Sunday, June 29, 2025

•ଗିଲଗାମେଶଙ୍କ କାହାଣୀ(Epic of Gilgamesh)•

ପ୍ରାଚୀନ ମଧ୍ୟପ୍ରାଚ୍ୟର ଧୂଳିମୟ ସମତଳ ଅଞ୍ଚଳରେ ସୂର୍ଯ୍ୟ ତା’ର ସୁନେଲି ରଶ୍ମିରେ ପୃଥିଵୀକୁ ଆଲୋକିତ କରୁଥିଲା ଆଉ ସେଠି ଗଢ଼ିଉଠିଥିଲା ଗୋଟିଏ ସୁନ୍ଦର ସୁରମ୍ୟ ଵିରାଟ ନଗରୀ । ସେ ନଗରୀକୁ ଲୋକେ ଉରୁକ ନଗରୀ ନାମରେ ଜାଣିଥିଲେ । ଏହି ମହାନ ନଗରୀର ଅତ୍ୟୁଚ୍ଚ ପ୍ରାଚୀର ଦେଵଲୋକ ପର୍ଯ୍ୟନ୍ତ ଵ୍ୟାପିଥିଲା । ଉରୁକ ନଗରୀର ରାଜା ଥିଲେ ଗିଲଗାମେଶ । ସେ ଜଣେ ଦିଵ୍ୟ ପୁରୁଷ, ଯାହାଙ୍କର ଶରୀରରେ ଦୁଇ-ତୃତୀୟାଂଶ ଦୈଵୀ ରକ୍ତ ଓ ଏକ-ତୃତୀୟାଂଶ ମାନଵୀୟ ଆତ୍ମା ବହି ଚାଲିଥିଲା। ତାଙ୍କ ଉଚ୍ଚତା ଗଛ ପରି, ଶକ୍ତି ଝଡ଼ ପରି, ଆଉ ସୌନ୍ଦର୍ଯ୍ୟ ସକାଳର ଆକାଶ ପରି ଥିଲା। କିନ୍ତୁ ତାଙ୍କ ହୃଦୟରେ ଅହଂକାର କଳା ପର୍ଵତାକାର ଜମି ରହିଥିଲା। ସେ ନିଜ ପ୍ରଜାଙ୍କୁ କଠୋର ହସ୍ତରେ ଶାସନ କରୁଥିଲେ, ଯୁଵକମାନଙ୍କୁ ଯୁଦ୍ଧକୁ ପଠାଉଥିଲେ, ଆଉ ନିଜ ଇଚ୍ଛାରେ ସମସ୍ତଙ୍କ ଜୀଵନକୁ ଚଳାଉଥିଲେ।

ପ୍ରଜାଙ୍କ ଆକ୍ରୋଶ ଦେଵତାଙ୍କ କାନରେ ପହଞ୍ଚିଲା। ଆକାଶରେ ବସିଥିଵା ଦେଵୀ ଆରୁରୁ ଶୁଣିଲେ ଏହି ଅଭିଯୋଗ, ଆଉ ସେ ଗିଲଗାମେଶଙ୍କୁ ଦୃଢ଼ ହସ୍ତରେ ଆୟତ୍ତ କରିଵାକୁ ନିର୍ଣ୍ଣୟ ନଲେ । ଆରୁରୁ ଦେଵୀ ମାଟି ଓ ପଵନରେ ଏକ ନୂଆ ଜୀଵ ଗଢ଼ିଲେ ଯାହାକୀ ଏଙ୍କିଡୁ ନାମ ଦିଆଗଲା । ଏଙ୍କିଡୁ ଥିଲେ ଜଙ୍ଗଲର ପୁଅ, ତାଙ୍କ ଶରୀର ପଶୁମାନଙ୍କ ପରି ଲୋମଶ, ଆଉ ମନ ନିର୍ମଳ ଓ ମୁକ୍ତ। ସେ ଜଙ୍ଗଲରେ ହରିଣ ଓ ସିଂହମାନଙ୍କ ସହ ଦୌଡ଼ୁଥିଲେ କିନ୍ତୁ ଜଣେ ଯୁଵତୀ ଶାମହାତ୍, ତାଙ୍କୁ ମାନଵ ସଭ୍ୟତାର ପାଠ ଶିଖାଇ ଉରୁକ ନଗରୀକୁ ଆଣିଲେ।

ଉରୁକର ରାସ୍ତାରେ ଗିଲଗାମେଶ ଓ ଏଙ୍କିଡୁ ମୁହାଁମୁହିଁ ହେଲେ। ଏକ ଭୟଙ୍କର ଲଢ଼େଇ ଆରମ୍ଭ ହେଲା—ପଥର ଚୂର୍ଣ୍ଣ ହେଲା, ଧୂଳି ଉଡ଼ିଲା, ଆଉ ନଗରୀ କମ୍ପି ଉଠିଲା। କିନ୍ତୁ ଶେଷରେ, ଯେତେବେଳେ ଉଭୟେ ଥକି ପଡ଼ିଲେ, ସେମାନେ ପରସ୍ପରର ଶକ୍ତିକୁ ଦେଖି ହସିଦେଲେ। ସେହି ମୁହୂର୍ତ୍ତରୁ ସେମାନେ ହେଲେ ଅତୁଟ ବନ୍ଧୁ, ଠିକ୍ ଯେମିତି ମେସୋପୋଟାମିଆରେ Tigris ଓ Euphrates ନଦୀ ମିଶି ଏକ ହୋଇଯାଆନ୍ତି।

ଗିଲଗାମେଶଙ୍କ ମନରେ ଏକ ନୂଆ ଅଭିଳାଷ ଜାଗିଲା—ସେ ନିଜ ନାମକୁ ଅମର କରିଵା ଦେଵାକୁ ଇଚ୍ଛାକଲେ । ଗିଲଗାମେଶ ନିଜ ବନ୍ଧୁ ଏଙ୍କିଡୁଙ୍କୁ କହିଲେ, “ଆସ, ସିଡାର ଜଙ୍ଗଲକୁ ଯିଵା, ଯେଉଁଠି ରାକ୍ଷସ ହୁମ୍ବାବା ରହିଛି। ତାକୁ ମାରି ଆମେ ଵିଶ୍ୱରେ ନାଁ ରଖିବା।” ଏଙ୍କିଡୁ ସହମତ ହେଲେ, ଆଉ ଦୁହେଁ ବାହାରି ପଡ଼ିଲେ। ଜଙ୍ଗଲରେ ହୁମ୍ବାବାର ଗର୍ଜନ ପାହାଡ଼କୁ କମ୍ପାଇ ଦେଉଥିଲା, ତା’ର ଅଗ୍ନିମୟ ନିଶ୍ୱାସ ଗଛକୁ ଜାଳି ଦେଉଥିଲା। କିନ୍ତୁ ଗିଲଗାମେଶଙ୍କ ଖଡ଼୍ଗ ଓ ଏଙ୍କିଡୁଙ୍କ ସାହସ ସାମ୍ନାରେ ହୁମ୍ବାବା ନଇଁ ପଡ଼ିଲା। ସେମାନେ ଜୟୀ ହୋଇ ଫେରିଲେ, କିନ୍ତୁ ଦେଵତାମାନେ ଭୀଷଣ ଅସନ୍ତୁଷ୍ଟ ହେଲେ ।

ଦିନେ ସୌନ୍ଦର୍ଯ୍ୟ ଓ ଯୁଦ୍ଧର ଦେଵୀ ଇଷ୍ଟାର ଗିଲଗାମେଶଙ୍କୁ ଦେଖି ମୋହିତ ହେଲେ। ସେ ତାଙ୍କୁ ପ୍ରେମ ନିଵେଦନ କଲେ, କିନ୍ତୁ ଗିଲଗାମେଶ ତାଙ୍କ ଅତୀତର କଥା ମନେ ପକାଇ କହିଲେ, “ତୁମେ ତୁମ ପ୍ରେମିକମାନଙ୍କୁ ଧୋକା ଦେଇଛ, ମୋତେ ତୁମେ ଧୋକା ଦେଵନି ବୋଲି କିଏ କହିପାରିଵ ?” ରାଗରେ ଇଷ୍ଟାର ସ୍ଵର୍ଗକୁ ଗଲେ ଆଉ ଦେଵତା ଅନୁଙ୍କୁ ସର୍ଗର ଏକ ଭୟଙ୍କର ବୃଷଭ ଗୁଗଲାନ୍ନା (Gugalanna)ଙ୍କୁ ମର୍ତ୍ତ୍ୟଲୋକକୁ ପଠାଇଵାକୁ କହିଲେ। ଏହି ବୃଷଭ ଉରୁକରେ ଆସି ଘର ବାଡ଼ି ଯାହା ପାଇଲା ଭାଙ୍ଗି ପକାଇଲା, କିନ୍ତୁ ଗିଲଗାମେଶ ଓ ଏଙ୍କିଡୁ ମିଳିତ ଭାବେ ତାକୁ ମାରି ପକାଇଲେ। ଜନତା ଉଲ୍ଲାସ କଲେ, କିନ୍ତୁ ଦେଵତାଙ୍କ ମନରେ କ୍ରୋଧ ଦ୍ଵିଗୁଣିତ ହୋଇଗଲା ।

ଦେଵତାମାନେ ସଭା ବସାଇ ନିଷ୍ପତ୍ତି ନେଲେ—ଏଙ୍କିଡୁକୁ ମରିଵାକୁ ପଡ଼ିଵ। ଦୈଵୀ କୋପରୁ ଏଙ୍କିଡୁଙ୍କୁ ଏକ ରୋଗ ଗ୍ରାସ କଲା। ଦିନ ଗଡ଼ି ଚାଲିଲା, ଏଙ୍କିଡୁ ଦୁର୍ବଳ ହୋଇ ପଡ଼ିଲେ, ଆଉ ଗିଲଗାମେଶ ତାଙ୍କ ପାଖରେ ବସି ଅଶ୍ରୁ ଝରାଇଲେ। “ମୋ ଭାଇ, ମୋତେ ଛାଡ଼ି କାହିଁକି ଚାଲିଗଲ?” ସେ ଚିତ୍କାର କରି କହିଲେ, ଯେତେବେଳେ ଏଙ୍କିଡୁଙ୍କ ଆଖି ଚିରଦିନ ପାଇଁ ବନ୍ଦ ହୋଇଗଲା। ଗିଲଗାମେଶଙ୍କ ହୃଦୟ ଖଣ୍ଡ ଖଣ୍ଡ ହୋଇଗଲା, ଆଉ ତାଙ୍କ ମନରେ ଏକ ନୂଆ ଭୟ ଜନ୍ମିଲା—ମୃତ୍ୟୁର ଭୟ।


ଗିଲଗାମେଶ ଅମରତ୍ୱର ରହସ୍ୟ ଜାଣିଵାକୁ ଚାହିଁ ଜଙ୍ଗଲ, ପାହାଡ଼, ଓ ସମୁଦ୍ର ପାର ହୋଇ ଉତ୍ନାପିଷ୍ଟିମ୍ ନାମକ ଜଣେ ବୃଦ୍ଧଙ୍କ ସନ୍ଧାନରେ ଲାଗିପଡ଼ିଲେ । ଉତ୍ନାପିଷ୍ଟିମ୍ ଥିଲେ ଜଣେ ମଣିଷ, ଯିଏ ମହାପ୍ରଳୟରୁ ବଞ୍ଚି ଦେଵତାଙ୍କଠାରୁ ଅମରତ୍ୱ ପାଇଥିଲେ।

ଉତ୍ନାପିଷ୍ଟିମ୍‌ଙ୍କ କାହାଣୀ ପ୍ରାଚୀନ ମେସୋପଟାମିଆର ଅମରଗାଥା ହୋଇ ରହିଛି । ଉତ୍ନାପିଷ୍ଟିମ୍‌ ଶୁରୁନ୍ନା ନଗରୀର ବାସିନ୍ଦା, ଜଣେ ସାଧାରଣ ମଣିଷ, ଯାହାର ଜୀଵନ ମାଟିରେ କାମ କରିଵା, ପରିଵାର ପାଳିଵା ଓ ଦେଵାତାଙ୍କୁ ପ୍ରାର୍ଥନା କରିଵାରେ କଟିଯାଉଥିଲା । କିନ୍ତୁ ତାଙ୍କ ନିରୀହ ଜୀଵନ ଏକ ମହାନ ଘଟଣାର ସାକ୍ଷୀ ହେଵାକୁ ଯାଉଥିଲା, ଯାହା ତାଙ୍କୁ ଅମରତ୍ୱର ପଥରେ ନେଇଗଲା।

ଦିନେ ଦୈଵୀ ଯୋଗକୁ ଆକାଶ କଳା ମେଘରେ ଢାଙ୍କି ହୋଇଗଲା। ଅନୁ ଓ ଏନ୍‌ଲିଲ୍ ଆଦି ଦେଵତାମାନେ ମଣିଷର କୋଳାହଳ ଓ ଅହଂକାରରୁ କ୍ଷୁବ୍ଧ ହୋଇ ଏକ ଭୟଙ୍କର ନିଷ୍ପତ୍ତି ନେଲେ—ସେମାନେ ପୃଥିଵୀକୁ ଏକ ମହାପ୍ରଳୟରେ ଧ୍ୱଂସ କରିବେ। କିନ୍ତୁ ଦେଵତା ଏଆ (ଜଳର ଦେଵତା) ମଣିଷ ପ୍ରତି ଦୟା ଦେଖାଇଲେ। ସେ ଉତ୍ନାପିଷ୍ଟିମ୍‌ଙ୍କୁ ସ୍ୱପ୍ନରେ ଦେଖା ଦେଇ କହିଲେ, “ହେ ଉତ୍ନାପିଷ୍ଟିମ୍, ତୁମ ନଗରୀ ଶୀଘ୍ର ଜଳରେ ବୁଡ଼ିଯିଵ। ଏକ ବଡ଼ ନୌକା ତିଆରି କର, ତୁମ ପରିଵାର ଓ ସମସ୍ତ ଜୀଵଜନ୍ତୁଙ୍କୁ ନେଇ ଜୀଵନ ରକ୍ଷା କର।”

ଉତ୍ନାପିଷ୍ଟିମ୍ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ସେ ଦେଵତାଙ୍କ ଆଦେଶକୁ ମାନିଲେ। ସେ ଦିନରାତି କାମ କରି ଏକ ଵିଶାଳ ବୋଇତ ଗଢ଼ିଲେ—ଏକ ଚଉକୋଣିଆ ଆକାରର ଜାହାଜ, ଯାହାର ଉଚ୍ଚତା ଓ ଚଉଡ଼ା ଏକ ଛୋଟ ପାହାଡ଼ ପରି ଥିଲା। ସେ ବୋଇତ ଭିତରେ ଅନେକ କୋଠରୀ ତିଆରି କଲେ, ଆଉ ତାକୁ ଅଠା ଓ ତେଲରେ ଜଳରୋଧୀ କରିଦେଲେ। ନଗରୀର ଲୋକେ ତାଙ୍କୁ ପାଗଳ ବୋଲି ଭାବି ଗେଲ ଗମାତ କରି ହସିଲେ,ଚିଡ଼ାଇଲେ କିନ୍ତୁ ଉତ୍ନାପିଷ୍ଟିମ୍ ମୌନ ରହି ନିଜ କାମ ଚାଲୁ ରଖିଲେ। ଶେଷରେ, ସେ ନିଜ ପତ୍ନୀ, ପୁତ୍ର, ଝିଅ ଓ ସମସ୍ତ ଜୀଵଜନ୍ତୁ—ହରିଣ, ସିଂହ, ପକ୍ଷୀ, ଓ କୀଟପତଙ୍ଗଙ୍କୁ ବୋଇତରେ ଚଢ଼ାଇଲେ। ଦ୍ୱାର ବନ୍ଦ ହେଵାମାତ୍ରେ ଆକାଶ ଫାଟି ପଡ଼ିଲା।

ଵର୍ଷା ଆରମ୍ଭ ହେଲା—ଏକ ଅନ୍ଧକାର, ଅତି ଭୟଙ୍କର ସେ ଵର୍ଷା, ଯାହା ଦିନ ଓ ରାତିକୁ ଏକାକାର କରିଦେଲା। ନଦୀମାନ ଉଛୁଳି ପଡ଼ିଲା, ପାହାଡ଼ମାନ ବୁଡ଼ିଗଲା ଆଉ ଶୁରୁନ୍ନା ନଗରୀ ଜଳରେ ଭାସିଗଲା। ଛଅ ଦିନ ଓ ଛଅ ରାତି ଧରି ଜଳ ପୃଥିଵୀକୁ ଗ୍ରାସ କଲା। ଉତ୍ନାପିଷ୍ଟିମ୍ ବୋଇତ ଭିତରେ ବସି ଶୁଣୁଥିଲେ—ବାହାରେ ଲୋକଙ୍କ ଚିତ୍କାର, ଘର ଭାଙ୍ଗିଵାର ଶବ୍ଦ, ଆଉ ପଵନର ଗର୍ଜନ। ସପ୍ତମ ଦିନରେ ସବୁ ଶାନ୍ତ ହୋଇଗଲା। ସେ ଦ୍ୱାର ଖୋଲି ଦେଖିଲେ—ଚାରିଆଡ଼େ କେଵଳ ଜଳ ଆଉ ଜଳର ଅସୀମ ସମୁଦ୍ର କିନ୍ତୁ ଜୀଵନର କୋଉଠି ବି ଚିହ୍ନ ଵର୍ଣ୍ଣ ନଥିଲା । 

ଦିନ ଗଡ଼ି ଚାଲିଲା। ଉତ୍ନାପିଷ୍ଟିମ୍ ସ୍ଥଳଭାଗର ସନ୍ଧାନରେ ଏକ କପୋତ ଛାଡ଼ିଲେ, କିନ୍ତୁ ସେ ଫେରି ଆସିଲା। ପରେ ଏକ କାଉ ଛାଡ଼ିଲେ, ସେ ମଧ୍ୟ ଫେରି ଅଇଲା। ଶେଷରେ, ଏକ ଛୋଟ ପକ୍ଷୀ ଛାଡ଼ିଲେ, କିନ୍ତୁ ସେ ପକ୍ଷୀଟି ଆଉ ଫେରିଲା ନାହିଁ। ଉତ୍ନାପିଷ୍ଟିମ୍ ବୁଝିଲେ କୋଉଠି ନା କୋଉଠି ସ୍ଥଳଭାଗ ନିଶ୍ଚୟ ରହିଛି । ଅନେକ ଦିନ ପରେ ଉତ୍ନାପିଷ୍ଟିମ୍‌ଙ୍କ ବୋଇତ ନିସିର ପର୍ଵତର ଶିଖରରେ ଅଟକି ଗଲା ।‌ ଉତ୍ନାପିଷ୍ଟିମ୍‌ ବୋଇତରୁ ବାହାରିଲେ, ଜଳ ଶୁଖି ଯାଇଥିଵା ଭିଜା ମାଟିରେ ପାଦ ଥାପିଲେ, ଆଉ ଦେଵତାଙ୍କୁ ଧନ୍ୟଵାଦ ଦେଵାକୁ ଏକ ବେଦୀ ତିଆରି କଲେ। ସେ ଅଗ୍ନି ଜାଳି ଧୂପ ଦେଲେ, ଆଉ ତା’ର ସୁଗନ୍ଧ ଆକାଶକୁ ଗଲା।

ଦେଵତାମାନେ ଏହା ଦେଖି ଆସିଲେ। ଏନ୍‌ଲିଲ୍ ପ୍ରଥମେ କ୍ରୋଧିତ ହେଲେ, କାରଣ ସେ ମଣିଷ ଵଂଶ ନାଶ କରିଦେଵାକୁ ଚାହୁଁଥିଲେ। କିନ୍ତୁ ଏଆ ତାଙ୍କୁ ଶାନ୍ତ କଲେ, କହିଲେ, “ଏ ମଣିଷ ତୁମ ଇଚ୍ଛାକୁ ମାନି ଜୀଵନର ଵୀଜ ରକ୍ଷା କରିଛି।” ଏନ୍‌ଲିଲ୍ ଉତ୍ନାପିଷ୍ଟିମ୍‌ଙ୍କୁ ଦେଖିଲେ—ତାଙ୍କ ଧୀର ଆଖି, କମ୍ପିତ ହାତ, ଆଉ ନମ୍ର ମୁଖ। ସେ ଦୟାରେ ଭରି ଉଠିଲେ। ସେ ଉତ୍ନାପିଷ୍ଟିମ୍ ଓ ତାଙ୍କ ପତ୍ନୀଙ୍କୁ ଆଶୀର୍ଵାଦ ଦେଇ କହିଲେ, “ତୁମେ ଦୁହେଁ ଏବେ ଅମର ହେଵ। ତୁମେ ଦୂର ଦ୍ୱୀପରେ ରହିଵ, ଯେଉଁଠିକୁ
ସାଧାରଣ ମଣିଷ କେବେ ଯାଇ ପାରିଵ ନାହିଁ।”

ଉତ୍ନାପିଷ୍ଟିମ୍ ଓ ତାଙ୍କ ପତ୍ନୀ ସେହି ଦ୍ୱୀପକୁ ଗଲେ । ସେ ଦ୍ଵୀପ ଏକ ଶାନ୍ତ ସୁନ୍ଦର ସ୍ଥାନ ଥିଲା ଯେଉଁଠି ସମୁଦ୍ରର ଲହରୀ ଆଉ ଆକାଶର ନୀଳିମା ମିଶି ରହିଥିଲା । ସେଠାରେ ସେମାନେ ଜୀଵନର ସ୍ମୃତି ଓ ମହାପ୍ରଳୟର କାହାଣୀକୁ ନେଇ ଅନେକ ଦିନ ବିତାଇଲେ। ଅନେକ ଶତାବ୍ଦୀ ପରେ, ଯେତେବେଳେ ଗିଲଗାମେଶ ଅମରତ୍ୱର ସନ୍ଧାନରେ ତାଙ୍କ ଦ୍ୱାରକୁ ଆସିଲେ, ଉତ୍ନାପିଷ୍ଟିମ୍ ତାଙ୍କୁ ସାମ୍ନା କଲେ। ତାଙ୍କ ମୁଖମଣ୍ଡଳରେ ସମୟର ରେଖା ନଥିଲା, କିନ୍ତୁ ଆଖିରେ ଏକ ଗଭୀର ଦୁଃଖ ଓ ଜ୍ଞାନ ଲୁଚି ରହିଥିଲା।

 ଗିଲଗାମେଶଙ୍କୁ ଦେଖି ଉତ୍ନାପିଷ୍ଟିମ୍‌ କହିଲେ, “ମୋ ଅମରତ୍ୱ ଏକ ଉପହାର, କିନ୍ତୁ ଏହା ଦେଵତାମାନେ ସ୍ଵେଚ୍ଛାରେ ମୋତେ ପ୍ରଦାନ କରିଛନ୍ତି । ମୁଁ ଅମରତ୍ୱ କେବେ ବି ଚାହିଁନଥିଲି। ମୁଁ ଦେଖିଛି ମୋ ସମସ୍ତ ବନ୍ଧୁପରିଜନ, ସାଙ୍ଗ ସାଥିଙ୍କ ମୃତ୍ୟୁ ଆଉ ମୋ ମାତୃଭୂମି ଶୁରୁନ୍ନା ନଗରୀର ଵିନାଶ। ମୁଁ ବଞ୍ଚିଛି, କିନ୍ତୁ ଏକା । ତୁମେ କିନ୍ତୁ ଜୀଵନକୁ ଗ୍ରହଣ କର, କାରଣ ଏହାର ସୀମା(ମୃତ୍ୟୁ) ହିଁ ଏହାକୁ ମୂଲ୍ୟଵାନ କରେ।” ତାଙ୍କ କଣ୍ଠରେ ଏକ କୋମଳ ଦୁଃଖ ଥିଲା, ଯେପରି ସେ ନିଜେ ଏହି ଅମରତ୍ୱର ଭାର ଅନୁଭଵ କରୁଥିଲେ। ଉତ୍ନାପିଷ୍ଟିମ୍‌ ପୁଣି ଗିଲଗାମେଶଙ୍କୁ କହିଲେ, “ଅମରତ୍ୱ ତୁମ ପାଇଁ ନୁହେଁ। ମଣିଷର ଜୀଵନ ଏକ ନଦୀ ପରି—ଏହା ବହିଯାଏ ଏଵଂ ନିର୍ଦ୍ଧାରିତ ସ୍ଥାନରେ ସମୁଦ୍ର ସହିତ ମିଶିଯାଏ।” କିନ୍ତୁ ଗିଲଗାମେଶଙ୍କ ଜିଦ୍ ଦେଖି ସେ ଏକ ରାସ୍ତା ଦେଖାଇଲେ—ସମୁଦ୍ର ତଳେ ଏକ ଗଛ ଅଛି, ଯାହା ଯୌଵନ ଫେରାଇ ଆଣିପାରେ।

ଗିଲଗାମେଶ ସମୁଦ୍ରରେ ବୁଡ଼ି ସେହି ଗଛ ଆଣିଲେ। ତାଙ୍କ ମନରେ ଆଶାର ଆଲୋକ ଜଳି ଉଠିଲା। କିନ୍ତୁ ଫେରିଲାବେଳେ ଗୋଟିଏ ରାତିରେ ଯେତେବେଳେ ସେ ଏକ ନଦୀକୂଳରେ ବିଶ୍ରାମ କରୁଥିଲେ, ସାପଟିଏ ଚୋରି କରି ଗଛଟିକୁ ଖାଇଗଲା। ସାପଟି ନିଜ କାତି ଛଡ଼େଇ ନୂଆ ହୋଇଗଲା, ଆଉ ଗିଲଗାମେଶ ନିରାଶ ହୋଇ ରହିଗଲେ । ସେ ଆକାଶକୁ ଚାହିଁ କାନ୍ଦିଲେ, କିନ୍ତୁ ତାଙ୍କ ମନରେ ଏକ ନୂଆ ଚେତନା ଜାଗିଲା।

ଶେଷରେ, ସେ ଉରୁକ ନଗରୀକୁ ଫେରିଲେ। ନଗରୀର ପ୍ରାଚୀରକୁ ଦେଖି ସେ ବୁଝିଲେ—ଅମରତ୍ୱ ଶରୀରରେ ନୁହେଁ, କାର୍ଯ୍ୟରେ ଓ ସ୍ମୃତିରେ ଲୁଚି ରହିଛି। ସେ ନିଜ ଜୀଵନକୁ ଗ୍ରହଣ କଲେ, ଆଉ ତାଙ୍କ ନାଁ ଇତିହାସର ପଥରେ ଖୋଦିତ ହୋଇ ରହିଗଲା।

ଏହା ଥିଲା ଗିଲଗାମେଶଙ୍କ କାହାଣୀ— ମେସୋପୋଟାମିଆର ଜଣେ ମହାନ ରାଜା, ଯିଏ ମୃତ୍ୟୁକୁ ଜୟ କରିଵାକୁ ଚାହିଁ ଜୀଵନର ମର୍ମ ଆଵିଷ୍କାର କଲେ। 

•••••••••••••••••••••••••••••••••
epic of Gilgamesh ଏକ ସୁମେରୀୟ ପୁରାଣଗାଥା । ଏହା ମେସୋପୋଟାମିଆ(ଆଧୁନିକ ଇରାକ)ର ପ୍ରାଚୀନ ସଂସ୍କୃତିର ଅଂଶଵିଶେଷ ।‌

ଗିଲଗାମେଶ (Gilgamesh) : ଉରୁକ ନଗରୀର ମହାନ ରାଜା, ଯିଏ ଦୁଇ-ତୃତୀୟାଂଶ ଦୈଵୀ ଓ ଏକ-ତୃତୀୟାଂଶ ମାନଵୀୟ ଗୁଣର ଅଧିକାରୀ। ସେ ଶକ୍ତିଶାଳୀ, ସୁନ୍ଦର, କିନ୍ତୁ ପ୍ରାରମ୍ଭରେ ଅହଂକାରୀ ଓ କଠୋର ଶାସକ। ଏଙ୍କିଡୁଙ୍କ ସାଙ୍ଗରେ ବନ୍ଧୁତ୍ୱ ଓ ମୃତ୍ୟୁର ଭୟ ତାଙ୍କୁ ଜୀଵନର ମର୍ମ ଶିଖାଇଥାଏ। ଗିଲଗାମେଶ ନାମରେ ପ୍ରକୃତରେ ଜଣେ ରିଜା ମେସୋପୋଟାମିଆରେ ଥିଲେ ଯାହାଙ୍କ ସମୟକାଳ ୨୯୦୦ରୁ ୨୭୦୦ ଖ୍ରୀଷ୍ଟପୂର୍ଵ ମଧ୍ୟରେ ହୋଇଥିଵାର ଗଵେଷକମାନେ ଅନୁମାନ କରନ୍ତି । ସମ୍ଭଵତଃ ପ୍ରକୃତ ରାଜାଙ୍କ ନାମରେ epic of Gilgamesh ପୁରାଣ ଗାଥା ଭଣିତା କରାଯାଇଥାଇପାରେ ତେବେ ଏ‌ହା ଅସ୍ପଷ୍ଟ । 

ଏଙ୍କିଡୁ (Enkidu) : ଦେଵୀ ଆରୁରୁଙ୍କ ଦ୍ୱାରା ମାଟି ଓ ପଵନରେ ସୃଷ୍ଟ ଏକ ଜଙ୍ଗଲୀ ମଣିଷ। ସେ ଶକ୍ତିଶାଳୀ, ନିର୍ମଳ ମନର ଅଧିକାରୀ ଏଵଂ ଗିଲଗାମେଶଙ୍କର ଅତୁଟ ବନ୍ଧୁ ହେଵା ସହ ତାଙ୍କୁ ମାନଵୀୟ ଗୁଣ ଶିଖିଥିଲେ। ଦେଵତାଙ୍କ ଶାପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆରୁରୁ (Aruru) : ସୁମେରୀୟ ଦେଵୀ, ଯିଏ ସୃଷ୍ଟିର ଦେବଵୀ ଭାବେ ଏଙ୍କିଡୁଙ୍କୁ ଗଢ଼ିଥିଲେ ଗିଲଗାମେଶଙ୍କୁ ଆୟତ୍ତ କରିଵା ପାଇଁ।
ଶାମହାତ (Shamhat): ଏକ ମନ୍ଦିର ଯାଜିକା, ଯିଏ ଏଙ୍କିଡୁଙ୍କୁ ସଭ୍ୟ କରିଵା ପାଇଁ ମାନଵ ସଭ୍ୟତା ସହିତ ପରିଚିତ କରାଇଥିଲେ । 
ଉରୁକ (Uruk):ପ୍ରାଚୀନ ମେସୋପୋଟାମିଆର ଏକ ପ୍ରମୁଖ ସୁମେରୀୟ ନଗର-ରାଷ୍ଟ୍ର, ଯାହା ଗିଲଗାମେଶର ରାଜଧାନୀ ଥିଲା। ଏହା ତାର ଉଚ୍ଚ ପ୍ରାଚୀର, ମନ୍ଦିର, ଓ ସଭ୍ୟତାର କେନ୍ଦ୍ର ଭାବେ ପରିଚିତ ଥିଲା। ଵର୍ତ୍ତମାନ ଏହା Warka ନାମରେ ଦକ୍ଷିଣ ଇରାକରେ ଅଵସ୍ଥିତ। ଏହା ଏକ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଭାବେ ରହିଛି।

ସିଡାର ଜଙ୍ଗଲ (Cedar Forest): ଗିଲଗାମେଶ ଓ ଏଙ୍କିଡୁ ରାକ୍ଷସ ହୁମ୍ବାବାକୁ ମାରିଵା ପାଇଁ ଯାଇଥିଵା ଏକ ପୌରାଣିକ ଜଙ୍ଗଲ। ଏହା ସୁମେରୀୟ କାହାଣୀରେ ଏକ ରହସ୍ୟମୟ ଓ ପଵିତ୍ର ସ୍ଥାନ ଭାବେ ଵର୍ଣ୍ଣିତ।
 ଏହା ଏକ ପୌରାଣିକ ସ୍ଥାନ, ତେଣୁ ଆଧୁନିକ ଭୌଗୋଳିକ ଅଵସ୍ଥାନ ନିର୍ଦ୍ଦିଷ୍ଟ ନୁହେଁ। କିଛି ଗଵେଷକ ଏହାକୁ ଲେବାନନର ସିଡାର ଜଙ୍ଗଲ ସହ ସମ୍ପର୍କିତ ବୋଲି ମନେ କରନ୍ତି, ଯାହା ଵର୍ତ୍ତମାନ ଲେବାନନରେ ଅଵସ୍ଥିତ।

ଶୁରୁନ୍ନା:ଉତ୍ନାପିଷ୍ଟିମ୍‌ଙ୍କ ନଗରୀ, ଯେଉଁଠାରେ ସେ ମହାପ୍ରଳୟ ପୂର୍ଵରୁ ବାସ କରୁଥିଲେ। ଏହା ମେସୋପୋଟାମିଆର ଏକ ପ୍ରାଚୀନ ସୁମେରୀୟ ନଗର ଥିଲା। ଏହାର ଵର୍ତ୍ତମାନ ନାମ Tell Fara ଏଵଂ ଦକ୍ଷିଣ ଇରାକରେ ଅଵସ୍ଥିତ। ଏହା ଏକ ପ୍ରତ୍ନତାତ୍ତ୍ୱିକ ସ୍ଥାନ।

ନିସିର ପର୍ଵତ(Mount Nisir):ମହାପ୍ରଳୟ ପରେ ଉତ୍ନାପିଷ୍ଟିମ୍‌ଙ୍କ ବୋଇତ ଯେଉଁ ପର୍ଵତରେ ଅଟକିଥିଲା। ଏହା କାହାଣୀରେ ଏକ ପୌରାଣିକ ସ୍ଥାନ ଭାବେ ଉଲ୍ଲେଖିତ। ଏହାର ନିର୍ଦ୍ଦିଷ୍ଟ ଭୌଗୋଳିକ ଅଵସ୍ଥାନ ଅସ୍ପଷ୍ଟ। କିଛି ଗଵେଷକ ଏହାକୁ ଇରାକର କୁର୍ଦିସ୍ତାନ ଅଞ୍ଚଳରେ ଥିଵା ପିରାମାଗ୍ରୁନ ପର୍ଵତ ସହ ସମ୍ପର୍କିତ ବୋଲି ଅନୁମାନ କରନ୍ତି କିନ୍ତୁ ଏହା ନିଶ୍ଚିତ ନୁହେଁ।

ଦୂର ଦ୍ୱୀପ (Distant Island):ଉତ୍ନାପିଷ୍ଟିମ୍ ଓ ତାଙ୍କ ପତ୍ନୀଙ୍କୁ ଦେଵତାମାନେ ଅମରତ୍ୱ ଦେଇ ଯେଉଁ ସ୍ଥାନକୁ ପଠାଇଥିଲେ। ଏହା ଏକ ପୌରାଣିକ ଓ ରହସ୍ୟମୟ ସ୍ଥାନ ଭାବେ ଵର୍ଣ୍ଣିତ। ଏହା ଏକ କାଳ୍ପନିକ ସ୍ଥାନ, ତେଣୁ ଆଧୁନିକ ଭୌଗୋଳିକ ଅଵସ୍ଥାନ ସ୍ପଷ୍ଟ ନୁହେଁ। ତେବେ ଏହାକୁ କେତେକ ଗଵେଷକ ପାରସ୍ୟ ଉପସାଗରରେ ଥିଵା ବାହାରେନ କିମ୍ବା ଦିଲମୁନ ଦ୍ଵୀପ ସହ ସମ୍ପର୍କିତ ବୋଲି ଅନୁମାନ କରନ୍ତି, କିନ୍ତୁ ଏହା ଅନିଶ୍ଚିତ।

(Epic of Gilgameshରେ ଆଉ କିଛି ଛୋଟମୋଟ ଘଟଣା ରହିଛି ଯାହା ମୂଳ କାହାଣୀକୁ ସଂକ୍ଷିପ୍ତ ରଖିଵା ପାଇଁ ଛାଡ଼ି ଦିଆଯାଇଛି । )

Saturday, June 28, 2025

•ଦୁଇ ସହସ୍ରାଧିକ ଵର୍ଷ ଧରି ଈହୁଦୀମାନଙ୍କ ଉପରେ ହୋଇଥିଵା ଅତ୍ୟାଚାରର ଇତିହାସ•

ବାଇବେଲର ଓଲ୍ଡ ଟେଷ୍ଟାମେଣ୍ଟ ଓ କୁରାନ ଅନୁଯାୟୀ, ଆଜି ଯେଉଁ ଅଞ୍ଚଳରେ ଆଧୁନିକ ଇସ୍ରାଏଲ ଦେଶ ଅଵସ୍ଥିତ, ତାହା ପୂର୍ଵେ କାନାନ ନାମରେ ପରିଚିତ ଥିଲା। ବାଇବେଲରେ ଏହି ଅଞ୍ଚଳକୁ "ଦୁଗ୍ଧ ଓ ମଧୁର ଦେଶ" ଭାବେ ଵର୍ଣ୍ଣନା କରି କୁହାଯାଇଛି: "I have come down to deliver them out of the hand of the Egyptians, and to bring them up from that land to a good and large land, to a land flowing with milk and honey" (Exodus 3:8)।

 କୁରାନରେ ମଧ୍ୟ ଏହାକୁ "ପଵିତ୍ର ଭୂମି" ଭାବେ ଉଲ୍ଲେଖ କରି କୁହାଯାଇଛି: "O my people, enter the Holy Land which Allah has assigned to you" (Surah Al-Ma’idah 5:21)। 

କାଳକ୍ରମେ ପରିଵେଶଗତ ପରିଵର୍ତ୍ତନ, ଯୁଦ୍ଧ, ଓ ଅନ୍ୟାନ୍ୟ କାରଣରୁ ଏହାର ଅନେକ ଅଞ୍ଚଳ ମରୁଭୂମିରେ ପରିଣତ ହୋଇଛି। ଐତିହାସିକ ତଥ୍ୟ କହେ "ପାଲେସ୍ଥିନ" ନାମଟି ଖ୍ରୀଷ୍ଟାବ୍ଦ ଦ୍ୱିତୀୟ ଶତାବ୍ଦୀରେ ରୋମାନ ସାମ୍ରାଜ୍ୟ ଦ୍ୱାରା "ସିରିଆ ପାଲେଷ୍ଟିନା" ନାମକରଣ ହେଵା ପରେ ପ୍ରଚଳିତ ହୋଇଥିଲା, ଯାହା ଫିଲିସ୍ତିନ (Philistines) ଜାତି ସହ ଜଡ଼ିତ। ଅବ୍ରାହମ ଓ ୟାକୁବଙ୍କ ସମୟରେ (ଖ୍ରୀଷ୍ଟପୂର୍ଵ ୨୦୦୦-୧୨୦୦) ଏହି ଅଞ୍ଚଳ "କାନାନ" ନାମରେ ପରିଚିତ ଥିଲା।

ଈହୁଦୀ ଓ ମୁସଲିମ ଉଭୟ ଧର୍ମର ଲୋକେ ନିଜକୁ ଭାଇ ବୋଲି ଵିଶ୍ୱାସ କରନ୍ତି, କାରଣ ଉଭୟ ଜାତିର ପୂର୍ଵଜ ଥିଲେ ଅବ୍ରାହମ (ଈବ୍ରାହୀମ)। ଅବ୍ରାହମଙ୍କ ସମୟକାଳ ଖ୍ରୀଷ୍ଟପୂର୍ଵ ୨୦୦୦-୧୮୦୦ ଶତାବ୍ଦୀ ମଧ୍ୟରେ ଅନୁମାନ କରାଯାଏ। ବାଇବେଲରେ ତାଙ୍କୁ "ଅନେକ ଜାତିର ପିତା" ଭାବେ ଘୋଷଣା କରାଯାଇଛି: "I have made you a father of many nations" (Genesis 17:5)। କୁରଆନରେ ତାଙ୍କୁ "ଏକମାତ୍ର ଈଶ୍ବରର ଅନୁଗାମୀ" ଓ "ଜାତିର ନେତା" ଭାବେ ଵର୍ଣ୍ଣନା କରାଯାଇଛି (Surah Al-Baqarah 2:124)। ଅବ୍ରାହମଙ୍କ ଦୁଇ ପୁତ୍ର, ଇସହାକ (ଈହୁଦୀ ଜାତିର ପୂର୍ଵଜ) ଓ ଇସମାଇଲ (ଆରବ ଜାତିର ପୂର୍ଵଜ), ମାଧ୍ୟମରେ ଈହୁଦୀ ଓ ମୁସଲିମଙ୍କ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କ ସ୍ଥାପିତ ହୋଇଛି। ଅବ୍ରାହମଙ୍କ ନାମରେ ଈହୁଦୀ ଜାତିର ଏକ ନାମ "ଈବ୍ରାନୀ" (Hebrew) ପଡ଼ିଲା।

ଅବ୍ରାହମଙ୍କ ପୌତ୍ର ୟାକୁବ, ଯାହାଙ୍କୁ "ଇସ୍ରାଏଲ" ନାମ ଦିଆଯାଇଥିଲା, କାନାନର ୧୨ ଜନଜାତି (Reuben, Simeon, Levi, Judah, Dan, Naphtali, Gad, Asher, Issachar, Zebulun, Manasseh, Ephraim, Benjamin) ମଧ୍ୟରେ ଏକତା ଆଣିଵାରେ ସଫଳ ହୋଇଥିଲେ। ଏହି ଜନଜାତିଗୁଡ଼ିକ ସାମୂହିକ ଭାବେ "ବନୀ ଇସ୍ରାଏଲ"(Children of Israel) ନାମରେ ପରିଚିତ ହେଲେ। ୟାକୁବ କୁହନ୍ତି: "Gather together, that I may tell you what shall befall you in the last days" (Genesis 49:1)। ଏହି ଜନଜାତିଗୁଡ଼ିକ ମଧ୍ୟରୁ ଜୁଡାହ (Judah) ଜନଜାତି ପରେ ଈହୁଦୀମାନଙ୍କର ନେତୃତ୍ୱ ନେଲେ। "ଜୁଡାହ" ଶବ୍ଦରୁ "Jewish" ଓ "ଈହୁଦୀ" ଶବ୍ଦର ଉତ୍ପତ୍ତି ହୋଇଛି, ଯାହା ଭାଷାଗତ ପରିଵର୍ତ୍ତନର ଫଳାଫଳ।

ଖ୍ରୀଷ୍ଟପୂର୍ଵ ୧୮୦୦ ଶତାବ୍ଦୀ ବେଳକୁ, ସୁମେରର ଉର ନଗରୀ ଓ ଉତ୍ତର ଆରବରେ ରହୁଥିଵା ଈହୁଦୀମାନଙ୍କୁ ଅବ୍ରାହମ ସର୍ଵପ୍ରଥମେ କାନାନ ଅଞ୍ଚଳର ରାସ୍ତା ଦେଖାଇଥିଲେ। କିନ୍ତୁ ପରେ, କିଛି ଈହୁଦୀମାନେ ୟାକୁବଙ୍କ ନେତୃତ୍ବରେ ମିଶର ଯାଇ ୪୦୦ ଵର୍ଷ ଦାସତ୍ୱର ଦୁଃଖ ଭୋଗିଲେ। ୪୦୦ ଵର୍ଷ ପରେ ଅର୍ଥାତ୍ ଖ୍ରୀଷ୍ଟପୂର୍ଵ ୧୩୦୦ କିମ୍ବା ଖ୍ରୀଷ୍ଟପୂର୍ଵ ୧୨୦୦ ସମୟରେ ମୋସେସ (Moses) ନାମକ ଜଣେ ଈହୁଦୀ ନେତା ସେମାନଙ୍କୁ ମୁକ୍ତ କରି କାନାନ(ଇସ୍ରାଏଲ)କୁ ନେଇଥିଲେ।

