Sunday, June 29, 2025

•ଗିଲଗାମେଶଙ୍କ କାହାଣୀ(Epic of Gilgamesh)•

ପ୍ରାଚୀନ ମଧ୍ୟପ୍ରାଚ୍ୟର ଧୂଳିମୟ ସମତଳ ଅଞ୍ଚଳରେ ସୂର୍ଯ୍ୟ ତା’ର ସୁନେଲି ରଶ୍ମିରେ ପୃଥିଵୀକୁ ଆଲୋକିତ କରୁଥିଲା ଆଉ ସେଠି ଗଢ଼ିଉଠିଥିଲା ଗୋଟିଏ ସୁନ୍ଦର ସୁରମ୍ୟ ଵିରାଟ ନଗରୀ । ସେ ନଗରୀକୁ ଲୋକେ ଉରୁକ ନଗରୀ ନାମରେ ଜାଣିଥିଲେ । ଏହି ମହାନ ନଗରୀର ଅତ୍ୟୁଚ୍ଚ ପ୍ରାଚୀର ଦେଵଲୋକ ପର୍ଯ୍ୟନ୍ତ ଵ୍ୟାପିଥିଲା । ଉରୁକ ନଗରୀର ରାଜା ଥିଲେ ଗିଲଗାମେଶ । ସେ ଜଣେ ଦିଵ୍ୟ ପୁରୁଷ, ଯାହାଙ୍କର ଶରୀରରେ ଦୁଇ-ତୃତୀୟାଂଶ ଦୈଵୀ ରକ୍ତ ଓ ଏକ-ତୃତୀୟାଂଶ ମାନଵୀୟ ଆତ୍ମା ବହି ଚାଲିଥିଲା। ତାଙ୍କ ଉଚ୍ଚତା ଗଛ ପରି, ଶକ୍ତି ଝଡ଼ ପରି, ଆଉ ସୌନ୍ଦର୍ଯ୍ୟ ସକାଳର ଆକାଶ ପରି ଥିଲା। କିନ୍ତୁ ତାଙ୍କ ହୃଦୟରେ ଅହଂକାର କଳା ପର୍ଵତାକାର ଜମି ରହିଥିଲା। ସେ ନିଜ ପ୍ରଜାଙ୍କୁ କଠୋର ହସ୍ତରେ ଶାସନ କରୁଥିଲେ, ଯୁଵକମାନଙ୍କୁ ଯୁଦ୍ଧକୁ ପଠାଉଥିଲେ, ଆଉ ନିଜ ଇଚ୍ଛାରେ ସମସ୍ତଙ୍କ ଜୀଵନକୁ ଚଳାଉଥିଲେ।

ପ୍ରଜାଙ୍କ ଆକ୍ରୋଶ ଦେଵତାଙ୍କ କାନରେ ପହଞ୍ଚିଲା। ଆକାଶରେ ବସିଥିଵା ଦେଵୀ ଆରୁରୁ ଶୁଣିଲେ ଏହି ଅଭିଯୋଗ, ଆଉ ସେ ଗିଲଗାମେଶଙ୍କୁ ଦୃଢ଼ ହସ୍ତରେ ଆୟତ୍ତ କରିଵାକୁ ନିର୍ଣ୍ଣୟ ନଲେ । ଆରୁରୁ ଦେଵୀ ମାଟି ଓ ପଵନରେ ଏକ ନୂଆ ଜୀଵ ଗଢ଼ିଲେ ଯାହାକୀ ଏଙ୍କିଡୁ ନାମ ଦିଆଗଲା । ଏଙ୍କିଡୁ ଥିଲେ ଜଙ୍ଗଲର ପୁଅ, ତାଙ୍କ ଶରୀର ପଶୁମାନଙ୍କ ପରି ଲୋମଶ, ଆଉ ମନ ନିର୍ମଳ ଓ ମୁକ୍ତ। ସେ ଜଙ୍ଗଲରେ ହରିଣ ଓ ସିଂହମାନଙ୍କ ସହ ଦୌଡ଼ୁଥିଲେ କିନ୍ତୁ ଜଣେ ଯୁଵତୀ ଶାମହାତ୍, ତାଙ୍କୁ ମାନଵ ସଭ୍ୟତାର ପାଠ ଶିଖାଇ ଉରୁକ ନଗରୀକୁ ଆଣିଲେ।

