Saturday, June 28, 2025

•ଦୁଇ ସହସ୍ରାଧିକ ଵର୍ଷ ଧରି ଈହୁଦୀମାନଙ୍କ ଉପରେ ହୋଇଥିଵା ଅତ୍ୟାଚାରର ଇତିହାସ•

ବାଇବେଲର ଓଲ୍ଡ ଟେଷ୍ଟାମେଣ୍ଟ ଓ କୁରାନ ଅନୁଯାୟୀ, ଆଜି ଯେଉଁ ଅଞ୍ଚଳରେ ଆଧୁନିକ ଇସ୍ରାଏଲ ଦେଶ ଅଵସ୍ଥିତ, ତାହା ପୂର୍ଵେ କାନାନ ନାମରେ ପରିଚିତ ଥିଲା। ବାଇବେଲରେ ଏହି ଅଞ୍ଚଳକୁ "ଦୁଗ୍ଧ ଓ ମଧୁର ଦେଶ" ଭାବେ ଵର୍ଣ୍ଣନା କରି କୁହାଯାଇଛି: "I have come down to deliver them out of the hand of the Egyptians, and to bring them up from that land to a good and large land, to a land flowing with milk and honey" (Exodus 3:8)।

 କୁରାନରେ ମଧ୍ୟ ଏହାକୁ "ପଵିତ୍ର ଭୂମି" ଭାବେ ଉଲ୍ଲେଖ କରି କୁହାଯାଇଛି: "O my people, enter the Holy Land which Allah has assigned to you" (Surah Al-Ma’idah 5:21)। 

କାଳକ୍ରମେ ପରିଵେଶଗତ ପରିଵର୍ତ୍ତନ, ଯୁଦ୍ଧ, ଓ ଅନ୍ୟାନ୍ୟ କାରଣରୁ ଏହାର ଅନେକ ଅଞ୍ଚଳ ମରୁଭୂମିରେ ପରିଣତ ହୋଇଛି। ଐତିହାସିକ ତଥ୍ୟ କହେ "ପାଲେସ୍ଥିନ" ନାମଟି ଖ୍ରୀଷ୍ଟାବ୍ଦ ଦ୍ୱିତୀୟ ଶତାବ୍ଦୀରେ ରୋମାନ ସାମ୍ରାଜ୍ୟ ଦ୍ୱାରା "ସିରିଆ ପାଲେଷ୍ଟିନା" ନାମକରଣ ହେଵା ପରେ ପ୍ରଚଳିତ ହୋଇଥିଲା, ଯାହା ଫିଲିସ୍ତିନ (Philistines) ଜାତି ସହ ଜଡ଼ିତ। ଅବ୍ରାହମ ଓ ୟାକୁବଙ୍କ ସମୟରେ (ଖ୍ରୀଷ୍ଟପୂର୍ଵ ୨୦୦୦-୧୨୦୦) ଏହି ଅଞ୍ଚଳ "କାନାନ" ନାମରେ ପରିଚିତ ଥିଲା।

ଈହୁଦୀ ଓ ମୁସଲିମ ଉଭୟ ଧର୍ମର ଲୋକେ ନିଜକୁ ଭାଇ ବୋଲି ଵିଶ୍ୱାସ କରନ୍ତି, କାରଣ ଉଭୟ ଜାତିର ପୂର୍ଵଜ ଥିଲେ ଅବ୍ରାହମ (ଈବ୍ରାହୀମ)। ଅବ୍ରାହମଙ୍କ ସମୟକାଳ ଖ୍ରୀଷ୍ଟପୂର୍ଵ ୨୦୦୦-୧୮୦୦ ଶତାବ୍ଦୀ ମଧ୍ୟରେ ଅନୁମାନ କରାଯାଏ। ବାଇବେଲରେ ତାଙ୍କୁ "ଅନେକ ଜାତିର ପିତା" ଭାବେ ଘୋଷଣା କରାଯାଇଛି: "I have made you a father of many nations" (Genesis 17:5)। କୁରଆନରେ ତାଙ୍କୁ "ଏକମାତ୍ର ଈଶ୍ବରର ଅନୁଗାମୀ" ଓ "ଜାତିର ନେତା" ଭାବେ ଵର୍ଣ୍ଣନା କରାଯାଇଛି (Surah Al-Baqarah 2:124)। ଅବ୍ରାହମଙ୍କ ଦୁଇ ପୁତ୍ର, ଇସହାକ (ଈହୁଦୀ ଜାତିର ପୂର୍ଵଜ) ଓ ଇସମାଇଲ (ଆରବ ଜାତିର ପୂର୍ଵଜ), ମାଧ୍ୟମରେ ଈହୁଦୀ ଓ ମୁସଲିମଙ୍କ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କ ସ୍ଥାପିତ ହୋଇଛି। ଅବ୍ରାହମଙ୍କ ନାମରେ ଈହୁଦୀ ଜାତିର ଏକ ନାମ "ଈବ୍ରାନୀ" (Hebrew) ପଡ଼ିଲା।

ଅବ୍ରାହମଙ୍କ ପୌତ୍ର ୟାକୁବ, ଯାହାଙ୍କୁ "ଇସ୍ରାଏଲ" ନାମ ଦିଆଯାଇଥିଲା, କାନାନର ୧୨ ଜନଜାତି (Reuben, Simeon, Levi, Judah, Dan, Naphtali, Gad, Asher, Issachar, Zebulun, Manasseh, Ephraim, Benjamin) ମଧ୍ୟରେ ଏକତା ଆଣିଵାରେ ସଫଳ ହୋଇଥିଲେ। ଏହି ଜନଜାତିଗୁଡ଼ିକ ସାମୂହିକ ଭାବେ "ବନୀ ଇସ୍ରାଏଲ"(Children of Israel) ନାମରେ ପରିଚିତ ହେଲେ। ୟାକୁବ କୁହନ୍ତି: "Gather together, that I may tell you what shall befall you in the last days" (Genesis 49:1)। ଏହି ଜନଜାତିଗୁଡ଼ିକ ମଧ୍ୟରୁ ଜୁଡାହ (Judah) ଜନଜାତି ପରେ ଈହୁଦୀମାନଙ୍କର ନେତୃତ୍ୱ ନେଲେ। "ଜୁଡାହ" ଶବ୍ଦରୁ "Jewish" ଓ "ଈହୁଦୀ" ଶବ୍ଦର ଉତ୍ପତ୍ତି ହୋଇଛି, ଯାହା ଭାଷାଗତ ପରିଵର୍ତ୍ତନର ଫଳାଫଳ।

ଖ୍ରୀଷ୍ଟପୂର୍ଵ ୧୮୦୦ ଶତାବ୍ଦୀ ବେଳକୁ, ସୁମେରର ଉର ନଗରୀ ଓ ଉତ୍ତର ଆରବରେ ରହୁଥିଵା ଈହୁଦୀମାନଙ୍କୁ ଅବ୍ରାହମ ସର୍ଵପ୍ରଥମେ କାନାନ ଅଞ୍ଚଳର ରାସ୍ତା ଦେଖାଇଥିଲେ। କିନ୍ତୁ ପରେ, କିଛି ଈହୁଦୀମାନେ ୟାକୁବଙ୍କ ନେତୃତ୍ବରେ ମିଶର ଯାଇ ୪୦୦ ଵର୍ଷ ଦାସତ୍ୱର ଦୁଃଖ ଭୋଗିଲେ। ୪୦୦ ଵର୍ଷ ପରେ ଅର୍ଥାତ୍ ଖ୍ରୀଷ୍ଟପୂର୍ଵ ୧୩୦୦ କିମ୍ବା ଖ୍ରୀଷ୍ଟପୂର୍ଵ ୧୨୦୦ ସମୟରେ ମୋସେସ (Moses) ନାମକ ଜଣେ ଈହୁଦୀ ନେତା ସେମାନଙ୍କୁ ମୁକ୍ତ କରି କାନାନ(ଇସ୍ରାଏଲ)କୁ ନେଇଥିଲେ।

ମୋସେସଙ୍କ ପ୍ରଣୀତ ଦଶ ଆଦେଶ(Ten Commandments) ଈହୁଦୀ ଧର୍ମର ମୂଳସୂତ୍ର ହେଲା: "You shall have no other gods before Me" (Exodus 20:3)। ମୋସେସଙ୍କ ନେତୃତ୍ୱରେ ଈହୁଦୀମାନେ କାନାନରେ ସ୍ଥାୟୀ ହେଲେ, ଯାହା ପରେ "ଇସ୍ରାଏଲ" ନାମରେ ପରିଚିତ ହେଲା।

