ମାନଵ ଶରୀରର ୩୭ ଡିଗ୍ରୀ ସେଲସିୟସ ତାପମାତ୍ରା ଏକ ଵିକାଶଗତ ଅନୁକୂଳନ। ଏହି ତାପମାତ୍ରାରେ ଅଧିକାଂଶ ଅଣୁଜୀଵ ନିଷ୍କ୍ରିୟ ହୋଇଯାଆନ୍ତି। ଯେଉଁ ଅଣୁଜୀଵ ଏହି ତାପମାତ୍ରାରେ ସକ୍ରିୟ ରହନ୍ତି, ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଶରୀର ଜ୍ୱର ସୃଷ୍ଟି କରେ, ଯାହା ଶରୀରର ତାପମାତ୍ରାକୁ ଆହୁରି ବୃଦ୍ଧି କରି ସଂକ୍ରମଣକୁ ପ୍ରତିରୋଧ କରେ। ଵୈଜ୍ଞାନିକମାନେ ମତ ଦିଅନ୍ତି ଯେ ଏହି ତାପମାତ୍ରା ମାନଵ ଶରୀରର ମେଟାବୋଲିକ ପ୍ରକ୍ରିୟା ଓ ଇମ୍ୟୁନ ସିଷ୍ଟମ ପାଇଁ ଆଦର୍ଶ। ଡକ୍ଟର ପିଟର ନୋବେଲ, ଜଣେ ଵିଖ୍ୟାତ ଫିଜିଓଲୋଜିଷ୍ଟ, ସେ ଏ ଵିଷୟରେ ମଦ ଦିଅନ୍ତି,“ମାନଵ ଶରୀରର ୩୭ ଡିଗ୍ରୀ ତାପମାତ୍ରା ଏକ ସନ୍ତୁଳନ ସୃଷ୍ଟି କରେ, ଯାହା ଶକ୍ତି ସଂରକ୍ଷଣ ଓ ସଂକ୍ରମଣ ପ୍ରତିରୋଧ ମଧ୍ୟରେ ସମନ୍ୱୟ ରକ୍ଷା କରେ।”
ମାନବ ଶରୀର ଆପଣାର ତାପମାତ୍ରା ନିୟନ୍ତ୍ରଣ ପାଇଁ ଵିଭିନ୍ନ ପ୍ରକ୍ରିୟା ଉପରେ ନିର୍ଭର କରେ, ଯେପରିକି ଶ୍ଵେଦ ନିର୍ଗମନ(ଝାଳ ବାହାରିଵା ପ୍ରକ୍ରିୟା), ଶ୍ୱାସ-ପ୍ରଶ୍ୱାସ, ଓ ରକ୍ତ ସଞ୍ଚାଳନ। ଯେତେବେଳେ ଵାହ୍ୟ ତାପମାତ୍ରା ୩୭ ଡିଗ୍ରୀରୁ ଅଧିକ ହୁଏ, ଶରୀର ଶ୍ଵେଦ ମାଧ୍ୟମରେ ତାପ ନିର୍ଗମନ କରି ନିଜକୁ ଥଣ୍ଡା ରଖିଵାକୁ ଚେଷ୍ଟା କରେ। କିନ୍ତୁ ଯଦି ଵାହ୍ୟ ତାପମାତ୍ରା ଓ ଆଦ୍ରତା (ହ୍ୟୁମିଡିଟି) ଅତ୍ୟଧିକ ହୁଏ, ତେବେ ଶ୍ଵେଦ(ଝାଳ) ବାଷ୍ପୀଭୂତ ହୋଇପାରେ ନାହିଁ, ଫଳରେ ଶରୀରର ତାପମାତ୍ରା ନିୟନ୍ତ୍ରଣ ଵିଫଳ ହୁଏ। ଏହି ପରିସ୍ଥିତି ଅଂଶୁଘାତ(Hit stroke) ଓ ମୃତ୍ୟୁର କାରଣ ହୋଇପାରେ।