ଉରୁକର ରାସ୍ତାରେ ଗିଲଗାମେଶ ଓ ଏଙ୍କିଡୁ ମୁହାଁମୁହିଁ ହେଲେ। ଏକ ଭୟଙ୍କର ଲଢ଼େଇ ଆରମ୍ଭ ହେଲା—ପଥର ଚୂର୍ଣ୍ଣ ହେଲା, ଧୂଳି ଉଡ଼ିଲା, ଆଉ ନଗରୀ କମ୍ପି ଉଠିଲା। କିନ୍ତୁ ଶେଷରେ, ଯେତେବେଳେ ଉଭୟେ ଥକି ପଡ଼ିଲେ, ସେମାନେ ପରସ୍ପରର ଶକ୍ତିକୁ ଦେଖି ହସିଦେଲେ। ସେହି ମୁହୂର୍ତ୍ତରୁ ସେମାନେ ହେଲେ ଅତୁଟ ବନ୍ଧୁ, ଠିକ୍ ଯେମିତି ମେସୋପୋଟାମିଆରେ Tigris ଓ Euphrates ନଦୀ ମିଶି ଏକ ହୋଇଯାଆନ୍ତି।

ଗିଲଗାମେଶଙ୍କ ମନରେ ଏକ ନୂଆ ଅଭିଳାଷ ଜାଗିଲା—ସେ ନିଜ ନାମକୁ ଅମର କରିଵା ଦେଵାକୁ ଇଚ୍ଛାକଲେ । ଗିଲଗାମେଶ ନିଜ ବନ୍ଧୁ ଏଙ୍କିଡୁଙ୍କୁ କହିଲେ, “ଆସ, ସିଡାର ଜଙ୍ଗଲକୁ ଯିଵା, ଯେଉଁଠି ରାକ୍ଷସ ହୁମ୍ବାବା ରହିଛି। ତାକୁ ମାରି ଆମେ ଵିଶ୍ୱରେ ନାଁ ରଖିବା।” ଏଙ୍କିଡୁ ସହମତ ହେଲେ, ଆଉ ଦୁହେଁ ବାହାରି ପଡ଼ିଲେ। ଜଙ୍ଗଲରେ ହୁମ୍ବାବାର ଗର୍ଜନ ପାହାଡ଼କୁ କମ୍ପାଇ ଦେଉଥିଲା, ତା’ର ଅଗ୍ନିମୟ ନିଶ୍ୱାସ ଗଛକୁ ଜାଳି ଦେଉଥିଲା। କିନ୍ତୁ ଗିଲଗାମେଶଙ୍କ ଖଡ଼୍ଗ ଓ ଏଙ୍କିଡୁଙ୍କ ସାହସ ସାମ୍ନାରେ ହୁମ୍ବାବା ନଇଁ ପଡ଼ିଲା। ସେମାନେ ଜୟୀ ହୋଇ ଫେରିଲେ, କିନ୍ତୁ ଦେଵତାମାନେ ଭୀଷଣ ଅସନ୍ତୁଷ୍ଟ ହେଲେ ।

ଦିନେ ସୌନ୍ଦର୍ଯ୍ୟ ଓ ଯୁଦ୍ଧର ଦେଵୀ ଇଷ୍ଟାର ଗିଲଗାମେଶଙ୍କୁ ଦେଖି ମୋହିତ ହେଲେ। ସେ ତାଙ୍କୁ ପ୍ରେମ ନିଵେଦନ କଲେ, କିନ୍ତୁ ଗିଲଗାମେଶ ତାଙ୍କ ଅତୀତର କଥା ମନେ ପକାଇ କହିଲେ, “ତୁମେ ତୁମ ପ୍ରେମିକମାନଙ୍କୁ ଧୋକା ଦେଇଛ, ମୋତେ ତୁମେ ଧୋକା ଦେଵନି ବୋଲି କିଏ କହିପାରିଵ ?” ରାଗରେ ଇଷ୍ଟାର ସ୍ଵର୍ଗକୁ ଗଲେ ଆଉ ଦେଵତା ଅନୁଙ୍କୁ ସର୍ଗର ଏକ ଭୟଙ୍କର ବୃଷଭ ଗୁଗଲାନ୍ନା (Gugalanna)ଙ୍କୁ ମର୍ତ୍ତ୍ୟଲୋକକୁ ପଠାଇଵାକୁ କହିଲେ। ଏହି ବୃଷଭ ଉରୁକରେ ଆସି ଘର ବାଡ଼ି ଯାହା ପାଇଲା ଭାଙ୍ଗି ପକାଇଲା, କିନ୍ତୁ ଗିଲଗାମେଶ ଓ ଏଙ୍କିଡୁ ମିଳିତ ଭାବେ ତାକୁ ମାରି ପକାଇଲେ। ଜନତା ଉଲ୍ଲାସ କଲେ, କିନ୍ତୁ ଦେଵତାଙ୍କ ମନରେ କ୍ରୋଧ ଦ୍ଵିଗୁଣିତ ହୋଇଗଲା ।