ମୋସେସଙ୍କ ପ୍ରଣୀତ ଦଶ ଆଦେଶ(Ten Commandments) ଈହୁଦୀ ଧର୍ମର ମୂଳସୂତ୍ର ହେଲା: "You shall have no other gods before Me" (Exodus 20:3)। ମୋସେସଙ୍କ ନେତୃତ୍ୱରେ ଈହୁଦୀମାନେ କାନାନରେ ସ୍ଥାୟୀ ହେଲେ, ଯାହା ପରେ "ଇସ୍ରାଏଲ" ନାମରେ ପରିଚିତ ହେଲା।

ରାଜା ସୋଲୋମନଙ୍କ ସମୟରେ (ଖ୍ରୀଷ୍ଟପୂର୍ଵ ୧୦ମ ଶତାବ୍ଦୀ), ଇସ୍ରାଏଲ ଏକ ଧନାଢ଼୍ୟ ଓ ଭଵ୍ୟ ଦେଶରେ ପରିଣତ ହେଲା। ସୋଲୋମନଙ୍କ ଜ୍ଞାନ ଓ ସମୃଦ୍ଧି ବାଇବେଲରେ ଵର୍ଣ୍ଣିତ: "And God gave Solomon wisdom and exceedingly great understanding" (1 Kings 4:29)। ସୋଲୋମନଙ୍କ ରାଜତ୍ୱରେ ପ୍ରଥମ ମନ୍ଦିର ଜେରୁଜାଲେମରେ ନିର୍ମିତ ହେଲା, ଯାହା ଈହୁଦୀମାନଙ୍କର ଧାର୍ମିକ କେନ୍ଦ୍ର ହେଲା। କିନ୍ତୁ ସୋଲୋମନଙ୍କ ମୃତ୍ୟୁ (ଖ୍ରୀଷ୍ଟପୂର୍ଵ ୯୩୦) ପରେ, ଜାତିଗତ କଳହ ଯୋଗୁଁ ଇସ୍ରାଏଲ ଦୁଇଟି ରାଜ୍ୟରେ ଵିଭକ୍ତ ହେଲା: ଉତ୍ତର ଇସ୍ରାଏଲ ( ଜନଜାତି) ଓ ଦକ୍ଷିଣ ଜୁଡାହ (Judah)।

ଏହାର ସୁଯୋଗ ନେଇ ଵୈଦେଶିକ ଶତ୍ରୁମାନେ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କଲେ। ଖ୍ରୀଷ୍ଟପୂର୍ଵ ୭୨୨ରେ ଆସିରିୟ ସାମ୍ରାଜ୍ୟ ଉତ୍ତର ଇସ୍ରାଏଲକୁ ଜୟ କରି ୧୦ ଜନଜାତିକୁ ନିର୍ଵାସିତ କଲା, ଯାହାକୁ "Lost Tribes of Israel" ବୋଲି କୁହାଯାଏ। କାନନ ଦେଶର ମୋଟ ବାରଗୋଟି ମାନଵଗୋଷ୍ଠୀ ମଧ୍ୟରେ ରୁବେନ, ଶିମିୟୋନ, ଦାନ, ନଫ୍ତାଲି, ଗାଦ, ଆଶେର, ଇସ୍‌ସାଖାର, ସବୁଲୁନ, ମନଃଶି ଓ ଇଫ୍ରାୟିମ ଆଦି ଦଶଟି ଗୋଷ୍ଠୀର ଲୋକେ ହୁଏତ ଆସିରୀୟ ସାମ୍ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ନିର୍ଵାସିତ ହୋଇ ସ୍ଥାନୀୟ ଲୋକଙ୍କ ସହିତ ମିଶିଗଲେ କିମ୍ବା ଇରାକ,ଇରାନ,ଆଫଗାନିସ୍ଥାନ, ପାକିସ୍ତାନ,ଭାରତ ଓ ଜାପାନ ଆଦି ଅଞ୍ଚଳରେ ଆସି ଵସଵାସ କଲେ । ତେବେ ଇସ୍ରାଏଲର ଏହି ଦଶଗୋଟି ମାନଵଗୋଷ୍ଠୀଙ୍କର ଇତିହାସ ସ୍ପଷ୍ଟ ନୁହେଁ। 

କିଛି ଶହ ଵର୍ଷ ପରେ, ଖ୍ରୀଷ୍ଟପୂର୍ଵ ୫୭୮ରେ ବାବିଲୋନୀୟ ସାମ୍ରାଜ୍ୟ ଦକ୍ଷିଣ ଜୁଡାହକୁ ଜୟ କରି ଜେରୁଜାଲେମରେ ଥିଵା ପ୍ରଥମ ମନ୍ଦିରକୁ ଧ୍ୱଂସ କଲା। ଏହି ବାବିଲୋନୀୟ ନିର୍ଵାସନ ଈହୁଦୀମାନଙ୍କ ପାଇଁ ଏକ ଵିପର୍ଯ୍ୟୟ ଥିଲା ।‌
ବାବିଲୋନୀୟ ନିର୍ଵାସନ ସମୟରେ ଯିହୁଦୀମାନେ ଦୁଃଖରେ ଭାଙ୍ଗିପଡ଼ିଥିଲେ ଓ ବାବିଲୋନର ନଦୀକୂଳରେ ବସି ସେମାନେ ହରାଇଥିଵା ଆପଣାର ମାତୃଭୂମି ଜିଓନ (ଜେରୁଜାଲେମ) ପାଇଁ କାନ୍ଦୁଥିଲେ।

୧୫୦ ଅଧ୍ୟାୟ ଵିଶିଷ୍ଟ ସାମଗାନ(Psalm)ର ୧୩୭ତମ ଅଧ୍ୟାୟର ପ୍ରଥମ ପଦରେ ଏହି କଥା ବଡ଼ ମାର୍ମିକ ଭାବେ ଵର୍ଣ୍ଣିତ ହୋଇଛି: "By the rivers of Babylon, there we sat down, yea, we wept when we remembered Zion" (Psalm 137:1)। 

ତେବେ ଏହାର କେତେକ ଵର୍ଷ ପରେ ଖ୍ରୀଷ୍ଟପୂର୍ଵ ୫୩୯ରେ ପାରସିକ ରାଜା ସାଇରସ,ବାବିଲୋନକୁ ଜୟ କରି ଈହୁଦୀମାନଙ୍କୁ ଜେରୁଜାଲେମକୁ ଫେରିଵାକୁ ଅନୁମତି ଦେଲେ। ତା’ପରେ ଦ୍ୱିତୀୟ ମନ୍ଦିର (୫୧୬ ଖ୍ରୀଷ୍ଟପୂର୍ଵ) ନିର୍ମିତ ହେଲା। ରାଜା ହେରୋଦ (ଖ୍ରୀଷ୍ଟପୂର୍ଵ ୩୭-୪) ଏହି ମନ୍ଦିରକୁ ଆଡ଼ମ୍ବରପୂର୍ଣ୍ଣ କରିଥିଲେ। କିନ୍ତୁ ଈହୁଦୀମାନଙ୍କର ଦୁଃଖର ଦିନ ସରି ନଥିଲା । ଅଳପ ଵର୍ଷର ସୁଖ ଶାନ୍ତି ପରେ ପୁଣି ଭୟଙ୍କର ଅତ୍ୟାଚାରରେ ଈହୁଦୀ ଜାତି ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ‌। 

ଖ୍ରୀଷ୍ଟାବ୍ଦ ୭୦ରେ ଖ୍ରୀଷ୍ଟଧର୍ମଦ୍ଵାରା ଦୀକ୍ଷିତ ହୋଇସାରିଥିଵା ରୋମାନମାନେ ଜେରୁଜାଲେମ ଉପରେ ଆକ୍ରମଣ କରି ଈହୁଦୀମାନଙ୍କ ଦ୍ୱିତୀୟ ମନ୍ଦିରକୁ ଧ୍ୱଂସ କରିଦେଲେ। ହଜାର ହଜାର ଈହୁଦୀ ପୁରୁଷ, ମହିଳା ଓ ଶିଶୁଙ୍କୁ ହତ୍ୟା କରାଯାଇଥିଲା। ଈହୁଦୀ ଐତିହାସିକ ଫ୍ଲାଵିଅସ ଯୋସେଫସଙ୍କ ରଚନା The Jewish War ଅନୁସାରେ ସେ ସମୟରେ ୫୦୦୦୦ରୁ ୧୦୦୦୦୦ ସଂଖ୍ୟକ ଈହୁଦୀ ମୃତ୍ୟୁଵରଣ କରିଥିଲେ । ଦୈନିକ ୫୦୦ ପର୍ଯ୍ୟନ୍ତ ଈହୁଦୀ ବନ୍ଦୀଙ୍କୁ କ୍ରୁଶରେ ଚଢ଼ାଯାଇଥିଲା ଓ ଅନେକଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ପ୍ରାୟ ୯୭,୦୦୦ ଈହୁଦୀଙ୍କୁ ଦାସ କରାଯାଇଥିଲା ଏଵଂ ରୋମାନ ସାମ୍ରାଜ୍ୟର ଵିଭିନ୍ନ ସ୍ଥାନରେ ଵିକ୍ରି କରାଯାଇଥିଲା। ରୋମାନ ଖ୍ରୀଷ୍ଟିଆନମାନେ ଜେରୁଜେଲମକୁ ଅଵରୋଧ କରି ଖାଦ୍ୟ ଓ ଜଳ ଯୋଗାଣ ବନ୍ଦ କରିଥିଲେ, ଯାହା ଫଳରେ ଅନେକ ଈହୁଦୀ ଅନାହାରରେ ମୃତ୍ୟୁଵରଣ କରିଥିଲେ। ଜେରୁଜେଲମକୁ ଲୁଟ କରାଯାଇଥିଲା ଏଵଂ ନଗରର ଅଧିକାଂଶ ଅଂଶ ଜାଳି ଦିଆଯାଇଥିଲା। ଫଳତଃ ଅନେକ ଈହୁଦୀ ଉତ୍ତର ଆଫ୍ରିକା, ପାରସ୍ୟ, ଦକ୍ଷିଣ ଇଉରୋପ,ଚୀନ,ଭାରତ,ଜାପାନ ଓ ଅନ୍ୟାନ୍ୟ ଅଞ୍ଚଳକୁ ପଳାୟନ କରିଥିଲେ ।‌ ରୋମାନମାନଙ୍କ ଦ୍ଵାରା ଦ୍ଵିତୀୟ ମନ୍ଦିର ଧ୍ୱଂସ ପରେ, ଯୋହାନାନ ବେନ ଜାକ୍କାଇଙ୍କ ନେତୃତ୍ୱରେ ରାବାଇନିକ ଈହୁଦୀ ଧର୍ମର ଵିକାଶ ହୋଇଥିଲା। ସିନାଗଗ ଓ ତୋରା ନୂଆ ଧର୍ମୀୟ କେନ୍ଦ୍ର ହୋଇଥିଲା। ଜେରୁଜେଲମ ଅଵରୋଧ ସମୟରେ ଈହୁଦୀ ଗୋଷ୍ଠୀମାନଙ୍କ (ଯେମିତି ଜିଲଟ୍ସ) ମଧ୍ୟରେ ଆଭ୍ୟନ୍ତରୀଣ ଵିଭେଦ ଜେରୁଜେଲମର ପତନକୁ ତ୍ୱରାନ୍ୱିତ କରିଥିଲା। ତେବେ ଈଶ୍ଵରଵିଶ୍ଵାସୀ ଈହୁଦୀମାନେ ଏହି ଦୁର୍ଦ୍ଦଶାକୁ ଈଶ୍ୱରୀୟ ଶାସ୍ତି ଭାବେ ଵିଚାର କଲେ ଏଵଂ ତହିଁର ପ୍ରାୟଶ୍ଚିତ କରି ଜେରୁଜେଲମକୁ ଫେରିଵାର ଆଶାରେ ଅନ୍ୟ ଦେଶକୁ ପଳାୟନ କରିଥିଲେ । ଦେଶାନ୍ତରର ଦୁଃଖ ଭୋଗି ବି ଈହୁଦୀମାନେ ଆପଣାର ଧର୍ମୀୟ ପରମ୍ପରା ଜାରି ରଖିଥିଲେ।

ୟୁରୋପରେ ଖ୍ରୀଷ୍ଟଧର୍ମର ଉତ୍ଥାନ ସହ ଈହୁଦୀ-ଵିତୃଷ୍ଣା (Anti-Semitism) ଵୃଦ୍ଧି ପାଇଲା। ଈହୁଦୀମାନଙ୍କୁ "ଯୀଶୁଙ୍କ ହତ୍ୟାକାରୀ" ଭାବେ ଅଭିଯୁକ୍ତ କରାଯାଇଥିଲା। ରୋମାନ ସମ୍ରାଟ କନଷ୍ଟାଣ୍ଟାଇନ (୪ର୍ଥ ଶତାବ୍ଦୀ) ଖ୍ରୀଷ୍ଟଧର୍ମକୁ ରାଜଧର୍ମ ଘୋଷଣା କରି ଈହୁଦୀମାନଙ୍କୁ "ରାକ୍ଷସ" ଓ ସେମାନଙ୍କର ସିନାଗଗକୁ "ଵେଶ୍ୟାଳୟ" ବୋଲି ଘୋଷଣା କରିଥିଲେ।
କନଷ୍ଟାଣ୍ଟାଇନଙ୍କ ଆଇନ ଅନେକ ଈହୁଦୀମାନଙ୍କୁ ଖ୍ରୀଷ୍ଟଧର୍ମରେ ଧର୍ମାନ୍ତର ହେଵାକୁ ବାଧ୍ୟ କରିଥିଲା। ଈହୁଦୀ ଧର୍ମାଵଲମ୍ବୀମାନଙ୍କୁ ସିନାଗଗରେ ପୂଜା କରିଵାରେ କେତେକ କଟକଣା ଲାଗୁ ହୋଇଥିଲା । ଈହୁଦୀମାନଙ୍କୁ ରୋମାନ ପ୍ରଶାସନିକ ପଦବୀ ଵା ଉଚ୍ଚ ସାମରିକ ପଦରେ ନିଯୁକ୍ତି ଦିଆଯାଉ ନଥିଲା। ଛୋଟ ଦୋଷରେ ଏଵଂ ବେଳେବେଳେ ବିନା ଦୋଷରେ ବି ଈହୁଦୀମାନଙ୍କୁ ଧରି ନେଇ ଦଣ୍ଡିତ କରାଯାଉଥିଲା । ନିକିଆ ସଭା (୩୨୫ ଖ୍ରୀଷ୍ଟାବ୍ଦ) ମାଧ୍ୟମରେ ଖ୍ରୀଷ୍ଟୀୟ ପର୍ଵଗୁଡ଼ିକ (ଯେମିତି ଇଷ୍ଟର) ଈହୁଦୀ ପର୍ଵ (ଯେମିତି ପାସୋଵର) ସହ ସମ୍ପର୍କ ଛିନ୍ନ କରିଵାକୁ ନିଷ୍ପତ୍ତି ନିଆଯାଇଥିଲା, ଯାହା ଈହୁଦୀମାନଙ୍କୁ ଖ୍ରୀଷ୍ଟିଆନମାନଙ୍କଠାରୁ ଆହୁରି ଵିଚ୍ଛିନ୍ନ କରିଥିଲା। କନଷ୍ଟାଣ୍ଟାଇନ ଜେରୁଜେଲମକୁ ଖ୍ରୀଷ୍ଟୀୟ ତୀର୍ଥସ୍ଥଳୀ ଭାବେ ପୁନଃନିର୍ମାଣ କରିଥିଲେ (ଉ : ଚର୍ଚ ଅଫ୍ ଦି ହୋଲି ସେପୁଲକର)। ଈହୁଦୀମାନଙ୍କୁ ଜେରୁଜେଲମରେ ଵାସ କରିବା ଵା ମନ୍ଦିର ପୁନଃନିର୍ମାଣ କରିଵା ଉପରେ କଡ଼ା ନିଷେଧାଜ୍ଞା ଜାରି କରାଯାଇଥିଲା । କନଷ୍ଟାଣ୍ଟାଇନଙ୍କ ଖ୍ରୀଷ୍ଟଧର୍ମ-କେନ୍ଦ୍ରିକ ନୀତି ଈହୁଦୀମାନଙ୍କୁ ଖ୍ରୀଷ୍ଟିଆନମାନଙ୍କଠାରୁ ସାମାଜିକ ଭାବେ ପୃଥକ କରିଦେଲା। ତାଙ୍କ ଶାସନ ସମୟରେ ଈହୁଦୀ ଵିରୋଧୀ ମନୋଭାଵକୁ ପ୍ରୋତ୍ସାହନ ମିଳିଥିଲା, ଯାହା ପରଵର୍ତ୍ତୀ ଶତାବ୍ଦୀଗୁଡ଼ିକରେ ଆହୁରି ତୀଵ୍ର ହୋଇଥିଲା।

ପଞ୍ଚମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ (ଖ୍ରୀଷ୍ଟାବ୍ଦ ୪୦୧–୧୨୦୦) ମଧ୍ୟରେ ଈହୁଦୀମାନେ ରୋମାନ ସାମ୍ରାଜ୍ୟ, ବାଇଜାଣ୍ଟାଇନ ସାମ୍ରାଜ୍ୟ, ଇଉରୋପୀୟ ରାଷ୍ଟ୍ରସମୂହ ଓ ମୁଷଳମାନ ଶାସିତ ଅଞ୍ଚଳରେ ଵିଭିନ୍ନ ପ୍ରକାରର ଅତ୍ୟାଚାର ଓ ଭେଦଭାଵର ସମ୍ମୁଖୀନ ହୋଇଥିଲେ। ଏହି ସମୟ ମଧ୍ୟଵର୍ତ୍ତୀ ଯୁଗର ପ୍ରାରମ୍ଭ ଓ ମଧ୍ୟଯୁଗୀୟ ଇଉରୋପରେ ଖ୍ରୀଷ୍ଟୀୟ ଓ ମୁଷଳମାନ ପ୍ରାଧାନ୍ୟର ସମୟ ଥିଲା। 

ସମ୍ରାଟ ଜଷ୍ଟିନିଆନ (୫୨୭–୫୬୫ ଖ୍ରୀ.) ତାଙ୍କର ଜଷ୍ଟିନିଆନ କୋଡ ମାଧ୍ୟମରେ ଈହୁଦୀମାନଙ୍କୁ ସରକାରୀ ପଦଵୀରୁ ବଞ୍ଚିତ କରିଥିଲେ ଏଵଂ ସିନାଗଗ ନିର୍ମାଣ ତଥା ଧର୍ମୀୟ ଅନୁଷ୍ଠାନ ଉପରେ କଡ଼ା ନିୟନ୍ତ୍ରଣ ଲାଗୁ କରିଥିଲେ। କିଛି ଅଞ୍ଚଳରେ ଈହୁଦୀମାନଙ୍କୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଵାକୁ ବାଧ୍ୟ କରାଯାଇଥିଲା ।‌ ସମ୍ରାଟ ହେରାକ୍ଲିଅସ (୬୧୦–୬୪୧) ସମୟରେ ଏହି ଆଇନ ଆହୁରି କଡ଼ାକଡ଼ି ଭାବରେ ପାଳନ କରାଗଲା ।
   
 ୬ଷ୍ଠ ଓ ୭ମ ଶତାବ୍ଦୀର ସ୍ପେନରେ Recared ପ୍ରଥମ ଓ Sisebutଙ୍କ ପରି ଵିସିଗୋଥିକ ରାଜାମାନେ ଈହୁଦୀମାନଙ୍କୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଵାକୁ ବାଧ୍ୟ କରିଥିଲେ। ଅମାନ୍ୟକାରୀଙ୍କୁ ଦେଶାନ୍ତର, ସମ୍ପତ୍ତି ଜବତ କିମ୍ବା ମୃତ୍ୟୁଦଣ୍ଡ ଦିଆଯାଇଥିଲା।

୧୧ମ ଶତାବ୍ଦୀରେ, ପ୍ରଥମ କ୍ରୁସେଡ ସମୟରେ, ୟୁରୋପରେ ଵିଶେଷତଃ ଜର୍ମାନୀର ରାଇନଲ୍ୟାଣ୍ଡ ଅଞ୍ଚଳରେ ଈହୁଦୀମାନଙ୍କର ଵ୍ୟାପକ ଗଣହତ୍ୟା ହୋଇଥିଲା। ଖିରସ୍ତାନୀ କ୍ରୁସେଡର୍‌ମାନେ ଈହୁଦୀମାନଙ୍କୁ “ଖ୍ରୀଷ୍ଟଙ୍କ ଶତ୍ରୁ” ଘୋଷଣା କରି ମୈନ୍ଜ, ଓର୍ମସ, ସ୍ପେୟାର ଆଦି ସହରରେ ହଜାର ହଜାର ସଂଖ୍ୟାରେ ହତ୍ୟା କରିଥିଲେ। ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡରେ ଈହୁଦୀମାନଙ୍କୁ ନିର୍ଦ୍ଦିଷ୍ଟ ପେଶା (ଯେମିତି ସୁଧଦେଣା) ଵ୍ୟତୀତ ଅନ୍ୟ ପେଶାରୁ ବାଦ ଦିଆଯାଉଥିଲା। ଖ୍ରୀଷ୍ଟିଆନମାନେ ଈହୁଦୀମାନଙ୍କୁ ଏତେ ମାତ୍ରାରେ ଘୃଣା କରୁଥିଲେ ଯେ ନିଜ ଘର ଗାଆଁ ପାଖରେ ରହିଵାକୁ ଦେଉନଥିଲେ ।‌ ଈହୁଦୀମାନଙ୍କୁ “ଗେଟୋ” (ପୃଥକ ଵାସସ୍ଥାନ)ରେ ରହିଵାକୁ ବାଧ୍ୟ କରାଯାଉଥିଲା। ଈହୁଦୀମାନଙ୍କୁ ବଦନାମ କରିଵାକୁ ମଧ୍ୟ ଯୁଗୀୟ ୟୁରୋପରେ Wandering jew ଭଳି ମିଥ୍ୟା କିମ୍ବଦନ୍ତୀ ଗଢ଼ାଯାଇଥିଲା ଫଳତଃ ଏହା ଆହୁରି ଅଧିକ ଈହୁଦୀ ହିଂସା ବୃଦ୍ଧି କରିଥିଲା। 

ସେହିପରି "Blood libel" ଅଭିଯୋଗ ବି ମଧ୍ୟଯୁଗୀୟ ଯୁରୋପରେ ଈହୁଦୀ ସମ୍ପ୍ରଦାୟ ଵିରୋଧୀ ହିଂସା ଓ ନିର୍ଯାତନାର ଏକ ପ୍ରମୁଖ କାରଣ ଥିଲା। ଏହି ମିଥ୍ୟା ଅଭିଯୋଗରେ କୁହାଯାଉଥିଲା ଯେ ଈହୁଦୀମାନେ ଖ୍ରୀଷ୍ଟିଆନ ଶିଶୁମାନଙ୍କୁ ହତ୍ୟା କରି ସେମାନଙ୍କ ରକ୍ତ ଧାର୍ମିକ ଅନୁଷ୍ଠାନ ପାଇଁ ଵ୍ୟଵହାର କରୁଥିଲେ। ଏହା ଖ୍ରୀଷ୍ଟିଆନ ସମାଜରେ ଈହୁଦୀମାନଙ୍କ ପ୍ରତି ଭୟ, ଘୃଣା ଓ ସନ୍ଦେହ ସୃଷ୍ଟି କରିଥିଲା, ଯାହା ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଈହୁଦୀ ଵିରୋଧୀ ମନୋଭାବ (antisemitism)କୁ ବଢ଼ାଇଥିଲା। ଏହି ଅଭିଯୋଗ ଯୋଗୁଁ ଈହୁଦୀମାନେ ସାମୂହିକ ହିଂସା, ଗଣହତ୍ୟା (pogroms), ସାମାଜିକ-ଆର୍ଥିକ ଵିଚ୍ଛିନ୍ନତା ଓ ଵହିଷ୍କାରର ଶିକାର ହୋଇଥିଲେ।

 ୧୧୪୪ ମସିହାରେ ଇଂଲଣ୍ଡର ନରୱିଚରେ ଜଣେ ଖ୍ରୀଷ୍ଟିଆନ ବାଳକ ଉଇଲିୟମଙ୍କ ହତ୍ୟା ପାଇଁ ଈହୁଦୀମାନଙ୍କୁ ଦାୟୀ କରାଯାଇଥିଲା। ଏହା ଇଉରୋପରେ ପ୍ରଥମ "blood libel" ଅଭିଯୋଗ ଭାବେ ଚିହ୍ନିତ। ଏହି ଘଟଣା ଯୋଗୁଁ ସ୍ଥାନୀୟ ଈହୁଦୀ ସମ୍ପ୍ରଦାୟ ଉପରେ ହିଂସା ଓ ନିର୍ଯାତନା ବଢ଼ିଥିଲା। ୧୨୫୫ରେ ଇଂଲଣ୍ଡର ଲିଂକନରେ ଜଣେ ଖ୍ରୀଷ୍ଟିଆନ ବାଳକ ହ୍ୟୁଙ୍କ ମୃତ୍ୟୁ ପାଇଁ ଈହୁଦୀମାନଙ୍କୁ "blood libel" ଅଭିଯୋଗରେ ଦୋଷୀ କରାଯାଇଥିଲା। ଏହି ଘଟଣାରେ ଅନେକ ଈହୁଦୀଙ୍କୁ ଗିରଫ କରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହା ଇଂଲଣ୍ଡରେ ଈହୁଦୀ ଵିରୋଧୀ ମନୋଭାବକୁ ଆହୁରି ବଢ଼ାଇଥିଲା, ଯାହା ୧୨୯୦ରେ ଈହୁଦୀମାନଙ୍କୁ ଦେଶରୁ ଵହିଷ୍କାର କରିଵାରେ ଏକ ଭୂମିକା ନେଇଥିଲା। ୧୨୯୮ ମସିହାରେ ଜର୍ମାନୀର ବ୍ଲସ (Bloos) ସହରରେ ଏକ ଖ୍ରୀଷ୍ଟିଆନ ଶିଶୁର ମୃତ୍ୟୁ ପାଇଁ ଈହୁଦୀମାନଙ୍କୁ ଦାୟୀ କରାଯାଇଥିଲା। ଏହି "blood libel" ଅଭିଯୋଗ ଯୋଗୁଁ ସ୍ଥାନୀୟ ଈହୁଦୀ ସମ୍ପ୍ରଦାୟ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଅନେକ ଈହୁଦୀ ନିହତ ହୋଇଥିଲେ ଓ ସେମାନଙ୍କ ସମ୍ପତ୍ତି ନଷ୍ଟ କରାଯାଇଥିଲା। ଏହା ଜର୍ମାନୀର ଅନ୍ୟ ଅଞ୍ଚଳରେ ମଧ୍ୟ ଈହୁଦୀ ଵିରୋଧୀ ହିଂସାକୁ ପ୍ରଵର୍ତ୍ତାଇଥିଲା। ୧୪୭୫ ମସିହାରେ ଇଟାଲୀର ଟ୍ରେଣ୍ଟ ଅଞ୍ଚଳରେ ଏକ ଖ୍ରୀଷ୍ଟିଆନ ଶିଶୁ ସାଇମନ'ର ହତ୍ୟା ପାଇଁ ମଧ୍ୟ ଈହୁଦୀମାନଙ୍କୁ ଅଭିଯୁକ୍ତ କରାଯାଇଥିଲା । ଏହି ମିଥ୍ୟା ଅଭିଯୋଗରେ ଈହୁଦୀ ନେତା ଓ ସମ୍ପ୍ରଦାୟର ସଦସ୍ୟଙ୍କୁ ଗିରଫ କରାଯାଇ ନିର୍ଯାତନା ଦିଆଯାଇଥିଲା, କେତେକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହା ଇଟାଲୀ ଓ ଜର୍ମାନୀରେ ଈହୁଦୀ ଵିରୋଧୀ ହିଂସାକୁ ଆହୁରି ବଢ଼ାଇଥିଲା। "Blood libel" ଅଭିଯୋଗ ଈହୁଦୀମାନଙ୍କ ପ୍ରତି ଜନତାର ରୋଷ ବଢ଼ାଇଥିଲା, ଯାହା ଫଳରେ ସାମୂହିକ ଆକ୍ରମଣ, ଲୁଟପାଟ ଓ ହତ୍ୟା ଘଟୁଥିଲା। ଈହୁଦୀମାନଙ୍କୁ ଇଂଲଣ୍ଡ (୧୨୯୦), ଫ୍ରାନ୍ସ (୧୩୦୬) ଓ ସ୍ପେନ (୧୪୯୨) ଭଳି ଦେଶରୁ ଵହିଷ୍କୃତ କରାଯାଇଥିଲା ।‌

 ୧୪ଶ ଶତାବ୍ଦୀରେ,ମୁଖ୍ୟତଃ ୧୩୪୬-୧୩୫୩ ମଧ୍ୟରେ, ଇଉରୋପ, ଏସିଆ ଓ ଆଫ୍ରିକାରେ ପ୍ଲେଗ୍ ଵ୍ୟାପିଥିଲା। ଏହା ଇତିହାସରେ ସବୁଠାରୁ ମାରାତ୍ମକ ମହାମାରୀମାନଙ୍କ ମଧ୍ୟରୁ ଗୋଟିଏ ଥିଲା। 

ନଵମ ଶତାବ୍ଦୀର ୟୁରୋପୀୟ ଗୃହରେ ବିଲେଇ ପାଳିଵା ଆରମ୍ଭ ହୋଇଥିଲା। ଦଶମ ଶତାବ୍ଦୀ ବେଳକୁ ୟୁରୋପୀୟ ଧନୀକମାନେ ବଡ଼ ବଡ଼ କୋଠାରେ ବିଲେଇଙ୍କୁ ମୂଷା ମାରିଵା କାମ ପାଇଁ ରଖିଲେ । ତେବେ ଏକାଦଶରୁ ଦ୍ଵାଦଶ ଶତାବ୍ଦୀ ମଧ୍ୟରେ ୟୁରୋପୀୟ ଖ୍ରୀଷ୍ଟିଆନ ସମାଜରେ ବିଲେଇମାନଙ୍କୁ ସୈତାନର ଦୂତ ଓ ଡାହାଣୀର ସାହାଯ୍ୟକାରୀ ଵା ଡାହାଣୀର ଛଦ୍ମରୂପ ଇତ୍ୟାଦି କଳ୍ପନା କରି ଘୃଣା ଚକ୍ଷୁରେ ଦେଖାଗଲା । ଫଳତଃ ହଜାର ହଜାର ବିଲେଇଙ୍କୁ ମାରି ଦିଆଗଲା ।‌ ଏପଟେ ରେଶମ ମାର୍ଗ ଦେଇ ୟୁରୋପକୁ ପ୍ଲେଗ୍ ରୋଗ ଚାଲିଆସିଲା । ଏହା ମଙ୍ଗୋଲ ଵ୍ୟଵସାୟୀ ଓ ସୈନ୍ୟମାନଙ୍କ ଦ୍ୱାରା ଵ୍ୟାପିଥିଲା ଏଵଂ ପ୍ଲେଗ୍ ରୋଗ ସଂକ୍ରମଣରେ ମୁଖ୍ୟ ଖଳନାୟକ ମୂଷା ହିଁ ସାଜିଥିଲେ । ଯେହେତୁ ହଜାର ହଜାର ବିଲେଇଙ୍କୁ ଅନ୍ଧଵିଶ୍ୱାସ ଯୋଗୁଁ ୟୁରୋପୀୟମାନେ ମାରି ଦେଇଥିଲେ ତେଣୁ ମୂଷା ବଂଶ ଅହେତୁକ ବଢ଼ିଗଲା ଫଳତଃ ମୂଷାଙ୍କ ସହିତ ସାରା ୟୁରୋପରେ ପ୍ଲେଗ୍ ରୋଗ ବି ଵ୍ୟାପିଗଲା । ଏହି ପ୍ଲେଗ୍ ସଂକ୍ରମଣ ଏତେ ଭୟଙ୍କର ରୂପ ନେଲା ଯେ ଏହାକୁ Black Death ନାଆଁ ଦିଆଯାଇଥିଲା ।‌ ପ୍ଲେଗ୍ ସଂକ୍ରମଣ ଯୋଗୁଁ ତତ୍କାଳୀନ ୟୁରୋପୀୟ ଜନସଂଖ୍ୟାର ୩୦% ରୁ ୬୦%(ପ୍ରାୟ ୨୫ ନିୟୁତରୁ ୫୦ ନିୟୁତ) ପାଖାପାଖି ଲୋକ ମୃତ୍ୟୁଵରଣ କରିଥିଲେ । 

ଏବେ ଯେହେତୁ ଦୋଷାରୋପଣ ପାଇଁ ବିଲେଇ ନଥିଲେ ତେଣୁ ଖ୍ରୀଷ୍ଟିଆନମାନେ ପ୍ଲେଗ୍ ରୋଗ ସଂକ୍ରମଣ ପାଇଁ ଯାଦୁଗର,ତାନ୍ତ୍ରିକ, ଡାହାଣୀ ଵିଦ୍ୟା ଜାଣିଥିଵା ମହିଳା ଓ ଈହୁଦୀମାନଙ୍କୁ ଦାୟୀ କଲେ । ଅନେକ ମହିଳାମାନଙ୍କୁ ଡାହାଣୀ ସନ୍ଦେହ କରି ମାରିଦିଆଗଲା । ତେବେ ଖ୍ରୀଷ୍ଟିଆନମାନେ ପ୍ଲେଗରୋଗ ପାଇଁ ଈହୁଦୀମାନେ ଦାୟୀ ବୋଲି ସନ୍ଦେହ କଲେ କାରଣ ଈହୁଦୀମାନଙ୍କର ପ୍ଲେଗ୍ ଯୋଗୁଁ ମୃତ୍ୟୁହାର ସାଧାରଣ ୟୁରୋପୀୟ ଜନସଂଖ୍ୟା ତୁଳନାରେ ପ୍ରାୟ ୨୦% କମ୍ ଥିଲା । ତେବେ ଈହୁଦୀମାନଙ୍କର ସ୍ୱଚ୍ଛତା ଅଭ୍ୟାସ (ଯଥା:- ହାତ ଧୋଇବା,ସ୍ଵଚ୍ଛ ଖାଦ୍ୟ ଭକ୍ଷଣ ତଥା ଶୁଦ୍ଧ ଵସଵାସ ଓ ମୃତଦେହର ସଠିକ ସମାଧି) ଯୋଗୁଁ ଏହି ମୃତ୍ୟୁହାର କମ୍ ଥିଲା ବୋଲି ସେ ସମୟର ୟୁରୋପୀୟ ଖ୍ରୀଷ୍ଟିଆନମାନେ ବୁଝିପାରିନଥିଲେ । ଫଳତଃ ୟୁରୋପୀୟ ଖ୍ରୀଷ୍ଟିଆନମାନେ ଈହୁଦୀମାନଙ୍କୁ "କୂଅରେ ଵିଷ ପକାଇଵା" ଅଭିଯୋଗରେ ଅନ୍ୟାୟ ଭାବେ ଦାୟୀ କରିଥିଲେ । ବାର୍ବାରା ଟଚମ୍ୟାନଙ୍କ ଭାଷାରେ - "The Jews were accused of poisoning wells, spreading the plague, and other heinous crimes" (Barbara Tuchman, A Distant Mirror) । 

ପ୍ଲେଗର ରୋଗର ଵାହକ ତଥା ପ୍ଲେଗ ରୋଗର କାରକ ଵିଚାର କରି ୟୁରୋପୀୟ ଖ୍ରୀଷ୍ଟିଆନମାନେ ହଜାର ହଜାର ଈହୁଦୀଙ୍କୁ ହତ୍ୟା କରିଥିଲେ ପୁଣି ସେମାନଙ୍କର ସମ୍ପତ୍ତି ମଧ୍ୟ ଲୁଣ୍ଠନ ହୋଇଥିଲା। ଟୋଲୋନ୍ (୧୩୪୮)ରେ ୪୦ ଜଣ ଈହୁଦୀଙ୍କୁ ତାଙ୍କ ନିଜ ଘରେ ନିର୍ମମ ହତ୍ୟା କରାଯାଇଥିଲା। ସ୍ଟ୍ରାସବର୍ଗ (୧୩୪୯)ରେ ପ୍ଲେଗ୍ ଵ୍ୟାପିନଥିଲେ ବି କେଵଳ ହିଂସା ଦ୍ୱେଷ ଓ ଭୟ ଯୋଗୁଁ ୨,୦୦୦ ଈହୁଦୀଙ୍କୁ "ଵାଲେଣ୍ଟାଇନ୍ ଡେ" ଗଣହତ୍ୟାରେ ଜଳାଇ ଦିଆଯାଇଥିଲା ।‌ମେଞ୍ଜ୍ (୧୩୪୯)ରେ ୩,୦୦୦ ଈହୁଦୀ ସମ୍ପ୍ରଦାୟ(Comunity) ନିଶ୍ଚିହ୍ନ ହୋଇଥିଲା । ଈହୁଦୀମାନେ ପ୍ରଥମେ ଆତ୍ମରକ୍ଷା କରିଥିଲେ, କିନ୍ତୁ ଖ୍ରୀଷ୍ଟିୟାନ ଆକ୍ରମଣକାରୀମାନେ ସେମାନଙ୍କୁ ପରାସ୍ତ କରି ସମସ୍ତଙ୍କୁ ହତ୍ୟା କରିଥିଲେ। ସ୍ପେୟାରରେ ଈହୁଦୀମାନଙ୍କ ମୃତଦେହକୁ ମଦ ପାତ୍ରରେ ଭର୍ତ୍ତି କରି ରାଇନ ନଦୀରେ ଫୋପାଡ଼ି ଦିଆଯାଇଥିଲା।କୋଲୋନ୍ ଓ ଫ୍ରାଙ୍କଫର୍ଟ ସହରରେ ଜଣେ ବି ଈହୁଦୀ ଗଣହତ୍ୟାରୁ ଵର୍ତ୍ତିପାରିନଥିଲା । କାଇବର୍ଗ କାଷ୍ଟେଲ (୧୩୪୯)ରେ ୩୩୦ ଈହୁଦୀଙ୍କୁ ଜୀଅନ୍ତା ଜଳାଇ ଦିଆଯାଇଥିଲା। ୧୩୪୮-୧୩୫୧ ମଧ୍ୟରେ ପ୍ରାୟ ୩୫୦ଟି ବଡ଼ ଓ ଛୋଟ ଗଣହତ୍ୟା ଘଟିଥିଲା, ଯେଉଁଥିରେ ୫୧୦ଟି ଈହୁଦୀ ସମ୍ପ୍ରଦାୟ ଧ୍ୱଂସ ହୋଇଥିଲା।ମେଞ୍ଜରେ ୬,୦୦୦ ଓ ଫ୍ରାଙ୍କଫର୍ଟରେ ୧୯,୦୦୦ରୁ ଅଧିକ ଈହୁଦୀ ନିଶ୍ଚିହ୍ନ ହୋଇଥିଵା ରେକର୍ଡ ମିଳେ। ଅନେକ ସ୍ଥାନରେ ହଜାର ହଜାର ଈହୁଦୀଙ୍କୁ ହତ୍ୟା କରାଯାଇଥିଲା କିମ୍ବା ନିର୍ଵାସିତ କରାଯାଇଥିଲା, ଯାହା ଫଳରେ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡରେ ଈହୁଦୀ ସମ୍ପ୍ରଦାୟ ପ୍ରାୟ ଵିଲୁପ୍ତ ହୋଇଯାଇଥିଲା। ଏହି ଅତ୍ୟାଚାର ଯୋଗୁଁ ଅନେକ ଈହୁଦୀ ପଶ୍ଚିମ ୟୁରୋପରୁ ପୋଲାଣ୍ଡ ଓ ଲିଥୁଆନିଆକୁ ପଳାୟନ କରିଥିଲେ, ଯେଉଁଠାରେ ପୋଲାଣ୍ଡର ରାଜା "କାସିମିର ତୃତୀୟ" ସେମାନଙ୍କୁ ଆଶ୍ରୟ ଦେଇଥିଲେ।

ତେବେ ଈହୁଦୀମାନେ ଦେଶାନ୍ତରରେ ଯୋଉ ଦେଶକୁ ଗଲେ ସେଠି ଅତ୍ୟାଚାରର ଶିକାର ହୋଇଥିଲେ । ଉଦାହରଣ ସ୍ଵରୂପ ଉତ୍ତର ଆଫ୍ରିକାର ମରକ୍କୋ ଦେଶରେ ଯାଇ ରହୁଥିଵା ଈହୁଦୀମାନଙ୍କ ଉପରେ ୧୪୬୫ ମସିହାରେ ମୁଷଳମାନମାନେ ଆକ୍ରମଣ କରି ଅନେକ ଲୋକଙ୍କୁ ମାରି ଦେଇଥିଲେ । 

 ୧୪୯୨ ମସିହାରେ, ସ୍ପାନିଶ ଇନକ୍ୱିଜିସନ (Spanish Inquisition) ସମୟରେ, ରାଜା ଫର୍ଡିନାଣ୍ଡ ଓ ରାଣୀ ଇସାବେଲାଙ୍କ ଆଦେଶରେ ଈହୁଦୀମାନଙ୍କୁ ସ୍ପେନରୁ ନିର୍ଵାସିତ କରାଯାଇଥିଲା। ଯେଉଁମାନେ ଖ୍ରୀଷ୍ଟଧର୍ମ ଗ୍ରହଣ କରି ନଥିଲେ, ସେମାନଙ୍କୁ ଦେଶ ଛାଡିଵାକୁ ବାଧ୍ୟ କରାଯାଇଥିଲା, ଅନ୍ୟଥା ସେମାନଙ୍କୁ ନିର୍ଯାତନା କିମ୍ବା ମୃତ୍ୟୁଦଣ୍ଡ ଦିଆଯାଉଥିଲା। ଏହି ନିର୍ଵାସନ ଯୋଗୁଁ ଲକ୍ଷ ଲକ୍ଷ ଈହୁଦୀ ତୁର୍କୀ, ଉତ୍ତର ଆଫ୍ରିକା ଏଵଂ ଅନ୍ୟାନ୍ୟ ସ୍ଥାନକୁ ପଳାୟନ କରିଥିଲେ। ୧୪୯୭ ମସିହାରେ, ପର୍ତ୍ତୁଗାଲରେ ମଧ୍ୟ ଈହୁଦୀମାନଙ୍କୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଵାକୁ ବାଧ୍ୟ କରାଯାଇଥିଲା, ନଚେତ୍ ସେମାନଙ୍କୁ ନିର୍ଵାସନ କିମ୍ବା ମୃତ୍ୟୁଦଣ୍ଡ ଦିଆଯାଉଥିଲା।

ୟୁକ୍ରେନ ଓ ପୋଲାଣ୍ଡ ଅଞ୍ଚଳରେ ଖମେଲନିତ୍ସକି ଵିଦ୍ରୋହ (୧୬୪୮–୧୬୫୭) ସମୟରେ, ଈହୁଦୀ ସମୁଦାୟ ଉପରେ ଭୟଙ୍କର ଅତ୍ୟାଚାର ହୋଇଥିଲା। ହଜାର ହଜାର ଈହୁଦୀଙ୍କୁ ହତ୍ୟା କରାଯାଇଥିଲା ଏଵଂ ଅନେକେ ନିର୍ଵାସିତ ହୋଇଥିଲେ। 

ସପ୍ତଦଶ ଶତାବ୍ଦୀ ସମୟରେ ଈହୁଦୀମାନଙ୍କୁ ରୁଷିଆରେ ରହିଵା ଉପରେ କଟକଣା ଲଗାଯାଇଥିଲା ଏଵଂ ସେମାନଙ୍କୁ ଅନେକ ପୋଗ୍ରୋମ (ସଂଗଠିତ ହିଂସା)ର ଶିକାର ହେଵାକୁ ପଡ଼ିଥିଲା।

ଅଷ୍ଟାଦଶ ଶତାବ୍ଦୀ ସମୟରେ "ପେଲ ଅଫ ସେଟଲମେଣ୍ଟ" ନୀତି ଅନୁଯାୟୀ, ଈହୁଦୀମାନଙ୍କୁ ରୁଷିଆର ନିର୍ଦ୍ଦିଷ୍ଟ ଅଞ୍ଚଳରେ (ମୁଖ୍ୟତଃ ପଶ୍ଚିମ ରୁଷିଆ, ଇଉକ୍ରେନ, ଓ ପୋଲାଣ୍ଡ) ରହିଵାକୁ ବାଧ୍ୟ କରାଯାଇଥିଲା। ଏହି ଅଞ୍ଚଳରେ ସେମାନେ ଅର୍ଥନୈତିକ ଓ ସାମାଜିକ ଵୈଷମ୍ୟର ଶିକାର ହୋଇଥିଲେ। ଅଷ୍ଟାଦଶ ଶତାବ୍ଦୀର ଜର୍ମାନୀରେ ମଧ୍ୟ ଈହୁଦୀମାନେ ଅତ୍ୟାଚାରିତ ହୋଇଥିଲେ । ଈହୁଦୀମାନଙ୍କୁ ସୀମିତ ଅଧିକାର ଦିଆଯାଉଥିଲା, ଏଵଂ ସେମାନଙ୍କୁ ନିର୍ଦ୍ଦିଷ୍ଟ ପେଶା ଓ ଅଞ୍ଚଳରେ ରହିଵାକୁ ବାଧ୍ୟ କରାଯାଉଥିଲା।. 