ରାଜା ସୋଲୋମନଙ୍କ ସମୟରେ (ଖ୍ରୀଷ୍ଟପୂର୍ଵ ୧୦ମ ଶତାବ୍ଦୀ), ଇସ୍ରାଏଲ ଏକ ଧନାଢ଼୍ୟ ଓ ଭଵ୍ୟ ଦେଶରେ ପରିଣତ ହେଲା। ସୋଲୋମନଙ୍କ ଜ୍ଞାନ ଓ ସମୃଦ୍ଧି ବାଇବେଲରେ ଵର୍ଣ୍ଣିତ: "And God gave Solomon wisdom and exceedingly great understanding" (1 Kings 4:29)। ସୋଲୋମନଙ୍କ ରାଜତ୍ୱରେ ପ୍ରଥମ ମନ୍ଦିର ଜେରୁଜାଲେମରେ ନିର୍ମିତ ହେଲା, ଯାହା ଈହୁଦୀମାନଙ୍କର ଧାର୍ମିକ କେନ୍ଦ୍ର ହେଲା। କିନ୍ତୁ ସୋଲୋମନଙ୍କ ମୃତ୍ୟୁ (ଖ୍ରୀଷ୍ଟପୂର୍ଵ ୯୩୦) ପରେ, ଜାତିଗତ କଳହ ଯୋଗୁଁ ଇସ୍ରାଏଲ ଦୁଇଟି ରାଜ୍ୟରେ ଵିଭକ୍ତ ହେଲା: ଉତ୍ତର ଇସ୍ରାଏଲ ( ଜନଜାତି) ଓ ଦକ୍ଷିଣ ଜୁଡାହ (Judah)।

ଏହାର ସୁଯୋଗ ନେଇ ଵୈଦେଶିକ ଶତ୍ରୁମାନେ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କଲେ। ଖ୍ରୀଷ୍ଟପୂର୍ଵ ୭୨୨ରେ ଆସିରିୟ ସାମ୍ରାଜ୍ୟ ଉତ୍ତର ଇସ୍ରାଏଲକୁ ଜୟ କରି ୧୦ ଜନଜାତିକୁ ନିର୍ଵାସିତ କଲା, ଯାହାକୁ "Lost Tribes of Israel" ବୋଲି କୁହାଯାଏ। କାନନ ଦେଶର ମୋଟ ବାରଗୋଟି ମାନଵଗୋଷ୍ଠୀ ମଧ୍ୟରେ ରୁବେନ, ଶିମିୟୋନ, ଦାନ, ନଫ୍ତାଲି, ଗାଦ, ଆଶେର, ଇସ୍‌ସାଖାର, ସବୁଲୁନ, ମନଃଶି ଓ ଇଫ୍ରାୟିମ ଆଦି ଦଶଟି ଗୋଷ୍ଠୀର ଲୋକେ ହୁଏତ ଆସିରୀୟ ସାମ୍ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ନିର୍ଵାସିତ ହୋଇ ସ୍ଥାନୀୟ ଲୋକଙ୍କ ସହିତ ମିଶିଗଲେ କିମ୍ବା ଇରାକ,ଇରାନ,ଆଫଗାନିସ୍ଥାନ, ପାକିସ୍ତାନ,ଭାରତ ଓ ଜାପାନ ଆଦି ଅଞ୍ଚଳରେ ଆସି ଵସଵାସ କଲେ । ତେବେ ଇସ୍ରାଏଲର ଏହି ଦଶଗୋଟି ମାନଵଗୋଷ୍ଠୀଙ୍କର ଇତିହାସ ସ୍ପଷ୍ଟ ନୁହେଁ। 

କିଛି ଶହ ଵର୍ଷ ପରେ, ଖ୍ରୀଷ୍ଟପୂର୍ଵ ୫୭୮ରେ ବାବିଲୋନୀୟ ସାମ୍ରାଜ୍ୟ ଦକ୍ଷିଣ ଜୁଡାହକୁ ଜୟ କରି ଜେରୁଜାଲେମରେ ଥିଵା ପ୍ରଥମ ମନ୍ଦିରକୁ ଧ୍ୱଂସ କଲା। ଏହି ବାବିଲୋନୀୟ ନିର୍ଵାସନ ଈହୁଦୀମାନଙ୍କ ପାଇଁ ଏକ ଵିପର୍ଯ୍ୟୟ ଥିଲା ।‌
ବାବିଲୋନୀୟ ନିର୍ଵାସନ ସମୟରେ ଯିହୁଦୀମାନେ ଦୁଃଖରେ ଭାଙ୍ଗିପଡ଼ିଥିଲେ ଓ ବାବିଲୋନର ନଦୀକୂଳରେ ବସି ସେମାନେ ହରାଇଥିଵା ଆପଣାର ମାତୃଭୂମି ଜିଓନ (ଜେରୁଜାଲେମ) ପାଇଁ କାନ୍ଦୁଥିଲେ।

୧୫୦ ଅଧ୍ୟାୟ ଵିଶିଷ୍ଟ ସାମଗାନ(Psalm)ର ୧୩୭ତମ ଅଧ୍ୟାୟର ପ୍ରଥମ ପଦରେ ଏହି କଥା ବଡ଼ ମାର୍ମିକ ଭାବେ ଵର୍ଣ୍ଣିତ ହୋଇଛି: "By the rivers of Babylon, there we sat down, yea, we wept when we remembered Zion" (Psalm 137:1)। 

ତେବେ ଏହାର କେତେକ ଵର୍ଷ ପରେ ଖ୍ରୀଷ୍ଟପୂର୍ଵ ୫୩୯ରେ ପାରସିକ ରାଜା ସାଇରସ,ବାବିଲୋନକୁ ଜୟ କରି ଈହୁଦୀମାନଙ୍କୁ ଜେରୁଜାଲେମକୁ ଫେରିଵାକୁ ଅନୁମତି ଦେଲେ। ତା’ପରେ ଦ୍ୱିତୀୟ ମନ୍ଦିର (୫୧୬ ଖ୍ରୀଷ୍ଟପୂର୍ଵ) ନିର୍ମିତ ହେଲା। ରାଜା ହେରୋଦ (ଖ୍ରୀଷ୍ଟପୂର୍ଵ ୩୭-୪) ଏହି ମନ୍ଦିରକୁ ଆଡ଼ମ୍ବରପୂର୍ଣ୍ଣ କରିଥିଲେ। କିନ୍ତୁ ଈହୁଦୀମାନଙ୍କର ଦୁଃଖର ଦିନ ସରି ନଥିଲା । ଅଳପ ଵର୍ଷର ସୁଖ ଶାନ୍ତି ପରେ ପୁଣି ଭୟଙ୍କର ଅତ୍ୟାଚାରରେ ଈହୁଦୀ ଜାତି ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ‌। 

ଖ୍ରୀଷ୍ଟାବ୍ଦ ୭୦ରେ ଖ୍ରୀଷ୍ଟଧର୍ମଦ୍ଵାରା ଦୀକ୍ଷିତ ହୋଇସାରିଥିଵା ରୋମାନମାନେ ଜେରୁଜାଲେମ ଉପରେ ଆକ୍ରମଣ କରି ଈହୁଦୀମାନଙ୍କ ଦ୍ୱିତୀୟ ମନ୍ଦିରକୁ ଧ୍ୱଂସ କରିଦେଲେ। ହଜାର ହଜାର ଈହୁଦୀ ପୁରୁଷ, ମହିଳା ଓ ଶିଶୁଙ୍କୁ ହତ୍ୟା କରାଯାଇଥିଲା। ଈହୁଦୀ ଐତିହାସିକ ଫ୍ଲାଵିଅସ ଯୋସେଫସଙ୍କ ରଚନା The Jewish War ଅନୁସାରେ ସେ ସମୟରେ ୫୦୦୦୦ରୁ ୧୦୦୦୦୦ ସଂଖ୍ୟକ ଈହୁଦୀ ମୃତ୍ୟୁଵରଣ କରିଥିଲେ । ଦୈନିକ ୫୦୦ ପର୍ଯ୍ୟନ୍ତ ଈହୁଦୀ ବନ୍ଦୀଙ୍କୁ କ୍ରୁଶରେ ଚଢ଼ାଯାଇଥିଲା ଓ ଅନେକଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ପ୍ରାୟ ୯୭,୦୦୦ ଈହୁଦୀଙ୍କୁ ଦାସ କରାଯାଇଥିଲା ଏଵଂ ରୋମାନ ସାମ୍ରାଜ୍ୟର ଵିଭିନ୍ନ ସ୍ଥାନରେ ଵିକ୍ରି କରାଯାଇଥିଲା। ରୋମାନ ଖ୍ରୀଷ୍ଟିଆନମାନେ ଜେରୁଜେଲମକୁ ଅଵରୋଧ କରି ଖାଦ୍ୟ ଓ ଜଳ ଯୋଗାଣ ବନ୍ଦ କରିଥିଲେ, ଯାହା ଫଳରେ ଅନେକ ଈହୁଦୀ ଅନାହାରରେ ମୃତ୍ୟୁଵରଣ କରିଥିଲେ। ଜେରୁଜେଲମକୁ ଲୁଟ କରାଯାଇଥିଲା ଏଵଂ ନଗରର ଅଧିକାଂଶ ଅଂଶ ଜାଳି ଦିଆଯାଇଥିଲା। ଫଳତଃ ଅନେକ ଈହୁଦୀ ଉତ୍ତର ଆଫ୍ରିକା, ପାରସ୍ୟ, ଦକ୍ଷିଣ ଇଉରୋପ,ଚୀନ,ଭାରତ,ଜାପାନ ଓ ଅନ୍ୟାନ୍ୟ ଅଞ୍ଚଳକୁ ପଳାୟନ କରିଥିଲେ ।‌ ରୋମାନମାନଙ୍କ ଦ୍ଵାରା ଦ୍ଵିତୀୟ ମନ୍ଦିର ଧ୍ୱଂସ ପରେ, ଯୋହାନାନ ବେନ ଜାକ୍କାଇଙ୍କ ନେତୃତ୍ୱରେ ରାବାଇନିକ ଈହୁଦୀ ଧର୍ମର ଵିକାଶ ହୋଇଥିଲା। ସିନାଗଗ ଓ ତୋରା ନୂଆ ଧର୍ମୀୟ କେନ୍ଦ୍ର ହୋଇଥିଲା। ଜେରୁଜେଲମ ଅଵରୋଧ ସମୟରେ ଈହୁଦୀ ଗୋଷ୍ଠୀମାନଙ୍କ (ଯେମିତି ଜିଲଟ୍ସ) ମଧ୍ୟରେ ଆଭ୍ୟନ୍ତରୀଣ ଵିଭେଦ ଜେରୁଜେଲମର ପତନକୁ ତ୍ୱରାନ୍ୱିତ କରିଥିଲା। ତେବେ ଈଶ୍ଵରଵିଶ୍ଵାସୀ ଈହୁଦୀମାନେ ଏହି ଦୁର୍ଦ୍ଦଶାକୁ ଈଶ୍ୱରୀୟ ଶାସ୍ତି ଭାବେ ଵିଚାର କଲେ ଏଵଂ ତହିଁର ପ୍ରାୟଶ୍ଚିତ କରି ଜେରୁଜେଲମକୁ ଫେରିଵାର ଆଶାରେ ଅନ୍ୟ ଦେଶକୁ ପଳାୟନ କରିଥିଲେ । ଦେଶାନ୍ତରର ଦୁଃଖ ଭୋଗି ବି ଈହୁଦୀମାନେ ଆପଣାର ଧର୍ମୀୟ ପରମ୍ପରା ଜାରି ରଖିଥିଲେ।