ଦେଵତାମାନେ ସଭା ବସାଇ ନିଷ୍ପତ୍ତି ନେଲେ—ଏଙ୍କିଡୁକୁ ମରିଵାକୁ ପଡ଼ିଵ। ଦୈଵୀ କୋପରୁ ଏଙ୍କିଡୁଙ୍କୁ ଏକ ରୋଗ ଗ୍ରାସ କଲା। ଦିନ ଗଡ଼ି ଚାଲିଲା, ଏଙ୍କିଡୁ ଦୁର୍ବଳ ହୋଇ ପଡ଼ିଲେ, ଆଉ ଗିଲଗାମେଶ ତାଙ୍କ ପାଖରେ ବସି ଅଶ୍ରୁ ଝରାଇଲେ। “ମୋ ଭାଇ, ମୋତେ ଛାଡ଼ି କାହିଁକି ଚାଲିଗଲ?” ସେ ଚିତ୍କାର କରି କହିଲେ, ଯେତେବେଳେ ଏଙ୍କିଡୁଙ୍କ ଆଖି ଚିରଦିନ ପାଇଁ ବନ୍ଦ ହୋଇଗଲା। ଗିଲଗାମେଶଙ୍କ ହୃଦୟ ଖଣ୍ଡ ଖଣ୍ଡ ହୋଇଗଲା, ଆଉ ତାଙ୍କ ମନରେ ଏକ ନୂଆ ଭୟ ଜନ୍ମିଲା—ମୃତ୍ୟୁର ଭୟ।


ଗିଲଗାମେଶ ଅମରତ୍ୱର ରହସ୍ୟ ଜାଣିଵାକୁ ଚାହିଁ ଜଙ୍ଗଲ, ପାହାଡ଼, ଓ ସମୁଦ୍ର ପାର ହୋଇ ଉତ୍ନାପିଷ୍ଟିମ୍ ନାମକ ଜଣେ ବୃଦ୍ଧଙ୍କ ସନ୍ଧାନରେ ଲାଗିପଡ଼ିଲେ । ଉତ୍ନାପିଷ୍ଟିମ୍ ଥିଲେ ଜଣେ ମଣିଷ, ଯିଏ ମହାପ୍ରଳୟରୁ ବଞ୍ଚି ଦେଵତାଙ୍କଠାରୁ ଅମରତ୍ୱ ପାଇଥିଲେ।

ଉତ୍ନାପିଷ୍ଟିମ୍‌ଙ୍କ କାହାଣୀ ପ୍ରାଚୀନ ମେସୋପଟାମିଆର ଅମରଗାଥା ହୋଇ ରହିଛି । ଉତ୍ନାପିଷ୍ଟିମ୍‌ ଶୁରୁନ୍ନା ନଗରୀର ବାସିନ୍ଦା, ଜଣେ ସାଧାରଣ ମଣିଷ, ଯାହାର ଜୀଵନ ମାଟିରେ କାମ କରିଵା, ପରିଵାର ପାଳିଵା ଓ ଦେଵାତାଙ୍କୁ ପ୍ରାର୍ଥନା କରିଵାରେ କଟିଯାଉଥିଲା । କିନ୍ତୁ ତାଙ୍କ ନିରୀହ ଜୀଵନ ଏକ ମହାନ ଘଟଣାର ସାକ୍ଷୀ ହେଵାକୁ ଯାଉଥିଲା, ଯାହା ତାଙ୍କୁ ଅମରତ୍ୱର ପଥରେ ନେଇଗଲା।

ଦିନେ ଦୈଵୀ ଯୋଗକୁ ଆକାଶ କଳା ମେଘରେ ଢାଙ୍କି ହୋଇଗଲା। ଅନୁ ଓ ଏନ୍‌ଲିଲ୍ ଆଦି ଦେଵତାମାନେ ମଣିଷର କୋଳାହଳ ଓ ଅହଂକାରରୁ କ୍ଷୁବ୍ଧ ହୋଇ ଏକ ଭୟଙ୍କର ନିଷ୍ପତ୍ତି ନେଲେ—ସେମାନେ ପୃଥିଵୀକୁ ଏକ ମହାପ୍ରଳୟରେ ଧ୍ୱଂସ କରିବେ। କିନ୍ତୁ ଦେଵତା ଏଆ (ଜଳର ଦେଵତା) ମଣିଷ ପ୍ରତି ଦୟା ଦେଖାଇଲେ। ସେ ଉତ୍ନାପିଷ୍ଟିମ୍‌ଙ୍କୁ ସ୍ୱପ୍ନରେ ଦେଖା ଦେଇ କହିଲେ, “ହେ ଉତ୍ନାପିଷ୍ଟିମ୍, ତୁମ ନଗରୀ ଶୀଘ୍ର ଜଳରେ ବୁଡ଼ିଯିଵ। ଏକ ବଡ଼ ନୌକା ତିଆରି କର, ତୁମ ପରିଵାର ଓ ସମସ୍ତ ଜୀଵଜନ୍ତୁଙ୍କୁ ନେଇ ଜୀଵନ ରକ୍ଷା କର।”