ଊନବିଂଶ ଶତାବ୍ଦୀ ସମୟର ରୁଷିଆରେ ପୋଗ୍ରୋମ ଅଧିକ ତୀଵ୍ର ହୋଇଥିଲା, ଵିଶେଷତଃ ୧୮୮୧–୧୮୮୪ ଏଵଂ ୧୯୦୩–୧୯୦୬ ମଧ୍ୟରେ ଈହୁଦୀମାନେ ଅତ୍ୟାଚାରିତ ହୋଇଥିଲେ । ହଜାର ହଜାର ଈହୁଦୀଙ୍କୁ ହତ୍ୟା କରାଯାଇଥିଲା ଏଵଂ ଅନେକେ ପଶ୍ଚିମ ଇଉରୋପ ଓ ଆମେରିକାକୁ ପଳାୟନ କରିଥିଲେ।

ଊନବିଂଶ ଶତାବ୍ଦୀର ଫ୍ରାନ୍ସରେ ଡ୍ରେଫୁସ ଘଟଣା (୧୮୯୪)ରେ, ଈହୁଦୀ ସେନା ଅଧିକାରୀ ଆଲଫ୍ରେଡ ଡ୍ରେଫୁସଙ୍କୁ ମିଥ୍ୟା ରାଜଦ୍ରୋହ ଅଭିଯୋଗରେ ଦଣ୍ଡିତ କରାଯାଇଥିଲା, ଯାହା ଫ୍ରାନ୍ସରେ ଈହୁଦୀ ଵିରୋଧୀ ମନୋଭାବକୁ ପ୍ରକାଶ କରିଥିଲା।ଜର୍ମାନୀ ଓ ଅଷ୍ଟ୍ରିଆରେ ଊନବିଂଶ ଶତାବ୍ଦୀରେ ଈହୁଦୀ ଵିରୋଧୀ ଭାବନା ବୃଦ୍ଧି ପାଇଥିଲା, ଯାହା ପରଵର୍ତ୍ତୀ ଶତାବ୍ଦୀରେ ହୋଲୋକଷ୍ଟର ମୂଳ କାରଣ ହୋଇଥିଲା।


ବିଂଶ ଶତାବ୍ଦୀରେ, ହୋଲୋକଷ୍ଟ(1933-1945) ଈହୁଦୀ ଇତିହାସରେ ସବୁଠାରୁ ଭୟଙ୍କର ଅଧ୍ୟାୟ ଥିଲା। ୧୯୩୩ ରୁ ୧୯୪୫ ମଧ୍ୟରେ ନାଜୀ ଜର୍ମାନୀ ଏଵଂ ତା'ର ସହଯୋଗୀମାନଙ୍କ ଦ୍ୱାରା ହୋଲୋକଷ୍ଟ (Holocaust) ସଂଘଟିତ ହୋଇଥିଲା ଯାହା ଇତିହାସରେ ଈହୁଦୀମାନଙ୍କ ଉପରେ ହୋଇଥିଵା ସବୁଠାରୁ ଭୟଙ୍କର ସଂଗଠିତ ଅତ୍ୟାଚାର ଅଟେ। ଏହା ନାଜୀ ନେତା ଆଡଲଫ୍ ହିଟଲରଙ୍କ "ଫାଇନାଲ ସୋଲ୍ୟୁସନ"(Final Solution) ନୀତିର ଅଂଶ ଥିଲା ଏଵଂ ଇଉରୋପରୁ ଈହୁଦୀ ଜାତିକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବା ଏହି ନୀତିର ମୂଳ ଲକ୍ଷ୍ୟ ଥିଲା। ପ୍ରଥମ ପର୍ଯ୍ୟାୟରେ ଈହୁଦୀମାନଙ୍କୁ
ଜର୍ମାନୀ, ପୋଲାଣ୍ଡ ଏଵଂ ଅନ୍ୟାନ୍ୟ ନାଜୀ-ଅଧିକୃତ ଅଞ୍ଚଳରେ ଗେଟୋ ଵ୍ୟଵସ୍ଥାରେ ଅତ୍ୟନ୍ତ ଅସ୍ଵାସ୍ଥ୍ୟକର ପରିଵେଶରେ ରଖାଯାଇଥିଲା ‌। ଏହି ଗେଟୋଗୁଡ଼ିକରେ ଅତ୍ୟନ୍ତ ଖରାପ ଜୀଵନଯାପନ ପରିସ୍ଥିତି, ଅପପୁଷ୍ଟି ଏଵଂ ରୋଗ ଵ୍ୟାପିଵା ସାଧାରଣ ଥିଲା। ଈହୁଦୀମାନଙ୍କୁ ସେମାନଙ୍କ ଘରୁ ବଳପୂର୍ଵକ ଉଚ୍ଛେଦ କରାଯାଇ କନସେଂଟ୍ରେସନ କ୍ୟାମ୍ପ (Concentration Camps) ଓ ଡେଥ୍ କ୍ୟାମ୍ପ(Death Camps)କୁ ପଠାଯାଇଥିଲା। ଏହି ନିର୍ଵାସନ ଅଧିକାଂଶ ସମୟରେ ଅମାନଵୀୟ ପରିଵହନ ମାଧ୍ୟମରେ (ଯେପରିକି, ଗୋରୁ ବଗିରେ) ହୋଇଥିଲା ଫଳତଃ ଅନେକେ ଖାଦ୍ୟ, ପାଣି ଓ ଅମ୍ଳଜାନ ଅଭାବରେ ମୃତ୍ୟୁଵରଣ କରୁଥିଲେ।
ଈହୁଦୀମାନଙ୍କୁ ଶ୍ରମ ଶିବିରରେ (Labor Camps) ଅମାନବୀୟ ପରିସ୍ଥିତିରେ କାମ କରିଵାକୁ ବାଧ୍ୟ କରାଯାଉଥିଲା। ଅପପୁଷ୍ଟି, ଅତ୍ୟଧିକ ଶ୍ରମ ଏଵଂ ନିର୍ଯାତନା ଯୋଗୁଁ ଅନେକେ ମରୁଥିଲେ। ହଜାର ହଜାର ଈହୁଦୀ ମହିଳା ବଳାତ୍କାରର ଶିକାର ହୋଇଥିଲେ । 
ନାଜୀମାନେ ଆଉଶ୍ୱିଟ୍ଜ୍-ବିରକେନାଉ, ଟ୍ରେବଲିଙ୍କା, ସୋବିବୋର୍, ବେଲଜେକ୍, ମାଜଦାନେକ୍ ଓ ଚେଲମ୍ନୋ ଭଳି ଶିବିରଗୁଡ଼ିକରେ ଗ୍ୟାସ ଚାମ୍ବର (Gas Chambers) ଦ୍ଵାରା ଲକ୍ଷ ଲକ୍ଷ ଈହୁଦୀଙ୍କୁ ହତ୍ୟା କରିଥିଲେ। ଜାଇକ୍ଲୋନ୍-ବି ଭଳି ଵିଷାକ୍ତ ଗ୍ୟାସ ଏଵଂ କାର୍ବନ୍ ମୋନୋକ୍ସାଇଡ୍ ଵ୍ୟଵହାର କରି ଈହୁଦୀମାନଙ୍କୁ ଖ୍ରୀଷ୍ଟିଆନ ନାଜିମାନେ କଷ୍ଟ ଦେଇ ଦେଇ ମାରିଥିଲେ ।
 ଆଇନସାତ୍ଜଗ୍ରୁପେନ୍ ନାମକ ଏକ ଵିଶିଷ୍ଟ ନାଜୀ ଦଳ ପୂର୍ଵ ଇଉରୋପରେ (ଵିଶେଷତଃ ରୁଷିଆ, ଇଉକ୍ରେନ, ଓ ବେଲାରୁଷ) ଗାଁ ଓ ସହରଗୁଡ଼ିକରେ ବୁଲି ବୁଲି ରୋମା ଜାତି, କମ୍ୟୁନିଷ୍ଟ ,ମୁଷଳମାନ ଓ ଵିଶେଷ କରି ଈହୁଦୀମାନଙ୍କୁ ଗୁଳି କରି ହତ୍ୟା କରୁଥିଲେ ।
ଏହି ଦଳ ଦ୍ଵାରା ଅଣଖ୍ରୀଷ୍ଟିଆନ୍ ମହିଳାମାନଙ୍କୁ ବଳାତ୍କାର କରି ମାରି ଦିଆଯାଉଥିଲା । Babi Yar(୧୯୪୧) ଭଳି ଗଣହତ୍ୟାରେ ୩୩,୦୦୦ରୁ ଅଧିକ ଈହୁଦୀଙ୍କୁ ମାତ୍ର ଦୁଇ ଦିନରେ ହତ୍ୟା କରାଯାଇଥିଲା।

ଜୋସେଫ ମେଙ୍ଗେଲେଙ୍କ ପରି ଖ୍ରୀଷ୍ଟିଆନ ନାଜି ଡାକ୍ତରମାନେ ଈହୁଦୀ ବନ୍ଦୀମାନଙ୍କ ଉପରେ ଅମାନଵୀୟ ମେଡିକାଲ ପରୀକ୍ଷା-ନିରୀକ୍ଷା କରୁଥିଲେ। ଏହି ଡାକ୍ତରମାନେ ଏନେସ୍ଥେସିଆ ନଦେଇ ଈହୁଦୀମାନଙ୍କୁ କଷ୍ଟ ଦେଇ ପରୀକ୍ଷଣ କରୁଥିଲେ । ରାସାୟନିକ ପଦାର୍ଥର ପରୀକ୍ଷଣ ଏଵଂ ଜୈଵିକ ପରୀକ୍ଷଣ ମଧ୍ୟ ଏହାର ଅନ୍ତର୍ଭୁକ୍ତ ଥିଲା।

ହୋଲୋକଷ୍ଟ ସମୟରେ ପ୍ରାୟ ୬୦ ଲକ୍ଷ (୬ ମିଲିୟନ) ଈହୁଦୀଙ୍କୁ ମାରି ଦିଆଯାଇଥିଲା, ଯାହା ସେତେବେଳେ ଇଉରୋପର ଈହୁଦୀ ଜନସଂଖ୍ୟାର ପ୍ରାୟ ଦୁଇ-ତୃତୀୟାଂଶ ଥିଲା। ଏହି ମୃତ୍ୟୁ ଵିଭିନ୍ନ ଦେଶ ଓ ଶିବିରରେ ହୋଇଥିଲା। ପୋଲାଣ୍ଡ ଥିଲା ହୋଲୋକଷ୍ଟର ସବୁଠାରୁ ବଡ଼ କେନ୍ଦ୍ର,ଏଠି ପ୍ରାୟ ୩୦ ଲକ୍ଷ ଈହୁଦୀ ହତ୍ୟା ହୋଇଥିଲେ।ଆଇନସାତ୍ଜଗ୍ରୁପେନ ଦଳ ଦ୍ୱାରା ପୂର୍ଵ ଇଉରୋପରେ ପ୍ରାୟ ୧୦–୧୫ ଲକ୍ଷ ଈହୁଦୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଅନ୍ୟ ଶିବିର ଓ ଗେଟୋରେ ମଧ୍ୟ ଅନେକ ଈହୁଦୀ ହତ୍ୟା ହୋଇଥିଲେ। ଜର୍ମାନୀରେ ପ୍ରାୟ ୧,୬୫,୦୦୦ ଈହୁଦୀ ନିର୍ଵାସିତ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଶିବିରରେ ହତ୍ୟା ହୋଇଥିଲେ। ୧୯୪୪ରେ, ୪,୩୭,୦୦୦ରୁ ଅଧିକ ହଙ୍ଗେରୀୟ ଈହୁଦୀଙ୍କୁ ଆଉଶ୍ୱିଟ୍ଜକୁ ନିର୍ଵାସିତ କରାଯାଇଥିଲା, ତନ୍ମଧ୍ୟରେ ଅଧିକାଂଶଙ୍କୁ ହତ୍ୟା କରାଯାଇଥିଲା।
ଫ୍ରାନ୍ସରେ ପ୍ରାୟ ୭୬,୦୦୦ ଈହୁଦୀ ନିର୍ବାସିତ ହୋଇ ଶିବିରରେ ହତ୍ୟାର ଶିକାର ହୋଇଥିଲେ। ନେଦରଲ୍ୟାଣ୍ଡରେ ପ୍ରାୟ ୧,୦୦,୦୦୦ ଲକ୍ଷ ଈହୁଦୀଙ୍କୁ ମାରି ଦିଆଯାଇଥିଲା ‌। ରୋମାନିଆରେ ପ୍ରାୟ ୨,୭୦,୦୦୦ ଈହୁଦୀଙ୍କ ମରାଯାଇଥିଲା।ଚେକୋସ୍ଲୋଭାକିଆରେ ୮୦,୦୦୦ଙ୍କୁ ଈହୁଦୀଙ୍କୁ ମାରି ଦିଆଯାଇଥିଲା । ଅନ୍ୟାନ୍ୟ ଦେଶ ଯେପରିକି ଇଟାଲୀ, ବେଲଜିୟମ, ଗ୍ରୀସ୍ ଇତ୍ୟାଦିରେ ମଧ୍ୟ ହଜାର ହଜାର ଈହୁଦୀ ହତ୍ୟା ହୋଇଥିଲେ।

ହୋଲୋକଷ୍ଟ ସମ୍ବନ୍ଧରେ ଏଲି ୱିଜେଲ ଵର୍ଣ୍ଣନା କରି କୁହନ୍ତି: "The Holocaust was not only a Jewish tragedy but a human tragedy, a scar on the conscience of the world." । 

ହୋଲୋକଷ୍ଟ ପରେ, ସାୟନବାଦ(Zionism) ମାଧ୍ୟମରେ ଈହୁଦୀମାନେ ନିଜର ପ୍ରାଚୀନ ମାତୃଭୂମିକୁ ଫେରିଵାକୁ ଚେଷ୍ଟା କଲେ। 1948ରେ ଆଧୁନିକ ଇସ୍ରାଏଲ ରାଷ୍ଟ୍ର ସ୍ଥାପିତ ହେଲା। ନିଜ ମୂଳଭୂମିରେ ସ୍ଵତନ୍ତ୍ର ଦେଶର ଗଠନ ପରେ ମରି ମରି ଯାଉଥିଵା ହିବ୍ରୁ ଭାଷାକୁ ରାଷ୍ଟ୍ରଭାଷା କରି ଈହୁଦୀମାନେ ତାକୁ ପୁର୍ନଜୀଵିତ କରିଦେଲେ ‌। ମାତ୍ର ଛଅ ଦଶନ୍ଧି ମଧ୍ୟରେ, ଇସ୍ରାଏଲ ଵିଜ୍ଞାନ, କୃଷି, ଓ ପ୍ରଯୁକ୍ତି କ୍ଷେତ୍ରରେ ଅଭୂତପୂର୍ଵ ଉନ୍ନତି କରିଛି। Kibbutz (ସାମୂହିକ କୃଷି ସମ୍ପ୍ରଦାୟ) ଓ Drip Irrigation ଭଳି ନୂତନ ପ୍ରଣାଳୀ ଇସ୍ରାଏଲର ମରୁଭୂମିକୁ ସବୁଜ ସୁନ୍ଦର କରିଛି। ଏକଦା ଏହାର ସ୍ଵପ୍ନ ଦେଖି ଇସ୍ରାଏଲର ପ୍ରଥମ ପ୍ରଧାନମନ୍ତ୍ରୀ ଡେଭିଡ ବେନ-ଗୁରିଅନ କହିଥିଲେ : "A nation’s strength lies in its unity and pride in its heritage." ।‌ 

ଆଜି ତାଙ୍କର ସ୍ଵପ୍ନ ସାକାର ହୋଇଛି । ଅଵଶ୍ୟ ଵିପତ୍ତିର ଅମା ଅନ୍ଧକାର ଇସ୍ରାଏଲ ଓ ଈହୁଦୀଙ୍କ ଉପରୁ ସମ୍ପୂର୍ଣ୍ଣ ଛାଡ଼ି ନାହିଁ ତଥାପି ଇସ୍ରାଏଲ ଆଜି ଏକ ଶକ୍ତିଶାଳୀ ଦେଶ ରୂପେ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟରେ ମୁଣ୍ଡ ଟେକି ଛିଡ଼ା ହୋଇଛି । ସମସ୍ତ ଈହୁଦୀ ଵିରୋଧି ଶକ୍ତି ଶତଚେଷ୍ଟା କରି ମଧ୍ୟ ଇସ୍ରାଏଲକୁ ହରାଇ ପାରିନାହାନ୍ତି । ମାତ୍ର ଛଅ ଦଶନ୍ଧି ମଧ୍ୟରେ ଇସ୍ରାଏଲ୍ ର ଉନ୍ନତିରୁ ଅନ୍ୟ ମାନଵଜାତି ମାନଙ୍କୁ ଅନେକ କିଛି ଶିଖିଵାର ଅଛି । ଵିଶେଷତଃ ଵିଭିନ୍ନ ଜାତୀୟତାରେ ଛନ୍ଦି ହୋଇ ପଡି଼ଥିଵା ପ୍ରାଚୀନ କଳିଙ୍ଗଦେଶୀୟ ମାନଙ୍କ(ଉଡ୍ର,ଉତ୍କଳୀ,କଳିଙ୍ଗୀ) ଵର୍ତ୍ତମାନ ଦାୟାଦ ଓଡ଼ିଆମାନେ ଶିଖିଵା ଆଵଶ୍ୟକ ଯେ ଅନ୍ୟର ପରିଚୟରେ ପରିଚିତ ନହୋଇ ଵରଂ ଈହୁଦୀମାନଙ୍କ ଭଳି ନିଜର ପରିଚୟ ସୃଷ୍ଟି କରିଵାକୁ ଚେଷ୍ଟା କରନ୍ତୁ ଅନ୍ୟଥା ଦିନ ଆସିଵ ନିଜ ମାଟି ନିଜ ପରିଚୟ ହରାଇ ଅନନ୍ତ ଦୁଃଖ ଯାତନା ସହ୍ୟ କରିଵାକୁ ପଡି଼ଵ ‌ । 




Friday, June 27, 2025

ପିକି ବ୍ଲାଇଣ୍ଡର୍ସର ଇତିହାସ

ପିକି ବ୍ଲାଇଣ୍ଡର୍ସ ଥିଲା ଏକ ପ୍ରକୃତ ଅପରାଧୀ ଗୋଷ୍ଠୀ ଏଵଂ ଏହି ଗୋଷ୍ଠୀ ଇଂଲଣ୍ଡର ବାର୍ମିଂହାମରେ ୧୮୮୦ ଦଶକରୁ ୧୯୨୦ ଦଶକ ପର୍ଯ୍ୟନ୍ତ ସକ୍ରିୟ ଥିଲା। ଏହି ଗୋଷ୍ଠୀର ଐତିହାସିକ ପୃଷ୍ଠଭୂମିରେ ଜଣାଶୁଣା ଟେଲିଭିଜନ ସିରିଜ "Peaky Blinders" ନିର୍ମାଣ ହୋଇଛି କିନ୍ତୁ ଏଥିରେ ଅନେକ ଅଂଶ କାଳ୍ପନିକ ଏଵଂ ନାଟକୀୟ ଭାବେ ଅତିରଞ୍ଜିତ।

ପିକି ବ୍ଲାଇଣ୍ଡର୍ସ ୧୮୮୦ ଦଶକରେ ବାର୍ମିଂହାମର ଦରିଦ୍ର ଅଞ୍ଚଳରେ, ଵିଶେଷତଃ ସ୍ମଲ ହିଥ ଏଵଂ ଚେପସାଇଡ ଭଳି ଅଞ୍ଚଳରେ ସକ୍ରିୟ ହୋଇଥିଲେ। ଏହି ସମୟରେ ବାର୍ମିଂହାମ ଏକ ଶିଳ୍ପ କେନ୍ଦ୍ର ଥିଲା, ଯେଉଁଠାରେ ଦାରିଦ୍ର୍ୟ, ବେକାରୀ ତଥା ସାମାଜିକ ଅସ୍ଥିରତା ଅପରାଧକୁ ବଢ଼ାଇଥିଲା। ଏହି ଗୋଷ୍ଠୀ ମୁଖ୍ୟତଃ ଯୁବକମାନଙ୍କୁ ନେଇ ଗଠିତ ଥିଲା, ଯେଉଁମାନେ ସ୍ଥାନୀୟ ଅଞ୍ଚଳରେ ଆଧିପତ୍ୟ ଵିସ୍ତାର କରିଵା ପାଇଁ ହିଂସାତ୍ମକ କାର୍ଯ୍ୟକଳାପରେ ଜଡ଼ିତ ହୋଇଥିଲେ।

"ପିକି ବ୍ଲାଇଣ୍ଡର୍ସ" ନାମଟି ସେମାନଙ୍କର ଫ୍ୟାଶନ ଶୈଳୀରୁ ଆସିଥିଲା। ସେମାନେ ସାଧାରଣତଃ ଫ୍ଲାଟ କ୍ୟାପ, ଟେଲର୍ଡ ସୁଟ୍ ଏଵଂ ବୁଟ୍ ପିନ୍ଧୁଥିଲେ, ଯାହା ସେମାନଙ୍କୁ ଅନ୍ୟ ଗୋଷ୍ଠୀଠାରୁ ଅଲଗା କରୁଥିଲା।
ଏକ ଜନପ୍ରିୟ କିଂଵଦନ୍ତୀ ଅନୁଯାୟୀ, ସେମାନେ ନିଜ ଟୋପିରେ ରେଜର୍ ବ୍ଲେଡ୍ ଲୁଚାଇ ରଖୁଥିଲେ, ଯାହା ସେମାନେ ଅସ୍ତ୍ର ଭାବେ ଵ୍ୟଵହାର କରୁଥିଲେ। କିନ୍ତୁ, ଐତିହାସିକ ପ୍ରମାଣ ଏହାକୁ ଏକ ମିଥ୍ ବୋଲି ସୂଚାଇଥାଏ; ଏହା ସମ୍ଭଵତଃ ସେମାନଙ୍କ ହିଂସ୍ର ଖ୍ୟାତିକୁ ବଢ଼ାଇଵା ପାଇଁ ଏକ ଗୁଜବ ଥିଲା।

 ପିକି ବ୍ଲାଇଣ୍ଡର୍ସ ଚୋରି, ଡକାଇତି, ଅବୈଧ ଜୁଆ, ରାକେଟିଅରିଂ (ସୁରକ୍ଷା ପାଇଁ ବେଆଇନ ଟଙ୍କା ଆଦାୟ) ଏଵଂ ସ୍ଥାନୀୟ ଅଞ୍ଚଳରେ ହିଂସାତ୍ମକ ଗଣ୍ଡଗୋଳରେ ଜଡ଼ିତ ଥିଲେ। ସେମାନେ ପ୍ରାୟତଃ ଅନ୍ୟ ସ୍ଥାନୀୟ ଗ୍ୟାଙ୍ଗ ଯେପରିକି "ବାର୍ମିଂହାମ ବଏଜ" କିମ୍ବା "ସ୍ଲୋଗର୍ସ" ସହିତ ପ୍ରତିଦ୍ୱନ୍ଦ୍ୱିତାରେ ଲିପ୍ତ ହେଉଥିଲେ, ଯାହା ବାର୍ମିଂହାମର ରାସ୍ତାଘାଟରେ ହିଂସାକୁ ବଢ଼ାଇଥିଲା।
 ସେମାନଙ୍କ ଅପରାଧ ସାଧାରଣତଃ ସ୍ଥାନୀୟ ସ୍ତରରେ ସୀମିତ ଥିଲା, ଏଵଂ ସେମାନେ ଟେଲିଭିଜନ ସିରିଜରେ ଦର୍ଶାଯାଇଥିଵା ଆନ୍ତର୍ଜାତୀୟ ଅପରାଧୀ ସାମ୍ରାଜ୍ୟ ଭଳି ଶକ୍ତିଶାଳୀ କିମ୍ବା ସଂଗଠିତ ନଥିଲେ।

ଗ୍ୟାଙ୍ଗର ସଦସ୍ୟମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀରୁ ଆସୁଥିଲେ, ଯେଉଁମାନେ ଅର୍ଥନୈତିକ ଅସୁବିଧା ଏଵଂ ସାମାଜିକ ଅଵହେଳାର ଶିକାର ଥିଲେ।ବାର୍ମିଂହାମରେ ଆଇରିଶ ଓ ଇଟାଲୀୟ ପ୍ରଵାସୀ ସମ୍ପ୍ରଦାୟ ମଧ୍ୟ ଗ୍ୟାଙ୍ଗରେ ଜଡ଼ିତ ଥିଲେ, ଯାହା ସିରିଜରେ ଶେଲବି ପରିଵାରର ଆଇରିଶ-ରୋମାନୀ ପୃଷ୍ଠଭୂମି ଦ୍ୱାରା ପ୍ରତିଫଳିତ ହୋଇଛି।

୧୯୧୦ ଦଶକ ଆଡ଼କୁ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ, ଅର୍ଥନୈତିକ ପରିଵର୍ତ୍ତନ ଏଵଂ ନୂଆ ଗ୍ୟାଙ୍ଗମାନଙ୍କର ଉତ୍ଥାନ ଯୋଗୁଁ ପିକି ବ୍ଲାଇଣ୍ଡର୍ସର ପ୍ରଭାଵ ହ୍ରାସ ପାଇଥିଲା। ପ୍ରଥମ ଵିଶ୍ୱଯୁଦ୍ଧ ପରେ (୧୯୧୪-୧୮), ଅନେକ ଗ୍ୟାଙ୍ଗ ସଦସ୍ୟ ଯୁଦ୍ଧରେ ପ୍ରାଣ ହରାଇଥିଲେ କିମ୍ବା ଅନ୍ୟ କାର୍ଯ୍ୟକଳାପରେ ଚାଲିଯାଇଥିଲେ।୧୯୨୦ ଦଶକ ସୁଦ୍ଧା, ଅଧିକ ସଂଗଠିତ ଅପରାଧୀ ଗୋଷ୍ଠୀ, ଯେପରିକି ବାର୍ମିଂହାମର "ଇଟାଲୀୟ ଗ୍ୟାଙ୍ଗ" ଏଵଂ ଲଣ୍ଡନରେ ସାବିନି ଗ୍ୟାଙ୍ଗ, ପିକି ବ୍ଲାଇଣ୍ଡର୍ସଙ୍କୁ ପଛରେ ପକାଇ ଦେଇଥିଲେ।

ସିରିଜଟି ବାର୍ମିଂହାମର କଠିନ ଶ୍ରମିକ-ଶ୍ରେଣୀ ପରିଵେଶ, ଗ୍ୟାଙ୍ଗ ହିଂସା, ଏଵଂ ପିକି ବ୍ଲାଇଣ୍ଡର୍ସର ଫ୍ୟାଶନ ଶୈଳୀକୁ (ଫ୍ଲାଟ କ୍ୟାପ, ସୁଟ) ଠିକ୍ ଭାବେ ଚିତ୍ରଣ କରେ। ପ୍ରଥମ ବିଶ୍ୱଯୁଦ୍ଧ ପରେ ସାମାଜିକ ଏଵଂ ଅର୍ଥନୈତିକ ଅସ୍ଥିରତା ମଧ୍ୟ ଐତିହାସିକ ପୃଷ୍ଠଭୂମି ସହିତ ମେଳ ଖାଏ। ତେବେ ସିରିଜରେ ଥୋମାସ ଶେଲବି ଏଵଂ ତାଙ୍କ ପରିଵାର କାଳ୍ପନିକ ଚରିତ୍ର। ପ୍ରକୃତ ପିକି ବ୍ଲାଇଣ୍ଡର୍ସରେ ଏଭଳି କୌଣସି ପ୍ରମୁଖ ନେତା ଵା ସଂଗଠିତ ପରିଵାର-ଆଧାରିତ ଗ୍ୟାଙ୍ଗର ପ୍ରମାଣ ନାହିଁ। ସିରିଜଟିରେ ଗ୍ୟାଙ୍ଗର କାର୍ଯ୍ୟକଳାପକୁ ଅତିରଞ୍ଜିତ କରି ଦର୍ଶାଯାଇଛି , ଯେପରିକି ଆନ୍ତର୍ଜାତୀୟ ଅସ୍ତ୍ର ଵ୍ୟଵସାୟ, ରାଜନୈତିକ ଷଡ଼ଯନ୍ତ୍ର ଏଵଂ ଅନ୍ୟ ଶକ୍ତିଶାଳୀ ଗ୍ୟାଙ୍ଗ ସହିତ ସମ୍ପର୍କ ଇତ୍ୟାଦି । ପ୍ରକୃତ ପିକି ବ୍ଲାଇଣ୍ଡର୍ସ ଏକ ସ୍ଥାନୀୟ, କ୍ଷୁଦ୍ର-ସ୍ତରୀୟ ଗୋଷ୍ଠୀ ଥିଲେ। ରେଜର ବ୍ଲେଡ-ଯୁକ୍ତ ଟୋପିର ଧାରଣା ସିରିଜରେ ଅତ୍ୟନ୍ତ ଜନପ୍ରିୟ, କିନ୍ତୁ ଐତିହାସିକ ପ୍ରମାଣ ଏହାକୁ ଅସମର୍ଥନ କରେ।

ପିକି ବ୍ଲାଇଣ୍ଡର୍ସ ସେମାନଙ୍କ ସମୟରେ ବାର୍ମିଂହାମରେ ଏକ ଖ୍ୟାତି ସୃଷ୍ଟି କରିଥିଲେ, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆଗ୍ରହ ଉଭୟ ସୃଷ୍ଟି କରିଥିଲା। ଟେଲିଭିଜନ ସିରିଜ (୨୦୧୩ରୁ ଆରମ୍ଭ) ଏହି ଗ୍ୟାଙ୍ଗକୁ ଵିଶ୍ୱଵ୍ୟାପୀ ଜଣାଶୁଣା କରିଛି, ଯାହା ଐତିହାସିକ ପିକି ବ୍ଲାଇଣ୍ଡର୍ସଙ୍କ ଅସ୍ତିତ୍ୱକୁ ଆଲୋକପାତ କରିଛି ଏଵଂ ସେମାନଙ୍କୁ ଏକ ଆଧୁନିକ ସାଂସ୍କୃତିକ ଚିହ୍ନରେ ପରିଣତ କରିଛି।


Tuesday, June 24, 2025

Convent ଶବ୍ଦର ଇତିହାସ କ'ଣ ?

Convent" ଶବ୍ଦର ମୂଳ ଲାଟିନ୍‌ ଭାଷାର conventus ଅଟେ । ଏହି conventus ଶବ୍ଦ ଲାଟିନ conveniō କ୍ରିୟାରୁ ଉଦ୍ଭଵ ହୋଇଛି, ଯାହାର ଅର୍ଥ "ଏକତ୍ରିତ ହେଵା" ଵା "ସମାବେଶ ହେଵା ଅଟଇ। Conveniō କ୍ରିୟାଟି ପ୍ରୋଟୋ-ଇଟାଲିକ komgʷənjōରୁ ଆସିଛି, ଯାହା ଦୁଇଟି ଉପାଦାନରୁ ଗଠିତ: con- (ଏକତ୍ର) ଓ veniō (ଆସିଵା)। ଏହା ଲାଟିନ୍‌ରେ ଏକତ୍ର ହେଵା, ସମାବେଶ ହେଵା ଵା ମିଳିତ ହେଵାର ଅର୍ଥ ବହନ କରେ। ପରେ ଏହି ଶବ୍ଦ ଓଲ୍ଡ ଫ୍ରେଞ୍ଚ ଭାଷାରେ covent ରୂପେ ପରିଣତ ହେଲା, ଯାହା ମୁଖ୍ୟତଃ ଧାର୍ମିକ ସମ୍ପ୍ରଦାୟର ଵାସସ୍ଥାନ ଵିଶେଷତଃ ନନ୍‌ମାନଙ୍କ ଆଶ୍ରମକୁ ବୁଝାଉଥିଲା। ଓଲ୍ଡ ଫ୍ରେଞ୍ଚ ଭାଷାରୁ covent ଶବ୍ଦ ମଧ୍ୟଯୁଗୀୟ ଇଂରାଜୀରେ covent ରୂପେ ପ୍ରଚଳିତ ହୋଇ ପରେ ଧାର୍ମିକ ସମ୍ପ୍ରଦାୟ, ମଠ, ଵା ଏକତ୍ରୀକରଣର ଅର୍ଥରେ ଵ୍ୟଵହୃତ ହେଉଥିଲା। ଆଧୁନିକ ଇଂରାଜୀରେ convent ଶବ୍ଦ ମୁଖ୍ୟତଃ ଧାର୍ମିକ ସମ୍ପ୍ରଦାୟ (ଵିଶେଷତଃ ନନ୍‌ମାନଙ୍କ) ଓ ତାଙ୍କ ଵାସସ୍ଥାନ ଵା ଶିକ୍ଷାନୁଷ୍ଠାନ (ଭାରତରେ) ଅର୍ଥରେ ଵ୍ୟଵହୃତ ହୁଏ।

ଆଚ୍ଛା ଆଜିକାଲି WhatsApp Universityର ଏକ ଲେଖାରେ ଦାବି କରାଯାଉଛି ଯେ ୧୦୦-୧୫୦ ଵର୍ଷ ପୂର୍ଵେ ଇଂଲଣ୍ଡରେ ଵିଵାହ ଵିଚ୍ଛେଦ ଓ ଵିଧଵା ପୁନର୍ଵିଵାହ ଆଇନ ଅନୁମୋଦିତ ହୋଇଥିଲା ଏଵଂ ଦ୍ୱିତୀୟ ସ୍ୱାମୀ ପ୍ରଥମ ଵିଵାହରୁ ଜାତ ସନ୍ତାନଙ୍କୁ ଗ୍ରହଣ ନକରିଵାରୁ ଚର୍ଚ୍ଚ ପରିଚାଳିତ କନଭେଣ୍ଟଗୁଡ଼ିକ ଅନାଥ ଓ ପରିତ୍ୟକ୍ତ ପିଲାମାନଙ୍କୁ ଶିକ୍ଷା ଓ ପାଳନ କରୁଥିଲେ। ଏହି ଅନଥା ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଵାକୁ ଚାହୁଁଥିଵା ପିତାମାତାଙ୍କ ସହିତ ଭେଟାଇଵା ପାଇଁ ଚର୍ଚ୍ଚ ଦ୍ଵାରା କନଵେଣ୍ଟ ଵିଦ୍ୟାଳୟରେ ମଦର୍ସ ଡେ ଓ ଫାଦର୍ସ ଡେ ଭଳି ଆୟୋଜନ କରିଵାର ପରମ୍ପରା ଆରମ୍ଭ ହୋଇଥିଲା ଇତ୍ୟାଦି ଇତ୍ୟାଦି ।‌ ତେବେ ଏସବୁ ଅପପ୍ରଚାର ଓ ଐତିହାସିକ ତଥ୍ୟର ଅପଵ୍ୟାଖ୍ୟା ଅଟେ ।  

ବ୍ରିଟେନରେ Matrimonial Causes Act, 1857 ଅନୁମୋଦିତ ହୋଇଥିଲା, କିନ୍ତୁ ଏହା ଅତ୍ୟନ୍ତ କଠୋର ଓ ସୀମିତ ଥିଲା। ସେତେବେଳେ ବ୍ରିଟେନର ସମାଜ ଅଧିକ ରକ୍ଷଣଶୀଳ ଥିଲା ତେଣୁ ଵିଵାହ ଵିଚ୍ଛେଦ ବହୁତ ଵିରଳ ଥିଲା । ଵିଵାହ ଵିଚ୍ଛେଦକୁ ବ୍ରିଟେନର ସାମାଜିକ କଳଙ୍କ ସହିତ ଜଡ଼ିତ କରି ଦେଖୁଥିଲେ। ଵିଧଵା ପୁନର୍ଵିଵାହ ସାମାଜିକ ଭାବେ ଗ୍ରହଣୀୟ ଥିଲା, କିନ୍ତୁ ଏହା ଅନାଥ ପିଲାଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟାଇନଥିଲା। ଏହି ଦାବିରେ କୌଣସି ଐତିହାସିକ ପ୍ରମାଣ ନାହିଁ ଯେ ଵିଵାହ ଵିଚ୍ଛେଦ ଵା ପୁନର୍ଵିଵାହ ହେତୁ କନଵେଣ୍ଟଗୁଡ଼ିକ ଅନାଥ ପିଲାଙ୍କୁ ପାଳନ କରୁଥିଲେ।  

ଇଂଲଣ୍ଡରେ କନଵେଣ୍ଟଗୁଡ଼ିକ ମୁଖ୍ୟତଃ ଧାର୍ମିକ ସମ୍ପ୍ରଦାୟ (ନନ୍‌ମାନଙ୍କ) ଵାସସ୍ଥାନ ଥିଲା। କିଛି କନଵେଣ୍ଟ ଶିକ୍ଷା ଓ ଦାନଧର୍ମ କାର୍ଯ୍ୟ କରୁଥିଲେ କିନ୍ତୁ ଏହା ଅନାଥ ପିଲାଙ୍କୁ ପାଳନ କରିଵାର ମୁଖ୍ୟ ଉଦ୍ଦେଶ୍ୟ ନଥିଲା। ଅନାଥ ପିଲାଙ୍କ ପାଇଁ workhouses ଵା orphanages ଥିଲା, ଯାହା ଚର୍ଚ୍ଚ,ଅନ୍ୟ ସଂସ୍ଥା ଵା ଵ୍ୟକ୍ତି ଵିଶେଷଙ୍କ ଦ୍ୱାରା ପରିଚାଳିତ ହେଉଥିଲା।  
  
ଏଠାରେ ବୁଝିଵାକୁ ହେଵ ଯେ ଭାରତରେ, ଖ୍ରୀଷ୍ଟୀୟ ମିଶନାରୀମାନେ ୧୯ଶ ଶତାବ୍ଦୀରେ convent schools ପ୍ରତିଷ୍ଠା କରିଥିଲେ । ଏହି convent schools ପ୍ରତିଷ୍ଠା ପଛରେ ଇଂରାଜୀ ଭାଷା ଶିକ୍ଷାଦାନ ଓ ଖ୍ରୀଷ୍ଟିଆନ ଧର୍ମ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରିଵା ମୂଳ ଉଦ୍ଦେଶ୍ୟ ଥିଲା । ଭାରତରେ ହିଁ ଧର୍ମାନ୍ତରୀକରଣ ପାଇଁ ଅନାଥ ହିନ୍ଦୁ ପଠାଣ ଶିଶୁଙ୍କୁ ଚର୍ଚ୍ଚ ଦ୍ଵାରା ପରିଚାଳିତ convent schoolsରେ ପଢ଼ା ଯାଉଥିଲା । ଇଂରେଜମାନେ ବୁଝିଥିଲେ ଯେ ଶାସନତନ୍ତ୍ରକୁ ସୁଦୃଢ଼ କରିଵା ପାଇଁ କିଛି ଭାରତୀୟଙ୍କୁ ଇଂରାଜୀ ଶିକ୍ଷା ଦେଇ ସେମାନଙ୍କ ଦ୍ଵାରା ଆପଣାର କାର୍ଯ୍ୟ ସମ୍ପାଦନ କରିଵା ଅଧିକ ଯୁକ୍ତିଯୁକ୍ତ ହେଵ । ସେମାନେ ଭାରତୀୟଙ୍କୁ ଇଂରାଜୀ ଭାଷାରେ ଶିକ୍ଷାଦାନ ଦେଲେ ଭାରତୀୟମାନେ ନିଜ ଧର୍ମ ସଂସ୍କୃତିଠାରୁ ଦୂରେଇ ଯିବେ ଏଵଂ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିନେବେ । କିଛି ଭାରତୀୟ ମଧ୍ୟ ସେସମୟରେ ଧର୍ମାନ୍ତରୀତ ହୋଇଯାଇଥିଲେ । ତେବେ ଅଧିକରୁ ଅଧିକ ଭାରତୀୟଙ୍କୁ ଧର୍ମାନ୍ତରୀତ କରିଵା ପାଇଁ ଇଂରେଜମାନେ ଦଶରୁ ଅଧିକ ବଡ଼ ବଡ଼ କୃତ୍ରିମ ଦୁର୍ଭିକ୍ଷ ଓ ଅନେକାନେକ ମହାମାରୀ ଭିଆଇ ଭାରତୀୟମାନଙ୍କୁ ଆର୍ଥିକ ଦରିଦ୍ର କଲେ ।‌ ସେହିପରି ଭାରତରେ ଚର୍ଚ୍ଚ ଦ୍ଵାରା ଅନାଥାଶ୍ରମର ପରିଚାଳନା ଓ Convent schoolର ସ୍ଥାପନ ପୂର୍ଵକ ଧର୍ମାନ୍ତରୀକରଣ କରାଯାଇଥିଲା । 