ୟୁରୋପରେ ଖ୍ରୀଷ୍ଟଧର୍ମର ଉତ୍ଥାନ ସହ ଈହୁଦୀ-ଵିତୃଷ୍ଣା (Anti-Semitism) ଵୃଦ୍ଧି ପାଇଲା। ଈହୁଦୀମାନଙ୍କୁ "ଯୀଶୁଙ୍କ ହତ୍ୟାକାରୀ" ଭାବେ ଅଭିଯୁକ୍ତ କରାଯାଇଥିଲା। ରୋମାନ ସମ୍ରାଟ କନଷ୍ଟାଣ୍ଟାଇନ (୪ର୍ଥ ଶତାବ୍ଦୀ) ଖ୍ରୀଷ୍ଟଧର୍ମକୁ ରାଜଧର୍ମ ଘୋଷଣା କରି ଈହୁଦୀମାନଙ୍କୁ "ରାକ୍ଷସ" ଓ ସେମାନଙ୍କର ସିନାଗଗକୁ "ଵେଶ୍ୟାଳୟ" ବୋଲି ଘୋଷଣା କରିଥିଲେ।
କନଷ୍ଟାଣ୍ଟାଇନଙ୍କ ଆଇନ ଅନେକ ଈହୁଦୀମାନଙ୍କୁ ଖ୍ରୀଷ୍ଟଧର୍ମରେ ଧର୍ମାନ୍ତର ହେଵାକୁ ବାଧ୍ୟ କରିଥିଲା। ଈହୁଦୀ ଧର୍ମାଵଲମ୍ବୀମାନଙ୍କୁ ସିନାଗଗରେ ପୂଜା କରିଵାରେ କେତେକ କଟକଣା ଲାଗୁ ହୋଇଥିଲା । ଈହୁଦୀମାନଙ୍କୁ ରୋମାନ ପ୍ରଶାସନିକ ପଦବୀ ଵା ଉଚ୍ଚ ସାମରିକ ପଦରେ ନିଯୁକ୍ତି ଦିଆଯାଉ ନଥିଲା। ଛୋଟ ଦୋଷରେ ଏଵଂ ବେଳେବେଳେ ବିନା ଦୋଷରେ ବି ଈହୁଦୀମାନଙ୍କୁ ଧରି ନେଇ ଦଣ୍ଡିତ କରାଯାଉଥିଲା । ନିକିଆ ସଭା (୩୨୫ ଖ୍ରୀଷ୍ଟାବ୍ଦ) ମାଧ୍ୟମରେ ଖ୍ରୀଷ୍ଟୀୟ ପର୍ଵଗୁଡ଼ିକ (ଯେମିତି ଇଷ୍ଟର) ଈହୁଦୀ ପର୍ଵ (ଯେମିତି ପାସୋଵର) ସହ ସମ୍ପର୍କ ଛିନ୍ନ କରିଵାକୁ ନିଷ୍ପତ୍ତି ନିଆଯାଇଥିଲା, ଯାହା ଈହୁଦୀମାନଙ୍କୁ ଖ୍ରୀଷ୍ଟିଆନମାନଙ୍କଠାରୁ ଆହୁରି ଵିଚ୍ଛିନ୍ନ କରିଥିଲା। କନଷ୍ଟାଣ୍ଟାଇନ ଜେରୁଜେଲମକୁ ଖ୍ରୀଷ୍ଟୀୟ ତୀର୍ଥସ୍ଥଳୀ ଭାବେ ପୁନଃନିର୍ମାଣ କରିଥିଲେ (ଉ : ଚର୍ଚ ଅଫ୍ ଦି ହୋଲି ସେପୁଲକର)। ଈହୁଦୀମାନଙ୍କୁ ଜେରୁଜେଲମରେ ଵାସ କରିବା ଵା ମନ୍ଦିର ପୁନଃନିର୍ମାଣ କରିଵା ଉପରେ କଡ଼ା ନିଷେଧାଜ୍ଞା ଜାରି କରାଯାଇଥିଲା । କନଷ୍ଟାଣ୍ଟାଇନଙ୍କ ଖ୍ରୀଷ୍ଟଧର୍ମ-କେନ୍ଦ୍ରିକ ନୀତି ଈହୁଦୀମାନଙ୍କୁ ଖ୍ରୀଷ୍ଟିଆନମାନଙ୍କଠାରୁ ସାମାଜିକ ଭାବେ ପୃଥକ କରିଦେଲା। ତାଙ୍କ ଶାସନ ସମୟରେ ଈହୁଦୀ ଵିରୋଧୀ ମନୋଭାଵକୁ ପ୍ରୋତ୍ସାହନ ମିଳିଥିଲା, ଯାହା ପରଵର୍ତ୍ତୀ ଶତାବ୍ଦୀଗୁଡ଼ିକରେ ଆହୁରି ତୀଵ୍ର ହୋଇଥିଲା।

ପଞ୍ଚମ ଶତାବ୍ଦୀରୁ ଦ୍ୱାଦଶ ଶତାବ୍ଦୀ (ଖ୍ରୀଷ୍ଟାବ୍ଦ ୪୦୧–୧୨୦୦) ମଧ୍ୟରେ ଈହୁଦୀମାନେ ରୋମାନ ସାମ୍ରାଜ୍ୟ, ବାଇଜାଣ୍ଟାଇନ ସାମ୍ରାଜ୍ୟ, ଇଉରୋପୀୟ ରାଷ୍ଟ୍ରସମୂହ ଓ ମୁଷଳମାନ ଶାସିତ ଅଞ୍ଚଳରେ ଵିଭିନ୍ନ ପ୍ରକାରର ଅତ୍ୟାଚାର ଓ ଭେଦଭାଵର ସମ୍ମୁଖୀନ ହୋଇଥିଲେ। ଏହି ସମୟ ମଧ୍ୟଵର୍ତ୍ତୀ ଯୁଗର ପ୍ରାରମ୍ଭ ଓ ମଧ୍ୟଯୁଗୀୟ ଇଉରୋପରେ ଖ୍ରୀଷ୍ଟୀୟ ଓ ମୁଷଳମାନ ପ୍ରାଧାନ୍ୟର ସମୟ ଥିଲା। 

ସମ୍ରାଟ ଜଷ୍ଟିନିଆନ (୫୨୭–୫୬୫ ଖ୍ରୀ.) ତାଙ୍କର ଜଷ୍ଟିନିଆନ କୋଡ ମାଧ୍ୟମରେ ଈହୁଦୀମାନଙ୍କୁ ସରକାରୀ ପଦଵୀରୁ ବଞ୍ଚିତ କରିଥିଲେ ଏଵଂ ସିନାଗଗ ନିର୍ମାଣ ତଥା ଧର୍ମୀୟ ଅନୁଷ୍ଠାନ ଉପରେ କଡ଼ା ନିୟନ୍ତ୍ରଣ ଲାଗୁ କରିଥିଲେ। କିଛି ଅଞ୍ଚଳରେ ଈହୁଦୀମାନଙ୍କୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଵାକୁ ବାଧ୍ୟ କରାଯାଇଥିଲା ।‌ ସମ୍ରାଟ ହେରାକ୍ଲିଅସ (୬୧୦–୬୪୧) ସମୟରେ ଏହି ଆଇନ ଆହୁରି କଡ଼ାକଡ଼ି ଭାବରେ ପାଳନ କରାଗଲା ।
   
