ, ୭ମ, ୯ମ ଓ ୧୦ମ ଦିନ ସମଵେତ କୁଟୁମ୍ବ ବନ୍ଧୁ ଓ ବ୍ରାହ୍ମଣମାନଙ୍କୁ ଖାଇଵାକୁ ଦିଆଯିଵା ଚୁଡ଼ାଚକଟା, ମିଠେଇ,କଦଳୀ ଓ ରସଗୋଲା ଆଦି ଜଳଖିଆ ସାମଗ୍ରୀକୁ ଓଡ଼ିଶାର ଵିଭିନ୍ନ ଅଞ୍ଚଳରେ ମଲାପଣା,ମାଲପଣା,ଶୀତଳ,
ସପତମ ଶୀତଳ,ନଵମ ଶୀତଳ ଓ ନଅଖାଇ ପଣା ଆଦି କୁହାଯାଏ। 

ମାତ୍ର ଉତ୍କଳର ରାଜା ଓ ପୁରୀଠାକୁରଙ୍କ ଜଳଖିଆକୁ ଶୀତଳ ଠା,ଶୀତଳ ଉପହାର ଓ ଶୀତଳ ମୁଣୋହି କହିଥାନ୍ତି ।‌ "ଶୀତଳ ଉପହାର" ଶବ୍ଦର ପ୍ରୟୋଗ ଭୂପତି ରାୟଙ୍କ ପ୍ରେମ ପଞ୍ଚାମୃତରେ ଜଳଖିଆ ଅର୍ଥରେ ପ୍ରୟୋଗ କରାଯାଇଛି

“ଶୀତଳ ଉପହାର ଦେଇ,
ଅମୃତ ଭୋଜନ କରାଇ ଭୂପତି”

ଵିଶେଷତଃ ରାଜା ଓ ପୁରୀଠାକୁରଙ୍କ ଜଳଖିଆକୁ ଶୀତଳ ମୁଣୋହି ଵା ଶୀତଳ ମଣୋହିଁ କୁହାଯାଏ । ଜଗନ୍ନାଥ ଦାସଙ୍କ ଭାଗଵତରେ ଏହାର ପ୍ରୟୋଗ ଦେଖିଵାକୁ ମିଳିଥାଏ । 

“ଶୀତଳ ମଣୋହି ସାରିଲା,
ସୁଖେ ପଲଙ୍କେ ବିଜେ କଲା।”

ଶ୍ରୀଜଗନ୍ନାଥଙ୍କ ଜଳଖିଆକୁ ଶୀତଳ ଭୋଗ,ଶୀତଳ ସଞ୍ଚା ଓ ଶୀତଳ ସାମଗ୍ରୀ ଆଦି ମଧ୍ୟ କୁହନ୍ତି । ଏହା ଠାକୁରମାନଙ୍କର ଅଳ୍ପ ଆହାରଯୁକ୍ତ ଜଳଖିଆ ଦ୍ରଵ୍ୟ ଵା ଶ୍ରୀମନ୍ଦିରର ନିସଙ୍ଖୁଡ଼ି ଅରନ୍ଧା
ଫଳଭୋଗ । ଯଥା- ଖଇ, କୋରା, କଦଳୀ,ପଇଡ଼, ଲଡୁ । ଏହି ଭୋଗ ନନ୍ଦଉତ୍ସଵ,ଶ୍ରୀକୃଷ୍ଣ ଲୀଳା, ଭାଦ୍ରଵ କୃଷ୍ଣ ନଵମୀ, ଜନ୍ମାଷ୍ଟମୀ, ଦିନଗୁଡ଼ିକରେ ଠାକୁରଙ୍କୁ ଲାଗି ହୁଏ । ତେଣୁ ଜଳଖିଆ ଓଡ଼ିଆମାନଙ୍କ ପାଇଁ କିଛି ନୂଆ କଥା ନୁହେଁ। ବହୁ ପ୍ରାଚୀନ କାଳରୁ ଓଡ଼ିଶାର ଲୋକେ ଜଳଖିଆ କରୁଥିଲେ ଅତଃ ଆମର ଜଳଖିଆ ପାଇଁ ଅନେକ ପ୍ରତିଶବ୍ଦ ଅଛି ପୁଣି ସାଂସ୍କୃତିକ ଶବ୍ଦ ମଧ୍ୟ ରହିଛି । କିନ୍ତୁ ଆଧୁନିକ ଯୁଗରେ କାହିଁକି କେଜାଣି କିଛି ତଥାକଥିତ ସମାଜଵାଦୀ ମାନଵଵାଦୀ ମେଣ୍ଢାମାନେ ଇଂରେଜ ଓ ପଠାଣମାନଙ୍କୁ ମାତ୍ରାଧିକ ସ୍ନେହ ପ୍ରଦର୍ଶନପୂର୍ଵକ Tiffin ଓ ନାସ୍ତା ଶବ୍ଦ ଵ୍ୟଵହାର କରିଵାକୁ ଭଲ ପାଉଛନ୍ତି ଓ ଭାଷା ସମୃଦ୍ଧ କରୁଛନ୍ତି ତାହାର କାରଣ ସେମାନେ ହିଁ ଜାଣିଥିବେ । ଜଳଖିଆ ଶବ୍ଦ କିଛି ଅତି ଇଂରାଜୀପଢ଼ୁଆ ଲୋକଙ୍କୁ ଗନ୍ଧାଉଛି ସେମାନେ ଯୁକ୍ତି କରନ୍ତି ଜଳକୁ ଖାଇଵ କେମିତି ତେଣୁ ଏ ଜଳଖିଆ ଶବ୍ଦଟି ଗୋଟିଏ ଭୁଲ୍ ଶବ୍ଦ । ପୁଣି ସେମାନେ କୁହନ୍ତି ବଙ୍ଗାଳୀରେ ବି "ଜଲ୍ ଖାବାର୍" ଅଛି ତେଣୁ ଓଡ଼ିଆମାନେ ତାକୁ ଅନୁକରଣ କରି ଜଳଖିଆ ଶବ୍ଦ କହୁଛନ୍ତି । 


ତେବେ ପ୍ରକୃତରେ ଜଳ ପାନ ସହ ଅଳ୍ପ ଖାଦ୍ୟ ଗ୍ରହଣକୁ ଜଳଖିଆ କୁହାଯାଏ । ଜଳ ସହିତ ଖିଆ ଯାଏ ବୋଲି ଜଳଖିଆ । ଏହା ବଙ୍ଗଳା ପ୍ରଭାଵ କାହିଁକି ହେଵ ? ଆମର କ'ଣ ଜଳ ଓ ଖିଆ ନାହିଁ ନା ଖିଆ ଶବ୍ଦ ଲାଗି ଆଉ ଅନ୍ୟ ଓଡ଼ିଆ ଶବ୍ଦ ନାହିଁ ନା ଜଗନ୍ନାଥ ଓ ରାଜାଙ୍କ ଜଳଖିଆକୁ ଶୀତଳ ମଣୋହିଁ କୁହାଯାଉନାହିଁ ? ରାଜା ଓ ଦେଵତା ଆଦିଙ୍କ ଭୋଜନକ୍ରିୟାକୁ 
ମୁଣୋହିଁ ଓ ମଣୋହି କୁହାଯାଏ ଏଵଂ ଏହା ଏକ ପ୍ରାଚୀନ ମୌଳିକ ଓଡ଼ିଆ ଶବ୍ଦ । ତା ସହିତ ଯୁକ୍ତ ହୋଇଛି ଶୀତଳ ଶବ୍ଦ । ଦଶଦିନ ଵ୍ୟାପି ଅନ୍ତ୍ୟେଷ୍ଟି ସମୟରେ ଦିଆଯିଵା ଜଳଖିଆକୁ ବି ଶୀତଳ କୁହନ୍ତି । ଏହି ଶୀତଳ ଆଉ କିଛି ନୁହେଁ ଅଳ୍ପ ଖାଦ୍ୟ ସହିତ ଦିଆଯିଵା ଜଳକୁ ବୁଝେଇଵାକୁ ଵ୍ୟଵହୃତ ହୋଇଥିଵା ଶବ୍ଦ। ଜଳ ଶୀତଳ ଏଵଂ ମିଠା ଵା ଲୁଣିଆ ମିଷ୍ଟାନ୍ନ ତଥା ପିଠା ଖାଇଵା ପରେ ସାମାନ୍ୟ ଶୀତଳ ଜଳ ପାନ କରିଵାର ପରମ୍ପରା ବହୁ ପୁରୁଣା । ଆଗେ ଶୋଷ କଲେ ସାମାନ୍ୟ ଟିକିଏ ଲଘୁ ଖାଦ୍ୟ ଖାଇ ତା ଉପରେ ଜଳପାନ କରିବାର ବିଧି ଥିଲା । ଆଗ କାଳରେ ଖାଲି ପେଟରେ ପାଣି ପିଇଵାକୁ ବାରଣ ଥିଲା l ଅଳ୍ପ କିଛି ଖାଦ୍ୟ ଖାଇଵା ପରେ ଜଳ ପିଆ ଯାଉଥିଲା l ସାମାନ୍ୟ ଖାଦ୍ୟ ଖାଇ ଜଳ ପିଆ ଯାଉଥିଲା ତେଣୁ ଜଳ ସହିତ ବରା, ରସଗୋଲା ଖିଆଯାଉଥିଵାରୁ ତାକୁ ଜଳଖିଆ କୁହାଗଲା । ଏ ପରମ୍ପରା ସାରା ଭାରତରେ ଥିଲା ତେଣୁ ସଂସ୍କୃତ ଭାଷାରେ ଜଳଯୋଗ କୁହାଗଲା ଓଡ଼ିଆରେ ଜଳଖିଆ କୁହାଗଲା । ତେଣୁ ଓଡ଼ିଆ ଭାଷାରେ ଜଳଖିଆ ଶବ୍ଦର ଵ୍ୟଵହାର ବଙ୍ଗଳାର ପ୍ରଭାବ ତ ନୁହେଁ କିନ୍ତୁ କିଛି ଓଡ଼ିଆ ଲୋକଙ୍କ ଵିକୃତ ମସ୍ତିଷ୍କ ଯୋଗୁଁ ସେମାନଙ୍କୁ ଓଡ଼ିଆ ଶବ୍ଦ ଶବ୍ଦ ସବୁ ହିନ୍ଦୀ ବଙ୍ଗାଳୀରୁ ଆସିଥିଵା ଅନୁଭୁତ ହୁଏ । 

ତାଛଡ଼ା ଯୋଉ ଇଂରାଜୀ ପେଣ୍ଡୁଳିଙ୍କ ଅନୁସାରେ ଜଳ ଶବ୍ଦ ସହିତ ଖିଆ ଶବ୍ଦ ଥିଵାରୁ ଜଳଖିଆ ଶବ୍ଦ ତାଙ୍କ ପାଇଁ ଅଶୁଦ୍ଧ ସେମାନେ ତେବେ କୋଉ ଆଧାରରେ ଇଂରାଜୀ ଭାଷାର ଟିଫିନ୍ ଶବ୍ଦକୁ ଲଘୁଖାଦ୍ୟ ଅର୍ଥରେ ଵ୍ୟଵହାର କରୁଛନ୍ତି ? 

Tiffin ଶବ୍ଦର ଇଂରାଜୀ ଧାତୁରୂପ ହେଲା tiffing ଯାହାର ମୂଳ ଅର୍ଥ ସାମାନ୍ୟ ଜଳପାନ ଓ ଢୋକେ ଦୁଇ ଢୋକା ଜଳପାନ (to sip) । ଧୀରେ ଧୀରେ ଜଳୀୟ ଦ୍ରଵ୍ୟର ସ୍ଵାଦ ଆସ୍ଵାଦନକୁ ଇଂରାଜୀରେ to sip ଓ to tiff କୁହାଯାଏ । କିନ୍ତୁ ସାଧାରଣ ଶୁଦ୍ଧ ଜଳ ସ୍ଵାଦହୀନ ତେଣୁ 
ତେଣୁ ଚା ,ପଣା ଵା ସରଵତ ଓ ମଦ୍ୟ ଆଦି ଅଳ୍ପ ଅଳ୍ପ ମାତ୍ରାରେ ପାନ କରିଵା କ୍ଷେତ୍ରରେ to sip,to tiff ଶବ୍ଦର ଵ୍ୟଵହାର ହୋଇଥାଏ । ଇଂରାଜୀ ଭାଷାରେ ସେହିପରି tiff ଶବ୍ଦର ଅର୍ଥ ମଦ୍ୟପାନ । ତାପରେ ଏହି tiff ଶବ୍ଦର ଅର୍ଥ ହେଲା ସାମାନ୍ୟ ଝଗଡ଼ା ଵା ଯୁକ୍ତିତର୍କ । ମଦ୍ୟପାନ କଲେ ଝଗଡ଼ା ହେଵା ସ୍ଵାଭାଵିକ । ଇଂରାଜୀ ଶାସନକାଳରେ ସାହେବମାନଙ୍କୁ ଯେଉଁ ଚ଼ାଆ ସହ ବିସ୍କୁଟ ଇତ୍ୟାଦି ଦିଆଯାଉଥିଲା ତାକୁ ପାନ କରାଯାଉଥିଵାରୁ tiffin କୁହାଗଲା ଏଵଂ ପରେ ଏହି ଶବ୍ଦ ଲଘୁ ଭୋଜନ ଅର୍ଥରେ ଵ୍ୟଵହୃତ ହେଵାକୁ ଲାଗିଲା । ତେଣୁ ମୂଳ ଅର୍ଥ ଦୃଷ୍ଟିରୁ ଜଳପାନ ଵା ମଦ୍ୟପାନ ଅର୍ଥଜ tiffing ଶବ୍ଦରୁ ସୃଷ୍ଟି ହୋଇଥିଵାରୁ ଲଘୁଖାଦ୍ୟ ଅର୍ଥରେ ଵ୍ୟଵହୃତ tiffin ଶବ୍ଦ ମଧ୍ୟ ଗୋଟିଏ ଉପଯୁକ୍ତ ଶବ୍ଦ ନୁହେଁ । 

ଆଉ ଦଳେ ସମାଜଵାଦୀ ଅଛନ୍ତି ଜଳଖିଆ ଶବ୍ଦର ଅର୍ଥ ନବୁଝି କୁହନ୍ତି ଜଳ କ'ଣ ଖିଆ ଯାଏ ଵରଂ ପାର୍ସୀ ନାସ୍ତା ଶବ୍ଦ ବୋଲିଵା ଠିକ୍ ହେଵ । ପାର୍ସୀ ଭାଷାର ناشتا‎ (nāštā, nāšitā) ଶବ୍ଦ ମୂଳରୁ ବଙ୍ଗାଳୀରେ নাস্তা (nasta), ଗୁଜରାଟୀରେ નાસ્તો (nāsto), କନ୍ନଡ଼ରେ ನಾಷ್ಟಾ (nāṣṭā),ମରାଠୀରେ नाश्ता (nāśtā) ଓ ରାଜସ୍ଥାନୀରେ नास्तौ (nāstau) ଶବ୍ଦ ପ୍ରଚଳିତ ହୋଇଛି । କିନ୍ତୁ ମୂଳ ପାର୍ସୀ ناشتا‎ (nāštā, nāšitā) ଶବ୍ଦର ଅର୍ଥ ଥିଲା ଭୋକିଲା ଏଵଂ ସଂସ୍କୃତ ଭାଷାରେ ଵ୍ୟଵହୃତ ଅନାଶିତ(anāśita, “one who has not eaten, hungry”) Mazanderani ଭାଷାର انیشتا‎ (“hungry”) ସହିତ ଏହା ସଗୋତ୍ରୀୟ । ତେଣୁ ନାସ୍ତା ଶବ୍ଦର ମୂଳ ଅର୍ଥ ଭୋକିଲା ଥିଵାରୁ ଲଘୁ ଭୋଜନ ଅର୍ଥରେ ଏ ଶବ୍ଦ ପ୍ରୟୋଗ ମଧ୍ୟ ଯୁକ୍ତିଯୁକ୍ତ ଲାଗୁନାହିଁ । 

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ପ୍ରାଚୀନ ଉତ୍କଳରେ ଜଳଯୋଗର ପରମ୍ପରା ପ୍ରଚଳିତ ଥିଲା ଏଵଂ ଅଳ୍ପ ଜଳ ସହିତ ଖିଆ ଯାଉଥିଵାରୁ ଲଘୁଭୋଜନକୁ ଜଳଖିଆ କୁହାଗଲା । ଜଳଖିଆ ଵରଂ ଲଘୁଭୋଜନ ଅର୍ଥରେ ଵ୍ୟଵହୃତ ଏକ ଉପଯୁକ୍ତ ଶବ୍ଦ କିନ୍ତୁ ଭୋକିଲା ଅର୍ଥଜ ପାର୍ସୀ ନାସ୍ତା ଓ ଅଳ୍ପ ଜଳପାନ ଵା ମଦ୍ୟପାନ ଅର୍ଥଜ tiffin ଶବ୍ଦ ଵ୍ୟୁତ୍ପତ୍ତି ଦୃଷ୍ଟିରୁ ସେତେଟା ଯୁକ୍ତିଯୁକ୍ତ ନୁହେଁ ।
ଏଣୁ ଆମ ଭାଷାରେ ଯୋଗ୍ୟ ଓ ଉପଯୁକ୍ତ ଅର୍ଥ ପ୍ରକାଶ କରୁଥିଵା ଶବ୍ଦ ଥାଉ ଥାଉ ଆମେ ଵ୍ୟୁତ୍ପତ୍ତି ଦୃଷ୍ଟିରୁ ଅନୁପଯୁକ୍ତ ଓ ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ କରିପାରୁନଥିବା ଵୈଦେଶିକ ଶବ୍ଦ କାହିଁକି ଵ୍ୟଵହାର କରିଵା ? 

Monday, November 27, 2023

•କଳିଙ୍ଗ ଦେଶର ନିଆରା ବୋଇତିଆ ଦିଗ•

ଭାରତୀୟଙ୍କ ମଧ୍ୟରେ ଓଡ଼ିଆମାନେ ହିଁ ଥିଲେ ବୋଇତଯାତ୍ରାରେ ସର୍ଵାପେକ୍ଷା ପ୍ରଵୀଣ ତେଣୁ ଆମ ଭାଷାରେ ଚଳୁଥିଲା ସହସ୍ରାଧିକ ବୋଇତିଆ ଶବ୍ଦ ପୁଣି ଭୌଗୋଳିକ ଦିଗନିର୍ଣ୍ଣୟ ହେତୁ ଓଡ଼ିଆ ଭାଷାରେ ଥିଲା ସ୍ଵତନ୍ତ୍ର ଦିଗ୍‌-ଵାଚକ ନାମ । 

ଆଗକାଳରେ ଓଡ଼ିଶାର ବୋଇତିଆଳମାନେ 
ଦଶ ଦିଗର ଦଶଗୋଟି ଭିନ୍ନ ସ୍ଵତନ୍ତ୍ର ନାମ ଵ୍ୟଵହାର କରୁଥିଲେ ବୋଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷରୁ ଜଣାଯାଏ । ଯଥା ଓଡ଼ିଶାର ବୋଇତିଆଳମାନେ ଉତ୍ତରକୁ ଗାହି,ଦକ୍ଷଣକୁ ସୋଇଲ,ପୂର୍ଵ ଦିଗକୁ ଡହରା ଏଵଂ ପଶ୍ଚିମ ଦିଗକୁ ପିଛାଡ଼ି କହୁଥିଲେ । ସେହିପରି ଉତ୍ତରପୂର୍ଵ କୋଣକୁ ଗାହିମତଲେଇ,ଉତ୍ତର ପଶ୍ଚିମ କୋଣକୁ ବେଗଣିୟା ପିଛାଡ଼ି,ଦକ୍ଷିଣ ପଶ୍ଚିମ କୋଣକୁ 
ଦକ୍ଷିଣ ପିଛାଡ଼ି ଓ ଦକ୍ଷିଣ ପୂର୍ଵ କୋଣକୁ ଓଡ଼ିଶାର ବୋଇତିଆଳମାନେ ଦକ୍ଷିଣ ଡହରା କହୁଥିଲେ। ସେମାନେ ପୁଣି ଊର୍ଦ୍ଧ୍ୱ ଵା ଉପରକୁ ଘୋଷ ତଥା ନିମ୍ନ ଵା ତଳକୁ ଦମନ୍ କହୁଥିଲେ । ଦକ୍ଷିଣ ଵା ଡାହାଣ ପକ୍ଷକୁ ଉଜା ଏଵଂ ବାମ ପକ୍ଷକୁ ଡାହୁ କୁହାଯାଉଥିଲା ।[1.]


