Thursday, June 5, 2025

•ଗୋଟିଏ ଅବୋଲକରା ବେଙ୍ଗର କାହାଣୀ•

ଅତି ପ୍ରାଚୀନ କାଳରେ ଏକ ସାଗୁଆ ରଙ୍ଗର ବେଙ୍ଗ ଥିଲା, ଯିଏ ଜନ୍ମରୁ ଅବୋଲକରା ଥିଲା ଏଵଂ କେବେ ହେଲେ ତା’ର ମାଆର ବୋଲ ମାନୁ ନଥିଲା। ଯେତେବେଳେ ତା’ର ମାଆ ତାକୁ ଡେଇଁଵାକୁ କହୁଥିଲା, ସେ କାଦୁଅ ଭିତରେ ନିଜକୁ ଦୃଢ଼ ଭାବେ ଅଟକାଇ ଦେଇ ଡେଇଁଵାକୁ ମନା କରିଦେଉଥିଲା। ପୁଣି ଯେତେବେଳେ ତା’ର ମାଆ ତାକୁ "ଚୁପ୍ ରହ" ବୋଲି କହୁଥିଲା, ସେ ବାରମ୍ବାର ଯଥାସମ୍ଭବ ଉଚ୍ଚକୁ ଡିଆଁ ମାରୁଥିଲା। ଏହି ଦୁଷ୍ଟାମି ତା’ର ବାଲ୍ୟକାଳ ସାରା ଚାଲିଥିଲା ଓ ଯୌଵନ ଵୟସରେ ମଧ୍ୟ ଜାରି ରହିଲା, ଯାହା ତା’ର ଦୁଃଖୀ ମାଆକୁ ବହୁତ ହଇରାଣ କରୁଥିଲା। ଶେଷରେ, ମାଆ ବେଙ୍ଗ ତା’ର ଏହି ଅବୋଲକରା ପୁଅକୁ ସୁଧାରିଵାର ଚେଷ୍ଟା ଛାଡ଼ି ଦେଇଥିଲା।ତା’ର ଏହି ଅଵାଧ୍ୟ ସ୍ଵଭାଵ ମାଆ ବେଙ୍ଗ ପାଇଁ ମୁଣ୍ଡଵ୍ୟଥାର‌ କାରଣ ହୋଇଗଲା । ମାଆ ବେଙ୍ଗ ବୃଦ୍ଧା ହୋଇଯାଇଥିଲା ଆଉ ତା’ର ପୁଅ ବେଙ୍ଗ ତଥାପି ନିଜ ଅବୋଲକରା ଆଚରଣ ସୁଧାରି ନଥିଲା। ପୁଅ ବେଙ୍ଗଟା ଭେଣ୍ଡିଆ ହୋଇଗଲା ତଥାପି ମାଆ ବେଙ୍ଗ କଥା ଶୁଣୁନଥାଏ ,ଦକ୍ଷିଣକୁ ଯିଵାକୁ କୁହାଗଲେ ଉତ୍ତରକୁ ଯାଉଥାଏ ଆଉ ଜାଗି ରହିଵାକୁ କୁହାଗଲେ ଶୋଇ ପଡ଼ୁଥାଏ । ମାଆ ବେଙ୍ଗ କାନ୍ଦି କାନ୍ଦି କହୁଥିଲା, "କେଵଳ ଗୋଟିଏ ଥର ପାଇଁ ମୋ ପୁଅ ମୋ କଥା ମାନନ୍ତା ଭଲା !" । ପୁଅ ବେଙ୍ଗର ଏହି ଦୁଷ୍ଟାମି ମାଆ ବେଙ୍ଗକୁ ଵିଶେଷ ଭାବେ ଦୁଃଖୀ କରୁଥିଲା, କାରଣ ସେ ତା’ର ଜୀଵନର ଶେଷ ଦିନଗୁଡ଼ିକ ଆଡ଼କୁ ଅଗ୍ରସର ହେଉଥିଲା। 

ପୁଅ ବେଙ୍ଗ ସ୍ଵଭାଵତଃ ଦୁଷ୍ଟ ନଥିଲା; ସେ କେଵଳ ଯାହା କରିଵାକୁ କୁହାଯାଉଥିଲା, ତା’ର ଠିକ୍ ଉଲଟା କରିଵାରେ ଆନନ୍ଦ ପାଉଥିଲା।କିନ୍ତୁ, ଯେତେବେଳେ ଏହି ଦୁଷ୍ଟ ବେଙ୍ଗ ତା’ର ମାଆକୁ ମରିଯିବାର ଦେଖିଲା, ସେ ହଠାତ୍ ଜୀଵନସାରା ମାଆ କଥା ମାନି ନଥିଵା କଥା ମନେ ପକାଇ ପଶ୍ଚାତାପ କରିଵାକୁ ଲାଗିଲା। 