 ୬ଷ୍ଠ ଓ ୭ମ ଶତାବ୍ଦୀର ସ୍ପେନରେ Recared ପ୍ରଥମ ଓ Sisebutଙ୍କ ପରି ଵିସିଗୋଥିକ ରାଜାମାନେ ଈହୁଦୀମାନଙ୍କୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଵାକୁ ବାଧ୍ୟ କରିଥିଲେ। ଅମାନ୍ୟକାରୀଙ୍କୁ ଦେଶାନ୍ତର, ସମ୍ପତ୍ତି ଜବତ କିମ୍ବା ମୃତ୍ୟୁଦଣ୍ଡ ଦିଆଯାଇଥିଲା।

୧୧ମ ଶତାବ୍ଦୀରେ, ପ୍ରଥମ କ୍ରୁସେଡ ସମୟରେ, ୟୁରୋପରେ ଵିଶେଷତଃ ଜର୍ମାନୀର ରାଇନଲ୍ୟାଣ୍ଡ ଅଞ୍ଚଳରେ ଈହୁଦୀମାନଙ୍କର ଵ୍ୟାପକ ଗଣହତ୍ୟା ହୋଇଥିଲା। ଖିରସ୍ତାନୀ କ୍ରୁସେଡର୍‌ମାନେ ଈହୁଦୀମାନଙ୍କୁ “ଖ୍ରୀଷ୍ଟଙ୍କ ଶତ୍ରୁ” ଘୋଷଣା କରି ମୈନ୍ଜ, ଓର୍ମସ, ସ୍ପେୟାର ଆଦି ସହରରେ ହଜାର ହଜାର ସଂଖ୍ୟାରେ ହତ୍ୟା କରିଥିଲେ। ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡରେ ଈହୁଦୀମାନଙ୍କୁ ନିର୍ଦ୍ଦିଷ୍ଟ ପେଶା (ଯେମିତି ସୁଧଦେଣା) ଵ୍ୟତୀତ ଅନ୍ୟ ପେଶାରୁ ବାଦ ଦିଆଯାଉଥିଲା। ଖ୍ରୀଷ୍ଟିଆନମାନେ ଈହୁଦୀମାନଙ୍କୁ ଏତେ ମାତ୍ରାରେ ଘୃଣା କରୁଥିଲେ ଯେ ନିଜ ଘର ଗାଆଁ ପାଖରେ ରହିଵାକୁ ଦେଉନଥିଲେ ।‌ ଈହୁଦୀମାନଙ୍କୁ “ଗେଟୋ” (ପୃଥକ ଵାସସ୍ଥାନ)ରେ ରହିଵାକୁ ବାଧ୍ୟ କରାଯାଉଥିଲା। ଈହୁଦୀମାନଙ୍କୁ ବଦନାମ କରିଵାକୁ ମଧ୍ୟ ଯୁଗୀୟ ୟୁରୋପରେ Wandering jew ଭଳି ମିଥ୍ୟା କିମ୍ବଦନ୍ତୀ ଗଢ଼ାଯାଇଥିଲା ଫଳତଃ ଏହା ଆହୁରି ଅଧିକ ଈହୁଦୀ ହିଂସା ବୃଦ୍ଧି କରିଥିଲା। 

ସେହିପରି "Blood libel" ଅଭିଯୋଗ ବି ମଧ୍ୟଯୁଗୀୟ ଯୁରୋପରେ ଈହୁଦୀ ସମ୍ପ୍ରଦାୟ ଵିରୋଧୀ ହିଂସା ଓ ନିର୍ଯାତନାର ଏକ ପ୍ରମୁଖ କାରଣ ଥିଲା। ଏହି ମିଥ୍ୟା ଅଭିଯୋଗରେ କୁହାଯାଉଥିଲା ଯେ ଈହୁଦୀମାନେ ଖ୍ରୀଷ୍ଟିଆନ ଶିଶୁମାନଙ୍କୁ ହତ୍ୟା କରି ସେମାନଙ୍କ ରକ୍ତ ଧାର୍ମିକ ଅନୁଷ୍ଠାନ ପାଇଁ ଵ୍ୟଵହାର କରୁଥିଲେ। ଏହା ଖ୍ରୀଷ୍ଟିଆନ ସମାଜରେ ଈହୁଦୀମାନଙ୍କ ପ୍ରତି ଭୟ, ଘୃଣା ଓ ସନ୍ଦେହ ସୃଷ୍ଟି କରିଥିଲା, ଯାହା ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଈହୁଦୀ ଵିରୋଧୀ ମନୋଭାବ (antisemitism)କୁ ବଢ଼ାଇଥିଲା। ଏହି ଅଭିଯୋଗ ଯୋଗୁଁ ଈହୁଦୀମାନେ ସାମୂହିକ ହିଂସା, ଗଣହତ୍ୟା (pogroms), ସାମାଜିକ-ଆର୍ଥିକ ଵିଚ୍ଛିନ୍ନତା ଓ ଵହିଷ୍କାରର ଶିକାର ହୋଇଥିଲେ।

 ୧୧୪୪ ମସିହାରେ ଇଂଲଣ୍ଡର ନରୱିଚରେ ଜଣେ ଖ୍ରୀଷ୍ଟିଆନ ବାଳକ ଉଇଲିୟମଙ୍କ ହତ୍ୟା ପାଇଁ ଈହୁଦୀମାନଙ୍କୁ ଦାୟୀ କରାଯାଇଥିଲା। ଏହା ଇଉରୋପରେ ପ୍ରଥମ "blood libel" ଅଭିଯୋଗ ଭାବେ ଚିହ୍ନିତ। ଏହି ଘଟଣା ଯୋଗୁଁ ସ୍ଥାନୀୟ ଈହୁଦୀ ସମ୍ପ୍ରଦାୟ ଉପରେ ହିଂସା ଓ ନିର୍ଯାତନା ବଢ଼ିଥିଲା। ୧୨୫୫ରେ ଇଂଲଣ୍ଡର ଲିଂକନରେ ଜଣେ ଖ୍ରୀଷ୍ଟିଆନ ବାଳକ ହ୍ୟୁଙ୍କ ମୃତ୍ୟୁ ପାଇଁ ଈହୁଦୀମାନଙ୍କୁ "blood libel" ଅଭିଯୋଗରେ ଦୋଷୀ କରାଯାଇଥିଲା। ଏହି ଘଟଣାରେ ଅନେକ ଈହୁଦୀଙ୍କୁ ଗିରଫ କରାଯାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହା ଇଂଲଣ୍ଡରେ ଈହୁଦୀ ଵିରୋଧୀ ମନୋଭାବକୁ ଆହୁରି ବଢ଼ାଇଥିଲା, ଯାହା ୧୨୯୦ରେ ଈହୁଦୀମାନଙ୍କୁ ଦେଶରୁ ଵହିଷ୍କାର କରିଵାରେ ଏକ ଭୂମିକା ନେଇଥିଲା। ୧୨୯୮ ମସିହାରେ ଜର୍ମାନୀର ବ୍ଲସ (Bloos) ସହରରେ ଏକ ଖ୍ରୀଷ୍ଟିଆନ ଶିଶୁର ମୃତ୍ୟୁ ପାଇଁ ଈହୁଦୀମାନଙ୍କୁ ଦାୟୀ କରାଯାଇଥିଲା। ଏହି "blood libel" ଅଭିଯୋଗ ଯୋଗୁଁ ସ୍ଥାନୀୟ ଈହୁଦୀ ସମ୍ପ୍ରଦାୟ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ଅନେକ ଈହୁଦୀ ନିହତ ହୋଇଥିଲେ ଓ ସେମାନଙ୍କ ସମ୍ପତ୍ତି ନଷ୍ଟ କରାଯାଇଥିଲା। ଏହା ଜର୍ମାନୀର ଅନ୍ୟ ଅଞ୍ଚଳରେ ମଧ୍ୟ ଈହୁଦୀ ଵିରୋଧୀ ହିଂସାକୁ ପ୍ରଵର୍ତ୍ତାଇଥିଲା। ୧୪୭୫ ମସିହାରେ ଇଟାଲୀର ଟ୍ରେଣ୍ଟ ଅଞ୍ଚଳରେ ଏକ ଖ୍ରୀଷ୍ଟିଆନ ଶିଶୁ ସାଇମନ'ର ହତ୍ୟା ପାଇଁ ମଧ୍ୟ ଈହୁଦୀମାନଙ୍କୁ ଅଭିଯୁକ୍ତ କରାଯାଇଥିଲା । ଏହି ମିଥ୍ୟା ଅଭିଯୋଗରେ ଈହୁଦୀ ନେତା ଓ ସମ୍ପ୍ରଦାୟର ସଦସ୍ୟଙ୍କୁ ଗିରଫ କରାଯାଇ ନିର୍ଯାତନା ଦିଆଯାଇଥିଲା, କେତେକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହା ଇଟାଲୀ ଓ ଜର୍ମାନୀରେ ଈହୁଦୀ ଵିରୋଧୀ ହିଂସାକୁ ଆହୁରି ବଢ଼ାଇଥିଲା। "Blood libel" ଅଭିଯୋଗ ଈହୁଦୀମାନଙ୍କ ପ୍ରତି ଜନତାର ରୋଷ ବଢ଼ାଇଥିଲା, ଯାହା ଫଳରେ ସାମୂହିକ ଆକ୍ରମଣ, ଲୁଟପାଟ ଓ ହତ୍ୟା ଘଟୁଥିଲା। ଈହୁଦୀମାନଙ୍କୁ ଇଂଲଣ୍ଡ (୧୨୯୦), ଫ୍ରାନ୍ସ (୧୩୦୬) ଓ ସ୍ପେନ (୧୪୯୨) ଭଳି ଦେଶରୁ ଵହିଷ୍କୃତ କରାଯାଇଥିଲା ।‌