ତେବେ ଓଡ଼ିଶାରେ ଅନେକେ ଏସବୁ ଶବ୍ଦ ସହିତ ଅଧୁନା ପରିଚିତ ନଥିବେ କାରଣ ନୌଵାଣିଜ୍ୟ ବନ୍ଦ ହେଵା ପରେ ପରେ ଆମ ଭାଷାରୁ ବୋଇତ ସମ୍ବନ୍ଧୀୟ ଅନେକ ସାଂସ୍କୃତିକ ଶବ୍ଦ ହଜିଗଲାଣି । ତେବେ ହୁଏତ ଓଡ଼ିଶାର ଉପକୂଳଵର୍ତ୍ତୀ ଜିଲ୍ଲାଗୁଡି଼କରେ ଏସବୁ ଶବ୍ଦ ଆଜକୁ ଶହେ ଵର୍ଷ ତଳେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ସଂକଳନ ସମୟରେ ଊଣା ଅଧିକେ ବୋଇତିଆଳମାନଙ୍କ ମଧ୍ୟରେ ପ୍ରଚଳିତ ଥିଲା ତେଣୁ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ତାହା ସଂଗ୍ରହ କରିପାରିଵାରେ ସଫଳ ହୋଇଥିଲେ । 

ଉଲ୍ଲେଖଯୋଗ୍ୟ ଯେ ସାରା ଭାରତରେ ଓଡ଼ିଆ ଛଡ଼ା ଅନ୍ୟ କୌଣସି ଭାଷାରେ ଏଭଳି ବୋଇତିଆ ଦିଗ୍-ଵାଚକ ଶବ୍ଦ ଦୃଶ୍ୟ ହୁଏନାହିଁ । "ମାନକ ଭାରତୀୟ ଭାଷା" ସଂସ୍କୃତରେ ଅଵଶ୍ୟ ଦଶ ଦିଗର ପାରମ୍ପରିକ ନାମ ପ୍ରଚଳିତ ଥିଲା ଯାହା ଭାରତର ଓଡ଼ିଆ,ବଙ୍ଗଳା, ହିନ୍ଦୀ, ଗୁଜରାଟୀ,ମରାଠୀ ଆଦି ପ୍ରାୟ ସମସ୍ତ "ଭାରୋପୀୟ ଭାଷା"ରେ ଗୃହୀତ ହୋଇଛି । ପୁନଶ୍ଚ ଏଗୁଡ଼ିକ ପାରମ୍ପରିକ ଦିଗ୍-ଵାଚକ ଶବ୍ଦ ଏଵଂ ବୋଇତିଆ ଦିଗଠାରୁ ଭିନ୍ନ ପାରମ୍ପରିକ ଦିଗଗୁଡି଼କକୁ ନିର୍ଦ୍ଦେଶିତ କରିଥାଏ । ଉଦାହରଣ ସ୍ୱରୂପ ; ଭାରତରେ ପାରମ୍ପରିକ ପୂର୍ଵଦିଗ ହେଉଛି ମାନଚିତ୍ରରେ ଉତ୍ତର ଦିଗ ,ପାରମ୍ପରିକ ପଶ୍ଚିମ ଦିଗଟି ମାନଚିତ୍ରରେ ଦକ୍ଷିଣ ଦିଗ । ସେହିପରି ମାନଚିତ୍ରରେ ଯେଉଁ ଦିଗଟି ପୂର୍ଵ ସେହି ଦିଗଟି ପାରମ୍ପରିକ ଭାବେ ଭାରତରେ 
ଦକ୍ଷିଣ ଦିଗ ଏଵଂ ଯେଉଁ ଦିଗଟି ମାନଚିତ୍ରରେ ପଶ୍ଚିମ ଦିଗ ତାହା ଭାରତର ପାରମ୍ପରିକ ଉତ୍ତର ଦିଗ ଅଟେ । ଆମେ କୁହନ୍ତି ଧୃଵତାରା ଉତ୍ତର ଦିଗରେ ଦୃଶ୍ୟ ହୋଇଥାଏ ଏଵଂ ସୂର୍ଯ୍ୟ ପୂର୍ଵରୁ ଉଦୟ ହୋଇ ପଶ୍ଚିମରେ ଅସ୍ତ ଯାଆନ୍ତି । ଅର୍ଥାତ୍ ପାରମ୍ପରିକ ଉତ୍ତର ଦିଗରେ ଧୃଵତାରା ଦୃଶ୍ୟ ହୁଏ ଯାହା ମାନଚିତ୍ରରେ ପଶ୍ଚିମଦିଗ ଅଟେ ‌ । ସେହିଭଳି ପାରମ୍ପରିକ ପୂର୍ଵ ଦିଗ ଵା ମାନଚିତ୍ରର ଉତ୍ତର ଦିଗରେ ସୂର୍ଯ୍ୟ ଉଦୟ ହୋଇ ପାରମ୍ପରିକ ପଶ୍ଚିମଦିଗ ଅର୍ଥାତ୍ ମାନଚିତ୍ରର ଦକ୍ଷିଣ ଦିଗରେ ଅସ୍ତ ଯାଆନ୍ତି । ସେହିପରି ଭାରତରେ ଵିଭିନ୍ନ କୋଣଗୁଡି଼କର ମଧ୍ୟ ପାରମ୍ପରିକ ନାମକରଣ କରାଯାଇଛି । ପାରମ୍ପରିକ ଉତ୍ତର, ଦକ୍ଷିଣ ,ପୁର୍ଵ ଓ ପଶ୍ଚିମ ଚାରି ଦିଗ ଵ୍ୟତୀତ ପାରମ୍ପରିକ ଉତ୍ତରପୂର୍ଵ କୋଣର ନାମ ଐଶାନ୍ୟ(ଈଶାଣ) କୋଣ,ପାରମ୍ପରିକ ଉତ୍ତର ପଶ୍ଚିମ କୋଣର ନାମ ଵାୟୁ ଵା ଵାୟଵ୍ୟ କୋଣ,ପାରମ୍ପରିକ ଦକ୍ଷିଣ ପଶ୍ଚିମ କୋଣର ନାମ ନୈର୍ଋତ କୋଣ ଓ ପାରମ୍ପରିକ ଦକ୍ଷିଣ ପୂର୍ଵ କୋଣର ନାମ ଅଗ୍ନି ଵା ଆଗ୍ନେୟ କୋଣ ରଖାଯାଇଛି । ପୁଣି ଉପରକୁ ଉର୍ଦ୍ଧ୍ଵ ତଥା ତଳକୁ ନିମ୍ନ ଵା ଅଧଃ ନାମ ରଖାଯାଇଛି ।[2.]

 ଭାରତଵର୍ଷରେ ଏହି ପାରମ୍ପରିକ ଦଶଦିଗର ରକ୍ଷକ ଦେଵଗଣ ଦଶ ଦିଗପାଳକଙ୍କ ନାମ ଏହିପରି ...

•ଇନ୍ଦ୍ର—ପୂର୍ଵଦିଗର ଦିଗପାଳ
•ଯମ—ଦକ୍ଷିଣଦିଗର ଦିଗପାଳ
•କୁଵେର—ଉତ୍ତରଦିଗର ଦିଗପାଳ
•ଵରୁଣ— ପଶ୍ଚିମଦିଗର ଦିଗପାଳ
•ମରୁତ/ଵାୟୁ—ବାୟୁ କୋଣର ଦିଗପାଳ
•ଈଶାନ/ଶିବ—ଐଶାନ୍ୟ କୋଣର ଦିଗପାଳ
•ଅଗ୍ନି—ଅଗ୍ନି କୋଣର ଦିଗପାଳ
•ନୈର୍ଋତ—ନୈର୍ଋତ କୋଣର ଦିଗପାଳ
•ବ୍ରହ୍ମା—ଉର୍ଦ୍ଧ୍ୱ ଦିଗ/ଭାଗର ଦିଗପାଳ
•ଅନନ୍ତ—ଅଧୋ ଦିଗ/ଭାଗର ଦିଗପାଳ

ଅଵଶ୍ୟ ଅଷ୍ଠଦିଗପାଳ କଥନ ସମୟରେ କେହି କେହି ଉର୍ଦ୍ଧ୍ବ ତଥା ଅଧୋ ଭାଗର ଅଧିଷ୍ଠାତା ଦେଵ ବ୍ରହ୍ମା ଓ ଅନନ୍ତକୁ ଛାଡ଼ି ଦିଅନ୍ତି । ସେହିପରି ଜ୍ୟୋତିସ୍ତତ୍ତ୍ଵମ୍ ଶାସ୍ତ୍ର ଅନୁସାରେ ଅଷ୍ଟଦିଗପାଳଙ୍କ ପରି ଅଷ୍ଟଦିଗପତି ମଧ୍ୟ ଅଛନ୍ତି । ଏମାନଙ୍କୁ ଦିଶାଂପତି ତଥା ଦୀଗଧୀଶ୍ଵର ମଧ୍ୟ କୁହାଯାଏ । ପ୍ରାଚ୍ୟ ଵା ପୂର୍ଵ ଦିଗର ଦିଗପତି ରଵି ଵା ସୂର୍ଯ୍ୟ,ଅଗ୍ନିକୋଣାଧିପ ହେଉଛନ୍ତି ଶୁକ୍ର,ଦକ୍ଷିଣାଧିପ କୁଜଃ ଵା ମଙ୍ଗଳ,ନୈରୃତ କୋଣାଧିପ ରାହୁ,ଵାୟୁ କୋଣାଧିପ ଚନ୍ଦ୍ର,ପତୀଚ୍ୟ ଵା ପଶ୍ଚିମ ଦିଗପତି ଶନି, ଉତ୍ତର ଦିଗପତି ବୁଧ, ଈଷାନ କୋଣାଧିପ ଗୁରୁ ଗ୍ରହ ବୃହସ୍ପତି ଅଟନ୍ତି । [3.]  

“ସୂର୍ଯ୍ୟଃ ଶୁକ୍ରଃ କ୍ଷମାପୁତ୍ରଃ ସୈଂହିକେୟଃ ଶନିଃ ଶଶୀ । 
ସୌମ୍ୟସ୍ତ୍ରିଦଶମନ୍ତ୍ରୀ ଚ ପ୍ରାଚ୍ୟାଦିଦିଗଧିଶ୍ଵରାଃ ॥”
(ଇତି ଜ୍ୟୋତିସ୍ତତ୍ତ୍ଵମ୍)


ତେବେ ପାରମ୍ପରିକ ଦିଗଗୁଡି଼କର ନାମ ବୋଇତଯାତ୍ରା ସମୟରେ ପ୍ରୟୋଗ ନକରି କଳିଙ୍ଗୀମାନେ ସ୍ଵତନ୍ତ୍ର ବୋଇତିଆ ଦିଗ ଵ୍ୟଵହାର କରୁଥିଲେ । ଠିକ୍ ସେହିପରି ପାରମ୍ପରିକ ଵାମ ଓ ଦକ୍ଷିଣ ପାଖ ପାଇଁ ଓଡ଼ିଆ ଭାଷାରେ ବାଆଁ,ଖାଇଲି,ଭୁଜନୀ,ଡାହାଣ,ଡାଁ,ବାଁ,ବାମ, ଚେନ୍ତ୍ରା ଵା ଚେନ୍ତରା ଓ ଡେଭିରୀ ଭଳି ଶବ୍ଦ ଥାଉ ଥାଉ ବୋଇତିଆଳମାନେ ଡାହାଣକୁ ଉଜା ତଥା ବାଆଁକୁ ଡାହୁ କହୁଥିଲେ ପୁଣି ବୋଇତିଆ ଭାଷାରେ ଉପର ଵା ଉର୍ଦ୍ଧ୍ଵଦେଶକୁ ଘୋଷ ତଥା ନିମ୍ନ ଅଥଵା ତଳକୁ ଦମନ୍ କୁହାଯାଉଥିଲା । 

କିନ୍ତୁ ଦଶଦିଗର ପାରମ୍ପରିକ ଭାରତୀୟ ନାମ ଥାଉ ଥାଉ ଏଭଳି ସ୍ଵତନ୍ତ୍ର ଓ ନୂତନ ଦିଗ ନାମକରଣର କ'ଣ ଆଵଶ୍ୟକତା ଥିଲା ? 

କଳିଙ୍ଗଦେଶରେ କାଳେ ପାରମ୍ପରିକ ଦିଗଗୁଡି଼କର ନାମକୁ ଭିନ୍ନ ଦିଗ ଭାବେ ସୂଚିତ କରିଵା ଦ୍ଵାରା ଭ୍ରମ ଉତ୍ପନ୍ନ ହେଵ ଏହି ଆଶଙ୍କାରେ ବୋଇତିଆଳମାନେ ଗାହି,ଡହରା,ପିଛାଡି଼ ଓ ସୋଇଲ ଭଳି ସ୍ଵତନ୍ତ୍ର ଦିଗର ନାମକରଣ କରିଥିଲେ । ଏହା ଆମ କଳିଙ୍ଗ ଦେଶର ବୋଇତ ଯାତ୍ରା ପରମ୍ପରାର ସ୍ଵାତନ୍ତ୍ର୍ଯ ପ୍ରକାଶ କରିଥାଏ । 

ହେଲେ ଦଶ ଦିଗର ସ୍ଵତନ୍ତ୍ର ନାମକରଣ ଆଵଶ୍ୟକତା କାହିଁକି ଅନୁଭୂତ ହୋଇଥିଲା ? 

ଏହାର ଏକ କାରଣ କମ୍ପାସ ହୋଇଥାଇପାରେ କିମ୍ପା କମ୍ପାସ ଆଧାରିତ ଦିଗ ଧାରଣା ପ୍ରଣାଳୀ ହୋଇଥିଵା ସମ୍ଭଵ । 
ଆଗକାଳରେ ସମୁଦ୍ର ଯାତ୍ରା ସମୟରେ କମ୍ପାସର ଵ୍ୟଵହାର ପ୍ରଚଳିତ ଥିଲା । ଉଲ୍ଲେଖଯୋଗ୍ୟ ଯେ ଵିଶ୍ଵରେ କମ୍ପାସ ପ୍ରଚଳନର ଇତିହାସ ୨୦୦୦ ଵର୍ଷରୁ ଅଧିକ ପୁରାତନ ବୋଲି ଗଵେଷକମାନେ ମତ ଦିଅନ୍ତି । ଚୀନରେ ହାନ୍ ରାଜବଂଶ(୨୦୨ ଖ୍ରୀ.ପୂ— ୨୨୦ ଖ୍ରୀ.ଦ୍ଧ) ରାଜତ୍ଵ କାଳରେ ସେଠାକାର ପାରମ୍ପରିକ କମ୍ପାସର ପ୍ରଚଳନ ଥିଲା । ତେବେ ଚୀନଦେଶୀୟ ସେ ପ୍ରାଥମିକ କମ୍ପାସ୍ କେଵଳ ଭୂ-ଵିଜ୍ଞାନ ଓ ଭାଗ୍ୟଵର୍ଣ୍ଣନା ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଵ୍ୟଵହୃତ ହେଉଥିଵା ଜଣାଯାଏ । ପରଵର୍ତ୍ତୀ ସମୟରେ ଚୀନର ସଙ୍ଗ ରାଜବଂଶ ଦ୍ୱାରା କମ୍ପାସକୁ ଦିଗନିର୍ଣ୍ଣୟ ପାଇଁ ଵ୍ୟଵହାର କରାଯାଇଥିଲା । ତେଣୁ ଚୀନରେ ଦିଗ ନିର୍ଣ୍ଣୟ ପାଇଁ କମ୍ପାସ୍ ଵ୍ୟଵହାର ଵିଷୟରେ ଲିଖିତ ପ୍ରମାଣ ୯୬୦ ଖ୍ରୀଷ୍ଟାବ୍ଦ ପରର ହିଁ ମିଳିଥାଏ । ତେବେ ଭାରତୀୟମାନେ ଖ୍ରୀଷ୍ଟାବ୍ଦ ପ୍ରଥମ ଶତାବ୍ଦୀ ବେଳକୁ କମ୍ପାସ ଵିଷୟରେ ଜାଣି ସାରିଥିଲେ ବୋଲି କେତେକ ପ୍ରମାଣ ଆଧାରରେ ଦାବି କରାଯାଏ । ଭାରତୀୟମାନେ ଯେଉଁ କମ୍ପାସ ଵ୍ୟଵହାର କରୁଥିଲେ ତାକୁ ମତ୍ସ୍ୟଯନ୍ତ୍ର(ଜ୍ୟୋତିଷ ମତ୍ସ୍ୟଯନ୍ତ୍ର ନୁହେଁ) କୁହାଯାଉଥିଲା ଏଵଂ ଏହି ଯନ୍ତ୍ରର ମଝିରେ କଣ୍ଟା ପରିଵର୍ତ୍ତେ ମତ୍ସ୍ୟରୂପୀ ଧାତୁ ଲାଗିଥିଵାରୁ ଏହାର ଏଭଳି ନାମକରଣ ହୋଇଥିଲା । ପ୍ରାଚୀନ ଭାରତୀୟମାନେ ତୈଳ ମଧ୍ୟରେ ପତଳା ଲୌହ ମତ୍ସ୍ୟକୁ ରଖି ତତ୍ ସାହାଯ୍ୟରେ ଦିଗ ନିର୍ଣ୍ଣୟ କରାଯିଵା ସମ୍ବନ୍ଧରେ the Institute of Naval Architects and Shipbuilders in Englandର ସଦସ୍ୟ Mr. J.L. Reid ଉଲ୍ଲେଖ କରି କହିଛନ୍ତି 

“The early Hindu astrologers are said to have used the magnet, in fixing the North and East, in laying foundations, and other religious ceremonies. The Hindu compass was an iron fish that floated in a vessel of oil and pointed to the North. The fact of this older Hindu compass seems placed beyond doubt by the Sanskrit word Maccha Yantra, or fish machine, which Molesworth gives as a name for the mariner’s compass”.[4]

ଉଲ୍ଲେଖଯୋଗ୍ୟ ଯେ ଚୁମ୍ବକ ଓ ତାହାର ପ୍ରକୃତି ସମ୍ବନ୍ଧୀୟ ପ୍ରାରମ୍ଭିକ ଵର୍ଣ୍ଣନା ପ୍ରାୟ ୨୫୦୦ ଵର୍ଷ ପୂର୍ଵେ ଆନାତୋଲିଆ, ଭାରତ ଓ ଚୀନର ପ୍ରାଚୀନ ଶାସ୍ତ୍ରଗୁଡ଼ିକରେ ରହିଛି ।[5.] ତେଣୁ ଭାରତୀୟମାନେ ଵିଶେଷତଃ କଳିଙ୍ଗୀମାନେ ପ୍ରାଚୀନ କାଳରେ ଭାରତୀୟ ମତ୍ସ୍ୟଯନ୍ତ୍ର କମ୍ପାସ୍ ଵ୍ୟଵହାର କରି ଦିଗନିର୍ଣ୍ଣୟ କରୁଥିଵା ଅସମ୍ଭଵ ନୁହେଁ । ଯଦି କଳିଙ୍ଗୀମାନେ ନୌଯାତ୍ରାରେ ପ୍ରଵୀଣ ହୋଇନଥାନ୍ତେ ଓ ଦିଗନିର୍ଣ୍ଣୟାକ ଯନ୍ତ୍ର ଵ୍ୟଵହାର କରୁନଥାନ୍ତେ ତେବେ ସମୁଦ୍ର ମଧ୍ୟରେ ସହସ୍ରାଧିକ ଯୋଜନ ଦୂର ମାଲେସିଆ, ଇଣ୍ଡୋନେସିଆ, ଫିଲପାଇନ୍ସ, ଶ୍ରୀଲଙ୍କା,ମାଳଦ୍ଵୀପ, କାମ୍ବୋଡିଆ ଓ ବର୍ମାର କଳିଙ୍ଗାତ୍ରରେ କେବେ ପହଞ୍ଚି ପାରିନଥାନ୍ତେ । ଅଷ୍ଟମ ଖ୍ରୀଷ୍ଟପୂର୍ଵର କଳିଙ୍ଗ ସମ୍ରାଟ ଅଭିକଣ୍ଣୟୋ କରକଣ୍ଡୁ ଦକ୍ଷିଣ ବର୍ମାରେ କଳିଙ୍ଗାତ୍ର ଉପନିଵେଶ ସ୍ଥାପନ କରାଇଥିଲେ । ନୌଯାତ୍ରା ସମ୍ବନ୍ଧୀୟ କୌଶଳ ଵିନା ସେ ଯୁଗରେ ତାହା ଆଦୌ ସମ୍ଭଵ ହିଁ ହୋଇପାରିନଥାନ୍ତା । 