ମାଆ ବେଙ୍ଗ ମରିଵା ପୂର୍ଵରୁ ପୁଅବେଙ୍ଗକୁ କହିଲା ମୁଁ ମରିଗଲେ "ମୋତେ ନଦୀକୂଳ ପାଖରେ ପୋତି ଦେବୁ ।" ପ୍ରକୃତରେ, ମାଆ ବେଙ୍ଗ ପାହାଡ଼ରେ ପୋତା ପାଇଵାକୁ ଚାହୁଁଥିଲା, କିନ୍ତୁ ଯେହେତୁ ପୁଅ ବେଙ୍ଗ ସବୁବେଳେ ଉଲଟା କାମ କରେ ତେଣୁ ମାଆ ବେଙ୍ଗ ଓଲଟା କଥା କହିଥିଲା । ଦୁର୍ଭାଗ୍ୟବଶତଃ, ମାଆର ଶେଷ କଥା ଶୁଣି ଏହି ଦୁଷ୍ଟ ବେଙ୍ଗର ମନ ବଦଳିଗଲା। ଏକ ପରିପକ୍ୱ ବେଙ୍ଗ ପରି ଆଚରଣ କରିଵାର ସମୟ ଆସିଛି ବୋଲି ସେ ଵିଚାର କଲା । 
ନିଜକୁ ଏକ ଭଲ ପୁଅ ଭାବି, ସେ ତା’ର ମାଆକୁ ନଦୀକୂଳ ପାଖରେ କବର ଦେଲା । ଅଵଶ୍ୟ ନଦୀକୂଳରେ ପୋତିଵାକୁ କାର୍ଯ୍ୟକୁ ସେ ଏକ ମୂର୍ଖାଣ୍ଡିଆ କାମ ମନେ କରୁଥିଲା କାରଣ ଵର୍ଷା ହେଲେ ପ୍ରଵଳ ସ୍ରୋତ ତା’ର ମାଆର ଶଵକୁ ଭସାଇ ନେଇଯାଇପାରେ।


କିନ୍ତୁ ମାଆବେଙ୍ଗର ଶେଷ ଇଚ୍ଛା, ଅତି କମରେ ମାନିଵା ଉଚିତ ଵିଚାର କରି ଅବୋଲକରା ପୁଅବେଙ୍ଗଟା ନଦୀକୂଳରେ ତା ମାଆର ଶଵକୁ ପୋତି ଦେଲା । ତେବେ ମାଆ ବେଙ୍ଗକୁ ନଦୀକୂଳରେ ପୋତି ଦେଵା ପରେ ଅବୋଲକରା ବେଙ୍ଗର ଚିନ୍ତା ବଢ଼ିଗଲା । ସେ ଭାବିଲା ଵର୍ଷା ହେଲେ କାଳେ ପ୍ରଵଳ ସ୍ରୋତ ତା’ର ମାଆକୁ ଭସାଇ ନେଵ। ତେଣୁ, ଯେତେବେଳେ ପୁଅବେଙ୍ଗ ଵର୍ଷା ହେଵାର ସଙ୍କେତ ପାଉଥିଲା, ସେ କାନ୍ଦିଵାକୁ ଲାଗୁଥିଲା, ପ୍ରାର୍ଥନା କରୁଥିଲା ଯେ ସ୍ରୋତ ତା’ର ମାଆକୁ ଭସାଇ ନ ନେଇଯାଉ। କାଳକ୍ରମେ ଏହା ଏକ ପରମ୍ପରାରେ ପରିଣତ ହେଲା । ପୁଅବେଙ୍ଗର ପରିଵାର ଜାତି ଭାଇ ସାଈ ପଡ଼ିଶା ସମସ୍ତେ ସେମିତି କଲେ ଆଉ ଆଜି ପର୍ଯ୍ୟନ୍ତ ଵର୍ଷା ହେଲେ ବେଙ୍ଗମାନେ ସେଇମିତି ବୋବାଉଛନ୍ତି । 