ପୁଣି ଯେଉଁ ଦାବି କରାଯାଉଛି ଯେ ମଦର୍ସ ଡେ ଓ ଫାଦର୍ସ ଡେ'ର ଉତ୍ପତ୍ତି ଚର୍ଚ୍ଚ ପରିଚାଳିତ କନଵେର୍ଟ୍ ଵିଦ୍ୟାଳୟରେ ପୋଷ୍ୟ ସନ୍ତାନ ଚାହୁଁଥିଵା ପିତାମାତାଙ୍କୁ ଆକର୍ଷିତ କରିଵା ପାଇଁ ହୋଇଥିଲା ତାହା କଞ୍ଚା ମିଛ କଥା ଅଟେ । 
Mothers Dayର ଆରମ୍ଭ ୧୯୦୮ ମସିହାରେ ଆମେରିକାରେ ଆନା ଜାରିସ୍‌ (Anna Jarvis) ନାମକ ଜଣେ ମହିଳାଙ୍କ ଦ୍ୱାରା ହୋଇଥିଲା। ଆନା ତାଙ୍କ ମାଆ ଆନ ରୀଵସ୍‌ ଜାର୍ଵିସ୍‌ଙ୍କ ସ୍ମୃତିରେ ଏହି ଦିଵସ ପାଳନ ଆରମ୍ଭ କରିଥିଲେ, ଯିଏକି ଜଣେ ସାମାଜିକ କର୍ମୀ ଥିଲେ ଏଵଂ ଆମେରିକୀୟ ଗୃହଯୁଦ୍ଧ ସମୟରେ ମାତାମାନଙ୍କୁ ସହାୟତା କରିଵା ପାଇଁ “ମଦର୍ସ ଡେ ଓ୍ୱାର୍କ କ୍ଲବ” ଗଠନ କରିଥିଲେ। ୧୯୦୮ ମସିହାରେ ଆନା ଜାର୍ଵିସ୍‌ ତାଙ୍କ ମାଆଙ୍କ ସ୍ମୃତିରେ ପଶ୍ଚିମ ଭର୍ଜିନିଆର ଗ୍ରାଫ୍ଟନ୍‌ଠାରେ ଏକ ସ୍ମାରକୀ ସମାରୋହ ଆୟୋଜନ କରିଥିଲେ, ଯାହାକୁ ଆଧୁନିକ Mothers Dayର ଆରମ୍ଭ ବୋଲି ଗଣନା କରାଯାଏ। ଆନାଙ୍କ ପ୍ରୟାସ ଫଳରେ ୧୯୧୪ ମସିହାରେ ଆମେରିକୀୟ ରାଷ୍ଟ୍ରପତି ଉଡ୍‌ରୋ ଉଇଲ୍‌ସନ୍‌ Mothers Dayକୁ ଜାତୀୟ ଦିଵସ ଭାବେ ଘୋଷଣା କରିଥିଲେ, ଯାହା ମଇ ମାସର ଦ୍ୱିତୀୟ ରଵିଵାର ଦିନ ପାଳନ କରାଯାଏ। ଆନା ଜାର୍ଵିସ୍‌ ଚାହୁଁଥିଲେ ଯେ ଏହି ଦିଵସ ଏକ ଭାଵନାତ୍ମକ ଓ ଆନ୍ତରିକ ଉତ୍ସଵ ହେଉ, ଯହିଁରେ ସନ୍ତାନମାନେ ନିଜ ମାଆଙ୍କୁ କୃତଜ୍ଞତା ଜଣାଇ ପାରିବେ। ତେବେ, ପରଵର୍ତ୍ତୀ ସମୟରେ Mothers Dayର ଵାଣିଜ୍ୟିକରଣ ହେଵାରୁ ଆନା ଏହାକୁ ନେଇ ଅସନ୍ତୁଷ୍ଟ ହୋଇଥିଲେ ଏଵଂ ଏହାର ମୂଳ ଉଦ୍ଦେଶ୍ୟକୁ ରକ୍ଷା କରିଵା ପାଇଁ ସଂଘର୍ଷ କରିଥିଲେ।

Father's Dayର ଆରମ୍ଭ ୧୯୧୦ ମସିହାରେ ଆମେରିକାର ସୋନୋରା ସ୍ମାର୍ଟ ଡଡ୍‌ (Sonora Smart Dodd) ନାମକ ଜଣେ ମହିଳାଙ୍କ ଦ୍ୱାରା ପ୍ରସ୍ତାଵିତ ହୋଇଥିଲା। ସୋନୋରାଙ୍କ ପିତା ଉଇଲିୟମ ଜ୍ୟାକ୍‌ସନ୍‌ ସ୍ମାର୍ଟ ଜଣେ ଗୃହଯୁଦ୍ଧର ପ୍ରଵୀଣ ସୈନିକ ଥିଲେ, ଯିଏ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ଏକାକୀ ଛଅ ସନ୍ତାନଙ୍କୁ ପାଳନ କରିଥିଲେ। ତାଙ୍କ ପିତାଙ୍କ ତ୍ୟାଗ ଓ ନିଷ୍ଠାରୁ ପ୍ରେରିତ ହୋଇ ସୋନୋରା ପିତାମାନଙ୍କୁ ସମ୍ମାନ ଜଣାଇଵା ପାଇଁ ଏକ ଵିଶେଷ ଦିଵସ ପାଳନର ପ୍ରସ୍ତାଵ ଦେଇଥିଲେ। ୧୯୧୦ ମସିହା ଜୁନ୍‌ ୧୯ ତାରିଖରେ ଓ୍ୱାଶିଂଟନ୍‌ର ସ୍ପୋକେନ୍‌ଠାରେ ପ୍ରଥମ Father's Day ପାଳିତ ହୋଇଥିଲା।

ତେବେ ଯୁକ୍ତରାଷ୍ଟ୍ର ଆମେରିକାରେ Father's Dayକୁ ଜାତୀୟ ଦିଵସ ଭାବେ ଗ୍ରହଣ କରିଵାରେ ଅଧିକ ସମୟ ଲାଗିଥିଲା। ୧୯୬୬ ମସିହାରେ ରାଷ୍ଟ୍ରପତି ଲିଣ୍ଡନ୍‌ ଜନ୍‌ସନ୍‌ ଏହାକୁ ଜାତୀୟ ସ୍ତରରେ ପାଳନ ପାଇଁ ଘୋଷଣା କରିଥିଲେ ଏଵଂ ୧୯୭୨ ମସିହାରେ ରାଷ୍ଟ୍ରପତି ରିଚାର୍ଡ ନିକ୍‌ସନ୍‌ ଏହାକୁ ସ୍ଥାୟୀ ଜାତୀୟ ଦିଵସ ଭାବେ ସ୍ଥାପନ କରିଥିଲେ। ଏହା ଜୁନ୍‌ ମାସର ତୃତୀୟ ରଵିଵାର ପାଳନ କରାଯାଏ।

ମୋଟ ଉପରେ କହିଵାକୁ ଗଲେ Convent school ସ୍ଥାପନର ଉଦ୍ଦେଶ୍ୟ ବ୍ରିଟେନ ଆଦି ଖ୍ରୀଷ୍ଟିଆନ ଦେଶରେ ଓ ଭାରତ ଭଳି ତତ୍କାଳୀନ ପରାଧୀନ ଦେଶରେ ଭିନ୍ନ ଭିନ୍ନ ଥିଲା । ବ୍ରିଟେନରେ ଅନାଥ ପିଲାଙ୍କୁ ପଢ଼ାଇଵା ଓ ବଢ଼ାଇଵା ପାଇଁ Convent school ସ୍ଥାପନ ହୋଇନଥିଲା କିନ୍ତୁ ଭାରତରେ ଭାରତୀୟଙ୍କୁ ଧର୍ମାନ୍ତରୀକରଣ କରିଵା ପାଇଁ ଇଂରେଜମାନଙ୍କ ଦ୍ଵାରା Convent school ସ୍ଥାପିତ ହୋଇଥିଲା।

ମଣିଷମାନେ ଆଣ୍ଡ୍ରୋମେଡା ଆକାଶଗଙ୍ଗା ଵିଷୟରେ କେମିତି ଜାଣିଲେ ?

ପୃଥିଵୀପୃଷ୍ଠରୁ ଅତି ଅନ୍ଧକାର ସ୍ଥାନରେ ଦେଖିଲେ ଏଣ୍ଡ୍ରୋମେଡା ନକ୍ଷତ୍ରମଣ୍ଡଳ(ଦେଵଯାନୀ ନକ୍ଷତ୍ରମଣ୍ଡଳ)ରେ ଏକ ଧୂସର, ମେଘପରି ଦାଗ ଦେଖାଯାଏ, ଯାହା ଅତ୍ୟନ୍ତ ଦୂରତା ହେତୁ ଅସ୍ପଷ୍ଟ ପ୍ରତୀତ ହୁଏ। କିନ୍ତୁ ଯଦି ଆମ୍ଭମାନଙ୍କର ଆଖି ଏକ ଶକ୍ତିଶାଳୀ ଦୂରଵୀକ୍ଷଣ ଯନ୍ତ୍ର ଆକାରର ହୋଇଥାଆନ୍ତା, ତେବେ ଆମ୍ଭମାନେ ଆକାଶରେ ଚନ୍ଦ୍ରମାଠାରୁ ମଧ୍ୟ ଛଅ ଗୁଣ ବୃହତ୍ ଆକାରର ଏକ ଆକାଶଗଙ୍ଗାକୁ ଦେଖିପାରନ୍ତେ । ଏହି ଧୂସର ଦାଗଟି ପ୍ରକୃତରେ ଆମ ଆକାଶଗଙ୍ଗାର ପଡ଼ୋଶୀ ଆକାଶଗଙ୍ଗା ଆଣ୍ଡ୍ରୋମେଡା ଆକାଶଗଙ୍ଗା ଅଟେ । 


ଏଣ୍ଡ୍ରୋମେଡା ଆକାଶଗଙ୍ଗା ସମ୍ବନ୍ଧରେ ସର୍ଵପ୍ରଥମ ଲିଖିତ ଵର୍ଣ୍ଣନା ୯୬୪ ଖ୍ରୀଷ୍ଟାବ୍ଦରେ ଇରାନୀ ଖଗୋଳଵିତ୍ ଅବଦୁର ରହମାନ ଅଲ୍‌-ସୁଫୀଙ୍କ ପୁସ୍ତକ Book of Fixed Starsରେ ମିଳେ। ସେ ଏହାକୁ "ଏକ କୁହୁଡ଼ିଆ ମେଘ ପରି ଦାଗ" ବୋଲି ଵର୍ଣ୍ଣନା କରିଥିଲେ। ପରେ ୧୭୮୧ରେ ଫରାସୀ ଖଗୋଳଵିତ୍ ଚାର୍ଲ୍ସ ମେସିୟର ତାଙ୍କ ଖଗୋଳୀୟ ଵସ୍ତୁଗୁଡ଼ିକର ସୂଚୀରେ ଏହାକୁ Messier31 ଵା M31 ଭାବେ ଅଭିହିତ କରିଥିଲେ।ସେତେବେଳେ ମେସିୟରଙ୍କ ଏହି କାଟାଲଗ୍ ଖଗୋଳଵିଜ୍ଞାନୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଦର୍ଭ ହୋଇଯାଇଥିଲା।

ଉନ୍ନବିଂଶ ଶତାବ୍ଦୀରେ ଦୂରଵୀକ୍ଷଣ ଯନ୍ତ୍ରର କ୍ଷମତା ବୃଦ୍ଧି ପାଇଵା ସହ ଏଣ୍ଡ୍ରୋମେଡାରେ ସର୍ପିଳାକାର ବାହୁ ଦେଖାଗଲା, ଯାହା ଆମ Milkyway ଵା ମନ୍ଦାକିନୀ ଆକାଶଗଙ୍ଗାର ଗଠନ ସହ ସମାନ। କିନ୍ତୁ ତତ୍କାଳୀନ ସମୟରେ ଏହି କୁହୁଡ଼ିଆ ଦାଗଗୁଡ଼ିକ ପ୍ରକୃତରେ କ’ଣ ଥିଲା, ତାହା ସେତେବେଳେ ସମ୍ପୂର୍ଣ୍ଣ ରହସ୍ୟ ହିଁ ରହିଥିଲା। ଏହା ଏକ ନେବୁଲା ନା ଅନ୍ୟ କିଛି, ତାହା ଜାଣିବା ସମ୍ଭଵ ନଥିଲା। ଵିଶ୍ଵର ଏହି ରହସ୍ୟମୟ ପ୍ରକୃତିକୁ ଦୃଷ୍ଟିରେ ରଖି ଆଲବର୍ଟ ଆଇନଷ୍ଟାଇନ କହିଥିଲେ “The most incomprehensible thing about the universe is that it is comprehensible.”  

ଏହି କୁହୁଡ଼ିଆ ଦାଗଗୁଡ଼ିକ ମଧ୍ୟରେ ମଝିରେ ମଝିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିଲା ଯେତେବେଳେ ଏହା ଅସାଧାରଣ ଭାବେ ଚମକି ଉଠୁଥିଲା। ଏହି ପ୍ରଚଣ୍ଡ ଆଭା, ଯାହାକୁ ଆଜି ଆମେ ସୁପରନୋଵା ବୋଲି ଜାଣୁ, ଲକ୍ଷ ଲକ୍ଷ ସୂର୍ଯ୍ୟଙ୍କ ସମ୍ମିଳିତ ଆଲୋକ ପରି ଦୃଶ୍ୟ ହେଉଥିଲା। ସୁପରନୋଵା ଯୋଗୁଁ ଜାତ ଅସ୍ଥାୟୀ ଚମକ ରାତ୍ରି ଆକାଶରେ ଦେଖାଯାଉଥିଵା କୁହୁଡ଼ିଆ ଦାଗଗୁଡ଼ିକୁ ମାନଵ ଚକ୍ଷୁ ପାଇଁ ଦୃଶ୍ୟମାନ କରାଇ ଦେଉଥିଲା। ତତ୍କାଳୀନ ସମୟରେ ସୁପରନୋଵାର ଅସ୍ତିତ୍ୱ ଵିଷୟରେ କେହି ଜାଣି ନଥିଲେ, ଯାହା ଏହି ରହସ୍ୟକୁ ଆହୁରି ଗାଢ଼ କରିଥିଲା। ଭାରତରେ କେହି କେହି ଅନ୍ଧକାର ରାତ୍ରି ଆକାଶରେ ଆଣ୍ଡ୍ରୋମେଡା ଆକାଶଗଙ୍ଗାକୁ ଦେଖି ତାକୁ ଵୈକୁଣ୍ଠ କଳ୍ପନା କରୁଥିଲେ । ଵିଶ୍ଵର ଅନ୍ୟାନ୍ୟ ପ୍ରାଚୀନ ସଭ୍ୟତାରେ ବି ଆଣ୍ଡ୍ରୋମେଡା ଆକାଶଗଙ୍ଗାକୁ ସ୍ଵର୍ଗ ରୂପେ କଳ୍ପନା କରାଯାଇଥାଇପାରେ ।‌


ତେବେ ଏହି କୁହୁଡ଼ିଆ ଦାଗର ପ୍ରକୃତ ସ୍ୱରୂପ ଜାଣିଵା ପାଇଁ ସର୍ଵପ୍ରଥମେ ଏହାର ଦୂରତା ନିର୍ଣ୍ଣୟ କରିଵା ଆଵଶ୍ୟକ ଥିଲା। କିନ୍ତୁ ସେତେବେଳେ ଏପରି କୌଣସି ପଦ୍ଧତି ନଥିଲା, ଯାହା ଦ୍ୱାରା ବ୍ରହ୍ମାଣ୍ଡରେ ସୁଦୂର ଅଵସ୍ଥିତ କୌଣସି ଵସ୍ତୁର ଦୂରତା ମାପାଯାଇପାରୁଥାନ୍ତା। ତେବେ, ଏହି ସମସ୍ୟାର ସମାଧାନ ଖୁବ୍‌ ଶୀଘ୍ର ମିଳିଗଲା।
 
୧୯୧୨ ମସିହାରେ ଆମେରିକୀୟ ଖଗୋଳଵିତ୍ ହେନ୍ରିଏଟା ସ୍ୱାନ୍‌ ଲେଵିଟ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଆଵିଷ୍କାର କରିଥିଲେ। ସେ ସେଫିଡ୍ ଵେରିଏବଲ୍ ନାମକ ତାରାସମୂହ ଖୋଜି ପାଇଥିଲେ। ଏହି ତାରାଗୁଡ଼ିକ ସୂର୍ଯ୍ୟଠାରୁ ଅନେକ ଗୁଣ ଭାରୀ ଏଵଂ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେମାନଙ୍କର ଆକାର ବୃଦ୍ଧି ଓ ହ୍ରାସ ପାଏ। ସ୍ପନ୍ଦନ (Pulsation) ପ୍ରକ୍ରିୟା ଯୋଗୁଁ ସେମାନଙ୍କର ଆଲୋକ ନିର୍ଗମନ ମଧ୍ୟ ନିୟମିତ ଭାବେ ବଦଳୁଥାଏ, ଯାହା ସେମାନଙ୍କୁ ଚିହ୍ନଟ କରିଵା ସହଜ କରିଥାଏ।

ସେଫିଡ୍ ତାରାଗୁଡ଼ିକର ସ୍ପନ୍ଦନ ଅଵଧି (Period) ଓ ସେଗୁଡି଼କର ମୋଟ ଆଲୋକ ନିର୍ଗମନ(Absolute Luminosity) ମଧ୍ୟରେ ଏକ ସୁସ୍ପଷ୍ଟ ସମ୍ପର୍କ ଥାଏ। ଲେଵିଟ୍‌ ଏହି ସମ୍ପର୍କକୁ ଆଵିଷ୍କାର କରିଥିଲେ, ଯାହା ଖଗୋଳଵିଜ୍ଞାନରେ ଏକ ମାଇଲଖୁଣ୍ଟ ସାଵ୍ୟସ୍ତ ହେଲା। ଏହା ଦ୍ୱାରା କୌଣସି ସେଫିଡ୍ ତାରାର ସ୍ପନ୍ଦନ ଅଵଧି ଜାଣି ତାହାର ମୋଟ ଆଲୋକ ନିର୍ଗମନ ନିର୍ଣ୍ଣୟ କରାଯାଇପାରୁଥିଲା। ଏହା ସହିତ,ପୃଥିଵୀରୁ ଦୃଶ୍ୟମାନ ଆଲୋକ(Apparent luminosity) ଫୋଟୋମେଟ୍ରି ଭଳି କୌଶଳ ଦ୍ୱାରା ମଧ୍ୟ ମାପାଯାଉଥିଲା। ଏହି ଦୁଇଟି ମୂଲ୍ୟ ଜାଣିଲେ, ଲୋଗାରିଦମିକ୍ ସୂତ୍ର ଵ୍ୟଵହାର କରି ତାରାର ଦୂରତା ନିର୍ଣ୍ଣୟ କରାଯାଇପାରୁଥିଲା।

ଏ ପ୍ରସଙ୍ଗରେ ଆମେରିକୀୟ ପ୍ରାବନ୍ଧିକ, କଵି ଏଵଂ ଵ୍ୟଵହାରିକ ଦାର୍ଶନିକ Henry David Thoreauଙ୍କ ଉକ୍ତି ମନେ ପଡ଼ିଯାଏ । ତାଙ୍କ ଭାଷାରେ - “The stars are the apexes of what wonderful triangles ! What distant and different beings in the various mansions of the universe are contemplating the same one at the same moment!”  

ହଁ ମଣିଷଙ୍କ ପରି ହୁଏତ ଅନ୍ୟ କୌଣସି ଗ୍ରହର କେହି ଜୀଵ ଜାତି ମଧ୍ୟ ଏହିପରି ତାରାଗୁଡ଼ିକର ଦୂରତା ମାପୁନଥିଵ ବୋଲି କିଏ କହିପାରିଵ ? 

ତେବେ ସେ ଯାହା ହେଉ ହେନ୍ରିଏଟା ଲେଵିଟ୍‌ଙ୍କ ପ୍ରୋକ୍ତ ଆଵିଷ୍କାର ଓ ଅଧିକ ଶକ୍ତିଶାଳୀ ଟେଲିସ୍କୋପ୍‌ର ସହାୟତାରେ ୧୯୨୩ ମସିହାରେ ଖଗୋଳଵିତ୍ ଏଡ଼ୱିନ୍ ହବ୍‌ଲ ଏକ ଐତିହାସିକ ଘୋଷଣା କରିଥିଲେ। ସେ ପ୍ରମାଣ କରିଥିଲେ ଯେ M31 କୌଣସି ନେବୁଲା ନୁହେଁ, ଵରଂ ଏକ ସ୍ୱତନ୍ତ୍ର ଆକାଶଗଙ୍ଗା, ଯାହା ଆମ ମନ୍ଦାକିନୀ ଆକାଶଗଙ୍ଗା ଵା Milkyway galaxyଠାରୁ ପ୍ରାୟ ୯ ଲକ୍ଷ ଆଲୋକଵର୍ଷ ଦୂରରେ ଅଵସ୍ଥିତ। ପରେ ଆହୁରି ଉନ୍ନତ ପ୍ରଯୁକ୍ତି ସାହାଯ୍ୟରେ ଏହାର ଦୂରତା ୨.୫୩୭ ମିଲିୟନ ଆଲୋକଵର୍ଷ ବୋଲି ନିର୍ଣ୍ଣୟ କରାଗଲା।

ଏଣ୍ଡ୍ରୋମେଡା ଆକାଶଗଙ୍ଗା ଆମର ସବୁଠାରୁ ନିକଟତର ପ୍ରମୁଖ ଆକାଶଗଙ୍ଗା ଏଵଂ ଏହାର ଆନୁମାନିକ ଵ୍ୟାସ ୨୨୦,୦୦୦ ଆଲୋକଵର୍ଷ। ଏଥିରେ ପ୍ରାୟ ୧ ଟ୍ରିଲିୟନ ତାରା ରହିଛି, ଯାହା ମିଲ୍କି ୱେ ଗ୍ୟାଲାକ୍ସୀର ତାରା ସଂଖ୍ୟାଠାରୁ ଅନେକ ଗୁଣ ଅଧିକ। ଏଣ୍ଡ୍ରୋମେଡା ଓ ମିଲ୍କି ୱେ ଆକାଶଗଙ୍ଗା ଏକ ସ୍ଥାନୀୟ ଆକାଶଗଙ୍ଗା ଗୋଷ୍ଠୀ "Local Group"ର ଅଂଶ। ଗଵେଷକମାନଙ୍କ ମତରେ ଆନୁମାନିକ ୪.୫ ବିଲିୟନ ଵର୍ଷ ପରେ ମିଲ୍କି ୱେ ସହ ଆଣ୍ଡ୍ରୋମେଡା ଆକାଶଗଙ୍ଗା ଆସି ମିଶିଯିଵ ଫଳତଃ ଏକ ନୂତନ ଵିଶାଳ ଆକାଶଗଙ୍ଗାର ସୃଷ୍ଟି ହୋଇପାରେ।

ପୂର୍ଵେ ଗ୍ରୀକ୍ ପଣ୍ଡିତମାନେ ତାରାଗୁଡ଼ିକୁ ଛୋଟ ଜ୍ୱଳନ୍ତ ପିଣ୍ଡ ବୋଲି ଭାବୁଥିଲେ ଏଵଂ ସେମାନଙ୍କ ଧାରଣାରେ ଏଗୁଡ଼ିକର ଆକାର କୌଣସି ଦ୍ୱୀପରୁ ଅଧିକ ନଥିଲା। ଆକାଶରୁ ପଡ଼ୁଥିଵା ଉଲ୍କାପିଣ୍ଡକୁ ଦେଖି ଏଭଳି ଧାରଣା ଜନ୍ମିଥିଵା ସମ୍ଭଵ । ଵୈଦିକ ଋଷିମାନେ ବ୍ରହ୍ମାଣ୍ଡର ଦୂରତାକୁ ଲକ୍ଷ ଲକ୍ଷ ଯୋଜନରେ ମାପୁଥିଲେ। ଆମ ପୂର୍ଵପୁରୁଷମାନଙ୍କ ଦୃଷ୍ଟିରେ ବ୍ରହ୍ମାଣ୍ଡ ଏତେ ସଂକୁଚିତ ଥିଲା ଯେ ଏହାକୁ ଲୋକଗାଥାର ଚରିତ୍ରମାନେ ଏକ ରାତିରେ ଉଡ଼ୁଥିଵା ପକ୍ଷୀ ଦ୍ୱାରା ଅତିକ୍ରମ କରାଯାଇପାରୁଥିଲେ। କିନ୍ତୁ ଏଣ୍ଡ୍ରୋମେଡାର ଆଵିଷ୍କାର ଏହି ଧାରଣାକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା ଏଵଂ ଏହା ଆମକୁ ଏକ ଅସୀମ ବ୍ରହ୍ମାଣ୍ଡ ସହ ଅଵଗତ କରାଇଛି । 

ଗଵେଷକ John Burdon Sanderson Haldaneଙ୍କ ଭାଷାରେ -“The universe is not only stranger than we imagine, it is stranger than we can imagine.”  

ଏଣ୍ଡ୍ରୋମେଡା ଆକାଶଗଙ୍ଗାର ଆଵିଷ୍କାର ମାନଵ ଚେତନାକୁ ଏକ ନୂଆ ଦିଗନ୍ତ ପ୍ରଦାନ କରିଛି। ଏହା ଆମକୁ ବ୍ରହ୍ମାଣ୍ଡର ଅସୀମତା ଏଵଂ ଏହାର ଅଜଣା ରହସ୍ୟ ସମ୍ପର୍କରେ ଅଵଗତ କରାଇଛି। ଏହା ଆମ ସଂକୁଚିତ ଚିନ୍ତାଧାରାକୁ ଭାଙ୍ଗି ଏକ ଅନନ୍ତ ଵିଶ୍ୱର ଚିତ୍ର ଆମ ସାମ୍ନାରେ ଉପସ୍ଥାପନ କରିଛି, ଯାହା ଆମର କଳ୍ପନାକୁ ଵିସ୍ତାର ଦେଇଛି ।

ଦୁର୍ଭାଗ୍ୟକୁ ଆଜିର ଆଲୋକ ଓ ଵାୟୁ ପ୍ରଦୂଷଣ ଯୁଗରେ ରାତ୍ରି ଆକାଶରେ ଆଣ୍ଡ୍ରୋମେଡା ଆକାଶଗଙ୍ଗାକୁ ଖାଲି ଆଖିରେ ଦେଖିଵା କଷ୍ଟସାଧ୍ୟ ‌ହୋଇଯାଇଛି । ତଥାପି କେତେକ ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଆଣ୍ଡ୍ରୋମେଡା ଆକାଶଗଙ୍ଗା(Andromeda Galaxy)କୁ ଖାଲି ଆଖିରେ ଦେଖାଯାଇପାରେ। ଆଣ୍ଡ୍ରୋମେଡା ଆକାଶଗଙ୍ଗାକୁ ଖାଲି ଆଖିରେ ଦେଖିଵା ପାଇଁ ଵାୟୁପ୍ରଦୂଷଣ ଓ ଆଲୋକ ପ୍ରଦୂଷଣରୁ ମୁକ୍ତ ଏକ ଅନ୍ଧକାର ସ୍ଥାନ ଆଵଶ୍ୟକ। ସହରର ଆଲୋକ ଏହାକୁ ଦେଖିଵା କଷ୍ଟକର କରିପାରେ। ଆଜିକାଲି ତ ଗ୍ରାମାଞ୍ଚଳରେ ମଧ୍ୟ ଆଲୋକ ପ୍ରଦୂଷଣ ଯୋଗୁଁ ଆଣ୍ଡ୍ରୋମେଡା ଆକାଶଗଙ୍ଗାକୁ ଖାଲି ଆଖିରେ ଦେଖି ହେଉନାହିଁ । ପୁଣି ଏହି ଆକାଶଗଙ୍ଗାକୁ ଦେଖିଵା ପାଇଁ ମେଘମୁକ୍ତ ଆକାଶ ଏଵଂ ଉପଯୁକ୍ତ ପାଗ ମଧ୍ୟ ଆଵଶ୍ୟକ। ଚନ୍ଦ୍ରର ଆଲୋକ ମଧ୍ୟ ଏହାକୁ ଦେଖିଵାରେ ବାଧା ସୃଷ୍ଟି କରିପାରେ, ତେଣୁ ଅମାଵାସ୍ୟା କିମ୍ବା ଚନ୍ଦ୍ରହୀନ ରାତି ସର୍ଵୋତ୍ତମ। ଉତ୍ତର ଗୋଲାର୍ଦ୍ଧରେ, ଆଣ୍ଡ୍ରୋମେଡା ଗ୍ୟାଲେକ୍ସି ଶରତ ଋତୁ (ସେପ୍ଟେମ୍ବରରୁ ନଭେମ୍ବର) ମାସରେ ରାତିରେ ଦେଖାଯାଏ। ଏହା ଆଣ୍ଡ୍ରୋମେଡା ଵା ଦେଵଯାନୀ ନକ୍ଷତ୍ରମଣ୍ଡଳରେ ଅଵସ୍ଥିତ, ଯାହାକୁ ସନ୍ଧ୍ୟା ପରେ ଆକାଶରେ ସନ୍ଧାନ କରାଯାଇପାରେ। ଖାଲି ଆଖିରେ ଏହା ଏକ ଧୂସର, ଅସ୍ପଷ୍ଟ ଧୂମକେତୁ ପରି ଦେଖାଯାଏ। ଏହାକୁ ସନ୍ଧାନ କରିଵା ପାଇଁ ଅଭ୍ୟାସ ଓ ଧୈର୍ଯ୍ୟ ଆଵଶ୍ୟକ ହୋଇପାରେ। ପ୍ରଥମେ ପେଗାସସ୍ ନକ୍ଷତ୍ରମଣ୍ଡଳର ଚତୁଷ୍କୋଣ ଆକୃତି ଖୋଜି ତା’ପରେ ଆଣ୍ଡ୍ରୋମେଡା ନକ୍ଷତ୍ରମଣ୍ଡଳ ଆଡ଼କୁ ଗଲେ ଆଣ୍ଡ୍ରୋମେଡା ଗ୍ୟାଲେକ୍ସିକୁ ରାତ୍ରି ଆକାଶରେ ଠାବ କରାଯାଇପାରେ ।

Monday, June 23, 2025

ଆକ୍କାଡିଆନ୍ ଜଳପ୍ରଳୟ ଗାଥା

ଦେଵତାମାନେ ଦୁଇ ଭାଗରେ ଵିଭକ୍ତ ଥିଲେ ।ଅନ୍ନୁନାକି(Anunnaki) ଦେଵତାମାନେ ଆକାଶରେ ରାଜା ଥିଲେ ଆଉ ଇଗିଗି ଦେଵତାମାନେ ପୃଥିଵୀରେ ରହି କଠିନ ପରିଶ୍ରମ କରୁଥିଲେ। ଇଗିଗିମାନେ(Igigi) ନଦୀ ଖୋଳି ମାଟି କାଟୁଥିଲେ, କିନ୍ତୁ ଏହି କାମ ଯୋଗୁଁ ସେମାନେ କ୍ଳାନ୍ତ ହୋଇ ଵିଦ୍ରୋହ କଲେ। ଦେଵତାମାନଙ୍କର ମହାନ ରାଜା ଏନ୍‌ଲିଲ୍‌(Enlil) ଏହି ଵିଦ୍ରୋହ ଦେଖି କ୍ରୋଧିତ ହେଲେ। କିନ୍ତୁ ଜ୍ଞାନର ଦେଵତା "ଏଆ(Ea)" ଏକ ସମାଧାନ ପ୍ରସ୍ତାଵ ଦେଲେ। ସେ କହିଲେ, "ଆମେ ମଣିଷ ସୃଷ୍ଟି କରିଵା। ସେମାନେ ଆମ ପାଇଁ କାମ କରିଵେ, ଓ ଇଗିଗିମାନେ ମୁକ୍ତ ହେଵେ।" ଏନ୍‌ଲିଲ୍‌ ଓ ଅନ୍ୟ ଦେଵତାମାନେ ଏହାକୁ ସମ୍ମତି ଦେଲେ।

"ଏଆ(Ea)", ମାତୃଦେଵୀ "ମାମି"ଙ୍କ ସହ ମିଶି ମାଟିରେ ଦେଵତାଙ୍କ ରକ୍ତ ମିଶାଇ ମଣିଷ ସୃଷ୍ଟି କଲେ। ଏହି ମଣିଷମାନେ କାମ କଲେ, ନଦୀ ଖୋଳିଲେ, ମନ୍ଦିର ନିର୍ମାଣ କଲେ ଓ ଦେଵତାମାନଙ୍କୁ ଖାଦ୍ୟ ଓ ପୂଜା ଅର୍ପଣ କଲେ। ଦେଵତାମାନେ ଖୁସି ହେଲେ ଓ ପୃଥିଵୀରେ ଅନେକ ଵର୍ଷ ଯାଏଁ ସୁଖ ଶାନ୍ତି ରହିଲା।

କିନ୍ତୁ ସମୟର ଚକ ସବୁବେଳେ ଘୂରୁଛି ତେଣୁ ଭଲ ସମୟ ପରେ ମନ୍ଦ ସମୟ ଆସିଵା ସ୍ଵାଭାଵିକ କଥା । ସମୟ ସହ ମଣିଷମାନଙ୍କର ଜନସଂଖ୍ୟା ବଢ଼ିଲା ।‌ ସେମାନଙ୍କ କୋଳାହଳ ଓ ଗୀତନାଦ ଏତେ ବେଶୀ ହେଲା ଯେ ଏନ୍‌ଲିଲ୍‌ଙ୍କ ନିଦ୍ରା ବିଘ୍ନିତ ହେଵାକୁ ଲାଗିଲା। କ୍ରୋଧିତ ହୋଇ ଏନ୍‌ଲିଲ୍‌ ଘୋଷଣା କଲେ, "ମଣିଷମାନଙ୍କର ଵିନାଶ କରାଯିଵ!"

ଏହି ଉଦ୍ଦେଶ୍ୟରେ ସେ ପ୍ରଥମେ ମହାମାରୀ ପଠାଇଲେ, ତା'ପରେ ଦୁର୍ଭିକ୍ଷ। କିନ୍ତୁ ପ୍ରତ୍ୟେକ ଥର "ଏଆ' ମଣିଷମାନଙ୍କୁ ବଞ୍ଚାଇଵା ପାଇଁ ଉପାୟ ପାଞ୍ଚି ମଣିଷମାନଙ୍କୁ ଗୁପ୍ତରେ ବଞ୍ଚାଇଲେ । 

ଶେଷରେ ଏନ୍‌ଲିଲ୍‌ ଏକ ଜଳପ୍ରଳୟ ସୃଷ୍ଟି କରିଵାକୁ ନିଷ୍ପତ୍ତି ନେଲେ, ଯାହା ସମସ୍ତ ମଣିଷକୁ ନିଶ୍ଚିହ୍ନ କରିଦେଵ। କିନ୍ତୁ "ଏଆ", ଯିଏ ମଣିଷକୁ ନିଜ ସନ୍ତାନ ଭଳି ଭଲପାଉଥିଲେ, ଏହାକୁ ସହିପାରିଲେ ନାହିଁ। ସେ "ଅତ୍ର-ହାସିସ(Atrahasis)" ନାମକ ଜଣେ ଜ୍ଞାନୀ ଓ ଧାର୍ମିକ ମଣିଷଙ୍କୁ ସ୍ଵପ୍ନରେ ଦେଖା ଦେଲେ। "ଏଆ" କହିଲେ, "ଅତ୍ର-ହାସିସ, ଏକ ବଡ଼ ନୌକା ତିଆରି କର। ତୁମ ପରିଵାର, ପଶୁପକ୍ଷୀ ଓ ସମସ୍ତ ଜୀଵଜନ୍ତୁଙ୍କୁ ନେଇ ଏଥିରେ ପ୍ରଵେଶ କର। ମହାପ୍ରଳୟ ହେଵାକୁ ଯାଉଛି ।"

ଅତ୍ର-ହାସିସ କାଳ ଵିଳମ୍ବ ନକରି "ଏଆ" ଦେଵତାଙ୍କ ଆଦେଶ ପାଳନ କଲେ। ସେ ଏକ ଵିଶାଳ ନୌକା ତିଆରି କଲେ, ଯାହା ମାଟିରେ ତୈଳ ଲେପି ଜଳନିରୋଧକ କରାଯାଇଥିଲା। ସେ ନିଜ ପରିଵାର, ପଶୁମାନଙ୍କୁ ଓ ଖାଦ୍ୟ ସଂଗ୍ରହ କରି ନୌକାରେ ପ୍ରଵେଶ କଲେ। ଠିକ୍‌ ସମୟରେ ଆକାଶ ଫାଟି ପଡ଼ିଲା। ଵର୍ଷା ଅଵିରତ ଵର୍ଷିଵାକୁ ଲାଗିଲା, ନଦୀରେ ଜଳ କୂଳ ଲଙ୍ଗି ଉଛୁଳି ପଡ଼ିଲା, ଆଉ ଚାହୁଁ ଚାହୁଁ ପୃଥିଵୀର ସବୁ ସ୍ଥଳଭାଗ ଜଳରେ ବୁଡ଼ିଗଲା।


ସାତ ଦିନ ଓ ସାତ ରାତି ପର୍ଯ୍ୟନ୍ତ ଜଳପ୍ରଳୟ ଲାଗି ରହିଲା। ଅତ୍ର-ହାସିସଙ୍କ ନୌକା ଜଳ ଉପରେ ଭାସୁଥିଲା,ଏଆ ଦେଵତା ଗୁପ୍ତରେ ସେ ନୌକାକୁ ସବୁ ଵିପତ୍ତିରୁ ରକ୍ଷା କରୁଥିଲେ । ମହାପ୍ରଳୟର ଅଷ୍ଟମ ଦିନ ଵର୍ଷା ଶାନ୍ତ ହେଲା, ଓ ଜଳ କମିଵାକୁ ଲାଗିଲା। ଅତ୍ର-ହାସିସ ସ୍ଥଳଭାଗ ଠାବ କରିଵାକୁ ଏକ ପକ୍ଷୀ ଛାଡ଼ିଲେ, କିନ୍ତୁ ସେ ପକ୍ଷୀ ଉଡ଼ିଯାଇ ଆଉ ଫେରିନଥିଲା । ଏଥିରୁ ଅତ୍ର-ହାସିସ ବୁଝିଲେ ଯେ ହୁଏତ କୋଉଠି ଏବେ ବି ସ୍ଥଳଭାଗ ରହିଛି । ସେ ପକ୍ଷୀ ଉଡ଼ିଯାଇଥିଵା ଦିଗ ଆଡ଼କୁ ନୌକା ଚଳାଇ ଏକ ସ୍ଥଳଭାଗ ଠାବକଲେ ଏଵଂ Nisir ନାମକ ଏକ ପର୍ଵତର ଉପରିଭାଗରେ ପହଞ୍ଚିଲେ । ଅତ୍ର-ହାସିସ ଓ ତାଙ୍କ ପରିବାର ବାହାରକୁ ଆସି ଦେବତାମାନଙ୍କୁ ଧନ୍ୟବାଦ ଦେଇ ବଳି ଅର୍ପଣ କଲେ। ଏହି ବଳିର ସୁଗନ୍ଧ, ଦେଵତାମାନଙ୍କୁ ଆକର୍ଷିତ କଲା। ଏନ୍‌ଲିଲ୍‌,ଅତ୍ର-ହାସିସଙ୍କ ଜ୍ଞାନ, ଧୌର୍ଯ୍ୟ,ସାହସ ଓ ଭକ୍ତି ଦେଖି ଅତି ପ୍ରସନ୍ନ ହେଲେ। ସେ "ଏଆ"ଙ୍କୁ ତିରସ୍କାର କଲେ, କିନ୍ତୁ ମଣିଷମାନଙ୍କୁ ଆଉ ମଣିଷ ଜାତିର ନାଶ ନକରିଵାକୁ ନିଷ୍ପତ୍ତି ନେଲେ।

ଅଵଶ୍ୟ ଏଆ ଓ ଅନ୍ୟ ଦେଵତା ମଣିଷମାନଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ ନୂଆ ଵ୍ୟଵସ୍ଥା କଲେ। ସେମାନେ ସ୍ଥିର କଲେ ଯେ କେତେକ ମହିଳା ସନ୍ତାନ ଜନ୍ମ ଦେବେନାହିଁ,ସମୟେ ସମୟେ ମହାମାରୀ ଵ୍ୟାପିଵ, ଯୁଦ୍ଧ ହେଵ ଏଵଂ ପ୍ରାକୃତିକ ଵିପର୍ଯ୍ୟୟ ମାଧ୍ୟମରେ ମଣିଷ ସଂଖ୍ୟା ସନ୍ତୁଳିତ ରହିଵ। ଅତ୍ର-ହାସିସ ଓ ତାଙ୍କ ପରିଵାର ନୂଆ ପୃଥିଵୀରେ ସୁଖରେ ବାସ କଲେ ଆଉ ତାଙ୍କ କାହାଣୀ ମେସୋପୋଟାମିଆର ମାଟିରେ ଅମର ହୋଇ ରହିଗଲା।
------------------------------
ଏହି ଜଳପ୍ରଳୟ ଗାଥା "ଅତ୍ରାହାସିସ ମହାକାଵ୍ୟ"ରେ ଲିପିବଦ୍ଧ ଅଛି, ଯାହା ପ୍ରାଚୀନ ଆକ୍କାଡିଆନ ସାହିତ୍ୟର ଏକ ପ୍ରମୁଖ ରଚନା। ଏହି ମହାକାବ୍ୟ ଖ୍ରୀ.ପୂ. ୧୭୦୦ ଅବ୍ଦ ପର୍ଯ୍ୟନ୍ତ ଲିଖିତ କ୍ୟୁନିଫର୍ମ ଲିପିରେ ମୃତ୍ତିକା ଫଳକରେ (clay tablets) ଲିପିବଦ୍ଧ ହୋଇଛି। 

ଏହି ଗାଥା ଵିଶେଷତଃ "ନିନେଵେହ ଗ୍ରନ୍ଥାଗାର(Library of Nineveh)" ଏଵଂ ଅନ୍ୟାନ୍ୟ ପ୍ରାଚୀନ ସ୍ଥାନରୁ ମିଳିଥିଵା ମୃତ୍ତିକା ଫଳକରେ ସଂରକ୍ଷିତ ଅଛି। ଏହି ମହାକାଵ୍ୟ ପ୍ରାୟ ୩୮୦୦ ଵର୍ଷରୁ ଅଧିକ ପୁରୁଣା। ତଥାପି, ଏହାର ମୌଖିକ ପରମ୍ପରା ଏହାଠାରୁ ମଧ୍ୟ ପୁରାତନ ହୋଇପାରେ, କାରଣ ଏହି ଗାଥା ସୁମେରୀୟ ଓ ବେବିଲୋନୀୟ ସଂସ୍କୃତିରେ ପୂର୍ଵରୁ ପ୍ରଚଳିତ ଥିଲା। ମେସୋପୋଟାମିଆର ଭିନ୍ନ ଭିନ୍ନ ସଂସ୍କୃତିରେ ତିନିରୁ ଅଧିକ ଜଳପ୍ରଳୟର ଗାଥା ରହିଛି ଏଵଂ ସେଥିରେ ତିନିଜଣ ନାୟକଙ୍କ ନାମ ଉଲ୍ଲେଖ ଥିଵା ଜଣାଯାଏ । ସେହି ତିନିଜଣ ନାୟକ 
ଅତ୍ରାହାସିସ, ଜିଉସୁଦ୍ରା, ଓ ଉତ୍‌ନପିଷ୍ଟିମ୍ ଅଟନ୍ତି । ତେବେ ଏମାନେ ଏକ ଵ୍ୟକ୍ତି ନୁହଁନ୍ତି, ଵରଂ ପ୍ରାଚୀନ ମେସୋପୋଟାମିଆର ଵିଭିନ୍ନ ସାହିତ୍ୟ ଓ ସଂସ୍କୃତିରେ ଜଳପ୍ରଳୟ ଗାଥାର ନାୟକ ଭାବେ ଵର୍ଣ୍ଣିତ ଚରିତ୍ରମାନଙ୍କର ଭିନ୍ନ ଭିନ୍ନ ନାମ । ଏମାନେ ସମଭିତ୍ତିକ ଏକ ପୌରାଣିକ ଵ୍ୟକ୍ତିତ୍ୱକୁ ସୂଚାଉଛନ୍ତି, ଯିଏ ଦେଵତାଙ୍କ ଆଦେଶରେ ଜଳପ୍ରଳୟରୁ ରକ୍ଷା ପାଇଵା ପାଇଁ ନୌକା ନିର୍ମାଣ କରିଥିଲେ। 