 ୧୪ଶ ଶତାବ୍ଦୀରେ,ମୁଖ୍ୟତଃ ୧୩୪୬-୧୩୫୩ ମଧ୍ୟରେ, ଇଉରୋପ, ଏସିଆ ଓ ଆଫ୍ରିକାରେ ପ୍ଲେଗ୍ ଵ୍ୟାପିଥିଲା। ଏହା ଇତିହାସରେ ସବୁଠାରୁ ମାରାତ୍ମକ ମହାମାରୀମାନଙ୍କ ମଧ୍ୟରୁ ଗୋଟିଏ ଥିଲା। 

ନଵମ ଶତାବ୍ଦୀର ୟୁରୋପୀୟ ଗୃହରେ ବିଲେଇ ପାଳିଵା ଆରମ୍ଭ ହୋଇଥିଲା। ଦଶମ ଶତାବ୍ଦୀ ବେଳକୁ ୟୁରୋପୀୟ ଧନୀକମାନେ ବଡ଼ ବଡ଼ କୋଠାରେ ବିଲେଇଙ୍କୁ ମୂଷା ମାରିଵା କାମ ପାଇଁ ରଖିଲେ । ତେବେ ଏକାଦଶରୁ ଦ୍ଵାଦଶ ଶତାବ୍ଦୀ ମଧ୍ୟରେ ୟୁରୋପୀୟ ଖ୍ରୀଷ୍ଟିଆନ ସମାଜରେ ବିଲେଇମାନଙ୍କୁ ସୈତାନର ଦୂତ ଓ ଡାହାଣୀର ସାହାଯ୍ୟକାରୀ ଵା ଡାହାଣୀର ଛଦ୍ମରୂପ ଇତ୍ୟାଦି କଳ୍ପନା କରି ଘୃଣା ଚକ୍ଷୁରେ ଦେଖାଗଲା । ଫଳତଃ ହଜାର ହଜାର ବିଲେଇଙ୍କୁ ମାରି ଦିଆଗଲା ।‌ ଏପଟେ ରେଶମ ମାର୍ଗ ଦେଇ ୟୁରୋପକୁ ପ୍ଲେଗ୍ ରୋଗ ଚାଲିଆସିଲା । ଏହା ମଙ୍ଗୋଲ ଵ୍ୟଵସାୟୀ ଓ ସୈନ୍ୟମାନଙ୍କ ଦ୍ୱାରା ଵ୍ୟାପିଥିଲା ଏଵଂ ପ୍ଲେଗ୍ ରୋଗ ସଂକ୍ରମଣରେ ମୁଖ୍ୟ ଖଳନାୟକ ମୂଷା ହିଁ ସାଜିଥିଲେ । ଯେହେତୁ ହଜାର ହଜାର ବିଲେଇଙ୍କୁ ଅନ୍ଧଵିଶ୍ୱାସ ଯୋଗୁଁ ୟୁରୋପୀୟମାନେ ମାରି ଦେଇଥିଲେ ତେଣୁ ମୂଷା ବଂଶ ଅହେତୁକ ବଢ଼ିଗଲା ଫଳତଃ ମୂଷାଙ୍କ ସହିତ ସାରା ୟୁରୋପରେ ପ୍ଲେଗ୍ ରୋଗ ବି ଵ୍ୟାପିଗଲା । ଏହି ପ୍ଲେଗ୍ ସଂକ୍ରମଣ ଏତେ ଭୟଙ୍କର ରୂପ ନେଲା ଯେ ଏହାକୁ Black Death ନାଆଁ ଦିଆଯାଇଥିଲା ।‌ ପ୍ଲେଗ୍ ସଂକ୍ରମଣ ଯୋଗୁଁ ତତ୍କାଳୀନ ୟୁରୋପୀୟ ଜନସଂଖ୍ୟାର ୩୦% ରୁ ୬୦%(ପ୍ରାୟ ୨୫ ନିୟୁତରୁ ୫୦ ନିୟୁତ) ପାଖାପାଖି ଲୋକ ମୃତ୍ୟୁଵରଣ କରିଥିଲେ । 

ଏବେ ଯେହେତୁ ଦୋଷାରୋପଣ ପାଇଁ ବିଲେଇ ନଥିଲେ ତେଣୁ ଖ୍ରୀଷ୍ଟିଆନମାନେ ପ୍ଲେଗ୍ ରୋଗ ସଂକ୍ରମଣ ପାଇଁ ଯାଦୁଗର,ତାନ୍ତ୍ରିକ, ଡାହାଣୀ ଵିଦ୍ୟା ଜାଣିଥିଵା ମହିଳା ଓ ଈହୁଦୀମାନଙ୍କୁ ଦାୟୀ କଲେ । ଅନେକ ମହିଳାମାନଙ୍କୁ ଡାହାଣୀ ସନ୍ଦେହ କରି ମାରିଦିଆଗଲା । ତେବେ ଖ୍ରୀଷ୍ଟିଆନମାନେ ପ୍ଲେଗରୋଗ ପାଇଁ ଈହୁଦୀମାନେ ଦାୟୀ ବୋଲି ସନ୍ଦେହ କଲେ କାରଣ ଈହୁଦୀମାନଙ୍କର ପ୍ଲେଗ୍ ଯୋଗୁଁ ମୃତ୍ୟୁହାର ସାଧାରଣ ୟୁରୋପୀୟ ଜନସଂଖ୍ୟା ତୁଳନାରେ ପ୍ରାୟ ୨୦% କମ୍ ଥିଲା । ତେବେ ଈହୁଦୀମାନଙ୍କର ସ୍ୱଚ୍ଛତା ଅଭ୍ୟାସ (ଯଥା:- ହାତ ଧୋଇବା,ସ୍ଵଚ୍ଛ ଖାଦ୍ୟ ଭକ୍ଷଣ ତଥା ଶୁଦ୍ଧ ଵସଵାସ ଓ ମୃତଦେହର ସଠିକ ସମାଧି) ଯୋଗୁଁ ଏହି ମୃତ୍ୟୁହାର କମ୍ ଥିଲା ବୋଲି ସେ ସମୟର ୟୁରୋପୀୟ ଖ୍ରୀଷ୍ଟିଆନମାନେ ବୁଝିପାରିନଥିଲେ । ଫଳତଃ ୟୁରୋପୀୟ ଖ୍ରୀଷ୍ଟିଆନମାନେ ଈହୁଦୀମାନଙ୍କୁ "କୂଅରେ ଵିଷ ପକାଇଵା" ଅଭିଯୋଗରେ ଅନ୍ୟାୟ ଭାବେ ଦାୟୀ କରିଥିଲେ । ବାର୍ବାରା ଟଚମ୍ୟାନଙ୍କ ଭାଷାରେ - "The Jews were accused of poisoning wells, spreading the plague, and other heinous crimes" (Barbara Tuchman, A Distant Mirror) । 