•••••••••••••••••••••••••••
ପ୍ରାଚୀନ କାଳରେ ଯେତେବେଳେ ବେଙ୍ଗ କାହିଁକି ବୋବାଉଛନ୍ତି ବୋଲି ଚୀନ ଓ କୋରିଆରେ ପିଲାଏ ତାଙ୍କ ମାଆ, ଜେଜେମାଆ ଓ ଆଈମାଆଙ୍କୁ ପଚାରୁଥିଲେ ସେତେବେଳେ ସେମାନେ ଅବୋଲକରା ବେଙ୍ଗ ଓ ଵର୍ଷା ସମ୍ବନ୍ଧୀୟ ଏହି ଲୋକକଥା ଦ୍ଵାରା ତହିଁର ଉତ୍ତର ଦେଉଥିଲେ । ମୂଳତଃ ଏହି କାହାଣୀଟି ଚୀନଦେଶୀୟ ତେବେ ପରେ ଏହା କୋରିଆରେ ଅଧିକ ଲୋକପ୍ରିୟ ହୋଇଥିଲା । 

 ତେବେ ଵର୍ଷାକାଳରେ ବେଙ୍ଗମାନଙ୍କର ବୋବାଇଵା ପଛରେ ଥିଵା ଵୈଜ୍ଞାନିକ କାରଣ ଭିନ୍ନ। ବେଙ୍ଗମାନେ ଵର୍ଷାକାଳରେ ବୋବାଇଥାଆନ୍ତି କାରଣ ଏହା ସେମାନଙ୍କ ପାଇଁ ଏକ ଆଦର୍ଶ ସମୟ। ଵୈଜ୍ଞାନିକ ଦୃଷ୍ଟିରୁ, ବେଙ୍ଗ ଓ ପାଣିବେଙ୍ଗ ଆର୍ଦ୍ରତା ପସନ୍ଦ କରନ୍ତି। ଵର୍ଷା ସମୟରେ ଆର୍ଦ୍ର ପରିଵେଶ ସେମାନଙ୍କ ଚର୍ମକୁ ଆଦ୍ର କରିଦିଏ, ଯାହା ସେମାନଙ୍କ ଶ୍ୱାସକ୍ରିୟା ଓ ବଞ୍ଚିଵା ପାଇଁ ଜରୁରୀ, କାରଣ ସେମାନେ ଚର୍ମ ମାଧ୍ୟମରେ ଅମ୍ଳଜାନ ଗ୍ରହଣ କରନ୍ତି। ଵର୍ଷା ଯୋଗୁଁ ପରିଵେଶର ଆର୍ଦ୍ର ଅଵସ୍ଥା ସେମାନଙ୍କୁ ବାହାରକୁ ଆସି ଖେଳିଵା ଓ ପ୍ରଜନନର ସୁଯୋଗ ଦେଇଥାଏ। ଵର୍ଷା ସମୟରେ ଜଳାଶୟ ଓ ଆର୍ଦ୍ର ସ୍ଥାନଗୁଡ଼ିକ ବେଙ୍ଗମାନଙ୍କ ପାଇଁ ଅଣ୍ଡା ଦେଵା ଓ ପ୍ରଜନନ ପାଇଁ ଉପଯୁକ୍ତ ହୋଇଥାଏ। ତେଣୁ, ଯେତେବେଳେ ଵର୍ଷା ହୁଏ, ବେଙ୍ଗମାନେ ବୋବାଇଥାଆନ୍ତି ଯାହା ସଙ୍ଗମ ପାଇଁ ଡାକ ଵା ଆନନ୍ଦ ପ୍ରକାଶ କରିଵା ପାଇଁ ଉଦ୍ଧିଷ୍ଟ ହୋଇଥାଏ ।

(ଛୋଟବେଳେ ମୁଁ ବେଙ୍ଗ କାହିଁକି ବୋବାଉଛନ୍ତି ପଚାରିଲେ ମାଆ ଆଉ ଗୋଟିଏ କାହାଣୀ କହୁଥିଲା କିନ୍ତୁ ସେ କାହାଣୀଟି ମନେ ପଡ଼ୁନାହିଁ । ସେଇ କାହାଣୀକୁ ଖୋଜୁ ଖୋଜୁ ଏଇ କାହାଣୀଟା ମିଳିଲା 😂🙏)

No comments:

Post a Comment

"ଟର୍କୀ ପକ୍ଷୀର ନାମକରଣ: ଭାରତ, ପେରୁ ଓ ତୁର୍କୀର ଐତିହାସିକ ସଂଯୋଗ"

Hindi କହିଲେ ଆମେ ଭାରତର ଏକ ଜଣାଶୁଣା ରାଜଭାଷାକୁ ବୁଝନ୍ତି କିନ୍ତୁ ଉତ୍ତର ଆଫ୍ରିକାର ସ୍ଵାହିଲି ଭାଷାରେ ମକାକୁ Hindi କୁହନ୍ତି(ବହୁଵଚନରେ Mahindi କୁହାଯାଏ ।) । ସ...