ଅତ୍ରାହାସିସ (Atrahasis) ନାମ ଆକ୍କାଡିଆନ ମହାକାଵ୍ୟ "ଅତ୍ରାହାସିସ"ରେ ଦେଖାଯାଏ, ଯହିଁର କଥା ଅନୁସାରେ ସେ ଜଳପ୍ରଳୟରୁ ମାନଵଜାତିକୁ ରକ୍ଷା କରିଵା ପାଇଁ ଦେଵତା ଏଆ(Ea)ଙ୍କ ସହାୟତାରେ ଏକ ନୌକା ନିର୍ମାଣ କରନ୍ତି। "ଅତ୍ରାହାସିସ" ଶବ୍ଦର ଅର୍ଥ ହେଉଛି "ଅତ୍ୟନ୍ତ ଜ୍ଞାନୀ"।

ଜିଉସୁଦ୍ରା (Ziusudra) ଏହି ନାମ ସୁମେରୀୟ ସାହିତ୍ୟରେ, ଵିଶେଷତଃ "ସୁମେରୀୟ ଜଳପ୍ରଳୟ ଗାଥା"ରେ ଦେଖାଯାଏ। ଜିଉସୁଦ୍ରା ଜଣେ ରାଜା ଓ ପୁରୋହିତ ଥିଲେ, ଯିଏ ଜଳପ୍ରଳୟରୁ ବଞ୍ଚିଥିଲେ। "ଜିଉସୁଦ୍ରା" ଅର୍ଥ "ଦୀର୍ଘାୟୁ ଜୀଵନ" ଅଟେ।

ଉତ୍‌ନପିଷ୍ଟିମ୍ (Utnapishtim) ନାମ "ଗିଲଗାମେଶ ମହାକାଵ୍ୟ"ର ଏକଦଶମ ପଟ୍ଟିକାରେ ଦେଖାଯାଏ। ଉତ୍‌ନପିଷ୍ଟିମ୍ ମଧ୍ୟ ଜଳପ୍ରଳୟରୁ ରକ୍ଷା ପାଇ ଅମରତ୍ୱ ଲାଭ କରିଥିଲେ। "ଉତ୍‌ନପିଷ୍ଟିମ୍" ଅର୍ଥ "ଯେ ଜୀଵନ ଉଣ୍ଡି ପାଇଲେ"।

ସମ୍ଭଵତଃ ଏକ ଐତିହାସିକ ଜଳପ୍ରଳୟ ଵା ତତ୍ ଆଧାରିତ ପୌରାଣିକ ଗାଥାର ଵିଭିନ୍ନ ସାଂସ୍କୃତିକ ଵ୍ୟାଖ୍ୟାର ଆତ୍ରାହାସିସ, ଜିଉସୁଦ୍ରା, ଓ ଉତ୍‌ନପିଷ୍ଟିମ୍ ଜଣେ ଜଣେ ନାୟକ ଅଟନ୍ତି । ହୁଏତ ଏମାନେ ଏକାଧାରରେ ଏକ ଵ୍ୟକ୍ତିତ୍ୱକୁ ସୂଚାଇପାରନ୍ତି, କିନ୍ତୁ ମେସୋପୋଟାମିଆର ପୌରାଣିକ ସାହିତ୍ୟରେ ସେମାନଙ୍କ ନାମ ଓ ଵିଵରଣୀ ଭିନ୍ନ ଭିନ୍ନ।

ଏନ୍‌ଲିଲ୍‌(Enlil) :ଏନ୍‌ଲିଲ୍‌ ଆକ୍କାଡିଆନ୍ ପୌରାଣିକ କାହାଣୀରେ ଵାୟୁ, ଝଡ଼ତୋଫାନ ଓ ଭାଗ୍ୟର ଦେଵତା ଥିଲେ। ସେ ଦେଵତାମାନଙ୍କର ପ୍ରମୁଖ ନେତା ଓ ମେସୋପୋଟାମିଆର ପ୍ରମୁଖ ଦେଵତାମାନଙ୍କ ମଧ୍ୟରୁ ଜଣେ ଥିଲେ।

ଏଆ (Ea): ବେବିଲୋନୀୟ ଓ ଆକ୍କାଡିଆନ ପୌରାଣିକ କାହାଣୀରେ ଏନ୍କିଙ୍କୁ "ଏଆ" ନାମରେ ଡକାଯାଉଥିଲା। ଏହା ଏନ୍କିଙ୍କର ଆକ୍କାଡିଆନ ନାମ। ଏଆ ମଧ୍ୟ ଜଳ, ଜ୍ଞାନ, ଓ ସୃଜନଶୀଳତାର ଦେଵତା ଥିଲେ ଏଵଂ ତାଙ୍କର ଭୂମିକା ସୁମେରୀୟ ଏନ୍କି ସହ ଅଭିନ୍ନ। ତାଙ୍କର ପ୍ରମୁଖ ମନ୍ଦିର ଥିଲା ଏରିଦୁ ସହରରେ, ଯାହା ସୁମେରୀୟ ସଂସ୍କୃତିର ଏକ ପ୍ରମୁଖ କେନ୍ଦ୍ର ଥିଲା।

ଇଗିଗି(Igigi): ଇଗିଗି ଥିଲେ ଏକ ନିମ୍ନଶ୍ରେଣୀର ଦେଵତା ସମୂହ, ଯେଉଁମାନେ ପ୍ରାୟତଃ ଅନ୍ନୁନାକି ଦେଵତାଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଅଵଶ୍ୟ ଏମାନେ ମଧ୍ୟ ଦେଵତା ଭାବେ ଵିଵେଚିତ ହେଉଥିଲେ।

ମାମି(Mami): ମେସୋପୋଟାମିଆର ଆଉ କେତେକ ସଂସ୍କୃତିରେ Nintu ଓ Ninhursag ନାମରେ ପରିଚିତ ଥିଲେ । ମାମି ହେଉଛନ୍ତି ମାତୃତ୍ୱ ଓ ସୃଷ୍ଟିର ଦେଵୀ, ଯିଏ ମାନଵଜାତିର ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ଅତ୍ରହାସିସ ମହାକାଵ୍ୟରେ ସେ ମାନଵମାନଙ୍କୁ ମାଟିରୁ ଗଢ଼ିଥିଵା ଵର୍ଣ୍ଣନା ରହିଛି।

ଅନ୍ନୁନାକି(Anunnaki): ଦେଵତାମାନଙ୍କର ଏକ ସମୂହକୁ ଅନ୍ନୁନାକି କୁହାଯାଉଥିଲା ।‌ଏମାନେ ଉଚ୍ଚଶ୍ରେଣୀର ଦେଵତା, ଏମାନେ ମେସୋପୋଟାମିଆର ପୌରାଣିକ କାହାଣୀରେ ଭାଗ୍ୟ ଓ ଵିଶ୍ୱର ଶାସନ ନିର୍ଦ୍ଧାରଣ କରୁଥିଲେ। ଏମାନଙ୍କୁ ପ୍ରାୟତଃ ପାତାଳ ଓ ସ୍ଵର୍ଗର ଦେବତା ଭାବେ ଵିଵେଚନା କରାଯାଉଥିଲା।

ଆକ୍କାଡିଆନ୍ ସଭ୍ୟତା ମେସୋପୋଟାମିଆର ମଧ୍ୟଭାଗରେ ଅର୍ଥାତ୍ ଆଧୁନିକ ଇରାକର ମଧ୍ୟାଞ୍ଚଳରେ ଗଢ଼ିଉଠିଥିଲା ତେବେ ଜଳଵାୟୁ ପରିଵର୍ତ୍ତନ ତଥା ଗୁଟିଆନ୍ ଜାତିର ଲୋକଙ୍କ ଆକ୍ରମଣ ଯୋଗୁଁ ଏମାନଙ୍କ ସଭ୍ୟତା ବହୁଧା କ୍ଷତିଗ୍ରସ୍ତ ହୋଇଥିଲା । ପରେ ଅକ୍କାଡିଆନ ସାମ୍ରାଜ୍ୟ ଵିଭାଜିତ ହୋଇ ସୁମେରୀୟ ଓ ବେବିଲୋନୀୟ ସଭ୍ୟତାରେ ପରିଣତ ହୋଇଥିଲା । 

Saturday, June 21, 2025

ମାନଵ ଶରୀରର ତାପମାତ୍ରା ଓ ଵିଶ୍ଵତାପନ: ଏକ ଵିକାଶଗତ ଓ ପାରିସ୍ଥିତିକ ଦୃଷ୍ଟିକୋଣ"

ମାନଵ ଏକ ଉଷ୍ଣ ରକ୍ତ ଵିଶିଷ୍ଟ ଜୀଵ ଏଵଂ ନିଜ ଶରୀର ପାଇଁ ତାକୁ ନିୟମିତ ଭାବେ ୩୭ ଡିଗ୍ରୀ ସେଲସିୟସ ତାପମାତ୍ରା ବଜାୟ ରଖିଵାକୁ ପଡ଼େ। ଵିକାଶଗତ ଦୃଷ୍ଟିକୋଣରୁ ଏହା ଏକ ଜଟିଳ ପ୍ରକ୍ରିୟା, କାରଣ ଏହି ତାପମାତ୍ରା ବଜାୟ ରଖିଵା ପାଇଁ ଶରୀରକୁ ନିୟମିତ ଖାଦ୍ୟ ଗ୍ରହଣ କରିଵାକୁ ହୁଏ। ଆଜିର ଯୁଗରେ ଖାଦ୍ୟ ଅନଲାଇନ ପ୍ଲାଟଫର୍ମ ଯେପରିକି ଜୋମାଟୋ ଓ ସ୍ୱିଗୀ ମାଧ୍ୟମରେ ସହଜରେ ମିଳୁଥିଲେ ମଧ୍ୟ, ଏକ ସମୟ ଥିଲା ଯେତେବେଳେ ଆମ ପୂର୍ଵପୁରୁଷମାନେ ଖାଦ୍ୟ ସଂଗ୍ରହ ଓ ବଞ୍ଚି ରହିବା ପାଇଁ ସଂଘର୍ଷ କରୁଥିଲେ। ତଥାପି ପ୍ରକୃତି ମାନଵ ଶରୀର ପାଇଁ ୩୭ ଡିଗ୍ରୀ ତାପମାତ୍ରା ନିର୍ଦ୍ଧାରଣ କରିଛି। ଏହାର ମୁଖ୍ୟ କାରଣ ହେଉଛି ଆମ ଚାରିପାଖରେ ଥିଵା ଅଣୁଜୀଵ (ଫଙ୍ଗସ, ଭାଇରସ, ବ୍ୟାକ୍ଟେରିଆ) ସହ ଲଢ଼ିଵା ପାଇଁ ଏହି ତାପମାତ୍ରା ସହାୟକ। 

ମାନଵ ଶରୀରର ୩୭ ଡିଗ୍ରୀ ସେଲସିୟସ ତାପମାତ୍ରା ଏକ ଵିକାଶଗତ ଅନୁକୂଳନ। ଏହି ତାପମାତ୍ରାରେ ଅଧିକାଂଶ ଅଣୁଜୀଵ ନିଷ୍କ୍ରିୟ ହୋଇଯାଆନ୍ତି। ଯେଉଁ ଅଣୁଜୀଵ ଏହି ତାପମାତ୍ରାରେ ସକ୍ରିୟ ରହନ୍ତି, ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଶରୀର ଜ୍ୱର ସୃଷ୍ଟି କରେ, ଯାହା ଶରୀରର ତାପମାତ୍ରାକୁ ଆହୁରି ବୃଦ୍ଧି କରି ସଂକ୍ରମଣକୁ ପ୍ରତିରୋଧ କରେ। ଵୈଜ୍ଞାନିକମାନେ ମତ ଦିଅନ୍ତି ଯେ ଏହି ତାପମାତ୍ରା ମାନଵ ଶରୀରର ମେଟାବୋଲିକ ପ୍ରକ୍ରିୟା ଓ ଇମ୍ୟୁନ ସିଷ୍ଟମ ପାଇଁ ଆଦର୍ଶ। ଡକ୍ଟର ପିଟର ନୋବେଲ, ଜଣେ ଵିଖ୍ୟାତ ଫିଜିଓଲୋଜିଷ୍ଟ, ସେ ଏ ଵିଷୟରେ ମଦ ଦିଅନ୍ତି,“ମାନଵ ଶରୀରର ୩୭ ଡିଗ୍ରୀ ତାପମାତ୍ରା ଏକ ସନ୍ତୁଳନ ସୃଷ୍ଟି କରେ, ଯାହା ଶକ୍ତି ସଂରକ୍ଷଣ ଓ ସଂକ୍ରମଣ ପ୍ରତିରୋଧ ମଧ୍ୟରେ ସମନ୍ୱୟ ରକ୍ଷା କରେ।”

ମାନବ ଶରୀର ଆପଣାର ତାପମାତ୍ରା ନିୟନ୍ତ୍ରଣ ପାଇଁ ଵିଭିନ୍ନ ପ୍ରକ୍ରିୟା ଉପରେ ନିର୍ଭର କରେ, ଯେପରିକି ଶ୍ଵେଦ ନିର୍ଗମନ(ଝାଳ ବାହାରିଵା ପ୍ରକ୍ରିୟା), ଶ୍ୱାସ-ପ୍ରଶ୍ୱାସ, ଓ ରକ୍ତ ସଞ୍ଚାଳନ। ଯେତେବେଳେ ଵାହ୍ୟ ତାପମାତ୍ରା ୩୭ ଡିଗ୍ରୀରୁ ଅଧିକ ହୁଏ, ଶରୀର ଶ୍ଵେଦ ମାଧ୍ୟମରେ ତାପ ନିର୍ଗମନ କରି ନିଜକୁ ଥଣ୍ଡା ରଖିଵାକୁ ଚେଷ୍ଟା କରେ। କିନ୍ତୁ ଯଦି ଵାହ୍ୟ ତାପମାତ୍ରା ଓ ଆଦ୍ରତା (ହ୍ୟୁମିଡିଟି) ଅତ୍ୟଧିକ ହୁଏ, ତେବେ ଶ୍ଵେଦ(ଝାଳ) ବାଷ୍ପୀଭୂତ ହୋଇପାରେ ନାହିଁ, ଫଳରେ ଶରୀରର ତାପମାତ୍ରା ନିୟନ୍ତ୍ରଣ ଵିଫଳ ହୁଏ। ଏହି ପରିସ୍ଥିତି ଅଂଶୁଘାତ(Hit stroke) ଓ ମୃତ୍ୟୁର କାରଣ ହୋଇପାରେ।
ଆମେ ପ୍ରାୟତଃ ଵାହ୍ୟ ତାପମାତ୍ରାକୁ ଶୁଷ୍କ ତାପମାତ୍ରା(Dry Temperature) ଭାବେ ଜାଣୁ, ଯାହା ଵାୟୁମଣ୍ଡଳର ସାଧାରଣ ତାପମାତ୍ରା। କିନ୍ତୁ ମାନଵ ଶରୀର ଯେଉଁ ତାପମାତ୍ରା ଅନୁଭବ କରେ, ତାହାକୁ Wet Bulb Temperature କୁହାଯାଏ। ଏହା ତାପମାତ୍ରା ଓ ଆଦ୍ରତାର ମିଶ୍ରଣକୁ ପରିମାପ କରେ। ଓ୍ୱେଟ ବଲ୍ବ ତାପମାତ୍ରା ୨୫ ଡିଗ୍ରୀରୁ ଊଣା ହେଲେ ଶରୀର ପାଇଁ ନିରାପଦ, ୨୬-୩୧ ଡିଗ୍ରୀ ମଧ୍ୟରେ ହେଲେ ଵିପଜ୍ଜନକ କିନ୍ତୁ ସହନୀୟ ଏଵଂ ୩୫ ଡିଗ୍ରୀରୁ ଅଧିକ ହେଲେ ଜୀବନ ପାଇଁ ମାରାତ୍ମକ। 
ଦିଲ୍ଲୀର ଜୁନ ମାସର ଓ୍ୱେଟ ବଲ୍ବ ତାପମାତ୍ରା ୨୫-୨୮ ଡିଗ୍ରୀ ଥିଲାବେଳେ ଦିନେ ଦିନେ ଏହା ୩୦-୩୧ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯାଏ ।‌ ଫଳତଃ ଏହା ଵିଶ୍ଵତାପନ(Global warming)ର ପରିଣାମ ବୋଲି ଅନୁମାନ କରାଯାଏ । ଵିଶ୍ଵତାପନର ପ୍ରଭାବ ଓ ଵିଶ୍ୱଵ୍ୟାପୀ ତାପମାତ୍ରା ବୃଦ୍ଧି ମାନଵ ଜୀଵନ ପାଇଁ ଏକ ଗମ୍ଭୀର ଆହ୍ୱାନ। ଵର୍ତ୍ତମାନ ଯେଉଁ ଵିଶ୍ଵତାପନ ସମସ୍ୟା ଦେଖାଦେଇଛି ସେଥିପାଇଁ ମନୁଷ୍ୟମାନେ ଅନେକାଂଶରେ ଦାୟୀ ।‌ ମାନଵଙ୍କ ଦ୍ଵାରା ଯେଉଁ କେତେକ ମୁଖ୍ୟ ମୁଖ୍ୟ କାରଣ ଯୋଗୁଁ ଵିଶ୍ଵତାପନ ବୃଦ୍ଧି ପାଇଛି ତାହା ମନୁଷ୍ୟମାନେ ଜାଣିଵା ଓ ହେଜିଵା ଉଚିତ୍ ‌।‌
ଆଜିକାଲି ଅନେକେ ଶୀତତାପ ନିୟନ୍ତ୍ରିତ ଗୃହରେ ରହିଵାକୁ ସୁଖ ପାଆନ୍ତି । ତେବେ ଏସି ଦ୍ଵାରା ଘର ଭିତର ଥଣ୍ଡା ହେଉଥିଵାବେଳେ ତାହା ଯୋଗୁଁ ବାହାରକୁ ତାପ ନିର୍ଗମନ ହୁଏ, ଯାହା ନଗରାଞ୍ଚଳରେ "ହିଟ ଆଇଲ୍ୟାଣ୍ଡ ଇଫେକ୍ଟ" ସୃଷ୍ଟି କରେ। ଏହା ସହିତ ଏସିରେ ଵ୍ୟଵହୃତ ରେଫ୍ରିଜେରାଣ୍ଟ ଗ୍ୟାସ୍ ମଧ୍ୟ ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ବୃଦ୍ଧି କରେ। ଉଦ୍ଭିଦମାନେ କାର୍ବନ ଡାଇଅକ୍ସାଇଡ ଶୋଷଣ କରି ଜଳବାୟୁ ନିୟନ୍ତ୍ରଣରେ ସହାୟକ ହୋଇଥାନ୍ତି । କିନ୍ତୁ ଆଜିକାଲି ମାତ୍ରାଧିକ ଵନ ନଷ୍ଟ ଓ ଗଛ କଟାଯିଵା ଦ୍ୱାରା କାର୍ବନ ଶୋଷଣ ହ୍ରାସ ପାଇଛି ଫଳତଃ ଏଥିଯୋଗୁଁ ଵିଶ୍ଵତାପନ ତ୍ୱରାନ୍ୱିତ ହୋଇଛି । 

ଗାଈ, ମଇଁଷି ଓ ଛେଳି ଆଦି ପଶୁମାନେ ମିଥେନ ଗ୍ୟାସ ନିର୍ଗମନ କରନ୍ତି, ଯାହା କାର୍ବନ ଡାଇଅକ୍ସାଇଡ ତୁଳନାରେ ୨୫ ଗୁଣ ଅଧିକ ଶକ୍ତିଶାଳୀ ଗ୍ରୀନହାଉସ ଗ୍ୟାସ୍ ଅଟେ । ଵିଶ୍ୱବ୍ୟାପୀ ୧.୫ ବିଲିୟନ ଗାଈ ଓ ଅନ୍ୟାନ୍ୟ ପଶୁ ମାଂସ ଓ ଡେୟାରୀ ଶିଳ୍ପ ପାଇଁ ପାଳନ କରାଯାଉଛି। FAO (Food and Agriculture Organization) ରିପୋର୍ଟ ଅନୁସାରେ, ପଶୁପାଳନ ଵିଶ୍ୱର ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନର ୧୪.୫% ପାଇଁ ଦାୟୀ। 
ସେହିପରି ଜୀଵାଶ୍ମ ଇନ୍ଧନ (କୋଇଲା, ତୈଳ, ଓ ଗ୍ୟାସ) ଦହନ, ଶିଳ୍ପ ପ୍ରକ୍ରିୟା, ଓ ଅପରିଚ୍ଛନ୍ନ ଶକ୍ତି ଵ୍ୟଵହାର ମଧ୍ୟ ଵିଶ୍ଵତାପନର ମୁଖ୍ୟ କାରଣ। 
ଵୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଵିଶ୍ଵତାପନ ଏହିଭଳି ଚାଲୁ ରହେ, ତେବେ ଆଗାମୀ ୫୦-୭୦ ଵର୍ଷ ମଧ୍ୟରେ ଭୂମଧ୍ୟରେଖାରୁ ୩୦ ଡିଗ୍ରୀ ଉତ୍ତର ଓ ଦକ୍ଷିଣ ଅଞ୍ଚଳରେ ଵସଵାସ ଅସମ୍ଭଵ ହୋଇପାରେ। ଭାରତ, ଯାହା ଏହି ଅଞ୍ଚଳରେ ଅଵସ୍ଥିତ, ଏହାର ନିଶ୍ଚୟ ଗମ୍ଭୀର ପ୍ରଭାଵ ଅନୁଭଵ କରିଵ। IPCC (Intergovernmental Panel on Climate Change) ରିପୋର୍ଟ ଅନୁସାରେ, ଆଗାମୀ କିଛି ଵର୍ଷ ମଧ୍ୟରେ ଵିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧି ପାଇଵ । ଏହାର କୁପରିଣାମ ଯୋଗୁଁ ଆଗାମୀ ଦିନରେ ଚରମ ବାୟୁମଣ୍ଡଳୀୟ ଅସନ୍ତୁଳନ, ହିଟୱେଵ୍, ଓ ଜଳସ୍ତର ବୃଦ୍ଧି ମାନଵ ଜୀଵନକୁ ଵିପର୍ଯ୍ୟସ୍ତ କରିଦେଵ। 
ଗ୍ଲୋବାଲ ଓ୍ୱାର୍ମିଂର ପ୍ରଭାବକୁ ହ୍ରାସ କରିଵା ପାଇଁ ତୁରନ୍ତ ପଦକ୍ଷେପ ନେଵା ଆଵଶ୍ୟକ। 
ଜୀଵାଶ୍ମ ଇନ୍ଧନ ପରିଵର୍ତ୍ତେ ସୌର ଓ ପଵନ ଶକ୍ତି ଭଳି ନଵୀକରଣଯୋଗ୍ୟ ଶକ୍ତି ଵ୍ୟଵହାର କରାଯାଉ। ଵନ ନଷ୍ଟକୁ ରୋକିଵା ଓ ନୂତନ ଵନୀକରଣ କାର୍ଯ୍ୟ ବହୁପରିଣାମରେ କରିଵାକୁ ହେଵ । ପ୍ରତ୍ୟେକ ଵ୍ୟକ୍ତି ଯଦି ଵୃକ୍ଷରୋପଣ କରି କାର୍ବନ ଶୋଷଣରେ ନିଜର ଯୋଗଦାନ ଦିଅନ୍ତି ତେବେ ଏହା ଵିଶ୍ଵତାପନକୁ ନିୟନ୍ତ୍ରଣ କରିଵାରେ ସହାୟକ ହେଵ। ମାଂସ ଓ ଡେୟାରୀ ଉତ୍ପାଦନ ହ୍ରାସ କରି ଶାକାହାରୀ ଖାଦ୍ୟକୁ ପ୍ରୋତ୍ସାହନ ଦିଆଗଲେ ଵିଶ୍ଵତାପନକୁ ଆହୁରି ଅଧିକ ପରିମାଣରେ ନିୟନ୍ତ୍ରଣ କରାଯାଇପାରିଵ । ଜଳଵାୟୁ ପରିଵର୍ତ୍ତନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଗଲେ ଓ ସମୁଦାୟଗତ ପଦକ୍ଷେପ ନିଆଗଲେ ମାନଵଜାତି ଆଗତ ଵିପଦରୁ ରକ୍ଷା ପାଇପାରେ । ଏବେ ନୁହେଁ ତ କେବେ ନୁହେଁ ! 

ମାନଵ ଶରୀରର ୩୭ ଡିଗ୍ରୀ ତାପମାତ୍ରା ଏକ ଵିକାଶଗତ ଚମତ୍କାର, କିନ୍ତୁ ଵିଶ୍ଵତାପନ ଏହି ନିୟନ୍ତ୍ରଣ ପ୍ରକ୍ରିୟାକୁ ଵିପଦରେ ପକାଉଛି। ଆମ ପୂର୍ଵପୁରୁଷମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବଞ୍ଚି ରହିଥିଲେ, କିନ୍ତୁ ଆଜିର ଜଳବାୟୁ ସଙ୍କଟ ଏକ ଅଭୂତପୂର୍ଵ ଆହ୍ୱାନ। ଆମେ ଯଦି ଆଜି ଉପଯୁକ୍ତ ପଦକ୍ଷେପ ନେଉ, ତେବେ ଆମ ଭଵିଷ୍ୟତ ପିଢ଼ି ଏକ ନିରାପଦ ଓ ସୁସ୍ଥ ପୃଥିଵୀରେ ବଞ୍ଚି ରହିବେ। ପୃଥିଵୀର ଭଵିଷ୍ୟତ ଆମ ଆଜିର ନିଷ୍ପତ୍ତି ଉପରେ ନିର୍ଭର କରୁଛି। 
"ଆମେ ଆମର ପୂର୍ଵପୁରୁଷଙ୍କଠାରୁ ପୃଥିଵୀର ଉତ୍ତରାଧିକାର ଆମର ସନ୍ତାନମାନଙ୍କୁ ତାହା ଉତ୍ତରାଧିକାର ସୂତ୍ରରେ ପ୍ରଦାନ କରିଵା ପାଇଁ ପାଇଛନ୍ତି । ଆମ ପୂର୍ଵପୁରୁଷ ଆମକୁ ଏକ ସୁନ୍ଦର ପୃଥିଵୀ ଭେଟି ଦେଇଛନ୍ତି ଆମେ ମଧ୍ୟ ଆମ ପରପିଢ଼ିକୁ ଏକ ସୁନ୍ଦର ପୃଥିଵୀ ଭେଟି ଦେଇ ଯିଵା ଆମର ପ୍ରଧାନ କର୍ତ୍ତଵ୍ୟ ଅଟେ ।”

Tuesday, June 17, 2025

"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"

Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସେହିପରି ଫିଲିପାଇନସର Tagalog ଭାଷାରେ Hindi ଶବ୍ଦର ଅର୍ଥ ନା(No) ଵା ନୁହେଁ (Not) ଅଟେ । ଆଚ୍ଛା ସାରା ଵିଶ୍ଵରେ‌ Meleagris ଜାତୀୟ ଲଞ୍ଜାକୁକୁଡ଼ାକୁ ଟର୍କୀପକ୍ଷୀ କୁହାଯାଉଥିଲାବେଳେ ତୁର୍କୀବାଲା ତାକୁ هندی(hindi) କୁହନ୍ତି। ତୁର୍କଭାଷାରେ هندی(hindi) ଶବ୍ଦଟି ଭାରତୀୟ ଓ ଟର୍କୀ ପକ୍ଷୀ ଅର୍ଥରେ ଵ୍ୟଵହୃତ ହୋଇଥାଏ । ପୁଣି ଏହି ତୁର୍କ ଶବ୍ଦ ମୂଳତଃ ଆରବୀ ଭାଷାର هِنْدِيّ (hindiyy) ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ଭାରତୀୟ ଅଟେ।‌ ତେବେ ଵିଶ୍ଵଵାସୀ ଯୋଉ ଲଞ୍ଜାକୁକୁଡ଼ାକୁ "ଟର୍କୀ" କୁହନ୍ତି ସେ ପକ୍ଷୀକୁ ତୁର୍କୀଭାଷୀ Hindi କାହିଁକି କୁହନ୍ତି ? 

ଏହି ପ୍ରଶ୍ନର ଉତ୍ତର ଜାଣିଵାକୁ ହେଲେ ଆମକୁ 
ଟର୍କୀପକ୍ଷୀର ଇତିହାସ ଜାଣିଵାକୁ ହେଵ ।
ଆଜକୁ ପ୍ରାୟ ଚିରିଶହ ପାଞ୍ଚ ଶହ ଵର୍ଷ ତଳେ ଓଟୋମାନ ସାମ୍ରାଜ୍ୟର ତୁର୍କ ବେପାରୀମାନେ ପୂର୍ଵ ଆଫ୍ରିକାରୁ ଗିନି ଫାଉଲ୍ (Numida meleagris) ନାମକ ଏକ ଜାତୀୟ ପକ୍ଷୀଙ୍କୁ ଇଉରୋପରେ ନେଇ ବିକୁଥିଲେ।
       (Numida meleagris)

 ଏହି ପକ୍ଷୀଙ୍କୁ ଇଉରୋପୀୟମାନେ "ଟର୍କୀ-କକ୍" ଵା "ଟର୍କୀ-ହେନ୍" କହୁଥିଲେ, କାରଣ ଏହା ଓଟୋମାନ ତୁର୍କୀ ଲୋକଙ୍କ ଦ୍ଵାରା ୟୁରୋପରେ ବିକ୍ରି କରାଯାଉଥିଲା । ପରେ, ଯେତେବେଳେ ସ୍ପେନୀୟ ଅନୁସନ୍ଧାନକାରୀମାନେ ଉତ୍ତର ଆମେରିକାରୁ Meleagris gallopavo (ଟର୍କୀ) ନାମକ ଲଞ୍ଜାକୁକୁଡ଼ାଙ୍କୁ ୧୫୧୯ ମସିହା ପାଖାପାଖି ଇଉରୋପକୁ ଆଣିଥିଲେ, ଏହାର ଗିନି ଫାଉଲ୍ ସହ ସାମଞ୍ଜସ୍ୟ ଥିଵାରୁ ଇଉରୋପୀୟମାନେ ଏହାକୁ ମଧ୍ୟ "ଟର୍କୀ" ନାମ ଦେଇଥିଲେ। 

        (Meleagris gallopavo)

କ୍ରିଷ୍ଟୋଫର କଲମ୍ବସ ୧୪୯୨ରେ ଆମେରିକାର ୱେଷ୍ଟ ଇଣ୍ଡିଜରେ ପହଞ୍ଚି ଭାବିଥିଲେ ଯେ ସେ ଭାରତରେ ପହଞ୍ଚିଛନ୍ତି। ଜଣେ ଇଟାଲୀୟ ଅନୁସନ୍ଧାନକାରୀ ଅମେରିକୋ ଵେସ୍ପୁଚି, ୧୪୯୯ରୁ ୧୫୦୨ ମଧ୍ୟରେ କରିଥିଵା ଅନୁସନ୍ଧାନ ଯାତ୍ରାରେ ଏହା ପ୍ରମାଣ କରିଥିଲେ ଯେ କଲମ୍ବସ୍‌ ଆଵିଷ୍କାର କରିଥିଵା ନୂତନ ଭୂମି ଭାରତ ନୁହେଁ, ଵରଂ ଏକ ନୂଆ ମହାଦେଶ। ତାଙ୍କର ଚିଠି ଓ ମାନଚିତ୍ର ଅନୁସାରେ, ୧୫୦୭ ମସିହାରେ ଜର୍ମାନ ମାନଚିତ୍ର ନିର୍ମାତା ମାର୍ଟିନ୍‌ ଓ୍ଵାଲ୍ଡସେମୁଲର୍‌ ଏହି ନୂଆ ମହାଦେଶର ନାମ ଵେସ୍ପୁଚିଙ୍କ ନାମାନୁସାରେ “ଆମେରିକା” ରଖିଥିଲେ। ତେଣୁ, କଲମ୍ବସ୍‌ଙ୍କ ଆମେରିକା ଆଵିଷ୍କାର (୧୪୯୨)ର ପ୍ରାୟ ୧୫ ଵର୍ଷ (୧୫୦୭ ପର୍ଯ୍ୟନ୍ତ) ପରେ ସ୍ପଷ୍ଟ ହୋଇଥିଲା ଯେ ସେ ଅଞ୍ଚଳଟି ଭାରତ ନୁହେଁ, ଏକ ନୂଆ ଆଵିଷ୍କୃତ ମହାଦେଶର ଅଂଶ ଅଟେ। ଭେସ୍ପୁଚିଙ୍କ ପ୍ରମାଣ ମୁଖ୍ୟତଃ ୧୫୦୨ ମସିହା ସୁଦ୍ଧା ସ୍ପଷ୍ଟ ହୋଇଥିଲା, ଯାହା କଲମ୍ବସ୍‌ଙ୍କ ଆଵିଷ୍କାରର ୧୦ ଵର୍ଷ ପରେ ହୋଇଥିଲା।
 
(କ୍ରିଷ୍ଟୋଫର କଲମ୍ବସଙ୍କୁ ଆମେରିକାର କ୍ୟାପିଟଲ କୋଠାର ଗୋଲେଇରେ ଚିତ୍ରିତ କରାଯାଇଛି,ସେ ୱେଷ୍ଟଇଣ୍ଡିଜ୍‌ରେ ଏକ ଦ୍ୱୀପରେ ଅବତରଣ କରିଥିଲେ ଏଵଂ  ତତ୍କାଳୀନ ସ୍ଥାନୀୟ ଲୋକେ  ତାକୁ ଅକ୍ଟୋବର ୧୨, ୧୪୯୨ ସମୟରେ ଗୁଆନାହାନି ବୋଲି କହୁଥିଲେ।)

ତେବେ କଲମ୍ବସଙ୍କ ଭୁଲ ଯୋଗୁଁ, ଆମେରିକାରୁ ଆସୁଥିଵା କେତେକ ଜିନିଷକୁ ଅନେକ ଦିନ ଯାଏଁ "ଇଣ୍ଡିଆନ୍" ଵା "ଭାରତୀୟ" ସହ ଜଡ଼ିତ ନାମ ଦିଆଯାଇଥିଲା। ସେ ଯୁଗରେ ଭାରତୀୟ ଦ୍ରଵ୍ୟର ବଡ଼ ନାମ ଡାକ ଓ ପ୍ରତିଷ୍ଠା ଥିଲା ତେଣୁ ଭାରତୀୟ ନାମରେ ବିକିଲେ ବେପାରୀଙ୍କର ବହୁତ ଲାଭ ହେଉଥିଲା ।‌ ଅତଏଵ ଆମେରିକା ମହାଦେଶ ଦ୍ଵୟରୁ ଅଣାଯାଉଥିଵା ଫଳମୂଳ ଓ ଜୀଵଙ୍କୁ ବହୁ ଵର୍ଷ ଯାଏଁ ଭାରତୀୟ ଦ୍ରଵ୍ୟ ନାମରେ ବିକ୍ରି କରାଗଲା । ଫଳତଃ କେତେକ ଆଫ୍ରିକୀୟ ଓ ଏସୀୟ ଭାଷାରେ ଆମେରିକାରୁ ଅଣାଯାଇଥିଵା ଫଳମୂଳ ଓ ଜୀଵଙ୍କ ନାମ ସହିତ ଭାରତର ନାଆଁ ରହିଗଲା । ଏହାର ଏକ ଉଦାହରଣ Meleagris gallopavo (ଟର୍କୀ) ପକ୍ଷୀର ଭାରତ ଆଧାରରେ ନାମକରଣ ଅଟେ । 

ଆମେରିକା ଆଵିଷ୍କାର ପରେ ଅର୍ଥାତ୍ ଇଣ୍ଡିଜ ନାମରେ ପରିଚିତ ହେଵାର ପ୍ରାରମ୍ଭିକ ସମୟରେ Meleagris gallopavo ଵା ଟର୍କୀ ନାମକ ଲଞ୍ଜାକୁକୁଡ଼ାଙ୍କୁ ଫ୍ରେଞ୍ଚ ଲୋକେ ଭାରତୀୟ କୁକୁଡ଼ା ବା coq d'Inde ଓ poule d'Inde ଆଖ୍ୟା ଦେଇଥିଲେ ଯାହାର ଅର୍ଥ ଥିଲା ଭାରତରୁ ଆସିଥିଵା କୁକୁଡ଼ା । ଏ ନାମକରଣ କ୍ରିଷ୍ଟୋଫର କଲମ୍ବସଙ୍କ ଭୁଲ୍ ଯୋଗୁଁ ରଖାଯାଇଥିଲା । ଏହି ଭୁଲ ପରିଚୟ ଯୋଗୁଁ ଟର୍କୀର ନାମ ଫ୍ରେଞ୍ଚ ଭାଷାରେ d'Inde ହେଲା ଯାହା ପରେ rebracketing ମାଧ୍ୟମରେ dinde ଓ dindon ରୂପେ ପରିଣତ ହେଲା । ପ୍ରୋକ୍ତ ନାମକରଣର ପ୍ରଭାବ ଅନ୍ୟ ଅନେକ ଭାଷାରେ ମଧ୍ୟ ପଡ଼ିଥିଲା ଫଳତଃ ସେସବୁ ଭାଷାରେ ଟର୍କୀ ପକ୍ଷୀକୁ ଭାରତ ଵା ଇଣ୍ଡିଜ ସହ ଜଡ଼ିତ ନାମରେ ଡ଼କାଯାଇଥିଲା । ଏହା ଏକ ରୋଚକ ଭାଷାଗତ ଓ ଐତିହାସିକ ସଂଯୋଗକୁ ପ୍ରତିଫଳିତ କରେ ଯାହା ଔପନିବେଶିକ ଵାଣିଜ୍ୟ ଓ ସାଂସ୍କୃତିକ ଆଦାନପ୍ରଦାନର ଫଳାଫଳ ଅଟେ ।  

coq d'Inde ଓ poule d'Inde ରୁ ଉତ୍ପନ୍ନ ହୋଇ ଫ୍ରେଞ୍ଚ ଭାଷାରେ ପରେ ମାଈ ଟର୍କୀକୁ dinde ଓ ପୁରୁଷ ଟର୍କୀକୁ dindon କୁହାଗଲା ‌। ଲାଡିନୋ ଭାଷାରେ ଟର୍କୀକୁ indiana ଓ biba କୁହାଗଲା ।‌ ଏଠି indiana ଶବ୍ଦଟି ସ୍ପଷ୍ଟ ଭାବେ ଇଣ୍ଡିଜ ଵା ଭାରତରୁ ଆସିଥିଵା ପକ୍ଷୀର ନାମକୁ ସୂଚାଏ । ଇରାକୀ ଆରବୀରେ ଟର୍କୀକୁ hendi କୁହାଗଲା ।‌ ଏହି ଆଧାରରେ ଆର୍ମେନୀୟ ଭାଷାରେ ମଧ୍ୟ hndkahav ନାମ ଦିଆଯାଇଛି ।ଏହାର ପଡୋ଼ଶୀ ଦେଶର ଆଜେରବାଇଜାନୀ ଭାଷାରେ hindushka ନାମ ମଧ୍ୟ ଭାରତୀୟ ସଂଯୋଗକୁ ସୂଚାଏ । ବାସ୍କ ଭାଷାରେ ଲଞ୍ଜାକୁକୁଡ଼ାଙ୍କୁ indioilar ନାମ ଦିଆଯାଇଛି ଯାହା ଇଣ୍ଡିଜରୁ ଆସିଥିବା ପକ୍ଷୀ ବୋଲି ସୂଚାଏ ।‌ ଲଞ୍ଜାକୁକୁଡ଼ାଙ୍କର କାଟାଲାନ୍ ଭାଷାରେ gall dindi ଓ indiot ନାମ ମଧ୍ୟ ଭାରତୀୟ ଉତ୍ସକୁ ନିର୍ଦ୍ଦେଶ କରେ ।‌ ଡାଲମେସିଆନ୍ ଭାଷାରେ ଏ ପକ୍ଷୀର dindiuota ଓ ଫ୍ରିଉଲିଆନ୍ ଭାଷାରେ dindi ତଥା dindiat ନାମ ମଧ୍ୟ ଫ୍ରେଞ୍ଚ dinde ରୁ ପ୍ରଭାଵିତ ହୋଇଛି ଯାହା ଭାରତୀୟ ସଂଯୋଗକୁ ବଞ୍ଚାଇ ରଖିଛି । ଲଞ୍ଜାକୁକୁଡ଼ାର ଜର୍ଜିଆନ୍ ଭାଷାରେ indauri ନାମ ମଧ୍ୟ ଏହି ପରମ୍ପରାକୁ ଅନୁସରଣ କରେ । ଇସ୍ରାଏଲର ହିବ୍ରୁ ଭାଷାରେ ଟର୍କୀକୁ tarnegol hodu ଓ hodu କୁହାଯାଏ । ହିବ୍ରୁ ଭାଷାର hodu ଶବ୍ଦଟି ଭାରତକୁ ନିର୍ଦ୍ଦେଶ କରେ । ଇଙ୍ଗ୍ରିଆନ୍ ଭାଷାରେ ଟର୍କୀପକ୍ଷୀକୁ kalkkuna ଓ indjukka ନାମ ଦିଆଯାଇଛି ଏଵଂ indjukka ମଧ୍ୟ ଭାରତୀୟ ପରିଚୟକୁ ସୂଚାଏ । ପୋଲିଶ ଭାଷାରେ ଟର୍କୀପକ୍ଷୀର indyk, indor, indyczka ଓ gula ଆଦି ନାମ ରହିଛି । ପୋଲିଶ ଭାଷାର indyk ଓ indyczka ଶବ୍ଦଗୁଡ଼ିକ ଭାରତୀୟ ଉତ୍ସ ସହ ଜଡ଼ିତ । ରୁଷିଆନ୍ ଭାଷାରେ ଟର୍କୀ ପକ୍ଷୀକୁ indjuk, indejka,indjushka ଓ turka ମାଈ ନାମ ଦିଆଯାଇଛି। ରୁଷିଆନ୍ indjuk ଓ indejka ଶବ୍ଦଗୁଡ଼ିକ ଭାରତୀୟ ସଂଯୋଗକୁ ସୂଚାଇଥିବା ବେଳେ turka ଓଟୋମାନ ସାମ୍ରାଜ୍ୟର ପ୍ରଭାଵକୁ ଦର୍ଶାଏ । ଟର୍କୀ ପକ୍ଷୀର ତୁର୍କ ଭାଷାରେ hindi,ତୁର୍କମେନ୍ ଭାଷାରେ indyuk ଓ ୟୁକ୍ରେନୀୟ ଭାଷାରେ indyk ତଥା indychka ଆଦି ନାମ ମଧ୍ୟ ଭାରତୀୟ ପରିଚୟରୁ ଉତ୍ପନ୍ନ । ସାର୍ଡିନିଆନ୍ ଭାଷାରେ ଟର୍କୀ ପକ୍ଷୀକୁ dindu,piocu,caboni de Indias ଓ pudda de India କୁହନ୍ତି ।‌caboni de Indias ଓ pudda de India ସିଧାସଳଖ ଇଣ୍ଡିଜ ଵା ଭାରତକୁ ନିର୍ଦ୍ଦେଶ କରେ ।‌

ଏହି ସମସ୍ତ ଭାଷାରେ ଟର୍କୀପକ୍ଷୀ ଵା ଲଞ୍ଜାକୁକୁଡ଼ାର ନାମକରଣରେ ଭାରତୀୟ ପରିଚୟର ଛାପ ଦେଖାଯାଏ ଯାହା କଲମ୍ବସଙ୍କ ଭୁଲ ଓ ଫ୍ରେଞ୍ଚ ଭାଷାରେ d'Inde ରୁ dinde ରୂପାନ୍ତରରୁ ଆରମ୍ଭ ହୋଇଥିଲା । ଏହା ଏକ ଅନନ୍ୟ ଭାଷାଗତ ଘଟଣା ଯେଉଁଠାରେ ଏକ ପକ୍ଷୀର ନାମ ଏକ ଭୌଗୋଳିକ ଭୁଲ ଯୋଗୁଁ ଵିଶ୍ଵର ଵିଭିନ୍ନ ଭାଷାରେ ଭାରତୀୟ ସଂଯୋଗ ସହ ଜଡ଼ିତ ହେଲା ଏହି ନାମଗୁଡ଼ିକ ଔପନିଵେଶିକ ଯୁଗର ଵାଣିଜ୍ୟ ଓ ସାଂସ୍କୃତିକ ଆଦାନପ୍ରଦାନର ଏକ ଜୀଵନ୍ତ ଉଦାହରଣ ଯାହା ଆଜି ମଧ୍ୟ ଏହି ଭାଷାଗୁଡ଼ିକରେ ଟର୍କୀପକ୍ଷୀର ନାମରେ ପ୍ରତିଫଳିତ ହୁଏ ।

ତେବେ ତୁର୍କୀଦେଶ ଓ ଭାରତଵର୍ଷ ଛଡ଼ା ଆଉ ଏକ ଦେଶ "ପେରୁ"ର ନାମ ମଧ୍ୟ ଟର୍କୀ ପକ୍ଷୀ ସହିତ ସମ୍ବନ୍ଧିତ । ପର୍ତ୍ତୁଗୀଜ ଭାଷାରେ ଟର୍କି (turkey) ପକ୍ଷୀକୁ "peru" ନାମ ଦିଆଯାଏ କିନ୍ତୁ କାହିଁକି ? 