ପ୍ଲେଗର ରୋଗର ଵାହକ ତଥା ପ୍ଲେଗ ରୋଗର କାରକ ଵିଚାର କରି ୟୁରୋପୀୟ ଖ୍ରୀଷ୍ଟିଆନମାନେ ହଜାର ହଜାର ଈହୁଦୀଙ୍କୁ ହତ୍ୟା କରିଥିଲେ ପୁଣି ସେମାନଙ୍କର ସମ୍ପତ୍ତି ମଧ୍ୟ ଲୁଣ୍ଠନ ହୋଇଥିଲା। ଟୋଲୋନ୍ (୧୩୪୮)ରେ ୪୦ ଜଣ ଈହୁଦୀଙ୍କୁ ତାଙ୍କ ନିଜ ଘରେ ନିର୍ମମ ହତ୍ୟା କରାଯାଇଥିଲା। ସ୍ଟ୍ରାସବର୍ଗ (୧୩୪୯)ରେ ପ୍ଲେଗ୍ ଵ୍ୟାପିନଥିଲେ ବି କେଵଳ ହିଂସା ଦ୍ୱେଷ ଓ ଭୟ ଯୋଗୁଁ ୨,୦୦୦ ଈହୁଦୀଙ୍କୁ "ଵାଲେଣ୍ଟାଇନ୍ ଡେ" ଗଣହତ୍ୟାରେ ଜଳାଇ ଦିଆଯାଇଥିଲା ।‌ମେଞ୍ଜ୍ (୧୩୪୯)ରେ ୩,୦୦୦ ଈହୁଦୀ ସମ୍ପ୍ରଦାୟ(Comunity) ନିଶ୍ଚିହ୍ନ ହୋଇଥିଲା । ଈହୁଦୀମାନେ ପ୍ରଥମେ ଆତ୍ମରକ୍ଷା କରିଥିଲେ, କିନ୍ତୁ ଖ୍ରୀଷ୍ଟିୟାନ ଆକ୍ରମଣକାରୀମାନେ ସେମାନଙ୍କୁ ପରାସ୍ତ କରି ସମସ୍ତଙ୍କୁ ହତ୍ୟା କରିଥିଲେ। ସ୍ପେୟାରରେ ଈହୁଦୀମାନଙ୍କ ମୃତଦେହକୁ ମଦ ପାତ୍ରରେ ଭର୍ତ୍ତି କରି ରାଇନ ନଦୀରେ ଫୋପାଡ଼ି ଦିଆଯାଇଥିଲା।କୋଲୋନ୍ ଓ ଫ୍ରାଙ୍କଫର୍ଟ ସହରରେ ଜଣେ ବି ଈହୁଦୀ ଗଣହତ୍ୟାରୁ ଵର୍ତ୍ତିପାରିନଥିଲା । କାଇବର୍ଗ କାଷ୍ଟେଲ (୧୩୪୯)ରେ ୩୩୦ ଈହୁଦୀଙ୍କୁ ଜୀଅନ୍ତା ଜଳାଇ ଦିଆଯାଇଥିଲା। ୧୩୪୮-୧୩୫୧ ମଧ୍ୟରେ ପ୍ରାୟ ୩୫୦ଟି ବଡ଼ ଓ ଛୋଟ ଗଣହତ୍ୟା ଘଟିଥିଲା, ଯେଉଁଥିରେ ୫୧୦ଟି ଈହୁଦୀ ସମ୍ପ୍ରଦାୟ ଧ୍ୱଂସ ହୋଇଥିଲା।ମେଞ୍ଜରେ ୬,୦୦୦ ଓ ଫ୍ରାଙ୍କଫର୍ଟରେ ୧୯,୦୦୦ରୁ ଅଧିକ ଈହୁଦୀ ନିଶ୍ଚିହ୍ନ ହୋଇଥିଵା ରେକର୍ଡ ମିଳେ। ଅନେକ ସ୍ଥାନରେ ହଜାର ହଜାର ଈହୁଦୀଙ୍କୁ ହତ୍ୟା କରାଯାଇଥିଲା କିମ୍ବା ନିର୍ଵାସିତ କରାଯାଇଥିଲା, ଯାହା ଫଳରେ ଫ୍ରାନ୍ସ, ଜର୍ମାନୀ ଓ ଇଂଲଣ୍ଡରେ ଈହୁଦୀ ସମ୍ପ୍ରଦାୟ ପ୍ରାୟ ଵିଲୁପ୍ତ ହୋଇଯାଇଥିଲା। ଏହି ଅତ୍ୟାଚାର ଯୋଗୁଁ ଅନେକ ଈହୁଦୀ ପଶ୍ଚିମ ୟୁରୋପରୁ ପୋଲାଣ୍ଡ ଓ ଲିଥୁଆନିଆକୁ ପଳାୟନ କରିଥିଲେ, ଯେଉଁଠାରେ ପୋଲାଣ୍ଡର ରାଜା "କାସିମିର ତୃତୀୟ" ସେମାନଙ୍କୁ ଆଶ୍ରୟ ଦେଇଥିଲେ।

ତେବେ ଈହୁଦୀମାନେ ଦେଶାନ୍ତରରେ ଯୋଉ ଦେଶକୁ ଗଲେ ସେଠି ଅତ୍ୟାଚାରର ଶିକାର ହୋଇଥିଲେ । ଉଦାହରଣ ସ୍ଵରୂପ ଉତ୍ତର ଆଫ୍ରିକାର ମରକ୍କୋ ଦେଶରେ ଯାଇ ରହୁଥିଵା ଈହୁଦୀମାନଙ୍କ ଉପରେ ୧୪୬୫ ମସିହାରେ ମୁଷଳମାନମାନେ ଆକ୍ରମଣ କରି ଅନେକ ଲୋକଙ୍କୁ ମାରି ଦେଇଥିଲେ । 

 ୧୪୯୨ ମସିହାରେ, ସ୍ପାନିଶ ଇନକ୍ୱିଜିସନ (Spanish Inquisition) ସମୟରେ, ରାଜା ଫର୍ଡିନାଣ୍ଡ ଓ ରାଣୀ ଇସାବେଲାଙ୍କ ଆଦେଶରେ ଈହୁଦୀମାନଙ୍କୁ ସ୍ପେନରୁ ନିର୍ଵାସିତ କରାଯାଇଥିଲା। ଯେଉଁମାନେ ଖ୍ରୀଷ୍ଟଧର୍ମ ଗ୍ରହଣ କରି ନଥିଲେ, ସେମାନଙ୍କୁ ଦେଶ ଛାଡିଵାକୁ ବାଧ୍ୟ କରାଯାଇଥିଲା, ଅନ୍ୟଥା ସେମାନଙ୍କୁ ନିର୍ଯାତନା କିମ୍ବା ମୃତ୍ୟୁଦଣ୍ଡ ଦିଆଯାଉଥିଲା। ଏହି ନିର୍ଵାସନ ଯୋଗୁଁ ଲକ୍ଷ ଲକ୍ଷ ଈହୁଦୀ ତୁର୍କୀ, ଉତ୍ତର ଆଫ୍ରିକା ଏଵଂ ଅନ୍ୟାନ୍ୟ ସ୍ଥାନକୁ ପଳାୟନ କରିଥିଲେ। ୧୪୯୭ ମସିହାରେ, ପର୍ତ୍ତୁଗାଲରେ ମଧ୍ୟ ଈହୁଦୀମାନଙ୍କୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଵାକୁ ବାଧ୍ୟ କରାଯାଇଥିଲା, ନଚେତ୍ ସେମାନଙ୍କୁ ନିର୍ଵାସନ କିମ୍ବା ମୃତ୍ୟୁଦଣ୍ଡ ଦିଆଯାଉଥିଲା।

ୟୁକ୍ରେନ ଓ ପୋଲାଣ୍ଡ ଅଞ୍ଚଳରେ ଖମେଲନିତ୍ସକି ଵିଦ୍ରୋହ (୧୬୪୮–୧୬୫୭) ସମୟରେ, ଈହୁଦୀ ସମୁଦାୟ ଉପରେ ଭୟଙ୍କର ଅତ୍ୟାଚାର ହୋଇଥିଲା। ହଜାର ହଜାର ଈହୁଦୀଙ୍କୁ ହତ୍ୟା କରାଯାଇଥିଲା ଏଵଂ ଅନେକେ ନିର୍ଵାସିତ ହୋଇଥିଲେ। 

ସପ୍ତଦଶ ଶତାବ୍ଦୀ ସମୟରେ ଈହୁଦୀମାନଙ୍କୁ ରୁଷିଆରେ ରହିଵା ଉପରେ କଟକଣା ଲଗାଯାଇଥିଲା ଏଵଂ ସେମାନଙ୍କୁ ଅନେକ ପୋଗ୍ରୋମ (ସଂଗଠିତ ହିଂସା)ର ଶିକାର ହେଵାକୁ ପଡ଼ିଥିଲା।

ଅଷ୍ଟାଦଶ ଶତାବ୍ଦୀ ସମୟରେ "ପେଲ ଅଫ ସେଟଲମେଣ୍ଟ" ନୀତି ଅନୁଯାୟୀ, ଈହୁଦୀମାନଙ୍କୁ ରୁଷିଆର ନିର୍ଦ୍ଦିଷ୍ଟ ଅଞ୍ଚଳରେ (ମୁଖ୍ୟତଃ ପଶ୍ଚିମ ରୁଷିଆ, ଇଉକ୍ରେନ, ଓ ପୋଲାଣ୍ଡ) ରହିଵାକୁ ବାଧ୍ୟ କରାଯାଇଥିଲା। ଏହି ଅଞ୍ଚଳରେ ସେମାନେ ଅର୍ଥନୈତିକ ଓ ସାମାଜିକ ଵୈଷମ୍ୟର ଶିକାର ହୋଇଥିଲେ। ଅଷ୍ଟାଦଶ ଶତାବ୍ଦୀର ଜର୍ମାନୀରେ ମଧ୍ୟ ଈହୁଦୀମାନେ ଅତ୍ୟାଚାରିତ ହୋଇଥିଲେ । ଈହୁଦୀମାନଙ୍କୁ ସୀମିତ ଅଧିକାର ଦିଆଯାଉଥିଲା, ଏଵଂ ସେମାନଙ୍କୁ ନିର୍ଦ୍ଦିଷ୍ଟ ପେଶା ଓ ଅଞ୍ଚଳରେ ରହିଵାକୁ ବାଧ୍ୟ କରାଯାଉଥିଲା।. 