 ସେହି ସମୟରେ କଳିଙ୍ଗର ନୌଵାଣିଜ୍ୟ ସମଗ୍ର ଦକ୍ଷିଣ ତଥା ଦକ୍ଷିଣ ପୂର୍ଵ ଏସିଆରେ ଚଳୁଥିଲା ତେଣୁ କଳିଙ୍ଗୀମାନେ ନିଶ୍ଚୟ ଦିଗନିର୍ଣ୍ଣୟାକ ଯନ୍ତ୍ର ଦ୍ଵାରା ପ୍ରଭାଵିତ ହୋଇ ସ୍ଵତନ୍ତ୍ର ବୋଇତିଆ ଦିଗ ପ୍ରଚଳନ କରାଇଥିବେ । ଅଵଶ୍ୟ କେହି କେହି ଗଵେଷକ ନିର୍ଦ୍ଦୟ ଭାବରେ କୁହନ୍ତି ଯେ ଓଡ଼ିଶାରେ ପ୍ରଚଳିତ ସ୍ଵତନ୍ତ୍ର ବୋଇତିଆ ଦିଗଗୁଡି଼କ ଚତୁର୍ଦ୍ଦଶ ଶତାବ୍ଦୀ ପରେ ପ୍ରଚଳିତ ହୋଇଥିଵା ଅଧିକ ଯୁକ୍ତିଯୁକ୍ତ କାରଣ ସେହି ସମୟରେ ଵିଭିନ୍ନ ୟୁରୋପୀୟ ଜାତିମାନେ ଭାରତରେ ଵାଣିଜ୍ୟ ଅଳ୍ପ ଲୁଣ୍ଠନ ହେତୁକ ଅଧିକ ଆସୁଥିଲେ । ପଞ୍ଚଦଶ ଶତାବ୍ଦୀରୁ ସପ୍ତଦଶ ଶତାବ୍ଦୀ ଯାଏଁ ଓଡ଼ିଶାର ଉପକୂଳରେ ୟୁରୋପୀୟ ସମୁଦ୍ର ଡାକୁମାନେ ଭୀଷଣ ଉତ୍ପାତ କରୁଥିଲେ । ଏମାନଙ୍କୁ ବୋମ୍ବାଟିଆ ଵା ବମ୍ବାଟିଆ,ଜଳଦସ୍ୟୁ ଆଦି କୁହାଯାଉଥିଲା । କିନ୍ତୁ ଏଠାରେ ଏହା ମଧ୍ୟ ବୁଝିଵାକୁ ହେଵ ଯେ ମଧ୍ୟ ଯୁଗ ଯାଏଁ ଏଵଂ ପ୍ରାୟତଃ ତ୍ରୟୋଦଶ ଶତାବ୍ଦୀ ଯାଏଁ ପଶ୍ଚିମ ତଥା ମଧ୍ୟ ୟୁରୋପ(west and central Europe) ଅଞ୍ଚଳରେ ପ୍ରଚଳିତ ଥିଵା ମାନଚିତ୍ରଗୁଡି଼କରେ ପୂର୍ଵ ଦିଗ ହିଁ ମାନଚିତ୍ରର "ଉପର ଦିଗ" ହୋଇ ରହିଥିଲା । 

ତେବେ ଟଲେମୀଙ୍କ Geographika ପୁସ୍ତକରୁ ଜଣାଯାଏ ଯେ ଇଜିପ୍ଟ,ଆରବ,ରୋମ୍ ତଥା ଗ୍ରୀସରେ ତତ୍କାଳୀନ ସମୟରେ ପ୍ରଚଳିତ ମାନଚିତ୍ରଗୁଡି଼କରେ ଉତ୍ତର ଦିଗ ହିଁ ମାନିଚତ୍ରର ଉପର ଦିଗ ହୋଇଥିଲା । ଟଲେମୀଙ୍କ Geographika ପୁସ୍ତକକୁ ଇଂରାଜୀ ଭାଷାରେ Edward Luther Stevenson ନାମକ ଜନୈକ ଲେଖକ ଅନୁଵାଦ କରିଛନ୍ତି । Geographikaର ଇଂରାଜୀ ଅନୁଵାଦ ସଂସ୍କରଣରେ ମାନଚିତ୍ର ମଧ୍ୟରେ କାହିଁକି ଉତ୍ତର ଦିଗ ଉପରେ ରଖାଯାଇଥିଲା ତାହା ଉଲ୍ଲେଖ ରହିଛି । 

" Moreover we have selected the projection which we especially consider the best in the making of maps , this being the one in which wel start at the right hand . The work may then proceed from places already inserted to those not yet inserted . This can best be carried out if we write in the northern latitudes before the southern ones , and the western before the eastern ones ; since to the eye of the writer or reader the northern localities appear in the upper part , and the eastern appear on the right hand , on both the globe and the map of the habitable earth . "

" First of all , therefore , let us set down Europe which we separate from Libya by the Straits of Hercules , and from Asia , after we have put in the seas and the swamp of Myotis , by the river Tanis and by the meridian drawn through it to unknown region ; then let us put in Libya and place it likewise next to the sea which extends from the bay lying near Prasum , a promontory of Ethiopia , as far as the Gulf of Arabia . Let us separate Libya from Asia by the isthmus which extends from the interior of Heroopoliticus to our sea , and separates Egypt from Arabia and Judea . Let us do this that we may not divide Egypt , in making a division of the continent , by the Nile , because continents are bounded more properly , where it is possible , by seas than by rivers . "

" In the last place let us put in Asia , keeping the same plan as in the parts of each continent , of disposing of each of them according to its relation to the whole earth , and to the entire inhabited regions in the continents themselves , first writing in the coast that is most northern , then the western , and the seas and the islands that are nearest together , and those which in some particular are most worthy of mention . "[6.]

ସେ ଯାହା ହେଉ ଟଲେମୀ ଭାରତ ଓ ଓଡ଼ିଶାର ଯାତ୍ରା କରିଥିଲେ ତେଣୁ ତାଙ୍କ ଭୌଗୋଳିକ ପୁସ୍ତକରେ ଓଡ଼ିଶାର ଵିଭିନ୍ନ‌ ପ୍ରାଚୀନ ସ୍ଥାନଗୁଡି଼କର ନାମୋଲ୍ଲେଖ ଥିଵା ଦେଖାଯାଏ । କଳିଙ୍ଗୀ,ତାମିଲ, ଗୁଜରାଟୀ ଓ ମହାରାଷ୍ଟ୍ରୀ ନୌବଣିକମାନେ ପ୍ରାଚୀନ କାଳରୁ ଷୋଡ଼ଶରୁ ଅଷ୍ଟାଦଶ ଶତାବ୍ଦୀ ଯାଏଁ ଚୀନ,ଆଫ୍ରିକା ତଥା ଆରବୀୟ ଦେଶଗୁଡି଼କ ସହିତ ନୌଵାଣିଜ୍ୟ କରୁଥିଵାର ଅନେକ ଐତିହାସିକ ପ୍ରମାଣ ମିଳେ । କୋଣାର୍କ ମନ୍ଦିରରେ ଖୋଦିତ ଶିଳାଚିତ୍ରରେ ବୋଇତ ମଧ୍ୟରେ ଜିରାଫର ଚିତ୍ର ଗୋଟିଏ ଉଦାହରଣ ମାତ୍ର । ଏଣୁ ସମ୍ଭଵତଃ କଳିଙ୍ଗୀମାନେ ଆଫ୍ରିକା,ଚୀନ, ୟୁରୋପୀୟ ଦେଶଗୁଡ଼ିକ ସହିତ ନୌଵାଣିଜ୍ୟ କାଳରେ ଉତ୍ତର ଦିଗକୁ ପ୍ରାଧାନ୍ୟ ଦେଇ ତାହାକୁ ମାନଚିତ୍ରରେ ଉପରେ ରଖିଵା ଆରମ୍ଭ କରିଥିବେ ଏଵଂ ଦ୍ଵନ୍ଦ୍ଵ ସୃଷ୍ଟି ହେଵ ବୋଲି ଵିଚାର କରି ମାନଚିତ୍ରର ଦିଗଗୁଡ଼ିକର ସ୍ଵତନ୍ତ୍ର ନାମକରଣ କରାଯାଇଥିଵ । 
 

ଓଡ଼ିଶା(ଭାରତ) ଵ୍ୟତୀତ ୟୁରୋପ,ଆରବ ତଥା ଚୀନରେ ମଧ୍ୟ ବୋଇତିଆ ଦିଗ ପ୍ରଚଳିତ ଥିଲା ।ପ୍ରାଚୀନ ଗ୍ରୀକ୍ ଦେଶରେ ବାର ଦିଗର ନାମକରଣ କରାଯାଇଥିଲା । ସେସମୟରେ ଗ୍ରୀକ୍ ଭାଷାରେ ନିମ୍ନୋକ୍ତ ନାମଗୁଡି଼କ ପ୍ରଚଳିତ ଥିଲା ...

•ଉତ୍ତର— Aparctias
•ଉତ୍ତର-ଉତ୍ତର ପୂର୍ଵ(NNE)—Meses 
•ଉତ୍ତର ପୂର୍ଵ—Caecias 
•ପୂର୍ଵ—Apeliotes 
•ଦକ୍ଷିଣ ପୂର୍ଵ—Eurus 
•ଦକ୍ଷିଣ-ଦକ୍ଷିଣ ପୂର୍ଵ(SSE)—Phoenicias
•ଦକ୍ଷିଣ —Notos 
•ଦକ୍ଷିଣ-ଦକ୍ଷିଣ ପଶ୍ଚିମ (SSW)—Leuconotos/Libonotos 
•ଦକ୍ଷିଣ ପଶ୍ଚିମ—Lips 
•ପଶ୍ଚିମ— Zephyrus
•ଉତ୍ତର ପଶ୍ଚିମ— Argestes
•ଉତ୍ତର-ଉତ୍ତର ପଶ୍ଚିମ (NNW)— Thrascias

ଏହିସବୁ ପ୍ରାଚୀନ ଗ୍ରୀକ୍ ଦିଗ୍-ଵାଚକ ନାମକରଣ
Aristotleଙ୍କର Meteorology (c. 340 BCE) ପୁସ୍ତକରେ ରହିଛି । ସେ ଯୁଗରେ ବାର ଦିଗର ବାରଗୋଟି ପଵନଙ୍କ ନାମାନୁସାରେ ଏଭଳି ନାମକରଣ ହୋଇଥିଲା ତେଣୁ ଏଗୁଡ଼ିକୁ ସାମୂହିକ ଭାବେ Classical compass winds ମଧ୍ୟ କୁହାଯାଏ । [7.]

ମଧ୍ୟଯୁଗରେ ଆରବୀ ଵିଦ୍ଵାନମାନେ ଗ୍ରୀକ୍ ଦିଗନିର୍ଣ୍ଣୟ ସମ୍ବନ୍ଧୀୟ ଜ୍ଞାନ ସହିତ ପରିଚିତ ହେଲେ । ଦୁଇଜଣ ଆରବୀ ଵିଦ୍ଵାନ Abu Yahya Ibn al-Batriq ଓ Hunayn ibn Ishaq ମଧ୍ୟଯୁଗରେ Aristotleଙ୍କ Meteorologyକୁ ଅନୁଵାଦ କରିଥିଲେ ଏଵଂ Ibn Sinna ଓ Ibn Rushd ଭଳି ଵିଦ୍ଵାନ ତହିଁର ଭାଷ୍ୟ ଲେଖି ତତ୍ ଆଧାରରେ ନିଜର ସ୍ଵତନ୍ତ୍ର ପ୍ରଣାଳୀ ମଧ୍ୟ ପ୍ରଦାନ କରିଥିଲେ । ସେତେବେଳେ ଆରବରେ ଆରିଷ୍ଟୋଟଲଙ୍କ ବାରଗୋଟି ଦିଗ ଆଧାରରେ ନିମ୍ନଲିଖିତ ନାମଗୁଡ଼ିକ ପ୍ରଣୀତ ହୋଇଥିଲା ।

•(N) šimāl
•(NNE) mis'
•(NE) nis'
•(E) şaban
•(SE) azyab
•(SSE) nu'āmā
•(S) janūb
•(SSW) hayf
•(SW) hur jūj
•(W) dabūr
•(NW) mahwa
•(NNW) jirbiyā'

ସେହିପରି ଚୀନ ଦେଶୀୟ ଦିଗ୍‌-ଵାଚକ ଶବ୍ଦଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା...

子(zǐ )— ଉତ୍ତର
艮 (gěn) — ଉତ୍ତର ପୂର୍ଵ
卯(mǎo )—ପୂର୍ଵ
巽(xùn) — ଦକ୍ଷିଣ ପୂର୍ଵ
午(wǔ)— ଦକ୍ଷିଣ
坤(kūn) — ଦକ୍ଷିଣ ପଶ୍ଚିମ
酉 (yǒu )—ପଶ୍ଚିମ
乾 (qián)—ଉତ୍ତର ପଶ୍ଚିମ

ପରଵର୍ତ୍ତୀ କାଳରେ ଚୀନ ଓ ୟୁରୋପରେ ନୌଯାତ୍ରା ଅନେକ ମାତ୍ରାରେ ବୃଦ୍ଧି ଘଟିଵାରୁ ୟୁରୋପ ଵିଶେଷତଃ ଗ୍ରୀସରେ ଵାୟୁ ଆଧାରିତ ୩୨ଟି ଦିଗର ନାମକରଣ କରାଯାଇଥିଲା ବେଳେ ଚୀନରେ ୨୪ଟି ଦିଗର ନାମକରଣ ହୋଇଥିଲା । 

 ସେ ଯାହାହେଉ ଆମ ଭାଷାରେ ପୂର୍ଵେ ପ୍ରଚଳିତ କେଵଳ ଦଶଗୋଟି ବୋଇତିଆ ଦିଗଵାଚକ ଶବ୍ଦର ହିଁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖ ଅଛି । ସମ୍ଭଵତଃ ପୂର୍ଵକାଳରେ କଳିଙ୍ଗରେ ମଧ୍ୟ କୋଡ଼ିଏରୁ ଅଧିକ ବୋଇତିଆ ଦିଗର ନାମକରଣ କରାଯାଇଥାଇପାରେ କିନ୍ତୁ ଚୀନ ଓ ୟୁରୋପରେ ପ୍ରାଚୀନ ପୋଥିଗତ ପ୍ରମାଣ ଥିଲା ବେଳେ ଆମ ପାଖରେ ତହିଁର କୌଣସି ଲିଖିତ ପ୍ରମାଣ ରଖାଯାଉନଥିଲା । ବୋଧହୁଏ ସେଥିପାଇଁ ଏହାର କୌଣସି ପ୍ରମାଣ ମିଳିପାରେ ନାହିଁ । ଅସ୍ତୁ ପ୍ରୋକ୍ତ ଓଡ଼ିଆ ସ୍ଵତନ୍ତ୍ର ବୋଇତିଆ ଦିଗ୍ଵାଚକ ଗୁଡି଼କର ନିରୁକ୍ତି ନିର୍ଣ୍ଣୟ ହୋଇପାରି ନାହିଁ । ଆଜକୁ ପ୍ରାୟ ଶହେ ଵର୍ଷ ତଳେ ଉପକୂଳ ଓଡ଼ିଶାର ସମୁଦ୍ରକୁଳର ଧୀଵରବହୁଳ ଗ୍ରାମଗୁଡି଼କରେ ବୁଲିବୁଲି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ସଂକଳକ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜ ଏହି ସବୁ ବୋଇତିଆ ଦିଗଵାଚକ ଶବ୍ଦଗୁଡ଼ିକ ସଂଗ୍ରହ କରିଥିଲେ । ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳରେ ଅପ୍ରଚଳିତ ଥିଵାରୁ ଅନୁମାନ କରାଯାଇପାରେ ଯେ ହୁଏତ ଏହି ବୋଇତିଆ ଦିଗଵାଚକ ଶବ୍ଦଗୁଡି଼କ କେଵଳ ଓଡ଼ିଶାର ସମୁଦ୍ରକୂଳିଆ ବୋଇତିଆଳମାନେ ହିଁ ଵ୍ୟଵହାର କରୁଥିଲେ । ଆଜି ବି ଓଡ଼ିଶାର ପାନ ବରଜୀମାନଙ୍କର ଶବ୍ଦ ସ୍ଥାନୀୟ କଥିତ ଭାଷାଠାରୁ ଭିନ୍ନ ଥିଵା ଦୃଶ୍ୟ ହୋଇଥାଏ ‌ଏଵଂ ଏହିପ୍ରକାରର ବୋଲୀ ଵା କଥିତ ଶୈଳୀକୁ socialect କୁହାଯାଏ । ପ୍ରୋକ୍ତ ବୋଇତିଆ ଦିଗଵାଚକ ଶବ୍ଦଗୁଡି଼କର ନିରୁକ୍ତି ସମ୍ବନ୍ଧରେ ମଧ୍ୟ ଵିଶେଷ ତଥ୍ୟ ମିଳେନାହିଁ ଏଵଂ ଏ ସମ୍ବନ୍ଧରେ ସେତେଟା ଗଵେଷଣା ମଧ୍ୟ ହୋଇନାହିଁ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଶବ୍ଦଗୁଡି଼କ କେଵଳ ଅର୍ଥ ସହ ନାମୋଲ୍ଲେଖ କରାଯାଇଛି କିନ୍ତୁ ତହିଁର ନିରୁକ୍ତି ଲେଖାଯାଇନାହିଁ । ଓଡ଼ିଆ ଛଡ଼ା ଵିଶ୍ଵର କୌଣସି ବି ଭାଷାରେ ଗାହି ଵା ଏଇଭଳି କୌଣସି ଶବ୍ଦ ଉତ୍ତର କି ପୂର୍ଵ ଅର୍ଥରେ ଚଳୁଥିଵାର ଜଣାଯାଏ ନାହିଁ । ତେବେ ଗାହି,ସୋଇଲ,ଡହରା ଓ ପିଛାଡ଼ି ଆଦି ଓଡି଼ଆ ବୋଇତିଆ ଦିଗ୍‌ଵାଚକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ସଂକ୍ରାନ୍ତରେ କେତେକ ଅନୁମାନ କରାଯାଇପାରେ । 

ଗାଧୋଇଵାକୁ ଗାହତି କୁହାଯାଏ । ଗାହର ଅର୍ଥ ଗାଧେଇଵା,ଗହ୍ ଧାତୁର ଅର୍ଥ ବି ବୁଡେ଼ଇଵା ଓ ଗାଧୋଇଵା । ମାନଚିତ୍ରର ଉତ୍ତର ଦିଗ ଵା କଥିତ ଭାଷାର ପୂର୍ଵ ଦିଗକୁ ମୁଖ କରି ସାଧାରଣତଃ ଆମ ଦେଶର ଲୋକେ ସ୍ନାନ ଓ ତର୍ପଣ କରୁଥିଲେ । ସମ୍ଭଵତଃ ପାରମ୍ପରିକ ପୂର୍ଵଦିଗକୁ ମୁଖକରି ସ୍ନାନ କରାଯାଉଥିଵାରୁ ପୂର୍ଵ ଦିଗର ନାମ ମାନଚିତ୍ରରେ ଉତ୍ତର ଦିଗ ଭାବେ ଗାହି ରଖାଯାଇଥାଇପାରେ ‌ । 

ମାନଚିତ୍ରରେ ଦକ୍ଷିଣ ଓ କଥିତ ଭାଷାର ପଶ୍ଚିମରେ ସୂର୍ଯ୍ୟ ଅସ୍ତଗଲେ ସମସ୍ତେ ଶୋଇଯାଆନ୍ତି । ସୂର୍ଯ୍ୟଙ୍କ ଉଦୟ ପାରମ୍ପରିକ ପୂର୍ଵଦିଗରୁ ହୁଏ ତଥା ପୂର୍ଵକୁ ମୁଖ କରି ଗାଧୁଆ ଓ ତର୍ପଣ ମଧ୍ୟ ହୁଏ । ପଶ୍ଚିମରେ ସୂର୍ଯ୍ୟ ଅସ୍ତ ହେଲେ ଆମେ ବି ଶୋଇଯାଆନ୍ତି ସମ୍ଭଵତଃ ତେଣୁ ପଶ୍ଚିମ ଵା ଦକ୍ଷିଣକୁ ସୋଇଵା ଵା ଶୋଇଵା ସୋଇଲ କୁହାଯାଏ । ଅଵଶ୍ୟ ଇଂରାଜୀରେ ସାଉଥ ଶବ୍ଦ ଅଛି କିନ୍ତୁ ସାଉଥ ଶବ୍ଦ ଯେ ଓଡ଼ିଆ ଭାଷାରେ ସୋଇଲ ହୋଇଥିଵ ତାହା ଵିଶ୍ଵାସଯୋଗ୍ୟ ନୁହେଁ । 

ସେହିପରି ପଶ୍ଚିମଦିଗକୁ ଵାରୁଣ କୁହାଯାଏ । ଏହା ଵରୁଣଙ୍କ ଦିଗ ବୋଲି ଏଭଳି ନାମକରଣ କରାଯାଇଛି ଵରୁଣଙ୍କ ଅନ୍ୟ ନାମ ଡହର । ତେବେ ଓଡ଼ିଶାରେ ପୂର୍ଵ ଦିଗକୁ ଡହରା କୁହାଯାଏ । ସମ୍ଭଵତଃ ବରୁଣଙ୍କ ନାମାନୁସାରେ ପୂର୍ଵ ଦିଗକୁ ଡହରା କୁହାଯାଇଛି କିନ୍ତୁ ଏହି ମତଟି ଭ୍ରମାତ୍ମକ କାରଣ ଭାରତରେ ପଶ୍ଚିମ ଦିଗକୁ ଵାରୁଣ ଦିଗ କୁହାଯାଉଥିଲା । ମତାନ୍ତରେ
ଡହର ଶବ୍ଦର ଏକ ଅର୍ଥ ଡଗର ଵା ବାଟ ,ପଥ । ଓଡ଼ିଆ ଲୋକଙ୍କ ଜଳପଥ ସବୁ ମାନଚିତ୍ରରେ ପ୍ରାୟତଃ ପୂର୍ଵ ମୁଖ ଅର୍ଥାତ୍ ଚୀନ,ଜାପାନ,ମାଲେସିଆ ଇତ୍ୟାଦି ସେଥିପାଇଁ ପୂର୍ଵଦିଗକୁ ଡହରା କୁହାଯାଇଛି । ତେବେ ଡହରା ଶବ୍ଦ ସୃଷ୍ଟି ସମ୍ବନ୍ଧରେ କୌଣସି ସ୍ପଷ୍ଟ ମତ ମିଳିପାରେ ନାହିଁ । 