ଆମେ ପ୍ରାୟତଃ ଵାହ୍ୟ ତାପମାତ୍ରାକୁ ଶୁଷ୍କ ତାପମାତ୍ରା(Dry Temperature) ଭାବେ ଜାଣୁ, ଯାହା ଵାୟୁମଣ୍ଡଳର ସାଧାରଣ ତାପମାତ୍ରା। କିନ୍ତୁ ମାନଵ ଶରୀର ଯେଉଁ ତାପମାତ୍ରା ଅନୁଭବ କରେ, ତାହାକୁ Wet Bulb Temperature କୁହାଯାଏ। ଏହା ତାପମାତ୍ରା ଓ ଆଦ୍ରତାର ମିଶ୍ରଣକୁ ପରିମାପ କରେ। ଓ୍ୱେଟ ବଲ୍ବ ତାପମାତ୍ରା ୨୫ ଡିଗ୍ରୀରୁ ଊଣା ହେଲେ ଶରୀର ପାଇଁ ନିରାପଦ, ୨୬-୩୧ ଡିଗ୍ରୀ ମଧ୍ୟରେ ହେଲେ ଵିପଜ୍ଜନକ କିନ୍ତୁ ସହନୀୟ ଏଵଂ ୩୫ ଡିଗ୍ରୀରୁ ଅଧିକ ହେଲେ ଜୀବନ ପାଇଁ ମାରାତ୍ମକ।
ଦିଲ୍ଲୀର ଜୁନ ମାସର ଓ୍ୱେଟ ବଲ୍ବ ତାପମାତ୍ରା ୨୫-୨୮ ଡିଗ୍ରୀ ଥିଲାବେଳେ ଦିନେ ଦିନେ ଏହା ୩୦-୩୧ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଯାଏ । ଫଳତଃ ଏହା ଵିଶ୍ଵତାପନ(Global warming)ର ପରିଣାମ ବୋଲି ଅନୁମାନ କରାଯାଏ । ଵିଶ୍ଵତାପନର ପ୍ରଭାବ ଓ ଵିଶ୍ୱଵ୍ୟାପୀ ତାପମାତ୍ରା ବୃଦ୍ଧି ମାନଵ ଜୀଵନ ପାଇଁ ଏକ ଗମ୍ଭୀର ଆହ୍ୱାନ। ଵର୍ତ୍ତମାନ ଯେଉଁ ଵିଶ୍ଵତାପନ ସମସ୍ୟା ଦେଖାଦେଇଛି ସେଥିପାଇଁ ମନୁଷ୍ୟମାନେ ଅନେକାଂଶରେ ଦାୟୀ । ମାନଵଙ୍କ ଦ୍ଵାରା ଯେଉଁ କେତେକ ମୁଖ୍ୟ ମୁଖ୍ୟ କାରଣ ଯୋଗୁଁ ଵିଶ୍ଵତାପନ ବୃଦ୍ଧି ପାଇଛି ତାହା ମନୁଷ୍ୟମାନେ ଜାଣିଵା ଓ ହେଜିଵା ଉଚିତ୍ ।
ଆଜିକାଲି ଅନେକେ ଶୀତତାପ ନିୟନ୍ତ୍ରିତ ଗୃହରେ ରହିଵାକୁ ସୁଖ ପାଆନ୍ତି । ତେବେ ଏସି ଦ୍ଵାରା ଘର ଭିତର ଥଣ୍ଡା ହେଉଥିଵାବେଳେ ତାହା ଯୋଗୁଁ ବାହାରକୁ ତାପ ନିର୍ଗମନ ହୁଏ, ଯାହା ନଗରାଞ୍ଚଳରେ "ହିଟ ଆଇଲ୍ୟାଣ୍ଡ ଇଫେକ୍ଟ" ସୃଷ୍ଟି କରେ। ଏହା ସହିତ ଏସିରେ ଵ୍ୟଵହୃତ ରେଫ୍ରିଜେରାଣ୍ଟ ଗ୍ୟାସ୍ ମଧ୍ୟ ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ବୃଦ୍ଧି କରେ। ଉଦ୍ଭିଦମାନେ କାର୍ବନ ଡାଇଅକ୍ସାଇଡ ଶୋଷଣ କରି ଜଳବାୟୁ ନିୟନ୍ତ୍ରଣରେ ସହାୟକ ହୋଇଥାନ୍ତି । କିନ୍ତୁ ଆଜିକାଲି ମାତ୍ରାଧିକ ଵନ ନଷ୍ଟ ଓ ଗଛ କଟାଯିଵା ଦ୍ୱାରା କାର୍ବନ ଶୋଷଣ ହ୍ରାସ ପାଇଛି ଫଳତଃ ଏଥିଯୋଗୁଁ ଵିଶ୍ଵତାପନ ତ୍ୱରାନ୍ୱିତ ହୋଇଛି ।