ଊନବିଂଶ ଶତାବ୍ଦୀ ସମୟର ରୁଷିଆରେ ପୋଗ୍ରୋମ ଅଧିକ ତୀଵ୍ର ହୋଇଥିଲା, ଵିଶେଷତଃ ୧୮୮୧–୧୮୮୪ ଏଵଂ ୧୯୦୩–୧୯୦୬ ମଧ୍ୟରେ ଈହୁଦୀମାନେ ଅତ୍ୟାଚାରିତ ହୋଇଥିଲେ । ହଜାର ହଜାର ଈହୁଦୀଙ୍କୁ ହତ୍ୟା କରାଯାଇଥିଲା ଏଵଂ ଅନେକେ ପଶ୍ଚିମ ଇଉରୋପ ଓ ଆମେରିକାକୁ ପଳାୟନ କରିଥିଲେ।

ଊନବିଂଶ ଶତାବ୍ଦୀର ଫ୍ରାନ୍ସରେ ଡ୍ରେଫୁସ ଘଟଣା (୧୮୯୪)ରେ, ଈହୁଦୀ ସେନା ଅଧିକାରୀ ଆଲଫ୍ରେଡ ଡ୍ରେଫୁସଙ୍କୁ ମିଥ୍ୟା ରାଜଦ୍ରୋହ ଅଭିଯୋଗରେ ଦଣ୍ଡିତ କରାଯାଇଥିଲା, ଯାହା ଫ୍ରାନ୍ସରେ ଈହୁଦୀ ଵିରୋଧୀ ମନୋଭାବକୁ ପ୍ରକାଶ କରିଥିଲା।ଜର୍ମାନୀ ଓ ଅଷ୍ଟ୍ରିଆରେ ଊନବିଂଶ ଶତାବ୍ଦୀରେ ଈହୁଦୀ ଵିରୋଧୀ ଭାବନା ବୃଦ୍ଧି ପାଇଥିଲା, ଯାହା ପରଵର୍ତ୍ତୀ ଶତାବ୍ଦୀରେ ହୋଲୋକଷ୍ଟର ମୂଳ କାରଣ ହୋଇଥିଲା।


ବିଂଶ ଶତାବ୍ଦୀରେ, ହୋଲୋକଷ୍ଟ(1933-1945) ଈହୁଦୀ ଇତିହାସରେ ସବୁଠାରୁ ଭୟଙ୍କର ଅଧ୍ୟାୟ ଥିଲା। ୧୯୩୩ ରୁ ୧୯୪୫ ମଧ୍ୟରେ ନାଜୀ ଜର୍ମାନୀ ଏଵଂ ତା'ର ସହଯୋଗୀମାନଙ୍କ ଦ୍ୱାରା ହୋଲୋକଷ୍ଟ (Holocaust) ସଂଘଟିତ ହୋଇଥିଲା ଯାହା ଇତିହାସରେ ଈହୁଦୀମାନଙ୍କ ଉପରେ ହୋଇଥିଵା ସବୁଠାରୁ ଭୟଙ୍କର ସଂଗଠିତ ଅତ୍ୟାଚାର ଅଟେ। ଏହା ନାଜୀ ନେତା ଆଡଲଫ୍ ହିଟଲରଙ୍କ "ଫାଇନାଲ ସୋଲ୍ୟୁସନ"(Final Solution) ନୀତିର ଅଂଶ ଥିଲା ଏଵଂ ଇଉରୋପରୁ ଈହୁଦୀ ଜାତିକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବା ଏହି ନୀତିର ମୂଳ ଲକ୍ଷ୍ୟ ଥିଲା। ପ୍ରଥମ ପର୍ଯ୍ୟାୟରେ ଈହୁଦୀମାନଙ୍କୁ
ଜର୍ମାନୀ, ପୋଲାଣ୍ଡ ଏଵଂ ଅନ୍ୟାନ୍ୟ ନାଜୀ-ଅଧିକୃତ ଅଞ୍ଚଳରେ ଗେଟୋ ଵ୍ୟଵସ୍ଥାରେ ଅତ୍ୟନ୍ତ ଅସ୍ଵାସ୍ଥ୍ୟକର ପରିଵେଶରେ ରଖାଯାଇଥିଲା ‌। ଏହି ଗେଟୋଗୁଡ଼ିକରେ ଅତ୍ୟନ୍ତ ଖରାପ ଜୀଵନଯାପନ ପରିସ୍ଥିତି, ଅପପୁଷ୍ଟି ଏଵଂ ରୋଗ ଵ୍ୟାପିଵା ସାଧାରଣ ଥିଲା। ଈହୁଦୀମାନଙ୍କୁ ସେମାନଙ୍କ ଘରୁ ବଳପୂର୍ଵକ ଉଚ୍ଛେଦ କରାଯାଇ କନସେଂଟ୍ରେସନ କ୍ୟାମ୍ପ (Concentration Camps) ଓ ଡେଥ୍ କ୍ୟାମ୍ପ(Death Camps)କୁ ପଠାଯାଇଥିଲା। ଏହି ନିର୍ଵାସନ ଅଧିକାଂଶ ସମୟରେ ଅମାନଵୀୟ ପରିଵହନ ମାଧ୍ୟମରେ (ଯେପରିକି, ଗୋରୁ ବଗିରେ) ହୋଇଥିଲା ଫଳତଃ ଅନେକେ ଖାଦ୍ୟ, ପାଣି ଓ ଅମ୍ଳଜାନ ଅଭାବରେ ମୃତ୍ୟୁଵରଣ କରୁଥିଲେ।
ଈହୁଦୀମାନଙ୍କୁ ଶ୍ରମ ଶିବିରରେ (Labor Camps) ଅମାନବୀୟ ପରିସ୍ଥିତିରେ କାମ କରିଵାକୁ ବାଧ୍ୟ କରାଯାଉଥିଲା। ଅପପୁଷ୍ଟି, ଅତ୍ୟଧିକ ଶ୍ରମ ଏଵଂ ନିର୍ଯାତନା ଯୋଗୁଁ ଅନେକେ ମରୁଥିଲେ। ହଜାର ହଜାର ଈହୁଦୀ ମହିଳା ବଳାତ୍କାରର ଶିକାର ହୋଇଥିଲେ । 
ନାଜୀମାନେ ଆଉଶ୍ୱିଟ୍ଜ୍-ବିରକେନାଉ, ଟ୍ରେବଲିଙ୍କା, ସୋବିବୋର୍, ବେଲଜେକ୍, ମାଜଦାନେକ୍ ଓ ଚେଲମ୍ନୋ ଭଳି ଶିବିରଗୁଡ଼ିକରେ ଗ୍ୟାସ ଚାମ୍ବର (Gas Chambers) ଦ୍ଵାରା ଲକ୍ଷ ଲକ୍ଷ ଈହୁଦୀଙ୍କୁ ହତ୍ୟା କରିଥିଲେ। ଜାଇକ୍ଲୋନ୍-ବି ଭଳି ଵିଷାକ୍ତ ଗ୍ୟାସ ଏଵଂ କାର୍ବନ୍ ମୋନୋକ୍ସାଇଡ୍ ଵ୍ୟଵହାର କରି ଈହୁଦୀମାନଙ୍କୁ ଖ୍ରୀଷ୍ଟିଆନ ନାଜିମାନେ କଷ୍ଟ ଦେଇ ଦେଇ ମାରିଥିଲେ ।
 ଆଇନସାତ୍ଜଗ୍ରୁପେନ୍ ନାମକ ଏକ ଵିଶିଷ୍ଟ ନାଜୀ ଦଳ ପୂର୍ଵ ଇଉରୋପରେ (ଵିଶେଷତଃ ରୁଷିଆ, ଇଉକ୍ରେନ, ଓ ବେଲାରୁଷ) ଗାଁ ଓ ସହରଗୁଡ଼ିକରେ ବୁଲି ବୁଲି ରୋମା ଜାତି, କମ୍ୟୁନିଷ୍ଟ ,ମୁଷଳମାନ ଓ ଵିଶେଷ କରି ଈହୁଦୀମାନଙ୍କୁ ଗୁଳି କରି ହତ୍ୟା କରୁଥିଲେ ।
ଏହି ଦଳ ଦ୍ଵାରା ଅଣଖ୍ରୀଷ୍ଟିଆନ୍ ମହିଳାମାନଙ୍କୁ ବଳାତ୍କାର କରି ମାରି ଦିଆଯାଉଥିଲା । Babi Yar(୧୯୪୧) ଭଳି ଗଣହତ୍ୟାରେ ୩୩,୦୦୦ରୁ ଅଧିକ ଈହୁଦୀଙ୍କୁ ମାତ୍ର ଦୁଇ ଦିନରେ ହତ୍ୟା କରାଯାଇଥିଲା।

ଜୋସେଫ ମେଙ୍ଗେଲେଙ୍କ ପରି ଖ୍ରୀଷ୍ଟିଆନ ନାଜି ଡାକ୍ତରମାନେ ଈହୁଦୀ ବନ୍ଦୀମାନଙ୍କ ଉପରେ ଅମାନଵୀୟ ମେଡିକାଲ ପରୀକ୍ଷା-ନିରୀକ୍ଷା କରୁଥିଲେ। ଏହି ଡାକ୍ତରମାନେ ଏନେସ୍ଥେସିଆ ନଦେଇ ଈହୁଦୀମାନଙ୍କୁ କଷ୍ଟ ଦେଇ ପରୀକ୍ଷଣ କରୁଥିଲେ । ରାସାୟନିକ ପଦାର୍ଥର ପରୀକ୍ଷଣ ଏଵଂ ଜୈଵିକ ପରୀକ୍ଷଣ ମଧ୍ୟ ଏହାର ଅନ୍ତର୍ଭୁକ୍ତ ଥିଲା।