ପିଛାଡି଼ = ପଛ ଆଡ଼ ,ପଶ୍ଚିମଭାଗ
ସମ୍ଭଵତଃ ଓଡ଼ିଶାର ପଛ ଭାଗ କିମ୍ବା ପଶ୍ଚିମାଡି଼ଆରୁ ପିଛାଡି଼ ହୋଇଥାଇପାରେ । 

କିନ୍ତୁ ଏସବୁ କେଵଳ ଅନୁମାନ ମାତ୍ର ଆଜିଯାଏଁ ଓଡ଼ିଶାର ପ୍ରୋକ୍ତ ବୋଇତିଆ ଦିନଗୁଡ଼ିକର ନାମକରଣ ଵିଷୟରେ କୌଣସି ଅନୁସନ୍ଧାନ ହୋଇନାହିଁ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଉଲ୍ଲେଖିତ ଗାହି,ଡହରା,ସୋଇଲ ଓ ପିଛାଡି଼ ଆଦି ବୋଇତିଆ ଦିଗଗୁଡି଼କର ନାମ ଶ୍ରୀଗୋପାଳ ଚନ୍ଦ୍ର ପ୍ରହରାଜଙ୍କଦ୍ଵାରା କେଉଁଠାରୁ କିପରି ସଂଗୃହୀତ ହୋଇଥିଲା ତତ୍ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ମିଳେ ନାହିଁ ‌ । ଓଡ଼ିଶାର ଭାଷାଵିଦମାନେ ଯଦି ଏହି ସବୁ ଶବ୍ଦ ଵିଷୟରେ ଅଧିକରୁ ଅଧିକ ଅନୁସନ୍ଧାନ କରନ୍ତେ ତାହେଲେ ଜାତିର ଅଶେଷ ମଙ୍ଗଳ ହୁଅନ୍ତା । ସେହିପରି ଇତିହାସ ପୁସ୍ତକରେ ଯଦି ଓଡ଼ିଶାର ନୌବାଣିଜ୍ୟ ସଂକ୍ରାନ୍ତୀୟ ଏକ ସ୍ଵତନ୍ତ୍ର ଵିଷୟ ରୁହନ୍ତା ଏବଂ ସେଠାରେ ଏହି ଶବ୍ଦ ଗୁଡିକର ଆଲୋଚନା କରାହୁଅନ୍ତା ତାହେଲେ ଏହି ଶବ୍ଦ ସବୁ ଲୁପ୍ତ ନହୋଇ ବଞ୍ଚିରୁହନ୍ତା ‌ । 

•••••••••••••••••••••••••••••
ତଥ୍ୟ ଉତ୍ସ :
1.Purnachandra odia bhasakosh(P-5225,2213,4829,8725)
2.Purnachandra odia bhasakosh(P-3753)
3.Purnachandra odia bhasakosh(P-3753)
4.the Bombay Gazetteer, vol. xiii., Part ii., Appendix A.)
5.THE MAGNETISM OF HINDUISM by Nalinesh Arun
6.Geographika book Written by tolemy and translated by Edward Luther
7.Aristotle, Meteorology (Bk2, c6)
•••••••••••••••••••••••••••
ଶିଶିର ସାହୁ ମନୋଜ(କାମାକ୍ଷାନଗର, ଢେଙ୍କାନାଳ)
•••••••••••••••••••••••••••

Wednesday, November 22, 2023

କ'ଣ ଓ କଣ ମଧ୍ୟରେ ପ୍ରଭେଦ କଅଣ ?



ପିଲାମାନଙ୍କ ପୁସ୍ତକରେ ଗୋଟିଏ ପ୍ରଶ୍ନ ଆସେ କଣ ଓ କ'ଣ ମଧ୍ୟରେ ପ୍ରଭେଦ ଲେଖ । ଏହି ପ୍ରଶ୍ନର ଉତ୍ତର ସରଳ ବୋଲି କେହି କେହି ଭାବି ପାରନ୍ତି କିନ୍ତୁ ଏହା ପ୍ରକୃତରେ ଏକ ଗହନ ଵିଷୟ ଅଟେ । 

ଆମ ଭାଷାରେ କିସ କିୟଣ କିରା କାଣା, କାଡ଼ା, କି,କିବା,କିଗା, କିନା, କିଗା, କିସତି,କାଇଟା,କାଏଁ,କାଏଟା ଓ କଁଟା ଆଦି ଅନେକ ପ୍ରଶ୍ନଵାଚକ ଶବ୍ଦ କିମ୍ ଵା what ଅର୍ଥରେ ଵ୍ୟଵହୃତ ହୋଇଥାଏ । ତେଣୁ ଏହାର ମାନକରୂପ “କ'ଣ” ମଧ୍ୟରେ ଏହାକୁ ଦର୍ଶାଇଵାକୁ ଗୋଟିଏ ' ଚିହ୍ନ ଦିଆଯାଏ । 

ତେବେ କଣ ଓ କ'ଣ ମଧ୍ୟରେ ପାର୍ଥକ୍ୟ କିସ ? 

ଆମେ ସମସ୍ତେ ଜାଣନ୍ତି କ'ଣ ଶବ୍ଦର ଅର୍ଥ କିସ ଵା କଅଣ ଏଵଂ ଇଂରାଜୀ ଭାଷାରେ ଯେମିତି what ଶବ୍ଦ ଵ୍ୟଵହାର କରାଯାଏ ଠିକ୍ ସେହିପରି ସଂସ୍କୃତ ଭାଷାରେ କିମ୍,ହିନ୍ଦୀରେ କ୍ୟା, ଗୁଜରାଟୀ କେମ୍ ତଥା ଓଡ଼ିଆ ଭାଷାରେ କ'ଣ ଶବ୍ଦ ଵ୍ୟଵହୃତ ହୁଏ। 

ତେବେ 'କଣ' ଶବ୍ଦର ଅନେକ ଅର୍ଥରେ ପ୍ରୟୋଗ ରହିଛି । 

ପ୍ରଥମତଃ ଏହାର ଦେଶଜ ଓଡ଼ିଆ ଅର୍ଥ ଦୁଇଟି କୋଣ ଓ ଅନ୍ତଃପୁର । 
ଅନେକ ଅଞ୍ଚଳରେ କୋଣକୁ ସ୍ଥାନୀୟ ଲୋକେ କଣ କୁହନ୍ତି । ପ୍ରାଚୀନ ସାହିତ୍ୟରେ ବି କଣ ଶବ୍ଦଟି କୋଣ ଅର୍ଥରେ ପ୍ରୟୋଗ କରାଯାଇଛି । ଯଥା :

“ପଶ୍ଚିମ ଦିଗରେ ନଇଋତ କଣ କହି।” ( ଶ୍ରୀଗୁରୁଭକ୍ତିଗୀତା।)

ସାରଳା ମହାଭାରତରେ ମଧ୍ୟ କୋଣ ଅର୍ଥରେ କଣ ଶବ୍ଦ ପ୍ରୟୋଗ ହୋଇଥିଵା ଦେଖାଯାଏ 

“ସୁକର୍ମା ନାମେ ଯୋଗ ବାଣିଜ୍ୟ ନାମେ କରଣ ରାତ୍ର ନବ ଘଡି ମାନେ ଫିଟିଲା ବିମ୍ୱର ଜଦୁଘର ଉତ୍ତର କଣ ।”

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏହି ଦେଶଜ କଣ ଶବ୍ଦର ଆଉ ଏକ ଦେଶଜ ଅର୍ଥ ଲେଖାଅଛି ଅନ୍ତଃପୁର । 

ତେବେ ଏଠାରେ ଯେଉଁ 'କଣ' ଶବ୍ଦ କଥା କୁହାଯାଇଛି ତାହା ଶବ୍ଦ ଦୃଷ୍ଟିରୁ ତତ୍ସମ କଣ ଶବ୍ଦ ଅଟେ । 

ଏହି ତତ୍ସମ କଣ ଶବ୍ଦଟି ବହୁ ଅର୍ଥ ବୋଧକ । ଭାଷାକୋଷରେ ତତ୍ସମ କଣ ଶବ୍ଦର ପ୍ରଥମ ଅର୍ଥ ଲେଖାଅଛି "ଵସ୍ତୁର ଅତ୍ୟଳ୍ପ ଅଂଶ; ଲବ; ବିନ୍ଦୁ" । କଵିସୂର୍ଯ୍ୟ ବଳଦେଵ ରଥ କିଶୋରୀ ନ ଚମ୍ପୂରେ ଏହି ଅର୍ଥରେ କଣ ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି

"ନିଶା ରମଣ କର—କଳିକା କଣ ତୋର, ହୋଇଯିବ କଳ୍ପାନ୍ତ କାଳ ଖରା"

ଏତଦଵ୍ୟତୀତ କଣ ଶବ୍ଦର ଅନ୍ୟ ଅନେକ ଶାସ୍ତ୍ରୀୟ ଅର୍ଥ ମଧ୍ୟ ଭାଷାକୋଷ ଦିଆଯାଇଛି ଯଥା:

ରେଣୁ; ଗୁଣ୍ଡ,ଶସ୍ୟର କ୍ଷୁଦ୍ରାଂଶ ବା କଣୀ; ଖୁଦ,(ଅଗ୍ନି) ସ୍ଫୁଲିଙ୍ଗ,(ଜଳ) ବିନ୍ଦୁ; ଟୋପା,ଅରଣ୍ୟକୀରକ; ବଣଜୀରା,କୁମ୍ଭୀର ମକ୍ଷିକା,ଅଣୁ,ପିପ୍ପଳୀ,ମାର୍ଜିତ ରତ୍ନ ଗୋଟିଏ ପାଖ ଓ ଭଗ୍ନାଂଶ । 

କଵିସୂର୍ଯ୍ୟ ବଳଦେଵ ରଥ ତାଙ୍କ କଵିତାରେ ଭଗ୍ନାଂଶ ଅର୍ଥରେ ମଧ୍ୟ କଣ ଶବ୍ଦ ଵ୍ୟଵହାର କରିଛନ୍ତି । ଯଥା 
"ପଦ ନଖ କୋଣ କଣକୁ, ରସବତୀ ମଣି ପଣକୁ, ସାଧାରଣେତର ଗୁଣକୁ ବରନି ପାରିବେ ନାହିଁ ଭଶନା। (କଵିସୂର୍ଯ୍ୟ, ସଙ୍ଗୀତ।)

କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ମଧ୍ୟ ଅନେକ ସ୍ଥାନରେ କଣ ଶବ୍ଦ ଵ୍ୟଵହାର କରିଛନ୍ତି। ଯଥା :

“ବନ୍ଦନ ଵାଣୀ ଆନ ନାରୀମାନଙ୍କେ ରମ୍ଭା ରତି ପରା କହି ।
 ବଲ୍ଲଭି ନଖକୋଣ କଣ ଶୋଭାକୁ ଲଭିବା ଭାବନ୍ତି ସେହି ।”
(ଵୈଦେହୀଶ ଵିଳାସ)

ଓ 

“ଅନଙ୍ଗ ଦଇବ ବଳ କର୍ମ ଏମନ୍ତ
ବହଇ ପ୍ରଖର ପବନ,
ଉଡଇ ଉଦକ କଣ ଜନ୍ମ କମ୍ପନ ।”
(ଅବନା ରସତରଙ୍ଗ)

ଓଡ଼ିଆ ଭାଗଵତର ଅଷ୍ଟମ ସ୍କନ୍ଦରେ ସେହିଭଳି ଭାବେ ଜଗନ୍ନାଥ ଦାସ କ'ଣ ଶବ୍ଦ ଵ୍ୟଵହାର କରି ଲେଖିଛନ୍ତି

“ଗୁରୁଵଚନ ମନେ ସ୍ମରି । ବୋଲଇ ଜଣ କଣ କରି ॥
ହେ ଵିପ୍ରଚିତ୍ତି ଵ୍ୟଗ୍ରଗତି ।
 ହେ ରାହୁ କଉଣପ‌ପତି ”

ତେବେ ଆଜିକାଲି ଵିଜ୍ଞାନ ପୁସ୍ତକଗୁଡ଼ିକରେ ତତ୍ସମ କଣ ଶବ୍ଦ ରେଣୁ ଓ ଅଣୁ ଅର୍ଥରେ ଵିଶେଷ ଭାବେ ଵ୍ୟଵହୃତ ହେଉଅଛି । 

Saturday, November 18, 2023

ତିନି ମାଇପି ଓ କୋଶଳା ପୋକଙ୍କ କଥା

ତିନିଶହ ଵର୍ଷ ତଳେ କଳିଙ୍ଗ ଦେଶର ପାର୍ଵତ୍ୟାଞ୍ଚଳରେ ଵର୍ଗୀ ଆକ୍ରମଣ ଭୀଷଣ ହେଉଥିଲା । ଲୋକେ ଡରି ମରି କଷ୍ଟେ ମଷ୍ଟେ ବଞ୍ଚିଥିଲେ । ସେ ଯୁଗର କଥା, ତିନିଜଣ ଗର୍ଭଵତୀ ମାଇପି ଦିନେ ଶୀତ ସକାଳର ଖରା ପୋଉଁଥାନ୍ତି । ଏତିକିବେଳେ ଚେମି ମାଆ ଦୌଡ଼ି ଦୌଡ଼ି ବଡ଼ ପାଟି କରି ଚାଲି ଯାଉଥାଇ ...

ତା ମୁହଁରେ କେଵଳ ଗୋଟିଏ ଶବ୍ଦ 
ଵର୍ଗୀ ଵର୍ଗୀ ଵର୍ଗୀ ଵର୍ଗୀ ...

ତିନି ମାଇପି ଏବେ ଯିବେ କୁଆଡ଼େ ? ଏ ରାଇଜରେ ଵର୍ଷେ ଦି ଵର୍ଷ ହେଵ ଵର୍ଗୀ ନଥିଲେ,ଏ ଵର୍ଷ ପୁଣି ମାତିଲେଣି । ମାଇପି ତିନିହେଁ ଷଠୀମାତାଙ୍କୁ ଆକୁଳ ପ୍ରାର୍ଥନା କଲେ । ଦେଵୀ ତାଙ୍କ ଡାକ ଶୁଣିଲେ, ପାଖରେ ଗୋଟିଏ ପାଣିକଖାରୁ ଥିଲା ,ଦେଵୀ କିସ କଲେ ନା ସେଇ କଖାରୁ ଭିତରେ ସେ ତିନି ମାଇପିଙ୍କି ରଖିଦେଲେ । 

ଵର୍ଗୀ ଆସିଲେ, ଗାଆଁ ଗଣ୍ଡା ଲୁଟି ଚାଲିଗଲେ । ପାଣି କଖାରୁ ସେମିତି ରହିଲା,ତାକୁ କେହି ଖାଇଲେ ନାହିଁ କି ସେ ପାଣିକଖାରୁ ଭିତରୁ ମାଇପି ତିନିହେଁ ପଦାକୁ ବାହାରିଲେ ନାହିଁ । 

କ୍ରମେ ପାଣିକଖାରୁ ପାଚିଵାରୁ ଗୋଟେ କାଉ ଆସି ତାକୁ ଖୁମ୍ପିଦେଲା । ଯେମିତି ଖୁମ୍ପି ଦେଇଛି ଢୋ କରି ଶବ୍ଦଟିଏ ହେଲା ଏଵଂ କାଉ ସେ ଶବ୍ଦ ଶୁଣି ଡରି ପଳାଇଲା । ସେତେବେଳକୁ ପାଣିକଖାରୁ ଭିତରେ ଥିଵା ମାଇପି ତିନିହେଁ ଆଉ ମଣିଷ ହୋଇ ନଥିଲେ ସେମାନେ ପୋକ ପାଲଟି ଯାଇଥିଲେ । ତାଙ୍କର ଛୁଆ ଓ ଛୁଆଙ୍କର ଛୁଆ ସବୁ ସେଇ ପାଣିକଖାରୁ ଭିତରେ ଘର କରି ରହିଥାନ୍ତି । ପାଣିକଖାରୁ ଫାଟିଯିଵାରୁ କିଏ କୁଆଡେ଼ ଛିନଛତର ହୋଇ ପଡି଼ଲେ । 
ପାଖରେ କୋଶଳା ଶାଗ ଗଛ ଗୁଡ଼େ ଥିଲା ତାକୁ କିଛି ପୋକ ଚରିଗଲେ । ସେଇ ଦିନଠାରୁ ସେଇ ପୋକଙ୍କୁ କୋଶଳା ପୋକ କୁହାଗଲା ‌‌ ।  ପ୍ରତିଵର୍ଷ ଏଇ ସମୟରେ କୋଶଳା ପୋକ ମାତନ୍ତି ଏଵର୍ଷ ବି ମାତିଛନ୍ତି !!!

Friday, November 17, 2023

ଯୋଗ୍ୟ

ଜଣେ ଵୟସ୍କ ଵ୍ୟକ୍ତି ତାଙ୍କ ଅଵିଵାହିତ ପୁତ୍ରକୁ କହିଲେ, "ମୁଁ ତୋ ପାଇଁ ମୁଁ ଝିଅ ଠିକ୍ କରିଦେଇଛି ତୁ ତାକୁ ବାହା ହିଁ ହେବୁ !"

ତାଙ୍କ ପୁଅ ଉତ୍ତର ଦେଲା,"ନା ନା ଆଦୌ ନୁହେଁ ! ହେଇପାରିଵ ନାହିଁ  !"

ତହୁଁ ଧନୀକ ଵ୍ୟକ୍ତି ତାଙ୍କ ପୁଅକୁ କହିଲେ, "ସେ ଆମ ସହରର ସବୁଠାରୁ ବଡ଼ ଧନିକ ରମେଶ ପଟ୍ଟନାୟକଙ୍କ ଝିଅ" !!!

ଵୟସ୍କ ଵ୍ୟକ୍ତିଙ୍କ ପୁଅ ସେଇଠୁ ସମ୍ମତି ଜଣେଇଲା,"ଠିକ୍ ଅଛି ଚଳିଵ" ! 

ସେଇଠୁ ଵୟସ୍କ ଵ୍ୟକ୍ତି ଧନିକ ରମେଶ ପଟ୍ଟନାୟକଙ୍କ ଘରକୁ ଯାଇ ତାଙ୍କୁ ପ
ପ୍ରସ୍ତାଵ ଦେଲେ,"ଆପଣଙ୍କ ଝିଅକୁ ମୁଁ ମୋ ଘରର ଵୋହୂ କରିଵାକୁ ଚାହୁଁଛି !”

ରମେଶ ପଟ୍ଟନାୟକ ଵିରକ୍ତ ହୋଇ କହିଲେ, "ନା" !

ସେଇଠୁ ଵୟସ୍କ ଵ୍ୟକ୍ତି ରମେଶ ପଟ୍ଟନାୟକଙ୍କୁ ଜଣାଇଦେଲେ ଯେ ମୋ ପୁଅ 
ଅମୁକ ଜାତୀୟ ବ୍ୟାଙ୍କର ସିଇଓ ! 
ତାହା ଶୁଣି ରମେଶ ପଟ୍ଟନାୟକ ରାଜି ହୋଇଗଲେ ।

ଶେଷରେ ଵୟସ୍କ ଵ୍ୟକ୍ତି ଅମୁକ ରାଷ୍ଟ୍ରୀୟ ବ୍ୟାଙ୍କର ପ୍ରେସିଡେଣ୍ଟକୁ କହିଲେ,ମୋ ପୁଅକୁ ଆପଣଙ୍କ ବ୍ୟାଙ୍କର ସିଇଓ କରି ଦିଅନ୍ତୁ । 

ବ୍ୟାଙ୍କ ପ୍ରେସିଡେଣ୍ଟ ଅରାଜି ହେଲେ ଏଵଂ ତାଙ୍କୁ ବୋଇଲେ , "ନା ! କ୍ଷମାକରିବେ !  ତାହା ହୋଇପାରିଵ ନାହିଁ !"

ଵୟସ୍କ ଵ୍ୟକ୍ତି ପୁଣି କହିଲେ ...
"ମୋ ପୁଅ କୋଟିପତି ରମେଶ ପଟ୍ଟନାୟକଙ୍କ ଜ୍ବାଇଁ ତମେ ତାକୁ ସିଇଓ କରିଵନି ?” 

ତାହା ଶୁଣିଲା କ୍ଷଣି ବ୍ୟାଙ୍କ ପ୍ରେସିଡେଣ୍ଟ ତେଲ ମାରିଲା ଭଳିଆ କହିଲେ "ନାଇଁ ଆଜ୍ଞା ମୁଁ କ'ଣ ଜାଣିଥିଲି ଆପଣଙ୍କ ପୁଅ ଏତେ ଯୋଗ୍ୟ ବୋଲି ? ନିଶ୍ଚୟ ଆପଣଙ୍କ ପୁଅ ହିଁ ଆମ ବ୍ୟାଙ୍କର ସିଇଓ ହେବେ !!!”