ଆମେ ସମସ୍ତେ ଜାଣନ୍ତି ଯେ Meleagris gallopavo ଵା ଟର୍କୀପକ୍ଷୀଟି ଉତ୍ତର ଓ ମଧ୍ୟ ଆମେରିକା ଵିଶେଷତଃ ମେକ୍ସିକୋ ଓ ଯୁକ୍ତରାଷ୍ଟ୍ରର ସ୍ଥାନୀୟ ପକ୍ଷୀ ଅଟେ । କଲମ୍ବସ୍‌ଙ୍କ ଆମେରିକା ଆବିଷ୍କାର (୧୪୯୨) ପରେ, ସ୍ପେନୀୟ ଓ ପର୍ତ୍ତୁଗୀଜ ଅନୁସନ୍ଧାନକାରୀମାନେ ଏହି ପକ୍ଷୀକୁ ଇଉରୋପକୁ ନେଇଥିଲେ। ପର୍ତ୍ତୁଗୀଜମାନେ ଏହି ପକ୍ଷୀକୁ "peru" ନାମ ଦେଇଥିଲେ କାରଣ ସେତେବେଳେ "Peru" ଶବ୍ଦଟି ସ୍ପେନୀୟ ଉପନିବେଶ ଅଞ୍ଚଳ, ଵିଶେଷତଃ ଦକ୍ଷିଣ ଆମେରିକାର ସମଗ୍ର ଅଞ୍ଚଳକୁ ବୁଝାଉଥିଲା (*pars pro toto*)। ଏହା ସମ୍ଭଵତଃ ସ୍ପେନୀୟ ଭାଷାରୁ ସୃଷ୍ଟ, "Perú" ଶବ୍ଦର ମୂଳ ଆମେରିକୀୟ ଆଦିଵାସୀ ନାମ "Birú" କିମ୍ବା କ୍ୱେଚୁଆ ଭାଷାର ଶବ୍ଦ "pelu" (ନଦୀ) ସହ ଜଡ଼ିତ ହୋଇଥାଇପାରେ ।

ପର୍ତ୍ତୁଗୀଜମାନେ ଭାବିଥିଲେ ଯେ ଏହି ପକ୍ଷୀ ଦକ୍ଷିଣ ଆମେରିକାରୁ, ଵିଶେଷତଃ ପେରୁ ଅଞ୍ଚଳରୁ ଆସିଛି, ଯଦିଓ ଏହା ମେକ୍ସିକୋରୁ ଉତ୍ପନ୍ନ। ଏହି ଭୁଲ ଧାରଣା କାରଣରୁ ପର୍ତ୍ତୁଗୀଜ ଭାଷାରେ ଟର୍କିକୁ "galinha do Peru" (ପେରୁର କୁକୁଡ଼ା) କୁହାଯାଉଥିଲା, ଯାହା ପରେ ସଂକ୍ଷିପ୍ତ ହୋଇ "peru" ହେଲା।

କଲମ୍ବସ୍‌ଙ୍କ ଭାରତ ଆଵିଷ୍କାରର ଭ୍ରମ ଯୋଗୁଁ ଅନେକ ଇଉରୋପୀୟ ଭାଷାରେ ଟର୍କିକୁ ଭାରତ ସହ ଜଡ଼ିତ ନାମ ଦିଆଯାଇଥିଲା (ଯେମିତି ଫରାସୀରେ "dinde" ଵା "from India") ବେଳେ ପର୍ତ୍ତୁଗୀଜମାନେ ଏହାକୁ ପେରୁ ସହ ସମ୍ପର୍କିତ କରିଥିଲେ, ଯାହା ସେମାନଙ୍କ ଔପନିବେଶିକ ଵାଣିଜ୍ୟ ଓ ସ୍ପେନୀୟ ଅଞ୍ଚଳ ସହ ଜଡ଼ିତ ଥିଲା।

ପର୍ତ୍ତୁଗୀଜ "peru" ଶବ୍ଦର ପ୍ରଭାବ ଅନେକ ଭାଷାରେ ଵିଶେଷତଃ ପୂର୍ଵ ଏସୀୟ ଓ ଦକ୍ଷିଣ ଆମେରିକୀୟ ଭାଷାଗୁଡ଼ିକରେ ଦେଖାଯାଏ । 

ପର୍ତ୍ତୁଗୀଜମାନେ ଭାରତରେ ଅନ୍ୟ ୟୁରୋପୀୟ ଜାତିଙ୍କ ପୂର୍ଵରୁ ଆସିଥିଲେ ତଥା ଵ୍ୟାପାର ଓ କେତେକ ଅଞ୍ଚଳରେ ସାମୁଦ୍ରିକ ଲୁଣ୍ଠନ ମଧ୍ୟ କରୁଥିଲେ । ତେଣୁ ପର୍ତ୍ତୁଗୀଜମାନଙ୍କ ଦ୍ଵାରା ଯେତେବେଳେ ଭାରତକୁ ଲଞ୍ଜାକୁକୁଡ଼ା ଅଣାଗଲା ସେତେବେଳେ ଵିଭିନ୍ନ ଭାରତୀୟ ଭାଷାରେ ପର୍ତ୍ତୁଗୀଜ ପ୍ରଭାଵରେ ଟର୍କୀପକ୍ଷୀକୁ ପେରୁ ନାଆଁ ଦିଆଗଲା । ଓଡ଼ିଆରେ ଟର୍କିକୁ "ପେରୁ" ଓ "ଲଞ୍ଜା କୁକୁଡ଼ା(ପୂର୍ଣ୍ଣଚନ୍ଦ୍ର ଭାଷାକୋଷ - ପୃଷ୍ଠା ୭୨୭୭)" କୁହାଯାଏ। ହିନ୍ଦୀରେ ଟର୍କିପକ୍ଷୀକୁ କୁ "पिरू" (pīrū) କୁହାଯାଏ, ଯାହା ପର୍ତ୍ତୁଗୀଜ "peru" ରୁ ମୂଳର ଶବ୍ଦ । ଅହମିଆ ଭାଷାରେ ଏ ପକ୍ଷୀକୁ "পেৰু চৰাই" (peru sorai) ନାମ ଦିଆଯାଇଛି । ପଞ୍ଜାବୀରେ ବି ଏ ପକ୍ଷୀକୁ "ਪੇਰੂ" (perū) ହିଁ କୁହନ୍ତି । ସେହିପରି ବଙ୍ଗାଳୀରେ "পেরু" (peru), ନେପାଳୀରେ "पेरू" (perū) ଶବ୍ଦ ଵ୍ୟଵହୃତ ହୁଏ, ଯାହା ଭାରତୀୟ ଉପମହାଦେଶରେ ସେ ସମୟର ପର୍ତ୍ତୁଗୀଜ ପ୍ରଭାଵ ଯୋଗୁଁ ପ୍ରଚଳିତ ହୋଇଥିଲା।

ଭାରତ ଵ୍ୟତୀତ ସେର୍ବୋ-କ୍ରୋଏସୀୟ ଓ ସ୍ଲୋଭେନ ଭାଷାଗୁଡ଼ିକରେ "puran" ଶବ୍ଦ ଟର୍କୀପକ୍ଷୀର ନାମ ରୂପେ ଵ୍ୟଵହୃତ ହୁଏ, ଯାହା ପର୍ତ୍ତୁଗୀଜ "peru" ରୁ ଇଟାଲୀୟ "peruano" ମାଧ୍ୟମରେ ପ୍ରଭାଵିତ ହୋଇ ପ୍ରଚଳିତ । ଦକ୍ଷିଣ ଆମେରିକାରେ ବୋଲାଯାଉଥିଵା ଜର୍ମାନ ଭାଷା ମୂଳର Hunsrik ଶୈଳୀରେ ଟର୍କୀପକ୍ଷୀର Biru ନାମ ମଧ୍ୟ ସେହି Peru ଶବ୍ଦରୁ ସୃଷ୍ଟି ହୋଇଛି ।ହାୱାଇୟାନ ଭାଷାରେ ବି ଟର୍କୀପକ୍ଷୀର "pelehu" ନାମ ଅଛି ଯାହା ପର୍ତ୍ତୁଗୀଜ "peru" ରୁ ଉଦ୍ଭୁତ, କାରଣ ପର୍ତ୍ତୁଗୀଜମାନେ ଶତଵର୍ଷାଧିକ ହାୱାଇରେ ଵାଣିଜ୍ୟ କରିଥିଲେ।

ପର୍ତ୍ତୁଗୀଜ "peru" ଶବ୍ଦର ଵ୍ଯଵହାର ଅନେକ ଭାଷାରେ ପ୍ରଚଳିତ ହେଵାର ମୁଖ୍ୟ କାରଣ ହେଉଛି ଆଜକୁ ପାଞ୍ଚଶହ ଵର୍ଷ ତଳେ ପର୍ତ୍ତୁଗୀଜମାନଙ୍କର ଵିସ୍ତୃତ ଔପନିଵେଶିକ ଵାଣିଜ୍ୟ ନେଟୱାର୍କ। ପର୍ତ୍ତୁଗୀଜମାନେ ଭାରତ (ଗୋଆ, କାଲିକଟ), ହାୱାଇ, ଓ ଅନ୍ୟାନ୍ୟ ଅଞ୍ଚଳରେ ଵାଣିଜ୍ୟ କରୁଥିଵାରୁ ଏହି ଶବ୍ଦ ଏସୀୟ ଓ ପ୍ରଶାନ୍ତ ମହାସାଗରୀୟ ଭାଷାଗୁଡ଼ିକରେ ପ୍ରଭାଵ ପକାଇଥିଲା। ଏହା ଵ୍ୟତୀତ, ସ୍ପେନୀୟ ଓ ପର୍ତ୍ତୁଗୀଜ ଔପନିଵେଶିକ ଶାସନ ସମୟରେ "Peru" ଶବ୍ଦଟି ସମଗ୍ର ଦକ୍ଷିଣ ଆମେରିକାକୁ ବୁଝାଉଥିଵାରୁ, ଏହା ଅନେକ ଭାଷାରେ ଟର୍କିର ନାମ ହେଵାରେ ସହାୟକ ହୋଇଥିଲା।

ତେଣୁ Meleagris gallopavo ଵା ଲଞ୍ଜାକୁକୁଡ଼ାର ଵିଭିନ୍ନ ଭାଷାରେ କେଵଳ ତୁର୍କୀ ହିଁ ନୁହେଁ ଭାରତ ଓ ପେରୁ ଦେଶ ସହିତ ସମ୍ବନ୍ଧିତ ନାମ ମଧ୍ୟ ରହିଛି । ତେବେ ଏହି ଆମେରିକୀୟ କୁକୁଡ଼ା ଜାତୀୟ ଜୀଵଠାରୁ ଅତିଷ୍ଠ ହୋଇ ୨୦୨୨ରେ ତୁର୍କୀକୁ ନିଜ ନାଆଁ ପରିଵର୍ତ୍ତନ କରି Türkiye କରିଵାକୁ ପଡ଼ିଥିଲା । ଯୁକ୍ତରାଷ୍ଟ୍ର ଆମେରିକା, ଇସ୍ରାଏଲ,ଗ୍ରୀସ୍, ସାଇପ୍ରସ୍, ଆର୍ମେନିଆ ଓ ଭାରତ ଆଦି ଦେଶ ଵିପକ୍ଷରେ ଛାତି ଫୁଲେଇ ଯୁଦ୍ଧମ୍ ଦେହି ଚିତ୍କାର କରୁଥିଵା ତୁର୍କୀ ଏକ ସାମାନ୍ୟ ଆମେରିକୀୟ କୁକୁଡ଼ାକୁ ଡରି ନିଜର ବ‌ହୁ ଶତାବ୍ଦୀ ପୁରୁଣା ନାଆଁ ପରିଵର୍ତ୍ତନ କରିଦେଇଛି ‌। 

ଖ୍ରୀ.ପୂ. ୧୮ଶ ଶତାବ୍ଦୀ ସମୟରେ ଆନାତୋଲିଆର କେନ୍ଦ୍ରୀୟ ଅଞ୍ଚଳ "Hatti" ନାମରେ ପରିଚିତ ଥିଲା, ଯାହା ହିତ୍ତୀମାନଙ୍କ ଦ୍ୱାରା ଶାସିତ ହେଉଥିଲା। ଖ୍ରୀ.ପୂ. ୧୨ଶ ଶତାବ୍ଦୀରୁ ଖ୍ରୀଷ୍ଟପୂର୍ଵ 6ଷ୍ଠ ଶତାବ୍ଦୀ ଯାଏଁ ଆନାତୋଲିଆର ପଶ୍ଚିମ ଅଞ୍ଚଳ "Lydia" ଓ କେନ୍ଦ୍ରୀୟ ଅଞ୍ଚଳ "Phrygia" ନାମରେ ଜଣାଶୁଣା ଥିଲା। ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀରୁ ଖ୍ରୀଷ୍ଟପୂର୍ଵ ୪ର୍ଥ ଶତାବ୍ଦୀ ସମୟରେ ଆକେମେନିଡ ସାମ୍ରାଜ୍ୟ ଅଧୀନରେ ଏହି ଅଞ୍ଚଳ "Sparda" (ପାର୍ସୀୟ ନାମ) ଵା "Asia Minor" (ଗ୍ରୀକ ନାମ) ନାମରେ ପରିଚିତ ଥିଲା। ହେଲେନିଷ୍ଟିକ ଓ ରୋମାନ ଯୁଗ ଅର୍ଥାତ୍ ଖ୍ରୀ.ପୂ. ୪ର୍ଥ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ୪ର୍ଥ ଶତାବ୍ଦୀ ପର୍ଯ୍ୟନ୍ତ ସମୟକାଳରେ ଗ୍ରୀକ ଓ ରୋମାନମାନେ ଏହି ଅଞ୍ଚଳକୁ "Anatolia" (ଗ୍ରୀକ୍ :"ପୂର୍ବ" ଵା "ସୂର୍ଯ୍ୟୋଦୟ") ଓ "Asia Minor" ନାମ ଦେଇଥିଲେ। ରୋମାନ ସାମ୍ରାଜ୍ୟରେ "Provincia Asia" ନାମରେ ଏହା ଏକ ପ୍ରଦେଶ ଥିଲା। ୪ର୍ଥ ଶତାବ୍ଦୀରୁ ୧୧ଶ ଶତାବ୍ଦୀ ମଧ୍ୟରେ ବାଇଜାଟାଇନ ସାମ୍ରାଜ୍ୟ କାଳରେ ପୂର୍ଵ ରୋମାନ ସାମ୍ରାଜ୍ୟ ଅଧୀନରେ ଏହା "Anatolia" ଵା "Byzantine Empire" ର କେନ୍ଦ୍ରୀୟ ଅଞ୍ଚଳ ଥିଲା। ୧୦୭୧ରେ ମାଜିକୋର୍ଟ ଯୁଦ୍ଧ ପରେ ସେଲଜୁକ ତୁର୍କୀୟମାନେ ଆନାତୋଲିଆକୁ "Rum" (ରୋମାନୀୟ ଅଞ୍ଚଳ) ବୋଲି ଡାକିଥିଲେ, ଯାହା "Sultanate of Rum" ନାମରେ ପରିଚିତ ହେଲା। ୧୨୯୯ରୁ ଓଟୋମାନମାନେ ଏହି ଅଞ୍ଚଳକୁ ଶାସନ କରିଥିଲେ ଏଵଂ ଏହା "Osmanlı Devleti" (ଓସମାନୀୟ ସାମ୍ୟ) ଵା ପାଶ୍ଚାତ୍ୟରେ "Ottoman Empire" ନାମେ ଜଣାଶୁଣା ହେଲା । ସେତେବେଳେ ଅଟୋମାନ ସାମ୍ରାଜ୍ୟରେ ଆନାତୋଲିଆ ମୁଖ୍ୟ ଅଞ୍ଚଳ ଥିଲା। 

ମଧ୍ୟଯୁଗରେ ୟୁରୋପୀୟମାନେ ଆଧୁନିକ ତୁର୍କୀ ଅଞ୍ଚଳକୁ, ଯାହା ସେତେବେଳେ ଓଟୋମାନ ସାମ୍ରାଜ୍ୟର ଅଂଶ ଥିଲା, "Turkey" ଵା "Turquie" ନାମରେ ଉଲ୍ଲେଖ କରୁଥିଲେ। ଏହି ଶବ୍ଦଟି ମଧ୍ୟଯୁଗୀୟ ଲାଟିନ "Turchia" ଵା "Turquia" ରୁ ଉଦ୍ଭବ ହୋଇଥିଲା, ଯାହା ତୁର୍କୀୟ ଜନଜାତିମାନଙ୍କୁ (ଵିଶେଷତଃ ସେଲଜୁକ ଓ ଓଟୋମାନ ତୁର୍କ) ସୂଚିତ କରୁଥିଲା। ୧୧ଶ ଶତାବ୍ଦୀରୁ ସେଲଜୁକ ତୁର୍କମାନେ ଆନାତୋଲିଆରେ ପ୍ରଭାଵ ଵିସ୍ତାର କରିଵା ଆରମ୍ଭ କରିଥିଲେ ଏଵଂ ୧୩ଶ ଶତାବ୍ଦୀରୁ ଓଟୋମାନ ସାମ୍ରାଜ୍ୟର ଉତ୍ଥାନ ସହିତ ୟୁରୋପୀୟ ଦସ୍ତାବେଜରେ "Turkey" ନାମଟି ଏହି ଅଞ୍ଚଳ ପାଇଁ ପ୍ରଚଳିତ ହେଲା।ତେବେ,ତୁର୍କ ଜାତି ଓ ତୁର୍କ ଭାଷାର ନାମ ସହିତ ସମ୍ପର୍କିତ ହୋଇଥିଲେ ବି ଏହି ତୁର୍କୀ ନାମଟି ସେତେବେଳେ ସ୍ଥାନୀୟ ତୁର୍କୀୟ ଲୋକମାନେ ନିଜେ ଵ୍ୟଵହାର କରୁନଥିଲେ ।‌
 
ସ୍ଥାନୀୟ ତୁରଷ୍କଵାସୀ ସେତେବେଳେ ନିଜ ସାମ୍ରାଜ୍ୟକୁ "Osmanlı Devleti" (ଓସମାନୀୟ ରାଜ୍ୟ) ଵା ଅନ୍ୟ ଆଞ୍ଚଳିକ ନାମରେ ଡାକୁଥିଲେ। "Turkey" ଶବ୍ଦଟି ୟୁରୋପୀୟମାନଙ୍କ ଦୃଷ୍ଟିକୋଣରୁ ଏହି ଅଞ୍ଚଳର ତୁର୍କୀୟ ଶାସନ ଓ ଜନଗଣଙ୍କୁ ଚିହ୍ନିଵା ପାଇଁ ଵ୍ୟଵହୃତ ହେଉଥିଲା। "ତୁର୍କୀ" ନାମଟି ଆନୁଷ୍ଠାନିକଭାବେ ୧୯୨୩ ମସିହାରେ ତୁର୍କୀ ଗଣରାଜ୍ୟ (Republic of Turkey) ପ୍ରତିଷ୍ଠା ସମୟରୁ ପ୍ରଚଳିତ ହୋଇଥିଲା। ଏହା ଓଟୋମାନ ସାମ୍ରାଜ୍ୟର ଅଵସାନ ପରେ ମୁସ୍ତାଫା କେମାଲ ଆତାତୁର୍କଙ୍କ ନେତୃତ୍ୱରେ ଘଟିଥିଲା। ତୁର୍କୀ ଦେଶର ପ୍ରତ୍ୟେକ ସମୟକାଳରେ ଭିନ୍ନ ଭିନ୍ନ ନାମ ରହିଥିଵାରୁ ୧୦୦ ଵର୍ଷ ପରେ Turkey ନାମଟି Türkiye ହୋଇଯିଵାଟା ସେତେ ବଡ଼ ଆଶ୍ଚର୍ଯ୍ୟର ଵିଷୟ ନୁହେଁ । ତଥାପି ଶହେ ଵର୍ଷ ପରେ ତୁର୍କୀର ସରକାରୀ ନାଆଁ ପରିବର୍ତ୍ତନ କରିଦେଵାର ଏକ କାରଣ Meleagris gallopavo ଵା ଟର୍କୀପକ୍ଷୀ ବୋଲି ବି ଦାବି କରାଯାଉଛି ଯାହା ସମ୍ପୂର୍ଣ୍ଣ ଅମୂଳକ ବି ନୁହେଁ ।

Sunday, June 8, 2025

•ଆମ ସୌରଜଗତର କାହାଣୀ: ସୂର୍ଯ୍ୟଙ୍କର ଜନ୍ମ, ଜୀଵନ ଓ ଭଵିଷ୍ୟତ•

ସୌରଜଗତର କାହାଣୀ ଏକ ମହାକାଵ୍ୟ ପରି ରୋମାଞ୍ଚକର ଏଵଂ ସୂର୍ଯ୍ୟ ଏହାର ମୁଖ୍ୟ ପାତ୍ର ଓ ମହାନାୟକ ଅଟନ୍ତି । ଆଜକୁ ପ୍ରାୟ ୪୬୦ କୋଟି (୪.୬ ବିଲିୟନ) ଵର୍ଷ ପୂର୍ଵେ ଆମ ସୌରଜଗତର କାହାଣୀ ଆରମ୍ଭ ହେଲା। ସେତେବେଳେ ଆମ ସୌରଜଗତରେ ଏକ ମହାକାଶୀୟ ନେବୁଲା (nebula) ଥିଲା । ଏହି ନେବୁଲାରେ ଧୂଳି ଓ ଗ୍ୟାସର ଵିଶାଳ ମେଘ ଥିଲା। ଉକ୍ତ ନେବୁଲାଟି ସମ୍ଭଵତଃ ଏକ ଆଖପାଖ ସୁପରନୋଵା ଵିସ୍ଫୋରଣର ଆଘାତ ତରଙ୍ଗ ଦ୍ବାରା ସଙ୍କୁଚିତ ହେଲା। ଏହି ସଙ୍କୋଚନ ପ୍ରକ୍ରିୟାରେ ନେବୁଲାର କେନ୍ଦ୍ରୀୟ ଭାଗ ଘନୀଭୂତ ହେଲା ।‌ ନେବୁଲାର କେନ୍ଦ୍ରୀୟ ଭାଗ ସଙ୍କୁଚିତ ହେଵା ସହ ଗରମ ହେଲା ଏଵଂ ଏକ ପ୍ରୋଟୋଷ୍ଟାର (protostar) ସୂର୍ଯ୍ୟଙ୍କର ଜନ୍ମ ହେଲା। ଏହି ସମୟରେ ସୂର୍ଯ୍ୟ ଏକ ଅସ୍ଥିର, ଗରମ ଓ ଘୂର୍ଣ୍ଣମାନ ଗ୍ୟାସର ଗୋଲକ ଥିଲେ।


ଏହାର ପ୍ରାୟ ୧ କୋଟି ଵର୍ଷ ପରେ, ସୂର୍ଯ୍ୟଙ୍କର କେନ୍ଦ୍ରରେ ତାପମାତ୍ରା ଓ ଚାପ ଏତେ ଵୃଦ୍ଧି ପାଇଲା ଯେ ହାଇଡ୍ରୋଜେନ ନ୍ୟୁକ୍ଲିୟ ଫ୍ୟୁଜନ ଆରମ୍ଭ ହେଲା, ଯାହା ହିଲିୟମରେ ପରିଣତ ହେଲା। ଏହି ପ୍ରକ୍ରିୟା ସୂର୍ଯ୍ୟଙ୍କୁ ଏକ ମୁଖ୍ୟ କ୍ରମ ତାରକା (main sequence star) ରୂପେ ସ୍ଥିରତା ଦେଲା, ଯେଉଁଥିରେ ସେ ଆଜି ମଧ୍ୟ ରହିଛନ୍ତି । ସୂର୍ଯ୍ୟ ଏକ G2V ଶ୍ରେଣୀର ତାରକା ଅଟନ୍ତି, ତେଣୁ ଏ ଦୃଷ୍ଟିରୁ ସୂର୍ଯ୍ୟଙ୍କୁ yellow dwarf ତାରକା ମଧ୍ୟ କୁହାଯାଏ। ସୂର୍ଯ୍ୟଙ୍କର ଜନ୍ମ ସହିତ ନେବୁଲାର ଅଵଶିଷ୍ଟ ଧୂଳି ଓ ଗ୍ୟାସ ଏକ ଚକ୍ରାକାର ଡିସ୍କ (protoplanetary disk) ରୂପେ ସୂର୍ଯ୍ୟଙ୍କର ଚାରିପାଖରେ ଘୂରିଲା। ଏହି ଡିସ୍କରୁ ପ୍ରଥମେ ଜନ୍ମ ହେଲା ଵୃହସ୍ପତି । ପ୍ରାୟ ଅଧିକାଂଶ ନକ୍ଷତ୍ର ମଣ୍ଡଳରେ ପ୍ରଥମେ ଵୃହସ୍ପତି ପରି ଗ୍ରହ ସୃଷ୍ଟି ହୁଅନ୍ତି । ଵୈଜ୍ଞାନିକମାନେ ହଜାର ହଜାର ସୌରମଣ୍ଡଳରେ ଯେଉଁ Exoplanet ସବୁ ଦେଖୁଛନ୍ତି ତନ୍ମଧ୍ୟରେ ଵୃହସ୍ପତି ଓ ତାହାଠାରୁ ବଡ଼ ଭୀମକାୟ ଗ୍ରହ ନିଜ ନକ୍ଷତ୍ର ନିକଟରେ ହିଁ ପରିକ୍ରମଣ କରୁଥିଵା ଦେଖାଯାଏ । ଗୋଟିଏ ବଡ଼ ଗ୍ରହ ନିଜ ତାରକାଠାରୁ ଦୂରରେ ଗଠିତ ହୁଏ ଏଵଂ ଧିରେ ଧିରେ ସେ ନିଜ ଆଖପାଖରେ ଥିଵା ଗ୍ୟାସ୍ ଗ୍ରହାଣୁ ଓ ଛୋଟ ଗ୍ରହଙ୍କୁ ଭକ୍ଷଣ କରି ଆପଣା ତାରକାର ନିକଟତର ହୋଇଥାଏ । ଆମ ସୌରମଣ୍ଡଳର ଆରମ୍ଭରେ ଵୃହସ୍ପତି ବି ସେଇଭଳି ସୂର୍ଯ୍ୟଙ୍କର ଟିକଟତର ହେଵାକୁ ଚେଷ୍ଟା କରିଥିଲା କିନ୍ତୁ ପରଵର୍ତ୍ତୀ କାଳରେ ସୃଷ୍ଟି ହୋଇଥିଵା ଶନି ନିଜର ଗୁରୁତ୍ବାକର୍ଷଣ ବଳରେ ଵୃହସ୍ପତିକୁ ଏଥିରୁ ନିଵୃତ୍ତ କରିଵାରେ ସଫଳ ହୋଇଗଲା ।‌ ଏହାପରେ ପରେ ୟୁରାନସ୍ ଓ ନେପଚୁନ ଭଳି ଗ୍ରହ ଗଠିତ ହୋଇଥିଲା ।‌ ଶନି ଓ ୟୁରାନସ୍ ଭଳି ଗ୍ରହଗୁଡ଼ିକର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଵୃହସ୍ପତିର ପରିକ୍ରମଣ ପଥ ସ୍ଥାୟୀ ହୋଇଗଲା । ଫଳତଃ ଵୃହସ୍ପତି ଯେଉଁ ଗ୍ୟାସ୍ ଓ ଗ୍ରହାଣୁ ଛାଡ଼ି ଦେଇଥିଲା ସେଥିରୁ ବୁଧ,ଶୁକ୍ର,ପୃଥିଵୀ ଓ ମଙ୍ଗଳ ପରି ଗ୍ରହ ଗଠିତ ହୋଇଥିଲା । 

ଆମ ପୃଥିଵୀ ପ୍ରାୟ ୪୫୪ କୋଟି ଵର୍ଷ ପୂର୍ଵେ ଗଠିତ ହେଲା, ଏଵଂ ଏହାର ଜଳ, ଵାୟୁମଣ୍ଡଳ, ଓ ଜୀଵନର ଆରମ୍ଭ ପରଵର୍ତ୍ତୀ କୋଟି କୋଟି ଵର୍ଷରେ ହେଇଥିଲା। ପୃଥିଵୀରେ ଜୀଵନ ପ୍ରାୟ ୩.୮ ବିଲିୟନ ଵର୍ଷ ପୂର୍ବେ ଆରମ୍ଭ ହେଲା ଆଉ ସେତେବେଳେ ଅଣୁଜୀଵ ପୃଥିଵୀରେ ଦେଖାଦେଲେ।

ବର୍ତ୍ତମାନ ସୂର୍ଯ୍ୟ ତା’ର ମୁଖ୍ୟ କ୍ରମ ପର୍ଯ୍ୟାୟରେ ରହିଛି, ଯାହା ପ୍ରାୟ ୧୦୦୦ କୋଟି ଵର୍ଷ ଧରି ଚାଲିଵ। ଏହି ଦଶହଜାର କୋଟି ଵର୍ଷ ମଧ୍ୟରେ ୪୬୦ କୋଟି ଵର୍ଷ ସରି ସାରିଛି ଏଵଂ ଆହୁରି ୫୪୦ କୋଟି ଵର୍ଷ ରହିଛି । ଏହି ପର୍ଯ୍ୟାୟରେ ସୂର୍ଯ୍ୟ ହାଇଡ୍ରୋଜେନକୁ ହିଲିୟମରେ ପରିଣତ କରୁଛନ୍ତି, ଯାହା ତାଙ୍କ ଶକ୍ତିର ମୂଳ ଉତ୍ସ। ଏହି ସମୟରେ ସୂର୍ଯ୍ୟ ସ୍ଥିର ରହିଛନ୍ତି, ଯାହା ପୃଥିଵୀରେ ଜୀଵନର ଵିକାଶ ପାଇଁ ଅନୁକୂଳ ପରିଵେଶ ପ୍ରଦାନ କରିଛି। କିନ୍ତୁ ସୂର୍ଯ୍ୟଙ୍କର ଉଜ୍ଜ୍ୱଳତା ପ୍ରତି କୋଟିଏ ଵର୍ଷରେ ୧% ହାରରେ ଧୀରେ ଧୀରେ ଵୃଦ୍ଧି ପାଉଛି । ଆରମ୍ଭରେ ସୂର୍ଯ୍ୟଙ୍କର ଉଜ୍ଜ୍ବଳତା ଆଜି ଅପେକ୍ଷା କମ୍ ଥିଲା ଯାହା ଗତ ୪୦୦ କୋଟି ଵର୍ଷରେ ଅନେକାଂଶରେ ଵୃଦ୍ଧି ପାଇଛି । ଗଵେଷକମାନେ କେତେକ ପ୍ରମାଣ ଆଧାରରେ କୁହନ୍ତି ଆଗେ ପୃଥିଵୀ ପରି ଶୁକ୍ରଗହରେ ମଧ୍ୟ ଜଳ ଥିଲା କିନ୍ତୁ ସୂର୍ଯ୍ୟଙ୍କର ଉଜ୍ଜ୍ଵଳତା ନିରନ୍ତର ଵୃଦ୍ଧି ଯୋଗୁଁ ଏ ଗ୍ରହ ଏବେ ନର୍କରେ ପରିଣତ ହୋଇଛି । ଏଥିପାଇଁ ଵୈଜ୍ଞାନିକମାନେ ଶୁକ୍ରକୁ ପୃଥିଵୀର Evil twin କୁହନ୍ତି କାରଣ ଯାହା ଶୁକ୍ର ସହିତ ଆଗରୁ ହୋଇଛି ତାହା ଭଵିଷ୍ୟତରେ ପୃଥିଵୀ ସହିତ ବି ହେଵାକୁ ଯାଉଛି । 


ତଥ୍ୟ କହେ ପ୍ରାୟ ୧୦୦ କୋଟି (୧ ବିଲିୟନ) ଵର୍ଷ ମଧ୍ୟରେ ସୂର୍ଯ୍ୟଙ୍କର ଵୃଦ୍ଧିପ୍ରାପ୍ତ ଉତ୍ତାପ ଯୋଗୁଁ ପୃଥିଵୀର ସମୁଦ୍ର ବାଷ୍ପୀଭୂତ ହେଵା ଆରମ୍ଭ ହେଵ, ଫଳତଃ ଜଟିଳ ଜୀଵନ (ମଣିଷ, ପଶୁ, ଗଛ ଆଦି) ଆଉ ପୃଥିଵୀରେ ରହିପାରିବେ ନାହିଁ । ତଥାପି, କିଛି ଅଣୁଜୀଵ (extremophiles) ୨୦୦-୩୦୦ କୋଟି ଵର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବେ ।
  
ପ୍ରାୟ ୫୦୦ କୋଟି ଵର୍ଷ ପରେ, ସୂର୍ଯ୍ୟଙ୍କର ମୁଖ୍ୟ କ୍ରମ ପର୍ଯ୍ୟାୟ ଶେଷ ହେଵ । ସେତେବେଳେ ସୂର୍ଯ୍ୟଙ୍କର କେନ୍ଦ୍ରରେ ହାଇଡ୍ରୋଜେନ ଶେଷ ହୋଇଯିଵ। ସୂର୍ଯ୍ୟ ଏକ ଲାଲ ଦାନଵ ନକ୍ଷତ୍ର (red giant star)ରେ ପରିଣତ ହେବେ ଫଳତଃ ତାଙ୍କର ଆକାର ଶତଗୁଣ ଵୃଦ୍ଧି ପାଇଵ । ଏହି ପର୍ଯ୍ୟାୟରେ ସୂର୍ଯ୍ୟ ପ୍ରାୟ ୧ ଖଗୋଳୀୟ ଏକକ (AU) ପର୍ଯ୍ୟନ୍ତ ଵିସ୍ତାର ଲଭି ବୁଧ ଓ ଶୁକ୍ରକୁ ଗିଳିଦେବେ । ତେବେ ପୃଥିଵୀର ଭାଗ୍ୟ ଅନିଶ୍ଚିତ । ହୁଏତ ସୂର୍ଯ୍ୟଙ୍କର ଵାହ୍ୟ ସ୍ତରରେ ଘର୍ଷଣ ଯୋଗୁଁ ପୃଥିଵୀ ମଧ୍ୟ ଗିଳାଯାଇପାରେ କିମ୍ବା ଜଳିଯାଇଥିଵା ଏକ ମୃତଗ୍ରହ ରୂପେ ବଞ୍ଚିଯାଇପାରେ।

କିନ୍ତୁ ଯଦି ଏହି ପର୍ଯ୍ୟାୟରେ ପୃଥିଵୀ ବଞ୍ଚିଯାଏ ତେବେ ଏ ଗ୍ରହରେ ଜୀଵନ ରହିଵା ସମ୍ପୂର୍ଣ୍ଣ ଅସମ୍ଭଵ ହୋଇଯାଇଥିଵ । ଵାହ୍ୟ ଗ୍ରହଗୁଡ଼ିକ (ବୃହସ୍ପତି, ଶନି) ଅଧିକ ଗରମ ହେବେ, କିନ୍ତୁ ସେ ଗ୍ରହମାନ ସୂର୍ଯ୍ୟଙ୍କଠାରୁ ଦୂରରେ ଅଵସ୍ଥିତ ଥିଵାରୁ ସମ୍ଭଵତଃ ଗିଳାଯିବେ ନାହିଁ। କିଛି ଦୂର ଉପଗ୍ରହ (ଯେପରି ବୃହସ୍ପତିର ଚନ୍ଦ୍ର ଇଉରୋପା) ଅସ୍ଥାୟୀ ଭାବେ ଜୀଵନ ପାଇଁ ଅନୁକୂଳ ହୋଇପାରନ୍ତି, ଯଦି ସେଠାରେ ଜଳ ତରଳ ଅଵସ୍ଥାରେ ରହେ।


ଵୈଜ୍ଞାନିକ ଆକଳନ ଅନୁସାରେ, ସୂର୍ଯ୍ୟ ଲାଲ ଦାନଵ ପର୍ଯ୍ୟାୟରେ ପ୍ରଵେଶ କରିଵା ପରେ, ସେ ପ୍ରାୟ ୧୦୦ କୋଟି ଵର୍ଷ ମଧ୍ୟରେ ନିଜର ଵାହ୍ୟ ସ୍ତରଗୁଡ଼ିକୁ ନିର୍ଗତ କରି ଆଜିଠାରୁ ୬୪୦ କୋଟି ଵର୍ଷ ପରେ ପ୍ଲାନେଟାରୀ ନେବୁଲା ସୃଷ୍ଟି କରିଵେ ।‌ ଏହା ଏକ ଚମତ୍କାର ମହାକାଶୀୟ ଦୃଶ୍ୟ ହେଵ, ଯେଉଁଥିରେ ଗ୍ୟାସ ଓ ଧୂଳିର ଏକ ଆଲୋକିତ ଵଳୟ ସୂର୍ଯ୍ୟଙ୍କୁ ଘେରି ରହିଥିଵ। ଏ ପର୍ଯ୍ୟାୟ ଅନେକ ହଜାର ଵର୍ଷ ଧରି ଚାଲିଵ। ଏହି ସମୟରେ ସୌରଜଗତର ପୃଥିଵୀ ଓ ମଙ୍ଗଳ ପରି ଅନ୍ତଃସ୍ଥ ଗ୍ରହମାନ ଯଦି ବଞ୍ଚିଥାନ୍ତି ତେବେ ସେଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହେବେ। ଵାହ୍ୟ ଗ୍ରହମାନ ଏକ ଶୀତଳ, ଅନ୍ଧକାର ଅଵସ୍ଥାରେ ରହିବେ, ଯେହେତୁ ସୂର୍ଯ୍ୟଙ୍କର ଆଲୋକ ଓ ତାପ କ୍ଷୀଣ ହେଵ। ସୂର୍ଯ୍ୟଙ୍କ ପରି G2V ତାରକାରେ ଦ୍ରଵ୍ୟର ପରିମାଣ ଦୃଷ୍ଟିରୁ ପ୍ଲାନେଟାରୀ ନେବୁଲା ପ୍ରାୟ ୧୦,୦୦୦ ରୁ ୫୦,୦୦୦ ଵର୍ଷ ପର୍ଯ୍ୟନ୍ତ ଚାଲୁ ରହିଥାଏ ।

ପ୍ଲାନେଟାରୀ ନେବୁଲା ପରେ, ସୂର୍ଯ୍ୟ ଏକ ଶ୍ବେତ ଵାମନ ତାରକାରେ ପରିଣତ ହେଵେ, ଯାହା ପୃଥିଵୀ ଆକାରର ଏକ ଅତ୍ୟନ୍ତ ଘନ ତାରକା ହେଵ ଏଵଂ ଏହାର ଦ୍ରଵ୍ୟମାନ(Mass) ଵର୍ତ୍ତମାନ ସୂର୍ଯ୍ୟଙ୍କର ଅଧା ହେଵ। ଏହି ଅଵସ୍ଥାରେ ଶ୍ଵେତ ଵାମନ ସୂର୍ଯ୍ୟ ଆଉ ନ୍ୟୁକ୍ଲିୟ ଫ୍ୟୁଜନ କରିବେ ନାହିଁ, କିନ୍ତୁ ଅଵଶିଷ୍ଟ ତାପ ନିର୍ଗତ କରି ଧୀରେ ଧୀରେ ଶୀତଳ ହେଵେ। ଶ୍ବେତ ଵାମନ ସୂର୍ଯ୍ୟ ଅତ୍ୟନ୍ତ କ୍ଷୀଣ ଆଲୋକ ନିର୍ଗତ କରିଵେ, ଯାହା ସୌରଜଗତକୁ ଅନ୍ଧକାର ଓ ଶୀତଳ କରିଦେଵ। ଵାହ୍ୟ ଗ୍ରହ ଓ ଧୂମକେତୁ ଏକ ହିମାୟିତ ଅଵସ୍ଥାରେ ରହିଵେ ଏଵଂ କୌଣସି ଜୀଵନ ସେତେବେଳେ ସୌରଜଗତରେ ତିଷ୍ଠିଵା ଅସମ୍ଭଵ ହେଵ ।‌

ଏହି ଶ୍ଵେତ ଵାମନ ପର୍ଯ୍ୟାୟରେ ସୂର୍ଯ୍ୟ ପ୍ରାୟ ଟ୍ରିଲିୟନ୍ (୧୦,୦୦୦ କୋଟି) ଵର୍ଷ ଵା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ରହିବେ । ଶ୍ବେତ ଵାମନ ଭାବେ କିଛି ଟ୍ରିଲିୟନ (୧୦^୧୨) ଵର୍ଷ ଧରି ରହି ଶୀତଳ ହେଵା ପରେ, ସୂର୍ଯ୍ୟ ଏକ କୃଷ୍ଣ ଵାମନ (black dwarf) ରୂପେ ପରିଣତ ହେବ। ଏହି ପର୍ଯ୍ୟାୟରେ ସୂର୍ଯ୍ୟ ଆଉ କୌଣସି ଆଲୋକ ଵା ତାପ ନିର୍ଗତ କରିବେ ନାହିଁ, ଏଵଂ ସେତେବେଳେ ସେ ଶୀତଳ, ଅନ୍ଧକାର ଓ ନିଷ୍କ୍ରିୟ ଵସ୍ତୁ ହୋଇ ରହିଯିବେ । ତେବେ, ଏହି ପର୍ଯ୍ୟାୟରେ ପହଞ୍ଚିଵା ପାଇଁ ଆଵଶ୍ୟକ ସମୟ ବ୍ରହ୍ମାଣ୍ଡର ଵର୍ତ୍ତମାନ ବୟସ (୧୩.୮ ବିଲିୟନ ଵର୍ଷ) ତୁଳନାରେ ଅନେକ ଗୁଣ ଅଧିକ, ତେଣୁ ଏହା ଏକ ତାତ୍ତ୍ବିକ ପର୍ଯ୍ୟାୟ ଅଟେ। ସୂର୍ଯ୍ୟଙ୍କ ପରି ନକ୍ଷତ୍ରକୁ ବ୍ଲାକ୍ ଡ୍ୱାର୍ଫ ହେଵାକୁ ୧୦¹⁵ ଵର୍ଷ ଲାଗେ, ତେଣୁ ବ୍ରହ୍ମାଣ୍ଡର ୧୩୮୦ କୋଟି ଵର୍ଷ ଵୟସ ଯଥେଷ୍ଟ ନୁହେଁ । ଏହି କାରଣରୁ ଆଜି ପର୍ଯ୍ୟନ୍ତ କୌଣସି ବ୍ଲାକ୍ ଡ୍ୱାର୍ଫ ଆମକୁ ମିଳିନାହିଁ।ଏତଦଵ୍ୟତୀତ ଆଲୋକଵିହୀନ ଅତି ପ୍ରାଚୀନ black dwarf ତାରକା ଠାବ କରିଵା ମଧ୍ୟ ଅତ୍ୟନ୍ତ କଷ୍ଟକର କାର୍ଯ୍ୟ । 

ତେବେ ଏତେ ସବୁ ପଢ଼ିଵା ପରେ କେହି କେହି ପଚାରି ପାରନ୍ତି 
ଵୈଜ୍ଞାନିକ ଆଗକୁ ସୂର୍ଯ୍ୟ ସହିତ କ'ଣ ହେଵାକୁ ଯାଉଛି ତାହା କେମିତି କହିପାରୁଛନ୍ତି? 