ଗାଈ, ମଇଁଷି ଓ ଛେଳି ଆଦି ପଶୁମାନେ ମିଥେନ ଗ୍ୟାସ ନିର୍ଗମନ କରନ୍ତି, ଯାହା କାର୍ବନ ଡାଇଅକ୍ସାଇଡ ତୁଳନାରେ ୨୫ ଗୁଣ ଅଧିକ ଶକ୍ତିଶାଳୀ ଗ୍ରୀନହାଉସ ଗ୍ୟାସ୍ ଅଟେ । ଵିଶ୍ୱବ୍ୟାପୀ ୧.୫ ବିଲିୟନ ଗାଈ ଓ ଅନ୍ୟାନ୍ୟ ପଶୁ ମାଂସ ଓ ଡେୟାରୀ ଶିଳ୍ପ ପାଇଁ ପାଳନ କରାଯାଉଛି। FAO (Food and Agriculture Organization) ରିପୋର୍ଟ ଅନୁସାରେ, ପଶୁପାଳନ ଵିଶ୍ୱର ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନର ୧୪.୫% ପାଇଁ ଦାୟୀ।
ସେହିପରି ଜୀଵାଶ୍ମ ଇନ୍ଧନ (କୋଇଲା, ତୈଳ, ଓ ଗ୍ୟାସ) ଦହନ, ଶିଳ୍ପ ପ୍ରକ୍ରିୟା, ଓ ଅପରିଚ୍ଛନ୍ନ ଶକ୍ତି ଵ୍ୟଵହାର ମଧ୍ୟ ଵିଶ୍ଵତାପନର ମୁଖ୍ୟ କାରଣ।
ଵୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଵିଶ୍ଵତାପନ ଏହିଭଳି ଚାଲୁ ରହେ, ତେବେ ଆଗାମୀ ୫୦-୭୦ ଵର୍ଷ ମଧ୍ୟରେ ଭୂମଧ୍ୟରେଖାରୁ ୩୦ ଡିଗ୍ରୀ ଉତ୍ତର ଓ ଦକ୍ଷିଣ ଅଞ୍ଚଳରେ ଵସଵାସ ଅସମ୍ଭଵ ହୋଇପାରେ। ଭାରତ, ଯାହା ଏହି ଅଞ୍ଚଳରେ ଅଵସ୍ଥିତ, ଏହାର ନିଶ୍ଚୟ ଗମ୍ଭୀର ପ୍ରଭାଵ ଅନୁଭଵ କରିଵ। IPCC (Intergovernmental Panel on Climate Change) ରିପୋର୍ଟ ଅନୁସାରେ, ଆଗାମୀ କିଛି ଵର୍ଷ ମଧ୍ୟରେ ଵିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧି ପାଇଵ । ଏହାର କୁପରିଣାମ ଯୋଗୁଁ ଆଗାମୀ ଦିନରେ ଚରମ ବାୟୁମଣ୍ଡଳୀୟ ଅସନ୍ତୁଳନ, ହିଟୱେଵ୍, ଓ ଜଳସ୍ତର ବୃଦ୍ଧି ମାନଵ ଜୀଵନକୁ ଵିପର୍ଯ୍ୟସ୍ତ କରିଦେଵ।
ଗ୍ଲୋବାଲ ଓ୍ୱାର୍ମିଂର ପ୍ରଭାବକୁ ହ୍ରାସ କରିଵା ପାଇଁ ତୁରନ୍ତ ପଦକ୍ଷେପ ନେଵା ଆଵଶ୍ୟକ।