Tuesday, November 14, 2023

ଚାଚା ଶବ୍ଦ ଏଵଂ ଏହାର ଵିଭିନ୍ନ ଭାଷାରେ ଏହାର ଭିନ୍ନ ଭିନ୍ନ ଅର୍ଥ

ହିନ୍ଦୀରେ ବାପାଙ୍କ ସାନ ଭାଇକୁ चाचा କୁହାଯାଏ । ପାରମ୍ପରିକ ଭାଷାଵିଦମାନେ କୁହନ୍ତି ଚାଚା ଶବ୍ଦଟି ସଂସ୍କୃତର ତାତ ଶବ୍ଦର ପରିଵର୍ତ୍ତିତ ରୂପ କିନ୍ତୁ ଆଧୁନିକ ଭାଷାଵିଦମାନେ ଏହାକୁ ଖଣ୍ଡନ କରନ୍ତି ଏଵଂ चाचा ଶବ୍ଦଟି ପ୍ରାଚୀନ ପ୍ରାକୃତ ଶବ୍ଦ *𑀘𑀸𑀘𑁆𑀘 (*cācca)ର ଆଧୁନିକ ରୂପ ବୋଲି ମତ ଦିଅନ୍ତି । ମୂଳ ପ୍ରାକୃତ 𑀘𑀸𑀘𑁆𑀘(ଚାଚ୍ଚ) ଶବ୍ଦଟି ପୁଣି ଏକ ମୌଳିକ ଶବ୍ଦ ଏଵଂ child babblingରୁ ପରେ ସୃଷ୍ଟି ହୋଇଛି( ଯେମିତି ଓଡ଼ିଆ ଭାଷାରେ ବୋଉ ଶବ୍ଦଟି child babblingରୁ ସୃଷ୍ଟ) । କେବେ ପିଲାଟିଏ ତା 'ଦାଦା' ଵା 'କାକା' ଆଗରେ ''ଚା - ଚା'' ଶବ୍ଦ କହି ଦେଇଥିଵ ତାହା ପରେ ଏକ ସମ୍ବନ୍ଧଵାଚକ ସମ୍ବୋଧନ ଶବ୍ଦରେ ପରିଵର୍ତ୍ତିତ ହୋଇଯାଇଛି । 



ହିନ୍ଦୀ ଭାଷାଭାଷୀ ଅଞ୍ଚଳ ଛଡ଼ା ପଞ୍ଜାବୀ ଭାଷାଭାଷୀ ଲୋକେ ତଥା ବଙ୍ଗାଳୀ ମୁସଲମାନମାନେ ମଧ୍ୟ ନିଜ କାକାକୁ চাচা(ଚାଚା) ସମ୍ବୋଧନ କରନ୍ତି । Berntsenଙ୍କ "Marathi Teaching Materials" ଅଭିଧାନ ଅନୁସାରେ ମରାଠୀ ଭାଷାରେ चाचा ଶବ୍ଦର ଅର୍ଥ ଦସ୍ୟୁ(Pirate) ଓ highjacker ଅଟେ । ଭାରତରେ ୮୦୦ରୁ ଅଧିକ ପ୍ରଚଳିତ ତେଣୁ ଅନ୍ୟ କୌଣସି ଭାଷାରେ ବି चाचा ଶବ୍ଦର ଭିନ୍ନ ଅର୍ଥରେ ଵ୍ୟଵହାର ଥାଇପାରେ । ରୋମାନ ଲିପିରେ ଏହି चाचा ଶବ୍ଦକୁ Chacha ଲେଖାଯାଏ ଏଵଂ ପୃଥିଵୀର ଵିଭିନ୍ନ ଭାଷାରେ ଉକ୍ତ Chacha ଶବ୍ଦର ନାନା ଅର୍ଥ ପ୍ରଚଳିତ । 

ଜର୍ଜିଅନ୍ ଭାଷାର chacha ଶବ୍ଦ ଇଂରାଜୀ ଭାଷାକୁ ଆସି ପ୍ରଚଳିତ ହୋଇଛି । ଏକ ଜାତୀୟ ଜର୍ଜିଅନ୍ ଦ୍ରାକ୍ଷ୍ୟା ମଦ୍ୟକୁ chacha କୁହାଯାଏ । ଏକ ଜାତୀୟ ପାଶ୍ଚାତ୍ୟ ବାଜାର ନାମ ଚାଚା,ଏକ ଜାତୀୟ ପାଶ୍ଚାତ୍ୟ ସଂଗୀତ ଓ ballroom ନୃତ୍ୟର ନାମ ବି cha cha ଵା cha cha cha ଅଟେ । ପେରୁ ଓ ବୋଲିଭିୟାରେ Aymaran ଭାଷାପରିଵାରର କେତେକ ଭାଷା ବୋଲାଯାଏ ଏଵଂ ତନ୍ମଧ୍ୟରେ ପ୍ରମୁଖ Aymara ଭାଷାରେ ପୁରୁଷ ଓ ପତି ଅର୍ଥରେ Chacha ଶବ୍ଦ ଵ୍ୟଵହାର କରାଯାଏ(ଯେମିତି ମରଦ ଶବ୍ଦଟି ଉଭୟ ପୁରୁଷ ଓ ପତି ଅର୍ଥରେ ପ୍ରୟୋଗ ହୁଏ) । 

Dragon fruit ନାମରେ ଜଣାଶୁଣା 
Selenicereus ଜାତୀୟ ଗଛଗୁଡ଼ିକ ମୂଳତଃ ଉତ୍ତର ଆମେରିକାର ନାଗଫେଣୀ ଜାତୀୟ ଗଛ । ତେବେ ଏହାର ପ୍ରକୃତ ସ୍ଥାନୀୟ ନାମ pitaya (/pɪˈtaɪ.ə/ପିତୈଅ) ଵା pitahaya(/ˌpɪtəˈhaɪ.ə/ପିତହୈୟ) ଅଟେ । କିନ୍ତୁ ଏହି ନାମଟି Arawakan ଭାଷାପରିଵାରର taino ଭାଷା ମୂଳର ତେବେ ପ୍ରାଚୀନ ଆମେରିକୀୟ Uto-Aztecan ଭାଷାପରିଵାର ଅନ୍ତର୍ଗତ Nahuatl ଭାଷାରେ ଡ୍ରାଗନ୍ ଫଳକୁ chacha କୁହନ୍ତି । 

 ଓଡ଼ିଶାର ବାଲେଶ୍ଵରଠାରେ ଛୋଟପିଲାଙ୍କୁ କଟିଛୁଆ କୁହନ୍ତି,ଗଞ୍ଜାମରେ ଛୋଟ ପୁଅପିଲାକୁ ସ୍ନେହରେ ଦାମୁଡି଼ ଡାକନ୍ତି, ସମ୍ବଲପୁରରେ ଛୋଟ ଝିଅପିଲାଙ୍କୁ ବୁଈ ତଥା ଉପକୂଳରେ ଛୋଟ ପିଲା ଵା ନିଜଠାରୁ ଛୋଟମାନଙ୍କୁ ସ୍ନେହରେ ବୁଢ଼ା ଓ ବୁଢ଼ୀ ସମ୍ବୋଧନ କରାଯାଏ ଠିକ୍ ସ୍ପାନିଶ୍ ଭାଷାରେ ଛୋଟପିଲାଙ୍କୁ muchacha ସମ୍ବୋଧନ କରନ୍ତି । ତେବେ ଏହି muchacha ଶବ୍ଦଟି ଝିଅ ଓ ପୁଅ ଭେଦରେ ଯଥାକ୍ରମେ chacho (“ପୁଅ") ଓ chacha(ଝିଅ) ହୋଇ ଚଳୁଅଛି । ପୁଣି ସ୍ପେନ ଭାଷା ଵ୍ୟଵହୃତ କେତେକ ଅଞ୍ଚଳରେ 
 ଘର ସଫାସୁତୁରା କରୁଥିଵା maidମାନଙ୍କୁ ବି chacha କୁହାଯାଏ । ସ୍ପାନିଶ୍ ଭାଷାରେ ମୂଳ ଆମେରିକୀୟ Nahuatl ଭାଷାର chachahuatl ଶବ୍ଦଟି chacha ହୋଇ handcuffs ଅର୍ଥରେ ବି ଵ୍ୟଵହାର ହେଉଛି । ସେଇ ସ୍ପାନିଶ୍ ଭାଷାରେ chachar ଶବ୍ଦଟି ଚୋବାଇଵା ଅର୍ଥରେ ଵ୍ୟଵହାର କରାଯାଏ ଏଵଂ ଏହାର ତୃତୀୟ ପୁରୁଷ ଏକ ଵଚନ ଵର୍ତ୍ତମାନ ସୂଚକ ତଥା ଦ୍ବିତୀୟ ପୁରୁଷ ଏକଵଚନ ଆଦେଶାତ୍ମକ ରୂପ chacha ଅଟେ । ଅର୍ଥାତ୍ ସ୍ପାନିଶ୍ ଭାଷାରେ chacha ଶବ୍ଦଟି ଚୋବାଅ ଓ ଚୋବା ଅର୍ଥରେ ପ୍ରୟୋଗ କରାଯାଉଛି । 

ସ୍ପେନ୍ ଦେଶ ନିକଟରେ ଫ୍ରାନ୍ସ୍ ଦେଶରେ ଫ୍ରେଞ୍ଚ୍ ଭାଷା ବୋଲାଯାଏ ଏଵଂ ଏ ଭାଷାରେ Chacha ଶବ୍ଦଟି କିନ୍ତୁ squash ପୁଣି ଏକ ଜାତୀୟ ନୃତ୍ୟ ତଥା ସଂଗୀତକୁ Cha cha ଵା cha cha cha କୁହନ୍ତି । 

Niger–Congo ଭାଷାପରିଵାରର ସ୍ବାହିଲୀ ଭାଷାରେ ଖଟା ହେଵା ଓ ପଚିଵା ଅର୍ଥରେ Chacha ଶବ୍ଦ ଵ୍ୟଵହାର କରାଯାଏ । ଏଇ ଭାଷାପରିଵାରର swazi ଭାଷାରେ chacha ଶବ୍ଦଟି ଢିଲା ହେଵା ଅର୍ଥରେ ପ୍ରୟୋଗ ହୋଇଥାଏ । 

ମାତ୍ର ଭାରୋପୀୟ ଭାଷାପରିଵାର ଅନ୍ତର୍ଗତ Celtic ଭାଷାଶାଖାର welsh ଭାଷାରେ ଵିଷ୍ଠା ଅର୍ଥରେ ପ୍ରଚଳିତ cachu ଶବ୍ଦର ଅନ୍ୟ ଏକ ରୂପ ହେଉଛି chacha !

ଓଡ଼ିଆ ଭାଷାରେ ଚାଚା ଶବ୍ଦ ଭଳି କୌଣସି ଶବ୍ଦ ଅଛି କି ନାହିଁ ତାହା ଅସ୍ପଷ୍ଟ, ସମ୍ଭଵତଃ କେହି କେହି ହିନ୍ଦୀଭାଷା ଦ୍ଵାରା ପ୍ରଭାଵିତ ଓଡ଼ିଆ ଵ୍ୟକ୍ତି ନିଜ କକାକୁ ଚାଚା କହୁଥିବେ । ତେବେ ଆମ ଭାଷାରେ ଚାଲିଵା କ୍ରିୟାର ଆଦେଶାର୍ଥକ ନିର୍ଦ୍ଦେଶାର୍ଥକ "ଚାଲ୍ ଚାଲ୍" ଓ "ଚା ଚା" ରୂପ ବି ଚଳୁଅଛି । 

ଯଦି ଓଡ଼ିଶାରେ ଚାଚା ଶବ୍ଦର ଭିନ୍ନ କୌଣସି ଅର୍ଥରେ ପ୍ରୟୋଗ ରହିଥାଏ ତେବେ ଜଣାଇଵାକୁ ଅନୁରୋଧ 🙏





Sunday, November 12, 2023

ଉତ୍କଳୀୟ ଦୀପାଵଳି ଏଵଂ ଏହାର ପ୍ରାଚୀନ ନୌଵାଣିଜ୍ୟ ପରମ୍ପରା ସହିତ ସମ୍ବନ୍ଧ

ଆଲୋକର ପର୍ଵ ଦୀପାଵଳି ଭାରତ, ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ତ୍ରିନିଦାଦ ଓ ଟବାଗୋ, ସୁରିନେମ, ମାଲେସିଆ, ସିଙ୍ଗାପୁର, ଓ ଫିଜିରେ ପାରମ୍ପରିକ ପର୍ଵ ଭାବେ ପାଳିତ ହୋଇଥାଏ । ନେପାଳରେ ଦୀପାଵଳିକୁ ନେୱାରୀ ଲୋକେ 'ସ୍ୱାନ୍ତୀ' ପର୍ଵ ନାମରେ ପାଳନ କରିଥାନ୍ତି । ଏହା ଏକ ପାଞ୍ଚ ଦିନିଆ ପର୍ଵ, ଯେଉଁଥିରେ ପ୍ରଥମ ଦିନରେ କାଉ, ଦ୍ୱିତୀୟ ଦିନରେ କୁକୁର ଓ ତୃତୀୟ ଦିନରେ ଗାଈମାନଙ୍କୁ ଯଥାକ୍ରମେ କାଗ୍ ତିହାର୍,କୁକୁର୍ ତିହାର୍ ଓ ଗାଏ ତିହାର୍ ଅଵସରରେ ଖାଇଵାକୁ ଦିଅନ୍ତି। ଦେଵୀ ଲକ୍ଷ୍ମୀଙ୍କୁ ତୃତୀୟ ଦିନରେ ପୂଜା କରାଯାଏ । ଚତୁର୍ଥ ଦିନକୁ ଗୋଵର୍ଦ୍ଧନ ପୂଜା ତଥା ନୂଆ ଵର୍ଷ ରୂପେ ପାଳନ କରାଯାଏ ଏଵଂ ତା’ପରେ ପଞ୍ଚମ ଦିନରେ ଭାଇ ଟିକା ତିହାର୍ ପାଳିତ ହୁଏ । ମାଲେସିଆରେ ମଧ୍ୟ ଦୀପାଵଳି ପାଳନ କରାଯାଏ। ଏହା ଵ୍ୟତୀତ ଦୀପାଵଳି ଅଵସରରେ ସିଙ୍ଗାପୁରରେ ଗୋଟିଏ ଦିନର ପ୍ରଶାସନିକ ଅଵକାଶ ଦିଆଯାଏ ତଥା ଏଠାରେ ଵିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଶ୍ରୀଲଙ୍କାରେ ବି ଦୀପାଵଳି ପାଳନ କରାଯାଏ। ଏଠାକାର ତାମିଲ ସମ୍ପ୍ରଦାୟର ଲୋକମାନେ ବି ଦୀପାଵଳି ଦିନ ତେଲ ସ୍ନାନ କରିଵା ପରେ ନୂତନ ପୋଷାକ ପିନ୍ଧନ୍ତି ଏଵଂ ପୂଜା କରନ୍ତି।


ଦୀପାଵଳି ପାଳନ କେବେଠାରୁ ଆରମ୍ଭ ହୋଇଛି ତାହା ଅସ୍ପଷ୍ଟ ତେବେ ଏହା ଯେ ଏକ ପ୍ରାଚୀନ ପର୍ଵ ଏଥିରେ କେହି ବି ଦ୍ଵିମତ ହେବେ ନାହିଁ । ପୌରାଣିକ କଥାନୁସାରେ ଦୀପାଵଳି ପର୍ଵ ସତ୍ୟଯୁଗରୁ ଏଯାଵତ୍ ପାଳିତ ହେଉଅଛି । ଦୀପାଵଳି ପାଳନ ସମ୍ବନ୍ଧୀୟ ଵିଭିନ୍ନ ପୌରାଣିକ କଥାଵସ୍ତୁ ରହିଛି । 

କୁହାଯାଏ ଏହିଦିନ ସମୁଦ୍ର ମନ୍ଥନରୁ ଲକ୍ଷ୍ମୀ ଅଵତରଣ କରିଥିଲେ ତେଣୁ ଦୀପାଵଳି ଦିନରେ ଲକ୍ଷ୍ମୀଙ୍କର ପୂଜା କରାଯାଏ । କେହି କେହି ମତ ଦିଅନ୍ତି, ରାକ୍ଷସମାନଙ୍କୁ ଵଧ କରିଵା ପରେ ଯେତେବେଳେ ମହାକାଳୀଙ୍କ କ୍ରୋଧ ଶାନ୍ତ ହୋଇ ନ ଥିଲା ଏଵଂ ସେ ଉଗ୍ର ରୂପ ଧାରଣ କରି ସୃଷ୍ଟି ସଂହାର ଉଦ୍ଦେଶ୍ୟରେ ବାହାରିଥିଲେ, ସେତେବେଳେ ଶିବ ତାଙ୍କୁ ଅଟକାଇଵା ପାଇଁ ତଳେ ଶୋଇ ପଡିଥିଲେ। ଏହି ଘଟଣା ଦୀପାଵଳି ତିଥିରେ ଘଟିତ ହୋଇଥିଲା ତେଣୁ ଦୀପାଵଳିରେ କାଳି ପୂଜା ଅନୁଷ୍ଠିତ ହୋଇଥାଏ । ପୁଣି ପୌରାଣିକ ଆଖ୍ୟାନ ଅନୁସାରେ ଏହିଦିନ ଭଗଵାନ ଶ୍ରୀଵିଷ୍ଣୁ ହିରଣ୍ୟକଶିପୁକୁ ଵଧ କରିଥିଲେ। ଅନ୍ୟ ଏକ ପୌରାଣିକ କଥା ଅନୁସାରେ ଭଗଵାନ ଵିଷ୍ଣୁ ଵାମନ ଅଵତାର ଧାରଣ କରି ଦୀପାଵଳି ଦିନ ରାଜା ବଳିଙ୍କ ପାଖରୁ ମାତା ଲକ୍ଷ୍ମୀଙ୍କୁ ମୁକ୍ତ କରିଥିଲେ । ରାମାୟଣ ଅନୁସାରେ ଏହି ଦୀପାଵଳି ଦିନ ୧୪ ଵର୍ଷ ଵନଵାସ ଶେଷ କରି ଭଗବାନ ଶ୍ରୀରାମ,ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କୁ ଘେନି ଅଯୋଧ୍ୟା ପ୍ରତ୍ୟାଵର୍ତ୍ତନ କରିଥିଲେ । ଏହି ଆନନ୍ଦ ଅଵସରରେ ସମ୍ପୂର୍ଣ୍ଣ ଅଯୋଧ୍ୟାରେ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଭଗଵାନ ଶ୍ରୀକୃଷ୍ଣ ନରକାସୁର ନାମକ ଅସୁରକୁ ଦୀପାଵଳି ଦିନରେ ଵଧକରି ୧୬୦୦୦ ସ୍ତ୍ରୀଙ୍କୁ ଉକ୍ତ ଅସୁର କଵଳରୁ ରକ୍ଷା କରିଥିଲେ । ଏଥିପାଇଁ ଦୀପାଵଳି ପର୍ଵକୁ ଵିଜୟ ପର୍ଵ ମଧ୍ୟ କୁହାଗଲା । ମହାଭାରତ ଅନୁସାରେ କୌରଵ ଓ ପାଣ୍ଡଵଙ୍କ ମଧ୍ୟରେ ଯେତେବେଳେ ପଶାଖେଳ ହୋଇଥିଲା ଉକ୍ତ ଖେଳରେ ପାଣ୍ଡବ ହାରି ୧୨ ଵର୍ଷ ପାଇଁ ଅଜ୍ଞାତ ବାସ ଗଲେ । ତେବେ ଏହି ଦୀପାଵଳି ଦିନ ପାଣ୍ଡଵ ଅଜ୍ଞାତ ବାସ ସମାପ୍ତ କରି ଘରବାହୁଡ଼ା ହୋଇଥିଲେ । ପାଣ୍ଡଵଙ୍କ ଲେଉଟାଣି ପରିପ୍ରେକ୍ଷୀରେ ଦୀପ ପ୍ରଜ୍ୱଳନ କରି ଦୀପାଵଳି ପାଳନ କରାଯାଇଥିଲା ।

ରାଜା ବିକ୍ରମାଦିତ୍ୟଙ୍କ ରାଜତିଳକ ମଧ୍ୟ ଦୀପାଵଳି ତିଥିରେ ସମ୍ପନ୍ନ ହୋଇଥିଲା ବୋଲି କିମ୍ବଦନ୍ତୀ ରହିଛି। ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଆର୍ଯ୍ୟ ସମାଜର ସ୍ଥାପନା ମଧ୍ୟ ଏହି ଦୀପାଵଳି ଦିନ ହୋଇଥିଲା । 