ଉତ୍ନାପିଷ୍ଟିମ୍ ଆଶ୍ଚର୍ଯ୍ୟ ହୋଇଗଲେ, କିନ୍ତୁ ସେ ଦେଵତାଙ୍କ ଆଦେଶକୁ ମାନିଲେ। ସେ ଦିନରାତି କାମ କରି ଏକ ଵିଶାଳ ବୋଇତ ଗଢ଼ିଲେ—ଏକ ଚଉକୋଣିଆ ଆକାରର ଜାହାଜ, ଯାହାର ଉଚ୍ଚତା ଓ ଚଉଡ଼ା ଏକ ଛୋଟ ପାହାଡ଼ ପରି ଥିଲା। ସେ ବୋଇତ ଭିତରେ ଅନେକ କୋଠରୀ ତିଆରି କଲେ, ଆଉ ତାକୁ ଅଠା ଓ ତେଲରେ ଜଳରୋଧୀ କରିଦେଲେ। ନଗରୀର ଲୋକେ ତାଙ୍କୁ ପାଗଳ ବୋଲି ଭାବି ଗେଲ ଗମାତ କରି ହସିଲେ,ଚିଡ଼ାଇଲେ କିନ୍ତୁ ଉତ୍ନାପିଷ୍ଟିମ୍ ମୌନ ରହି ନିଜ କାମ ଚାଲୁ ରଖିଲେ। ଶେଷରେ, ସେ ନିଜ ପତ୍ନୀ, ପୁତ୍ର, ଝିଅ ଓ ସମସ୍ତ ଜୀଵଜନ୍ତୁ—ହରିଣ, ସିଂହ, ପକ୍ଷୀ, ଓ କୀଟପତଙ୍ଗଙ୍କୁ ବୋଇତରେ ଚଢ଼ାଇଲେ। ଦ୍ୱାର ବନ୍ଦ ହେଵାମାତ୍ରେ ଆକାଶ ଫାଟି ପଡ଼ିଲା।

ଵର୍ଷା ଆରମ୍ଭ ହେଲା—ଏକ ଅନ୍ଧକାର, ଅତି ଭୟଙ୍କର ସେ ଵର୍ଷା, ଯାହା ଦିନ ଓ ରାତିକୁ ଏକାକାର କରିଦେଲା। ନଦୀମାନ ଉଛୁଳି ପଡ଼ିଲା, ପାହାଡ଼ମାନ ବୁଡ଼ିଗଲା ଆଉ ଶୁରୁନ୍ନା ନଗରୀ ଜଳରେ ଭାସିଗଲା। ଛଅ ଦିନ ଓ ଛଅ ରାତି ଧରି ଜଳ ପୃଥିଵୀକୁ ଗ୍ରାସ କଲା। ଉତ୍ନାପିଷ୍ଟିମ୍ ବୋଇତ ଭିତରେ ବସି ଶୁଣୁଥିଲେ—ବାହାରେ ଲୋକଙ୍କ ଚିତ୍କାର, ଘର ଭାଙ୍ଗିଵାର ଶବ୍ଦ, ଆଉ ପଵନର ଗର୍ଜନ। ସପ୍ତମ ଦିନରେ ସବୁ ଶାନ୍ତ ହୋଇଗଲା। ସେ ଦ୍ୱାର ଖୋଲି ଦେଖିଲେ—ଚାରିଆଡ଼େ କେଵଳ ଜଳ ଆଉ ଜଳର ଅସୀମ ସମୁଦ୍ର କିନ୍ତୁ ଜୀଵନର କୋଉଠି ବି ଚିହ୍ନ ଵର୍ଣ୍ଣ ନଥିଲା । 

ଦିନ ଗଡ଼ି ଚାଲିଲା। ଉତ୍ନାପିଷ୍ଟିମ୍ ସ୍ଥଳଭାଗର ସନ୍ଧାନରେ ଏକ କପୋତ ଛାଡ଼ିଲେ, କିନ୍ତୁ ସେ ଫେରି ଆସିଲା। ପରେ ଏକ କାଉ ଛାଡ଼ିଲେ, ସେ ମଧ୍ୟ ଫେରି ଅଇଲା। ଶେଷରେ, ଏକ ଛୋଟ ପକ୍ଷୀ ଛାଡ଼ିଲେ, କିନ୍ତୁ ସେ ପକ୍ଷୀଟି ଆଉ ଫେରିଲା ନାହିଁ। ଉତ୍ନାପିଷ୍ଟିମ୍ ବୁଝିଲେ କୋଉଠି ନା କୋଉଠି ସ୍ଥଳଭାଗ ନିଶ୍ଚୟ ରହିଛି । ଅନେକ ଦିନ ପରେ ଉତ୍ନାପିଷ୍ଟିମ୍‌ଙ୍କ ବୋଇତ ନିସିର ପର୍ଵତର ଶିଖରରେ ଅଟକି ଗଲା ।‌ ଉତ୍ନାପିଷ୍ଟିମ୍‌ ବୋଇତରୁ ବାହାରିଲେ, ଜଳ ଶୁଖି ଯାଇଥିଵା ଭିଜା ମାଟିରେ ପାଦ ଥାପିଲେ, ଆଉ ଦେଵତାଙ୍କୁ ଧନ୍ୟଵାଦ ଦେଵାକୁ ଏକ ବେଦୀ ତିଆରି କଲେ। ସେ ଅଗ୍ନି ଜାଳି ଧୂପ ଦେଲେ, ଆଉ ତା’ର ସୁଗନ୍ଧ ଆକାଶକୁ ଗଲା।

