ଲଳିତାଦିତ୍ୟ ଉତ୍ତର ଭାରତ,ଅଫଗାନିସ୍ତାନ, ମଧ୍ୟ ଏସିଆର କିଛି ଅଂଶ ଓ ତିବ୍ବତ ପର୍ଯ୍ୟନ୍ତ ଅଞ୍ଚଳରେ ନିଜ ସାମ୍ରାଜ୍ୟ ଵିସ୍ତାର କରିଥିଲେ। ସେ ସିନ୍ଧ ଓ ଆଖପାଖ ଅଞ୍ଚଳରେ ପ୍ରଭାବ ଵିସ୍ତାର କରିଥିଵା ଆରବ ଆକ୍ରମଣକାରୀଙ୍କୁ ସଫଳତାର ସହ ପ୍ରତିରୋଧ କରିଥିଲେ। ଏହି ସମୟରେ ଆରବ ଶକ୍ତି ଉମୟ୍ୟଦ ଖିଲାଫତ ଅଧୀନରେ ଥିଲା ଏଵଂ ଲଳିତାଦିତ୍ୟଙ୍କ ସାମରିକ କୌଶଳ ସେମାନଙ୍କୁ ସଫଳତାର ସହ ପ୍ରତିହତ କରିଥିଲା ।ଲଳିତାଦିତ୍ୟଙ୍କ ଶାସନକାଳକୁ କାଶ୍ମୀରର ସ୍ୱର୍ଣ୍ଣିମ ଯୁଗ ଭାବେ ଵିଵେଚିତ କରାଯାଏ । ସେ ଅନେକ ସାମରିକ ଅଭିଯାନରେ ଅପରାଜିତ ରହିଥିଲେ।
ଲଳିତାଦିତ୍ୟ କାଶ୍ମୀରର ପାରିଆଉଲି (ବର୍ତ୍ତମାନ ପାରିହାସପୁର)ଠାରେ ଏକ ନୂତନ ରାଜଧାନୀ ନିର୍ମାଣ କରିଥିଲେ। ସେ ମାର୍ତଣ୍ଡ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ, ଯାହା ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଥିଲା ଏଵଂ ଏହାର ଭଗ୍ନାଵଶେଷ ଆଜି ମଧ୍ୟ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଦେଖାଯାଏ। ଏହି ମନ୍ଦିର ସ୍ଥାପତ୍ୟ ଓ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଶିଳ୍ପ, ସ୍ଥାପତ୍ୟ ଓ ଧର୍ମର ପ୍ରସାର ପାଇଁ ଅନେକ ଅଵଦାନ ଦେଇଥିଲେ।
ଲଳିତାଦିତ୍ୟଙ୍କ ଵିଷୟରେ ସଵିଶେଷ ତଥ୍ୟ ରାଜତରଙ୍ଗିଣୀରେ ମିଳେ ଏଵଂ ଏହା କଲ୍ହଣଙ୍କ ଦ୍ୱାରା ଲିଖିତ ଏକ ଐତିହାସିକ ଗ୍ରନ୍ଥ। ଆରବ,ପାରସ୍ୟ ଓ ଚୀନଦେଶର ପ୍ରାଚୀନ ଗ୍ରନ୍ଥରେ ବି ଏହାଙ୍କ ନାମୋଲ୍ଲେଖ ରହିଛି । କୁହାଯାଏ ଯେ ଲଳିତାଦିତ୍ୟ କେଵଳ ସାମରିକ ଵିଜେତା ନ ଥିଲେ ବରଂ ସେ ଏକ ଦକ୍ଷ ପ୍ରଶାସକ ମଧ୍ୟ ଥିଲେ, ଯିଏ ନିଜ ସାମ୍ରାଜ୍ୟକୁ ସ୍ଥିରତା ଓ ସମୃଦ୍ଧି ଦେଇଥିଲେ।
ଲଳିତାଦିତ୍ୟଙ୍କୁ ଅନେକ ଐତିହାସିକ ଓ ଗଵେଷକ "ଭାରତର ସିକନ୍ଦର" ଭାବେ ଅଭିହିତ କରିଛନ୍ତି, କାରଣ ସେ କେବେ ଯୁଦ୍ଧରେ ହାରି ନ ଥିଲେ ଏଵଂ ତାଙ୍କ ସାମ୍ରାଜ୍ୟ ଵିସ୍ତାର ଅତ୍ୟନ୍ତ ପ୍ରଭାଵଶାଳୀ ଥିଲା।
ତାଙ୍କ ସମୟରେ କାଶ୍ମୀର ଏକ ଶକ୍ତିଶାଳୀ ଆର୍ଥିକ ଓ ସାଂସ୍କୃତିକ କେନ୍ଦ୍ର ଭାବେ ଉଭା ହୋଇଥିଲା।
ଦୁର୍ଭାଗ୍ୟଵଶତଃ, ଆଧୁନିକ ଇତିହାସ ଶିକ୍ଷାରେ ଲଳିତାଦିତ୍ୟଙ୍କ ଵିଷୟରେ ଅଧିକ ଆଲୋଚନା କରାଯାଇ ନାହିଁ, ଯାହା କାରଣରୁ ଅନେକ ଲୋକ ତାଙ୍କ ଅଵଦାନ ବିଷୟରେ ଅଜଣା ଅଛନ୍ତି। ତଥାପି, ସେ ଭାରତୀୟ ଇତିହାସରେ ଜଣେ ମହାନାୟକ ଭାବେ ସ୍ମରଣୀୟ।
No comments:
Post a Comment