ଜୈନ ଅନୁଗାମୀମାନଙ୍କ ପାଇଁ ଖ୍ରୀଷ୍ଟପୂର୍ଵ ୫୨୭ରେ ହୋଇଥିଵା ମହାଵୀରଙ୍କର ମୋକ୍ଷ ଵା ନିର୍ବାଣ ପ୍ରାପ୍ତିର ଦିନ ଭାବରେ ଦୀପାଵଳିକୁ ପାଳନ କରାଯାଇଥାଏ । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାଵୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା, ସେତେବେଳେ ତାଙ୍କ ପାଖରେ ବହୁ ଜୈନ ସନ୍ନ୍ୟାସୀ ଭକ୍ତ ଉପସ୍ଥିତ ହୋଇଥିଲେ । ମହାପ୍ରୟାଣ ପରେ ଏ ପୃଥିଵୀ ପାଇଁ କିଏ ଆଉ ଜ୍ଞାନାଲୋକ ଦେଵ, ଏହା ହିଁ ସେମାନେ ଚିନ୍ତାକଲେ । ତେଣୁ ସେମାନେ ସମସ୍ତେ ଏକତ୍ରିତ ହୋଇ ଦୀପାବଳି ଦିନ ଦିହୁଡ଼ି ଜଳାଇ ଦିଵ୍ୟଜ୍ଞାନ ସନ୍ଧାନରେ ଯାଇଥିଲେ । ସେହିଦିନରୁ ଦୀପାବଳି ଦିନ ଆଲୋକ ଜଳେଇଵାର ପରମ୍ପରା ଜୈନମାନଙ୍କ ମଧ୍ୟରେ ଚାଳିଆସୁଛି । ଏହି ଅଵସରରେ ଜୈନମାନେ ଦୀପ ପ୍ରଜ୍ବଳନ ତଥା ମିଷ୍ଟାନ୍ନ ବଣ୍ଟନ କରିଥାନ୍ତି । ଜୈନ ଵ୍ୟଵସାୟୀମାନେ ହିସାବଖାତା ଓ ମୁଦ୍ରା ପୂଜାକରନ୍ତି । ସେହିଵର୍ଷ ପାଇଁ ହିସାବଖାତା ବନ୍ଦ କରାଯାଏ । ପରଵର୍ତ୍ତୀ ଆଠଦିନ କୌଣସି ଵ୍ୟଵସାୟ କରନ୍ତି ନାହିଁ । ଏହାର ନଵମଦିନରେ ଜୈନ ନଵଵର୍ଷ ପାଳିତ ହୁଏ ।

ପୁନଶ୍ଚ ଏହି ଦୀପାଵଳି ଦିନ ଭଗଵାନ ଗୌତମ ବୁଦ୍ଧ ୧୮ ଵର୍ଷ ପରେ ନିଜ ଜନ୍ମସ୍ଥାନ କପିଳଵସ୍ତୁକୁ ଫେରିଥିଲେ ବୋଲି ବୌଦ୍ଧମାନଙ୍କର ଲୋକଵିଶ୍ୱାସ ପ୍ରଚଳିତ । କୁହାଯାଏ କପିଳଵସ୍ତୁରେ ଗୌତମ ବୁଦ୍ଧଙ୍କ ସ୍ଵାଗତ ସତ୍କାର ପାଇଁ ଲକ୍ଷାଧିକ ଦୀପ ପ୍ରଜ୍ଵଳନ କରାଯାଇଥିଲା ଏଵଂ ସେହି ସମୟରେ ଗୌତମ ବୁଦ୍ଧ ତାଙ୍କ ଶିଷ୍ୟମାନଙ୍କୁ "ଆପୋ ଦୀପୋ ଭଵ" ଉପଦେଶ ଦେଇଥିଲେ । ସେବେଠାରୁ ତାଙ୍କ ସ୍ମୃତିରେ ବୌଦ୍ଧମାନେ ଦୀପାଵଳି ପର୍ଵକୁ ମହତ୍ତ୍ଵ ଦେଇ ଆସିଛନ୍ତି ‌।

ସିଖ୍ ପନ୍ଥର ଲୋକେ ଦୀପାଵଳିକୁ ବନ୍ଦୀଛୋଡ଼୍ ଦିଵସ ରୂପେ ପାଳି ଥାଆନ୍ତି ।
ଔରଙ୍ଗଜେବଦ୍ୱାରା ଶିଖ‌ଧର୍ମର ଷଷ୍ଠଗୁରୁ ହରଗୋଵିନ୍ଦ ସିଂହ ବନ୍ଦୀହୋଇ କାରାକୋଠରୀରେ ଆବଦ୍ଧ ହୋଇଥିଲେ । ଅଗଣିତ ଶିଖମାନଙ୍କର ଦୃଢ଼ ସଂଗ୍ରାମ ଯୋଗୁଁ ପରିଶେଷରେ ତାଙ୍କୁ କାରାମୁକ୍ତ କରାଗଲା । ହରଗୋଵିନ୍ଦ ସିଂହଙ୍କୁ ସ୍ୱାଗତକରିଵା ପାଇଁ ସେତେବେଳେ ସ୍ୱର୍ଣ୍ଣମନ୍ଦିରକୁ ଦୀପରେ ସଜାଯାଇଥିଲା । ସେ ଏହି ଦୀପାଵଳି ଦିନ କାରାମୁକ୍ତ ହୋଇ ଥିଵାରୁ, ଏହିଦିନଟିକୁ ଅନ୍ଧାରରୁ ଆଲୋକସନ୍ଧାନ ପ୍ରାପ୍ତିର ଦିଵସ ରୂପେ ଶିଖ ସମ୍ପ୍ରଦାୟ ପାଳିଆସୁଛନ୍ତି ।ପାରମ୍ପରିକ ଭାଵେ ଏହିଦିନରେ ଶିଖ‌୍‌ମାନେ ଗୋଇନ୍ଦଵାଲ୍ ସାହିଵ୍ ଗୁରୁଦ୍ୱାରାକୁ ତୀର୍ଥକରି ଯାଆନ୍ତି । 

କିଛି ଗଵେଷକ କୁହନ୍ତି ଦୀପାଵଳି ଏକ କୃଷିଭିତ୍ତିକ ପ୍ରାଚୀନ ପର୍ଵ ଏଵଂ ଭାରତର ଜଳଵାୟୁ ପ୍ରାୟତଃ ସମାନ ହୋଇଥିଵାରୁ ସର୍ଵଭାରତୀୟ ପର୍ଵ ରୂପେ ଏହା ପ୍ରତିଷ୍ଠିତ ହୋଇପାରିଛି ।  

ଦୀପାଵଳିକୁ ନେଇ ନାନା ଲୋକମତ ଥିଲେ ବି ଗଵେଷକମାନେ କୁହନ୍ତି ଏହା ପ୍ରକୃତରେ ଏକ କୃଷିଭିତ୍ତିକ ପର୍ଵ। ଫସଲ ଅମଳ ସମୟରେ ପୋକ ନିୟନ୍ତ୍ରଣ ପାଇଁ ଏହାର ଆୟୋଜନ ହେଉଥିବା ଅନୁମାନ କରାଯାଏ। ଅମଳ ଋତୁରେ ଶସ୍ୟକ୍ଷେତ୍ର ସମେତ ଜନଵସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧିପାଏ। କାର୍ତ୍ତିକ ଅମାଵାସ୍ୟା ପରେ ଏମାନଙ୍କ ସଂଖ୍ୟା ବୃଦ୍ଧି ପାଇଵା ଯୋଗୁଁ ଜନଜୀଵନ ଅସ୍ତଵ୍ୟସ୍ତ ହୋଇପଡ଼େ। ପ୍ରାଚୀନ କାଳରେ ଅମାଵାସ୍ୟା ପୂର୍ଵ ଓ ପରକୁ ମିଶାଇ ପାଞ୍ଚଦିନ ଦିହୁଡ଼ି, ଦୀପ ଓ ଅଗ୍ନି ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଉଥିଲା। କାର୍ତ୍ତିକ ମାସଯାକ ପୁଣି ଆକାଶଦୀପ ଜଳାଇଵାର ପରମ୍ପରା ରହିଛି । ଦୀପାଵଳି ରାତିରେ କାଉଁରିଆ କାଠି ଜଳାଇଵା ପଛରେ ମଧ୍ୟ ଏହି ଉଦ୍ଦେଶ୍ୟ ଥାଇପାରେ । 

ସେ ଯାହାବି ହେଉ ଦୀପାଵଳି ଆଲୋକର, ଦୀପଦାନର ପର୍ଵ ସେଥିପାଇଁ ଦୀପ ଓ ଆଵଳି ଶବ୍ଦକୁ ନେଇ ଦୀପାଵଳି ନାମକରଣ କରାଯାଇଛି । ଏହି ଦୀପାଵଳି ଶବ୍ଦର ଆକ୍ଷରିକ ଅର୍ଥ ଦୀପପୁଞ୍ଜ ଅଟେ । ଦୀପାଵଳି ଶବ୍ଦରେ ଯେଉଁ ଆଵଳି ଶବ୍ଦ ଅଛି ତହିଁର ଅନେକ ଅର୍ଥରେ ଵ୍ୟଵହାର ରହିଛି । ଯଥା―ଶ୍ରେଣୀ; ପଂକ୍ତି ଵା ଧାଡ଼ି,ସମୂହ,ଵଂଶ ଓ ଏକସାଜ ଇତ୍ୟାଦି । ତେବେ ଦୀପାଵଳି କ୍ଷେତ୍ରରେ ଆଵଳି ଶବ୍ଦର ଵ୍ୟଵହାର ଦୀପଗୁଡି଼କର ପଂକ୍ତି ଅର୍ଥରେ ହୋଇଅଛି । ଆମଭାଷାରେ ଦୀପାଵଳି ଶବ୍ଦ ଛଡ଼ା ଦିପାଳୀ,ଦେଆଲୀ,ଦେଵାଲୀ ଓ ଦିଆଲି ଆଦି ଦେଶଜ ଶବ୍ଦର ଵ୍ୟଵହାର ଅଧିକ ହେଉଥିଵାର ପ୍ରମାଣ ଆମେ କଥିତ ଭାଷାରେ ଚଳୁଥିଵା ଲୋକକଥା ଓ ଲୋକଵାଣୀରୁ ପାଇଥାନ୍ତି ।

ପଶ୍ଚିମ ଓଡ଼ିଶାରେ ଆଜି ଦୀପାଵଳିକୁ ଦିଆଲି କୁହନ୍ତି କିନ୍ତୁ ପୂର୍ଵେ କଟକାଞ୍ଚଳର କଥିତ ଭାଷାରେ ମଧ୍ୟ ଦୀପାଵଳିକୁ ଦିଆଲି କୁହାଯାଉଥିଲା । ଉଦାହରଣ ସ୍ୱରୂପ ନିମ୍ନୋକ୍ତ ଲୋକଵାଣୀଟି କଟକାଞ୍ଚଳର ହୋଇଥିଲେ ହେଁ ଏଥିରେ ଦିଆଲି ଶବ୍ଦର ଵ୍ୟଵହାର ହୋଇଥିଵା ଦେଖାଯାଏ
                
“ଆରେ ଛତରା ! 
 ଦଶରା ଗଲା; ଦିଆଲି ଗଲା
 ବାକି ରହିଗଲା ବାଲିଯାତରା”                                             

କାର୍ତ୍ତିକ କୃଷ୍ଣ ଅମାଵାସ୍ୟା ତିଥିରେ ଆମ ଦେଶରେ ଦୀପାଵଳି ଅନୁଷ୍ଠିତ ହୋଇଥାଏ ଏଵଂ ଏହି ତିଥିର ଵିଭିନ୍ନ ନାମ ରହିଛି । ଦୀପଦାନ ଯୋଗୁଁ ଏହାର ଦୀପାଵଳି ନାମ ସର୍ଵତ୍ର ଲୋକପ୍ରିୟ ହୋଇଥିଵାଵେଳେ ଏଇ ଧାରାରେ କାର୍ତ୍ତିକ କୃଷ୍ଣ ଅମାଵାସ୍ୟାର ଅନ୍ୟ ଏକ ନାମ ହେଉଛି ଦୀପାନ୍ଵିତା । ଦୀପାଵଳିରେ ଵାଣ ଫୁଟାଯାଉଥିଵାରୁ ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ କାର୍ତ୍ତିକ କୃଷ୍ଣ ଅମାଵାସ୍ୟାକୁ ଫଟାକି ଉଆଁସ କୁହାଯାଏ । ଆମ କଳିଙ୍ଗ ଦେଶରେ କାର୍ତ୍ତିକ କୃଷ୍ଣ ଅମାଵାସ୍ୟା ଦିନ ନିଜ ଵୀରଗତି ପ୍ରାପ୍ତ ହୁତାତ୍ମା ପୂର୍ଵଜଙ୍କ ସଦଗତି ହେତୁ ଶ୍ରାଦ୍ଧର ନିୟମ ରହିଛି ପୁଣି ଏକମାସ ଧରି ଯେଉଁ ପୂର୍ଵଜମାନେ ଆମ ସହିତ ରହିଲେ ସେମାନଙ୍କୁ ଵିଦାୟ ଦେଵାର ପରମ୍ପରା ଆମ୍ଭ ଦେଶର ନିଆରା ପରମ୍ପରା ଅଟେ । ଫଳତଃ କାର୍ତ୍ତିକ କୃଷ୍ଣ ଅମାଵାସ୍ୟାକୁ ଓଡ଼ିଶାରେ ପୟା ଅମାଵାସ୍ୟା ଵା ପିମ୍ପେଇ ଅମାଵାସ୍ୟା,ପୟାଁ ଅମେଇସା ଓ ବଡ଼ବଡ଼ିଆଡକା ଉଆଁସ ମଧ୍ୟ କୁହାଯାଏ । ଓଡ଼ିଶାରେ ଦୀପାଵଳି ସବୁଠାରୁ ନିଆରା ଏଵଂ ଏହାକୁ ଭିନ୍ନ ତଥା ସ୍ଵତନ୍ତ୍ର କରେ ପିମ୍ପେଇ ଅମାଵାସ୍ୟାରେ ବଡ଼ବଡ଼ୁଆ ଡକା ଆଉ ଅନ୍ୟାନ୍ୟ ଉତ୍କଳୀୟ ରୀତିନୀତି । 

ଦୀପାଵଳି ଦିନ ଓଡ଼ିଶାରେ କାର୍ତ୍ତିକ ଅମାଵାସ୍ୟାରେ ପୟାଶ୍ରାଦ୍ଧ ଆୟୋଜିତ ହୋଇଥାଏ ଏଵଂ ଏଥିରେ ଲୋଡ଼ାହୁଏ ପିମ୍ପେଇ କାଠି । ସାଧାରଣତଃ କାଉଁରିଆ କାଠି,ଝୋଟ,ବାଳୁଙ୍ଗା(ନୀଵାର ଧାନ୍ୟ)ଗଛ, ରାଶିଫୁଲ ଓ ସୁଆମ ଲଈ ଦେଇ ପ୍ରସ୍ତୁତ
ହୁଏ ଏହି ପିମ୍ପେଇ କାଠି । ପ୍ରଥମେ ଏହି ପିମ୍ପେଇ କାଠିକୁ ଦୁଆର କିଂଵା ଯେଉଁଠି ପୂର୍ଵପୁରୁଷଙ୍କୁ ପିଣ୍ଡ ବଢ଼ାଯାଇଥାଏ ସେଠାକୁ ଅଣାଯାଏ ଏଵଂ ତହିଁର ବନ୍ଦାପନା ପରେ ଗୃହର ଇଶାଣରେ ଵା ଇଷ୍ଟଦେଵଙ୍କ ନିକଟରେ ରଖି ମହିଳାମାନଙ୍କ ଦ୍ଵାରା ହୁଳହୁଳି ଆଦି ମଙ୍ଗଳଧ୍ଵନି ସହ ପୁଣି ବନ୍ଦାପନା କରାଯାଏ । ତହିଁ ପରେ ଭିତରଘରେ ଵା ଇଶାଣଘରେ ଜଳୁଥିଵା ଦୀପଦ୍ଵାରା ସେଥିରେ ଅଗ୍ନି ସଂଯୋଗ ହୋଇଥାଏ । ପରିଵାର ତଥା କୁଟମ୍ଵର ଆତ୍ମୀୟ ସ୍ଵଜନ ଏଥିରୁ ଗୋଟାଏ ଗୋଟାଏ ଧରି ଦାଣ୍ଡକୁ ନିଅନ୍ତି ଓ ଯାଉଥିଵା ସମୟରେ ବଡ଼ବଡୁ଼ଆ ଡାକି ଡାକି ଯାଆନ୍ତି । ପୁଣି ଦାଣ୍ଡରେ ସମସ୍ତେ ନିଜ ନିଜ ପିମ୍ପେଇ କାଠି ରଖି ପୁନଶ୍ଚ ବଡ଼ବଡୁ଼ଆଙ୍କୁ ଡାକିଥାଆନ୍ତି ।

“ବଡ଼ ବଡ଼ୁଆ ହୋ ...                  
ଅନ୍ଧାରରେ ଆସି ଆଲୁଅରେ ଯାଅ ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ”                                            

ଅଞ୍ଚଳ ଭେଦରେ ଏହି ପରମ୍ପରା ଭିନ୍ନ ଭିନ୍ନ ଭାବରେ ପାଳିତ ହୋଇଥାଏ । କେଉଁଠି କେଉଁଠି ଦେଖାଯାଏ ଯେ ଲୋକେ କାଉଁରିଆ କାଠି ବିଡ଼ାରେ ନିଆଁ ଧରାଇ ଗାଁ ବାହାରେ ଗୋବରରେ ଲିପା ହୋଇଥିଵା ଉଚ୍ଚସ୍ଥାନରେ ପଣସ ପତ୍ରରେ ନେଇ ପିଣ୍ଡ ବାଢି଼ଥାନ୍ତି । ସେଠାରେ ପିତୃପୁରୁଷଙ୍କୁ ଅତି ଶ୍ରଦ୍ଧାର ସହିତ ଛୋଟଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ନୂଆଵସ୍ତ୍ର ପିନ୍ଧି ଵିଦାୟ ସମ୍ବର୍ଦ୍ଧନା ଜଣାଇଥାନ୍ତି । ଆଉ କେତେକ ଅଞ୍ଚଳରେ
ପିମ୍ପେଇ ଅମାଵାସ୍ୟା ଦିନ ସନ୍ଧ୍ଯା ପରେ ପିଣ୍ଡଵର୍ଜ୍ଜିତ ମହାଳୟା ଶ୍ରାଦ୍ଧ କରାଯାଏ ଓ ପିତୃଲୋକଙ୍କୁ ପୁପ ଦୀପ ଅର୍ଥାତ୍ ପିଠା ଉପରେ ଦୀପ ପୋତି ଦାନ କରାଯାଏ ଏଵଂ ତହିଁ ପରେ ବଡ଼ବଡୁ଼ଆ ଡକାଯାଇଥାଏ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ପିମ୍ପେଇ ଶ୍ରାଦ୍ଧର ଏହି ରୀତିଟି ଉଲ୍ଲେଖ କରାଯାଇଛି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ ଏ ଶବ୍ଦର
ଅନ୍ୟ ଅନେକ ରୂପର ମଧ୍ୟ ଲେଖାଅଛି ଯଥା:ପିମ୍ପାଇ,ପିମ୍ପେଇ,ପିପାଇ,ପିପେଇ,ପିମ୍ପା ଶ୍ରାଦ୍ଧ,ପପୋଇ ଅମେଇସା, ପିମ୍ପା ଇଆଁଶ, ପିମ୍ପେଇ ଅମାସିଆ,
ଓ ପିମ୍ପାଇ ଅମାଇସା ଇତ୍ୟାଦି ଇତ୍ୟାଦି ।