ଵୈଜ୍ଞାନିକମାନେ ସୂର୍ଯ୍ୟ ଓ ସୌରଜଗତର ଭଵିଷ୍ୟତରେ ଘଟିଵାକୁ ଯାଉଥିଵା ଘଟଣାଗୁଡ଼ିକ ସମ୍ବନ୍ଧରେ ଵିଭିନ୍ନ ଵୈଜ୍ଞାନିକ ପଦ୍ଧତି ଓ ତଥ୍ୟ ଉପରେ ନିର୍ଭର କରନ୍ତି ଭଵିଷ୍ୟଵାଣୀ କରିପାରୁଛନ୍ତି ।‌ ଵୈଜ୍ଞାନିକମାନେ ତାରକାଗୁଡ଼ିକର ଜୀଵନଚକ୍ରକୁ ଅଧ୍ୟୟନ କରି ଏକ ସୁନିର୍ଦ୍ଦିଷ୍ଟ ତାତ୍ତ୍ବିକ ମଡେଲ ପ୍ରସ୍ତୁତ କରିଛନ୍ତି। ସୂର୍ଯ୍ୟ ଏକ G2V ଶ୍ରେଣୀର ତାରକା (ହଳଦିଆ ବାମନ) ଏଵଂ ଏହା ପରି ଅନ୍ୟ ତାରକାଗୁଡ଼ିକର ଜୀଵନଚକ୍ର ଅଧ୍ୟୟନ କରାଯାଇଛି। ଏହି ମଡେଲ ଅନୁସାରେ, ସୂର୍ଯ୍ୟ ପରି ତାରକାମାନେ ମୁଖ୍ୟ କ୍ରମ (main sequence), ଲାଲ ଦାନଵ (red giant), ପ୍ଲାନେଟାରୀ ନେବୁଲା, ଓ ଶ୍ବେତ ବାମନ (white dwarf) ପର୍ଯ୍ୟାୟରେ ଅଗ୍ରସର ହୁଅନ୍ତି। ଏହି ପର୍ଯ୍ୟାୟଗୁଡ଼ିକୁ ଗାଣିତିକ ଗଣନା ଓ ଭୌତିକ ନିୟମ (ଯେପରି ନ୍ୟୁକ୍ଲିୟ ଫ୍ୟୁଜନ, ଗୁରୁତ୍ବାକର୍ଷଣ, ଓ ତାପଗତିଵିଜ୍ଞାନ) ଆଧାରରେ ନିର୍ଣ୍ଣୟ କରାଯାଏ। ସୂର୍ଯ୍ୟଙ୍କର ଶକ୍ତି ଉତ୍ପାଦନ ହାଇଡ୍ରୋଜେନରୁ ହିଲିୟମ ନିର୍ମାଣ ପ୍ରକ୍ରିୟା (nuclear fusion) ଉପରେ ନିର୍ଭର କରେ। ଵୈଜ୍ଞାନିକମାନେ ସୂର୍ଯ୍ୟର ଦ୍ରଵ୍ୟମାନ, ରାସାୟନିକ ଗଠନ (୭୩.୫% ହାଇଡ୍ରୋଜେନ, ୨୩.୮% ହିଲିୟମ), ଓ ଫ୍ୟୁଜନ ହାର ଅନୁସାରେ ଗଣନା କରିଛନ୍ତି ଯେ ସୂର୍ଯ୍ୟର ମୁଖ୍ୟ କ୍ରମ ପର୍ଯ୍ୟାୟ ପ୍ରାୟ ୧୦ ବିଲିୟନ ଵର୍ଷ ଚାଲିଵ। ଵର୍ତ୍ତମାନ ସୂର୍ଯ୍ୟ ୪.୬ ବିଲିୟନ ଵର୍ଷ ବୟସରେ ଅଛନ୍ତି, ତେଣୁ ଏହି ମୁଖ୍ୟ କ୍ରମ ଆହୁରି ୫ ବିଲିୟନ ଵର୍ଷ ଚାଲିଵ। ଏହା ପରେ ହାଇଡ୍ରୋଜେନ ଶେଷ ହେଲେ ସୂର୍ଯ୍ୟ ଲାଲ ଦାନଵରେ ପରିଣତ ହେବେ। ଆଧୁନିକ କମ୍ପ୍ୟୁଟର ସିମୁଲେସନ ଵ୍ୟଵହାର କରି ଵୈଜ୍ଞାନିକମାନେ ସୂର୍ଯ୍ୟ ପରି ତାରକାମାନଙ୍କର ଵିକାଶକୁ ମଡେଲ କରନ୍ତି। ଏହି ସିମୁଲେସନଗୁଡ଼ିକ ଗୁରୁତ୍ବାକର୍ଷଣ, ତାପମାତ୍ରା, ଚାପ, ଓ ରାସାୟନିକ ପ୍ରତିକ୍ରିୟାକୁ ଆଧାର କରି ତାରକାର ଭଵିଷ୍ୟତ ପର୍ଯ୍ୟାୟଗୁଡ଼ିକ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥାଏ । ଏହା ସୂର୍ଯ୍ୟଙ୍କର ଲାଲ ଦାନଵ, ପ୍ଲାନେଟାରୀ ନେବୁଲା, ଓ ଶ୍ବେତ ଵାମନ ପର୍ଯ୍ୟାୟର ସମୟ ଓ ପ୍ରଭାବ ନିର୍ଣ୍ଣୟ କରିଵାରେ ସାହାଯ୍ୟ କରେ।

ଵୈଜ୍ଞାନିକମାନେ ଦୂରଵର୍ତ୍ତୀ ତାରକାମାନଙ୍କୁ ( ସୂର୍ଯ୍ୟ ପରି ଵା ଅନ୍ୟ ଶ୍ରେଣୀର) ଟେଲିସ୍କୋପ (ଯେପରି ହବଲ, ଜେମ୍ସ ୱେବ) ମାଧ୍ୟମରେ ଅଧ୍ୟୟନ କରି ସେଗୁଡ଼ିକର ଜୀଵନଚକ୍ରର ଵିଭିନ୍ନ ପର୍ଯ୍ୟାୟ (ଯେମିତି ଲାଲ ଦାନଵ, ଶ୍ବେତ ଵାମନ, ପ୍ଲାନେଟାରୀ ନେବୁଲା) ଦେଖିଛନ୍ତି। ଏହି ପର୍ଯ୍ୟବେକ୍ଷଣ ସୂର୍ଯ୍ୟର ଭଵିଷ୍ୟତ ଵିଷୟରେ ଧାରଣା ଦେଇଛି। ଉଦାହରଣ ସ୍ବରୂପ, ଶ୍ବେତ ଵାମନ ତାରକାମାନଙ୍କର ଗଠନ ଓ ଶୀତଳ ହେଵାର ହାର ଅଧ୍ୟୟନ କରି ଵୈଜ୍ଞାନିକମାନେ ଅନୁମାନ କରନ୍ତି ଯେ ସୂର୍ଯ୍ୟ ଶେଷରେ ଏକ କୃଷ୍ଣ ଵାମନରେ ପରିଣତ ହେବେ। ତେବେ ସୂର୍ଯ୍ୟଙ୍କର କୃଷ୍ଣ ବାମନ (black dwarf) ପର୍ଯ୍ୟାୟ ଏକ ତାତ୍ତ୍ବିକ ପର୍ଯ୍ୟାୟ, କାରଣ ବ୍ରହ୍ମାଣ୍ଡର ଵର୍ତ୍ତମାନ ଵୟସ (୧୩.୮ ବିଲିୟନ ଵର୍ଷ) ଏହା ପାଇଁ ଯଥେଷ୍ଟ ନୁହେଁ। ଶ୍ବେତ ଵାମନ ଶୀତଳ ହେଵାର ହାରକୁ ଗାଣିତିକ ଭାବେ ଗଣନା କରି ଵୈଜ୍ଞାନିକମାନେ ଅନୁମାନ କରନ୍ତି ଯେ ଏହା ଟ୍ରିଲିୟନ (୧୦^୧୨) ଵର୍ଷରେ ହେଵ। ଏହା ଭୌତିକ ନିୟମ ଓ ଥର୍ମୋଡାଇନାମିକ୍ସ ଉପରେ ଆଧାରିତ।

ତେବେ ଵୈଜ୍ଞାନିକମାନେ କେମିତି ଜାଣିଲେ ଯେ ସୂର୍ଯ୍ୟ G2V ଶ୍ରେଣୀର ତାରକା ? 

ବୈଜ୍ଞାନିକମାନେ ସୂର୍ଯ୍ୟଙ୍କର ସ୍ପେକ୍ଟ୍ରାଲ୍ ଵିଶ୍ଳେଷଣ ଓ ଷ୍ଟେଲାର ଶ୍ରେଣୀକରଣ ପ୍ରଣାଳୀ ଆଧାରରେ ସୂର୍ଯ୍ୟଙ୍କୁ G2V ତାରକା ଭାବେ ଶ୍ରେଣୀବଦ୍ଧ କରିଛନ୍ତି । ଵୈଜ୍ଞାନିକମାନେ ସୂର୍ଯ୍ୟଙ୍କ ଆଲୋକକୁ ସ୍ପେକ୍ଟ୍ରୋସ୍କୋପୀ ମାଧ୍ୟମରେ ଅଧ୍ୟୟନ କରିଥିଲେ। ଏହି ପ୍ରକ୍ରିୟାରେ ସୂର୍ଯ୍ୟରୁ ନିର୍ଗତ ଆଲୋକକୁ ତାହାର ରଙ୍ଗ ଅନୁଯାୟୀ ଵିଭକ୍ତ କରାଯାଇ ଏକ ସ୍ପେକ୍ଟ୍ରମ୍ ସୃଷ୍ଟି କରାଯାଏ। ସୂର୍ଯ୍ୟର ସ୍ପେକ୍ଟ୍ରମ୍‌ରେ ନିର୍ଦ୍ଦିଷ୍ଟ ଶୋଷଣ ରେଖା (absorption lines) ଦେଖାଯାଏ, ଯାହା ତାଙ୍କର ରାସାୟନିକ ଗଠନ ଓ ତାପମାତ୍ରା ସୂଚାଏ। ତାରକାଗୁଡ଼ିକୁ ସେଗୁଡ଼ିକର ତାପମାତ୍ରା ଓ ସ୍ପେକ୍ଟ୍ରାଲ୍ ଵୈଶିଷ୍ଟ୍ୟ ଆଧାରରେ O, B, A, F, G, K, M ଶ୍ରେଣୀରେ ବିଭକ୍ତ କରାଯାଏ । ସୂର୍ଯ୍ୟଙ୍କର ସ୍ପେକ୍ଟ୍ରମ୍‌କୁ ହାର୍ଵାର୍ଡ ଶ୍ରେଣୀକରଣ ପ୍ରଣାଳୀ ଅନୁଯାୟୀ ଅଧ୍ୟୟନ କରାଯାଇଥିଲା । ସୂର୍ଯ୍ୟଙ୍କର ପୃଷ୍ଠ ତାପମାତ୍ରା ପ୍ରାୟ 5,500 K (ଅର୍ଥାତ୍‌ 5,227°C) ହେଵାରୁ ସୂର୍ଯ୍ୟଙ୍କୁ G ଶ୍ରେଣୀରେ ରଖାଯାଇଛି । G ଶ୍ରେଣୀରେ ଆହୁରି ଉପ-ଶ୍ରେଣୀ ଅଛି (0-9), ଏଵଂ ସୂର୍ଯ୍ୟ G2 ଶ୍ରେଣୀରେ ରହିଛନ୍ତି, ଯାହା ସୂର୍ଯ୍ୟଙ୍କର ତାପମାତ୍ରା ଓ ସ୍ପେକ୍ଟ୍ରାଲ୍ ରେଖାଗୁଡ଼ିକ ଆଧାରରେ ନିର୍ଣ୍ଣୟ କରାଯାଇଛି । ସେହିପରି G2Vରେ ଥିଵା ‘V’ ସୂଚାଏ ଯେ ସୂର୍ଯ୍ୟ ଏକ ମୁଖ୍ୟ କ୍ରମ ତାରକା (main sequence star), ତାଙ୍କର ଶକ୍ତି ହାଇଡ୍ରୋଜେନ୍‌ର ନ୍ୟୁକ୍ଲିୟ ସଂମିଶ୍ରଣ (nuclear fusion) ମାଧ୍ୟମରେ ଉତ୍ପନ୍ନ ହୁଏ। ଏହା ସୂର୍ଯ୍ୟଙ୍କର ଆଲୋକମୟତା (luminosity) ଏବଂ ଆକାର ଆଧାରରେ ନିର୍ଦ୍ଧାରିତ ହୋଇଛି। ଅନ୍ୟ ତାରକାମାନଙ୍କର ସ୍ପେକ୍ଟ୍ରମ୍ ସହ ସୂର୍ଯ୍ୟର ସ୍ପେକ୍ଟ୍ରମ୍‌କୁ ତୁଳନା କରି ଵୈଜ୍ଞାନିକମାନେ ନିଶ୍ଚିତ କରିଥିଲେ ଯେ ସୂର୍ଯ୍ୟ G2V ଶ୍ରେଣୀର ତାରକା ।ଏହି ଶ୍ରେଣୀକରଣ ମୋର୍ଗାନ-କୀନାନ (MK) ସିଷ୍ଟମ୍‌ ଉପରେ ଆଧାରିତ, ଯାହା ତାରକାମାନଙ୍କର ତାପମାତ୍ରା ଓ ଆଲୋକମୟତା ଅନୁଯାୟୀ ସେମାନଙ୍କୁ ଶ୍ରେଣୀବଦ୍ଧ କରେ। ସୂର୍ଯ୍ୟଙ୍କର ସ୍ପେକ୍ଟ୍ରାଲ୍ ଵୈଶିଷ୍ଟ୍ୟ, ତାପମାତ୍ରା, ଓ ଆଲୋକମୟତା ସୂର୍ଯ୍ୟଙ୍କୁ G2V ତାରକା ଭାବେ ସ୍ଥିର କରିଛି।

ତେଣୁ ସୌରଜଗତର କାହାଣୀ ଏକ ମହାକାବ୍ୟ ପରି, ଯହିଁରେ ସୂର୍ଯ୍ୟ ମୁଖ୍ୟ ନାୟକ ଭାବେ ଆମ ସୌରମଣ୍ଡଳର ଜନ୍ମ, ବିକାଶ ଓ ଭବିଷ୍ୟତକୁ ପରିଚାଳନା କରୁଛନ୍ତି। ପ୍ରାୟ ୪.୬ ବିଲିୟନ ଵର୍ଷ ପୂର୍ଵେ ଏକ ନେବୁଲାରୁ ଜନ୍ମ ନେଇ ସୂର୍ଯ୍ୟ ଏକ G2V ଶ୍ରେଣୀର ମୁଖ୍ୟ କ୍ରମ ତାରକା ଭାବେ ସ୍ଥିରତା ଲାଭ କରିଛନ୍ତି, ଯାହା ପୃଥିଵୀରେ ଜୀଵନର ଵିକାଶ ପାଇଁ ଅନୁକୂଳ ପରିଵେଶ ସୃଷ୍ଟି କରିଛି। ଵୈଜ୍ଞାନିକମାନେ ସ୍ପେକ୍ଟ୍ରୋସ୍କୋପୀ, ଗାଣିତିକ ମଡେଲ ଓ ଅନ୍ୟ ତାରକାଙ୍କ ଅଧ୍ୟୟନ ମାଧ୍ୟମରେ ସୂର୍ଯ୍ୟର ଶ୍ରେଣୀକରଣ ଓ ଭଵିଷ୍ୟତ ଆକଳନ କରିଛନ୍ତି। ଆଗାମୀ ୫.୪ ବିଲିୟନ ଵର୍ଷ ମଧ୍ୟରେ ସୂର୍ଯ୍ୟ ମୁଖ୍ୟ କ୍ରମରେ ରହିବେ, କିନ୍ତୁ ତାଙ୍କର ବୃଦ୍ଧିପ୍ରାପ୍ତ ଉଜ୍ଜ୍ୱଳତା ପୃଥିଵୀରେ ଜୀଵନକୁ ଚ୍ୟାଲେଞ୍ଜ କରିଵ। ପରଵର୍ତ୍ତୀ ସମୟରେ ସୂର୍ଯ୍ୟ ଲାଲ ଦାନଵ, ପ୍ଲାନେଟାରୀ ନେବୁଲା, ଶ୍ୱେତ ଵାମନ, ଓ ଶେଷରେ କୃଷ୍ଣ ବାମନ ପର୍ଯ୍ୟାୟରେ ପହଞ୍ଚି ଏକ ଶୀତଳ, ଅନ୍ଧକାର ଅବସ୍ଥାରେ ସୌରଜଗତକୁ ଛାଡ଼ି ଦେବେ। ଏହି ମହାକାଶୀୟ ଯାତ୍ରା ଆମକୁ ବ୍ରହ୍ମାଣ୍ଡର ଅସ୍ଥିରତା ଓ ଅସୀମ ରହସ୍ୟ ସମ୍ବନ୍ଧରେ ଶିକ୍ଷା ଦେଇଥାଏ । ସେହିପରି ପୃଥିଵୀରେ ଜୀଵନର ମୂଲ୍ୟ ଓ ସଂରକ୍ଷଣର ଗୁରୁତ୍ୱକୁ ମଧ୍ୟ ଆମ ସୌରଜଗତର ଏହି କାହାଣୀ ମନେ ପକାଇ ଦେଇଥାଏ।


Friday, June 6, 2025

ଭାରତର ସିକନ୍ଦର : ଲଳିତାଦିତ୍ୟ ମୁକ୍ତପିଡ଼

ଲଳିତାଦିତ୍ୟ ମୁକ୍ତପିଡ଼ (Lalitaditya Muktapida) କାଶ୍ମୀରର କର୍କୋଟକ ବଂଶର ଜଣେ ପ୍ରସିଦ୍ଧ ହିନ୍ଦୁ ସମ୍ରାଟ ଥିଲେ, ଯାହାଙ୍କ ଶାସନକାଳ ପ୍ରାୟ ୭୨୪ ଖ୍ରୀଷ୍ଟାବ୍ଦରୁ ୭୬୧ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଵିସ୍ତାରିତ ଥିଲା। ସେ ଇତିହାସରେ ଜଣେ ଶକ୍ତିଶାଳୀ ଓ ସାହସୀ ଶାସକ ଭାବେ ପରିଚିତ, ଯିଏ କାଶ୍ମୀରକୁ ଏକ ଵିଶାଳ ସାମ୍ରାଜ୍ୟରେ ପରିଣତ କରିଥିଲେ ଏଵଂ ଆରବ ଓ ତୁର୍କ ଆକ୍ରମଣକାରୀଙ୍କୁ ପ୍ରତିହତ କରିଥିଲେ।


 ଲଳିତାଦିତ୍ୟ ଉତ୍ତର ଭାରତ,ଅଫଗାନିସ୍ତାନ, ମଧ୍ୟ ଏସିଆର କିଛି ଅଂଶ ଓ ତିବ୍ବତ ପର୍ଯ୍ୟନ୍ତ ଅଞ୍ଚଳରେ ନିଜ ସାମ୍ରାଜ୍ୟ ଵିସ୍ତାର କରିଥିଲେ। ସେ ସିନ୍ଧ ଓ ଆଖପାଖ ଅଞ୍ଚଳରେ ପ୍ରଭାବ ଵିସ୍ତାର କରିଥିଵା ଆରବ ଆକ୍ରମଣକାରୀଙ୍କୁ ସଫଳତାର ସହ ପ୍ରତିରୋଧ କରିଥିଲେ। ଏହି ସମୟରେ ଆରବ ଶକ୍ତି ଉମୟ୍ୟଦ ଖିଲାଫତ ଅଧୀନରେ ଥିଲା ଏଵଂ ଲଳିତାଦିତ୍ୟଙ୍କ ସାମରିକ କୌଶଳ ସେମାନଙ୍କୁ ସଫଳତାର ସହ ପ୍ରତିହତ କରିଥିଲା ।ଲଳିତାଦିତ୍ୟଙ୍କ ଶାସନକାଳକୁ କାଶ୍ମୀରର ସ୍ୱର୍ଣ୍ଣିମ ଯୁଗ ଭାବେ ଵିଵେଚିତ କରାଯାଏ ।‌ ସେ ଅନେକ ସାମରିକ ଅଭିଯାନରେ ଅପରାଜିତ ରହିଥିଲେ।

ଲଳିତାଦିତ୍ୟ କାଶ୍ମୀରର ପାରିଆଉଲି (ବର୍ତ୍ତମାନ ପାରିହାସପୁର)ଠାରେ ଏକ ନୂତନ ରାଜଧାନୀ ନିର୍ମାଣ କରିଥିଲେ। ସେ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ, ଯାହା ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଥିଲା ଏଵଂ ଏହାର ଭଗ୍ନାଵଶେଷ ଆଜି ମଧ୍ୟ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଦେଖାଯାଏ। ଏହି ମନ୍ଦିର ସ୍ଥାପତ୍ୟ ଓ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଶିଳ୍ପ, ସ୍ଥାପତ୍ୟ ଓ ଧର୍ମର ପ୍ରସାର ପାଇଁ ଅନେକ ଅଵଦାନ ଦେଇଥିଲେ।

ଲଳିତାଦିତ୍ୟଙ୍କ ଵିଷୟରେ ସଵିଶେଷ ତଥ୍ୟ ରାଜତରଙ୍ଗିଣୀରେ ମିଳେ ଏଵଂ ଏହା କଲ୍ହଣଙ୍କ ଦ୍ୱାରା ଲିଖିତ ଏକ ଐତିହାସିକ ଗ୍ରନ୍ଥ। ଆରବ,ପାରସ୍ୟ ଓ ଚୀନଦେଶର ପ୍ରାଚୀନ ଗ୍ରନ୍ଥରେ ବି ଏହାଙ୍କ ନାମୋଲ୍ଲେଖ ରହିଛି । କୁହାଯାଏ ଯେ ଲଳିତାଦିତ୍ୟ କେଵଳ ସାମରିକ ଵିଜେତା ନ ଥିଲେ ବରଂ ସେ ଏକ ଦକ୍ଷ ପ୍ରଶାସକ ମଧ୍ୟ ଥିଲେ, ଯିଏ ନିଜ ସାମ୍ରାଜ୍ୟକୁ ସ୍ଥିରତା ଓ ସମୃଦ୍ଧି ଦେଇଥିଲେ।

ଲଳିତାଦିତ୍ୟଙ୍କୁ ଅନେକ ଐତିହାସିକ ଓ ଗଵେଷକ "ଭାରତର ସିକନ୍ଦର" ଭାବେ ଅଭିହିତ କରିଛନ୍ତି, କାରଣ ସେ କେବେ ଯୁଦ୍ଧରେ ହାରି ନ ଥିଲେ ଏଵଂ ତାଙ୍କ ସାମ୍ରାଜ୍ୟ ଵିସ୍ତାର ଅତ୍ୟନ୍ତ ପ୍ରଭାଵଶାଳୀ ଥିଲା।
 ତାଙ୍କ ସମୟରେ କାଶ୍ମୀର ଏକ ଶକ୍ତିଶାଳୀ ଆର୍ଥିକ ଓ ସାଂସ୍କୃତିକ କେନ୍ଦ୍ର ଭାବେ ଉଭା ହୋଇଥିଲା।

ଦୁର୍ଭାଗ୍ୟଵଶତଃ, ଆଧୁନିକ ଇତିହାସ ଶିକ୍ଷାରେ ଲଳିତାଦିତ୍ୟଙ୍କ ଵିଷୟରେ ଅଧିକ ଆଲୋଚନା କରାଯାଇ ନାହିଁ, ଯାହା କାରଣରୁ ଅନେକ ଲୋକ ତାଙ୍କ ଅଵଦାନ ବିଷୟରେ ଅଜଣା ଅଛନ୍ତି। ତଥାପି, ସେ ଭାରତୀୟ ଇତିହାସରେ ଜଣେ ମହାନାୟକ ଭାବେ ସ୍ମରଣୀୟ।

Thursday, June 5, 2025

•ଗୋଟିଏ ଅବୋଲକରା ବେଙ୍ଗର କାହାଣୀ•

ଅତି ପ୍ରାଚୀନ କାଳରେ ଏକ ସାଗୁଆ ରଙ୍ଗର ବେଙ୍ଗ ଥିଲା, ଯିଏ ଜନ୍ମରୁ ଅବୋଲକରା ଥିଲା ଏଵଂ କେବେ ହେଲେ ତା’ର ମାଆର ବୋଲ ମାନୁ ନଥିଲା। ଯେତେବେଳେ ତା’ର ମାଆ ତାକୁ ଡେଇଁଵାକୁ କହୁଥିଲା, ସେ କାଦୁଅ ଭିତରେ ନିଜକୁ ଦୃଢ଼ ଭାବେ ଅଟକାଇ ଦେଇ ଡେଇଁଵାକୁ ମନା କରିଦେଉଥିଲା। ପୁଣି ଯେତେବେଳେ ତା’ର ମାଆ ତାକୁ "ଚୁପ୍ ରହ" ବୋଲି କହୁଥିଲା, ସେ ବାରମ୍ବାର ଯଥାସମ୍ଭବ ଉଚ୍ଚକୁ ଡିଆଁ ମାରୁଥିଲା। ଏହି ଦୁଷ୍ଟାମି ତା’ର ବାଲ୍ୟକାଳ ସାରା ଚାଲିଥିଲା ଓ ଯୌଵନ ଵୟସରେ ମଧ୍ୟ ଜାରି ରହିଲା, ଯାହା ତା’ର ଦୁଃଖୀ ମାଆକୁ ବହୁତ ହଇରାଣ କରୁଥିଲା। ଶେଷରେ, ମାଆ ବେଙ୍ଗ ତା’ର ଏହି ଅବୋଲକରା ପୁଅକୁ ସୁଧାରିଵାର ଚେଷ୍ଟା ଛାଡ଼ି ଦେଇଥିଲା।ତା’ର ଏହି ଅଵାଧ୍ୟ ସ୍ଵଭାଵ ମାଆ ବେଙ୍ଗ ପାଇଁ ମୁଣ୍ଡଵ୍ୟଥାର‌ କାରଣ ହୋଇଗଲା । ମାଆ ବେଙ୍ଗ ବୃଦ୍ଧା ହୋଇଯାଇଥିଲା ଆଉ ତା’ର ପୁଅ ବେଙ୍ଗ ତଥାପି ନିଜ ଅବୋଲକରା ଆଚରଣ ସୁଧାରି ନଥିଲା। ପୁଅ ବେଙ୍ଗଟା ଭେଣ୍ଡିଆ ହୋଇଗଲା ତଥାପି ମାଆ ବେଙ୍ଗ କଥା ଶୁଣୁନଥାଏ ,ଦକ୍ଷିଣକୁ ଯିଵାକୁ କୁହାଗଲେ ଉତ୍ତରକୁ ଯାଉଥାଏ ଆଉ ଜାଗି ରହିଵାକୁ କୁହାଗଲେ ଶୋଇ ପଡ଼ୁଥାଏ । ମାଆ ବେଙ୍ଗ କାନ୍ଦି କାନ୍ଦି କହୁଥିଲା, "କେଵଳ ଗୋଟିଏ ଥର ପାଇଁ ମୋ ପୁଅ ମୋ କଥା ମାନନ୍ତା ଭଲା !" । ପୁଅ ବେଙ୍ଗର ଏହି ଦୁଷ୍ଟାମି ମାଆ ବେଙ୍ଗକୁ ଵିଶେଷ ଭାବେ ଦୁଃଖୀ କରୁଥିଲା, କାରଣ ସେ ତା’ର ଜୀଵନର ଶେଷ ଦିନଗୁଡ଼ିକ ଆଡ଼କୁ ଅଗ୍ରସର ହେଉଥିଲା। 

ପୁଅ ବେଙ୍ଗ ସ୍ଵଭାଵତଃ ଦୁଷ୍ଟ ନଥିଲା; ସେ କେଵଳ ଯାହା କରିଵାକୁ କୁହାଯାଉଥିଲା, ତା’ର ଠିକ୍ ଉଲଟା କରିଵାରେ ଆନନ୍ଦ ପାଉଥିଲା।କିନ୍ତୁ, ଯେତେବେଳେ ଏହି ଦୁଷ୍ଟ ବେଙ୍ଗ ତା’ର ମାଆକୁ ମରିଯିବାର ଦେଖିଲା, ସେ ହଠାତ୍ ଜୀଵନସାରା ମାଆ କଥା ମାନି ନଥିଵା କଥା ମନେ ପକାଇ ପଶ୍ଚାତାପ କରିଵାକୁ ଲାଗିଲା। 

ମାଆ ବେଙ୍ଗ ମରିଵା ପୂର୍ଵରୁ ପୁଅବେଙ୍ଗକୁ କହିଲା ମୁଁ ମରିଗଲେ "ମୋତେ ନଦୀକୂଳ ପାଖରେ ପୋତି ଦେବୁ ।" ପ୍ରକୃତରେ, ମାଆ ବେଙ୍ଗ ପାହାଡ଼ରେ ପୋତା ପାଇଵାକୁ ଚାହୁଁଥିଲା, କିନ୍ତୁ ଯେହେତୁ ପୁଅ ବେଙ୍ଗ ସବୁବେଳେ ଉଲଟା କାମ କରେ ତେଣୁ ମାଆ ବେଙ୍ଗ ଓଲଟା କଥା କହିଥିଲା । ଦୁର୍ଭାଗ୍ୟବଶତଃ, ମାଆର ଶେଷ କଥା ଶୁଣି ଏହି ଦୁଷ୍ଟ ବେଙ୍ଗର ମନ ବଦଳିଗଲା। ଏକ ପରିପକ୍ୱ ବେଙ୍ଗ ପରି ଆଚରଣ କରିଵାର ସମୟ ଆସିଛି ବୋଲି ସେ ଵିଚାର କଲା । 
ନିଜକୁ ଏକ ଭଲ ପୁଅ ଭାବି, ସେ ତା’ର ମାଆକୁ ନଦୀକୂଳ ପାଖରେ କବର ଦେଲା । ଅଵଶ୍ୟ ନଦୀକୂଳରେ ପୋତିଵାକୁ କାର୍ଯ୍ୟକୁ ସେ ଏକ ମୂର୍ଖାଣ୍ଡିଆ କାମ ମନେ କରୁଥିଲା କାରଣ ଵର୍ଷା ହେଲେ ପ୍ରଵଳ ସ୍ରୋତ ତା’ର ମାଆର ଶଵକୁ ଭସାଇ ନେଇଯାଇପାରେ।


କିନ୍ତୁ ମାଆବେଙ୍ଗର ଶେଷ ଇଚ୍ଛା, ଅତି କମରେ ମାନିଵା ଉଚିତ ଵିଚାର କରି ଅବୋଲକରା ପୁଅବେଙ୍ଗଟା ନଦୀକୂଳରେ ତା ମାଆର ଶଵକୁ ପୋତି ଦେଲା । ତେବେ ମାଆ ବେଙ୍ଗକୁ ନଦୀକୂଳରେ ପୋତି ଦେଵା ପରେ ଅବୋଲକରା ବେଙ୍ଗର ଚିନ୍ତା ବଢ଼ିଗଲା । ସେ ଭାବିଲା ଵର୍ଷା ହେଲେ କାଳେ ପ୍ରଵଳ ସ୍ରୋତ ତା’ର ମାଆକୁ ଭସାଇ ନେଵ। ତେଣୁ, ଯେତେବେଳେ ପୁଅବେଙ୍ଗ ଵର୍ଷା ହେଵାର ସଙ୍କେତ ପାଉଥିଲା, ସେ କାନ୍ଦିଵାକୁ ଲାଗୁଥିଲା, ପ୍ରାର୍ଥନା କରୁଥିଲା ଯେ ସ୍ରୋତ ତା’ର ମାଆକୁ ଭସାଇ ନ ନେଇଯାଉ। କାଳକ୍ରମେ ଏହା ଏକ ପରମ୍ପରାରେ ପରିଣତ ହେଲା । ପୁଅବେଙ୍ଗର ପରିଵାର ଜାତି ଭାଇ ସାଈ ପଡ଼ିଶା ସମସ୍ତେ ସେମିତି କଲେ ଆଉ ଆଜି ପର୍ଯ୍ୟନ୍ତ ଵର୍ଷା ହେଲେ ବେଙ୍ଗମାନେ ସେଇମିତି ବୋବାଉଛନ୍ତି । 

•••••••••••••••••••••••••••
ପ୍ରାଚୀନ କାଳରେ ଯେତେବେଳେ ବେଙ୍ଗ କାହିଁକି ବୋବାଉଛନ୍ତି ବୋଲି ଚୀନ ଓ କୋରିଆରେ ପିଲାଏ ତାଙ୍କ ମାଆ, ଜେଜେମାଆ ଓ ଆଈମାଆଙ୍କୁ ପଚାରୁଥିଲେ ସେତେବେଳେ ସେମାନେ ଅବୋଲକରା ବେଙ୍ଗ ଓ ଵର୍ଷା ସମ୍ବନ୍ଧୀୟ ଏହି ଲୋକକଥା ଦ୍ଵାରା ତହିଁର ଉତ୍ତର ଦେଉଥିଲେ । ମୂଳତଃ ଏହି କାହାଣୀଟି ଚୀନଦେଶୀୟ ତେବେ ପରେ ଏହା କୋରିଆରେ ଅଧିକ ଲୋକପ୍ରିୟ ହୋଇଥିଲା । 

 ତେବେ ଵର୍ଷାକାଳରେ ବେଙ୍ଗମାନଙ୍କର ବୋବାଇଵା ପଛରେ ଥିଵା ଵୈଜ୍ଞାନିକ କାରଣ ଭିନ୍ନ। ବେଙ୍ଗମାନେ ଵର୍ଷାକାଳରେ ବୋବାଇଥାଆନ୍ତି କାରଣ ଏହା ସେମାନଙ୍କ ପାଇଁ ଏକ ଆଦର୍ଶ ସମୟ। ଵୈଜ୍ଞାନିକ ଦୃଷ୍ଟିରୁ, ବେଙ୍ଗ ଓ ପାଣିବେଙ୍ଗ ଆର୍ଦ୍ରତା ପସନ୍ଦ କରନ୍ତି। ଵର୍ଷା ସମୟରେ ଆର୍ଦ୍ର ପରିଵେଶ ସେମାନଙ୍କ ଚର୍ମକୁ ଆଦ୍ର କରିଦିଏ, ଯାହା ସେମାନଙ୍କ ଶ୍ୱାସକ୍ରିୟା ଓ ବଞ୍ଚିଵା ପାଇଁ ଜରୁରୀ, କାରଣ ସେମାନେ ଚର୍ମ ମାଧ୍ୟମରେ ଅମ୍ଳଜାନ ଗ୍ରହଣ କରନ୍ତି। ଵର୍ଷା ଯୋଗୁଁ ପରିଵେଶର ଆର୍ଦ୍ର ଅଵସ୍ଥା ସେମାନଙ୍କୁ ବାହାରକୁ ଆସି ଖେଳିଵା ଓ ପ୍ରଜନନର ସୁଯୋଗ ଦେଇଥାଏ। ଵର୍ଷା ସମୟରେ ଜଳାଶୟ ଓ ଆର୍ଦ୍ର ସ୍ଥାନଗୁଡ଼ିକ ବେଙ୍ଗମାନଙ୍କ ପାଇଁ ଅଣ୍ଡା ଦେଵା ଓ ପ୍ରଜନନ ପାଇଁ ଉପଯୁକ୍ତ ହୋଇଥାଏ। ତେଣୁ, ଯେତେବେଳେ ଵର୍ଷା ହୁଏ, ବେଙ୍ଗମାନେ ବୋବାଇଥାଆନ୍ତି ଯାହା ସଙ୍ଗମ ପାଇଁ ଡାକ ଵା ଆନନ୍ଦ ପ୍ରକାଶ କରିଵା ପାଇଁ ଉଦ୍ଧିଷ୍ଟ ହୋଇଥାଏ ।

(ଛୋଟବେଳେ ମୁଁ ବେଙ୍ଗ କାହିଁକି ବୋବାଉଛନ୍ତି ପଚାରିଲେ ମାଆ ଆଉ ଗୋଟିଏ କାହାଣୀ କହୁଥିଲା କିନ୍ତୁ ସେ କାହାଣୀଟି ମନେ ପଡ଼ୁନାହିଁ । ସେଇ କାହାଣୀକୁ ଖୋଜୁ ଖୋଜୁ ଏଇ କାହାଣୀଟା ମିଳିଲା 😂🙏)

Monday, June 2, 2025

•ସ୍ଵାଧୀନତା ପରଵର୍ତ୍ତୀ ଭାରତର ଅର୍ଥନୈତିକ ଓ ସାମାଜିକ ଯାତ୍ରା•

ଇଂରେଜମାନେ ଗଲାବେଳେ ଭାରତକୁ ପୂରା କାଙ୍ଗାଳ କରି ଛାଡ଼ି ଯାଇଥିଲେ । ପ୍ରଖ୍ୟାତ ଅର୍ଥନୀତିଜ୍ଞ ଉତ୍ସା ପଟ୍ଟନାୟକ (Utsa Patnaik) ଙ୍କ ଗଵେଷଣା ଅନୁସାରେ, ୧୭୬୫ ରୁ ୧୯୩୮ ମଧ୍ୟରେ ଇଂରେଜମାନେ ଭାରତରୁ ପ୍ରାୟ ୪୫ ଟ୍ରିଲିୟନ ଡଲାର (ଆଜିର ମୂଲ୍ୟରେ) ଲୁଟି ନେଇଥିଲେ। ଏହି ଅଙ୍କ ବ୍ରିଟେନର ଵର୍ତ୍ତମାନର ବାର୍ଷିକ GDP ର ପ୍ରାୟ ୧୫-୧୭ ଗୁଣ ଅଟେ। ଏ ଟଙ୍କା ଏତେ ଅଧିକ ଯେ ଲଣ୍ଡନକୁ ଚାରିଥର ପଚାଶ ପାଉଣ୍ଡ ନୋଟରେ ଆଚ୍ଛାଦିତ କରାଯାଇପାରେ। 