ହୋଲୋକଷ୍ଟ ସମୟରେ ପ୍ରାୟ ୬୦ ଲକ୍ଷ (୬ ମିଲିୟନ) ଈହୁଦୀଙ୍କୁ ମାରି ଦିଆଯାଇଥିଲା, ଯାହା ସେତେବେଳେ ଇଉରୋପର ଈହୁଦୀ ଜନସଂଖ୍ୟାର ପ୍ରାୟ ଦୁଇ-ତୃତୀୟାଂଶ ଥିଲା। ଏହି ମୃତ୍ୟୁ ଵିଭିନ୍ନ ଦେଶ ଓ ଶିବିରରେ ହୋଇଥିଲା। ପୋଲାଣ୍ଡ ଥିଲା ହୋଲୋକଷ୍ଟର ସବୁଠାରୁ ବଡ଼ କେନ୍ଦ୍ର,ଏଠି ପ୍ରାୟ ୩୦ ଲକ୍ଷ ଈହୁଦୀ ହତ୍ୟା ହୋଇଥିଲେ।ଆଇନସାତ୍ଜଗ୍ରୁପେନ ଦଳ ଦ୍ୱାରା ପୂର୍ଵ ଇଉରୋପରେ ପ୍ରାୟ ୧୦–୧୫ ଲକ୍ଷ ଈହୁଦୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଅନ୍ୟ ଶିବିର ଓ ଗେଟୋରେ ମଧ୍ୟ ଅନେକ ଈହୁଦୀ ହତ୍ୟା ହୋଇଥିଲେ। ଜର୍ମାନୀରେ ପ୍ରାୟ ୧,୬୫,୦୦୦ ଈହୁଦୀ ନିର୍ଵାସିତ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଶିବିରରେ ହତ୍ୟା ହୋଇଥିଲେ। ୧୯୪୪ରେ, ୪,୩୭,୦୦୦ରୁ ଅଧିକ ହଙ୍ଗେରୀୟ ଈହୁଦୀଙ୍କୁ ଆଉଶ୍ୱିଟ୍ଜକୁ ନିର୍ଵାସିତ କରାଯାଇଥିଲା, ତନ୍ମଧ୍ୟରେ ଅଧିକାଂଶଙ୍କୁ ହତ୍ୟା କରାଯାଇଥିଲା।
ଫ୍ରାନ୍ସରେ ପ୍ରାୟ ୭୬,୦୦୦ ଈହୁଦୀ ନିର୍ବାସିତ ହୋଇ ଶିବିରରେ ହତ୍ୟାର ଶିକାର ହୋଇଥିଲେ। ନେଦରଲ୍ୟାଣ୍ଡରେ ପ୍ରାୟ ୧,୦୦,୦୦୦ ଲକ୍ଷ ଈହୁଦୀଙ୍କୁ ମାରି ଦିଆଯାଇଥିଲା ‌। ରୋମାନିଆରେ ପ୍ରାୟ ୨,୭୦,୦୦୦ ଈହୁଦୀଙ୍କ ମରାଯାଇଥିଲା।ଚେକୋସ୍ଲୋଭାକିଆରେ ୮୦,୦୦୦ଙ୍କୁ ଈହୁଦୀଙ୍କୁ ମାରି ଦିଆଯାଇଥିଲା । ଅନ୍ୟାନ୍ୟ ଦେଶ ଯେପରିକି ଇଟାଲୀ, ବେଲଜିୟମ, ଗ୍ରୀସ୍ ଇତ୍ୟାଦିରେ ମଧ୍ୟ ହଜାର ହଜାର ଈହୁଦୀ ହତ୍ୟା ହୋଇଥିଲେ।

ହୋଲୋକଷ୍ଟ ସମ୍ବନ୍ଧରେ ଏଲି ୱିଜେଲ ଵର୍ଣ୍ଣନା କରି କୁହନ୍ତି: "The Holocaust was not only a Jewish tragedy but a human tragedy, a scar on the conscience of the world." । 

ହୋଲୋକଷ୍ଟ ପରେ, ସାୟନବାଦ(Zionism) ମାଧ୍ୟମରେ ଈହୁଦୀମାନେ ନିଜର ପ୍ରାଚୀନ ମାତୃଭୂମିକୁ ଫେରିଵାକୁ ଚେଷ୍ଟା କଲେ। 1948ରେ ଆଧୁନିକ ଇସ୍ରାଏଲ ରାଷ୍ଟ୍ର ସ୍ଥାପିତ ହେଲା। ନିଜ ମୂଳଭୂମିରେ ସ୍ଵତନ୍ତ୍ର ଦେଶର ଗଠନ ପରେ ମରି ମରି ଯାଉଥିଵା ହିବ୍ରୁ ଭାଷାକୁ ରାଷ୍ଟ୍ରଭାଷା କରି ଈହୁଦୀମାନେ ତାକୁ ପୁର୍ନଜୀଵିତ କରିଦେଲେ ‌। ମାତ୍ର ଛଅ ଦଶନ୍ଧି ମଧ୍ୟରେ, ଇସ୍ରାଏଲ ଵିଜ୍ଞାନ, କୃଷି, ଓ ପ୍ରଯୁକ୍ତି କ୍ଷେତ୍ରରେ ଅଭୂତପୂର୍ଵ ଉନ୍ନତି କରିଛି। Kibbutz (ସାମୂହିକ କୃଷି ସମ୍ପ୍ରଦାୟ) ଓ Drip Irrigation ଭଳି ନୂତନ ପ୍ରଣାଳୀ ଇସ୍ରାଏଲର ମରୁଭୂମିକୁ ସବୁଜ ସୁନ୍ଦର କରିଛି। ଏକଦା ଏହାର ସ୍ଵପ୍ନ ଦେଖି ଇସ୍ରାଏଲର ପ୍ରଥମ ପ୍ରଧାନମନ୍ତ୍ରୀ ଡେଭିଡ ବେନ-ଗୁରିଅନ କହିଥିଲେ : "A nation’s strength lies in its unity and pride in its heritage." ।‌ 

ଆଜି ତାଙ୍କର ସ୍ଵପ୍ନ ସାକାର ହୋଇଛି । ଅଵଶ୍ୟ ଵିପତ୍ତିର ଅମା ଅନ୍ଧକାର ଇସ୍ରାଏଲ ଓ ଈହୁଦୀଙ୍କ ଉପରୁ ସମ୍ପୂର୍ଣ୍ଣ ଛାଡ଼ି ନାହିଁ ତଥାପି ଇସ୍ରାଏଲ ଆଜି ଏକ ଶକ୍ତିଶାଳୀ ଦେଶ ରୂପେ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟରେ ମୁଣ୍ଡ ଟେକି ଛିଡ଼ା ହୋଇଛି । ସମସ୍ତ ଈହୁଦୀ ଵିରୋଧି ଶକ୍ତି ଶତଚେଷ୍ଟା କରି ମଧ୍ୟ ଇସ୍ରାଏଲକୁ ହରାଇ ପାରିନାହାନ୍ତି । ମାତ୍ର ଛଅ ଦଶନ୍ଧି ମଧ୍ୟରେ ଇସ୍ରାଏଲ୍ ର ଉନ୍ନତିରୁ ଅନ୍ୟ ମାନଵଜାତି ମାନଙ୍କୁ ଅନେକ କିଛି ଶିଖିଵାର ଅଛି । ଵିଶେଷତଃ ଵିଭିନ୍ନ ଜାତୀୟତାରେ ଛନ୍ଦି ହୋଇ ପଡି଼ଥିଵା ପ୍ରାଚୀନ କଳିଙ୍ଗଦେଶୀୟ ମାନଙ୍କ(ଉଡ୍ର,ଉତ୍କଳୀ,କଳିଙ୍ଗୀ) ଵର୍ତ୍ତମାନ ଦାୟାଦ ଓଡ଼ିଆମାନେ ଶିଖିଵା ଆଵଶ୍ୟକ ଯେ ଅନ୍ୟର ପରିଚୟରେ ପରିଚିତ ନହୋଇ ଵରଂ ଈହୁଦୀମାନଙ୍କ ଭଳି ନିଜର ପରିଚୟ ସୃଷ୍ଟି କରିଵାକୁ ଚେଷ୍ଟା କରନ୍ତୁ ଅନ୍ୟଥା ଦିନ ଆସିଵ ନିଜ ମାଟି ନିଜ ପରିଚୟ ହରାଇ ଅନନ୍ତ ଦୁଃଖ ଯାତନା ସହ୍ୟ କରିଵାକୁ ପଡି଼ଵ ‌ । 




No comments:

Post a Comment

•ମାନଵ ଅସ୍ତିତ୍ୱର ଦୁର୍ଲଭତା ଓ ମୂଲ୍ୟ: ଏକ ଗହନ ଚିନ୍ତନ•

ଏହି ପୃଥିଵୀରେ ଆଜି ପର୍ଯ୍ୟନ୍ତ କେତେ ମଣିଷ ଜନ୍ମ ନେଇଛନ୍ତି? ଏହା ଏକ ଏଭଳି ପ୍ରଶ୍ନ ଯାହା ଆମକୁ ଆମର ଅସ୍ତିତ୍ୱର ଵିଶାଳ ପରିଦୃଶ୍ୟରେ ଆମ ନିଜର ସ୍ଥାନ ଵିଷୟରେ ଚିନ୍ତା ...