ଭାଷାକୋଷ ଅନୁସାରେ ଏହି ପିପେଇ ଵା ପିମ୍ପେଇ ଶବ୍ଦଟି ତତ୍ସମ ପୂପାଳି କିଂଵା ପୂପଦୀପ ଶବ୍ଦ ସହିତ ସମୋଦ୍ଧୃତ । ପୂପ ଓ ଆଳୀ ଶବ୍ଦ ଯୁକ୍ତ ହୋଇ ପୂପାଳୀ ଶବ୍ଦର ସୃଷ୍ଟି । ପୂପ,ପୂପଳା ଓ ପୂପାଳୀ ଶବ୍ଦର ଅର୍ଥ ପିଠା ଏଵଂ ସାଧାରଣତଃ ଘିଅପିଠାକୁ ପୂପଳା ଓ ପୂପାଳୀ କୁହାଯାଏ । ଏହି ଜାତୀୟ ପିଠାକୁ ଆଜିକାଲି ଓଡ଼ିଶାରେ ପୁଳୀ ପିଠା କୁହାଯାଏ ଏଵଂ ପୁଳୀ ଶବ୍ଦଟି ପୂପାଳୀର ଓଡ଼ିଆ ସମୋଦ୍ଧୃତ ରୂପ ।ଓଡ଼ିଆମାନଙ୍କ ମଧ୍ୟରେ ଲୋକଵିଶ୍ବାସ ପ୍ରଚଳିତ ଯେ ପିତୃପୁରୁଷମାନେ କୁମାର ପୂର୍ଣ୍ଣିମାଠାରୁ କାର୍ତ୍ତିକ ଅମାଵାସ୍ୟା ପର୍ଯ୍ୟନ୍ତ ମର୍ତ୍ତ୍ୟଲୋକରେ ଵାସକରି ନିଜ ଵର୍ତ୍ତମାନ ଵଂଶଜମାନଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ଅଵଲୋକନ କରିଥାନ୍ତି । ପୟାଶ୍ରାଦ୍ଧ ଦିନ ଘରେ ପିତୃପୁରୁଷଙ୍କ ନିମନ୍ତେ ସ୍ଵତନ୍ତ୍ର ଖାଦ୍ୟ ପ୍ରସ୍ତୁତ ହୁଏ । ଶ୍ରାଦ୍ଧ ପାଇଁ କଦଳୀ, ନଡି଼ଆ ତଥା ଚାଉଳ ଆଦିରେ ନୈଵେଦ୍ୟ ପ୍ରସ୍ତୁତ ହୁଏ । ଉଲ୍ଲେଖ ଯୋଗ୍ୟ ଯେ ପ୍ରାଚୀନ ନୌଵାଣିଜ୍ୟ ପରମ୍ପରା ସହିତ ପିମ୍ପେଇ ଅମାଵାସ୍ୟାର ମଧ୍ୟ ସମ୍ବନ୍ଧ ରହିଛି । ସାଧଵମାନଙ୍କ ଵାଣିଜ୍ୟ ବେପାରର ଐତିହ୍ୟ ଅନୁଶୀଳନ କଲେ ଜଣାଯାଏ ଯେ ସେମାନେ ଵର୍ଷା ଚାରିମାସ ଆରମ୍ଭ ପୂର୍ଵରୁ ନୁହେଁ ଵରଂ ଵର୍ଷା ଚାରିମାସ ଚାଲିଗଲା ପରେ ଜଳପଥରେ ଵିଦେଶ ଯାଉଥିଲେ । କାରଣ ପୂର୍ଵକାଳରେ ଵର୍ଷା ଚାରିମାସ ଆରମ୍ଭ ପୂର୍ଵରୁ ସମୁଦ୍ରର ଜଳପଥ ଵିପଦପୂର୍ଣ୍ଣ ରହୁଥିଲା । ପୂର୍ଵକାଳରେ କାର୍ତ୍ତିକ ମାସରେ ମାଆ ଲକ୍ଷ୍ମୀଙ୍କୁ ଆରାଧନା କଲାପରେ କାର୍ତ୍ତିକ ଅମାଵାସ୍ୟା ଦିନ ସାଧଵ ଘରର ଵୋହୂମାନେ ବୋଇତ ପାଖକୁ ଯାଇ ତାହାର ବନ୍ଦାପନା କରୁଥିଲେ ‌। ଵାଣିଜ୍ୟପୋତ ଵ୍ୟଵସାୟ ନିମନ୍ତେ ପ୍ରଥମେ ଅନୁକୂଳ କରିଯିଵା ସମୟରେ ଓ ଵିଦେଶରୁ ଫେରିଆସିଵା ସମୟରେ ବଣିକଙ୍କ ସ୍ତ୍ରୀମାନେ ଦୁର୍ଵା,ପୁଷ୍ପ,ଶୁଭ ଫଳ ଓ ସାତଦୀପ ଆଦି ଦ୍ୱାରା ଵାଣିଜ୍ୟପୋତକୁ ବନ୍ଦାପନା କରୁଥିଲେ ସେହି ପରମ୍ପରାକୁ ବୋଇତ ବନ୍ଦାଣ ପରମ୍ପରା କୁହାଯାଉଥିଲା । ଏହି ଅଵସରରେ ଶୁଭ ମଙ୍ଗଳମୟ ବୋଇଯାତ୍ରା ସକାଶେ ଗଙ୍ଗାମାତା ଓ ମାଆମଙ୍ଗଳାଙ୍କର ଆରାଧନା କରାଯାଉଥିଲା । କାର୍ତ୍ତିକ ଅମାଵାସ୍ୟା ଦିନ ବୋଇତ ବନ୍ଦାଣ ହେଵା ପରେ ବୋଇତରେ ଵିଦେଶକୁ ଵିକ୍ରି ପାଇଁ ଯାଉଥିଵା ସୂକ୍ଷ୍ମ ଵସ୍ତ୍ର, ଭାରତୀୟ ଶସ୍ୟ ଓ ଔଷଧ ଆଦି ବୋଇତରେ ରଖାଯାଏ । କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବୋଇତରେ ଦରଵ ଭରିଵା କାମ ଚାଲେ ଏଵଂ କାର୍ତ୍ତିକ ପୂର୍ଣ୍ଣିମା ଵା ତତ୍ପର ଦିନଠାରୁ ବୋଇତରେ ବସି ସାଧଵମାନେ ଵିଦେଶକୁ ଗମନ କରନ୍ତି । ସାଧଵମାନେ ଆଫ୍ରିକା,ଏସିଆର ଵିଭିନ୍ନ ଦେଶରେ ଵାଣିଜ୍ୟ କଲାପରେ ମହା ଵିଷୁଵ ପଣା ସଂକ୍ରାନ୍ତିଠାରୁ ରଜସଂକ୍ରାନ୍ତି ମଧ୍ୟରେ ପୁଣି କଳିଙ୍ଗ ଅଭିମୁଖେ ବାହୁଡ଼ା ଯାତ୍ରା କରୁଥିଲେ । ଏହି ପ୍ରାଚୀନ ନୌଵାଣିଜ୍ୟ ପରମ୍ପରାର ଶେଷ ପାଦଚିହ୍ନ ଓଡ଼ିଆ ଘରର କ୍ରମଶଃ ଲୁପ୍ତ ହେଵାକୁ ବସିଥିଵା ବୋଇତ ବନ୍ଦାଣ ଓ ବୋଇତ ଭସାଣି ପର୍ଵ ମଧ୍ୟରେ ରହିଯାଇଛି । ଅଵଶ୍ୟ ଆଜି ଅଧିକାଂଶ ଓଡ଼ିଆ ବୋଇତ ଭସାଣି ପର୍ଵ ପାଳନ କରୁଥିଲେ ବି ବହୁତ କମ୍ ଓଡ଼ିଆଙ୍କୁ ବୋଇତ ବନ୍ଦାଣ ଵିଷୟରେ ଜଣାଅଛି । ସାରା ଓଡ଼ିଶାର ଲୋକେ ବୋଇତ ବନ୍ଦାଣ କ'ଣ ଭୁଲିଯାଇଥିଵା ବେଳେ କେଵଳ ସାଧଵ କୁଳରେ କେତେକ ପରିଵାର ମଧ୍ୟରେ ବୋଇତ ବନ୍ଦାଣ ଏକ ସାଂସ୍କୃତିକ ଅନୁଷ୍ଠାନ ରୂପେ ବଞ୍ଚିରହିଯାଇଛି ‌ । ତେବେ ଆଗେ ଓଡ଼ିଶାର ଘରେ ଘରେ ବୋଇତ ବନ୍ଦାଣ ଓ ବୋଇତ ଭସାଣି ପର୍ଵ ଅନୁଷ୍ଠିତ ହେଉଥିଲା । ଶହେ ଵର୍ଷ ତଳର ଓଡ଼ିଆ ଭାଷାକୋଷ "ପୂର୍ଣ୍ଣଚନ୍ଦ୍ର ଭାଷାକୋଷ"ରେ ଉଲ୍ଲେଖ ଅଛି ଯେ “ଆଗେ କାର୍ତ୍ତିକ ମାସରେ ଦୀପାଵଳି (ଦେବାଲୀ) ଅମାଵାସ୍ୟାର ରାତି ନ ପାହୁଣୁ ଓଡ଼ିଶାର ହିନ୍ଦୁ ଗୃହିଣୀମାନେ ଅଗଣାରେ ବୋଇତର ଚିତ୍ର ଅଙ୍କନ କରି ତହିଁ ଉପରେ ଘରର ବାକ୍ସ, ସିନ୍ଦୁକ, ପେଡ଼ି, ପେଟରା ଆଦି ରଖି ଲକ୍ଷ୍ମୀପୂଜା କରୁଥିଲେ । ପୂର୍ଵେ ଏହି ସମୟରେ ଉତ୍କଳର ସାଧଵ (ମହାଜନ) ମାନେ ଵାଣିଜ୍ୟାର୍ଥ ବୋଇତରେ ଵିଦେଶଯାତ୍ରା କରୁଥିଲେ। ସେହିପରି ରଜସଂକ୍ରାନ୍ତି ତୃତୀୟ ଦିନ ମଧ୍ୟ ସ୍ତ୍ରୀ ଲୋକମାନେ ଅଗଣାରେ ବୋଇତର ଚିତ୍ର ଅଙ୍କନ କରି ପୂଜା କରୁଥିଲେ। ଅର୍ଥାତ୍ ରଜ ସଂକ୍ରାନ୍ତି ସୁଦ୍ଧା ବୋଇତ ଵିଦେଶରୁ ବାହୁଡ଼ି ଆସୁଥିଲା।” ଵିଭିନ୍ନ ଲୋକଗୀତ ଓ ଲୋକଗଳ୍ପର ଅଧ୍ୟୟନରୁ ଜଣାଯାଏ ଯେ ଆଗକାଳରେ ଵଣିକ ପରିଵାରର ସ୍ତ୍ରୀମାନେ ଫୁଲ ଓ ଦ୍ଵୀପ ନେଇ ବୋଇତକୁ ବନ୍ଦାପନା କରିଵାକୁ ଯାଉଥିଲେ । ଅଧୁନା କେତେକ ସାଧଵ କୁଳରେ ହିଁ କେଵଳ ବୋଇତ ବନ୍ଦାଣ ପରମ୍ପରା ଏକ ସାଂସ୍କୃତିକ ଅନୁଷ୍ଠାନ ଭାବରେ ବଞ୍ଚିରହିଛି । ଏହି ଅନୁଷ୍ଠାନର ଆରମ୍ଭରେ ମୁରୁଜ ସାହାଯ୍ୟରେ ଗୋଟିଏ ବଡ଼ ବୋଇତ ଚିତ୍ର ଅଙ୍କନ କରାଯାଏ । ବୋଇତ ଚାରିପଟେ ୩/୪ ପିଢ଼ିର ସମସ୍ତ ପୁରୁଷ ବସନ୍ତି ; ଘରର ସଵୁ ଵୋହୂମାନେ ସେଠାରେ ବୋଇତକୁ ବନ୍ଦେଇ ସାଧଵଙ୍କୁ ପାଛୋଟି ନେଇଥାନ୍ତି । ବୋଇତକୁ ଘେରି ବସିଵା ପରେ ସାଧଵଙ୍କର ଆରମ୍ଭ ହୁଏ କଉଡ଼ି ଖେଳ ; ଯିଏ ଜିତେ , ସେ ହୁଏ ସେହି ଵର୍ଷର ସଵୁଠାରୁ ଉତ୍କୃଷ୍ଟ ସାଧଵ ! ତାପରେ ବୋଇତ ନିକଟରୁ କାଉଁରିଆ କାଠିରେ ନିଆଁ ଲଗାଇ ବଡ଼ବଡ଼ୁଆ ଵା ପୂର୍ଵପୁରୁଷଙ୍କୁ ଆଵାହନ କରାଯାଏ । ବୋଇତରେ ବସି ଦୂର ଦେଶକୁ ଵାଣିଜ୍ୟ ହେତୁକ ଯାତ୍ରାର ଏହା ଏକ ସାଂସ୍କୃତିକ ସନ୍ତକ । ଅଵଶ୍ୟ ଏହି ପରମ୍ପରା ଆଜି ଅନେକ ସାଧଵ ପରିଵାର ଛାଡ଼ି ସାରିଲେଣି କିନ୍ତୁ ଏହା ପ୍ରକୃତରେ ଓଡ଼ିଶାର ପ୍ରାଚୀନ ନୌଵାଣିଜ୍ୟର ସ୍ମୃତିଚିହ୍ନ ଅଟେ । ଦକ୍ଷିଣ ଓ ଦକ୍ଷିଣ ପୂର୍ଵ ଏସିଆର ଯେଉଁ ସବୁ ଦେଶରେ ଆଗେ କଳିଙ୍ଗର ନୌଵାଣିଜ୍ୟ ସମ୍ପର୍କ ଥିଲା ଫଳତଃ ତନ୍ମଧ୍ୟରେ ଅଧିକାଂଶ ଦେଶର ଭାଷାରେ ବୌଦ୍ଧ ଓ ସନାତନ ଧର୍ମ ଓ ପାଲି ଭାଷାର ପ୍ରଭାଵ ପଡ଼ିଥିଲା । ଏଥିପାଇଁ ଏହି ସବୁଦେଶରେ ଵୈଶାଖ ପୂର୍ଣ୍ଣିମା ଵା ମହାଵିଷୁଵ ପଣା ସଂକ୍ରାନ୍ତି ପରି ଦୀପାଵଳି ମଧ୍ୟ କେତେକ ଦେଶରେ ଜାତୀୟ ପର୍ଵ ଭାବରେ ପାଳନ କରାଯାଏ । ପୂର୍ଵେ ବୋଇତଯାତ୍ରାର ସବୁ ରୀତିନୀତିର ଆରମ୍ଭ ହେଉଥିଲା ପୟାଶ୍ରାଦ୍ଧଠାରୁ ଏଵଂ ଶେଷ ହେଉଥିଲା କାର୍ତ୍ତିକ ପୂର୍ଣ୍ଣିମା ପର ନୌଯାତ୍ରା ସମୟରେ ବୋଇତ ବନ୍ଦାଣ ଓ ବୋଇତ ଵିଦାରୁ ତେଣୁ ପ୍ରାଚୀନ ଓଡ଼ିଆ ନୌଵାଣିଜ୍ୟ ପରମ୍ପରାରେ କାର୍ତ୍ତିକ ଅମାଵାସ୍ୟା ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଦିଵସ ଥିଲା କହିଲେ ଅତ୍ୟୁକ୍ତି ହେଵ ନାହିଁ । ଅଵଶ୍ୟ ସାରା ଭାରତଵର୍ଷରେ ଦୀପାଵଳି ପର୍ଵକୁ ପାଳନ କରାଯାଏ କିନ୍ତୁ ଓଡ଼ିଶାର ଦୀପାଵଳି ପର୍ଵ ପ୍ରାଚୀନ ନୌଵାଣିଜ୍ୟ ସହିତ ସମ୍ବନ୍ଧିତ ଥିଵାରୁ ଏହା ସବୁଠାରୁ ନିଆରା ଓ ମୌଳିକ ହୋଇପାରିଛି । 

••••••••••••••••••••••••••
ତଥ୍ୟ: ଶିଶିର ସାହୁ ମନୋଜ ଓ ଡାକ୍ତର ଦେଵାଶିଷ ଜ୍ୟେଷ୍ଠୀ 
(ଆଲୋକ ଚିତ୍ର : ଶିଶିର ସାହୁ ମନୋଜ ଓ ଡାକ୍ତର ଦେଵାଶିଷ ଜ୍ୟୈଷ୍ଠୀ )
•••••••••••••••••••••••••

ଦୀପାଵଳିରେ ବଡ଼ବଡ଼ୁଆ ଡାକ ପଛର ଵିଜ୍ଞାନ

ଅନେକଙ୍କ ମନରେ ପ୍ରଶ୍ନ ଆସେ ବଡ଼ବଡ଼ୁଆ ଡାକ ପଛରେ କ'ଣ ଵୈଜ୍ଞାନିକ କାରଣ ରହିଛି । ତେବେ କାହିଁକି ପର୍ଵ ପାଳିତ ହେଉଛି ପ୍ରଶ୍ନର ଉତ୍ତର ବି ଆମ ପରମ୍ପରା ମଧ୍ୟରେ ହିଁ ଲୁଚି ରହିଛି । ଉତ୍କଳରେ ଦୀପାଵଳି ରାତିରେ ବଡ଼ବଡ଼ୁଆଙ୍କୁ ଡାକି କାଉଁରିଆ କାଠିର ଅଗ୍ନି ଦେଖାଇ ମେଲାଣି ଦିଆଯାଏ ଏଵଂ ତା ସହିତ ଗାୟନ କରାଯାଏ : 

“ବଡ଼ବଡ଼ୁଆ ହୋ !
 ଗଙ୍ଗା ଯା ଗୟା ଯା ଶ୍ରୀପୁରୁଷୋତ୍ତମ ଯା
ଶରଧାବାଲିରେ ଗଡ଼ଗଡା଼ଉ ଥା
ବଡ଼ବଡ଼ୁଆ ହୋ…!
ଅନ୍ଧାରେ ଆସି ଆଲୁଏ ଯା ବାଇଶି ପାବଚ୍ଛେ ଗଡ଼ଗଡା଼ଉ ଥା”
ବଡ଼ବଡ଼ୁଆ ହୋ…! ”

ଘରେ ବନ୍ଦାପନା ପରେ ପରିଵାର ଵା କୁଟୁମ୍ବଜନମାନେ ଏକତ୍ର ଏକ ସ୍ଥାନକୁ କାଉଁରିଆ କାଠି ଧରି ଯାଆନ୍ତି ଓ ପ୍ରାଚୀନ ପୂର୍ଵଜ ଓ ହୁତାତ୍ମାମାନଙ୍କୁ ବଡ଼ବଡ଼ୁଆ ଭାବେ ସମ୍ବୋଧନ କରି ସେମାନଙ୍କୁ ଡାକିଥାନ୍ତି ତଥା ଆଲୋକ ଦେଖାଇ ବାଟ ଦେଖାଇଥାନ୍ତି । ତେଣୁ ଏହି ବଡ଼ବଡ଼ୁଆ ଡାକ ସାମାଜିକ ଐକ୍ୟର ତଥା ନିଜ ପୂର୍ଵଜ ଓ ପିତୃପୁରୁଷଙ୍କୁ ସମ୍ମାନ ଦେଵାର ଶିକ୍ଷା ଦେଇଥାଏ । ପୁଣି ଏହି ବଡ଼ବଡ଼ୁଆ ଡାକ ଆମକୁ ଆହୁରି ଗୋଟିଏ କଥା ଶିଖାଏ । ପ୍ରଥମତଃ ପୂର୍ଵଵର୍ତ୍ତୀ ପିଢ଼ିକୁ ଦିନେ ନା ଦିନେ ଫେରିଯିଵାକୁ ହିଁ ହୁଏ ଆଉ ସେତେବେଳେ ତାଙ୍କୁ ମୁଖାଗ୍ନି ଦିଅନ୍ତି ପରଵର୍ତ୍ତୀ ପିଢ଼ି । ଅର୍ଥାତ୍ ବଡ଼ବଡ଼ୁଆ ଡାକ ପଛରେ "ଜୀଵନ ନଶ୍ଵର" ଏହି ଗହନ ଵାର୍ତ୍ତା ରହିଛି ! 

କିନ୍ତୁ ଗଵେଷକମାନେ କୁହନ୍ତି ଏହା କୃଷିଭିତ୍ତିକ ପର୍ଵ ହୋଇଥିଵାରୁ ପୋକଜୋକ ନିୟନ୍ତ୍ରଣର ଏକ ସାଂସ୍କୃତିକ ଆୟୋଜନ । ଦେଖାଯାଏ କାର୍ତ୍ତିକ ମାସରେ ପୋକଜୋକ ସଂଖ୍ୟା ହଠାତ୍ ବଢ଼ିଯାଏ ।‌ ଏହାକୁ ନିୟନ୍ତ୍ରଣ କରିଵା ପାଇଁ କାର୍ତ୍ତିକ ମାସରେ 
ଆକାଶଦୀପ ପୋତାଯାଏ ଏଵଂ ଦୀପାଵଳି ପର୍ଵକୁ ପାଳନ କରାଯାଏ ।‌

କେହି କେହି କୁହନ୍ତି ଏହି ସମୟରେ ଲଳିତା ଅମଳ ହୋଇଥାଏ ଏଵଂ ତାହାର କାଉଁରିଆ କାଠି ପ୍ରାୟତଃ ଅଲୋଡ଼ା ହୋଇଯାଏ । ଉକ୍ତ କାଉଁରିଆ କାଠିକୁ କାର୍ଯ୍ୟରେ ଲଗାଇ ବଡ଼ବଡ଼ୁଆ ଡାକରେ ଵ୍ୟଵହୃତ କରାଯାଇଛି ଫଳତଃ ଚାଷୀ ଓ ବେପାରୀର ଦୁଇ ପଇସା ଲାଭ ହୋଇଛି ‌। 

 ତେବେ ଉତ୍କଳରେ ସବୁ ଋତୁ ଆଗମନକୁ ସୂଚାଇଵା ପାଇଁ ଗୋଟିଏ ଗୋଟିଏ ପର୍ଵରେ
 ତହିଁର ସୂଚନା ଦିଆଯାଇଛି । 

ମହାଵିଷୁଵ ପଣା ସଂକ୍ରାନ୍ତି ଗ୍ରୀଷ୍ମ ଆଗମନ ସମୟରେ ପାଳିତ ହୁଏ ଏଵଂ ଗ୍ରୀଷ୍ମ ଆଗମନକୁ ସୂଚାଇଵା ପାଇଁ ଏହି ଅଵସରରେ ତୁଳସୀ ବୃକ୍ଷକୁ ଜଳଦାନ ତଥା ପଣାପାନର ପରମ୍ପରା ରହିଛି । 

ବର୍ଷାଋତୁ ଆଗମନର ସୂଚନା ଦେଇ ଆସେ ରଜୋତ୍ସଵ । ରଜ ପର୍ଵ ପରେ ଵର୍ଷା ଋତୁର ଆଗମନ ହୋଇଯାଏ ଏଵଂ ଏହାକୁ ସୂଚାଇଵା ପାଇଁ ସାଧଵଵୋହୂ ପୋକଙ୍କୁ ପୂଜା କରାଯାଏ । ପୁଣି ରଜପର୍ଵ ସମୟରେ ପୃଥିଵୀ ରଜସ୍ୱଳା ହେଲାପରେ ଠାକୁରାଣୀ ଗାଧୁଆ ରୂପ ଜଳାଭିଷେକ ଵର୍ଷା ଋତୁ ଆରମ୍ଭ ହୋଇ ପୃଥିଵୀରେ ନୂତନ ଜୀଵ ଓ ପାଦପ ସୃଷ୍ଟିର ସଂକେତ ଦିଆଯାଇଛି ।‌

 ସେହିପରି ଦୀପାଵଳି ସମୟରେ ବଡ଼ବଡ଼ୁଆ ଡାକି କାଉଁରିଆ କାଠିରେ ଅଗ୍ନି ସଂଯୋଗ କରିଵା ଆଗକୁ ଆସୁଥିଵା ଶୀତ ଋତୁରେ ଶୀତଠାରୁ ସତର୍କ ରହିଵାର ସଂକେତ ରୂପେ ପାଳିତ ହୋଇଅଛି । 

 କଳିଙ୍ଗୋଡ୍ରୋ଼ତ୍କଳ ଏଥିପାଇଁ ଅନନ୍ୟ କାରଣ ଏହି ମାଟିର ପ୍ରତ୍ୟେକ ପର୍ଵ ପଛରେ ରହିଛି ଵୈଜ୍ଞାନିକ କାରଣ...