ଜୀଵାଶ୍ମ ଇନ୍ଧନ ପରିଵର୍ତ୍ତେ ସୌର ଓ ପଵନ ଶକ୍ତି ଭଳି ନଵୀକରଣଯୋଗ୍ୟ ଶକ୍ତି ଵ୍ୟଵହାର କରାଯାଉ। ଵନ ନଷ୍ଟକୁ ରୋକିଵା ଓ ନୂତନ ଵନୀକରଣ କାର୍ଯ୍ୟ ବହୁପରିଣାମରେ କରିଵାକୁ ହେଵ । ପ୍ରତ୍ୟେକ ଵ୍ୟକ୍ତି ଯଦି ଵୃକ୍ଷରୋପଣ କରି କାର୍ବନ ଶୋଷଣରେ ନିଜର ଯୋଗଦାନ ଦିଅନ୍ତି ତେବେ ଏହା ଵିଶ୍ଵତାପନକୁ ନିୟନ୍ତ୍ରଣ କରିଵାରେ ସହାୟକ ହେଵ। ମାଂସ ଓ ଡେୟାରୀ ଉତ୍ପାଦନ ହ୍ରାସ କରି ଶାକାହାରୀ ଖାଦ୍ୟକୁ ପ୍ରୋତ୍ସାହନ ଦିଆଗଲେ ଵିଶ୍ଵତାପନକୁ ଆହୁରି ଅଧିକ ପରିମାଣରେ ନିୟନ୍ତ୍ରଣ କରାଯାଇପାରିଵ । ଜଳଵାୟୁ ପରିଵର୍ତ୍ତନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଗଲେ ଓ ସମୁଦାୟଗତ ପଦକ୍ଷେପ ନିଆଗଲେ ମାନଵଜାତି ଆଗତ ଵିପଦରୁ ରକ୍ଷା ପାଇପାରେ । ଏବେ ନୁହେଁ ତ କେବେ ନୁହେଁ !
ମାନଵ ଶରୀରର ୩୭ ଡିଗ୍ରୀ ତାପମାତ୍ରା ଏକ ଵିକାଶଗତ ଚମତ୍କାର, କିନ୍ତୁ ଵିଶ୍ଵତାପନ ଏହି ନିୟନ୍ତ୍ରଣ ପ୍ରକ୍ରିୟାକୁ ଵିପଦରେ ପକାଉଛି। ଆମ ପୂର୍ଵପୁରୁଷମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ବଞ୍ଚି ରହିଥିଲେ, କିନ୍ତୁ ଆଜିର ଜଳବାୟୁ ସଙ୍କଟ ଏକ ଅଭୂତପୂର୍ଵ ଆହ୍ୱାନ। ଆମେ ଯଦି ଆଜି ଉପଯୁକ୍ତ ପଦକ୍ଷେପ ନେଉ, ତେବେ ଆମ ଭଵିଷ୍ୟତ ପିଢ଼ି ଏକ ନିରାପଦ ଓ ସୁସ୍ଥ ପୃଥିଵୀରେ ବଞ୍ଚି ରହିବେ। ପୃଥିଵୀର ଭଵିଷ୍ୟତ ଆମ ଆଜିର ନିଷ୍ପତ୍ତି ଉପରେ ନିର୍ଭର କରୁଛି।
"ଆମେ ଆମର ପୂର୍ଵପୁରୁଷଙ୍କଠାରୁ ପୃଥିଵୀର ଉତ୍ତରାଧିକାର ଆମର ସନ୍ତାନମାନଙ୍କୁ ତାହା ଉତ୍ତରାଧିକାର ସୂତ୍ରରେ ପ୍ରଦାନ କରିଵା ପାଇଁ ପାଇଛନ୍ତି । ଆମ ପୂର୍ଵପୁରୁଷ ଆମକୁ ଏକ ସୁନ୍ଦର ପୃଥିଵୀ ଭେଟି ଦେଇଛନ୍ତି ଆମେ ମଧ୍ୟ ଆମ ପରପିଢ଼ିକୁ ଏକ ସୁନ୍ଦର ପୃଥିଵୀ ଭେଟି ଦେଇ ଯିଵା ଆମର ପ୍ରଧାନ କର୍ତ୍ତଵ୍ୟ ଅଟେ ।”
No comments:
Post a Comment