ଦେଵତାମାନେ ଏହା ଦେଖି ଆସିଲେ। ଏନ୍‌ଲିଲ୍ ପ୍ରଥମେ କ୍ରୋଧିତ ହେଲେ, କାରଣ ସେ ମଣିଷ ଵଂଶ ନାଶ କରିଦେଵାକୁ ଚାହୁଁଥିଲେ। କିନ୍ତୁ ଏଆ ତାଙ୍କୁ ଶାନ୍ତ କଲେ, କହିଲେ, “ଏ ମଣିଷ ତୁମ ଇଚ୍ଛାକୁ ମାନି ଜୀଵନର ଵୀଜ ରକ୍ଷା କରିଛି।” ଏନ୍‌ଲିଲ୍ ଉତ୍ନାପିଷ୍ଟିମ୍‌ଙ୍କୁ ଦେଖିଲେ—ତାଙ୍କ ଧୀର ଆଖି, କମ୍ପିତ ହାତ, ଆଉ ନମ୍ର ମୁଖ। ସେ ଦୟାରେ ଭରି ଉଠିଲେ। ସେ ଉତ୍ନାପିଷ୍ଟିମ୍ ଓ ତାଙ୍କ ପତ୍ନୀଙ୍କୁ ଆଶୀର୍ଵାଦ ଦେଇ କହିଲେ, “ତୁମେ ଦୁହେଁ ଏବେ ଅମର ହେଵ। ତୁମେ ଦୂର ଦ୍ୱୀପରେ ରହିଵ, ଯେଉଁଠିକୁ
ସାଧାରଣ ମଣିଷ କେବେ ଯାଇ ପାରିଵ ନାହିଁ।”

ଉତ୍ନାପିଷ୍ଟିମ୍ ଓ ତାଙ୍କ ପତ୍ନୀ ସେହି ଦ୍ୱୀପକୁ ଗଲେ । ସେ ଦ୍ଵୀପ ଏକ ଶାନ୍ତ ସୁନ୍ଦର ସ୍ଥାନ ଥିଲା ଯେଉଁଠି ସମୁଦ୍ରର ଲହରୀ ଆଉ ଆକାଶର ନୀଳିମା ମିଶି ରହିଥିଲା । ସେଠାରେ ସେମାନେ ଜୀଵନର ସ୍ମୃତି ଓ ମହାପ୍ରଳୟର କାହାଣୀକୁ ନେଇ ଅନେକ ଦିନ ବିତାଇଲେ। ଅନେକ ଶତାବ୍ଦୀ ପରେ, ଯେତେବେଳେ ଗିଲଗାମେଶ ଅମରତ୍ୱର ସନ୍ଧାନରେ ତାଙ୍କ ଦ୍ୱାରକୁ ଆସିଲେ, ଉତ୍ନାପିଷ୍ଟିମ୍ ତାଙ୍କୁ ସାମ୍ନା କଲେ। ତାଙ୍କ ମୁଖମଣ୍ଡଳରେ ସମୟର ରେଖା ନଥିଲା, କିନ୍ତୁ ଆଖିରେ ଏକ ଗଭୀର ଦୁଃଖ ଓ ଜ୍ଞାନ ଲୁଚି ରହିଥିଲା।