Wednesday, November 8, 2023

ବାଲେଶ୍ବର ଜିଲ୍ଳାର ଶବ୍ଦ ଗଡ଼ିଆଗୁଳାଣ

ବାଲେଶ୍ବର ଜିଲ୍ଳାରେ ଅନେକ ନିଆରା ତଥା ଅଜଣା ଅଶୁଣା ଶବ୍ଦ ରହିଛି ଯାହା ଵିଷୟରେ ଅଧିକ ଆଲୋଚନା ହୋଇନାହିଁ । କଥିତ ଓଡ଼ିଆ ଶବ୍ଦକୋଷରେ ଏହିପରି ଏକ ଶବ୍ଦ ଗଡ଼ିଆଗୁଳାଣ ଅଛି । 

“ଦଳେ ଲୋକ ଜାଲ ଦ୍ଵାରା ଏକ ସମୟରେ ଝୁରି ଵା ମାଛ ମାରି ମାଲିକକୁ ଧରିଥିଵା ମାଛରୁ ଅଧେ ଦେଵା ପ୍ରକ୍ରିୟାର ନାମ ଗଡ଼ିଆଗୁଳାଣ ।”

•ଓଡ଼ିଆ ଭାଷାରେ ଗଡ଼ ଵା ନଗରର ଅଧିଵାସୀଙ୍କୁ ଗଡ଼ିଆ କୁହନ୍ତି।
ଗଡ଼ଜାତର ଲୋକଙ୍କୁ ଗଡ଼ିଆ କୁହାଯାଏ।
ଯେଉଁ ବଳଦ ଵା ଶଗଡ଼ରେ ଯୋଚା ହେଲେ ଭୂଇଁରେ ଶୋଇ ପଡ଼େ ଓ ଗଡ଼େ (ଚାଲେ ନାହିଁ) ତାକୁ ଗଡ଼ିଆ(ବଳଦ, ଶଗଡ଼) କୁହାଯାଏ ।
•ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଆଗେ ବାଲେଶ୍ଵର ଜିଲ୍ଲାରେ ହିଁ ବଡ଼ମାକଡ଼ସାଙ୍କୁ ଗଡ଼ିଆ କୁହାଯାଉଥିଲା । 
ଗଡ଼ ହୋଇଥିଵା କାଠକୁ ଗଡ଼ିଆ କହିଥାନ୍ତି
ଗଡ଼ ସମ୍ବନ୍ଧୀୟ ଵ୍ୟକ୍ତି,ସ୍ଥାନ ଓ ଦରଵ ଆଦିକୁ ମଧ୍ୟ ଗଡ଼ିଆ କୁହାଯାଏ
ଗାଡ଼ିଆ ଵା ଛୋଟ ପୁଷ୍କରିଣୀକୁ ବି ଗଡ଼ିଆ କୁହାଯାଏ ।

ତେବେ ସମ୍ଭଵତଃ ଗଡ଼ିଆଗୁଳାଣ ଶବ୍ଦ କ୍ଷେତ୍ରରେ ପୁଷ୍କରିଣୀ ଅର୍ଥଜ ଗଡ଼ିଆ ଶବ୍ଦ ଗୃହୀତ ହୋଇଛି। କିନ୍ତୁ ଗୁଳାଣ ଶବ୍ଦର ଅର୍ଥ କ'ଣ? 

ଆଗକାଳରେ ଏଵଂ ଆଜି ବି କେଉଁଠି କେଉଁଠି ଗୁଳ ପକେଇ ଭାଗବଣ୍ଟା ହୋଇଥାଏ । ଗୁଳଗୁଳା କହିଲେ ଗୋଲା ଵା ଗୋଟିକା । ଆଗେ ପ୍ରାୟତଃ ଏହାର ଵ୍ୟଵହାର ଅଧିକ ଥିଲା । ଲୋକେ ଗୁଳ ଵା ଗୁଳା ପକେଇ ଜମିବାଡ଼ି ଓ ଦରଵ ଆଦି ଭାଗ କରୁଥିଲେ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ "ଜୁଆ ଵା ଶୁର୍ତ୍ତି ଖେଳରେ ଓ ବଣ୍ଟରା ହେଉଥିଵା ପଦାର୍ଥ ଉପରେ ପକାଯିଵା ଲେଖା କାଗଜର ଗୁଟିକାକୁ 'ଗୁଳ' କୁହାଯାଉଥିଲା । ସେହିପରି 
"ଗୁଳ ପଡ଼ି ଭୂମିବାଡ଼ି ବଣ୍ଟାହେଵା ନିରୂପଣ ପତ୍ର"କୁ ଲୋକେ ଗୁଳା କହୁଥିଲେ । 

ପୁଣି ଭାଷାକୋଷରେ ଗୁଳା ଦେଵା,ଗୁଳା ପଡ଼ିଵା କ୍ରିୟାଶବ୍ଦ ବି ଅଛି । "ଅଂଶ ଵା ଭାଗ ନିରୂପଣ କରିଵା ସକାଶେ ଗୁଳା ପକାଇଵାକୁ ଗୁଳାଦେଵା ଓ ଗୁଳା ପଡ଼ିଵା କୁହନ୍ତି" ‌। ଆଉ ଏକ କ୍ରିୟାଶବ୍ଦ ଗୁଳା ପକାଇଵାର ଅର୍ଥ ମଧ୍ୟ ଭାଷାକୋଷରେ ଲିଖିତ ଅଛି । ଆଗେ "ବଣ୍ଟରାରେ ଭିନ୍ନ ଭିନ୍ନ କଚ୍ଛ ଉପରେ କାଗଜର ଗୁଳା ରଖି ଯେଉଁ କଛ ଯେଉଁ ଅଂଶୀଦାରର ଭାଗରେ ପଡ଼ୁଥିଲା ତାହା ଭାଗ୍ୟ ଅନୁସାରେ ସ୍ଥିର କରାଯାଉଥିଲା ଏଵଂ ତାକୁ ଗୁଳା ପକେଇଵା କହୁଥିଲେ”

ତେଣୁ ସମ୍ଭଵତଃ ବାଲେଶ୍ଵର ଜିଲ୍ଲାର "ଗଡ଼ିଆଗୁଳାଣ" ଶବ୍ଦଟି ଭାଗବଣ୍ଟା ଅର୍ଥରେ ଵ୍ୟଵହାର କରାଯାଏ ବୋଲି ଏହାର ସମ୍ବନ୍ଧ ଗୁଳ,ଗୁଳା,ଗୁଳା ଦେଵା,ଗୁଳା ପଡ଼ିବା ଓ ଗୁଳା ପକାଇଵା ଆଦି ଶବ୍ଦ ସହିତ ଥାଇପାରେ । 
କିନ୍ତୁ ଗୁଳାଣ ଶବ୍ଦଟି ଗୋଳେଇଵା ଶବ୍ଦ ସହିତ ମଧ୍ୟ ସମ୍ବନ୍ଧିତ ହୋଇଥାଇପାରେ। ଗଡ଼ିଆ ଗୋଳେଇ ଵା ବହୁଲୋକ ଗଡ଼ିଆ/ଗାଡ଼ିଆ ଜଳ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରି ମାଛ ଧରିଵାକୁ ହୁଏତ ଗଡ଼ିଆ ଗୁଳାଣ କୁହାଯାଉଥିଵ ।‌

(ତଥ୍ୟ : ପୂର୍ଣ୍ଣଚନ୍ଦ୍ର ଭାଷାକୋଷ/ତଥ୍ୟ ଓ ଚିତ୍ର : କଥିତ ଓଡ଼ିଆ ଶବ୍ଦକୋଷ)

Wednesday, November 1, 2023

ଭୂତଦର୍ଶୀ

ପୃଥିଵୀରେ ଭୀଷଣ ପରମାଣୁ ଯୁଦ୍ଧ ଲାଗିଯିଵାରୁ ମାନଵ ସଭ୍ୟତା ଆଉଥରେ ପ୍ରସ୍ତର ଯୁଗରେ ପହଞ୍ଚିଗଲା । ବହୁତ କଷ୍ଟରେ ମନୁଷ୍ୟମାନେ ପୁଣି ସଭ୍ୟ ହେଲେ ଏଵଂ ଆଉଥରେ କେତେକ ଅଞ୍ଚଳରେ ରାଜତନ୍ତ୍ର ପ୍ରତିଷ୍ଠିତ ହେଲା । ପରମାଣୁ ଯୁଦ୍ଧର ୧୦୦୦ ଵର୍ଷ ପରେ ଦୁଇଜଣ ଅଲୌକିକ ଶକ୍ତି ପ୍ରାପ୍ତ ଵ୍ୟକ୍ତି ଜନ୍ମ ଲଭିଲେ । ସେମାନେ ଘନିଷ୍ଠ ବନ୍ଧୁ ଥିଲେ ଏଵଂ ସେମାନେ ପୃଥିଵୀର ଵିଭିନ୍ନ ଦେଶ ଭ୍ରମଣ କରୁଥିଲେ । ଵସ୍ତୁକୁ ଦେଖି ସେମାନେ ଅତୀତ ଦେଖିପାରୁଥିଲେ ଵା ଜାଣିପାରୁଥିଲେ । ମୋଟ ଉପରେ କହିଵାକୁ ଗଲେ ଏ ଉଭୟେ ଭୂତ ଵା ଅତୀତକୁ ରସାୟନର ଅନୁଶୀଳନ ଦ୍ଵାରା ଜାଣିପାରୁଥିଲେ ତେଣୁ ସେମାନେ ଭୂତଦର୍ଶୀ ଭାଵେ ଜଗତରେ ଚିହ୍ନାଗଲେ ।

ଦୁଇଜଣଯାକ ଭୂତଦର୍ଶୀ ଅନେକ ଛୋଟ ବଡ଼ ଗାଁ ନଗର ଅତିକ୍ରମ କରି ଗୋଟିଏ ରାଜ୍ୟରେ ପହଞ୍ଚିଲେ । ଉଭୟଙ୍କର ଦ୍ରଵ୍ୟକୁ ଦେଖି ଭୂତ ଵା ଅତୀତ କହିପାରିଵାର ଗୁଣ ଅଛି ବୋଲି ଜାଣି ସେମାନଙ୍କୁ ରାଜାଙ୍କ ଦରବାରକୁ ସ୍ୱାଗତ କରିଵା ସହ ଅତିଥି ଭାବେ ରହିଵାକୁ ଅନୁରୋଧ କରାଗଲା । ସେମାନେ ସମ୍ମତି ଜଣାଇ ଆତିଥ୍ୟ ସ୍ଵୀକାର କଲେ, କିନ୍ତୁ ଯେତେବେଳେ ସେମାନଙ୍କ ମଧ୍ୟରେ ଜଣକୁ ଭାତ ଦିଆଗଲା, ସେତେବେଳେ ସେ ଖାଦ୍ୟଦ୍ରଵ୍ୟ ଖାଇଵାକୁ ଉକ୍ତ ଭୂତଦର୍ଶୀ ସ୍ପଷ୍ଟ ମନା କରିଦେଲା । ଅନ୍ୟ ଜଣକ ସେହିପରି ତୁଣ ବି ଖାଇଵାକୁ ଅରାଜି ହେଲା। ରାଜାଙ୍କୁ ଏକଥା ଜଣାଗଲାରୁ ସେ ଆସି ସେହି ଦୁଇଜଣଙ୍କୁ ଖାଦ୍ୟ ଖାଇଵାକୁ ମନା କରିଵା ପଛର କାରଣ ଜିଜ୍ଞାସା କଲେ ‌ ।

ପ୍ରଥମ ଵ୍ୟକ୍ତି କହିଲା ,"ହେ ରାଜନ୍ ! ମୋତେ ଯେଉଁ ଭାତ ଦିଆଯାଇଛି ତାହା ହଜାର ହଜାର ଲୋକ ମରିଥିଵା ଏକ ଏଭଳି ଅଭିଶପ୍ତ ଭୂଭାଗରୁ ଉତ୍ପାଦିତ ହୋଇଛି ଜାଣିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିଵ ।"

 ତାପରେ ରାଜା ଦ୍ଵିତୀୟ ଜଣକୁ ତୁଣ ନ ଖାଇଵାର କାରଣ ପଚାରନ୍ତେ ସେ ଲୋକଟି କହିଲା "ହେ ରାଜା ! ତୁଣରେ ପଡ଼ିଥିଵା ଏହି ପନିପରିଵାଗୁଡ଼ିକ ଯୋଉ ଭୂମିରେ ଉତ୍ପନ୍ନ ହୋଇଥିଲା ତାହା ତଳେ ହଜାର ହଜାର ଲୋକଙ୍କ କଙ୍କାଳ ଏବେ ବି ପୋତା ହୋଇଛି ।"
 
 ସତ୍ୟତା ପରୀକ୍ଷା କରିଵା ପାଇଁ ରାଜା କିଛି ଗଵେଷକଙ୍କୁ କାମରେ ଲଗାଇ ଦେଲେ । ଵର୍ଷେ ପରେ ଯେଉଁ କଥା ସାମ୍ନାକୁ ଆସିଲା ତାହା ସମସ୍ତଙ୍କ ପାଇଁ ହୃଦୟଵିଦାରକ ଥିଲା । ରାଜାଙ୍କୁ ମିଳିଥିଵା ରିପୋର୍ଟ’ର ସାରମର୍ମ ଏମନ୍ତ...

“-ଵୈଶ୍ଵିକ ପରମାଣୁ ଯୁଦ୍ଧ ପୂର୍ଵରୁ ଗୋଟିଏ ଅଞ୍ଚଳରେ ଗୋଟିଏ ଜାତିର ସମୁଦ୍ରକୂଳିଆ ଓ ପାହାଡ଼ିଆ ଲୋକଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ରାଜ୍ୟରୁ ଉକ୍ତ ଦେଶକୁ ଵ୍ୟାପିଗଲା । ସମସ୍ୟା ଏତେ ଭୀଷଣ ହେଇଗଲା ଯେ ଉକ୍ତ ବଡ଼ ଦେଶରେ ଵିଭାଜନ ଭଳି ସମସ୍ୟା ଦେଖାଗଲା । ସେତେବେଳେ ଯିଏ ସେହି ଦେଶର ପ୍ରଧାନମନ୍ତ୍ରୀ ଥିଲା ସେ ଗୋଟିଏ ନିଷ୍ଠୁର ନିର୍ଣ୍ଣୟ ନେଇ ନିଜ ଦେଶର ସେହି ରାଜ୍ୟର ଲୋକଙ୍କୁ ଦମନ କରିଵା ପାଇଁ ସେନା ପଠାଇ ଦେଲା ଏଵଂ ସୈନିକମାନେ ଆସି ସେ ରାଜ୍ୟର ପାର୍ଵତ୍ୟାଞ୍ଚଳରେ କ୍ୟାମ୍ପ କଲେ । ପାହାଡ଼ିଆ ନେତାମାନେ ସେନାର ଲୋକଙ୍କୁ ସବୁ ସାହାଯ୍ୟ ସହଯୋଗ ଦେଇ ଉପକୂଳର ଲୋକଙ୍କୁ ମାରିଵା କ୍ଷେତ୍ରରେ ସାହାଯ୍ୟ କଲେ । ଯୋଉ ପାହାଡ଼ିଆ ଲୋକ ଏଥିରେ ଵିରୋଧ କଲା ତାକୁ ହତ୍ୟା କରାଗଲା । ଚାହୁଁ ଚାହୁଁ ଦିନ କେତଟା ମଧ୍ୟରେ ସେ ରାଜ୍ୟର କୋଟି କୋଟି ଲୋକ ମଲେ ଆଉ ଯୋଉ କେତେକ ବଞ୍ଚିଲେ ସେମାନେ ପଳାୟନ କଲେ । ତାପରେ ପାହାଡ଼ିଆଙ୍କ ପାଳି ପଡ଼ିଲା, ସେମାନଙ୍କୁ ମାରିମୁରା କରି ସୈନିକମାନେ ଵଣ ଜଙ୍ଗଲରେ ପୋତି ଫିଙ୍ଗି ଫେରି ଆସିଲେ । 
ତାପରେ ଭିନ୍ନ ଭିନ୍ନ ଅଞ୍ଚଳରୁ ଲୋକ ଆସି ସେଠି ରହିଲେ ,ନିଜ ଭାଷା ସଂସ୍କୃତି ଚଳାଇଲେ । ଏହାର କିଛି ଦଶନ୍ଧୀ ପରେ ପରମାଣୁ ଯୁଦ୍ଧ ଲାଗିଯିଵାରୁ ସେମାନେ ମଧ୍ୟ ମଲେ । ଆମ୍ଭ ରାଜ୍ୟ ଯୋଉଠି ଅଛି ସେଇଠି ଆଗେ ସେ ରାଜ୍ୟ ଥିଲା ।...”

ଏ ରିପୋର୍ଟ ପଢ଼ି ରାଜା ଦୀର୍ଘ ନିଃଶ୍ଵାସ ନେଇ କହିଲେ, “ଆମ ପୂର୍ଵଜଙ୍କ ସହିତ ଏତେ ଅନ୍ୟାୟ ହୋଇଥିଲା ? ସତରେ ଦୁଇ ବିରାଡ଼ି ପିଠା ପାଇଁ ଲଢ଼େଇ କଲେ ମାଙ୍କଡ଼କୁ ଲାଭ ନିଶ୍ଚୟ ହେଵ ହିଁ ହେଵ...”
ରାଜା ଆଉ କିଛି କହିପାରିଲେ ନାହିଁ, ତାଙ୍କ ଚକ୍ଷୁ ଅଶ୍ରୁପୂର୍ଣ୍ଣ ତଥା ମୁଖମଣ୍ଡଳ ମଳୀନ ପଡ଼ିଯାଇଥିଲା...

××××××××××××××××××××
••#ଵିଚ୍ଛନ୍ନତାଵାଦୀହିତୋପଦେଶ••
 ••••••••••ଗଳ୍ପ - ୨••••••••••
××××××××××××××××××××
ଅତୀତ-ଵର୍ତ୍ତମାନ ଓ ଭଵିଷ୍ୟତ ପରସ୍ପର ସହିତ ଜଡ଼ିତ। ଅତୀତରେ ଘଟିଥିଵା ଵା ଵର୍ତ୍ତମାନରେ ଘଟୁଥିଵା କୌଣସି ବି ଘଟଣା ଭଵିଷ୍ୟତ ପାଇଁ ଵିପଜ୍ଜନକ ହୋଇପାରେ । 
ଅସମ୍ଭଵ କିଛି ନୁହେଁ, କୌଣସି ନା କୌଣସି ସମାନ୍ତରାଳ ବ୍ରହ୍ମାଣ୍ଡରେ ଏମିତି ବି ଵା ଏହିଭଳି କୋଉଠି ନା କୋଉଠି ହୋଇନଥିଵ ଵା ଆଗକୁ ହେଵ ନାହିଁ ବୋଲି କିଏ କହିଵ ? ହୁଏତ ଆଗକୁ ଏଇ ବ୍ରହ୍ମାଣ୍ଡରେ ଆମ ସହିତ ବି ହୋଇଯାଇପାରେ...! ଗୋଟିଏ ଜାତିର ଜୀଵ ହୋଇ ବି ଛୋଟ ଛୋଟ କଥାକୁ ନେଇ ପରସ୍ପର ସହିତ ଲଢ଼ିଲେ ତୃତୀୟ ଜୀଵଟିଏ ଲାଭ ନିଏ । ସେ ତୃତୀୟ ଜୀଵର ଆସନରେ ମର୍କଟକୁ ବସାଅ କି ପରଗ୍ରହୀକୁ ବସାଅ,ବିଡ଼ାଳ ଵିଵାଦରେ ଚକୁଳି ସବୁବେଳେ ସେହି ତୃତୀୟ ଜୀଵକୁ ହିଁ ମିଳିଆସିଛି ମିଳିଚାଲିଥିଵ । ଯେତେଦିନ ଯାଏଁ ବିଡ଼ାଳମାନେ ସଜାଗ ହୋଇନାହାନ୍ତି,ପିଠା ସବୁ ଥର ସଦାବେଳେ ମାଙ୍କଡ଼ ଖାଇ ଚାଲିଥିଵ...!
××××××××××××××××××××




ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...