ଅଵଶ୍ୟ କେତେକ ଇତିହାସବିଦ୍, ଯେପରିକି ନିଆଲ୍ ଫର୍ଗୁସନ୍, ଦାବି କରନ୍ତି ଯେ ବ୍ରିଟିଶ ଶାସନ ଭାରତକୁ କିଛି ଵିକାଶରେ ସାହାଯ୍ୟ କରିଥିଲା (ଯେପରିକି ରେଳବାଇ ଓ ଶିକ୍ଷା)। କିନ୍ତୁ ଉତ୍ସା ପଟ୍ଟନାୟକ ଓ ଅନ୍ୟମାନେ ଏହାକୁ ଖଣ୍ଡନ କରି କହିଛନ୍ତି ଯେ ଏହି ବିକାଶ ମୁଖ୍ୟତଃ ବ୍ରିଟିଶ ସ୍ୱାର୍ଥ ପାଇଁ ଥିଲା, ଏବଂ ଭାରତୀୟମାନଙ୍କ ପାଇଁ ଏହାର ଲାଭ ନଗଣ୍ୟ ଥିଲା। ଯୋଉମାନେ ଇଂରେଜମାନଙ୍କ ସପକ୍ଷରେ କୁହନ୍ତି ସେମାନେ ୧୦୦୦ ଵର୍ଷ ପୂର୍ଵର ଭାରତ ଓ ୧୦୦ ଵର୍ଷ ତଳର ଭାରତର ଅଵସ୍ଥା ସମ୍ବନ୍ଧରେ ଅଧ୍ୟୟନ କରିଵା ଆଵଶ୍ୟକ ।‌ ତେବେ ଏତେ ପଛକୁ ନଯାଇ 
ଇଂରେଜମାନଙ୍କ ଶାସନ ପୂର୍ଵ ସମୟର ଭାରତୀୟ ଅର୍ଥନୈତିକ ସ୍ଥିତିକୁ ଵିଚାର କରି ଦେଖିଲେ ବି ସେମାନଙ୍କର ଆଖି ଖୋଲିଯିଵ । ଇଂରେଜମାନଙ୍କ ଭାରତ ଅଧିକାର ପୂର୍ଵରୁ ଅର୍ଥାତ୍ ୧୭୫୭ ମସିହା ପୂର୍ଵରୁ, ଭାରତ ଅର୍ଥନୀତି କ୍ଷେତ୍ରରେ ଵିଶ୍ୱର ସବୁଠାରୁ ଵୃହତ ଅର୍ଥନୀତି ଥିଲା ।‌ ଵିଶ୍ଵରେ ଭାରତ ସବୁଠାରୁ ସମୃଦ୍ଧ ଦେଶ ଭାବେ ପ୍ରଥମ ସ୍ଥାନରେ ଥିଲା। ଅର୍ଥନୀତିଜ୍ଞ ଆଙ୍ଗସ୍ ମାଡିସନ୍ (Angus Maddison) ଙ୍କ ଗଵେଷଣା ଅନୁସାରେ, ୧୭୦୦ ମସିହାରେ ଭାରତର ଅର୍ଥନୀତି ଵିଶ୍ୱର ମୋଟ GDPର ୨୪.୪% ଥିଲା, ଯାହା ଚୀନ (୨୨.୩%) ଓ ପଶ୍ଚିମ ଇଉରୋପର ସମସ୍ତ ଅର୍ଥନୀତିକୁ ମିଶାଇ ଅପେକ୍ଷା ଅଧିକ ଥିଲା। କିନ୍ତୁ ଇଂରେଜମାନଙ୍କ ଆଗମନ ପରେ ପରେ ଭାରତ ପୃଥିଵୀର ଏକ ଦରିଦ୍ର ଦେଶରେ ପରିଣତ ହୋଇଥିଲା । ଉଦାହରଣ ସ୍ଵରୂପ ଭାରତର ପ୍ରତି ଵ୍ୟକ୍ତି ଆୟ ୧୯୦୦ରୁ ୧୯୪୬ ମଧ୍ୟରେ ପ୍ରାୟ ସ୍ଥିର ରହିଥିଲା (୧୯୦୦ରେ ୧୯୬.୧ ଟଙ୍କା ଥିଵା ବେଳେ ୧୯୪୬ରେ ୨୦୧.୯ ଟଙ୍କା)। ୧୭୫୦ରେ ଭାରତ ଵିଶ୍ୱର ୨୫% ଶିଳ୍ପ ଉତ୍ପାଦନ କରୁଥିଲା, କିନ୍ତୁ ୧୯୦୦ ବେଳକୁ ଏହା ୨% କୁ ହ୍ରାସ ପାଇଥିଲା, ଯାହା ବ୍ରିଟିଶ ସୁରକ୍ଷାବାଦୀ ନୀତି (protectionist policies) ଯୋଗୁଁ ହୋଇଥିଲା। ଇଂରେଜମାନଙ୍କର ଉଚ୍ଚ କର, ଖାଦ୍ୟ ରପ୍ତାନି, ଓ ଅନାଵଶ୍ୟକ ଋଣ ଯୋଗୁଁ ଭାରତରେ ଦୁର୍ଭିକ୍ଷ ଓ ଦାରିଦ୍ର୍ୟ ବୃଦ୍ଧି ପାଇଥିଲା। ୧୯୧୧ରେ ଭାରତୀୟଙ୍କର ଜୀଵନ ଆୟୁ ମାତ୍ର ୨୨ ଵର୍ଷ ଥିଲା। ତେବେ ଇଂରେଜମାନେ ଭାରତକୁ ଆଖୁ ଚିପୁଡ଼ିଲା ଭଳି ଚିପୁଡ଼ି ଦେଇ ଗଲାପରେ ଏ ଦେଶ ସେବେଠାରୁ ଆଜି ପର୍ଯ୍ୟନ୍ତ ଅନେକ ଉନ୍ନତି କରିଛି । ଏମିତି ଶହେଟିରୁ ଅଧିକ କ୍ଷେତ୍ରରେ ଭାରତ ଶୀର୍ଘ ୫ ସ୍ଥାନରେ ରହିଛି ତେବେ ସେ ସମସ୍ତ ଵିଷୟକୁ ଏଠାରେ ଏକାବେଳକେ ଉଲ୍ଲେଖ କରିଵା କଷ୍ଟକର । ତଥାପି ଭାରତର କେତେକ ମୁଖ୍ୟ ମୁଖ୍ୟ ଉପଲବ୍ଧି ଵିଷୟରେ ନିମ୍ନରେ ଉଲ୍ଲେଖ କରାଗଲା । 


ଭାରତ ଏବେ ଵିଶ୍ୱର ଚତୁର୍ଥ ଵୃହତ୍ତମ ଅର୍ଥନୀତି । ଆମେରିକା, ଚୀନ୍, ଜାପାନ, ଓ ଜର୍ମାନୀ ପରେ ଭାରତ ଚତୁର୍ଥ । IMF ଏବଂ ଵିଶ୍ୱ ବ୍ୟାଙ୍କର ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ ଭାରତର GDP ପ୍ରାୟ $୩.୯ ଟ୍ରିଲିୟନ୍ ଅଟେ।

ଭାରତ ଵିଶ୍ୱରେ ସର୍ଵାଧିକ ଦୁଗ୍ଧ ଉତ୍ପାଦକ (ର‍୍ୟାଙ୍କ ୧)। FAO ତଥ୍ୟ ଅନୁଯାୟୀ, ଭାରତ ପ୍ରାୟ ୨୨% ଵିଶ୍ୱ ଦୁଗ୍ଧ ଉତ୍ପାଦନ କରେ, ଯାହା ଅମୁଲ ଓ ଶ୍ୱେତ ବିପ୍ଲବ ଦ୍ୱାରା ସମ୍ଭଵ ହୋଇଛି।

ଭାରତ ଵିଶ୍ୱରେ IT ଓ ସଫ୍ଟୱେର ସେବା ରପ୍ତାନିରେ ଶୀର୍ଷ ସ୍ଥାନରେ (ର‍୍ୟାଙ୍କ ୧ କିମ୍ବା ୨)। NASSCOM ଅନୁଯାୟୀ, ଭାରତୀୟ IT ଶିଳ୍ପର ରପ୍ତାନି ମୂଲ୍ୟ $୧୯୦ ବିଲିୟନ୍‌ରୁ ଅଧିକ (୨୦୨୪)।

ଭାରତ ଵିଶ୍ୱରେ ଜେନେରିକ୍ ଔଷଧ ଉତ୍ପାଦନରେ ତୃତୀୟ ଵୃହତ୍ତମ (ର‍୍ୟାଙ୍କ ୩) ଏଵଂ ପରିମାଣ ଅନୁଯାୟୀ ପ୍ରଥମ ଦେଶ ଅଟେ । ଏହା "ଵିଶ୍ୱର ଫାର୍ମାସି" ଭାବେ ପରିଚିତ, ଯାହା ଵିଶ୍ୱକୁ ୬୦% ଟୀକା ଯୋଗାଇଥାଏ।

ଭାରତ ଧାନ ଉତ୍ପାଦନରେ ଵିଶ୍ୱରେ ଦ୍ୱିତୀୟ (ଚୀନ୍ ପରେ) ଏଵଂ ଗହମ ଉତ୍ପାଦନରେ ମଧ୍ୟ ଦ୍ୱିତୀୟ। ଏହା ଵିଶ୍ୱରେ ଅନ୍ୟତମ ପନିପରିବା ଓ ଫଳ ଉତ୍ପାଦକ (FAO ତଥ୍ୟ) ଦେଶ।

ଇସ୍ରୋ (ISRO) ବିଶ୍ୱରେ ଅନ୍ୟତମ ଶୀର୍ଷ ୫ଟି ଅନ୍ତରୀକ୍ଷ ସଂସ୍ଥା ମଧ୍ୟରେ ସ୍ଥାନ ପାଇଛି। ମଙ୍ଗଳଯାନ ଓ ଚନ୍ଦ୍ରଯାନ-୩ ଭଳି ମିଶନ ଭାରତକୁ ଅନ୍ତରୀକ୍ଷ ଗଵେଷଣାରେ ଚତୁର୍ଥ କିମ୍ବା ପଞ୍ଚମ ସ୍ଥାନରେ ରଖିଛି।

ଵିଶ୍ୱର ଦ୍ୱିତୀୟ ସର୍ଵଧିକ ଇଣ୍ଟରନେଟ ଵ୍ୟଵହାରକାରୀ (୮୦୦ ମିଲିୟନ୍‌ରୁ ଅଧିକ) ଏଵଂ ମୋବାଇଲ ଫୋନ୍ ଵ୍ୟଵହାରକାରୀ ଭାରତରେ ରହିଛନ୍ତି, ଯାହା ଡିଜିଟାଲ ଅଵସଂସ୍ଥାନରେ ଭାରତର ଉନ୍ନତି ଓ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଦର୍ଶାଏ ।‌

ଭାରତ ଵିଶ୍ୱରେ ନଵୀକରଣୀୟ ଶକ୍ତି ଉତ୍ପାଦନରେ (ବିଶେଷତଃ ସୌର ଓ ପଵନ ଶକ୍ତି) ଚତୁର୍ଥ ସ୍ଥାନରେ ରହିଛି। ୨୦୨୪ ସୁଦ୍ଧା ଭାରତର ସୌର ଶକ୍ତି କ୍ଷମତା ୮୫ GW ଅତିକ୍ରମ କରିଛି ଏଵଂ ମୋଟ ନଵୀକରଣୀୟ ଶକ୍ତି କ୍ଷମତା ୧୪୦ GWରୁ ଅଧିକ ।

ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ସ୍ମାର୍ଟଫୋନ ଉତ୍ପାଦକ ଦେଶ (ଚୀନ୍ ପରେ) ଅଟେ। "ମେକ୍ ଇନ୍ ଇଣ୍ଡିଆ" କାର୍ଯ୍ୟକ୍ରମ ଅଧୀନରେ ସାମସଙ୍ଗ, ଶାଓମି, ଓ ଆପଲ୍ ଭଳି କମ୍ପାନୀ ଭାରତରେ ଵୃହତ୍ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଛନ୍ତି। ୨୦୨୪ରେ ଭାରତ ପ୍ରାୟ ୩୩୦ ମିଲିୟନ୍ ସ୍ମାର୍ଟଫୋନ ଉତ୍ପାଦନ କରିଛି।

ଭାରତର ସ୍ଟାର୍ଟଅପ୍ ଇକୋସିଷ୍ଟମ ଵିଶ୍ୱରେ ତୃତୀୟ ଵୃହତ୍ତମ (ଆମେରିକା ଓ ଚୀନ୍ ପରେ)। ୨୦୨୫ ସୁଦ୍ଧା ଭାରତରେ ୧୦୦,୦୦୦ରୁ ଅଧିକ ସ୍ଟାର୍ଟଅପ୍ ଏବଂ ୧୦୦ରୁ ଅଧିକ Unicorn (ମୂଲ୍ୟ $୧ ବିଲିୟନ୍‌ରୁ ଅଧିକ) ରହିଛି, ଯେମିତି Byju’s, Paytm, ଓ Zomato ଇତ୍ୟାଦି ।‌

ଭାରତ ବିଶ୍ୱରେ ପଞ୍ଚମ ବୃହତ୍ତମ ପ୍ରତିରକ୍ଷା ବଜେଟ ଥିଵା ଦେଶ ଅଟେ (SIPRI ତଥ୍ୟ, ୨୦୨୪)। ଏହା ବ୍ରହ୍ମୋସ କ୍ଷେପଣାସ୍ତ୍ର, ତେଜସ ଯୁଦ୍ଧବିମାନ, ଆକାଶ ମିସାଇଲ ସିଷ୍ଟମ୍ ଓ ଅଗ୍ନି ଶ୍ରେଣୀର ବାଲିଷ୍ଟିକ୍ ମିସାଇଲ୍ ଭଳି ସ୍ୱଦେଶୀ ପ୍ରଯୁକ୍ତିରେ ଅଗ୍ରଣୀ।

ଭାରତ ଵିଶ୍ୱରେ ସର୍ଵାଧିକ ଚଳଚ୍ଚିତ୍ର ଉତ୍ପାଦନ କରୁଥିଵା ଦେଶ (ର‍୍ୟାଙ୍କ ୧)। ବଲିଉଡ୍, ଟଲିଉଡ୍, ଓ ଅନ୍ୟ ଆଞ୍ଚଳିକ ଚଳଚ୍ଚିତ୍ର ଶିଳ୍ପ ମିଳିତ ଭାବେ ଵର୍ଷକୁ ୧,୫୦୦-୨,୦୦୦ ଚଳଚ୍ଚିତ୍ର ନିର୍ମାଣ କରେ, ଯାହା ହଲିଉଡ୍ ଓ ଅନ୍ୟ ଶିଳ୍ପଠାରୁ ଅଧିକ।

ଭାରତ ଵିଶ୍ୱରେ ସର୍ଵାଧିକ ମସଲା ଉତ୍ପାଦକ ଓ ରପ୍ତାନିକାରୀ (ର‍୍ୟାଙ୍କ ୧)। ଏହା ଵିଶ୍ୱ ମସଲା ବଜାରର ପ୍ରାୟ ୭୦% ଯୋଗାଇଥାଏ, ଯେଉଁଥିରେ ହଳଦୀ, ମରିଚ, ଓ ଅଳେଇଚ ଇତ୍ୟାଦି ପ୍ରମୁଖ।

ଭାରତ ବିଶ୍ୱରେ ପ୍ରଥମ ପାଞ୍ଚଟି ସ୍ଥାନ (ର‍୍ୟାଙ୍କ ୧ରୁ ୫) ମଧ୍ୟରେ ଥିବା ଅନ୍ୟ କିଛି ଉଲ୍ଲେଖନୀୟ କ୍ଷେତ୍ର ନିମ୍ନଲିଖିତ ଅଟେ (ପୂର୍ବରୁ ଉଲ୍ଲେଖିତ କ୍ଷେତ୍ରଗୁଡ଼ିକ ବ୍ୟତୀତ):

ଭାରତ ଵିଶ୍ୱରେ ଟେକ୍ସଟାଇଲ୍ ଓ ପୋଷାକ ରପ୍ତାନିରେ ଚତୁର୍ଥ ଵୃହତ୍ତମ ଦେଶ। ୨୦୨୪ ସୁଦ୍ଧା, ଭାରତର ଟେକ୍ସଟାଇଲ୍ ରପ୍ତାନି ମୂଲ୍ୟ ପ୍ରାୟ $୪୦ ବିଲିୟନ୍, ଯେଉଁଥିରେ ତୁଳା, ଓ ହସ୍ତଶିଳ୍ପ ପୋଷାକ ପ୍ରମୁଖ (ଭାରତ ସରକାରର ଟେକ୍ସଟାଇଲ୍ ମନ୍ତ୍ରଣାଳୟ ତଥ୍ୟ)।

ଭାରତ ଵିଶ୍ୱରେ ଚତୁର୍ଥ ବୃହତ୍ତମ ଅଟୋମୋବାଇଲ ଉତ୍ପାଦକ (ଯାତ୍ରୀବାହୀ ଗାଡ଼ି ଓ ଦୁଇଚକିଆ ସହିତ)। ଭାରତ ଦୁଇଚକିଆ ଗାଡ଼ି ଉତ୍ପାଦନ କ୍ଷେତ୍ରରେ ଵିଶ୍ୱରେ ଦ୍ୱିତୀୟ (ଚୀନ୍ ପରେ), ଯେଉଁଥିରେ ବାର୍ଷିକ ୨୨-୨୫ ମିଲିୟନ୍ ଗାଡ଼ି ଉତ୍ପାଦନ ହୁଏ (SIAM ତଥ୍ୟ, ୨୦୨୪)।

ଭାରତ ଵିଶ୍ୱରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପଞ୍ଚମ ସ୍ଥାନରେ ରହିଛି। ଏହା ମସଲା, ଶସ୍ୟ, ଓ ପ୍ରକ୍ରିୟାକୃତ ଖାଦ୍ୟ (ଯେମିତି ଫଳ ରସ ଓ ପ୍ୟାକେଜ୍‌ଡ୍ ଖାଦ୍ୟ) ରପ୍ତାନିରେ ଅଗ୍ରଣୀ, ଯାହାର ବଜାର ମୂଲ୍ୟ $୫୦ ବିଲିୟନ୍‌ରୁ ଅଧିକ (APEDA ତଥ୍ୟ)।

 ଭାରତ ଵିଶ୍ୱରେ ତୃତୀୟ ବୃହତ୍ତମ ପେଟ୍ରୋଲିୟମ ରିଫାଇନିଂ କ୍ଷମତା ଥିଵା ଦେଶ। ରିଲାଏନ୍ସ ଜାମନଗର ରିଫାଇନାରୀ ଵିଶ୍ୱରେ ସର୍ଵଵୃହତ୍ ଏକକ ରିଫାଇନାରୀ କମ୍ପ୍ଲେକ୍ସ ଅଟେ, ଯାହା ଵାର୍ଷିକ ୬୮ ମିଲିୟନ୍ ଟନ୍ କ୍ଷମତା ରଖିଛି । 

ଭାରତ ଵିଶ୍ୱରେ ଡିଜିଟାଲ ପେମେଣ୍ଟ ନେଣଦେଣରେ ପ୍ରଥମ ସ୍ଥାନରେ ରହିଛି। UPI (Unified Payments Interface) ମାଧ୍ୟମରେ ଭାରତ ୨୦୨୪ରେ ମାସିକ ୧୫ ବିଲିୟନ୍‌ରୁ ଅଧିକ ନେଣଦେଣ କରିଛି, ଯାହା ଵିଶ୍ୱରେ ଅନ୍ୟ କୌଣସି ଦେଶଠାରୁ ଅଧିକ (NPCI ତଥ୍ୟ)।

ଇସ୍ରୋ ଵିଶ୍ୱରେ ସର୍ଵାଧିକ ଖର୍ଚ୍ଚ-ଦକ୍ଷ ଉପଗ୍ରହ ଉତ୍କ୍ଷେପଣ ସଂସ୍ଥା ଭାବେ ପ୍ରଥମ ସ୍ଥାନରେ ରହିଛି। ଉଦାହରଣ ସ୍ୱରୂପ, ମଙ୍ଗଳଯାନ ($୭୪ ମିଲିୟନ୍) ଓ ଚନ୍ଦ୍ରଯାନ-୩ ($୭୫ ମିଲିୟନ୍) ନାସା ଓ ଅନ୍ୟ ସଂସ୍ଥାଙ୍କ ତୁଳନାରେ ଅତ୍ୟନ୍ତ କମ୍ ଖର୍ଚ୍ଚରେ ସଫଳ ହୋଇଛି।

ଭାରତ ବିଶ୍ୱରେ ଦ୍ୱିତୀୟ ବୃହତ୍ତମ ଚା’ ଉତ୍ପାଦକ (ଚୀନ୍ ପରେ)। ଆସାମ, ଦାର୍ଜିଲିଂ, ଓ ନୀଳଗିରିରୁ ଉତ୍ପାଦିତ ଚା’ ଵିଶ୍ୱଵ୍ୟାପୀ ପ୍ରସିଦ୍ଧ। ୨୦୨୪ରେ ଭାରତ ପ୍ରାୟ ୧.୩୫ ବିଲିୟନ୍ କିଲୋଗ୍ରାମ ଚା’ ଉତ୍ପାଦନ କରିଛି, ଯାହା ଵିଶ୍ୱ ଉତ୍ପାଦନର ୨୫%ରୁ ଅଧିକ ।

ଭାରତ ଵିଶ୍ୱରେ ମେଡିକାଲ ଟୁରିଜମରେ ପଞ୍ଚମ ସ୍ଥାନରେ ରହିଛି। ଉଚ୍ଚମାନର ସ୍ୱାସ୍ଥ୍ୟସେଵା, କମ୍ ଖର୍ଚ୍ଚ, ଓ ଆଧୁନିକ ହସ୍ପିଟାଲ (ଯେମିତି AIIMS, Apollo, Fortis) ଯୋଗୁଁ ପ୍ରତିଵର୍ଷ ୨ ମିଲିୟନ୍‌ରୁ ଅଧିକ ଵିଦେଶୀ ରୋଗୀ ଭାରତରେ ଚିକିତ୍ସା ପାଇଁ ଆସୁଛନ୍ତି। ଏହି ଶିଳ୍ପର ମୂଲ୍ୟ ୨୦୨୪ରେ $୯ ବିଲିୟନ୍‌ରୁ ଅଧିକ ।‌

ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ସିମେଣ୍ଟ ଉତ୍ପାଦକ ଦେଶ (ଚୀନ୍ ପରେ)। ୨୦୨୪ରେ ଭାରତର ସିମେଣ୍ଟ ଉତ୍ପାଦନ କ୍ଷମତା ପ୍ରାୟ ୫୫୦ ମିଲିୟନ୍ ଟନ୍, ଯାହା ଵିଶ୍ୱ ଉତ୍ପାଦନର ୮-୧୦% ଅଟେ।

ଭାରତ ଵିଶ୍ୱରେ ଜୈଵିକ ସାର(Organic Fertilizers) ଉତ୍ପାଦନରେ ତୃତୀୟ ସ୍ଥାନରେ ରହିଛି। ସରକାରୀ ଯୋଜନା ଓ ଜୈଵିକ ଚାଷକୁ ପ୍ରୋତ୍ସାହନ ଯୋଗୁଁ ଏହାର ବଜାର ୨୦୨୪ରେ $୧.୫ ବିଲିୟନ୍‌ରୁ ଅଧିକ ହୋଇଛି, ଯାହା କୃଷିରେ ଅଗ୍ରଣୀ ଭୂମିକା ନେଇଛି।

ଭାରତ ଵୈ-ବର୍ଜ୍ୟ (Electronic Waste - ଵୈଦୁତିକ ଵର୍ଜ୍ୟଵସ୍ତୁ) ପୁନର୍ଵ୍ୟଵହାର କ୍ଷେତ୍ରରେ ଵିଶ୍ୱର ପଞ୍ଚମ ଅଗ୍ରଣୀ ଦେଶ। ସ୍ୱଚ୍ଛ ଭାରତ ଅଭିଯାନ ଓ ସରକାରୀ ନୀତି ଯୋଗୁଁ ୨୦୨୪ରେ ଭାରତ ପ୍ରାୟ ୧.୫ ମିଲିୟନ୍ ଟନ୍ ଵୈ-ବର୍ଜ୍ୟ ପରିଚାଳନା କରିଛି (Global E-waste Monitor)।


ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ଆଖୁ ଉତ୍ପାଦକ (ବ୍ରାଜିଲ ପରେ)। ୨୦୨୪ରେ ଭାରତ ପ୍ରାୟ ୪୦୦ ମିଲିୟନ୍ ଟନ୍ ଆଖୁ ଉତ୍ପାଦନ କରିଛି, ଯାହା ବିଶ୍ୱ ଉତ୍ପାଦନର ୨୦%ରୁ ଅଧିକ ।

ଭାରତର ପୋଷ୍ଟାଲ ସେଵା, India Post,ଵିଶ୍ୱରେ ସର୍ଵଵୃହତ୍ ଡାକ ନେଟୱାର୍କ (ର‍୍ୟାଙ୍କ ୧)। ଏହାର ୧.୫୫ ଲକ୍ଷରୁ ଅଧିକ ଡାକଘର ରହିଛି, ଯାହା ଗ୍ରାମୀଣ ଓ ସହରୀ ଅଞ୍ଚଳକୁ ସଂଯୋଗ କରେ ।

ଭାରତ ଵିଶ୍ୱରେ ଵୈଦ୍ୟୁତିକ ଦ୍ୱିଚକ୍ରୀ ଯାନ ଉତ୍ପାଦନ ଓ ବିକ୍ରିରେ ତୃତୀୟ ସ୍ଥାନରେ ରହିଛି। Ola Electric, Ather Energy ଭଳି କମ୍ପାନୀ ୨୦୨୪ରେ ୧.୨ ମିଲିୟନ୍‌ରୁ ଅଧିକ ଇ-ସ୍କୁଟର ବିକ୍ରି କରିଛନ୍ତି ।

ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ଷ୍ଟୀଲ ଉତ୍ପାଦକ (ଚୀନ୍ ପରେ)। ୨୦୨୪ରେ ଭାରତ ୧୪୦ ମିଲିୟନ୍ ଟନ୍‌ରୁ ଅଧିକ ଷ୍ଟୀଲ ଉତ୍ପାଦନ କରିଛି, ଯାହା ଵିଶ୍ୱ ଉତ୍ପାଦନର ୮% ଅଟେ।

ଭାରତ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ମାଛ ଉତ୍ପାଦକ (ଚୀନ୍ ପରେ)। ୨୦୨୪ରେ ଭାରତର ମାଛ ଉତ୍ପାଦନ (ମୁଖ୍ୟତଃ ଅନ୍ତର୍ଦେଶୀୟ ଓ ସାମୁଦ୍ରିକ) ୧୪ ମିଲିୟନ୍ ଟନ୍‌ରୁ ଅଧିକ, ଯାହା ଵିଶ୍ୱର ୧୦% ।

ଭାରତ ଵିଶ୍ୱରେ ମୋବାଇଲ ଆପ୍ ଡେଵଲପମେଣ୍ଟରେ ତୃତୀୟ ସ୍ଥାନରେ ରହିଛି। Google Play Store ଓ App Storeରେ ଭାରତୀୟ ଡେଭେଲପରଙ୍କ ଦ୍ୱାରା ନିର୍ମିତ ଆପ୍‌ଗୁଡ଼ିକର ଡାଉନଲୋଡ ୨୦୨୪ରେ ୨୫ ବିଲିୟନ୍‌ରୁ ଅଧିକ ।

ଭାରତ ବିଶ୍ୱରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟାରେ ଚତୁର୍ଥ ସ୍ଥାନରେ। ୨୦୨୪ ସୁଦ୍ଧା ଭାରତରେ ୧୫ ମିଲିୟନ୍‌ରୁ ଅଧିକ ମହିଳା-ନେତୃତ୍ୱାଧୀନ ସ୍ଟାର୍ଟଅପ୍ ଓ ଵ୍ୟଵସାୟ ରହିଛି ।

ଭାରତ ଵିଶ୍ୱରେ କୃଷି ଉତ୍ପାଦ ରପ୍ତାନିରେ ପଞ୍ଚମ ସ୍ଥାନରେ ଅଛି । ମସଲା, ମାଂସ, ଓ ଚା’ ଭଳି ଉତ୍ପାଦର ରପ୍ତାନି ୨୦୨୪ରେ $୫୦ ବିଲିୟନ୍‌ରୁ ଅଧିକ ।‌

ଭାରତର ଆଧାର ଵିଶ୍ୱରେ ସର୍ଵଵୃହତ୍ ବାୟୋମେଟ୍ରିକ ପରିଚୟ ପ୍ରଣାଲୀ (ର‍୍ୟାଙ୍କ ୧)। ୧.୪ ବିଲିୟନ୍‌ରୁ ଅଧିକ ଲୋକଙ୍କୁ ଏହା ଏକ ଅନନ୍ୟ ଡିଜିଟାଲ ପରିଚୟ ପ୍ରଦାନ କରିଛି, ଯାହା ସରକାରୀ ସେଵା ଓ ଆର୍ଥିକ ନେଣଦେଣରେ ଵ୍ୟଵହୃତ ହୁଏ । 

କାର୍ପାସ ଉତ୍ପାଦନ କ୍ଷେତ୍ରରେ ଵିଶ୍ଵରେ ଭାରତ ପ୍ରଥମ ଦେଶ । ୨୦୨୪ରେ ଭାରତ ପ୍ରାୟ ୬.୫ ମିଲିୟନ୍ ଟନ୍ କାର୍ପାସ ଉତ୍ପାଦନ କରିଛି, ଯାହା ଵିଶ୍ୱ ଉତ୍ପାଦନର ୨୫% ଅଟେ।

ଭାରତର ମେଟ୍ରୋ ରେଳ ନେଟୱାର୍କ ଵିଶ୍ୱରେ ପଞ୍ଚମ ଵୃହତ୍ତମ। ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଆଦି ସହରରେ ୮୦୦ କିଲୋମିଟରରୁ ଅଧିକ ମେଟ୍ରୋ ଲାଇନ୍ କାର୍ଯ୍ୟକ୍ଷମ ହୋଇଛି ।

ଭାରତ ଵିଶ୍ୱରେ ଦ୍ୱିତୀୟ ସର୍ଵାଧିକ ମୋବାଇଲ ଡାଟା ଵ୍ୟଵହାରକାରୀ ଦେଶ । ଭାରତରେ ପ୍ରାୟ ୧୨ ବିଲିୟନ୍ GB ଡାଟା ମାସିକ ଵ୍ୟଵହୃତ ହୁଏ, ଯାହା Jio ଓ ଅନ୍ୟ ଟେଲିକମ୍ ସେଵା ଯୋଗୁଁ ସମ୍ଭଵ ହୋଇପାରିଛି । 

 ପାରମାଣଵିକ ଅସ୍ତ୍ର ସଂଖ୍ୟା ଅନୁଯାୟୀ ଭାରତ ଵିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି । ଭାରତ ପାଖରେ ପ୍ରାୟ ୧୬୦-୧୭୦ ପାରମାଣଵିକ ଅସ୍ତ୍ର ରହିଛି ।

ଭାରତ ଵିଶ୍ୱରେ ତୃତୀୟ ଵୃହତ୍ତମ ଘରୋଇ ଵିମାନ ଚଳାଚଳ ବଜାର ଅଟେ । ୨୦୨୪ରେ ୧୫୩ ମିଲିୟନ୍ ଯାତ୍ରୀ ଯାତାୟାତ କରିଛନ୍ତି । 

ଭାରତରେ ଵିଶ୍ୱରେ ଦ୍ୱିତୀୟ ଵୃହତ୍ତମ ଇଞ୍ଜିନିୟରିଂ ଶିକ୍ଷା ଵ୍ୟଵସ୍ଥା ପ୍ରତିଷ୍ଠିତ ହୋଇ ପାରିଛି । ଭାରତର IIT ଓ ଅନ୍ୟ ପ୍ରତିଷ୍ଠାନରୁ ଵାର୍ଷିକ ୧.୫ ମିଲିୟନ୍ ଛାତ୍ରଛାତ୍ରୀ ଇଞ୍ଜିନିୟର ଭାବେ ଉତ୍ତୀର୍ଣ୍ଣ ହୋଇଥାନ୍ତି । 

ଭାରତ ଵିଶ୍ୱରେ ଦ୍ୱିତୀୟ ବୃହତ୍ତମ କୋଇଲା ଉତ୍ପାଦକ। ୨୦୨୪ରେ ୯୫୦ ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରିଛି ।‌

ଭାରତ ଵିଶ୍ୱରେ ପଞ୍ଚମ ବୃହତ୍ତମ ସୌର ପ୍ୟାନେଲ ଉତ୍ପାଦକ ଦେଶ। ୨୦୨୪ରେ ୧୦ GW କ୍ଷମତାର ପ୍ୟାନେଲ ଉତ୍ପାଦନ କରାଯାଇଛି ।

ଭାରତ ଵିଶ୍ୱରେ ଆୟୁର୍ବେଦୀୟ ଔଷଧ ରପ୍ତାନିରେ ପ୍ରଥମ। ପ୍ରାୟ $୨ ବିଲିୟନ୍‌ର ଆୟୁର୍ଵେଦ ଉତ୍ପାଦ ୧୫୦ରୁ ଅଧିକ ଦେଶକୁ ରପ୍ତାନି ହୁଏ ।

ଇଂରେଜମାନଙ୍କ ଦ୍ଵାରା ଦୁଇଶହ ଵର୍ଷ ଧରି ପରାଧୀନ ହୋଇଥିଵା ଆଉ କୌଣସି ଦେଶ ଭାରତ ଭଳି ଏତେ ଵିକାଶ କରିପାରିନାହାନ୍ତି(USA ଛଡ଼ା) । ଅନେକ କାରଣ ଯୋଗୁଁ ଭାରତ ମାତ୍ର ୭୦ ଵର୍ଷ ମଧ୍ୟରେ ଏତେ ପ୍ରତିଷ୍ଠା ଲଭିଛି ତନ୍ମଧ୍ୟରେ ପ୍ରାକୃତିକ କାରଣଗୁଡ଼ିକ ହେଲା ଭାରତର ଉର୍ଵର ଭୂମି,ଵିଵିଧ କିନ୍ତୁ ଅପେକ୍ଷାକୃତ ସ୍ଥିର ଜଳଵାୟୁ ଓ ଜୈଵ ଵିଵିଧତା । 
ଵିଶ୍ୱରେ ଜୈଵ ଵିଵିଧତା କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି । ଭାରତରେ ପ୍ରାୟ ୮୯,୦୦୦ ଜାତିର ପଶୁ ଓ ୪୫,୦୦୦ ଜାତିର ଦେଶୀ ଉଦ୍ଭିଦ ଅଛନ୍ତି । ଭୌଗୋଳିକ ଦୃଷ୍ଟିକୋଣରୁ ପୃଥିଵୀର ଏକ ଶ୍ରେଷ୍ଠ ଭୂଭାଗ ହୋଇଥିଵାରୁ ଭାରତରେ ଜନସଂଖ୍ୟା ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ସର୍ଵାଧିକ । ମନୁଷ୍ୟମାନେ ଯେଉଁ ଚାରି ପାଞ୍ଚୋଟି ସ୍ଥାନରେ ପ୍ରାଚୀନ ସଭ୍ୟତା ଗଢ଼ିଥିଲେ ତନ୍ମଧ୍ୟରେ ଗୋଟିଏ ଅଞ୍ଚଳ ଭାରତରେ ବି ରହିଛି । ଭାରତର ସଂସ୍କୃତି ସର୍ଵଶ୍ରେଷ୍ଠ ଓ ସମୃଦ୍ଧ ।‌ ଭାରତରେ ରଚିତ ସମସ୍ତ ପୁରାଣ ଗ୍ରନ୍ଥ ପୃଥିଵୀରେ ଅଦ୍ୱିତୀୟ। ମହାଭାରତୀୟ ସଂସ୍କୃତିର ପ୍ରଭାଵ ସାରା ଵିଶ୍ଵରେ ଉପରେ ପଡ଼ିଛି । ଭାରତୀୟ ପ୍ରାଚୀନ ଵିଜ୍ଞାନ ଓ ଗଣିତାଦି ଜ୍ଞାନର ମୂଳ ଭିତ୍ତି ଉପରେ ଆଧୁନିକ ଵିଜ୍ଞାନ ଓ ଗଣିତ ପ୍ରତିଷ୍ଠିତ। ମହାଭାରତୀୟ ସଂସ୍କୃତି ଅତି ସମୃଦ୍ଧ ହେଵାର କାରଣ ଭାରତୀୟ ଜନତାଙ୍କ ମଧ୍ୟରେ ଜାତୀୟ ଵିଵିଧତା ଅଟେ । ଭାରତରେ ଭାଷା ସଂସ୍କୃତି ଓ ମାନଵଗୋଷ୍ଠୀ ଦୃଷ୍ଟିରୁ ଅନେକ ଜାତି ଅଛି । ଭାରତରେ ୭୦୦ରୁ ଅଧିକ ଅନୁସୂଚୀଭୁକ୍ତ ଜନଜାତି ଅଛନ୍ତି। ଏତଦଵ୍ୟତୀତ ଅନେକ ଅଣ-ଜନଜାତି ମାନଵଗୋଷ୍ଠୀ ବି ଭାରତରେ ରହୁଛନ୍ତି, ଯେଉଁମାନେ ଆଞ୍ଚଳିକ, ଧାର୍ମିକ ଓ ସାଂସ୍କୃତିକ ପରିଚୟ ଅନୁସାରେ ଭିନ୍ନ ଭିନ୍ନ ଜାତି ରୂପେ ପ୍ରତିଷ୍ଠିତ । Ethnologue ଓ ଅନ୍ୟାନ୍ୟ ଅନୁସନ୍ଧାନ ଅନୁସାରେ, ଭାରତରେ ପ୍ରାୟ ୨,୦୦୦ରୁ ୩,୦୦୦ ଭିନ୍ନ ଜାତିଗତ ଗୋଷ୍ଠୀ ରହିପାରନ୍ତି, ଯେଉଁମାନେ ଭାଷା, ସଂସ୍କୃତି ଓ ଜୀବନଶୈଳୀ ଦୃଷ୍ଟିରୁ ପୃଥକ। ଏତେ ଜାତି ଥିଵାରୁ ସେମାନଙ୍କର ଅନେକ ଉପଜାତି ଏଵଂ ପ୍ରତ୍ୟେକ ଜାତି ଓ ଉପଜାତିର ଅନେକ ଭାଷା ରହିଥିଵା ସ୍ଵାଭାଵିକ କଥା । ଭାରତରେ ୧୯,୫୦୦ରୁ ଅଧିକ ମାତୃଭାଷା ଓ ଉପଭାଷା ରହିଛି । ଏହା ମଧ୍ୟରୁ ୧୨୧ଟି ଭାଷା ପ୍ରମୁଖ ଭାଷା ଭାବେ ଚିହ୍ନଟ ହୋଇଛି, ଯେଉଁଥିରେ ୨୨ଟି ସମ୍ବିଧାନରେ ଅନୁସୂଚୀଭୁକ୍ତ ଭାଷା (ଯଥା: ହିନ୍ଦୀ, ବଙ୍ଗଳା, ତାମିଲ, ତେଲୁଗୁ, ଓଡ଼ିଆ, ଆସାମୀୟା ଇତ୍ୟାଦି) ।‌

ତେବେ ଯେତେବେଳେ କୌଣସି ଦେଶ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହୁଏ ଓ ଏକ ଵିଶାଳ ଜନସଂଖ୍ୟାର ଵାସଭୂମି ହୋଇଥାଏ ସେତେବେଳେ ସେ ଦେଶର ସେନା ମଧ୍ୟ ଆପଣାଛାଏଁ ଶକ୍ତିଶାଳୀ ହୋଇଥାଏ । 
 
୨୦୨୫ ଗ୍ଲୋବାଲ୍ ଫାୟାରପାୱାର (Global Firepower) ସୂଚକାଙ୍କ ଅନୁଯାୟୀ, ଭାରତୀୟ ସେନା ଵିଶ୍ୱରେ ଚତୁର୍ଥ ଶକ୍ତିଶାଳୀ ସେନା ଅଟେ (Power Index: 0.1025), ଆମେରିକା, ରୁଷିଆ, ଓ ଚୀନ୍ ପରେ ଭାରତୀୟ ସେନା ଚତୁର୍ଥ ଶକ୍ତିଶାଳୀ ସେନା ଭାବେ ପ୍ରତିଷ୍ଠା ଲଭିଛି । ଭାରତୀୟ ସେନାର ୫.୧୩୭ ମିଲିୟନ୍ ସୈନିକ (୧.୨୩୭ ମିଲିୟନ୍ ସକ୍ରିୟ ଓ ୯.୬ ଲକ୍ଷ ରିଜର୍ଭ), ଆଧୁନିକ ଅସ୍ତ୍ରଶସ୍ତ୍ର (ବ୍ରହ୍ମୋସ, ଅଗ୍ନି, ପୃଥ୍ୱୀ ମିସାଇଲ୍), ଓ $୯୦ ବିଲିୟନ୍ ପ୍ରତିରକ୍ଷା ବଜେଟ୍ ଏହାର ସାମର୍ଥ୍ୟକୁ ଦର୍ଶାଇଛି। ତେବେ ଆକାର ଦୃଷ୍ଟିରୁ ପୃଥିଵୀରେ ଭାରତୀୟ ସେନାର ର‍୍ୟାଙ୍କ ଚୀନ ପରେ ୨ୟ ସ୍ଥାନରେ ରହିଛି । Global Firepower Index (2025) ଅନୁଯାୟୀ, ଭାରତୀୟ ସେନା ପୃଥିଵୀରେ ୨ୟ ବୃହତ୍ତମ ସୈନ୍ୟଵାହିନୀ ଅଟେ, ଯାହାର ପ୍ରାୟ ୧୪.୫ ଲକ୍ଷ ସକ୍ରିୟ ସୈନିକ ଅଛନ୍ତି। ଏହା ଚୀନ (ପ୍ରାୟ ୨୦ ଲକ୍ଷ ସୈନିକ) ପରେ ଦ୍ୱିତୀୟ ସ୍ଥାନରେ ରହିଛି । Global Firepower Naval Strength Ranking ଅନୁଯାୟୀ, ଭାରତର ନୌସେନା ଯୁକ୍ତରାଷ୍ଟ୍ର, ଚୀନ ଓ ରୁଷିଆ ପରେ ଚତୁର୍ଥ ଶକ୍ତିଶାଳୀ ନୌସେନା ଭାରତ ପାଖରେ ଅଛି । ଭାରତୀୟ ନୌସେନାରେ ପ୍ରାୟ ୧୫୦ଟି ଜାହାଜ ଏବଂ ପାଣିପାଗ ନିରୋଧକ ଜାହାଜ (ଯୁଦ୍ଧଜାହାଜ, ସବମାରିନ, ଏୟାରକ୍ରାଫ୍ଟ କ୍ୟାରିୟର ଆଦି) ଅଛି, ଯାହା ଏହାକୁ ଏକ ଶକ୍ତିଶାଳୀ ନୌସେନା ରୂପେ ପ୍ରତିଷ୍ଠିତ କରିଥାଏ । ସେହିପରି Global Firepower Air Strength Ranking ଅନୁଯାୟୀ, ଭାରତର ଵାୟୁସେନା ଯୁକ୍ତରାଷ୍ଟ୍ର, ରୁଷିଆ, ଓ ଚୀନ ପରେ ଚତୁର୍ଥ ଶକ୍ତିଶାଳୀ ଵାୟୁସେନା ଅଟେ । ଏହାର ପ୍ରାୟ ୨,୧୦୦ ଵିମାନ (ଯୁଦ୍ଧଵିମାନ, ହେଲିକପ୍ଟର ଓ ଟ୍ରାନ୍ସପୋର୍ଟ ଵିମାନ ସମେତ) ଅଛି, ଯାହା ଏହାକୁ ଏକ ଶକ୍ତିଶାଳୀ ଵାୟୁସେନାରେ ପରିଗଣିତ କରେ।

ଅସ୍ତୁ ଭାରତ ଆହୁରି ଅନେକ କ୍ଷେତ୍ରରେ ଵିଶ୍ଵର ଏକ ଅଗ୍ରଣୀ ଦେଶ ରୂପେ ପ୍ରତିଷ୍ଠିତ। ଭାରତର ଏହି ଉପଲବ୍ଧି ଦେଖି ଭାରତ ଵିରୋଧିଙ୍କ ଦେହ ମନ ଜଳାପୋଡ଼ା ହୁଏ । ଭାରତରେ ରହୁଥିଵା ଭାରତଵିରୋଧି ଦେଶଦ୍ରୋହୀଙ୍କର ବି ଦେହ ମନ ଜଳିଯାଏ । ଭାରତ କୌଣସି କ୍ଷେତ୍ରରେ ଅଗ୍ରଣୀ ଦେଶ ରୂପେ ପ୍ରତିଷ୍ଠିତ ହୋଇଛି ଜାଣିଲେ ସେହି ଦେଶଦ୍ରୋହୀମାନେ ଵିଭିନ୍ନ ଆଳ ଦେଖାଇ ଲୋକଙ୍କ ମନୋବଳ ଭାଙ୍ଗିଵାକୁ ଚେଷ୍ଟା କରନ୍ତି ।‌ ତେବେ ଆମ୍ବଗଛରେ black fungus ଵା sooty mold ଭଳି ଏହି ଦେଶଦ୍ରୋହୀ ତତ୍ତ୍ଵ ଆମ ଦେଶ ପାଇଁ ଵିପଜ୍ଜନକ । ଏମାନଙ୍କ ଵିନାଶରେ ହିଁ ଏ ଦେଶର ଉନ୍ନତି ସମ୍ଭଵ ଅନ୍ୟଥା ଯେମିତି mealybug,aphids,hoppers ଓ scale insectsଙ୍କ ଯୋଗୁଁ ଆମ୍ବଗଛ ରୋଗିଣା ହୋଇଯାଏ ଠିକ୍ ସେହିପରି ଦେଶ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ ।





Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...