 ଗିଲଗାମେଶଙ୍କୁ ଦେଖି ଉତ୍ନାପିଷ୍ଟିମ୍‌ କହିଲେ, “ମୋ ଅମରତ୍ୱ ଏକ ଉପହାର, କିନ୍ତୁ ଏହା ଦେଵତାମାନେ ସ୍ଵେଚ୍ଛାରେ ମୋତେ ପ୍ରଦାନ କରିଛନ୍ତି । ମୁଁ ଅମରତ୍ୱ କେବେ ବି ଚାହିଁନଥିଲି। ମୁଁ ଦେଖିଛି ମୋ ସମସ୍ତ ବନ୍ଧୁପରିଜନ, ସାଙ୍ଗ ସାଥିଙ୍କ ମୃତ୍ୟୁ ଆଉ ମୋ ମାତୃଭୂମି ଶୁରୁନ୍ନା ନଗରୀର ଵିନାଶ। ମୁଁ ବଞ୍ଚିଛି, କିନ୍ତୁ ଏକା । ତୁମେ କିନ୍ତୁ ଜୀଵନକୁ ଗ୍ରହଣ କର, କାରଣ ଏହାର ସୀମା(ମୃତ୍ୟୁ) ହିଁ ଏହାକୁ ମୂଲ୍ୟଵାନ କରେ।” ତାଙ୍କ କଣ୍ଠରେ ଏକ କୋମଳ ଦୁଃଖ ଥିଲା, ଯେପରି ସେ ନିଜେ ଏହି ଅମରତ୍ୱର ଭାର ଅନୁଭଵ କରୁଥିଲେ। ଉତ୍ନାପିଷ୍ଟିମ୍‌ ପୁଣି ଗିଲଗାମେଶଙ୍କୁ କହିଲେ, “ଅମରତ୍ୱ ତୁମ ପାଇଁ ନୁହେଁ। ମଣିଷର ଜୀଵନ ଏକ ନଦୀ ପରି—ଏହା ବହିଯାଏ ଏଵଂ ନିର୍ଦ୍ଧାରିତ ସ୍ଥାନରେ ସମୁଦ୍ର ସହିତ ମିଶିଯାଏ।” କିନ୍ତୁ ଗିଲଗାମେଶଙ୍କ ଜିଦ୍ ଦେଖି ସେ ଏକ ରାସ୍ତା ଦେଖାଇଲେ—ସମୁଦ୍ର ତଳେ ଏକ ଗଛ ଅଛି, ଯାହା ଯୌଵନ ଫେରାଇ ଆଣିପାରେ।

ଗିଲଗାମେଶ ସମୁଦ୍ରରେ ବୁଡ଼ି ସେହି ଗଛ ଆଣିଲେ। ତାଙ୍କ ମନରେ ଆଶାର ଆଲୋକ ଜଳି ଉଠିଲା। କିନ୍ତୁ ଫେରିଲାବେଳେ ଗୋଟିଏ ରାତିରେ ଯେତେବେଳେ ସେ ଏକ ନଦୀକୂଳରେ ବିଶ୍ରାମ କରୁଥିଲେ, ସାପଟିଏ ଚୋରି କରି ଗଛଟିକୁ ଖାଇଗଲା। ସାପଟି ନିଜ କାତି ଛଡ଼େଇ ନୂଆ ହୋଇଗଲା, ଆଉ ଗିଲଗାମେଶ ନିରାଶ ହୋଇ ରହିଗଲେ । ସେ ଆକାଶକୁ ଚାହିଁ କାନ୍ଦିଲେ, କିନ୍ତୁ ତାଙ୍କ ମନରେ ଏକ ନୂଆ ଚେତନା ଜାଗିଲା।

ଶେଷରେ, ସେ ଉରୁକ ନଗରୀକୁ ଫେରିଲେ। ନଗରୀର ପ୍ରାଚୀରକୁ ଦେଖି ସେ ବୁଝିଲେ—ଅମରତ୍ୱ ଶରୀରରେ ନୁହେଁ, କାର୍ଯ୍ୟରେ ଓ ସ୍ମୃତିରେ ଲୁଚି ରହିଛି। ସେ ନିଜ ଜୀଵନକୁ ଗ୍ରହଣ କଲେ, ଆଉ ତାଙ୍କ ନାଁ ଇତିହାସର ପଥରେ ଖୋଦିତ ହୋଇ ରହିଗଲା।

ଏହା ଥିଲା ଗିଲଗାମେଶଙ୍କ କାହାଣୀ— ମେସୋପୋଟାମିଆର ଜଣେ ମହାନ ରାଜା, ଯିଏ ମୃତ୍ୟୁକୁ ଜୟ କରିଵାକୁ ଚାହିଁ ଜୀଵନର ମର୍ମ ଆଵିଷ୍କାର କଲେ। 

•••••••••••••••••••••••••••••••••
epic of Gilgamesh ଏକ ସୁମେରୀୟ ପୁରାଣଗାଥା । ଏହା ମେସୋପୋଟାମିଆ(ଆଧୁନିକ ଇରାକ)ର ପ୍ରାଚୀନ ସଂସ୍କୃତିର ଅଂଶଵିଶେଷ ।‌

ଗିଲଗାମେଶ (Gilgamesh) : ଉରୁକ ନଗରୀର ମହାନ ରାଜା, ଯିଏ ଦୁଇ-ତୃତୀୟାଂଶ ଦୈଵୀ ଓ ଏକ-ତୃତୀୟାଂଶ ମାନଵୀୟ ଗୁଣର ଅଧିକାରୀ। ସେ ଶକ୍ତିଶାଳୀ, ସୁନ୍ଦର, କିନ୍ତୁ ପ୍ରାରମ୍ଭରେ ଅହଂକାରୀ ଓ କଠୋର ଶାସକ। ଏଙ୍କିଡୁଙ୍କ ସାଙ୍ଗରେ ବନ୍ଧୁତ୍ୱ ଓ ମୃତ୍ୟୁର ଭୟ ତାଙ୍କୁ ଜୀଵନର ମର୍ମ ଶିଖାଇଥାଏ। ଗିଲଗାମେଶ ନାମରେ ପ୍ରକୃତରେ ଜଣେ ରିଜା ମେସୋପୋଟାମିଆରେ ଥିଲେ ଯାହାଙ୍କ ସମୟକାଳ ୨୯୦୦ରୁ ୨୭୦୦ ଖ୍ରୀଷ୍ଟପୂର୍ଵ ମଧ୍ୟରେ ହୋଇଥିଵାର ଗଵେଷକମାନେ ଅନୁମାନ କରନ୍ତି । ସମ୍ଭଵତଃ ପ୍ରକୃତ ରାଜାଙ୍କ ନାମରେ epic of Gilgamesh ପୁରାଣ ଗାଥା ଭଣିତା କରାଯାଇଥାଇପାରେ ତେବେ ଏ‌ହା ଅସ୍ପଷ୍ଟ । 

ଏଙ୍କିଡୁ (Enkidu) : ଦେଵୀ ଆରୁରୁଙ୍କ ଦ୍ୱାରା ମାଟି ଓ ପଵନରେ ସୃଷ୍ଟ ଏକ ଜଙ୍ଗଲୀ ମଣିଷ। ସେ ଶକ୍ତିଶାଳୀ, ନିର୍ମଳ ମନର ଅଧିକାରୀ ଏଵଂ ଗିଲଗାମେଶଙ୍କର ଅତୁଟ ବନ୍ଧୁ ହେଵା ସହ ତାଙ୍କୁ ମାନଵୀୟ ଗୁଣ ଶିଖିଥିଲେ। ଦେଵତାଙ୍କ ଶାପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଆରୁରୁ (Aruru) : ସୁମେରୀୟ ଦେଵୀ, ଯିଏ ସୃଷ୍ଟିର ଦେବଵୀ ଭାବେ ଏଙ୍କିଡୁଙ୍କୁ ଗଢ଼ିଥିଲେ ଗିଲଗାମେଶଙ୍କୁ ଆୟତ୍ତ କରିଵା ପାଇଁ।
ଶାମହାତ (Shamhat): ଏକ ମନ୍ଦିର ଯାଜିକା, ଯିଏ ଏଙ୍କିଡୁଙ୍କୁ ସଭ୍ୟ କରିଵା ପାଇଁ ମାନଵ ସଭ୍ୟତା ସହିତ ପରିଚିତ କରାଇଥିଲେ । 
ଉରୁକ (Uruk):ପ୍ରାଚୀନ ମେସୋପୋଟାମିଆର ଏକ ପ୍ରମୁଖ ସୁମେରୀୟ ନଗର-ରାଷ୍ଟ୍ର, ଯାହା ଗିଲଗାମେଶର ରାଜଧାନୀ ଥିଲା। ଏହା ତାର ଉଚ୍ଚ ପ୍ରାଚୀର, ମନ୍ଦିର, ଓ ସଭ୍ୟତାର କେନ୍ଦ୍ର ଭାବେ ପରିଚିତ ଥିଲା। ଵର୍ତ୍ତମାନ ଏହା Warka ନାମରେ ଦକ୍ଷିଣ ଇରାକରେ ଅଵସ୍ଥିତ। ଏହା ଏକ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଭାବେ ରହିଛି।

ସିଡାର ଜଙ୍ଗଲ (Cedar Forest): ଗିଲଗାମେଶ ଓ ଏଙ୍କିଡୁ ରାକ୍ଷସ ହୁମ୍ବାବାକୁ ମାରିଵା ପାଇଁ ଯାଇଥିଵା ଏକ ପୌରାଣିକ ଜଙ୍ଗଲ। ଏହା ସୁମେରୀୟ କାହାଣୀରେ ଏକ ରହସ୍ୟମୟ ଓ ପଵିତ୍ର ସ୍ଥାନ ଭାବେ ଵର୍ଣ୍ଣିତ।
 ଏହା ଏକ ପୌରାଣିକ ସ୍ଥାନ, ତେଣୁ ଆଧୁନିକ ଭୌଗୋଳିକ ଅଵସ୍ଥାନ ନିର୍ଦ୍ଦିଷ୍ଟ ନୁହେଁ। କିଛି ଗଵେଷକ ଏହାକୁ ଲେବାନନର ସିଡାର ଜଙ୍ଗଲ ସହ ସମ୍ପର୍କିତ ବୋଲି ମନେ କରନ୍ତି, ଯାହା ଵର୍ତ୍ତମାନ ଲେବାନନରେ ଅଵସ୍ଥିତ।

ଶୁରୁନ୍ନା:ଉତ୍ନାପିଷ୍ଟିମ୍‌ଙ୍କ ନଗରୀ, ଯେଉଁଠାରେ ସେ ମହାପ୍ରଳୟ ପୂର୍ଵରୁ ବାସ କରୁଥିଲେ। ଏହା ମେସୋପୋଟାମିଆର ଏକ ପ୍ରାଚୀନ ସୁମେରୀୟ ନଗର ଥିଲା। ଏହାର ଵର୍ତ୍ତମାନ ନାମ Tell Fara ଏଵଂ ଦକ୍ଷିଣ ଇରାକରେ ଅଵସ୍ଥିତ। ଏହା ଏକ ପ୍ରତ୍ନତାତ୍ତ୍ୱିକ ସ୍ଥାନ।

ନିସିର ପର୍ଵତ(Mount Nisir):ମହାପ୍ରଳୟ ପରେ ଉତ୍ନାପିଷ୍ଟିମ୍‌ଙ୍କ ବୋଇତ ଯେଉଁ ପର୍ଵତରେ ଅଟକିଥିଲା। ଏହା କାହାଣୀରେ ଏକ ପୌରାଣିକ ସ୍ଥାନ ଭାବେ ଉଲ୍ଲେଖିତ। ଏହାର ନିର୍ଦ୍ଦିଷ୍ଟ ଭୌଗୋଳିକ ଅଵସ୍ଥାନ ଅସ୍ପଷ୍ଟ। କିଛି ଗଵେଷକ ଏହାକୁ ଇରାକର କୁର୍ଦିସ୍ତାନ ଅଞ୍ଚଳରେ ଥିଵା ପିରାମାଗ୍ରୁନ ପର୍ଵତ ସହ ସମ୍ପର୍କିତ ବୋଲି ଅନୁମାନ କରନ୍ତି କିନ୍ତୁ ଏହା ନିଶ୍ଚିତ ନୁହେଁ।

ଦୂର ଦ୍ୱୀପ (Distant Island):ଉତ୍ନାପିଷ୍ଟିମ୍ ଓ ତାଙ୍କ ପତ୍ନୀଙ୍କୁ ଦେଵତାମାନେ ଅମରତ୍ୱ ଦେଇ ଯେଉଁ ସ୍ଥାନକୁ ପଠାଇଥିଲେ। ଏହା ଏକ ପୌରାଣିକ ଓ ରହସ୍ୟମୟ ସ୍ଥାନ ଭାବେ ଵର୍ଣ୍ଣିତ। ଏହା ଏକ କାଳ୍ପନିକ ସ୍ଥାନ, ତେଣୁ ଆଧୁନିକ ଭୌଗୋଳିକ ଅଵସ୍ଥାନ ସ୍ପଷ୍ଟ ନୁହେଁ। ତେବେ ଏହାକୁ କେତେକ ଗଵେଷକ ପାରସ୍ୟ ଉପସାଗରରେ ଥିଵା ବାହାରେନ କିମ୍ବା ଦିଲମୁନ ଦ୍ଵୀପ ସହ ସମ୍ପର୍କିତ ବୋଲି ଅନୁମାନ କରନ୍ତି, କିନ୍ତୁ ଏହା ଅନିଶ୍ଚିତ।

(Epic of Gilgameshରେ ଆଉ କିଛି ଛୋଟମୋଟ ଘଟଣା ରହିଛି ଯାହା ମୂଳ କାହାଣୀକୁ ସଂକ୍ଷିପ୍ତ ରଖିଵା ପାଇଁ ଛାଡ଼ି ଦିଆଯାଇଛି । )

No comments:

Post a Comment

•ଗିଲଗାମେଶଙ୍କ କାହାଣୀ(Epic of Gilgamesh)•

ପ୍ରାଚୀନ ମଧ୍ୟପ୍ରାଚ୍ୟର ଧୂଳିମୟ ସମତଳ ଅଞ୍ଚଳରେ ସୂର୍ଯ୍ୟ ତା’ର ସୁନେଲି ରଶ୍ମିରେ ପୃଥିଵୀକୁ ଆଲୋକିତ କରୁଥିଲା ଆଉ ସେଠି ଗଢ଼ିଉଠିଥିଲା ଗୋଟିଏ ସୁନ୍ଦର ସୁରମ୍ୟ ଵିରାଟ ନ...